ପୂର୍ବକାଳେ ଜେଜେ ବାପାଙ୍କ ଅମଳେ
ବରଗଛ ଛାଇ ତଳେ
ମାଟି ସିଲଟକୁ ଚୁନଲଗା ଖଡ଼ି
ପିଲା ପଢ଼ୁଥିଲେ ଦଳେ
ଚାଟଶାଳା ଥିଲା ଅତି ମନୋରମ
ଗୁରୁଜୀଙ୍କ ବିଦ୍ଯାବଳେ
ଜେଜେ କହୁଥିଲେ ଚାଟଶାଳା ପରେ
ଖେଳୁ ସାଙ୍ଗ,ସାଥି ମେଳେ
‐ ରାଧା କୃଷ୍ଣ ବାୟକ
ଚାଟଶାଳା ଚିର ଅଭୁଲା ଅକ୍ଷର
ମନ ଅଭିଧାନେ ପୂଜ୍ୟ
ଶିକ୍ଷା ଓ ସଂସ୍କାର ସ୍ବଚ୍ଛତା ଅନ୍ତର
ପ୍ରୋତ୍ସାହନର ପ୍ରାଜୁର୍ଯ୍ୟ
ଆଜି ଏ ବୟସ ଭରା ଅବଶୋଷ
ନାହଁ ଫୁଲ ଝରା ଦିନ
ଅଫେରା ଅତୀତ ହୃଦେ ଯାହା କ୍ଷତ
କଷେ ଅଙ୍କ ଅଭିମାନ
- ଦାଶରଥି ସାହୁ
ଅବଧାନ ପାଶେ ଖଡ଼ିଛୁଆଁ
ଇତିହାସ ଆଜି ଚାଟଶାଳା
ନିରାଡ଼ମ୍ବର ଶିକ୍ଷାର ଶୈଳୀ
ଆଧୁନିକ ଆଳେ ଗଲା ଜଳି
ସଂସ୍କାର,ସମ୍ମାନ,ଶିକ୍ଷା ସଞ୍ଜମ
ଚାଟଶାଳୀ ଥିଲା ଉଚ୍ଚ ମାଧ୍ୟମ
ପାଶ୍ଚାତ୍ୟ ସ୍ବର୍ଶରେ ଅତୀତ ସେଇ
ଶିକ୍ଷା ବ୍ୟବସ୍ଥାରେ ପଡ଼ିଛି ଛାଇ
- ସନ୍ତୋଷ ପଟ୍ଟନାୟକ
ଚାଟଶାଳା ଯାଇ ଗୁରୁଜୀ ମାଧ୍ୟମେ
ପଢିଲେ ଯେ କେତେ ପାଠ
ଶିଖିଲେ ଯେ କେତେ ଭଲ ମନ୍ଦ କଥା
ଗୁରୁଜୀଠୁ ଖାଇ ଛାଟ
ଚାଟଶାଳାର ସେ ଗୁରୁଜୀଙ୍କ କଥା
ମନେ ପଡେ ଆଜି ନିତି
ପୁରୁଣା ଦିନର କଥାକୁ ଭାବିଲେ
ଲାଗେ ଆଜି ସବୁ ସ୍ମୃତି
- ଜଗବନ୍ଧୁ ସାହୁ
ଚାହାଳୀର ଚାଟ ଗୁରୁଙ୍କର ଛାଟ
ସମୟ ନେଲା ଚୋରେଇ
ଗୁରୁଭକ୍ତି ସବୁ ଚୂଲିକି ଗଲାଣି
ପୁରାଣ ପୋଥି ବି ନାହିଁ
ନାହିଁ ଅଙ୍କ କଷା ପଣିକିଆ ଘୋଷା
ବେଦ ଧ୍ୱନି ଉଚ୍ଚାରଣ
ଛାଟ ଧରିବାକୁ ନିଷିଦ୍ଧ ହୋଇଲା
ଗୁରୁ ଭୋଗନ୍ତି କଷଣ
- ଟୁକୁନା ସାହୁ
ପୁରୁଣା ଦିନର ପ୍ରତିଛବି ଏଯେ
ନାମ ଯାର ଚାଟଶାଳା
ଯେଉଁଠି ଆରମ୍ଭ ବିଦ୍ୟାର୍ଥୀ ଜୀବନ
ଶିକ୍ଷା ସହିତେ ଶୃଙ୍ଖଳା
ସମୟ କ୍ରମରେ ପରିବର୍ତ୍ତନରେ
ବଦଳିଛି ତାର ସ୍ଥିତି
ଶିଶୁ ଜୀବନର ଅଭୁଲା ସେ ସ୍ମୃତି
ଚାଟଶାଳା ଅନୁଭୂତି
- ପ୍ରବୀର ମଲ୍ଲିକ୍
ସମୟ ସୁଅରେ ବଦଳି ଯାଇଛି
ଗାଆଁ ଚାଟଶାଳୀ ପାଠ
ବର୍ଣ୍ଣବୋଧ ଡାକ ନିରବି ଯାଇଛି
ନାହାଁନ୍ତି ଆଉ ସେ ଚାଟ
ପଣକିଆ ଘୋଷା ଶୁଭୁନି ତ ଆଉ
ଆଧୁନିକତାର ତାଳେ
ସଂସ୍କାର ବିହୀନ ଚାଟ ଏଠି ଆଜି
ଅସତ୍ ସଙ୍ଗଙ୍କ ମେଳେ
- ରାମ ଚନ୍ଦ୍ର ପ୍ରଧାନ
ଭିନ୍ନ ଥିଲା ଆଗ ସେହି ଚାଟଶାଳା
ଝାଟି ମାଟି ଚାଳ ଘରେ
ଅକ୍ଷରେ ଅକ୍ଷରେ ପାଳୁଥିଲେ ଶିଷ୍ଯ
ଆଜ୍ଞାଦେଲେ ଗୁରୁ ଥରେ
ମାଟି ସିଲଟକୁ ଝଜି ପିନ୍ଧା ବସ୍ତ୍ର
ଦେହେ କରି ପରିଧାନ
ତ୍ରୁଟି ହେବା ମାତ୍ରେ ଦଣ୍ଡ ପାଇ ମଧ୍ୟ
ରଖୁଥିଲେ ଗୁରୁମାନ
ନାହିଁ ଆଉ ଏବେ ସେହି ଚାଟଶାଳା
ସେହି ଆଜ୍ଞାଧିନ ଛାତ୍ର
ଗୁରୁ ଶିଷ୍ଯଙ୍କର ସମ୍ପର୍କଟା ଯାହା
ରହିଛି ନାଆଁକୁ ମାତ୍ର
- ରବିନ୍ଦ୍ର ସାହୁ
No comments:
Post a Comment