ଦେଶ ନାସ୍ତି ମହୀତଳେ
ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବ ବ୍ରହ୍ମହତ୍ୟା ପାପ ମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ ହେଇଯାଇଛି l ମନ୍ଦିର ମାଳିନୀ ରୁ ମରାଳ ମାଳିନୀ ପର୍ଯ୍ୟନ୍ତ ପ୍ରଳମ୍ବିତ ପ୍ରକୃତି ର ସୌନ୍ଦର୍ଯ୍ୟ l ବାରବାଟୀ ରୁ ବରୁଣେଇ ବିରତ୍ୱ ର ବୈତରଣୀ ପ୍ରବହମାନ l ଅନ୍ନ କଣିକା ଏଠି ବ୍ରହ୍ମଅନ୍ନ ନିର୍ମାଲ୍ୟ l କାଠ ଖଣ୍ଡିଏ ଏଠି ଦାରୁବ୍ରହ୍ମ l
ଏ ଜାତି ର ଅତୀତ କୁ ଖୋଜିବାକୁ ଯାଇ ଅସମର୍ଥ ଇତିହାସ l କୋଉଠୁ ଆରମ୍ଭ କରିବ ଏ ଜାତିର ଇତିହାସ ଲେଖା? ଇଦ୍ରଦ୍ୟୁନ୍ୟ ଗୁଣ୍ଡିଚା ଙ୍କ ଠାରୁ ??? ନା ବିଶ୍ୱାସବାସୁ ଲଳିତା ଠାରୁ ?? ନିର୍ଣ୍ଣୟ କରିପାରିବ ପରମଂବ୍ରହ୍ମ ର ଆବିର୍ଭାବ ର ସମୟ? ଯାହାକୁ ର କଳନା କରିବାକୁ ଦେବତା ମାନେ ବି ଅସମର୍ଥ l ଗୋଟିଏ କଥା ମନେ ରଖିବାକୁ ହେବ ଓଡ଼ିଆ ଜାତି ଜାତକ ର ଲଗ୍ନ ରେ ଜଗନ୍ନାଥ ଭାଗ୍ୟ ବି ଜଗନ୍ନାଥ l
ଏମିତି ଭୂମି କୋଉଠି ଅଛି ଯାହାର ସୁରକ୍ଷା ପାଇଁ ସୈନିକ ନୁହେଁ ସ୍ୱୟଂ ଆଦ୍ୟା ଶକ୍ତି ହିଁ ଯୁଦ୍ଧ୍ୟ କୁ ଯାଏ l ଏମିତି କୌଣସି ଯୁଦ୍ଧ ନାହିଁ ଯେଉଁ ଯୁଦ୍ଧରେ ପାଇକ ପୁଅ ସହ ମା'ବରୁଣେଇ ଯୁଦ୍ଧ କୁ ଯାଇ ନଥିବ l ଅକାତ କାତ ପାଣିରେ କାଳିଜାଇ ନାମ ରେ ଡ଼ଙ୍ଗା ଚାଲେ l ଯେବେ ଏ ଜାତି ର ସାହିତ୍ୟ ବିସ୍ମୁତି ର ଅତଳ ଗର୍ଭ କୁ ଚାଲିଯାଇଥିଲା,ସେତେବେଳେ ସିଦ୍ଧଶ୍ଵର ପରିଡା କୁ ସ୍ୱପ୍ନ ରେ କାବ୍ୟ ପକ୍ତି କହି ଓଡ଼ିଆ ସାହିତ୍ୟ ର ଜୟ ଯାତ୍ରା ର ଶୁଭାରମ୍ଭ କରିଥିଲେ ମା'ଶାରଳା l ଆଜିବି କାନ ରେ ପଡୁଛି ସେଦିନ ର କାହାଣୀ ଦୁର୍ଦସ ଯବନ ସେନାପତି କଳାପାହାଡ଼ ସବୁଆଡେ ହା ହା କାର ରଚିଥିଲା ମାତ୍ର କୋଣାର୍କ ମୁହାଣରେ ମାଠିଆ ଧରି ବୁଢ଼ୀ ତାକୁ ବୋକା ବନେଇ ଦେଲା l
ଉତ୍କଳ ର ରାଜୁଡା ଶାସନ ଆଉ ରାଜାଙ୍କ ତାଙ୍କ ସୌର୍ୟ୍ଯ, ବୀର୍ଯ୍ୟ, ଔଦାର୍ଯ୍ୟ, ବୀରତ୍ୱ, ଗାରିମା ର ଗାଥା ଇତିହାସ ପୃଷ୍ଠା ରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ l
ମହାମେଘ ବାହନ ଐରଖାରବେଳ, ଲାଙ୍ଗୁଳା ନାରାସିଂହ ଦେବ, ଚୋଡଗଙ୍ଗ, କପିଳେନ୍ଦ୍ର, ପୁରୁଷୋତ୍ତମ, ଯଜାତି ଙ୍କ ପ୍ରଶାସ୍ତି ଗାନ ଶତମୁଖ ଇତିହାସ ଓ ଐତିହାସିକ l
ଏହାର ସ୍ୱର୍ଣ୍ଣିର୍ମ ଇତିହାସ ଘଟଣା ବହୁଳ l ରାଜା ଏଠି ରାଜା ନୁହେଁ ରାଉତ l ଏଠି ସ୍ତ୍ରୀ ପାଇଁ ନୁହେଁ ଭଉଣୀ ପାଇଁ ସ୍ୱତନ୍ତ୍ର ରଥ ତିଆରି ହୁଏ l ଖାଲି ଇତିହାସ ନୁହେଁ ଭୂଗୋଳ ବି ଆମର ମହାନ ଏଇ ଉତ୍କଳ ର ଭୂଗୋଳ ଆକୁମାରୀ ହିମାଳୟ ପର୍ଯ୍ୟନ୍ତ ପ୍ରଳମ୍ବିତ ଥିଲା l ଯେତେବେଳେ ସମଗ୍ର ଭାରତ ମୌର୍ଯ୍ୟ ଶାସନ ର ବଶତା ସ୍ୱୀକାର କରିଥିଲା ସେତେବେଳେ ଉତ୍କଳ ଏକମାତ୍ର ରାଜ୍ୟ ଯିଏ ମୋର୍ଯ୍ୟ ଶାସନ ର ବଶତା ସ୍ୱୀକାର କରିନଥିଲା l ସ୍ୱାଧୀନ ଉତ୍କଳ ର ନେତୃତ୍ୱ ନେଉଥିଲେ ମହାମେଘ ବାହନ ଐର ଖରାବେଳ l
ଅନେକ ଆମ ରାଜ୍ୟ କୁ ଗରିବ ରାଜ୍ୟ ବୋଲି କୁହନ୍ତି କିନ୍ତୁ ଆମ ରାଜ୍ୟ ଅର୍ଥନୀତି ବେଶ ସମୃଦ୍ଧ ଥିଲା l ଏ ସେହି କଳିଙ୍ଗ ଯେଉଁଠାରୁ ହୀରା ସୁଦୂର ରୋମ କୁ ରପ୍ତାନି ହେଉଥିଲା ଯାହାର ସ୍ମୃତିରେ ଆଜି ବି ଓଡିଶା ରେ ଗୋଟିଏ ଜାଗା ହୀରାକୁଦ l ଆଉ ଆଜି ର ସମ୍ବଲପୁର ପ୍ରାଚୀନ ନା ହୀରାଖଣ୍ଡ l ଖାଲି ସେତିକି ନୁହେଁ ସମସ୍ତେ ଜାଣନ୍ତି କୋହିନୁର ହୀରା ସବୁଠୁ ମୂଲ୍ୟ ବାନ କିନ୍ତୁ କୋହିନୁର ଠାରୁ 200 ଗୁଣା ମୂଲ୍ୟବାନ ହୀରା ନା କଳିଙ୍ଗ ହୀରା l ଇଂରେଜ ଶାସନ ସମୟ ଯେତେବେଳେ ନୂଆ ନୂଆ ରେଳ ଧାରଣା ବିଛା ଯାଉଥିଲା ସେତେବେଳେ ଅଧିକା ଭାର ସଂଭାଳି ପାରୁଥିବା କାଠ ଆବଶ୍ୟକ ପଡିଲା ସେତେବେଳେ ବ୍ରିଟିଶ ସରକାର ସମଗ୍ର ଭାରତ ବୁଲି ଓଡିଶା ର ଜଙ୍ଗଲ କାଠ ସର୍ବତ କୃଷ୍ଠ ବୋଲି ମତ୍ତ ଦେଲେ ଓ ରେଳ ଧାରଣା କାମ ରେ ଲଗାଇଲେ l ଯେଉଁମାନେ ଓଡିଶା କୁ ଦରିଦ୍ର ବୋଲି କୁହନ୍ତି ସେମାନେ ଜାଣିରଖିବା ଦରକାର ଯେଉଁ ଦେଶ ର ଝିଅ ସୁନା ଚାନ୍ଦ ନ ହେଲେ ଖେଳିବନି ବୋଲି ବାପା ପାଖରେ ଦାବି କରେ ସେ ଜାତି ଗରିବ ହେଲା କେମିତି?? ଯେଉଁ ରାଜ୍ୟ ର ମାଟି ଆଡେଇ ଦେଲେ ଅମୁଲ୍ୟ ଧାତୁ ର ଅସରନ୍ତି ଭଣ୍ଡାର ସେ ରାଜ୍ୟ ଗରିବ ହେଲା କେମିତି?? ଓଡିଶା ର ନୌ ବାଣିଜ୍ୟ ଆଉ ସାଧବ ପୁଅ ଗାଥା ବିଶ୍ୱ ବିଦିତ l ସୁଦୀର୍ଘ ସାଗର ପଥରେ ଜଭା ସୁମାତ୍ରା ରେ ବାଣିଜ୍ୟ କରିବାର କଥା ଇତିହାସ ରେ ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ l ଯାହାର ସ୍ମୁତି ଚାରଣ କରିବାରେ ଆଜିବି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୁଏ l
ଚାରୁହମ୍ୟ ଶାଳିନୀ ଉପବନ ଶୋଭିତା ଏହି ଉତ୍କଳ ଜନନୀ l ଯାହାର ପ୍ରକୃତିକ ସୌନ୍ଦର୍ଯ୍ୟ ରେ ବିମୁଗ୍ଧ ଵେଦେଶୀ ବିହଙ୍ଗ l ସପ୍ତଶଯ୍ୟା ରୁ ଶିମିଳିପାଳ, ଚିଲିକା ରୁ ଚନ୍ଦ୍ରଭାଗା, ଦେଓମାଳି ରୁ ଦାରିଙ୍ଗବାଡି, ଡେବିରିଘାଟ ରୁ ଭିତରକନିକ ସବୁଠି ଲାସ୍ୟମୟୀ ପ୍ରକୃତି ରାଣୀର ଲାବଣ୍ୟମୟୀ ରୂପ l
କୀର୍ତି, କୃତି, କଳା,କାରିଗରୀ, ସମସ୍ତ ଗୁଣ ରେ ନା ଉତ୍କଳ ର ସମସାମୟିକ ଦେଶ ନା କିଏ ଅଛି?ନା ଉର୍ଦ୍ଧରେ କେଉଁ ଦେଶ ଅଛି? ଚକ୍ର କ୍ଷେତ୍ର ରୁ ଅର୍କକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଉତ୍କଳ ନିହାଣ ସ୍ପର୍ଶ ପାଷାଣ ହୋଇଛି ପ୍ରଣବନ୍ତ l ଏ ମାଟିରେ ସୃଜନଶୀଳତା ର ଶିଳାନ୍ୟାସ ସମ୍ଭବତଃ ସେହି ବୁଢା ବଢ଼େଇ କରିଥିଲେ, ଯିଏ ରାଣୀ ଗୁଣ୍ଡିଚା କୁ ଏକୋଶି ଦିନ ଯାଏ କବାଟ ନ ଖୋଲିବାକୁ ସର୍ତ୍ତ ରଖିଥିଲେ l ଆଜିବି ବାରବର୍ଷର ବାଳକ ଧର୍ମପଦ ର ଶିଳ୍ପ ଚତୁରୀ ର ସ୍ଵାକ୍ଷର ବହନ କରି ସ୍ୱର୍ଣ୍ଣିମ ବାଲୁକା ଶଯ୍ୟା ରେ ଶିଳାପଦ୍ମ ଦଣ୍ଡାୟମାନ l ଓଡ଼ିଆ ଖଣ୍ଡେ ବାଉଁଶ ନଳୀରେ ବିଦେଶୀ ଙ୍କ କୋଟି କୋଟି ଟଙ୍କା ର ଯନ୍ତ୍ର ପାତି କୁ ମୂଲ୍ୟହୀନ କରିପାରେ ପୁଣି ଗୀତ ଗୋବିନ୍ଦ ର ଝଙ୍କାର ରେ ସାରା ବିଶ୍ୱ କୁ ବିମୋହିତ କରିପାରେ l ଓଡିଆ ର ଅଭଡ଼ା ଗୋଟିଏ କଣିକା କୋଟିଏ ପାପ ରୁ ମୁକ୍ତି ଦିଏ l ପବନ ର ପ୍ରତିକୂଳ ରେ ପତାକା ଉତଡ଼ାଇବାର ଦୁଃଶାହସ କେବଳ ଓଡ଼ିଆ ହିଁ କରିପାରେ l ଚିର ଷୋଡ଼ଶୀ ଆମ ଓଡିଶୀ, ମର୍ଦଳ କଥାରେ ପାଗେଳୀ ହୁଏ ଘୁଙ୍ଗୁର l
ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଏଇ ଉତ୍କଳ l ସମୃଦ୍ଧ ଏହାର ଭାଷା ସୁଦୃଢ ଏହାର ସାହିତ୍ୟ l କବି ସମ୍ରାଟ ଙ୍କ ଠାରୁ କବି ସୂର୍ଯ୍ୟ ପର୍ଯ୍ୟନ୍ତ ପଲ୍ଲୀକବି ଙ୍କ ଠାରୁ ପ୍ରକୃତି କବି ପ୍ରଯ୍ୟନ୍ତ ସମସ୍ତ ଙ୍କ ଲେଖନୀ ଚାଳନାରେ ଆଜି ଓଡିଶା ସାହିତ୍ୟ ଆଜି ଶିଖର ମଣ୍ଡିତ l ଉତ୍କଳମଣି,ଉତ୍କଳ ଗୌରବ,ଉତ୍କଳ ଘଣ୍ଟ,ଉତ୍କଳ ବାଶ୍ଚସ୍ପତି,ପ୍ରବୃତି ଉତ୍କଳ ସାହିତ୍ୟ ଜଗତର ଅନିର୍ବାପିତ ଦୀପଶିଖା l "ବୈଦେହୀଶ ବିଳାସ " "ରସକଲ୍ଲୋଳ" "ପ୍ରଣୟବଲ୍ଲରୀ" "ବିଦଗ୍ଧ ଚିନ୍ତାମଣି "ଇତ୍ୟାଦି ଓଡ଼ିଆ ସାହିତ୍ୟ ଆକାଶ ର ଅମଳିନ ଜ୍ୟତିସ୍କ l
ଏଠି ଶ୍ରେଷ୍ଠ କୁ ନିର୍ବାଚିତ କରିବା କଷ୍ଟ l କାହାକୁ ଶ୍ରେଷ୍ଠ କହିବ?ପାଲା କୁ ଦାଶ କାଠିଆ କୁ ଘୋଡା ନାଚକୁ ନା ଗୋଟିପୁଅ କୁ ? ସଂଚାର କୁ ନା ସଙ୍କିର୍ତନ କୁ??କାହାକୁ ଶ୍ରେଷ୍ଠ କହିବ ମୟୁରଭଞ୍ଜ ର ଛଉ କୁ ସମ୍ବଲପୁର ର ଡାଲଖାଇ କୁ ଗଞ୍ଜାମ ର ରଣପା କୁ?? କାହାକୁ ସୁନ୍ଦର ବୋଲି କହିବ ସୋନପୁରୀ ପାଟ କୁ ନା ସମ୍ବଲପୁରୀ ଶାଢ଼ୀ କୁ?? କାହାକୁ ସୁନ୍ଦର ବୋଲି କହିବ ପିପିଲି ଚାନ୍ଦୁଆ କୁ ନା ରଘୁରାଜପୁର ପଟ୍ଟଚିତ୍ର କୁ? କାହାକୁ ଶ୍ରେଷ୍ଠ କହିବ? କଟକ ର ତାରକାଶୀ କୁ? ନୀଳଗିରି ର ପଥର ବାସନ?କୁ ନା କଣ୍ଟିଲୋ, ବାଳକାଟୀ ର ପିତଳ ବାସନ କୁ?? କାହାକୁ ସ୍ୱାଦିଷ୍ଟ ବୋଲି କହିବ ବାରିପଦା ମୁଢି କୁ ନାଁ କେନ୍ଦୁଝର ବଡି କୁ? କଟକ ଦହିବରା କୁ ନାଁ କେନ୍ଦ୍ରାପଡ଼ା ରସାବଳୀ କୁ? ଢେଙ୍କାନାଳ ବରା କୁ ନା ଭୁବନେଶ୍ୱର କୋରାଖଇ କୁ? ପୁରୀ ରାବିଡି କୁ ନା ଚିଲିକା ଚୁଙ୍ଗୁଡ଼ି କୁ? ନିମାପଡା ଛେନାଝିଲ୍ଲୀ କୁ ନୟାଗଡ଼ ଛେନା ପୋଡ଼ କୁ?? କାହାକୁ ଶ୍ରେଷ୍ଠ କହିବ ପୁରୀ ରଥଯାତ୍ରା କୁ ବରଗଡ଼ ଧନୁ ଯାତ୍ରା କୁ?? କାହାର ଦେଶ ପ୍ରୀତି କୁ ଶ୍ରେଷ୍ଠ ବୋଲି କହିବ ବକ୍ସି ର? ବିର୍ସା ର? ନା ବାଜି ର? ସବୁ ଶ୍ରେଷ୍ଠ କୁ ସାଉଁଟି ସଗର୍ବେ ଦଣ୍ଡାୟମାନ ଆଉ ଉତ୍କଳ l
ଅବର୍ଣ୍ଣନୀୟ ଏ ରାଜ୍ୟ ର ଗାରିମା l ଅଲୌକିକ ଏ ମାଟିର ଗାରିମା
ଅବ୍ୟକ୍ତ ଏହାର କଥା l ଅସରନ୍ତି ଏହାର ଗାଥା l ଯାହାକୁ ବର୍ଣ୍ଣନା କରିବାକୁ ଯାଇ ପୁରାଣ ପରାସ୍ତ ଆଉ ସାହିତ୍ୟ ଶବ୍ଦ ହୀନ l ଅନନ୍ତ କୋଟି ପ୍ରଣାମ ସେହି ମହାମନୀଷୀ ଙ୍କୁ ଯିଏ ଉଦ୍ଦାତ କଣ୍ଠ ରେ ଗାଇ ଥିଲେ "ଉତ୍କଳସ୍ୟ ସମଦେଶ ଦେଶ ନାସ୍ତି ମହୀତଳେ...."
( ତେଜସ୍ୱ ତ୍ରିପାଠୀ )
No comments:
Post a Comment