Monday, August 31, 2020

🌺 ଖୁଦୁରୁକୁଣି / ତଅପୋଈ 🌺

#ଖୁଦୁରୁକୁଣୀଓଷା 

ଲେଖକ/କବି: ଗୋପୀନାଥ ଦାସ 

ବୃହତ୍ତ ତଅପୋଈ 

ପ୍ରଥମ ଅଧ୍ୟାୟ

ବନ୍ଦଇ ଦେବ ଜଗନ୍ନାଥ । କମଳା ଦେବୀର ସଙ୍ଗାତ ।।
ଲକ୍ଷ୍ମୀ ଦେବୀର ପ୍ରାଣନାହା । ଶୋଭିତ ଶଙ୍ଖ ଚକ୍ର ବାହା ।।
ଅଶେଷ ବ୍ରହ୍ମାଣ୍ତ ଠାକୁର । ବିଜୟ ଦ୍ୱାରକା ନ‌ଗର ।।
ଧନ୍ୟ ସେ ଦ୍ୱାରକା ମ‌ହିମା । ନିର୍ମାଣ କଲା ବିଶ୍ୱକର୍ମା ।। 
ଅଠର ବଂଶ ଲୋକ ଯ‌ହିଁ । ଅଛନ୍ତି ପ୍ରଭୁ ସଙ୍ଗେ ନେଇ ।। 
ସମସ୍ତେ ବିଷ୍ଣୁର କୁଟୁମ୍ବ । ସକଳ ସମ୍ପଦ ଆରମ୍ଭ ।।
ଅର୍ଜିଲେ ବ‌ହୁ ସୁତାସୁତ । କୁଟୁମ୍ବ ହୋଇଲେ ବ‌ହୁତ ।।
କୃଷ୍ଣର ବ‌ହୁତ ଯୁବତୀ । ବତିଶ ସ‌ହସ୍ର ଅଛନ୍ତି ।।
ଗୋଟିଏ ଲେଖାଏଁ ଦୁଲ୍ଲଣା । ଏଥି ଅଧିକ ନୁହେଁ ଉଣା ।।
ଦୁହିତା ତିନିଗୋଟି ଜାତ । ଏମ‌ନ୍ତେ କୁଟୁମ୍ବ ବ‌ହୁତ ।।
ରାଜା ତ‌ହିଁରେ ଉଗ୍ରେସେନ । ମନ୍ତ୍ରୀ ଯାଦତ ତିନିଜଣ ।।
ଶୁଭେଣ ପରିଜା ପାଳନ୍ତି । ବଳିଷ୍ଠ ଦୁର୍ବଳ ଅଛନ୍ତି ।।
ସବୁରି ଘରେ ଶୁଦ୍ଧ ସ୍ୱର୍ଣ୍ଣ । ସମସ୍ତେ କୁବେର ସମାନ ।।
ଯାବତ ଓଷା ବାରବ୍ରତ । ସେ ପୁରେ ଅଛଇ ସମସ୍ତ ।।
ଆପେ ମନୁଷ୍ୟ ଦେହ ଧରି । ମେଦିନୀ ଭାରା ନାଶ କରି ।।
ଯ‌ହିଁ ବିଜୟ ଯଦୁବତ୍ସ । ତ‌ହିଁକି କିସ ଦେବା ଭକ୍ଷ ।।
ଆଶ୍ୱିନ କାର୍ତ୍ତିକ ହୋଇଲା । ମାର୍ଗଶିର ଯେ ପ୍ରବେଶିଲା ।। 
ତା ଅନ୍ତେ ପୌଷ ମାଘ ଲେଖ । ଫାଲ୍‌ଗୁନ ଚୈତ୍ର ଯେ ବୈଶାଖ ।।
ଜ୍ୟେଷ୍ଠ ଆଷାଢ଼ ଯେ ଶ୍ରାବଣ । ଭାଦ୍ରବ ମାସ ହୁଏ ପୁଣ ।।
କୃଷ୍ଣ ପ୍ରତିପଦା ତିଥିର । ଯେତେ ହୁଅଇ ରବିବାର ।।
ଖୁଦୁରୁକୁଣୀ ନାମେ ଓଷା । ହୋଇଲା ସେହିଦିନ ନିଶା ।।
ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ଶୁଣ ଚକ୍ରଧର ।।
ଆଦିତ୍ୟ ବାର ଆଜି ହୁଏ । ହୋଇବ ମଙ୍ଗଳ ଓଷାଏ ।।
ଖୁଦୁରୁକୁଣୀ ନାମ ତାର । ପୁଜିଲେ ମଙ୍ଗଳ ଅପାର ।।
ସତ୍ୟ ଯୁଗରେ ଯେ ମଙ୍ଗଳା । ଝିଅଙ୍କୁ ପାଳି ଗିରିବାଳା ।।
ମାତାଙ୍କୁ ମାଗିଲେ ସେ ବର । ଏ ଓଷା ହୋଇବ ଆମ୍ଭର ।।
ପ୍ରସନ୍ନ ହୋଇ ବର ଦେବା । ଅସ୍ତୁ ବୋଇଲେ ତାଙ୍କୁ ସର୍ବା ।।
ସେ ଦିନୁ ଏ ଓଷା ସମ୍ଭୁତ । ବାଳିକାମାନଙ୍କର ମତ ।।
ପ୍ରସନ୍ନ ବଦନ ମଙ୍ଗଳା । ବାଳିକାମାନଙ୍କର ଲୀଳା ।।
ଏଥକୁ ଆଶ୍ରେ ହେଲେ ହରି । ପୂଜିବେ ସୁଖେ ବାଳି ନାରୀ ।।
ଶ୍ରୀକୃଷ୍ଣ ବୋଇଲେ ମୃଗାକ୍ଷୀ । ପୂର୍ବରୁ ଯେବେ ବିଧି ଅଛି ।।
ଆମ୍ଭେ ତା ନ କରିବା ନାସ୍ତି । ବାଳିକା ଶ୍ରଦ୍ଧା ଯେ କରନ୍ତି ।।
ଶୁଣି ରୁକ୍ମଣୀ ହେଲେ ତୋଷ । ଆଶ୍ରମେ ହୋଇଲେ ପ୍ରବେଶ ।।
ବିବିଧ ବର୍ଣ୍ଣେ ନାନାପୁଷ୍ପ । ମଣ୍ତିଲେ ଦାସୀ ଚଉପାଶ ।।
ଅନେକ ପୁଷ୍ପ ମାଳ ମାଳ । ରଚି ରୁକ୍ମଣୀ ତ‌ତ କାଳ ।।
ଲିପିଣ ମୁରୁଜ ପାଢ଼ିଲେ । ସୁବର୍ଣ୍ଣ କୁମ୍ଭ ବସାଇଲେ ।।
ଫଳ ଉପାଧିମାନ କରି । ସୁବର୍ଣ୍ଣ ଚାଙ୍ଗୁଡ଼ାରେ ଭରି ।।
ଥୋଇଲେ ସକଳ ସନ୍ନିଧେ । ଅନେକ ଦିପାବଳୀ ମଧ୍ୟେ ।। 
ଯେତେକ ଓଷାର ଯେ ବିଧି । ଯେତକ ଦ୍ରବ୍ୟ କଲେ ସିଦ୍ଧି ।। 
ବସିଲେ ବାଳିକା ସୁନ୍ଦରୀ । ହସ୍ତରେ ପୁଷ୍ପାଞ୍ଜଳି ଧରି ।।
ଆବୋରି ବସିଲେ ସମସ୍ତେ । ଅଠର ବଂଶଲୋକ ଯେତେ ।।
ଶ୍ରୀୟା ଯେ ମଧୁବତୀ ବାମା । ରୁକ୍ମଣୀ ଲୀଳା ସତ୍ୟଭାମା ।।
ସେ ଲୀଳା ମାଳ ଯେ ଦୁଲ୍ଲଣା । ସୁକେଶୀ ଚଞ୍ଚଳ ଖଞ୍ଜନା ।।
ମରୁଆ ସେବତୀ କୁଙ୍କୁମ । ସରୁଆ ତୁଳସୀ ଉତ୍ତମ ।।
ପଦ୍ମା ହେ ସେବତୀ ପାର୍ବତୀ । ବିମଳା ମଦନ ମାଳତୀ ।।
କପୋତୀ ହଂସ ଯେ ସୁମେଧା । ରମ୍ଭା ଶ୍ରୀକୃଷ୍ଣ ପ୍ରିୟ ରାଧା ।। 
ଏମନ୍ତେ ଅନେକ ତରୁଣୀ । କେ ତାହା ପାରିବ ବଖାଣି ।।
ଦେବକୀ କୃଷ୍ଣର ଜ‌ନ‌ନୀ । ବସିଲେ ସବୁ ନାରୀ ଘେନି ।।
ବୃଦ୍ଧ ବାଳିକା ଯୁବ ନାରୀ । ବସିଲେ ମଙ୍ଗଳା ସୁମରି ।।
ଜୟ ଗୋ ଜୟ ଗୋ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ।।
ଜୟ ତୁ ମଙ୍ଗଳା ଉତ୍ତମ । ଆରତୀ ଭଞ୍ଜନୀ ତୋ ନାମ ।।
ସଙ୍କଟ ତାରିଣୀ ମଙ୍ଗଳା । ହୃଦେ ମନ୍ଦାର ପୁଷ୍ପ ମାଳା ।।
ପ୍ରସନ୍ନ ହୁଆ ମହାମାୟେ । ଆମ୍ଭଙ୍କୁ ହୁଅ ଗୋ ସଦୟେ ।।
ସଙ୍କଟ ତାରିଣୀ ମଙ୍ଗଳା । ଉଦ୍ଧାରୁ ବୁଡ଼ିବାର ଭେଳା ।।
ହସ୍ତ ଯୋଡ଼ିଣ ସର୍ବନାରୀ । ବାଞ୍ଛା ସମସ୍ତେ ହୃଦେ କରି ।।
ଏଥୁ ଉତ୍ତାରୁ ଶକ୍ରାବତୀ । ଶାଶୁଙ୍କୁ ବଚନ ବୋଲନ୍ତି ।।
କ‌ହ ଏ ଓଷା ବିଧି କଥା । ପୂର୍ବ‌ହୁଁ ଯେମନ୍ତେ ବ୍ୟବସ୍ଥା ।। 
ବଧୁ ବଚନେ କରି ଦୟା । କ‌ହନ୍ତି ବସୁଦେବ ପ୍ରିୟା ।।
ପ୍ରଥମେ ଜମ୍ବୁଦୀପେ ସାର । ବେଢ଼ିଛି ଲବଣ ସାଗର ।।
ଏ ପକ୍ଷେ ଦ୍ୱୀପେ ଶୁଦ୍ଧ ନୀର । ବେଢ଼ିଛି ବଳୟ ଆକାର ।। 
ଦ‌ଧି ସମୁଦ୍ର ବାର ଦ୍ୱୀପେ । ଲବଣ ସମୁଦ୍ର ସମିପେ ।।
ସୁରା ସମୁଦ୍ର ଯେ ତ‌ହିଁରେ । ବେଢ଼ିଛି ଚାରି ପାରୁଷରେ ।।
ରତ୍ନ ଦ୍ୱୀପରେ ସିନ୍ଧୁ ଶୁଣ । ବେଢ଼ିଛି ଯେସନେ ପୁଣ ।।
ଦ୍ୱୀପଙ୍କ ମଧ୍ୟେ ଅସ୍ତଗିରି । ବେଢିଛି ମେରୁକୁ ଆବୋରି ।।
ଗିରିକି କେତେ ହେ ଅନ୍ତର । ଅଛଇ ଏକ ଦ୍ୱୀପାନ୍ତର ।।
ତ‌ହିଁରେ ରାଜା ତିଳଧ୍ୱଜ । ବ‌ହୁତ ଆୟତନ ରାଜ୍ୟ ।।
ସମସ୍ତ ଘରେ ଯେ କୁଶଳ । ଧର୍ମ ସ୍ଥାପିଣ ମ‌ହିପାଳ ।।
ଭାରିଯାମାନେ ପତିବ୍ରତା । ନିଯୋଗ ଲୋକ ଯେ ଖଟନ୍ତା ।।
ସଭାରେ ତାର ମିଛ ନାହିଁ । ରାଜ୍ୟକୁ ଶତ୍ରୁ ନ ଆସଇ ।।
ପରଜା ପାଳେ ପୁତ୍ର ଜାଣି । ଗୁହାରୀ ତ‌ତକାଳେ ଶୁଣି ।।
ମନ୍ତ୍ରୀର ନାମ ଗୁଣନିଧି । ପୁତ୍ରର ନାମ ତା ସୁବୁଦ୍ଧି ।।
ସେ ନ‌ଗ୍ର ବଡ଼ ଶୋଭାବନ । ଅଳକା ପୁରକୁ ସମାନ ।।
ବ‌ହୁତ ସାଧବ ଅଛନ୍ତି । ବୋଇତ ବାଣିଜ୍ୟ କରନ୍ତି ।।
ସେହି ବାଣିଜ୍ୟ ପରସାବେ । ଜିଣନ୍ତି କୁବେରକୁ ବାଦେ ।।
ପୋଇଲି ପିନ୍ଧେ ପାଟ ଶାଢ଼ୀ । ଆବର ହସ୍ତେ ସୁନାଚୁଡ଼ି ।।
ସାଧବ ମାନଙ୍କର ନାରୀ । ଶରୀର ସୁବର୍ଣ୍ଣ ଆବୋରି ।।
ଗୁରୁ ହୋଇବ ବୋଲି ଅଙ୍ଗ । ଅଳଙ୍କାରକୁ ମଣେ ଖଙ୍ଗ ।।
ସ୍ଫଟିକ ପୀଡ଼ା ସର୍ବ ଘରେ । ପାବଚ୍ଛ ମାନ ସ୍ପଟିକରେ ।।
ପ୍ରକାର ସ୍ତମ୍ଭ ସୁନା ଶ୍ରେଣୀ । ଉହାଡ଼େ ସୁବର୍ଣ୍ଣ ଛାଉଣୀ ।।
ସୁବର୍ଣ୍ଣ କଳସ ପୀଢ଼ାରେ । ପତାକା ଉଡ଼ଇ ସଧିରେ ।।
ଧନ୍ୟ ସେ ନ‌ଗର ଉତ୍ତମ । ସମସ୍ତ ଘର ଲୋକ ସମ ।।
ତ‌ହିଁରେ ଏକ ସାଧୁ ଘର । ତନ‌ୟ ବନ୍ତ ନାମ ତାର ।।
ପତ୍ନୀର ନାମ ଶକୁନ୍ତଳା । ଜନ୍ମ ସେ କଲା ସପ୍ତବାଳା ।।
ଝିଅର ନାମ ତଅପୋଈ । ସବୁହୁ ଦୁଲ୍ଲଣା ଅଟଇ ।।
ସାଧବ ବଡ଼ ଧନେଶ୍ୱର । ବୋଇତ ସାତ ଖଣ୍ତ‌ତାର ।।
ସାତ ପୁଅରେ ସାତ ବୋହୁ । ସମସ୍ତେ ସୁନ୍ଦରୀ ସବୁହୁଁ ।।
ଚାଲନ୍ତି ସୁନାରେ ରୂପାରେ । ଶୁଅନ୍ତି ଖଟ ପଲଙ୍କରେ ।।
ଏକ ଦିନରେ ତଅ‌ପୋଈ । ଖୋଳିଣ ଗଲା ସାଇ ପାଇ ।।
ମନ୍ତ୍ରୀର ଝିଅ ସଙ୍ଗେ ମିତ । ଆବର ଅନେକ ସଙ୍ଗାତ ।।
ଖେଳଇ ଘେନି ସଙ୍ଗାତକୁ । ବୟସ ପାଞ୍ଚ ସିନା ତାକୁ ।।
ଏକ ବ୍ରାହ୍ମଣୀ ରାଣ୍ତୀ ଆସି । ଝିଅ ଖେଳିଲା ଘରେ ପଶି ।।
ବୋଇଲେ ତଅପୋଈ ମାଏ । ବାପାଙ୍କର ଯେ ଏକଝିଏ ।।
ପୁଅ ମାନଙ୍କ ଠାରୁ ସାନ । ମାଆ ବାପାଙ୍କର ଜୀବନ ।।
କରିଛୁ ବାଂଶର କଲାଇ । ଧରିଛୁ ବାଂଶର ଟୋକାଇ ।।
ତୋପରା ହୋଇଥିଲେ ମୁହିଁ । ଚଢ଼ାନ୍ତି ସୁବର୍ଣ୍ଣ କୁଲାଇ ।।
ବାପ ମାଆଙ୍କୁ କରି ଦ୍ୱନ୍ଦ । ଗଢ଼ାନ୍ତି ସୁବର୍ଣ୍ଣର ଚାନ୍ଦ ।।
ତୁ ହାବେ ହୋଇଅଛୁ ଯାହା । ତୋତେ କି ନ ମିଳିବ ତାହା ।।
ଦେଖ ଏମନ୍ତ ଯେମାଦେଈ । ଘେନିଛୁ ବାଂଶର କୁଲାଇ ।।
ଏ ଯେତେ ସାଧବଙ୍କ ବାଳି । ଖେଳନ୍ତି ସୁନାର ଚାଙ୍ଗୁଡ଼ି ।।
ଏତକ କ‌ହି ରାଣ୍ତୀ ଗଲା । ତିମିର ପ୍ରବେଶ ହୋଇଲା ।।
ଖେଳ ଭାଙ୍ଗିଣ ସର୍ବ ବାଳି । ନିଜ ମନ୍ଦିରେ ଗଲେ ଚଳି ।।
ବିରସେ ତଅପୋଇ ଗଲା । ଗମ୍ଭୀରି ଭିତରେ ପଶିଲା ।।
କବାଟ କିଳି ମୁହଁ ମାଡ଼ି । ଶୋଇଲା ରତ୍ନ ଖଟେପଡ଼ି ।।
ସମସ୍ତେ ଭୁଞ୍ଜିଣ ବସିଲେ । ଝିଅକୁ ବାପା ସଙ୍ଖୋଳିଲେ ।।
ମାଏ ବୋଇଲେ ଆସିନାହିଁ । ଏତେ ରାତ୍ରରେ ଥିବ କାହିଁ ।। 
କ‌ହଇ ସାନ ବୋହୁ ଯାଇ । ଅଛନ୍ତି ଗମ୍ଭୀରରେ ଶୋଇ ।।
ସାଧବ ଫେଡ଼ିଲା କବାଟ । ବସିଲା ଯାଇ ରତ୍ନ‌ଖଟ ।।
ବୋଇଲେ କାହିଁ ପାଇଁ ମାଏ । ଶୋଇଛୁ ରୁଷିଲା ପରାଏ ।।
ଗଢ଼ାଇ ଦେବି ଭାଙ୍ଗିଥିଲେ । ଖୋଜାଇ ଦେବି ହଜିଥିଲେ ।।
ଧୋବଣି ଧୋବା ନ ଖଟିଲା । ତାମ୍ବୁଳି ପାନ କି ନ ଦେଲା ।। 
ଗଭା କି ନ ଦେଇଛି ମାଳି । କିଏବା ତୋତେ ଦେଲା ଗାଳି ।।
ତୋତେ କି ବିଭା କରାଇବା । ତ‌ହିଁକି ରୁଷିଅଛୁ ଅବା ।।
କଥା ନ କ‌ହି କିମ୍ପା ମୋରେ । ରୁଷିଛୁ କେଉଁ ନିମନ୍ତରେ ।।
ଚାଟ ନ ଶୁଣେ ତଅପୋଈ । ଶୋଇଛୁ ମାନଭର ହୋଇ ।।
ସପତ ଭାଇ ଉଠାଇଲେ । ମାତାହିଁ ଅନେକ କ‌ହିଲେ ।।
କେବେହେଁ ନ ଉଠଇ ବାଳି । କୁଟୁମ୍ବ ଯାକ ମନେ ଭାଳି ।।
ନିଳେନ୍ଦ୍ରି ନାମେ ସାନ ବୋହୁ । ତଅପୋଈର ପ୍ରିୟ ସେହୁ ।।
ସେ ବୋହୁ ଅନେକ କ‌ହିଲା । ନ ଉଠି ବଚନ ବୋଇଲା ।।
କ‌ହ ମୋ ପିତାର ଅଗ୍ରତେ । ସୁବର୍ଣ୍ଣ ଚାନ୍ଦ ଦେଉ ମୋତେ ।।
ନ୍ଦେଲେ ନ ଖାଇବି ଭାତ । ତୋ ଆଗେ କ‌ହୁଅଛି ସତ ।।
ଶୁଣି ସମସ୍ତେ ତୋଷହେଲେ । ଝିଅଙ୍କୁ ପିଅର ବୋଇଲେ ।।
ଏ ଛାର କଥାକୁ ଗୋ ମାଏ । ରୁଷିଛୁ ନ ମିଳିଲା ପ୍ରାୟେ ।।
କାଲି ଭିତରେ ଗଢ଼ାଇବି । ପନ୍ଦର ଦିନେ ଚାନ୍ଦ ଦେବି ।।
ଶୁଣି ଉସତ ତଅପୋଈ । ବସିଲା ମାତା କୋଳେ ଯାଇ ।।
ଏମନ୍ତ ରଜନୀ ପାହିଲା । ସାଧବ ବିନ୍ଧାଣି ଆଣିଲା ।।
ସାଧବସାଧବାଣୀ ବସି । ଗଢ଼ାନ୍ତି ସୁବର୍ଣ୍ଣର ଶଶି ।।
ଚାରି ପାରୁଶେ ଶୋହେହିରା । ଚନ୍ଦ୍ରକୁ ବେଢ଼ି ଯେହ୍ନେ ତାରା ।।
ଏମନ୍ତେ କେତେ ଦିନ‌ଗଲା । ସାଧବ ଅଧା ଚାନ୍ଦେ ମଲା ।।
ମାତା ହିଁ ପୂର୍ଣ୍ଣଚାନ୍ଦେ ମଲେ । ସମସ୍ତେ କୁଟୁମ୍ବ କାନ୍ଦିଲେ ।।
କିଛି ଦିନରେ କ୍ରିୟା ସାରି । ବ୍ରାହ୍ମଣେ କଉତିଶେ ବରି ।।
ଏମନ୍ତ କେତେ ଦିନ ଗଲା । ବୋଇତ ପଦାର୍ଥ ସରିଲା ।।
ସୁବାୟୁ ଦେଖି ସାଧୁମାନେ । ହରଷ ହେଲେ ନିଜ ମନେ ।।
ସମୁଦ୍ରେ ବୋଇତ ମେଲିଲେ । ସପତ ବୋହୁକୁ ଡ଼ାକିଲେ ।।
ବୋଇତେ ଯାଉଅଛୁ ଆମ୍ଭେ । ଘର ସମ୍ଭାଳି ଥିବ ତୁମ୍ଭେ ।।
ଦେଖ ଏ ଦଇବର କୃତ୍ୟ । ପିତା ସଙ୍ଗତେ ଗଲେ ମାତ ।।
ଯେମନ୍ତେ ଝିଅ ନ ଝୁରିବ । ତେମନ୍ତେ ସେବା କରୁଥିବ ।।
ଭୋଜନ କରାଇବ ଆଣି । କ‌ହି ଅପୂର୍ବ ରସବାଣୀ ।।
ଦୋଳିରେ ଦୋଳି ପଞ୍ଚାଇବ । ନିମିଷେ ହେଳା ନ କରିବ ।।
ଶୁଣି ବୋଲନ୍ତି ସାତ ଯାଏ । ଝିଅଙ୍କୁ ନାହିଁ କିଛି ଭୟେ ।।
ନିରତେ ସେବା କରୁଥିବୁ । କ୍ଷଣେ ହେ ହେଳା ନ କରିବୁ ।।
ତୁମ୍ଭଙ୍କୁ ଦେଖିକରି ଆମ୍ଭେ । ହେଳାରେ ରହିଥିଲୁ ଦମ୍ଭେ ।।
ଯେବେ ଯାଉଛ ବାଣିଜ୍ୟରେ । ଆଣିଥିବଟି ଅଳଙ୍କାରେ ।।
କେବୋଲେ ମୋର ସୁନାଚୁଡ଼ି । ଆଣି ଥିବଟି ରତ୍ନେ ଜଡ଼ି ।।
କେ ବୋଲେ ହୀରାର ବୟଣୀ । ମୋହର ପାଇଁ ଥିବ ଆଣି ।।
କେ ବୋଲେ ସୁବର୍ଣ୍ଣ କଙ୍କଣ । ଆଣିବ ମୋହ ନିମନ୍ତେଣ ।।
କେ ବୋଲେ ଅଷ୍ଟରତ୍ନ ତାରା । କେ ବୋଲେ ଖଞ୍ଜା ମୋତିହୀରା ।।
କେ ବୋଲେ ହୀରା ମଲ୍ଲୀ କଢ଼ି । ଉତ୍ତମ ରୂପେ ଥିବ ଗଢ଼ି ।।
ଭାଇଙ୍କ ବୋଲେ ତଅପୋଈ । ମୋ ପାଇଁ ହୀରାର କୁଣ୍ଢାଇ ।।
କେ ବୋଲେ ବସନ୍ତ ପତନୀ । ମୋହର ପାଇଁ ଥିବ ଆଣି ।।
ଏମନ୍ତେ ଶୁଣି ସାତଭାଇ । ଜଳେ ବୋଇତ ଗଲେ ବାହି ।।
ଏମନ୍ତେ କେତେଦିନ ଗଲା । ବୋଇତ ସେ ରାଜ୍ୟେ ଲାଗିଲା ।।
କୁଶଳେ ରହିଲେ ସେ ଯାଇ । କୋଶଳ ଦ୍ୱୀପ ସେ ବୋଲାଇ ।।
କ‌ହନ୍ତି ପ୍ରଭୁ ଚକ୍ରପାଣି । ଶୁଣି ସନ୍ତୋଷ ଠାକୁରାଣୀ ।।
ସମସ୍ତେ ଦେଲେ ହୁଳ ହୁଳି । ଯୁବା ତରୁଣୀ ବୃଦ୍ଧା ମିଳି ।।
ମଙ୍ଗଳା ନାମ ଉଚ୍ଚାରିଲେ । କର ଅଞ୍ଜଳି ଶିରେ ଦେଲେ ।।
ଯେ ଯାହା ଉପଚାର ବିଧି । ପୂଜି କାମନା କଲେ ସିଦ୍ଧି ।।
କ‌ହନ୍ତି ଦାସ ଗୋପୀନାଥ । କୃଷ୍ଣ ଚରଣେ ମୋର ମାଥ ।।
ପ୍ରଥମ ପାଳି ଅଧା ଶେଷ । କାମିନୀ ଗଣ ହେଲେ ତୋଷ ।।
ଚଳିଲେ ଯେ ଯାହା ସଦନ । ମଙ୍ଗଳ ନାମ କରି ଧ୍ୟାନ ।।

ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ନାମ ପ୍ରଥମ ଅଧ୍ୟାୟ ।।
 ଦ୍ୱିତୀୟ ଅଧ୍ୟାୟ

ଏଥିଉତ୍ତାରୁ ଏବେ ଶୁଣ । କ‌ହନ୍ତି ପ୍ରଭୁ ନାରାୟଣ ।।
ରଙ୍ଗ ଅଧରେ ନନ୍ଦେ ହସି । ରୁକ୍ମଣୀ ମୁଖ ଚାହିଁ ଭାସି ।।
ବୋଲନ୍ତି ଆରେ ପ୍ରିୟତମା । ତଅପୋଈର ଏ ମହିମା ।।
ଶୁଣିଲୁ ଟିକି ପ୍ରିୟସ‌ହୀ । ତୋ ଆଗେ କ‌ହିଲାଇଁ ମୁହିଁ ।।
ସତ୍ୟଭାମା ଯେ ପାଶେ ଥିଲେ । କର ଯୋଡ଼ିଣ ଜଣାଇଲେ ।।
ବୋଇଲେ କ‌ହ ଏ ବିଧାନ । ଶୁଣି ଶରଧା ହେବ ମନ ।।
ସତ୍ୟଭାମାର ବୋଲ ଶୁଣି । କ‌ହନ୍ତି ପ୍ରଭୁ ଚକ୍ରପାଣି ।।
ତନୟ ସାଧବ କୁମରେ । ଗଲେ ବୋଇତ ବାଣିଜ୍ୟରେ ।। 
ଲାଗିଲା ଏକ ଦୀପାନ୍ତରେ । ସୁଖେଣ ବିକା କିଣା କଲେ ।।
କିଣିଲେ ଅଳଙ୍କାର ମାନ । ରହିଲେ ତ‌ହିଁ କିଛି ଦିନ ।।
ଏଥି ଉତ୍ତାରୁ ସାତ‌ଯାଏ । ଘର ସମ୍ଭାଳି ଦିନ ନିଏ ।।
ତଅପୋଈକି ପାଳିଥାନ୍ତି । କ୍ଷଣେ ହେ ହେଳା ନ କରନ୍ତି ।।
ସେବା କରିଣ ଥାନ୍ତି ନୀତି । ଦେଖ ଗୋ ଦଇବର ଗତି ।।
ସେତ ସ୍ୱର୍ଗର ଅପସରୀ । ମର୍ତ୍ତେ ମନୁଷ୍ୟ ଦେହ ଧରି ।।
ସୁନ୍ଦର ପଣେ ମନୋହର । ଦେଖି ଢ଼ଳିବେ ସୁର ନର ।।
ମୁଖ ଦିଶଇ ଚନ୍ଦ୍ର ଜିଣି । ତିଳ କୁସୁମ ନାସାମଣି ।।
ଅଧର ପକ୍ୱ ବିମ୍ବଫଳ । ଘଞ୍ଜନ ନୟନ ଚଞ୍ଚଳ ।।
କୁମ୍ବଳାକୃତି କଣ୍ଠ ଦେଶ । ବୀର ଚାମର ପ୍ରାୟ କେଶ ।।
କୋକିଳ ପ୍ରାୟେ କ‌ହେ ବାଣୀ । ଅଙ୍ଗୁଳି ଚମ୍ପାକଢ଼ କିଣି ।।
ଚରଣ ରଙ୍ଗ ଅରବିନ୍ଦ । ବେଢ଼ିଣ ଥାନ୍ତି ଷ‌ଟପଦ ।।
ଏମନ୍ତେ ତଅପୋଈ ବାଳା । ତାହାର ସପତଣି ଲୀଳା ।।
ଏହି ସମୟେ କାଳ ଜାଣି । ସ୍ୱର୍ଗରୁ ଅଇଲା ରମଣୀ ।।
ସାଧବ ଦ୍ୱାରେ ସେ ମିଳିଲା । କପଟେ ଭିକ୍ଷା ସେ ମାଗିଲା ।।
ରାଣ୍ଡୀ ବ୍ରାହ୍ମଣୀ ରୂପଧାରୀ । ଦେଖିଲେ ସାଧବର ନାରୀ ।।
ସର୍ବେ ଦେଖିଣ ତାରେ ଧାଇଁ । ମାୟାରେ କିଛି ନ ଦିଶଇ ।।
ତାହାର ଡାକ ଶୁଣି କର୍ଣ୍ଣ । କେହି ନ ବୋଇଲେ ବଚନ ।।
ବୋଲଇ ଭିକ୍ଷା ଦିଅ ମାୟେ । କି କରୁଅଛ ସାତଯାଏ ।।
ରାଣ୍ଡୀ ବ୍ରାହ୍ମଣୀ ବୋଲେ ଶୁଣି । ସମସ୍ତେ କେ ଲୁଚନ୍ତି ବାଣୀ ।।
କେ ବୋଲି କୁଙ୍କୁମ ଲିପୁଛି । କେ ବୋଲେ ଗଭାବାନ୍ଧୁ ଅଛି ।।
କେ ବୋଲି ଭାଙ୍ଗୁ ଅଛି ଗୁଆ । ବ୍ରାହ୍ମଣୀ ଦଣ୍ଡେ ହୁଅ ଠିଆ ।।
ଯେ ଯେଉଁ ରୂପେ କରୁଥିଲେ । ସମସ୍ତେ ସେପରି କ‌ହିଲେ ।।
ବ୍ରାହ୍ମଣୀ ବୋଲେ ତାହା ଶୁଣି । କାହାକୁ ନିଯୋଗ ଲୋ ପୁଣି ।।
ଏମନ୍ତ ବୋଲି ଦେଲା ଚାହିଁ । ଦୋଳିରେ ଅଛି ତଅପୋଈ ।।
ବ୍ରାହ୍ମଣୀ ବୋଲଇ ଉତ୍ତର । ଏ କିସ ହୁଅନ୍ତି ତୁମର ।।
ହରଷ ବୋଲି ସବୁଯାଏ । ଆମ୍ଭର ନଣନ୍ଦ ଗୋ ହୁଏ ।।
ବ୍ରହ୍ମଣୀ ଶୁଣି ବୋଲେ ବାଣୀ । ତୁମ୍ଭେ ଲୋ ନିର୍ଲ୍ଲଜ ତରୁଣୀ ।।
କନିଷ୍ଠ ନଣନ୍ଦ ଛାରକୁ । ଶତ୍ରୁ ରଖିଛ ଉପରକୁ ।।
ବସିଛି ଦୋଳିର ଉପର । କିମ୍ପା ଏହାକୁ ସେବା କର ।।
ଏକାଳେ ମାଣୁଅଛ ଭଳ । ପଛକୁ ପାଇବଟି ସଲ ।।
ଭାଇ ମାନଙ୍କୁ ଖଚ କ‌ହି । ଅନେକ ଶାସ୍ତି ଲୋ ଭୟ ।।
ଛେଳି ରଖାଅ ବନସ୍ତରେ । ମରାଅ ବ୍ୟାଘ୍ର ଭଲ୍ଲୁକରେ ।।
ନୋହିଲେ ନିଶ୍ଚୟ ମରିବ । ଏମନ୍ତେ ଯେବେ ନ କରିବ ।।
ଭଲ ସମୟ ଅଛି ହୋଇ । ଘରେ ନାହାନ୍ତି ସାତଭାଇ ।।
ଏକଥା ଯାହା ସେ କ‌ହିଲା । ସବୁରି ମନ‌କୁ ଅଇଲା ।।
ନିଳେନ୍ଦ୍ରି ନାମେ ସାନବୋହୁ । ତଅପୋଇର ପ୍ରିୟ ସେହୁ ।।
ମୋ ମନେ ଯେଉଁକଥା ଅଛି । ତୁ ଏକା ହୋଇଥିବୁ ସାକ୍ଷୀ ।।
ସେ ବୋହୁ ଏମନ୍ତ ଚିନ୍ତିଲା । ଏମନ୍ତ କେତେଦିନ ଗଲା ।।
ନ ଦେଲେ ସୁଗନ୍ଧ ଚନ୍ଦନ । ନ ଦେଲେ ଅଳଙ୍କାରମାନ ।।
ମୁଣ୍ଡକୁ ନ ଦେଲେ ଯେ ତେଲ । ନ ଦେଲେ ପିନ୍ଧିବାକୁ ଭଲ ।।
ବସାଇ ନ ଦେଲେ ଯେ ଦୋଳି । ଆବର ରଖାଇଲେ ଛେଳି ।।
ଅନେକ ଦୁଃଖେ ତଅପୋଇ । ବନସ୍ତେ ଛେଳି ଜଗଥାଇ ।।
ଚଦଇ ବଡ଼ବୋହୁ ପୁଣି । ହଜିବ ଯେବେ ଘରମଣି ।।
ଛେଳିର ନାମ ଘରମଣି । ତେଣୁ ତିଆରେ ମହାମାନୀ ।
ମୁଖେ ଲଗାଇ ଚୂନ‌କାଳି । କାଟିବି ନାକର ବଉଳି ।।
ଛିଣ୍ଡା ଟୋକେଇ ଖଣ୍ଡେ ନେଲା । ଉପରେ ପତର ବୁଜିଲା ।।
ତଳରେ ମୂଷାମାଟି ଭରି । ପତ୍ରରେ ଭାତଗୋଟା ଚାରି ।।
ପାଉଁଶ ଲୁଣ ବୋଳି ଦେଲା । ପତର ଘୋଡ଼ାଇଣ ଦେଲା ।।
ଘେନିଣ ତଅପୋଇ ଚଳି । ବନରେ ଚରାଇଲା ଛେଳି ।।
ଭୋକେଣ ଟୋକେଇ ଫେଡ଼ିଲା । ମାଟି ଦେଖିଣ ଫିଙ୍ଗିଦେଲା ।।
ନିତ୍ୟରେ ଛଅ ବୋହୁମାନ । ଏହି ପ୍ରକାରେ ଦିନେ ଦିନେ ।।
ସାନବୋହୁର ପାଳି ଦିନ । ବ‌ହୁତ ଦେଇଥାଇ ଅନ୍ନ ।।
ତିଅଣ ଲୁଣ ଦେଇଥାଇ । ସେଦିନ ବସି ସୁସ୍ଥେ ଖାଇ ।।
ଏମନ୍ତ କେତେଦିନ ଗଲା । ଭାଦ୍ରବ ମାସ ଯେ ହୋଇଲା ।।
ବନରେ ବସି ତଅପୋଇ । କଷ୍ଟେଣ ଛେଳି ରଖିଥାଇ ।।
ବରଷାବେଳେ ଘରମଣି । ହଜିଲା ବନସ୍ତରେ ପୁଣି ।।
ଘରକୁ ସବୁ ଛେଳି ଗଲେ । ଗୁହାଳ ଭିତରେ ପଶିଲେ ।।
ଦେଖିଲା ବଡ଼ବୋହୁ ଯାଇଁ । ଗୁହାଳେ ଘରମଣି ନାହିଁ ।।
ମାଇଲୁ ମୋର ଛେଳିଗୋଟି । ହଜାଇଅଛୁ ନାକ କାଟି ।।
ନ‌ଲେ ନାକ ଯେ କାଟିବି । ଘରୁ ବାହାର କରିଦେବି ।।
ଏଥି ଉତ୍ତାରୁ ତଅପୋଇ । ନୀରବେ ଛେଳି ଖୋଜିଯାଇ ।।
ଆଡ଼ ଉହାଡ଼ ଲତା ତଳ । ଖୋଜେ କଣ୍ଟକ କଣ୍ଟାମାଳ ।।
ସମସ୍ତ ଠାବ ସେ ବୁଲିଲା । ନପାଇ ତାଟଖା ହୋଇଲା ।।
ନିଶି ହୋଇଛି ଘଡ଼ି ଦୁଇ । ଅନ୍ଧାରେ ପଥ ନ ଦିଶଇ ।।
ଯୋଗେ ସେଦିନ ରବିବାର । ଖୁଦୁରୁକୁଣୀ ଓଷା ସାର ।।
କୋଠରେ ବାଳଝିଅ ମିଳି । ହେଉଅଛନ୍ତି ହୁଳହୁଳି ।।
ତାହା ଶୁଣିଲା ତଅପୋଇ । କୋଠରେ ମିଳିଲା ସେ ଯାଇ ।।
ବୋଇଲା ନାରୀମାନେ ଶୁଣ । ଏ ଓଷା କଲେ କେଉଁ ଗୁଣ ।।
ଶୁଣି ବୋଲନ୍ତି ବାଳଝିଏ । ଏ ଓଷା ପାଞ୍ଚପାଳି ହୁଏ ।।
ଖୁଦୁରୁକୁଣୀ ଏ ଅଟଇ ଯାହା ମାଗିବ ତାହା ପାଇ ।।
ଏଥିରେ ଦେବତା ମଙ୍ଗଳା । ରଖନ୍ତି ବଡ଼ିବାର ଭେଳା ।।
ଏମନ୍ତ ଶୁଣି ତଅପୋଈ । ମନରେ ଆନନ୍ଦ ହୁଅଇ ।।
ବୋଇଲା ଏ ଓଷା କରିବି । ହଜିଲା ଛେଳିକି ପାଇବି ।।
ତଅପୋଈକୁ ବସାଇଲେ । ସମସ୍ତ ଫଳ ନେଇ ଦେଲେ ।।
ବସିଲା ସାଧବର ବାଳୀ । ମନରେ ମଙ୍ଗଳା ସୁମରି ।।
ମାଗୋ ମଙ୍ଗଳା ତୁ କାମାକ୍ଷୀ । ମୁଁ ତୋତେ ସେବା କରୁଅଛି ।।
ଛେଳିକି ପାଇବି ମୁଁ ଯେବେ । ମୋହର ବାଞ୍ଛା ସିଦ୍ଧ ତେବେ ।।
ଏମନ୍ତ ବିଚାରି ମନରେ । ଛେଳି ନିମନ୍ତେ ଗଲା ଖରେ ।।
ବାଟେ ଦେଖିଲା ଘରମଣି । ନିଶ୍ଚିତ ହୋଇଲା ତ‌ତ୍‌କ୍ଷଣି ।।
ମନରେ ବାଞ୍ଛା ସିଦ୍ଧ କଲା । ଛେଳିକି ନେଇଣ ରଖିଲା ।।
ଏଥି ଉତ୍ତାରୁ ସାଧୁ ବାଳି । ଘରମଣିକି ନେଇ ଚଳି ।।
ଘରକୁ ଅଡ଼ାଇଣ ନେଲା । ଗୁହାଳ ଭିତରେ ଛାଡ଼ିଲା ।।
ବସିଲା ବ‌ହ‌ନ୍ତିରେ ଯାଇ । ଦେହକୁ ଶୀତଳ କରାଇ ।।
ଏ ଅନ୍ତେ ବଡ଼ ବୋହୁ ଆସି । ଦେଖିଲା ହାରେ ଅଛି ବସି ।।
ବୋଇଲା କାଲି କାହିଁ ଥିଲୁ । ମୋର ଛେଳିକି ହଜାଇଲୁ ।।
ପଡ଼ିନ ଥାନ୍ତୁ ଯେବେ ଭେଟ । ପିଟନ୍ତି ତେନ୍ତୁଳିର ଛାଟ ।।
ଏମନ୍ତ ଶୁଣି ତଅପୋଈ । ଡରେଣ ବଚନ ବୋଲଇ ।।
ଛେଳିକି ଅଣିଲ ଯେ ଖୋଜି । ବରଷା ବେଳେ ଥିଲା ହଜି ।।
ବୋଲଇ ବଡ଼ ବୋହୁ ପୁଣି । ବ‌ହ‌ନ ଛେଳି ଯାଅ ଘେନି ।।
ସକାଳୁ ଭାତ ବଢ଼ା ହୋଇ । ଥୁଆ ହୋଇଛି ତୋହପାଇଁ ।।
ରାତ୍ର ପାହିଲା ଘେନିଯାଅ । ଛେଳିକି ବ‌ହ‌ନ ଚରାଅ ।।
ତା ଶୁଣି ତଅପୋଈ ଗଲା । ଗୁହାଳ ଭିତରେ ପଶିଲା ।।
ଛେଳି ପଲକୁ ଅଡ଼ାଇଲା । ବନରେ ନେଇ ଚରାଇଲା ।।
ବେଳ ବୁଡ଼ିଲା ବନସ୍ତର । ଅନ୍ଧାରେ ନ ଦିଶେ ଦୁଆର ।।
ଏମନ୍ତ କେତେ ଦିନ‌ଗଲା । ଖୁଦୁରୁକୁଣୀ ଓଷା ହେଲା ।।
ରାଜର ତଅପୋଇ ବାଳି । ପାଇଛି ହଜିଲାର ଛେଳି ।।
ଏମନ୍ତ ପାଞ୍ଚପାଳି ଗଲା । ସଖିଙ୍କ ସଙ୍ଗତେ ମିଳିଲା ।।
ଖୁଦକୁଣ୍ଡାରେ ପିଠା କରି । ଖୁଦ ତଣ୍ଡୁଳ ପୂର କରି ।।
ସଖିଙ୍କି ମାଗିଲା ବ‌ହ‌ନ । ଫଳ ଫୁଲର ପିଠାମାନ ।।
ଓଷା କୋଠିରେ ଯାଇ ବସି । ଭାଇଙ୍କ ଶୁଭ ସେ ମନାସି ।।
ବୋଇଲା ମଙ୍ଗଳା ଉଦ୍ଧାର । ମହା ସଙ୍କଟୁ ପାରିକର ।।
ଦଶ ବରଷ ହେଲା ଗଲେ । ଆପଣା ରାଜ୍ୟକୁ ନଇଲେ ।।
ଅସାର ସପନ ଦେଖିଲି । ତେଣୁ ତୁମ୍ଭଙ୍କୁ ଆଶ୍ରା କଲି ।।
ଭୋଦେବୀ ମଙ୍ଗଳା ତୋସଇଁ । ଶୁଭେ ଆସିବେ ସାତ ଭାଇ ।।
ଦେଖିବି ବେନି ନୟନରେ । ପ୍ରବେଶ ହୋଇଲେ ମନ୍ଦିରେ ।।
ଏମନ୍ତ ବାଞ୍ଛା କରି ବାଳି । କରେ ଘେନିଲା ଦୀପାବଳୀ ।।
ସମସ୍ତେ ହୁଳହୁଳି ଦେଲେ । ମଙ୍ଗଳା ନାମ ସୁମରିଲେ ।।
ଏମନ୍ତେ ଓଷା ପୂଜା ସାରି । ଯେ ଯାହା ମନ୍ଦିରକୁ ଚଳି ।।
କ‌ହଇ ଗୋପିନାଥ ଦାସ । ଦୟା କରିବେ ପୀତବାସ ।।

ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ତଅପୋଇ । ମନୋରଥ ପ୍ରାପ୍ତ ଉଚ୍ଚାରଣେ ନାମ ଦ୍ୱିତୀୟୋଧ୍ୟାୟଃ ।।

ତୃତୀୟ ଅଧ୍ୟାୟ

ଏଥୁ ଅନନ୍ତେ ଏବେ ଶୁଣ । ଯେ ଯାହା ପୂର୍ବର କଷଣ ।।
ସେ କଥା ଆନ ଯେ ନୁହଇ । ଦଇବ ଯୋଗେ ଭୋଗ ହୋଇ ।।
ପ୍ରଭାତେ ତଅପୋଇ ବାଳି । ସ୍ନାନ ସାରିଣ ନେଲା ଛେଳି ।।
ଦେଇଛି ବଡ଼ ବୋହୁ ଭାତ । ଫେଡ଼ିଣ ଦେଖିଲା କୁରିତ ।।
ତଳୁରେ ଅଛି ମୂଷାମାଟି । ଉପରେ ଭାତ ଚାରିଗୋଟି ।।
ପାଉଁଶ ବାଲି ଲୁଣ ନାହିଁ । ତିଅଣ ଅବା ଥିବ କାହିଁ ।।
ଏହା ଦେଖିଣ ତଅପୋଇ । ଉଚ୍ଚେଣ ଉଠିଲା ବୋବାଇ ।।
ପିଅର ଅଧା ଚାନ୍ଦେ ମଲେ । ମାତା ହିଁ ପୁରାଚାନ୍ଦେ ମଲେ ।।
ବୋଇତେ ସାତ ଭାଇ ଗଲେ । ଭାଉଜ ଏତେ କଷ୍ଟ ଦେଲେ ।।
ନିଶ୍ଚେ ଏ ବନରେ ମରିବି । ଘରକୁ ଆଉ କିମ୍ପା ଯିବି ।।
ଏମନ୍ତ କ‌ହି କାନ୍ଦେ ବାଳି । ଶବଦେ ବନସ୍ତ ଉଛୁଳି ।।
ଦେଖ ବିଧାତା ଘଟସୂତ୍ର । ତେଣେ ସାଧବ ସାତପୁତ୍ର ।।
ବୋଇତ ଘେନି ଆସି କୂଳେ । କାନ୍ଦଣା ଶବଦ ଶୁଣିଲେ ।।
ନିକଟେ କାନ୍ଦୁଅଛି ବାଳି । ତୁଣ୍ଡ ବାରିଣ ମନେ ଭାଳି ।।
ତଅପୋଇର ତୁଣ୍ଡ ପ୍ରାୟେ । ଶୁଭଇ ଅରଣ୍ୟ ଲତାଏ ।।
ଶୁଣି କନିଷ୍ଠ ଭାଇ ଗଲା । ଅରଣ୍ୟ ଭିତରେ ପଶିଲା ।।
ରଜନୀ ଅର୍ଦ୍ଧ ଅଛି ହୋଇ । ଦେଖି ସାଧବପୁତ୍ର ଯାଇ ।।
କିଏ ତୁ ଭଲଣେ ଗୋ କ‌ହ । ତଅପୋଈର କମ୍ପେ ଦେହ ।।
କାହାର ଅଟୁ ତୁ ଗୋ ବଂଶ । ନାମ ତୋହର ଅଟେ କିସ ।।
ଏମନ୍ତ ଶୁଣି ତଅପୋଈ । ନ କାନ୍ଦି ସମ୍ଭାଳି କ‌ହଇ ।।
ନ ଜାଣେ ଭାଇ ବୋଲି କର । ଉଭା ହୋଇଲା ମନେ ଡରି ।।
ବୋଇଲା କେ ତୁମ୍ଭେ ଗୋସାଇଁ । ନିରକ୍ଷ ପ୍ରାଣୀ ମୁଁ ଅଟଇ ।।
ବଡ଼ ଘରେଣ ହୋଇ ଜାତ । ଏ ବନେ ହୋଇଲି ଅନାଥ ।।
ମୋର ପିତାଙ୍କ ନାମ ସାହୁ । ସାତ ପୁଅରେ ସାତବୋହୁ ।।
ବୋଇତ ସାତଖଣ୍ଡ ତାର । ସେ ଅଟେ ପିଅର ମୋହର ।।
ମୋହର ନାମ ତଅପୋଈ । କ‌ହିଲେ କଷ୍ଟ ନ ସରଇ ।।
ଭାଇ ଯେ ଗଲେ ବୋଇତରେ । ଭାଉଜ କଷ୍ଟଦେଲେ ମୋରେ ।।
ଅନେକ ମୋତେ ଦେଲେ ଗାଳି । ବନସ୍ତେ ରଖାଇଲେ ଛେଳି ।।
ମନେ ପଡ଼ିଲେ ଭାଇମାନେ । ରୋଦନ କରୁଛି ବନେ ।।
ଶୁଣ ହେ ମାତ ତଅପୋଈ । ବୋଇତ ଘେନି ସାତଭାଇ ।।
ଆସିଲୁ ଏହି ନିକଟରେ । ରୋଦନ ଶୁଣିଲୁ ସେଠାରେ ।।
ମୋତେ ପେଶିଲେ ଜ୍ୟେଷ୍ଠଭାଇ । ବୋଇତେ ଛନ୍ତି ଦେଖଯାଇ ।।
ତେଣୁ ମୁଁ ଏଠାକୁ ଅଇଲି । ଅରଣ୍ୟେ ତୋତେ ମୁଁ ଦେଖିଲି ।।
ଏବେ ଗୋ ମାଏ ଚାଲ ଯିବା । ଭାଇଙ୍କୁ ସମସ୍ତ କ‌ହିବା ।।
ଶୁଣି ଆନନ୍ଦ ତଅପୋଈ । ଅନ୍ଧ କି ଚକ୍ଷୁଦାନ ପାଲ ।।
ଚାତକ ପିଇଲା କି ନୀର । ଚନ୍ଦ୍ର କି ଦେଖିଲା ଚକୋର ।।
ଭାଇ ଭଉଣୀ ବେଗେ ଗଲେ । ବୋଇତେ ପ୍ରବେଶ ହୋଇଲେ ।।
ବୋଇତେ ଜଳୁଥିଲା ଦୀପ । ଦେଖିଲେ ତଅପୋଇ ରୂପ ।।
ତେଲ ବିହୁନେ କେଶ ଉଡ଼େ । ମୁଣ୍ଡୁ ଉକୁଣୀ ଝରି ପଡ଼େ ।।
ଛିଣ୍ଡା ଲେଙ୍କଡ଼ା ପିନ୍ଧିଥାଇ । ଦେଖି ବିକଳ ସାତଭାଇ ।।
କ‌ହଇ ଭାଇଙ୍କ ଆଗରେ । ତୁମ୍ଭେ ତ ଗଲ ବୋଇତରେ ।।
ମିଳି ଯେ ଥିଲେ ମାସ ଦୁଇ । ଯେଉଁ ପ୍ରକାରେ ଥିଲ କ‌ହି ।।
ରାଣ୍ଡି ବ୍ରାହ୍ମଣୀ ବୋଲ ଶୁଣି । ନ‌ଦେଲେ ମୋତେ ଅନ୍ନପାଣି ।।
ସେ ରାଣ୍ଡି କ‌ହିଲା ତାହାଙ୍କୁ । ଛେଳି ରଖାଅ ନଣନ୍ଦକୁ ।।
ତାହାର ବୋଲକୁ ଶୁଣିଲେ । ବନରେ ଛେଳି ରଖାଇଲେ ।।
ଭିତରେ ମୂଷାମାଟି ଭରି । ଉପରେ ଗୋଟି ଭାତ ଚାରି ।।
ବଡ଼ବୋହୁର ଏହି ମତେ । ଦୁଃଖ ଯେ ଦେଲେ ଯେତେ ।।
ସାନବୋହୁର ପାଳି ଦିନ । ବ‌ହୁତ ଦେଇଥାଇ ଅନ୍ନ ।।
ଏମନ୍ତ ଶୁଣି ସାତ ଭାଇ । କ‌ହ‌ନ୍ତି ଶୋକଭର ହୋଇ ।।
ଅଷ୍ଟରତ୍ନର ଅଳଙ୍କାର । ଦେଲେ ଯେ ଭଉଣୀ ଶରୀର ।।
ବସାଇ ଚଉକି ଉପରେ । ତୀକ୍ଷ୍‌ଣକାତିଏ ଦେଲେ କରେ ।।
ବୋଇଲେ ଯେହୁ ପ୍ରିୟତୋର । ନସିକା ନ କାଟିବୁ ତାର ।।
ଯେଅବା ଦୁଖଃଦେଲେତୋରେ । ନାସିକା କାଟିବୁ ତାହାରେ ।।
ଏମନ୍ତ କ‌ହି ଭାଇ ଗଲେ । ରାଜ୍ୟକୁ ଦୂତ ବରିଗଲେ ।।
ରାଜ୍ୟରେ ଚ‌ହଳ ପଡ଼ିଲା । ଶୁଭେଣ ବୋଇତ ଲାଗିଲା ।।
ଆନନ୍ଦ ରାଜ୍ୟ ଲୋକେ ଶୁଣି । ଏଥି ଉତ୍ତାରୁ ଶୁଣ ପୁଣି ।।
ପୁଣି ହିଁ ସାଧବର ପୁଅ । ଘରକୁ କ‌ହି ପଠିଆଏ ।।
ବେଗ ହୋଇଣ ତୁମ୍ଭେ ଯାଅ । ବୋହୁମାନଙ୍କ ଆଗେ କ‌ହ ।।
ସଙ୍ଗତେ ଘେନି ତଅପୋଈ । ଆସନ୍ତୁ ବୋଇତ ବନ୍ଦାଇ ।।
ତକ୍ଷଣେ ଲୋକ ଧାଇଁଗଲେ । ସପତ ବୋହୁଙ୍କୁ କ‌ହିଲେ ।।
ତଅପୋଇକି ସଙ୍ଗେ ନିଅ । ଶୁଭେଣ ବୋଇତ ବନ୍ଦାଅ ।।
ଶୁଣି ସମସ୍ତେ ଆରତେଣ । ତଅପୋଇକି ଖୋଜି ଆଣ ।।
ବୋଲଇ ସାନବୋହୁ ତ‌ହିଁ । କାଲିତ ବନୁ ଆସି ନାହିଁ ।।
ଖାଇଲା ଭୂତ କି ରାକ୍ଷାସ । ଏବେ ଲୋଡ଼ିଲେ ହେବ କିସ ।।
କର୍ମେ ଅବଶ୍ୟ ଅଛି ଯାହା । ଭୋଗ କରିବାଟିକି ତାହା ।।
ବୋଇଲ ବଡ଼ ବୋହୁ ଶୁଣି । ବାହାର ହୁଅ ଅର୍ଘ ଘେନି ।।
ବୋଇତ ବେଗେ ବନ୍ଦାଇବା । ପୁଚ୍ଛାଲେ ବଞ୍ଚାଇ କ‌ହିବା ।।
ଏମନ୍ତେ ଅର୍ଘ ଘେନି ବାଳି । ବୋଇତ ପାଶେ ଯାଇ ମିଳି ।।
ବୋହୁଙ୍କୁ ଦେଖି ସାତ ଭାଇ । ବୋଲଇ ଅଧର କମ୍ପାଇ ।।
ସଙ୍ଗତେ ତଅପୋଇ ନାହିଁ । ତୁମ୍ଭେ ଆସିଲ କିମ୍ପାଇଁ ।।
ମଝିଆଁ ବୋହୁ ବୋଲେ ବାଣୀ । ଜରାଇଛନ୍ତି ଝିଅମଣି ।।
କେମନ୍ତେ ଚାଲିଣ ଆସିବେ । ହେହରେ ପୀଡ଼ା ଯେ ପାଇବେ ।।
ଏମନ୍ତ ଶୁଣି ସାତ ଭାଇ । କ‌ହ‌ନ୍ତି ଚକ୍ରାଧଭର ହୋଇ ।।
ଦେବତା ଛନ୍ତି ମଙ୍ଗ କୋଣେ । ବନ୍ଦାଅ ଯାଇ ଜଣେ ଜଣେ ।।
ପ୍ରଥମେ ବଡ଼ବୋହୁ ଗଲା । କୋଣେ ଦେବତା ବନ୍ଦାଇଲା ।
ଛୁରୀରେ ତଅପୋଇ ବାଳି । କାଟିଲା ନାକର ବଉଳି ।।
ନୀଳେନ୍ଦ୍ରି ନାମେ ସାନବୋହୁ । ତଅପୋଇର ପ୍ରିୟ ସେହୁ ।।
ସମସ୍ତ ପଛେ ସେ ଅଇଲା । ସେ ବୋହୁ ପଛେ ବନ୍ଦାଇଲା ।।
ସାନବୋହୁକୁ ଦେଖି ବାଳି । ସେ ହସ୍ତରୁ ପକାଇଲା ଛୁରୀ ।।
କଣ୍ଠୁ କାଢ଼ିଲା ରତ୍ନମାଳି । ବୋହୁବେକେରେ ଦେଲା ବାନ୍ଧି ।।
କାଖ କରିଣ ବୋହୁ ନେଲା । ଆପଣା ମନ୍ଦିରେ ରଖିଲା ।।
ଅତି ଆନନ୍ଦ ସେ ହୋଇଲେ । ଉତ୍ତମ ସୁଖ ଭୋଗ କଲେ ।।
ଏମନ୍ତ ଶୁଣି ସେ ରୁକ୍ମଣୀ । ବୋଲନ୍ତି ଆହେ ଚକ୍ରପାଣି ।।
ନାକୋଇମାନେ କାହିଁ ଗଲେ । କେମନ୍ତେ ଯାଇ ସେ ରହିଲେ ।।
ସେ କଥା କ‌ହ ଆହେ ହରି । କେମନ୍ତେ ହେଲେ ଏତେସରି ।।
ରାଣ୍ଡି ବ୍ରାହ୍ମଣୀ ସିନା ଆସି । ତାହାକୁ ଶିଖାଇଲା ବସି ।।
ବୋଲଇ ନଣନ୍ଦ ଏ ଛାର । ଏହାକୁ ଏତେ ସେବାକର ।।
କଷଣ ଦେଇ ତ ମାଇଲ । ପଛକୁ ଦୁଃଖ ସମ୍ପାଦିଲ ।।
ତୁମ୍ଭେ ଗୋ ନିର୍ଲ୍ଲଜ ବାଳୀଶ । ଏହାର ଯୋଗ ଯିବ ନାଶ ।।
ଏମନ୍ତ କ‌ହିଣ ସେ ଗଲା । ମାୟା ମୋହିନୀ ଲଗାଇଲା ।।
ହଜିଲା ଏହାଙ୍କର ବୁଦ୍ଧି । ନଣନ୍ଦ ସଙ୍ଗେ ହେଲେ ବାଦୀ ।।
ଆୟତ ନ ଥିଲା ତାଙ୍କରି । କିମ୍ପା ହୋଇଲେ ଏତେସରି ।।
କ‌ହ‌ନ୍ତି ଦେବକୀ ନନ୍ଦନ । ଶୁଣ ଗୋ ଯୁବତୀ ରତନ ।।
ନାକୋଇମାନେ ତ‌ହିଁଗଲେ । ଅରଣ୍ୟ ଭିତରେ ପଶିଲେ ।।
ବ‌ହୁତଦୂର ପଥ ଯାଇ । ବୁଲନ୍ତି ବାଇ ପ୍ରାୟ ହୋଇ ।।
ବିକଳେ କରନ୍ତି ରୋଦନ । ଶୁଭଇ ଘୋର ଗରଜନ ।।
ସମସ୍ତେ ହୋଇ ଏକମେଳ । ବସିଲେ ବୃକ୍ଷ ଛାଇତଳ ।।
ରଧିରେ ତନୁ ଜର ଜର । ପଡ଼ଇ ଧରିଣୀ ଉପର ।।
ହୃଦୟେ ବେନିକର ମାରି । କାନ୍ଦନ୍ତି ଦଇବ ସୁମରି ।।
ଆହା ବିଧାତା ଏହା କଲୁ । କି ଦୋଷେ ଏ ଦଶା କ‌ହିଲୁ ।।
ଏକା କରମ ଷଡ଼ ନାରୀ । ଲେଖିଣ ଥିଲୁ କି ବିଚାର ।।
କମ୍ପାଇ ନ କଲୁ ମରଣ । ବନସ୍ତେ ଥିଲା ଏ କଷଣ ।।
ସାଧବ ଘରେ ହେଲେ ଜାତ । ଏକାଳେ ହୋଇଲୁ ଅନାଥ ।।
ଯାଆନ୍ତୁ ବାପା ଭାଇ ଘର । ମୁଖକୁ ଚାହିଁବୁ କାହାର ।।
ଏମନ୍ତ ବୋଲିଣ ଯୁବତୀ । ସମସ୍ତେ ରୋଦନ କରନ୍ତି ।।
ବୋଇଲେ କରିବା ଗୋ କିସ । ଖାଇ ମରିବା ଆଣ ବଷ ।।
କେ ବୋଲେ କିଛିଗୋ ନଭାଳ । ନିଶ୍ଚେ ପୁରିଲା ଆମ୍ଭ କାଳ ।।
କେ ବୋଲେ ବନେ ପଶିଯିବା । ବ୍ୟାଘ୍ର ଭାଲୁଙ୍କ ମୁଖେ ଯିବା ।।
କେହି ଆମ୍ଭଙ୍କୁ ନ ଖାଇଲେ । ନିରେଖ ବୋଲି ଛାଡ଼ିଗଲେ ।।
ଏମନ୍ତ ବ‌ହୁ ବେଳ ଗଲା । ତମିର ଆସି ପ୍ରବେଶିଲା ।।
ଦଇବ ଯୋଗେଣ ଶଦୃଳ । କ୍ଷୁଧା ତୃଷାରେ ସେ ଆକୁଳ ।।
ମିଳିଲେ ଯୁବତୀଙ୍କ ପାଶ । ଦେଖିଣ ବଡ଼ିଲା ସାହାସ ।।
ନାକୋଇମାନେ ତ‌ହିଁ ପଡ଼ି । ପିଣ୍ଡରୁ ପ୍ରାଣ ଗଲା ଛାଡ଼ି ।।
ବେନି ଶାର୍ଦ୍ଦୃଳ ତ‌ହିଁ ଗଲେ । ସେ ମୃତପିଣ୍ଡ ପଡ଼ିଥିଲେ ।।
ଏମନ୍ତ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ।।
ସେ ବନେ ସଦାଶିବ ଥାନ୍ତି । ମର୍କତଲିଙ୍ଗ ଶୋଭାପାନ୍ତି ।।
ତାହାଙ୍କୁ ନ ଦେଖନ୍ତି କେହି । ଗୁପତେ ହୋଇଥାନ୍ତି ରହି ।।
ବିରୁପା ନାମେଣ ଶବର । ବୁଲଇ ମହାବନ ଘୋର ।।
ଏମନ୍ତେ ବନେ ବୁଲୁଥିଲା । ବନେ ସେ ଲିଙ୍ଗକୁ ଭେଟିଲା ।।
ଦେଖିଲା ମର୍କତ ଲିଙ୍ଗକୁ । ବିଚାର କଲା ସେ ମନ‌କୁ ।।
ବୋଇଲା ଆଜି ଭାଗ୍ୟେ ମୋର । ଦର୍ଶନ ପାଇଲା ଶଙ୍କର ।।
ସେ ଶୁଦ୍ଧଚିତ୍ତେ ଦୃଢ଼ କଲା । ସାଷ୍ଟାଙ୍ଗ ଦଣ୍ଡବତ କଲା ।।
ଉଠି ହୋଇଲା କୃତ୍ୟ କୃତ୍ୟ । ସେଠାରୁ ଗଲାକ ତ୍ୱରିତ ।।
ସ୍ନାନ ଶଉଚ ଜଳେସାରି । ନୀର ଆଣିଲା କରେ ଧରି ।।
ଶିବଙ୍କ ଶିରରେ ଢାଳିଲା । କୁସୁମ ବେଲପତ୍ର ଦେଲା ।।
ସୁସ୍ୱାଦୁ ପକ୍ୱଫଳ ଆଣି । ଦେଇ ପୂଜିଲା ଶୂଳପାଣି ।।
ଉଠିଣ କଲା ନମସ୍କାର । ମେଲିଣ ମାଗିଲା ଛାମୁର ।।
ଉଠି ବୋଇଲେ ଦେବ ହର । ଆନନ୍ଦେ ବୋଇଲେ ଶବର ।।
ଏମନ୍ତ ନିତ୍ୟ ସେବା କରି । ଦୃଢ଼ବିଶ୍ୱାସ ଚିତ୍ତେ ଧରି ।।
ଦିନେ ସେ ବିରୁପା ଶବର । ପୂଜିଣ ଯାଉ ସେ ଶଙ୍କର ।।
ବନେ ଯାଉଛି ବେଗ ହୋଇ । ବାଟରେ ଦେଖିଲାକ ଯାଇ ।।
ଷଡ଼ ଯୁବତୀ ଛନ୍ତି ମରି । ନାସାଛେଦନ ସବୁଙ୍କରି ।।
ଦେଖିଣ ଆଶ୍ଚର୍ଯ୍ୟ ହୋଇଲା । ମର୍କତ ଲିଙ୍ଗ ପାଶେ ଗଲା ।।
ସେ ନିତ୍ୟକର୍ମ ଯେ ସାରିଲା । ଯିବାକୁ ମେଲାଣି ମାଗିଲା ।।
ହିରଣ୍ୟ ନ କ‌ହି ବଚନ । ବୁଝିବା ପାଇଁ ତାର ମନ ।।
ଶବର ବ‌ହୁତ ଡାକିଲା । ଡାକିଣ ନିରାଶ ହୋଇଲା ।
ବୋଇଲେ ଅପରାଧ ମୋର । ଦୟା ତେଜିଲେ ଦେବ ହର ।।
ଆଉ ଜୀବନ କାର୍ଯ୍ୟ ନାହିଁ । ଆକେଳେ ଦଶଦିଗ ଚାହିଁ ।।
ନାରାଜ ପାଷାଣେ ଘସିଲା । କଣ୍ଠ ତଣ୍ଟିରେ ବସାଇଲା ।।
ଡାକିଲେ ପ୍ରଭୁ ଦେବ ହର । ରହରେ ବିରୂପା ଶବର ।।
କମ୍ପାଇଁ ହାରୁଛୁ ଜୀବନ । ମୁହିଁ ଜାଣିଲି ତୋର ମନ ।।
ପ୍ରସନ୍ନ ହେଇ ମାଗ ହର । ଯେ ଇଚ୍ଛା ମନରେ ତୋହର ।।
ଶବର ମନେ ବିଚାରିଲା । ଯେ ପ୍ରାଣୀ ପରହିତେ ଥାଇ ।।
ସ୍ୱର୍ଗ ପ୍ରାପତ ହୁଏ ତାରେ । ଶୁଣି ମୁଁ ଅଛଇ ସଂସାରେ ।।
ଏମନ୍ତ ମନେ ଚିଚାରିଲା । କର ଯୋଡ଼ିଣ ଜଣାଇଲା ।।
ବୋଇଲା ପ୍ରଭୁ ମହେଶ୍ୱର । ମୋ ଅପରାଧ କ୍ଷମାକର ।।
ଷଡ଼ ଯେ ନାରୀ ଛନ୍ତି ମରି । ଜୀଇଁବେ ନାସିକା କଅଁଳି ।।
ଅସ୍ତୁ ବୋଇଲେ ଶୁଳଧର । ତକ୍ଷଣେ ଦେଖିଲା ଶବର ।।
ବୋଲଇ ଆଗୋ ନାରୀମାନେ । କିମ୍ପା ଅଇଲ ଘୋର ବନେ ।।
ଶୁଣି ସାଧବ ବୋହୁମାନେ । ବୋଲନ୍ତି ଶୁଣ ସାବଧାନେ ।।
କିନିଷ୍ଠ ନଣନ୍ଦ ଆମ୍ଭର । ତା ଲାଗି ହେଲୁ ଏତେ ଦୂର ।।
ନାମ ତା ତଅପୋଇ ବାଳୀ । କାଟିଲା ନାକର ବଉଳି ।।
ନାକୋଇ ହୋଇ ପଳାଇଲୁ । ଲଜ୍ୟାରେ ବନସ୍ତେ ପଶିଲୁ ।।
ବ୍ୟାଘ୍ର ଦେଖିଣ ମୋହ ଯାଇ । ପଡ଼ିଣ ଥିଲୁ ଏହିଠାଇଁ ।।
କେଉଁ ବିଧାତା ବରଦେଲା । ନାସିକାମାନ କଅଁଳିଲା ।।
ଶବର ସମସ୍ତ କ‌ହିଲା । ତାହାଙ୍କୁ ପଥ ଦେଖାଇଲା ।।
ସେ ବାପା ଭାଇ ଘର ଗଲେ । ନିଶ୍ଚିନ୍ତ ହୋଇଣ ରହିଲେ ।।
କ‌ହଇ ଗୋପିନାଥ ଦାସ । ଉଦ୍ଧାର ମତେ ପୀତ ବାସ ।।

ଇତି ଶ୍ରୀକୃଷ୍ଣ ରୁକ୍ମଣୀ ସତ୍ୟଭାମା ଉକ୍ତୌ ସାହବ ଷଡ଼ବଧୁ ଉଦ୍ଧାରେଣ ନାମ ତୃତୀୟୋଧ୍ୟାୟ ।।

ଚତୁର୍ଥ ଅଧ୍ୟାୟ 

ଏମନ୍ତ କୃଷ୍ଣ ବାଣୀ ଶୁଣି । ହସି ବୋଲନ୍ତି ଠାକୁରାଣୀ ।।
ସେ ତଅପୋଇ କିସ କଲା । କେମନ୍ତ ହୋଇଣ ରହିଲା ।।
ଏମନ୍ତେ କେତେ ଦିନ ଗଲା । ସାଧବ ମନେ ବିଚାରିଲା ।।
ଏବେ କରିବା ସୁ ବିଚାର । ତଅପୋଇର ବିଭାଘର ।।
ଜ୍ୟେଷ୍ଠ ଭ୍ରାତାର ଏହିବାଣୀ । ସମସ୍ତେ ଭାଇମାନେ ଶୁଣି ।।
ବୋଇଲେ କ‌ହିବା ଉଚିତ । ଯେ ସାଧୁ ଶ୍ରେଷ୍ଠ କୁଳବନ୍ତ ।।
ଅଇଶ୍ୱର୍ଯ୍ୟରେ ଥିବ ରହି । ବିଭା କରିବା ତଅପୋଇ ।।
କ‌ହ‌ନ୍ତି ସାଧବ ନନ୍ଦନ । ଏମନ୍ତ ଗଲା କେତେ ଦିନ ।।
ବିରଞ୍ଚି ବୋଲିଣ ସାଧବ । ତାହାର ଧନ ଅସମ୍ଭବ ।।
କୁବେର ସମ୍ପତ୍ତିକୁ ବଳି । ପ୍ରତାପ ନ ପାରିବ କଳି ।।
ସେହି ଦ୍ୱୀପରେ ତାର ଘର । ତା ପୁତ୍ର ନାମ ରତ୍ନାକର ।।
ସୁନ୍ଦର ସୁବୁଦ୍ଧି ପଣ୍ଡିତ । ଗରିଷ୍ଠ ପଣେ ବଳବନ୍ତ ।।
ତାହାକୁ ବିଭା କରିବାକୁ । ତା ପିତା ବିଚାରେ ମନ‌କୁ ।।
ଦୂତମାନଙ୍କୁ ଡକାଇଲା । ପ୍ରସଙ୍ଗ କରିଣ ପେଶିଲା ।।
ତକ୍ଷଣେ ଦୂତମାନେ ଗଲେ । ଥୋକାଏ ରାଜ୍ୟ ସେ ବୁଲିଲେ ।।
ତନୟ ସାଧବର ସୁତ । ସେ ରାଜ୍ୟେ ସେହି ଭାଗ୍ୟବନ୍ତ ।।
ଏକ ଭଉଣୀ ସାତ ଭାଇ । ତାହାର ନାମ ତଅପୋଇ ।।
ତାହାଙ୍କ ହାତରେ ଦୂତ ଆସି । ପ୍ରସଙ୍ଗ କ‌ହିଲେ ବିଶେଷି ।।
ବୋଇଲେ ବିରଞ୍ଚି ସାଧୁତ । ତାହାଙ୍କ ପୁତ୍ର ବଳବନ୍ତ ।।
ତଅପୋଇକି ବିଭାକର । ଏ କଥା ଉଚିତ ବେଭାର ।।
ଏମନ୍ତ କ‌ହି ଦୂତମାନେ । ମେଲିଣ ହୋଇଲେ ବ‌ହ‌ନେ ।।
ଯାଇଣ ସାଧବ ତୋଷ ହୋଇ । ଯେ ବିଧି ବିଧାନ ଭିଆଇ ।।
କୂଳ ଧର୍ମର ଯେଉଁ ରୀତି । ସେହି ପ୍ରକାରେ ସେ କରନ୍ତି ।।
ମଙ୍ଗଳ କୃତ୍ୟ ଯେ ଭିଆଣ । ମିଳି ବ‌ହୁତ ନାରୀ ଗଣ ।।
ନବୀନ ଭାଣ୍ଡ ମଙ୍ଗୁଳିଲେ । ସମସ୍ତ ହୁଳ ହୁଳି ଦେଲେ ।।
ବସ୍ତ୍ର ଭୁଷଣ ଅଳଙ୍କାର । ଯେ ପୂଜା ବିଧି ଉପଚାର ।।
ଦେଇଣ ସମସ୍ତେ ପୂଜନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ।।
ଶଙ୍ଖ ମହୁରୀ ନାନା ବାଦ୍ୟ । ବାଜନ୍ତେ ଉଛୁଳେ ଶବଦ ।।
ସେଠାରୁ ହୁଅନ୍ତି ମେଲାଣି । ବର କନ୍ୟାକୁ ଘରୁ ଆଣି ।।
ଢ଼ାଳନ୍ତି ନେଇ ତୀର୍ଥ ଜଳ । ଯୁବତୀ ହୋଇ ଏକମେଳ ।।
ତ୍ୱରିତେ ତ‌ହୁଁ ପୋଛି ଦେଲେ । ମଳିନ ବସ୍ତ୍ର ପିନ୍ଧାଇଲେ ।।
ଏଥି ଉତ୍ତାରୁ ଆରଦିନ । ବିଭା ଉତ୍ସବ ଯୋଗ ଲଗ୍ନ ।।
ବ୍ରାହ୍ମଣ ଯଉଚିଷ ଆସି । ବିଶେଷ ପଚାରନ୍ତି ବସି ।।
କ‌ହ‌ନ୍ତେ ସମସ୍ତେ ଶୁଣିଲେ । ବିଭା ଉଦ୍ୟମ ପଚାରିଲେ ।।
ମଙ୍ଗଳ ବାଦ୍ୟ ଉଚ୍ଚାରନ୍ତି । ବରକୁ ବେଦୀରେ ବସାନ୍ତି ।।
ବ୍ରାହ୍ମଣେ ବେଦ ବାକ୍ୟ ଭାଷି । ବୋଇଲେ କନ୍ୟାକୁ ଆଣସି ।।
ତା ଶୁଣି କନ୍ୟାକୁ ଅଣାଇ । ଲବଣ ଚଉଁରୀ ପକାଇ ।।
ଅଷ୍ଟରତ୍ନର ଅଳଙ୍କାର । ଖଞ୍ଜିଲେ କନ୍ୟାର ଶରୀର ।।
ଝିନ ବସନେ ପିନ୍ଧାଇଣ । ଦେବାଙ୍ଗ ବସ୍ତ୍ର ଉପରଣ ।।
ଦେଇଣ କନ୍ୟାକୁ ଆଣିଲେ । ବେଦୀ ଉପରେ ବସାଇଲେ ।।
ଅନେକ ବାକ୍ୟ ବଜାବନ୍ତି । ଯୁବତୀ ହୁଳହୁଳି ଦିଅନ୍ତି ।।
ଶବଦ ଶୁଭେ ଘୋରନାଦ । ବ୍ରହ୍ମଣେ ପଢ଼ୁଛନ୍ତି ବେଦ ।।
ଜନ ଗ‌ହଳେ ନୁହେଁ ପଶି । ଦେଖି ବର କନ୍ୟାକୁ ତୋଷି ।।
ସମସ୍ତେ ଧନ୍ୟ ଧନ୍ୟ କଲେ । ବିଭା ଉତ୍ସବ ବଢ଼ାଇଲେ ।।
ବନ୍ଧୁ କୁଟୁମ୍ବ ଜ୍ଞାତଜନ । ଭୋଜନ କଲେ ମିଷ୍ଟଅନ୍ନ ।।
ସେଦିନ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ।।
ସାତ ଭାଇଙ୍କି ଅଣାଇଲା । ବିରଞ୍ଚି ସାଧବ ଉଠିଲା ।।
ବୋଇଲା ମେଲାଣି ଆମ୍ଭଙ୍କୁ । ବ‌ହ‌ନ ଦିଅ ହେ ଯିବାକୁ ।।
ଶୁଣି ତନୟ ସାଧୁ ସୁତେ । ଉଦ୍ୟମ କଲେ ଯିବା ଅର୍ଥେ ।।
ସଜ କରିଣ ରାଜଦୋଳି । ବସାଇ ତଅପୋଇ ବାଳୀ ।।
ସୁବର୍ଣ୍ଣ ଚାନ୍ଦ ଘରେ ଥିଲା । ସାଧବ ବେଗେ ଅଣାଇଲା ।।
ଉପରେ ଟଣାଇଲା ସେହି । ଦେଖି ଆନନ୍ଦ ତଅପୋଇ ।।
ଚନ୍ଦ୍ରକୁ ବେଢ଼ି ଯେହେ ତା'ରା । ଅତି ସୁନ୍ଦର ଦିଶେ ତୋରା ।।
ଦେଖିଣ ନ‌ଗ୍ର ନାରୀମାନେ । ବୋଲନ୍ତି ଧନ୍ୟ ତୋ ଜୀବନ ।।
ସାତ ଭାଇରେ ତଅପୋଇ । ଦଣ୍ଡେ ମୂର୍ଚ୍ଛାନ୍ତି କେହି ନାହିଁ ।।
ଭାଉଜ ଦେଖି ନ ପାରିଲେ । ଏହାର ଲାଗି ଦୂର ହେଲେ ।।
ସାନ ଭାଉଜ ନଣନ୍ଦର । ଦଣ୍ଡେ ହେ ନୁହେଁ ଅଭ୍ୟନ୍ତର ।।
କେମନ୍ତେ ମୁର୍ଚ୍ଛିବ ଏହାକୁ । ଆସିବା ଯାଏ ତା ଘରକୁ ।।
ଏମନ୍ତ ଶୁଣି ତଅପୋଇ । ବେନି ନୟନୁ ଲୁହ ବୋହି ।।
ଭାଉଜ କାନ୍ଦେ ଶୋକଭରେ । ଲୁହ ପୋଛିଣ ବେନି କରେ ।।
ସାହି ପଡ଼ିଶା ଯେତେ ଥିଲେ । କାନ୍ଦିଣ ପ୍ରବୋଧନ କଲେ ।।
ଏମନ୍ତ ସୈନ୍ୟ ସାଜ ହେଲେ । ଯେ ଯାହା ବାହାନ ଚଢ଼ିଲେ ।।
ବରକୁ ସେବେଶ କରାଇ । ପାଲିଙ୍କି ଉପରେ ବସାଇ ।।
ଆଗରେ ଗଲେ ତଅପୋଇ । ପଛରେ ବର ଚଳି ଯାଇ ।।
ତଅପୋଇର ସାତ ଭାଇ । ପାଛୋଟି ଖଣ୍ଡେ ଦୂର ଯାଇ ।।
ଚିରଞ୍ଚି ସାଧବକୁ କ‌ହି । ଯେ ଯାହା ରୂପେ ମାନ୍ୟହୋଇ ।।
ଲେଉଟି ଘରକୁ ଅଇଲେ । କନ୍ୟ ଘେଣିଣ ସେହି ଗଲେ ।।
ଯାଇଣ ମିଳିଲେ ରାଜ୍ୟରେ । ଶୁଣ ହେ ଏଥୁ ଅନନ୍ତରେ ।।
ଚଉଠି ସାତ ଯେ ମଙ୍ଗଳା । ଏ ରୂପେ ସବୁ ଯେ ବଢ଼ିଲା ।
 ଏମନ୍ତେ ଶ୍ରୀକୃଷ୍ଣର ବାଣୀ । ରକ୍ମଣୀ ସତ୍ୟଭାମା ଶୁଣି ।।
ବୋଲନ୍ତି ଶୁଣ ଦେବ‌ହରି । ସେତ ସ୍ୱର୍ଗର ଅପସରୀ ।।
ସାଧବ ଘରେ ସେ ରହିଲା । କେମନ୍ତ ସ୍ୱର୍ଗକୁ ସେ ଗଲା ।।
କ‌ହ‌ନ୍ତି କମଳ ଲୋଚନ । ଶୁଣ ଗୋ ରମଣୀ ରତନ ।।
ସେ ଚିତ୍ରସେନ ସ୍ୱର୍ଗପୁରେ । ଭାଳଇ ବସି ନିରନ୍ତରେ ।।
ନିକଟ ଦିନ ଆସି ହୋଇ । ଷୋଳ ବରଷ ପୁରି ନାହିଁ ।।
ଏମନ୍ତ ସମୟେ ଗନ୍ଧର୍ବ । ଇନ୍ଦ୍ରଙ୍କୁ ବୋଇଲା ଭୋ ଦେବ ।।
ଏବେ ମୁଁ କରିବି କେମନ୍ତ । ବିଚାରି କ‌ହ ଶଚିନାଥ ।।
ଇନ୍ଦ୍ର ବୋଇଲେ ଚିତ୍ରସେନ । ଷୋଳ ବରଷ ଯେଉଁ ଦିନ ।।
ସମ୍ପୂର୍ଣ୍ଣ ହୋଇବଟି ଯେବେ । ବିମାନ ଘେନିଯିବୁ ତେବେ ।।
ବସି କରି ତୋର ନାରୀ । ମଞ୍ଚୁ ଆଣିବୁ ସ୍ୱର୍ଗପୁରୀ ।।
ଶୁଣିଣ ଇନ୍ଦ୍ରର ବଚନ । ଗନ୍ଧର୍ବ ଗଣୁଥାଇ ଦିନ ।।
ଷୋଳ ବରଷ ଯହୁଁ ହେଲା । ବିମାନ ଘେନି ସେ ଚଳିଲା ।।
ପୁଷ୍ପ ବିମାନ ଆକାଶରେ । ରହିଣ ଥିଲା ସେ ଗୁପ୍ତରେ ।।
ଦେଖ ଦଇବର ଗତି । ଯେ ଯାହା କର୍ମ ସେ ଭୁଞ୍ଜନ୍ତି ।।
ତଅପୋଇକି ନେବା ପାଇଁ । ଗନ୍ଧର୍ବ ଆସିଥିଲେ ତ‌ହିଁ ।।
ସାତମଙ୍ଗଳା ବିଧି ସାରି । ଅଷ୍ଟମଙ୍ଗଳା ବିଧି କରି ।।
ତଅପୋଇକି ଭାଇ ସାଥେ । ବସାଇ ଗଜଦନ୍ତ ରଥେ ।।
ଘରକୁ ଘେନିଣ ଗମନ୍ତି । ଶୂନ୍ୟେ ଦେଖିଲା ତାର ପତି ।।
ଆସିଣ ପଥ ଓଗାଳିଲେ । ସବୁଙ୍କୁ ଘଉଡ଼ାଇ ଦେଲା ।।
ତଅପୋଇକି ଘେନିଯାଇ । ପୁଷ୍ପକ ବିମାନେ ବସାଇ ।।
ସ୍ୱର୍ଗରେ ଯାଇଣ ମିଳିଲା । ଇନ୍ଦ୍ର ଛାମୁରେ ଜଣାଇଲା ।।
ମାନବ ରୂପ ତାର ଗଲା । ଦେବ ଶରୀର ପ୍ରକାଶିଲା ।।
ଆନନ୍ଦ ହୋଇ ବେନି ଜନେ । ସୁଖେ ରହିଲେ ସ୍ୱର୍ଗ ସ୍ଥାନେ ।।
କ‌ହଇ ଶିଶୁ ଗୋପିନାଥ । ଉଦ୍ଧର ଶଙ୍ଖ ଚକ୍ର ହସ୍ତ ।।

ଇତି ଶ୍ରୀକୃଷ୍ଣ ସତ୍ୟଭାମା ଉକ୍ତୌ ତଅପୋଇ ବିବାହ ଓ ସ୍ୱର୍ଗ‌ଗମନ ଚତୁର୍ଥ ଅଧ୍ୟାୟ      

           ପଞ୍ଚମ ଅଧ୍ୟାୟ 

ଏଥ ଉତ୍ତାରୁ ଏବେ ଶୁଣ । କ‌ହିବା ତ‌ହିଁର ବିଧାନ ।।
ଯହୁଁ ସେ ତଅପୋଇ ବାଳି । ସ୍ୱର୍ଗଭୁବନେ ଗଲା ଚଳି ।।
ଦେଖି ତାହାର ବନ୍ଧୁ ଜନେ । ଚକିତେ ଚାହିଁଲେ ଗ‌ଗନେ ।।
କ‌ହ‌ନ୍ତେ ସମସ୍ତେ ଶୁଣିଲେ । ବ‌ହୁତ ଜନ ମେଳ ହେଲେ ।।
ଦୂରରୁ ଶୁଭିଲା ଶବଦ । ସକଳେ ହୋଇଲେ ନିବେଦ ।।
ବୃଦ୍ଧ ବିବେକ ଜନମାନେ । ବିଚାର କଲେ ମନେ ମନେ ।।
ବୋଇଲେ ସ୍ୱର୍ଗ ଅପସରୀ । ମର୍ତ୍ତେ ଜନ୍ମିଲା ଦେହ ଧରି ।।
ଭୋଗ ସରନ୍ତେ ସେହୁ ଗଲା । ସ୍ୱର୍ଗରେ ଯାଇଣ ବସିଲା ।।

🌺 ସୁନିଆ 🌺

#ସୁନିଆ

ସ୍ୱର୍ଣ୍ଣମୁଦ୍ରା ସୁନାମୋହର , ଭାଦ୍ରବ ଶୁକ୍ଲ ଏକାଦଶୀ ! ଏହିଦିନ ବାମନ ଜନ୍ମ ! ପୁରୀ ଶ୍ରୀମନ୍ଦିରରେ ତଥା ରାଜବାଟିରେ ସୁନିଆ ଉତ୍ସବ ପାଳିତ ହୁଏ ! ଏ ଦିନ ପୁରୀର ରାଜବାଟୀରେ ରାଜାଙ୍କ ମସ୍ତକରେ ସ୍ୱର୍ଣ୍ଣମୁଦ୍ରା ଲାଗିହୁଏ ! ପରିବାର ସେବକ ସତେଇଶିଟି ବିଭିହ୍ନ ଦେବଦେବୀଙ୍କ ଛବି ମୁଦ୍ରିତ ନୂତନ ସ୍ୱର୍ଣ୍ଣମୁଦ୍ରା ମହାରାଜାଙ୍କୁ ଦିଅନ୍ତି ! ମହାରାଜା ରାଜଗୁରୁଙ୍କୁ ଦେଲେ ରାଜଗୁରୁ ମହାରାଜାଙ୍କ ମସ୍ତକରେ ସେଗୁଡିକୁ ଉଲାଗି କରନ୍ତି ! ଏହା ପୂର୍ବରୁ ରାଜଗୁରୁ ବରୁଣପୂଜା , ନୃସିଂହ ପୂଜା, ସମ୍ପନ୍ନ କରିସାରିଥାନ୍ତି ! ରାଜ ରାଜୁଡା କାଳରେ ଏହିଦିନ ମହାରାଜାଙ୍କର ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ ହେଉଥିଲା ! ତେଣୁ ଏହିଦିନଟି ଓଡିଆ(ଗଜପତି)ରାଜାଙ୍କ ଅଙ୍କ ସାଲ ପରିବର୍ତ୍ତନ ଦିବସ ! ଏହିଦିନ ମଧ୍ୟ ଓଡିଶାର ରାଜା ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ #ସନ ଗଣନା ଆରମ୍ଭ ହୁଏ ! ରାଜା ଜମିଦାର ମାନେ ସୁନିଆ ଦିନ ସିରସ୍ତା ପୂଜା କରନ୍ତି ! ପ୍ରଜା ମାନେ ଜମିଦାରଙ୍କୁ ଭେଟି ବା ସଲାମୀ ଦିଅନ୍ତି ! ପୂର୍ବତନ ରାଜାଙ୍କର ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ ବିଧି ଓ ରାଜତ୍ୱ କରୁଥିବା ରାଜାଙ୍କର ନୂଆ ଅଙ୍କ ପ୍ରଚଳିତ ହୁଏ ! ଏହି ବିଧିରୁ ଏହିଦିନକୁ ସୁନିଆ କୁହାଯାଏ !

ଓଡିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ମାସ  ଓ ଦିବସର ଗଣନା ସୌରମାସର ଗଣନା  କ୍ରମେ ହୁଏ, କିନ୍ତୁ ସନ ବା ଅଙ୍କ ଚାନ୍ଦ୍ର ଭାଦ୍ରବ ମାସର ଦ୍ୱାଦଶୀ ଗଣନା କରାଯାଏ ! ଏହି ସୁନିଆ ପୂଜା ଓ ଗଣନା ଓଡିଆର ବିଶେଷତ୍ୱ ଏହିଠାରୁ ଓଡିଆମାନଙ୍କ ନବବର୍ଷ ଆରମ୍ଭ ! ରାଜା ଓ ଜମିଦାରମାନେ ସୁନିଆ ଦିନ ବେଦୀରେ ବସି ଗଣେଶ, ସରସ୍ୱତୀ, ଲକ୍ଷ୍ମୀ ଓ ଦେବଦେବୀଙ୍କୁ ପୂଜା କରନ୍ତି ! ସୁନିଆ ଭେଟି ଓ ଉଲାଗିର ପ୍ରଚଳନ ରହିଛି ! 

#ଶ୍ରୀକ୍ଷେତ୍ର_ଇତିହାସ
#ଉପସ୍ଥାପନା_ଶ୍ରୀକ୍ଷେତ୍ର_ପରିବାର

Sunday, August 30, 2020

🌺 ମାତୃଶକ୍ତି 🌺

           ~: ମାତୃଶକ୍ତି :~
            ~~~~~~
ମାତୃଶକ୍ତି ମହାଶକ୍ତି ଅଟେ ଧରାଧାମେ 
ସୁଖ୍ୟାତି ରହିଅଛି କାଳିଦାସ ନାମେ  
ଜାୟା ଜନନୀ ଭଗନୀ ଭିନ୍ନ ଭିନ୍ନ ରୂପେ
ଶକ୍ତି ମୁକ୍ତି ଶାନ୍ତି ଦେଉଥାଏ ଅବିରତେ  ||

କବିଙ୍କ କୃତିରେ ଅଛି ଦିବ୍ୟ ମାତୃଶକ୍ତି 
ଚାଷୀର ଶ୍ରମରେ ସହାୟକ ବସୁମତୀ
ଅମୃତ ପାନରେ ପରା ବିକିଶିଛି ଜ୍ଞାନ
ସେବା ଶୁଶ୍ରୁଷାରେ ଭରା ସାହାସର ଧନ  ||

ସ୍ନେହ ଶ୍ରଦ୍ଧା ମନ୍ଦାକିନୀ ଶକ୍ତି ପ୍ରଦାୟିନୀ 
ଦୁଷ୍ଟ ନିବାରିଣୀ ମାତା ବିପଦ ହାରିଣୀ 
ବିଦ୍ୟାଦାତ୍ରୀ ଜ୍ଞାନଦାତ୍ରୀ ସୁଖ ବିଳାସିନୀ 
ମାତୃଶକ୍ତି ଆଧାରରେ ତିଷ୍ଠିଛି ଅବନୀ  ||

ମାତୃମୟ ବିଶ୍ବ ଭୁବନ , ମା'ପାଇଁ  ସୃଷ୍ଟି 
ବିଶ୍ବ ନିୟନ୍ତାଙ୍କ ଅଟଇ ଅମୂଲ୍ୟ ଭେଟି  ||
          -----×----
ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା ବ୍ଳକ୍ , ଗଞ୍ଜାମ
ଦୂରାଭାଷ : ୭୯୮୪୨୫୯୦୮୦

⭕ ଶେଫାଳି ⭕

         ~: ଶେଫାଳି :~

ନିଶିପୁଷ୍ପ , ଶେଫାଳି ,ଗଙ୍ଗଶିଉଳି
ଶେଫାଳିକା ଆଉ ଶୁକ୍ଳାଙ୍ଗୀ ନାମ
ମର୍ତ୍ତ୍ୟ ପାରିଜାତ ଶୁଭ୍ର ରଙ୍ଗ ଯୁକ୍ତ 
 ସମର୍ପିତ ସଦା ତାହାରି ମନ 

 ଝରିଯିବା ତାର ବାସ୍ତବତା ନୁହେଁ
   ସମର୍ପିତ ସିଏ ଧରଣୀ ପାଇଁ 
ତନୁ ମନ ତାର ଧନ୍ୟ ହୋଇଥାନ୍ତି 
ବ୍ରାହ୍ମ୍ୟ ମୁହୂର୍ତ୍ତରୁ ସେବାରେ ଥାଇ ......

ନିଶି ନିରିଜନେ ଉତ୍ସର୍ଗେ ମନକୁ 
 ବିଭୁକୃପା ଆଶ ହୃଦରେ ରଖି 
ଜାଣିଛି ଝରିବ ଏ'ଦେହ ଦିନେ 
ବେଳଥାଉ ମନ ଦେଇଛି ଯୋଖି 

କିଏ କହେ ତାକୁ ମର୍ତ୍ତ୍ୟ ପାରିଜାତ 
କିଏ କହେ ଅଭିଶପ୍ତ ଅପ୍ସରୀ 
ଅଶ୍ରୁଭିଜା ଆଖ୍ୟା ଦିଏ ଅବା କେହି 
କୋମଳ ଆୟୁଷେ ପଡ଼ଇ ଝରି 

ସୁଗନ୍ଧ ବିତରି ସର୍ବାଦର ସିଏ 
କେଡ଼େ ଭାଗ୍ୟ ସତେ ଦେଖ ତାହାରି
ପ୍ରତ୍ୟୁଷେ ସେବିଲା ବସୁନ୍ଧରା ପଦ 
ମାତୃବନ୍ଦନାକୁ ହୃଦରେ ଭରି 

ଧନ୍ୟ ତା'ଜୀବନ ଧନ୍ୟ ତାର ମନ 
ଆପେ ଉତ୍ସର୍ଗୀତ କର୍ମ ଆଦରି 
ଝରିଗଲା ପରେ ହୁଏ ଗଳାମାଳି 
ବାସି ବୋଲି ବାଛ ନାହିଁ କାହାରି 
           ------×----
   ✍ସନ୍ତୋଷ ପଟ୍ଟନାୟକ ଗଞ୍ଜାମ

- କାଚ ବନ୍ଧା ଚିତ୍ର -

ଜାତିର ଜନକ ତୁମେ ଆଜି ମୂକ
    କାଚ ବନ୍ଧା ଚିତ୍ର ତଳେ
ଏକବିଂଶ ଶତାବ୍ବୀର ଏ ମଣିଷ
     କପଟର ପଶା ଖେଳେ
ତୁମ ରାମରାଜ୍ୟ ହେଲାଣି କଦର୍ଯ୍ୟ
     ବଢି ଚାଲିଛି ଦୁଷ୍କର୍ମ
ଅସହାୟ ହୋଇ ମଥାକୁ ନୁଆଁଏ
     ଅହିଁସା ପରମ ଧର୍ମ
ତୁମେ କହିଥିବା ମିଠା ମୂଳ ମନ୍ତ୍ର
      ଏ ପିଢିରେ ଅକାରଣ
ଶାଗୁଣା ବିଲୁଆ ସେବା ଯୋଗାଇଲେ
       ଶବ କି ପାଇବ ପ୍ରାଣ ?
ଆପ୍ରାଣ ଉଦ୍ୟମେ  ବାଡି ଖଣ୍ତେ ଧରି
    ଦେଶ କୁ କଲ ସ୍ବାଧୀନ
ସ୍ୱାଧୀନତା ସତ୍ତା ଆଜି ସମାଧିସ୍ଥ
       ଦିଶଇ ଯାହା ବିବର୍ଣ୍ଣ
 ସ୍ୱର୍ଣ୍ଣ ପ୍ରସବିନୀ ଜନ୍ମ ଭୂମୀ ତ୍ରସ୍ତ
     ବିସ୍ମୃତ ସ୍ବରାଜ ମନ୍ତ୍ର
ଲୋକ ଦେଖାଣିଆ ପତକା ଉଡୁଛି
      ମିଛ ଏଠି ଲୋକ ତନ୍ତ୍ର
ଦେଇଥିଲ ସତ୍ୟ ଅହିଂସା ସ୍ୱଚ୍ଛତା 
        ମୂଳମନ୍ତ୍ର ଏକତାର
ଗଗନେ ପବନେ ଚଉଦିଗେ ଭିଡ
       ବିଭ୍ରାଟ ଓ ଭ୍ରଷ୍ଟାଚାର
ଉଜୁଡିଛି ତୁମ ସ୍ବରାଜ ସପନ
      ହୋଇଛି ମୁଠେ ପାଉଁଶ
ପରାଧୀନ ଦେଶ ସ୍ଵାଧୀନ ନିମନ୍ତେ
       ମାଟିକୁ ଓହ୍ଲେଇ ଆସ

           ଦାଶରଥି ସାହୁ
                  କଳମ୍ବ/ଗଞ୍ଜାମ

Saturday, August 29, 2020

🌺 ହେ ଶ୍ରେଷ୍ଠ ପଞ୍ଜିକାର 🌺

ଜୀବନେ ଯନ୍ତ୍ରଣା ହସ ହାତଗଣା
      ଅନ୍ତରେ ଅଜସ୍ର କ୍ଷତ
ମୂକ ମୁଖଶାଳା ଜଞ୍ଜାଳର ଜ୍ୱାଳା
     ତୁନି କିଆଁ ତୁମେ ତାତ
ଜଡଠୁ ଚେତନା ସଭିଙ୍କର ଚିହ୍ନା
     ପ୍ରଭୁ ପଣେ ଜଗନ୍ନାଥ
କେଣେ ଅବହେଳା ବୁଡିଯିବ ଭେଳା
     ସ୍ରଷ୍ଟା ସ୍ପଷ୍ଟାଅ ସୁପଥ
ହୃଦୟରେ ସ୍ୱଚ୍ଛ କେ କାଞ୍ଚନ କାଚ
     ଜାଣିପାର ଅନ୍ତର୍ଯ୍ୟାମୀ
ଆତ୍ମୀୟ ଆଘାତେ ଦୁଃଖ ଅପ୍ରମିତେ
      ଅସହ୍ୟପଣେ ଅକାମୀ
ନାହିଁ ଅଭିଯୋଗ ଆହେ ମହାଭାଗ
       କଲା କରମର ଫଳ
ପ୍ରାରବ୍ଧ ସଞ୍ଚିତ କ୍ରିୟମାଣେ ଯୁକ୍ତ
     ସୁଖ ଦୁଃଖ ଯେତେ ଠୁଳ
 ପ୍ରଭୁ ହେ ସଅଳ ପ୍ରାରବ୍ଧର ଫଳ
    ଭାଗ୍ୟ ଭୋଗର ଏ ଭାର
ତୁମେ ନିରାକାର ମୁକ୍ତି ମଣ୍ଡପର
     ଅଟ ଶ୍ରେଷ୍ଠ ପଞ୍ଜିକାର
ଘେନି ନିବେଦନ ଅନାଦି ଅନନ୍ୟ
      ଜନ୍ମ ମୃତ୍ୟୁ ଚକ୍ରୁ ପାରି
କର ଭଗବାନ ଅନ୍ତରୁ ନମନ
     ଆହେ ପତିତ ଉଦ୍ଧାରି

           ଦାଶରଥି ସାହୁ , କଳମ୍ବ/ଗଞ୍ଜାମ

🌺 ମା' ଖୁଦୁରୁକୁଣି 🌺

        ~: ମା' ଖୁଦୁରୁକୁଣି :~

ଶୁଣିଥିଲି କର୍ଣ୍ଣେ     ସାଧବ ଘରେ ତୁ
        ଥିଲୁ ଇଷ୍ଟଦେବୀ ହୋଇ
ତୋ ନାମ ସୁମରି  ଯାଆନ୍ତି  ସାଧବ
          ବଣିଜ କରିବା ପାଇଁ

ସାତ ଭାଇରେ ଯେ ଗୋଟାଏ ଭଉଣୀ
        ନାମ ଥିଲା ତଅପୋଇ
ଚାନ୍ଦ ମାଗିଲେ ବି  ଆଣି ଦେଉଥିଲେ
        ତା ସାଧବ ସାତ ଭାଇ

ନିଳଧ୍ବଜ ନାମେ    ସେ ରାଜନ ଅଟେ
        ସୁଖେ କରେ ପ୍ରଜା ପାଳନ
ମନ୍ତ୍ରି ଗୁଣନିଧି     ପ୍ରଜା ସୁଖେ ସୁଖି
       ସେ ରାଇଜ ସ୍ବର୍ଗ ସମାନ

ଦରିଆ ଘେରା ସେ  ରାଇଜ ଭିତରେ
      କେହି ଜଣେ ଦୁଃଖି ନାହିଁ
ମାଲୋ ମଙ୍ଗଳା     କୃପା ଦୃଷ୍ଟିରେ ତୁ
         ସଦା ରହିଥିଲୁ ଚାହିଁ

ବାଣିଜ ସମୟ     ଆସି ପହଞ୍ଚିଲା
      ସାଧବ ଗଲେ ଯେ ଦୂରେ
କେତେ ଦୁଃଖ ସହି ତଅପୋଇ ସେଇ
       ଶରଣ ଗଲା  ପୟରେ

ରାଣ୍ତି ବାହ୍ମଣିଟା   ବଇରୀ ସାଜିଲା
         ତଅପୋଇ ସୁଖ ଦେଖି
ସୁନାର ସଂସାର     କପଟେ ଜାଳିଲା
       ତଅପୋଇ ହେଲା ଦୁଃଖି

ସୁନା ଥାଳିରେ  ଯେ ଖାଉଥିଲା ଭାତ
       ବନସ୍ତେ ଜଗିଲା ଛେଳି
ବନସ୍ତେ ହଜିଲା      ଘରମଣୀ ତାର
       ଭାଉଜ ତା ଦେଲେ ଗାଳି

ଭାଦ୍ରବ ଆସିଲା  କୃପା ତୋର ହେଲା
       ତଅପୋଇ କଲା  ବ୍ରତ
ଉଜୁଡା ଜୀବନ   ସଜାଡି ତୁ ଦେଲୁ
        ସପନ ହେଲା ମାଁ ସତ

ପାଞ୍ଚ ପାଳି ବ୍ରତ   ପୂର୍ଣ୍ଣ କଲା ଯେବେ
         ଦୁଃଖ କଷ୍ଟେ ତଅପୋଇ
ତୋ ଦୟାରୁ ମାଲୋ ବୋଇତ ଲାଗିଲା
        ଫେରିଲେ ତା ସାତ ଭାଇ

ଭଉଣୀଙ୍କୁ ଘେନି     ଜଙ୍ଗଲ ଭିତରୁ
        ଫେରିଲେ ସାଧବ ପୁଅ
ମନ କଥା ମନେ   ରଖି ସାତ ଭାଇ
         ବୋଇତ ବନ୍ଦାଅ ଯାଅ

ବୋଇତର କଣେ ଅଛନ୍ତି ଯେ ଦେବୀ
        ଯାଅ କର ତାଙ୍କୁ ପୂଜା
ବୋଇତ କଣରେ   ହସ୍ତେ ଛୁରୀ ଧରି
       ତଅପୋଇ ଦେଲା ସଜା

ସାନ ଭାଉଜକୁ   ଦେଖି ତଅପୋଇ
         ଖସିଲା ହାତରୁ ଛୁରୀ
ହସ ଖୁସିରେ ଯେ  ଜୀବନ କାଟିଲେ
         ସର୍ବେ ପୁଣି ଆଗ ପରି

ମାଆଲୋ ମଙ୍ଗଳା ଥାଉ ତୋର ଦୟା
       ଏ ଅଧମ ସନ୍ତାନ ଠାରେ
ଦୋଷା ଦୋଷ ମୋର କରିଦେ ମା କ୍ଷମା
        ଚାହିଁ କୃପା ନେତ୍ରେ ଥରେ
        --‐------------×--------------
  ✍ ଜଗବନ୍ଧୁ ସାହୁ ,ଗଞ୍ଜାମ । 

Friday, August 28, 2020

🌺 ନମଇଁ ନୃସିଂହ ଚରଣ 🌺

ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥ ୧
ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥ ୨
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥ ୩
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥ ୪
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥ ୫
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥ ୬
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥ ୭
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥ ୮
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥ ୯
ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥ ୧୦
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥ ୧୧
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥ ୧୨
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥ ୧୩
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥ ୧୪
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥ ୧୫
ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥ ୧୬
କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥ ୧୭
ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥ ୧୮
କପଟ ଧର୍ମ ଯାର ନାହିଁ । ସ୍ୱଭାବେ ସନ୍ଥ ସେ ବୋଲାଇ ॥ ୧୯
ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥ ୨୦
ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥ ୨୧
ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥ ୨୨
ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥ ୨୩
ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୪
ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତୟ କ୍ଷୟ ଯାଇ ॥ ୨୫
ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥ ୨୬
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥ ୨୭
ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥ ୨୮
ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥ ୨୯
ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥ ୩୦
ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥ ୩୧
କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥ ୩୨
ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥ ୩୩
ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥ ୩୪
ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥ ୩୫
ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥ ୩୬
ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥ ୩୭
ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥ ୩୮
ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥ ୩୯
ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥ ୪୦
ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥ ୪୧
କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥ ୪୨
ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷଅରଣ୍ୟେ ॥ ୪୩
କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥ ୪୪
ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥ ୪୫
ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥ ୪୬
ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥ ୪୭
ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥ ୪୮
ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥ ୪୯

● ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ ●

ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ
- - - - - - - - - - - - - - ✍ସନ୍ତୋଷ ପଟ୍ଟନାୟକ 

     ଆବାହମାନ କାଳରୁ ଗାଆଁ   ବିକାଶ କ୍ଷେତ୍ରର ଗାରିମାମୟ ଅଧ୍ୟାୟ ।  ସାମଗ୍ରିକ ସଂସ୍କୃତିସଂପନ୍ନ ବିବିଧତାରେ ଏକତାର ଆବାହନୀ ମନ୍ତ୍ର ସୃଷ୍ଟି କରିଥିବା ରାଷ୍ଟ୍ରଟିଏ ଥିଲା ଭାରତ  । ଭାରତ ପରାଧୀନତାର ଶିକାର ପରେ ଏହି ଗ୍ରାମାଞ୍ଚଳରୁ ହିଁ ଉଠିଥିଲା ସ୍ବଧିନତାର ସ୍ବର । ବହୁ ପାଇକ ଏଥିପାଇଁ ବଳୀ ଦେଇଛନ୍ତି। ଧର୍ମ ପରାୟଣ ଓ ଇଶ୍ବର ବିଶ୍ବାସୀ ଭାରତର ଗ୍ରାମାଞ୍ଚଳରେ ଥିଲା ଭାଗବତ ଘର , ରାଜା ମାନେ ଥିଲେ ସାହିତ୍ୟ ପ୍ରେମୀ । ରାଜ ଦରବାରରେ ବହୁ ପଣ୍ଡିତ ତଥା କବିଙ୍କ କବିତା ଚର୍ଚ୍ଚା ହେଉଥିଲା ସେଥିରେ ସାଧରଣ ଜନଜୀବନଙ୍କ କଥା ପହଞ୍ଚି ପାରୁଥିଲା ଏବଂ ତାହା ସମାଧାନ ହେଉଥିଲା । ନ୍ୟାୟ ବ୍ୟବସ୍ଥାରେ ଗାଁର ବଳିଷ୍ଠ ଭୂମିକା ଥିଲା । ଭାଇଚାରା ଥିଲା  । ସଂସ୍କୃତି ଓ ପରମ୍ପରା ପ୍ରତି ଆଦର ଥିଲା। 

         ସ୍ବାଧୀନତା ପରେ ଗ୍ରାମୀଣ ଜୀବନ ବହୁମାତ୍ରାରେ ଉନ୍ନତ ଓ ପ୍ରତିଟି କ୍ଷେତ୍ରରେ ବିକଶିତ ହୋଇପାରିଛି ବୋଲି ଶାସକ କହୁଥିଲେ ମଧ୍ୟ ଏଥିରେ ବାସ୍ତବତା ନାହିଁ  l ପ୍ରାକ ସ୍ୱାଧୀନତା ଭାରତର ଗ୍ରାମ୍ୟ ଜୀବନ ଓ ସ୍ୱାଧୀନତା ପରବର୍ତ୍ତୀ ଗ୍ରାମ୍ୟ ଜୀବନ ମଧ୍ୟରେ ରହିଛି ଅନେକ ପରିବର୍ତ୍ତନ l କ୍ଷୁର୍ଣ୍ଣ ହେଇଛି ସଂସ୍କୃତି ପରମ୍ପରା । ପାଶ୍ଚାତ୍ୟ ସ୍ବର୍ଶରେ ଗ୍ରାମୀଣ ସଂସ୍କୃତି ପ୍ରାୟ ନଷ୍ଟ  । କୂଳ ବେଉସା ଧିରେ ଧିରେ ହଜୁଛି । ସାହିତ୍ୟ କ୍ଷେତ୍ରରେ ମାନପତ୍ର ପାଇଁ  ବର୍ତ୍ତମାନ ଅର୍ଥ କାରବାର ହେଉଛି  । କୃଷକ ପ୍ରତି ଅବହେଳା ଏବେ ଚରମ ସୀମାକୁ ଗଲାଣି । ଲକ୍ଷ୍ୟାଧିକ ଟଙ୍କାର ବୈଷୟିକ ଉପକରଣ ଥିବା ବ୍ୟକ୍ତି ଚାଷି ବୋଲାଉଚି  । ଭାଗଚାଷି ତାର ଉପଯୁକ୍ତ ପ୍ରାପ୍ୟ ପାଇ ପାରୁନି । ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ଏବେବି ଅପହଞ୍ଚ । ପ୍ରତିଶ୍ରୁତିରେ ଚାଲିଛି ସବୁ ବ୍ୟବସ୍ଥା । ଭାରତ ଏକ ଗ୍ରାମବହୁଳ ଦେଶ l ଗ୍ରାମ ସମୂହର ବିକାଶ ଉପରେ ନିର୍ଭର କରେ ଦେଶର ବିକାଶ।ସ୍ୱାଧୀନତା ପରବର୍ତ୍ତୀ ଭାରତର ଗ୍ରାମ୍ୟ ଜୀବନରେ କିଛି ମାତ୍ରାରେ  କେବଳ ହଟିଚି  ସେଦିନରେ  ଅନ୍ଧବିଶ୍ୱାସ ଓ କୁସଂସ୍କାର । ଶୋଷଣର ଭୟାବହତା ଆଜିବି ଜୀବିତ ଗ୍ରାମ୍ୟ ଜୀବନରେ ।
        
      ଅଧିକନ୍ତୁ ସ୍ୱାଧୀନତ୍ତୋର ଗ୍ରାମ୍ୟ ଜୀବନ ପ୍ରତିଟି କ୍ଷେତ୍ରରେ ବିକଶିତ ବୋଲି କୁହାଯାଉଥିଲେ ମଧ୍ୟ ତାହା ବାସ୍ତବଧର୍ମୀ ନୁହେଁ l କୃଷି, ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,  ପରିବହନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା  ଆଦି କ୍ଷେତ୍ରରେ ଆଶାନୁରୂପ ଉନ୍ନତ ପରିଲକ୍ଷିତ ହୋଇପାରି ନାହିଁ  l ସ୍ୱାଧୀନତା  ପରବର୍ତ୍ତୀ ଗ୍ରାମ୍ୟ ଜୀବନ, ଗାନ୍ଧିଜୀଙ୍କ ସ୍ବରାଜ ଆଜି ସ୍ୱପ୍ନାତୀତ l 

    ଅତଏବ ଭାରତର ଗ୍ରାମୀଣ ସଂସ୍କୃତିର ଐତିହ୍ୟ, ପରମ୍ପରା କ୍ଷୁର୍ଣ୍ଣ ହେବାରେ ଲାଗିଛି l ଦେଶର ବିଭାଜନ ଏବଂ ରାଜ୍ୟର ମଧ୍ୟ ବିଭାଜନ ହେଇଛି । ସିଂହଭୂମୀ, ଖରସୁଆଁ, ଷଢେଇକଳା ଆଜି ବିଛିନ୍ନ ଓଡିଶାରୁ  । ଆଧୁନିକ ସଭ୍ୟତା ସହରାଭିମୁଖୀ । ସ୍ବାଭିମାନ ଆଜି ବନ୍ଧା ପଡିଯାଉଛି   ଶାସକର ମଦମାଂସ ଆସରରେ ଯାହାକି ପୂର୍ବେ ନଥିଲା । 

   ସର୍ବୋପରି ସ୍ବାଧୀନତା ଆମେ ପାଇଚେ କିନ୍ତୁ  ହରେଇ ଚାଲିଛେ ଆମ ସଂସ୍କାର ,ସଂସ୍କୃତି , ଶିକ୍ଷା ବ୍ୟବସ୍ଥାକୁ । ବେଳୁ ଯତ୍ନବାନ ନହେଲେ ଭାରତୀୟ ପରମ୍ପରାର ଜନ୍ମଭୂମି ଗ୍ରାମ ପାଶ୍ଚାତ୍ୟର କରାଗାରରେ ପୁଣି ପରାଧିନତା ବରଣ କରିବ  । 
      -------×------- 
ବେଗୁନିଆପଡା ବ୍ଳକ୍, ତିରିଡ଼ା , ଗଞ୍ଜାମ ।
    7984259080

Thursday, August 27, 2020

⭕ ଆୟୁଷକୁ ମୋର ଫେଡ଼ ⭕

ଦଣ୍ତେ ନିମିଷେବି ପିଣ୍ତେ ଥିଲେ ପ୍ରାଣ
     ନ ନିଅ କି ଜନ୍ତୁରାଣ ?
ମୋ ଦୁଃଖ ଦାରୁଣ ଆହେ ଆର୍ତ୍ତତ୍ରାଣ
       ରଖ ତୁମ ବଡପଣ
ପ୍ରାଣ ବାୟୁ ପିଣ୍ତୁ ନେଇଯାଅ ପ୍ରଭୁ
       ସବୁ ଏଠି ମିଛ ମାୟା
ସଂସାର ଜଞ୍ଜାଳୁ ମୁକତି ଦିଅହେ
     ବିଭୁ ବାରେ କର ଦୟା
ଜଞ୍ଜାଳ ବୋଝକୁ କାନ୍ଧରେ କାନ୍ଧେଇ
      ଆଜି ମୁଁ ଥକା ବାଟେଇ
ଅଭଙ୍ଗା ନିଦରେ ଶୋଇ ଦିଅ ସ୍ଥିରେ
      ଶେଷ ଅଳି ପ୍ରଭୁ ଏଇ
କାଳର କରାଳେ କରିଦିଅ ଲୀନ
      ଅସହ୍ୟ ଜଞ୍ଜାଳ ଜ୍ୱାଳା
ଗହୀର ଗର୍ଭରେ ଜଗଦ୍ଦୀଶ ହରେ
      ବୁଡ ମୋ ଜୀବନ ଭେଳା
ଜନ୍ମ କଲା ସୁତ ହୃଦେ ଭରେ କ୍ଷତ
     ବ୍ୟସ୍ତତା ଆଳ ଦେଖେଇ
ବୋହୂ କଥା ଛାଡ ପବନର ମୋଡ
      ତାକୁ ଦୋଷ ଦେବି ନାଇଁ
ଦାନ ପ୍ରତିଦାନେ ବୟସ ଅପରାହ୍ନେ
       ପ୍ରତାରଣା କୁଢ କୁଢ
ବାର୍ଦ୍ଧକ୍ୟ ପୂର୍ବରୁ ସେଥିଲାଗି ସଖା
      ଆୟୁଷକୁ ମୋର ଫେଡ
               ଦାଶରଥି ସାହୁ
                     କଳମ୍ବ/ଗଞ୍ଜାମ

Wednesday, August 26, 2020

● ~: ସ୍ବର୍ଣ୍ଣାକ୍ଷରେ ସମର୍ପଣ :~ ●

         ~: ସ୍ବର୍ଣ୍ଣାକ୍ଷରେ ସମର୍ପଣ :~
           ~~~~~୦~~~~~
କୁହୁକ ଦ୍ୱୀପକୁ  ନୁହଁ ଆମ ଯାତ୍ରା
     ଲକ୍ଷ୍ଯ କି ଲବଙ୍ଗଦ୍ବୀପ ?
କବିତାର କାଶତଣ୍ତୀ ଫୁଟାଉଛୁ
     ଅଷ୍ଟ ଅଧମଙ୍କ ଛାପ
ଶିଖି ଶିଖେଇବା ଶବ୍ଦେ ଶବ୍ଦେ ଶୋଭା
       ଚାହୁଁନା ହେବୁ ବରେଣ୍ଯ
କଲମ ମୁନରୁ  ଅବିରତ ଝରୁ
      କବିତା ଅଭୟାରଣ୍ଯ
ନିଖୁଣେ ନିର୍ମାଣ ଆମ ସମର୍ପଣ
     ହେଉ ଅଜର ଅମର
ବଜାୟ ରହୁ ଏ' ବିଜୟର ଯାତ୍ରା
      ବନ୍ଧନ ଏ ଏକତାର
ଏ ମିଳନପର୍ବ  ଲାଗେ ହାତେ ନଭ
       ସ୍ନେହ ଶ୍ରଦ୍ଧା ସଦିଚ୍ଛାର
ଏକତାରେ ଗୁନ୍ଥା ଆମ ଆତ୍ମିୟତା
         ସମର୍ପଣ ପରିବାର
ସନ୍ତୋଷେ ସନ୍ତୋଷ ସମର୍ପଣେ ଯଶ
       ସସମ୍ମାନେ ସମ୍ପାଦକ
ରାମଚନ୍ଦ୍ର ଭାଇ ଭାଷାକୁ ଭିଆଇ
         ରବିନ୍ଦ୍ର ମିଠା ମହକ
ରାଧେ,ଜଗବନ୍ଧୁ ଶବ୍ଦେ ସଜା ସିନ୍ଧୁ
        ପ୍ରବୀରବି ପାରଙ୍ଗମ
ଟୁକୁନାଙ୍କ ଲେଖା ବାର୍ତ୍ତାବହେ ମଖା
         ଦାଶରଥିଟି ଅଧମ
ଦିଅ ଶୁଭାଶିଷ ପ୍ରଚାର ପ୍ରୟାସ
        ପ୍ରତି କ୍ଷଣ ଅନୁକ୍ଷଣ
ନଥିଲେବି ଆମେ ଥାଉ ଲେଖା ଶ୍ରମେ
         ସ୍ବର୍ଣ୍ଣାକ୍ଷରେ ସମର୍ପଣ

                 ଦାଶରଥି ସାହୁ
                       କଳମ୍ବ/ଗଞ୍ଜାମ

⭕ ମାଆ ଏକା ମହାରଥୀ ⭕

            ~:ମାାଆ ଏକା ମହାରଥୀ :~
               ~~~~~୦~~~~~

ସଂସାର ପ୍ରାଙ୍ଗଣେ ଜୀବନର ରଣେ
    ମାଆ ଏକା ମହାରଥି
ସାତ ସିଂହ ବଳ ତା'ପଣତ ତଳ
      ସାହାସେ ଶକ୍ତ ସାରଥି
ମାଟିଠୁ ଆକାଶ ମା ଚିର-ନମସ୍ଯ
       ଯୁଗେ ଯୁଗେ ବନ୍ଦନୀୟା
ନାହିଁତା ବିକଳ୍ପ ନିଃସ୍ବାର୍ଥେ ସଂକଳ୍ପ
      ଅଯାଚିତା ଅଦ୍ବିତୀୟା
ସ୍ରଷ୍ଟାଙ୍କର ସୃଷ୍ଟି ସ୍ନେହ,ଶ୍ରଦ୍ଧା ବୃଷ୍ଟି
       ମାଆ ମମତା ମାଧ୍ଯମ
ବାତ୍ସଲ୍ଯରେ ଭରା ତ୍ଯାଗର ପସରା
        ବନ୍ଧନେ ନାହିଁ ବିରାମ
ମାଆ ମିଠା ଶବ୍ଦ ଶାଶ୍ବତର ସ୍ବାଦ
        ଗତି ମୁକ୍ତିଦାୟୀ ଗଙ୍ଗା
ଶାନ୍ତି,ଦୟା,କ୍ଷମା, ପ୍ରେମେ ଚୁକ୍ତିନାମା
        ତିକ୍ତତା ଶୂନ୍ଯ ତ୍ରୀରଙ୍ଗା
ମନ ମହାକାଶ ବିଶ୍ୱାସରେ ବିଶ୍ୱ
       ଅବର୍ଣ୍ଣନୀୟାଟେ ମାଆ
ଅଭୟ ଆବୋରେ ଜନ୍ମେ ଅନ୍ତଃ ଚିରେ
       ଅହିଂସାରେ ଗଢା ହିଆ
ଅନ୍ତରୁ ଜଣାଣ ଆହେ ଆର୍ତ୍ତତ୍ରାଣ
      ଜନ୍ମୁଥିବି ୟାଙ୍କ କୋଳେ
ଯେତେ ଜନ୍ମ ଯାଏଁ ମନୁଷ୍ଯତାଦ୍ଧାୟେ
         ମାଆ ପୁଅ ମହୀତଳେ

                ଦାଶରଥି ସାହୁ 
                       କଳମ୍ବ/ଗଞ୍ଜାମ

● ଆକାଶ ଆଖିରେ ଲୁହ ●

              ଆକାଶ ଆଖିରେ ଲୁହ 
                ~~~~୦~~~~
ମୌସୁମୀ ବାଦଲ ଧକ୍କା ହେଲା ପରେ ମେଘ ହୋଇଥାଏ ବୃଷ୍ଟି
ବେପରୁଆ ବୃଷ୍ଟି ଛିଟାର ପରଶେ ମନଖୋଲି ହସେ ମାଟି
ମାଟିର ମଲାଟେ ସବୁଜ ବନାନୀ ପ୍ରକୃତି ରାଣୀର ବେଶ
ସର୍ବାଙ୍ଗେ ଶିହରେ ସୁଖ ସାଙ୍କେତିକ ସମାପନ ଅବଶୋଷ  ।।

ଅବଶୋଷେ ଭରା ଅନ୍ତର୍ଦାହ ଯେତେ ଅମଡା ବାଟେ ବାଟୋଇ
ଅନାହୁତ ଶଙ୍କା ଅପସରି ଗଲା ମେଘ ମହ୍ଲାରକୁ ଭେଟେଇ
ଭେଟିଲା ମଳୟ ଏ କ୍ଲାନ୍ତ ହୃଦୟ ନିଦାଘ ଗଲା ନରମି
ପ୍ରକୃତି ଗାଲିଚା ଫୁଲେ ଫୁଲେ ଭରା ଶ୍ରାବଣର ଶିରୀ ଚୁମି  ।।

ପୁଚ୍ଛକୁ ମେଲେଇ ପିକ ଥେଇ ଥେଇ ବରଷାର ତାଳେ ତାଳେ
ମେଘ ଓ ମାଟିର ଅପୂର୍ବ ମିଳନେ ପ୍ରେମର ରାଗିଣୀ ତୋଳେ
ଅଣ୍ଟାରେ ଗାମୁଛା ଭିଡ଼ି ଚାଷୀ ପୁଅ କାଳିଆ କଷରା ଧରି
ମାଟିର ଛାତିରେ ସୁନା ଫଳେଇବ ଆହାର ଦେବଟି ଭରି  ।।

ସମସ୍ତଙ୍କୁ ଦିଏ ସୁଖର ସମ୍ଭାର ଦାନ ତା' ଅବର୍ଣ୍ଣନୀୟ
କିଏ ବୁଝେ ଏଠି ଏଇ ଛିଟା ପାଣି ଆକାଶ ଆଖିର ଲୁହ  ।।

                              ଦାଶରଥି ସାହୁ
                                      କଳମ୍ବ/ଗଞ୍ଜାମ

● ହେ ଜଗନ୍ନାଥ ●

ଧନ୍ଯରେ ଭକତ ନିତ୍ୟ ପ୍ରଶଂସିତ
     ଭକ୍ତି ଭାବ ଅନାବିଳ
 ସମ୍ପର୍କର ଡୋର ପୂଜା ଓ ଫୁଲର
       ସଙ୍ଗୀତରେ ଲୟ ତାଳ
 ନୁହଁ ଚାକ ଚକ୍ୟେ କାୟ ମନ ବାକ୍ୟେ
       ଅରଜୁଛ ଶ୍ରେଷ୍ଠ ସ୍ଥାନ
କାଳର କରାଳେ ସମସ୍ୟା ବହୁଳେ 
        ପ୍ରଭୁ ଯେ ବିରାଜମାନ
ବିଶ୍ୱ ବିପତ୍ତିରେ ଅଥୟ ଅଧିରେ
     ପ୍ରଭୁଙ୍କର ଘୋଷ ଯାତ
ଭିଆଇଲ ଯାହା ଭରିଗଲା ହିଆ
      ଚରାଚରରେ ଚର୍ଚ୍ଚିତ
ଭକ୍ତ ଭଗବାନ ଭାବରେ ମିଳନ
      ଅଭାବେ ଅମାପ ଦୂର
ଆଜି ଏହି କଥା କଳମ୍ବରେ ଗାଥା
     ଖଡି ରଥରେ ଠାକୁର
ଯେତେ ଉପସ୍ଥିତ ବିଧି ସମାପିତ
       ଠାକୁରଙ୍କ ନୀତିକାନ୍ତି
ସଦା ସ୍ୱର୍ଣ୍ଣାକ୍ଷରେ କଳମ୍ବ ମାଟିରେ
     ପ୍ରଭୁ ପରଶନ୍ତୁ ଶାନ୍ତି
ଏ ଭାବ ବିହ୍ୱଳ ନୂତନ ସକାଳ
      ପୁଲକିତ କରୁ ପ୍ରାଣ
ପୂର୍ବ ଭଳି ହେଉ ଘୁଞ୍ଚୁ ଦୁଃଖ ଦାଉ
      କ୍ରୁର କୋରନା କଷଣ

             ଦାଶରଥି ସାହୁ,  କଳମ୍ବ/ଗଞ୍ଜାମ

● ଖଡ଼ି ରଥରେ ଠାକୁର ●

ଧନ୍ଯରେ ଭକତ ନିତ୍ୟ ପ୍ରଶଂସିତ
     ଭକ୍ତି ଭାବ ଅନାବିଳ
 ସମ୍ପର୍କର ଡୋର ପୂଜା ଓ ଫୁଲର
       ସଙ୍ଗୀତରେ ଲୟ ତାଳ
 ନୁହଁ ଚାକ ଚକ୍ୟେ କାୟ ମନ ବାକ୍ୟେ
       ଅରଜୁଛ ଶ୍ରେଷ୍ଠ ସ୍ଥାନ
କାଳର କରାଳେ ସମସ୍ୟା ବହୁଳେ 
        ପ୍ରଭୁ ଯେ ବିରାଜମାନ
ବିଶ୍ୱ ବିପତ୍ତିରେ ଅଥୟ ଅଧିରେ
     ପ୍ରଭୁଙ୍କର ଘୋଷ ଯାତ
ଭିଆଇଲ ଯାହା ଭରିଗଲା ହିଆ
      ଚରାଚରରେ ଚର୍ଚ୍ଚିତ
ଭକ୍ତ ଭଗବାନ ଭାବରେ ମିଳନ
      ଅଭାବେ ଅମାପ ଦୂର
ଆଜି ଏହି କଥା କଳମ୍ବରେ ଗାଥା
     ଖଡି ରଥରେ ଠାକୁର
ଯେତେ ଉପସ୍ଥିତ ବିଧି ସମାପିତ
       ଠାକୁରଙ୍କ ନୀତିକାନ୍ତି
ସଦା ସ୍ୱର୍ଣ୍ଣାକ୍ଷରେ କଳମ୍ବ ମାଟିରେ
     ପ୍ରଭୁ ପରଶନ୍ତୁ ଶାନ୍ତି
ଏ ଭାବ ବିହ୍ୱଳ ନୂତନ ସକାଳ
      ପୁଲକିତ କରୁ ପ୍ରାଣ
ପୂର୍ବ ଭଳି ହେଉ ଘୁଞ୍ଚୁ ଦୁଃଖ ଦାଉ
      କ୍ରୁର କୋରନା କଷଣ

             ଦାଶରଥି ସାହୁ , କଳମ୍ବ/ଗଞ୍ଜାମ

❣⚘ ଶୁଭ ପରିଣୟ ⚘❣

 
          ଶୁଭ ପରିଣୟ
       ~~~~0~~~~
ଶୁଭବାର ଆଜ   ଶୁଭ ଲଗ୍ନେ ଧାର୍ଯ୍ୟ
      ଶାଶ୍ୱତେ ଶୁଭବିବାହ 
କରୁଣାମୟଙ୍କ    କରୁଣା ବାରିରେ
    ଜୀବନଟା ହେଉ ସୁଖମୟ 
    ରହିଥାଉ ଗୁରୁଜନଙ୍କ ଲୟ
ଏହି ଆଶୀର୍ବାଦ   ଢ଼ାଳ ମଥାପରେ   
  ଇଚ୍ଛୁଛୁ ଧିରେଶ-ମିନାକ୍ଷୀ ଦ୍ବୟ 

ମଧୁ ବସନ୍ତର        ମଧୁର ବାସରେ
      ଓଠରେ ଭରୁ ମଧୁର ହସ  
ମଧୁଚନ୍ଦ୍ରିକାର         ମଧୁ ଲଗନରେ 
     ମନକୁ ମୋହୁ ମଧୁର ବାସ 
   ପ୍ରତି ଶ୍ବାସେ ରହୁ ପ୍ରେମର ରସ
ମଧୁଯାମିନୀର       ମଧୁରାଗିଣୀରେ
     ହୃଦୟେ ନପସୁ  ବିରସ ରସ

ସୁଖ ସୌଭାଗ୍ଯର   କାମନାକୁ ନେଇ 
      ବିନତି ଆମରି ଶ୍ରଦ୍ଧା ସୁମନ  
ପତି ଭାବ ରହୁ    ପତ୍ନୀ ହୃଦେ ନିତ୍ୟ
    ପତ୍ନୀ ମନେ ଥାଉ ପ୍ରୀତି ଚନ୍ଦନ
     ବାରବାର ଆସୁ ଏ' ଶୁଭଦିନ 
ସମର୍ପିତ ହେଉ       ଦୁଇ ମନ ଆତ୍ମା  
   ଅତୁଟ ରହୁ ଏ' ପ୍ରେମ ବନ୍ଧନ

ମାତା ପିତା ସାଥେ     ବନ୍ଧୁ ପରିଜନ
    ଆନ ଯେତେକ ଅଛ ଗୁରୁଜନ
ସଭିଙ୍କ ଆଶିଷ       ବରଷା ବାରିରେ
    ଭିଜୁ ଧିରେଶ-ମିନାକ୍ଷୀ ଜୀବନ
   ସାନ ଯେତେ ସବୁ ଶ୍ରଦ୍ଧା ଭାଜନ
କୃପା ବରଷାନ୍ତୁ     ଲକ୍ଷ୍ମୀ ଶିରୋମଣୀ 
  ଅଭୁଲା ହେଉ ଏ' ସୁଖଦ ଦିନ 

              ଦାଶରଥି ସାହୁ
                    କଳମ୍ବ/ଗଞ୍ଜାମ

● ସଦା ହୁଅ ବନ୍ଧୁ ନମ୍ର ●

ଫୁଲ ଫୁଲେଇଟି କେତେ ପୂଣ୍ୟ ନେଇ
       ଝୁଲୁଥାଏ ପ୍ରଭୁ ଗଳେ
ବାସି ହେଲା ପରେ ବେସାହାରା ହୁଏ
       ଜାଗା ତା' ନର୍ଦ୍ଦମା ନାଳେ

ଦେଉଳ ବେଢାରେ ଦୀପରେ ସଳିତା
        ଜଳେ ମଙ୍ଗଳ ମନାସୀ
ଜଳିଗଲା ପରେ ନୁଖୁରା ହୋଇଲେ
      ମାଟିରେ ଯାଏ ସେ ମିଶି

ଆଜୀବନ ଯାଏଁ କେହି ନୁହଁ ଏଠି
        ଗୌରବର ଅଧିକାରୀ
ଗୌରବଟି କାଳେ ଗର୍ବ ହେବ ବୋଲି
             କରନ୍ତି ଅଦରକାରି

ହେ ମୋର ପାଠକ ଏ ଲେଖାର ତତ୍ତ୍ୱ
         ଗଢନାହିଁ ଗର୍ବ ଗଡ
ଯେଉଁ କ୍ଷେତ୍ରେ ତୁମେ ଯେତେବି ଅଗ୍ରଣୀ
           ତୁମଠୁ ଅଛିକେ ବଡ

ସଦା ହୁଅ ନମ୍ର ଢାଳ ସ୍ନେହ ପ୍ରେମ
      ଜୀବନ ଅଢେଇ ଦିନ
ହସି ହସାଉଥ ଉଭେଇବ କ୍ଷତ
       ସାହା ହେବେ ଭଗବାନ

             ଦାଶରଥି ସାହୁ
                  କଳମ୍ବ/ଗଞ୍ଜାମ

● ବନ୍ଧୁତା ହେଉ ଅତୁଟ ●

ତୁମେ ବନ୍ଧୁ ପଣେ ମମତା ମହଣେ
    ସେନେହର ସରୁ ନଈ
ନିଦାଘେ ଶ୍ରାବଣ ପ୍ରେମ ଫୁଲ ବଣ
    ଗ୍ଲାନି ଦିଅ ଉଲୁରେଇ.....

କୋଟି ପୂଣ୍ୟ ବଳେ ସମ୍ପର୍କର ଆଳେ
      ସଖା ତୁମେ ସୁଖେ ଦୁଃଖେ
ପ୍ରୀତି ପରିତ୍ୟକ୍ତ  ପୃଥୀବୀ ପୃଷ୍ଠରୁ
     ପୁଳାଏ ପ୍ରୀତି ପରଖେ .....

ଥିଲି ଏକା ଏକା ଦଦରା ନଉକା
     ମନ ଥିଲା ମଲା ନଈ
ଦରଦୀ ଦରିଆ ଭିଜେଇଲ ହିଆ
      ଆଶ୍ୱାସନା ସିଞ୍ଚି ଦେଇ ....

ନିଃସଙ୍ଗ ଜୀବନେ ତୁମ ଆଗମନେ
       ଫୁଲ ଫଗୁଣର ହାଟ
ଯିବ ନାହିଁ ଛାଡି କେବେ କେଉଁ ଘଡି
        ବନ୍ଧୁତା ହେଉ ଅତୁଟ ......


                 ଦାଶରଥି ସାହୁ , କଳମ୍ବ/ଗଞ୍ଜାମ ।

● ଗଞ୍ଜାମେ କୋକୁଆ ଭୟ ●

ଥରିଯାଏ ଛାତି ଅପ୍ରଯ୍ୟାପ୍ତ କ୍ଷତି
    ଗଞ୍ଜାମେ କୋକୁଆ ଭୟ
ଥମିଯା କୋରନା ଆହା ସନ୍ତାପନା
      ଧ୍ୱଂସ ବିଭୀସିକାମୟ
ନୀରବି ଯାଆରେ ଅନୁତପ୍ତ ନୀରେ
       ବାହୁନଇ ଏକବିଂଶ
ଲାଗୁଛି ଯେମିତି ଏ ମଣିଷ ଜାତି
     ନିମିଷକେ ନିଶ୍ଚେ ନିଃସ୍ବ
ସନ୍ତୁଳିତ ସ୍ଥିର କଥା ବେଦ ଗାର
      ଭାରସାମ୍ୟ ପ୍ରକୃତିର
ଫେରିଯା ସଅଳ କାଳର କରାଳ
       ହସୁ ସୃଷ୍ଟି ସ୍ରଷ୍ଟାଙ୍କର
ଜୀବନ ଜୀବିକା ଦଦରା ନଉକା
    ଭୋକ ଭେକ ଆଜି ଏକ
ଆତ୍ମିୟ ବିୟୋଗ ବିରହରେ ବର୍ଗ
       ଛାଇଛି ଛନକା ଶୋକ
ସର୍ବେ ସ-ଗୌରବେ ଲଢନ୍ତି ଲଢିବେ
     ତଥାପିରେ ରକ୍ତ ମାଂସୀ
ନ ନେଇ ମେଲାଣି ଫେରିଯାଅ ପୁଣି
     ପର ବିଦେଶ ପ୍ରେୟସୀ
          ---------×--------
             ଦାଶରଥି ସାହୁ
                   କଳମ୍ବ/ଗଞ୍ଜାମ

🌺 ଆମ ପରମ୍ପରା ନୂଆଁଖାଇ 🌺

   ଆମ ଉତ୍କଳୀୟ ପରମ୍ପରାରେ ନୂଆଁଖାଇ
  ~~~~~~~୦~~~~~~~~
ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ ।ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।

 ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରାଯାଉଥିଲା । ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ,  ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । 

       ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି ।

           ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି ।

       ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
        ପଶ୍ଚିମଓଡିଶାକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରେ କେବଳ ପୂଜାରେ ସୀମିତ ଏଇ ନୂଆଁଖାଇ । 

    ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

Tuesday, August 25, 2020

🌺 ଅତିବଡ଼ୀ ଜଗନ୍ନାଥ ଦାସ 🌺

🌺 ‘ଅତିବଡ଼ୀ’ ଜଗନ୍ନାଥ ଦାସ 🌺


   ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର କବି ‘ଅତିବଡ଼ୀ’ ଜଗନ୍ନାଥ ଦାସ ଥିଲେ ପଣ୍ତିତ ଓ ଆଧ୍ୟାତ୍ମିକ ପୁରୁଷ। ସେ ଓଡ଼ିଆ ଜାତିର ଜୀବନବେଦ ‘ଭାଗବତ’ର ସ୍ରଷ୍ଟା। ତାଙ୍କ ଭାଗବତ, ସ˚ସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ। ଡ. ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଜଗନ୍ନାଥ ଦାସଙ୍କ ଭାଗବତ, ମୂଳ ଭାଗବତଠାରୁ ଭିନ୍ନ। ସେ ସମକାଳୀନ ସାମାଜିକ ଅବସ୍ଥାକୁ ଦୃଷ୍ଟିରେ ରଖି ଭାଗବତ ରଚନା କରିଥିଲେ। ମୂଳ ଭାଗବତରେ ଯେଉଁଠି ସାମାଜିକ ମୂଲ୍ୟବୋଧ ନ ଥିବା ଅନୁଭବ କରିଥିଲେ, ସେହି ଅ˚ଶ ସେ ପରିହାର କରିଥିଲେ। ସମାଜର ଉପକାର ପାଇଁ ସେ ଭାଗବତ ରଚନା କରିଥିଲେ। ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ ସେ ଲେଖିଥିଲେ। ଦ୍ବାଦଶ ଓ ତ୍ରୟୋଦଶ ସ୍କନ୍ଧ ରଚନା କରିଥିଲେ ଯଥାକ୍ରମେ ମହାଦେବ ଦାସ ଏବ˚ ଦ୍ବାରିକା ଦାସ। ଏହି ଭାଗବତର ଅଧ୍ୟାୟ ସ˚ଖ୍ୟା ତିନି ଶହ ବୟାଳିଶ। କଥିତ ଅଛି ଜଗନ୍ନାଥ ଦାସଙ୍କ ମାତା ପୁରାଣ ଶୁଣିବା ପାଇଁ ଥରେ ମନ୍ଦିରକୁ ଯାଇଥିଲେ। ମାତ୍ର ଦକ୍ଷିଣା ଦେବାକୁ ସକ୍ଷମ ନ ଥିବାରୁ ପୁରାଣପଣ୍ତା ଶୁଣାଇବାକୁ ମନାକରିଦେଇଥିଲେ। ମନ ଦୁଃଖରେ ଘରକୁ ଫେରି ପୁତ୍ରଙ୍କୁ ଓଡ଼ିଆରେ ଭାଗବତ ରଚନା ପାଇଁ ଉପଦେଶ ଦେଇଥିଲେ। ପୁଣି, ଏଥି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କୁ ନିର୍ଦେଶ ଦେଇଥିବା ରାମଦାସଙ୍କ ‘ଦାର୍ଢ଼୍ୟତାଭକ୍ତି ରସାମୃତ’ରେ ଉଲ୍ଲେଖିତ। ପ୍ରଭୁ ସ୍ବପ୍ନରେ କହିଥିଲେ- ‘ଭୟ ନ କର ତୁମ୍ଭେ କିଛି, ଗୀତ ତୁ କର ମୁହିଁ ଅଛି।’

ରାଧାଷ୍ଟମୀ(ଅର୍ଥାତ୍‌, ଆଜିର ତିଥିରେ)ରେ ପୁରୀ ନିକଟବର୍ତ୍ତୀ କପିଳେଶ୍ବରପୁରରେ ସେ ଜନ୍ମ ହୋଇଥିଲେ। ଜନ୍ମ ବର୍ଷ ଠିକ୍‌ ଭାବେ ଜଣାଯାଏନାହିଁ; ଏକାଧିକ ମତ ରହିଛି। କେହି ୧୪୮୭ କହୁଥିବା ବେଳେ କେହି ୧୪୯୦, ପୁଣି କେହି ୧୪୯୧ ମତ ଦିଅନ୍ତି। ତାଙ୍କ ମାତାଙ୍କ ନାମ ଥିଲା ପଦ୍ମାବତୀ ଦେବୀ ଓ ପିତାଙ୍କ ନାମ ଭଗବାନ ଦାସ। କୌଶିକୀ ଗୋତ୍ରରେ ବ୍ରାହ୍ମଣ କୁଳରେ ଜନ୍ମିତ ଜଗନ୍ନାଥଙ୍କ ପିତା, ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଦ୍ବାରା ‘ପୁରାଣ ପଣ୍ତା’ ଉପାଧି ପାଇଥିଲେ। ଜଗନ୍ନାଥ ଦାସ ଅତି କମ୍‌ ବୟସରେ ବିଭିନ୍ନ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ। ଊଣେଇଶ ବର୍ଷ ବୟସରେ ଶ୍ରୀକ୍ଷେତ୍ର ଆସି, ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ।

ଜଗନ୍ନାଥ, ଚୈତନ୍ୟଦେବଙ୍କ ସାମସମୟିକ। କଳ୍ପ ବଟ ମୂଳରେ ଦୁହିଁଙ୍କର ପ୍ରଥମ ସାକ୍ଷାତ୍‌ ହୋଇଥିଲା। ତାଙ୍କୁ ‘ବ୍ରହ୍ମ ସ୍ତୁତି’ ଗାନ କରୁଥିବା ଦେଖି, ଚୈତନ୍ୟଦେବ ଆକର୍ଷିତ ହୋଇଥିଲେ। ଦୁହିଁଙ୍କ ଭିତରେ ଆଜୀବନ ଆଧ୍ୟାତ୍ମିକ ସ୍ତରର ଅନ୍ତରଙ୍ଗ ସଂପର୍କ ସ୍ଥାପିତ ହୋଇଥିଲା। ଶ୍ରୀ ଚୈତନ୍ୟ, ତାଙ୍କୁ ନିତ୍ୟ ସହଚର ଭାବେ ଗ୍ରହଣ କରିଥିଲେ। ଶ୍ରୀ ଚୈତନ୍ୟ ହିଁ ତାଙ୍କୁ ‘ଅତିବଡ଼ୀ’ ଉପାଧି ଦେଇଥିଲେ। ଜଗନ୍ନାଥ ଆଧ୍ୟାତ୍ମିକତାର ଶୀର୍ଷରେ ଥିଲେ। ପୁରୁଷ ଓ ସ୍ତ୍ରୀ ମଧ୍ୟରେ ପ୍ରଭେଦ ଦେଖିପାରୁ ନ ଥିଲେ। ସେ ‘ବଡ଼ ଓଡ଼ିଆ ମଠ’ ଓ ‘ସାତ ଲହଡ଼ି ମଠ’ର ପ୍ରତିଷ୍ଠାତା।

ଓଡ଼ିଆ ଭାଷା-ସାହିତ୍ୟର ପ୍ରଚାର-ପ୍ରସାରରେ ‘ଓଡ଼ିଆ ଭାଗବତ’ର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ‘ଅତିବଡ଼ୀ’ଙ୍କ ଜୀବନ କାଳରେ ପ୍ରସିଦ୍ଧ ହୋଇଥିଲା ଏବ˚ ସାମାଜିକ-ଧାର୍ମିକ-ସା˚ସ୍କୃତିକ ପ୍ରତିଷ୍ଠା ଲାଭକରିଥିଲା। ଏବେ ବି ଓଡ଼ିଶାର ଘରେ ଘରେ ଏହା ପୂଜା ପାଉଛି। ‘ଓଡ଼ିଆ ଭାଗବତ’ ଓଡ଼ିଆ ଜାତିର ପ୍ରାଣ। ଏକଦା ଗ୍ରାମମାନଙ୍କରେ ଥିବା ‘ଭାଗବତ ଟୁଙ୍ଗି’ରେ ଏହା ରହୁଥିଲା। ସନ୍ଧ୍ୟାରେ ଗ୍ରାମବାସୀ ଏକତ୍ର ବସି ଭାଗବତ ଶୁଣୁଥିଲେ। ଏହା ବାର ଖଣ୍ତରେ ବିଭକ୍ତ, ପ୍ରତି ଖଣ୍ତରେ ଦଶରୁ-ତିରିଶଟି ଅଧ୍ୟାୟ ଏବ˚ ପ୍ରତି ଅଧ୍ୟାୟରେ ପଚାଶରୁ ତିନି ଶହ ପଦ। ଗଣନାଥ ଦାସ, ଏହାକୁ ଇ˚ରେଜୀରେ ଅନୁବାଦ କରିଥିଲେ( ‘ରିଡିଙ୍ଗ୍‌ସ ଫ୍ରମ୍‌ ଭାଗବତ’)। ‘ଗୁପ୍ତ ଭାଗବତ’, ‘ଶୂନ୍ୟ ଭାଗବତ’, ‘ଦାରୁ ବ୍ରହ୍ମ ଗୀତା’, ‘ତୁଳାଭିଣା’, ‘ବ୍ରହ୍ମଗୀତା’, ‘ଭାଗବତ ସାର’, ‘ଅର୍ଥ କୋଇଲି’, ‘ଭକ୍ତି ଚନ୍ଦ୍ରିକା’, ‘କାଳୀ ମାଳିକା’, ‘ନୀଳାଦ୍ରି ବିଳାସ’, ‘ଶ୍ରୀକୃଷ୍ଣ ଭକ୍ତି କଳ୍ପ ଲତା’, ‘ନିତ୍ୟ ଗୁପ୍ତ ଚିନ୍ତାମଣି’ ଆଦି ତାଙ୍କ ଦ୍ବାରା ରଚିତ ଅନ୍ୟ ପ୍ରସିଦ୍ଧ ପୁସ୍ତକ।
   ମାଘ ସପ୍ତମୀରେ ତାଙ୍କର ପରଲୋକ ହୋଇଥିଲା।

ଲେଖିକା: ✍ ସିନ୍ଧୁଜ୍ୟୋତି ତ୍ରିପାଠୀ

Monday, August 24, 2020

⭕ ସାଧୁ ସାବଧାନ ⭕

ସାଧୁ ସାବଧାନ
  ~~~୦~~~       ✍ ଉପେନ୍ଦ୍ର ବସ୍ତିଆ 

ନାରୀକୁ ଚାହିଁବା ମନର କାମନା 
କଥା ପାଇଁ ଇଛାହୁଏ 
କଥାପ୍ରସଙ୍ଗରେ ଆସକ୍ତି ବଢିଲେ 
ମନ ଟିକେ ଛୁଇଁ ଦିଏ ll

ଛୁଇଁବା ମାଦକ ଇଛା ବଢିଗଲେ 
ମନ ପାଖେ ବସିବାକୁ 
ପାଖରେ ବସିବା କାମନା ପୁରିଲେ 
ଇଛା ହୁଏ  ରସିବାକୁ ll

କାମନା ବାସନା ବଡ଼ ହିଁ ଗଭୀର 
ସହଜରେ ନୁହେଁ କଳି  
ଏ କଳିଯୁଗରେ ରେ' ମୂଢ଼ମାନବ 
ସୀମାରୁ ଯାଅନା ବଳି ll

ଏହି ଯେଉଁଖୋଳ ଶରୀର ଧରିଛ 
ତହିଁ ମାୟା  କରାମତି 
ଅଢେଇ ଦିନକୁ ବଡେଇ ନ କରି
ସତ କର୍ମେ ଦିଅ ମତି ll
-----------×------------
           ରାଉଲକେଲା  । 

Sunday, August 23, 2020

⭕ ଆସ ଆସ ଶୁଣ ମୋର ପ୍ରଶ୍ନ ⭕

 ~: ଆସ ଆସ  :~
     ~~~୦~~~

ଚାଲ ତୁମେ ମୁଁ' ଭିତରର
ପାଚେରୀକୁ ଭାଙ୍ଗି
ତୋଳିବା ସୁନ୍ଦର ଦେଶ ,,,
ବନ୍ଦ କରିଦେବି ମୋ 
ଦୀପାବଳୀର ଅର୍ଘ୍ୟ ମୁଁ
ତୁମେ ବକ୍ରୀ ଇଦ୍ ଛାଡି ଆସ .... ।।

ଚାଲ ବଞ୍ଚିବା ନିର୍ଦ୍ୱନ୍ଦରେ
ହୋଇ ମଣିଷ
ମୁଁ ଦେବି ନାହିଁ ଆଉ
ପ୍ରତିମାରେ ଜୀବନ୍ୟାସ
ତୁମେ ଛାଡ଼ିବ କି କୁହ ସେ କ୍ରୁଶ .... !!  ।।

ମିଛୁଆ କାଜି ଫାଦରଙ୍କୁ ଛାଡ଼ ତୁମେ
ମୁଁ ଛାଡି ଦେବି ଭଣ୍ଡ ବାବାଙ୍କ ପାଶ
କୁହ ଧର୍ମ ଲଢେଇରେ 
ଯୋଗ ଦେବ ନାହିଁ
ଗଢିବା କି ଗୋଟେ ସୁନ୍ଦର ଦେଶ... !? ।।

ଗୀତା, କୁରାନ, ବାଇବଲ
ସବୁ ପଢିବା
ନୂତନ ବିଜ୍ଞାନକୁ ଆଶ୍ରା କରି
ଛାଡିବ କି କୁହ
ଧର୍ମୀୟ ରାଜନୀତିର ଫାଶ ,,,, ! ?
ମୁଁ ମନ୍ଦିର ଯିବା ବନ୍ଦ କରିବି
ମସଜିଦ ଗୀର୍ଜାର ତାଲା ବନ୍ଦକରି ତ ଆସ ..... ।।

ବେଘର୍ ଅହମ୍ମଦ ହେଉ
ଅବା ଥାଉ ଆନ୍ଥୋନୀର କ୍ଳେଶ ,,,,
ପରିବର୍ତ୍ତନ କରିବାକୁ ଅଡ଼ି ବସିବାନି କାହାକୁ
ଦଳିତ, କାଫିର ସଭିଙ୍କୁ ଏକ କରି
କରିବା ଏ ନାଟକ ଏଇଠି ଶେଷ .... ।।

ଆରମ୍ଭ କରିବା ଚାଲ ଏ ମସାଲର
 ନୂଆ ଅଭିଯାନ
ଗଢିବା ଅନେକ ବିଚାରଧାରାର
କେବଳ ଗୋଟିଏ ଦେଶ .... ।।

©️ଶ୍ରୀମା  
 ✍ ଶ୍ରୀମା ଶତପଥୀ
             (ଲେଖିକା-ସାମ୍ବାଦିକା)
ସୁନାରୀସାହି, ଛତ୍ରପୁର, ବହ୍ମପୁର , ଗଞ୍ଜାମ ।

● ଭାଗ୍ୟ ଭାଗବତ ●

    ଭାଗ୍ୟ ଭାଗବତ         
 ~~~~୦~~~~   ✍  ସନ୍ତୋଷ ପଟ୍ଟନାୟକ 

ସପନଠୁ ସତ ଦୂରତା ନିଶ୍ଚିତ 
   ହୃଦୟର ସ୍ବର୍ଶ ଅନ୍ତର୍ନିହିତ 
ଭାବଠୁ ଭାବନା କେବେ ଅନାବନା 
        କେବେ ପୁଣି ବହିର୍ଭୂତ 
       ଏଇତ ଜୀବନାମୃତ 
ଭାଗ୍ୟ ଭାଗବତ ହୋଇବ ଆଦୃତ 
    ମନ ଯେବେ ଥିବ ପବିତ୍ର.....୦

କଳ୍ପନା ,ବାସ୍ତବ  ଦୂର ସୁନିଶ୍ଚିତ 
      ତଥାପି ଚିତ୍ତାକର୍ଷକ 
କଳ୍ପନାର ପୁଟେ  ମରୁଭୂମି ପରେ 
      କବି ଗଢ଼େ ସ୍ବର୍ଗ ସୁଖ 
      ଶିଳ୍ପୀ ଚିତ୍ର ଟିକେ ଦେଖ 
ନିର୍ଜୀବ ଛବିରେ  ପୁଲକିତ ପ୍ରାଣ 
     ସତରେ କେଡ଼େ ଚ଼ମକ....୧
      
ମାଟିଠୁ ଆକାଶ  ଦୂରତା ଅବଶ୍ୟ 
         ବିହିର ଭିଆଣ ସତେ  
 ହୃଦୟର ଛାପେ ଦୁହେଁ  ବିହ୍ଵଳିତ
       ସ୍ବର୍ଗେ ହେଉ ବା' ମରତେ 
        ବିଶାଳ ଏ' ଚକ୍ରାବର୍ତ୍ତେ
 ସର୍ଜନାକାରୀଙ୍କ  ସୃଷ୍ଟି ସମ୍ଭାରଟା 
     କେତେ ମନୋହର ସତେ...୨

କୁମୁଦଠୁ ଚାନ୍ଦ  ଶହସ୍ର ଦୂରତ୍ବ
      ତଥାପି ସ୍ବତନ୍ତ୍ର ଭାବ 
କଳ୍ପନା କି' ସତ ଦେଖ ପ୍ରାମାଣିକ 
      ସଞ୍ଜ ୟାଙ୍କ  ସାକ୍ଷୀ ଦବ 
        ଭକ୍ତ ଭଗବାନ ଭାବ
ସନ୍ତୋଷ ହୃଦୟେ ଭାଗ୍ୟ ଭାଗବତ 
     ସତେକି ମୋକ୍ଷ ଆଣିବ... ୩
          ~~~୦~~~
✍  ସନ୍ତୋଷ ପଟ୍ଟନାୟକ ,  । ( 7984259080 )

🌺 ଷଷ୍ଟୀ ପୂଜା ( ଓଷା ) 🌺

      ~: ଷଷ୍ଠୀ ପୂଜା ( ଓଷା ) :~
         
କୁହନ୍ତି "ମା"ମଲା ପିଲାର ସଠି, ପଞ୍ଚୁଆତି କ'ଣ? ଅର୍ଥାତ ମାଆଟିଏ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ସଠି ଦେବୀଙ୍କୁ ପୂଜିଥାଏ ।ମାଆ ସଠିଦେବୀ ପିଲାଟିଏ ଜନ୍ମ ହେଲେ ତା ମଥାରେ ଭାଗ୍ୟଫଳ ଲେଖିଦିଅନ୍ତି ବୋଲି ବିଶ୍ୱାସ ଅଛି।   ତାଙ୍କୁ ସନ୍ତୁଷ୍ଟ କରି ପିଲାଟିକୁ ମାଆ ଘଣ୍ଟ ଘୋଡାଇ ରଖନ୍ତୁ  ,ଏହି କାମନା କରିଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ, ଏହି ଦିନ ମାଆ ମାନେ ପୁଅଝିଅ ମାନଙ୍କ ର ଦୀର୍ଘଜୀବନ ପାଇଁ ସେମାନଙ୍କୁ ବନ୍ଦାପନା କରିଥାନ୍ତି, ନାନା ପ୍ରକାର ସୁସ୍ବାଦୁ ବ୍ୟଂଜନ, ପିଠା ଇତ୍ୟାଦି ଭୋଗ ହୋଇଥାଏ, ସାରୁଗଛ,ଓଲୁଅଗଛv,ବାଉଁଶଡାଳ,ଧାନଗଛ, ବଜ୍ରମୂଳିଗଛ, ଜୁଈଡାଳ,  ଅଁଳାଡାଳକୁ ପୂଜାକରି ପିଲାମାନଙ୍କ ପିଠିରେ ସାତଥର ବାଡେଇଥାନ୍ତି, 
ଏହାର କାରଣ ଏହିସବୁ ଗଛ ଅଛମର , ପ୍ରାୟତଃ ବର୍ଷାଦିନେ ଯେଉଁଠି ପୋତିଦେଲେ ଜୀଁ ଉଠିଥାଏ, "ମାଆ" ମାନେ  ଏହି କାମନା କରନ୍ତି ତାଙ୍କ ପିଲା ଏହିସବୁ ଗଛ ପରି ଦୀର୍ଘାୟୁ ହୁଅନ୍ତୁ,ଯେପରି ଅବସ୍ଥାରେ ଥାନ୍ତୁ,ଭଲରେ ଥାନ୍ତୁ।।

     ଆଗରୁ ମାଟିରେ "ବାପାମାଆ" ଓ ତାଙ୍କର "ଛଅ ପୁଅ" ଗଢାଯାଇଥାଏ,  ଓ ସେହିଦିନ ବାରିକ ଗହ୍ମାମାଟି ଦିଏ ।। ତା ସାଥିରେ ହଳଦୀ ଅଁଳାପତ୍ର ମିଶାଇ ସୁନାନାକୀ ଝିଅ ଗୋଟିଏ ତିଆରି କରାଯାଏ,  ହଳଦୀଆ ରଙ୍ଗର ଲୁଗା ,ପଇତା ,ଫୁଲ, ଦୁବ ,ଚନ୍ଦନ, ସିନ୍ଦୁର ମଣ୍ଡନ କରାଯାଇ,ଏହି ମାନଙ୍କୁ ପୂଜା କରାଯାଏ, ପିଲାମାନଙ୍କୁ ଝୋଟି ପଡିଥିବା ଚିତା ଉପରେ ବସାଇ ବନ୍ଦାପନା କରି ହାତରେ ସଠିସୂତା ବାନ୍ଧି ଦିଆଯାଏ । ଓଡିଆର ଘରେ ଘରେ ଏହି ପର୍ବ ଗଣେଶ ପୂଜାର ଗୋଟିଏ ଦିନ ପରେ ପାଳନ କରାଯାଏ। ଏପରିକି ଦ୍ବାପରରେ ରାଜା ନନ୍ଦ ଓ ମା ଯଶୋଦା ମଧ୍ୟ ପୁତ୍ର ଜନ୍ମର ଛଅ ଦିନରେ ପୁତ୍ର ପାଇଁ ସଠିପୂଜା କରିଥିଲେ।  ଆମମାନଙ୍କ ମଧ୍ୟରେ ଅଧିକାଂଶ ତାଙ୍କର ମହିମା, କାର୍ଯ୍ୟକଳାପ ବିଷୟରେ ଅବଗତ ନଥିବେ।।

ସେଥିପାଇଁ ମୁଁ ...ବିଶିଷ୍ଟ,କାବ୍ୟସ୍ରଷ୍ଟା,ସାରସ୍ୱତ ସାଧକ,ଲେଖକ, ସାହିତ୍ୟିକ,ଗାଳ୍ପିକ,ଶବ୍ଦର ସମ୍ରାଟ,  ପୌରାଣିକ କିମ୍ବଦନ୍ତୀକୁ ବାଖ୍ୟାକରି ଲୋକଲୋଚନକୁ ଆଣିବାରେ ଅତୁଳନୀୟ ଅବଦାନ ଆଣିଥିବା ସମ୍ନାନୀୟ  ଶ୍ରୀଯୁକ୍ତ "Dusmanta kumara Mishra(Tuku) ମହୋଦୟଙ୍କ"....ହରିବଂଶର...କିଛି ଅଂଶର ଉପସ୍ଥାପନା କରୁଅଛି।ସେଥିପାଇଁ ମୋ ହୃଦୟରୁ ତାଙ୍କୁ ଶତ ଶତ ପ୍ରଣାମ ।।

ମାଆ " ସଠିଦେବୀ"

ହରିବଂଶ(ଭାଗ--୩୯)
  =============*
                            

ରାଜାପରୀକ୍ଷିତ ଶୁକମୁନିଙ୍କୁ ପ୍ରଣିପାତକରି ପଚାରିଲେ ଭୋ ଦେବ !ଭଗବାନ ଶ୍ରୀକୃଷ୍ଣ ଙ୍କ ସଠି ପୂଜାକୁ ଅର୍ଦ୍ଧ ରାତ୍ରରେ ଚାରି 
ଯୁଗ ବୀର ମାନେ ଆସିଥିଲା ।କେଉଁ ଯୁଗରୁ ,କେଉଁ ବୀର ମାନେ ଆସିଥିଲେ ?ଏବିଷୟରେ ମୋତେ ସଂକ୍ଷେପରେ କୁହନ୍ତୁ
?।ପରୀକ୍ଷିତ ଙ୍କୁ ଶୁକମୁନି କହିଛନ୍ତି ........................!!!!!

ବେଦପତି ବ୍ରହ୍ମା  ,ସୃଷ୍ଟି ଆରମ୍ଭ କରିଥିବା ଆଦିନାରୀ କେତୁକାଙ୍କ 
କହିଲେ "ତୁମେ ଯାଇ କୃଷ୍ଣ ଭଗବାନଙ୍କ ସଠିଜୁଇ ଜାଳ।କେତୁକା ,କୃଷ୍ଣ ଭଗବାନଙ୍କ ସଠି ଜୁଇ ଜାଳିଲେ ।ଚକ୍ରଧର କେତୁକା ଙ୍କୁ ଶାଢ଼ୀ ପ୍ରଦାନ କଲେ ।ବେଦବର ବ୍ରହ୍ମା ସଠି ଦେବୀଙ୍କୁ ନିର୍ଦ୍ଦେଶ ଦେଇ କହିଲେ ତୁମେ ଯାଇ  କପାଳ ଲିଖନ କର ।ଯେ ଯାହା ଅର୍ଜନ କରିଥିବ ତାକୁ ସେୟା ଭୋଗ କରିବାକୁ ପଡିବ ।ଏକଥା ସମସ୍ତଙ୍କ କପାଳରେ ତୁମେ ସଠି ଦେବୀ ଲେଖିବ ।ସଠି ଦେବୀ ଡରିଗଲେ !ବ୍ରହ୍ମା ଙ୍କୁ କହିଲେ ମୁଁ 
ମୁଁ ଜଣେ  ,କିପରି ଏସବୁ ଭିଆଣ କରିବି ?।ବ୍ରହ୍ମା ସଠି ଦେବୀଙ୍କୁ କହିଲେ ତୁମ ସଙ୍ଗରେବୀର ମାନେ ଅଛନ୍ତି ।ଏହି ବୀର ମାନେ ତୁମରି ଆଜ୍ଞାରେ ଘଟିବେ ।ବ୍ରହ୍ମାଙ୍କ ଠାରୁ ଏମନ୍ତ କଥା ଶୁଣି ସଠି ଦେବୀ ବ୍ରହ୍ମାଙ୍କୁ ପ୍ରଣାମ ଜଣାଇଲେ ।
ଏହାପରେ ବ୍ରହ୍ମା ନିଜ ଦେହରୁ ସତ୍ୟ ଯୁଗ ପାଇଁ ଅଠସ୍ତୋରୀ ଜଣ ବୀର   ,ତ୍ରେତୟା ଯୁଗପାଇଁ ତୈୟାନବେ ବୀର ଦ୍ଵାପର ଯୁଗପାଇଁ ଷାଠିଏ ଓ କଳିଯୁଗ ପାଇଁ ବାଉନ ବୀର  ଜାତ କଲେ ।ଏହିପରି ଚାରିଯୁଗ ପାଇଁ ସଠିଦେବୀଙ୍କ ସହିତ ରହିବା ପାଇଁ ବ୍ରହ୍ମାବୀର ମାନଙ୍କୁ ବାଣ୍ଟି ଦେଲେ ।

ପରୀକ୍ଷିତ ,ଶୁକମୁନିଙ୍କୁ ପଚାରିଲେ ବ୍ରହ୍ମା କଳିଯୁଗପାଇଁ ବାଉନ 
ବୀର ସୃଷ୍ଟିକରି ସଠି ଦେବୀଙ୍କୁ ଦେଲେ ,ଏବେ ମୋତେ ସେଇ ବାଉନ ବୀର ଙ୍କ ନାମ କଅଣ କୁହନ୍ତୁ ?।ଶୁକମୁନି କହିଲେ ରାଜନ ସେଇ ବାଉନ ବୀର ଙ୍କ ନାମ କହୁଛି ତୁମେ ଶୁଣ ।ଶୁକମୁନି କହିଲେ .......!!!!

ମହୀସେନ ,ଶୂରବାହୁ  ,ରଶ୍ମି ,ଧୂମ ,ଶିରା ,ଅମୋଘ ,ବଳୀ,ରାହୁ ,ସୁସମ୍ବରା ,ରୁଦ୍ର ,ସିଦ୍ଧାନ୍ତ ,ହେମ ,ବଳବନ୍ତ ,ସିଂହ ,କାଳ ,ବିକାଳ ,ମାଲ୍ୟ ,ଧୁଜଟି ,କେବା ,ବିକୃତ ,ଉତ୍ତର ,ଜରାନ୍ତ ,କ୍ଷାନ୍ତ 
ବିକ୍ଷାନ୍ତ ,ଦନୁ ,ପୋଖଳା ,ତୁରଙ୍ଗ  ,ରଙ୍ଗ ,ଡାହୁକ ,ଅମର ,ଗୁଞ୍ଜର ,ଶିରା ,ଅଜୟ ,ଜୟ ,ବଜର ,ମନ୍ଦର ,କାର ପାୟ ,ପାତ ,
ବିପାତ ,ଖର୍ବ ,ବିଖର୍ବ  ଧୁର ,ବିଜେନ ,କାଠି ,ସୁବଳ ,ସୁବ ,ଚିତ୍ର
 ଶକ ,ହଳ ,ସରୁ , ସାରୁଆ ।ଏମାନଙ୍କ ମଧ୍ୟରୁ  ମହୀସେନ ସବୁଠାରୁ ବଳବାନ ।ସଠି ଦେବୀଙ୍କ ସଙ୍ଗରେ ଏହି ବୀର ମାନେ 
ଥାଆନ୍ତି ।ସଠିଦେବୀ ଆଜ୍ଞା ପାଇ ସବୁଆଡେ ଯାଇ ପ୍ରାଣୀ ମାନଙ୍କ ଭଲ ମନ୍ଦ  କପାଳରେ ଲେଖନ୍ତି ।

ବ୍ରହ୍ମା ଦ୍ଵାପର ଯୁଗପାଇଁ ନିଜ ଦେହରୁ ଷାଠିଏ ବୀର ସୃଷ୍ଟି କରି ଥିଲେ ।ଏହି ଷାଠିଏ ବୀରଙ୍କୁ ଧରି ସଠିଦେବୀ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟକୁ ଅର୍ଦ୍ଧ ରାତ୍ରରେ ଧୀରେ ଧୀରେଗମନ କଲେ
।ନନ୍ଦ ଙ୍କ ଭବନରେ ଦ୍ଵାରିମାନେ ଶୋଇଛନ୍ତି ।ସଠି ଦେବୀ ସିଂହ ବାହାନରେ ଯାଇଛନ୍ତି ।ପ୍ରଭୁ ଚକ୍ରଧର ସଠି ଦେବୀଙ୍କୁ ଦେଖିଲେ ।ସଠି ଦେବୀ ବାହାନ ରୁ ଓହ୍ଲାଇ ପ୍ରଭୁଙ୍କୁ ପ୍ରଣିପାତ କଲେ ଓ 
କରପତ୍ର ଯୋଡି  ପ୍ରଭୁଙ୍କ ପାଦତଳେ ପଡି କହିଲେ ପ୍ରଭୁ ମୋତେ ତ୍ରାହି କରନ୍ତୁ ।ମୋତେ  ପରିତ୍ରାଣ କର ପ୍ରଭୁ !ତୁମରି ସେବାରେ ମୋର ଦୀନ ଯାଉ ପ୍ରଭୁ ।ହେ ପ୍ରଭୁ ଦାମୋଦର ମୋତେ ଆପଣ ସୃଷ୍ଟି କରିଛନ୍ତି ଓ ଅଧିକାର ଦେଇଛନ୍ତି ।ଆପଣଂକୁ ମୁଁ କହିବା ପାଇଁ ଯୋଗ୍ୟ ନୁହେଁ ?ଆପଣ ସକଳ ସୃଷ୍ଟି କରିଛନ୍ତି ।ହେ ନାରାୟଣ ମୋର ଯଦି କିଛି ଭୁଲୁ ଥାଏ ମୋତେ ଆପଣଂକ ପାଦତଳେ କ୍ଷମା କରିଦେବ ।ଏହିପରି ସଠି 
ଦେବୀ ପ୍ରଭୁ କୃଷ୍ଣ ଭଗବାନଙ୍କ ନିକଟରେ କାକୁତି ମିନତୀ ହୋଇ କହିଲେ 
ଭଗବାନ ଶ୍ରୀକୃଷ୍ଣ ସଠି ଦେବୀଙ୍କ ଉପରେ ସନ୍ତୁଷ୍ଟ ହେଲେ ଓ କହିଲେ ତୁ ଆସିଲୁ ଭଲ ହେଲା ।ତୁ କିଛି ମନରେ ଚିନ୍ତା କରନାହିଁ ?ମୋ ଲଲାଟ ରେ ଯାହା ଅଛି ସେୟା ଲେଖିଦେ" !।

ସଠି ଦେବୀ କରପତ୍ର ଯୋଡି କହିଲେ "ମୁଁ ଛାର ଭୃତ୍ୟ ,ଜନ୍ମ ଜନ୍ମାନ୍ତର ଭୃତ୍ୟ ହୋଇ ରହିଛି ,ଓ ସର୍ବଦା ଆପଣଂକ ଆଦେଶ ମାନୁଥିବି ,ମୋର ଏତେ ସାହସ କାଇଁ ଯେ ଆପଣଂକ କପାଳରେ ଆପଣଂକ କର୍ମ ଲେଖିବି ପ୍ରଭୁ !।

ଶ୍ରୀକୃଷ୍ଣ ଭଗବାନ ସଠି ଦେବୀଙ୍କୁ କହିଲେ ତୁ କାହିଁକି ଚିନ୍ତା ମନରେ କରୁଛୁ ?ମୋହର କପାଳରେ ତୁହି ଯଦି ନ ଲେଖିବୁ ତାହାଲେ  ଏ ମର୍ତ୍ତ୍ୟରେ ତୋତେ କିଏ ମାନିବ ?।
"ମୋହର କପାଳେ ତୁହି ଲେଖନ ନକଲେ 
କିଏସେ ଆଉ ମାନିବ ତୋତେ ଧରା ତଳେ "।
କୃଷ୍ଣ ଭଗବାନ ଏହା କହି ସଠି ଦେବୀଙ୍କୁ ଆଜ୍ଞା ଦେଲେ ଯେ ମୋର କପାଳରେ ଯାହା ଅଛି ତୁ ଲେଖିଦେ !ସଠି ଦେବୀ ପ୍ରଭୁ 
ଙ୍କୁ କହିଲେ ହେ ନାରାୟଣ  ଆପଣଂକ କଥା ଅନୁଯାୟୀ ମୁଁ ଆପଣଂକ କପାଳ ରେ ଲେଖିଛି ।ହେ ପ୍ରଭୁ ଏଥିରେ ମୋର କିଛି 
ଦୋଷ ନାହିଁ ।ସଠି ଦେବୀ  ଶ୍ରୀକୃଷ୍ଣ ଙ୍କୁ ପ୍ରଣିପାତ ହୋଇ ଲିଖନୀ ବାହାର କଲେ ....

ସଠିଦେବୀ ଭଗବାନ ଶ୍ରୀକୃଷ୍ଣ ଙ୍କ କପାଳରେ ଅଢେ଼ଇ ପଙ୍କ୍ତି
ଲେଖିଦେଇ ଭଗବାନଙ୍କୁ ପାଦତଳେ ପ୍ରଣାମ କଲେ ।ଗୋବିନ୍ଦ 
ପଚାରିଲେ ସଠି ଦେବୀଙ୍କୁ  କଅଣ ଲେଖିଲୁ ମୋ କପାଳରେ ମୋତେ ତୁ କହିକରି ଯାଅ ।ଡରିଗଲେ  ସଠି ଦେବୀ ।ଶ୍ରୀକୃଷ୍ଣ 
ଭଗବାନ କହିଲେ  ତୁମ୍ଭର କିଛି ଦୋଷ ନାହିଁ ସଠି ଦେବୀ ।ଭୟ ନକରି ମୋତେ ତୁମେ କୁହ ?।

ସଠି ଦେବୀ ଧୀର ସ୍ୱରରେ କହିଲେ -"ହେ ପ୍ରଭୁ ଚକ୍ରଧର !
୧-ଆପଣ ବହୁ କୁଟୁମ୍ବୀ ହେବେ...!
୨-ଆପଣଙ୍କ ଜୀବନ କାଳରେ ଆପଣ ବହୁତ ଦୈତ୍ୟ ଙ୍କୁ ବିନାଶ କରିବେ ......!!
୩-ଆପଣଙ୍କ ଭଳି ଆଉ ଜଣେ ଏ ପୃଥିବୀରେ କେହି ନଥିବେ....!!!
୪-ହେ ଦେବ ଆପଣ  ଏ ବ୍ରହ୍ମାଣ୍ଡ ର ଏକମାତ୍ର ଠାକୁର ବୋଲାଇବେ .......!!!!
୫-ଆପଣଂକର ବତିଶ ସହସ୍ର  ଭାର୍ଯ୍ୟା ଗ୍ରହଣ କରିବେ ....!!!!!
୬-ଆପଣଙ୍କ ଠାରୁ ଲକ୍ଷ ଅଣଆଶୀ ପୁତ୍ର  ଜାତ ହେବେ ..!!!!!!

୭-ଏତେ କୁଟୁମ୍ବ ଅର୍ଜନ କରି ସାରିବାପରେ ଆପଣଂକ  ଅବସାନ ଅର୍ଥାତ ମୃତ୍ୟୁ ସମୟରେ ଆପଣଙ୍କ ସହିତ କେହି ଜଣେ ନଥିବେ ..........!!!!!!!
୮-ଶିଆଳି ଲତା ନିକଟରେ ଆପଣଙ୍କୁ ଶସ୍ତ୍ରଘାତ ହେବ .!!!!!!!
୯-ଆପଣଙ୍କ ଅବସାନ ଯେଉଁଠି ହେବ ସେଠାରେ କେହି ନଥିବେ.....!!!!!!!!!
୧୦-ସବୁ କୁଟୁମ୍ବ ନିଜ ଭିତରେ ମରାମରି ହେବେ ।ଭାର୍ଯ୍ୟା କି ପୁଅ କେହି ଆପଣଂକ ପାଖରେ ନଥିବେ ।ଅନେକ ଆକୁଳ ବିକଳ ଆପଣ ମୃତ୍ୟୁ ବେଳକୁ ହେବେ ........!!!!!!!!!!
ଏହି ସବୁ ମୁଁ ଆପଣଙ୍କ କପାଳରେ ଲେଖିଦେଇଛି ପ୍ରଭୁ !

ସଠି ଦେବୀଙ୍କ କଥା ଶୁଣି ଶ୍ରୀକୃଷ୍ଣ ଭଗବାନ ସନ୍ତୁଷ୍ଟ ହେଲେ ।ନିଜେ ପିନ୍ଧିଥିବା ରତ୍ନମାଳକୁ ବାହାର କରି ପ୍ରଭୁ ସଠି ଦେବୀଙ୍କ 
ଗଳା ରେ ନିଜ ହାତରେ ପିନ୍ଧାଇ ଦେଲେ।ଭାବବାନ ଶ୍ରୀକୃଷ୍ଣ 
ସଠି ଦେବୀଙ୍କୁ କହିଲେ "ତୁ ଯାହା କପାଳରେ ଲେଖିବୁ ତା ସତ୍ୟ ଅଟେ ।ଏକଥାକୁ କେହି ଖଣ୍ଡନ କରି ପାରିବେ ନାହିଁ ?।

ସାହାସ ପାଇ ଗଲେ ସଠିଦେବୀ ।ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୁନଶ୍ଚ 
କହିଲେ "ହେ ପ୍ରଭୁ ,ପାଣ୍ଡଵ ମାନେ ଆପଣଙ୍କ ସଖା ହୋଇ ରହିବେ  ।ଆପଣଂକ ମୃତ୍ୟୁ ସମୟରେ କେବଳ ଆପଣଂକ ପାଖରେ ଅର୍ଜ୍ଜୁନ ହିଁ ଏକା ଥିବ !। ଶ୍ରୀକୃଷ୍ଣ ,ସଠି ଦେବୀଙ୍କୁ ବର 
ପ୍ରଦାନ କରି କହିଲେ "ତୁ ଯାହା ଲେଖିବୁ ତାହା ସମସ୍ତ ପ୍ରାଣୀ ଭୋଗକରିବେ ।ଏକଥା ସତ୍ୟ !ସତ୍ୟ !!ସତ୍ୟ !!!

ଭଗବାନ ଶ୍ରୀକୃଷ୍ଣ ଙ୍କ ଠାରୁ ବର ପାଇ ସଠି ଦେବୀ ଚାଲିଯାଇ  ନିରାଲମ୍ଵ ଭୂମିରେ ପ୍ରବେଶ କଲେ
ମହାଶୟ Dusmanta Kumar Mishra kumar Mishra  ଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ।।

ଉପସ୍ଥାପନା : ସସ୍ମିତା ମହାପାତ୍ର(ଲୀନା)
ଭୁବନେଶ୍ୱର 


⭕ ପ୍ରିୟ ଶିକ୍ଷକ ଭାସ୍କର ⭕

  ¤  ପ୍ରିୟ ଶିକ୍ଷକ ଭାସ୍କର  ¤
              ~~~୦~~
                             ✍ ଦାଶରଥି ସାହୁ 

ସଂସାରେ ଭାସ୍କର ସଦା ଶ୍ରେୟସ୍କର
    ତିନିପୁରେ ତେଜିୟାନ
ବଖାଣିବି କିସ ମନ ମହାକାଶ
    ଜାଣେ ଜଡଠୁ ଚେତନ
ସଭିଙ୍କର ପ୍ରିୟ ନିଆରା ନିର୍ଣ୍ଣୟ
     ମଣିଷ ହେ' ମିଷ୍ଟଭାଷୀ
ସ୍ୱଭାବେ ସରଳ ଭର ଶୂନ୍ୟ ଥାଳ
      ମାନବିକତାକୁ ନେସୀ
ଗୁରୁ ମଧ୍ୟେ ଶ୍ରେଷ୍ଠ  ନିୟମ ନିର୍ଦ୍ଧିଷ୍ଟ
      ପାରିଲା ପଣ ନମୂନା
କଳମ୍ବ ମାଟିର  ଅଦ୍ୱିତୀୟ ବୀର
   ଝଲସ ଯେସନେ ସୁନା
ଅପ୍ରାଣ ଉଦ୍ୟମେ  ଶିକ୍ଷିତର ଶ୍ରମେ
      ଛାତ୍ରଙ୍କର ଛାୟାଛତ୍ର
ପ୍ରତି ପଦ କଥା ଭାଗବତ ଗୀତା
      ପୁରାଣ ଭଳି ପବିତ୍ର
ଦାନରେ ବିରାମ ନାହିଁ କେବେ ତୁମ
       ନିଃସ୍ୱାର୍ଥେ ନିମଗ୍ନ ଚିର
ବିପଦରେ ବନ୍ଧୁ ମରୁପରେ ସିନ୍ଧୁ
       ଭରଷା ଭରା ଭଣ୍ତାର
ଆହେ ଅଯାଚିତ ବରେଣ୍ୟ ବ୍ଯକ୍ତିତ୍ୱ
      ଆଧ୍ୟାତ୍ମିକ ତୁମ ଅଙ୍ଗ
ଆଳପେ  ଅଳପ  ବିରଳ ବିକଳ୍ପ
         ବୁଣିଦିଅ ସୁଖ ରଙ୍ଗ
ଆଜିର ଏ ଦିନ ସୁଖେ ସମ୍ମୋହିନ
      ଘେନ ଭକ୍ତି ପୁଷ୍ପାଞ୍ଜଳି
ସଦା ଥାଅ ପାଶେ ଯଶ ଅପଯଶେ
         ଅଧମର ଏଇ ଅଳି ..... 
               -------------
                      କଳମ୍ବ, ଗଞ୍ଜାମ 

⭕ କଳିର କଳ୍କୀ କୋରନା ⭕

~ କଳିର କଳ୍କି କୋରୋନା ~
           ~~~~୦~~~
                     ✍ ଦାଶରଥି ସାହୁ 

କୋରନାର କ୍ରୁର ଅଥୟ ଅଧିର
    କଲାଣି ଜନ ମାନସେ
ବିସ୍ତାରୁଛି କାୟା ନାହିଁ ଦୟା ମାୟା
       ଧ୍ୱଂସ ତାଣ୍ତବର ଶୀର୍ଷେ
ଲଢନ୍ତି ଲଢିବେ ସର୍ବେ ସଗୌରବେ
      ଆହା ଉଦ୍ୟମ ଅପ୍ରାଣେ
ଏ ବିଶ୍ୱ ବିପତ୍ତି କରିବାକୁ ଇତି
      ପ୍ରତି କ୍ଷଣ ଅନୁକ୍ଷଣେ
ଉର୍ଦ୍ଧିଷ୍ଟ ନିୟମେ ସ୍ୱେଚ୍ଛାସେବି ଶ୍ରମେ
        ପ୍ରାଯୁର୍ଜ୍ୟର ପ୍ରୋତ୍ସାହନ
ଭାଷା ଉଚ୍ଚାସିନ ଆବେଗେ ଆହ୍ୱାନ
      ଯୋଦ୍ଧାକୁ କାଳେ ସମ୍ମାନ
ସମ୍ମାନରେ ତୁମ ଦିଅହେ ବିରାମ
     ଯୋଦ୍ଧା ଜାଗା ଆବର୍ଜନେ
ମାନବିକତାର ଅପ ବ୍ୟବହାର
         ବାହାଷ୍ପଟଟି ବଦନେ
କ୍ଷୁଦାରେ ଆତୁର ଗରିବ ସଂସାର
      ମୁଲିଆ ମରନ୍ତି ନିତି
କୋଟି କୋଟି ଅର୍ଥ କେଉଁଠି ନିଯୁକ୍ତ
       ପୃଷ୍ଠା ପୃଷ୍ଠା ପାପ ପଂକ୍ତି
ପାପର କଳସୀ ଭରିଲାଣି ଆସି
     ଯେତେ ହୁଅ ଯତ୍ନବାନ
ଖେଳ ସମୟର ପାପ ଓ ପୂଣ୍ୟର
      ବାଛୁଛି ଅଗାଡି ଧାନ
ଦୋହଲେକି ଦମ୍ଭ ଆୟାମ ଆରମ୍ଭ !
      ଶେଷ ସଅଳ ପ୍ରସ୍ତୁତି
କୁଢ କୁଢ ଶବ ସଂହାର ପରବ
      ପାରିବନି କେହି ବର୍ତ୍ତି
ବିବେକ ଶୁଉନ ଆଜିର ବିଜ୍ଞାନ
    ହେଜିବାକୁ ନାହିଁ ଆଉ
ଅଚିହ୍ନା ଏ ବ୍ୟାଧି ନାହିଁ ମହୋଷଧି
      ତାଣ୍ତବେ ପ୍ରକୄତି ଦାଉ
ସଂସ୍ଥାପିବେ ଧର୍ମ ଶାନ୍ତି ଶ୍ରଦ୍ଧା ପ୍ରେମ
      ଉପୁଡେଇ ଅନାବନା
ବିହିଙ୍କ ଭିଆଣି ଜନେ ଯାହା ଗୁଣି
    କଳିରେ କଳ୍କି କୋରନା
            -------×--------
                    କଳମ୍ବ/ଗଞ୍ଜାମ

କେତେ ଦିନ ❗

 ~: କେତେ ଦିନ ❗:~
                           ✍ ଦାଶରଥି ସାହୁ 


ଗଭୀର ଗୁମାନେ
ଦୁଃଖର ଦହନେ
ହଜିଛି ଓଠରୁ ହସ...!

ଲାଗୁଛି ଯେମିତି
ଚିରିଛି କେ ଛାତି
ଅପ୍ରଯ୍ୟାପ୍ତ  ଅବଶୋଷ....!!

ଅନ୍ତରେ ବେଦନା
ମନ ଆନମନା
ବିଷାଦ ବିବଶ ପ୍ରାଣ....!

ସଞ୍ଚିତ ଏ ଦୁଃଖ
ପ୍ରାରବ୍ଧ ପ୍ରମୁଖ
କ୍ରିୟମାଣେ ତା' କଷଣ...!!

କଷଣ କୋଳେଇ
ମନ ମଲାନଈ
ସୁପ୍ତେ ବିଦ୍ରୋହର ସ୍ୱର...!

ସେଥିଲାଗି ବୋଧେ
ନୀରିହ ନିର୍ବୋଧେ
 ପିଠିରେ ପଡେ ପାହାର...!!

ସଭିଙ୍କ ଆଦର
ଆଜି ହତାଦର
ଜୀବନ ଲାଗଇ ଜଡ...!

ନାହିଁ ସ୍ୱଳ୍ପ ଶାନ୍ତି
ସଦା ଭୟ ଭ୍ରାନ୍ତି
ଝାପ୍ସା ଦିଶୁଅଛି ଝଡ...!!

ଆସୁ ଯେତେ ଝଡ
ତାଣ୍ତବର ମୋଡ
ଯାହା ଦେଉ ଉଲୁରେଇ....!

କେତେ ଦିନ ଆଉ
ସହୁଥିବୁ ଦାଉ
ନିଜ ପିଠି ଥାପୁଡେଇ...!!

ନୁହଁ ଏ କବିତା
କାହା ଅଙ୍ଗେନିଭା 
ଦୁଃଖିର ଆତ୍ମ ଜୀବନି...!

ସମ୍ପର୍କରେ ସଦା
ହେଲା ବୋଲି ଓଦା
ଆଖି ତା' ଲୁହ ଶ୍ରାବଣୀ...!!

ନହୋଇ  ଖିଆଲି
ପାରିଲାନି ଚାଲି
ସମୟର ସମତୁଲେ...!

ରଚି ଚକ୍ରବିହ୍ୱ
ଭାଙ୍ଗିଲେ ହୃଦୟ
ଢାଙ୍କିଦେଲେ ମାୟାଜାଲେ...!!

ଚୁପ୍ ସିନା ଆଜି
ସମ୍ପର୍କକୁ ହେଜି
ତୁନି ତୁଣ୍ତ ଖୋଲିଦେଲେ...!

ଯେତେକ ଜଡିତ
ହୋଇବେ ରକ୍ତାକ୍ତ
ସମାଲୋଚନାର ଢାଲେ....!!
           ~~~~୦~~~
                 କଳମ୍ବ/ଗଞ୍ଜାମ

❣ ବର୍ଷାଭିଜା ରାତିରେ ❣

~~: ବର୍ଷାଭିଜା ରାତିରେ :~~

"ଝିପ୍ ଝିପ୍ ଅଦିନିଆ ବର୍ଷା ରାତିରେ
ଭିଜି ଭିଜି ଗଲା ମୋ ଦେହ ବର୍ଷାରେ
ଘଡ଼ଘଡ଼ି ଶବ୍ଦରେ ଥରିଗଲା ମୋ' ଦେହ
ବିଜୁଳି ଆଲୁଏ ଦିଶିଲା ତୋ' ମୁହଁ  ।।
                         
ଭିଜା ଭିଜା ଦେହେ ଖେଳିଲା ସିଂହରଣ
ଅଟକି ଗଲାକି ସତେ ହୃଦୟ ସ୍ପନ୍ଦନ 
ଦେହେ ଥିବା ରକ୍ତ-ବିନ୍ଦୁ,ଶିରା-ପ୍ରସିରା,
ଧମନୀ ଚଳନ, ଓଦା ଦେହେଭିଜା ନିର୍ଝରା ।।

ନିର୍ଜନ ରାସ୍ତାରେ, ମନ ଖୋଜେ ସାହାରା
ଖୋଜି ହେଉଥାଏ ମନ ନାହିଁ ଆସରା
ଝୁରିହେଲା ସିନା ଏ ମନ ପ୍ରାଣ
ହେଲେ ପାଖେ ନଥାଇ ଦେଲୁ କଷଣ  ।।

ସତେକି ଲାଗିଲା ତୁ'ଗୋଟେ ମାୟାବିନୀ
ଏକା ଏକା  ତୋ' ବିନା ବିତିଲା ରଜନୀ 
କ୍ଷଣଟେ ନଥିଲେ ମୋ' ପାଖେ ସଜନୀ
ଏ'ଜୀବନ ଲାଗେ ଅଧୁରା, ଆଖି ତରଙ୍ଗିଣି ।।

 ଝୁରେ ଖାଲି ତତେ ମୋ ମନ, ପ୍ରାଣ, ଜୀବନ
 ତୁ' ନଥିଲେ ପାଖେ ଜୀବନ ଲାଗେ ବିଷମ 
ଫେରିଗଲା ବର୍ଷା ଦେହେ ଲଗାଇ କମ୍ପନ 
କମ୍ପନେ ଥରି ଖୋଜିଲା ଦେହ ତୋ' ମିଳନ ।।

ହେଲେ ତୁ' ନଥିଲୁ ମୋ' ପାଖେ, ଥିଲୁ ମନରେ
ଝିପ୍ ଝିପ୍ ଅଦିନିଆ ସେଇ  ବରଷା ରାତିରେ  ।।
        ~~~~~~~¤~~~~~~~

✍ ସୁଶୀଲ୍ କୁମାର ଭୋଇ
   (ସାମାଜିକ କର୍ମୀ)
   ବରକୁଦା, ପାଞ୍ଚଗାଁ, ଜଟଣୀ, ଖୋର୍ଦ୍ଧା
        (୭୫୨୦୫୦)

🌺 ନୂଆଁଖାଇ 🌺

    ~: ନୂଆଁଖାଇ :~
                    ✍ ସନ୍ତୋଷ ପଟ୍ଟନାୟକ  


ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ 
ପଞ୍ଜିକାରେ ତାହା ଋଷି ପଞ୍ଚମୀ 
ଇଷ୍ଟଦେବୀ ନାମ କରି ସ୍ମରଣ 
ଉତ୍କଳୀ ସମର୍ପେ ଅମଳ ଧାନ ||

ନୂଆଖାଇ ନାମେ ଏ'ଜଣାଶୁଣା 
ଗଣପର୍ବ ବୋଲି ରାଇଜେ ଗଣା 
ପଶ୍ଚିମ ଓଡିଶା ଖୁସି ଆସର 
ଭେଦ ଭାବ ଭୁଲି ସର୍ବେ ନିଜର  ||

ସମଲେଇ ପାଶେ ଭୋଗ ଅର୍ପଣ 
ଷାଠିଆଧାନରୁ ପ୍ରସ୍ତୁତ ଅର୍ଣ୍ଣ 
ଚୁଡ଼ା,ଭାତ, କ୍ଷୀରି, ମଣ୍ଡା, ଆରିସା
ନୂଆଖାଇ ପର୍ବ ପାଳେ ଓଡ଼ିଶା ||

ସମ୍ମିଳିତ ଏ' ପର୍ବେ  ପରିଜନ 
ଆନନ୍ଦଦାୟ  ଏକାଠି ଭୋଜନ 
ସାନ କରେ ଯାଇ ବଡ଼େ ପ୍ରଣାମ 
ବଡ଼ ଦିଅନ୍ତି ସାନେ ଶ୍ରଦ୍ଧା ସୁମନ ||

ପଶ୍ଚିମାଞ୍ଚଳେ ଏ' ଶୁକ୍ଳ ପଞ୍ଚମୀ 
କଳାହାଣ୍ଡି ଠାରେ ଶୁକ୍ଳ ଦଶମୀ
ଆନଞ୍ଚଳେ ହୁଏ ଦଶରା ଦିନ
ପୂର୍ବାଞ୍ଚଳେ ଏ' ଆଶ୍ବିନେ ପାଳନ ||

ମହାଳୟା ତିଥି ନବାନ୍ନ ସମ୍ପନ୍ନ 
ଇଷ୍ଟଦେବୀ ପାଶେ ଭୋଗ ବିଧାନ  
ସଂସ୍କାର ସଂସ୍କୃତି  ଉତ୍କଳ ମାନ 
ଭିନ୍ନ ଭିନ୍ନ ହେଲେ ଏକ ବିଧାନ ||

ସାମାଜ ଏକତା ପରବ ଏଇ 
ବିଜୁବାବୁ ମନେ ଭରିଲା ଛାଇ 
ଖୁସି ହୋଇ କଲେ ଛୁଟି ଘୋଷଣା
ଧନ୍ୟ ନାୟକ କୋଟି ମନ ଜିଣା ||

ମାଟିଲଗ୍ନା ଆଜି ସ୍ୱତନ୍ତ୍ର ସ୍ଥାନ 
ଗୁଣି ଗଣପର୍ବ ରଖିଛି ମାନ  ||

❗କଳିଯୁଗ ମଣିଷ ❗

         ~: କଳିଯୁଗ ମଣିଷ :~
                    ✍ ସନ୍ତୋଷ ପଟ୍ଟନାୟକ 
     ~~~~~~~~~~~~~~~~~~

ବଞ୍ଚିବା ବଢିବା ପ୍ରୟାସ ଏ'କଳି 
ମଣିଷ ହୁଅଇ ସ୍ବାର୍ଥରେ ଅନ୍ଧ 
ଅର୍ଥକୁ ଅନର୍ଥ କରିବା ଏ'ଯୁଗ 
ଅନେଶ୍ବତ ଭାବ ଏଠି କାମାନ୍ଧ  ||

ମଦ ମାଂସ ହେଲା ମୁଖ୍ୟ ଖାଦ୍ୟ ଏଠି
ହିଂସାରେ ମିଳଇ ପରମାନନ୍ଦ 
ବିଭିନ୍ନତା ଯେତେ ଏକାକାର ହେବେ
ଶେଷରେ ଉଜାଣି ଜୀବନ ବନ୍ଧ  ||

ଶାସ୍ତ୍ର ଲେଖା ଏଠି ବିପର୍ଯ୍ୟସ୍ତ ଆଜି 
ସର୍ବେ ସ୍ବଘୋଷିତ ବଡ଼ ପଣ୍ଡିତ 
ଶାସକ ଏ'ଯୁଗେ ଶୋଷକ ଅଟନ୍ତି 
ଶୁକରୀଟା ଯେହ୍ନେ ନର୍ଦ୍ଦମା ଯୁକ୍ତ ||

ଭାଇ ଅଟେ ଏଠି ଭାଇର ଭଗାରୀ 
ସମ୍ପତ୍ତି ଭୋଗଟା ତା' ମୂଳଲକ୍ଷ୍ୟ
ପଡ଼ୋଶୀଙ୍କୁ ଲୋଡ଼ା ଦୁର୍ବଳତା ଟିକ
ନୀଚ୍ଚ କରେଇବେ ଦେଇକି ସାକ୍ଷ୍ଯ ||

ବିଶ୍ୱାସରେ ବିଷ ଭରେ ଏଠି ବନ୍ଧୁ 
ପୁଅ ମାରେ ନିଜ ବୋପା-ମାଆକୁ
ଜନ୍ମଦାତ୍ରୀ  ବିକେ ଜନମ ସନ୍ତାନ 
ଘେନି ପେଟ ଚିନ୍ତା ବିବଶତାକୁ  ||

ସମଗୋତ୍ରେ ପୁଣି ବିବାହ ବନ୍ଧନ 
ନୁହେଁ ଏ' ଶାସ୍ତ୍ରୀୟ ଅନୁମୋଦିତ 
ସମଲିଙ୍ଗି ସାଥି ଆଦରି ମଣିଷ 
ସଂସ୍କୃତି ସଂସ୍କାର କରେ ବିନାଶ ||

ନାନା ଅପକର୍ମେ ଲିପ୍ତ କଳିଯୁଗ
ଭିତରେ କଳଙ୍କ ଉପରେ ଯଶ 
ଭାବ ଭକ୍ତି ଏଠି ଲୋକ ଦେଖାଣିଆ
ହୃଦୟ ହୀନ ଏ'ଯୁଗ ମଣିଷ  ||
 --------------×-----------
ବେଗୁନିଆପଡା ବ୍ଳକ୍ ,ତିରିଡ଼ା ,ଗଞ୍ଜାମ ।

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...