~: ମା' ଖୁଦୁରୁକୁଣି :~
ଶୁଣିଥିଲି କର୍ଣ୍ଣେ ସାଧବ ଘରେ ତୁ
ଥିଲୁ ଇଷ୍ଟଦେବୀ ହୋଇ
ତୋ ନାମ ସୁମରି ଯାଆନ୍ତି ସାଧବ
ବଣିଜ କରିବା ପାଇଁ
ସାତ ଭାଇରେ ଯେ ଗୋଟାଏ ଭଉଣୀ
ନାମ ଥିଲା ତଅପୋଇ
ଚାନ୍ଦ ମାଗିଲେ ବି ଆଣି ଦେଉଥିଲେ
ତା ସାଧବ ସାତ ଭାଇ
ନିଳଧ୍ବଜ ନାମେ ସେ ରାଜନ ଅଟେ
ସୁଖେ କରେ ପ୍ରଜା ପାଳନ
ମନ୍ତ୍ରି ଗୁଣନିଧି ପ୍ରଜା ସୁଖେ ସୁଖି
ସେ ରାଇଜ ସ୍ବର୍ଗ ସମାନ
ଦରିଆ ଘେରା ସେ ରାଇଜ ଭିତରେ
କେହି ଜଣେ ଦୁଃଖି ନାହିଁ
ମାଲୋ ମଙ୍ଗଳା କୃପା ଦୃଷ୍ଟିରେ ତୁ
ସଦା ରହିଥିଲୁ ଚାହିଁ
ବାଣିଜ ସମୟ ଆସି ପହଞ୍ଚିଲା
ସାଧବ ଗଲେ ଯେ ଦୂରେ
କେତେ ଦୁଃଖ ସହି ତଅପୋଇ ସେଇ
ଶରଣ ଗଲା ପୟରେ
ରାଣ୍ତି ବାହ୍ମଣିଟା ବଇରୀ ସାଜିଲା
ତଅପୋଇ ସୁଖ ଦେଖି
ସୁନାର ସଂସାର କପଟେ ଜାଳିଲା
ତଅପୋଇ ହେଲା ଦୁଃଖି
ସୁନା ଥାଳିରେ ଯେ ଖାଉଥିଲା ଭାତ
ବନସ୍ତେ ଜଗିଲା ଛେଳି
ବନସ୍ତେ ହଜିଲା ଘରମଣୀ ତାର
ଭାଉଜ ତା ଦେଲେ ଗାଳି
ଭାଦ୍ରବ ଆସିଲା କୃପା ତୋର ହେଲା
ତଅପୋଇ କଲା ବ୍ରତ
ଉଜୁଡା ଜୀବନ ସଜାଡି ତୁ ଦେଲୁ
ସପନ ହେଲା ମାଁ ସତ
ପାଞ୍ଚ ପାଳି ବ୍ରତ ପୂର୍ଣ୍ଣ କଲା ଯେବେ
ଦୁଃଖ କଷ୍ଟେ ତଅପୋଇ
ତୋ ଦୟାରୁ ମାଲୋ ବୋଇତ ଲାଗିଲା
ଫେରିଲେ ତା ସାତ ଭାଇ
ଭଉଣୀଙ୍କୁ ଘେନି ଜଙ୍ଗଲ ଭିତରୁ
ଫେରିଲେ ସାଧବ ପୁଅ
ମନ କଥା ମନେ ରଖି ସାତ ଭାଇ
ବୋଇତ ବନ୍ଦାଅ ଯାଅ
ବୋଇତର କଣେ ଅଛନ୍ତି ଯେ ଦେବୀ
ଯାଅ କର ତାଙ୍କୁ ପୂଜା
ବୋଇତ କଣରେ ହସ୍ତେ ଛୁରୀ ଧରି
ତଅପୋଇ ଦେଲା ସଜା
ସାନ ଭାଉଜକୁ ଦେଖି ତଅପୋଇ
ଖସିଲା ହାତରୁ ଛୁରୀ
ହସ ଖୁସିରେ ଯେ ଜୀବନ କାଟିଲେ
ସର୍ବେ ପୁଣି ଆଗ ପରି
ମାଆଲୋ ମଙ୍ଗଳା ଥାଉ ତୋର ଦୟା
ଏ ଅଧମ ସନ୍ତାନ ଠାରେ
ଦୋଷା ଦୋଷ ମୋର କରିଦେ ମା କ୍ଷମା
ଚାହିଁ କୃପା ନେତ୍ରେ ଥରେ
--‐------------×--------------
✍ ଜଗବନ୍ଧୁ ସାହୁ ,ଗଞ୍ଜାମ ।
No comments:
Post a Comment