Saturday, August 29, 2020

🌺 ହେ ଶ୍ରେଷ୍ଠ ପଞ୍ଜିକାର 🌺

ଜୀବନେ ଯନ୍ତ୍ରଣା ହସ ହାତଗଣା
      ଅନ୍ତରେ ଅଜସ୍ର କ୍ଷତ
ମୂକ ମୁଖଶାଳା ଜଞ୍ଜାଳର ଜ୍ୱାଳା
     ତୁନି କିଆଁ ତୁମେ ତାତ
ଜଡଠୁ ଚେତନା ସଭିଙ୍କର ଚିହ୍ନା
     ପ୍ରଭୁ ପଣେ ଜଗନ୍ନାଥ
କେଣେ ଅବହେଳା ବୁଡିଯିବ ଭେଳା
     ସ୍ରଷ୍ଟା ସ୍ପଷ୍ଟାଅ ସୁପଥ
ହୃଦୟରେ ସ୍ୱଚ୍ଛ କେ କାଞ୍ଚନ କାଚ
     ଜାଣିପାର ଅନ୍ତର୍ଯ୍ୟାମୀ
ଆତ୍ମୀୟ ଆଘାତେ ଦୁଃଖ ଅପ୍ରମିତେ
      ଅସହ୍ୟପଣେ ଅକାମୀ
ନାହିଁ ଅଭିଯୋଗ ଆହେ ମହାଭାଗ
       କଲା କରମର ଫଳ
ପ୍ରାରବ୍ଧ ସଞ୍ଚିତ କ୍ରିୟମାଣେ ଯୁକ୍ତ
     ସୁଖ ଦୁଃଖ ଯେତେ ଠୁଳ
 ପ୍ରଭୁ ହେ ସଅଳ ପ୍ରାରବ୍ଧର ଫଳ
    ଭାଗ୍ୟ ଭୋଗର ଏ ଭାର
ତୁମେ ନିରାକାର ମୁକ୍ତି ମଣ୍ଡପର
     ଅଟ ଶ୍ରେଷ୍ଠ ପଞ୍ଜିକାର
ଘେନି ନିବେଦନ ଅନାଦି ଅନନ୍ୟ
      ଜନ୍ମ ମୃତ୍ୟୁ ଚକ୍ରୁ ପାରି
କର ଭଗବାନ ଅନ୍ତରୁ ନମନ
     ଆହେ ପତିତ ଉଦ୍ଧାରି

           ଦାଶରଥି ସାହୁ , କଳମ୍ବ/ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...