Monday, August 30, 2021

● ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ! ●

ଲେଖା: ଶିଶିର ସାହୁ ମନୋଜ
ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ !
ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଅଧିକ ଆକର୍ଷିତ ହେଉଥିଵାରୁ ତଥା ଓଡ଼ିଶାର ମହାପୁରୁଷଙ୍କ ଵିଷୟରେ ସର୍ଵତ୍ର ତଥ୍ୟ ମିଳୁନଥିଵାରୁ ଵା ଵିଦ୍ୟାଳୟରେ ସେମାନଙ୍କ ସମ୍ବନ୍ଧରେ ପଢ଼ା ଯାଉନଥିଵାରୁ ଆଜିର ଯୁଵସମାଜ ସେମାନଙ୍କର କୀର୍ତ୍ତି ସମ୍ପର୍କରେ ଜାଣିପାରେ ନାହିଁ ।
ସେହିପରି ଜଣେ ସ୍ଵାଭିମାନୀ ଓଡ଼ିଆଙ୍କୁ ଏ ଜାତି କ୍ରମଶଃ ପାଶୋରି ଯିଵାକୁ ବସିଛି । ସେହି ମହାମାନଵ ହେଉଛନ୍ତି ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ୰ଶ୍ରୀ ଉଦୟନାଥ ଷଡ଼ଙ୍ଗୀ । ଉଦୟନାଥ ଷଡ଼ଙ୍ଗୀ ମହୋଦୟଙ୍କର ଜନ୍ମ ୧୯୦୫ ମସିହା ମାର୍ଚ୍ଚ ୧୬ତାରିଖରେ ଜଗତସିଂହପୁର ଜିଲ୍ଲାରେ ଅଵସ୍ଥିତ ସିପି ଗ୍ରାମରେ ହୋଇଥିଲା । ସେ ଏକ ସାଧାରଣ ପରିଵେଶ ମଧ୍ୟରେ ଜନ୍ମଲାଭ କରିଥିଲେ ମଧ୍ୟ ଵିରଳ କାଵ୍ୟପ୍ରତିଭାର ଅଧିକାରୀ ହୋଇଥିଲେ ।
ଵାଲ୍ୟକାଳରେ ତାଙ୍କ ସୁଗୁଣ କ୍ରମେ ଵିକଶିତ ହେଵାକୁ ଲାଗିଲା ଏଵଂ ଵୟସ ଵୃଦ୍ଧି ସହ ଉଦୟନାଥଙ୍କ ହୃଦୟରେ ଦେଶପ୍ରେମ ଵୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଚରମ ସ୍ତରରେ ପହଞ୍ଚିଯାଇଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶଯାକର ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ଉଦୟନାଥ ମଧ୍ୟ ତନ୍ମଧ୍ୟରେ ଜଣେ ଥିଲେ ଏଵଂ ତାଙ୍କ ଘଟଣା ବହୁଳ ଜୀବନର ଏକ ଅଧ୍ୟାୟ ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଅଳକାଶ୍ରମରୁ ଆରମ୍ଭ ହୋଇଥିଲା । ଅଳକାଶ୍ରମରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ଧନ୍ଦାମୂଳକଶିକ୍ଷା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯାଉଥିଲା । ଏଠାରେ ରହି ଉଦୟନାଥ ଏସବୁ ଶିକ୍ଷାକୁ ଜୀଵନର ଵ୍ରତ ରୂପେ ଗ୍ରହଣ କରିନେଲେ । ପରଵର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ଉଦୟନାଥ ଷଡ଼ଙ୍ଗୀ, ବକୁଳଵନର ଛୁରୀଅନା କୁଞ୍ଜ ତଳେ ଗଢ଼ି ଉଠିଥିଵା ସତ୍ୟଵାଦୀ ଵନଵିଦ୍ୟାଳୟର ଛାତ୍ର ହୋଇଥିଲେ ।
ସେତେବେଳେ ଆଚାର୍ଯ୍ୟ ହରିହରପଣ୍ଡିତ ନୀଳକଣ୍ଠ ଦାସଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ଯୋଗଜନ୍ମା, ଜ୍ଞାନୀ, ଗୁଣୀ ଓ ସାରସ୍ୱତ ସାଧକମାନଙ୍କ ସଂସ୍ପର୍ଶରେ ଆସି ଶ୍ରୀଉଦୟନାଥଙ୍କ ଜୀଵନର ଗତିପଥ ବଦଳିଯାଇଥିଲା । ପରେ ସମାଜ ସମ୍ପାଦକ ରାଧାନାଥ ରଥଙ୍କ ସାହଚର୍ଯ୍ୟ ତାଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଆଗକୁ ବଢ଼ିଵା ପାଇଁ ଵିଶେଷ ପ୍ରେରଣା ଦେଇଥିଲା ।
ତେବେ ଶ୍ରୀ ଉଦୟନାଥ ଷଡ଼ଙ୍ଗୀ କେଵଳ କବି ନୁହଁନ୍ତି, ଜଣେ ସଚ୍ଚା ସ୍ୱାଧିନତା ସଂଗ୍ରାମୀ, ଉଚ୍ଚ ଧରଣର ସ୍ତମ୍ଭକାର, ପ୍ରଖ୍ୟାତ ସାମ୍ବାଦିକ, ଵିଶିଷ୍ଟ ଅନୁଵାଦକ ଭାବେ ସେ ଖ୍ୟାତି ଅର୍ଜ୍ଜନ କରିଅଛନ୍ତି । ସେ ଜଣେ ସଫଳ ଅନୁଵାଦକ ଭାବେ ଅନୁଦିତ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତାର ପ୍ରମାଣ ଛାଡି଼ଯାଇଛନ୍ତି । ସେ ଵିଭିନ୍ନ ଭାଷାର ସାହିତ୍ୟକୁ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।ତାଙ୍କ ଅନୁଦିତ ପୁସ୍ତକ ମଧ୍ୟରେ ଆରବ୍ୟ ରଜନୀ, ଇଦ୍ ପର୍ଵ, ଆଲିବାବା, ସିନ୍ଦ୍ ବାବା, ଗୌତମ ବୁଦ୍ଧ ଆଦି ଉଲ୍ଲେଖ ଯୋଗ୍ୟ । କିନ୍ତୁ ଅନୁଵାଦ ସାହିତ୍ୟ ହୋଇଥିଲେ ବି “ଟମ୍ କକାଙ୍କ କୁଟୀର” ଉପନ୍ୟାସ ପାଇଁ ଶ୍ରୀଉଦୟନାଥ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ । ଷ୍ଟୋବେ”ଙ୍କ ଲିଖିତ “Uncle Tom’s Cabin”ର ଓଡ଼ିଆଭାଷାରେ ଏହା ଭାଵାନୁଵାଦ ଏଵଂ ଏହାର କଥାନକ ଆମେରିକୀୟ ଦାସପ୍ରଥା ଉପରେ ଆଧାରିତ ଥିଲା । ଏହି ଉପନ୍ୟାସ ତାଙ୍କଦ୍ଵାରା ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇଯାଏ । ସେ “କୋନାନ ଡଏଲ”ଙ୍କ ଲିଖିତ ଇଂରାଜୀ ବହି “Valley of Fears”କୁ ମଧ୍ୟ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।
ଶ୍ରୀ ଉଦୟନାଥ ଷଡ଼ଙ୍ଗୀ କେତେକ ଜାତୀୟତାଵାଦୀ ଓ ଦେଶାତ୍ମବୋଧକ କଵିତା ଲେଖିଛନ୍ତି କିନ୍ତୁ ସେ ଜଣେ ଶିଶୁସାହିତ୍ୟିକ ଭାବେ ଵିଶେଷ ଲୋକପ୍ରିୟ ହୋଇଥିଲେ । ଯେଉଁମାନେ ତାଙ୍କ ଶିଶୁ ସାହିତ୍ୟ ସହିତ ପରିଚିତ ସେମାନେ କୁହନ୍ତି ତାହା ଅତ୍ୟନ୍ତ ରସଯୁକ୍ତ ଓ ପ୍ରାଣଵନ୍ତ, ତାଙ୍କର ଶିଶୁକଵିତା ପାଠକରି ଵା ଶୁଣି ଶିଶୁପ୍ରାଣ ଆତ୍ମହରା ଉଠିଵ । ଯଥାର୍ଥରେ ସେ ଥିଲେ ଶିଶୁପ୍ରାଣର ଆଶା, ଆକାଂକ୍ଷା ଓ ସୁଖଦୁଃଖର ସାର୍ଥକ ରୂପକାର ।
ଶ୍ରୀ ଉଦୟନାଥ ଷଡ଼ଙ୍ଗୀଙ୍କର ଟୁଉକୁମୂଷି, ଚକାଚକା ଭଉଁରୀ, ଜହ୍ନମାମୁଁ, କଥା କବିତା,ବିଲୁଆନନାର ବାହାଘର, ମିନିର ମନକଥା, ତେଲ ଲୁଣର ସଂସାର, ଓଡ଼ିଶାର ଇତିହାସ କଥା, ଭାରତର ଇତିହାସ କଥା, ପରୀରାଇଜ, ଜଳଜନ୍ତୁ ସିରିଜ୍, ଆମ ଗ୍ରହ-ଉପଗ୍ରହ, ଏମାନଙ୍କୁ ଜାଣିରଖ, ତେଲ ଲୁଣର ସଂସାର, ଜାଣିଵା କଥା ଓ ବିଚିତ୍ର ପଶୁ ଆଦି ପୁସ୍ତକ ଵିଶେଷ ଜନାଦୃତ ହୋଇଥିଲା । ତାଙ୍କର ଆତ୍ମଜୀଵନୀ “ଗାନ୍ଧି ମହାରାଜାଙ୍କ ଶିଷ୍ୟ”ରେ ତାଙ୍କ ଜୀଵନରେ ଅନେକ ଅଜଣା କଥା ଜାଣିଵାକୁ ମିଳିଥାଏ ‌ ।
ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ଉଦୟନାଥ ଷଡ଼ଙ୍ଗୀ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।
ଶ୍ରୀ ଷଡ଼ଙ୍ଗୀଙ୍କର ୧୯୯୯ ମସିହା ଜାନୁୟାରୀ ୮ ତାରିଖରେ ତିରୋଧାନ ହୋଇଯାଇଥିଲା । ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ଆଜି ଆଉ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଉଦବୋଧନୀ ଵା ଦେଶାତ୍ମବୋଧକ କଵିତା ଓ ଅନ୍ୟାନ୍ୟ ସାହିତ୍ୟିକ କୃତି ଓଡ଼ିଆ ଜାତିର ଅସ୍ତିତ୍ବ ଥିଵା ଯାଏଁ ଅମର ରହିଥିଵ ।
ମୁକର ପତ୍ରିକାରେ ବହୁ ଵର୍ଷ ତଳେ ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀଙ୍କର ଗୋଟିଏ ଜାତୀୟତାଵାଦୀ କଵିତା “ଭାସିଯାଆ ମୋର ବୋଇତ” ପ୍ରକାଶିତ ହୋଇଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା…
ଭାସିଯାଆ ମୋର ବୋଇତ ~
(କଵି—୰ଶ୍ରୀ ଉଦୟନାଥ ଷଡ଼ଙ୍ଗୀ)
(୧)
ଭାସିଯାଆ ମୋର ବୋଇତ ଭାସି ଯାଆରେ ଖରେ,
ଭେଟିବୁ ଓଡ଼ିଆ ବଣିକେ ଏହି ଦରିଆ ପାରେ ।
ଦେଖିବୁ କେତେ ଯେ ବୋଇତ ଜାଭା ବୋର୍ଣ୍ଣିଓ କୂଳେ,
ଚିହ୍ନିବୁ ଵିଜୟୀ-ବଣିକେ, ତୋର ଭାଇ ସକଳେ ।
ଚାରୁଶିଳ୍ପ-ଭୂଷା-ଉତ୍ତୁଙ୍ଗ ପାଲ ଦେଖିବୁ ଯହିଁ
ଜାଣିବୁ ସେ ପୋତ ଗଢି଼ଛି ତୋର ଓଡ଼ିଆ ଭାଇ ।
କାନ୍ଦି କନ୍ଦାଇବୁ ବଣିକେ ଓଡ଼ିଶାର ସର୍ଵସ୍ଵ
ତାଙ୍କ ଵିନେ ମାତା କାଙ୍ଗାଳୀ, ସୁଧା ହୋଇଛି ଵିଷ !
(୨)
ଭାସିଯାଆ ମୋର ତରୀଟି ଟେକି ତୋ କ୍ଷୁଦ୍ର ପାଲ,
ଭେଟିବୁ ସେ ଦେଶ, ଯେ ଦେଶେ ଗଲେ ଓଡ଼ିଆ-ଵୀର ଖାରବେଳ,
ଐର ସମ୍ରାଟ ମାତା ମୁକୁଟ-ମଣି,
ଦଳିଥଲେ ପରା ସଦର୍ପେ ପଞ୍ଚନଦ-ଵାହିନୀ ।
ପଵିତ୍ର ଗାଙ୍ଗେୟ ପ୍ରଦେଶୁଁ ଦୂର କୁମାରୀ ଯାଏ,
ଉଡା଼ଇଲେ ଜୟ-କେତନ ତୋର ଯୋଗୁଁ ନିର୍ଭୟେ ।
ଧନ-ରତ୍ନ ପୂର୍ଣ୍ଣ ବନ୍ଦର ଉଚ୍ଚେ ଟେକିଲେ ମଥା,
ଆଜି ବାୟୁ ସଙ୍ଗେ କେଵଳ ଯହିଁ ଖେଳେ ସିକତା ।
(୩)
ଭାସିଯାଆ ମୋର ବୋଇତ ପଛେ ନ ଚାହାଁ ଫେରି,
ମର-ବଇକୁଣ୍ଠ ହୋଇଛି ଆଜି ଵିଗତ-ଶିରୀ ।
ଏହି ତ ସେ ଦେଶ, ଯେ ଦେଶେ କାଞ୍ଚି-କାଞ୍ଚନ-ଜେମା,
ଜିଣି ଆଣିଥିଲେ ଵିଜୟୀ, ଦୂରୁଁ ମର୍ତ୍ତ୍ୟର ରମା ।
ଏହି ସେ ଚିଲିକା ଯା ଵକ୍ଷ ଶତ ଓଡ଼ିଆ ତରୀ,
ଭସୁଥିଲା ଦିନେ ଉଲ୍ଲାସେ ଜୟ-କେତନ ଧରି ।
ସାଧଵାଣୀ ମନ ପୁଲକେ ଆଣି ଅରଘଥାଳୀ,
ନେଉଥିଲା ବଇତେ ଘରେ ବନ୍ଦାଇ ତରୀ ।
(୪)
ଭାସିଯାଆ ମୋର ବୋଇତ ନୋହି ନିରାଶ ତିଳେ,
ଅସିଵ ସେଦିନ, ପୂଜିଵେ ତୋତେ ଓଡି଼ଆ-ଵୀରେ ।
ଉଠିଵ ଓଡ଼ିଶା ଆକାଶେ ଵୀର ଓଡି଼ଆ ଗାନ,
ଉଡି଼ଵ ପଵନ ଲହରେ ତୋର ଜୟ-କେତନ ।
ନିଳାମ୍ବୁ -ଚିଲିକା ହରଷେ ଦିନେ ଉଠିଵ ନାଚି,
ଭାସିଵ ସହସ୍ର ବୋଇତ ଭାଙ୍ଗି ସାଗର ଵୀଚି ।
ଓଡି଼ଆ-ଗୌରଵ-ଭଣ୍ଡାର କୋଣାରକ ତ ଦିନେ,
ତେଜି ଜୀର୍ଣ୍ଣଵପୁ ହସିଵ ସେହି ଦୂର-ପୁଳୀନେ ।
ଖଣ୍ଡ ଖଣ୍ଡ ଵପୁ ତାହାର ଏକ ହୋଇଵ ମିଶି,
ଭାଇ ଭାଇ ଘରେ ଆସିଵ କୋଳ କରିଵ ହସି ।
ଗାଇବ ଵିଜୟ-ସଙ୍ଗୀତ ଉଚ୍ଚେ ଓଡ଼ିଆ ଭାଟ,
ବୋହିଵ ଓଡ଼ିଆ ଵାହୁରେ ପୂର୍ଵ ଶୋଣିତ ସ୍ରୋତ ।
ଭାସିଯାଆ ମୋର ବୋଇତ ଭାସିଯାଆ ମଉନେ,
ସେତେବେଳେ ବାନ୍ଧି ଆଣିବି ମୁହିଁ ପୁଲକ ପ୍ରାଣେ ।

Sunday, August 22, 2021

କଂସର ଘରଣୀ ପଦ୍ମାଵତୀ ରାଣୀ....ଏହି ପଦ୍ମାଵତୀ ରାଣୀ କିଏ...

🟠🟠🟠🟠🟠🟠🟠🟠🟠🟠🟠🟠
କଂସର ଘରଣୀ ପଦ୍ମାଵତୀ ରାଣୀ....
ଏହି ପଦ୍ମାଵତୀ ରାଣୀ କିଏ...
🟠🟠🟠🟠🟠🟠🟠🟠🟠🟠🟠🟠

ପାଟଣାଗଡ଼ ନିଵାସୀ ଲେଖକ ❝କୋକିଳ ମେହେର❜❜ ତାଙ୍କ ❛କୁଆଁରୀପାଟଣା❜ ପୁସ୍ତକରେ ❛ପଦ୍ମାଵତୀରାଣୀ❜ଙ୍କ କାହାଣୀ ଲେଖିଛନ୍ତି । ତାଙ୍କ ଅନୁସାରେ ୫୬ ଖ୍ରୀଷ୍ଟପୂର୍ଵରେ ❛ଶତ୍ରୁଘାତି❜ ବୋଲି ଜଣେ ରାଜା ପାଟଣାଗଡ଼ର ❛❛ସୁଵର୍ଣ୍ଣରେଖା ନଦୀ❜❜(ଏହା ଉତ୍ତର ଓଡ଼ିଶାର ସୁବର୍ଣ୍ଣରେଖା ନଦୀ ନୁହେଁ) ତଥା ସେହି ବ୍ଳକ ଅନ୍ତର୍ଗତ ❛ବଂଞ୍ଜାରି❜ ନିକଟସ୍ଥ ❛❛ମାୟାଵତୀ❜❜ ନଦୀ ଉପରେ ୫୨ଖଣ୍ଡ ଗାଆଁକୁ ନେଇ ❛❛ବାବନୀ ରାଜ୍ୟ❜❜ ଗଠନ କରିଥିଲେ କିନ୍ତୁ ସେ ରାଜା ଅପୁତ୍ରିକ ଥିଵାରୁ ପରେ ଉକ୍ତ ରାଜ୍ୟରେ ଵିଵାଦ ଉପୁଜିଲା ।

ଜାତିରେ କଣ୍ଡରା ❛❛ମଧୁ ମାହାର ଓ ତାଙ୍କ ସ୍ତ୍ରୀ ପଦ୍ମାଵତୀ ମାହାର❜❜ ସେ ସମୟରେ ବାବନୀ ରାଜ୍ୟରେ  ତନ୍ତ୍ରଵିଦ୍ୟାରେ କୁଶଳ ଥିଲେ । ମଧୁ ମାହାର ଯୋଜନା କରି ତନ୍ତ୍ର ବଳରେ ସେ ରାଜ୍ୟର ପାତ୍ର ମନ୍ତ୍ରୀ ଓ ଧନୀକ ଲୋକଙ୍କୁ ବଶୀଭୂତ କରି ରାଜା ହେଲେ ତଥା ମାହାର ବଂଶ ସ୍ଥାପନା କଲେ । ଏହି ମଧୁ ମାହାରଙ୍କ ସ୍ତ୍ରୀଙ୍କ ନାମ ପଦ୍ମାଵତୀ ଥିଲା ବୋଲି କୋକିଳ ମେହେର ଉଲ୍ଲେଖ କରିଛନ୍ତି ।

ପୁସ୍ତକରେ ଉଲ୍ଲେଖିତ କଥା ଅନୁସାରେ ବାବନୀ ରାଜ୍ୟର ରାଜା ହେଵାପରେ ଥରେ ରାଜା ମଧୁ ମାହାରଙ୍କୁ ମାରି ଦେଵାକୁ କିଛି ମନ୍ତ୍ରୀ ଚେଷ୍ଟା କରି ଵିଫଳ ହେଲେ । ତାନ୍ତ୍ରିକ ରାଜା ସେମାନଙ୍କୁ ସେମାନଙ୍କ ପରିଵାରଜନଙ୍କ ଅନୁନୟ ଵିନୟ ଯୋଗୁଁ ଛାଡି଼ଦେଲେ ‌‌ । 

କିଛି ଵର୍ଷପରେ କେତେକ ମନ୍ତ୍ରୀଙ୍କ ମନ୍ତ୍ରଣାରେ ରାଜା ମଧୁ ମାହାର ଲୋକଙ୍କ ଉପରେ କର ବସାଇଲେ ଫଳତଃ ରାଣୀ ପଦ୍ମାଵତୀଙ୍କ ଅଲୌକିକ ଶକ୍ତି ହ୍ରାସ ହେଲା ଉଦାହରଣ ସ୍ୱରୂପ ପୂର୍ଵେ ସେ ପଦ୍ମ ପତ୍ର ଉପରେ ଚାଲି ପାରୁଥିଲେ କିନ୍ତୁ  ରାଜାଙ୍କଦ୍ଵାରା ଜନତାଙ୍କ ଶୋଷଣ ହେଵାପରଠାରୁ ତାଙ୍କର ସେ ଶକ୍ତି ହ୍ରାସ ପାଇଥିଲା । ରାଣୀ ପଦ୍ମାଵତୀ ଏହା ଜାଣିପାରି ରାଜା ମଧୁ ମାହାରଙ୍କୁ ଆଉ କର ଲଗେଇଵାକୁ ବାରଣ କଲେ ଏଵଂ ଜନତାଙ୍କଠାରୁ ତଣ୍ଟିଚିପି ଆଣିଥିଵା ଅର୍ଥ ଫେରାଇ ଦେଲେ । 

❛❛କୁଆଁରୀପାଟଣା❜❜ ପୁସ୍ତକରେ ❛❛କୋକିଳ ମେହେର❜❜ ସମ୍ଭଵତଃ ଇତିହାସ ଓ କିମ୍ବଦନ୍ତୀ କିଂଵା ଲୋକଗପର ସମିଶ୍ରଣରେ ପଦ୍ମାଵତୀରାଣୀ କାହାଣୀ ଲେଖି ଥାଇପାରନ୍ତି କିନ୍ତୁ ଏହି ❛ରାଣୀପଦ୍ମାଵତୀ❜ଙ୍କ ସହ ❛ପଦ୍ମତୋଳା❜ର କ'ଣ ସମ୍ପର୍କ ତାହା ସେ ସ୍ପଷ୍ଟ କରିପାରିନାହାନ୍ତି ।

କେଳାମାନେ ❛❛ପଦ୍ମତୋଳା ଗୀତ❜❜ରେ ପଦ୍ମାଵତୀ ରାଣୀଙ୍କ ନାମ ନିଅନ୍ତି କିନ୍ତୁ କେଳାଗୀତର ପଦ୍ମାଵତୀ ରାଣୀ ଓ  କିମ୍ବଦନ୍ତୀର ତନ୍ତ୍ରସାଧିକା ପଦ୍ମାଵତୀ ରାଣୀ ଏକ କି ଭିନ୍ନ ଭିନ୍ନ ସେ  ସମ୍ବନ୍ଧରେ ଲେଖକ କୌଣସି ଆଲୋଚନା କରିନାହାନ୍ତି ।

ତେବେ କେଳାମାନେ ସାପ ଧରିଵା କିଂଵା ସାପ ଖେଳାଇଵା ନିମନ୍ତେ ପଦ୍ମତୋଳା ଗୀତ ଗାଆନ୍ତି । କେଳାମାନଙ୍କର ଵିଶ୍ଵାସ ଯେ ଶ୍ରୀକୃଷ୍ଣ ପ୍ରଥମେ ❛ପଦ୍ମତୋଳାର❜ ପଦ ମାନ ଆଵିଷ୍କାର କରିଥିଲେ ଏଵଂ ସେ ପଦ୍ମତୋଳା ବୋଲି କାଳୀୟ ହ୍ରଦ ଵା ଯମୁନାରୁ ପଦ୍ମ ତୋଳିଥିଲେ ଏବଂ କାଳୀୟ ନାଗକୁ ଦମନ କରିଥିଲେ ।
ଏଣୁ ଏହି ଗୀତର ନାମ ପଦ୍ମତୋଳା ହୋଇଥିଵା ଅନୁମାନ କରାଯାଏ ।  ଶ୍ରୀକୃଷ୍ଣ ସର୍ଵପ୍ରଥମେ ପଦ୍ମତୋଳା ଗୀତ ବୋଲି କାଳୀୟ ସର୍ପକୁ ଆୟତ୍ତ କରିଥିଵାରୁ ପଦ୍ମତୋଳାରେ କ୍ରମେ ଶ୍ରୀକୃଷ୍ଣଙ୍କ ଚରିତ ଵର୍ଣ୍ଣିତ ହେଵାର ପ୍ରଥା ଆରମ୍ଭ ହୋଇଅଛି । 

କେଳାମାନଙ୍କର ଗୀତରେ ପଦ୍ମାଵତୀ ରାଣୀଙ୍କ ନାମ ସହିତ ଶ୍ରୀକୃଷ୍ଣଙ୍କ ନାମ ନିଆଯାଇ ଏହିପରି ଗୀତ ବୋଲାଯାଏ...

❛❛କଂସର ଘରଣୀ ପଦ୍ମାଵତୀ ରାଣୀ
ସେ କଲେ ଧନନ୍ତିରି ଓଷା
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
ନଥିଵ ପାଖୁଡ଼ା ମିଶା
କି ଗୋଵିନ୍ଦ ହରେ ।

ନିତେଇ ଧୋବଣୀ
ସୁକୁଟୀ ଚମାରୁଣୀ
ବାଙ୍କି କେଉଟୁଣୀ
ପତ୍ର ସଉରୁଣୀ
ଚାରି ଗୁରୁସର୍ପ 
ଖେଳାଉଛି ତୋତେ
କି ଗୋଵିନ୍ଦ ହରେ...

ମାତା ଗୋ ଯଶୋଵନ୍ତୀ
ଗୋପରେ ଜାତ ହେଲେ
ଶତ୍ରୁକୁ କେମନ୍ତେ ମାରିଵା
କି ଗୋଵିନ୍ଦ ହରେ...

ମଞ୍ଚାରୁ ପଡ଼ି ମାମୁଁ ମଲା
ମୋତେ ତ ଦଇଵ ରଖିଲା
ମାମୁଁର ଲାଗି ମାଇଁ
କାନ୍ଦୁଛୁ କାହିଁ ପାଇଁ
ମାମୁଁର ବଦଳି ମୁହିଁ
କି ଗୋଵିନ୍ଦ ହରେ...
                                                              
କଂସରଘରଣୀ                          
ପଦ୍ମାବତୀରାଣୀ                           ସେ କଲେ ଧନନ୍ତିରି ଓଷା
                                                                ଆ ... ଆ ...
ଲକ୍ଷେ ଭାର ପଦ୍ମ ଦେବୁ 
କି କହ୍ନାଇ                                
ନଥିବ ପାଖୁଡ଼ା ମିଶା                                 
କି ଗୋବିନ୍ଦ ହରେ ।❜❜
                                                             କେଳାମାନଙ୍କର ପ୍ରୋକ୍ତ ପଦ୍ମତୋଳା ଗୀତରେ କୁହାଯାଉଛି ଯେ “କଂସର ଘରଣୀ ପଦ୍ମାଵତୀ ରାଣୀ" କିନ୍ତୁ କଂସର ସ୍ତ୍ରୀଙ୍କ ନାମ ପଦ୍ମାଵତୀ ରାଣୀ କି ? 

ସଂସ୍କୃତ ମହାଭାରତ ଅନୁସାରେ ମଗଧ ନରେଶ ଜରାସନ୍ଧର ଦୁଇଜଣ କନ୍ୟା ❛ପ୍ରାପ୍ତି❜ ଓ ❛ଅସ୍ତି❜ ସହିତ ❛କଂସ❜ର ଵିଵାହ ହୋଇଥିଲା । କଂସ ଵଧପରେ କଂସର ସ୍ତ୍ରୀମାନେ ପିତୃଗୃହକୁ ଯାଇ ତାଙ୍କ ପିତା ❛ଜରାସନ୍ଧ❜ ଆଗରେ ମଥୁରାରେ ଘଟିତ ପୂର୍ଵ ଘଟଣା ପ୍ରକାଶ କରିଥିଲେ ।

ଏଥିରୁ ସ୍ପଷ୍ଟ ହୁଏ ଯେ କଂସର ସ୍ତ୍ରୀ ନାଆଁ ପଦ୍ମାଵତୀ ନୁହେଁ ଏଵଂ କଂସର ଗୋଟିଏ ନୁହେଁ ଵରଂ ଦୁଇପତ୍ନୀ ଥିଲେ ।  ତେବେ ବରଗଡ଼ ଧନୁଯାତ୍ରା ସମୟରେ ଜନୈକା ରାଣୀଙ୍କର ନାମ ପଦ୍ମାଵତୀ ହୋଇଥାଏ । ଏହି ମୁକ୍ତ ରଙ୍ଗମଞ୍ଚରେ ପ୍ରତିଵର୍ଷ ମହାରାଣୀ ପଦ୍ମାବତୀଙ୍କୁ ଧନ୍ୱନ୍ତରୀ ଓଷା କରିଵାକୁ ଦେଵର୍ଷି ନାରଦ ଉପଦେଶ ଦେଉଥିଵା ଅଭିନୀତ ହୋଇଥାଏ  । ପ୍ରକୃତରେ ମଥୁରାର ରାଜା ଉଗ୍ରସେନଙ୍କ ରାଣୀ ତଥା କଂସର ଜନନୀଙ୍କ ନାମ ପଦ୍ମାଵତୀ ଥିଲା । କେଳାମାନଙ୍କ ଦ୍ଵାରା ଗାୟନ କରାଯାଉଥିଵା ପ୍ରୋକ୍ତ ❛❛କଂସର ଘରଣୀ ପଦ୍ମାଵତୀ ରାଣୀ କଲେ ଧନନ୍ତରୀ ଓଷା❜❜ ପଦର ଅର୍ଥ ତେଣୁ ହେଵ ❛❛କଂସର ଘରଣୀ ପ୍ରାପ୍ତୀ ଓ ଅସ୍ତି ତଥା କଂସର ମାତା ମହାରାଣୀ ପଦ୍ମାଵତୀ ଧନ୍ଵନ୍ତରୀ ଓଷା❜❜ କଲେ ।

କିନ୍ତୁ  ❛❛କଂସର ଘରଣୀ ପଦ୍ମାଵତୀ ରାଣୀ❜❜ ପଦରେ ଜାଣିଶୁଣି ❛ପଦ୍ମାଵତୀ❜ ନାମର ପ୍ରୟୋଗ କରାଯାଏ । 

କେତେକ ଗଵେଷକ କୁହନ୍ତି କେଳାମାନେ ମନୁଷ୍ୟମାନଙ୍କୁ ସର୍ପମାନଙ୍କଠାରୁ ରକ୍ଷାକରୁଥିଵା ❛❛ପଦ୍ମାଵତୀ ଦେଵୀ❜❜ଙ୍କୁ ସ୍ମରଣ କରିଵା ହେତୁକ ଜାଣିଶୁଣି ପଦ୍ମତୋଳା ଗୀତରେ ତାଙ୍କ ନାମ ନେଇଥାନ୍ତି । 

❛❛ମନସା ଦେଵୀ❜❜ଙ୍କର ଅନ୍ୟନାମ ହେଉଛି ପଦ୍ମାଵତୀ । ❛❛ପୁରାଣରେ କୁହାଯାଇଛି ଯେ ଏହି ପଦ୍ମାଵତୀ ଵା ମନସା ଦେଵୀ କଶ୍ଯପଙ୍କ ଔରସରେ କଦ୍ରୁଙ୍କ ଗର୍ଭରେ ଜାତ କନ୍ୟା ଅଟନ୍ତି । ଏହି ମନସା ଵା ପଦ୍ମାଵତୀ ଦେଵୀ ହେଉଛନ୍ତି ଅନନ୍ତ, ବାସୁକି ନାଗଙ୍କ ଭଉଣୀ, ଜରତ୍କାରୁ ଋଷିଙ୍କ ପତ୍ନୀ ଓ ଆସ୍ତୀକ ମୁନିଙ୍କ ମାତା । ପୁରାଣ କହେ ମନସା ଦେଵୀଙ୍କ ଉପରେ କ୍ରୁଦ୍ଧ ହୋଇ ଜଗତ୍କାରୁ ଋଷି ତାଙ୍କୁ ଅନ୍ତଃସତ୍ବା ଅବସ୍ଥାରେ ପରିତ୍ଯାଗ କରି ଚାଲି ଗଲେ । ଆସ୍ତିକ ମୁନି ଏହି ମନସା ଵା ପଦ୍ମାଵତୀ ଦେଵୀଙ୍କ ପୁତ୍ର । ପଦ୍ମାଵତୀ ଵା ମନସା ଦେଵୀଙ୍କ ପୁତ୍ର ଆସ୍ତିକ ମୁନୀ ତକ୍ଷକ ନାଗକୁ ଜନମେଜୟଙ୍କ ସର୍ପଯଜ୍ଞରୁ ରକ୍ଷା କରି ଥିଲେ ।❜❜

ମନସା ଦେଵୀ ସର୍ପମାନଙ୍କଠାରୁ ମନୁଷ୍ଯମାନଙ୍କୁ ରକ୍ଷା କରୁଥିଵାରୁ ମାନଵ ସମାଜରେ ଦେଵୀ ରୂପେ ପୂଜିତା ହୋଇଥାନ୍ତି ।  ଦେଵୀ ମନସାଙ୍କ ପ୍ରିୟ ଵୃକ୍ଷ କଣ୍ଟା ସିଝୁ ହୋଇଥିଵାରୁ ସିଝୁ ଫୁଲ ଦେଵୀଙ୍କୁ ଅର୍ପଣ କରାଯାଏ । ସମ୍ଭଵତଃ ଏଥିପାଇଁ ଉତ୍ତର ଓଡ଼ିଶାରେ ❛ମନସା❜ ଶବ୍ଦଟି ❛ସିଝୁ ଗଛ❜ର ନାମ ଭାବରେ ଵ୍ୟଵହାର ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

❛❛ମନସା ଦେଵୀଙ୍କର ପୂଜା  ଶ୍ରାଵଣ କୃଷ୍ଣପଞ୍ଚମୀରେ ଅନୁଷ୍ଠିତ ହୋଇଥାଏ ଏଵଂ ଏହି କୃଷ୍ଣପଞ୍ଚମୀକୁ ମନସା ପଞ୍ଚମୀ ମଧ୍ୟ କହିଥାନ୍ତି ।❜❜

❛❛କେଉଁଠି କେଉଁଠି  ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ନାଗ ପଞ୍ଚମୀ ଅନୁଷ୍ଠିତ ହୋଇଥାଏ ।
ତେବେ ଦେଵୀ ପୁରାଣମତେ ଆଷାଢ଼ କୃଷ୍ଣପଞ୍ଚମୀକୁ ନାଗ ପଞ୍ଚମୀ କୁହାଯାଇଥାଏ । ଏ ଦିନ ଅଷ୍ଟନାଗ ଵା ତ୍ରୟୋଦଶ ନାଗ ସିଝୁଗଛମୂଳେ ପୂଜା କରାଯାଏ । ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଏ ଓ ଖିଆଯାଏ । ଲୋକଵିଶ୍ଵାସ ରହିଛି ଯେ ଵିଧିଵିଧାନ ପୂର୍ଵକ ନାଗପଞ୍ଚମୀ ପୂଜାକଲେ ଵର୍ଷକ ପାଇଁ ସର୍ପଭୟ ରହେ ନାହିଁ ।❜❜

ପୂର୍ଵକାଳରେ ଏହି ମନସା ଵା ପଦ୍ମାଵତୀ ଦେଵୀଙ୍କର ପୂଜା ସମାଜରେ ଵିଶେଷ ଜନାଦୃତ ହୋଇଥିଲା ଫଳତଃ ଜୈନ ଧର୍ମ ଓ ତତ୍ ସମ୍ବନ୍ଧୀୟ ଗ୍ରନ୍ଥରେ ମଧ୍ୟ ଏହି ଦେଵୀଙ୍କୁ ସ୍ଥାନ ମିଳିଛି ।

❛❛ଜୈନଧର୍ମ ସମ୍ବନ୍ଧୀୟ ମହାପୁରାଣରେ ଜଣେ ପଦ୍ମାଵତୀଦେଵୀଙ୍କର କଥା ମିଳିଥାଏ । ସେ ତୀର୍ଥଙ୍କର ପାର୍ଶ୍ଵନାଥଙ୍କର ଶାସନଦେଵୀ ଥିଲେ । ପୂର୍ଵଭଵର ସର୍ପିଣୀ ପର୍ଯାୟ ମଧ୍ୟରେ ନିଜ ପତି ସର୍ପ ସହିତ ଇଏ ଯେଉଁ କାଷ୍ଠଖଣ୍ଡରେ ବସିଥିଲେ ସେହି କାଷ୍ଠଖଣ୍ଡକୁ  ମହୀପାଳ ନାମକ ଜଣେ ରାଜା ନିଜ ତାପସ ଅଵସ୍ଥାରେ ତପସ୍ଯା ହେତୁକ  କୁରାଢି଼ ଦ୍ଵାରା କାଟିଵା ଆରମ୍ଭ କରିଦେଲେ । ସେ ସମୟରେ ମହୀପାଳଙ୍କର ଦୌହିତ୍ର କୁମାର ପାର୍ଶ୍ଵନାଥ ବଗ ସେଠାରେ ଉପସ୍ଥିତ ଥାଆନ୍ତି । ପାର୍ଶ୍ବନାଥ ମହୀପାଳଙ୍କୁ କାଷ୍ଠ କାଟିଵାକୁ ବାରଣ କରନ୍ତେ ସେ ତାହା ନମାନି କାଷ୍ଠଖଣ୍ଡକୁ ଚିରି ତହିଁ ମଧ୍ୟରେ ଦୁଇ କ୍ଷତଵିକ୍ଷତ ସର୍ପଦମ୍ଫତ୍ତିଙ୍କୁ ପାଇଲା । ପାର୍ଶ୍ଵନାଥ ସେହି ସର୍ପଯୁଗଳଙ୍କୁ  ନମସ୍କାର ମନ୍ତ୍ର ଶୁଣାଇ ଧର୍ମୋପଦେଶ ଦେଲେ ଫଳତଃ ପରଵର୍ତ୍ତୀ ପର୍ଯାୟରେ ଏହି ସର୍ପଯୁଗଳ ଭଵନଵାସୀ ଦେଵ ଓ ଦେଵୀ ହେଲେ । ସର୍ପିଣୀ ପଦ୍ମାଵତୀଦେଵୀ ତଥା ସର୍ପ ଧରଣେନ୍ଦ୍ର ଵିଦିତ ହେଲେ  । କୁହାଯାଏ ପରେ ଯେତେବେଳେ ପାର୍ଶ୍ଵନାଥ ଥରେ ତପଶ୍ଚର୍ଯ୍ୟାରେ ଲୀନ ଥିଲେ ସେହି ସମୟରେ କମଠ-ମହୀପାଳଙ୍କ ଜୀଵ ଶମ୍ବର ଦେଵଙ୍କ ଦ୍ଵାରା ତାଙ୍କ ଉପରେ କରାଯାଇଥିଵା ଘୋର ଉପସର୍ଗର  ନିଵାରଣ ଏହି ଦୁଇ ଦେଵାଦେଵୀ କରିଥିଲେ  । ସେଵେଠାରୁ ଏହି ପଦ୍ମାଵତୀ ଦେଵୀ ମାତୃଦେଵୀ ରୂପରେ ଜୈନମାନଙ୍କ ଦ୍ଵାରା ପୂଜା ପାଇଵାକୁ ଲାଗିଲେ ବୋଲି ଜୈନ ମହାପୁରାଣରେ ଵର୍ଣ୍ଣିତ ହୋଇଅଛି । ସମ୍ଭଵତଃ ଜୈନଧର୍ମର ପୁରାଣ ଵର୍ଣ୍ଣିତ ଏହି ସର୍ପଦେଵୀ ଵିଶେଷ, ସର୍ପଙ୍କଠାରୁ ମାନଵଙ୍କୁ ରକ୍ଷାକରୁଥିଵା ସନାତନୀ ମନସାଦେଵୀଙ୍କ କଥାରୁ ପ୍ରେରିତ ହୋଇ ଗୃହୀତ ହୋଇଥିଲା ।❜❜

ପୁରାଣରେ ଆହୁରି ଅନେକ ପଦ୍ମାଵତୀ ନାମ୍ନୀ ଚରିତ୍ରଙ୍କର ନାମୋଲ୍ଲେଖ ଥିଵା ଦେଖାଯାଏ ଯଥା —

❛❛ଅରିଷ୍ଟପୁର ନଗରର ରାଜା ହିରଣ୍ଯଵର୍ମା ଓ ରାଣୀ ଶ୍ରୀମତିଙ୍କ ପୁତ୍ରୀ ତଥା ଶ୍ରୀକୃଷ୍ଣଙ୍କର ଅଷ୍ଟପାଟରାଣୀଙ୍କର ନାମ ପଦ୍ମାଵତୀ ଥିଲା । ସ୍ଵର୍ଗର ଏକ ଅପ୍ସରାର ନାମ ପଦ୍ମାଵତୀ ଥିଲା ।  ପୁରାଣୋକ୍ତ ରାଜା ଶୃଗାଳଙ୍କର ପତ୍ନୀଙ୍କର ନାମ ପଦ୍ମଵତୀ ଥିଲା । ଯୁଧିଷ୍ଠିରଙ୍କର ଏକ ପତ୍ନୀଙ୍କର ନାମ ପଦ୍ମାଵତୀ ଥିଵା ମଧ୍ୟ ଜଣାଯାଏ । ଅଷ୍ଠଦିଗ କୁମାରୀ ମଧ୍ୟରେ ଏକ ଦିକ୍ କୁମାରୀଙ୍କ ନାମ ପଦ୍ମାଵତୀ ଅଟଇ । ସେହିପରି କର୍ଣ୍ଣଙ୍କର ପତ୍ନୀଙ୍କର ଏକ ନାମ ପଦ୍ମାଵତୀ ଥିଵା ଜଣାଯାଏ । ପୁଣି ସୁଗ୍ରୀଵଙ୍କର ବାରଜଣ କନ୍ଯାଙ୍କ ମଧ୍ୟରେ ଜଣକର ନାମ ପଦ୍ମାଵତୀ ଥିଲା ।❜❜ ଏହିପରି ଆହୁରି ଅନେକ ପୌରାଣିକ ପାତ୍ରାଙ୍କର ନାମ ପଦ୍ମାଵତୀ ରହିଥିଵା ଜଣାଯାଏ । 

ତେବେ କେଳାମାନେ ସମ୍ଭଵତଃ ଶ୍ରୀକୃଷ୍ଣଙ୍କ ଚରିତ ଵର୍ଣ୍ଣନା ସମୟରେ ଜାଣିଶୁଣି କଂସର ମାତା ପଦ୍ମାଵତୀଙ୍କ ନାମୋଲ୍ଲେଖ ଆଳରେ ସର୍ପଙ୍କଠାରୁ ମାନଵମାନଙ୍କୁ ସର୍ଵଦା ରକ୍ଷାକରି ଆସୁଥିଵା ମନସା ଦେଵୀଙ୍କ ନାମ ନେଉଥିଲେ ଯେହେତୁ ତାଙ୍କର ଅନ୍ୟନାମ ପଦ୍ମାଵତୀ ଥିଲା । 

କେହି ପଶ୍ଚିମ ଓଡ଼ିଶାଵାସୀ ଗଵେଷକ କୁହନ୍ତି ଯେ କେଳାମାନେ ଯେଉଁ ପଦ୍ମାଵତୀଙ୍କ ନାମ ନେଇ ପଦ୍ମତୋଳା ଗୀତ ଗାଆନ୍ତି ସେ ବଲାଙ୍ଗୀର ଜିଲ୍ଲାର କୁଆଁରୀପାଟଣା ଵା ଆଧୁନିକ ପାଟଣାଗଡ଼ର ରାଣୀ ଥିଲେ  ଏଵଂ ଏହାଙ୍କର ନାମାନୁସାରେ ପାଟଣାଗଡ଼ର ନାମ ପଦ୍ମାଵତୀପୁର ଵା ପଦ୍ମାଵତୀନଗର ହୋଇଥିଲା ।  କିନ୍ତୁ ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ କେଳାମାନେ ପଦ୍ମତୋଳାରେ ଯେଉଁ ପଦ୍ମାଵତୀ ରାଣୀଙ୍କ ନାମ ନେଇଥାନ୍ତି ସେ କଂସର ମାତା ପୁଣି ସର୍ପଙ୍କଠାରୁ ମନୁଷ୍ୟମାନଙ୍କୁ ରକ୍ଷାକରୁଥିଵା ହେତୁ ଏଵଂ ମନସା ଦେଵୀଙ୍କର ଏକ ନାମ ପଦ୍ମାଵତୀ ହୋଇଥିଵାରୁ କେଳାମାନେ ଜାଣିଶୁଣି ପଦ୍ମାଵତୀ ନାମ ବୋଲନ୍ତି । 

❛❛ପୁନଶ୍ଚ ମଗଧର ପଟାଳିପୁତ୍ର ଵା ଆଧୁନିକ ପାଟନା ନଗରକୁ ପୂର୍ଵେ ପଦ୍ମାଵତୀପୁର କୁହାଯାଉଥିଲା ।❜❜
ଓଡ଼ିଆ ଭାଗଵତର ଦ୍ଵାଦଶ ସ୍କନ୍ଧରେ ମଗଧ ଦେଶର ପାଟନା ନଗରକୁ ପଦ୍ମାଵତୀପୁର ଅଭିହିତ କରାଯାଇଛି । 

❛❛ଏ ଅନ୍ତେ ମଗଧ ଦେଶେଣ । ବିଶ୍ୱସ୍ପୁର୍ଜି ନାମେ ରାଜନ ।।
ପୁରଞ୍ଜୟ ତା' ନାମ ଆର । ସେ ରାଜା ଅତ୍ୟନ୍ତ ପ୍ରବଳ ।।
×××××
ପଦ୍ମାବତୀ ନାମ ନଗରେ । ରାଜା ହୋଇବେ ତେଜଭରେ 
ହସ୍ତିନା ଦ୍ୱାରକା ମଥୁରା । ପ୍ରୟାଗ ଯାଏ ଗଙ୍ଗାଦ୍ୱାରା ।।
ଏକାଙ୍ଗ ହୋଇବ ନରେନ୍ଦ୍ର । ଅଧର୍ମେ ନାଶି ପ୍ରଜାବୃନ୍ଦ ।।❜❜

କେଵଳ ପଟାଳିପୁତ୍ର ଵା ଆଧୁନିକ ପାଟନା ନଗରୀ ନୁହେଁ 
ଉଜ୍ଜୟିନୀ ଓ ପନ୍ନା ନଗରର ପ୍ରାଚୀନ ନାମ ଵିଭିନ୍ଳ ପୁରାଣରେ ପଦ୍ମାଵତୀପୁର ଵା ନଗର ଥିଵା ଅନେକ ଅଭିଧାନର ଉଲ୍ଲେଖରୁ ଜଣାଯାଏ । 

ଅତଏଵ୍ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ କେଳାମାନଙ୍କ ଦ୍ଵାରା ଗାୟନ କରାଯାଉଥିଵା ଗୀତରେ ଉଲ୍ଲେଖିତ ପଦ୍ମାଵତୀ ରାଣୀ କଂସର ମାତା ଏଵଂ କେଳାମାନେ ଚତୁରତାର ସହିତ ସର୍ପଦେଵୀ ମନସାଙ୍କର ଅନ୍ୟ ନାମ ପଦ୍ମାଵତୀ ବୋଲି ତାଙ୍କୁ ସ୍ମରଣ କରିଥାନ୍ତି । 

(ଚିତ୍ର — ମନସା ଦେଵୀ ଯାହାଙ୍କର ଅନ୍ୟନାମ ପଦ୍ମାଵତୀ ,ଜଗଦଗୌରୀ ଓ ନିତ୍ୟା ଇତ୍ୟାଦି)

Saturday, August 21, 2021

■ ସ୍ବଭାବ କବି ଗଙ୍ଗାଧର ■

             ✍ ଉପେନ୍ଦ୍ର କୁମାର ବସ୍ତିଆ 

ହେ' ମହାନ ଅବତାର 
କବି ଗଙ୍ଗାଧର 
ଶୁଭ ଅବସରେ ଘେନ 
ପ୍ରଣାମ ଆମର ।୧।

ସ୍ୱର୍ଗୀୟ ସୁଷମା ଘେନି 
ମର୍ତ୍ତ୍ୟକୁ ଆସିଲ 
ତୁଳସୀର ବାସପରି 
ଜନ୍ମରୁ ବାସିଲ।୨।

ବହୁ ଦୁଃଖ ଯନ୍ତ୍ରଣାରେ 
ନିତି ଥିଲ ଘାରି 
କର୍ମ କ୍ଷେତ୍ରେ ବୋଲାଇଲ
ସତେ ବନଚାରୀ ।୩।

ଆଦର୍ଶର ପରାକାଷ୍ଠା 
ଦେଖାଇଲ ତୁମେ 
କର୍ତ୍ତବ୍ୟ ପାଳନ କଲ 
ଲେଖନୀ ମାଧ୍ୟମେ ।୪।

ସଂସାର ଜଞ୍ଜାଳେ ତୁମେ 
ହୋଇଥିଲ ଛନ୍ଦି
ତଥାପି କବିତା ଡୋରେ 
ହୋଇଗଲ ବନ୍ଦୀ ।୫।

ବିଭିନ୍ନ ଅଞ୍ଚଳେ ତୁମ 
ଭିନ୍ନ ମତାମତ 
ଜ୍ଞାନର ଗାରିମା ସାଥେ 
ଚାଲେ ମନୋରଥ ।୬।

ଗଙ୍ଗା ପରି ପବିତ୍ରତା 
ଜ୍ଞାନର ଆଧାର 
ଜ୍ଞାନର ମହିମା ଖୋଜେ 
ଜ୍ଞାନର ଭଣ୍ଡାର ।୭।

ଖୋଜି ଖୋଜି ପାଇଥାଏ 
ଅମୂଲ୍ୟ ରତନ 
ସାଇତି ରଖେ ତାହାକୁ 
କରିଣ ଯତନ  ।୮।

ଯତନରେ ଥିଲେ ସିନା 
ଲାଗେ ନିଜ କାମେ 
ତାହା ପୁଣି କାମେ ଲାଗେ 
ଥିଲେ ଧରାଧାମେ ।୯।

ଆଜି ସେହି ରତନକୁ 
ଖୋଜୁଛି ମଣିଷ 
ଆଗକୁ ଚାଲଇ ଖୋଜି 
ତବ କୀର୍ତ୍ତି ଯଶ ।୧୦।

ରାଉରକେଲା , ସୁନ୍ଦରଗଡ଼ ।

Friday, August 20, 2021

☆ ଶ୍ରାବଣ ମାସ ଓ ତା' ପରବ ☆

ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି଼ ଯାତ୍ରା ଆରମ୍ଭ ହୋଇଛି 
ସେଇଦିନଠୁଁ ଶ୍ରାଵଣ ମାସର ଅନ୍ଯ ପର୍ଵପର୍ଵାଣୀ ପାଳନ ଅନେକାଂଶରେ କମିଯାଇଛି ।

ଶ୍ରାଵଣମାସର ମୁଖ୍ୟ ମୁଖ୍ୟ ପର୍ଵର ନାମୋଲ୍ଲେଖ କରାଗଲା । 

୧) ଅନ୍ନଦାନ ଏକାଦଶୀ—ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର ଜନଙ୍କୁ ଅନ୍ନଦାନ ଦେଵାର ମହନୀୟ ଵ୍ରତ ପାଳନ ହେଉଥିଲା ।
ଏହାକୁ ଗାନ୍ଧାରୀ ଏକାଦଶୀ ମଧ୍ୟ କୁହାଯାଏ । ଓଡ଼ିଶାରେ ଏହି ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ  କାରଣ ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ବରୂପ ସୁଦର୍ଶନଚକ୍ରକୁ ଵିମାନରେ ପୁରୀର ସାତ ସାହିରେ ବୁଲାଯାଏ । ତେଵେ ଆଜି ପ୍ରୋକ୍ତ ଅଧିକାଂଶ ଉପଯୋଗୀ ପର୍ଵ ଲୁପ୍ତ ହୋଇଅଛି ।

୨)ଆଖେଟକ ପର୍ଵ —
ଶ୍ରାଵଣ ଶୁକ୍ଳ ତ୍ରଯୋଦଶୀ ଦିନ ଆଖେଟେକ ପର୍ଵ ପାଳନ କରାଯାଉଥିଲା । ଏହି ଦିନ କ୍ଷତ୍ରିୟ ଓ କାରିଗରମାନେ ଅସ୍ତ୍ରଶସ୍ତ୍ରାଦିର ପୂଜା କରୁଥିଲେ । ଆଜି ଏ ପର୍ଵ ମଧ୍ୟ ଲୁପ୍ତ ହୋଇ ସାରିଛି ।

୩)ପଵିତ୍ରାରୋପଣ ଚତୁର୍ଦ୍ଦଶୀ—ଶ୍ରାଵଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀଲିଙ୍ଗରାଜଙ୍କ ଭଗଵାନଙ୍କର ଯାତ୍ରା ହେଉଥିଲା ।  ଶ୍ରାବଣ ଶୁକ୍ଳ ଦ୍ବାଦଶୀ ତିଥିରେ ଵିଷ୍ଣୁ ପ୍ରଭୃତି ଦେଵତାଙ୍କୁ ପଇତା ପିନ୍ଧାଯାଏ । ତେଵେ ଯେଉଁ ଦିନଠୁଁ ପ୍ରଭୁଙ୍କ ଭକ୍ତ ପ୍ରାଚୀନ ପର୍ଵ ଛାଡ଼ି ବାହାରିଆ ଅର୍ଵାଚୀନ  ପରଵ ପଛରେ ଗୋଡ଼େଇଛନ୍ତି ସେଇଦିନଠୁଁ ଏହାଙ୍କର ଅନେକ ପର୍ଵ ଏଵଂ ଏହି ପ୍ରଭୁ ନିଜେ ଅଵହେଳିତ ଅଛନ୍ତି ।

୪)ଜାଗୁଳାଈ ପଞ୍ଚମୀ— ଶ୍ରାବଣ ଶୁକ୍ଳ ପଞ୍ଚମୀଦିନ ଏହି ପର୍ଵ ପାଳନ ହେଉଥିଲା । ଆଗେ ଏ ଦିନ ରାତିରେ ଗ୍ରାମର ଭଣ୍ଡାରି ଗୋଟିଏ ମାଟିର ଜାଗୁଆଳି ମୂର୍ତ୍ତି ନିର୍ମାଣ କରି ଗ୍ରାମର ଦ୍ବାରେ ଦ୍ବାରେ ନେଇ ବୁଲାଉଥିଲା ଓ ଗୃହସ୍ଥମାନଙ୍କୁ ଦ୍ବାରରେ ଉକ୍ତ ଠାକୁରାଣୀଙ୍କୁ ଚକୁଳି ପୂଜା ଦିଆଯିଵା ପରେ ଉକ୍ତ ପ୍ରତିମାକୁ ନେଇ ପାଣିରେ ପକାଇ ଦେଉଥିଲା । କିନ୍ତୁ ବାହାରିଆ ପର୍ଵଟେ ପାଳୁ ପାଳୁ ଦେଖାଶିଖା ଓଡ଼ିଆ ଜାତି ନିଜ ପର୍ଵଟା ଗୋଟାପଣେ ପାଶୋରି ଦେଲା । ଗଞ୍ଜେଇ ଭାଙ୍ଗ ନିଶା ସବୁକିଛି ଭୁଲେଇ ଦିଏ ନା ...

୫)ଝୁଲଣ ଯାତ୍ରା—ଆଗେ ଝୁଲଣ ଯାତ୍ରା ଓଡ଼ିଶାର ଘରେ ଘରେ ପ୍ରଶିଦ୍ଧ ଥିଲା । ଯୋଉଦିନଠୁ ଭାଙ୍ଗ ଗଞ୍ଜେଇ ଖିଆ ଠାକୁରଙ୍କ ନାଆଁ ବଦନାମ କଲେଣି ସେଇ ଦିନଠୁ ଏ ପର୍ଵର ପ୍ରଶିଦ୍ଧି ଅନେକାଂଶରେ କମିଯାଇଛି । ଆଜି ଓଡିଶାର ଲୋକ ଝୁଲଣ ଯାତ୍ରା କ'ଣ ଜାଣିଵାକୁ ଅଭିଧାନ ଅଣ୍ଡାଳନ୍ତି ସେଥିରେ ଲେଖାଥାଏ “ ଶ୍ରାଵଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବକୁ ଝୁଲଣ ଯାତ୍ରା କୁହାଯାଏ" ।।

୬)ନାଗ ପଞ୍ଚମୀ—
ଓଡ଼ିଶାରେ ନାଗଗୋତ୍ରୀ ଲୋକ ଅଧିକ । ସେମାନେ ଵିଶେଷ ଭାଵେ ନାଗପଞ୍ଚମୀ ପାଳୁଥିଲେ । ଏହା ଶ୍ରାବଣ କୃଷ୍ଣପଞ୍ଚମୀ ତିଥିରେ ପାଳିତ ହେଉଥିଲା ଏଵଂ ଏହାର ଅନ୍ୟ ନାମ ମନସା ପଞ୍ଚମୀ । ଏ ଦିନ ନାଗପୂଜା ଓ ମନସା ପୂଜା ହେଉଥିଲା । ମତାନ୍ତରେ କେହି କେହି ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ଏ ପୂଜା କରୁଥିଲେ । ତେଵେ ଦେଵୀ ପୁରାଣମତେ ଆଷାଢ଼ କୃଷ୍ଣପଞ୍ଚମୀ ଦିନ ନାଗପଞ୍ଚମୀ ତିଥି ପଡ଼ିଥାଏ । ଏ ଦିନ ଅଷ୍ଟନାଗ ଵା  ତ୍ରୟୋଦଶ ନାଗ ସିଝୁଗଛମୂଳେ ପୂଜା କରାଯାଉଥିଲା।  ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଉଥିଲା ଓ ଖିଆଯାଉଥିଲା ମଧ୍ୟ ।  ଲୋକ ଵିଶ୍ଵାସ ଥିଲା ଏ ପର୍ଵ ପାଳିଲେ ବର୍ଷକ ପାଇଁ ସର୍ପଭୟ ରହେ ନାହିଁ। କିଛି ଵର୍ଷ ହେଵ ଜାତୀୟତାହୀନ ଓଡ଼ିଆଏ ବାହାରିଆ ପର୍ଵ ପାଳନ କରୁଛନ୍ତି ତେଣୁ ନିଜ ପର୍ଵ ପାଳିଵାକୁ ଲଜ୍ୟା ଲାଗେ । 

୭)ମନ୍ଵନ୍ତରା ପର୍ଵ — ଏ ପର୍ଵ ଆଷାଢ଼ ଶୁକ୍ଳଦଶମୀ, ଶ୍ରାଵଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ହେଉଥିଲା । ଆଜି ଏହା ଅନେକାଂଶରେ ଲୁପ୍ତ । 

୮) କେତେକ ଅଞ୍ଚଳରେ ଶ୍ରାଵଣ ମାସର ଗୁରୁଵାରରେ ମାଣଵସା ଓଷା ହେଉଥିଲା । ତାହା ଏଵେ ଅଛି କି ଲୁପ୍ତ ହେଲାଣି ପାଠକ କହିଵେ । 

୯)ହରିଆଲି ଉଆଁସ/ହରେଇଲି ଉଆଁସ—ପଶ୍ଚିମାଞ୍ଚଳର ଵିଶିଷ୍ଟ ପର୍ଵ ହରିଆଲି ଓ ସାତପୁରି ଅମାବାସ୍ଯା ଵା ଶ୍ରାବଣ ଅମାବାସ୍ଯା ଭାଵେ ଖ୍ୟାତ ପର୍ଵଟି ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ। ଆଗେ ସ୍ଥାନୀୟ ଲୋକ ଏ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇବଵ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ଵ୍ଯକ୍ତିଙ୍କ ଘରେ ଖୋସିଯାଉଥିଲା । ଲୋକଵିଶ୍ବାସ ଥିଲା ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି। କିନ୍ତୁ ଆଜି ପ୍ରତ୍ୟେକ ଓଡ଼ିଆ ଲୋକ ହିନ୍ଦିଆ ହନୁକରଣରେ ବାଇ ନିଜ ପର୍ଵ ଦିଶେନି । 

୧୦)ଗହ୍ମା ପୂର୍ଣ୍ଣିମା— ଏ ମାସର ସବୁଠାରୁ ମୁଖ୍ୟ ଦିନ କିନ୍ତୁ ଓଡ଼ିଆ ଲୋକଙ୍କ ଦ୍ଵାରା ସବୁଠାରୁ ଅଧିକ ଅଵହେଳିତ ନିଜସ୍ଵ ପର୍ଵ ହେଲା ଗହ୍ମା ପୂନେଇ । ଉତ୍ତର ଭାରତରେ ଗୋପଳନର ଭାଷଣ ଦିଅନ୍ତି ଓଡ଼ିଶାରେ ଏହି କଥାକୁ ପର୍ଵାକାରରେ ପାଳନକରି ଲୋକଙ୍କୁ ଶିକ୍ଷା ଦିଆଯାଉଥିଲା । ଆଗେ ଓଡ଼ିଶାର ଵ୍ଯକ୍ତି ଵିଶେଷ ନିଜ ନିଜ ଗୃହରେ ଏହିଦିନ ସମସ୍ତେ ବଳଦେବଙ୍କୁ ପୂଜା କରୁଥିଲେ । ଗ୍ରାମପ୍ରାନ୍ତରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକାସ୍ତୂପ ନିର୍ମାଣ କରାଯାଇ ଏଠାରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରିକୁ ଏ ସ୍ତୂପକୁ ଆଡବାଗରେ ଡ଼ିଆଁଉଥିଲେ ଓ ସେଠାରେ ହୋଇଥିବା ଭୋଗ ଗ୍ରାମବାସୀମାନଙ୍କ ମଧ୍ଯରେ ବଣ୍ଟନ କରାଯାଉଥିଲା । ଆଜି କିନ୍ତୁ ରାକ୍ଷୀ ଭଳି ବାହାରିଆ ପର୍ଵ ଯୋଗୁଁ ଆମ ମାଟିର ପର୍ଵ ଆମ ଦ୍ଵାରା ହିଁ ଅଵହେଳିତ । 

ପ୍ରୋକ୍ତ ଅଧିକାଂଶ ପର୍ଵ ଶ୍ରାଵଣ ମାସରେ ପଡ଼େ ହେଲେ ଯୋଉଦିନଠଁ ବାହାରିଆ ପର୍ଵ ପାଳନ ବଢି଼ଛି ସେଇଦିନଠାରୁ ଏସବୁ ପର୍ଵ ପାଳନ ଅନେକାଂଶରେ ହ୍ରାସ ପାଇଅଛି । ଓଡ଼ିଆ ଲୋକେ ନିଜେ ଏସବୁ ପର୍ଵ ଛାଡ଼ି ଦେଇଛନ୍ତି । ବାହାରର ଅଲୋଡା଼ ଵସ୍ତୁ ଗ୍ରହଣ କରିଵାକୁ ଯାଇ ଆପଣର ମୂଲ୍ଯଵାନ ଵସ୍ତୁ ତ୍ଯାଗ କୋଉଠିକାର ପାଣ୍ଡିତ୍ଯତା ? ଜଣେ ଵିଧର୍ମୀ ଥରେ ମୋତେ କହିଲେ ଆମକୁ ତମ ଧର୍ମର ଵିନାଶକ କୁହାଯାଏ । ମୁଁ କହିଲି ସନାତନୀ ହିଁ ସନାତନ ଧର୍ମର ଶତ୍ରୁ । ସେ ନିଜ ପ୍ରାଚୀନ ସନାତନ ସଂସ୍କୃତି ଛାଡ଼ି ଅର୍ଵାଚୀନ ଓ କଳୁଷିତ ପର୍ଵ ପାଳି ନିଜ ଈଶ୍ଵର ଓ ଧର୍ମ ସ୍ଵୟଂ ହିଁ ଅପମାନ କରୁଛି ।।

Wednesday, August 18, 2021

🙏 ଈଶ୍ୱରଙ୍କ ମହିମା 🙏


ଜଣେ ଭକ୍ତ ଈଶ୍ୱରଙ୍କ ନାମ ଯଜ୍ଞ ରେ ନିଜ ସମୟ ଅତିବାହିତ କରୁଥିଲେl ଶେଷରେ ବୟସ ବଢିବା ସଙ୍ଗେ ସଙ୍ଗେ ରୋଗାକ୍ରାନ୍ତ ହୋଇ ବିଛଣା ଧରି ନେଲେ ଶୌଚ, ସ୍ନାନ ଆଦି ସମୟରେ ସେ ନିଜ ସନ୍ତାନ ମାନଙ୍କୁ ଡାକୁଥିଲେl ଧିରେ ଧିରେ ସନ୍ତାନ ମାନେ ମଧ୍ୟ ପରସ୍ପର ଆଳ କରି ଆସିବା ବନ୍ଦ କରିଦେଲେ ବେଳେ ବେଳେ ତାଙ୍କୁ  ସେଇ ଅପରିଷ୍କାର ବିଛଣା ରେ ରାତି କଟାଇବାକୁ ପଡୁଥିଲା l ଦିନେ ରାତିରେ  ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା l ସେ ଆକୁଳ କଣ୍ଠରେ ପୁଅ ନାମ ଧରି ଡାକ ଛାଡିଲେ ସଂଗେ ସଂଗେ ଜଣେ ବାଳକ କୋମଳ ହାତରେ ତାଙ୍କୁ ଧରି ନେଇ  ନିବୃତ୍ତି କରାଇ,  ବିଛଣା ପରିଷ୍କାର କରି ଶୋଇ ପକାଇଲା l
ଧିରେ ଧୀରେ ଏହି କ୍ରିୟା ନୀତି ଦିନିଆ ହୋଇଗଲା l
ବ୍ୟକ୍ତି ଜଣଙ୍କୁ ସନ୍ଦେହ ହେଲା l ଆଗେ ତ ଡ଼ାକ ଛାଡିଲେ ସମସ୍ତ ଘରଲୋକ ନ ଶୁଣିବାର ଛଳନା କରୁଥିଲେ, କିନ୍ତୁ ଇଏ କିଏ ? ଡାକିଲା ମାତ୍ରେ ହାଜର । ଏହା ଭାବି ପିଲାଟିର କୋମଳ ହାତକୁ ଧରି ପରିଚୟ ପଚାରିଲେ l
ତତ୍ କ୍ଷଣାତ ଏକ ଅଲୌକିକ ଆଭା ଅନ୍ଧକାର ଗୃହରେ ପ୍ରତିଫଳିତ ହେଲା l ସମ୍ମୁଖରେ ବାଳକ ରୂପୀ ଭଗବାନ କୃଷ୍ଣ ବଂଶୀ ଧରି ଦଣ୍ଡାୟମାନ । ବ୍ୟକ୍ତିଙ୍କୁ ଚିହ୍ନିବାରେ ବିଳମ୍ବ ହେଲା ନାହିଁ l ଚକ୍ଷୁରୁ ଧାର ଧାର ଲୋତକ ବହି ଯାଉ ଥାଏ । ରୁଦ୍ଧ କଣ୍ଠ ରେ କହିଲେ, “ମୁଁ କେତେ ବଡ ପାପୀ l ମୋର ନିବୃତ୍ତି ଆପଣଙ୍କ ଦ୍ୱାରା କରାଇଲି l ହେ ପ୍ରଭୂ , ଯଦି ଆପଣ ମୋ ଉପରେ ଏତେ ପ୍ରସନ୍ନ, ମୋତେ ମୁକ୍ତି କାହିଁକି ଦେଉ ନାହାନ୍ତି ?”
ପ୍ରଭୁ କହିଲେ, ” ଯାହା ତୁମେ ଭୋଗୁଛ, ତାହା ତୁମର ପ୍ରାରବ୍ଧ l ତୁମେ ମୋର ଜଣେ ପରମ ସାଧକ । ଦିବାନିଶି ମୋ ନାମ ଜପ କରୁଛ । ମୁଁ ତୁମକୁ ଛାଡ଼ିବି କିପରି? ତେଣୁ ମୁଁ ତୁମ ପ୍ରାରବ୍ଧ ମଧ୍ୟ ତୁମର ସତ ସାଧନା କାରଣରୁ କଟାଉଛି l”
ବ୍ୟକ୍ତି ପ୍ରଶ୍ନ କଲେ , “କଣ ମୋର ପ୍ରାରବ୍ଧ ତୁମ କରୁଣା ଠାରୁ ଉପରେ? କଣ ତୁମ କୃପା ମୋ ପ୍ରାରବ୍ଧକୁ ଶେଷ କରି ପାରିବନି ?
ପ୍ରଭୂ ଉତ୍ତର ଦେଲେ , ” ମୋ କୃପା ସର୍ବୋପରି l ଅବଶ୍ୟ ମୁଁ ପ୍ରାରବ୍ଧ କାଟି ପାରିଵି ତୁମର ଏଇ ଜନ୍ମରେ l କିନ୍ତୁ ପୁଣି ତୁମକୁ ଏଇ ପ୍ରାରବ୍ଧ ଭୋଗିବାକୁ ପୁନଃ ଜନ୍ମ ନେବାକୁ ପଡିବl ଏହାହିଁ କର୍ମ ର ନିୟମ । ଏଇ କାରଣରୁ ପୁନରପି ଜନମ ପୁନରପି ମରଣ ହୋଇଥାଏ l ଯେହେତୁ ତୁମେ ମୋର ପରମ ଭକ୍ତ, ତୁମର ଏଇ ପ୍ରାରବ୍ଧ ମୁଁ ସ୍ୱୟଂ ନିଜ ହାତରେ କଟାଇ ତୁମକୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ଦେବାକୁ ଚାହେଁ l”

ପ୍ରାରବ୍ଧ ତିନି ପ୍ରକାର :

ଧୀର ::
କେବଳ ନାମ ଜପିଲେ ଏହା କଟି ଯାଏ l ନାମ ର ମହିମା ଏତେ ପ୍ରବଳ ଯେ ଖାଲି ରାମ ରାମ ଜପି ଦସ୍ୟୁ ରତ୍ନାକର ଆଦିକବି ବାଲ୍ମୀକିରେ ପରିଣତ ହେଲେ l

ତୀଵ୍ର ::
ଶ୍ରଦ୍ଧା ବିଶ୍ୱାସ ସହ ସତସଙ୍ଗ କଲେ, ଏହା କଟି ଯାଏ । ଭାଗବତରେ ଅଛି, ଧୂଁଧୁଂକାରୀ ଏକ ଦୁଷ୍ଟ ଓ ମହାପାପୀ ଥିଲା l ମୃତ୍ୟୁ ପରେ ମଧ୍ୟ ପ୍ରେତ ଯୋନିରୁ ଉଦ୍ଧାର ପାଉ ନ ଥିଲା l ସେ ଅଦୃଶ୍ୟ ଭାବେ ସତସଙ୍ଗ ମଧ୍ୟରେ ବସି ପ୍ରକାଣ୍ଡ ବିଦ୍ୱାନ ଗୋକର୍ଣ୍ଣଙ୍କ ଠାରୁ ଭାଗବତ ଶୁଣି ସଦଗତି ପ୍ରାପ୍ତ କଲl l

ତିବ୍ରତମ::
ସଂସ୍କୃତ ଭାଗବତ ରେ ଅଛି,

ଅବଶ୍ୟମଏବଂ ଭୁକ୍ତାବ୍ୟମ
କୃତଂ କର୍ମ ଶୁଭା ଶୁଭମ,
ନ କ୍ଷୟତେ ପୂର୍ବ କର୍ମ
କଟି କଳ୍ପେ ସତେ ରବୀହl

ପୂର୍ବ କୃତ କର୍ମ ଶୁଭ ହେଉ ବା ଅଶୁଭ ଏ ଜନ୍ମ ହେଉ ବା ପର ଜନ୍ମ, ଏଥିରୁ ତିଳେ ମାତ୍ର ଉଣା ହେବ ନାହିଁ, ଅବଶ୍ୟ ଭୋଗିବାକୁ ପଡିବ କିନ୍ତୁ ଶ୍ରଦ୍ଧା ବିଶ୍ୱାସ ସହ ଯେ ପ୍ରଭୁଙ୍କର ଶରଣାଗତ ହୁଏ, ପ୍ରଭୂ ସ୍ୱୟଂ ସାଙ୍ଗରେ ରହି ଏହାର ତୀବ୍ରତାରେ ଉପଶମ ଆଣନ୍ତି l

    ମହାଭାରତ ଯୁଦ୍ଧ ଶେଷ ହୋଇ ଯାଇଥାଏ । ଭୀଷ୍ମ ଶରଶଯ୍ୟାରେ ପଡି ମୃତ୍ୟୁକୁ ଅପେକ୍ଷା କରୁଥାନ୍ତିl ସୂର୍ଯ୍ୟ ଉତ୍ତରାୟଣ ହେଲେl ଇଛାମୃତ୍ୟୁ ସତ୍ତ୍ବେ ସେ ସଦଗତି ପାଉ ନ ଥାନ୍ତିl ସେହି ସମୟରେ ଭଗବାନ କୃଷ୍ଣ ସେଠାରେ ପହଞ୍ଚିଲେ ।  ଭୀଷ୍ମ ତାଙ୍କୁ ଦେଖି ପଚାରିଲେ,  "ହେ ତ୍ରିକାଳ ଦର୍ଶୀ ମଧୁସୂଦନ , ମୁଁ ଜାଣିପାରୁନି ମୃତ୍ୟୁ ପାଇଁ ଇଛା କରି, ପାପ ରହିତ ଥିବା  ସତ୍ତ୍ବେ ,  ମୁଁ କାହିଁକି ମୃତ୍ୟୁ ବରଣ କରି ପାରୁନି,  ଦୀର୍ଘ ଦିନ ଧରି ଏ ତୀର ମୁନରେ ଦାରୁଣ କଷ୍ଟ ପାଉଛି "l ଭଗବାନ କହିଲେ,  "ତୁମେ ତୁମର ପୂର୍ବଜନ୍ମର କର୍ମ ଭୋଗ କରୁଛ,  ତୁମର କିଛି ମନେ ପଡୁନି l" ଭୀଷ୍ମ ଆଶ୍ଚର୍ଯ୍ୟ ହେଲେ ଓ କହିଲେ, "ମୁଁ  ମୋ ପୂର୍ବ ଜନ୍ମରେ ଏପରି କୌଣସି କର୍ମ କରିଥିବା ଦେଖି ପାରୁନି l" ପ୍ରଭୂ ଉତ୍ତର ଦେଲେ, " ତୁମେ ତୁମର ୧୦୧ ଜନ୍ମ ପଛକୁ ଯାଅ l ସେହି ଜନ୍ମରେ ତୁମେ ଏକ ଯୁବରାଜ ଥିଲ । ଶିକାର ପାଇଁ ବନସ୍ତରେ ଭ୍ରମଣ କରୁଥିବା ସମୟରେ ତୁମ ରଥ ସମ୍ମୁଖରେ ଏକ ସର୍ପ ଦେଖି ଅଶ୍ୱ  ଅଟକି ଯାଇଥିଲା  l ତୁମେ ସେଇ ସର୍ପକୁ ଫିଙ୍ଗି ଦେବା ପାଇଁ ଆଦେଶ ଦେଲ l ସର୍ପ ଅନେକ  ଦିନ କାଳ ଗୋଟିଏ କଣ୍ଟା ବଣରେ ପଡି,  କଣ୍ଟା ରେ କ୍ଷତବିକ୍ଷତ ହୋଇ ଶେଷରେ ପ୍ରାଣ ତ୍ୟାଗ କଲା l କିନ୍ତୁ ତୁମର ବିଗତ ଶହେ ଜନ୍ମର ପୁଣ୍ୟ ଫଳ ଏତେ ପ୍ରବଳ ଥିଲା ଯେ ସେଇ କର୍ମଫଳ ଫଳିତ ହୋଇ ପାରିଲାନି "l ଭୀଷ୍ମ ପ୍ରଶ୍ନ କଲେ ପୁଣି ଏ ଜନ୍ମରେ କାହିଁକି ?  ଭଗବାନ କହିଲେ,  "ଦ୍ରୌପଦୀଙ୍କ ବସ୍ତ୍ରହରଣକୁ  ତୁମେ  ଅଟକାଇବା ପାଇଁ ସମର୍ଥ ଥିଲ l କିନ୍ତୁ ତୁମେ ଜାଣି ଶୁଣି ମଥା ପାତି ଦେଲ l ଏଇ ଭୂଲ ତୁମର ଶହେ ବର୍ଷର ପୂଣ୍ୟ ଫଳ ଧୋଇ ଦେଲା ଓ ଶେଷରେ ପାପକୁ ଫଳିତ ହେବା ପାଇଁ ସୁଯୋଗ ମିଳିଗଲା l ଏବେ  ତୁମେ ତୁମର  ପ୍ରାରବ୍ଧ ଭୋଗା ଭୋଗି ସାରିଛ l ଏଥର ମୋକ୍ଷ ପଥରେ ଅଗ୍ରସର ହୁଅ l

 ବାସ୍ତବତଃ ଆମକୁ ଆମ ପ୍ରାରବ୍ଧ ଭୋଗରୁ କେହି ରକ୍ଷା କରି ପାରିବେ ନାହିଁ। ତେଣୁ ତୁଳସୀଦାସ କହିଛନ୍ତି, 
ପ୍ରାରବ୍ଧ ପହଲେ ରଚା, ପିଛେ ରଚା ଶରୀର
ତୁଳସୀ ଚିନ୍ତା କ୍ୟୋ° କରେ, ଭଜଲେ ଶ୍ରୀ ରଘୁବୀର

ଅପରପକ୍ଷରେ ଯେଉଁ ତଥାକଥିତ ପ୍ରଗତିବାଦୀ ପ୍ରାରବ୍ଧରେ ବିଶ୍ଵାସ କରନ୍ତି ନାହିଁ ଏବଂ କହନ୍ତି,

“ଭସ୍ମ ଭୂତସ୍ୟ ଜୀବସ୍ୟ ପୁନରାଗମନ କୁତଃ”

ପୁଣି

“ଯାବତ୍ ଜୀବେତ୍ ସୁଖଂ ଭବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍ “

ସେମାନଙ୍କ କଥା ଅଲଗା। ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଯେତେବେଳେ କ୍ୟାନସର ରୋଗାକ୍ରାନ୍ତ ହୋଇ ଦାରୁଣ କଷ୍ଟ ଭୋଗ କରୁଥିଲେ, ସେତେବେଳେ ତାଙ୍କର କେତେଜଣ ଶିଷ୍ୟ ତାଙ୍କୁ ପ୍ରାର୍ଥନା କରି କହିଲେ : ହେ ଗୁରୁଦେବ ! ଆପଣ ପ୍ରତି ମୁହୂର୍ତ୍ତରେ ଦର୍ଶନ କରୁଥିବା ଜଗଜ୍ଜନନୀ ମା’ଙ୍କୁ ଯଦି ଏ କଷ୍ଟରୁ ଉଦ୍ଧାର କରିବାକୁ ନିବେଦନ କରନ୍ତେ, ତେବେ ମା’ ନିଶ୍ଚୟ ଆରୋଗ୍ୟ କରିଦିଅନ୍ତେ । ଶିଷ୍ୟ ମାନଙ୍କର ଏ ନିବେଦନକୁ ଶ୍ରୀ ରାମକୃଷ୍ଣ ଗ୍ରହଣ କଲେ ନାହିଁ ଓ ଏ ଜନ୍ମରେ ନିଜର ପ୍ରାରବ୍ଧ ଭୋଗ କରି ଜନ୍ମମୃତ୍ୟୁରୁ ନିଜକୁ ଚିରଦିନ ପାଇଁ ମୁକ୍ତ କରି ଅନ୍ତ କାଳରେ ପରମାତ୍ମାଙ୍କ ସହିତ ବିଲୀନ ହେବା ପାଇଁ ଇଚ୍ଛା ପ୍ରକାଶ କଲେ ଏବଂ ପ୍ରାରବ୍ଧ ଜନିତ ଦୁରାରୋଗ୍ୟ ରୋଗ ଜନିତ ଦୁଃଖ ଭୋଗ କରିବା ପାଇଁ ପସନ୍ଦ କଲେ।

ପ୍ରାରବ୍ଧ ବିଷୟରେ ଆଉ ଗୋଟିଏ ସୁନ୍ଦର କଥା ଅଛି। କଂସ ମହାରାଜ ଙ୍କ ନିଧନ ପରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବନ୍ଦୀଶାଳାକୁ ଯାଇ ପିତା ବସୁଦେବ ଓ ମାତା ଦେବକୀଙ୍କୁ ବନ୍ଧନ ମୁକ୍ତ କଲେ, ସେତେବେଳେ ମା’ଦେବକୀ ପୁତ୍ର ଶ୍ରୀକୃଷ୍ଣଙ୍କୁ ପଚାରିଲେ, “ଧନରେ, ତୁ ହେଉଛୁ ସ୍ଵୟଂ ଭଗବାନ, ଆମେ ଦୁହେଁ ତୋର ପିତାମାତା। ଆମେ କି ପାପ କରିଥିଲୁ ଯେ ଆମକୁ ତୁ ଚଉଦ ବର୍ଷ ଏ ବନ୍ଦୀ ଶାଳାରେ ରଖି ଦୁଃଖ କଷ୍ଟ ଦେଲୁ ?” ସେତେବେଳେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ, “ମା, ମୁଁ କି ପାପ କରିଥିଲି ଯେ ତୁମେ ମତେ ପୂର୍ବ ଜନ୍ମରେ (ରାମାବତାରରେ) ଚଉଦ ବର୍ଷ ବନକୁ ପଠାଇଥିଲ?” ଦେବକୀ ଚମକି ପଡି କହିଲେ,” ମୁଁ–ମୁଁ ତତେ ଚଉଦ ବର୍ଷ ବନକୁ ପଠାଇଥିଲି ? “ହଁ ମା’ ,ତୁମେ ଥିଲ କୈକେୟୀ ଓ ପିତା ବସୁଦେବ ଥିଲେ ଦଶରଥ। ତୁମେ ଦୁହେଁ ମୋତେ ଚଉଦ ବର୍ଷ ବନକୁ ପଠାଇଥିଲ, ଆଉ ସେହି ଚଉଦ ବର୍ଷ ତୁମ ଦୁହିଁଙ୍କୁ ଏ କାରାଗାରର କଷ୍ଟ ଭୋଗିବାକୁ ପଡିଲା ।” ଆଶ୍ଚର୍ଯ୍ୟ ସ୍ୱରରେ ଦେବକୀ ପ୍ରଶ୍ନକଲେ -“ଆଉ କୌଶଲ୍ୟା ?” ଶ୍ରୀକୃଷ୍ଣ କହିଲେ “ସେ ହେଉଛନ୍ତି ଏ ଜନ୍ମରେ ଯଶୋଦା।” ଦେବକୀ ନୀରବ ହୋଇଗଲେ ।

 ନିରପେକ୍ଷ ବିଚାରବନ୍ତ ଭଗବାନ ବି, ନିଜ ପିତାମାତାଙ୍କୁ ପ୍ରାରବ୍ଧରୁ ରକ୍ଷା କରି ପାରି ନଥିଲେ,ଏ କଥାଟି ତାର ଜ୍ୱଳନ୍ତ ପ୍ରମାଣ। ଆମେ ତ ସାଧାରଣ ମନୁଷ୍ୟ l ଆଜି ଆମେ ଯେତେ ଯାହା  ଦୁଃଖ କିମ୍ବା ସୁଖ ପାଉଚେ ତାହା ଆମ ପ୍ରାରବ୍ଧର ଫଳ। ଧୈର୍ଯ୍ୟର ସହ ତାକୁ ପାର ହେବା ପାଇଁ ସାରା ଜୀବନ ସ୍ବ’ଧର୍ମ ପାଳନ ପୂର୍ବକ ପ୍ରୟାସ କରି ଚାଲିବା ଉଚିତ। ଭାଗବତ ରେ କୁହାଯାଇଛି
ସ୍ୱଧର୍ମେ କଲେ ସ୍ୱର୍ଗବାସ ।
ଅଧର୍ମେ ନରକେ ପ୍ରବେଶ॥

ଭାଗ୍ୟ ଭରସାରେ ନବସି କର୍ମ କରିବା ଉଚିତ୍l

ସଂଗ୍ରାହକ ; କ୍ରିଷ୍ଣା କୁମାର ମୁନି 

ଓଁ ନମୋ ଭଗବତେ ବସୁଦେବାୟ 🙏🙏


Monday, August 16, 2021

■ ଏକତାର ପର୍ବ ■

ଉଡେ ଫର ଫର ପ୍ରତୀକ ପ୍ରୀତିର
       ପଣତରେ ପ୍ରେମ ଭରି
ଆଜିର ଏଦିନ ସୁଖେ ସମ୍ମୋହନ
     ଆମେରେ ନାଆ ନାଉରୀ
ପଞ୍ଚସ୍ତରି ତମ  ଅହିଂସାର ଶ୍ରମ
      ସ୍ୱାଧିନତା ସ୍ୱାଦ ବାରି
ହସୁଛି ଜନନୀ ସ୍ୱର୍ଣ୍ଣ ପ୍ରସବିନୀ
     ଗାନ୍ଧୀବାଦ ନୀତି ସ୍ମରି
ମାଟିଠୁ ଆକାଶ ଆଜାଦୀର ସ୍ୱର୍ଶ
       ତିକ୍ତତା ଶୂନ୍ଯ ଜୀବନ
ଭାଇଚାରା ଭାବ ଏକତାର ପର୍ବ
       ଭାରତ ଭୂମି ସନ୍ତାନ ......
               ଦାଶରଥି ସାହୁ
                      କଳମ୍ବ/ଗଞ୍ଜାମ

🇮🇳 ମୋ' ଦେଶ ସ୍ବାଧୀନ 🇮🇳

🇮🇳 ମୋ' ଦେଶ ସ୍ବାଧୀନ 🇮🇳
                           ✍  ଦିଲ୍ଲୀପ୍ କୁମାର ନନ୍ଦୀ

ମୋ' ଦେଶ ସ୍ବାଧୀନ ଭାରି ହିନୀମାନ
ଖଟିଖିଆ ଏଠି ହେଉଛି
ଲୁଟିଖିଆ ଲୁଟି ପକେଟ ଟାଇଟ୍
ଭକତିର ଗୀତ ଗାଉଛି।୧।

ଚ଼ାଷି ବାପୁଡ଼ାଟି ଲଙ୍ଗଳଟା ଧରି
ନିଶି ଦିନ କ୍ଷେତେ ପଡ଼ିଛି
କି ବର୍ଷା କି ଖରା ଅବାକି କାକର
ରକତକୁ ପାଣି କରୁଛି।୨।

ମୁଣ୍ଡ ଗୁଞ୍ଜିବାକୁ ଛପରତ ନାହିଁ
ଚ଼ବର ଚ଼ବର ହେଉଛି
ଆବାସ ଯୋଜନା ଆକାଶେ ଉଡ଼ୁଛି
ଅଟ୍ଟାଳିକା ଶୋଭା ପାଉଛି।୩।

ଚୁବୁଲା ପାଣିରେ ଚ଼ବ ଚ଼ବ ହୋଇ
ଗୀତ ଗାଇ କ୍ଳାନ୍ତି ଭୁଲୁଛି
ବରଷକ ଯାକ ବାରମାସ ସାରା
ମାଟି ସାଙ୍ଗେ ମାଟି ହେଉଛି।୪।

ମୋ'ଦେଶ ସ୍ଵାଧୀନ ଭାରି ହିନୀମାନ
ଚ଼ଷାପୁଅ ଏଠି ହେଉଛି
ତା'ଶ୍ରମର ମୁଲ କିକରିବା ତୁଲ
କିଏ ଅବା ଏଠି ଦେଉଛି।୫।

🌹ଧର୍ମଶାଳା, ଯାଜପୁର🌹
ଦୂରଭାଷ:---୯୭୭୮୩୯୩୨୨୫

■ହର ହର ମହାଦେବ ■

ହର ହର ମହାଦେବ 
============
ଜଟାରେ ଯାହାର ଗଙ୍ଗାଙ୍କ ନିବାସ 
କଣ୍ଠେ ବିଷ ଭରା ତଥାପି ଉଶ୍ୱାସ 
ତାଣ୍ଡବ ରଚନ୍ତି, କିନ୍ତୁ ଆଶୁତୋଷ 
ନୀଳକଣ୍ଠ ସିଏ କୈଳାଶରେ ବାସ ll

ପର୍ବତ ଶିଖରରେ ପ୍ରତି ପ୍ରଶ୍ୱାସ 
ନିଶ୍ୱାସରେ ଭରି ରହିଛି ବିଶ୍ୱାସ 
ଅଟଳ ଅଖଣ୍ଡ ଶିବଙ୍କ ଉଦ୍ଘୋଷ 
ବିଶ୍ୱେଶ୍ୱର ବିଶ୍ୱନାଥ ପାର୍ବତୀଶ ll

ଡମ ଡମ ଡମ ବାଜଇ ଡମ୍ବରୁ 
ଉଚ୍ଚାଟିତ ସବୁ ପ୍ରାଣୀ ଗିରି ତରୁ 
'ବମ ବମ ଭୋଳାନାଥ' ର ଗୁଞ୍ଜନ 
ହୃଦୟରେ ଆଣେ ନୂତନ ସ୍ପନ୍ଦନ ll

ରାମେଶ୍ୱର ଆଉ ମହାକାଳେଶ୍ଵର 
ସୋମନାଥ ଭୂତନାଥ ଗୁପ୍ତେଶ୍ୱର 
ଚନ୍ଦ୍ରଶେଖର ମହେଶ ଚିରଞ୍ଜିବୀ 
ତମରି ମହିମା ଜାଣେ ଅନୁଭବୀ ll

କୈଳାଶନାଥ ମୃତ୍ୟୁଞ୍ଜୟ ଗିରୀଶ 
ମଧୁକଲୋଚନ ଭୈରବ ମହେଶ 
ଲିଙ୍ଗାଧ୍ୟକ୍ଷ ଲୋକନାଥ ଲୋକପାଳ 
ତମ ମନ୍ଦିରରେ ସଭିଏଁ ବିହ୍ଵଳ ll

ନାଗଭୁଷଣ ନିତ୍ୟସୁନ୍ଦର ଶିବ 
ଓଁକାର ତ୍ରିଶୂଳଧାରୀ ମହାଦେବ 
ପିନାକୀ ପଶୁପତି ଶଙ୍କର ରୁଦ୍ର 
କରୁଣାର ସ୍ରୋତରେ କରିଛ ଆର୍ଦ୍ର ll

ସ୍ଵୟଂଭୂ ଉମାପତି ଶ୍ରୀକଣ୍ଠ ଶମ୍ଭୁ 
ଲଲାଟାକ୍ଷ୍ୟ ନୀଳକଣ୍ଠେଶ୍ଵର ପ୍ରଭୁ 
ଦୁର୍ଜ୍ଜୟ ଦିଗମ୍ବର ଦେବାଧିଦେବ 
ତପେ ବର କୋପେ ରଚ ତ ତାଣ୍ଡବ ll

ପଞ୍ଚ ମହାଭୂତରେ ଗଢ଼ା ଏ ଦେହ 
ମାୟାରେ ବୁଡିଛି, ରହିଛି ସନ୍ଦେହ 
ମାଡି ବସିଛନ୍ତି ଛଳନା କପଟ 
ଷଡ଼ ରିପୁ ଆଉ ପଞ୍ଚଗ୍ରହ କୂଟ ll

ତମ ଦତ୍ତ ଏଇ ନିଶ୍ୱାସ ପ୍ରଶ୍ୱାସ 
ଗର୍ବ ଅହଙ୍କାର ବୁଦ୍ଧି କରେ ନାଶ 
ସୃଷ୍ଟି ହୁଏ କେତେ କର୍ମଫଳ ଦୋଷ 
ଲୋପ ପାଇଯାଏ ଆସ୍ଥା ଓ ବିଶ୍ୱାସ ll

ଏ ଏମିତି ଏକ ଦଗ୍ଧ ସନ୍ଧିକ୍ଷଣ 
ଦେହ ମନ ହୃଦ ସବୁ ସନ୍ଦିହାନ 
ଜାଣି ହେଉନାହିଁ ବେଗ ଦିଗ ମାର୍ଗ 
ଉଦ୍ଧାର କର ହେ ଦେବ ସଦାଶିବ ll

ଶ୍ରାବଣ ମାସର ଶେଷ ସୋମବାର 
ମଣିଷ ଜାତି ଏ କରଇ ଗୁହାର 
ଦିଅ ସମସ୍ତଙ୍କୁ କରୁଣା ଆଶୀଷ 
ଘୁଞ୍ଚିଯାଉ ସବୁ ଦୁଃଖ କଷ୍ଟ କ୍ଳେଶ ll

ତମେ ଅନାଦି ତମେ ଅନନ୍ତ ତମେ ଅଖଣ୍ଡ ଜ୍ୟୋତିର ଉଦ୍ଭବ 
ଗଗନ ପବନ ହୁଏ ମୁଖରିତ ଆଜି: ହର ହର ମହାଦେବ! ll
==============================
ପ୍ରମୋଦ କୁମାର ମହାନ୍ତି 

Sunday, August 15, 2021

🇮🇳 ଭାରତମାତାର ବିଜୟ ଗାଥା 🇮🇳

🇮🇳ଭାରତମାତାର ବିଜୟ ଗାଥା🇮🇳

🙏🏻ଦିଲ୍ଲୀପ୍ କୁମାର ନନ୍ଦୀ🙏🏻

ମସ୍ତକେ ମୁକୁଟ ଗୀରିରାଜ ଶୋହେ
ବକ୍ଷରେ ଯା'ର ଗଙ୍ଗା ବହୁଥାଏ
କାଶ୍ମୀର ଠାରୁ କୁମାରୀକା ଯାଏ
ଶତ ମହୋଦଧି ଯାର ଗୀତି ଗାଏ।୧।

ଯା'କୋଳରେ ଜାତ କେତେ ସୁର ବୀର
ନିଜ ଜୀବନକୁ ମଣି ପାଣିଗାର
ମାଆ ମାତୃଭୂମି ପାଇଁ କରି ପଣ
ଦେଶ ପାଇଁ ବଳିଦେଲେ ସେ ଜୀବନ।୨।

ଫିରିଙ୍ଗି ହାତରୁ ଆଣିଲେ ଛଡ଼େଇ
କିଏବି ଅହିଂସା ନିତି ଆପଣେଇ
ଅବା ଛାତିରୁ କେ ରୁଧିର ବୁହାଇ
କିଏ ଅବା ମଥା ନତ କରିନାହିଁ।୩।

ପଥରରେ ଦେଇ ଇଟାର ଜବାବ
ଅବା ଶାନ୍ତିପୂର୍ଣ୍ଣ ଅହିଂସାର ଭାବ
 କୁଟି ଖାଇ କାଟି କରି ପରିଧାନ
ଅସହଯୋଗର କରି ଆନ୍ଦୋଳନ।୪।

ସବୁରି ହୃଦୟେ ଭରି ଦେଶ ପ୍ରେମ
ସ୍ଵାଧୀନକୁ କରି ନିତି ମୂଳମନ୍ତ୍ର
ଉଡ଼ାଇ ଦେଶରେ ତ୍ରିରଙ୍ଗା କେତନ
ମିଳିମିଶି କଲେ ଏ ଦେଶ ସ୍ବାଧୀନ।୫।

ସ୍ଵାଧୀନ ଭାରତ ସ୍ୱାଧୀନ ଚେତା
ଗାଇ ଯିବା ଆଜି ତା ଐକ୍ୟର ଗାଥା
ହିନ୍ଦୁ ମୁସଲମାନ ଶୀଖ୍ ଖ୍ରୀଷ୍ଟିଆନ
ଯେତେରେ ଆମେ ଏ ଭାରତ ସନ୍ତାନ।୬।

ଗାଇଯିବା ଆଜି ତା ହୃଦୟ କଥା
 ଭାରତ ମାତାର ବିଜୟର ଗାଥା
କାନେ କାନେ କହିଯିବା ବୀର କଥା
ଆମେ ତା ସନ୍ତାନ ସେ ଆମର ମାତା।୭।

🌹 ଧର୍ମଶାଳା, ଯାଜପୁର🌹
ଦୂରଭାଷ:---୯୭୭୮୩୯୩୨୨୫

■ଏଇ ମୋର ନିବେଦନ ■

ଝିପି ଝିପି ବର୍ଷା      ସାଥିରେ ବିଜୁଳି
       ବହେ କୋହଲା ପବନ
ଅନ୍ଧାର ରାତିରେ   ଶିବ ଶିବ ନାମେ
          କମ୍ପୁଛି ବନ ଗଗନ

କାନ୍ଧେ ପାଣି ଭାର କାଉଡିଆ ବୀର
        ଯାଉଛନ୍ତି ଶିବ ଧାମ
ଜଟିଆ ବାବା         ପାରି କରହେ
        ହୃଦ ସ୍ମରେ ତୁମ ନାମ

ଆହେ ପଶୁପତି  ତ୍ରିଲୋକର ସ୍ବାମୀ
        ଗଙ୍ଗାଧର ତ୍ରିଲୋଚନ
ଦୁଃଖ ଫେଡି ସୁଖ ଦିଅ ହେ ସଭିଙ୍କୁ
      ଏହି ମୋର ନିବେଦନ

କାଉଡିଆ ପଥ    ପୁଷ୍ପମୟ କର
         ରଖ ହେ ତାଙ୍କରି ମାନ
ଯୁଗେ ଯୁଗେ ପ୍ରଭୁ    ରହିଥାଉ ବିଶ୍ବେ
         ତୁମରି  ଯଶ ସମ୍ମାନ 

ମୁଁ ଅଧମ ସୁତ    ତୁମରି  ଆଶିଷେ
          ଲେଖୁଛି ଧରି କଲମ
ଦୋଷାଦୋଷ ପ୍ରଭୁ  ନଧରିବ ମୋର
        ମୁଁ ଯେ ତୁମରି ସନ୍ତାନ

  ପ୍ରେମକବି; ଜଗବନ୍ଧୁ ସାହୁ ,ଗଞ୍ଜାମ 

🇮🇳 ଭାରତଵର୍ଷ ଓ ଵିଭିନ୍ନ ନାମ 🇮🇳

🇮🇳🇮🇳🇮🇳ଭାରତଵର୍ଷ ଓ ଵିଭିନ୍ନ ନାମ🇮🇳🇮🇳🇮🇳
  🟠⚪🟢🟠⚪🟢🟠⚪🟢🟠⚪🟢

ପୃଥିଵୀର ସମସ୍ତ ପ୍ରାଚୀନ କଳା , ସଂସ୍କୃତି , ଭାଷା , ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ କୁହାଯାଇଛି-

❝ ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।❞ 
(ଵିଷ୍ଣୁ ପୁରାଣ(୨।୩।୨୪))

ଅର୍ଥାତ୍
❝ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି
ଯେ-ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ)ଅପେକ୍ଷା ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିଵା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ଏଠାରେ ମନୁଷ୍ୟ ଜନ୍ମ ପାଇଵା ଦେଵତ୍ଵ ପଦ ପ୍ରାପ୍ତ କରିଵା ଠାରୁ ବି ବଡ଼ କଥା ଅଟଇ ।❞

ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ଶାସ୍ତ୍ରରେ ଆଉ ପଦେ ଯୋଡା଼ଯାଇଛି―

❝ଏତ ଦେଶ ପ୍ରସୂତସ୍ଯ  ସକାଶାଦଗ୍ର ଜନ୍ମନଃ ।
ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍  ପୃଥିଵ୍ଯାଂ ସର୍ଵ ମାନଵାଃ ।।❞

❝ଏ ଦେଶରେ ଉତ୍ପନ୍ନ ହୋଇଥିଵା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ ।❞

ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।

ପ୍ରଶିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ
Albert Einstein କହିଥିଲେ―
❝We owe a lot to the Indians, who taught us how to count, without which no worthwhile scientific discovery could have been made.❞
❨ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନ ର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା❩

ସେହିପରି ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durant ଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–

❝It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.❞
❨“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”❩

ତେଵେ ଏହି ମହାନ ଦେଶ ଭାରତଵର୍ଷର ଆଦିକାଳରୁ ଏଯାଵତ୍ ଅନେକ ନାମ ରହିଛି । 
ତନ୍ମଧ୍ୟରୁ ଭାରତ,India ଓ ହିନ୍ଦୁସ୍ତାନ ନାମ ଵିଶେଷ ଲୋକପ୍ରିୟ ଅଟେ । ଚାଲନ୍ତୁ ଭାରତର କେତେକ ନାମ ଵିଷୟରେ ଜାଣିଵା । 

 🟠⚪🟢🇮🇳🇮🇳ଭାରତଵର୍ଷ🇮🇳🇮🇳🟠⚪🟢

ଆମ ଦେଶର ଭାରତ ନାମ ସର୍ଵୋତ୍କୃଷ୍ଟ ଓ ଶ୍ରେଷ୍ଠ ନାମ ଅଟଇ । କିନ୍ତୁ ଏ ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ରହିଛି ।  ଯଥା—

🔵୧)ଭା ଧାତୁରୁ ନିଷ୍ପନ୍ନ ହୋଇଛି ଭାରତ 

କେତେକଙ୍କ ମତରେ
ଭା+ରତ=ଭାରତ
➤ଭା=ଜ୍ଞାନ,
➤ରତ=ଅନୁରକ୍ତ,ଲିପ୍ତ,ଆସକ୍ତ ...

ପୁଣି ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ  ଅଛି 
ଯଥା➤ ନିଯୁକ୍ତ,ଵ୍ଯାପୃତ,ରମଣ,ପ୍ରେମ,ପ୍ରଣୟ,
ଅନୁରାଗ,ଆମୋଦ ପ୍ରମୋଦ, ଆସକ୍ତି...

ଭା+ରତ = ଭାରତ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ ଏମାନେ କୁହନ୍ତି 
“ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ...”

🔵୨)ଭା ଧାତୁର ଦିପ୍ତି ପାଇଵା ଅର୍ଥରୁ 
ଭାରତ ଶବ୍ଦ ଗଠିତ 

ଅଧିକାଂଶ ପୁରାତନ ଭାଷାକୋଷରେ
ଭା ଧାତୁ ଶବ୍ଦର ଅର୍ଥ ଦିପ୍ତି ପାଇଵା ଲେଖାଥିଵା ଦେଖାଯାଏ । ସେଇଭଳି ସଂସ୍କୃତ ଭାଃ ଶବ୍ଦର ଅର୍ଥ 
ଦିପ୍ତି,ପ୍ରଭା,କିରଣ,ଶୋଭା ଉଲ୍ଲେଖ ଅଛି...

ତେଣୁ ଯେଉଁ ଦେଶର ଲୋକମାନେ
ସଦା ଦିପ୍ତି ବା ପ୍ରଭାର ଆସକ୍ତ...
ଆଉ ...

❝କୌଣସି ଦେଶର ପ୍ରଭା,ଦିପ୍ତି,କିରଣ ଵା ଶୋଭା ସେ ଦେଶର ଜନତା - ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ  ହୋଇଥିଲେ ହିଁ ସମ୍ଭଵପର ହୋଇଥାଏ ।❞

🔵୩) ଭରତଙ୍କ ନାମରେ ଭାରତଵର୍ଷର ନାମକରଣ ଭାରତ ହୋଇଛି

କେତେକ ଭାଷାକୋଷ ଅନୁସାରେ ଭରତ+ଅଣ୍[ଅ] = ଭାରତ ଅଟେ । 

ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଦେଶ ହିଁ ଭାରତଵର୍ଷ ଅଟେ । ପୁରାଣ କହେ  ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର  ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ  ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ ।  ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା ।  ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ  ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ  ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିବା ହେତୁରୁ ଏହାଙ୍କ ନାମାନୁସାରେ ଏହି ଦେଶର ନାମ ଭରତଖଣ୍ଡ,ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା । 

୪)ଭାର ଶବ୍ଦରେ ତନ୍ ଲାଗି ଭାରତ ଶବ୍ଦ ହୋଇଅଛି । 

କଳ୍ପଦ୍ରୁମ ଶବ୍ଦକୋଷ କୁହେ 
ଭାରଂ + ତନ୍ +ଙଃ(ଅ) =ଭାରତ
ସେଠାରେ 
ଵ୍ଯାଖ୍ୟା କରି କୁହାଯାଇଛି -

“ଵେଦାଦିଶାସ୍ତ୍ରେଭ୍ଯୋଽପି ସାରାଂଶଂ ତନୋତି”

ଅର୍ଥାତ୍ ବେଦାଦିଶାସ୍ତ୍ର ଗୁଡ଼ିକର ଯାହା
ସାରାଂଶ ତାହା ଭାରତ 
ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିଵା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । 
*ହିନ୍ଦୀ ଶବ୍ଦ ସାଗରରେ ପ୍ରୋକ୍ତ ନିରୁକ୍ତି ଵ୍ଯାଖ୍ୟା କୁ ଆହୁରି ସହଜ ଭାଵେ 
ଭାର+ତ=ଭାରତ କୁହାଯାଇଛି । ଏହି ନିରୁକ୍ତି ଵ୍ଯାଖ୍ୟାରୁ ମିଳୁଥିବା ଭାର ଶବ୍ଦର ନିରୁକ୍ତି ହେଲା—
ଭୃଧାତୁ+ଭାଵ.ଅ 
ଭୃ ଧାତୁର ଦୁଇଟି ଅର୍ଥ ଅଛି
■ଧାରଣ କରିଵା
■ପାଳନ ପୋଷଣ କରିଵା

ତେଣୁ ଏଠାରେ ମୂଳ “ଭୃ ଧାତୁ” ଭାର ଶବ୍ଦ ରୁ ମିଳିଯାଉଛି ଯାହା ହିନ୍ଦୀ ଶବ୍ଦ ସାଗରର ଅନ୍ୟ ଏକ ନିରୁକ୍ତି ଵ୍ୟାଖ୍ୟା ଆଡ଼କୁ ଇଙ୍ଗିତ କରୁଛି
↗ଭୃ଼ +ଅତଚ୍+ଙୀପ୍ =ଭାରତ 
ତେବେ ଭାର ଶବ୍ଦ ର ଅନେକ ଅର୍ଥ ରହିଛି 
ଉ:-
➡ଗୁରୁତ୍ୱ
➡ଗାମ୍ଭୀର୍ଯ୍ୟ
➡ସମୂହ
➡ଦାୟିତ୍ୱ
➡ପରିମାଣ

ଏଣୁ ଏସବୁ ଅର୍ଥ କୁ ନେଇ ଭାରତ ଶବ୍ଦ ର ଆଉ ଏକ ଭାଵଗତ ଵ୍ୟାଖ୍ୟା ହେବ 

“ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ଵହନ ପୂର୍ଵକ ସେମାନଙ୍କୁ ଅନ୍ନ,ଭୂମି ତଥା ପଵନ ଦେଇ ଲାଳନପାଳନ ପୋଷଣ କରିଛି  ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ ...”

ତେଵେ ଆଜି ୟୁରୋପୀୟ ଇଣ୍ଡିଆ ନାମ ସହ ଭାରତ ମଧ୍ୟ ଆମ୍ଭ ଦେଶର ଅନ୍ୟତମ ଆଧିକାରିକ ନାମ ଭାଵେ ସ୍ଵୀକୃତିପ୍ରାପ୍ତ ହୋଇଅଛି । 

    🔍🔍🔍🔍🔍India🔍🔍🔍🔍🔍

ପର୍ତ୍ତୁଗାଲୀ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ପ୍ରଦତ୍ତ ଇଣ୍ଡିଆ ନାମ ସହିତ ଭାରତୀୟଙ୍କ ପରିଚୟ ହୋଇଥିଲା । ଇଂରାଜୀରେ Indea ଶବ୍ଦ ଵ୍ଯଵହାର ଅଧିକ ଥିଲା ଏଵଂ ଇଂରାଜୀ ଭାଷାର  ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମଦ୍ଧୃତ ।  ଲାଟିନ୍ ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍ ରୁ ସିଧାସଳଖ ଗ୍ରହଣ କରାଯାଇଛି ସେଇ ମୂଳ  ଶବ୍ଦଟି ହେଉଛି Ἰνδία(Indía) । ଏଠାରେ  Ἰνδός(Indós) ଶବ୍ଦରୁ Ἰνδ
  ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ Ἰνδία(Indía) ଶବ୍ଦଟି ସୃଷ୍ଟି ହୋଇଅଛି ।
Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ଆସିଅଛି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ । ଏହାର ପ୍ରାକ୍ ଇରାନୀ ରୂପ  *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ
 ରୂପ *síndʰuš(ନଦୀ/ସାଗର) ଥିଲା ।
ଆଗେ ଇଂରାଜୀ ଲୋକେ ଆରଵୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ । ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି । 

    ✨✨✨✨✨ହିନ୍ଦୁସ୍ତାନ✨✨✨✨✨

ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଏହି ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ଭାଷାକୁ ହିନ୍ଦୀ ନାମ ଦିଆଗଲା । ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି । ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ । ଢେଙ୍କାନାଳରେ ସେଇଟା କୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ  କୁହନ୍ତି ହାରୁ ଛେ !!! ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ । 

     🚩🚩🚩🚩ଆର୍ଯ୍ୟଵର୍ଷ🚩🚩🚩🚩
ଅର୍ଯ୍ୟ ଶବ୍ଦକୁ ବହୁଲୋକ ଜାତିଵାଚକ ଭାବୁଥିଲେ ହେଁ ସଂସ୍କୃତ ଭାଷାରେ ଏ ଶବ୍ଦଟି ଏକ ଵିଶେଷ୍ଯ ଵା ନାମଵାଚକ ଶବ୍ଦ ନୁହେଁ ଵରଂ ଏହା ଏକ ଵିଶେଷଣ ଵା ଗୁଣଵାଚକ ଶବ୍ଦ ଅଟଇ । ପୂର୍ଵେ ସମସ୍ତ ଭାରତଵାସୀ ସାଧୁ,ବୁଦ୍ଧିମାନ,ଵିଜ୍ଞ ଓ ସଚ୍ଚୋଟ ଥିଲେ ଏଵଂ ଏ ଗୁଣ ଆଜି ବି ଆମ ଦେଶର ଜନତାଙ୍କ ପାଖରେ ରହିଛି । ଏ ସମସ୍ତ ଗୁଣ ଥିଵା ଲୋକଙ୍କୁ ସସମ୍ମାନେ ଆର୍ଯ୍ୟ କୁହାଯାଉଥିଲା । ବୟସରେ ବଡ଼ବାପା,ବଡ଼ବାପା,
ଜେଜେବାପା,ଅଜା,ଶଶ୍ଵର ମାମୁଁ ,ମଉସା ଓ ପିଉସା ଆଦିଙ୍କୁ ପ୍ରାଚୀନକାଳରେ ଆର୍ଯ୍ୟ କୁହାଯାଉଥିଲା । ଭାରତୀୟ ମାନେ ଯଥାର୍ଥରେ ଆର୍ଯ୍ୟ ଅର୍ଥାତ୍ ସାଧୁ ଗୁଣ ସମ୍ପନ୍ନ ଥିଲେ ତେଣୁ ଏ ଦେଶର ଏକ ନାମ ଆର୍ଯ୍ୟଵର୍ଷ ମଧ୍ଯ ଅଟଇ । କେହି କେହି ଆର୍ଯ୍ୟଵର୍ଷ କୁ ଆର୍ଯ୍ୟାଵର୍ତ୍ତ ମଧ୍ଯ କହିଥାନ୍ତି । ଆର୍ଯ୍ୟ ଶବ୍ଦ ସହିତ ଆଵର୍ତ୍ତ ଶବ୍ଦ ଯୋଗ କରି ଅର୍ଯ୍ୟାଵର୍ତ୍ତ  ଶବ୍ଦ ହୋଇଛି। ଏଠାରେ ଆଵର୍ତ୍ତ ଶବ୍ଦର ଅର୍ଥ ବାସସ୍ଥାନ ଅଟେ ।

     🚩🚩🚩🚩ବ୍ରହ୍ମାଵର୍ତ୍ତ🚩🚩🚩🚩
ଭାରତର ନାମ ବହୁପ୍ରାଚୀନ କାଳରେ ବ୍ରହ୍ମାଵର୍ତ୍ତ ମଧ୍ୟ ଥିଲା । କେତେକ ଐତିହାସିକଙ୍କ ମତରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ଵସ୍ଥ ଅଞ୍ଚଳକୁ ହିଁ ବ୍ରହ୍ମାଵର୍ତ୍ତ କୁହାଯାଉଥିଲା । ତେଵେ ଆଉ କେତେକଙ୍କ ମତରେ ଭାରତର ନାମ ଆର୍ଯ୍ୟାଵର୍ତ୍ତ ଓ ଆର୍ଯ୍ୟଵର୍ଷ ବୋଲାଇଵାର ପୂର୍ଵରୁ ଏହାର ନାମ ବ୍ରହ୍ମାଵର୍ତ୍ତ ଥିଲା । ଋକବେଦରେ ଆମେ ଏ ଶବ୍ଦର ଵ୍ଯଵହାର ଦେଖିଵାକୁ ପାଇଥାଉ  । 

    🚩🚩🚩ହୈମଵତଵର୍ଷ🚩🚩🚩
ଵରାହପୁରାଣ ଆଦି କେତେକ ଗ୍ରନ୍ଥରେ ଆମେ ଭାରତଵର୍ଷର ନାମ ହୈମଵତ୍ ଵର୍ଷ ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାନ୍ତି । ସାଧାରଣତଃ ହିମାଳୟ ପର୍ଵତମାଳାକୁ ହୈମଵତ କୁହାଯାଏ । ତେଣୁ ପୁରାଣମାନଙ୍କରେ ଏହି ହିମାଳୟର ଦକ୍ଷିଣଵର୍ତ୍ତୀ ସମସ୍ତ ଭୂଭାଗକୁ ହୈମଵତ ଵର୍ଷ କୁହାଯାଇଛି । ଭାରତକୁ ଉତ୍ତରରେ ହିମାଳୟ ରକ୍ଷାକଵଚ ଭଳି ଘେରି ରହିଛି ‌‌। ଭାରତକୁ ଶସ୍ୟଶ୍ୟାମଳା ରଖିଵାରେ ହିମାଳୟର ଯୋଗଦାନ ଅତୁଳନୀୟ । ଭାରତରେ ଯେଉଁ ନାତିଶିତୋଷ୍ଣ ଜଳଵାୟୁ ଦୃଷ୍ଟ ହୁଏ ତାହା ହିମାଳୟ ଭଳି ଉଚ୍ଚ ପର୍ଵତାମାଳା ଯୋଗୁଁ ହିଁ ସମ୍ଭଵପର ହୋଇପାରିଛି କାରଣ ପୃଥିଵୀର ଯେଉଁ କର୍କଟ କ୍ରାନ୍ତି ବଳୟରେ ଭାରତ ରହିଛି ସେହି ଵଳୟରେ ସାହାରା ଓ ଆରବୀ ମରୁଭୂମି ରହିଛି । ହିମାଳୟ ନଥିଲେ ଭାରତରେ ମୌସୁମୀ ଵର୍ଷା ସମ୍ଭଵ ହୋପାରନ୍ତା ନାହିଁ । ହିମାଳୟ ପର୍ବତମାଳା ହଜାର ହଜାର ମିଟର ଉପରେ ପ୍ରଵାହିତ ଜେଟ୍ ଷ୍ଟ୍ରୋମ୍ କୁ ଦକ୍ଷିଣରେ ବାଧା ଦେଇଥାଏ ପୁଣି ଉତ୍ତର ଗୋଲାର୍ଦ୍ଧରୁ ପ୍ରଵାହିତ ଶୁଷ୍କ ଶୀତଳ ଵାୟୁକୁ ମଧ୍ଯ ଉତ୍ତର ପଟୁ ପ୍ରଵେଶ କରିଵାକୁ ଦିଏ ନାହିଁ । ଫଳରେ ଭାରତରେ ଗୁରୁଚାପ ସୃଷ୍ଟି ହୋଇପାରେ ଏଵଂ ତାହାର ପ୍ରଭାଵ ଭାରତ ମହାସାଗରରେ ପଡି଼ଲେ ଲଘୁଚାପ ହୋଇଥାଏ । ବୋଧହୁଏ ଏ କଥା ଆମ ପ୍ରାଚୀନ ପୂର୍ଵଜ ଜାଣିଥିଲେ । ସମ୍ଭଵତଃ ସେଇଥିପାଇଁ ସେମାନେ ନିଜ ଦେଶର ନାମ ହିମାଳୟର ନାମାନୁସାରେ ରଖିଯାଇଛନ୍ତି । 

   🚩🚩🚩ଅଜନାଭ/ନାଭି ଖଣ୍ଡ🚩🚩🚩
ପୁରାଣନୁସାରେ ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜମ୍ବୁଦ୍ବୀପ(ତତ୍କାଳୀନ ଏସିଆ)କୁ ନଅ ଖଣ୍ଡ କରି ବାଣ୍ଡି ଦେଇଥିଲେ। ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା । ଏହି ନାଭିଙ୍କ ଅନ୍ଯନାମ ଅଜନାଭ ଅଟେ । ଏହାଙ୍କ ନାମାନୁସାରେ କେତେକାଳ ଭାରତର ନାମ ଅଜନାଭଖଣ୍ଡ ଓ ନାଭିଖଣ୍ଡ ହୋଇଥିଲା ।  ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତ— ଵର୍ଷ ବୋଲି ପ୍ରସିଦ୍ଧ ହେଲା । 

      🚩🚩🚩ନରଭୂ/ନରଭୂମି🚩🚩🚩
ନର ଶବ୍ଦର ଅର୍ଥ ସାଧାରଣତଃ ମନୁଷ୍ୟ ଜାତି ଓ ପୁରୁଷ ଜାତି ପ୍ରତି ଵ୍ଯଵହୃତ ହେଉଥିଲେ ହେଁ ଏହାର ଵ୍ଯାପକ ଅର୍ଥ ରହିଛି । ଶ୍ରୀଵିଷ୍ଣୁ ଓ ସଦାଶିଵଙ୍କୁ ମଧ୍ୟ ‘ନର’ କୁହାଯାଏ ।ଅର୍ଜୁନଙ୍କର ଏକ ନାମ ମଧ୍ୟ ନର ଅଟେ । ତେଵେ ଭାରତଵର୍ଷକୁ ନରଭୂ ଵା ନରଭୂମି କହିଵାଵେଳେ  ସମ୍ଭଵତଃ ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ 

କ)ଯେଉଁଠାରେ ନର ପଦଵାଚ୍ଯ ଵ୍ଯକ୍ତିମାନେ ଅର୍ଥାତ୍ ସାଧୁ ସ୍ଵଭାଵର ଲୋକେ ବାସ କରନ୍ତି ।

ଖ) ଯେଉଁ ଭୂମିରେ ଯୁଗେ ଯୁଗେ ସଦାଶିଵ ଓ ଶ୍ରୀନାରାୟଣ ଅଵତାର ନେଇଥାନ୍ତି । 

🚩🚩ଫଳ ଭୁମି,କର୍ମଭୂମି ଓ ପୁଣ୍ୟଭୂମି🚩🚩
ଯେଉଁ ଭୂଭାଗ କର୍ମଫଳ ଭୋଗର ସ୍ଥାନ ତାହା ଏଇ ଭାରତଵର୍ଷ ବୋଲି ଆମ ପୂର୍ଵଜଙ୍କର ଵିଶ୍ଵାସ ଥିଲା । ଭାରତୀୟ ଵାଙ୍ମୟ ଶାସ୍ତ୍ରାନୁଯାୟୀ ଭାରତରେ ପାପପୂଣ୍ଯର ଫଳ ଭୋଗ ହେଉଥିଲା । ତେଣୁ ଆମ ଦେଶର କର୍ମଭୂମି, ପୁଣ୍ୟଭୂମି ଓ ଫଳଭୂମି ଆଦି ନାମକରଣ କରାଯାଇଥିଵା ଅନୁମାନ କରାଯାଏ । ସ୍ଥୂଳ ଭାଵେ ଦେଖିଲେ ବି ଭାରତରେ ଯେତେ ଫୁଳ ପୁଷ୍ପାଦି ମିଳେ ତେତେ ଵିଶ୍ଵରେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ 
ନାହିଁ ।  ଏ ଦେଶର ଜନତା ମଧ୍ୟ ପାପପୁଣ୍ଯର ଵିଚାର କରି ହିଁ ଅସାଧୁ କାର୍ଯ୍ୟ କରିଵାକୁ ଭୟ କରୁଥିଲେ ‌ । ସେହିପରି ଭାରତଵର୍ଷକୁ କର୍ମଭୂମି ମଧ୍ୟ କୁହାଯାଏ କାରଣ ଏହା ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ । ଭାରତ ହେଉଛି ସମସ୍ତ ଜ୍ଞାନର ଆଵିଷ୍କାର ଓ ଉଦ୍ଭାବନର ଭୂମି । ପ୍ରାଚୀନ ଭାରତର ଲୋକେ 
କର୍ମଵାଦୀ ଥିଲେ କର୍ମକୁ ଈଶ୍ଵର ମାନି ଚଳୁଥିଲେ ଏଵଂ ଗଣନପଦ୍ଧତି,ମାପ ପଦ୍ଧତି,ରନ୍ଧନକଳା,ସଂଗୀତ ଓ ନୃତ୍ୟ କଳା, ଭାସ୍କର୍ଯ୍ୟ  ଜୀବନଜୀଵିକା ପଦ୍ଧତି,ଭାଷା ଓ ଲିପି ଲିଖନର ପଦ୍ଧତି ଇତ୍ୟାଦି ଅନେକାନେକ କଳା କୌଶଳ ଜ୍ଞାନ ଵିଜ୍ଞାନର ଆରମ୍ଭ ଏଇ ଦେଶରୁ ହିଁ ହୋଇଥିଲା । ଏସବୁ ଆଵିଷ୍କାର ଓ ଉଦ୍ଭାବନ କେଵଳ ପୁରୁଷାର୍ଥ ଦ୍ଵାରା ହିଁ ସମ୍ଭଵ ହୋଇପାରିଥିଵ । ସକାରାତ୍ମକ କର୍ମ ବିନା ଏସବୁ ବଡ଼ ବଡ଼ ଆଵିଷ୍କାର ଓ ଉଦ୍ଭାବନ କଷ୍ଟସାଧ୍ୟ ଅଟେ । ସମ୍ଭଵତଃ ସେଇଥିପାଇଁ ଭାରତର ଏକ ନାମ କର୍ମଭୂମି ହୋଇଅଛି । 

         🚩🚩🚩କୁମାରଖଣ୍ଡ🚩🚩🚩
ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ଏକ ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି । କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । ଆଉ କେତେକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ  ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ । 

🔵🔵ପୃଥିଵୀର ଵିଭିନ୍ନ ଦେଶରେ ଭାରତର ନାମକରଣ 🔴🔴

୧)—ଚୀନ—
ତିଆନ୍’ଝୁ/ତେନ୍’ଜିକୁ

ମାଣ୍ଡାରିନ ଓ ଜାପାନୀ ଭଷାରେ ଭାରତଦେଶକୁ  Tianzhu ଵା Tenjiku  ଯାହା ପ୍ରକୃତରେ “xien-t'juk” ଉଚ୍ଚାରିତ ହୋଇଥାଏ । ତେଵେ ଭାଷାଵିତ୍’ଙ୍କ ମତରେ ଏ ଶବ୍ଦଟି ପାର୍ସୀ ହିନ୍ଦୁ କିଂଵା ସଂସ୍କୃତ ସିନ୍ଧୁ ଶବ୍ଦର ପରିଵର୍ତ୍ତିତ ରୂପ ଅଟେ । ଚୀନଦେଶୀୟ ଭାଷାରେ ଆଜିକାଲି ଭାରତ ପାଇଁ  Yindu (印度) ଶବ୍ଦ ଵ୍ଯଵହାର ହେଉଅଛି ଏଵଂ ଏହା ମଧ୍ୟ ହିନ୍ଦୁ ଵା ସିନ୍ଧୁ ଶବ୍ଦ ସହ ସମ୍ବନ୍ଧିତ ଅଟଇ । 

୨)ଇସ୍ରାଏଲ୍—Hodu( הֹדּוּ)
ହିବ୍ରୁ ବାଇବେଲ୍ ରେ ଭାରତର ନାମ ହୁଡୁ ବୋଲି ଉଲ୍ଲେଖ ରହିଛି । ଇହୁଦୀ ତନଖ୍(ଇହୁଦୀ ବାଇବେଲ୍)ର  Book of Esther ତଥା ଖ୍ରୀଷ୍ଟିଆନ୍’ଙ୍କ ଓଲ୍ଡ ଟେଷ୍ଟାମେଣ୍ଟ୍’ର Esther 1:1ରେ ହୁଡୁ ଵା ପ୍ରାଚୀନ ସିନ୍ଧୁଦେଶଠାରୁ ଏଥିଓପିଆ ଯାଏଁ  Ahasuerus (Xerxes) ନାମକ ଜଣେ ସମ୍ରାଟ ଶାସନ କରୁଥିଵା ଉଲ୍ଲେଖ ରହିଛି । 

ଭିଏତନାମରେ ଭାରତକୁ ସ୍ଥାନୀୟ ଲୋକେ Ấn Độ କୁହନ୍ତି ଏଵଂ ପୃଥିଵୀର ପ୍ରାୟ ଅଧିକାଂଶ ଭାଷାରେ ହିନ୍ଦୁ ଵା ସିନ୍ଧୁ ନଦୀର ନାମାନୁସାରେ ଲୋକପ୍ରିୟ ହିନ୍ଦୁସ୍ଥାନ ଓ ଇଣ୍ଡିଆ ନାମର ଵିଭିନ୍ନ ପ୍ରତିରୂପ ପ୍ରଚଳିତ । 

ତେଵେ ଏସବୁ ନାମ ଛଡ଼ା  ଭାରତର ଆହୁରି ଅନେକ ନାମ ରହିଥାଇପାରେ । ଆପଣଙ୍କୁ ଭାରତର ଅନ୍ୟ କୌଣସି ନାମ ଜଣାଥିଲେ ଜଣେଇଵାକୁ ଅନୁରୋଧ ।

           (📝 ଶିଶିର ସାହୁ ମନୋଜ)

● ମାତୃଭୂମି ଓ ଦେଶପ୍ରେମ ●

ଆଜି ସ୍ବାଧିନତା ଦିବସ ଏହି ଦିବସକୁ ଆମେ ସମସ୍ତେ ବହୁତ ଧୁମ୍ ଧାମ୍ ରେ ପାଳନ କରୁଛନ୍ତି ପିଲାଙ୍କ ଠୁ  ନେଇ ବୁଢା ପର୍ଯ୍ଯନ୍ତେ ହାତରେ ତିରଙ୍ଗାକୁ ଧରି ସ୍ଳୋଗାନ୍ ଦେଉଥାଉ ବନ୍ଦେ ମାତାରାମ୍ ।  କାହିଁକି ଜାଣିଛ କାହିଁକି ନା ଆଜି ପରି ଏକ ଦିନରେ ଗୋରା ସରକାର ଠାରୁ ଆମ ଦେଶ ସ୍ବାଧିନ ହୋଇଥିଲା ଏହି ଦେଶକୁ ସ୍ବାଧିନ କରିବା ପାଇଁ କେତେ କେତେ ମହାପୁରୁଷ ଏଥିରେ ବଳିଦାନ ଦେଇଗଲେ ଚିରଦିନ ପାଇଁ । ରକ୍ତର ସ୍ବର୍ଣ୍ଣ ଅକ୍ଷରରେ ଲେଖିଦେଇ ଗଲେ ତାଙ୍କର ବୀରତ୍ବର କାହାଣୀ ଆମ ଦେଶ ସ୍ବାଧିନ ତ ହୋଇଗଲା କିନ୍ତୁ ଆଜିର ସମାଜ ନିଜ ସ୍ବାର୍ଥରେ ଅନ୍ଧ ହୋଇପଡିଛି । ଏମିତିକି ନିଜର ସ୍ବାର୍ଥକୁ ଛାଡି ଦେଲେ କିଛି ବି ଜାଣନ୍ତିନି ଆମ ଦେଶର ନେତା । ବଡ ଦୁଃଖର ବିଷୟ ଯେ  ଆଜିର ମଣିଷ ସ୍ବାଧିନ ହୋଇ ମଧ୍ୟ ପରାଧିନ । ଥରେ ନିଜ ବିବେକକୁ ପଚାରି ଦେଖ କଣ ତୁମେ ନିଜ ପାଖରେ ନିଜର ସ୍ବାଧିନତା ବୋଲି କିଛି ଅଛି ! ଦେଖିବ ତୁମ ବିବେକ ବି ତୁମକୁ କହିବ ଯେ ତୁମର ସ୍ବାଧିନତା ବୋଲି କିଛି ନାହିଁ କାହିଁକି ଜାଣିଛ ! କାହିଁକି ନା ସମସ୍ତେ ଆଜି ସ୍ବାର୍ଥରେ ଅନ୍ଧ ହୋଇ ପଡିଛନ୍ତି କେଇଟା ଟଙ୍କା ପାଇଁ ନିଜର ମୁଣ୍ତ ଅନ୍ଯ ପାଖରେ ବିକି ଦେଇଛନ୍ତି ସେ ଚାହିଁଲେ ବି ସ୍ବାଧିନ ହୋଇ ପାରନ୍ତିନି କି ସ୍ବାର୍ଥ ଛାଡି ପାରନ୍ତିନି ! କଣ କିଛି ଭୁଲ୍ କହିଲି ଆମେ ଯଦି ଏଠି ଭୋଟ ଦିଅନ୍ତି ତେବେ ତା ବଦଳରେ ଆମେ ତାଙ୍କୁ ଟଙ୍କା ମାଗନ୍ତି ଆଉ ସେଇ ଟଙ୍କା ପାଇଁ ଆମେ କିଏ ଭୁଲ୍ ଆଉ କିଏ ଠିକ୍ ବାଛି ପାରନ୍ତିନି ଆଉ ପରେ ଯାହାର ଟଙ୍କାବଳ ଥାଏ ସିଏ ଜିତିଯାଏ ପ୍ରକୃତରେ ଯିଏ ମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ସିଏ ହାରିଯାଏ ।  କିନ୍ତୁ ତା ମନରେ ଦୁଃଖ ନଥାଏ ସିଏ ଦେଖୁଥାଏ ଏହି ସ୍ବାର୍ଥପର ଦୁନିଆଁକୁ କେମିତି ନିଜ ସ୍ବାର୍ଥ ପାଇଁ ମଣିଷ ଗୁଡାକ ରାକ୍ଷାସ ବି ପାଲଟି ଯାଉଛନ୍ତି । ଆଉ ଯେତେବେଳେ ସେଇ ଭୋଟ ଦେଇଥିବା ମନ୍ତ୍ରୀମାନଙ୍କ ପାଖରେ ଏଇ ମଣିଷ ଗୁଡାକର କାମ ପଡିଥାଏ ସେମାନେ ଦଉଡି ଯାଆନ୍ତି ସେଇ ମନ୍ତ୍ରୀ ମାନଙ୍କ ପାଖକୁ ଆଜ୍ଞା ଆପଣ କହି ନିଜ ଦୁଃଖ କହିଥାନ୍ତି କିନ୍ତୁ ମନ୍ତ୍ରୀମାନେ ସିଧା କହି ଦିଅନ୍ତୁ ମୁଁ ତୁମକୁ କାହିଁକି ସାହାଯ୍ଯ କରିବି ତୁମେ ମୋତେ ଭୋଟ ଦେଇଥିଲତ , ଆରେ ତୁମେ ଯଦି ତୁମର ସ୍ବାର୍ଥ ଛାଡି ପାରିଲନି ତେବେ ମୁଁ କେମିତି ମୋ ସ୍ବାର୍ଥ ଛାଡି ଦେବି ତୁମେ ମୋତେ ଭୋଟ ଦେବ ବୋଲି ମୁଁ ତୁମକୁ ବସ୍ତା ବସ୍ତା ଟଙ୍କା ଦେଇ ସାରିଛି ତୁମେ କିଏ ମୁଁ ତୁମକୁ ଜାଣି ନାହିଁ ତୁମେ ଚାଲିଯାଅ ଏହି ଠାରୁ । ଏତିକିରେ ବି ମଣିଷ ମାନଙ୍କର ଆଖି ଖୋଲେ ନାହିଁ ଭୁଲ୍ ପରେ ଭୁଲ୍ କରି ଚାଲନ୍ତି ନିଜର  ସ୍ବାର୍ଥ ପାଇଁ । ହେ ମୋର ବନ୍ଧୁ ଭାଇ ମାନେ ଏବେ ବି ସମୟ ଅଛି ନୋଟ୍ ପାଇଁ ଭୋଟ୍ ନଦେଇ ଉପଯୁକ୍ତ ନେତା ଟିଏ ବାଛିବା ଦେଶର ହିତ ପାଇଁ , ଯିଏ ଆମ ସୁଖରେ ଦୁଃଖରେ ଆମ ପାଖରେ ଠିଆ ହେବ ଏବେ ଚାଲ ଯିବା ସେଇ ଦିନକୁ । 

             ଯେଉଁ ଦିନ ଏ ଭାରତ ସ୍ବାଧିନ ହୋଇଥିଲା ଆରେ ଆଜି ପରା ସେଇ ଦିନ ଅଗଷ୍ଟ ଅନ୍ଦର ସ୍ବାଧିନତା ଦିବସ ଆହା କି ସୁନ୍ଦର ଦିସୁଛି ଆଜି ଏ ଭାରତ କି ମଧୁର ସ୍ବର ଛୁଟି ଆସୁଛି ତା କୋଳରୁ, ଚାରିଆଡେ ତିନି ରଙ୍ଗରେ ସଜା ହୋଇ ପଡିଛି ସବୁଠି ଜାତୀୟ ପତକା ତ୍ରିରଙ୍ଗା ଉଡୁଛି ଏହି ଦୃଶ୍ଯ ଦେଖି ନାତି ଟୋକା ଅଜାଙ୍କୁ ପଚାରେ ଅଜା ଆଜି ଏମିତି କଣକି !  ଚାରିଆଡେ ତିନି ରଙ୍ଗରେ ସଜାଇ ପତକା ଉତ୍ତୋଳନ କରୁଛନ୍ତି ଅଜା ଟିକିଏ ହସି ଦେଇ କହିଲେ ଆରେ ନାତିଆ ଆଜି ହେଉଛି ଅଗଷ୍ଟ ପନ୍ଦର ତେଣୁ ଚାରିଆଡେ ଏ ଭାରତ ଦିଶୁଛି ସୁନ୍ଦର ନାତି କହିଲା ଆଛା ଅଜା ଆଜି ଏମିତି କଣ ହୋଇଥିଲା କି ଯେ ଚାରିଆଡେ ଏତେ ଧୁମ୍ ଧାମରେ ପାଳନ କରୁଛନ୍ତି ଅଜା ଗୋଟାଏ ବାରଣ୍ତାରେ ନିତିକୁ ନେଇ ବସି ପଡିଲେ । ଆଉ ସେଇ ସ୍ବାଧିନତାର ଗାଥା ଶୁଣାଇଲେ ସ୍ବାଧିନତାର ଗାଥା ଶୁଣି ନାତିଟି ଗର୍ବରେ ଛାତି ଫୁଲାଇ କହିଲା ବନ୍ଦେ ମାତାରାମ୍ । ଆଉ ପାଖରେ ଥିବା ଗୋଟାଏ ଦୋକାନରୁ ତ୍ରିରଙ୍ଗା ପତାକାଟେ କିଣି ଗାଁ ଠୁ ସହର ଯାଏ ଅଜା ସାଙ୍ଗରେ ନାତିଆ ଦଉଡି ଚାଲିଲା ଅଜା ନାତିର ଦେଶ ପ୍ରେମକୁ ଦେଖି ବହୁତ ଖୁସି ହୋଇଗଲେ । ଆଉ ଅଜା କହିଲେ ନାତିଆ ଯଦି ଦେଶ ପ୍ରେମକୁ ଏହି ଭଲି ଛାତିରେ ଜାବୁଡି ଧରିବୁ ତେବେ ନିଶ୍ଚୟ ବଡ ହେଲେ ତୁ ଜଣେ ଦେଶ ପ୍ରେମୀ ହେବୁ ।

         ଆଉ ଶେଷରେ ସେଆ ହିଁ ହେଲା ନାତିଆ  ବଡ ହୋଇ ଜଣେ ଦେଶ ପ୍ରେମୀ ହୋଇ ପରିବାରର ସ୍ନେହ ମମତା ଭଲପାଇବାକୁ  ଆଡେଇ ଚାଲିଗଲା ଭାରତ ମାତାର ସୁରକ୍ଷା ପାଇଁ । ହାତରେ ବନ୍ଧୁକ ଧରି ଶତ୍ରୁର ଦମନ ପାଇଁ ଠିଆ ହୋଇ ପଡିଲା ବୋର୍ଡର ଉପରେ ଏମିତି କିଛି ବର୍ଷ ବିତିଗଲା ନାତିଆ ଅଜାଙ୍କ ପାଖକୁ ଫୋନ୍ କରି କହିଲା ଅଜା ମୁଁ ଖୁବ୍ ଶୀଘ୍ର ଆସୁଛି ତୁମ ପାଖକୁ ନାତିଆର କଥା ଶୁଣି ଅଜା ସହ ପରିବାର ଲୋକେ ଖୁସି ହୋଇଗଲେ ତାପର ଦିନ ହିନ୍ଦୁ ମୁସଲମାନ ଲଢେଇ ଚାଲିଲା ଆଉ ସେଇ ଲଢେଇକୁ ଜିତେଇବା ପାଇଁ ନାତିଆ ନିଜର ଜୀବନକୁ ବାଜି ଲଗେଇ ଦେଲା ସେ ଦିନ ଅଜା ଷ୍ଟେସନ୍ ରେ ଆସି ନାତିଆର ଫେରିବା ବାଟକୁ ଚାହିଁ ବସିଥାନ୍ତି ଅଜା ହେଲେ ନାତିଆ ଫେରିଲାନି ବହୁତ ମନ ଦୁଃଖରେ ଅଜା ଘରକୁ ଫେରିଗଲେ  ।

        ଅଜା ସିନା ଘରକୁ ଫେରିଲେ ହେଲେ ତାଙ୍କୁ ପାପ ମନ ଛୁଉଁଥାଏ ଏମିତି ଦିନ ଯାଇ ରାତି ଆସିଲା ଅଜା ଶୋଇବାକୁ ଗଲେ ଆଉ ଶୋଇ ପଡିଲେ ହେଲେ ନିଦ ଠିକ୍ ସେ ହେଉ ନଥାଏ ଘଡି ଘଡିକେ ନିଦ ଭାଙ୍ଗି ଯାଉଥାଏ ତାଙ୍କୁ ଲାଗୁଥାଏ ସତେ ଯେମିତି ନାତିଆ ଆସି କହୁଥାଏ ଅଜା କବାଟ ଖୋଲ ମୁଁ ଆସିଗଲି କଣ ହେଲା ତୁମେ ମନ ଦୁଃଖରେ ଅଛ ଏହିଭଲି ରାତି ପାହି ସକାଳ ହେଲା ଦାଣ୍ତ ମୁହଁରେ ବୀର ବାଜା ଶୁଣି ଅଜା ଘର ଭିତରୁ ଦଉଡି ଆସିଲେ ଦାଣ୍ତକୁ ଦେଖିଲେ ଗୋଟାଏ ବାକ୍ସରେ ତ୍ରିରଙ୍ଗା ପତକା ଘୋଡା ହୋଇଛି ଆଉ ଚାରି ପାଖରେ ଦେଶର ଯବାନ ମାନେ ଠିଆ ହୋଇଛନ୍ତି ଏହା ଦେଖି ଅଜା ସମସ୍ତଙ୍କୁ ପଚାରନ୍ତି । ଆଖିରେ ଲୁହ ଛଳ ଛଳ କରି କହୁଥାନ୍ତି ଆରେ ବାବୁ ତୁମେ ସମସ୍ତେ ଅଛ ମୋ ନାତି ଟୋକା କାହିଁ !  ଅଜାର କଥା ଶୁଣି ସମସ୍ତେ ଚୁପ୍ ହୋଇ ରହିଲେ ଆଉ ବକ୍ସ ଉପରେ ଘୋଡା ହୋଇଥିବା ତ୍ରିରଙ୍ଗାଟିକୁ କାଢିଲେ ଅଜା ଦେଖି ବେହୋସ ହୋଇଗଲେ । ନାତିଆର ଶବକୁ ଦେଇ ଯବାନ ମାନେ ଫେରିଗଲେ ପରିବାର ଲୋକ ବହୁତ କାନ୍ଦିଲେ ହେଲେ ଅଜା ତ୍ରିରଙ୍ଗାକୁ ଧରି କହିଲେ ନାତିଆ ଆଜି ତୁ ଯାହା କହିଥିଲୁ ଆଜି ତାହା ପ୍ରମାଣ କରି ଦେଖାଇ ଦେଲୁ ଦିଲ୍ ଦିଆ ହେ ଜାନ୍ ଭି ଦେଏଙ୍ଗେ  ହେ ବତନ୍ ତେରେ ଲିଏ ପରିବାର ସହ ବନ୍ଧୁ ପରିଜନ ସମସ୍ତେ ଶୋକ ସାଗରରେ ଭାସିଗଲେ ତେଣୁ ହେ ମୋର ପ୍ରିୟ ବନ୍ଧୁ ମାନେ ସେ ନାତିଆତ ତାର ଅଡା କୋଳକୁ ଓ ତା ପରିବାରକୁ ଫେରିବନି କିନ୍ଥୁ ଆଜି ଏଇ ସ୍ବାଧିନତା ଦିବସରେ ଆସ ସମସ୍ତେ ମିଶି ଯବାନ ଭାଇଙ୍କୁ ସାଲାମ୍ କରବା ଓ ତାଙ୍କ ମାନଙ୍କ ପାଇଁ ଶୁଭ କାମନା କରିବା ଜୟ ହିନ୍ଦ୍ ଜୟ ଭାରତ ।

● ଆମେ କେତେ ସ୍ବାଧୀନ ! ●

ସ୍ବାଧିନ ଭାରତେ       ପରାଧିନ ମନ
       ହୃଦେ ନାହିଁ ଦେଶ ପ୍ରେମ
ଲୋକ ଦେଖାଣିଆ  ଉଡାଉ ତ୍ରିରଙ୍ଗା
        ପାଇବାକୁ ରେ ସମ୍ମାନ

ଦେଶ ପ୍ରେମ କଣ     ପଚାରି ବୁଝହେ
         ଯାଇ ଯବାନ ଭାଇଙ୍କୁ
ବୋଡର୍ର ଉପରେ   ସଙ୍ଘର୍ଷ  ଯେ କରି
        ସୁରକ୍ଷା ଦିଏ ଆମକୁ

କାହାକୁ ଠକୁଛୁ     ଆରେ ବାୟାମନ
        ନିଜେ ଦିନେ ଯିବୁ ଥକି
ପାରିବୁନି କେବେ      ସମୟ ସୁଅକୁ
       କେବେ ମଧ୍ଯ ତୁହିଁ ରୋକି

ସ୍ବାଧିନ କହୁଛେ    ସର୍ବେ ଯେ ନିଜକୁ
         ନାରୀ ନୁହେଁ ସୁରକ୍ଷିତ
ଭଦ୍ର ମୁଖା ପିନ୍ଧା  ରାକ୍ଷାସଙ୍କ ମୁଖେ
          ଲାଗୁଅଛି ନାରୀ ରକ୍ତ

ଯେଉଁ ଦିନ ନାରୀ     ସୁରକ୍ଷିତ ହେବ
          ଜାଣିବ ହେଲୁ ସ୍ବାଧିନ
ସେଇ ଦିନ ଯାଏ    ଭାବି ନିଅ ସର୍ବେ
          ଅଛ ବୋଲି ପରାଧିନ

Saturday, August 14, 2021

● ଓଡ଼ିଆଣୀ... ଏକ ପ୍ରାଚୀନ ଅଳଙ୍କାର ●


****ଓଡ଼ିଆଣୀ... ଏକ ପ୍ରାଚୀନ ଅଳଙ୍କାର *****
   (ସଂଗୃହୀତ ଉପସ୍ଥାପନା ; ଅମ୍ବିକା ପଟ୍ଟନାୟକ)

"ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ,
ନାକରୁ କାଢ଼ିଲେ ମାୟେ କନେକ ବସଣୀ l"
ବଳରାମ ଦାସ ବିରଚିତ "ଲଷ୍ମୀ ପୁରାଣ ", ମା ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l
"ଡମ୍ବରୁ ମଝାକୁ ଶୋଭା ଦିବ୍ୟ ଓଡ଼ିଆଣୀ,
ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ ଠାଣି ହେ l"
ଦୀନକୃଷ୍ଣ ଦାସଙ୍କ ଶ୍ରୀ ଜଗନ୍ନାଥଙ୍କ ଅଳଙ୍କାର ବର୍ଣ୍ଣନା l
  "ଓଡ଼ିଆଣୀ " ବୋଇଲେ କଣ ବୁଝାଏ ? ଓଡ଼ିଆଣୀ ଏକ ଧାତବ କଟି ମେଖଳା, ବର୍ତ୍ତମାନର ବେଲ୍ଟ ପରି l ପ୍ରାୟ ରାଜ ପରିବାରର ମହିଳା ମାନେ ଏହା ନିଜ ଅଣ୍ଟାରେ ପିନ୍ଧୁଥିଲେ l
ସୁନା କିମ୍ବା ରୂପାରେ ତିଆରି ଏଇ ଓଡ଼ିଆଣୀରେ ବିଭିନ୍ନ ପ୍ରକାର ରତ୍ନ ମଧ୍ୟ ବ୍ୟବହାର ହେଉଥିଲା l ବେଳେ ବେଳେ ଆତ୍ମରକ୍ଷା ପାଇଁ ଛୋଟ ଛୁରିକା ମଧ୍ୟ ରଖା ହଉଥିଲା l
   ଚିତ୍ରଟି ବିଜୟନଗରମ ପ୍ରାସାଦ ସଂଗ୍ରହାଳୟରେ ଥିବା ଗଜପତି ପ୍ରତାପରୁଦ୍ର ତନୟା ଜଗନମୋହିନୀଙ୍କ ଓଡ଼ିଆଣୀ l ପ୍ରବାଦ ଅଛିଯେ ଏଇ ଓଡ଼ିଆଣୀରେ ଥିବା ଛୁରିକା କଥା ଶୁଣି, ବିବାହ ପରେ କୃଷ୍ଣ ଦେବ ରାୟ ଅନେକ ଦିନ ପର୍ଯ୍ୟନ୍ତ ହୁଏତ ଭୟରେ ଜଗନମୋହିନୀଙ୍କ ପାଖକୁ ଯାଇ ନଥିଲେ l ଜଗନମୋହିନୀ ବିଜୟନଗର ଇତିହାସରେ ତୁକ୍କା ନାମରେ ପରିଚିତା ଓ "ତୁକ୍କା ପଞ୍ଚକମ " ର ରଚୟିତ୍ରୀ l
ଚିତ୍ର ସୌଜନ୍ୟ - "ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ ", ଶ୍ରୀ ଚକ୍ରଧର ମହାପାତ୍ର..

Friday, August 13, 2021

ସମର୍ପଣ (topic - 105 ଭାଇ ଭଗାରି ) quote #quot

ଭଗାରି ଏ ଶବ୍ବ ଭାଗ ବଣ୍ଟନର
     ଖିଆଲି ମନର ଖେଦ
ଶାଶ୍ୱତ ସମ୍ପର୍କ ବିବାଦ ବିତର୍କ
     ପ୍ରାଞ୍ଜଳରେ ପୂର୍ଣ୍ଣଛେଦ
କଥା କଥିକ ଏ ସମାଜ ନିତିରେ
      ଭାଇ ସାଜେ କି ଭଗାରି
ନା ତୁମେ ରଚିଛ ହେ ହୃଦୟି ସ୍ୱଚ୍ଛ
          କୁହ ମୁକୁନ୍ଦ ମୁରାରୀ
                 ‐ଦାଶରଥି ସାହୁ

ସମୟ ସ୍ରୋତରେ ହଜିଛି ଛିଣ୍ଡୁଛି 
       ସମ୍ପର୍କ ସଙ୍କଳ୍ପ ଡୋରି 
ସ୍ନେହ ଶ୍ରଦ୍ଧା ତ୍ୟାଗ ଆଦର ସମ୍ମାନ 
         ସୁଆଗ ଗଲାଣି ମରି 
ସଂସ୍କାର ଭୁଲିଛି ମାଆ ପେଟ ଭାଇ 
        ସନ୍ଦେହ ମୁଖାକୁ ଧରି 
 ସନ୍ଧିହାନ ଆଜି  ରକ୍ତର ସମ୍ପର୍କ 
     ସଂସାରେ ଭାଇ ଭଗାରି 
           - ସନ୍ତୋଷ ପଟ୍ଟନାୟକ

ଏକା ମାଆ ପେଟୁ ଜନ୍ମ ହୋଇଥିଲେ
      କେତେ ଯେ ଅଝଟ ଅଳି 
ପିଲା ଦିନ ଆମ ସୁଖେ କଟିଥିଲା
       ଦୁହିଁଙ୍କ ଗୋଟିଏ ଥାଳି 
କାହା ପାଇଁ ଭାଇ କଲ ସାତ ପର 
      ପଡିଲ କାହା ବୁଦ୍ଧିରେ 
ଭାଇ ହୋଇ ଆଜି ଭଗାରି ସାଜିଲ 
      ପାଚେରୀ ମଝି ଦୁଆରେ 
               - ପ୍ରବୀର ମଲ୍ଲିକ

ଭାବର ବନ୍ଧନ ଜନ୍ମରୁ ଆରମ୍ଭ 
     ବିବାହରେ ହୁଏ ଶେଷ 
ଭାଇ ସାଜେ ପୁଣି ଭାଇର ଭଗାରି 
    ଦେଇ ମନେ ନାନା କ୍ଲେଶ 
ଭୁଲିଯାଏ ପୁଣି ରକ୍ତର ସମ୍ପର୍କ 
     ଅର୍ଥ କରେ ବାଟବଣା 
କିଞ୍ଚିତ ସୁଖକୁ ପାଇବା ନିମନ୍ତେ 
       ଭୁଲି ଯାଏ ବୁଝାମଣା 
                 - ଟୁକୁନା ସାହୁ

ଭାତୃତ୍ୱ ଭାବର  କାଣିଚାଏ ମୂଲ୍ୟ
       ଆଜିକାଲି ଆଉ ନାହିଁ
ସ୍ୱାର୍ଥ ପାଇଁ ଭାଇ  ଭଗାରି ସାଜିଛି
        ସମ୍ପର୍କକୁ ଭୁଲି ଯାଇ 
କେଉଁ ଭାଇ ଏବେ କାହାର ହୋଇଛି
      ଯେତେ ଭାଇ ସେତେ ଭାଗ
ନିଜ ଖୁସି ପାଇଁ ଭାଇ ପାଖେ ଭାଇ
       କରିଥାଏ ଅଭିଯୋଗ 
ଏତ କଳିଯୁଗ  ନାହିଁ ଅସମ୍ଭବ
      ଭାଇ ଭାଙ୍ଗେ ଭାଇ ଘର 
ରକତର ଡାକ  ଶୁଭୁନି କାହାକୁ
        ସର୍ବେ ଏଠି ସ୍ୱାର୍ଥପର  
                 - ରାମ ଚନ୍ଦ୍ର ପ୍ରଧାନ

ଭାଇ ନୁହେଁ ଏଠି  ଭଗାରୀ ହେ ବନ୍ଧୁ
        ଭାଇ ସୁଖ ଦୁଃଖ ସାଥି
ସ୍ନେହ ପ୍ରେମ ଭରା  ପରିବାରେ ମୋର
        ଅଛି ସଦା ପାଖା ପାଖି
ବଡ ଦେଉଳରେ ବସିଛନ୍ତି ଦେଖ
        ଗେହ୍ଲା ଭଉଣୀକୁ ନେଇ
ଭାଇ ନୁହେଁ କେବେ ଭଗାରୀ ବୋଲି ଯେ
           ଦିଅନ୍ତି ସଭିଙ୍କୁ କହି
                  ‐ ଜଗବନ୍ଧୁ ସାହୁ

ସାନ ସିନା ତୁମେ ଜଗତ ଠାକୁର
      ବୁଦ୍ଧି ବିବେକରେ ବଡ଼ 
ଭାଇ ଭଉଣୀଙ୍କୁ ସାଙ୍ଗରେ ବସେଇ
       ଗଢ଼ିଛ ଦେଉଳ ବଡ଼ 
କାହିଁକି ଠାକୁରେ ଆଜିର ସମାଜେ
       ସମ୍ପର୍କର ନାହିଁ ମୂଲ 
ଭାଇ ଯଦି ଏଠି ସାଜିବ ଭଗାରି
       କିଏ ଭେଲ କିଏ ଭଲ ?,,
               ‐  ରାଧା କୃଷ୍ଣ ବାୟକ

ଦ୍ବାପରର ପ୍ରେମ  କୃଷ୍ଣ ବଳରାମ
  ଭାଇ ଭାଇ ପାଇଁ ଉଦାହରଣ
ତ୍ରେତୟାରେ ପରା ରାମଙ୍କ ଆଦେଶେ
     ଅନୁଗାମୀ ଥିଲେ ଭାଇ ଲକ୍ଷ୍ମଣ
ଏହି କଳିଯୁଗ  କରେ ଅଭିଯୋଗ 
  କୁହହେ ବିଧାତା ଏ କେଉଁ ଲୀଳା
ମୋ' ଯୁଗେ କାହିଁ ଭାଇ ଭାଇ ପାଇଁ
      ହୄଦୟ ପାଲଟେ ମୁଗୁନି ଶିଳା
                  - ରବିନ୍ଦ୍ର ସାହୁ



Monday, August 9, 2021

ସମର୍ପଣ (topic - 104 ଆଖି ନାହିଁ ମୋର ) quote #quot

ଆଖି ନାହିଁ ମୋର - 104 

ଦେଖିନି ଦୁନିଆଁ  କଳା କିବା ଧଳା 
       ଆଖି ନାହିଁ ବୋଲି ମୋର  
କାନ ଶୁଣେ ଆଜି ଘଟୁଚି ଏ'ଦେଶେ 
           ଶହ ଶହ  ବଳତ୍କାର 
  ଦେବଭୂମି ଏଇ  ଭାରତ ବର୍ଷରେ
       ପରକିଆ ପ୍ରିତୀ ବାଜି 
 ନ୍ୟାୟାଳୟ ଆଜି ସମ୍ମତି ଦେଲେଣି 
       ସଂସ୍କାର ଗଲାକି  ହଜି ! 
            - ସନ୍ତୋଷ ପଟ୍ଟନାୟକ

ଆଖି ନାହିଁ ବୋଲି ଦେଖି ମୁଁ ପାରୁନି
       ନିତି ଘଟୁଥିବା ଘଟଣା
ହେଲେ ମୁଁ ପାରୁଛି ଶୁଣି ମୋ କାନରେ
   ନେତାଙ୍କ କୁମ୍ଭୀର କାନ୍ଦଣା 
ବିଷମ ସଙ୍କଟେ ସଂସାର ଚାଲିଛି
     ନା' ଅଛି ମିଠା ବୁଝାମଣା
ସଂସ୍କାର ସଂସ୍କୃତି ଆଦର୍ଶକୁ ଭୁଲି
      ସଭିଏଁ ଏଠି ବାଟବଣା 
ଗୀତା ଭାଗବତେ ଶ୍ରଦ୍ଧା ନାହିଁ ଆଉ
     ଲାଗୁଛି ଯେମିତି ଅଲଣା
ସ୍ୱାର୍ଥ ଅଳନ୍ଧୁରେ ଭାରାକ୍ରାନ୍ତ ଆଜି
     ରାମ ରାଜ୍ୟର ଏ ଅଗଣା 
              - ରାମ ଚନ୍ଦ୍ର ପ୍ରଧାନ

ଆଖି ନାହିଁ ବୋଲି   ଦେଖି ମୁଁ ପାରୁନି
        ସଂସାର କେମିତି କାର
ହେଲେ ମୁଁ ଶୁଣୁଛି ନିତି ମୋ କାନରେ
       ହିଂସା ଆଉ ବ୍ୟଭିଚାର 
କହୁଥିଲା ଛୋଟା  ବସି ଦିନେ ପାଖେ
        ସଂସାର ଚାଲି-ଚଳନ
ସ୍ବାର୍ଥ ଭରା ଏଇ  ମଣିଷର ହୃଦେ 
        ନାହିଁ ଆଉ ଦୟା ଧର୍ମ
                 - ଜଗବନ୍ଧୁ ସାହୁ

ଆଖି ନାହିଁ ବୋଲି ଅନ୍ଧାରରେ ଚାଲି
  ମନର ଆଖିରେ ଦୁନିଆଁ ଦେଖେ
ଅନ୍ଧ ଦୁନିଆଁର  ପାନ୍ଥଶାଳେ ବସି
ଅଙ୍ଗେନିଭା ମୋର କାହାଣୀ ଲେଖେ
କରି ଅନୁଭବ  ଜାଣିଲି ମାଧବ
 ଆଖି ଥାଇ ଏଠି ଅନେକ ଅନ୍ଧ
କିଏ ଧନ ପାଇଁ  କିଏ ମନ ପାଇଁ
 କାହାକୁ ଘାରିଛି କାମନା ଗନ୍ଧ
                    - ରବିନ୍ଦ୍ର ସାହୁ
           
ଆଖି ନାହିଁ ମୋର ସାକ୍ଷୀ ନାହିଁ ମୋର
        ଦୁନିଆ ପାରିନି ଦେଖି
  ମାଆ ଠୁ ଶୁଣିଛି ଜଗନ୍ନାଥ ଦିଅଁ 
        ତୁମେ ପରା ଚକା ଆଖି 
ତୁମରି ନାମକୁ ପାଥେୟ କରିଛି
   ଦାନା ଯୋଗାଡେ ଏ ପେଟ 
ଅଭାବ କଷଣ ଗଣ୍ଠିଲି ବୋହି ମୁଁ 
         ଚାଲୁଛି ଜୀବନ ବାଟ 
               -  ପ୍ରବୀର ମଲ୍ଲିକ

ଆଖି ଥାଇ ଅନ୍ଧ ବିବେକରେ ବିନ୍ଧ
     ମିଛେ ମାର ବାହାଦୁରୀ
ନିରିଖେଇ ଦେଖ ନଗଡାର ଦୁଃଖ
       ଭାସୁଛି କି କ୍ଷୀରି ପୁରି !
ବିଦିର୍ଣ୍ଣ ବଦନ ଆହା ଜରାଜୀର୍ଣ୍ଣ
        ପଞ୍ଜରା ହୋଇବ ଗଣି
ଏକବିଂଶେ ତୁମେ ରାଜନୀତି ନାମେ
        ଖାଉଛ କୋଇଲା ଖଣି
                   - ଦାଶରଥି ସାହୁ

ଅନ୍ୟାୟ ବଢୁଛି ଶୋଷଣ ଚାଲିଛି
      ସଂସାରେ ସ୍ବାର୍ଥ ପାଇଁ 
ଦିନ ଦିପ୍ରହରେ ଲୁଟନ୍ତି ଅଚିରେ 
     ପ୍ରାଣ ବି ଯାଆନ୍ତି ନେଇ 
ଦର୍ଶକ ସାଜନ୍ତି ପଥଚାରୀ ସିନା 
      ପରନ୍ତିନି କିଛି କହି 
ଦୁନିଆଁ ଦାଣ୍ଡରେ ଆଖି ଥାଇ ଅନ୍ଧ 
       ୟାକୁ ହିଁ କୁହନ୍ତି ଭାଇ 
                - ଟୁକୁନା ସାହୁ

ରଙ୍ଗିନ୍ ଏ' ଦୁନିଆଁ ଶୁଣିଛି କାନରେ
       ମୋ ପାଇଁତ ଅନ୍ଧକାର 
ଦିନ ରାତି ସବୁ ସମାନ ମୋ ପାଇଁ
       ତିଳେ ହେଲେ ନାହିଁ ଡର 
ଖାଲ,ଢିପ ଅବା ପଥର ରାସ୍ତାରେ
        ଝୁଣ୍ଟି ପଡ଼େ ବହୁବାର 
ତଥାପି ସାହାରା ବାଡ଼ି ଖଣ୍ଡେ ମୋର
       ଚେତାଏ ସେ' ବାରମ୍ବାର 
              ‐ ରାଧା କୃଷ୍ଣ ବାୟକ

ସମର୍ପଣ (topic - 103 ମୋ' ପରିବାର ) quote #quot

ମୋ' ପରିବାର  - 103 

ବାପା ମାଆ ଭାଇ ଭଉଣୀଙ୍କ ସାଥେ 
       ଜେଜେ ଆଉ ଜେଜି ମାଆ 
  ପରିବାର ଏଇ   ସମସ୍ତେ ଜାଣନ୍ତି 
          ନାହିଁ କିଛି କଥା ନୂଆଁ 
   ବିଶ୍ବ ଦରବାର  ଯୌଥ ପରିବାର 
          ଦେଶ ମଧ୍ୟ ପରିବାର 
   ସବୁଜିମା ଘେରା  ଜନ୍ମଭୂମି ଏଇ 
         ଉତ୍କଳ ମୋ' ପରିବାର 
             - ସନ୍ତୋଷ ପଟ୍ଟନାୟକ

ଏକ ଅର୍ଣ୍ଣି ବ୍ରତ ପାଳନ୍ତି ସର୍ବତ୍ର 
    ଭୁଲି ରାଗ ଅହଙ୍କାର 
ବାପା ବଡ଼ବାପା କାକା ସାନବାପା
    ସର୍ବେ ହୋଇ ଏକାକାର 
ଭାତୃ ଭାଵ ସାଥେ ଐକ୍ୟତାର ଭାଵ
    ବନ୍ଧା ସେନେହର ଡୋର 
ଆସୁ ଝାଡ଼ ଝଞ୍ଜା ତଥାପି ହସୁଛି 
      ଏଇ ମୋର ପରିବାର 
                -  ପ୍ରବୀର ମଲ୍ଲିକ 

କେଡ଼େ ମନୋହର ବୈକୁଣ୍ଠ ସମାନ 
       ଅଟଇ ମୋ ପରିବାର 
ସର୍ବଦା ଯେଉଁଠି ପରସ୍ପର ପ୍ରେମ 
          ରହିଥାଏ ନିରନ୍ତର 
ନିଜଠୁ ନିଜର ସଭିଏଁ ଏଠାରେ 
       ଗୋଟିଏ ପକ୍ଷୀର ପର 
ସ୍ନେହ ମମତାରେ ଆମେ ସବୁ ବନ୍ଧା 
        ନଥାଏ କାହାର ଡର 
                - ରାମ ଚନ୍ଦ୍ର ପ୍ରଧାନ

ଆତ୍ମିୟତା ଆଳେ ଶାସନ ଶୃଙ୍ଖଳେ
       ଏକତ୍ୱ ଭାବର ଡୋର
ମାଟି ବଇକୁଣ୍ଠ  ବନ୍ଧନ ଅତୁଟ
      ପ୍ରତିଭାଷା ପରିବାର
ପୁଙ୍ଖାନ-ପୁଙ୍ଖରେ  ନାହିଁ ଅନ୍ତରରେ
       ଆପଣା ପଣର ବାସ
ଲୋକ ଦେଖାଣିଆ ଭାବ ଦିଆନିଆ
       ବାସ୍ତବିକେ ଏକବିଂଶ
                  ‐ଦାଶରଥି ସାହୁ

ବାପା ମୋ ଅଟନ୍ତି    ପରମେଶ୍ବର
       ମାଆ ଦେବୀ ଠାକୁରାଣୀ
କାହ୍ନୁ ଜଗବନ୍ଧୁ    ଦୁଇ ଭାଇ ଆମେ
         ଭଉଣୀ ଶୁଭଦ୍ରା ରାଣୀ
ପାଞ୍ଚ ପ୍ରାଣୀଙ୍କର ଗୋଟାଏ ଯେ ମନ
         ନାହିଁ କିଛି ଭିନ୍ନା-ଭିନ୍ନ
ଦେଖିଲେ ଲାଗୁଛି  ପରିବାରକୁ ମୋ
        ସତେ ବୈକୁଣ୍ଠ ସମାନ
                 - ଜଗବନ୍ଧୁ ସାହୁ

ଛୋଟ ମୋର ଘର ଛୋଟ ପରିବାର
  ସରଗଠୁ ଲାଗେ ଆହୁରି ସୁନ୍ଦର
ସେଘରେ ଦେବୀପରି ମା'ଟେ ମୋହର
ଆମେ ଦୁହେଁ ଦୁଇ ଆଖି ନଜରେ ତାହାର
ପଣତେ ଘୋଡେଇ ଦିଏ ତା'ସ୍ନେହ ଆଦର
ମମତାର ସିଏ ଗୋଟେ ଛୋଟିଆ ସାଗର
ଏଇ ଆମ ଗୋଟେ ଛୋଟିଆ ସଂସାର
ଘରନୁହେଁ ଇଏ ଆମ ସ୍ନେହର ମନ୍ଦିର
ନ'ଲାଗୁ ନ'ଲାଗୁ ଏଠି କାହାରି ନଜର
           - ରବିନ୍ଦ୍ର ସାହୁ

ବିଶ୍ଵନିୟନ୍ତାଙ୍କ ବିଚିତ୍ର ସୃଷ୍ଟିରେ 
      ମାନବ ଜୀବନ ପାଇ 
ମାୟା ଜାଲ ଫାସେ ପଡି ମୁଁ ଯାଇଛି
     ସୁଖ ଖୋଜେ ସଦା ତହିଁ 
ପିତାମାତା ଭ୍ରାତା ଭଗ୍ନୀଙ୍କ ସହିତ 
      କରଇ ମୁହିଁ ନିବାସ 
ସରଗଠୁ ବଳି ପରିବାର ଏହି 
     ମିଳେ ଏଠି ସଦା ହସ 
                 - ଟୁକୁନା ସାହୁ

ମର୍ତ୍ତ୍ୟପୁରେ ଛୋଟ ସୁନ୍ଦର ଏ' ଘର
       ସତେ ବଇକୁଣ୍ଠ ପୁର 
ସ୍ବର୍ଗଠୁ ସୁନ୍ଦର ଅତି ମନୋହର
       ଦୁଃଖକୁ ନାହିଁ କାତର 
ସ୍ନେହ ଶରଧାରେ ପୁରି ଉଠେ ଘର
        ସଭିଏଁତ ଆପଣାର 
ଏକ ଫୁଲ ହାରେ ଗୁନ୍ଥା ପରିବାର
        ଆମ ଏ' ସମ୍ପର୍କ ଡୋର 
              - ରାଧା କୃଷ୍ଣ ବାୟକ

Saturday, August 7, 2021

■ ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା ■

🔵🔵 ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା  🔵🔵
                                ✍ ଶିଶିର ସାହୁ ମନୋଜ 

ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ "ଦେହରେ ଚନ୍ଦନ ବୋଳି ହେଵା" କିନ୍ତୁ ଶ୍ରୀମନ୍ଦିରରେ   ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର ଵିଶେଷ ହୀରା,ଲୀଳା ଓ ମାଣିକ୍ୟ ଚିତା ଉଲାଗି ହୋଇଥାଏ ତାହା ଆଜିର ଦିନରେ ଲାଗି ହେଉଥିଵାରୁ ଶ୍ରାଵଣ ଅମାଵାସ୍ୟାର  ନାମକରଣ ଚିତାଲାଗି ଅମାଵାସ୍ୟା ହୋଇଅଛି । 

ଠାକୁରମାନେ ଏହି ରତ୍ନଖଚିତ ସୁନାଚିତାମାନ ଏହିଦିନ  ଶ୍ରୀମନ୍ଦିରର ରତ୍ନବେଦୀରେ ପିନ୍ଧନ୍ତି ଏଵଂ ତାହା ଅତ୍ୟନ୍ତ ଦୁର୍ମୂଲ୍ୟ ଅଟଇ ।  ଶ୍ରୀଜଗନ୍ନାଥଙ୍କ ରତ୍ନଚିତାକୁ ‘ହୀରାଚିତା’ କୁହାଯାଏ । ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହାର ଅନ୍ୟନାମ ‘ଧଳାଚିତା’। 
ଶ୍ରୀବଳଭଦ୍ରଙ୍କ ରତ୍ନଚିତାକୁ  ‘ନୀଳାଚିତା’ କୁହାଯାଏ ।  ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଥାଏ । ଏହି ନୀଳାଚିତା ସବୁଜ ରଙ୍ଗର ହୋଇଥିଲେ ହୋଇଥିଵାରୁ ତାହାକୁ ‘ନୀଳାଚିତା’ କୁହାଯାଏ । ଦେଵୀ ସୁଭଦ୍ରାଙ୍କ ରତ୍ନଚିତାକୁ  ‘ମାଣିକ୍ୟଚିତା’ ଓ ‘ନାଲିଚିତା’ କହିଥାନ୍ତି । ଶ୍ରୀବଳଭଦ୍ରଙ୍କ ରତ୍ନଚିତା ପରି ଏହି ମାଣିକ୍ୟଚିତାରେ ମଧ୍ୟ ନାୟକ ଭାଵରେ ରହିଛି ଗୋଟିଏ ବଡ଼ ମର୍କତ ମଣି। 

ସ୍ନାନପୂର୍ଣ୍ଣମୀରେ ସ୍ନାନବେଦୀରେ ଠାକୁରମାନେ ସ୍ନାନ କରିଵାବେଳେ ଏହି ରତ୍ନଖଚିତ ସୁନାଚିତା ସେମାନଙ୍କର ମସ୍ତକରେ ଥାଏ। କିନ୍ତୁ ହାତୀବେଶ ଉଲାଗି ହୋଇ ଅଣସର ଘରକୁ ଯିଵା ପରେ ସେହି ଚିତାଯାକ ଓହ୍ଲାଇ ଆଣି ସୁରକ୍ଷିତ ରଖିଦିଆଯାଏ । ଅଣସର ପରେ ନଵ ଯୌଵନ ଦର୍ଶନ , ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଵା ବେଳେ, ସେମାନଙ୍କର ମସ୍ତକରେ ସ୍ବତନ୍ତ୍ର ଭାବରେ ସୋଲରେ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ଚିତା ଲାଗି କରାଯାଏ। ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଲେଉଟିଵା ପରେ ମଧ୍ୟ ଏହି ରତ୍ନଚିତା ଲାଗି କରାଯାଇନଥାଏ । ଚିତାଲାଗି ଅମାବାସ୍ୟା ଦିନ ହିଁ ଏହା ଲାଗି କରାଯାଏ। ଏହିକାରଣରୁ ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତାଲାଗି ଅମାଵାସ୍ୟା କହିଥାନ୍ତି ।

ଶ୍ରାଵଣ ମାସର ଅମାଵାସ୍ୟା ତିଥିକୁ ‘ଚିତଉ ଅମାଵାସ୍ୟା’ ମଧ୍ୟ କହିଥାନ୍ତି କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଓ  ‘ଘିଉଡି ପିଠା’ ଭୋଗ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଧରଣର ଭୋଗକୀ ପର୍ଵଣି ଭୋଗ କହିଥାନ୍ତି । 
ସାଧାରଣତଃ ବଡ଼ ଦେଉଳରେ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ ଭୋଗ ଲାଗି ଥାଏ ।  

ଓଡ଼ିଶାର ଗୃହସ୍ଥମାନେ ମଧ୍ୟ ଏହିଦିନ ଚିତଉ ପିଠା କରି ଇଷ୍ଟଙ୍କୁ ଭୋଗ କରାଯାଏ ।  କେତେକ ଅଞ୍ଚଳରେ  ଏହି ପିଠା ଧାନ କ୍ଷେତରେ ଓ  ପୋଖରୀ ଗାଡ଼ିଆରେ ଗେଣ୍ଡାମାନଙ୍କୁ ମଧ୍ୟ ଦିଆଯାଏ । ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ଗେଣ୍ତା- ଶାମୁକାଙ୍କ ଦେଵତା ଗେଣ୍ତେଇଶୁଣୀଙ୍କୁ  ଚିତଉ ଅମଵାସ୍ଯା ଦିନ ଚିତଉ ପିଠା ଦେଲେ ଗେଣ୍ଡାମାନେ ମନୁଷ୍ୟମାନଙ୍କୁ କାମୁଡି଼ବେ ନାହିଁ । 

ଓଡ଼ିଶାର କେତେକ ଗ୍ରାମାଞ୍ଚଳରେ ଆଜି ମଧ୍ୟ ସ୍ତ୍ରୀଲୋକମାନେ  ପୋଖରୀ ତୁଠକୁ ଯାଇ ଗେଣ୍ତେଇଶୁଣୀଙ୍କ ନାମ ଧରି ଖଣ୍ତେ ପିଠା ପାଣିକୁ ପକେଇ ଦେଇ ଆସନ୍ତି ।  ଗେଣ୍ତେଇଶୁଣୀ ଚିତଉ ପିଠା ଲାଞ୍ଚ ଖାଇ ପିଷ୍ଟକଦାତ୍ରୀ ଓ ତାଙ୍କର ଆତ୍ମୀଯମାନଙ୍କ ଗୋଡ଼କୁ କାଟିବେ ନାହିଁ ଏହି ଆଶା ଓ ଵିଶ୍ଵାସ ଘେନି ବହୁ ପ୍ରାଚୀନ କାଳରୁ ଗେଣ୍ଡାମାନଙ୍କୁ ଚିତାଲାଗି ଅମାଵାସ୍ୟା ଦିନ ଚିତଉପିଠା ଦେଵାର  ପ୍ରଥା ଚଳି ଆସୁଅଛି । କେତେକ ଅଞ୍ଚଳରେ ଏହାକୁ ସ୍ଵତନ୍ତ୍ର ଭାବେ "ଗେଣ୍ଡେଇକଟା ଓଷା" ମଧ୍ୟ କୁହାଯାଏ । ସେହିପରି ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ଵକୁ "ଗେଣ୍ଡାକଟା ଅମାଵାସ୍ୟା" କୁହାଯାଏ । 

ପୋଖରୀରେ ଗେଣ୍ଡେଇଶୁଣୀଙ୍କୁ ପିଠା ଅର୍ପଣ କରି ଓଡ଼ିଶାର ମହିଳାମାନେ ଗେଣ୍ଡେଇଶୁଣୀଙ୍କ ଉଦ୍ଦେଶ୍ୟରେ କୁହନ୍ତି...

“ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ, 
ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ, 
ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।” 

ଵୈଜ୍ଞାନିକ ଦୃଷ୍ଟିକୋଣରୁ ବର୍ଷାଋତୁର ଆରମ୍ଭ ସମୟରେ ଗେଣ୍ଡାମାନଙ୍କର ପ୍ରଜନନର‌ ଋତୁ ।  ବର୍ଷା ଋତୁ ଧାନ ଫସଲର ଅଭିବୃଦ୍ଧିର ସମୟ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ପୁଣି ଗେଣ୍ଡାମାନେ ଧାନଗଛ ମଧ୍ୟ କାଟି ଦିଅନ୍ତି ଏଣୁ ଏହି ସମ୍ବାଵନାକୁ ଏଡ଼େଇଵା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସାଯାଇଥାଏ । ସମ୍ଭଵତଃ ଏହିକାରଣରୁ ପୂର୍ଵକାଳରେ ଧାନଗଛର ସୁରକ୍ଷା ନିମନ୍ତେ ଆମ ପୂର୍ଵଜ ଏଭଳି ଏକ ସାଂସ୍କୃତିକ ପଦକ୍ଷେପ ଗ୍ରହଣ କରିଥିଲେ । 

ଆଜି ଓଡ଼ିଶାର ନଗରାଞ୍ଚଳର, ସୀମାନ୍ତ ଓଡ଼ିଶାର ଲୋକ ପାଶ୍ଚାତ୍ୟାଭିମୁଖୀ ହୋଇ ଏଵଂ ଉତ୍ତର ଓ  ଦକ୍ଷିଣ ଭାରତୀୟ ଲୋକଙ୍କ ପରମ୍ପରାଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଶାର ମୌଳିକ ଖାଦ୍ୟ ଓ ସଂସ୍କୃତିଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି । ଏଭଳି ଓଡ଼ିଆ ବଂଶୋଦ୍ଭଵ ସମ୍ଭଵତଃ ନିଜ ଜୀଵନରେ କେବେ ଚିତଉ ପିଠା ଦେଖି ନଥିବେ କି ଖାଇ ନଥିବେ । ତେବେ ଚିତଉ ପିଠା କରିଵାର ଵିଧି ସହଜ । ଚାଉଳକୁ ବାଟି ପିଠଉ କରି ସେଥିରେ ନଡ଼ିଆ ମିଶାଇ ସେହି ପିଠଉକୁ ନିଆଁଉପରେ ପଲମ ଵା ତେଲଉଣିରେ ଢ଼ାଳି ତା ଉପରେ ଗୋଟିଏ ସରା ଘୋଡ଼ାଇ ଦିଆଯାଏ ଏଵଂ ସରା ଉପରେ ପାଣିଛିଞ୍ଚାଯାଏ । ଏ ପିଠା ବାଷ୍ପଦ୍ବାରା ସିଦ୍ଧ ହୋଇଥାଏ ଫଳତଃ ଏହାର ଦେହଯାକ ଛିଦ୍ରଯୁକ୍ତ ହୋଇଥାଏ ଓ ଉପର ପାଖ ଫୁଲିଯାଏ । କେହି କେହି ଗୃହରେ ଚିତଉ ପିଠା କଲାବେଳେ ତହିଁରେ ଗୁଡ଼ ଓ ଦୁଗ୍ଧ କିଂଵା ଦଧି ଆଦି
ମଧ୍ୟ ମିଶାଇଥାନ୍ତି ।  ଚିତଉ ପିଠାର ନାମଟି ତତ୍ସମ ଚିତ୍ର , ଚିତ୍ରକ ଵା ଚତ୍ରଗୂ ଶବ୍ଦ ସହ ସମ ମୂଳରୁ ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।ଚିତ୍ର ଶବ୍ଦର ଏକ ଅର୍ଥ ଚିହ୍ନ ଵା ଦାଗ ଓ ଛାପିଛାପିକିଆ ଚିହ୍ନ ଏଵଂ ଯେଉଁଥିରେ ଏଭଳି ଦାଗ ଥାଏ ତାକୁ ଚିତ୍ରକ କୁହାଯାଏ । ଚିତଉ ପିଠାରେ ଫୋଡ଼ାଫୋଡ଼ି ଦାଗ ହୋଇଥିଵାରୁ ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଚିତାଲାଗି ଅମାଵାସ୍ୟା ଛଡ଼ା ଏହି ଚିତଉ ପିଠା କୌଣସି ସ୍ତ୍ରୀ ଗର୍ଭଵତୀ ହେଲେ  ଗର୍ଭସଞ୍ଚାରର ସାତମାସ ପରେ ତାହାର ବାପଘରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ଶଙ୍ଖୁଳା ଭାବେ ପଠାଯାଇଥାଏ । ଗର୍ଭିଣୀର ଭକ୍ଷଣେଚ୍ଛା ଯୋଗୁଁ ସାଦରୁ , ସ୍ଵାଦିଷ୍ଟ ଖାଦ୍ୟ ଦିଆଯାଉଥିଵାରୁ ସ୍ବାଦରୁ କିଂଵା ଶ୍ରଦ୍ଧାରେ ଦିଆଯାଇଥାଏ ବୋଲି ଶାଧଖିଆ ତଥା କେତେକ ଅଞ୍ଚଳରେ ମୁଖ୍ୟତଃ ଚିତଉପିଠା ଦିଆଯାଉଥିଵାରୁ ଏହି ଶଙ୍ଖୁଳା ଭାରକୁ 'ଚିତଉଖିଆ'  କୁହାଯାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଶ୍ରାଵଣମାସର ଚିତଉ ଅମାଵାସ୍ଯା ଦିନ ସମ୍ବଲପୁର ଅଞ୍ଚଳରେ କାଦୋବରିଷ୍ଟ ନାମରେ ଗୋଟିଏ ପର୍ଵ ପାଳନ କରାଯାଉଥିଲା ଏଵଂ ସମ୍ଭଵତଃ ଏ ପର୍ଵ ଅଧୁନା ଲୁପ୍ତ ।‌

ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳଗୁଡ଼ିକରେ ଶ୍ରାଵଣ ମାସର ଉଁଆସକୁ "ଟଣ୍ଡେଇମାନଙ୍କର ରାଏତ୍‍" ବୋଲି ମଧ୍ୟ କୁହାଯାଏ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଡାହାଣୀମାନଙ୍କୁ ଟଣେଇ,ଅଵିଭକ୍ତ ହୀରାଖଣ୍ଡରେ ଟଣ୍ଟେଇ,ଟଣ୍ଡେଇ ଓ ଟଣ୍ଢେଇଁ ଆଦି କୁହାଯାଏ । ସମ୍ଭଵତଃ  ନକାରାତ୍ମକ ଶକ୍ତି ବଳରେ ଜୀଵକୁ ନିଜପାଖକୁ ଟାଣି ଆଣିପାରୁଥିଵାରୁ କିଂଵା ତଣ୍ଟିରେ ପାଟି ଲଗାଇ ରକ୍ତ ପିଉଥିଵାରୁ ଡାହାଣୀମାନଙ୍କର ଏଭଳି ନାମକରଣ ହୋଇଛି ।

ଲୋକଵିଶ୍ଵାସ ଅନୁସାରେ ପଶ୍ଚିମ ଓଡ଼ିଶା ଵିଶେଷତଃ କୁଆଁରୀ ପାଟଣା ଵା ଆଧୁନିକ ପାଟଣାଗଡ଼ ଏକଦା ଗୁଣି ଗାରେଡ଼ି ତନ୍ତ୍ର ସାଧନା ପାଇଁ ଖ୍ୟାତ ଥିଲା । ଏଠାରେ କେତୋଟି ନିର୍ଦ୍ଧିଷ୍ଟ ତିଥିରେ ଵିଶେଷ ତନ୍ତ୍ର ସାଧନା ହେଉଥିଲା ତନ୍ମଧ୍ୟରୁ ଶ୍ରାଵଣ ଅମାଵାସ୍ୟା ଅନ୍ୟତମ ।  ଏଣୁ ଶ୍ରାଵଣ ଅମାଵାସ୍ୟାର ରାତ୍ରିକୁ ଗୁଣି ଗାରେଡି, ଡ଼ାହାଣି ବିଦ୍ୟା ତନ୍ତ୍ର ସାଧାନାର ସିଦ୍ଧି ପ୍ରାପ୍ତିର ନିଶାରାତି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଜି ବି ଵିଶ୍ୱାସ ରହିଛି । ଚତାଲାଗି ଅମାଵାସ୍ୟା ଦିନ ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳ ଗୁଡ଼ିକରେ ଗ୍ରାମଦେଵୀ ପୂଜା କରାଯାଇଥାଏ ଏଵଂ ପୁରାତନ ପ୍ରଥା ଅନୁସାରେ ଗ୍ରାମଦେଵୀଙ୍କ ନିକଟରେ ଚିତାଲାଗି ଅମାବାସ୍ୟା ଦିନ ବୋଦା, କୁକୁଡ଼ା, ପାରା ଆଦି ବଳି ଦିଆଯାଏ ।  ସ୍ଥାନୀୟ ଲୋକେ ଚାଷ କାମ ସାରିଵା ପରେ ଭଲ ଚାଷ ଅମଳ ତଥା ଗ୍ରାମରେ ସୁଖ ଶାନ୍ତି ବଜାୟ ରଖିଵାକୁ ନେଇ ଗ୍ରାମଦେଵୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏ ଅଞ୍ଚଳରେ ଶ୍ରାଵଣ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇଵା ଗଉଡ଼ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ବ୍ୟକ୍ତିଙ୍କ ଘରେ ଖୋସିଯାଏ। ଲୋକ ଵିଶ୍ବାସ ଅଛି ଯେ, ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି। 

 ତେବେ ଉତ୍ତର ଭାରତୀୟଙ୍କ ପ୍ରଭାଵରେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆ ବଂଶୋଦ୍ଭଵମାନେ ଶ୍ରାଵଣ ଅମାଵାସ୍ୟାକୁ 
ହରିଏଲ୍ ଉଆଁସ,ହରିଆଲି ଉଆଁସ ଵା ହରେଇଲି ଉଆଁସ ଭାବେ ପାଳିଥାଆନ୍ତି ଏଵଂ ଏହାକୁ ସେମାନେ ହରିଆଲି ଉଆଁସ କହିଥାନ୍ତି ।  ଅଦ୍ୟପି ଉତ୍ତର ଭାରତୀୟମାନେ ହରିଆଲୀ ଅମାବାସ୍ୟା ଭାବେ ଶ୍ରାଵଣ ଅମାଵାସ୍ୟାକୁ ଵିଧିଵଧ ଭାବେ ପାଳିଥାନ୍ତି । ଶ୍ରାଵଣ ଅମାଵାସ୍ୟା ଦିନ  ବୃକ୍ଷ ରୋପଣ କରିଵା ପରମ୍ପରା ଉତ୍ତର ଭାରତରେ ପ୍ରଚଳିତ ହୋଇଆସୁଛି । ଵୃକ୍ଷରୋପଣ ଦ୍ଵାରା ସବୁଜିମା ଵୃଦ୍ଧି ଏହି ପର୍ଵର ମୂଳ ଉଦ୍ଦେଶ୍ୟ ହୋଇଥିଵାରୁ ଏହାକୁ ଏହି କାରଣରୁ ହରିଆଲୀ ଅମାଵାସ୍ୟା କୁହାଯାଏ । ହରିଆଲୀ ଅମାଵାସ୍ୟାରେ  ପିପ୍ପଳ(ଅଶ୍ୱତ୍‌ଥ), ବଟବୃକ୍ଷ, ଆମ୍ବ, ନିମ୍ଵ ଏବଂ ଶମୀ ଆଦି ପାଞ୍ଚୋଟି ମହାନ୍‌ ବୃକ୍ଷକୁ ରୋପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ  । ଏହି ପାଞ୍ଚଵୃକ୍ଷରେ ଆଧ୍ୟାତ୍ମିକ ଗୁଣ ଭରିରହିଥିଵାରୁ ହିନ୍ଦୁମାନେ ଦେଵତୁଲ୍ୟ ପୂଜାକରନ୍ତି  । 

ଶ୍ରାଵଣ ଅମାଵାସ୍ୟା ଏକ କୃଷିଭିତ୍ତିକ ପର୍ଵ । ଧାନ ଗଛର ରକ୍ଷା ହେତୁକ ଗେଣ୍ଡାମାନଙ୍କୁ ଚିତଉପିଠା ଅର୍ପଣ କରିଵା ହେଉ,ଭଲ ଅମଳ ପାଇଁ ଦେଵୀ ଉପାସନା କରାଯିଵା ହେଉ ଵା ପାଞ୍ଚଗୋଟି ପଵିତ୍ର ଵୃକ୍ଷ ରୋପଣ ହେଉ ଏ ପର୍ଵ ପରୋକ୍ଷରେ ପ୍ରକୃତି ଉପାସନାର ଵାର୍ତ୍ତା ଦେଇଥାଏ । 
                  ~~~●~~~

Friday, August 6, 2021

● ବାସ୍ତବକୁ ହେଜି ମରୀଚିକା ଛାଡ଼ ●


ମନ୍ଦକୁ ଏଠିରେ ସଭିଏଁ ଖୋଜନ୍ତି
          ଭଲର ଆସ୍ଥାନ ନାହିଁ ,
ମନ୍ଦ ଅପକର୍ମ ସବୁ କରି କରି
          ପାପ ଅରଜୁଛୁ କାହିଁ  |(1)

ସଂସାର ବାରିଧି ସର ହେଲେ ଏଠି
          ମଛ୍ୟଙ୍କ ରୂପରେ ନର  ,
ଜଞ୍ଜାଳ ଜାଲରେ ବାନ୍ଧିହୋଇ ସବୁ
          ଆପଣା ହେଲେଣି ପର  |(2)

ମାନବ ଦେହରେ ମାଧବ ଅଛନ୍ତି
          ଜାଣିପାରୁନାହୁଁ ତୁହି ,
କେମନ୍ତ ରୂପରେ ବୁଝାଇବି ତତେ
          ଆରେ ମୋ ମଣିଷ ଭାଇ  |(3)

ମାନବ ସେବାହିଁ ମାଧବ ସେବାଟି
          ଚିତ୍ତେ ରହିଅଛି ଯାର ,
ଧରମ ରୂପକ    ଆଶାବାଡି ଧରି
           ସଂସାରୁ ହୋଇବ ପାର   |(4)
          
ସଡ଼ରିପୁଙ୍କର ବଶବର୍ତ୍ତୀ ହୋଇ
           ଯାହାବି କରୁଛି ଶିକ୍ଷା ,
କଷ୍ଟ ହିଁ ତାହାର ଶେଷ ପରିଣାମ
          କେହି ନ କରିବେ ରକ୍ଷା  |(5)

ଧର୍ମକୁ ଏଠିରେ ଗଣ୍ଠିଲି ଭାବିକି
          ରଖିଥିବୁ ଯଦି ସାଇତି ,
ଜୀବନ ଯମୁନା ପାରିହେବୁ ତୁହି
          ପୁଣ୍ୟର ନଉକା ବାହିକି  |(6)

କବିତା ମାଧ୍ୟମେ ଛୋଟିଆ ପ୍ରୟାସ
           ଯିଏବା  ପଢିବ ଥରେ ,
ବାସ୍ତବକୁ ଧରି ମରୀଚିକା ଛାଡି
           ସଂସାରୁ ତରିବ ଭଲେ   |(7)

ଅଙ୍କିତ କୁମାର ସ୍ୱାଇଁ  , ଶାସନ୍ଦା, ବିଂଝାରପୁର 
                                             ଯାଜପୁର 

Thursday, August 5, 2021

ସମର୍ପଣ (topic - 102 କୋଣାର୍କ ) quote #quot

କୋଣାର୍କ - 102 

କଅଁଳ କିଶୋର ଗୌରବର ଗୀର
      ଓଡିଆ ଜାତିର ଟେକ
ତ୍ୟାଗର ସମୂଳେ ଚନ୍ଦ୍ରଭାଗା କୂଳେ
       କଳାସ୍ତୁପ କୋଣାରକ
କୋଣାର୍କ କ୍ରନ୍ଦନ ଶୁଣ ଦେଇ କର୍ଣ୍ଣ
      ଧୀର ସ୍ୱରେ ଧର୍ମପଦ
ଅଙ୍କା ପଥରରେ କୁଶଳ ଶିଳ୍ପରେ
         ମୁକସାକ୍ଷୀ ମର୍ମଭେଦ
                -  ଦାଶରଥି ସାହୁ

ନିହଣ ମୁନରେ  ପଥରକୁ କାଟି
      ଆଙ୍କି ଦେଲେ କାରୁକାର୍ଯ୍ୟ
ଓଡିଆ ଜାତିର ଗରବ ଗୌରବ 
     କୋଣାର୍କ ହିଁ ଆମ ଶୌର୍ଯ୍ୟ  
ଲାଙ୍ଗୁଳାନରସିଂହ ରାଜୁତି ସମୟେ
         ମନ୍ଦିର ହେଲା ନିର୍ମାଣ
ଚାଷୀ ଦେଲେ ସଶ୍ଯ ରାଜ କୋଷୁ ଧନ
         ମନ୍ଦିର ହୋଇଲା ପୂର୍ଣ୍ଣ
                  -  ଜଗବନ୍ଧୁ ସାହୁ

କୋଣାର୍କ କାନ୍ଦୁଛି ଚନ୍ଦ୍ରଭାଗା କୂଳେ
     ଭଗ୍ନ କଳେବର ଧରି
କାଳର ବକ୍ଷରେ ବିଲୁପ୍ତ ସେ ଆଜି
     ଅଲୋଡ଼ା ସ୍ମୃତିଟେ ପରି
ତଥାପି ରହିଛି ତା' ରୂପ ଲାବଣ୍ୟେ
      ଅତୁଳ ସୁଷମା ଭରି
ସେ ଶୂନ୍ୟ ମନ୍ଦିର  ଅନାଇ ରହିଛି
       ଧର୍ମପଦ କଥା ସ୍ମରି
ଉତ୍କଳ ଗାଉଛି କୋଣାର୍କର ଗାଥା
     ସଭିଙ୍କୁ ଚକିତ କରି
ବିଶ୍ୱ ଇତିହାସେ ସୁନାମ ଅର୍ଜିଛି 
   ଐତିହ୍ୟର ରଙ୍ଗ ମାରି 
             - ରାମ ଚନ୍ଦ୍ର ପ୍ରଧାନ

ଉତ୍କଳର ସ୍ମୃତି ଚାରୁକଳା ପ୍ରୀତି 
        ବିଶ୍ବ କରେ ଯାର ସ୍ତୁତି
  ବାର ବରଷର ବାଳକ ଧରମା 
         ରଖିଲା ଓଡ଼ିଆ କୀର୍ତ୍ତି 
ମନ୍ଦିର ଗାତ୍ରର ଜୀବନ୍ତ ବୈଚିତ୍ର୍ୟ 
         ଆଜି ଅଲିଭା ସ୍ବାକ୍ଷର 
ବିଶ୍ୱେ ବଳୀୟାନ କୋଣାର୍କର ଶୌର୍ଯ୍ୟ 
       ଘେନି ଭଗ୍ନ କଳେବର 
           - ସନ୍ତୋଷ ପଟ୍ଟନାୟକ

ଶିଳ୍ପୀ ଗୋ ତୁମ ନିହାଣ ମୁନରେ
   ପାଷାଣ ପାଇଛି ପ୍ରାଣ 
ନିର୍ଜୀବ ଓଠରେ ହସ ଫୁଟାଇଛ
  ସୌନ୍ଦର୍ଯ୍ୟ ଅଵଲୋକନ
କୋଣାର୍କ ମନ୍ଦିରେ ଉତ୍କଳିୟ କଳା
    କିଣେ କୋଟି ଜନ ମନ 
ବିଶ୍ୱ ଦରବାରରେ ପରିଚୟ ଦେଲ 
   ନମଃ ହେ ବିନ୍ଧାଣି ରତ୍ନ 
               - ପ୍ରବୀର ମଲ୍ଲିକ୍

ଭଗ୍ନ କୋଣାର୍କ କରେ କ୍ରନ୍ଦନ 
ଧରମା ସ୍ପର୍ଶ ପାଇଁ 
ହତ ଗୌରବ ଫେରିବ କାହିଁ 
ବିଶୁ ତ ଦିଶେ ନାହିଁ । 
ହଜିଛି ତ୍ୟାଗ ବଢ଼ିଛି ଲୋଭ 
ସ୍ୱାର୍ଥରେ ସର୍ବେ ଅନ୍ଧ 
ନିହଣ ବିନା ଉତ୍କଳ ପୁତ୍ର 
ଖୋଜୁଛି କୀର୍ତ୍ତି ଗନ୍ଧ 
             - ଟୁକୁନା ସାହୁ

ବୋଲାଉଛି ଯିଏ ସୁରୁଜ ମନ୍ଦିର
     ଚନ୍ଦ୍ରଭାଗା ତଟେ ରହି
ସୂକ୍ଷ୍ମ କାରୁକାର୍ଯ୍ୟେ ପ୍ରସିଦ୍ଧ ବୋଲିଯେ
      ସାରା ବିଶ୍ବ ଯାଏ କହି
ଉତ୍କଳ ମାଟିର ହୃତ ଗୌରବ ଯେ
      ଏଯାଏଁ ରହିଛି ଚେଇଁ
ସମଗ୍ର ବିଶ୍ବରେ ସବୁଠୁ ସୁନ୍ଦର
      କୋଣାର୍କ ମନ୍ଦିର ସେହି
                   - ରବିନ୍ଦ୍ର ସାହୁ

ଭଗ୍ନ କୋଣାର୍କର ମୁକୁଳା ଶିଳାରେ 
      ପ୍ରଣୟ ପ୍ରୀତି ସ୍ବର୍ଣ୍ଣାଭ 
  ସତେକି ବାରଶ ବଢେଇଙ୍କ ସିଏ 
         ଅଟଇ ବିରହ ଭାବ 
 ଧନ୍ୟ ଶିଳ୍ପୀ ତୋର  ନିହାଣର କଳା 
       ଲିପିବଦ୍ଧ ହୋଇଯାଇଛି 
  ସ୍ବର୍ଣ୍ଣିମ ମୂହୁର୍ତ୍ତ  ସଂସ୍କୃତି ସଂସ୍କାର 
         ଉତ୍କଳ ମଥାନ ଛୁଇଁଛି 
                - ରାଧାକୃଷ୍ଣ ବାୟକ

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...