ଆଖି ନାହିଁ ମୋର - 104
ଦେଖିନି ଦୁନିଆଁ କଳା କିବା ଧଳା
ଆଖି ନାହିଁ ବୋଲି ମୋର
କାନ ଶୁଣେ ଆଜି ଘଟୁଚି ଏ'ଦେଶେ
ଶହ ଶହ ବଳତ୍କାର
ଦେବଭୂମି ଏଇ ଭାରତ ବର୍ଷରେ
ପରକିଆ ପ୍ରିତୀ ବାଜି
ନ୍ୟାୟାଳୟ ଆଜି ସମ୍ମତି ଦେଲେଣି
ସଂସ୍କାର ଗଲାକି ହଜି !
- ସନ୍ତୋଷ ପଟ୍ଟନାୟକ
ଆଖି ନାହିଁ ବୋଲି ଦେଖି ମୁଁ ପାରୁନି
ନିତି ଘଟୁଥିବା ଘଟଣା
ହେଲେ ମୁଁ ପାରୁଛି ଶୁଣି ମୋ କାନରେ
ନେତାଙ୍କ କୁମ୍ଭୀର କାନ୍ଦଣା
ବିଷମ ସଙ୍କଟେ ସଂସାର ଚାଲିଛି
ନା' ଅଛି ମିଠା ବୁଝାମଣା
ସଂସ୍କାର ସଂସ୍କୃତି ଆଦର୍ଶକୁ ଭୁଲି
ସଭିଏଁ ଏଠି ବାଟବଣା
ଗୀତା ଭାଗବତେ ଶ୍ରଦ୍ଧା ନାହିଁ ଆଉ
ଲାଗୁଛି ଯେମିତି ଅଲଣା
ସ୍ୱାର୍ଥ ଅଳନ୍ଧୁରେ ଭାରାକ୍ରାନ୍ତ ଆଜି
ରାମ ରାଜ୍ୟର ଏ ଅଗଣା
- ରାମ ଚନ୍ଦ୍ର ପ୍ରଧାନ
ଆଖି ନାହିଁ ବୋଲି ଦେଖି ମୁଁ ପାରୁନି
ସଂସାର କେମିତି କାର
ହେଲେ ମୁଁ ଶୁଣୁଛି ନିତି ମୋ କାନରେ
ହିଂସା ଆଉ ବ୍ୟଭିଚାର
କହୁଥିଲା ଛୋଟା ବସି ଦିନେ ପାଖେ
ସଂସାର ଚାଲି-ଚଳନ
ସ୍ବାର୍ଥ ଭରା ଏଇ ମଣିଷର ହୃଦେ
ନାହିଁ ଆଉ ଦୟା ଧର୍ମ
- ଜଗବନ୍ଧୁ ସାହୁ
ଆଖି ନାହିଁ ବୋଲି ଅନ୍ଧାରରେ ଚାଲି
ମନର ଆଖିରେ ଦୁନିଆଁ ଦେଖେ
ଅନ୍ଧ ଦୁନିଆଁର ପାନ୍ଥଶାଳେ ବସି
ଅଙ୍ଗେନିଭା ମୋର କାହାଣୀ ଲେଖେ
କରି ଅନୁଭବ ଜାଣିଲି ମାଧବ
ଆଖି ଥାଇ ଏଠି ଅନେକ ଅନ୍ଧ
କିଏ ଧନ ପାଇଁ କିଏ ମନ ପାଇଁ
କାହାକୁ ଘାରିଛି କାମନା ଗନ୍ଧ
- ରବିନ୍ଦ୍ର ସାହୁ
ଆଖି ନାହିଁ ମୋର ସାକ୍ଷୀ ନାହିଁ ମୋର
ଦୁନିଆ ପାରିନି ଦେଖି
ମାଆ ଠୁ ଶୁଣିଛି ଜଗନ୍ନାଥ ଦିଅଁ
ତୁମେ ପରା ଚକା ଆଖି
ତୁମରି ନାମକୁ ପାଥେୟ କରିଛି
ଦାନା ଯୋଗାଡେ ଏ ପେଟ
ଅଭାବ କଷଣ ଗଣ୍ଠିଲି ବୋହି ମୁଁ
ଚାଲୁଛି ଜୀବନ ବାଟ
- ପ୍ରବୀର ମଲ୍ଲିକ
ଆଖି ଥାଇ ଅନ୍ଧ ବିବେକରେ ବିନ୍ଧ
ମିଛେ ମାର ବାହାଦୁରୀ
ନିରିଖେଇ ଦେଖ ନଗଡାର ଦୁଃଖ
ଭାସୁଛି କି କ୍ଷୀରି ପୁରି !
ବିଦିର୍ଣ୍ଣ ବଦନ ଆହା ଜରାଜୀର୍ଣ୍ଣ
ପଞ୍ଜରା ହୋଇବ ଗଣି
ଏକବିଂଶେ ତୁମେ ରାଜନୀତି ନାମେ
ଖାଉଛ କୋଇଲା ଖଣି
- ଦାଶରଥି ସାହୁ
ଅନ୍ୟାୟ ବଢୁଛି ଶୋଷଣ ଚାଲିଛି
ସଂସାରେ ସ୍ବାର୍ଥ ପାଇଁ
ଦିନ ଦିପ୍ରହରେ ଲୁଟନ୍ତି ଅଚିରେ
ପ୍ରାଣ ବି ଯାଆନ୍ତି ନେଇ
ଦର୍ଶକ ସାଜନ୍ତି ପଥଚାରୀ ସିନା
ପରନ୍ତିନି କିଛି କହି
ଦୁନିଆଁ ଦାଣ୍ଡରେ ଆଖି ଥାଇ ଅନ୍ଧ
ୟାକୁ ହିଁ କୁହନ୍ତି ଭାଇ
- ଟୁକୁନା ସାହୁ
ରଙ୍ଗିନ୍ ଏ' ଦୁନିଆଁ ଶୁଣିଛି କାନରେ
ମୋ ପାଇଁତ ଅନ୍ଧକାର
ଦିନ ରାତି ସବୁ ସମାନ ମୋ ପାଇଁ
ତିଳେ ହେଲେ ନାହିଁ ଡର
ଖାଲ,ଢିପ ଅବା ପଥର ରାସ୍ତାରେ
ଝୁଣ୍ଟି ପଡ଼େ ବହୁବାର
ତଥାପି ସାହାରା ବାଡ଼ି ଖଣ୍ଡେ ମୋର
ଚେତାଏ ସେ' ବାରମ୍ବାର
‐ ରାଧା କୃଷ୍ଣ ବାୟକ
No comments:
Post a Comment