ଭଗାରି ଏ ଶବ୍ବ ଭାଗ ବଣ୍ଟନର
ଖିଆଲି ମନର ଖେଦ
ଶାଶ୍ୱତ ସମ୍ପର୍କ ବିବାଦ ବିତର୍କ
ପ୍ରାଞ୍ଜଳରେ ପୂର୍ଣ୍ଣଛେଦ
କଥା କଥିକ ଏ ସମାଜ ନିତିରେ
ଭାଇ ସାଜେ କି ଭଗାରି
ନା ତୁମେ ରଚିଛ ହେ ହୃଦୟି ସ୍ୱଚ୍ଛ
କୁହ ମୁକୁନ୍ଦ ମୁରାରୀ
‐ଦାଶରଥି ସାହୁ
ସମୟ ସ୍ରୋତରେ ହଜିଛି ଛିଣ୍ଡୁଛି
ସମ୍ପର୍କ ସଙ୍କଳ୍ପ ଡୋରି
ସ୍ନେହ ଶ୍ରଦ୍ଧା ତ୍ୟାଗ ଆଦର ସମ୍ମାନ
ସୁଆଗ ଗଲାଣି ମରି
ସଂସ୍କାର ଭୁଲିଛି ମାଆ ପେଟ ଭାଇ
ସନ୍ଦେହ ମୁଖାକୁ ଧରି
ସନ୍ଧିହାନ ଆଜି ରକ୍ତର ସମ୍ପର୍କ
ସଂସାରେ ଭାଇ ଭଗାରି
- ସନ୍ତୋଷ ପଟ୍ଟନାୟକ
ଏକା ମାଆ ପେଟୁ ଜନ୍ମ ହୋଇଥିଲେ
କେତେ ଯେ ଅଝଟ ଅଳି
ପିଲା ଦିନ ଆମ ସୁଖେ କଟିଥିଲା
ଦୁହିଁଙ୍କ ଗୋଟିଏ ଥାଳି
କାହା ପାଇଁ ଭାଇ କଲ ସାତ ପର
ପଡିଲ କାହା ବୁଦ୍ଧିରେ
ଭାଇ ହୋଇ ଆଜି ଭଗାରି ସାଜିଲ
ପାଚେରୀ ମଝି ଦୁଆରେ
- ପ୍ରବୀର ମଲ୍ଲିକ
ଭାବର ବନ୍ଧନ ଜନ୍ମରୁ ଆରମ୍ଭ
ବିବାହରେ ହୁଏ ଶେଷ
ଭାଇ ସାଜେ ପୁଣି ଭାଇର ଭଗାରି
ଦେଇ ମନେ ନାନା କ୍ଲେଶ
ଭୁଲିଯାଏ ପୁଣି ରକ୍ତର ସମ୍ପର୍କ
ଅର୍ଥ କରେ ବାଟବଣା
କିଞ୍ଚିତ ସୁଖକୁ ପାଇବା ନିମନ୍ତେ
ଭୁଲି ଯାଏ ବୁଝାମଣା
- ଟୁକୁନା ସାହୁ
ଭାତୃତ୍ୱ ଭାବର କାଣିଚାଏ ମୂଲ୍ୟ
ଆଜିକାଲି ଆଉ ନାହିଁ
ସ୍ୱାର୍ଥ ପାଇଁ ଭାଇ ଭଗାରି ସାଜିଛି
ସମ୍ପର୍କକୁ ଭୁଲି ଯାଇ
କେଉଁ ଭାଇ ଏବେ କାହାର ହୋଇଛି
ଯେତେ ଭାଇ ସେତେ ଭାଗ
ନିଜ ଖୁସି ପାଇଁ ଭାଇ ପାଖେ ଭାଇ
କରିଥାଏ ଅଭିଯୋଗ
ଏତ କଳିଯୁଗ ନାହିଁ ଅସମ୍ଭବ
ଭାଇ ଭାଙ୍ଗେ ଭାଇ ଘର
ରକତର ଡାକ ଶୁଭୁନି କାହାକୁ
ସର୍ବେ ଏଠି ସ୍ୱାର୍ଥପର
- ରାମ ଚନ୍ଦ୍ର ପ୍ରଧାନ
ଭାଇ ନୁହେଁ ଏଠି ଭଗାରୀ ହେ ବନ୍ଧୁ
ଭାଇ ସୁଖ ଦୁଃଖ ସାଥି
ସ୍ନେହ ପ୍ରେମ ଭରା ପରିବାରେ ମୋର
ଅଛି ସଦା ପାଖା ପାଖି
ବଡ ଦେଉଳରେ ବସିଛନ୍ତି ଦେଖ
ଗେହ୍ଲା ଭଉଣୀକୁ ନେଇ
ଭାଇ ନୁହେଁ କେବେ ଭଗାରୀ ବୋଲି ଯେ
ଦିଅନ୍ତି ସଭିଙ୍କୁ କହି
‐ ଜଗବନ୍ଧୁ ସାହୁ
ସାନ ସିନା ତୁମେ ଜଗତ ଠାକୁର
ବୁଦ୍ଧି ବିବେକରେ ବଡ଼
ଭାଇ ଭଉଣୀଙ୍କୁ ସାଙ୍ଗରେ ବସେଇ
ଗଢ଼ିଛ ଦେଉଳ ବଡ଼
କାହିଁକି ଠାକୁରେ ଆଜିର ସମାଜେ
ସମ୍ପର୍କର ନାହିଁ ମୂଲ
ଭାଇ ଯଦି ଏଠି ସାଜିବ ଭଗାରି
କିଏ ଭେଲ କିଏ ଭଲ ?,,
‐ ରାଧା କୃଷ୍ଣ ବାୟକ
ଦ୍ବାପରର ପ୍ରେମ କୃଷ୍ଣ ବଳରାମ
ଭାଇ ଭାଇ ପାଇଁ ଉଦାହରଣ
ତ୍ରେତୟାରେ ପରା ରାମଙ୍କ ଆଦେଶେ
ଅନୁଗାମୀ ଥିଲେ ଭାଇ ଲକ୍ଷ୍ମଣ
ଏହି କଳିଯୁଗ କରେ ଅଭିଯୋଗ
କୁହହେ ବିଧାତା ଏ କେଉଁ ଲୀଳା
ମୋ' ଯୁଗେ କାହିଁ ଭାଇ ଭାଇ ପାଇଁ
ହୄଦୟ ପାଲଟେ ମୁଗୁନି ଶିଳା
- ରବିନ୍ଦ୍ର ସାହୁ
No comments:
Post a Comment