Saturday, January 30, 2021

#ଗାନ୍ଧୀଙ୍କ ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ

#ଗାନ୍ଧୀଙ୍କ_ସ୍ୱାଧୀନତ୍ତୋର_ଭାରତର_ଗ୍ରାମ୍ୟ_ଜୀବନ     
- - - - - - - - - -  ✍ ସନ୍ତୋଷ ପଟ୍ଟନାୟକ

     ଆବାହମାନ କାଳରୁ ଗାଆଁ   ବିକାଶ କ୍ଷେତ୍ରର ଗାରିମାମୟ ଅଧ୍ୟାୟ ।  ସାମଗ୍ରିକ ସଂସ୍କୃତିସଂପନ୍ନ ବିବିଧତାରେ ଏକତାର ଆବାହନୀ ମନ୍ତ୍ର ସୃଷ୍ଟି କରିଥିବା ରାଷ୍ଟ୍ରଟିଏ ଥିଲା ଭାରତ  । ଭାରତ ପରାଧୀନତାର ଶିକାର ପରେ ଏହି ଗ୍ରାମାଞ୍ଚଳରୁ ହିଁ ଉଠିଥିଲା ସ୍ବଧିନତାର ସ୍ବର । ବହୁ ପାଇକ ଏଥିପାଇଁ ବଳୀ ଦେଇଛନ୍ତି। ଧର୍ମ ପରାୟଣ ଓ ଇଶ୍ବର ବିଶ୍ବାସୀ ଭାରତର ଗ୍ରାମାଞ୍ଚଳରେ ଥିଲା ଭାଗବତ ଘର , ରାଜା ମାନେ ଥିଲେ ସାହିତ୍ୟ ପ୍ରେମୀ । ରାଜ ଦରବାରରେ ବହୁ ପଣ୍ଡିତ ତଥା କବିଙ୍କ କବିତା ଚର୍ଚ୍ଚା ହେଉଥିଲା ସେଥିରେ ସାଧରଣ ଜନଜୀବନଙ୍କ କଥା ପହଞ୍ଚି ପାରୁଥିଲା ଏବଂ ତାହା ସମାଧାନ ହେଉଥିଲା । ନ୍ୟାୟ ବ୍ୟବସ୍ଥାରେ ଗାଁର ବଳିଷ୍ଠ ଭୂମିକା ଥିଲା । ଭାଇଚାରା ଥିଲା  । ସଂସ୍କୃତି ଓ ପରମ୍ପରା ପ୍ରତି ଆଦର ଥିଲା। 

         ସ୍ବାଧୀନତା ପରେ ଗ୍ରାମୀଣ ଜୀବନ ବହୁମାତ୍ରାରେ ଉନ୍ନତ ଓ ପ୍ରତିଟି କ୍ଷେତ୍ରରେ ବିକଶିତ ହୋଇପାରିଛି ବୋଲି ଶାସକ କହୁଥିଲେ ମଧ୍ୟ ଏଥିରେ ବାସ୍ତବତା ନାହିଁ  l ପ୍ରାକ ସ୍ୱାଧୀନତା ଭାରତର ଗ୍ରାମ୍ୟ ଜୀବନ ଓ ସ୍ୱାଧୀନତା ପରବର୍ତ୍ତୀ ଗ୍ରାମ୍ୟ ଜୀବନ ମଧ୍ୟରେ ରହିଛି ଅନେକ ପରିବର୍ତ୍ତନ l କ୍ଷୁର୍ଣ୍ଣ ହେଇଛି ସଂସ୍କୃତି ପରମ୍ପରା । ପାଶ୍ଚାତ୍ୟ ସ୍ବର୍ଶରେ ଗ୍ରାମୀଣ ସଂସ୍କୃତି ପ୍ରାୟ ନଷ୍ଟ  । କୂଳ ବେଉସା ଧିରେ ଧିରେ ହଜୁଛି । ସାହିତ୍ୟ କ୍ଷେତ୍ରରେ ମାନପତ୍ର ପାଇଁ  ବର୍ତ୍ତମାନ ଅର୍ଥ କାରବାର ହେଉଛି  । କୃଷକ ପ୍ରତି ଅବହେଳା ଏବେ ଚରମ ସୀମାକୁ ଗଲାଣି । ଲକ୍ଷ୍ୟାଧିକ ଟଙ୍କାର ବୈଷୟିକ ଉପକରଣ ଥିବା ବ୍ୟକ୍ତି ଚାଷି ବୋଲାଉଚି  । ଭାଗଚାଷି ତାର ଉପଯୁକ୍ତ ପ୍ରାପ୍ୟ ପାଇ ପାରୁନି । ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ଏବେବି ଅପହଞ୍ଚ । ପ୍ରତିଶ୍ରୁତିରେ ଚାଲିଛି ସବୁ ବ୍ୟବସ୍ଥା । ଭାରତ ଏକ ଗ୍ରାମବହୁଳ ଦେଶ l ଗ୍ରାମ ସମୂହର ବିକାଶ ଉପରେ ନିର୍ଭର କରେ ଦେଶର ବିକାଶ।ସ୍ୱାଧୀନତା ପରବର୍ତ୍ତୀ ଭାରତର ଗ୍ରାମ୍ୟ ଜୀବନରେ କିଛି ମାତ୍ରାରେ  କେବଳ ହଟିଚି  ସେଦିନରେ  ଅନ୍ଧବିଶ୍ୱାସ ଓ କୁସଂସ୍କାର । ଶୋଷଣର ଭୟାବହତା ଆଜିବି ଜୀବିତ ଗ୍ରାମ୍ୟ ଜୀବନରେ ।
        
      ଅଧିକନ୍ତୁ ସ୍ୱାଧୀନତ୍ତୋର ଗ୍ରାମ୍ୟ ଜୀବନ ପ୍ରତିଟି କ୍ଷେତ୍ରରେ ବିକଶିତ ବୋଲି କୁହାଯାଉଥିଲେ ମଧ୍ୟ ତାହା ବାସ୍ତବଧର୍ମୀ ନୁହେଁ l କୃଷି, ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,  ପରିବହନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା  ଆଦି କ୍ଷେତ୍ରରେ ଆଶାନୁରୂପ ଉନ୍ନତ ପରିଲକ୍ଷିତ ହୋଇପାରି ନାହିଁ  l ସ୍ୱାଧୀନତା  ପରବର୍ତ୍ତୀ ଗ୍ରାମ୍ୟ ଜୀବନ, ଗାନ୍ଧିଜୀଙ୍କ ସ୍ବରାଜ ଆଜି ସ୍ୱପ୍ନାତୀତ l 

    ଅତଏବ ଭାରତର ଗ୍ରାମୀଣ ସଂସ୍କୃତିର ଐତିହ୍ୟ, ପରମ୍ପରା କ୍ଷୁର୍ଣ୍ଣ ହେବାରେ ଲାଗିଛି l ଦେଶର ବିଭାଜନ ଏବଂ ରାଜ୍ୟର ମଧ୍ୟ ବିଭାଜନ ହେଇଛି । ସିଂହଭୂମୀ, ଖରସୁଆଁ, ଷଢେଇକଳା ଆଜି ବିଛିନ୍ନ ଓଡିଶାରୁ  । ଆଧୁନିକ ସଭ୍ୟତା ସହରାଭିମୁଖୀ । ସ୍ବାଭିମାନ ଆଜି ବନ୍ଧା ପଡିଯାଉଛି  ଶାସକର ମଦମାଂସ ଆସରରେ ଯାହାକି ପୂର୍ବେ ନଥିଲା । 

   ସର୍ବୋପରି ସ୍ବାଧୀନତା ଆମେ ପାଇଚେ କିନ୍ତୁ  ହରେଇ ଚାଲିଛେ ଆମ ସଂସ୍କାର ,ସଂସ୍କୃତି , ଶିକ୍ଷା ବ୍ୟବସ୍ଥାକୁ । ବେଳୁ ଯତ୍ନବାନ ନହେଲେ ଭାରତୀୟ ପରମ୍ପରାର ଜନ୍ମଭୂମି ଗ୍ରାମ ପାଶ୍ଚାତ୍ୟର କରାଗାରରେ ପୁଣି ପରାଧିନତା ବରଣ କରିବ  । 
      -------×------- 
ବେଗୁନିଆପଡା ବ୍ଳକ୍, ତିରିଡ଼ା , ଗଞ୍ଜାମ ।
    7984259080

Friday, January 29, 2021

ସମର୍ପଣ (topic - 95 ବର୍ଣ୍ଣ ବୈଷମ ) quote #quot

ବର୍ଣ୍ଣ ବୈଷମ ‐ ୯୫

ରଙ୍ଗ ନୁହେଁ ଦେଖ ମାନବ-ପଣ 
ଅହିଂସା ନୀତିର ଏକତା ମର୍ମ 
ସ୍ବାଭିମାନେ ଥାଉ ଦାମ୍ଭିକପଣ 
ଗାନ୍ଧୀ ନୀତି ଏଇ ମହତ୍ତ୍ୱ-ପୂର୍ଣ୍ଣ
ଆତ୍ମବଳ ସୌଧେ ମନ ଜଗାଇ
ଏକତା ମନ୍ତ୍ରେ ବିଶ୍ବକୁ ଧୋଇ
ମାନବ ପ୍ରେମର ବାରତା ଦେଇ
ବର୍ଣ୍ଣ-ବୈଷମ ଦେବା ଦୂରେଇ
          - ସନ୍ତୋଷ ପଟ୍ଟନାୟକ

କଳା ଗୋରା ଖାଲି ମନର ବିକାର
     ବର୍ଣ୍ଣ ବୈଷମର ଭେଦ
ଚର୍ମ ବର୍ଣ୍ଣ ନେଇ ବିଭେଦ ଭିଆଇ
      ଭାଙ୍ଗେ ଐକ୍ୟତାର ଭାଵ 
କଳା ଗୋରା ସବୁ ଚର୍ମର ଢ଼ାଙ୍କୁଣୀ 
     ବର୍ଣ୍ଣ କି ଚିହ୍ନାଏ ଗୁଣ
କୋଇଲିର ସ୍ୱର କାଳି ଗାଈ କ୍ଷୀର
         ଚଳନ୍ତି ଉଦାହରଣ
                  - ପ୍ରବୀର ମଲ୍ଲିକ୍

ବର୍ଣ୍ଣ ପାଇଁ କର୍ଣ୍ଣ ଲାଞ୍ଚିତ ହୋଇଛି 
      ସହିଛି ଅନେକ ପୀଡ଼ା 
ଏକଲବ୍ୟ ପୁଣି ଗୁରୁ ଆଶ୍ରମରୁ 
      ଖାଇଥିଲା ଦିନେ ତଡା 
ବର୍ଣ୍ଣ ବିବାଦରୁ ପ୍ରଭୁ ଜଗନ୍ନାଥ 
     ଲକ୍ଷ୍ମୀଙ୍କୁ ଦେଲେ ଗଞ୍ଜଣା 
ଭୋଗିଲେ ଅକାଳେ ଅନେକ ଯନ୍ତ୍ରଣା 
       କରି ଲକ୍ଷ୍ମୀ ମାନ ଊଣା 
                    - ଟୁକୁନା ସାହୁ

ଜାତି,ଧର୍ମ,ବର୍ଣ୍ଣ ବୈଷମ ପ୍ରଥାଟି
     ତେଜିଲେ ସିନା ମନରୁ 
ଆଗକୁ ବଢ଼ିବ ସୁନାର ଭାରତ
     ଦୁର୍ନିତି ହଟି ଦେଶରୁ 
ହିନ୍ଦୁ ଧର୍ମେ ବର୍ଣ୍ଣ ବୈଷମ ପ୍ରଥାଟି
     ଉଲ୍ଲେଖ କେଉଁ କାଳରୁ 
ସର୍ବ ଜନମନ ହେଲେ ଏକାକାର
      ଦେଶ ହେବ ବିଶ୍ବଗୁରୁ 
                 - ରାଧା କୃଷ୍ଣ ବାୟକ

ଆଜି ବି ରହିଛି ଏ ସଭ୍ୟ ସମାଜେ
     ବର୍ଣ୍ଣ ବୈଷମ୍ୟର ଭେଦ
ପଲ୍ଲୀ ଠାରୁ ଦିଲ୍ଲୀ  ସବୁଠି ଲାଗିଛି
        ଏ ସମ୍ପର୍କିତ ବିବାଦ
ଶିକ୍ଷିତ ହୋଇ ବି  କେହି ବୁଝନ୍ତିନି
     ଅହଙ୍କାରେ ଅନ୍ଧ ହୋଇ
କଳା ଗୋରା ରଙ୍ଗେ  ବିଭ୍ରାନ୍ତି ରଚନ୍ତି
      ଆମ ଏ ମଣିଷ ଭାଇ 
                -ରାମ ଚନ୍ଦ୍ର ପ୍ରଧାନ

ଆଫ୍ରିକା ହେଉକି ଆମେରିକା ହେଉ
     ହେଉ ସେ ଭାରତ ଦେଶ
ମଣିଷ ସମାଜୁ  ବର୍ଣ୍ଣ ବୈଷମ୍ଯର
       ଭ୍ରମଟା ହେଉନି ଶେଷ
ପୃଥିବୀଟା ସାରା କି'କଳା କି'ଗୋରା 
         ସବୁତ ପ୍ରଭୁଙ୍କ ସୃଷ୍ଟି
ଧରିତ୍ରୀ ମାତାର  ସବୁତ ସନ୍ତାନ
        ଏଥିପ୍ରତି ଦିଅ ଦୃଷ୍ଟି
                  - ରବିନ୍ଦ୍ର ସାହୁ

କଳା ଗୋରାରୁ ଯେ  କିସ ବା ମିଳିବ 
        ଦେହ ନୁହେଁ ଚିରଦିନ 
ଆଜି ଯିଏ ଯୁବା  କାଲିକି ସେ ବୃଦ୍ଧା
           ଧ୍ୟାନ ଦିଅ ସୁଧିଜନ
ଜାତି ଅଜାତି ଯେ ଖୋଜୁ ଅଛ କାହିଁ
          ଦେଖ ତା ମାନବ ପଣ 
ଭୁଲି ଗଲ କିଆଁ  ସବରୀ ଅଇଁଠା
          ଖାଇ ଥିଲେ ପରା ରାମ
                     - ଜଗବନ୍ଧୁ ସାହୁ 

Thursday, January 28, 2021

■ ଜଉଗଡ଼ ■

# ଅଶୋକ ଶିଳାଲିପି, ଜଉଗଡ଼ !
      ✍ ଉପସ୍ଥାପନା : ଜଗନ୍ନାଥ ଦୋରା 

                  ଅବହେଳିତ ଜଉଗଡ଼,କଳିଙ୍ଗ ଇତିହାସ ର ଶିଳାଲେଖ. କଳିଙ୍ଗ ଇତିହାସ ର ସର୍ବପୁରାତନ ମୁକ ସାକ୍ଷୀ ହେଉଛି ଜଉଗଡ଼. ଯାହାକି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତ ରେ ଅବସ୍ଥିତ.ଏଠାରେ ଥିବା ଶିଳାଲେଖ ଗୁଡିକ ହେଉଛି 2060 ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ 261 ରେ  ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି  ପ୍ରତ୍ନତ୍ୱାତିକ ସର୍ଭେ ଅଫ ଇଣ୍ଡିଆ (ASI) ରୁ ଜଣାପଡେ଼ ! ଐତିହାସିକ କଳିଙ୍ଗ ବିଜୟ ପରେ ଅଶୋକ ରକ୍ତାକ୍ତ ହୋଇଥିବା ଦୟା ନଦୀ କୁ ଦେଖି ଚଣ୍ଡାଶୋକ ରୁ ଧର୍ମାଶୋକ ରେ ପରିଣତ ହୋଇଥିଲେ ସେ ରାଜ୍ୟ ଜୟ କ୍ଷମତା ଲୋଭକୁ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ତାର ପ୍ରଚାର ପ୍ରସାର କରିଥିଲେ ।
  
    ସେହି ସମୟରେ  ଅଶୋକ 14 ଟି ଶିଳାନୁଶାସନ ଲେଖିଥିଲେ, ସେଥି ମଧ୍ୟରୁ ଏକାଦଶଟି ଶିଳାନୁଶାସନ ଜଉଗଡ଼ ପଥର ଦେହରେ ଖୋଦିତ ହେଇଥିବା ବେଳେ ଅନ୍ୟ ତିନୋଟି ଧଉଳି ପାହାଡ଼ ରେ ଖୋଦିତ ହେଇଛି । ଏହି ଲେଖା ଗୁଡିକ ପାଲି ଭାଷାରେ  ଲେଖା ଯାଇଥିବା ବେଳେ, ଏହା ତତ୍କାଳୀନ କଳିଙ୍ଗର ଧର୍ମ ସଂସ୍କୃତି  ଓ ରାଜ୍ୟ ଶାସନର ସୁବିସ୍ତୃତ ବିବରଣୀ ପ୍ରଦାନ କରେ ! କିନ୍ତୁ ଦୁଃଖର ବିଷୟ ଏହା ଯେ କଳିଙ୍ଗ ର ଐତିହାସ ଗାନ କରୁଥିବା ଏ ଶିଳାଲେଖ ଗୁଡିକ ଆଜି ଜରାଜୀର୍ଣ୍ଣ  ଅବସ୍ଥାରେ ପଡ଼ିରହିଛି । ସ୍ୱାଧୀନତା ପୂର୍ବରୁ ଜଉଗଡ଼ ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ କିଛି ବିକାଶ ର କାମ ହୋଇପାରିନାହିଁ । ଐତିହାସିକ ଜଉଗଡ଼ ର ଇତିହାସ ଯେତିକି ପୁରୁଣା ତାର କିମ୍ବଦନ୍ତୀ ମଧ୍ୟ ସେତିକି ନିଆରା ଲୋକକଥା ବା  କିମ୍ବଦନ୍ତୀ ଅନୁଯାୟୀ, ଜଉଗଡ଼ ରାଜା ନିଜ ଗଡ଼ର ସୁରକ୍ଷା ପାଇଁ ଜଉ ଦ୍ୱାରା ନିର୍ମିତ ପାଚେରୀ ତିଆରି କରିଥିଲେ,  ଯା'ଦ୍ୱାରା ଗଡ଼ ମଧ୍ୟ୍ୟକୁ ଶତ୍ରୁ ମାନଙ୍କ ପ୍ରବେଶକୁ ରୋକାଯାଇପାରିବ ଏବଂ ଏ ବିଷୟରେ ଅପରପକ୍ଷର ଶତ୍ରୁ ମାନଙ୍କୁ ଅଜଣା ଥିଲା । ଯେତେବେଳେ  ଶତ୍ରୁ ପକ୍ଷର ସୈନ୍ୟ ମାନେ ରାଜଉଆସ କୁ ପ୍ରତିଦିନ କ୍ଷୀର, ଦହି ଦେବାକୁ ଯାଉଥିବା ଗଉଡ଼ୁଣୀ ଠାରୁ ପାଚେରୀର ରହସ୍ୟ ପଚାରି ବୁଝିଥିଲେ ଗଉଡ଼ୁଣୀ ଠାରୁ ଜଉରେ ତିଆରି ହୋଇଥିବା ରହସ୍ୟ ଜାଣିପାରି ଶତ୍ରୁ ପକ୍ଷ ସୈନ୍ୟ ମାନେ ସେଥିରେ ନିଆଁ ଲଗେଇଦେଇଥିଲେ, ଯାହା ଫଳରେ ପାଚେରୀ ସହ ସମ୍ପୂର୍ଣ୍ଣ    ଜଉଗଡ଼ ଜଳିଯାଇଥିଲା ଏବଂ ପରେ ରାଜା ଏକଥା ଜାଣିସାରି ଗଉଡ଼ୁଣୀ କୁ ଅଭିଶାପ ଦେଇଥିଲେ ଫଳସ୍ୱରୂପ    ପର ମୂହୁର୍ତ୍ତରେ  ଗଉଡ଼ୁଣୀ ପଥର ପାଲଟି ଯାଇଥିଲା ! ଏବେ ବି ସେଇ ପଥରକୁ ଗଉଡ଼ୁଣୀ ପଥର କୁହାଯାଏ ।

       ଏବେ କିନ୍ତୁ ଏ ଐତିହାସିକ ଗଡ଼ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଅଛି । ଇତିହାସର କଥା କହୁଥିବା ଏ ଜଉଗଡ଼ କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଯେଉଁ ରାଜ୍ୟରେ ଇତିହାସ ସୁରକ୍ଷା ବ୍ୟବସ୍ଥା ନାହିଁ ସେ ରାଜ୍ୟ କେତେ ବା ସୁରକ୍ଷିତ ? କଳିଙ୍ଗର ଇତିହାସ କହୁଥିବା ଅକ୍ଷର ଗୁଡିକ ଏବେ ଅଦୃଶ୍ୟ ହେବାରେ ଲାଗିଛି ।

Wednesday, January 27, 2021

■ ଅପରାଧ କାହାର !! ■

 #ଅପରାଧ_କାହାର      ( ଗଳ୍ପ )
                   ✍ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ମଳୟ ଦେଶର ରାଜା ସମରଜିତ୍ l ବଡ଼ ବୀର ଓ ପଣ୍ଡିତ ଥିଲେ l ତାଙ୍କ ରାଜ୍ୟରେ ଚନ୍ଦ୍ରମଣି ବୋଲି ଗୋଟିଏ ଧନୀ ଲୋକ ରହୁଥିଲେ l ତାର ମଣିମାଳା ନାମରେ ଖୁବ୍ ସୁନ୍ଦରୀ ଝିଅଟିଏ ଥିଲା l ଥରେ ଜଣେ ରାଜକର୍ମଚାରୀ ଆଶିକହିଲା – ‘ ହଜୁର ! ଚନ୍ଦ୍ରମଣିର ଝିଅ ଆପଣଙ୍କ ରାଣୀ ହବାକୁ ଯୋଗ୍ୟ l ତେଣୁ ଶୀଘ୍ର ତାକୁ ଏ ରାଜପୁର ନେଇ ଆସନ୍ତୁ l ‘’

ରାଜା ନିଜର ଜଣେ ବିଶ୍ଵସ୍ତ ସେବିକା ଦେବକୀକୁ ଡକାଇ କହିଲେ , ‘’ ତୁମେ ମଣିମାଳାକୁ ଦେଖି ଆସ l ସେ ଆମ ଅନ୍ତଃପୁରକୁ ଯୋଗ୍ୟ ହେବ କି ନା, ଭଲ ଭାବରେ ବୁଝିକରି ସୂଚନା ଦେବ l ‘’

ରାଜାଙ୍କ ଆଦେଶରେ ଦେବକୀ ମଣିମାଳାକୁ ଦେଖିବାକୁ ଗଲେ l ମଣିମାଳାର ସୌନ୍ଦର୍ଯ୍ୟ ଦେଖି ଦେବକୀ ଖୁବ୍ ଆଶ୍ଚର୍ଯ୍ୟ ହେଲା l ଆଉ ମନେ ମନେ ଭବିଲା-ଯଦି ଏ ଝିଅ ରାଣୀ ହେବ , ତେବେ ରାଜା ଭୋଗ ବିଳାସରେ ବୁଡ଼ି ରହିବେ l ରାଜକାର୍ଯ୍ୟରେ ମନ ଦେବେ ନାହିଁ l ବରଂ ଏପରି କହିବି ଯେ ରାଜା ତାକୁ ବିଭାହେବାକୁ ମନ କରିବେ ନାହିଁ l ତେଣୁ ସେ ରାଜାଙ୍କ ପାଖକୁ ଫେରି ଯାଇ କହିଲା – ‘ ହଜୁର ! ସେ ଝିଅଠାରୁ ଆମରାଣୀମାନେ ବହୁତ ସୁନ୍ଦର l ‘’ ସେ କଥା ଶୁଣି ରାଜା ଆଉ ସେଥିପ୍ରତି ମନ ବଳାଇଲେ ନାହିଁ l ସେ ଅନ୍ୟକାମରେ ମନ ଦେଲେ l

ଚନ୍ଦ୍ରମଣି ଏକଥା ଜାଣିଲା ପରେ ନିଜେ ରାଜାଙ୍କ ପାଖରେ ନିଜ ଝିଅକୁ ବିବାହ ଦେବାର ପ୍ରସ୍ତାବ ଦେଲା l ହେଲେ ରାଜା ତାଙ୍କର ଜଣେ କର୍ମଚାରୀ କୃଷ୍ଣାନନ୍ଦ ସହିତ ମଣିମାଳାର ବିଭାଘର କରିଦେଲା l ମଣିମାଳା ପରି ସୁନ୍ଦରୀ ସ୍ତ୍ରୀକୁ ପାଇ କୃଷ୍ଣାନନ୍ଦ ବେଶ୍ ଆନନ୍ଦରେ କାଳ କଟାଇବାରେ ଲାଗିଲା l

ଦିନେ କୌଣସି କାମରେ ରାଜା ଗଲାବେଳେ ତାଙ୍କର ମଣିମାଳା ସହିତ ଭେଟ ହୋଇଗଲା ରାଜା ଯେତେବେଳେ ଦେଖିଲେ ମଣିମାଳା ଖୁବ୍ ସୁନ୍ଦରୀ l ଦେବକୀ ତାଙ୍କୁ ମିଛ କହି ଠକିଥିବାର ଜାଣି ସେ ଦେବକୀକୁ ଫାଶୀ ଦେବାକୁ ଆଦେଶ ଦେଲେ l ସେ କଥା ଶୁଣି କୃଷ୍ଣାନନ୍ଦ କହିଲା –‘’ ହଜୁର ! ମୁଁ ମଣିମାଳାକୁ ଆପଣଙ୍କୁ ଦେବାକୁ ପ୍ରସ୍ତୁତ, ମାତ୍ର ଦେବକୀକୁ ଏପରି କଠୋର ଦଣ୍ଡ ଦିଅନ୍ତୁ ନାହିଁ l

ରାଜା କହିଲେ – ‘’ ପରସ୍ତ୍ରୀ ଗ୍ରହଣ କରି ମୁଁ ପାପ କରିବି ନାହିଁ l ‘’ ତେଣୁ ସେ ଦେବକୀକୁ ନିଜ ଦେଶରୁ ବାହାର କରିଦେଲେ l

ଏବେ କୁହ ରାଜା ! ‘’ ଦେବକୀର ଦୋଷ ରହିଲା କେଉଁଠି ? ‘’ ରାଜା ଏପରି କରିବା ଦ୍ଵାରା ତାଙ୍କର ପାପ ହେଲା ନାହିଁ କି ?

ବିକ୍ରମାଦିତ୍ୟ କହିଲେ- ପ୍ରଭୁଭକ୍ତି ଠାରୁ କର୍ତ୍ତବ୍ୟ ବଡ଼ l ଦେବକୀ ପ୍ରଭୁଭକ୍ତିର ପରିଚୟ ଦେଇ ଅପରାଧ ତ ନିଶ୍ଚୟ କଲା l ଏଥିପାଇଁ ରାଜା ସମରଜିତ୍ ଦେବକୀକୁ ଦେଶରୁ ବାହାର କରିଦେଇ ଅପରାଧ କଲେ l

ବିକ୍ରମାଦିତ୍ୟଙ୍କର କଥା ଶୁଣି ବେତାଳ ଅଟ୍ଟହାସ୍ୟ ସହ ସିଧା ଯାଇ ସେହି ଗଛରେ ପୂର୍ବପରି ଓହଳି ରହିଲା l

Monday, January 25, 2021

■ସାଧବଝିଅ ■ ଭାଗ : ୧୧ / ମାୟାଧର ମାନସିଂହ

★ 'ସାଧବ ଝିଅ' ଓ କବି ଡ. ମାୟାଧର ମାନସିଂହ ★
  ଭାଗ : ୧୧         ଉପସ୍ଥାପନା : ଅମୃତେଶ ଖଟୁଆ
_____________________________________

                   _'ସାଧବ ଝିଅ' - କେବଳ ନୁହେଁ ଏକ ନାରୀଚରିତ୍ର, କେବଳ ନୁହେଁ ଏକ ନାୟିକା ବିଶେଷ । ମଧ୍ୟଯୁଗୀୟ ଗୋଟିଏ କିମ୍ବଦନ୍ତୀକୁ ମାୟାଧର ମାନସିଂହ ଯେଉଁ ନିରଳସ ତଥା ଆବେଗ ସମ୍ଵଳୀ ହୃଦୟୋତ୍ଥାନରୁ ବର୍ଣ୍ଣନା କରୁଛନ୍ତି, ତାହା କେବଳଞ୍ଚ ପ୍ରେମ କି ଉଦଗ୍ରୀବ ଭାବ ମଧ୍ୟ ନୁହେଁ। ଓଡିଆ ବଣିକମାନଙ୍କ ଅଭିବ୍ୟାପ୍ତି ସହ ତଦାନୀନ୍ତନ ସମାଜରେ ଲୋକ ଚରିତ୍ରର ସମୀକ୍ଷା ଓ ସମ୍ୟକ୍ ଧାରଣା ଏହି କାବ୍ୟକୁ ଦିଏ ଏକ ନବ୍ୟ ଉପପାଦ୍ୟ ।_

                        _ଏହି ଚଳଣିରେ ଫୁଟିଉଠେ ପୁଣି ସଂସ୍କୃତିର ଅଫୁରନ୍ତ ଧାରା । କବିଙ୍କର ସେହି କୁମାର ପୂନେଇଁରୁ କାର୍ତ୍ତିକ ପୂନେଇଁ ପର୍ଯ୍ୟନ୍ତ ବୋଇତ ଯାତ୍ରାର ସ୍ମୃତି ଉଜ୍ଜୀବନ ସହ ଏହାର ଅନ୍ତରାଳରେ ସୁଲଭ ଓଡିଆ ମାଟିର ଅତୀତ ଗୌରବରାଜି ଅନସ୍ଵୀକାର୍ଯ୍ୟ ଭୂମିକାରେ ସତତ ଅବତୀର୍ଣ୍ଣ ହୋଇଅଛି । ଇଏ ଦୁଇପ୍ରାଣର ମିଳନ ନୁହେଁ, ଦୁଇ ଯୁଗ୍ମ ଯୁଗଧାରାର ସମ୍ମେଳନ - ନିରଳସ ଆବେଗ ସହ ସମୃଦ୍ଧି ମଧ୍ୟରେ ସାମାଜିକତା ।_

                      _ଦଶମ ଅଧ୍ଯାୟରେ ଆପଣ ପଢିଥିଲେ ସାଧବ ପୁଅର ସେହି ବିଚଳିତ ଚଞ୍ଚଳ ଆବେଗବାହୀ ମନର ଧାରଣା।  ସେ ବାୟୁ, ତରୁଗୁଳ୍ମରାଜି, ବନ, ଆକାଶକୁ ଶୁଣାଇ ସାକ୍ଷୀ ରଖି କହୁଛି ସେ ଜୀବନର ଯେଉଁ ସବୁ ଉଦାର ବିଳାସ ସଞ୍ଚିରଖିଛି, ସେ କେବଳ ଯେପରି ସେ ସାଧବଝିଅର ମଧୁରତାରୁ ପାଇପାରିଛି, ପାଇ ପାରିଛି ତାର ଉଦାର ହୃଦୟସାରରୁ । ପ୍ରୀତିର ଅମୃତବାହୀ ନିରଲସ ଝରରେ ସେ ମନେ କରିଛି ସବୁ ଶୁଭଙ୍କର ।_

                         _ଆମ୍ଭେ ଶେଷ ପର୍ଯ୍ୟାୟରେ ଉପନୀତ ହୋଇ ଆସିଛୁ । ତେବେ ଚାଲନ୍ତୁ, ଦେଖିବା ଏସବୁ ମଧ୍ୟରେ କିପରି ଦୁଇ ଯୁଗ୍ମ ଧାରାଙ୍କର ମିଳନ ଘଟିଛି ନାଟକୀୟ ପରିସ୍ଥିତି ଦେଇ ଆଜିର ଏହି ଏକାଦଶ ଧାରାବାହିକ ଭାଗ ମାଧ୍ୟମରେ ।_

    
                      (ଧାରାବାହିକ ଭାଗ - ୧୧)

ଭୁଜେ ଭୁଜ ଭିଡାଭିଡ଼ି , ହୃଦେ ହୃଦ ଧରି
ଚରଣେ ଚରଣ ଥାପି ନିବିଡ଼ ସୋହାଗେ,
               ଚୁମ୍ଵନ୍ତି ସେ ପରସ୍ପରେ ଜଗତ ବିସ୍ମରି
               ଛାଡ଼ି ପୁଣି ଚୁମ୍ଵଦେନ୍ତି ଗାଢ଼ ଅନୁରାଗେ ।
    ଇନ୍ଦ୍ରିୟେ ଇନ୍ଦ୍ରିୟେ ହୁଏ ପ୍ରାଣ ବିନିମୟ
    ମୁଖେ ନ ଆସଇ ଭାଷା, ଭରା ସେ ହୃଦୟ ।
    

ନ ଦେଖିବେ, ନ ପାଇବେ ଯେହ୍ନେ ଆଉ ଆନେ
ସେହି କ୍ଷଣ ପରେ, ନବ ଯୁବକ ଯୁବତୀ
               ତେଣୁ ଚାହୁଁଥାନ୍ତି ପ୍ରିୟେ ଏକ ପୋଷେ ପାନେ
               କରିବାକୁ ଚିର ସେହି କ୍ଷଣି ମଧୁରତି ।
    ସୁଖ ସଙ୍ଗେ ଗୁନ୍ଥା ଚିର ହଜିବାର ଭୟ 
    ତେଣୁ ତାଙ୍କ ଚିତ୍ତ ଥିଲା ଆଶଙ୍କା- ଅଥୟ !

ମନ୍ଦିର-ଗମନ ଛଳେ ସାଧବନନ୍ଦିନୀ
ଦ୍ଵାର ଖୋଲି ଯାଏ ଚାଲି ଗୃହ ଉପବନେ ।
               କେବେ ବା ଅନ୍ଧାର ରାତି , କେବେ ବା ଚାନ୍ଦିନୀ,
               ସମୟର ଜ୍ଞାନ କାହିଁ ପ୍ରଣୟିତ ମନେ ?
   ସ୍ଥାନେ କାଳେ ପଦେ ଦଳି ଚାହେଁ ସେ ମିଳନ
   ବଢ଼ି ନଈ ମାନେ କାହିଁ ତଟର ଶାସନ ?

ପ୍ରଥମେ ଯେ ଦିନ ସାଧୁସୁତା ଦେଖେ ଦୂରୁ
ପ୍ରାଚୀରର ଆରପଟେ ବାନ୍ଧବ ସଙ୍ଗତେ
               ବିଦେଶୀ ସାଧବ ଯୁବା, - ତା' କାନ୍ତ କପାଳୁ
               ସ୍ଵେଦ ବାରି ବହିଗଲା ଭ୍ରୂଲତାର ଅନ୍ତେ ;
  'ଏଇ ତ ସେ' - କହି ସେ ଆପଣାକୁ ଆପେ
  ସୁଖ ଭୟେ , ଆଶଙ୍କାରେ ବକ୍ଷେ କର ଥାପେ ।

ତା' ପର ସନ୍ଧ୍ୟାରେ ହେଲା ପ୍ରଥମ ମିଳନ
ଉପବନ ଏକ କୋଣେ ! ସାଧବ କୁମାରୀ 
               ଠିଆ ଥିଲା ପଛ କରି ସଲଜ୍ଜ ଲପନ
               ବୃକ୍ଷ ଡାଳେ ଧରି, ଅତି ଶଙ୍କିତେ ବିଚାରୀ
  କେଜାଣି ବା କି ହୋଇବ ! ଆନନ୍ଦର ପୂର୍ବ
  କରିଥାଏ ଜନେ ନାନା ଶଙ୍କାରେ ଅଥର୍ବ ।

ତାକୁ ସେ ଶଙ୍କାରୁ କରି ଉଦ୍ଧାର; ଅଭୟ
ଦେଲା ସେ ସୁନ୍ଦର ଯୁବା , ପାଶେ ଆସି ତାର
                ସ୍ନେହେ ଧରି ପ୍ରିୟା କର ପ୍ରେମ-କମ୍ପମୟ,
                ନିକଟ ଆସନେ ଏକ ବସାଇ, ଗଳାର
   ମଣିମୟ ହାର କାଢି ଧଇଲା ଦି' କରେ
   ଧୀରେ ଧୀରେ ପିନ୍ଧାଇଲା ବରାଙ୍ଗୀର ଗଳେ ।

ସରମରେ ସୁକୁମାରୀ ନ ଟେକେ ବଦନ
ପାଶେ ଘୁଞ୍ଚି ତେଣୁ ଯୁବା ଟେକେ ମୁଖ ତାର
               ଦ୍ଵିତୀୟା ଚନ୍ଦ୍ରମା ସମ ହସି, ତା ଲପନ
               ତରୁଣୀ ଛଟକେ ଘେନିଯାଏ ଅନ୍ୟ ଆଡ଼;
   ଦୁଇ ହାତେ ବନ୍ଦୀ କରି ସାହସୀ ତରୁଣ,
   ଥାପିଲେ ସେ ମୁଖ ବକ୍ଷେ, ଲଜ୍ଜାରେ ଅରୁଣ ।
   

ସେ ହେଲା ପ୍ରଥମ ଦେଖା; ପ୍ରତି ରଜନୀରେ
ତା ପରେ ମିଶିଲେ ବେନି ପ୍ରାଣ ବାରେ ବାରେ
               ଅତ୍ୟନ୍ତ ଗୋପନେ ଗୁପ୍ତ ସଙ୍କେତ-ସ୍ଥଳୀରେ
               ଦିନ ସାରା ଚାହିଁଥାନ୍ତି ମିଳନର କାଳେ;
   ବୈଶାଖେ ଧରଣୀ ଯଥା ଅପେକ୍ଷେ ସନ୍ଧ୍ୟାରେ
   ବିପନ୍ନ ନାବିକ ଲୋଡେ ଯେସନ ବେଳାରେ। 

ଦେଖା ହେବା ବେଳୁଁ ବିଦାୟର ବେଳ ଯାଏ
ବେନି ମଧ୍ୟେ ନାହିଁ ଥାଏ ତିଳ ବ୍ୟବଧାନ,
                 ଡେଣା ଛନ୍ଦାଛନ୍ଦି ବେନି ପକ୍ଷୀ ଥିଲା ପ୍ରାୟେ
                 ରହି , କରୁଥାନ୍ତି ପ୍ରୀତି ଦାନ ପ୍ରତିଦାନ। 
    ବେନିଏ ଚାହାନ୍ତି ମିଶି ଏକ ହେବେ ପରା
    ଚୁମ୍ଵନ , ଆଶ୍ଳେଷ ତା'ର ଚେଷ୍ଟା ପରମ୍ପରା ।

କ୍ରମେ ପଦେ ଅଧେ କଥା ତୁଣ୍ଡରୁ ବାହାର
'ଆସ', 'ବସ', 'ଚାଲିଯିବ' ? 'ଆସିବ ନା କାଲି' ?
                କ୍ରମେ ବାଣୀ କରୁଁ ତାଙ୍କ ପ୍ରଭାବ ପ୍ରସାର
                ମୂକତାରୁ ହେଲା କ୍ରମେ କଥା, ଥଟ୍ଟା, ଗାଳି ।
    ପ୍ରଗଲ୍ଭ ତ ଚିରକାଳ ରମଣୀ-ରସନା,
    ତରୁଣକୁ ଖନା କରେ ତା ବଚ-ରଚନା ।

ବିଦେଶେ କି ଭୋଜନର ସଉଖ୍ଯ-ସମ୍ଭବ ?
ଭାବି, ସୁଗୃହିଣୀ ପରି ଉତ୍ତମ ମିଷ୍ଟାନ୍ନ,
                ତରୁଣୀ ଲୁଚାଇ ଆଣି ଖୁଆଏ ସାଧବ -
                ପୁଅକୁ , ସୋହାଗେ ପୁଣି ସୁବାସିତ ପାନ
    ଗୁଞ୍ଜିଦିଏ ପ୍ରିୟ ଓଠେ ଦୁଇଖଣ୍ଡ କରି,
    ଓଠେ ଓଠେ ନିଅନ୍ତି ତା ହୋଇ ଛଡ଼ାଛଡି଼ ।

         _ଏହି ପରିଚ୍ଛେଦ ବା ଭାଗରେ ଦେଖିବାକୁ ପାଇଲୁ ଦୀର୍ଘ ବାସନାନ୍ତେ ନବଯୁବା ଓ ବିରହିଣୀ ସାଧବ ଯୁବତୀର ମିଳନ ଦୃଶ୍ୟ । ଭୁଜାଲିଙ୍ଗନ କରି କ୍ଷାନ୍ତ କରୁଛନ୍ତି ସେ ବିଗଳିତ ହୃଦୟକୁ, ନିବିଡ ଭାବର ସନ୍ଧାନରେ ଖୋଜି ବୁଲୁଥିବା ପ୍ରାଣ ଧରିଛି ଉଶ୍ଵାସ । ମନ୍ଦିର ଗନ୍ତବ୍ୟ ଛଳରେ ସାଧବ ଯାଇଛି ନିଜ ଉପବନକୁ ।_

               _ତତ୍ପର ଦିନ ବିଦେଶୀ ସାଧବ ଯୁବା ଦେଖିଛି ଜଣଙ୍କୁ ବନ୍ଧୁଙ୍କ ସହିତ ଆଳାପ କରୁଥିବାର । କାନ୍ଥ ପରପାରି ସେ ଦେଖିଛି କି ନାହିଁ, ଭ୍ରୁଲତାରୁ ଟୋପା ଟୋପା କରି ସ୍ଵେଦ ବାରି ଭରା ଆଖି ଦୁଇ ସୁଖାଶୟ ହୋଇ ଛାତିରେ ହାତ ଦେଇ ତା ମନକୁ କହେ , "ଏଇ ତ ସେ !" ପ୍ରାପ୍ତିର ଆକାଂକ୍ଷିତ ମୁହୂର୍ତ୍ତ !_

               _ଜଣେ ଏକନିଷ୍ଠ ପ୍ରୀତିପୂଜାରେ ସେ ପୁଣି ଭେଟି ଦେଉଛି ନାନାବିଧ ସୁବାସିତ ତାମ୍ଵୁଳ (ପାନ) । ଏଠାରେ ସାଧବ ଝିଅ ଯେ କେତେ ଅପେକ୍ଷା କରିଥିଲା, ଏହି ଧାଡିମାନଙ୍କ ମଧ୍ୟରୁ ଖୁବ୍ ଅନୁମେୟ । ଲଜ୍ଜାଶୀଳ ନୟନରେ ଅନେଇ ଥିବା ସାଧବ ଝିଅର ସେ ଦ୍ଵିତୀୟା ଶଶୀ ପରି ଚକୋରବତ୍ ତା ମୁଖଦର୍ଶନ କରିଅଛି । ଆଉ ନିଜ ବେକରୁ ମଣିରତ୍ନ ହାର କାଢି ସାଧବ ଝିଅର ଲଜ୍ଜା ନିବାରଣ କରି ଭେଟି ଦେଇଛି ତା ଗଳାରେ ।_

କ୍ଳାନ୍ତି ଛଳକରି ସୁକୁମାରୀ ପଡେ ଢଳି
ବେଳେବେଳେ ଯୁବା କୋଳେ ମୃତ ପକ୍ଷୀସମ,
            ଦେଖେ ଯୁବା ପ୍ରିୟା ଗଣ୍ଡ ଜୋଛନାରେ ଝଳି
            ବକ୍ଷେ ଛାୟା-ଆଲୋକର କ୍ରୀଡ଼ା ମନୋରମ ।
  ପ୍ରାଣର ପରମ ପ୍ରେୟ ସେ ନବ ରୂପସୀ–
  ଗଣ୍ଡେ ଚାହୁଁ ଚାହୁଁ ଡେରି ହୋଇଯାଏ ନିଶି ।

ଏମନ୍ତେ ତରୁଣ-ପ୍ରୀତି ଉଚ୍ଛନ୍ନ, ଉଦ୍-ବେଳି,
ଚାଲିଲା ଗୋପନେ କିଛିକାଳ ବାଧାହୀନ,
              ବେଳାଚାରୀ ମୃଗସମ, ପ୍ରଣୟୀ ଯୁଗଳ
              ଲଘୁପଦ କ୍ଷେପି କାଟିନେଲେ କିଛି ଦିନ ।
  ଲଘୁ କରିବାରେ ଗୁରୁ ଭାର ଜୀବନର
  ନିଜରେ ଦେବାଠୁ କିବା ଅଛି ଶ୍ରେଷ୍ଠତର ?
    

ଜୀବ ହୁଏ ଶିବ, ଦେଲେ ନିଜେ ବହୁ ପାଇଁ
ପ୍ରେମିକ ହୁଅନ୍ତି, ଦେଲେ ଦୁଇ ପରସ୍ପରେ,
              ବହୁ-ହିତ-ସୁଖ ମହାଜନେ ସିନା ପାଇ,
              ପ୍ରୀତି ଦେଇ ସେହି ସୁଖ ଭୁଞ୍ଜନ୍ତି ଅପରେ। 
  ପ୍ରୀତି, ପୂଜା ଶୁଭକର୍ମ ଏକ ଉପାଦାନ
  ସ୍ଥାନ ଭେଦେ ଦିଶେ ଥିବା ପରି ବ୍ୟବଧାନ ।

ଇଚ୍ଛନ୍ତି ଯୁବତୀ ଯୁବା ଦେବେ ଆଉ ନେବେ
ଦେହ, ହୃଦ, ପ୍ରାଣ, ଅଶ୍ରୁ, ଅନ୍ତର, ବାହାର ;
               ସାଧବଙ୍କ ସୁତ ସୁତା ମିଳିଯାନ୍ତି ଯେବେ
               ବହୁ ଅପେକ୍ଷାରେ, ତାଙ୍କ ପ୍ରାଣର ଜୁଆର
 ମିଶିବାକୁ ପରସ୍ପରେ ଧାବଇ ଉତ୍କୂଳ,
 ଚୁମ୍ବକ, ଅୟସେ ଯଥା କରଇ ଆକୁଳ ।

ନବୀନ ମିଳନ ସୁଖେ ମଗ୍ନ ବେନି ଜନ
ଅନଭିଜ୍ଞ ଦୁହେଁ , ଭାବୁଛନ୍ତି ସେହି ଶେଷ,
                  ଦିନେ ହେଲେ ନ କରନ୍ତି ମନେ ବିଚାରଣ
                  ୟା ପରେ ଭବିଷ୍ୟେ ଅଛି ସୁଖ ଅବା କ୍ଳେଶ। 
 ଥିବ କି ଏ ସ୍ନେହ ଚିର? – ବାଳା ନ ପଚାରେ ;
 ଆଶଙ୍କାର ଚିହ୍ନ ନାହିଁ ତରୁଣ ଆତ୍ମାରେ ।
           

ପରସ୍ପରେ ଭୋଗି ଦୁହେଁ ଥାଆନ୍ତି ବିଭୋର ;
ଦିନେକ ମାଲୁଣୀ ଦେଲା ଚମକ ସମ୍ବାଦ
                     ଜଗୁଥିବା ଛକି ଛକି ରାଜ-ଗୁପ୍ତଚର
                     ଜାଣି ଏଥି ଯୁବକର ଗମନ ଅବାଧ ।
   ସେଦିନ ମିଳନ ବେଳେ ଯୁବତୀ ପ୍ରସ୍ତାବେ
   "ଚାଲ ଘେନି ମତେ ଲୁଚାଇଣ ତବ ନାବେ।"

ଦିନେ ଦୁହେଁ ଲୁଚି ହେଲେ ଦାଣ୍ଡକୁ ବାହାର
କୃଷ୍ଣ ନିଶୀଥରେ, କରି ଆଗକୁ ଯୋଗାଡ଼
                   ପାଦେ କଲା ବିଶ୍ଵସ୍ତା ଯେ ମାଳୁଣୀ ଜୁହାର;
                   ଦୁର୍ଗା ସ୍ମରି କଲେ ଦୁହେଁ ଶୁଭେ ପାଦ-ଚାର
   କିଛି ଦୂର ଯାଇଛନ୍ତି, ଶୁଭିଲା ପଶ୍ଚାତୁଁ
   ଆସିବାର ତାଙ୍କ ଆଡେ ଦ୍ରୁତ ଘୋଡ଼ା ଟାପୁଁ ।

            _ଅକସ୍ମାତ୍, ମାଲୁଣୀର ସମ୍ବାଦ ପାଇ ଛନକା ପଶିଛି ଦୁଇ ପ୍ରାଣକୁ । ରାଜପୁତ୍ର ନିୟୋଜିତ ଗୁପ୍ତଚର ମାନେ ଜାଣି ସାରି ଥିଲେ ଏ ଦୁହିଁଙ୍କ ଅବାଧ ଗତିବିଧି ସବୁ । ତେଣୁ, ସେମାନେ ଚାଲି ଯାଉଥିଲେ ନିଜ ନାବକୁ ସାଧବ ଝିଅକୁ ଘେନି । ଘନକୃଷ୍ଣ ନିଶା ସମୟ । ହଠାତ୍ ଦୂରରୁ ଦ୍ରୁତ ବେଗରେ ଶୁଭୁଛି ଘୋଡାର ଟାପୁ....  କିଏ ଆଗତ ହେବାକୁ ଅଛି ପଛରୁ ?_ .......

( ପରବର୍ତ୍ତୀ ଧାରାବାହିକ ଭାଗରେ ...... କ୍ରମଶଃ .. . )

_ଉପସ୍ଥାପନା : ଅମୃତେଶ ଖଟୁଆ_

■ ସାଧବ ଝିଅ ■ ଭାଗ : ୧୦ / ମାୟାଧର ମାନସିଂହ

★ 'ସାଧବଝିଅ' ଓ କବି ଡଃ ମାୟାଧର ମାନସିଂହ ★
                          ଉପସ୍ଥାପନା : ଅମୃତେଶ ଖଟୁଆ
______________________________________

                            ସାଧବ ଝିଅର ଏକେ ଚିନ୍ତା : ମୋ ପଟାନ୍ତର ମୋ ସ୍ଵାପ୍ନିକ ପରଶ ଦେଇ ମୋର ଦରଜାକୁ ଆଉଜି ଠିଆ ହେଇ ଥିବେ ମୋର ଆଶୟ, ମୋର ସେହି ଚିର ଅଭିଳାଷୀ ରାଜପୁତ୍ର । ଛନକା ପଶିଯାଉଥିବ ଦେଖିକି ସେ ରୋମାଞ୍ଚକର ଉପସ୍ଥିତି, ସେ ସଧୀର ପଦ ସଞ୍ଚାଳନା । ଶତଦରିଆ ପାରି ହେଇ ଏକା ତାରି ଅପେକ୍ଷା କରିକି ଆସିଛନ୍ତି ସାଧବପୁଅ, କଣ ଦେଇ ତାଙ୍କର ଏ ଦୂରଯାତ୍ରାର ଦୁଃଖ ଶୋଧ କରିବ ?

                               ହଁ ― ସେ ସମର୍ପିତ ହେଇ ଲୋଟିପଡିବ ତାଙ୍କ ସେବାରେ । ଯେଉଁ ଦିନେ ତାଙ୍କର ପ୍ରାଣର ବାଞ୍ଛିତ ପୁରୁଷ ଆସି ତାଙ୍କୁ ପ୍ରତ୍ୟକ୍ଷ କରିବେ, ସେହି ଦିନଠୁ ହିଁ ସେ ସ୍ବୀୟ ତନୁମନ ସବୁକୁ ତାଙ୍କରି ଚରଣାବନତ କରିଦେବେ, କେଵଳ ଆଉ କେବଳ ଏ ପ୍ରେମରେ, ଏ ଭୋଳ ସୁଖର ସମ୍ବର୍ଦ୍ଧନାରେ । ପ୍ରାଣପ୍ରିୟଙ୍କ ଦୁଃଖ ଶମିବାକୁ ଦେଇପାରେ ତା ଶୋଣିତ, ଆଉ ତା ଜୀବନର ବାରବ୍ରତ ତା ପ୍ରାଣସୁଖଦ ପ୍ରାଣପ୍ରିୟ ପାଇଁ କେବଳ !

                          ଆରେ ସିଏ ଆସିଲେ ବି କଣ ପାଇଁ ଏତେ ସିନ୍ଧୁନଦୀ ଲଙ୍ଘନ କରି ? ତାଙ୍କ ନଗରରେ ବି ତ ମୋଠୁ ବଳି କୋଟିଏରେ ଗୋଟିଏ ରୂପବତୀ ରହୁଥିବେ । କଣ ଦେଇ ପୂର୍ଣ୍ଣ କରିବି ତାଙ୍କ କରୁଣାର ପରିଶୋଧ ? ଏସବୁ ମନର କଥା କହୁ କହୁ ମାଲୁଣୀକି ସନ୍ତକର ଦ୍ୟୋତକ ସ୍ଵରୂପ ରତ୍ନମୁଦି ଓ କଣ୍ଠରୁ ମାଣିକ୍ୟ ହାର ଦେଇ ରାଜାଙ୍କ ଥାଟ ଦେଇ ଯାଉଥିବା ସେଇ ରାଜପୁରୁଷଙ୍କୁ ଦେବୁ । 

                          ଥରେ ତାଙ୍କର ଦର୍ଶନ, ମିଳିଯାଆନ୍ତା ଯଦି ଏ ବିଶ୍ବର କେଉଁ ବିରାଗ ମୋ ଭୟର କାରଣ ହେବ ? ତାଙ୍କର ବୀତରାଗ ଅନୁରାଗର ଆଢୁଆଳ ହିଁ ମୋହର ସୌଭାଗ୍ୟ ବୋଲି କହୁଛି ସେ ସାଧବଝିଅ।  ଆଉ ଏପଟେ ବିକଳିତ ସାଧବପୁଅ କିପରି ଚତୁର୍ଦ୍ଦିଗ ଅଥୟ ହୋଇ ତାର ଆନନ୍ଦର ଚିରବାଞ୍ଛିତ ରମଣୀକୁ ଯେପରି ଦୂରଦିଗନ୍ତ ଯାଏଁ କରୁଛି ପ୍ରଣବଧ୍ଵନିର ସଞ୍ଚରଣ, ମୃଦୁଳ ପ୍ରାଣରୁ ବ୍ୟଥିତ ଅପେକ୍ଷାର ଘନଘନ ଆହ୍ଵାନ !

(ଧାରାବାହିକ ଭାଗ - ୧୦)

ଶୁଣ ବାୟୁ, ଶୁଣ ହେ ଆକାଶ
                    ଶୁଣ ଜନ, ବନ, ତରୁଲତା,
ଜୀବନର ସକଳ ବିଳାସ 
                    ବିଳାସର ସବୁ ମଧୁରତା ।
                    ମୁଁ ଯେ ପ୍ରାଣେ ଭୋଗୁଛି ନିବିଡେ 
                    ତେଣୁ ପ୍ରାଣ ଭାସେ ଦୁଇତୀରେ । 

ଏ ଧରାର ସାର ଯେ କିଶୋରୀ
                   ସେ କିଶୋରୀ ସାର ଯେ ହୃଦୟ 
ସେ ହୃଦୟ ସାର ପ୍ରୀତି-ଝରୀ   
                   ହାତେ ମୋର ଦେଖ, ସୁଧାମୟ,
                   ପିଇଛି ମୁଁ ମନତୋଷେ ତହିଁ 
                   ଆନ ମତେ ଦିଶୁଛି ଏ ମହୀ । 

ତୁମେ କେହି ଦେଖିଛ ତ କହ
                   ତାହା ପରି ଅଛି କେ ଜଗତେ ,
ତାହା ପରି ପେଲବ ହୃଦୟ
                   ତା ସମାନ ରୂପ ଚିତ୍ରପଟେ ?
                   ଅନୁପମ ସରସ ସୁନ୍ଦର
                   ମୋର ହିଁ ସେ, ଏକାନ୍ତ ମୋହର !

ଓଠେ ଜଳେ ନିଆଁ ତା ଚୁମ୍ବନେ
                    ପୁଲକିତ ତନୁ ତା'ର ବାସେ
ଆଲୋକିତ ହିଆ ତା ମିଳନେ,
                    ନରବାଣୀ କୋମଳ ତା ଭାଷେ ।
                    ଚାଲିଲେ ସେ ଫୁଲ ଫୁଟେ ତଳେ
                    ଘନୀଭୂତ ମଳୟ ତା' କରେ  

କାଟି କାଟି ସପତ ଜଳଧି
                  ଡେଇଁ ଡେଇଁ ଦେଶ, ନଈ, ନାଳ,
ଆସିଛି ମୁଁ ଖୋଜି ଯେଉଁ ନିଧି 
                  ପାଇଛି ମୁଁ ; ତୁଳା କାହିଁ ତାର !
                  ଇନ୍ଦ୍ରଧନୁ ପରି ସେ ସୁନ୍ଦର 
                  ମେଘ ପରି ସର୍ବଶୁଭଙ୍କର ।

ଏଇ ଦେଖ ଆସେ ଉପବନେ,
                   ଦେଖ ତାର ମୃଦୁ ମଧୁ ଗତି,
ସୁନାମେଘ ପ୍ରଦୋଷ ଗଗନେ
                   ଭାସି ଅବା ଯାଏ ପ୍ରାଚୀ ପ୍ରତି ।
                    ତା ତନୁର ସୁନାକାଠି ଲାଗି 
                    ହୀନ ମାଟି ହୁଅଇ ଶୋଭାଙ୍ଗୀ ।

ଆସ ସଖି, ଜପ ହୃଦୟର
                   ନୟନର ପରମ ଦର୍ଶନ,
ସ୍ଵାଦୁ, ଶୁଭ, ସୁରଭି, ସୁନ୍ଦର
                   ଆନନ୍ଦର ଚିର ପ୍ରସ୍ରବଣ ।
                   ବାବଦୂକ କରୁ ତୁହି ମୋତେ 
                   ତୋରି କଥା କହୁଛି ଜଗତେ ।

କହୁଅଛି ଡାକି ଏହି କଥା
                   ମୁଁ ଯେ ଅତି ଭାଗ୍ୟବାନ୍ ଭବେ। 
କଲେ କିଏ କରୁଥାନ୍ତୁ ଥଟ୍ଟା
                  ମୁହିଁ ଜାଣେ ମୋର ଗଉରବେ। 

ଧରଣୀର ସାର ଯେ ସୁନ୍ଦରୀ
                    ସେ ଯେ ମୋର ପ୍ରାଣ ସହଚରୀ
                    ସେ ଯେ ମୋର ସର୍ବ ଶୁଭଙ୍କରୀ 
                    ମୋ ସାଗରେ ନବ ସୁନାତରୀ ।        

( କ୍ରମଶଃ ..…... 💐
  ଉପସ୍ଥାପନା : ଅମୃତେଶ ଖଟୁଆ )

ଉତ୍କଳଘଣ୍ଟ


ଅହରହ ଚାଲିଛି ଜନ୍ମମୃତ୍ୟୁର ଲୀଳା। କାଳାନ୍ତରରେ ଏଭଳି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଛନ୍ତି ଯିଏ ନିଜର କର୍ମ ଓ କଳାରେ ଜାତିସ୍ମର ହୋଇ କାଳକାଳକୁ ଅମର ହୋଇ ରହିଛନ୍ତି, ଯାହାଙ୍କୁ ବ୍ରହ୍ମାଣ୍ଡ ମସ୍ତକ ହୋଇ ପ୍ରଣିପାତ କରୁଛି। ସେମାନେ ନିଜର ସ୍ୱାର୍ଥ ପାଇଁ ନୁହେଁ, ଦେଶ, ଜାତି ଏବଂ ସୃଷ୍ଟିର ସ୍ୱାର୍ଥପାଇଁ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ କବିକୂଳ ଶିରୋମଣି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ଅନ୍ୟତମ ।
ବାସ୍ତବରେ ସେ ଥିଲେ ଉତ୍କଳର ଘଣ୍ଟ। ଏଥିସହିତ ସାରା ଉତ୍କଳର । ଘଣ୍ଟ ଯେମିତି ଆମକୁ ଆମର ଦୈନିକ ଜୀବନ ଚଳଣିରେ ଆମକୁ ସତର୍କ କରେଇ ଦିଏ, ଯଦୁମଣି ମହାପାତ୍ର ମଧ୍ୟ ଠିକ୍ ସେହିଭଳି ନିଜର ସମାଲୋଚନାମୂଳକ କବିତା ମାଧ୍ୟମରେ ଓଡ଼ିଆ ଜାତିକୁ ସଚେତନ କରେଇ ଦେଇଯାଇଛନ୍ତି । ଯାହାଙ୍କର ଏହି ଘଣ୍ଟ ସଦୃଶ କବିତାରେ ପ୍ରବଳ ପ୍ରତାପୀ ରାଜାଙ୍କର ସିଂହାସନ ବି ଦୋହଲି ଯାଇଥିଲା । ସେମାନେ ତାଙ୍କୁ ସାମନା କରିବାକୁ ସାହସ ଜୁଟାଇ ପାରୁନଥିଲେ। ପୂର୍ବ ପରମ୍ପରାକୁ ଭାଙ୍ଗି ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତା ତାଙ୍କୁ ରାଜ ଉପଦେଷ୍ଟା , ବ୍ୟକ୍ତିଗତ ବନ୍ଧୁ ଭାବେ ଆପଣେଇ ନେଇଥିଲେ । ଯାହାକି ଯଦୁମଣିଙ୍କ ଅପୂର୍ବ ପ୍ରତିଭାର ପରିଚୟ ଦିଏ । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ରାଜାମାନେ ଯଦୁମଣିଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଯେମିତି ବ୍ୟାକୁଳିତ ହେଉଥିଲେ । 

ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହାକି ସମାଜ ଉପଯୋଗୀ ଥିଲା । ରାଜା ହୁଅନ୍ତୁ କି ପ୍ରଜା ସମସ୍ତଙ୍କୁ ସେ ସଚେତନ କରାଉଥିଲେ । ସତେ ଯେମିତି ସେ ଥିଲେ ଜଣେ ଜାଗ୍ରତ ପ୍ରହରୀ । ମାଟି ମାଆର ଜଣେ ଦକ୍ଷ ସନ୍ତାନ । ଯିଏକି ନିଜର କାୟ-ମନ-ବାକ୍ୟରେ ନିଜ ମାଟି , ସମାଜ ଓ ଦେଶ ପାଇଁ ଥିଲେ ପୂର୍ଣ୍ଣ ସମର୍ପିତ । ଯେଉଁଠି ଅନ୍ୟାୟ ଅନୀତିର କେବେ ସ୍ଥାନ ନଥିଲା । 

ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ଯାହାକି କୌଣସି ରାଜାଙ୍କୁ ଯଦୁମଣି ଡରୁ ନଥିଲେ । ରାଜାଙ୍କର କିଛି ଭୁଲ୍‌ ଦେଖିଲେ ତୀବ୍ର ସମାଲୋଚନା କରୁଥିଲେ ।  ଅନ୍ଧ ଦେଶକୁ ଗଲି  ଦର୍ପଣ ବିକି , କନ୍ଧ ହାତରେ ଦେଲି ଗୋଧନ ଟେକି ....ପ୍ରସଙ୍ଗଟି ଏହାର ବଡ଼ ଉଦାହରଣ। 

ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର । ୧୭୮୧ ମସିହା ଜାନୁଆରୀ ୮ ତାରିଖରେ ପିତା ମୁକୁନ୍ଦ ମହାପାତ୍ର ଓ ମା' ଶୋଭାଦେଈଙ୍କ କୋଳକୁ ଆସିଥିଲେ। ସାରା ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା । ଯଦୁମଣି ମହାପାତ୍ରଙ୍କ ଜନ୍ମବୃତ୍ତାନ୍ତ ବଡ଼ ରହସ୍ୟପୂର୍ଣ୍ଣ ଥିଲା । ତାଙ୍କର ଦାୟାଦମାନେ କୁହନ୍ତି ମୁକୁନ୍ଦ ମହାପାତ୍ର ଓ ଶୋଭାଦେଈଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲେ । ତାଙ୍କ ଜେଜେ ମା' ପ୍ରଭୁ ଯଦୁକୃଷ୍ଣଙ୍କୁ ଆରାଧନା କରି ତାଙ୍କ ପୁତ୍ର ଓ ବୋହୂକୁ ସନ୍ତାନ ପ୍ରାପ୍ତି ହେଉ ବୋଲି ପ୍ରାର୍ଥନା କରୁଥିଲେ। ଶୋଭାଦେଈ ଦିନେ ସକାଳୁ ସକାଳୁ ଯଦୁକୃଷ୍ଣ ମନ୍ଦିର ପାଖରେ ଥିବା ପୋଖରୀକୁ ସଖୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଫେରିବା ବେଳକୁ ପାହାଚରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଯଦୁକୃଷ୍ଣ ପ୍ରାଙ୍ଗଣରେ ଜନ୍ମିତ ହୋଇଥିବାରୁ ଶୋଭାଦେଈଙ୍କ ଶାଶୂ ପିଲାଟିର ନାଁ ଯଦୁମଣି ରଖିଥିଲେ। 

କବି ଯଦୁମଣି ମହାପାତ୍ର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ। ସେ ନିଜର ଅଧ୍ୟବସାୟ, ପ୍ରଚଣ୍ଡ ଜ୍ଞାନ ବଳରେ କାବ୍ୟ, କବିତା ଓ ଚିତ୍ରକଳା ଦିଗରେ ଅପୂର୍ବ ସଫଳତା ଅର୍ଜନ କରିଥିଲେ। ଯାହାକି ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ । 

ଯଦୁମଣିଙ୍କ ବାପା ମୁକୁନ୍ଦ ମହାପାତ୍ର ସେ ସମୟର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଥିଲେ। ବର୍ତ୍ତମାନ ନୟାଗଡ଼ ସହରରେ ଥିବା ଗୋପୀନାଥ ମନ୍ଦିର ଥିଲା ଯଦୁମଣିଙ୍କ ପିତାଙ୍କର କଳାକୃର୍ତ୍ତି। ଏହି ମନ୍ଦିର ନିର୍ମାଣ କରିବାକୁ ଯଦୁମଣିଙ୍କ ପିତା ପରିବାର ସହ ନୟାଗଡ଼ ଚାଲି ଆସିଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଖୁସି ହୋଇ , ରାଜା ମୁକୁନ୍ଦ ମହାପାତ୍ରଙ୍କୁ ନୟାଗଡ଼ର ପୁରୁଣା ସହର ରାଜନଅର ନିକଟରେ ରହିବାକୁ ଜାଗା ଦେଇଥିଲେ। ପରବର୍ତ୍ତୀ କାଳରେ ଇଟାମାଟି ଗାଁରେ ଯାଇ ଯଦୁମଣିଙ୍କ ପରିବାର ରହିଥିଲେ। 

୧୮୦୧ ମସିହାରେ ଯଦୁମଣି ମହାପାତ୍ର , ଖଞ୍ଜନା ଦେବୀଙ୍କୁ ବିବାହ କରିଥିଲେ। ୧୮୧୪ ମସିହାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଏହାର ୫ବର୍ଷ ପରେ ଜନ୍ମ ହୋଇଥିଲା ଏକ ପୁତ୍ର ସନ୍ତାନ । ଯାହାଙ୍କର ନାଁ ଥିଲା କପିଧ୍ବଜ । 

ଯଦୁମଣିଙ୍କ ଝିଅ ରମା ଖଣ୍ଡପଡ଼ାର ନରସିଂହ ଗୁଣିନ୍ଦ୍ରଙ୍କୁ ବିବାହ କରିଥିଲେ। ମାତ୍ର ୫ ବର୍ଷ ବୟସରେ ଯଦୁମଣିଙ୍କ ଏକମାତ୍ର ପୁଅ କପିଧ୍ବଜ ଖେଳୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ସେତିକି ବେଳେ ଉଡିଯାଇଥିଲା ତାଙ୍କର ପ୍ରାଣବାୟୁ । ଏହା ଯଦୁମଣିଙ୍କ ଜୀବନରେ ଦାରୁଣ ଦୁଃଖ ଦେଇଥିଲା ।  
ପରେ ଯଦୁମଣି ତାଙ୍କ ଝିଅର ପୁଅ ତାଳଧ୍ବଜଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲୋ। 

୧୮୬୬ ମସିହା ଜୁଲାଇ ୨ ତାରିଖରେ ଏହି ଉତ୍କଳ ଘଣ୍ଟଙ୍କର ଜୀବନ ଦୀପ ଲିଭି ଯାଇଥିଲା । ସବୁଦିନ ପାଇଁ ସେ ଏହି ଇହ ଧାନ ଛାଡ଼ି ଚାଲିଯାଇଥିଲେ । ହେଲେ ତାଙ୍କର ଏହି କାଳଜୟୀ କୃତ୍ତି ସବୁଦିନ ରହିଯାଇଛି । ଯାହା ଆଜି ବି ଏ ମଣିଷ ସମାଜକୁ ଶିକ୍ଷାର ମଶାଲ ସାଜିଛି । କେବଳ ବ୍ୟଙ୍ଗ କବିତା, କୌତୁହଳପୂର୍ଣ୍ଣ କଥା, ଚିତ୍ରରେ ଯଦୁମଣିଙ୍କ ପ୍ରତିଭା ସୀମିତ ନଥିଲା। ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ସେ ଏକ କାବ୍ୟ 'ରାଘବ ବିଳାସ' ଓ କୃଷ୍ଣଙ୍କୁ ନେଇ 'ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର' ରଚନା କରିଥିଲେ। ଯାହାକି ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ କୃତି। ଏବେ ବି ପାଲାକାରଙ୍କ ଉପସ୍ଥାପନାରେ ବଞ୍ଚିରହିଛି ଯଦୁମଣିଙ୍କ କୃତି ।

Sunday, January 24, 2021

■ ମିଠା କଥା କୁହା ଦୁଷ୍ଟ ମିତ୍ର ■


ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ । ଦିନେ ଅକାଳରେ ପଡ଼ି ଗୋଟିଏ ହାତୀ ସହିତ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ ପକାଇଦେଇ ପଳାଇଗଲା । ବିଚରା ସିଂହ ଏପରି ଘାଇଲା ହୋଇ ପଡ଼ିରହିଲା ଯେ କେଉଁଆଡ଼େ ଯାଇ ପାରିଲା ନାହିଁ । ବିଚରା ସିଂହ ଆଉ ପଡ଼ିବା ସ୍ଥାନରୁ ଉଠିପାରିଲା ନାହିଁ ।

ସେତେବେଳେ ବିଲୁଆଟି ସିଂହର ସେବକ ଭାବରେ ସେବା କରୁଥାଏ । ଏମିତି ମୁହୂର୍ତ୍ତରେ ଗୋଟିଏ ବି ତାକୁ ସମୟ ମିଳିଲା ନାହିଁ । ଯେପରି ବାହାରକୁ ଯାଇ କିଛି ଆହାର କରି ଆସନ୍ତା। ସେ ମଧ୍ୟ ସିଂହ ଭୟରେ ନିରୁପାୟ ହୋଇ ସେହିଠାରେ ହିଁ ପଡ଼ି ରହିଥାଏ ।

ଏମିତି ଅବସ୍ଥା ହେଲା ଯେ ବିଚରା ବିଲୁଆଟି ମଧ୍ୟ ସିଂହ ସହିତ ଅନେକ ଦିନ ଭୋକ ଉପାସରେ ସେଠାରେ ପଡ଼ିରହିଲା । ଭୋକରେ ଡହଳ ବିକଳ ହେବାରୁ ଦିନେ ବହୁତ ଭାବିଚିନ୍ତି ତାର ମାଲିକ ଅରଣ୍ୟର ସିଂହକୁ ମୁହଁଖୋଲି କହିଲା । ହେ ସିଂହ ରାଜା! ଆପଣଙ୍କ ଅଶେଷ କରୁଣାରୁ ମୁଁ ଆପଣଙ୍କ ସେବକ ଭାବରେ ଏଠାରେ ପଡ଼ି ରହିଛି । କ’ଣ କରିବି ହଜୁର । ତୁଛାକୁ ତ ଆପଣ ଏକ ବିପଦରେ ପଡ଼ି ଭୋକ ଉପାସରେ ସମୟ ଅତିବାହିତ କରୁଅଛନ୍ତି । ସେଥିସହିତ ମୁଁ ମଧ୍ୟ ତଦ୍ ରୁପ ଅବସ୍ଥା ଭୋଗ କରୁଅଛି । ହେଲେ ମୁଁ ଏବେ ଖୁବ୍ ନିରୁପାୟ ହୋଇପଡ଼ିଛି । ଏବେ ଉଦର ମୋର ଶତ୍ରୁ ସାଜିଛି । ଆପଣଙ୍କ ଦୟା ହେଲେ ଅବା ମୁଁ ବାହାରକୁ ଯାଇ କିଛି ଆହାର ଗ୍ରହଣ କରି ପୁଣି ଆପଣଙ୍କ ପାଖକୁ ଫେରି ଆସିପାରନ୍ତି । ଆପଣ ଯେବେ ଏ ସମୟରେ ମୋ ପ୍ରତି କୃପା ନକରିବେ ତାହାହେଲେ ମୋର ଏହି ହିନସ୍ଥା ପ୍ରାଣଟା କେତେବେଳେ ବାହାରିଯିବ ।

ବିଚରା ବିଲୁଆର ଏପରି ଆତୁର ବାଣୀ ଶୁଣନ୍ତେ ସିଂହ ରାଜା ତାକୁ କହିଲା -ଆରେ ଏପରି ବିପଦ ସମୟରେ ଅଧୈର୍ଯ୍ୟ ହେଲେ ଚଳିବ ! ତୁ ମୋ କଥାକୁ ସ୍ୱୀକାର କରିନେଇ ଗୋଟେ ଉପାୟ କର । ତାହାହେଲେ ତୁ ଏପରି ଏକ ଶିକାର ଦେଖିବୁ ଯେ ଯାହାକୁ ମୁଁ ଏହି ଘାଇଲା ଅବସ୍ଥାରେ ମଧ୍ୟ ସହଜରେ ମାରି ପାରୁଥିବି ।

ଯାହାହେଉ ବିଚରା ବିଲୁଆକୁ ଏବେ ଏକ ସୁବିଧା ମିଳିଗଲା । ସେ ସଙ୍ଗେ ସଙ୍ଗେ ରାଜା ସିଂହଠାରୁ ଆଦେଶ ପାଇ ବାହାରି ପଡ଼ିଲା । ଏପରି ଯାଉ ଯାଉ ମାର୍ଗ ମଧ୍ୟରେ ଏକ ଗ୍ରାମ ମୁଣ୍ଡରେ ଯାଇ ସେ ପହଞ୍ଚିଗଲା । ସେ ଦେଖିଲା ଗ୍ରାମର ଶେଷ ଭାଗରେ ଗୋଟିଏ ଗଧ ଆନନ୍ଦରେ ଘାସ ଚରୁଛି । ସେ ଚତୁରତାର ସହିତ ଗଧର ନିକଟବର୍ତ୍ତୀ ହେବା ମାତ୍ରେ ଗଧ ତାହାକୁ ଦେଖି ହଠାତ୍ ଚମକି ପଡ଼ିବା ବେଳକୁ ଚତୁର ବିଲୁଆ ତାକୁ ଚଟାପଟ ଗୋଟାଏ ଲମ୍ବା ନମସ୍କାର ପକାଇ ଦେଲା ।

ବିଲୁଆର ଏପରି ରଙ୍ଗ ଢ଼ଙ୍ଗ ଦେଖି ଗଧିଆ ତାକୁ ପଚାରିଲା – କିଏ ତୋର ଚତୁରତାର ଆଚରଣ ନଜାଣିଛି, କୁଆଡ଼େ ଯାଇଥିଲୁ । ହଠାତ୍ ଆମ ଆଡ଼େ ଚାଲି ଆସିବାର କାରଣ କ’ଣ କହିଲୁ? ଆଚ୍ଛା ତୋର ମୋ’ ପାଖରେ କିଛି କାମ ଥିଲା ନା’ କ’ଣ?

ବିଲୁଆ ସତକୁ ସତ ଗଧ ନିକଟରେ ତାର ଚତୁରତା ଦେଖାଇ ହସିଦେଇ କହିଲା, ନାଇମ ନନା । ଆଜି ମୁଁ ତୁମର ଅଦ୍ଭୁତ ରୂପ ଦେଖି ତାଟସ୍ଥ ହୋଇଗଲି । କାରଣଟା ଏୟା ଯେ ମୁଁ ଦେଖୁଛି ଆଗଠାରୁ ଏବେ ତୁମେ ବହୁତ ଦୁର୍ବଳ ହୋଇପଡ଼ିଛ । କାରଣ କ’ଣ? ତୁମର ମାଲିକ କ’ଣ ତୁମକୁ ଆଉ ଆଗପରି ଆଦର କରୁନାହିଁ ! ସେଇଥିଲାଗି ଖାଇବାକୁ ଦେବାରେ ଏତେ ଅବହେଳା କରୁଛି, କିହୋ ମାଲିକ ହୋଇ ବେଶ୍ କାମ ତ ଉଠାଇ ପାରୁଛ, ତାହାହେଲେ ଖାଇବା ପିଇବାରେ ଅସୁବିଧା କରୁଛ କାହିଁକି? ଏୟା ନା ନନା । ନାଁ ତୁମର ଏବେ ବେଶି କିଛି ପାରିବାରିକ ଅସୁବିଧା ହୋଇଛି ?

ଗଧ ବିଲୁଆକୁ ଏଥର ଚତୁର ପରିବର୍ତ୍ତେ ନିଜର ପରି ମନେ କଲା । ସେ କହିଲା ସେ କଥା ସତ, ମୋ ମାଲିକକୁ ତ ଏବେ ନିଜର ଖାଇବା ଲାଗି ଦାନାର ଅଭାବ ହୋଇଛି । ତାକୁ ତ ଦୁଇଓଳି ଗଣ୍ଡେ ଆହାର ଜୁଟୁନାହିଁ । ଆଉ କ’ଣ ସେ ଏବେ ମନ୍ତ୍ରୀ ହୋଇଅଛି ଯେ ଗରୀବ ଗୁରୁବାଙ୍କ ତଣ୍ଟି ଚିପି କଳା ଧନ ଖାଇ ହାତୀ ହୋଇଯିବ । ତା’ର ଯେ ମୁଖ୍ୟମନ୍ତ୍ରୀ ଅଛି, ୟାର ଏହି ଅନ୍ୟାୟ ଆଚାରଣ ଲାଗି ମନ୍ତ୍ରୀ ପଦରୁ ବାହାର କରିଦେଲେ । ପୁଣି ମନ୍ତ୍ରୀପଦରୁ ବାହାର କରିଦେଲା ତ ଦେଲା । ହେଲେ ତାର ଏହି ବିପଦ ବେଳକୁ ବିରୋଧୀ ଗୋଷ୍ଠୀ ଏମିତି ମାଡ଼ି ବସିଲେ ଯେ ଏବେ ସେ ଦୁର୍ନୀତିରେ ପଡ଼ି ଛଟପଟ ହେଉଛି । ଆଉ ସେ ବାବୁ ଅଛି ନା ଅଛି ତା’ର ଗାଡ଼ି ଘୋଡ଼ା । ଏବେ ଏପରି ଅବସ୍ଥା ଯେ ଖାଇବାକୁ ଗଣ୍ଡେ ତାର ପିଲାପିଲିଙ୍କୁ ଦେଇପାରୁନାହିଁ । ସେ ପୁଣି ମୋତେ କେଉଁଠୁ ଆଣି ଖାଇବାକୁ ଦେବ ।

ତୁ ଠିକ୍ କହିଛୁ ନନା । ଏଥର ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । ତୋତେ ଦେଖିଲା ଠାରୁ ତ ମୋର ମନଟା କ’ଣ ହୋଇଗଲା । ଆଉ ତୁ ତ ଜାଣୁ ତୋପରି ମିତ୍ରମାନଙ୍କର ଏପରି ଦଶା ଦେଖିଲେ ମୋତେ ବିକଳ ପରି ଲାଗେ । ଆଚ୍ଛା ଠିକ୍ ଅଛି ତୁ ନନା ଆଉ ଚିନ୍ତା କର ନାହିଁ । ଏଣିକି ସଦାବେଳେ ମୁଁ ତୋରି ପଛେ ପଛେ ରହିଥିବି । ଏଣିକି ଆଉ ତୋର କିଛି ବି ଅସୁବିଧା ହେବ ନାହିଁ । ଆଚ୍ଛା ଏଥର ତୁ ଗୋଟେ କାମ କର । ମୁଁ କହୁଥିଲି କି ଆଜି ତୁ ମୋ ସାଙ୍ଗରେ ଏ ଗାଁ ଛାଡ଼ି ଚାଲିଗଲେ ଆଉ କିଛି ଅସୁବିଧା ହେବ ନାହିଁ ।

ବିଲୁଆଠାରୁ ଏକଥା ଶୁଣିବା ମାତ୍ରେ ଗଧ କହିଲା – ମୁଁ ଜାଣିପାରୁଛି ଯେ ତୁମେ ମୋର ହିତକଥା କହୁଛ । କିନ୍ତୁ ମୋର ଭୟ ହେଉଛି ବଣର ଥିବା ସେହି ହିଂସ୍ରଜନ୍ତୁମାନଙ୍କୁ ।

ବିଲୁଆ ହସି ଦେଇ କହିଲା – ତୁମ ପାଖରେ ପରା ମୁଁ ତୁମର ବନ୍ଧୁ ପରି ପାଖେ ପାଖେ ରହୁଥିବି । ବଣର ହିଂସଜନ୍ତୁମାନେ ପୁଣି ତୁମର କ’ଣ କରିବେ? ଆରେ ମୋ କଥାକୁ ବିଶ୍ୱାସ କରି ଚାଲୁନା ନନା ।

ଏଥର ବିଲୁଆ କଥାରେ ବିଶ୍ୱାସ କରି ଗଧ ବଣକୁ ଚାଲିଗଲା କିନ୍ତୁ ବିଲୁଆ ଯେତେବେଳେ ଗଧକୁ ନେଇ ସିଂହ ପାଖରେ ପହଞ୍ଚିଗଲା ସେତେବେଳେ ସିଂହକୁ ଦେଖିବା ମାତ୍ରେ ଗଧ ଡିଆଁଟେ ମାରିଲା ଯେ ଏକା ନିଶ୍ୱାସରେ ସେ ପଳାଇଗଲା ।

ଗଧ ଚାଲିଯିବାରୁ ବିଲୁଆ ସିଂହକୁ ଚାହିଁ କହିଲା – ହଜୁର ମୋର ବା ଉପାୟ କ’ଣ? ଆପଣ ତ ଶିକାରକୁ ହଠାତ୍ ଚାଲାଖ କରି ଦେଲେ । ସେ ଦେଖିବାମାତ୍ରେ ଚମ୍ପଟ ମାରିଲା । ମୁଁ ଏବେ କ’ଣ କରିବି କହୁନାହାଁନ୍ତି ।

ସିଂହ କହିଲା – ଆରେ ନାଇଁରେ । ଥରେ ସିନା ମୁଁ ଅପ୍ରସ୍ତୁତ ହୋଇପଡ଼ିଲି ଏଥର କ’ଣ ମୁଁ ଆଉ ଏପରି ଭୁଲ କରିବି । ଆଉ ଥରେ ଚେଷ୍ଟା କର ତ ଦେଖିବା ।

ବିଲୁଆ ସଙ୍ଗେ ସଙ୍ଗେ ପୁଣି ସେହି ଗଧ ପାଖରେ ଯାଇ ପହଞ୍ଚି କହିଲା – ବୁଝିଲ ନନା ତୁମେ ଏବେ ଯାହା କରିଲ ତାହା କିନ୍ତୁ ଠିକ୍ ହେଲା ନାହିଁ । କାହିଁକି ଯେ ପଳାଇ ଆସିଲ ତାହାର କାରଣ କ’ଣ ମୁଁ ଯେ ବୁଝିପାରିଲି ନାହିଁ ।

ବିଲୁଆର ଏପରି ମନବୋଧ କଥା ଶୁଣି ଗଧ ପୁଣି କହିଲା – ତୁମେ ମୋତେ ଗୋଟେ ଘାଇଲା ସିଂହ ପାଖରେ ପହଞ୍ଚାଇ ଦେଇ ପଳାଇ ଆସିବ ବୋଲି ଭାବିଥିଲ ନୁହେଁ ।

ଏଥର ବିଲୁଆ ବାସ୍ତବିକ ଗଧ ନିକଟରେ ଚତୁରତା ପଣ ଦେଖାଇ କହିଲା – ମୁଁ ଦେଖୁଛି ତୁମର ଦେଖିବା ଆଦୌ ଠିକ୍ ହୋଇନାହିଁ । ତୁମେ ଯାହାକୁ ସିଂହ ଭାବି ପଳାଇ ଆସିଲ ସେ କଣ ସିଂହ ଯେ, ସେ ପରା ଘାଇଲା ଗଧଟାଏ ମୋରି ଭରସାରେ ପଡ଼ିରହିଛି । ଆଉ ମଧ୍ୟ ତୁମର ପରା ତାର ସମ୍ପର୍କ ଅଛିବୋଲି ସେ ତୁମକୁ କେବଳ ଝୁରି ଝୁରି ମରିବାକୁ ବାହାରିଲାଣି ।

ଗଧ ପୁଣି ବିଲୁଆର ଏହି ଛଳନାମୟ କଥାକୁ ଆଉ ଥରେ ବିଶ୍ୱାସ କରି ପୁଣିଥରେ ବିଲୁଆ ସାଥିରେ ବଣକୁ ଗଲା । ଗଧ ଭାବି ସେ ଯେତେବେଳେ ସିଂହ ପାଖରେ ପହଞ୍ଚିଗଲା ସେତେବେଳେ ଘାଇଲା ହୋଇ ପଡ଼ିଥିବା ସିଂହ ଚଟକରି ଗଧକୁ ମାଡ଼ିବସି ଖଣ୍ଡ ଖଣ୍ଡ କରି ପକାଇଲା ସେଣିକି ଚତୁର ବିଲୁଆ କ’ଣ କଲା ନା ସିଂହର ଅଜାଣତରେ ଗଧର କାନ ଆଉ କଲିଜାକୁ ଚଟାପଟ ଖାଇଦେବାରୁ ସିଂହ କହିଲା ଆରେ ପାପିଷ୍ଠ ତୁ ମୋର ଶିକାରଟାକୁ ଅଇଁଠା କରି ପକାଇଲୁ ।

ଏହାକହି ସିଂହ ରାଗିଯିବାରୁ ହଜୁର ମୋର ଏଥିରେ ଦୋଷ କିଛି ନାହିଁ । ମୁଁ କାହିଁକି ତାକୁ ଅଇଁଠା କରିବି? ମୁଁ ପରା ପ୍ରଥମରୁ ଦେଖିଛି ଗଧଟାର କଲିଜା ଆଉ କାନ ନଥିଲା ।

ସିଂହ ଏଥର ବିଲୁଆର କଥାକୁ ବିଶ୍ୱାସ କରିଗଲା ସିନା, ହେଲେ ଉପାସରେ ପେଟ ତ ପୋଡ଼ିଯାଉଛି । ଏଠି ଆଉ ଅଇଁଠା ବିଚାର ନକରି ସିଂହ ଓ ଗଧିଆ ସାଥି ହୋଇ ମଲା ଗଧଟାକୁ ଖାଇବାକୁ ଲାଗିଲେ ।

Saturday, January 23, 2021

■ କହରେ ବଂଶୀ ■

କହରେ ବଇଁଶୀ
    - -- - - -- - -- -- -- -- -
ରାଧା ପଚାରନ୍ତି କହରେ ବଇଁଶୀ 
      ବିନ୍ଧାଣି ଗଢିଲା କାହୁଁ 
ଯମୁନା ଘାଟର କହ୍ନେଇ ଓଠରେ 
     ରାଧା ରାଧା ନାମ ଗାଉ 
ଜାତିରେ ତୁ କଣ୍ଟା ବାଉଁଶ କାଣ୍ଡରେ 
     ତୋ ସରି ତ କେହି ନାହିଁ 
କେଉଁ ପୁଣ୍ୟ ବଳେ କହ୍ନେଇ ହାତର
      ରହିଛୁ ବଇଁଶୀ ତୁହି 
କେତେ ଯତନରେ ଗଢିଲା ତୋତେରେ 
      ସୁନାର ବେଣ୍ଟ ଲଗାଇ 
ଗୋପ ଗୋପାଳୁଣୀ ପାଗଳୀ ତୋ ପ୍ରେମେ 
     ତୋ ସୁର ମାଧୁରୀ ପାଇଁ 
ରାଧା ରାଧା ତୁହି ଡାକିଦେଲେ ଥରେ 
        ମନ ମୋ ହୁଏ ଅଧିର 
କୂଳବଧୁ ରାଧା କଳଙ୍କିନୀ ସାଜେ 
       କରୁ ତୁ ଯାଦୁ ମନ୍ତର 
ତୋ ପାଇଁ ବଇଁଶୀ ବାଜୁଛିରେ ନୀତି 
      ଗୋପରେ ନିନ୍ଦା ନାଗରା  
ଶାଶୁ ନଣନ୍ଦରେ ଘରରେ ବଇଁଶୀ 
      ଶୁଣୁଛି ଟାହି ଟାପରେ 
ଧନ୍ୟରେ ବଇଁଶୀ ଧନ୍ୟ ତୋର ଜାତି  
     ପ୍ରିୟ ତୁ କଳା କାହ୍ନୁର
ବାଉଁଶରୁ ସୃଷ୍ଟି ତୋହର ଉତ୍ପତ୍ତି 
     ସାର୍ଥକ ଜନମ ତୋର 
        * * * * * *   ପ୍ରବୀର ମଲ୍ଲିକ 
                      ଶାରଳା ପୀଠ , ଝଙ୍କଡ଼ 
                            ଜଗତସିଂହପୁର

■ ଚନ୍ଦନ ହଜୁରୀ / ଚାଖି ଖୁଣ୍ଟିଆ ■

ଲେଖା: ନିରଞ୍ଜନ ସାହୁ

“ଚକା ନୟନକୁ ପତିତ କେହି,
ଡକାଇ ଖର ନିଶ୍ଵାସ ପକାଇ
ଡକା ପକାଇ ଗରୁଡ଼ ପଛରେ,
ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ
ଡକ୍କା ବାଜୁଛି ମହିମା ହେ,
ଠକାରି କରି କର୍ଣ୍ଣେ ଗିର ନ ଶୁଣ,
କାହିଁକି ବିଚିତ୍ରକର୍ମା ହେ” ।

ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ ପଛରେ ଥାଇ, ଉଦ୍ଦାତ୍ତ କଣ୍ଠରେ ଗାଉଥିଲେ ନିଜ ରଚନାରୁ ଏହି ଗୀତଟି, ଜଣେ ସୌମ୍ୟ, ବଳିଷ୍ଠ ବପୁଧାରୀ ଯୁବକ । ଏହା ପ୍ରାୟ ୧୮୫୨ ମସିହା ଅକ୍ଷୟ ତୃତୀୟା ବେଳର କଥା । ସେ ଯୁବକ ଥିଲେ ସେବକମାନଙ୍କ ମଧ୍ୟରୁ ଜଣେ । ତାଙ୍କ ଶରୀରରେ ଥିଲା ଅପୂର୍ବ କାନ୍ତି, କମନୀୟ ରୂପ ଓ ତା ସହ ସେ ଥିଲେ ଅସୀମ ବଳର ଅଧିକାରୀ, ସ୍ଵାଧୀନଚେତା, କବି, ପରାକ୍ରମୀ, ସଂଗ୍ରାମୀ ଏବଂ ପରବର୍ତ୍ତୀ ସମୟରେ ବିଦିତ ହେଲେ ସମଗ୍ର ଦେଶରେ ଜାତୀୟବୀର ଚନ୍ଦନ ହଜୁରୀ (Chandan Hajuri) ବା ଚାଖି ଖୁଣ୍ଟିଆ (Chakhi Khuntia) ନାମରେ ।

~ ଜନ୍ମ ଓ ନାମକରଣ ~
ପୁରୀର ହରଚଣ୍ଡୀ ସାହି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ ହଜୁରୀ ଭୀମସେନ ଖୁଣ୍ଟିଆ ଓ କମଳାବତୀଙ୍କ ସନ୍ତାନ ‘ଚନ୍ଦନ’ ଜନ୍ମଗ୍ରହଣ କଲେ ୧୮୨୭ ମସିହା ଶାମ୍ବ ଦଶମୀ ଦିନ (କେତେକଙ୍କ ମତରେ କାର୍ତ୍ତିକ ଶୁକ୍ଳ ଏକାଦଶୀ) । ସାଧାରଣତଃ ଦୁଇଟି ନାମରେ ସାରା ଭାରତରେ ସେ ଜଣାଶୁଣା । ଏ ସମ୍ପର୍କରେ ଯାହା ଶୁଣାଯାଏ ତାହା ଏହିପରି, “ଭୀମସେନ ଖୁଣ୍ଟିଆ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ପାଇଁ ଜଗନ୍ନାଥଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରୁଥିଲେ । ଦିନେ ଠାକୁରଙ୍କ ପାଖରେ ଚନ୍ଦନ ଲାଗି କରୁଥିବା ସମୟରେ ଖବର ପାଇଲେ ଯେ, ତାଙ୍କର ପୁଅଟିଏ ଜନ୍ମ ହୋଇଛି । ଆନନ୍ଦରେ ଆତ୍ମହରା ହୋଇ, ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇ ପୁଅର ନାମ ରଖିଦେଲେ ଚନ୍ଦନ ।

ପିଲାଟି ଦିନରୁ ଚନ୍ଦନ ଥିଲେ ଟିକେ ଦୁଷ୍ଟ ପ୍ରକୃତିର ଓ ଚପଳମତି । ଏହି ଦୁଷ୍ଟାମୀକୁ ଲକ୍ଷ୍ୟ କରି ତାଙ୍କ ପଡ଼ୋଶୀ ମାନେ ତାଙ୍କୁ ‘ଚାକୁ’ (ଛୁରୀ) ବୋଲି ସମ୍ବୋଧନ କରୁଥିଲେ । ଚାକୁ ଅପଭ୍ରଂଶ ହୋଇ ଚାଖି ହୋଇଗଲା ! ପିଲାଟି ଦିନରୁ ସେ ଥିଲେ ସୁଆଦିଆ ଖାଦ୍ୟପ୍ରେମୀ। ତେଣୁ ସବୁ ରନ୍ଧାଯାଉଥିବା ଖାଦ୍ୟକୁ ଚାଖି ଦେଉଥିଲେ ପ୍ରଥମେ । ବାପା, ମା ଏହି ହେତୁରୁ ଡାକୁଥିଲେ ‘ଚାଖି’ ବୋଲି ଅତି ଶ୍ରଦ୍ଧା ସହିତ ।


~ ଅସୀମ ବଳର ଅଧିକାରୀ ~
ପିଲା ଦିନରୁ କୁସ୍ତି କରିବାକୁ ଭଲ ପାଉଥିବା ଚାଖି କ୍ରମେ ହୋଇଗଲେ ପୁରୀର ଜାଗା ଆଖଡ଼ାରେ ଅପ୍ରତିଦ୍ଵନ୍ଦୀ ମଲ୍ଲ । ସୁନ୍ଦର ବଳିଷ୍ଠ ଶରୀରର ଅଧିକାରୀ ହୋଇ ବେଶ୍ ସୁନାମ ଓ ଖ୍ୟାତି ଅର୍ଜନ କରିସାରିଥିଲେ ଯୁବକ ଅବସ୍ଥାରୁ । ତାଙ୍କର ବ୍ରତୋପୟନ ଦିନ, ସେ ଶ୍ରୀମନ୍ଦିରର ବିଜୟ ଦ୍ଵାର ନିକଟରେ ରହି ନଡ଼ିଆ ଗୋଟାଏ ଧରି ପ୍ରାର୍ଥନା କରୁଥିବା ସମୟରେ ଜଣେ ଗୋଛିକାର ନଡ଼ିଆ ଛଡ଼ାଇ ନେବାକୁ ପ୍ରୟାସ କରିବାରୁ, ସେହି ନଡ଼ିଆରେ ପିଟି ପିଟି ଆହତ କରି ଦେଇଥିଲେ ଉକ୍ତ ଗୋଛିକାରକୁ । ଚହଳ ପଡ଼ିଯାଇଥିଲା ସେଦିନ ଶ୍ରୀକ୍ଷେତ୍ରରେ, ଚାଖିଙ୍କର ଏତାଦୃଶ କାର୍ଯ୍ୟରେ ।

ସେତେବେଳେ ସତର ବର୍ଷର ବାଳକ ଥିଲେ ଚନ୍ଦନ । ଜଣେ ମଲ୍ଲଯୋଦ୍ଧା ଭାବେ ସୁପରିଚିତ ହୋଇ ସାରିଲେଣି ସେତେବେଳକୁ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ନନ୍ଦିଘୋଷ ରଥର ଏକ ଚକ ହାତରେ ଭାଙ୍ଗି ଚୁରମାର କରିଦେଲେ । ଅପୂର୍ବ ଶକ୍ତି ସାମର୍ଥ୍ୟର ପରିଚୟ ଦେଇ ଚର୍ଚ୍ଚିତ ହୋଇଥିଲେ ସେ । ସେହିଦିନ ପରଠାରୁ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ନନ୍ଦିଘୋଷ ରଥର ଏକ ଚକ ହରଚଣ୍ଡୀ ସାହି ସ୍ଥିତ ଚନ୍ଦନ ହଜୁରୀଙ୍କ ଘରକୁ ପଠାଇବାର ବିଧି ରହିଛି ।

~ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ~
ଅଠର ବର୍ଷ ବୟସ ବେଳକୁ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ନିର୍ମାଲ୍ୟ ନେଇ ମଧ୍ୟ ଭାରତ ଓ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଯିବାକୁ ତାଙ୍କୁ ଦାୟିତ୍ଵ ଦିଆଗଲା ସେବକ ସମାଜ ତରଫରୁ । ଏହାର ମୁଖ୍ୟ କାରଣ ଥିଲା ତାଙ୍କ ହିନ୍ଦୀ ଭାଷା ଦକ୍ଷତା। ବାଲ୍ୟଶିକ୍ଷା ସମୟରେ ଚାଖି ଖୁଣ୍ଟିଆ ସଂସ୍କୃତ ଓ ହିନ୍ଦୀ ଶିକ୍ଷା ଗ୍ରହଣ କରିଥିଲେ ପଣ୍ଡିତ ରାମ ଦୟାଲ ଠାକୁରଙ୍କ ଠାରୁ । ଭାରତବର୍ଷର ମଧ୍ୟ ଓ ଉତ୍ତର ଭାଗରେ ବୁଲି ବୁଲି ସେଠାର ଶ୍ରଦ୍ଧାଳୁ ମାନଙ୍କୁ ବୁଝେଇ ଶ୍ରୀକ୍ଷେତ୍ର ଅଭିମୁଖୀ କରାଇବା ଥିଲା ମୂଳ ଲକ୍ଷ୍ୟ । ଏମିତିରେ ପୁନାରେ ପହଞ୍ଚିଥିଲେ  । ସେତେବେଳେ ମେରୋପନ୍ତ ନାମରେ ଜନୈକ ମରାଠୀ ଥାଆନ୍ତି ମରହଟ୍ଟା ଶାସକ ଚିମାଜୀଙ୍କର ଦେଵାନ୍ । ତାଙ୍କର ଅଗାଧ ବିଶ୍ୱାସ ଥାଏ ଶ୍ରୀଜଗନ୍ନାଥଙ୍କ ଉପରେ । ତେଣୁ ବରାବର ଆସୁଥିଲେ ପୁରୀ । ଚାଖି ଖୁଣ୍ଟିଆ ତାଙ୍କୁ ସାକ୍ଷାତ କରନ୍ତେ, ଦୁହେଁ ପରସ୍ପର ଆପଣାର ହୋଇଗଲେ । ସେହି ୧୮୩୫ ମସିହା ପରଠାରୁ ଚାଖି ଖୁଣ୍ଟିଆ ହୋଇଗଲେ ମେରୋପନ୍ତ ପରିବାରର ବନ୍ଧୁ ଓ ଶୁଭେଚ୍ଛୁ ।

~ ଭାରତବର୍ଷରେ ଜଣେ ବୀରା ରମଣୀ ଆବିର୍ଭୁତା ~
୧୮୩୫ ମସିହା ନଭେମ୍ବର ଷୋହଳ ତାରିଖ ଦିନ ମେରୋପନ୍ତଙ୍କର ଏକ କନ୍ୟା ଜାତ ହେଲେ । ନାଁ ରହିଲା ‘ମନୁବାଇ’। ଶ୍ରୀଜଗନ୍ନାଥଙ୍କ ଆଶ୍ରିତ ମେରୋପନ୍ତ କନ୍ୟାକୁ ଧରି ସପରିବାରେ ପୁରୀରେ ପହଞ୍ଚିଲେ ୧୮୩୭ ମସିହା ଜୁଲାଇ ମାସ ୦୭ ତାରିଖରେ ।  ଚାଖି ଖୁଣ୍ଟିଆଙ୍କ ଘରେ ଅତିଥି ହେଲେ। ଚାଖିଙ୍କ ପିତା ଭୀମସେନ ଖୁଣ୍ଟିଆ ଥିଲେ ଜ୍ୟୋତିଷ ଶାସ୍ତ୍ର ବିଶାରଦ । କନ୍ୟାଟିର ଜାତକ ଗଣନା କରି, ସେ ଭବିଷ୍ୟତରେ ରାଜରାଣୀ ହେବେ ବୋଲି ଭବିଷ୍ୟବାଣୀ ଶୁଣାଇଲେ । ପୁରୀରେ ସ୍ଵଳ୍ପ ରହଣୀକାଳ ମଧ୍ୟରେ ଦୁଇ ପରିବାର ମଧ୍ୟରେ ଘନିଷ୍ଠତା ଆସିଗଲା ଏବଂ କନ୍ୟାଟିକୁ ଭଉଣୀ ବୋଲି ଗ୍ରହଣ କରିନେଲେ ଚନ୍ଦନ ।

୧୩ ବର୍ଷ ପରେ ୧୮୪୮ ମସିହାରେ ଏହି କନ୍ୟା ଯୌବନାବସ୍ଥା ପ୍ରାପ୍ତ ହେବାରୁ, ମେରୋପନ୍ତ କନ୍ୟା ମନୁବାଈଙ୍କୁ ବିବାହ କରାଇଦେଲେ ଝାନସୀ ରାଜ୍ୟ ଅଧିଶ୍ଵର ଗଙ୍ଗାଧର ରାଓଙ୍କ ସହ । ମନୁବାଈ ହୋଇଗଲେ ଲକ୍ଷ୍ମୀବାଈ । ଭାରତବର୍ଷର ଅଗ୍ରଗଣ୍ୟା, ଚିରନମସ୍ୟା, ବୀରା ରମଣୀ ଝାନସୀ ରାଣୀ ଲକ୍ଷ୍ମୀବାଈ ! ବିଧିର ବିଧାନ ବଡ଼ ବିଚିତ୍ର କିନ୍ତୁ ! ବିବାହର ତିନି ବର୍ଷ ପୂରିବାକୁ ଯାଉଛି । ଲକ୍ଷ୍ମୀବାଈ ପୁତ୍ର ହରାଇଲେ, ପରେ ପରେ ରାଜା ଗଙ୍ଗାଧର ରାଓ ମଧ୍ୟ ଆଖି ବୁଜି ଦେଲେ । ଅସହାୟା ହୋଇ ପଡ଼ିଥିଲେ ରାଣୀ । ରାଜ୍ୟର ଉତ୍ତରାଧିକାରୀ ଭାବେ ପୋଷ୍ୟପୁତ୍ର ଗ୍ରହଣ ଗ୍ରହଣ କଲେ । କିନ୍ତୁ ଏ ଯେ ଫିରିଙ୍ଗି ଶାସନ ! ଇଂରେଜ ସରକାର ସମ୍ମତି ଦେଲେ ନାହିଁ ଏଥି ପାଇଁ । ଉଦ୍ଦେଶ୍ୟ, ଝାନସୀକୁ ନିଜ ଅକ୍ତିଆରକୁ ନେବା । ପାଞ୍ଚ ବର୍ଷ କାଳ ଦୁଃଖ, ଦୁଶ୍ଚିନ୍ତାରେ ରହିଲେ ରାଣୀ ଲକ୍ଷ୍ମୀବାଈ । ଅନ୍ୟ କୌଣସି ଉପାୟ ନପାଇ ଚିଠି ଲେଖିଲେ ୧୮୫୬ ମସିହା ମେ ମାସ ଏଗାର ତାରିଖରେ ପ୍ରିୟ ଭାଇ ଚାଖିଙ୍କ ନିକଟକୁ ପରାମର୍ଶ ପାଇଁ । ଏଣେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଦାନା ବାନ୍ଧୁଥିଲା । ବିଳମ୍ବ ନକରି ପତ୍ର ପାଇ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଝାନସୀ ଯିବା ପାଇଁ ପ୍ରସ୍ତୁତ ହେଲେ  ଚାଖି ଖୁଣ୍ଟିଆ
“ବିପଦରେ ପଡ଼ି ଚିଟାଉ ଲେଖିଚି
ଝାନସୀର ରାଣୀ ଲକ୍ଷ୍ମୀବାଈ
କେତେ ଉପହାର କେତେ ସମ୍ପଦ
ପଠାଇ ଦେଇଛି ଆମରି ପାଇଁ ।”
(ରାଧାମୋହନ ଗଡ଼ନାୟକ)

~ ଝାନସୀରେ ଚନ୍ଦନ ହଜୁରୀ ~
ସେଦିନ ଥିଲା ୧୮୫୭ ସାଲ ଜାନୁଆରୀ ୨୪ ତାରିଖ । ଚାଖି ଖୁଣ୍ଟିଆ ପହଞ୍ଚିଲେ ଲକ୍ଷ୍ମୀବାଈଙ୍କ ନିକଟରେ । ରାଜ୍ୟ ପରିସ୍ଥିତି ନ କହିଲେ ଭଲ । କର୍ମଚାରୀ ମାନେ ବିଶ୍ୱାସଘାତକତାର ଶୀକାର । ମନ୍ତ୍ରୀମଣ୍ଡଳ ଅର୍ଥ ପିପାସୁ ସାଜି ଇଂରେଜ ସରକାରଙ୍କୁ ଗୋପନୀୟ ତଥ୍ୟ ଯୋଗାଇବାରେ ପରସ୍ପର ମଧ୍ୟରେ ପ୍ରତିଯୋଗୀତାରେ ମଗ୍ନ । ଏସବୁ ସତ୍ତ୍ୱେ ରାଣୀ ଲକ୍ଷ୍ମୀବାଈ କୌଣସି ପ୍ରକାରର ଆଶା ହରାଇ ନଥିଲେ, ବରଂ ଯୁଦ୍ଧ କରି ଝାନସୀକୁ ରକ୍ଷା କରିବାକୁ ଯୋଜନା କରୁଥିଲେ । ଚାଖିଙ୍କ ଉପସ୍ଥିତି ତାଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କଲା ।


~ ସକାରାତ୍ମକ ଚିନ୍ତା, ବିଜ୍ଞ ପରାମର୍ଶଦାତା ~
ଏ ସମୟରେ ଭାଙ୍ଗି ନ ପଡ଼ି ଚାଖି ଖୁଣ୍ଟିଆ ରାଣୀ ଲକ୍ଷ୍ମୀବାଈଙ୍କୁ ପରାମର୍ଶ ଦେଲେ ଯେ, ଇଂରେଜ ସରକାରଙ୍କ ଦୃଷ୍ଟିରୁ ନିଜକୁ ଏଡ଼େଇ ରଖନ୍ତୁ ଓ ସେମାନଙ୍କୁ ଅସନ୍ତୁଷ୍ଟ ନ କରନ୍ତୁ । କିନ୍ତୁ, ନିଜେ ଛଦ୍ମବେଶରେ ବୁଲି ଝାନସୀର ସ୍ଵାଧୀନତା ରକ୍ଷା କରିବା ପାଇଁ ଲୋକମାନଙ୍କୁ ବୁଝାଇବା ସହ ସୈନ୍ୟଠୁଳ କରିବାରେ ଲାଗି ପଡ଼ିଲେ । ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ଯାଇ, ସେଠାରେ ପରିସ୍ଥିତି ଅନୁଧ୍ୟାନ କରି, ଇଂରେଜ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରବର୍ତ୍ତାଇବା ଆରମ୍ଭ କରିଦେଲେ । ସେହି ସମୟରେ ତାଙ୍କୁ ଗୋଟିଏ କଥା ଭାରି ସୁହାଇଲା । ସିପାହୀ ବିଦ୍ରୋହ ଆହୁରି ଜ୍ଵାଳାମୁଖୀ ହେବାରେ ଲାଗିଥିଲା । ବରେଲୀ, ମିରଟ୍, କାନପୁର, ବାରାକପୁର, କାଶୀ, ଲକ୍ଷ୍ନୌ, ଗୋଆଲିଅର୍, ବିଠୁର ଆଦି ରାଜ୍ୟ ମାନଙ୍କରେ ହେଉଥିବା ବିଦ୍ରୋହ ଇଂରେଜମାନଙ୍କୁ ଅଣାୟତ୍ତ କରି ଦେଇଥିଲା । ଅନ୍ୟ ପକ୍ଷରେ ରାଜ୍ୟସତ୍ତ୍ଵଲୋପ ଆଇନ ବଳରେ ରାଜ୍ୟ ହରାଇଥିବା ସତରା, ନାଗପୁର, ଜୈତପୁର ରାଜ୍ୟର ରାଜନ୍ୟବୃନ୍ଦ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଥିଲେ । ଚାଖି ଖୁଣ୍ଟିଆ ଦେଖିଲେ ଯେ, ନାନା ସାହେବ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଇଂରେଜ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି, ପୁଣି ତାନ୍ତିଆ ଟୋପେ ବିଠୁର୍ ରାଜ୍ୟ ହରେଇବାକୁ ଯାଉଛନ୍ତି । ତେଣୁ ସେମାନଙ୍କ ସହ ପରାମର୍ଶ କରି, ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଲେ ଚାଖି ଖୁଣ୍ଟିଆ । ପ୍ରଥମେ ଅବିଶ୍ବାସୀ ସୈନ୍ୟମାନଙ୍କୁ ବାଦ୍ ଦେଇ ଶୃଙ୍ଖଳିତ ସୈନ୍ୟ ମାନଙ୍କୁ ସଙ୍ଗଠିତ କରି ଝାନସୀରୁ ଆରମ୍ଭ କରିଦେଲେ ଯୁଦ୍ଧଂ ଦେହି ଡାକରା ।

~ ବିଶ୍ବାସଘାତର କ୍ରୁର ପରିଣାମ ~
୧୮୫୭ ରେ ଆରମ୍ଭ ହେଲା ଯୁଦ୍ଧ । ‘ମର ବା ମାର ‘ ନୀତିରେ ଆଗକୁ ମାଡ଼ିଲେ ସେନାବାହିନୀ । କିନ୍ତୁ, ୧୮୫୮ ଜାନୁଆରୀ ୨୫ ତାରିଖ ହେଲା ଘୋର କାଳିମାମୟ ଦିବସ ଝାନସୀ ରାଜ୍ୟର । ଦୁର୍ଗ ରକ୍ଷା ପାଇଁ ଚନ୍ଦନ ହଜୁରୀଙ୍କ ପରାମର୍ଶ, ସେନା କର୍ମଚାରୀଙ୍କ କାର୍ଯ୍ୟ ନିରୀକ୍ଷଣ ହେତୁ ଅପରାଜେୟ ହୋଇ ଉଠୁଥିଲେ ଲକ୍ଷ୍ମୀବାଈ । କିନ୍ତୁ, ହାୟ ! ଅଣ୍ଟିଛୁରୀ ତଣ୍ଟି କାଟେ । କୂଟନୀତି ପ୍ରବୀଣ ଇଂରେଜ ଶାସକ ହାତ କରିନେଲେ ବୁନ୍ଦେଲ ସର୍ଦ୍ଦାର ଠାକୁର ଲାଲାଜୀଙ୍କୁ । ପ୍ରଲୋଭନ ପରବର୍ତ୍ତୀ ଅବସ୍ଥା କାହା ପାଇଁ ଭଲ ହୋଇପାରେ, କିନ୍ତୁ ଦେଶର ଦୁର୍ଭାଗ୍ୟକୁ ଡାକି ଆଣିଥାଏ । ବିଶ୍ବାସଘାତକ ହୋଇଗଲେ ଠାକୁର ଲାଲାଜୀ । ଦୁର୍ଗର ପ୍ରବେଶ ଦ୍ଵାର ଖୋଲିଦେଲେ । ଶତ୍ରୁ ସୈନ୍ୟ ପଶିବାରେ ସଫଳ ହେଲେ । ଆଉ ଲକ୍ଷ୍ମୀବାଈ ଏବଂ ଚାଖି ଖୁଣ୍ଟିଆ ? ଝାନସୀ ରାଣୀ ନିଜର ଅଶ୍ଵ ‘ବିବେକ’ ପିଠିରେ ବସି, ଅସ୍ତ୍ର ସାହାଯ୍ୟରେ ନିପାତ କଲେ ଶହଶହ ଇଂରେଜ ସୈନ୍ୟଙ୍କୁ । ଚାଖି ଖୁଣ୍ଟିଆ ହାଣି ଚାଲିଲେ ଶତ୍ରୁ ମାନଙ୍କୁ !
“ଘୋଟକ ବାହନେ ପୁରୁଷର ବେଶେ
ଅସୀ ଚଳାଇଲେ ଲକ୍ଷ୍ମୀବାଈ
ଚାଖି ଖୁଣ୍ଟିଆ ବଇରୀ ହାଣିଲେ
ଝାନସୀ ରାଣୀର ପାଶରେ ଥାଇ ।”
(ରାଧାମୋହନ ଗଡ଼ନାୟକ)

~ ପଳାତକ କାପୁରୁଷ ନୁହେଁ ~
ବିପୁଳ ଇଂରେଜ ସୈନ୍ୟ, ଗୁଳି, ଗୋଳା, କମାଣ, ଅନ୍ତର୍ଘାତୀ କାର୍ଯ୍ୟ, ବିଶ୍ବାସଘାତକତା, ବିଶୃଙ୍ଖଳିତ ସୈନ୍ୟ — ଏସବୁ ବିଜୟର ଦ୍ଵାରକୁ ଅବରୁଦ୍ଧ କରିଦେଉଥିଲେ ଯେମିତି ! ବିଜୟର ଆଶା ମଉଳିଗଲା । ଝାନସୀରୁ ଅନ୍ୟତ୍ର ଯାଇ ଯୁଦ୍ଧ କରି ବଇରୀ ନିପାତ କଲେ ଅସୁବିଧା କେଉଁଠି ? ତେଣୁ ଚାଖି ଖୁଣ୍ଟିଆ ପରାମର୍ଶ ଦେଲେ, ରାଣୀଙ୍କୁ ଦୁର୍ଗ ଛାଡ଼ି ଚାଲିଯିବା ପାଇଁ । ସେଇଆ ହେଲା । ରାଣୀ ଗୋଆଲିଅର୍ ଅଭିମୁଖେ ଅଶ୍ଵାରୋହଣ କରି ପ୍ରସ୍ଥାନ କଲେ । ବିଜୟ ଆଶା ନଦେଖି ଚାଖି ମଧ୍ୟ ଅନ୍ତର୍ହିତ ହୋଇଗଲେ ।

~ ପବିତ୍ର ଗଙ୍ଗାଦାସ ମଠ ~
ଗୋଆଲିଅର୍ ଦୁର୍ଗର ପତନ ହେଲା । ତେଣୁ ଲକ୍ଷ୍ମୀବାଈ ପ୍ରିୟ ଘୋଟକ ଉପରେ ଆରୋହଣ କରି ପଳାୟନ କରିବାକୁ ବାଧ୍ୟ ହେଲେ । ଲହୁ ଲୁହାଣ ହୋଇ କ୍ଷତ ବିକ୍ଷତ ଶରୀରରେ ଯାଉଥିବା ସମୟରେ ଇଂରେଜ ମାନେ ପଶ୍ଚାଧାବନ କଲେ । ଆକ୍ରମଣ ଆରମ୍ଭ କଲେ ରାଣୀଙ୍କ ଉପରେ । ବଞ୍ଚିବାର ଆଶା କ୍ଷୀଣ ହୋଇ ଆସୁଥିଲା । ଅର୍ଦ୍ଧମୃତବତ୍ ଶରୀରକୁ ନେଇ ଇଂରେଜ ସୈନ୍ୟ ଫିଙ୍ଗି ଦେଇ ଆସିଲେ ଅବୁର ନଦୀ କୂଳରେ ଥିବା ଏକ ମଠରେ । ମଠାଧୀଶ ଗଙ୍ଗାଦାସ । ଅନେକ ଦିନରୁ ଅପେକ୍ଷା କରିଥିଲେ ରାଣୀ ଲକ୍ଷ୍ମୀବାଈଙ୍କୁ । ଅନ୍ଧାରରେ ରାଣୀଙ୍କ ରକ୍ତାକ୍ତ ମୁହଁ ଦେଖି ଚମକି ପଡ଼ିଲେ, ରକ୍ତ ଜୁଡ଼ୁବୁଡ଼ୁ ମୁହଁ ଧୋଇ ଦେଲେ । ଗଙ୍ଗାଜଳ ପାଟିରେ ଦେଲେ । ନିଜ ପ୍ରିୟ ଭାଇ କୋଳରେ ମୁଣ୍ଡ ରଖି ଶୋଇଗଲେ ରାଣୀ । ତା’ପରେ, ଅନ୍ତିମ ସଂସ୍କାର ।  ଯବନିକା ପତନ ହେଲା

ତେବେ କିଏ ଏହି ଗଙ୍ଗାଦାସ ?

~ ପୁଣି ଦେଶାନ୍ତର ~
ମଠ ଭାଙ୍ଗି ଦେଇ ଗଙ୍ଗାଦାସ ଚାଲିଲେ ନେପାଳ ଅଭିମୁଖେ । ଧରାପଡ଼ିଯିବା ଭୟରେ ବାଟରେ ଗୋଟିଏ ପୋଲ ତଳେ ଲୁଚି ରହିଲେ ସତର ଦିନ । ତା’ପରେ ନେପାଳରେ ପହଞ୍ଚି, ଛଦ୍ମବେଶରେ ବ୍ରାହ୍ମଣ କାର୍ଯ୍ୟ କରି ଜୀବିକା ଉପାର୍ଜନ କଲେ । ମନରେ ଥିଲା କିନ୍ତୁ ଅସୀମ ଯାତନା । ଝାନସୀର ପତନ, ଲକ୍ଷ୍ମୀବାଈଙ୍କ ମୃତ୍ୟୁ, ସିପାହୀ ବିଦ୍ରୋହର ଅବସାନ, ଦୀର୍ଘ ଦିନର ପରିବାର ସମ୍ପର୍କ ଛିନ୍ନ — ଏ ସବୁ ଦ୍ଵନ୍ଦ, କଷ୍ଟ ମଧ୍ୟରେ ଏକା ତ ଭରସା ସ୍ଵୟଂ ଜଗନ୍ନାଥ ! ! ତେଣୁ ଗଙ୍ଗାଦାସ ଚାଲିଲେ ଶ୍ରୀକ୍ଷେତ୍ର ଅଭିମୁଖେ ।

~ ଶ୍ରୀକ୍ଷେତ୍ରରେ ~
ଗଙ୍ଗାଦାସ ନାଁ ସମାଧିସ୍ଥ ହେଲା ଏଇଠି । ଶ୍ରୀକ୍ଷେତ୍ରରେ ପହଞ୍ଚି ପୂର୍ବ ବନ୍ଧୁ ଦିବ୍ୟସିଂହ ମିଶ୍ରଙ୍କୁ ଦେଖାକରି ଗୋଟି ଗୋଟି ସବୁ କଥା କହିଲେ । କଥା ପ୍ରକଟିତ ହୋଇଗଲା । ବିଧବା ବେଶକୁ ଆଦରି ନେଇଥିବା ପତ୍ନୀ ସିନ୍ଦୁର ପିନ୍ଧି ସଧବା ହେଲେ ! ଆଉ ପାରିନାନୀ ଭାଇକୁ ଚିହ୍ନି ପକାଇ ଗାଇ ଉଠିଲେ
“ନଈରେ ବାଳିଆ ଚହଟିଲା
କଜଳ ସିନ୍ଦୁର ନାଆ ଲୋ ! ମଣି
ପୁଣି ଚାଖିଆ ଲେଉଟିଲା”

ସହର ସାରା ଚହଳ ପଡ଼ିଯାଇଥିଲା । ମୁକ୍ତିମଣ୍ଡପ ପଣ୍ଡିତ ସଭା ପରାମର୍ଶ କ୍ରମେ ଯଜ୍ଞାଦି ଅନୁଷ୍ଠାନ କରାଇ ଗଙ୍ଗାଦାସ ହୋଇଗଲେ ଚାଖି ଖୁଣ୍ଟିଆ ଓରଫ୍ ଚନ୍ଦନ ହଜୁରୀ । ଏତିକିରେ ସରି ନଥିଲା । କ୍ରମଶଃ ଲୋକପ୍ରିୟତା ବଢ଼ିବାରୁ ସେ ଜଣା ପଡ଼ିଗଲେ, ସେ ଯେ, ଅତୀତରେ ଝାନସୀର ଅପରାଜେୟ ବୀର ଚାଖି ଖୁଣ୍ଟିଆ ! ଜିଲ୍ଲାପାଳ ବନ୍ଦୀ କରିନେଲେ । ଅଳ୍ପଦିନ ପରେ ମହାରାଣୀ ଭିକ୍ଟୋରିଆ ସମସ୍ତ ଯୁଦ୍ଧ ବନ୍ଦୀଙ୍କୁ ରାଜକ୍ଷମା ଦେଲେ । ପୁଣି ଚାଖି ଲେଉଟି ଆସିଲେ ଶ୍ରୀମନ୍ଦିର ବେଢ଼ାକୁ, କଣ୍ଠରେ ଭାସି ଉଠିଥିଲା,
“ମନ୍ଦରଧର ନୀଳଗିରିବାସୀ
କନ୍ଦରବାସୀ ପ୍ରାୟେ ଅଛ ବସି
ପନ୍ଦର ନେତ୍ର, ଧାତା ପୁରନ୍ଦର ,
ବନ୍ଦନ କରନ୍ତି ଯେଉଁ ପୟର
ଛଳ ଛାଡ଼ ଦେବରାଜ ହେ
ନନ୍ଦନନ୍ଦନ ଶ୍ରୀଚରଣାବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ ।”

ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ! ନାଁଟି ଉଚ୍ଚାରଣ ମାତ୍ରେ ପ୍ରତି ଓଡ଼ିଆ ପ୍ରାଣରେ ପୁଲକ ସୃଷ୍ଟି ହୁଏ । ସେ ଜାତୀୟବୀର । ସେ ସାହାସୀ, ସେ ପରାକ୍ରମୀ, ବିପ୍ଳବୀ, ସ୍ଵାଧୀନତା ସଂଗ୍ରାମୀ, ସଙ୍ଗଠକ, ରଣ କୌଶଳୀ, ବିଜ୍ଞ ପରାମର୍ଶଦାତା, ସିପାହୀ ବିଦ୍ରୋହର ମହାରଥୀ, କବି, ପରମ ଭକ୍ତ, ସେ ଜାତୀୟବୀର । ୧୮୭୦ ମସିହାରେ ମାତ୍ର ୪୩ ବର୍ଷ ବୟସରେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଲୀନ ହୋଇଗଲେ ।

ଐତିହାସିକ, ସାହିତ୍ୟିକ, ପ୍ରାବନ୍ଧିକ, ଦେଶସେବୀ ମାନେ ଅନେକ କିଛି ଲେଖିଛନ୍ତି ଚାଖି ଖୁଣ୍ଟିଆଙ୍କ ଉପରେ । ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଦ୍ଵାରା ସଂଗୃହୀତ ଚାଖି ଖୁଣ୍ଟିଆ କୃତ ଲକ୍ଷ୍ମୀବାଈ ପାଣ୍ଡୁଲିପି ଏବେ ମଧ୍ୟ ପ୍ରକାଶ ଅପେକ୍ଷାରେ । ଏହା ତାଙ୍କ ଜୀବନ ଚରିତର ଏକ ବଳିଷ୍ଠ ଉପାଦାନ ନିଶ୍ଚିତ ଭାବେ ହୋଇଥିବ ! ଅନ୍ୟତମ ସାରସ୍ଵତ ସାଧକ ଡାକ୍ତର ବିକ୍ରମ ଦାସ ତାଙ୍କ ଉପନ୍ୟାସ ‘ଭଲେ ବିରାଜୋ ଜୀ’ରେ କହନ୍ତି, “ଆରେ ! ଚନ୍ଦନ ହଜୁରୀର ସାହସ ନଥିଲେ ସେ ସିପାହୀ ବିଦ୍ରୋହ ବେଳେ ଦୂର ରାଜ୍ୟ ମାନଙ୍କରେ ଯାଇ ବିଦ୍ରୋହୀ ରାଜାରାଣୀମାନଙ୍କର ଗୁରୁ ହୋଇ ପାରିନଥାନ୍ତା କି ଆଜି ଭାରତର ସ୍ଵାଧୀନତା ସଂଗ୍ରାମର ଇତିହାସରେ ତା’ର ନାମ ସୁନା ଅକ୍ଷରରେ ଲେଖା ଯାଇନଥାନ୍ତା ।”

ସମଗ୍ର ଭାରତବର୍ଷରେ ବିରଳ ଏହିପରି ଜଣେ ପ୍ରତିଭା। ଆଜି ଉତ୍କଳଖଣ୍ଡ ଗର୍ବ ଅନୁଭବ କରେ ଏଭଳି ଜଣେ ଜାତୀୟ ବୀର ଉତ୍କଳ ଜନନୀୀଙ୍କ କୋଳରେ ଜନ୍ମ ନେଇଥିବାରୁ ।

ଆଧାର: ପଣ୍ଡିତ ସଦାଶିବ ରଥଶର୍ମା, ନିର୍ମଳା କୁମାରୀ ମହାପାତ୍ର ଓ ନୃସିଂହ ଚରଣ ସାହୁଙ୍କ ବିଭିନ୍ନ ପ୍ରବନ୍ଧ ସମୂହ ।
ଫଟୋ: ଶ୍ରୀଯୁକ୍ତ ବାସୁଦେବ ସାହୁ, ପୁରୀ 

ଚକରା ବିଷୋୟୀ


୧୮୩୬ ମସିହାରେ ଘୁମୁସରର (ଗଞ୍ଜାମ) ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ। ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଗଲା, ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ ।

ଘୁମୁସର ବିଦ୍ରୋହ (୧୮୧୫-୧୮୫୬)ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ ।ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା । ଇଁରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଷୋୟୀ, ଦୋହରା ବିଷୋୟୀ ଓ ଚକରା ବିଷୋୟୀ (Chakara Bishoyi) ଅନ୍ୟତମ ।

ଘୁମୁସର ବିଦ୍ରୋହ ମୁଣ୍ଡ ଟେକିବାର କେତୋଟି ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ କାରଣ ଅନ୍ୟତମ । ଇଂରେଜମାନେ ଏହି ଅଞ୍ଚଳ ଦଖଲ କଲା ପରେ ଜମିଦାରମାନଙ୍କ ଠାରୁ ଯଥେଷ୍ଟ ଖଜଣା ଆଦାୟ କରିବା ଅଭିପ୍ରାୟ ପୋଷୋଣ କଲେ । ପ୍ରତ୍ୟେକ ଜମିଦାର ଇଂରେଜମାନଙ୍କ ଆର୍ଥିକ ଶୋଷଣ ନୀତିରେ ଅଣନିଶ୍ୱାସୀ ହୋଇ ଯାଇଥିଲେ । ସେମାନଙ୍କର ଉତ୍ତରାଧିକାରୀଗଣ ନିଜର ସ୍ୱତ୍ତ୍ୱ, ମର୍ଯ୍ୟାଦା ଓ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । କିନ୍ତୁ ସମସ୍ତ କ୍ଷେତ୍ରରେ ଇଂରେଜମାନଙ୍କ ହସ୍ତକ୍ଷେପ ଓ ଚକ୍ରାନ୍ତ ଯୋଗୁଁ ଲୋକମାନେ ସେମାନଙ୍କୁ ଅବିଶ୍ୱାସ କଲେ, ଆଦିବାସୀମାନେ ସେମାନଙ୍କର ସ୍ୱାଧୀନତା, ସ୍ୱାତନ୍ତ୍ର୍ୟ ଓ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ ଯୋଗୁଁ ବିଦ୍ରୋହୀ ହୋଇଉଠିଲେ । ଇଂରେଜମାନଙ୍କ ଖଜଣା ବୃଦ୍ଧି ବ୍ୟବସ୍ଥା ଯୋଗୁଁ ଅଧିକାଂଶ ଜମିଦାର ନିଜର ସୁରକ୍ଷା ପାଇଁ ଅତି ଅଳ୍ପ ଅର୍ଥ ରଖି ଆଦାୟର ଦୁଇ-ତୃତୀୟାଂଶ ଖଜଣା ବାବଦକୁ ଦେଉଥିଲେ ।

ଘୁମୁସର ଜମିଦାରୀକୁ ୧୮୩୬ ମସିହାରେ ଇଂରେଜ ସାମ୍ରାଜ୍ୟ ସହ ମିଶ୍ରଣ କରାଗଲା ।ଏହି ଜମିଦାରୀରେ ଭଞ୍ଜ ରାଜଙ୍କ ପୁନଃ ପ୍ରତିଷ୍ଠାର କୌଣସି ସଂକେତ ନ ଦେଖାଯିବା ଯୋଗୁଁ ଜନ ଅସନ୍ତୋଷ ଇଂରେଜମାନଙ୍କ ବିରୋଦ୍ଧରେ ପ୍ରବଳରୁ ପ୍ରବଳତର ହେଲା ।

ଖ୍ରୀଷ୍ଟିୟାନ୍‌ ପାଦ୍ରୀମାନଙ୍କ କାର୍ଯ୍ୟକଳାପ ଫଳରେ ଅନେକ ଆଦିବାସୀଙ୍କ ଧର୍ମାନ୍ତରୀକରଣ ଘୋଷଣା ସରଳ ବିଶ୍ୱାସୀ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅଲୋଡନ ସୃଷ୍ଟି କଲା । ତେଣୁ ସେମାନେ ଧର୍ମବିଶ୍ୱାସକୁ ବଜାୟ ରଖିବା ପାଇଁ ବିଦ୍ରୋହର ପନ୍ଥା ଅବଲମ୍ବନ କରିଥିଲେ ।

କମଳଲୋଚନ ଦୋରା ବିଷୋୟୀଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ (୧୮୧୫-୧୮୩୭) କମଳଲୋଚନ ଥିଲେ ଘୁମୁସର ଜମିଦାରୀର ଦୋରା ଅଥବା ମୁଖ୍ୟ ବିଷୋୟୀ ବା ଅଧିକାରୀ । ସେ ମଧ୍ୟ ମାଳୁଆ କନ୍ଧ ଅଞ୍ଚଳର ମୁଖ୍ୟ ଥିଲେ । ସେ ଘୁମୁସର ରାଜ୍ୟର ସେନାଧ୍ୟକ୍ଷ ମଧ୍ୟ ଥିଲେ । ସେ ଧନଞ୍ଜୟ ଭଞ୍ଜଙ୍କଦ୍ୱାରା କନ୍ଧମାନଙ୍କ ମୁଖ୍ୟ ରୂପେ ନିଯୁକ୍ତି ପାଇଥିଲେ ।

ପିତା ରାମ ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚକରା ବିଷୋୟୀ ଇଂରେଜ ବିରୋଧୀ ପ୍ରସିଦ୍ଧ କନ୍ଧନେତା ଭାବରେ ପରିଚିତ ହେଲେ । ସେ ଘୁମୁସର ଅଞ୍ଚଳ ଛାଡି ଅନୁଗୁଳ ଅଞ୍ଚଳରେ ଗୋପନରେ ରହୁଥିଲେ । ୧୮୪୪ ମସିହାରେ ସେ ବୌଦର କନ୍ଧନେତା ବୀର କହଁରଙ୍କ ଠାରୁ ନିମନ୍ତ୍ରଣ ପାଇ କନ୍ଧ ବିଦ୍ରୋହରେ ଯୋଗଦେଲେ । ବୀର କହଁର ଚକରା ବିଷୋୟୀଙ୍କ ପ୍ରଧାନ ସହାୟକ ଓ ଆନୁଗୁଳର ରାଜା ସୋମନାଥ ସିଂହ ତାଙ୍କର ପୃଷ୍ଠପୋଷକ ଥିଲେ ।

ଓଡ଼ିଶା ଇତିହାସରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ଏହି ଚକରା ବିଷୋୟୀ, ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।

୧୮୨୩ ମସିହା ପୌଷ ମାସ ଶାମ୍ବଦଶମୀ ଦିନ ଘୁମୁସର ଗାଁର ରାମ ସିଂହଙ୍କର କୋଳମଣ୍ଡନ କରିଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ ଏବଂ ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।

ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଷକ ବିଭିନ୍ନ ମତ ଦେଇଛନ୍ତି । ଗବେଷକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କ‌ହିଥିଲେ ।

ଚକରା ବିଷୋୟୀ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ ।

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ରହିଥାନ୍ତି । ସେମାନଙ୍କ ଭିତରେ “କୁଇ” ଓ “କୁବି” ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀ ଓ ଦୋହରା ବିଷୋୟୀ ଅନ୍ୟତମ ।

କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ “କନ୍ଧମେଳି” ଜରିଆରେ ଚକରା ବିଷୋୟୀ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।

ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ସଂଗ୍ରାମ କରିଥିଲେ । ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବ‌ହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇ ନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ସେ ପ୍ରତ୍ୟୁତ୍ତର ରଖିଥିଲେ, “ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।”

ଚକରାଙ୍କୁ ଧରିବା ପାଇଁ ଭାରତର ତ‌ତ୍କାଳୀନ ବଡ଼ଲାଟ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍‌ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, “ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।”

ଦୁଃଖ ଓ ପରିତାପର ବିଷୟ ଇଁରେଜ ଶାସନ ଭଳି ଆଜି ମଧ୍ୟ ଗଞ୍ଜାମ ତଥା ଓଡ଼ିଶା, ଶାସକର ଚକ୍ରବିହ୍ବରେ ପେଶି ହେଇଚାଲିଛି ଚକରା ବିଷୋୟୀ ପରି ମୁକ୍ତିପାଗଳ ମୁକ୍ତିଯୋଦ୍ଧାଙ୍କ ପ୍ରେରଣା ପ୍ରତିଟି ଓଡ଼ିଆର ହୃଦୟରେ ସ୍ପନ୍ଦନଶୀଳ ହେଉ, ଏହା ହିଁ କାମନା । 


Thursday, January 21, 2021

ସମର୍ପଣ (topic - 94 ମୋ'ଗାଁ ମନ୍ଦିର ) quote #quot

ମୋ'ଗାଁ ମନ୍ଦିର - 94 

ସକାଳ ଧୂପରେ ସଞ୍ଜ ଆଳତୀରେ 
      ସମର୍ପିତ ମନ ପ୍ରାଣ 
ଜଗତ ଠାକୁର  କୋଟି ମନୋହର 
        ଅମୂଲ ଧନ ଜୀବନ  ଭାଗବତ ପୋଥି ପୁରାଣର ସୁରେ 
       ମହକେ ମନ୍ଦିର ବେଢା 
ଶାନ୍ତିର ପ୍ରତିକ ଧ୍ବଜାଟି ଲହରେ
         କି' ସୁନ୍ଦର ତାର ଚୂଡ଼ା 
              - ସନ୍ତୋଷ ପଟ୍ଟନାୟକ

ମୋ ଗାଁଆ ମନ୍ଦିର ଗନ୍ତର୍ବ୍ୟର ଗୀର
      ସିଦ୍ଧହସ୍ତ  ସ୍ୱପ୍ନେଶ୍ବର
ବିରାଜିତ ପ୍ରଭୁ ସତ୍ୟ ଶିବଶମ୍ଭୁ
     ଅସିମ ଶକ୍ତି ଅପାର
କୋଟିଏ ନମନ  ହେ ଦଧିବାମନ
      କଳମ୍ବ କୁଶଳେ କର୍ତ୍ତା
ରଖିଥ ଘୋଡାଇ ହେ କଳା ଗୋସାଇଁ
      ଶାମୁକେ ଯେସନେ ମୁକ୍ତା
                   - ଦାଶରଥି ସାହୁ

ମୋ ଗାଆଁ ମନ୍ଦିର ଅତି ମନୋରମ
       ସୁନ୍ଦରତା ପରିବେଶ
ସକାଳୁ ସକାଳୁ ମୃଦଙ୍ଗ ବାଦ୍ଯରେ
    କଟିଯାଏ ସବୁ ଦୋଷ
ନିଇତି ସକାଳେ ପୂଜିବାକୁ ଯାଏ
       ହରହର ମହାଦେବ 
ପୂଜିଲେ ତୁମକୁ ମୁକ୍ତି ମିଳିଯିବ
     ଦେବଙ୍କର ତୁମେ ଦେବ 
              ‐ ରାଧା କୃଷ୍ଣ ବାୟକ

ରାମ ଓ ଲକ୍ଷ୍ମଣ   ସୀତା ହନୁମାନ 
      ମୋ ଗାଆଁ ମନ୍ଦିରେ ପୂଜା 
ରଘୁନାଥ ମନ୍ଦିର  ଅଟେ ନାମ ତାର
         ଫର ଫର ଉଡେ ଧ୍ବଜା
ମୋ ଗାଆଁ ମନ୍ଦିରେ  ବେଶି ଶୋଭା ପାଏ
         କଳା ଓ ସଂସ୍କୃତି ତାର 
ବନାଇଛି ଯିଏ    ମୋ ଗାଁ ମନ୍ଦିରକୁ
        ଧନ୍ଯ ସେଇ କଳାକାର
                    - ଜଗବନ୍ଧୁ ସାହୁ

ଛୋଟିଆ ହେଲେ ବି  ମୋ ଗାଆଁ ମନ୍ଦିର 
        ଦିଶଇ ଭାରି ସୁନ୍ଦର 
ଯାନୀ ଯାତରାରେ  ପୂଜା ପାର୍ବଣରେ 
      ଜମେ ଭକ୍ତଙ୍କ ଆସର 
ଚନ୍ଦନ କର୍ପୂର  ଧୂପ ଦୀପ ବାସେ 
    ମହକେ ମନ୍ଦିର ବେଢ଼ା
ନାଲିଆ ନେତରେ  ଶୋଭା ପାଉଥାଏ 
     ମୋ ଗାଁ ମନ୍ଦିର ଚୂଡ଼ା 
                  - ରାମ ଚନ୍ଦ୍ର ପ୍ରଧାନ 

ଗ୍ରାମ ପୂର୍ବ ଦିଗେ ମା ଗ୍ରାମଦେବତୀ 
      ନାମ ତାଙ୍କ କେନ୍ଧୁଳାଇ 
ପଶ୍ଚିମ ଦିଗରେ ପ୍ରଭୁ ସାଇରାମ 
      ଉତ୍ତରେ ମା ନାଗେଶ୍ୱରୀ
ଗ୍ରାମ ମଧ୍ୟ ଭାଗେ ମହାଲିଙ୍ଗ ରୂପେ 
     ମହାଦେବ ସ୍ୱପ୍ନେଶ୍ବର 
ଦେବା ଦେବୀ ରୂପେ ପୂଜା ପାଉଛନ୍ତି
       ରହି ମୋ ଗାଆଁ ମନ୍ଦିର 
                 - ପ୍ରବୀର ମଲ୍ଲିକ୍

ମନ୍ଦିରରେ ବେଢା ବେଢାରେ ଚନ୍ଦନ
        ବଗିଚା ଟଗର, ମଲ୍ଲୀ
 ଚନ୍ଦନ କର୍ପୂରେ ମହକି ଯାଉଛି
     ମୋ ଗାଆଁ ସାନ୍ତରାପଲ୍ଲୀ
ସକାଳେ ଭଜନ ସଞ୍ଜରେ କୀର୍ତ୍ତନ
       ପାହାନ୍ତିଆ ଶଙ୍ଖ ଧ୍ବନୀ
ଭାସି ଆସୁଥାଏ  ମୋ ଗାଆଁ ମନ୍ଦିରୁ
       ମହାମନ୍ତ୍ର ସଂଜୀବନି
ପଶ୍ଚିମରେ ଶିବ ଶ୍ରୀ-ରାଧା ମାଧବ
      ବଜରଙ୍ଗୀ ମହାବୀର
ପୂରୁବରେ ଶନି ଉତ୍ତରେ ବୁଢି-ମା'
       ପୂଜା ପାଉଥାନ୍ତି ଚୀର
                  - ରବିନ୍ଦ୍ର ସାହୁ

ଘଣ୍ଟ-ଘଣ୍ଟି ଧ୍ଵନି ପ୍ରକମ୍ପିତ ହୁଏ 
    ଝାଞ୍ଜ ମୃଦଙ୍ଗର ତାଳେ
ଧୂପ ସୁଗନ୍ଧରେ ମହକି ଉଠଇ
     ଆନନ୍ଦର କୋଳାହଳେ 
ମୋ ଗ୍ରାମ ମନ୍ଦିରେ ସଙ୍କୀର୍ତ୍ତନ ଶୁଭେ
     ସନ୍ଧ୍ୟା ହେଲେ ଆଗମନ 
ପ୍ରଭୁ ଦର୍ଶନରେ ତୃପ୍ତି ହୋଇଯାଏ
      ଗ୍ରାମବାସୀଙ୍କର ମନ 
                   - ଟୁକୁନା ସାହୁ

Saturday, January 16, 2021

ସମର୍ପଣ (topic - 93 ମଦମୃତ୍ୟୁ ) quote #quot

ମଦମୃତ୍ୟୁ -- 93

ଶବ୍ଦ ଏ ଦନ୍ତ୍ଯ "ସ" ମରଣର ଫାସ
      ଜାଣିଥିବେ ସର୍ବଜନେ
ଅଟଇ ସେ ସୁରା ଦୁଃଖର ପସରା
       ଏହି ମରତ ଭୁବନେ
କଲିଜା ଜଳାଏ  ନାନା କ୍ଷତି ଦିଏ
    ଅବେଳେ କାଳର କୋଳେ
ଜାଗହେ ଜନତା କାହିଁ ନୀରବତା
       ସମୟର ଅନ୍ତରାଳେ
             - ଦାଶରଥି ସାହୁ

ଅଧୁନା ସମାଜେ ମଦମୃତ୍ୟୁ ହାର
     ରଚୁଅଛି ବିଭୀଷିକା
ହସଖୁସି ସବୁ ଛଡ଼ାଇ ନେଉଛି
     ହୃଦୟେ ଭରି ଛନକା
ବିଧବା ନାରୀର ସୀମାନ୍ତକୁ ଦେଖି
    ଦୁଃଖେ ଫାଟି ପଡ଼େ ହିଆ
ମଦମୃତ୍ୟୁ ପାଇଁ ବେସାହାରା ଆଜି
      ପୁଅକୁ ହରାଇ ମାଆ
ବେଳୁ ସାବଧାନ ସର୍ବେ ହୁଅ ଭାଇ
     ପିଅନାହିଁ ଆଉ ମଦ
ସଭିଙ୍କ ମନରେ ଭରିଦିଅ ହସ
      ତୁଟାଇ ସବୁ ବିବାଦ 
              -ରାମ ଚନ୍ଦ୍ର ପ୍ରଧାନ

ମ-ମଣିଷ ପଣିଆ ମନୁ ମରିଯାଏ
      ମଦ କରିଲେ କେ'ପାନ
ମହମବତୀର ଆୟୁଷଟେ ହୁଏ
       ସର୍ବେହୁଅ ସାବଧାନ
ଦ-ଦରିଦ୍ର କାଙ୍ଗାଳ ହୁଏ ସେ ମଣିଷ
      ଦୁଃଖରେ କଟେ ତା' ଦିନ
 ପରିବାରେ ସଦା ଅଶାନ୍ତି ବଢାଇ
      ଶେଷରେ ହୁଏ ତା'ଲୀନ
                     -  ରବିନ୍ଦ୍ର ସାହୁ

କଳଙ୍କର ଟିକା ମୁଣ୍ତରେ ବୋହୁଚ
      କି ହେବ ଅତର ଗନ୍ଧ !?
ରାସ୍ତାରେ ଚାଲିଲେ ଦେହରୁ ତୁମର
       ବାସେ ମଦର ଦୃଗନ୍ଧ 
ବାସ୍ତବରେ ଦିନେ ଆସିବରେ ମୃତ୍ୟୁ
      ମତ୍ତ ଗର୍ବେ କାହିଁ ଅନ୍ଧ !
ମଦମୄତ୍ଯୁ ସିନା ବନ୍ଦ ହୁଅନ୍ତାହେ
      ଲାଗିଗଲେ ପ୍ରତିବନ୍ଧ 
               ‐ ରାଧା କୃଷ୍ଣ ବାୟକ

ମଣିଷ ଜାଣିଛି ମଦ୍ୟ ପାନ ଅଟେ
   ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାର
ତଥପି ମଣିଷ  ମଦ୍ୟ ପାନକରେ 
   ବଢେ ମଦ ମୃତ୍ୟୁହାର 
ମଣିଷ ମରନ୍ତି ପୋକ ମାଛି ପରି 
     କମୁ ନି ମଦ ଚାହିଦା 
ଗାଁ ଠୁ ସହର  ମଦୁଆଙ୍କ ବୃଦ୍ଧି 
    ସ୍ୱାସ୍ଥ୍ୟ ପ୍ରତି ନାହିଁ ନିଘା 
              - ପ୍ରବୀର ମଲ୍ଲିକ୍ 

ସୁରାର ଆସରା  ଦୁଃଖର ପସରା 
        ବୁଦ୍ଧି-ଶୁଦ୍ଧି ସବୁ ହଜେ 
   ତଥାପି ମଣିଷ ଆଦରି ନେଉଛି 
        ନିଜ ବିନାଶକୁ ନିଜେ
ନିଶାର ଫାସରେ ମଣିଷ ଆବଦ୍ଧ 
      ଅବେଳ କାଳର ବଳେ 
ଭୁଲି ନିଜ ସ୍ଥିତି ଡ଼ାକଇ ବିପତ୍ତି 
        ସମୟର ଅନ୍ତରାଳେ 
           - ସନ୍ତୋଷ ପଟ୍ଟନାୟକ

ହାୟ ସରକାର  ମଦ ଅଭିଯାନ 
         ଖୋଲିଛକି ଓଡ଼ିଶାରେ !
କେତେ ସ୍ତିରି ପିଲା  ଅନାଥ ଯେ ହୋଇ
         ବୁଲୁଛନ୍ତି ସଡ଼କରେ
ଏଇ ମଦ ପିଇ ମଣିଷଟା ଏଠି
       ପାଲଟି ଯାଏ ରାକ୍ଷସ 
ରକ୍ଷକ ବି ଏଠି  ମଦ୍ୟପାନ କରି 
       ଶୋଷଇ ନାରୀ ମାଉଁସ
                  - ଜଗବନ୍ଧୁ ସାହୁ

ମନରେ ଅଶାନ୍ତି ଆସଇ ଅଚିରେ 
      ଗୃହେ ଉପୁଜେ କଳହ 
କି'ଅବା ସୁଖଟେ ମିଳୁଛି ଜୀବନେ 
     ହୋଇଲେ ମଦରେ ମୋହ
ଦାରିଦ୍ର କଷଣ ଭାଙ୍ଗେ ଟାଣ ପଣ 
      ତୁଟେ ସଭିଙ୍କ ବିଶ୍ଵାସ 
 ଆପଣା ଲୋକବି ଅଚିହ୍ନା ହୁଅନ୍ତି 
      ମଦ ଯଦି କରେ ଗ୍ରାସ 
                  - ଟୁକୁନା ସାହୁ

•••••••••• ମୁଁ କି କେବେ ଦୀନ ହୀନ ? •••••••••••



         
••••••••••ମୁଁ କି କେବେ ଦୀନ ହୀନ ?•••••••••••

              (୧)

ଯେ ଦେଶର ପ୍ରଭୁ ଜଗତର ନାଥ,
ନଦୀ ଯା'ର ମହାନଦୀ,

ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା'ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

                    (୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ

ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ  ମତାଇ ଦେଲାରେ
ପଲ୍ଲୀ ପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

                    (୩)

ଯେ ଦେଶର ଵୀର ଶିଳ୍ପୀ ଦିନେ ରେ 
ଚକିତ କରିଲା ଧରା

ପାଷାଣର ବୁକେ ଦେଖାଇ ଦେଲାରେ 
ଚକିତ ଚିତ୍ର କଳା

ପାଷାଣ ଖଣ୍ଡେ ଉଠାଇ ଯହିଁରେ 
ଵିଜ୍ଞାନ ହେଲା ମଳିନ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

                      (୪)

ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା

ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ? 

************
*********
****
ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର 
ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣି ସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବ ଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା । ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶିରା ପ୍ରଶିରାରେ ପ୍ରଵାହିତ ହେଉଅଛି । ଆମେ ଓ ଆମ ଜାତି ଦୀନ ହୀନ ନୁହେଁ ତେଣୁ ହେ କଳିଙ୍ଗଵାସୀ ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ । ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରତ୍କଳ !!!

Friday, January 15, 2021

■ ⚘ପ୍ରେମ ଆକର୍ଷଣ⚘ ■

---: ପ୍ରେମ ଆକର୍ଷଣ :----   ✍ ସୁଶୀଲ୍ କୁମାର ଭୋଇ
 
ମୋ ଭଲ ପାଇବା ନଥିଲା ଛଳନାମୟ
ହୃଦୟର କୋଣାନୁକୋଣେ ଥିଲା ତୁମ ପାଇଁ ସ୍ନେହ,
ଭଲ ପାଇବାର ମମତା ଅବିରତ ଭଣ୍ଡାର
ମୋ ନିଃଶ୍ୱାସ-ପ୍ରଶ୍ୱାସ,ଶିରା-ପ୍ରଶିରା, ଧମନୀ-ଶରୀର
ପ୍ରତିଟି ଅଙ୍ଗ ହେଉଥିଲା ତୁମ ପାଇଁ ଆକର୍ଷଣ 
            ସେ ଆକର୍ଷଣ ହିଁ ସୃଷ୍ଟି କଲା 
ତୁମକୁ ନିଜର କରିବାର ମନବୃତ୍ତି ପ୍ରେମ ॥

ତୁମେ ମୋ ଭଲ ପାଇବାକୁ ଛଳନା ଭାବିପାର
ତୁମେ ମୋ ଭଲ ପାଇବାକୁ ଉପହାସ କରିପାର
ତୁମେ ମୋ ଭଲ ପାଇବାକୁ ଖାମ ଖିଆଲ ନେଇପାର
ତୁମେ ମୋ ଭଲ ପାଇବାକୁ ଅସ୍ବୀକାର ବି କରିପାର
ତୁମେ ମୋ ଭଲ ପାଇବାକୁ ଘୃଣା ମଧ୍ୟ କରିପାର

           କିନ୍ତୁ ,,,,,, 
       ମୁଁ' ତୁମକୁ ମୋ ନିଜର ଭାବି ନେଇଛି
   ମୁଁ ' ତୁମକୁ ମୋ ହୃଦୟରେ ଜାଗା ଦେଇଛି
   ମୁଁ ' ତୁମକୁ ମନେ ମନେ ଜୀବନ ସାଥି କରି ସାରିଛି 
   ମୋ ଜୀବନର ପ୍ରତିଟି ମୁହୂର୍ତ୍ତ ତୁମକୁ ଝୁରୁଛି
   ମୁଁ ' ତୁମକୁ ମୋ ଜୀବନର ସର୍ବସ୍ଵ ଭାବି ସାରିଛି  ॥

        ହେଲେ ତୁମେ ; 
ମୋ ଭଲ ପାଇବାକୁ ଛଳନା ଭାବିପାର
     ତୁମେ ; ତୁମ ହୃଦୟରେ ମତେ ଜାଗା ଦେଇ ନ ପାର
        ତୁମେ ; ତୁମ ଜୀବନ ସାଥି ମତେ କରିନପାର
           ତୁମେ ; ମତେ ଘୃଣା ବି କରିପାର
            ତୁମେ ; ତମ ହୃଦୟକୁ ଆଉ କାହାକୁ ଦେଇପାର

ହେଲେ ; ମୁଁ ' ତୁମକୁ ଭଲ ପାଉଛି ପାଉଥିବି 
           ତୁମକୁ ପାଇବାର ଅପେକ୍ଷାରେ ଅଛି
               ତୁମ ପାଇଁ ଜିଇଁ ଜିଇଁ  ମରୁଛି 
       କେବଳ ତୁମ ପାଇଁ, ତୁମ ପାଇଁ ହିଁ ବଞ୍ଚିଛି  ॥

ମୋ ହାତ କଟା "ପାପୁଲିର" ରକ୍ତବିନ୍ଦୁ ଯାହା ଦର୍ଶାଉଛି
 ମୁଁ ' କାଳେ ଗୋଟେ ପାଗଳ ସାରା ଦୁନିଆ କହୁଛି
ମୋ ଭଲ ପାଇବାକୁ ଦେଖି ଦୁନିଆଁ ହସୁଛି 
କିନ୍ତୁ ମୁଁ ' ତୁମକୁ ପାଇବା ପାଇଁ ହିଁ ପାଗଳ ହେଇଛି ॥

ମୋ ଭଲ ପାଇବା ତୁମ ପାଇଁ ହୋଇ ଥାଇପାରେ,
    ଧମକ ପୂର୍ଣ୍ଣ , ଯାହାକୁ ମୁଁ ଅସ୍ବୀକାର କରୁଛି
               ମୁଁ ମାନୁଛି ମୁଁ ' ଭୁଲ୍ କରିଛି
ତୁମକୁ ପାଇବା ପାଇଁ ମୁଁ ' ମୋ ଭାରସାମ୍ୟ ହରେଇଛି 
             ତୁମକୁ ପାଇବା ପାଇଁ ,,,,
    ଦୁନିଆ ଆଗରେ ତୁମକୁ ବଦନାମ କରିଛି  
ତୁମ ମନରେ ବହୁତ ଦୁଃଖ-କଷ୍ଟ-ଯନ୍ତ୍ରଣା ଦେଇଛି ॥
                        ତଥାପି ,,,,,                             
                    ଶେଷରେ ମୁଁ ' ଏତିକି କହୁଛି
       ତୁମକୁ ଭଲ ପାଉଥିଲି ,ଭଲ ପାଉଥିବି, 
        ଭଲ ପାଉଛି , ମୁଁ ' ତୁମକୁ ଭଲ ପାଉଛି  ॥
             ❣❣❣❣❣❣❣
                     ✍ ସୁଶୀଲ୍ କୁମାର ଭୋଇ
                             (ସାମାଜିକ କର୍ମୀ)

ବରକୁଦା, ପାଞ୍ଚଗାଁ,ଜଟଣୀ,ଖୋର୍ଦ୍ଧା(୭୫୨୦୫୦)

■ :~ କ୍ଷମା~: ■

-: କ୍ଷମା :-            ✍  ସୁଶୀଲ୍ କୁମାର ଭୋଇ

"ତୁମକୁ' ମୁଁ ଦେଖିନାହିଁ ମୋ  ଆଖିରେ
 ଦେଖିଥିଲି ମାତ୍ର ସମାଜିକ ଗଣ ମାଧ୍ୟମରେ
ବାର୍ତ୍ତାଳାପ କରିଥିଲେ କେତେ ଯେ' ଖୁସିରେ
ସୁଖ-ଦୁଃଖ ବାଣ୍ଟୁଥିଲେ କଥାରେ କଥାରେ  ॥

ସାଥି ସିନା ହୋଇଥିଲେ ଗଣ ମାଧ୍ୟମରେ
ସାଥି ହେଇ ପାରିଲେନି କିନ୍ତୁ ବାସ୍ତବରେ
ବଡ଼ ଭୁଲ ଗୋଟେ ହୋଇଗଲା ଏଇ ବିଷୟରେ
ପାଗଳାମି ଯୋଗୁଁ  ହୋଇଗଲି ଏକା 
ତୁମେ ଛାଡ଼ି ଚାଲିଗଲା ପରେ  ॥

ଭୁଲ୍ ସିନା କରିଦେଲି ଜାଣ-ଅଜାଣତରେ
ହେଲେ ତୁମେ କ୍ଷମା କଲ ନାହିଁ ଚାଲିଗଲ ବହୁଦୂରେ
ଦୁରେ ସିନା ଚାଲିଗଲ ସମ୍ପର୍କକୁ ଦେଲ ଜାଳି  
ହେଲେ ମୁଁ ପାରୁନି ଆଜି ସେଇ ସ୍ମୃତିକୁ ଭୁଲି  ॥

ଆଜି ସିନା ତୁମେ ନାହଁ, ଅଛି ଖାଲି ତୁମ ସ୍ମୃତି 
ସ୍ମୃତିକୁ ସାଇତି ରଖି ଦେଖୁ ଥାଇ ନିତି ନିତି
ନିତି ସିନା ଦେଖୁଥାଏ ମନ ବୁଝିବା ପାଇଁ
ହେଲେ କେମିତି ମନୁ ପାଶୋରିବି ଜାଣିପାରୁ ନାହିଁ  ॥

ତୁମେ ସିନା ରହିଗଲ ସବୁଦୋଷ ମତେ ଦେଇ
ହେଲେ କେବେ ସତ୍ୟତାକୁ ପରଖିଲ ନାହିଁ
ସତ୍ୟତା ଥିଲା ଯାହା ଦିନେ ପରିକାଶ ହେବ
ଯଦି ତୁମେ ବୁଝିଯିବ ମତେ କ୍ଷମା ଦେବ  ॥

ତୁମକୁ ମୁଁ ନିଇତି ଝୁରେ ସକାଳ-ସନ୍ଧ୍ୟାରେ
ପୁଣି ମନେ ମନେ ଖୋଜେ ଏକା ଥିବାବେଳେ
ଏକା ସିନା ରହିଯାଏ ବହୁ ଯନ୍ତ୍ରଣାରେ
ହେଲେ କେତେ ସହିବି ଏଇ ଦୁଃଖ କହିଯାଅ ଥରେ 
ଯଦି ତୁମେ ବୁଝିଯିବ କ୍ଷମା ଦେବ ବାରେ  ॥

                         ✍  ସୁଶୀଲ୍ କୁମାର ଭୋଇ
                                        (ଛାତ୍ର)

ବାରକୁଦା, ପାଞ୍ଚଗାଁ,ଜଟଣୀ,ଖୋର୍ଦ୍ଧା(୭୫୨୦୫୦)

Wednesday, January 13, 2021

ଜରା ନିବାସ

#ଜରା_ନିବାସ
                  ✍ ଶ୍ରୀ ଲକ୍ଷ୍ମୀଧର ନାୟକ (ଆଦିସ୍ୟ)

ତୁମେ ମୋ ବୋଉର ବାପା ପରି ଲାଗୁଛ । ମୋର ତ ଅଜା । ଦେଖିଲ ମୋ ଆଡ଼େ, ମୁଁ ତୁମର କେଡ଼େ ସୁନ୍ଦରୀ ନାତୁଣୀ ।

ଆଉ କେଇ ଦିନରେ ମୋ ବାହାଘର. . . !

ମୁଁ କିନ୍ତୁ ଚାକିରୀ ଛାଡୁ ନି ଅଜା । ମାନବ ସେବା ପରା ମାଧବ ସେବା । ଠିକ୍ ସପ୍ତ ମଙ୍ଗୁଳା ପର ଦିନ ମୁଁ ଏଠି ପହଞ୍ଚି ଯିବି ମୋ ସ୍ୱାମୀଙ୍କ ସହିତ. . . ।

ତାଙ୍କୁ ଦେଖି, ତୁମେ ବି ଖୁସି ହେବ ।

କହିବ- “ଯୋଡ଼ିଟା ବିଧାତା ନିରୋଳା ଟାଇମ୍‌ରେ ମନ ଲଗାଇ କରିଛି ।” ବଢ଼ିଆ ପିଲା ମ’ । ଆମେ ଏକା ସାଥୀରେ କଲେଜ୍‌ରେ ପଢୁଥିଲୁ । ଦୁହେଁ ଦୁହିଁଙ୍କୁ ବୁଝିଥିଲୁ ।

ଆଚ୍ଛା ଅଜା ! ପ୍ରଥମ ସାକ୍ଷାତ୍‌ରେ ତମେ ଆମକୁ କ’ଣ ଦେବ ? ହୃଦୟ ପାଇଁ ହସ ଧାରେ, ନା. . . ଜୀବନ ପାଇଁ ଆଶୀର୍ବାଦର ସ୍ପର୍ଶ. . . ଆମ ମୁଣ୍ଡ ଉପରେ

. . . ତୁମର ଏହି ଦୁଇ ହାତର ।

ଆଜି ଜରାନିବାସକୁ ନୂଆ କରି ଆସିଥିବା ବୃଦ୍ଧ ଜଣକ ଚଷମା ତଳୁ, ଏହି ଚୁଲବୁଲି ଝିଅଟିର ମୁହଁକୁ ଟିକେ ଚାହିଁଲେ ଓ ପରେ ପରେ ପୂର୍ବ ପରି ଚାହିଁ ରହିଲେ- ସାମ୍ନା ବଗିଚାର ନାନା ରଙ୍ଗର ଫୁଲଙ୍କୁ, କଅଁଳ ସବୁଜ ପତ୍ରଙ୍କୁ, କୃତ୍ରିମ ଝରଣାରେ ପହଁରୁ ଥିବା ଛଅଟି ହଂସ ହଂସୁଲୀଙ୍କୁ ଓ ଗୋଟିଏ ବଟଲ୍‌ ବ୍ରଶ୍ ଫୁଲକୁ ଫିଙ୍ଗିଦେଲେ. . . ।

ତାଙ୍କ ଡାହାଣ ହାତଟା ସାମ୍ନାକୁ ଲମ୍ୱି ଯାଇ କଟ୍ କରି ଶବ୍ଦଟାଏ କଲା । ସେ ଯନ୍ତ୍ରଣାରେ ଧୀର ଚିତ୍କାରଟିଏ କଲେ ଓ ବାଁ ହାତରେ ବାହା ମୂଳକୁ ଚାପିଧରି, ମୁହଁକୁ ବିକୃତ କରିଦେଲେ. . . ।

ଝିଅଟା ଆଉଁସି ଦେଉ ଦେଉ କହିଲା- “ଅଜା ! ବାହୁ ପରା ଦୁର୍ବଳ ହେଲାଣି । ରକା ପଶିଗଲା କି ? ବ୍ୟସ୍ତ ହୁଅ ନାହିଁ । ତୁମ ନାତୁଣୀ ଆଉ କେଉଁ ବେଳର ? ତୁମର ସବୁ ଦାୟିତ୍ୱ ପରା ମୋ ଉପରେ. . . । କିଛି ହେବନି ମ’ । ମୁଁ ଅଛି ନା ।”

ସେ ନିଜ ଭ୍ୟାନିଟ୍ ବ୍ୟାଗରୁ ମୂଭ୍ ମଲମ ବାହାର କରି, ଟିପେ ଲମ୍ୱର ନେଲା, ବୃଦ୍ଧଙ୍କ ଡାହାଣ ହାତ ବାହୁ ମୂଳରେ ଧୀରେ ପ୍ରଲେପ ଦେଇ, ହାଲୁକା ସ୍ପର୍ଶରେ ଉପରୁ ତଳକୁ ଘସିଲା । କହୁଣୀ ଓ କଚଟୀକୁ ମଧ୍ୟ ସେମିତି ସେମିତି ମଲମ ବୋଳି, ପ୍ରାଥମିକ ଚିକିତ୍ସା ଶେଷ କଲା ।

ଏଥର ବୃଦ୍ଧ ତାଙ୍କୁ ସଳଖ ହେଇ ଚାହିଁଲେ ।

ପ୍ରକୃତରେ ଭାରି ସୁନ୍ଦର ଝିଅଟିଏ ।

ଯେଉଁ ପାନଖିଆ ଛେପ ଲଣ୍ଡାଏ ସେ ଘୃଣାରେ ପକାଇ ଦେଇଥିଲେ, ସେଥିରୁ କିଛିଟା କଳା ଚପଲ ଭିତରୁ ଗୋରା ଗୋରା ଲାଗୁଥିବା ତା’ର ଡାହାଣ ଗୋଡ଼ ପାଦ ଉପରକୁ ଛିଟିକି ପଡ଼ିଛି ।

ସେ ନଇଁ ପଡ଼ି ତାକୁ ରୁମାଲ୍‌ରେ ସଫା କରି, ହସି ହସି ଚାହିଁଛି ବୃଦ୍ଧଙ୍କୁ । ମୁହଁରେ ସାମାନ୍ୟ ବିରକ୍ତିର ଚିହ୍ନ ନାହିଁ ।

. . . ରୂପରେ ଯେମିତି, କଥାରେ ସେମିତି ।

ଅତି ଆପଣାର ପରି ଲାଗୁଛି ଝିଅଟା. . . ।

ନିଜର ପୁଅ ବୋହୂ ନାତି ନାତୁଣୀ ତ ହେଲେ ନାହିଁ. . . ଏ କ’ଣ ହେବ ?? ତଥାପି, କିଛିଦିନର ଅବଲମ୍ୱନ । ଝିଅଟା ଅଭାବରେ ପଡ଼ି ଚାକିରୀ କରୁଥିବ ।

ଛଳ ଛଳ ଯୌବନର ମହକିତ ବୟସ ଏହାର । ବଗିଚାରେ ବୁଲି ବୁଲି, ଫୁଲମାନଙ୍କୁ ଗାଲରେ ଲଗାଇ, ସ୍ୱପ୍ନରେ ସ୍ୱପ୍ନରେ ଭିଜୁଥାନ୍ତା ଏ । କାହିଁକି ଏଠି ଏ ପତ୍ରଝରା ଋତୁଟା ପାଇଁ ଏତେ ସ୍ନେହ ଅଜାଡ଼ି ଦିଅନ୍ତା . . . ଯଦି ଚାକିରୀ ତା’ ପାଇଁ ନିହାତି ପ୍ରୟୋଜନ ନଥାନ୍ତା ।

ବେକଟା ଖାଲି ପଡ଼ିଛି. . . ।

ସୁନା ଚେନ୍‌ଟିଏ ସେଠାରେ ଭଲ ମାନନ୍ତା ।

ବାଁ ହାତ ଅନାମିକା ଆଙ୍ଗୁଳିଟି ପାଇଁ ପଥର ଖଞ୍ଜା ସରୁ ମୁଦିଟିଏ ଦରକାର । ବୃଦ୍ଧ କ’ଣ ଭାବି, ନିଜ ବେକରୁ ପିନ୍ଧିଥିବା ରଗଡ଼ା ଚେନ୍‌ଟା ବାହାର କରି, ତା’ ହାତକୁ ବଢ଼ାଇଲେ. . . ।

. . . କ’ଣ ହେବ ?

ହସି ହସି ପଚାରିଲା ଝିଅଟା. . . ।

: ତୁ ଏଇଟାକୁ ପିନ୍ଧି ନେ ! ମୋର ଆଉ ଦରକାର କ’ଣ ?

ଝିଅଟା ଅଳ୍ପ ହସର ରେଖା ଓଠରେ ଫୁଟାଇ ସେଇଟିକୁ ପୁଣି ବୃଦ୍ଧଙ୍କ ବେକରେ ଲମ୍ୱାଇ ଦେଲା । କହିଲା- “ଆମ ଜରାନିବାସର ଏଗ୍ରୀମେଣ୍ଟ୍‌ର ତୁମ ଗଳାରେ ଚେନ୍‌ଟିଏ, ହାତ ଆଙ୍ଗୁଳିରେ ମୁଦିଟିଏ ଥିବା କଥା ଉଲ୍ଲେଖ ଅଛି । ଯଦି କେବେ ଘରକୁ ଫେରାଇ ନିଆଯାଏ ତୁମକୁ. . ., ଏ ସବୁ ତୁମ ସହିତ ଯିବ । ଯଦି ଏଇ ମାଟିରେ ତୁମର ମିଶିବାର ଥାଏ. . . ଏ ସବୁ ତୁମ ପୁଅ ବୋହୂଙ୍କୁ ଫେରାଇ ଦିଆଯିବ । କାରଣ, ଏ ସବୁ ସେମାନଙ୍କର । ତାଙ୍କ ସ୍ମୃତିର. . . ।”

ବୃଦ୍ଧଙ୍କ ଆଖି ଛଳଛଳ ହେଇ ଉଠିଲା ।

ଆଜି ପୁଅ ତାଙ୍କୁ ଆଣି, ଏହି ଜରାନିବାସରେ ଛାଡ଼ିଛି । ବୋହୂ ବି ଆସିଛନ୍ତି, କିନ୍ତୁ ସେ ଏଠିକୁ ନ ଆସି, ବଗିଚାରେ ବୁଲି ବୁଲି, ତାଙ୍କ ପୁଅ ଝିଅଙ୍କୁ କିସମ୍ କିସମ୍ ଫୁଲଙ୍କର ପରିଚୟ ଦେଉଛନ୍ତି । ବଟାନୀରେ ପୋଷ୍ଟ୍ ଗ୍ରାଜୁଏସନ୍ ତାଙ୍କର । ବଗିଚାକୁ ଭାରି ଆଦର ।

ଯେଉଁ ଫୁଲ ତାଙ୍କ ବଗିଚାରେ ନାହିଁ କିମ୍ୱା ଯାହାର ନାଁ ସେ ଜାଣିନାହାନ୍ତି, ସେ ସବୁର ଫଟୋ ତାଙ୍କ ମୋବାଇଲ୍ ଫୋନ୍ କ୍ୟାମେରାରେ ନେଉଛନ୍ତି । ଜରା ନିବାସରୁ ଫେରିବା ବେଳେ ସିଟୀ ନର୍ସରୀରୁ ସେହି କିସମର ଚାରା କାର୍ ଡିକୀରେ ଭର୍ତ୍ତି କରି ନେବେ । ମାଳୀ ସେ ସବୁର କେୟାର୍ ନେବ ।

ବୃଦ୍ଧ ଥରକୁ ଥର ନାତି ନାତୁଣୀଙ୍କ ଆଡ଼କୁ ଚାହୁଁଥାନ୍ତି । ହୁଏତ. . . ସେମାନେ ଥିଲେ ତାଙ୍କ ପାଇଁ ପରିବାରର ଶେଷ ଆକର୍ଷଣ । ଆଉ ସେମାନଙ୍କୁ ଜୀବନରେ ଦେଖି ହେବ କି ନାହିଁ । ଟିକେ ଆସନ୍ତେ କି ପାଖକୁ. . . !

ସେମାନେ ଏଇ ନିକଟରେ କେଉଁ ଦିନ ପଢ଼ିବାକୁ ଫରେନ୍ ଚାଲିଯିବେ । ନାତି ଯିବ ଅକ୍ସଫୋର୍ଡକୁ, ନାତୁଣୀ କେମ୍ୱ୍ରିଜ୍‌କୁ । ତାଙ୍କ ମମୀ ବି ତାଙ୍କ ସହିତ ଯିବେ । ସେଇଠି ଥାଇ, ଏଠି ସେଠି ହେଉଥିବେ ।

ଏମିତି. . . ବୋହୂ ମା’ ବର୍ଷରେ ଥରେ ଦୁଇଥର ଫରେନ୍ କଣ୍ଟ୍ରିକୁ ଭ୍ରମଣରେ ଯାଆନ୍ତି । ଏବେ ପିଲା ପଢ଼ିବେ । ତାଙ୍କୁ ବାରମ୍ୱାର ଯିବାକୁ ହେବ ତ । ପୁଣି, ଇଣ୍ଡିଆକୁ ବି ଛାଡ଼ି ହେବନି । ବୋଉ ନାହାନ୍ତି । ଏକ ମାତ୍ର ବାପା । ଭାଇ ବି ନାହାନ୍ତି, ପୁଣି ସ୍ୱାମୀଙ୍କ ବିଜିନେସ୍‌ରେ କିଛିଟା ସାହାଯ୍ୟ ଦରକାର ।

ଏଣୁ, ବୁଢ଼ା ଶଶୁର ଅତି ପରିଣତ ବୟସରେ ଘରେ ପଡ଼ି ଚାକର ବାକରଙ୍କୁ ହଇରାଣ କରିବେ କାହିଁକି ? ବରଂ, ଏଇଠି ଜରାନିବାସରେ ବେଶ୍ ଆରାମ୍‌ରେ ଚଳି ଯିବେ ।

ମ୍ୟାନେଜର୍ ପହଞ୍ଚି ଦୁଇ ହାତ ଯୋଡ଼ି ନମସ୍କାର କଲେ । କହିଲେ- “କଙ୍ଗ୍ରାଚୁଲେସନ୍ ସାର୍ ! ମୁଁ କିଏ, ଆପଣଙ୍କର ମନେ ନ ଥାଇପାରେ । ମୁଁ ଆପଣଙ୍କ ପାଖରେ ତିରିଶ୍ ବର୍ଷ ପୂର୍ବରୁ ପଢ଼ିଥିଲି, ହାଇସ୍କୁଲରେ । ଆପଣ ଆମ ଜରାନିବାସର ଜଣେ ରେକର୍ଡଧାରୀ ଅନ୍ତେବାସୀ ଆଜିଠାରୁ । କାରଣ, ଆପଣ ଆମର ଅଶୀତମ ସଦସ୍ୟ ଓ ଆପଣଙ୍କ ବୟସ ମଧ୍ୟ ଅଶୀ । ଆମେ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛୁ ।”

ଏହି ଝିଅଟି ତାଙ୍କ ବେକରେ ଫୁଲ ହାରଟିଏ ଲମ୍ୱାଇ ଦେଲା । କେହି ଜଣେ କର୍ମଚାରୀ, ତାଙ୍କ ସାମ୍ନାରେ ରେଜିଷ୍ଟର୍ ଖାତାଟିର ଫର୍ଦ୍ଦ ଖୋଲି, ସ୍ୱାକ୍ଷର ନେବାକୁ ଦେଖାଇଲା. . . । ସେଥିରେ ଲେଖାଥିଲା-

ମୁଁ ଦ୍ୱାରିକାନାଥ ଶ୍ରୀଚନ୍ଦନ ମହାପାତ୍ର. . . କାହାରି ବାଧ୍ୟ ବାଧକତାରେ ନୁହେଁ, ନିଜ ଇଚ୍ଛାରେ ଜରାନିବାସରେ ରହିବାର ସ୍ୱୀକୃତି ଦେଉଛି. . . ।

ସ୍ୱାକ୍ଷର. . . !

ତାରିଖ. . . !

ହଠାତ୍ ବୃଦ୍ଧ ଦ୍ୱାରିକାନାଥ ଚେୟାର୍ ଛାଡ଼ି ଉଠି ପଡୁ ପଡୁ ପଡ଼ିଯାଉଥିଲେ । ତାଙ୍କୁ ତାଙ୍କର ପରିଚାରିକା. . . ଏ ଝିଅଟା ଧରି ପକାଇଲା । ବୃଦ୍ଧ ତାଙ୍କ ବେକର ଫୁଲମାଳାକୁ ଛିଡ଼ାଇ ପକାଇ ଦୂରକୁ ଫିଙ୍ଗିଦେଲେ ଓ ଅନୁଚ୍ଚ କରୁଣ ସ୍ୱରରେ କହିଲେ-

“. . .ଏଥିରେ ଆହୁରି ଲେଖି ଦିଅ- କାହାରି ବାଧ୍ୟ ବାଧକତାରେ ନୁହେଁ, ନିଜ ଇଚ୍ଛାରେ, ମୁଁ ମୋର ସମସ୍ତ ସମ୍ପତ୍ତି ଜରାନିବାସକୁ ଦାନ କରୁଛି. . . ।”

ଲେଖ, ମୁଁ ସ୍ୱାକ୍ଷର କରି ଦେଉଛି ।

ବୋହୂ ମା’ ତାଙ୍କ ପାଖକୁ ଆସିସାରିଥାନ୍ତି ।

ସ୍ଥାଣୁ ପରି ଠିଆ ହୋଇଥିବା ସ୍ୱାମୀଙ୍କ ଟାଇକୁ ଟିକେ ଟାଣି ଦେଇ, ତାଙ୍କ କୋଟ ଛାତିରେ ଅଳ୍ପ ଆଘାତର ମୃଦୁ ବିଧାଟିଏ ମାରି, ସାମାନ୍ୟ କର୍କଶ ସ୍ୱରରେ ତାତ୍ସଲ୍ୟ ଭରି କହିଲେ- “ମୁଁ ତୁମକୁ କହିଥିଲି ନା, ତୁମ ବାପାଙ୍କର ମତିଭ୍ରମ ଘଟିଲାଣି ।”

ସ୍ୱାମୀ ଚମକିଲା ପରି କହିଲେ-

“ହଁ ହଁ କହିଥିଲ ତ ! ଏବେ ତାଙ୍କ ସମ୍ପତ୍ତିର ହିସାବ ତାଙ୍କୁ ବୁଝାଇ ଦିଅ ।”

ବୋହୂ ଶଶୂରଙ୍କୁ କହିଲେ-

“ସୌଭାଗ୍ୟକୁ ଆପଣଙ୍କ ପରି ଜଣେ ଦରିଦ୍ର ଶିକ୍ଷକଙ୍କ କୋଳରେ ଏପରି ଯୋଗ୍ୟ ପୁଅ ଜନ୍ମ ହୋଇଥିଲେ । ମାଟ୍ରିକ୍‌ରେ ବେଷ୍ଟ୍-ଟେନ୍ଥ-ବେଷ୍ଟ ହେଇଗଲେ । ଆପଣ ତ ତା’ ଆଗ ଚାରି ବର୍ଷରୁ ରିଟାୟାର୍ଡ କରି, ବଡ଼ ଚାରି ଝିଅକୁ ପ୍ରତି ବର୍ଷ ଜଣକ ପରେ ଜଣଙ୍କୁ ବିବାହ ଦେଇ, କରଜରେ ବୁଡ଼ିଥିଲେ । ଯୋଗ୍ୟ ପୁଅଙ୍କୁ ଅଯୋଗ୍ୟ କରି ରଖିବାର ଯଥେଷ୍ଟ ନିରାଶ୍ରୟତା ଆପଣଙ୍କର ଥିଲା ।

ମୋ ବାପା ଏ ପ୍ରତିଭାକୁ ଚିହ୍ନିଲେ. . . ।

ମୋ ବାପା ଆପଣଙ୍କ ପୁଅକୁ ଇଞ୍ଜିନିୟର୍ କଲେ ।

ମୋ ବାପା ତାଙ୍କ ଇମ୍ପୋର୍ଟ ଏକ୍ସପୋର୍ଟ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର କରି ଦେଲେ ଏହାଙ୍କୁ . . . । ମୋ ବାପା ୟା’ଙ୍କ ବିଜିନେସଟାକୁ କଣ୍ଟିନେଣ୍ଟାଲ୍ କରାଇ ଦେଲେ. . . । ଯେଉଁ ଲୋକଙ୍କ ପାଇଁ ଆପଣ ପୁରୁଣା ସାଇକେଲ୍ ଖଣ୍ଡେ ଯୋଗାଡ଼ କରିପାରି ନଥିଲେ, ସେ ପ୍ଲେନ୍‌ରେ ପୃଥିବୀ ସାରା ବୁଲିଲେ, କେବଳ ମୋ ବାପାଙ୍କ ଉଦ୍ୟମରେ ।

ମୋ ବାପାଙ୍କର ମୁଁ ଗୋଟିଏ ମାତ୍ର ଝିଅ । ବୋଉ ମରିଛି । ଭାଇ ନାହାନ୍ତି । ବିରାଟ ଇଣ୍ଡଷ୍ଟ୍ରିଆଲିଷ୍ଟ୍ । ବାପା କହିଲେ- “ନାଇଁ, ମାଷ୍ଟରଟା କାନ୍ଦିବ । ମୋ ଝିଅର ମଙ୍ଗଳ ହେବ ନାହିଁ । ତା’ ପୁଅ ଆମ ଘରେ ନ ରହୁ । ସେ ତାଙ୍କ ଘରେ ରହୁ ।’ କେମିତି ହୃଦୟ ମୋ ବାପାଙ୍କର ।

ଆପଣଙ୍କ ଚାରି ବଖରା ମାଟି-ଖପର ଘରକୁ ସେ ବିରାଟ ପ୍ରାସାଦ କରିଦେଲେ । ଆପଣଙ୍କ ସେହି ଚାରି ବଖରା ଘର, ଚାରିକୋଟି ଟଙ୍କାର ମହଲ୍ ବନିଗଲା, କେବଳ ମୋ ବାପାଙ୍କ କୃପାରୁ ।

କାଳେ ଆପଣଙ୍କର ମନେ ରହିବ ନାହିଁ, ଏହି ପାଇଁ, ବଗିଚାର ଗୋଟାଏ ପାଖରେ ସର୍ଭ୍ୟାଣ୍ଟ କ୍ୱାଟର୍ସ କରି, ତା’ର ସ୍ଲୋପିଂ ଛାତରେ ସେହି ଭଙ୍ଗା ଖପରକୁ ବାପା ଖଞ୍ଜାଇ ଦେଇଛନ୍ତି । ସେ କହିଥିଲେ. . . “ମଣିଷଠାରୁ ସାଂଘାତିକ କୃତଘ୍ନ କେହି ପୃଥିବୀରେ ନାହାନ୍ତି । କାରଣ, ଅନ୍ୟର ଉପକାରକୁ ସେ ଅପକାର କରି, ଶୁଝିଥାଏ ।’

ମୋ ବାପା ଟଙ୍କା ଖର୍ଚ୍ଚ କଲା ବେଳେ ମାଲିକାନା କଥା ଚିନ୍ତା କରି ନଥିଲେ । କାରଣ ସେ ଜାଣନ୍ତି- ଏ ପୃଥିବୀଟା କାହାର ନିଜର ନୁହେଁ । ସମସ୍ତେ ଏହାରି ଭିତରେ ମିଶିବେ । ଏମିତି ଉଦାର ସେ ଯେ. . . କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଲେ, ଅଥଚ ଆପଣ ଏତେ କୃତଘ୍ନ ଯେ, ଫୁଣ୍ଟାଟିଏ ବି ଖର୍ଚ୍ଚ ନ କରି, ମାଲିକାନା ସୂତ୍ରରେ ବିରାଟ ରାଜ୍ ମହଲ୍‌ର ମାଲିକ୍ ହେଇଗଲେ ବୋଲି, ଆଜି ତାକୁ ଜରାନିବାସକୁ ଦାନ କରିଦେବାକୁ ଘୋଷଣା କରିଦେଲେ । ବାଃ ! ପୂଜ୍ୟ ମାଷ୍ଟର୍ ଜାତିଟାର କି ଉଦାର ଉଦାହରଣ ଆପଣ !

. . . ଆପଣଙ୍କ ଘରର ମୂଲ୍ୟ ଏବେ ଚାରିକୋଟି ଟଙ୍କା । ସାମ୍ନାରେ ଯେଉଁ ବଗିଚାଟା ଅଛି, ସେଠି ଗୋଟେ ତେଲେଙ୍ଗା ବସ୍ତି ଥିଲା । ତାକୁ ଉଠାଇବା ପାଇଁ, ବାପା ଶାସକ ଠାରୁ ଶୋଷକ ଯାଏ, ପଚାଶ ଲକ୍ଷରୁ କମ୍ ଖର୍ଚ୍ଚ କରି ନାହାନ୍ତି । ସେଇ ଜାଗାଟା ବାପା ଆମ ନାଁରେ କରିଛନ୍ତି ।

ତାକୁ ବି ଆପଣ ହସ୍ତାନ୍ତର କରିପାରନ୍ତି. . . ।

ଆମେ ସ୍ୱୀକୃତି ଦେଇ ଦେବୁ । ଆପଣ ରାଜି ତ !”

ଝିଅଟାକୁ ଅବଲମ୍ୱନ କରି ବୃଦ୍ଧ ଦ୍ୱାରିକାନାଥ କହିଲେ- “ମା’ ! ଟିକେ ବୋହୂଙ୍କୁ ପଚାରିଲୁ- ତାଙ୍କ କୋଟିପତି ବାପାଙ୍କୁ ଯଦି ମୋ ବୟସରେ ଜରାନିବାସରେ ଛାଡ଼ିଦିଆଯାଏ. . . କେମିତି ଲାଗିବ ତାଙ୍କୁ ? କୋଟିପତି ମୁହୂର୍ତ୍ତକରେ ନିଃସ୍ୱ ହେଇଯିବେ ନି କି ? ସମ୍ପର୍କହୀନ ଟଙ୍କାର ପାହାଡ଼ ତାଙ୍କୁ କି ଶାନ୍ତି ଦେବ !”

ବୋହୂ କହିଲେ- “କିଛି ଫରକ୍ ପଡ଼ିବ ନାହିଁ ।

ମୋ ବାପା ଖୁସିରେ ଆତ୍ମହରା ହେଇ ଉଠିବେ । କାରଣ, ବୁଢ଼ା କାଳରେ ପରିବାରର ବୋଝ ହେବାଟା ଗୋଟାଏ ଅଦୂରଦର୍ଶୀ ପାରମ୍ପରିକତା । ଏହି ସମୟରେ ସମସ୍ତଙ୍କଠୁ ଅଲଗା ରହି, ସେମାନଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ ନ କରି, ସେମାନଙ୍କ ମୂଲ୍ୟବାନ ସମୟକୁ ମହତ୍ତ୍ୱ ଦେଇ. . . ସ୍ୱଚ୍ଛନ୍ଦ ଭାବରେ ଜରାନିବାସରେ ଅବଶିଷ୍ଟ ଜୀବନ ଜୀଇଁବା, ଗୋଟାଏ ଉଚ୍ଚ ମୂଲ୍ୟବୋଧର ପରିମାର୍ଜିତ ସାମାଜିକତା. . . ।”

ବୁଢ଼ା ଏଥର ସିଧା ପ୍ରଶ୍ନ କଲେ- “ଯଦି ତୁମ ପୁଅ ବୋହୂ ତୁମ ଦୁହିଁଙ୍କୁ ଏମିତି ଛାଡ଼ି ଦିଅନ୍ତି ?”

: “ଆମେ ଖୁସି ହେବୁ । ଏହି ପାଇଁ ଯେ. . . କାହାରି ବୋଝ ହେଇ ନ ରହିବାର ଯେଉଁ ନୂଆ ପ୍ରୟୋଗ ଏବେ ପରମ୍ପରା ହେବାକୁ ଚେଷ୍ଟା ଚଳାଇଛି, ଆମ ପିଲାଏ ତାକୁ ଗ୍ରହଣ କରୁଛନ୍ତି । ଆମେ ତ ଆପଣଙ୍କ ପାଇଁ ଜରାନିବାସର ବିଭିନ୍ନ ଦେୟ ବାବଦକୁ ମାସିକ ପନ୍ଦର ହଜାର ଟଙ୍କା ହିସାବରେ, ପାଞ୍ଚ ବର୍ଷ ପାଇଁ ମୋଟ ନଅ ଲକ୍ଷ ଟଙ୍କାର ଏଗ୍ରୀମେଣ୍ଟ୍ କରିଛୁ । ଫିପ୍ଟି ପରସେଣ୍ଟ୍ ଆଡ୍ଭାନ୍ସ ଡିପୋଜିଟ୍ କରିଛୁ । ଆମେ କିନ୍ତୁ ବୁଢ଼ା ବୟସରେ ଜରାନିବାସକୁ ଆସିବୁନି, କିନ୍ତୁ ପିଲାଙ୍କ ଉପରେ ବୋଝ ହେଇ ରହିବୁ ନି ।

. . . ଯଥେଷ୍ଟ ଆଗରୁ, କୌଣସି ସ୍ୱାସ୍ଥ୍ୟ ନିବାସ କ୍ଷେତ୍ରରେ ଆମ ପାଇଁ ସ୍ୱତନ୍ତ୍ର ଘର ତୋଳିଥିବୁ । ଜରାନିବାସର ସମସ୍ତ ସୁବିଧା ସେଠାରେ ଥିବ । ଆମ ପାଇଁ ଅନ୍ୟମାନେ ଲାଗିବେ- ଯେଉଁମାନେ ଚାକିରୀ କରି ଉପାର୍ଜନ କରିବାକୁ ଚାହୁଁଥିବେ । ଆମେ ଆମ ପିଲାଙ୍କଠାରୁ ଯଥେଷ୍ଟ ଦୂରକୁ ଘୁଞ୍ଚି ଯାଇଥିବୁ ।

କାରଣ, କିଛି ଲୋକ ସାକ୍ରିଫାଇସ୍ ନ କଲେ, ଅନେକ ଲୋକଙ୍କର ଉପକାର ହୁଏ ନା । ସମାଜଟା ଏହି ଅକର୍ମଣ୍ୟ କଟ୍ଟରପନ୍ଥୀ ବୁଢ଼ାବୁଢ଼ୀଙ୍କ ଯୋଗୁଁ ହିଁ ଅଧା ଅଧି ସ୍ଥାଣୁ ହେଇଯାଉଛି । ସବୁ ମଣିଷ ସମାନ । ପୁଅ କ’ଣ ନା ଝିଅ କ’ଣ ! ସ୍ନେହ ଯଦି ସବୁ ଜାଗାରୁ ମିଳିଲା. . . ବିଶ୍ୱାସ ଯଦି ସବୁ ଆଡ଼େ ମାଡ଼ିଲା. . . ନିଜ ରକ୍ତ, ପର ରକ୍ତର ମାନେ କିଛି ନାହିଁ ।

ଏହିପରି ସମାଜ ଗଠନ ପାଇଁ ନୂଆ ଉଦ୍ୟମ ଆରମ୍ଭ ହେଉଛି- ଏହି ଜରାନିବାସ ମାନଙ୍କରୁ । ଅଥଚ ଆପଣ ! ପୃଥିବୀଟା କେଡ଼େ ଛୋଟ ହେଇଗଲାଣି, ଆପଣ ସେହି ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି ଯାହା ।”

ଏହି ସମୟରେ ନାତି ନାତୁଣୀ ସେଠାରେ ପହଞ୍ଚିଗଲେ । ଜେଜେ ପଚାରିଲେ- “ଆରେ ! ବୁଢ଼ା ବୟସରେ ତୁମେମାନେ ତୁମ ବାପା ମା’. . . କି ଶାଶୁ ଶଶୁରଙ୍କୁ ଅସହାୟ ମାନସିକ ଅବସ୍ଥାରେ, ଜରାନିବାସରେ ଛାଡ଼ି ଦେଇପାରିବ ? ତୁମେ ସିନା ନୂଆ ଯୁଗରେ ନୂଆ ପରମ୍ପରା ପାଇଁ ବ୍ୟସ୍ତ. . . ତୁମ ଭିତରେ ଥିବା ମନଟା କ’ଣ ପୁରୁଣା ପ୍ରେମରେ ବନ୍ଧା ନ ଥିବ ?”

ନାତୁଣୀ କହିଲା- “ଗ୍ରାଣ୍ଡ୍ପା’ ! ଆମେ ଯେଉଁ ପଶ୍ଚିମ ଦେଶକୁ ପଢ଼ିବାକୁ ଯାଉଛୁ, ସେଠାକାର ମଣିଷ ପଶୁଙ୍କଠାରୁ ଶିଖନ୍ତି । ପକ୍ଷୀଙ୍କଠାରୁ ବୁଝନ୍ତି । ଥିଓରୀଟା ଆପଣ ବୁଝିପାରିବେ ନାହିଁ ହଠାତ୍ । ଏକ୍ସପ୍ଲେନ୍ କରିଦେଉଛି-

. . . ଚଢ଼େଇମାନେ ବସା ବାନ୍ଧନ୍ତି. . . ଅଣ୍ଡା କରାନ୍ତି. . . ଅଣ୍ଡା ଦିଅନ୍ତି. . . ଉଷୁମାନ୍ତି. . . ଛୁଆ ଫୁଟାନ୍ତି । ପଶୁମାନେ ଗର୍ଭ ଦିଅନ୍ତି. . . ଗର୍ଭ ନିଅନ୍ତି. . . ଛୁଆ ଜନ୍ମ କରନ୍ତି । ଅଳ୍ପ କେଇ ଦିନର ଦାୟିତ୍ୱ ପରେ କେହି କାହାର ବୋଝ ହେଇ ରହନ୍ତି ନାହିଁ । ଏଇ ପାଇଁ ପଶ୍ଚିମର ଅଧିକାଂଶ ଦେଶ ଆଡ୍ଭାନ୍ସଡ୍ ।”

ନାତି କହିଲା- “ସେମାନେ ବୁଢ଼ା ହେବା ଯାଏ ଗୋଟାଏ ଜାଗାରେ ଅଟକି ରହନ୍ତି ନାହିଁ । ସମଗ୍ର ସଂସାରରେ ସବୁ କିଛିକୁ ନିଜର ବୋଲି ମନେ କରି, ନିଜର ଆବଶ୍ୟକତା ମୁତାବକ ଯେଉଁଠି ସୁବିଧା, ସେଠୁ ସଂଗ୍ରହ କରିନିଅନ୍ତି. . . ସରଳ ଭାବରେ ହେଉ, କି ବଳ ପ୍ରୟୋଗ କରି ହେଉ ! ସେଠି ନିରବରେ ପଶୁ-ପକ୍ଷୀ ଏହି ଶିକ୍ଷା ଦିଅନ୍ତି । ସେଠି ମଣିଷ ଏହି କଥା ଶିଖନ୍ତି ।”

“ତେବେ, ତୁମେ କ’ଣ କରିବ ?” ଜେଜେ ପ୍ରଶ୍ନ କଲେ ।

“ଆମେ ଫରେନ୍‌ରେ ପଢ଼ିବୁ । ଫରେନ୍ କଲଚର୍‌ରେ ବଢ଼ିବୁ । ସେଇଠି ରହିବୁ । ନିଜକୁ ଭାରତ, ବିଲାତ କି ଆମେରିକାର ଲୋକ ନ ଭାବି, ପୃଥିବୀର ମଣିଷ ବୋଲି ମନେ କରିବୁ । ଯେଉଁଠି ଦୁର୍ବଳ ବାଡ଼ ଦେଖିବୁ, ଷଣ୍ଢ ଭୂଷିଲା ପରି, ବାଡ଼ ଭାଙ୍ଗି ସବୁକୁ ଚରିଯିବୁ । ଯେଉଁଠି ଶସ୍ୟ କିଆରୀ ଦେଖିବୁ, ପକ୍ଷୀ ଖୁଣ୍ଟି ଖାଇଲା ପରି, ସବୁ ଦାନା ଖାଇଯିବୁ । ବାହା ହେବୁ ସେଇଠି । ପ୍ରଥମକୁ ଭୁଲିଯାଇ ଦ୍ୱିତୀୟକୁ, ପୁଣି ଦ୍ୱିତୀୟକୁ ଭୁଲି ଯାଇ ତୃତୀୟକୁ. . . ଏମିତି ଏମିତି ମନ ବଳ, ଦେହ ବଳ ଥିବା ଯାଏ, ବାହା ହେଉଥିବୁ । ସନ୍ତାନ କରିବୁ ନାହିଁ । ଯଦି ଭୁଲ୍ କ୍ରମେ ହୋଇଯାଏ. . . ଅନାଥାଶ୍ରମରେ ଛାଡ଼ି ଦେଇ, ତାଙ୍କ ପାଇଁ ଟଙ୍କା ଖଞ୍ଜି ଦେବୁ. . . । ଆମେ ନୂଆ ସଂସ୍କୃତିର ମୂଳଦୁଆ ପକାଇବୁ ।”

“କିରେ ତୁ ଏମିତି କ’ଣ କହୁଚୁ ?” ମମି ଶଙ୍କିତ ସ୍ୱରରେ ପଚାରିଲେ ।

ଝିଅ କହିଲା- “ଭାଇ ଠିକ୍ କହୁଚି ମମି । ଚଢ଼େଇ ଅଣ୍ଡାରୁ ଶାବକ ହେବା. . . ପଶୁ ଗର୍ଭରୁ ଛୁଆ ଜନ୍ମିବା, ପ୍ରାଣୀ ଜଗତରେ ଗୋଟାଏ ଗୋଟାଏ ଖେଳ କୌତୂକର ପରିଣାମ । ମଣିଷର ଛୁଆ ଜନ୍ମ ହେବା ବି ଏକା କଥା । ପାର୍ଥକ୍ୟ- ପଶୁ ପକ୍ଷୀଙ୍କର ସମାଜ ନାହିଁ, ଆମେ ସମାଜ ଗଢ଼ିଛୁ । ଯେ ଗଢ଼ିଛି, ସେ ନିୟମର ସଂଯୋଗ କରିପାରେ, ନିୟମ ଭାଙ୍ଗି ବି ଦେଇପାରେ ।

ବୁଝିଲୁ ମମି- ପଶୁ ପକ୍ଷୀ ଯେମିତି ସବୁ ସମ୍ପର୍କକୁ ଅଳ୍ପ ଦିନରେ ଭୁଲିଯାଆନ୍ତି. . . ମୋହ, ମାୟା ମମତାର ବନ୍ଧନରୁ ମୁକ୍ତ ହେଇ ରହନ୍ତି, ଆମେ ସେମିତି ହେଇଯିବୁ । ତାଙ୍କ ଠାରୁ ଆହୁରି ଆଡ୍ଭାନ୍ସଡ୍ ହେବୁ । କାରଣ, ଆମ ବୁଦ୍ଧିର ବିକାଶ ଅଛି ତ !”

ପୁଅ କହିଲା- “ଯେମିତି ପଶୁ ପକ୍ଷୀମାନଙ୍କର ବାପ, ମା’, ଭାଇ, ଭଉଣୀ ବୋଲି ସମ୍ପର୍କ କିଛି ନଥାଏ, ଆମର ବି ସେମିତି କାହାରି ସହିତ କୌଣସି ସମ୍ପର୍କ ନ ଥିବ । ସମ୍ପର୍କ ଥିଲେ ସିନା, ଜେଜେଙ୍କ ପରି ଆକୁଳ ବ୍ୟାକୁଳ ହେବାକୁ ପଡ଼ିବ । ସମସ୍ତ ପୁରୁଣା ସମ୍ପର୍କର ଶିକୁଳିକୁ ଭାଙ୍ଗି ଦେଇ, ବନ୍ଧନହୀନ ସ୍ୱଚ୍ଛନ୍ଦ ଜୀବନ ଜୀଉଁ ଜୀଉଁ, ଆମେ କିଏ କେଉଁଠି ମରିଯିବୁ, କେହି ବି ଜାଣିବେ ନାହିଁ । ଏଇଟା ଧୀରେ ଧୀରେ ଗୋଟାଏ ପରମ୍ପରା ହେଇଯିବ । ସମାଜଟା ଖାଲି ପର ବୋଝ ମୁଣ୍ଡାଇ ମୁଣ୍ଡାଇ, ଥକି ପଡ଼ିଲାଣି । ସେ ଟିକେ ଶାନ୍ତିରେ ଶୋଇବ ।”

ଏତିକି କହି, ହାତ ଧରାଧରି ହେଇ, ଭାଇଭଉଣୀ ବାହାରିଗଲେ । ବୋହୂମା’ଙ୍କ ଦାୟିତ୍ୱର ବୋଝ ହାଲ୍କା ହେଉ ହେଉ. . . ଓଜନିଆ ହେଇଗଲା । ସେ ହଠାତ୍ ଖୁବ୍ ବେଶି ପାରିବାରିକ ହୋଇପଡ଼ି କହିଲେ-

“. . . ମ୍ୟାନେଜର୍ !”

ୟେସ୍ ମାଡ଼ାମ୍ ।

“. . . ଆଡ୍ଭାନ୍ସ ଡିପୋଜିଟ୍ ଟଙ୍କାକୁ ଜରାନିବାସର ଡେଭ୍ଲପ୍ମେଣ୍ଟ୍ ହେଡକୁ ଡୋନେସନ୍ ଆକାରରେ ନେଇ ନିଅ । ଏଗ୍ରୀମେଣ୍ଟ୍ କ୍ୟାନ୍ସେଲ୍ କର. . . ।”

ଦ୍ୱାରିକାନାଥଙ୍କ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା ।

#ନଳ_ଦମୟନ୍ତୀ_କାହାଣୀ

#ନଳ_ଦମୟନ୍ତୀ_କାହାଣୀ 

ନିଶଧ ରାଜ୍ୟର ରାଜା ଥିଲେ ନଳ, ଯାହାଙ୍କ ନାମ ସେତେବେଳେ ଭାରତରେ ବିଖ୍ୟାତ ଥିଲା । ସୁଶାସନ, ଦାନ ଧର୍ମ, ନ୍ୟାୟ ବିଚାର ଓ ସ୍ନେହଭାବର ଦେବମୂର୍ତ୍ତି ପ୍ରତିମ ଥିଲେ ସେ । ପ୍ରଜାମାନଙ୍କୁ ପୁଅ ଝିଅ ଭଳି ପାଳୁଥିଲେ । ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ନିପୁଣ ଥିଲେ । ଶତ୍ରୁ ଆକ୍ରମଣ ଭୟ ପ୍ରଜାଙ୍କର ଆଦୌ ନଥିଲା । ବୀରସେନଙ୍କ ସେ ସୁପୁତ୍ର ଥିଲେ । ଅନେକ ରାଜାଙ୍କ ଭଳି ଯୁବାବସ୍ଥାରେ ନଳଙ୍କର ମଧ୍ୟ ଜୁଆଖେଳ ଏକମାତ୍ର ସଉକୁନି ଓ ଦୁର୍ବଳତା ଥିଲା ।  ରାଜା ନଳ ଦିନେ ରାଜଉଦ୍ୟାନରେ ବୁଲୁ ବୁଲୁ ଦଳେ ହଂସଙ୍କୁ ଦେଖିଲେ । ରାଜାଙ୍କୁ ବହୁତ ଭଲ ଲାଗିଲା ଓ ସେ ଗୋଟିଏ ହଂସକୁ ଧରି ପକାଇଲେ । ହଂସ ରାଜାଙ୍କୁ ଅନୁରୋଧ କରି କହିଲା, “ମହାରାଜ, ମୋତେ ଛାଡ଼ିଦିଅନ୍ତୁ । ମୁଁ ରାଜକୁମାରୀ ଦମୟନ୍ତୀଙ୍କ ପାଖକୁ ଯାଇ ଆପଣଙ୍କ ସୌନ୍ଦର୍ଯ୍ୟ ଓ ଗୁଣ ଗାନ କରି ଆପଣଙ୍କ ପ୍ରତି ତାଙ୍କୁ ଆକୃଷ୍ଟ କରିବି ।” ନଳ ପ୍ରଶ୍ନ କଲେ, “ଦମୟନ୍ତୀ କିଏ ?” ହଂସ କହିଲା, “ମହାରାଜ, ସେ ବିଦର୍ଭ ରାଜା ଭୀମକଙ୍କର ସୁନ୍ଦରୀ, ରୂପବତୀ ଓ ଗୁଣବତୀ କନ୍ୟା ଓ ଆପଣଙ୍କ ପତ୍ନୀ ହେବା ପାଇଁ ସବୁଠାରୁ ସୁଯୋଗ୍ୟ ରାଜକନ୍ୟା । ତା ଭଳି କନ୍ୟା ଦେବତା, ଯକ୍ଷ, ଗନ୍ଧର୍ବମାନଙ୍କ ମଧ୍ୟରେ ମଧ୍ୟ ମିଳିବନାହିଁ  । ଆପଣ ମୋତେ ଛାଡ଼ିଦେଲେ ମୁଁ ତାଙ୍କ ଆଗରେ ଯାଇ ଆପଣଙ୍କ ରୂପ ଓ ଯଶ ବିଷୟରେ ବର୍ଣ୍ଣନା କରିବି । ଫଳରେ ସେ ଆପଣଙ୍କୁ ପତି ରୂପରେ ବରଣ କରିବେ ଓ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହୋଇଯିବ ।”  ଦମୟନ୍ତୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଏହା ପୂର୍ବରୁ ଅନେକ ଲୋକ ନଳ ରାଜାଙ୍କ ଆଗରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ମଧ୍ୟ ରାଜା ସେ ବିଷୟରେ ଆଗ୍ରହାନ୍ଵିତ ହୋଇନଥିଲେ । କିନ୍ତୁ ଏହି ହଂସର କଥା ଶୁଣି କେଜାଣି କାହିଁକି ନଳ ରାଜା ତାକୁ ଛାଡ଼ିଦେଲେ ।  

ହଂସ ସେଠାରୁ ଉଡ଼ିଯାଇ ବିଦର୍ଭ ଦେଶର ରାଜକନ୍ୟା ଦମୟନ୍ତୀଙ୍କ ପାଖରେ ପହଞ୍ଚିଲା । ଏଭଳି ବିରଳ ହଂସକୁ ଦେଖି ଦମୟନ୍ତୀ ବହୁତ ପ୍ରସନ୍ନ ହେଲେ ଓ ତାକୁ ଧରିବାକୁ ଗଲେ । ହଂସ କହିଲା, “ରାଜକୁମାରୀ, ନିଷଧ ଦେଶରେ ନଳ ନାମରେ ଜଣେ ରାଜକୁମାର ଅଛନ୍ତି ଯିଏ କାମଦେବ ଭଳି ଦେଖିବାକୁ । ତାଙ୍କ ସମକକ୍ଷ ସୁନ୍ଦର ରାଜପୁତ୍ର ସଂସାରରେ ଆଉ କେହି ନାହିଁ । ତାଙ୍କୁ ବିବାହ କଲେ ଆପଣଙ୍କ ଜୀବନ ସଫଳ ହୋଇଯିବ ।” ଦମୟନ୍ତୀ ଏହି ପ୍ରଶଂସା କଥା ଶୁଣି ମନେ ମନେ ନଳ ରାଜାଙ୍କୁ ପ୍ରେମ କରିବସିଲେ । 

 ହଂସଠାରୁ ନଳଙ୍କ କଥା ଶୁଣି ଦମୟନ୍ତୀଙ୍କ ଆସକ୍ତି ଏତେ ବଢ଼ିଗଲା ଯେ ସେ ଦିନ ରାତି କେବଳ ତାଙ୍କ କଥା ଭାବି ବସିଲେ । ତାଙ୍କର ଏକ କାଳ୍ପନିକ ଚିତ୍ର ମନରେ ଆଙ୍କି ପୂଜା କରିବାକୁ ଲାଗିଲେ । ତାଙ୍କ ମିଳନ ଆକାଂକ୍ଷାରେ ଦିନକୁ ଦିନ ଶରୀର କ୍ଷୟ ହେବାକୁ ଲାଗିଲା । ତାଙ୍କ ସଖୀମାନେ ରାଜା ଭୀମକଙ୍କୁ ଯାଇ ତାଙ୍କ ଝିଅର ସ୍ୱାସ୍ଥ୍ୟ ବିଷୟରେ ସନ୍ଦେଶ ଦେଲେ । ରାଜା ଆସି ଦେଖିଲେ, ବୈଦ୍ୟ ଆସି ଦେଖିଲେ, କିନ୍ତୁ କେହି ସ୍ଵାସ୍ଥ୍ୟହାନିର କାରଣ ଖୋଜି ପାଇଲେନି । ଅବଶେଷରେ ରାଜା ଜାଣିପାରିଲେ ଏହା ଯୌବନର ରୋଗ । ସ୍ମିତ ହସ ହସି ସେ ଦମୟନ୍ତୀଙ୍କ ବିବାହ ନିମନ୍ତେ ଆୟୋଜନରେ ଲାଗିପଡ଼ିଲେ । ସମସ୍ତ ରାଜା, ମହାରାଜା ସହିତ ନାରଦଙ୍କ ହାତରେ ଦେବତାମାନଙ୍କୁ ମଧ୍ୟ ଝିଅର ସ୍ୱୟମ୍ବର ନିମନ୍ତେ ନିମନ୍ତ୍ରଣ ପଠାଇଲେ । ଦୈବ ଯୋଗକୁ ନଳ ଓ ସ୍ଵର୍ଗର ରାଜା ଇନ୍ଦ୍ରଙ୍କ ସହିତ ଚାରି ଜଣ ଦେବତା ଏକ ସମୟରେ ସ୍ୱୟମ୍ବର ସଭାକୁ ଯାତ୍ରା କରୁଥିଲେ ।
ବାଟରେ ନଳ ରାଜାଙ୍କୁ ଇନ୍ଦ୍ର ଦେଖିଲେ ଓ ତାଙ୍କ ସୌନ୍ଦର୍ଯ୍ୟ ଦେଖି ସ୍ତବ୍ଧ ହୋଇଗଲେ । ଭାବିଲେ, ଏ ଭଳି ନର ପୁଙ୍ଗବକୁ ଦେଖିଲା ପରେ ମୋତେ କେବେହେଲେ ଦମୟନ୍ତୀ ବରଣ କରିବନି । ତେଣୁ ଗୋଟିଏ  ଉପାୟ ପାଞ୍ଚିଲେ । ନଳ ରାଜାଙ୍କ ପାଖରେ ପହଞ୍ଚି ନିଜର ପରିଚୟ ଦେଇ କହିଲେ, “ରାଜନ, ମୁଁ ଇନ୍ଦ୍ର । ଆପଣଙ୍କୁ ମୋର ଗୋଟିଏ କାମ କରିଦେବାକୁ ମୁଁ ଅନୁରୋଧ କରୁଛି । ସତ୍ୟ କରନ୍ତୁ, ମୋ କାମ କରିଦେବେ ।” ନଳ ତାଙ୍କୁ ପ୍ରଣାମ କରି ତ୍ରିବାର ସତ୍ୟ କଲେ । ଇନ୍ଦ୍ର କହିଲେ, “ଆମେ ଚାରି ଜଣ ଦେବତା ଦମୟନ୍ତୀଙ୍କୁ ବିବାହ ଆଶାରେ ଆସିଛୁ । ଆପଣ ଆମର ଦୂତ ହୋଇ ଦମୟନ୍ତୀଙ୍କ ପାଖକୁ ଯାଇ ଆମ ମଧ୍ୟରୁ ଜଣକୁ ବରଣ କରିବାକୁ କହିବେ ।” ନଳ ଅସମଞ୍ଜସ ସମସ୍ୟାରେ ପଡ଼ିଗଲେ । ତଥାପି ସାହସ ଯୁଟେଇ କହିଲେ, “ମୁଁ ନିଜେ ତ ବିବାହ ପ୍ରାର୍ଥୀ ହୋଇ ଆସିଛି ଓ ମୋ ମନରେ ସେ ସ୍ତ୍ରୀ ରୂପରେ ବସା ବାନ୍ଧି ରହିଛି । ତାକୁ ମୁଁ କେମିତି ଆପଣଙ୍କ ନିମନ୍ତେ ପ୍ରସ୍ତାବ ଦେବି ଓ ଦୂତ ହୋଇ ଯିବି, ବିଚାର କରନ୍ତୁ ।” ଇନ୍ଦ୍ର ନଳଙ୍କୁ ତାଙ୍କ ସତ୍ୟ କରିବା କଥା ମନେ ପକେଇଦେଲେ । ନଳ କିଂକର୍ତ୍ତବ୍ୟବିମୁଢ଼ ହୋଇକହିଲେ, “କିନ୍ତୁ ମୁଁ ରାଜକୁମାରୀଙ୍କ ପାଖକୁ ସୁରକ୍ଷା ବଳୟ ଭେଦ କରି ଯିବି କେମିତି ?” ଇନ୍ଦ୍ର କହିଲେ, “ଆପଣଙ୍କୁ ଦମୟନ୍ତୀ ଓ ତାଙ୍କ ସଖୀଙ୍କ ବ୍ୟତୀତ ଆଉ କେହି ଦେଖିପାରିବେନି, ସେ ବନ୍ଦବୋସ୍ତ ମୁଁ କରିବି । ଆପଣ ଯାଆନ୍ତୁ ।”

ସତ୍ୟାବଦ୍ଧ ନଳ ମଥାନତ କରି ଦମୟନ୍ତୀ ଉଆସକୁ ଚାଲିଗଲେ । ହଠାତ ନଳଙ୍କୁ ଦେଖି ଦମୟନ୍ତୀ ହତବାକ ହୋଇ ଅନେଇ ରହିଗଲେ । ଜୀବନରେ ଏଭଳି ସୁନ୍ଦର ପୁରୁଷଙ୍କୁ ସେ କେବେ ଦେଖିନଥିଲେ । କିଛି ସମୟ ପରେ ପ୍ରଶ୍ନ କଲେ, “ଆପଣ କିଏ ଓ ଏହି ରାଜକୁମାରୀଙ୍କ ସୁରକ୍ଷା ବଳୟକୁ ଭେଦି କିପରି ଆସିଲେ । କେହି ଆପଣଙ୍କୁ ଅଟକେଇଲେନି ? ମୋ ବାପା ଏକଥା ଜାଣିଲେ ଆପଣଙ୍କୁ ପ୍ରାଣଦଣ୍ଡ ଦେବେ ।” ନଳ କହିଲେ, ମୁଁ ନିଶଧ ରାଜ୍ୟର ରାଜା ନଳ । ଆଜି ମୁଁ ଏଠାକୁ ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାଙ୍କ ଦୂତ ହୋଇଆସିଛି । ସେମାନେ ଆପଣଙ୍କୁ ବିବାହ କରିବାକୁ ଇଚ୍ଛୁକ । ତେଣୁ ତାଙ୍କ ମଧ୍ୟରୁ ଜଣକୁ ବରଣ କରିବାକୁ ସନ୍ଦେଶ ଦେଇ ମୋତେ ପଠେଇଛନ୍ତି । ତାଙ୍କ ପ୍ରଭାବରେ ମୋତେ ଦ୍ଵାରପାଳମାନେ ଦେଖିପାରିଲେନି ।
          ଏକଥା ଶୁଣି ଦମୟନ୍ତୀ ଦେବତାମାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିବା ପରେ ନଳଙ୍କୁ ପ୍ରଣାମ କରି ଲଜ୍ଜାରେ ମଥାନତ କରି କହିଲେ, “ହଂସଠାରୁ ଆପଣଙ୍କ ବିଷୟ ଶୁଣିବା ଦିନଠାରୁ ମୁଁ  ମୋ ହୃଦୟ ସିଂହାସନରେ ଆପଣଙ୍କୁ ଆଗରୁ ବସେଇ ସାରିଛି ଓ ଆପଣଙ୍କ ଚରଣରେ ନିଜକୁ ଅର୍ପଣ କରିବାକୁ କରିବାକୁ ଚାହିଁବସିଛି । ସେଠାରେ ଆଉ କୌଣସି ପୁରୁଷର ସ୍ଥାନ ନାହିଁ । ଆପଣଙ୍କୁ ନପାଇଲେ ମୁଁ ବିଷ ଖାଇ ଆତ୍ମହତ୍ୟା କରିବି । ଦୟାକରି ଦେବତାମାନଙ୍କ ପ୍ରତି ମୋର ସମ୍ମାନ ଓ ପ୍ରଣାମ ଜଣେଇ ଏହି ସନ୍ଦେଶ ତାଙ୍କୁ ଦିଅନ୍ତୁ ।”
ଦମୟନ୍ତୀଙ୍କୁ ରାଜା ନଳ କହିଲେ, “ଦେବତାମାନେ ଆପଣଙ୍କୁ ବିବାହ କରିବାକୁ ଇଚ୍ଛୁକ । ତାଙ୍କୁ ଛାଡ଼ି ମୋ ଭଳି ମରଣଶୀଳ ମାନବକୁ କାହିଁକି ବିବାହ କରିବାକୁ ଇଚ୍ଛା କରୁଛନ୍ତି ? ମୁଁ ସେମାନଙ୍କ ପାଦ ଧୁଳି ସହ ବି ସମାନ ନୁହେଁ । ସେମାନଙ୍କୁ ବରଣ ନକଲେ କ୍ରୋଧରେ ସେମାନେ ଆମର କ୍ଷତି କରିବେ, ଏପରିକି ମୃତ୍ୟୁ ମଧ୍ୟ ଦେଇପାରିବେ । ଆପଣ କାହିଁକି ଏ ଜୀବନ ଯୌବନ ଅଯଥାରେ ନଷ୍ଟ କରିବେ?” ଏହା ଶୁଣି ଦମୟନ୍ତୀ ଭୟରେ କମ୍ପିଉଠିଲେ । “ଆଉ ମଧ୍ୟ ମୁଁ ବର୍ତ୍ତମାନ ଦେବତାଙ୍କ ଦୂତ ହୋଇ ଆସିଛି । ଏତିକିବେଳେ ଯଦି ମୁଁ ମୋ ସ୍ଵାର୍ଥ କଥା ଭାବିବି ତେବେ ମୁଁ ଧର୍ମଚ୍ୟୁତ ହୋଇଯିବି ଓ ଏହା ଅତି ଖରାପ କଥା ହେବ ।” ଏହାପରେ ନଳ ରାଜା ଇନ୍ଦ୍ରଙ୍କ ପାଖକୁ ଫେରିଆସି କହିଲେ, “ହେ ପ୍ରଭୁ, ମୁଁ ଆପଣଙ୍କ ସନ୍ଦେଶ ପହଞ୍ଚେଇଦେଲି । ତେଣିକି ତାଙ୍କ ଇଚ୍ଛା ।”
ଏହାପରେ ନଳ ଓ ଦେବତାମାନେ ସ୍ଵୟଂବର ସଭାରେ ପହଞ୍ଚିଗଲେ । ଯଥାମାନ୍ୟ ସମ୍ବର୍ଦ୍ଧନା କରିବା ପରେ ଶୁଭ ସମୟ ଦେଖି ସ୍ଵୟଂବର ଆରମ୍ଭ ହେଲା । ଦମୟନ୍ତିଙ୍କୁ ଡକା ହେଲା । ସେ ଗୋଟିଏ ବରଣମାଳା ଧରି ଆସିଲେ । ରାଜାମାନଙ୍କୁ ଜଣକ ପରେ ଜଣେ ଚିହ୍ନେଇ ଦିଆଗଲା । ଦମୟନ୍ତୀ କାହାକୁ ମାଳା ନଦେଇ ଆଗେଇ ଚାଲୁଥାନ୍ତି । ଶେଷରେ ସେ ଦେଖିଲେ ପାଞ୍ଚ ଜଣ ନଳ ଠିଆ ହୋଇଛନ୍ତି । ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲେ । କାହା ବେକରେ ମାଳା ଦେବେ ବୁଝିପାରିଲେନି । ବୁଦ୍ଧିମତୀ ଦମୟନ୍ତୀ ଜାଣିପାରିଲେ ଏହା ଦେବତାଙ୍କ ମାୟା ଓ ସେମାନେ ତାଙ୍କୁ ପରୀକ୍ଷା କରୁଛନ୍ତି । 

ଭଲରୂପେ ନିରୀକ୍ଷଣ କରି ଦମୟନ୍ତୀ ଦେଖିଲେ ଯେ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ମୁଖ ମଣ୍ଡଳରୁ ସ୍ଵେଦ ନିର୍ଗତ ହେଉଛି ଓ ଉତ୍କଣ୍ଠାର ଚିହ୍ନ ଦେଖାଯାଉଛି । ବାକି ଅନ୍ୟମାନଙ୍କର ଦେହ ନିର୍ମଳ ଦେଖାଯାଉଛି ଓ ମୁହଁରେ କୌଣସି ଭାବର ଛାୟା ଦେଖାଯାଉନାହିଁ  । ସେ ନିଶ୍ଚିତ ହୋଇ ସେହି ଜଣକ ଗଳାରେ ଫୁଲମାଳା ଲମ୍ବେଇଦେଲେ ଓ ଦେବତାମାନଙ୍କୁ କ୍ଷମା ମାଗିଲେ । ହର୍ଷ ଧ୍ୱନିରେ ସଭା ସ୍ଥଳ କମ୍ପିଉଠିଲା । ତା’ପରେ ଦେବତାମାନଙ୍କୁ ସ୍ତୁତି କରି ଦମୟନ୍ତୀ କ୍ଷମା ମାଗି ସନ୍ତୁଷ୍ଟ କରିଦେଲେ । କହିଲେ, "ଏହି ନଳଙ୍କୁ ଅନେକ ଦିନ ହେବ ମୋ ହୃଦୟରେ ବସେଇସାରିଛି । ଜୀବନରେ ନାରୀ ଥରେ ମାତ୍ର ଗୋଟିଏ ପୁରୁଷଙ୍କୁ ହୃଦୟରେ ବସାଏ । ତେଣୁ ମୋ ହୃଦୟରେ ଜଣେ ଆଗରୁ ଥିବା ଯୋଗୁ ଆଉ ଜଣକୁ ବିବାହ କଲେ ମୋତେ ଦୋଚାରୁଣୀ ଦୋଷ ଲାଗିବ । ଏହି କାରଣରୁ ମୋତେ କ୍ଷମା କରିଦିଅନ୍ତୁ ।  ଏ କଥା ଶୁଣି ଦେବତାମାନେ ଦମୟନ୍ତୀଙ୍କ ନିଷ୍ଠାର ଭୂୟସୀ ପ୍ରଶଂସା କରି ବିଦାୟ ନେଇଗଲେ । କିନ୍ତୁ ବିଧିର ବିଧାନ ଅନ୍ୟ କିଛି ଥିଲା ।   

ଏହି ବିବାହରେ କଳି ମଧ୍ୟ ଏକ ପ୍ରାର୍ଥୀ ହୋଇ ସାମାନ୍ୟ ବିଳମ୍ବରେ ଆସିଥିଲା ଯେତେବେଳେ ଦେବତାମାନେ ଫେରୁଥିଲେ । ବାଟରେ ଦେବତାଙ୍କର କଥା ଶୁଣି କଳି କ୍ରୋଧାନ୍ଵିତ ହୋଇଗଲା । କହିଲା, “ଦେବତାମାନଙ୍କୁ ଛାଡ଼ି ବରଣ ହୋଇଥିବା ସାମାନ୍ୟ ମଣିଷ ନଳ ନିଶ୍ଚୟ ଦଣ୍ଡନୀୟ ଅପରାଧ କରିଛି । ମୁଁ ତାକୁ ଦଣ୍ଡ ଦେବି ।” ଦେବତାମାନେ କହିଲେ, “ଦମୟନ୍ତୀ ଆମ ଆଜ୍ଞା ପାଇ ବରଣ କରିଛି, ତା’ର ଦୋଷ ନାହିଁ । ବାସ୍ତବରେ ନଳ ଏକ ସର୍ବଗୁଣ ସମ୍ପର୍ଣ୍ଣ ବ୍ୟକ୍ତି । ସେ ସବୁ ବେଦ ପୁରାଣ ଅଧ୍ୟୟନ କରିଛନ୍ତି । ତାଙ୍କୁ ଆମେ ଅଭିଶାପ ଦେଲେ ନରକରେ ପଡ଼ିବା ସମାନ ହେବ ।” ଏତିକି କହି ଦେବତାମାନେ ଚାଲିଗଲେ । ହେଲେ କଳି ତ କଳି, ସେ କାହା କଥା ମାନେନି । ଶୌଚ ବିଧିରେ ବ୍ୟତିକ୍ରମ ହୋଇଥିବା ଦେଖି ଦିନେ ନଳଙ୍କ ଶରୀର ମଧ୍ୟରେ କଳି ପ୍ରବେଶ କରିଗଲା ।   
ଏହା ପରେ ଦିନେ ପୁଷ୍କରଙ୍କ ସହିତ ନଳ ରାଜା ଜୁଆ ଖେଳରେ ବସିଲେ । କଳି ତ ଦେହରେ ଅଛି, ସୁତରାଂ ଜିତିବା ପ୍ରଶ୍ନ ଉଠୁନଥିଲା । ଧୀରେ ଧୀରେ ଅନେକ ଧନ ରତ୍ନ ହାରିଗଲେ । ପାତ୍ରମନ୍ତ୍ରୀ ଆଦି ସମସ୍ତେ ରାଜାଙ୍କୁ ଖେଳିବାକୁ ବାରଣ କଲେ । ଶେଷରେ ପ୍ରାଣପ୍ରିୟା ଦମୟନ୍ତୀ ଆସି ବହୁତ ଅନୁନୟ ବିନୟ କରି ଖେଳ ବନ୍ଦ କରିବାକୁ କହିଲେ । ଶେଷରେ ରାଜ୍ୟ ବି ଜୁଆରେ ଚାଲିଗଲା । ପ୍ରଜାମାନଙ୍କ କ୍ରନ୍ଦନ ଧ୍ୱନି ମଧ୍ୟରେ ରାଣୀଙ୍କ ସହିତ ରାଜା ଉଆସ ଛାଡ଼ି ଜଙ୍ଗଲକୁ ଚାଲିଗଲେ ।  

ଜଙ୍ଗଲରେ ବୁଲୁଥିବା ବେଳେ ଦିନେ ରାଣୀଙ୍କୁ ନଳ କହିଲେ, “ଏହିଠାରୁ ରାସ୍ତା ବିଭିନ୍ନ ଦେଶକୁ ଯାଇଛି । ତୁମେ ମୋତେ ତ୍ୟାଗ କରି ପିତାଗୃହ ବା ଅନ୍ୟ ଯେ କୌଣସି ସ୍ଥାନକୁ ଚାଲିଯାଅ । ମଣିଷର ଖରାପ ସମୟ ସର୍ବଦା ରହେନି । ମୋର ଭଲ ସମୟ ଆସିଲେ ମୁଁ ତୁମକୁ ନେଇ ଆସିବି ।” ଦମୟନ୍ତୀ ଉତ୍ତର ଦେଲେ, “ଭଲ ମନ୍ଦ, ଶୁଭ ଅଶୁଭ, ଦୁଃଖ ସୁଖ ଆଦି ସମସ୍ତ ସମୟରେ ସ୍ଵାମୀର ସାଥି ଦେବା ହେଉଛି ସ୍ତ୍ରୀର କର୍ତ୍ତବ୍ୟ, କେବଳ ସୁଖର ସାଥି ହେବା ନୁହେଁ । ଆମର ଶରୀର ଦୁଇଟି କିନ୍ତୁ ଆତ୍ମା ଏକ । ମୁଁ ଆପଣଙ୍କ ଏହି ଦୁଃଖ ସମୟରେ ଛାଡ଼ିଦେବା ଅଧର୍ମ ହେବ ଓ ମୁଁ ନର୍କଗାମୀ ହେବି ।
ଦିନେ ଜଙ୍ଗଲରେ ବୁଲୁଥିଲା ବେଳେ ଅନେକ ଗୁଡିଏ ସୁନ୍ଦର ପକ୍ଷୀ ଦେଖି ରାଜା ତାଙ୍କୁ ଧରି ବିକ୍ରି କରିବାକୁ ଇଚ୍ଛା କଲେ । ନିଜର ଏକ ମାତ୍ର ପିନ୍ଧା ବସନ କାଢ଼ି ତାଙ୍କ ଉପରେ ପକେଇ ଧରିବାକୁ ଚେଷ୍ଟା କଲେ । ସେହି ବସନକୁ ନେଇ ପକ୍ଷୀମାନେ ଉଡ଼ିଗଲେ । ବିବସ୍ତ୍ର ନଳ କିଂକର୍ତ୍ତବ୍ୟବିମୁଢ଼ ହୋଇ ନିଜ ଭାଗ୍ୟକୁ ନିନ୍ଦିଲେ । ନିଜ ଅସୁବିଧା କଥା ନଭାବି ସେ କୋମଳାଙ୍ଗି ଦମୟନ୍ତୀର କଷ୍ଟ କଥା ଭାବି ଭାବି ଘୋର ଅନୁତାପାନଳରେ ଦଗ୍ଧ ହେବାକୁ ଲାଗିଲେ । ଶୋଇପଡ଼ିଥିବା ଦମୟନ୍ତୀଙ୍କର ଶାଢୀର ଏକ ଅଂଶ ଚିରିଦେଇ ଉଲଗ୍ନ ନଳ ନିଜର ପିନ୍ଧାଲୁଗା କରି ଲଜ୍ଜା ନିବାରଣ କଲେ । ଦମୟନ୍ତୀଙ୍କ ଦୁଃଖ ରାଜା ସହିପାରିଲେନି । ଏହି ଅବସ୍ଥାରେ ରାଣୀଙ୍କୁ ଏକୁଟିଆ ଜଙ୍ଗଲରେ ଛାଡ଼ି ଦେବାକୁ ନଳ ସ୍ଥିର କଲେ । ଭାବିଲେ, ରାଣୀ ଯେ କୌଣସି ମତେ ଜଙ୍ଗଲରୁ ନିଜ ପିତାଙ୍କ ଗୃହକୁ ଯାଇ ସେଠାରେ ନିଶ୍ଚୟ ରହିଯିବେ । ସତୀ ଦମୟନ୍ତୀଙ୍କର କୌଣସି ଅନିଷ୍ଟ ହେବନାହିଁ । ଏ ଦୁଃଖରୁ ତ ରକ୍ଷା ପାଇଯିବେ !  ଦେହରେ କଳି ଥିବାରୁ ଭଲ ମନ୍ଦ ବିବେଚନା ଶକ୍ତି ରାଜାଙ୍କର ଲୋପପାଇଯାଇଥିଲା ।
ନିଦ୍ରା ଭଙ୍ଗ ପରେ ଦମୟନ୍ତୀ ନଳଙ୍କୁ ନଦେଖି ବିଳାପ କରିବାକୁ ଲାଗିଲେ । ଇତଃସ୍ତତଃ ବୁଲିବାକୁ ଲାଗିଲେ । ଏହି ସମୟରେ ଗୋଟିଏ ଅଜଗର ତାଙ୍କୁ ଗିଳିବାକୁ ଆରମ୍ଭ କଲା । ଦମୟନ୍ତୀ ବିକଳରେ ଚିତ୍କାର କରିବାକୁ ଲାଗିଲେ ।  ସୌଭାଗ୍ୟକୁ ପାଖରେ ଏକ ବ୍ୟାଧ ଥିଲା ଯିଏ ଆସି ଅଜଗରକୁ ମାରି ତାଙ୍କୁ ରକ୍ଷାକଲା । ତାଙ୍କୁ ରକ୍ଷା କରିଥିବା ବ୍ୟାଧ ଅଳ୍ପ ସମୟ ପରେ ତାଙ୍କ ପ୍ରତି କୁନଜର ରଖି ବଳାତ୍କାର କରିବାକୁ ଚେଷ୍ଟା କଲା । କ୍ରୋଧରେ ସତୀ ଦମୟନ୍ତୀ ତାଙ୍କୁ ଅଭିଶାପ ଦେଇ ଭଷ୍ମ କରିଦେଲେ । ଏମିଟି ବୁଲୁ ବୁଲୁ ଏକ ସୁନ୍ଦର ତପୋବନ ଦେଖିଲେ । ସେଠାରେ ଅନେକ ଋଷିଙ୍କୁ ତପସ୍ୟା କରୁଥିବାର ଦେଖି ସେ ତାଙ୍କ ପାଖକୁ ଯାଇ ଭୂମିଷ୍ଠ ପ୍ରଣାମ କରି ନିଜର ପରିଚୟ ଦେଲେ । ଋଷିମାନେ ତାଙ୍କ ସ୍ଵାମୀ, ରାଜ୍ୟ ଆଦି ଅଳ୍ପ ଦିନରେ ମିଳିଯିବ କହି ଆଶୀର୍ବାଦ କରି ଅନ୍ତର୍ଧ୍ୟାନ ହୋଇଗଲେ ।

କିଛି ବାଟ ଗଲା ପରେ ଚେଦି ଦେଶକୁ ଯାଉଥିବା ଏକ ଦଳକୁ ଭେଟି ତାଙ୍କ ସାଥିରେ ଦମୟନ୍ତୀ ଚାଲିଲେ । ସେହି ଦେଶର ରାଜମାତା ଦୈବାତ ସୁନ୍ଦରୀ ଦମୟନ୍ତୀଙ୍କୁ ଦେଖିଲେ ଓ ତାଙ୍କ ଦୁଃଖୀ ଚେହେରା ଦେଖି ଦାସୀ ପଠେଇ ଡକେଇଲେ । ତାଙ୍କ ପରିଚାୟ ପଚାରିବାରୁ ଦମୟନ୍ତୀ କହିଲେ, "ମୁଁ ଜଣେ କୁଳୀନ ପତିବ୍ରତା ସ୍ତ୍ରୀ, ଦୁର୍ଭାଗ୍ୟକୁ ଏପରି ଦଶା ମୋର ହୋଇଛି ।" ରାଜମାତା ତାଙ୍କୁ ଉଆସରେ ରହି କାମ କରିବାକୁ କହିଲେ । ଦମୟନ୍ତୀ ତିନୋଟି ସର୍ତ୍ତରେ ରହିବାକୁ କହିଲେ; ଅଇଁଠା ଖାଇବିନି, କାହା ପାଦ ଧୋଇବିନି ଓ ପରପୁରୁଷ ସାଥିରେ କଥାବାର୍ତ୍ତା କରିବିନି । ସଙ୍ଗେ ସଙ୍ଗେ ଏହି ସର୍ତ୍ତ ମଞ୍ଜୁର ହେବାରୁ ସେ ଉଆସରେ ରହିଲେ ।
ଏଣେ ଜଙ୍ଗଲରେ ନଳ ଯାଉ ଯାଉ ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ଦେଖାଗଲା ଓ ବଞ୍ଛାଅ ବଞ୍ଛାଅ ଚିତ୍କାର ଶୁଣାଗଲା । ପାଟି ଶୁଣି ନଳ ସେହି ସ୍ଥାନରେ ପହଞ୍ଚି ଦେଖିଲେ ଗୋଟିଏ ନାଗସାପ ଦେଖିଲେ । ନାଗ କହିଲା, “ହେ ରାଜା, ମୋତେ ଆପଣ ଗୋଟେ ଭଲ ନିରାପଦ ସ୍ଥାନକୁ ନେଇଯାଆନ୍ତୁ । ମୋ ନାମ କର୍କଟକ । ଅଭିଶାପ ପାଇ ମୁଁ ଏମିତି ପଡିଛି । ଆପଣ କିଛି ପାଦ ଗଣି ଗଣି ଚାଲନ୍ତୁ । ତା'ପରେ ମୋତେ ରଖିଦେବେ ।” ରାଜା ଏହା ଶୁଣି ଏକ ଦୁଇ କରି ଗଣି ଚାଲିଲେ । ଠିକ ଦଶ ଗଣିଲା ବେଳେ ସାପ ତାଙ୍କୁ ଚୋଟ ମାରିଲା । ଏହି ଚୋଟ ଫଳରେ ରାଜାଙ୍କ ଦେହ ନୀଳ ରଙ୍ଗ ଧାରଣ କଲା । ସାପ ତାଙ୍କୁ କହିଲା, "ହେ ରାଜା, ଆପଣଙ୍କ ମୃତ୍ୟୁ ହେବନି । ମୁଁ ଆପଣଙ୍କର ଉପକାର କରିବାକୁ ଚୋଟ ମାରିଛି । ଆପଣଙ୍କୁ କେହି ଚିହ୍ନି ପାରିବେନି । କଳି ଆପଣଙ୍କର ଦେହରେ ଥିବାରୁ ଆପଣଙ୍କର ଏ ଦଶା ହୋଇଛି । ଦଶ ଶୁଣିଲେ ମୁଁ କାମୁଡିବା ଅଭିଶାପ ପାଇଥିବାରୁ କାମୁଡ଼ିଲି । ଆପଣଙ୍କୁ ମୁଁ ବର ଦେଉଛି, ଆପଣଙ୍କୁ କୌଣସି ବିଷ କାଟିବନି ଓ ଯୁଦ୍ଧରେ ଆପଣ ସର୍ବଦା ଜୟଯୁକ୍ତ ହେବେ, କେବେ ପରାସ୍ତ ହେବେନି । 

ରାଜା ସାରଥି ହେଲେ – ସେଠାରୁ ନଳ ଯାଇ ରାଜା ଋତୁପର୍ଣ୍ଣଙ୍କ ରାଜ୍ୟରେ ପହଞ୍ଚିଲେ । ସେଠାରେ ନିଜକୁ ସାରଥି ଭାବରେ ଚିହ୍ନା ଦେଇ ରାଜାଙ୍କ ସେବାରେ ରହିବାକୁ କହିଲେ । ନଳ କହିଲେ, “ହେ ରାଜନ, ମୁଁ ଜଣେ ଅଶ୍ଵ ଓ ରଥ ବିଶାରଦ ଓ ମୋ ଭଳି ସାରଥି ଆପଣ କାହାକୁ ପାଇବେନି । ଆପଣ ମୋତେ ରଖି ପରୀକ୍ଷା କରନ୍ତୁ ।” ରାଜା ତାଙ୍କ ଅଶ୍ଵ ଚାଳନାରେ ସନ୍ତୁଷ୍ଟ ହୋଇ ନିଜ ସାରଥି କରି ରଖିଲେ ।  
ଝିଅ ଜାମାତାଙ୍କ ରାଜ୍ୟ ତ୍ୟାଗ କଥା ବିଦର୍ଭ ରାଜା ଶୁଣି ଦମୟନ୍ତୀଙ୍କୁ ଖୋଜିବାକୁ ସୁଦେବ ନାମକ ଜଣେ ବ୍ରାହ୍ମଣଙ୍କୁ ନିର୍ଦ୍ଦେଶ ଦେଲେ । ସୁଦେବ ଦୈବାତ ଚେଦି ରାଜ୍ୟରେ ପହଞ୍ଚି ଦମୟନ୍ତିଙ୍କୁ ଦେଖିଲେ । ସେତେବେଳେ ଦମୟନ୍ତୀ ସେଠାକାର ରାଜକନ୍ୟାଙ୍କ ସହିତ ବସି ଗୋଟିଏ ଉତ୍ସବ ଦେଖୁଥିଲେ । ସୁଦେବ ତାଙ୍କ ନିକଟରେ ପହଞ୍ଚି ନିଜର ପରିଚୟ ଦେଲେ ଓ ତାଙ୍କୁ ଖୋଜିବାକୁ ଆସିଥିବା କଥା କହିଲେ । ସବୁ ଶୁଣି ଦମୟନ୍ତୀ ନିଜ ଅତୀତ କଥା ମନେପକେଇ କାନ୍ଦିପକାଇଲେ । ଏହି କଥା ଶୁଣି ରାଜମାତା ଆସି ସେଠାରେ ପହଞ୍ଚିଲେ । ରାଜମାତା ମହଲରୁ ବାହାରି ସେଠାରେ ପହଞ୍ଚି ସୁଦେବଙ୍କଠାରୁ ସବୁ ଖବର ପାଇ ମର୍ମାହତ ହୋଇଗଲେ । ରାଜମାତାଙ୍କ ଭଉଣୀର କନ୍ୟା ଦମୟନ୍ତୀ ଥିଲେ । ଏହା ପରେ ଦମୟନ୍ତୀ ନିଜ ପିତାଙ୍କ ଗୃହକୁ ଗମନ କଲେ ।  

ନିଜ ଦେଶର ବ୍ରାହ୍ମଣମାନଙ୍କୁ ଦମୟନ୍ତୀ ଡକେଇ କହିଲେ, “ଆପଣମାନେ ବିଭିନ୍ନ ଦେଶକୁ ଯାଆନ୍ତୁ । ରାଜ ସଭାରେ ଓ ଭିଡ଼ ଥିବା ସ୍ଥାନରେ କହିବେ, “ନିଜ ପତ୍ନୀଙ୍କର ଶାଢୀ ଚିରି ଆଣିଥିବା ପତିଙ୍କୁ ଏହି ସନ୍ଦେଶ ଦିଆଯାଉଛି ଯେ ତାଙ୍କ ପତ୍ନୀ ସେହି ଅଧା ଫଟା ଶାଢୀ ପିନ୍ଧି ଆଜିଯାଏ ପତିଙ୍କ ଫେରିବାକୁ ଅପେକ୍ଷା କରି ରହିଛନ୍ତି ।” କିଛି ଦିନ ପରେ ଜଣେ ବ୍ରାହ୍ମଣ ଆସି ଖବର ଦେଲେ ଯେ ଅଯୋଧ୍ୟାରେ ଋତୁପର୍ଣ୍ଣ ରାଜାଙ୍କ ସାରଥି ବାହୁକ ମୋ କଥା ଶୁଣି ପାଖକୁ ଆସି କହିଲେ, “ଦୁଃସ୍ଥ ଅବସ୍ଥାର ଶିକାର ହୋଇ ଉଲଗ୍ନ ସ୍ଵାମୀ ଅଧା ଶାଢୀ ନେଇ ନିଜ ଲଜ୍ଜା ନିବାରଣ କରିଛନ୍ତି । ସେତେବେଳ ନିଜର ଜୀବିକା ନିମନ୍ତେ ତାଙ୍କର କୌଣସି ସାଧନ ନଥିଲା । ତେଣୁ ଅବସ୍ଥା ଚକ୍ରରେ ପଡ଼ି ସେ ଏହି କାମ କରିଛନ୍ତି ।” ଆଉ ମଧ୍ୟ ସୁଦେବ କହିଲେ, “ବାହୁକ ବହୁତ ଅସୁନ୍ଦର ଦେଖିବାକୁ ।”

ଏହା ପରେ ଦମୟନ୍ତୀ ତାଙ୍କ ମାତାଙ୍କୁ ଡାକି ସବୁ କଥା କହିଲେ ଓ ସୁଦେବ ବ୍ରାହ୍ମଣକୁ ମୋ କାମ ପାଇଁ ନିଯୁକ୍ତ କରୁଛି । ପିତାଙ୍କୁ ଏ କଥା କହିବନି । ତାପରେ ସୁଦେବଙ୍କୁ ଡାକି କହିଲେ, “ଆପଣ ଅଯୋଧ୍ୟା ଯାଇ ରାଜା ଋତୁପର୍ଣ୍ଣଙ୍କୁ ଏହି ସନ୍ଦେଶ ଦେବେ, ଦମୟନ୍ତୀ ପୁନର୍ବିବାହ କରିବା ନିମନ୍ତେ ସ୍ଵୟଂବର କରୁଛନ୍ତି । ତାଙ୍କ ପିତା ସମସ୍ତଙ୍କୁ ନିମନ୍ତ୍ରଣ କରୁଛନ୍ତି ଓ ଆପଣଙ୍କୁ ମଧ୍ୟ ଏହି ସଭାକୁ ଯିବାକୁ ସାଦର ନିମନ୍ତ୍ରଣ କରିଛନ୍ତି । ଆପଣ କାଲିସୁଦ୍ଧା ଯାଇ ପହଞ୍ଚିବାକୁ ଅନୁରୋଧ କରୁଛୁ ।”

ଏତେ କମ ସମୟରେ ବିଦର୍ଭ ରାଜ୍ୟରେ ପହଞ୍ଚିବା ଏକ ଅସମ୍ଭବ କଥା ଥିଲା । ତଥାପି ରାଜା ବାହୁକକୁ ଡାକି ସ୍ଵୟମ୍ଭର କଥା କହି ଏହି ଯାତ୍ରା ସମ୍ଭବ କି ନାହିଁ ପ୍ରଶ୍ନ କଲେ । ନଳ ଏ କଥା ଶୁଣିବା ପରେ ତାଙ୍କର ହୃଦୟ ଦୁଃଖର ଫାଟିଗଲା । ଜାଣିପାରିଲେ ଯେ ଦମୟନ୍ତୀ ଦୁଃଖୀ ହୋଇ ଏହି ବିଶେଷ ଯୋଜନା କରିଛି । ନିଶ୍ଚୟ ଏହା ମଧ୍ୟରେ କିଛି ରହସ୍ୟ ଅଛି । ନଳ ଏକ ବିଶେଷ ଅଶ୍ଵ ଚାଳନା ବିଦ୍ୟା ଶିଖିଥିଲେ । ସୁତରାଂ ସେ ୪ଟି ଶକ୍ତିଶାଳୀ ଘୋଡା ଆଣି ରଥରେ ଯୋଚିଲେ ଓ ରାଜାଙ୍କୁ ବସେଇ ଅବିଳମ୍ବେ ବାହାରିଲେ । ରାସ୍ତାରେ ଋତୁପର୍ଣ୍ଣ ବଶୀକରଣ ବିଦ୍ୟା ନଳଙ୍କୁ ଶିଖାଇଲେ ଓ ନଳଙ୍କଠାରୁ ଅଶ୍ଵଚାଳନା ବିଦ୍ୟା ଶିଖିଲେ । ବଶୀକରଣ ବିଦ୍ୟା ଶିଖିବା ସଙ୍ଗେ ସଙ୍ଗେ ନଳଙ୍କ ଦେହରେ ପଶିଥିବା କଳି ବାହାରିଗଲା । ସନ୍ଧ୍ୟା ସୁଦ୍ଧା ରଥ ବିଦର୍ଭ ଦେଶରେ ପହଞ୍ଚିଗଲା । ରଥ ଚାଲିବା ଶବ୍ଦରେ ସାରା ସହର ନିନାଦିତ ହୋଇଗଲା । ସେହି ଶବ୍ଦରୁ ନଳ ଆସି ପହଞ୍ଚିବା କଥା ଦମୟନ୍ତୀ ଜାଣିପାରିଲେ । ସେ ସ୍ଥିର ନିଶ୍ଚୟ କଲେ ଆଜି ଯଦି ନଳଙ୍କର ଦେଖା ନମିଳେ ତବେ ଅଗ୍ନିରେ ଝାସ ଦେବେ ।
ଅଯୋଧ୍ୟା ନରେଶ ଋତୁପର୍ଣ୍ଣ ବିଦର୍ଭ ଦେଶରେ ପହଞ୍ଚିବା ଖବର ରାଜା ଭୀମକଙ୍କ ପାଖକୁ ଗଲା । ତୁରନ୍ତ ସେ ଆସି ଅତିଥି ସତ୍କାରରେ ଲାଗିପଡ଼ିଲେ । ସ୍ଵୟମ୍ଭରର କୌଣସି ଆୟୋଜନ ନଦେଖି ଋତୁପର୍ଣ୍ଣ ଦ୍ଵିଧାରେ ପଡିଗଲେ । ଆଗମନର ଉଦ୍ଦେଶ୍ୟ ଭୀମକ ପଚାରିବାରୁ ଏମିତି ନମସ୍କାର କରିବାକୁ ଆସିଛି କହିଲେ । ଭିତରେ ଭିତରେ  ବଡ଼ ଅପ୍ରସ୍ତୁତ ହୋଇଗଲେ । ଭୀମକ ବି ବୁଝିପାରିଲେନି, ଏତେ ଦୂର ପଥ କେହି କଅଣ ନମସ୍କାର କରିବାକୁ ଆସେ !

 ଏଣେ ଦମୟନ୍ତୀ ଅସ୍ଥିର ଓ ଆକୁଳ ହେଉଥିଲା । ଗୋଟିଏ ଦାସୀ ପଠେଇ କୁରୁପ ଥିବା ବାହୁକାର ଚାଲିଚଳନ ଲକ୍ଷ କରିବାକୁ ଆଦେଶ ଦେଲା । ଦାସୀ ଫେରି ଆସି କହିଲା, “ଏମିତି ଲୋକ ମୁଁ ଦେଖିନି । ସେ ଜଳ ଅଗ୍ନି ଉପରେ ନିର୍ଭର କରୁନାହାନ୍ତି ।” ଆଉ ଥରେ ଦାସୀ ଯାଇ ବାହୁକଙ୍କୁ ପଚାରିଲା, “ଆପଣ ନଳ ରାଜାଙ୍କୁ ଜାଣିଛନ୍ତି କି ?” ବାହୁକ ଉତ୍ତର ଦେଲେ, “ଏତିକି ଜାଣିଛି, ତାଙ୍କର ରୂପ ବଦଳି ଯିବାରୁ ସେ ଅଲକ୍ଷରେ ଅଛନ୍ତି । ତାଙ୍କୁ କେବଳ ଗୁପ୍ତ ଚିହ୍ନ ଦେଖି ଦମୟନ୍ତୀ ଚିହ୍ନିପାରିବେ ।” ଏହା ଶୁଣି ଦମୟନ୍ତୀଙ୍କ ଆଶଙ୍କା ଆହୁରି ବଢିଗଲା ଓ ସେ ପ୍ରାୟ ନିଶ୍ଚିତ ହୋଇଗଲେ ଯେ ବାହୁକ ହିଁ ତାଙ୍କର ସ୍ଵାମୀ । ତଥାପି ନିଶ୍ଚିତ କରିବା ନିମନ୍ତେ ଓ ନିଜେ ପରୀକ୍ଷା କରିବା ନିମନ୍ତେ ବାହୁକଙ୍କୁ ଅନ୍ତଃପୁରକୁ ଡାକିବାକୁ ଅନୁମତି ପ୍ରଦାନ ନିମନ୍ତେ ରାଜମାତାଙ୍କୁ ଅନୁରୋଧ କଲେ ଓ ସେ ରାଜାଙ୍କଠାରୁ ଅନୁମତି ଆଣିଲେ ।
          ବାହୁକଙ୍କ ଆଗରେ ଦମୟନ୍ତୀ ନିଜର ଦୁଃଖ ଭରା କାହାଣୀ ବର୍ଣ୍ଣନା କଲାବେଳେ ଦୁଇ ଚକ୍ଷୁରୁ ଲୋତକ ଧାର ଧର ହୋଇ ବୋହିବାକୁ ଲାଗିଲା । ନଳ ଏହି ଲୋତକ ଦେଖି ସମ୍ଭାଳି ପାରିଲେନି । ସେ କହିଲେ, “ନଳ ନିଜ ଇଚ୍ଛାରେ ଜୁଆ ଖେଳିନଥିଲେ । ସେତେବେଳେ ସେ କଳିର ଇଚ୍ଛା ଦ୍ଵାରା ପରିଚାଳିତ ହେଉଥିଲେ ।” ଦମୟନ୍ତୀ ଉତ୍ତରରେ କହିଲେ, “ମୁଁ ଆପଣଙ୍କ ଚରଣ ସ୍ପର୍ଶ କରି କହୁଛି, ଯଦି ମନ ବଚନରେ କେବେ ହେଲେ କୌଣସି ପର ପୁରୁଷ ବିଷୟରେ ଚିନ୍ତା କରିଥିବି ତେବେ ଏଇଠି ମୋର ଦେହ ଭଷ୍ମ ହୋଇଯାଉ ।”

ଏହା ଶୁଣି ନଳଙ୍କର ସନ୍ଦେହ ଦୂର ହୋଇଗଲା ଓ ସେ କର୍କଟକ ଦେଇଥିବା ଦିବ୍ୟ ବସ୍ତ୍ର ପିନ୍ଧିଲେ ଓ ଯେଉଁ ମୁହୂର୍ତ୍ତରେ ପିନ୍ଧିଲେ ସେହି ମୁହୂର୍ତ୍ତରେ ତାଙ୍କର ସ୍ଵରୂପ ଫେରିପାଇଲେ । ଦୁହେଁ ସେଠାରେ ଦମୟନ୍ତୀଙ୍କ ପିତାମାତାଙ୍କ ଆଶୀର୍ବାଦ ନେଲେ । ସେଠାରୁ ନଳ ନିଷଧ ଦେଶକୁ ଯାଇ ପୁଷ୍କରକୁ ଆଉ ଥରେ ଡାକି ଜୁଆ ଖେଳରେ ବସିଲେ । ଏଥର ଦେହରେ କଳି ନଥିବାରୁ ସେ ବାଜି ଜିତିବାକୁ ଲାଗିଲେ ଓ ଅବଶେଷରେ ନିଜ ରାଜ୍ୟ, ଧନ ସମ୍ପତ୍ତି ଆଦି ଫେରି ପାଇଲେ ଓ ପୁନର୍ବାର ରାଜ୍ୟ ପ୍ରାପ୍ତ ହୋଇ ସୁଖରେ ରହିଲେ ।

ଲୁହ

ଅଟକୁନି ଲୁହ  ବୋହି ଚାଲୁଛି ଅନବରତ ଆଖିବି ନିଜର କରି ରଖି ପାରୁନି  ଏ ଲୁହକୁ,,,, ବାସ୍ ଝରି ଯାଉଛି ଟୋପା ଟୋପା ହୋଇ! ମନର ବ୍ୟଥା  ହୃଦୟର କୋହ  ସତରେ ଭା...