Saturday, January 30, 2021
#ଗାନ୍ଧୀଙ୍କ ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ
Friday, January 29, 2021
ସମର୍ପଣ (topic - 95 ବର୍ଣ୍ଣ ବୈଷମ ) quote #quot
Thursday, January 28, 2021
■ ଜଉଗଡ଼ ■
Wednesday, January 27, 2021
■ ଅପରାଧ କାହାର !! ■
Monday, January 25, 2021
■ସାଧବଝିଅ ■ ଭାଗ : ୧୧ / ମାୟାଧର ମାନସିଂହ
■ ସାଧବ ଝିଅ ■ ଭାଗ : ୧୦ / ମାୟାଧର ମାନସିଂହ
ଉତ୍କଳଘଣ୍ଟ
Sunday, January 24, 2021
■ ମିଠା କଥା କୁହା ଦୁଷ୍ଟ ମିତ୍ର ■
Saturday, January 23, 2021
■ କହରେ ବଂଶୀ ■
■ ଚନ୍ଦନ ହଜୁରୀ / ଚାଖି ଖୁଣ୍ଟିଆ ■
ଲେଖା: ନିରଞ୍ଜନ ସାହୁ
“ଚକା ନୟନକୁ ପତିତ କେହି,
ଡକାଇ ଖର ନିଶ୍ଵାସ ପକାଇ
ଡକା ପକାଇ ଗରୁଡ଼ ପଛରେ,
ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ
ଡକ୍କା ବାଜୁଛି ମହିମା ହେ,
ଠକାରି କରି କର୍ଣ୍ଣେ ଗିର ନ ଶୁଣ,
କାହିଁକି ବିଚିତ୍ରକର୍ମା ହେ” ।
ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ ପଛରେ ଥାଇ, ଉଦ୍ଦାତ୍ତ କଣ୍ଠରେ ଗାଉଥିଲେ ନିଜ ରଚନାରୁ ଏହି ଗୀତଟି, ଜଣେ ସୌମ୍ୟ, ବଳିଷ୍ଠ ବପୁଧାରୀ ଯୁବକ । ଏହା ପ୍ରାୟ ୧୮୫୨ ମସିହା ଅକ୍ଷୟ ତୃତୀୟା ବେଳର କଥା । ସେ ଯୁବକ ଥିଲେ ସେବକମାନଙ୍କ ମଧ୍ୟରୁ ଜଣେ । ତାଙ୍କ ଶରୀରରେ ଥିଲା ଅପୂର୍ବ କାନ୍ତି, କମନୀୟ ରୂପ ଓ ତା ସହ ସେ ଥିଲେ ଅସୀମ ବଳର ଅଧିକାରୀ, ସ୍ଵାଧୀନଚେତା, କବି, ପରାକ୍ରମୀ, ସଂଗ୍ରାମୀ ଏବଂ ପରବର୍ତ୍ତୀ ସମୟରେ ବିଦିତ ହେଲେ ସମଗ୍ର ଦେଶରେ ଜାତୀୟବୀର ଚନ୍ଦନ ହଜୁରୀ (Chandan Hajuri) ବା ଚାଖି ଖୁଣ୍ଟିଆ (Chakhi Khuntia) ନାମରେ ।
~ ଜନ୍ମ ଓ ନାମକରଣ ~
ପୁରୀର ହରଚଣ୍ଡୀ ସାହି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ ହଜୁରୀ ଭୀମସେନ ଖୁଣ୍ଟିଆ ଓ କମଳାବତୀଙ୍କ ସନ୍ତାନ ‘ଚନ୍ଦନ’ ଜନ୍ମଗ୍ରହଣ କଲେ ୧୮୨୭ ମସିହା ଶାମ୍ବ ଦଶମୀ ଦିନ (କେତେକଙ୍କ ମତରେ କାର୍ତ୍ତିକ ଶୁକ୍ଳ ଏକାଦଶୀ) । ସାଧାରଣତଃ ଦୁଇଟି ନାମରେ ସାରା ଭାରତରେ ସେ ଜଣାଶୁଣା । ଏ ସମ୍ପର୍କରେ ଯାହା ଶୁଣାଯାଏ ତାହା ଏହିପରି, “ଭୀମସେନ ଖୁଣ୍ଟିଆ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ପାଇଁ ଜଗନ୍ନାଥଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରୁଥିଲେ । ଦିନେ ଠାକୁରଙ୍କ ପାଖରେ ଚନ୍ଦନ ଲାଗି କରୁଥିବା ସମୟରେ ଖବର ପାଇଲେ ଯେ, ତାଙ୍କର ପୁଅଟିଏ ଜନ୍ମ ହୋଇଛି । ଆନନ୍ଦରେ ଆତ୍ମହରା ହୋଇ, ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇ ପୁଅର ନାମ ରଖିଦେଲେ ଚନ୍ଦନ ।
ପିଲାଟି ଦିନରୁ ଚନ୍ଦନ ଥିଲେ ଟିକେ ଦୁଷ୍ଟ ପ୍ରକୃତିର ଓ ଚପଳମତି । ଏହି ଦୁଷ୍ଟାମୀକୁ ଲକ୍ଷ୍ୟ କରି ତାଙ୍କ ପଡ଼ୋଶୀ ମାନେ ତାଙ୍କୁ ‘ଚାକୁ’ (ଛୁରୀ) ବୋଲି ସମ୍ବୋଧନ କରୁଥିଲେ । ଚାକୁ ଅପଭ୍ରଂଶ ହୋଇ ଚାଖି ହୋଇଗଲା ! ପିଲାଟି ଦିନରୁ ସେ ଥିଲେ ସୁଆଦିଆ ଖାଦ୍ୟପ୍ରେମୀ। ତେଣୁ ସବୁ ରନ୍ଧାଯାଉଥିବା ଖାଦ୍ୟକୁ ଚାଖି ଦେଉଥିଲେ ପ୍ରଥମେ । ବାପା, ମା ଏହି ହେତୁରୁ ଡାକୁଥିଲେ ‘ଚାଖି’ ବୋଲି ଅତି ଶ୍ରଦ୍ଧା ସହିତ ।

~ ଅସୀମ ବଳର ଅଧିକାରୀ ~
ପିଲା ଦିନରୁ କୁସ୍ତି କରିବାକୁ ଭଲ ପାଉଥିବା ଚାଖି କ୍ରମେ ହୋଇଗଲେ ପୁରୀର ଜାଗା ଆଖଡ଼ାରେ ଅପ୍ରତିଦ୍ଵନ୍ଦୀ ମଲ୍ଲ । ସୁନ୍ଦର ବଳିଷ୍ଠ ଶରୀରର ଅଧିକାରୀ ହୋଇ ବେଶ୍ ସୁନାମ ଓ ଖ୍ୟାତି ଅର୍ଜନ କରିସାରିଥିଲେ ଯୁବକ ଅବସ୍ଥାରୁ । ତାଙ୍କର ବ୍ରତୋପୟନ ଦିନ, ସେ ଶ୍ରୀମନ୍ଦିରର ବିଜୟ ଦ୍ଵାର ନିକଟରେ ରହି ନଡ଼ିଆ ଗୋଟାଏ ଧରି ପ୍ରାର୍ଥନା କରୁଥିବା ସମୟରେ ଜଣେ ଗୋଛିକାର ନଡ଼ିଆ ଛଡ଼ାଇ ନେବାକୁ ପ୍ରୟାସ କରିବାରୁ, ସେହି ନଡ଼ିଆରେ ପିଟି ପିଟି ଆହତ କରି ଦେଇଥିଲେ ଉକ୍ତ ଗୋଛିକାରକୁ । ଚହଳ ପଡ଼ିଯାଇଥିଲା ସେଦିନ ଶ୍ରୀକ୍ଷେତ୍ରରେ, ଚାଖିଙ୍କର ଏତାଦୃଶ କାର୍ଯ୍ୟରେ ।
ସେତେବେଳେ ସତର ବର୍ଷର ବାଳକ ଥିଲେ ଚନ୍ଦନ । ଜଣେ ମଲ୍ଲଯୋଦ୍ଧା ଭାବେ ସୁପରିଚିତ ହୋଇ ସାରିଲେଣି ସେତେବେଳକୁ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ନନ୍ଦିଘୋଷ ରଥର ଏକ ଚକ ହାତରେ ଭାଙ୍ଗି ଚୁରମାର କରିଦେଲେ । ଅପୂର୍ବ ଶକ୍ତି ସାମର୍ଥ୍ୟର ପରିଚୟ ଦେଇ ଚର୍ଚ୍ଚିତ ହୋଇଥିଲେ ସେ । ସେହିଦିନ ପରଠାରୁ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ନନ୍ଦିଘୋଷ ରଥର ଏକ ଚକ ହରଚଣ୍ଡୀ ସାହି ସ୍ଥିତ ଚନ୍ଦନ ହଜୁରୀଙ୍କ ଘରକୁ ପଠାଇବାର ବିଧି ରହିଛି ।
~ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ~
ଅଠର ବର୍ଷ ବୟସ ବେଳକୁ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ନିର୍ମାଲ୍ୟ ନେଇ ମଧ୍ୟ ଭାରତ ଓ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳକୁ ଯିବାକୁ ତାଙ୍କୁ ଦାୟିତ୍ଵ ଦିଆଗଲା ସେବକ ସମାଜ ତରଫରୁ । ଏହାର ମୁଖ୍ୟ କାରଣ ଥିଲା ତାଙ୍କ ହିନ୍ଦୀ ଭାଷା ଦକ୍ଷତା। ବାଲ୍ୟଶିକ୍ଷା ସମୟରେ ଚାଖି ଖୁଣ୍ଟିଆ ସଂସ୍କୃତ ଓ ହିନ୍ଦୀ ଶିକ୍ଷା ଗ୍ରହଣ କରିଥିଲେ ପଣ୍ଡିତ ରାମ ଦୟାଲ ଠାକୁରଙ୍କ ଠାରୁ । ଭାରତବର୍ଷର ମଧ୍ୟ ଓ ଉତ୍ତର ଭାଗରେ ବୁଲି ବୁଲି ସେଠାର ଶ୍ରଦ୍ଧାଳୁ ମାନଙ୍କୁ ବୁଝେଇ ଶ୍ରୀକ୍ଷେତ୍ର ଅଭିମୁଖୀ କରାଇବା ଥିଲା ମୂଳ ଲକ୍ଷ୍ୟ । ଏମିତିରେ ପୁନାରେ ପହଞ୍ଚିଥିଲେ । ସେତେବେଳେ ମେରୋପନ୍ତ ନାମରେ ଜନୈକ ମରାଠୀ ଥାଆନ୍ତି ମରହଟ୍ଟା ଶାସକ ଚିମାଜୀଙ୍କର ଦେଵାନ୍ । ତାଙ୍କର ଅଗାଧ ବିଶ୍ୱାସ ଥାଏ ଶ୍ରୀଜଗନ୍ନାଥଙ୍କ ଉପରେ । ତେଣୁ ବରାବର ଆସୁଥିଲେ ପୁରୀ । ଚାଖି ଖୁଣ୍ଟିଆ ତାଙ୍କୁ ସାକ୍ଷାତ କରନ୍ତେ, ଦୁହେଁ ପରସ୍ପର ଆପଣାର ହୋଇଗଲେ । ସେହି ୧୮୩୫ ମସିହା ପରଠାରୁ ଚାଖି ଖୁଣ୍ଟିଆ ହୋଇଗଲେ ମେରୋପନ୍ତ ପରିବାରର ବନ୍ଧୁ ଓ ଶୁଭେଚ୍ଛୁ ।
~ ଭାରତବର୍ଷରେ ଜଣେ ବୀରା ରମଣୀ ଆବିର୍ଭୁତା ~
୧୮୩୫ ମସିହା ନଭେମ୍ବର ଷୋହଳ ତାରିଖ ଦିନ ମେରୋପନ୍ତଙ୍କର ଏକ କନ୍ୟା ଜାତ ହେଲେ । ନାଁ ରହିଲା ‘ମନୁବାଇ’। ଶ୍ରୀଜଗନ୍ନାଥଙ୍କ ଆଶ୍ରିତ ମେରୋପନ୍ତ କନ୍ୟାକୁ ଧରି ସପରିବାରେ ପୁରୀରେ ପହଞ୍ଚିଲେ ୧୮୩୭ ମସିହା ଜୁଲାଇ ମାସ ୦୭ ତାରିଖରେ । ଚାଖି ଖୁଣ୍ଟିଆଙ୍କ ଘରେ ଅତିଥି ହେଲେ। ଚାଖିଙ୍କ ପିତା ଭୀମସେନ ଖୁଣ୍ଟିଆ ଥିଲେ ଜ୍ୟୋତିଷ ଶାସ୍ତ୍ର ବିଶାରଦ । କନ୍ୟାଟିର ଜାତକ ଗଣନା କରି, ସେ ଭବିଷ୍ୟତରେ ରାଜରାଣୀ ହେବେ ବୋଲି ଭବିଷ୍ୟବାଣୀ ଶୁଣାଇଲେ । ପୁରୀରେ ସ୍ଵଳ୍ପ ରହଣୀକାଳ ମଧ୍ୟରେ ଦୁଇ ପରିବାର ମଧ୍ୟରେ ଘନିଷ୍ଠତା ଆସିଗଲା ଏବଂ କନ୍ୟାଟିକୁ ଭଉଣୀ ବୋଲି ଗ୍ରହଣ କରିନେଲେ ଚନ୍ଦନ ।
୧୩ ବର୍ଷ ପରେ ୧୮୪୮ ମସିହାରେ ଏହି କନ୍ୟା ଯୌବନାବସ୍ଥା ପ୍ରାପ୍ତ ହେବାରୁ, ମେରୋପନ୍ତ କନ୍ୟା ମନୁବାଈଙ୍କୁ ବିବାହ କରାଇଦେଲେ ଝାନସୀ ରାଜ୍ୟ ଅଧିଶ୍ଵର ଗଙ୍ଗାଧର ରାଓଙ୍କ ସହ । ମନୁବାଈ ହୋଇଗଲେ ଲକ୍ଷ୍ମୀବାଈ । ଭାରତବର୍ଷର ଅଗ୍ରଗଣ୍ୟା, ଚିରନମସ୍ୟା, ବୀରା ରମଣୀ ଝାନସୀ ରାଣୀ ଲକ୍ଷ୍ମୀବାଈ ! ବିଧିର ବିଧାନ ବଡ଼ ବିଚିତ୍ର କିନ୍ତୁ ! ବିବାହର ତିନି ବର୍ଷ ପୂରିବାକୁ ଯାଉଛି । ଲକ୍ଷ୍ମୀବାଈ ପୁତ୍ର ହରାଇଲେ, ପରେ ପରେ ରାଜା ଗଙ୍ଗାଧର ରାଓ ମଧ୍ୟ ଆଖି ବୁଜି ଦେଲେ । ଅସହାୟା ହୋଇ ପଡ଼ିଥିଲେ ରାଣୀ । ରାଜ୍ୟର ଉତ୍ତରାଧିକାରୀ ଭାବେ ପୋଷ୍ୟପୁତ୍ର ଗ୍ରହଣ ଗ୍ରହଣ କଲେ । କିନ୍ତୁ ଏ ଯେ ଫିରିଙ୍ଗି ଶାସନ ! ଇଂରେଜ ସରକାର ସମ୍ମତି ଦେଲେ ନାହିଁ ଏଥି ପାଇଁ । ଉଦ୍ଦେଶ୍ୟ, ଝାନସୀକୁ ନିଜ ଅକ୍ତିଆରକୁ ନେବା । ପାଞ୍ଚ ବର୍ଷ କାଳ ଦୁଃଖ, ଦୁଶ୍ଚିନ୍ତାରେ ରହିଲେ ରାଣୀ ଲକ୍ଷ୍ମୀବାଈ । ଅନ୍ୟ କୌଣସି ଉପାୟ ନପାଇ ଚିଠି ଲେଖିଲେ ୧୮୫୬ ମସିହା ମେ ମାସ ଏଗାର ତାରିଖରେ ପ୍ରିୟ ଭାଇ ଚାଖିଙ୍କ ନିକଟକୁ ପରାମର୍ଶ ପାଇଁ । ଏଣେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଦାନା ବାନ୍ଧୁଥିଲା । ବିଳମ୍ବ ନକରି ପତ୍ର ପାଇ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଝାନସୀ ଯିବା ପାଇଁ ପ୍ରସ୍ତୁତ ହେଲେ ଚାଖି ଖୁଣ୍ଟିଆ
“ବିପଦରେ ପଡ଼ି ଚିଟାଉ ଲେଖିଚି
ଝାନସୀର ରାଣୀ ଲକ୍ଷ୍ମୀବାଈ
କେତେ ଉପହାର କେତେ ସମ୍ପଦ
ପଠାଇ ଦେଇଛି ଆମରି ପାଇଁ ।”
(ରାଧାମୋହନ ଗଡ଼ନାୟକ)
~ ଝାନସୀରେ ଚନ୍ଦନ ହଜୁରୀ ~
ସେଦିନ ଥିଲା ୧୮୫୭ ସାଲ ଜାନୁଆରୀ ୨୪ ତାରିଖ । ଚାଖି ଖୁଣ୍ଟିଆ ପହଞ୍ଚିଲେ ଲକ୍ଷ୍ମୀବାଈଙ୍କ ନିକଟରେ । ରାଜ୍ୟ ପରିସ୍ଥିତି ନ କହିଲେ ଭଲ । କର୍ମଚାରୀ ମାନେ ବିଶ୍ୱାସଘାତକତାର ଶୀକାର । ମନ୍ତ୍ରୀମଣ୍ଡଳ ଅର୍ଥ ପିପାସୁ ସାଜି ଇଂରେଜ ସରକାରଙ୍କୁ ଗୋପନୀୟ ତଥ୍ୟ ଯୋଗାଇବାରେ ପରସ୍ପର ମଧ୍ୟରେ ପ୍ରତିଯୋଗୀତାରେ ମଗ୍ନ । ଏସବୁ ସତ୍ତ୍ୱେ ରାଣୀ ଲକ୍ଷ୍ମୀବାଈ କୌଣସି ପ୍ରକାରର ଆଶା ହରାଇ ନଥିଲେ, ବରଂ ଯୁଦ୍ଧ କରି ଝାନସୀକୁ ରକ୍ଷା କରିବାକୁ ଯୋଜନା କରୁଥିଲେ । ଚାଖିଙ୍କ ଉପସ୍ଥିତି ତାଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କଲା ।

~ ସକାରାତ୍ମକ ଚିନ୍ତା, ବିଜ୍ଞ ପରାମର୍ଶଦାତା ~
ଏ ସମୟରେ ଭାଙ୍ଗି ନ ପଡ଼ି ଚାଖି ଖୁଣ୍ଟିଆ ରାଣୀ ଲକ୍ଷ୍ମୀବାଈଙ୍କୁ ପରାମର୍ଶ ଦେଲେ ଯେ, ଇଂରେଜ ସରକାରଙ୍କ ଦୃଷ୍ଟିରୁ ନିଜକୁ ଏଡ଼େଇ ରଖନ୍ତୁ ଓ ସେମାନଙ୍କୁ ଅସନ୍ତୁଷ୍ଟ ନ କରନ୍ତୁ । କିନ୍ତୁ, ନିଜେ ଛଦ୍ମବେଶରେ ବୁଲି ଝାନସୀର ସ୍ଵାଧୀନତା ରକ୍ଷା କରିବା ପାଇଁ ଲୋକମାନଙ୍କୁ ବୁଝାଇବା ସହ ସୈନ୍ୟଠୁଳ କରିବାରେ ଲାଗି ପଡ଼ିଲେ । ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ଯାଇ, ସେଠାରେ ପରିସ୍ଥିତି ଅନୁଧ୍ୟାନ କରି, ଇଂରେଜ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରବର୍ତ୍ତାଇବା ଆରମ୍ଭ କରିଦେଲେ । ସେହି ସମୟରେ ତାଙ୍କୁ ଗୋଟିଏ କଥା ଭାରି ସୁହାଇଲା । ସିପାହୀ ବିଦ୍ରୋହ ଆହୁରି ଜ୍ଵାଳାମୁଖୀ ହେବାରେ ଲାଗିଥିଲା । ବରେଲୀ, ମିରଟ୍, କାନପୁର, ବାରାକପୁର, କାଶୀ, ଲକ୍ଷ୍ନୌ, ଗୋଆଲିଅର୍, ବିଠୁର ଆଦି ରାଜ୍ୟ ମାନଙ୍କରେ ହେଉଥିବା ବିଦ୍ରୋହ ଇଂରେଜମାନଙ୍କୁ ଅଣାୟତ୍ତ କରି ଦେଇଥିଲା । ଅନ୍ୟ ପକ୍ଷରେ ରାଜ୍ୟସତ୍ତ୍ଵଲୋପ ଆଇନ ବଳରେ ରାଜ୍ୟ ହରାଇଥିବା ସତରା, ନାଗପୁର, ଜୈତପୁର ରାଜ୍ୟର ରାଜନ୍ୟବୃନ୍ଦ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଥିଲେ । ଚାଖି ଖୁଣ୍ଟିଆ ଦେଖିଲେ ଯେ, ନାନା ସାହେବ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଇଂରେଜ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି, ପୁଣି ତାନ୍ତିଆ ଟୋପେ ବିଠୁର୍ ରାଜ୍ୟ ହରେଇବାକୁ ଯାଉଛନ୍ତି । ତେଣୁ ସେମାନଙ୍କ ସହ ପରାମର୍ଶ କରି, ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଲେ ଚାଖି ଖୁଣ୍ଟିଆ । ପ୍ରଥମେ ଅବିଶ୍ବାସୀ ସୈନ୍ୟମାନଙ୍କୁ ବାଦ୍ ଦେଇ ଶୃଙ୍ଖଳିତ ସୈନ୍ୟ ମାନଙ୍କୁ ସଙ୍ଗଠିତ କରି ଝାନସୀରୁ ଆରମ୍ଭ କରିଦେଲେ ଯୁଦ୍ଧଂ ଦେହି ଡାକରା ।
~ ବିଶ୍ବାସଘାତର କ୍ରୁର ପରିଣାମ ~
୧୮୫୭ ରେ ଆରମ୍ଭ ହେଲା ଯୁଦ୍ଧ । ‘ମର ବା ମାର ‘ ନୀତିରେ ଆଗକୁ ମାଡ଼ିଲେ ସେନାବାହିନୀ । କିନ୍ତୁ, ୧୮୫୮ ଜାନୁଆରୀ ୨୫ ତାରିଖ ହେଲା ଘୋର କାଳିମାମୟ ଦିବସ ଝାନସୀ ରାଜ୍ୟର । ଦୁର୍ଗ ରକ୍ଷା ପାଇଁ ଚନ୍ଦନ ହଜୁରୀଙ୍କ ପରାମର୍ଶ, ସେନା କର୍ମଚାରୀଙ୍କ କାର୍ଯ୍ୟ ନିରୀକ୍ଷଣ ହେତୁ ଅପରାଜେୟ ହୋଇ ଉଠୁଥିଲେ ଲକ୍ଷ୍ମୀବାଈ । କିନ୍ତୁ, ହାୟ ! ଅଣ୍ଟିଛୁରୀ ତଣ୍ଟି କାଟେ । କୂଟନୀତି ପ୍ରବୀଣ ଇଂରେଜ ଶାସକ ହାତ କରିନେଲେ ବୁନ୍ଦେଲ ସର୍ଦ୍ଦାର ଠାକୁର ଲାଲାଜୀଙ୍କୁ । ପ୍ରଲୋଭନ ପରବର୍ତ୍ତୀ ଅବସ୍ଥା କାହା ପାଇଁ ଭଲ ହୋଇପାରେ, କିନ୍ତୁ ଦେଶର ଦୁର୍ଭାଗ୍ୟକୁ ଡାକି ଆଣିଥାଏ । ବିଶ୍ବାସଘାତକ ହୋଇଗଲେ ଠାକୁର ଲାଲାଜୀ । ଦୁର୍ଗର ପ୍ରବେଶ ଦ୍ଵାର ଖୋଲିଦେଲେ । ଶତ୍ରୁ ସୈନ୍ୟ ପଶିବାରେ ସଫଳ ହେଲେ । ଆଉ ଲକ୍ଷ୍ମୀବାଈ ଏବଂ ଚାଖି ଖୁଣ୍ଟିଆ ? ଝାନସୀ ରାଣୀ ନିଜର ଅଶ୍ଵ ‘ବିବେକ’ ପିଠିରେ ବସି, ଅସ୍ତ୍ର ସାହାଯ୍ୟରେ ନିପାତ କଲେ ଶହଶହ ଇଂରେଜ ସୈନ୍ୟଙ୍କୁ । ଚାଖି ଖୁଣ୍ଟିଆ ହାଣି ଚାଲିଲେ ଶତ୍ରୁ ମାନଙ୍କୁ !
“ଘୋଟକ ବାହନେ ପୁରୁଷର ବେଶେ
ଅସୀ ଚଳାଇଲେ ଲକ୍ଷ୍ମୀବାଈ
ଚାଖି ଖୁଣ୍ଟିଆ ବଇରୀ ହାଣିଲେ
ଝାନସୀ ରାଣୀର ପାଶରେ ଥାଇ ।”
(ରାଧାମୋହନ ଗଡ଼ନାୟକ)
~ ପଳାତକ କାପୁରୁଷ ନୁହେଁ ~
ବିପୁଳ ଇଂରେଜ ସୈନ୍ୟ, ଗୁଳି, ଗୋଳା, କମାଣ, ଅନ୍ତର୍ଘାତୀ କାର୍ଯ୍ୟ, ବିଶ୍ବାସଘାତକତା, ବିଶୃଙ୍ଖଳିତ ସୈନ୍ୟ — ଏସବୁ ବିଜୟର ଦ୍ଵାରକୁ ଅବରୁଦ୍ଧ କରିଦେଉଥିଲେ ଯେମିତି ! ବିଜୟର ଆଶା ମଉଳିଗଲା । ଝାନସୀରୁ ଅନ୍ୟତ୍ର ଯାଇ ଯୁଦ୍ଧ କରି ବଇରୀ ନିପାତ କଲେ ଅସୁବିଧା କେଉଁଠି ? ତେଣୁ ଚାଖି ଖୁଣ୍ଟିଆ ପରାମର୍ଶ ଦେଲେ, ରାଣୀଙ୍କୁ ଦୁର୍ଗ ଛାଡ଼ି ଚାଲିଯିବା ପାଇଁ । ସେଇଆ ହେଲା । ରାଣୀ ଗୋଆଲିଅର୍ ଅଭିମୁଖେ ଅଶ୍ଵାରୋହଣ କରି ପ୍ରସ୍ଥାନ କଲେ । ବିଜୟ ଆଶା ନଦେଖି ଚାଖି ମଧ୍ୟ ଅନ୍ତର୍ହିତ ହୋଇଗଲେ ।
~ ପବିତ୍ର ଗଙ୍ଗାଦାସ ମଠ ~
ଗୋଆଲିଅର୍ ଦୁର୍ଗର ପତନ ହେଲା । ତେଣୁ ଲକ୍ଷ୍ମୀବାଈ ପ୍ରିୟ ଘୋଟକ ଉପରେ ଆରୋହଣ କରି ପଳାୟନ କରିବାକୁ ବାଧ୍ୟ ହେଲେ । ଲହୁ ଲୁହାଣ ହୋଇ କ୍ଷତ ବିକ୍ଷତ ଶରୀରରେ ଯାଉଥିବା ସମୟରେ ଇଂରେଜ ମାନେ ପଶ୍ଚାଧାବନ କଲେ । ଆକ୍ରମଣ ଆରମ୍ଭ କଲେ ରାଣୀଙ୍କ ଉପରେ । ବଞ୍ଚିବାର ଆଶା କ୍ଷୀଣ ହୋଇ ଆସୁଥିଲା । ଅର୍ଦ୍ଧମୃତବତ୍ ଶରୀରକୁ ନେଇ ଇଂରେଜ ସୈନ୍ୟ ଫିଙ୍ଗି ଦେଇ ଆସିଲେ ଅବୁର ନଦୀ କୂଳରେ ଥିବା ଏକ ମଠରେ । ମଠାଧୀଶ ଗଙ୍ଗାଦାସ । ଅନେକ ଦିନରୁ ଅପେକ୍ଷା କରିଥିଲେ ରାଣୀ ଲକ୍ଷ୍ମୀବାଈଙ୍କୁ । ଅନ୍ଧାରରେ ରାଣୀଙ୍କ ରକ୍ତାକ୍ତ ମୁହଁ ଦେଖି ଚମକି ପଡ଼ିଲେ, ରକ୍ତ ଜୁଡ଼ୁବୁଡ଼ୁ ମୁହଁ ଧୋଇ ଦେଲେ । ଗଙ୍ଗାଜଳ ପାଟିରେ ଦେଲେ । ନିଜ ପ୍ରିୟ ଭାଇ କୋଳରେ ମୁଣ୍ଡ ରଖି ଶୋଇଗଲେ ରାଣୀ । ତା’ପରେ, ଅନ୍ତିମ ସଂସ୍କାର । ଯବନିକା ପତନ ହେଲା
ତେବେ କିଏ ଏହି ଗଙ୍ଗାଦାସ ?
~ ପୁଣି ଦେଶାନ୍ତର ~
ମଠ ଭାଙ୍ଗି ଦେଇ ଗଙ୍ଗାଦାସ ଚାଲିଲେ ନେପାଳ ଅଭିମୁଖେ । ଧରାପଡ଼ିଯିବା ଭୟରେ ବାଟରେ ଗୋଟିଏ ପୋଲ ତଳେ ଲୁଚି ରହିଲେ ସତର ଦିନ । ତା’ପରେ ନେପାଳରେ ପହଞ୍ଚି, ଛଦ୍ମବେଶରେ ବ୍ରାହ୍ମଣ କାର୍ଯ୍ୟ କରି ଜୀବିକା ଉପାର୍ଜନ କଲେ । ମନରେ ଥିଲା କିନ୍ତୁ ଅସୀମ ଯାତନା । ଝାନସୀର ପତନ, ଲକ୍ଷ୍ମୀବାଈଙ୍କ ମୃତ୍ୟୁ, ସିପାହୀ ବିଦ୍ରୋହର ଅବସାନ, ଦୀର୍ଘ ଦିନର ପରିବାର ସମ୍ପର୍କ ଛିନ୍ନ — ଏ ସବୁ ଦ୍ଵନ୍ଦ, କଷ୍ଟ ମଧ୍ୟରେ ଏକା ତ ଭରସା ସ୍ଵୟଂ ଜଗନ୍ନାଥ ! ! ତେଣୁ ଗଙ୍ଗାଦାସ ଚାଲିଲେ ଶ୍ରୀକ୍ଷେତ୍ର ଅଭିମୁଖେ ।
~ ଶ୍ରୀକ୍ଷେତ୍ରରେ ~
ଗଙ୍ଗାଦାସ ନାଁ ସମାଧିସ୍ଥ ହେଲା ଏଇଠି । ଶ୍ରୀକ୍ଷେତ୍ରରେ ପହଞ୍ଚି ପୂର୍ବ ବନ୍ଧୁ ଦିବ୍ୟସିଂହ ମିଶ୍ରଙ୍କୁ ଦେଖାକରି ଗୋଟି ଗୋଟି ସବୁ କଥା କହିଲେ । କଥା ପ୍ରକଟିତ ହୋଇଗଲା । ବିଧବା ବେଶକୁ ଆଦରି ନେଇଥିବା ପତ୍ନୀ ସିନ୍ଦୁର ପିନ୍ଧି ସଧବା ହେଲେ ! ଆଉ ପାରିନାନୀ ଭାଇକୁ ଚିହ୍ନି ପକାଇ ଗାଇ ଉଠିଲେ
“ନଈରେ ବାଳିଆ ଚହଟିଲା
କଜଳ ସିନ୍ଦୁର ନାଆ ଲୋ ! ମଣି
ପୁଣି ଚାଖିଆ ଲେଉଟିଲା”
ସହର ସାରା ଚହଳ ପଡ଼ିଯାଇଥିଲା । ମୁକ୍ତିମଣ୍ଡପ ପଣ୍ଡିତ ସଭା ପରାମର୍ଶ କ୍ରମେ ଯଜ୍ଞାଦି ଅନୁଷ୍ଠାନ କରାଇ ଗଙ୍ଗାଦାସ ହୋଇଗଲେ ଚାଖି ଖୁଣ୍ଟିଆ ଓରଫ୍ ଚନ୍ଦନ ହଜୁରୀ । ଏତିକିରେ ସରି ନଥିଲା । କ୍ରମଶଃ ଲୋକପ୍ରିୟତା ବଢ଼ିବାରୁ ସେ ଜଣା ପଡ଼ିଗଲେ, ସେ ଯେ, ଅତୀତରେ ଝାନସୀର ଅପରାଜେୟ ବୀର ଚାଖି ଖୁଣ୍ଟିଆ ! ଜିଲ୍ଲାପାଳ ବନ୍ଦୀ କରିନେଲେ । ଅଳ୍ପଦିନ ପରେ ମହାରାଣୀ ଭିକ୍ଟୋରିଆ ସମସ୍ତ ଯୁଦ୍ଧ ବନ୍ଦୀଙ୍କୁ ରାଜକ୍ଷମା ଦେଲେ । ପୁଣି ଚାଖି ଲେଉଟି ଆସିଲେ ଶ୍ରୀମନ୍ଦିର ବେଢ଼ାକୁ, କଣ୍ଠରେ ଭାସି ଉଠିଥିଲା,
“ମନ୍ଦରଧର ନୀଳଗିରିବାସୀ
କନ୍ଦରବାସୀ ପ୍ରାୟେ ଅଛ ବସି
ପନ୍ଦର ନେତ୍ର, ଧାତା ପୁରନ୍ଦର ,
ବନ୍ଦନ କରନ୍ତି ଯେଉଁ ପୟର
ଛଳ ଛାଡ଼ ଦେବରାଜ ହେ
ନନ୍ଦନନ୍ଦନ ଶ୍ରୀଚରଣାବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ ।”
ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ! ନାଁଟି ଉଚ୍ଚାରଣ ମାତ୍ରେ ପ୍ରତି ଓଡ଼ିଆ ପ୍ରାଣରେ ପୁଲକ ସୃଷ୍ଟି ହୁଏ । ସେ ଜାତୀୟବୀର । ସେ ସାହାସୀ, ସେ ପରାକ୍ରମୀ, ବିପ୍ଳବୀ, ସ୍ଵାଧୀନତା ସଂଗ୍ରାମୀ, ସଙ୍ଗଠକ, ରଣ କୌଶଳୀ, ବିଜ୍ଞ ପରାମର୍ଶଦାତା, ସିପାହୀ ବିଦ୍ରୋହର ମହାରଥୀ, କବି, ପରମ ଭକ୍ତ, ସେ ଜାତୀୟବୀର । ୧୮୭୦ ମସିହାରେ ମାତ୍ର ୪୩ ବର୍ଷ ବୟସରେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଲୀନ ହୋଇଗଲେ ।
ଐତିହାସିକ, ସାହିତ୍ୟିକ, ପ୍ରାବନ୍ଧିକ, ଦେଶସେବୀ ମାନେ ଅନେକ କିଛି ଲେଖିଛନ୍ତି ଚାଖି ଖୁଣ୍ଟିଆଙ୍କ ଉପରେ । ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଦ୍ଵାରା ସଂଗୃହୀତ ଚାଖି ଖୁଣ୍ଟିଆ କୃତ ଲକ୍ଷ୍ମୀବାଈ ପାଣ୍ଡୁଲିପି ଏବେ ମଧ୍ୟ ପ୍ରକାଶ ଅପେକ୍ଷାରେ । ଏହା ତାଙ୍କ ଜୀବନ ଚରିତର ଏକ ବଳିଷ୍ଠ ଉପାଦାନ ନିଶ୍ଚିତ ଭାବେ ହୋଇଥିବ ! ଅନ୍ୟତମ ସାରସ୍ଵତ ସାଧକ ଡାକ୍ତର ବିକ୍ରମ ଦାସ ତାଙ୍କ ଉପନ୍ୟାସ ‘ଭଲେ ବିରାଜୋ ଜୀ’ରେ କହନ୍ତି, “ଆରେ ! ଚନ୍ଦନ ହଜୁରୀର ସାହସ ନଥିଲେ ସେ ସିପାହୀ ବିଦ୍ରୋହ ବେଳେ ଦୂର ରାଜ୍ୟ ମାନଙ୍କରେ ଯାଇ ବିଦ୍ରୋହୀ ରାଜାରାଣୀମାନଙ୍କର ଗୁରୁ ହୋଇ ପାରିନଥାନ୍ତା କି ଆଜି ଭାରତର ସ୍ଵାଧୀନତା ସଂଗ୍ରାମର ଇତିହାସରେ ତା’ର ନାମ ସୁନା ଅକ୍ଷରରେ ଲେଖା ଯାଇନଥାନ୍ତା ।”
ସମଗ୍ର ଭାରତବର୍ଷରେ ବିରଳ ଏହିପରି ଜଣେ ପ୍ରତିଭା। ଆଜି ଉତ୍କଳଖଣ୍ଡ ଗର୍ବ ଅନୁଭବ କରେ ଏଭଳି ଜଣେ ଜାତୀୟ ବୀର ଉତ୍କଳ ଜନନୀୀଙ୍କ କୋଳରେ ଜନ୍ମ ନେଇଥିବାରୁ ।
ଆଧାର: ପଣ୍ଡିତ ସଦାଶିବ ରଥଶର୍ମା, ନିର୍ମଳା କୁମାରୀ ମହାପାତ୍ର ଓ ନୃସିଂହ ଚରଣ ସାହୁଙ୍କ ବିଭିନ୍ନ ପ୍ରବନ୍ଧ ସମୂହ ।
ଫଟୋ: ଶ୍ରୀଯୁକ୍ତ ବାସୁଦେବ ସାହୁ, ପୁରୀ
ଚକରା ବିଷୋୟୀ
୧୮୩୬ ମସିହାରେ ଘୁମୁସରର (ଗଞ୍ଜାମ) ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ। ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଗଲା, ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ ।
ଘୁମୁସର ବିଦ୍ରୋହ (୧୮୧୫-୧୮୫୬)ଏକ ଆଦିବାସୀ କନ୍ଧ ଜନଜାତିର ବିଦ୍ରୋହ ।ଏହା ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ ଘଟଣା । ଏହି ଆନ୍ଦୋଳନ କେବଳ ରାଜନୈତିକ ଓ ସାମରିକ କାରଣଦ୍ୱାରା ଆବଦ୍ଧ ନୁହେଁ ବରଂ ସାମଜିକ, ଅର୍ଥନୈତିକ, ପ୍ରଶାସନିକ ଓ ଧର୍ମୀୟ କାରଣ ଯୋଗୁଁ ମଧ୍ୟ ସଂଘଟିତ ହୋଇଥିଲା । ଇଁରେଜ ସରକାରଙ୍କ ବିରୋଧରେ ଘୁମୁସର ବିଦ୍ରୋହକୁ ନେତୃତ୍ୱ ନେବାରେ ଯେଉଁ କେତେକ ଦେଶପ୍ରେମୀ ନିଜ ଜୀବନକୁ ଉତ୍ସର୍ଗ କରି ଅମର ହୋଇଛନ୍ତି ତନ୍ମଧ୍ୟରୁ କମଳଲୋଚନ ଦୋରା ବିଷୋୟୀ, ଦୋହରା ବିଷୋୟୀ ଓ ଚକରା ବିଷୋୟୀ (Chakara Bishoyi) ଅନ୍ୟତମ ।
ଘୁମୁସର ବିଦ୍ରୋହ ମୁଣ୍ଡ ଟେକିବାର କେତୋଟି ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ କାରଣ ଅନ୍ୟତମ । ଇଂରେଜମାନେ ଏହି ଅଞ୍ଚଳ ଦଖଲ କଲା ପରେ ଜମିଦାରମାନଙ୍କ ଠାରୁ ଯଥେଷ୍ଟ ଖଜଣା ଆଦାୟ କରିବା ଅଭିପ୍ରାୟ ପୋଷୋଣ କଲେ । ପ୍ରତ୍ୟେକ ଜମିଦାର ଇଂରେଜମାନଙ୍କ ଆର୍ଥିକ ଶୋଷଣ ନୀତିରେ ଅଣନିଶ୍ୱାସୀ ହୋଇ ଯାଇଥିଲେ । ସେମାନଙ୍କର ଉତ୍ତରାଧିକାରୀଗଣ ନିଜର ସ୍ୱତ୍ତ୍ୱ, ମର୍ଯ୍ୟାଦା ଓ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । କିନ୍ତୁ ସମସ୍ତ କ୍ଷେତ୍ରରେ ଇଂରେଜମାନଙ୍କ ହସ୍ତକ୍ଷେପ ଓ ଚକ୍ରାନ୍ତ ଯୋଗୁଁ ଲୋକମାନେ ସେମାନଙ୍କୁ ଅବିଶ୍ୱାସ କଲେ, ଆଦିବାସୀମାନେ ସେମାନଙ୍କର ସ୍ୱାଧୀନତା, ସ୍ୱାତନ୍ତ୍ର୍ୟ ଓ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ ଯୋଗୁଁ ବିଦ୍ରୋହୀ ହୋଇଉଠିଲେ । ଇଂରେଜମାନଙ୍କ ଖଜଣା ବୃଦ୍ଧି ବ୍ୟବସ୍ଥା ଯୋଗୁଁ ଅଧିକାଂଶ ଜମିଦାର ନିଜର ସୁରକ୍ଷା ପାଇଁ ଅତି ଅଳ୍ପ ଅର୍ଥ ରଖି ଆଦାୟର ଦୁଇ-ତୃତୀୟାଂଶ ଖଜଣା ବାବଦକୁ ଦେଉଥିଲେ ।
ଘୁମୁସର ଜମିଦାରୀକୁ ୧୮୩୬ ମସିହାରେ ଇଂରେଜ ସାମ୍ରାଜ୍ୟ ସହ ମିଶ୍ରଣ କରାଗଲା ।ଏହି ଜମିଦାରୀରେ ଭଞ୍ଜ ରାଜଙ୍କ ପୁନଃ ପ୍ରତିଷ୍ଠାର କୌଣସି ସଂକେତ ନ ଦେଖାଯିବା ଯୋଗୁଁ ଜନ ଅସନ୍ତୋଷ ଇଂରେଜମାନଙ୍କ ବିରୋଦ୍ଧରେ ପ୍ରବଳରୁ ପ୍ରବଳତର ହେଲା ।
ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କ କାର୍ଯ୍ୟକଳାପ ଫଳରେ ଅନେକ ଆଦିବାସୀଙ୍କ ଧର୍ମାନ୍ତରୀକରଣ ଘୋଷଣା ସରଳ ବିଶ୍ୱାସୀ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅଲୋଡନ ସୃଷ୍ଟି କଲା । ତେଣୁ ସେମାନେ ଧର୍ମବିଶ୍ୱାସକୁ ବଜାୟ ରଖିବା ପାଇଁ ବିଦ୍ରୋହର ପନ୍ଥା ଅବଲମ୍ବନ କରିଥିଲେ ।
କମଳଲୋଚନ ଦୋରା ବିଷୋୟୀଙ୍କ ନେତୃତ୍ୱରେ ଘୁମୁସର ବିଦ୍ରୋହ (୧୮୧୫-୧୮୩୭) କମଳଲୋଚନ ଥିଲେ ଘୁମୁସର ଜମିଦାରୀର ଦୋରା ଅଥବା ମୁଖ୍ୟ ବିଷୋୟୀ ବା ଅଧିକାରୀ । ସେ ମଧ୍ୟ ମାଳୁଆ କନ୍ଧ ଅଞ୍ଚଳର ମୁଖ୍ୟ ଥିଲେ । ସେ ଘୁମୁସର ରାଜ୍ୟର ସେନାଧ୍ୟକ୍ଷ ମଧ୍ୟ ଥିଲେ । ସେ ଧନଞ୍ଜୟ ଭଞ୍ଜଙ୍କଦ୍ୱାରା କନ୍ଧମାନଙ୍କ ମୁଖ୍ୟ ରୂପେ ନିଯୁକ୍ତି ପାଇଥିଲେ ।
ପିତା ରାମ ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚକରା ବିଷୋୟୀ ଇଂରେଜ ବିରୋଧୀ ପ୍ରସିଦ୍ଧ କନ୍ଧନେତା ଭାବରେ ପରିଚିତ ହେଲେ । ସେ ଘୁମୁସର ଅଞ୍ଚଳ ଛାଡି ଅନୁଗୁଳ ଅଞ୍ଚଳରେ ଗୋପନରେ ରହୁଥିଲେ । ୧୮୪୪ ମସିହାରେ ସେ ବୌଦର କନ୍ଧନେତା ବୀର କହଁରଙ୍କ ଠାରୁ ନିମନ୍ତ୍ରଣ ପାଇ କନ୍ଧ ବିଦ୍ରୋହରେ ଯୋଗଦେଲେ । ବୀର କହଁର ଚକରା ବିଷୋୟୀଙ୍କ ପ୍ରଧାନ ସହାୟକ ଓ ଆନୁଗୁଳର ରାଜା ସୋମନାଥ ସିଂହ ତାଙ୍କର ପୃଷ୍ଠପୋଷକ ଥିଲେ ।
ଓଡ଼ିଶା ଇତିହାସରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ଏହି ଚକରା ବିଷୋୟୀ, ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।
୧୮୨୩ ମସିହା ପୌଷ ମାସ ଶାମ୍ବଦଶମୀ ଦିନ ଘୁମୁସର ଗାଁର ରାମ ସିଂହଙ୍କର କୋଳମଣ୍ଡନ କରିଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ ଏବଂ ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।
ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଷକ ବିଭିନ୍ନ ମତ ଦେଇଛନ୍ତି । ଗବେଷକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କହିଥିଲେ ।
ଚକରା ବିଷୋୟୀ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କର ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ ।
କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ରହିଥାନ୍ତି । ସେମାନଙ୍କ ଭିତରେ “କୁଇ” ଓ “କୁବି” ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀ ଓ ଦୋହରା ବିଷୋୟୀ ଅନ୍ୟତମ ।
କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ “କନ୍ଧମେଳି” ଜରିଆରେ ଚକରା ବିଷୋୟୀ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।
ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ସଂଗ୍ରାମ କରିଥିଲେ । ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା । ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇ ନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ସେ ପ୍ରତ୍ୟୁତ୍ତର ରଖିଥିଲେ, “ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।”
ଚକରାଙ୍କୁ ଧରିବା ପାଇଁ ଭାରତର ତତ୍କାଳୀନ ବଡ଼ଲାଟ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, “ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।”
ଦୁଃଖ ଓ ପରିତାପର ବିଷୟ ଇଁରେଜ ଶାସନ ଭଳି ଆଜି ମଧ୍ୟ ଗଞ୍ଜାମ ତଥା ଓଡ଼ିଶା, ଶାସକର ଚକ୍ରବିହ୍ବରେ ପେଶି ହେଇଚାଲିଛି ଚକରା ବିଷୋୟୀ ପରି ମୁକ୍ତିପାଗଳ ମୁକ୍ତିଯୋଦ୍ଧାଙ୍କ ପ୍ରେରଣା ପ୍ରତିଟି ଓଡ଼ିଆର ହୃଦୟରେ ସ୍ପନ୍ଦନଶୀଳ ହେଉ, ଏହା ହିଁ କାମନା ।
Thursday, January 21, 2021
ସମର୍ପଣ (topic - 94 ମୋ'ଗାଁ ମନ୍ଦିର ) quote #quot
Saturday, January 16, 2021
ସମର୍ପଣ (topic - 93 ମଦମୃତ୍ୟୁ ) quote #quot
•••••••••• ମୁଁ କି କେବେ ଦୀନ ହୀନ ? •••••••••••
Friday, January 15, 2021
■ ⚘ପ୍ରେମ ଆକର୍ଷଣ⚘ ■
■ :~ କ୍ଷମା~: ■
Wednesday, January 13, 2021
ଜରା ନିବାସ
#ନଳ_ଦମୟନ୍ତୀ_କାହାଣୀ
ଶ୍ରୀକରଣ ଓ କରଣ
ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...
-
✍ ଶିଶିର ସାହୁ ମନୋଜ ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶ...
-
କବି ମାର୍କଣ୍ଡ ଦାସ ଓ ତଦୀୟ ରଚନାସମଷ୍ଟି --------------------------------------------------- ….. © ଅମୃତେଶ ଖଟୁଆ (୧୮.୦୪.୨୦୨୧) ...
-
ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...