ବର୍ଣ୍ଣ ବୈଷମ ‐ ୯୫
ରଙ୍ଗ ନୁହେଁ ଦେଖ ମାନବ-ପଣ
ଅହିଂସା ନୀତିର ଏକତା ମର୍ମ
ସ୍ବାଭିମାନେ ଥାଉ ଦାମ୍ଭିକପଣ
ଗାନ୍ଧୀ ନୀତି ଏଇ ମହତ୍ତ୍ୱ-ପୂର୍ଣ୍ଣ
ଆତ୍ମବଳ ସୌଧେ ମନ ଜଗାଇ
ଏକତା ମନ୍ତ୍ରେ ବିଶ୍ବକୁ ଧୋଇ
ମାନବ ପ୍ରେମର ବାରତା ଦେଇ
ବର୍ଣ୍ଣ-ବୈଷମ ଦେବା ଦୂରେଇ
- ସନ୍ତୋଷ ପଟ୍ଟନାୟକ
କଳା ଗୋରା ଖାଲି ମନର ବିକାର
ବର୍ଣ୍ଣ ବୈଷମର ଭେଦ
ଚର୍ମ ବର୍ଣ୍ଣ ନେଇ ବିଭେଦ ଭିଆଇ
ଭାଙ୍ଗେ ଐକ୍ୟତାର ଭାଵ
କଳା ଗୋରା ସବୁ ଚର୍ମର ଢ଼ାଙ୍କୁଣୀ
ବର୍ଣ୍ଣ କି ଚିହ୍ନାଏ ଗୁଣ
କୋଇଲିର ସ୍ୱର କାଳି ଗାଈ କ୍ଷୀର
ଚଳନ୍ତି ଉଦାହରଣ
- ପ୍ରବୀର ମଲ୍ଲିକ୍
ବର୍ଣ୍ଣ ପାଇଁ କର୍ଣ୍ଣ ଲାଞ୍ଚିତ ହୋଇଛି
ସହିଛି ଅନେକ ପୀଡ଼ା
ଏକଲବ୍ୟ ପୁଣି ଗୁରୁ ଆଶ୍ରମରୁ
ଖାଇଥିଲା ଦିନେ ତଡା
ବର୍ଣ୍ଣ ବିବାଦରୁ ପ୍ରଭୁ ଜଗନ୍ନାଥ
ଲକ୍ଷ୍ମୀଙ୍କୁ ଦେଲେ ଗଞ୍ଜଣା
ଭୋଗିଲେ ଅକାଳେ ଅନେକ ଯନ୍ତ୍ରଣା
କରି ଲକ୍ଷ୍ମୀ ମାନ ଊଣା
- ଟୁକୁନା ସାହୁ
ଜାତି,ଧର୍ମ,ବର୍ଣ୍ଣ ବୈଷମ ପ୍ରଥାଟି
ତେଜିଲେ ସିନା ମନରୁ
ଆଗକୁ ବଢ଼ିବ ସୁନାର ଭାରତ
ଦୁର୍ନିତି ହଟି ଦେଶରୁ
ହିନ୍ଦୁ ଧର୍ମେ ବର୍ଣ୍ଣ ବୈଷମ ପ୍ରଥାଟି
ଉଲ୍ଲେଖ କେଉଁ କାଳରୁ
ସର୍ବ ଜନମନ ହେଲେ ଏକାକାର
ଦେଶ ହେବ ବିଶ୍ବଗୁରୁ
- ରାଧା କୃଷ୍ଣ ବାୟକ
ଆଜି ବି ରହିଛି ଏ ସଭ୍ୟ ସମାଜେ
ବର୍ଣ୍ଣ ବୈଷମ୍ୟର ଭେଦ
ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ଲାଗିଛି
ଏ ସମ୍ପର୍କିତ ବିବାଦ
ଶିକ୍ଷିତ ହୋଇ ବି କେହି ବୁଝନ୍ତିନି
ଅହଙ୍କାରେ ଅନ୍ଧ ହୋଇ
କଳା ଗୋରା ରଙ୍ଗେ ବିଭ୍ରାନ୍ତି ରଚନ୍ତି
ଆମ ଏ ମଣିଷ ଭାଇ
-ରାମ ଚନ୍ଦ୍ର ପ୍ରଧାନ
ଆଫ୍ରିକା ହେଉକି ଆମେରିକା ହେଉ
ହେଉ ସେ ଭାରତ ଦେଶ
ମଣିଷ ସମାଜୁ ବର୍ଣ୍ଣ ବୈଷମ୍ଯର
ଭ୍ରମଟା ହେଉନି ଶେଷ
ପୃଥିବୀଟା ସାରା କି'କଳା କି'ଗୋରା
ସବୁତ ପ୍ରଭୁଙ୍କ ସୃଷ୍ଟି
ଧରିତ୍ରୀ ମାତାର ସବୁତ ସନ୍ତାନ
ଏଥିପ୍ରତି ଦିଅ ଦୃଷ୍ଟି
- ରବିନ୍ଦ୍ର ସାହୁ
କଳା ଗୋରାରୁ ଯେ କିସ ବା ମିଳିବ
ଦେହ ନୁହେଁ ଚିରଦିନ
ଆଜି ଯିଏ ଯୁବା କାଲିକି ସେ ବୃଦ୍ଧା
ଧ୍ୟାନ ଦିଅ ସୁଧିଜନ
ଜାତି ଅଜାତି ଯେ ଖୋଜୁ ଅଛ କାହିଁ
ଦେଖ ତା ମାନବ ପଣ
ଭୁଲି ଗଲ କିଆଁ ସବରୀ ଅଇଁଠା
ଖାଇ ଥିଲେ ପରା ରାମ
- ଜଗବନ୍ଧୁ ସାହୁ
No comments:
Post a Comment