Showing posts with label ଗବେଷଣାତ୍ମକ ତଥ୍ୟ. Show all posts
Showing posts with label ଗବେଷଣାତ୍ମକ ତଥ୍ୟ. Show all posts

Sunday, March 26, 2023

● କଙ୍କିଧରଣ ମାଆ ମରଣ ●

•••କଙ୍କିଧରଣ ମାଆ ମରଣ•••

ପିଲାମାନେ କଙ୍କି ଧରିଵାକୁ ସୁଖପାଆନ୍ତି। ସେମାନଙ୍କୁ ତହିଁରୁ ନିଵର୍ତ୍ତାଇବା ପାଇଁ ଓଡ଼ିଶାରେ ଵୟସ୍କମାନେ ସେମାନଙ୍କୁ 
“କଙ୍କିଧରଣ ମାଆ ମରଣ”
ପ୍ରଵଚନ କହୁଥିଲେ । କଙ୍କି ଧଇଲେ ମା ମରିଯିଵ ଜାଣି କିଛି ପିଲା ଶଙ୍କିଯାଇ ଏଥିରୁ ନିଵୃତ ହେଉଥିଲେ । ନବେ ଦଶକ ଯାଏଁ  ପିଲାମାନଙ୍କର ଖେଳପଡ଼ିଆ ଥିଲା ପ୍ରିୟ ସ୍ଥାନ । ବାହାରେ ବୁଲି ବୁଲି କଙ୍କି ଧରିଵା ଗୋଟିଏ ସୁଖକର ଖେଳ ଥିଲା । କଖାରୁ ଵା ବୋଇତାଳୁ ଗଛର ଦୁଇଗୋଟି ପତ୍ର ଦି ହାତରେ ଧରି କିମ୍ବା ହାତକୁ ବୁଲାଇ ପିଲାଏ ଵିଭିନ୍ନ ଜାତିର କଙ୍କି ଧରୁଥିଲେ । ଗୋଟିଏ ଦିନରେ ଶହ ଶହ କଙ୍କି ଏଥିଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିଲେ । ପିଲାମାନେ କଙ୍କି ମୁଣ୍ଡ ପୋତିଲେ ତାହା ସୁନା, ଟଙ୍କା ଵା ବାଟି ହୋଇଯିଵ ବୋଲି ଭାବି ଗୋଟିଏ ଦିନରେ ଅନେକ କଙ୍କି ଧରୁଥିଲେ । କେହି କେହି ବାଳକ ବାଳିକା କଙ୍କି ଧରି ତାହାର ଲାଞ୍ଜରେ ସୁତୁଲି ବାନ୍ଧି ଉଡ଼ାଉଥିଲେ । କେହି କେହି ଦୁଷ୍ଟ ବାଳକ କଙ୍କିର ପକ୍ଷ ଛେଦନ କରି ଯାତନା ଦେଉଥିଲେ । ଏସବୁ କାର୍ଯ୍ୟରୁ ପିଲାମାନଙ୍କୁ ନିଵୃତ କରିଵା ପାଇଁ “କଙ୍କିଧରଣ ମାଆ ମରଣ” ପ୍ରଵଚନର ଆଵିଷ୍କାର ଓଡ଼ିଶାରେ ହୋଇଥିଲା । 

ଆଜି ଏ ପ୍ରଵଚନ ଶୁଣିଲେ ହୁଏତ ଉଚ୍ଚଶିକ୍ଷିତ ଲୋକେ ଭାବିବେ ଆଗକାଳରେ ଲୋକମାନେ କେତେ ଅନ୍ଧଵିଶ୍ଵାସୀ ଥିଲେ ଏଵଂ ନିଜ ପିଲାମାନଙ୍କୁ ମଧ୍ୟ ଅନ୍ଧଵିଶ୍ୱାସ ଦ୍ଵାରା ଆକଟ କରାଉଥିଲେ । କିନ୍ତୁ ଏଭଳି ଵିଚାରୁଥିଵା ଲୋକେ “କଙ୍କିଧରଣ ମାଆ ମରଣ” ଓଡ଼ିଆ ପ୍ରଵଚନ ମଧ୍ୟରେ ଲୁଚି ରହିଥିଵା ଲୌକିକ ଵିଜ୍ଞାନଟିକୁ ହୃଦୟଙ୍ଗମ କରିପାରିନାହାନ୍ତି ବୋଲି ସେମାନଙ୍କୁ ବୁଝିଵାକୁ ହେଵ । 
ବାଳଵୟସରେ ପିଲାଏ ଯାହା କରନ୍ତି ତାହାର ପ୍ରଭାଵ ତାଙ୍କର ପରଵର୍ତ୍ତୀ ଜୀଵନରେ ପଡି଼ଥାଏ । ବାଳୁତ ଵୟସରେ ନିରୀହ ଜୀଵମାନଙ୍କୁ କଷ୍ଟ ଦେଉଥିଵା ବାଳକ ବାଳିକା ସେମାନଙ୍କ ପରଵର୍ତ୍ତୀ ଜୀବନକାଳରେ ନିଷ୍ଠୁର ହୃଦୟ ହୋଇ ବଡ଼ ଜୀଵ ଏମନ୍ତକି ମନୁଷ୍ୟମାନଙ୍କୁ ହତ୍ୟା କରିଵାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ପିଲାମାନଙ୍କର ଭଵିଷ୍ୟତ ସୁରକ୍ଷିତ କରିଵା ପାଇଁ ତତ୍କାଳୀନ ଯୁଗର ଵୟସ୍କମାନେ ଏଭଳି ଏକ ପ୍ରଵଚନର ସୃଷ୍ଟି କରିଥିଲେ । ପୁଣି  ଏହି ପ୍ରଵଚନର ଅନ୍ୟ ଏକ ଦିଗ ପ୍ରତି ମଧ୍ୟ ଵିଚାର କରାଯାଇପାରେ ‌ । କଙ୍କିମାନେ ସାଧାରଣତଃ ମଶାମାନଙ୍କର ଶିକାରୀ ଭାବେ ଜଣାଶୁଣା ଏଵଂ ସେମାନେ ତାଙ୍କ ଜୀଵନର ପ୍ରତ୍ୟେକ ସ୍ତରରେ ମଶାମାନଙ୍କର ଶିକାର କରିଥାନ୍ତି । କଙ୍କିମାନଙ୍କୁ ପିଲାମାନେ ଶତଶତ ସଂଖ୍ୟାରେ ମାରିଲେ ସେମାନଙ୍କର ବଂଶ ହ୍ରାସ ଘଟିଵ ଫଳତଃ ମଶାବଂଶ ବୃଦ୍ଧି ଘଟିଵ । ଗୋଟିଏ  କଙ୍କି ଦିନକୁ ତିରିଶରୁ ଶହେ ପର୍ଯ୍ୟନ୍ତ ମଶା ଖାଇପାରେ ଏଵଂ ତାହାର ଜୀଵନକାଳ ମଧ୍ୟରେ ସେ ଏହିପରି ହଜାର ହଜାର ମଶା ଖାଇଥାଏ ‌। 
ହୁଏତ ଏକଥା ତତ୍କାଳୀନ ଲୋକମାନେ ପ୍ରତ୍ୟକ୍ଷଭାବେ ଅନୁଭଵ କରିଥିବେ ଯେତେବେଳେ କଙ୍କିମାନଙ୍କର ସଂଖ୍ୟା ହ୍ରାସ ଘଟିଵା ଯୋଗୁଁ ମଶାସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିଵ । ସମ୍ଭଵତଃ ଏ ଦିଗରୁ ମଧ୍ୟ ବୁଝି ଵିଚାରି ଲୋକମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନକୁ ପ୍ରଚଳନ କରାଇ ପିଲାଙ୍କୁ କଙ୍କି ମାରିଵାକୁ ଆକଟ କରିଵା ଆରମ୍ଭ କରିଦେଇଥିଲେ । ଆଜି ପରି ସେ ଯୁଗରେ ମେଲେରିଆ ରୋଗର ନିରାକରଣ ପାଇଁ ସେତେ ସୁଵିଧା ସୁଯୋଗ ନଥିଲା ଏଣୁ କଙ୍କି ସଂଖ୍ୟା ହ୍ରାସ ପାଇଵା ଯୋଗୁଁ ମଶାସଂଖ୍ୟାରେ ବୃଦ୍ଧି ଘଟି ମେଲେରିଆ ପରି ରୋଗ ସମାଜରେ ଭୀଷଣ ରୂପେ କାୟାଵିସ୍ତାର କରିଵାର ସମ୍ଭାଵନା ବଢ଼ିଯାଉଥିଲା । ମେଲେରିଆ ଦ୍ଵାରା ପିଲାମାନଙ୍କର ମାଆ ବି ମରିଯାଇପାରେ ଏଵଂ ମଶାଙ୍କୁ ଖାଉଥିଵା କଙ୍କିକୁ ନମାରିଲେ ସେ ବଞ୍ଚି ରହିଵ ଏକଥା ସମ୍ଭଵତଃ ଓଡ଼ିଶାର ତତ୍କାଳୀନ ଲୋକେ ହୃଦୟଙ୍ଗମ କରିପାରିଥିଲେ ସେଥିପାଇଁ ସେମାନେ “କଙ୍କିଧରଣ ମାଆ ମରଣ” ପ୍ରଵଚନ ଗଢ଼ିଥିବେ । 
ଅଵଶ୍ଯ ଆଜିକାଲିର ପିଲାଏ ଆଉ କଙ୍କି ଧରୁନାହାନ୍ତି । ସେମାନଙ୍କର ଖେଳପଡ଼ିଆ ପ୍ରତି ଆଉ ଆଗ୍ରହ ନାହିଁ ଵରଂ ମୋବାଇଲ ଖଣ୍ଡେ ପାଇଗଲେ ସେଥିରେ ଛୋଟାଭୀମ,ନଟିଆ ଦେଖୁଛନ୍ତି କିମ୍ବା ଖେଳୁଛନ୍ତି । ଏହା କଙ୍କିମାନଙ୍କ ପାଇଁ ଶୁଭଙ୍କର ଵିଶେଷକରି ଏହି ଘଡ଼ିସନ୍ଧି କାଳରେ ଯେତେବେଳେ ପୃଥିଵୀର  ଅନେକ ଜୀଵ କ୍ରମଶଃ ମାନଵଙ୍କ ଦ୍ଵାରା ଜଳ,ମୃତ୍ତିକା,ଵାୟୁ ,ଆଲୋ ଓ ଧ୍ଵନି ପ୍ରଦୂଷଣ ଯୋଗୁଁ ଲୁପ୍ତ ହୋଇଯାଉଛନ୍ତି । ହେଲେ  ଵିଗତ ଦଶନ୍ଧିରେ କଙ୍କିମାନଙ୍କର ସଂଖ୍ୟାରେ ହ୍ରାସ ଘଟିଛି ଏଵଂ ଏଥିପାଇଁ ପିଲାମାନେ ନୁହେଁ ଵରଂ ଵୟସ୍କ ଲୋକମାନେ ଦାୟୀ ଅଟନ୍ତି  । ଗୋଟିଏ ଯୁଗ ଥିଲା ଓଡ଼ିଶାର ଵୟସ୍କମାନେ କଙ୍କିମାନଙ୍କର ସଂସାର ପ୍ରତି ଥିଵା ଉପକାରିତାକୁ ବୁଝି “କଙ୍କିଧରଣ ମାଆ ମରଣ” ପ୍ରଵଚନ ସୃଷ୍ଟି କରିଥିଲେ କିନ୍ତୁ ଏ ଯୁଗରେ ଵୟସ୍କମାନେ ଅଜାଣତରେ ସେମାନଙ୍କର ବଂଶନାଶ କରିଚାଲିଛନ୍ତି । ଶସ୍ୟାଦିରେ ଦିଆଯିଵା କିଟନାଶକ ଓ ଆଵଶ୍ୟକତାଠାରୁ ଅଧିକ ରସାୟନିକ ସାର ଵ୍ୟଵହାର ଯୋଗୁଁ ମୃତ୍ତିକା ଓ ଜଳ ଦୂଷିତ ହୋଇଛି । ସେହି ଦୂଷିତ ଵିଷାକ୍ତ ଜଳରେ ମଶାଙ୍କୁ ଖାଇଯାଉଥିଵା କଙ୍କିମାନଙ୍କ ଭଳି ଶିକାରୀ ଜୀଵମାନଙ୍କର ବଂଶ ବଢି଼ପାରୁନାହିଁ । ସେଥିପାଇଁ ତ ନବେ ଦଶକଯାଏଁ ଗ୍ରାମାଞ୍ଚଳରେ ମଶାମାନଙ୍କର ସଂଖ୍ୟା କମ୍ ରହୁଥିବାବେଳେ ଏବେ ପ୍ରାୟତଃ ଅଧିକାଂଶ ଗ୍ରାମ ନଗରାଞ୍ଚଳରେ ବାରମାସ ଯାକ ମଶା ଦେଖିଵାକୁ ମିଳୁଛନ୍ତି । ଆଜି ହୁଏତ ମନୁଷ୍ୟ ଵିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି କରିପାରିଛି କିନ୍ତୁ ସେ ଏଥିଯୋଗୁଁ ସ୍ଵେଚ୍ଛାଚାରୀ ବି ହୋଇଯାଇଛି ‌। ଏଣୁ ଯୋଉ “କଙ୍କିଧରଣ ମାଆ ମରଣ”  ପ୍ରଵଚନ ଆଗେ ପିଲାମାନଙ୍କୁ ଶୁଣାଇ କଙ୍କି ଧରିଵାରୁ ନିଵୃତ କରାଯାଉଥିଲା ଆଜି ସେହି ପ୍ରଵଚନଟି ବଡ଼ଲୋକଙ୍କୁ ବୁଝାଇଵାକୁ ମଧ୍ୟ ଆଵଶ୍ୟକ ହୋଇପଡ଼ିଛି ।

ପୂର୍ଵେ ପିଲାମାନଙ୍କୁ କଙ୍କି ଧରଣ ମାଆ ମରଣ କହି ଆକଟ କରାଯାଇପାରିଥିଲା କିନ୍ତୁ ଆଜିକାଲିର ଵୟସ୍କମାନଙ୍କୁ କଙ୍କି ମାରଣରୁ କିଭଳି ନିଵୃତ କରାଇଵା ?

Wednesday, June 15, 2022

କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ

କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ( ଶିଶିର ସାହୁ ମନୋଜ )

ଦୋଳି ଓ ଦୋଳିଖେଳ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଆଗେ ଓଡ଼ିଶାରେ ସାଧାରଣତଃ ରଜ ଓ ଦୋଳ ପର୍ଵରେ ଦୋଳି ଖେଳା ଯାଉଥିଲା । ଏ ଦେଶରେ ଦୋଳ ଉତ୍ସଵ ସମୟରେ ଦୋଳମଣ୍ଡପରେ ଲୋକେ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାନ୍ତି ଏଵଂ ଲୋକମାନେ ନିଜେ ରଜପର୍ଵରେ ଦୋଳି ଖେଳିଥାନ୍ତି । 

ଦୋଳି ଏକ ଓଡ଼ିଆ ଶବ୍ଦ ଏଵଂ ଓଡ଼ିଆ ଭାଷାର କ୍ରିୟା ଶବ୍ଦ ଦୋଳେଇଵା ମଧ୍ୟରେ ଥିଵା ମୂଳ ଓଡ଼ିଆ ଧାତୁ ଶବ୍ଦ ଦୋଳି ଧାତୁରୁ ସୃଷ୍ଟି ହୋଇଅଛି । ସଂସ୍କୃତ କ୍ରିୟା ଦୁଳ୍ ଧାତୁ ସହିତ ଓଡ଼ିଆ ଦୋଳି ଧାତୁ,ଦୋଳ ଓ ଦୋଳେଇଵା ଆଦି ଶବ୍ଦ ସମୋଦ୍ଧୃତ । ଓଡ଼ିଶାରେ ଦୋଳେଇଵା ଵା "to swing" ଅର୍ଥରେ ଆହୁରି ଅନେକ କ୍ରିୟା ଶବ୍ଦ ପ୍ରଚଳିତ । ଯଥା —

•ଉକୁଚି ହେଵା
(କେତେକ ଅଞ୍ଚଳରେ ଉକୁଚି ଦେଵା କ୍ରିୟା ଦୋଳିକୁ ପଟା ଓ ଦଉଡ଼ି ଗୁଡ଼ାଇ ଗଛରେ ଖୋସିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ) 

•ଓଳମିଵା/ଓଳମି ହେଵା — ତଳକୁ ଲମ୍ବିଵା ଓ ଦୋଳିଵା
(ସଂସ୍କୃତ ଅଵଲମ୍ବନ ସହିତ ସମୋଦ୍ଧୃତ ତଥା ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ବୋଲି ଭାଷାକୋଷରେ କଥିତ ହୋଇଛି)

•ଓହଳିଵା—
(ଝୁଲିବା ଲମ୍ବିବା ଦୋଳିବା ଆଦି ଅର୍ଥରେ ଏ ଶବ୍ଦ ଵ୍ୟଵହାର କରାଯାଇଥାଏ)

•ଝୁଲିଵା 
(ଏ କ୍ରିୟା ଶବ୍ଦଟି ଲଟକିବା,ତଳକୁ ଲମ୍ବି ଦୋହଲିଵା,ଫାସି ଲଟକାଇ ହେଵା ଵା ଫାସି ଘେନିଵା,ଢଳିଵା,ଇତସ୍ତତଃ ଦୋଳାୟମାନ ହେଵା,ଓହୋଳିପଡ଼ିଵା ଓ ଦୋଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳିଵା
(ଏ କ୍ରିୟା ଶବ୍ଦଟି ଉଭୟ ଝୁଲିଵା ଓ ହଲିଵା ଅର୍ଥରେ ପ୍ରୟୋଗ ହୋଇଥାଏ)

•ଲଟକିଵା/ନଟକିଵା/ଲଡ଼କିଵା
(ଝୁଲିଵା,ଦୋଳିଵା ଓ ଝୁଲି ପଡି଼ଵା ଅର୍ଥଜ ଶବ୍ଦ)

•ଲୁଳିଵା
(ଏ ଶବ୍ଦଟି ଝୁଲିଵା, ଲଟକିଵା,ଦୋହଲିଵା,କ୍ଳାନ୍ତ ହେଵା, ଥକିଯିଵା,ମଉଳିଵା, ମ୍ଲାନହେଵା,ଝାଉଁଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳି ପହଞ୍ଚାଇଵା( a swing)
(ଅନ୍ୟ ଵ୍ୟକ୍ତିକୁ ଦୋଳାରେ ଝୁଲାଇଵା)

•ପେଙ୍ଗିଵା/ପେଙ୍ଗା ମାରିଵା
(ସଂ—ପ୍ରେଙ୍ଖା = ଝୁଲିଵା/
ଗୋଡ଼ ଓ ବାହୁଦ୍ବାରା ବଳ ପ୍ରୟୋଗ କରି ନିଜେ ଦୋଳି ପହଞ୍ଚାଇ ହେଵା ଵା ଖେଳିଵା)

ଏତଦଵ୍ୟତୀତ ଏ ଦେଶରେ ଅନେକ ଜାତୀୟ ଦୋଳି ପ୍ରଚଳିତ ଯଥା — ଦଉଡ଼ି ଦୋଳି,ଡଙ୍ଗା ଦୋଳି, ଚକ୍ରି ଦୋଳି,
ପଟାଦୋଳି, ବାଉଁଶ ଦୋଳି,ରାମ ଦୋଳି ଓ ବାକ୍ସ ଦୋଳି ଇତ୍ୟାଦି ଇତ୍ୟାଦି

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦୋଳି ଶବ୍ଦର ବହୁଳ ପ୍ରୟୋଗ ହୋଇ ଳଥିଵା ଦେଖାଯାଏ । 

ଓଡ଼ିଆ ଲିଖିତ ସାହିତ୍ୟରେ ଦୋଳି :

ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗଵତର ଦଶମ ସ୍କନ୍ଧରେ ଦୋଳି ଶବ୍ଦର ପ୍ରୟୋଗ ଏମନ୍ତ ହୋଇଅଛି...

“ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । 
ଦୋଳି କରନ୍ତି କୁତୁହଳେ ॥”

କଵି ବଳରାମ ଦାସ ଜଗମୋହନ ରାମାୟଣରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି...

"ରତ୍ନସିଂହାସନେ ନେତର ଯେ ଦୋଳି ପାରି । ଵିଜୟ ନାରାୟଣ ବଡିମାପଣ ଛାଡି଼ ॥" 

ସେହିପରି କଵି ଦୀନକୃଷ୍ଣ ଦାସ(୧୬୫୦–୧୭୧୦) ତାଙ୍କ ରସକଲ୍ଲୋଳ କାଵ୍ୟରେ ମଧ୍ୟ ଦୋଳି ଶବ୍ଦ ପ୍ରୟୋଗ ପୂର୍ଵକ ଲେଖିଛନ୍ତି

"କନକର ଦୀପାଵଳୀ ଚାରି ପାରୁଶରେ ଜାଳି
ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।
କର୍ପୂର ଚନ୍ଦନ ଛରା ପକାଇ ସେ ପୁର ତୋରା
କରାଇ, ଅଳକାପୁରତୋରା ଖଞ୍ଜିଲେ ।
କନ୍ୟା ଖମ୍ବେ ଖଟାଇ ଦୋଳି
କୁମାରଙ୍କୁ ଶୁଆଇ ଦେଲେ ହୁଳହୁଳି ॥”

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାଵଣ୍ଯଵତୀ କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରାଯାଇ ଲେଖାଅଛି

"ସୂତିକାଗୃହରେ ଯେତେ ଵିଧି ଶେଷ କଲେ । ଦଶ ବିଂଶ ଦିନେ ଦୋଳି ଶୟନ ବିହିଲେ ଯେ ।”

ସେହିପରି କଵି ଵୈଦେହୀଶ ଵିଳାସ କାଵ୍ୟରେ ମଧ୍ୟ ଦୋଳି ଶବ୍ଦର ପ୍ରୟୋଗ କରି ପଦେ ରଚନା କରିଛନ୍ତି

"ବଡିମା-ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି। 
ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି॥"

ଗୋପୀନାଥ ଦାସଙ୍କ ଖୁଦୁରୁକୁଣୀ ଓଷାଗୀତରେ ଆମେ ଦୋଳି ଶବ୍ଦ ଥିଵା ଦେଖିଵାକୁ ପାଇଥାନ୍ତି 

"ଭୋଜନ କରାଇଵ ଆଣି । 
କ‌ହି ଅପୂର୍ଵ ରସଵାଣୀ ॥
ଦୋଳିରେ ଦୋଳି ପଞ୍ଚାଇଵ । 
ନିମିଷେ ହେଳା ନ କରିଵ ॥

ସମାନ କଥା କଵି ଦୁଷ୍କର ନାୟକ ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନରେ ଏମନ୍ତ ଉଲ୍ଲେଖ କରିଛନ୍ତି

"ବେଳ ଜାଣି ଅନ୍ନ କୁଙ୍କୁମ ଲେପନ ପାନ ଭାଙ୍ଗି ଦେଵ, ଦୋଳି ଖେଳାଇଵ, 
ଖଟେ ଶୁଆଇଵ, କଟୁ ନ କହିଵ”

ଆଗେ ସାଧାରଣତଃ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ କାଵ୍ୟ କଵିତାରେ ଦୋଳିଖେଳ ଵିଷୟରେ ଉଲ୍ଲେଖ ରହୁଥିଲା । କିନ୍ତୁ ଊନବିଂଶ ଶତାବ୍ଦୀ ପରଠାରୁ ଓଡ଼ିଆ କଵି ଲେଖକମାନେ ସାଧାରଣ ଜନତାଙ୍କ ଜୀଵନଯାପନ ଉପରେ ସାହିତ୍ୟ ଲେଖିଵାରେ ଵ୍ରତୀ ହେଲେ । ତେଣୁ ଓଡ଼ିଆ ଲୋକଙ୍କ ଗାଉଁଲି ଦୋଳିଖେଳ କଥାମାନ ସାହିତ୍ୟରେ ସ୍ଥାନ ପାଇଵାକୁ ଲାଗିଲା...

ରାଧାନାଥ ରାୟ ଉଷା କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

"ଅସଂଖ୍ୟ କଳାପୀ ଵର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି, ଵ୍ରତ‌ତୀ-ଦୋଳାରେ ଖେଳୁଥିଲେ ତ‌ହିଁ ଅନିଳେ ଦୋଳି”

କ୍ରମେ ଓଡ଼ିଆ ସାହିତ୍ୟରେ ଶିଶୁଗୀତ ରଚନାର ପରମ୍ପରା ଆରମ୍ଭ ହେଲା ଏଵଂ ବାଳକ ଵାଳିକା ତଥା କିଶୋର କିଶୋରୀଙ୍କର ପ୍ରିୟ ଦୋଳି ଖେଳର ଉଲ୍ଲେଖ ସେସବୁ ସାହିତ୍ୟରେ ସ୍ଥାନ ପାଇଲା

କଵା ନନ୍ଦକିଶୋର ବଳ ହୋଓରେ ବାଇଆ ହୋ” ଶିଶୁଗୀତରେ ଲେଖିଛନ୍ତି...

“କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି ଶିଆରି ବଣରେ ବାଇଆ ବସା ଗୋ ! ହୋଓରେ ବାଇଆ ହୋଓ !”

ସେହିଭଳି ଉଦୟନାଥ ଷଡ଼ଙ୍ଗୀ ତାଙ୍କ ଶିଶୁ କଵିତା "ଦୋଳି ଖେଳ"ରେ ଆଉ ପାଦେ ଆଗେଇ ଯାଇ ଲେଖିଲେ...

“ଦୋଳିରେ ଦୋଳି ପଵନ ଦୋଳି 
ଦୋଳି ଖେଳିଵା ଆସ
ଗଛର ଡାଳେ ଦୋଳିଟି ଝୁଲେ
ତଳେ କଅଁଳ ଘାସ”

ବହୁତ ପରେ ମାଗୁଣୀ ମହାପାତ୍ର(ଏହାଙ୍କର ୧୯୫୨ ମସିହାରେ ଦୋଳିଗୀତ ପ୍ରକାଶିତ)ଙ୍କ ଭଳି କିଛି ଉଦ୍ୟମୀ ଓଡ଼ିଆ ପ୍ରାଚୀନ କାଳରୁ କଥିତ ଓଡ଼ିଆ ଭାଷାର ଲୋକ ସାହିତ୍ୟରେ ପ୍ରଚଳିତ କେତେକ ମୁଖ୍ୟ ମୁଖ୍ୟ ରଜଦୋଳି ଗୀତକୁ ସଂଗ୍ରହ କରି ପ୍ରକାଶ କରିଥିଲେ। ପ୍ରକୃତରେ ଏମାନେ ରଚୟିତା ନଥିଲେ ଵରଂ ସମାଜର କଥିତ ଭାଷାରେ ପ୍ରଚଳିତ ଲୋକ ସାହିତ୍ୟକୁ ସଂଗ୍ରହ କରି ନିଜ ଅନୁସାରେ ବଦଳାଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କେହି କେହି ମାଗୁଣି ମହାପ୍ରାତ୍ରଙ୍କ ୧୯୫୨ ମସିହାରେ ପ୍ରକାଶିତ ପୁସ୍ତକକୁ ଦେଖି ଭାବନ୍ତି ଯେ ସେ ରଜ ଦୋଳି ଗୀତର ସୃଷ୍ଟିକର୍ତ୍ତା ମାତ୍ର ତାଙ୍କର ସେଭଳି ଭାବି ମତଵ୍ୟକ୍ତ କରିଵା ଠିକ୍ ନୁହେଁ ‌ । ମାଗୁଣି ମହାପାତ୍ର ଯେ କି ଆଜକୁ ସତୁରୀ ଵର୍ଷ ତଳେ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଦେଇଥିଲେ ତାହା କ'ଣ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ ୧୯୫୦ରୁ ୧୯୮୦-୯୦ ଯାଏଁ ରେଡ଼ିଓ,ଟିଵି, ସମ୍ବାଦପତ୍ର ପହଞ୍ଚି ନଥିଵା ବଣ ଜଙ୍ଗଲ ଘେରା ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ଗଲା ?
ପୁନଶ୍ଚ ସତୁରୀ ଵର୍ଷ ମଧ୍ୟରେ ମାଗୁଣି ମହାପାତ୍ରଙ୍କ ଦ୍ଵାରା ସଂଗୃହୀତ କେତେଗୋଟି ଲୋକଗୀତ ଆଧାରରେ ସହସ୍ର ସହସ୍ର ଲକ୍ଷ ଲକ୍ଷ ରଜଦୋଳି ଗୀତ ବୌଦ୍ଧ, ସୋନପୁର,ଦେଵଗଡ଼ଠାରୁ ପୁରୀ ଯାଏଁ ବାଲେଶ୍ଵରଠାରୁ ଗଞ୍ଜାମ ତଥା ସିଂହଭୂମି ଯାଏଁ ସୃଷ୍ଟି ହୋଇଯାଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ ‌ । ନିଶ୍ଚୟ ତାଙ୍କର ବହୁ ପୂର୍ଵରୁ ଓଡ଼ିଶାରେ ରଜଦୋଳି ଗୀତ କଥିତ ଓଡ଼ିଆ ଭାଷାରେ ସୃଷ୍ଟି ହୋଇ ଚଳୁଥିଲା ଏଵଂ ତନ୍ମଧ୍ୟରେ କେତେକ ଵିଶିଷ୍ଟ ଗୀତକୁ ମାଗୁଣି ମହାପାତ୍ର ସଂଗ୍ରହ କରି ନିଜ ଶୈଳୀରେ ଲେଖି ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୨ ମସିହାରେ ସଂକଳିତ ହୋଇ ପ୍ରକାଶ ପାଇଥିଲା ମାଗୁଣି ମହାପାତ୍ରଙ୍କ ରଜଗୀତ ବହି ପ୍ରକାଶ ହେଵାର ୧୫-୧୮ ଵର୍ଷ ପୂର୍ଵରୁ ସେଥିରେ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ "ପରା(ପଡ଼ା/ସାହି)" ଶବ୍ଦ ତଳେ ସମ୍ବଲପୁରୀ ଓଡ଼ିଆରେ ପୂର୍ଵେ ପ୍ରଚଳିତ ଥିଵା ଏକ ଦୋଳୀଗୀତ ଉଲ୍ଲେଖ କରାଯାଇଛି...

"କାଁଚି କାଁଚି କାଁଚି, 
ଆମରି 'ପରା'କୁ ନ ଯିବୁ ନାଚି। 
ପୁଣ୍ଡା ତଲେ ଦେବି ଖାଁଚି।"

ଏଥିରୁ ଜଣାଯାଏ ଯେ ମାଗୁଣି ମହାପାତ୍ରଙ୍କ ବହୁ ପୂର୍ଵରୁ କେଵଳ ଉପକୂଳ ଓଡ଼ିଶା ହିଁ ନୁହେଁ ଵରଂ ଅଵିଭକ୍ତ ସମ୍ବଲପୁର ଜିଲ୍ଲା ଯାଏଁ ମଧ୍ୟ ଦୋଳୀ ଗୀତ ପ୍ରଚଳିତ ଥିଲା । ଆମ ଓଡ଼ିଶାରେ ଅଞ୍ଚଳ ଭେଦରେ ସହସ୍ରାଧିକ ଦୋଳିଗୀତ ପ୍ରଚଳିତ । 
ନିମ୍ନରେ କେତେକ ଜଣାଶୁଣା ଦୋଳିଗୀତ ପ୍ରଦତ୍ତ ହେଲା...

"ଵନସ୍ତେ ଡାକିଲା ଗଜ, 
ଵରଷକେ ଥରେ ଆସିଛି ରଜ ଲୋ, 
ଘେନି ନୂଆ ସଜବାଜ ।"

"ଦୋଳି ଉଡ଼େ ସାଇଁ ସାଇଁ ସଙ୍ଗାତ ଲୋ
ଦୋଳି ଉଡ଼େ ସାଇଁ ସାଇଁ
ମୋ ଭାଇ ଯୁଦ୍ଧରୁ ଫେରିଵା ପାଇଁ ଲୋ 
ଦୁଆରେ ବସିଛି ଚାହିଁ ।"

"କଳିଙ୍ଗ ଅଙ୍ଗ ଜିଣିଵ ସଙ୍ଗାତ ଲୋ , 
କଳିଙ୍ଗ ଅଙ୍ଗ ଜିଣିଵ
ହାତୀ ଘୋଡ଼ା ଚଢ଼ି ପଟୁଆର କରି ଭାଇ ମୋର ଆସୁଥିଵ ।"

"ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ତୋ ଭାଇ ମୁଣ୍ଡରେ ଜଟ ।"

"ଦୋଳି ପଟା ଖେଳୁଥିଲି ଲୋ
ଦୋଳି ପଟା ଖେଳୁ ଥିଲି
ବାପା ଡାକି ଦେଲେ ଯଶୋଦା
ବୋଲି 
ହାତ ଧୋଇ ଭାତ ଦେଲି ଲୋ 
ହାତ ଧୋଇ ଭାତ ଦେଲି...।"

"ଗଛ ଦୋଳି ପଟା ଦୋଳି ସଙ୍ଗାତ ଲୋ
ଫୁଲ ଦୋଳି ଲୁଗା ଦୋଳି
କୋଳି ଖାଇ ଖାଇ ଦୋଳି
ଖେଳୁଥିଲେ ଦେଖିବେ ମାଇପେ ଭଳି ।"

"ପିତା ଶାଗ ବୁଦି ବୁଦି, 
ଭାଇ କାହା ସଙ୍ଗେ କଲେ ପୀରତି କଲା ଲୋ, 
ହାତୁ ଦେଇ ସୁନା ମୁଦି । "

"ଅରୁଆ ଚାଉଳ ଖିରି
ଝୁଣ୍ଟିଆ ଶବଦେ କମ୍ପାଇ ଦେଲା
ଏଇବାଟେ ଗଲା ଗୋରୀ"

"ଜାମୁ କୋଳି କଳା କଳା
ଦୋଳି ନ ବସୁଣୁ ବେଗ ତୁ 
ପଳା ଲୋ  
ଚାହିଁ ଥିବେ ଗଳା ମାଳା ।"

"ଆମ୍ୱୁଲ ମାଠିଆ ପେଟ
ଵରଷେ ଜଗିଲି ଗାଧୁଆ ତୁଠ
ଦିନେ ନ ପାଇଲି ଭେଟ"

"ଲାଜକୁରୀ ନୂଆ ଵୋହୂ
ସଙ୍ଗାତ ଲୋ  
ଲାଜକୁରୀ ନୂଆ
ବୋହୁ
ହୁଳହୁଳି ଦେବ କଣରେ ଥାଇ ଲୋ
ଜଳେ ଦୀପ ଦାଉ ଦାଉ ।"

"ଝଟ ଝଟଦୋଳି ଝୁଲା ସଙ୍ଗାତ ଲୋ ଝଟ ଝଟ ଝୁଲା ଦୋଳି
ଭାଇ ବନ୍ଦିଵା ମୋ ହୋଇଛି ପାଳି ଲୋ ନୂଆ‌ଵୋହୂ କଲା କଳି।"

"କୂଅରେ ପଡି଼ଲା ଇଟା
ଜୁଆଳି ବାଡିରେ ଭାଙ୍ଗିବ ଅଣ୍ଟାଲୋ
ଶିଖାଇବି ଧାନକୁଟା ।"

"ଆଖୁବାଡ଼ି ଖସଖସ
ଯାଦୁଆ ଡାକୁଛି ଯାଦୁଆଣୀକୁ
ରମ୍ପାରମ୍ପି ହେଵା ଆସ"

"ଆଠଗଡ଼ ବୋଇରାଣୀ
ଶୁଖିଲା ନଡି଼ଆ ପଇଡ ପାଣି
ବୁଢୀ଼ ଦିନେ ଭୁଆଷୁଣୀ"

"ଆଳି ରାଇଜର କେନ୍ଦୁ
ଆଳିଆ ଲେଖାରେ ବାଳିଆ ବନ୍ଧୁ
କେତେ ଲହରେଇ କାନ୍ଦୁ"

"କାଉ ବେକରେ ମାଳି
ତିନିଘର କଳି ଲଗେଇ ଦେଲା
ଏଇ ସରୁମୁହିଁ କାଳି"

"ଖଡୁ ଭଲକରି ମାଜ
ରାଜା ତ ଜାଣିଲେ,
ରାଇଜ ଜାଣିଲା
ଆଉ କାହିଁପାଇଁ ଲାଜ ।"

"ସାତଥର ଗଲି ଗଙ୍ଗା
ଥରେ ଚାଲିଗଲି ଚନ୍ଦରଭାଗା ଲୋ
ମୁହଁ ପଡି଼ଗଲା ରଙ୍ଗା"

"ପଛକଥା ମନେ ନାହିଁକି
ତାଳଗଛ ମୂଳେ ମାଡ଼ ମାରିଥିଲୁ
ବାଇଗଣ ପୋଡା ପାଇଁକି ।"

"ଚୋର ପଳେଇଲା ଖରେ
ଗହ୍ଲେଇନାନୀର ଧନୁଆ କଣ୍ଠି
ଛିଡି ପଡି଼ଗଲା ତଳେ ।"

"ଦୋଳିଆ ଭାଇରେ ଦୋଳିଆ ଭାଇ ,
ଦୋଳି ପହଞ୍ଚାଇ ଦେ
ଦୋଳିରେ ଯେତେକ କଉଡ଼ି ଅଛି
ସବୁ ପଛେ ଗଣି ନେ ।"

"ବିଲ ବରଗଛ ଛାଇ
ପରିହାସ ଛଳେ ଦେଲି ମୁଁ କହି
ମୋ ଗୁଣ୍ଠୁଣୀ ହାତୀ ଲୋ
ହସ ଖେଳେ ଦିନ ଯାଉ ବହି ।"

"ବଣରେ ଲାଗିଲା ନିଆଁ
ପିଠିରେ ଲଗାଇ ଦେବି ମୁଁ ଚିଆଁ
ମୋ ଭଉଣୀ ମାନେ ହୋ
କାହିଁ ନପାଇଵ ତୁମେ ରାହା ।"

"ନଈ ଅତଡା଼ରେ ଦୁବ
ଏକା ଗଲେ ସିନା ସରମ ହେଵ ଲୋ
ସଙ୍ଗେ ଯିବେ ଗଜାମୂଗ ।"

"ବାହାଲ‌ ଉପରେ ଲେମ୍ବୁ
ମରିଗଲେ‌ ପିଲା ପାଉଁଶ ‌ହେବୁ
ଏ ସୁଖ କାହୁଁ ‌ପାଇବୁ ?"

"ବାଉଁଶ ସରୁ ପଵନ
ଯେପରି ବହୁଛି ଥଣ୍ଡା
ପଵନ ଲୋ
ସେହିପରି ଆମ୍ଭ ମନ ।"

"ରାଶିରୁ ଛାଡ଼ିଲା ଚୋପା, 
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, 
ମଥାରେ ସିନ୍ଦୂର ଟୋପା ।"

"ମାଧୋଇ ଅଣ୍ଟାରେ ଗୋଠ
ଏଇ ଗୋଠ ଲାଗି ଯିବି କଟକ ଲୋ 
ଆଣିବି ସୁନା ମୁକୁଟ ।"

"ଉଡ଼ିଲା ଶୁଆ ନାହାକା, 
ଦୋଳିଟା କାହିଁକି ଲାଗୁଛି ଏକା ଲୋ, 
କାହା ଵିନା ଏକା ଏକା ।"

"ଅଦିନେ ଜହ୍ନି ରାଇତା
ଚନ୍ଦ୍ରମା ମୁଖଟି ଶୁଖି ଯାଇଛି ଲୋ
କହୁ ନାହାନ୍ତି ସେ କଥା ।"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି ।" 

"ଇଙ୍କର ବଣର ଘାସ
‌ଦିନେ ଦେଖା ନାହିଁ  
କାଳେ ଦେଖା ନାହିଁ
ଆଜି ବଡ଼ ଵିଶୁଆସ ।"

"ପଣସ ପାଚିଲା ଵନେ, 
ଵନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, 
ମନକଥା କିଏ ଜାଣେ ।"

"ଢିଙ୍କିରେ କୁଟିଲି ଗୋଲମରିଚ ଲୋ
ପାଆରେ ମାପିଲି ଘିଅ 
ଉପର ସାହିକି ଝିଅ ନଦେଵ ଲୋ
ମାରିବେ ଜାଉଁଳି ଡିହ ।"

"ଶଙ୍ଖ ମଲମଲ ଗିନା, 
ଦରଦ ଜାଣେଲୋ ଦରଦୀ ସିନା ଲୋ, 
ବଣିଆ ଚିହ୍ନେଟି ସୁନା ।"

"ବାରିକି ସୁନ୍ଦର କଦଳୀ ଗଛ ଲୋ
ପିଢାକୁ ସୁନ୍ଦର ପୋଇ
ଘରକୁ ସୁନ୍ଦର
ଦେଈ ଭାରିଜା‌ ଲୋ
ରଗଡି଼ଵ ମୁଗଜାଇ ।"

"ନିମ୍ବର ବୁକେ ଚନ୍ଦନ, 
ଦେଵତା ଗଢ଼ାଇଲା ନାରୀ ଜୀଵନ ଲୋ, 
ଦେଲା ତହିଁ ଯଉଵନ ।"

"ଢମଣା ଛାଡ଼ିଲା କାତି, 
ପୁରୁଷ ସିନାଲୋ ଭ୍ରମର ଜାତି ଲୋ, 
ନୂଆ ଖୋଜୁଥାନ୍ତି ନିତି ।"

"ପାକେଲା ବାଉଁଶ ବାଡ଼ି
ହସି କଥା କହ କୁସୁମ କଢି଼ ଗୋ
ଚାକିରୀ ଆସିଛି ଛାଡି଼।"

"ଭଲେ ଆସିଛ କି ମନ୍ଦେ ଆସିଛ
କୁମ୍ଭ ଧରି ଗୋଡ଼ ଧୁଅ
ତୁମରି ଭାରିଜା ପଦାରେ ଅଛନ୍ତି
କରମ ଆଦରି ଶୁଅ।"

"ବଣ ଭୁଆଁ ଛାଡେ ରଡି
ଘଡି଼ ଘଡି଼ ମା' ଡାକିବ ନାହିଁ ଲୋ ,
ଦୋଳିରୁ ଯିବି ମୁଁ ପଡ଼ି ।"

"ଚାନ୍ଦରେ କଳଙ୍କ ଚିହ୍ନ, 
ନଵ ଯଉଵନି କିଆଁ ଗୁମାନ ଲୋ, 
ଆସିଲେଣି ଜୀଵ ଧନ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଦୋଳି ଦଉଡ଼ି ସାଜେ
ଯେଉଁ ପରଵତେ ବାଜେଣି ବାଜେଲୋ
ଗଙ୍ଗା ବାଲି ଖଡ଼ୁ ମାଜେ ।"

"ସାହାଡ଼ା ଗଛର ଛାଇ, 
ସେଦିନ କଥାକି ତୋ ମନେ ନାଇଁ ଲୋ, 
ଏତେ ଆନମନା କାହିଁପାଇଁ ।"

"ଦୋଳି ମୁଣ୍ଡେ ଦେଲି ଜଉ
ଏଇ ଜଉ ଟିକ ସଂସାରେ ଥାଉ ଲୋ
ଦୋଳି ଖେଳି ଦିନ ଯାଉ ।"

"ପର୍ଵତ ଶିଖରେ ଧାନ ଉସାଁଇଲି 
ମୟୂର ଖାଇଲା ଖୁଣ୍ଟି
ଆଣେଲୋ ଏବେ 
ଝୁମୁକି ଝାଣ୍ଟି ମୟୂର
ଗଲାଣି ଉଠି ।"

"ଖୋସାରେ ଖୋସିଲି ଫୁଲ, 
କେତେ ଦେଖାଉଛୁ ନୁଖୁରା ଗେଲରେ, 
ଭାଙ୍ଗି ଦେବି ତୋର ଗାଲ ।"

"ନଈର ଶୁଖିଲା ବାଲି, 
କେତେ ଫୁଲି ହେଉ ପୁଚୁକିଗାଲି ଲୋ, 
ଦେଖାଉଛୁ କେତେ ବେଲି ।"

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରଜା ।"

"କେଲୁଣୀ ରାନ୍ଧୁଛି ଖେଚୁଡ଼ି ଭାତ
ଖେଚୁଡ଼ି ଭାତ ଲୋ 
କେଳା ବୋଲୁଅଛି ଗୀତ ।"

"ଲୁଚିଗଲା ମେଘେ ଚାନ୍ଦ, 
ଦୋଳି କଟକଟ କରେ ଶବଦ ଲୋ, 
ଵହନ୍ତେ ପଵନ ମନ୍ଦ ।"

"ଦୋଳି ହୁଏ ରଟରଟ, 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, 
ଦିଶୁଥାଏ ଝଟଝଟ ।"

"ପରଵତେ ଜଳେ ନିଆଁ, 
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, 
ପୁଣି ହେଵ ବାଆଁ ଡାଁ ।"

"ଦୋଳି ମୁଣ୍ଡି କଟ‌କଟ
ଯେବେ ମୋ ଭାଇନା ବାହା
ହୋଇ ଯିବୁ
ଆଣିବି ଫୁଲ ମୁକୁଟ ।"

"ଉତୁରି ପଡ଼ିଲା ଦୁଧ, 
ଉଙ୍କି ମାରି ମାରି ଅନାଉ ଥାଏ ଲୋ, 
ନନ୍ଦର ଉଦିଆ ଚାନ୍ଦ ।"

"ଛତରା ବଜାର ହାଟ, 
ଛକି ବସିଥିଵ ଚଗଲା କାହ୍ନୁଲୋ, 
ଛନ୍ଦରେ ମାଗିଵ ଘାଟ ।"

"ଥୋଡ଼ମଞ୍ଜା କଲି ରାଇ, 
କଣ ନ କଲେ କଳା କହ୍ନାଇ ଲୋ, 
ମୁହଁକୁ ଯା ନ ଅନାଇ ।"

"କରମଙ୍ଗା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ସାଉଁଟିଲି ବିଲ ଘଷି, 
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, 
ଫୁଲ ଶେଜ ହେଲା ବାସି ।"

"କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ, 
ଭାଇ ଵିଦେଶୁ ନଇଲେ ବୋଲି ।"

"ଗରଜେ କଳା ବଉଦ, 
ମୋତେ ତ ବରଷ ହେଲା ଚଉଦ ଲୋ, 
ଗଲାଣି ପିଲା ସୁଆଦ ।"

"ବଇଁଶୀ ବାଜିଲା କୁଞ୍ଜେ, 
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, 
ଛୋଟ କଲେ ଛାଟ ବାଜେ ।"

"ଲାଞ୍ଜ ଟେକିଗଲା ବାଘ, 
ମନେ ରଖିଥିବୁ ସାଙ୍ଗ
ନଇଁ ଚାଲୁଥିବୁ ବଡ଼ଙ୍କ ଆଗେ ଲୋ, 
ଲାଗିଵ ନାହିଁଟି ଦାଗ ।"

"ଛତୁ ଫୁଟେ ଵରଷାରେ
ମାରୁଛୁ ହାତ ନିଶରେ, 
ଛତରାଟା କେତେ ଛଇ ଦେଖାଉ ରେ, 
ଅଛି କି ତୋ ଭରସାରେ ।"

"କରଡ଼ି ଖସିଲା ଆମ୍ବ, 
ପର କାହୁଁ ଘର ପରାଣୀ ହେବେ ରେ, 
ମନ ଜାଣି ଖଞ୍ଜି ଦେଵ ।"

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ଅଦିନେ ପଣସ ସିଠା, 
ଵଚନରେ ଯାର ନ ଥାଏ ମିଠା ଲୋ, 
ସେଟା ବାଡ଼ ପକା କଣ୍ଟା । "

"ପାହାନ୍ତି ରାବିଲେ ପେଚା, 
ଯିଏ ହୋଇଥିଵ ସିଂହର ବଚା ଲୋ, 
ନ ଦେଵ ପଛଘୁଞ୍ଚା ।"

"ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ, 
ମତେ କଲା ଲୋକହସା ।"

"ଜାରା ମାରିଦେଲା ବାଣ, 
ଯାହାଠାରେ ଯାର ମିଶିଛି ମନ ଲୋ, 
ସେହି ଜାଣେ ତାର ଗୁଣ ।"

"କାଟି ଗଲି କଳାଦୁବ, 
ଝିଅ ଜନମରେ ଏତିକି ଲାଭ ଲୋ, 
ବନ୍ଧୁ ଘର ଅରଜିଵ ।"

"କାଳୀଗାଇ ଦୁଧ କ୍ଷୀରି, 
ନୂଆ ପୀରତିରେ ମଉଜ ଭାରି ଗୋ, 
ପୁରୁଣାଟି ନିମ୍ବ ପରି ।"

"ଆମ୍ବ ପତ୍ର ଗହଳିଆ, 
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ, 
ତୋଫା ହେଵଟି ଧୁଳିଆ ।"

"ଥିରି ଥିରି ଚାଲେ ହାତୀ, 
ଥୟ ନ ହେଉଛି କିମ୍ପା ଏ ଛାତି ଲୋ, 
ଥକା ଦୋଳି ହେଲା ରାତି ।"

"ପାଚିଲା ଆମ୍ୱ ପଣସ, 
ଆସ ଭାଇମାନେ ଦୋଳିରେ ବସ, 
ନ କରି ମନ ଵିରସ l"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି । "

"ଘୋଡା଼ ଗୋଡ଼ ଠାକୁ ଠାକୁ, 
ଆମେ ଯାଇଥିଲୁ ତୁମ ଗାଆଁକୁ, 
ନ କହିଲ ବସିଵାକୁ l"

"ଚାଳରେ ବସିଲା ବଣି, 
ରାଧା ଚାଲିଗଲେ ଯମୁନା ପାଣି, 
କୃଷ୍ଣ କଥା ମନ ଜାଣି l "

"ଚିରିଲି ବାଉଁଶ ବତା, 
ଉପରେ ବନ୍ଦୁଛି ସୂର୍ଯ୍ୟ ଦେଵତା, 
ତଳେ ବନ୍ଦେ ଵସୁମାତା l "

"ଜୟ ମା କିଚେକେଶ୍ୱରୀ, 
ତଵ ପାଦପଦ୍ମେ କରି ଗୁହାରୀ, 
ରଖ ମତେ ଦୟାକରି l"

"ଜାମୁକୋଳି ନଦବଦ, 
ଯିଏ ଖାଉଛନ୍ତି ହାଣ୍ଡିଆ ମଦ, 
ତା ସଙ୍ଗେ ପୀରତି ମନ୍ଦ l"

"ଥୋଡମଞ୍ଜା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଫୁଲ ଖୋସିଲି କାନରେ, 
ବରଷକେ ରଜ ଆସିଛି ଥରେ, 
ଦୋଳି ଖେଳିଵା ସାଙ୍ଗରେ l "

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରାଜା ।"

"ବାଡିର ବାଡିଆ ଗବ, 
ମରି ହଜିଗଲେ ପାଉଁଶ ହେବ, 
ଏ ଭାବ କାହୁଁ ପାଇଵ ? "

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ମଦରଙ୍ଗା ଶାଗ ରାଇ, 
ପଖାଳ ଭାତକୁ ଚିଲିକା ଶୁଖୁଆ, 
ମାଣିକ ପାଟଣା ଦହି ।"

"ଶାଗ ଖରଡିଲି ଡାଙ୍ଗେ, 
ଶାଶୁ ଗାଳିଦେଲେ ନଣନ୍ଦ କହିଲେ, 
କାଲି ଯିବି ଭାଇ ସଙ୍ଗେ । "

"ସଜନା ଗଛର ଅଠା, 
ତତେ କହିଥିଲି ଗୁପତ କଥା ଲୋ, 
ଦାଣ୍ଡେ କଲୁ ହଟହଟା । "

ଦୋଳିକୁ ନେଇ ପ୍ରଚଳିତ ଲୋକଵିଶ୍ଵାସ:

ଦୋଳି ସମ୍ବନ୍ଧୀୟ ଅନେକ ଲୋକଵିଶ୍ଵାସ ଓଡ଼ିଶାରେ ପ୍ରଚଳିତ । ଯଥା—

(କ) ବେଙ୍ଗ ସମ୍ବନ୍ଧୀୟ ଲୋକଵିଶ୍ଵାସ 

କଥିତ ଅଛି ଯେ ରଜପର୍ଵରେ ଦୋଳି ନଖେଳିଲେ କାଠ ବେଙ୍ଗ ହୋଇ ଜନ୍ମ ଲଭିଵାକୁ ହୁଏ । ଦୋଳି ଖେଳିଵାକୁ ମନା କରୁଥିଵା ଅବୁଝା ପିଲାଏ ନିଜ ସଂସ୍କୃତି ପରମ୍ପରାକୁ ପାଳନ କରନ୍ତୁ ସେଥିପାଇଁ ଭୟମିଶ୍ରିତ ଏଭଳି ଏକ ଲୋକଵିଶ୍ଵାସର ପ୍ରଚଳନ ହୋଇଥିଵା ସମ୍ଭଵ । 

(ଖ)ସର୍ପ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଆମ ଓଡ଼ିଶାର ରଜୋତ୍ସଵ ସମୟରେ ତିନିଦିନ କାଳ ଓ ତତ୍ପରେ କେତେକ ଦିନ ଯାଏଁ ପିଲାଏ ସକାଳ ଦ୍ବିପହର ଓ ଅପରାହ୍ନରେ ଦୋଳି ଖେଳିଥାନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଵାକୁ ବାରଣ କରାଯାଇଥାଏ । କାରଣ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଲେ ଦୋଳିର ଦଉଡ଼ି ସାପରେ ପରିଣତ ହୋଇଯାଏ । 

ଆଧୁନିକ ଯୁଗରେ କେହି କେହି ଏହାକୁ ଅନ୍ଧଵିଶ୍ଵାସ ବୋଲି ଅଭିହିତ କରୁଅଛନ୍ତି କିନ୍ତୁ ଏହି ଲୋକଵିଶ୍ଵାସ ପଛରେ ଥିଵା ଵୈଜ୍ଞାନିକ କାରଣକୁ ସେମାନେ ଉପଲଵ୍ଧି କରିନାହାନ୍ତି । 

ସାଧାରଣତଃ ଵର୍ଷାଋତୁ ସମୟରେ ଗଛମାନଙ୍କରେ ଵିଷାକ୍ତ ସର୍ପମାନେ ଵିଚରଣ କରିଥାନ୍ତି । ଲାଉଡଙ୍କିଆ,ଡାଳୁଆଗୋଖର ଆଦି ଅନେକ ସର୍ପ ଵୃକ୍ଷରେ ରହିଵାକୁ ବୁଲିଵାକୁ ପସନ୍ଦ କରନ୍ତି ‌ । ରାତ୍ରୀସମୟରେ ସେମାନେ ଦୋଳିର ଦଉଡ଼ି ଉପରକୁ ଚାଲି ଆସିଵା ଅସମ୍ଭଵ ନୁହେଁ ‌ । 

ନିଶ୍ଚୟ ପୂର୍ଵେ ଆମ ସମାଜରେ ଅନେକ ପିଲା ବଡ଼ ଲୋକଙ୍କ ଆକଟ ନମାନି ସନ୍ଧ୍ୟା ଵା ରାତିରେ ଗଛ ଡାଳରେ ବନ୍ଧାଥିଵା ଦୋଳି ଖେଳି ସରରପ ଦଂଶନର ଶିକାର ହୋଇଥିବେ ଯାହା ଫଳରେ ଏଭଳି ଏକ ଲୋକଵିଶ୍ଵାସ ସୃଷ୍ଟି ହୋଇଥିଵ । 

(ଗ) ଡାହାଣୀ/ ପିଶାଚୁଣୀ /ବ୍ରହ୍ମରାକ୍ଷସ /ଓଥରା ଆଦି ଅଶରୀରୀ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟାରେ ଦୋଳି ଖେଳ ବନ୍ଦ କରି ଦୋଳିକୁ ସେଇମିତି ନ ଓହଳେଇ ଉକୁଚି ଦେଵା(ଖୋସି ଦେଵା)ର ପରମ୍ପରା ପ୍ରଚଳିତ । କୁହାଯାଏ ରାତିରେ ଦୋଳିକୁ ଓହଳେଇ ଛାଡ଼ି ଆସିଲେ ସେଥିରେ ମୃତ ଆତ୍ମାମାନେ ବସି ଦୋଳି ଖେଳନ୍ତି । ଆଉ କେତେକ ଅଞ୍ଚଳରେ ରାତିରେ ଦୋଳି ଖେଳିଲେ ଓଥରା ଓ ବ୍ରହ୍ମରାକ୍ଷସ ଇତ୍ୟାଦି ଅତୃପ୍ତ ଆତ୍ମାଙ୍କ ଯୋଗୁଁ ଡାଳ ଭାଙ୍ଗିଵା ତଥା ପ୍ରାଣ ନାଶ ହେଵାର ଲୋକଵିଶ୍ଵାସ ପ୍ରଚଳିତ । ସାଧାରଣତଃ ଗଛ ଦୋଳି କୌଣସି ମଟକା ଦୁର୍ଵଳ ଗଛଶାଖାରେ ବନ୍ଧାଯାଇଥିଲେ ଭାର ନ ସହିପାରି ଭାଙ୍ଗିଯାଏ । ଆଗକାଳରେ ରାତିରେ ଦୋଳି ଖେଳୁଥିଵା ସମୟରେ ଗଛର ଡାଳ ଭାଙ୍ଗି ପଡି଼ଗଲେ ଆଜି ଭଳି ହଠାତ୍ ଚିକିତ୍ସା ହୋଇପାରୁନଥିଲା । ତେଣୁ ରାତିରେ ଅଶୀରୀରୀମାନଙ୍କ ନାମରେ ଭୟ ଦେଖାଇ ଦୋଳି ଖେଳିଵାକୁ ବାରଣ କରାଯାଉଥିଲା । ପ୍ରକୃତରେ ରଜ ଏମିତି ଏକ ପର୍ଵ ଯାହା ଵିଷୟରେ ଯେତେ ଲେଖିଲେ ବି ସରିଵ ନାହିଁ । ତେବେ ସେ ଯାହା ହେଉ ରଜ ପର୍ଵ ,ଦୋଳି ଓ ଦୋଳି ଗୀତ ସମ୍ବନ୍ଧୀୟ ଆହୁରି ଗହନ ଗଵେଷଣା ଆଵଶ୍ୟକ ।

Tuesday, June 14, 2022

"ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"

•••••••••••••••••••••...................................  •••••••••••••••••••
"ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"
                           ( ✍ ଶିଶିର ସାହୁ ମନୋଜ )
.................................. ................................ .........................
"#ରଜପର୍ଵ"ର ନାମ ମଧ୍ୟରେ '#ରଜ' ଶବ୍ଦଟି ଥିଵାରୁ ଓଡ଼ିଶାର କିଛି ଲୋକଙ୍କୁ ରଜୋତ୍ସଵର ରଜ ନାମଟି ଅଶ୍ଳୀଳ ବୋଧ ହେଉଅଛି । "ରଜସ୍ଵଳା" କଥାଟି କିଛି ଲୋକଙ୍କ ମନକୁ ପାଉନାହିଁ ।  କେହି କେହି ଵିଚ୍ଛିନ୍ନତାଵାଦୀ ଏହାକୁ ଭିତ୍ତିକରି ପ୍ରତିଵର୍ଷ ଉତ୍ତର, ଦକ୍ଷିଣ,ପୂର୍ଵ ତଥା ମଧ୍ୟ ଓଡ଼ିଶାର ଲୋକଙ୍କୁ ଅପମାନିତ କରୁଛନ୍ତି । 

ପୃଥିଵୀର କୋଉ ନାରୀ ହୋଇଅଛି ଯିଏ ଵିନା ରଜସ୍ଵଳାରେ ସନ୍ତାନ ଉତ୍ପତ୍ତି କରିଛି ?

ସୁଶ୍ରୁତଙ୍କ ସୂତ୍ରସ୍ଥାନର ଚତୁର୍ଦ୍ଦଶ ଅଧ୍ଯାୟରେ କୁହାଯାଇଛି

“ରଞ୍ଜିତାସ୍ତେଜସା ତ୍ଵାପଃ ଶରୀରସ୍ଥେନ ଦେହିନାମ୍ ।
ଅଵ୍ଯାପନ୍ନାଃ ପ୍ରସନ୍ନେନ ରକ୍ତମିତ୍ଯଭିଧୀୟତେ ॥
ରସାଦେଵ ସ୍ତ୍ରିୟା ରକ୍ତଂ ରଜଃସଂଜ୍ଞଂ ପ୍ରଵର୍ତ୍ତତେ ।
ତଦ୍ବର୍ଷାଦ୍ବାଦଶାଦୂର୍ଦ୍ଧ୍ଵଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ 
ନାରୀଣାଂ ରଜସି ଚୋପଚୀୟମାନେ ଶନୈଃ ଶନୈଃ ସ୍ତନଗର୍ଭାଶୟଯୋନ୍ଯଭିଵୃଦ୍ଧିର୍ଭଵତି । 

ସେହିପରି ଵାଭଟଙ୍କର ଶାରୀରସ୍ଥାନ ପ୍ରଥମ ଅଧ୍ଯାୟରେ ଉଲ୍ଲେଖ ଅଛି

“ମାସି ମାସି ରଜଃସ୍ତ୍ରୀଣାଂ ରସଜଂ ସ୍ରଵତି ତ୍ର୍ଯହମ୍ । 
ଵତ୍ସରାଦ୍ଦ୍ଵାଦଶାଦୂର୍ଦ୍ଧଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ ”

ତେଣୁ ରଜସ୍ଵଳା ଵିନା କୌଣସି ନାରୀ ସନ୍ତାନ ଉତ୍ପତ୍ତି କରିପାରିଵା ଅସମ୍ଭଵ । 
ପୃଥିଵୀମାତା ନାରୀ ଭାଵରେ କଳ୍ପିତା । ସାରା ଵିଶ୍ଵରେ ମାଟିକୁ ମାଆ କଳ୍ପନା କରାଯାଇଛି । ଏ କଳ୍ପନା ପୁଣି କପୋଳକଳ୍ପିତ ନୁହେଁ ଵରଂ ଆଧ୍ୟାତ୍ମିକ ଓ ଵୈଜ୍ଞାନିକ  । 

 କେତେକ ସଭ୍ୟତାକୁ ଛାଡ଼ି ଦେଲେ ପୃଥିଵୀର ପ୍ରାୟ  ୯୦% ଭାଗ ସଭ୍ୟତାରେ ପ୍ରକୃତିକୁ ଵା ପୃଥିଵୀକୁ ମାତା ରୂପରେ କଳ୍ପନା କରି Mother Nature ଵା Mother earth ଭାବେ ଅଭିହିତ କରାଯାଇଛି। 

ପ୍ରାଚୀନ ଇଜିପ୍ଟରେ ପୃଥିଵୀକୁ Geb  ତଥା ଆକାଶକୁ Nut ରୂପେ କଳ୍ପନା କରାଯାଇଥିଲା । ଇଜିପ୍ଟର ଲୋକେ ପୃଥିଵୀକୁ ଦେଵ ଓ ଆକାଶକୁ ଦେଵୀ କଳ୍ପନା କରିଥିଲେ ।  ଏ ଅଞ୍ଚଳରେ ଜଳାଭାଵ ଉତ୍କଟ ଥିଲା ଏଵଂ ଆକାଶରୁ ଵର୍ଷା ହେଵା ଫଳରେ ସେମାନଙ୍କର ଜୀଵନଧାରଣ ସମ୍ଭଵ ହୋଇପାରୁଥିଲା ବୋଲି ସେମାନେ ଭୂମିକୁ ପୁରୁଷ ତଥା ଆକାଶକୁ ସ୍ତ୍ରୀ କଳ୍ପନା କରିଥିଲେ । 

ଇଜିପ୍ଟର ପ୍ରାଚୀନ ସଭ୍ୟତାକୁ ଛାଡ଼ି ଦେଲେ ପ୍ରାଚୀନ ଆମେରିକୀୟ ମାୟା- ଇନକା- ଆଜଟେକ୍ ସଭ୍ୟତା , ଅଧିକାଂଶ ଆଫ୍ରିକୀୟ ଜନଜାତୀୟ ସଭ୍ୟତା,ପ୍ରାଚୀନ ଗ୍ରୀକ୍-ରୋମାନ୍ ସଭ୍ୟତା, ପ୍ରାଚୀନ ଜର୍ମାନ୍-ନୋର୍ସ୍ ସଭ୍ୟତା,ପ୍ରାଚୀନ ଭାରତୀୟ ସଭ୍ୟତା ତଥା ପ୍ରାଚୀନ ଚୀନ ଦେଶୀୟ ସଭ୍ୟତାରେ ପୃଥିଵୀ ଵା ଭୂମିକୁ ଦେଵୀ ତଥା ମାତା ରୂପରେ କଳ୍ପନା କରାଯାଇଥିଲା । 

ପ୍ରାଚୀନ ଆମେରିକୀୟ ଲୋହିତ ଜନଜାତି Aztec ମାନେ ପୃଥିଵୀକୁ Tonantzin କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ଆମ ମାଆ” ସେହିପରି  Inca ଜାତୀୟ ଲୋକେ ପୃଥିଵୀକୁ   Pachamama(ମାତା ପୃଥିଵୀ) କହୁଥିଲେ । ଚୀନ ଦେଶରେ ପୃଥିଵୀଙ୍କୁ  Hou Tu ଓ Di Mu ନାମରେ ଦେଵୀ ରୂପରେ କଳ୍ପନା କରି ପୂଜା କରାଯାଉଥିଲା । ଭୀଏତନାମୀ ଲୋକେ ପୃଥିଵୀକୁ  ଦେଵୀ Mẫu Địa ନାମରେ ଆରାଧନା କରୁଥିଲେ । ଆଫ୍ରିକାର ଘାନା ଦେଶର Bono ଜନଜାତିର ଲୋକେ  ପୃଥିଵୀକୁ Asase Ya , Asase Yaa, Asaase Yaa , Asaase Afu ଓ 
Aberewaa ଆଦି ନାମରେ ଦେଵୀ ଭାବେ ପୂଜା କରୁଥିଲେ ।  Basque ଲୋକେ ସ୍ପେନ ଓ ଫ୍ରାନ୍ସ ଦେଶରେ ଵସଵାସ କରନ୍ତି । ସେମାନେ ପୂର୍ଵେ ପୃଥିଵୀକୁ Amalur,Ama Lur or Ama Lurra ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ପୃଥିଵୀମାତା Amalur ଉଭୟ  Ekhi(ସୂର୍ଯ୍ୟ) ଓ  Ilazki(ଚନ୍ଦ୍ର) ଙ୍କ ଜନ୍ମଦାତ୍ରୀ । ଆଜି ବି Amalur ଦେଵୀଙ୍କୁ Basqueମାନେ ମାତୃଦିଵସ ଉପଲକ୍ଷେ ମନେ ପକାଇଥାନ୍ତି । ଗ୍ରୀକ୍‌ମାନେ ପୃଥିଵୀକୁ Gaia ଦେଵୀ ଭାବରେ ପୂଜା କରୁଥିଲେ ସେହିପରି ରୋମାନମାନେ ପୃଥିଵୀକୁ ଦେଵୀ Terra ଆଖ୍ୟା ଦେଇଥିଲେ । ସେଇଥିପାଇଁ ଆଜି ବି କେତେକ science fiction ଚଳଚ୍ଚିତ୍ରରେ  ପୃଥିଵୀକୁ Terra ଅଭିହିତ କରାଯାଏ । ନୋର୍ସମାନେ ପୃଥିଵୀକୁ Jörð (Jord) ଦେଵୀ ରୂପରେ କଳ୍ପନା କରି ପୂଜୁଥିଲେ । ସେହିପରି ମଙ୍ଗୋଲୀୟ ଓ ତୁର୍କ ଦେଶର ଲୋକେ ପୃଥିଵୀକୁ ଦେଵୀ  Umay (Eje), ଲିଥୁଆନିଆର ଲୋକେ  ଦେଵୀ Žemyna,Māoriମାନେ ଦେଵୀ - Papatūānuku,Latvian ଲୋକେ ଦେଵୀ  Zemes māte ଓ  Māra 
 ଏଵଂ ଆରବ ଦେଶରେ ପ୍ରାକ୍ ଆରବୀୟ ଦେଵୀ alllat ରୂପେ ପୂଜାର୍ଚ୍ଚନା କରୁଥିଲେ । ଭାରତ ଵର୍ଷରେ ପୃଥିଵୀମାତାଙ୍କୁ  ମହୀମାତା,ଭୂଦେଵୀ,ବସୁମତୀ, ଶକ୍ତି,ପ୍ରକୃତି, ଗାୟତ୍ରୀ ତଥା ଗୋମାତା ରୂପରେ ଜଣେ ଦେଵୀ ଭାବେ ଭିନ୍ନ ଭିନ୍ନ ପନ୍ଥରେ କଳ୍ପନା କରାଯାଇଛି । ଗୋଣ୍ଡୀମାନେ ଭୀମାଲଙ୍କୁ ପୃଥିଵୀ ଧାରଣକାରୀ ଦେଵ ତଥା ପୃଥିଵୀମାତାଙ୍କୁ ଭୂମ ଵା ଭୂମା ଅଭିହିତ କରିଅଛନ୍ତି । ଓଡ଼ିଶାର ଜନଜାତୀୟ ଅଞ୍ଚଳରେ ପୃଥିଵୀମାତା ଧରଣୀପେନୁ ଭାବେ ପୂଜା ପାଆନ୍ତି । 

ଅତଏଵ ଓଡ଼ିଶାର ଲୋକେ ପୃଥିଵୀକୁ ମାତା କଳ୍ପନା କରି ରଜୋତ୍ସଵ ପାଳନ କରିଵା କୌଣସି ଦିଗରୁ ଅଯୁକ୍ତିଯୁକ୍ତ ଅଵୈଜ୍ଞାନିକ ନୁହେଁ । 

ଯେହେତୁ ପୃଥିଵୀର ଅଧିକାଂଶ ଭୂଭାଗରେ ପୃଥିଵୀମାତା ନାରୀ ରୂପରେ କଳ୍ପିତା ଏଵଂ ଏ ଚରାଚର ପୃଥିଵୀରେ ତାଙ୍କର କୀଟଠାରୁ ମାନଵ ଯାଏଁ ଶୈଵାଳଠାରୁ ଦ୍ରୁମଯାଏଁ ଅସଂଖ୍ୟ ସନ୍ତାନ ସନ୍ତତି ତେଣୁ ସେ ପୁତ୍ରଵତୀ ମାତା  ରଜୋଵତୀ ନହେଲେ ଏତେ ସନ୍ତାନ ଜାତ ହେବେ କି ?

ଏହି ଵିଚାରକୁ ଗ୍ରହଣ କରି ଓଡ଼ିଶାର ଲୋକେ ରଜପର୍ଵର କଳ୍ପନା କରିଅଛନ୍ତି । 

ତେବେ କେଵଳ ଓଡ଼ିଶାରେ ନୁହେଁ ଦକ୍ଷିଣ ଭାରତର ତାମିଲନାଡୁ, କର୍ଣାଟକ ତଥା କେରଳର ମଧ୍ୟ ଭାଗରେ ଵସଵାସ କରୁଥିଵା ତୁଲୁ ଭାଷୀ ଲୋକେ ମଧ୍ୟ ପୃଥିଵୀମାତା ତିନି ଦିନ ଧରି ରଜସ୍ଵଳା ହେଵାର ଵିଶ୍ଵାସ କରନ୍ତି ଏଵଂ ଫେବୃଆରୀ ୧୦ରୁ ଫେବୃଆରୀ ୧୪ ମଧ୍ୟରେ ଧରଣୀମାତାଙ୍କୁ ଆରାଧନା କରିଵା ହେତୁକ  ಕೆಡ್ಡಸ(keḍḍasa) ଵା Keddaso ନାମରେ ଏକ ତ୍ରିଦିଵସୀୟ ପର୍ଵ ପାଳିଥାଆନ୍ତି । 

 ନାରୀମାନଙ୍କର ରଜଃସ୍ରାଵ ତିନିଦିନ ପର୍ଯ୍ୟନ୍ତ ହୁଏ ଓ ଚତୁର୍ଥଦିନ ରଜୋନିଵୃତ୍ତି ହୋଇଥାଏ । ଚତୁର୍ଥ ଦିଵସରେ ଋତୁ ସ୍ନାନାନନ୍ତର ପ୍ରଥମେ ପତିଙ୍କ ମୁଖ ଅଵଲୋକନ କରିଵା ଉଚିତ୍ କାରଣ ଋତୁସ୍ନାନର ଅଵ୍ୟଵହିତପରେ ଯେଉଁ ରୂପ ଦର୍ଶନ କରାଯାଏ ତଦନୁରୂପ ସନ୍ତାନ ଗର୍ଭରେ ଜନ୍ମେ ବୋଲି ଭାରତଵର୍ଷରେ ଲୋକଵିଶ୍ଵାସ ପ୍ରଚଳିତ। ଋତୁସ୍ରାଵ ହେଵା ପ୍ରକ୍ରିୟା ପ୍ରାକୃତିକ ଏଵଂ ଏଥିରେ ଲଜ୍ଜାବୋଧର କୌଣସି ସ୍ଥାନ ନାହିଁ ।  ପ୍ରକୃତି ଓ ପ୍ରକୃତିର ସମସ୍ତ ପ୍ରତିରୂପ ମଧ୍ୟରେ ଏହି ପ୍ରକ୍ରିୟା ସମଦୃଶ୍ଯ ହୁଏ ‌। 
 
ଭାରତୀୟ ଆଧ୍ୟାତ୍ମ ଶାସ୍ତ୍ରରେ ନାରୀକୁ ପ୍ରକୃତିଠାରୁ ଜାତ ଉଲ୍ଲେଖ କରାଯାଇଛି । ପୃଥିଵୀର ଜୀଵନୀଶକ୍ତି ହେଉଛି ପ୍ରକୃତି ।ଏହି ପ୍ରକୃତି ପ୍ରତ୍ୟେକ ଜୀଵିତ ଵସ୍ତୁ ମଧ୍ୟରେ ରହିଛି । ପ୍ରକୃତିର ଉପସ୍ଥିତି ଵିନା କୌଣସି ଗ୍ରହରେ ଜୀଵନ ଜାତ ହେଵା ଅସମ୍ଭଵ । ଏହି ପ୍ରକୃତିକୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଵିଚାର କରାଯାଇପାରେ ।  ମଙ୍ଗଳଗ୍ରହରେ Geographical ସକ୍ରିୟତା ନଥିଵାରୁ ସେଠାରେ Biographical ସକ୍ରିୟତା ସମ୍ଭଵ ହୋଇପାରିନାହିଁ । ଏ ଉଭୟ ପ୍ରକାରର ସକ୍ରିୟତାକୁ ହିଁ ସାମୁହିକ ଭାଵରେ ‘ପ୍ରକୃତି’ କୁହାଯାଇଛି । କୌଣସି ଗ୍ରହରେ ଜୀଵ ସୃଷ୍ଟି ପାଇଁ ଏ ଉଭୟ ତତ୍ତ୍ଵ ନିତାନ୍ତ ଆଵଶ୍ୟକ ‌। 

ତେଣୁ ଯେମିତି ନାରୀ ତିନିଦିନ ଋତୁମତୀ ହୋଇଥାଏ ଠିକ୍ ସେହିପରି ପୃଥିଵୀମାତା ଵା ପ୍ରକୃତି ତିନିଦିନ କାଳ ଋତୁମତୀ ହେଵା କଳ୍ପନା କରାଯାଇଛି । 

ତାହେଲେ ରଜପର୍ଵର ନିର୍ଦ୍ଧିଷ୍ଟ ତିନିଦିନ କେଉଁ ଆଧାରରେ ନିର୍ଣ୍ଣୟ କରାଗଲା ? 
 
ଭାରତଵର୍ଷରେ ଵର୍ଷାକାଳକୁ ଚର୍ତୁମାସ୍ୟା କୁହାଯାଏ ଯାହା ଆଷାଢ଼ ମାସରୁ ଆରମ୍ଭ ହୋଇ ଆଶ୍ଵିନ ମାସ ଯାଏଁ ଚାରିମାସ ରହିଥାଏ । ଆଷାଢ଼ ମାସର ଠିକ୍ ଏକଦିନ ପୂର୍ଵରୁ ରଜପର୍ଵର ପ୍ରଥମ ଦିନ ପହିଲି ରଜ ପାଳନ ହୋଇଥାଏ । ମଧ୍ୟମ ଦିଵସ ହେଉଛି ରଜ ସଂକ୍ରାନ୍ତି ଏହିଦିନକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ । 

ଏହି ଦିଵସତ୍ରୟରେ ଭାରତଵର୍ଷର କଳିଙ୍ଗ ଦେଶରେ  ହଳ, ପୃଥିଵୀଖନନ, ଵୀଜବପନାଦି କୃଷିକର୍ମ ନିଷିଦ୍ଧ ହୋଇଥାଏ । ଵୃଷମାସର ଶେଷଦିନକୁ 'ପହିଲିରଜ' ଓ ମିଥୁନ ମାସର ସଂକ୍ରାନ୍ତି ଦିନକୁ ଭୂଇଁନଅଣ ଓ ମିଥୁନ ମାସର ଦ୍ବିତୀୟ ଦିନକୁ 'ଠାକୁରାଣୀ ଗାଧୁଆ' ବୋଲାଯାଏ। ପୃଥିଵୀ ରଜସ୍ବଳା ହେଵା ପରେ ମିଥୁନ ଦ୍ବିତୀୟ ଦିନ ଶୁଦ୍ଧି ସ୍ନାନ କରିଵାର ଶାସ୍ତ୍ରରେ ଲେଖାଅଛି। ଆମ ଦେଶରେ ହିନ୍ଦୁ ସ୍ତ୍ରୀମାନେ ପୃଥିଵୀମାତା ଆରାମ କରନ୍ତି ବୋଲି ସେମାନେ ନିଜେ ମଧ୍ୟ ତାଙ୍କ ପ୍ରକୃତି ଶକ୍ତିର ଅଂଶ ହୋଇଥିଵାରୁ ସମସ୍ତ ନାରୀଜାତିର ସମ୍ମାନାର୍ଥେ ଏ ତିନିଦିନ ରାନ୍ଧନ୍ତି ନାହିଁ ଏଵଂ ଭୂମି ଉପରେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ ତଥା ଦୋଳି ଖେଳି ଉତ୍ସଵରୂପେ ଏହି ତିନିଦିନକୁ  ପଳିଥାଆନ୍ତି।

ପୁନଶ୍ଚ ଅଧୁନା ସମାଜ ମଧ୍ୟରେ କେହି କେହି ରଜପର୍ଵରେ ଥିଵା ରଜ ଶବ୍ଦକୁ ଧରି ଯୁକ୍ତି ବାଢ଼ନ୍ତି ଯେ ଏ ପର୍ଵର ଏଭଳି ନାମକରଣ ଅଵୈଜ୍ଞାନିକ ମାତ୍ର ସେମାନେ ରଜ ଶବ୍ଦର ସୂକ୍ଷ୍ମ ଶବ୍ଦାନୁଶୀଳନ କରିନଥିଵାରୁ ଏଭଳି ମନ୍ତଵ୍ୟ ଦେଇ ପରୋକ୍ଷରେ ନିଜର ଅଜ୍ଞତା ତଥା ହୀନମାସିକତାର ହିଁ ପରିଚୟ ଦେଇଥାନ୍ତି ‌ । 

ତେବେ ଅନ୍ୟମାନଙ୍କର ଆକ୍ଷେପର ଶିକାର ହୋଇ ଉପକୂଳ ଓଡ଼ିଶାର କେତେକ ଲୋକ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରିଵାକୁ ଯାଇ ମତ ଦେଉଛନ୍ତି...

ର+ଜ=ରଜ
‘ର’ ର ଅର୍ଥ ସଂସାର, 
ଜ’ ର ଅର୍ଥ ଯୋଚିଵା

କିନ୍ତୁ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା—
‘ର’ ର ଅର୍ଥ ରଚନା
‘ଜ’ ର ଅର୍ଥ ଜଳ

ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ, ଚିତ୍ତାକର୍ଷକ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । 'ର' ଆଉ 'ଜ'  ମିଶି ରଜ ଶବ୍ଦ ସୃଷ୍ଟି ହୋଇଛି ବୋଲି ମତ ଦେଵା ଶବ୍ଦତତ୍ତ୍ଵ ଦୃଷ୍ଟିରୁ ଅଵୈଜ୍ଞାନିକ ଓ ଭାରତୀୟ ନିରୁକ୍ତି ତତ୍ତ୍ଵର ଵିପରୀତ ଆଚରଣ । 

ଅନେକଙ୍କ ମତରେ ଆମ ସମାଜରେ ଏହି ତିନି ଦିନ ପୃଥିଵୀ ରଜସ୍ଵଳା ହେଵାର କଳ୍ପନା କରାଯାଇଥିଲା ବୋଲି ଏହି ପର୍ଵର ନାମକରଣ ରଜ ହୋଇଅଛି ।

"ପଣ୍ଡିତ ସର୍ଵସ୍ଵ" ଗ୍ରନ୍ଥରେ ପୃଥିଵୀମାତା ରଜସ୍ବଳା ହେଵାର ପ୍ରମାଣ ଵାକ୍ଯ ଅଛି ଏଵଂ ତାହା ହେଲା

“ଵୃଷାନ୍ତେ ମିଥୁନସ୍ଯାଦୈ ତଦ୍ଦ୍ବିତୀୟ ଦିନ ତ୍ରୟଂ ।
ରଜସ୍ବଳା ସ୍ଯାତ୍ ପୃଥିଵୀ କୃଷିକର୍ମଵିଗର୍ହିତଂ ॥

ହଳାନାଂ ଵାହନଂ ଚୈଵ ଵୀଜାନାଂ ଵପନଂ ତଥା । 
ତାଵଦେଵ ନ କୁର୍ଵୀତ ଯାଵତ୍ ପୃଥ୍ବୀ ରଜସ୍ବଳା ॥

ପୃଥ୍ବୀ ରଜସ୍ବଳାଯାଵତ୍ ଖନନଂ ଛେଦନଂ ତ୍ଯଜେତ୍ ।
ଅନ୍ଯ କର୍ମାଣି କୁର୍ଵାତ ପୈତ୍ରଂ ଦୈଵଂ ନମାନୁଷଂ ॥”

କିନ୍ତୁ ରଜ ଶବ୍ଦର ଅର୍ଥ କେଵଳ ରଜସ୍ଵଳା ନୁହେଁ ଵରଂ ଏହାର ବହୁ ଵିଧ ଅର୍ଥ ରହିଛି ।

ତିନିଗୋଟି ପ୍ରକୃତି ଵା ଗୁଣ ରହିଛି ସେହି ତାହା ହେଲା ସତ୍ତ୍ଵ,ରଜ,ତମ ଏଵଂ ତନ୍ମଧ୍ୟରେ  ‘ରଜ’ ଗୁଣ ସୃଷ୍ଟିତତ୍ତ୍ଵର ଧ୍ଯୋତକ । 

‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ । ଵର୍ଷାଋତୁ ଆଗମନ ସହ ପୃଥିଵୀରେ ଅନେକ କୀଟ ପତଙ୍ଗ ଓ କ୍ଷୁଦ୍ର ଵିଶାଳ ପାଦପ ଜାତ ହୋଇଥାନ୍ତି ।  ରଜ ପର୍ଵ ସମୟରେ ଓଡ଼ିଶାରେ ଵର୍ଷାରମ୍ଭ ଘଟେ ଏଵଂ କଳିଙ୍ଗ ଦେଶରେ ନଵ ପାଦପ ଓ କୀଟପତଙ୍ଗାଦି ଜାତ ହୋଇଥାନ୍ତି । ଏ କଥା ସମସ୍ତେ ମାନିଵେ ଯେ ପୃଥିଵୀର ଅନ୍ଯତମ ଶ୍ରେଷ୍ଠ ରାଷ୍ଟ୍ର ଭାରତଵର୍ଷର ଅଧିକାଂଶଭାଗରେ ହେଉଥିଵା ଵର୍ଷା ହିମାଳୟ ପରି ଵିଶାଳ ପର୍ଵତମାଳା ଯୋଗୁଁ ମୌସୁମୀ ଵାୟୁ ପ୍ରଭାଵରୁ ହୋଇଥାଏ । 
ଭାରତଵର୍ଷରେ ମୌସୁମୀର ଆଗମନ ହୁଏ  ଜୁନ୍ ମାସର ୫ରୁ ୨୦ ଦିନାଙ୍କ ମଧ୍ୟରେ ଆଉ ରଜପର୍ଵ ବି ପାଳିତ ହୋଇଥାଏ ଏହି ଜୁନ୍ ମାସର ୧୩ରୁ ୧୬ ଦିନାଙ୍କ ମଧ୍ୟରେ । ତେଣୁ ଭାରତୀୟ ଜଳଵାୟୁ ଵିଶେଷତଃ କଳିଙ୍ଗ ଦେଶର ଜଳଵାୟୁ ଆଧାରରେ ଭାରତରେ ରଜପର୍ଵର କଳ୍ପନା କରାଯାଇଛି ଫଳତଃ  ଏ ପର୍ଵ ସମୟରେ ପୃଥିଵୀରେ ଵିଶେଷତଃ କଳିଙ୍ଗ ଦେଶରେ ରଜଗୁଣ ଵୃଦ୍ଧି ପାଉଥିଵାରୁ ଏହି ପର୍ଵର ନାମ ରଜପର୍ଵ ହୋଇଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ "ପୁଷ୍ପ ପରାଗ" ଅଟେ । ରଜ ଶବ୍ଦକୁ ସଂସ୍କୃତ ଭାଗଵତରେ ପରାଗ ଅର୍ଥରେ ପ୍ରୟୋଗ କରାଯାଇଛି...
  
“ପଦ୍ମକୋଶରଜୋ ଦିକ୍ଷୁ ଵିକ୍ଷିପତ୍ପଵନୋତ୍ସଵମ୍ ॥ ”
(ଭାଗଵତ । ୪ । ୨୪ । ୨୨ ।) 

ରଜ ପର୍ଵ ସମୟରେ ଓ ତତ୍ପରେ ଅନେକ ଵୃକ୍ଷରେ ପୁଷ୍ପ ଫୁଟେ ଏଵଂ ତହିଁରେ  ମହୁମାଛି ତଥା ପ୍ରଜାପତିଙ୍କ ଦ୍ଵାରା ପରାଗ ସଙ୍ଗମ ଯୋଗୁଁ ସେ ଫୁଲ କ୍ରମଶଃ ଫଳ ଓ ଵୀଜରେ ପରିଣତ ହୋଇଥାଏ । ଏ ଦୃଷ୍ଟିରୁ ମଧ୍ୟ ଏହି ପର୍ଵରୁ ରଜପର୍ଵ କୁହାଯିଵା ସମୀଚିନ ହୃଦବୋଧ ହେଉଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ଆକାଶ ତଥା ପାଣି ଵା ଜଳ । ଋକଵେଦରେ ଜଳ ଅର୍ଥରେ ରଜ ଶବ୍ଦର ଵ୍ୟଵହାର ରହିଛି...

 “ଵିୟତ୍ତିରୋଧରୁଣମଚ୍ଯୁତଂ ରଜୋତିଷ୍ଠିପୋ ଦିଵ ଆତାସୁ ବର୍ହଣା । ”
(ଋଗ୍ଵେଦେ । ୧ । ୫୬ । ୫ ।)

ଆମେ ସମସ୍ତେ ଜାଣନ୍ତି ଯେ ରଜପର୍ଵ ସମୟରେ କଳିଙ୍ଗ ଦେଶରେ ମୌସୁମୀ ଆଗମନ ଯୋଗୁଁ ଵର୍ଷା ହୋଇଥାଏ । ଏହି ସମୟରେ ଵର୍ଷାଜଳ ପ୍ରାପ୍ତ ହେଉଥିଵାରୁ ଏ ପର୍ଵକୁ ରଜପର୍ଵ କୁହାଯିଵା ମଧ୍ୟ ଯୁକ୍ତିଯୁକ୍ତ ଅଟେ । 

ରଜ ଶବ୍ଦର ଆଉ ଏକ ଅର୍ଥ ରେଣୁ ଵା ଧୂଳି । ଏହି ଅର୍ଥରେ ଚରଣରଜ ଭଳି ଶବ୍ଦ ସୃଷ୍ଟି ହୋଇଅଛି ପୁନଶ୍ଚ ଶାସ୍ତ୍ରରେ ମଧ୍ୟ ରଜ ଶବ୍ଦ ରେଣୁ ଅର୍ଥରେ ଵ୍ୟଵହୃତ ।‌

“ପାଦାହତଂ ଯଦୁତ୍ଥାଯ ମୂର୍ଦ୍ଧାନମଧିରୋହତି ।
ସ୍ଵସ୍ଥାଦେଵାପମାନେଽପି ଦେହିନସ୍ତଦ୍ବସଂ ରଜଃ ॥ ”
(ମାଘେ । ୨ । ୪୬ ।)

ସାଧାରଣତଃ ରଜପର୍ଵ ସମୟରେ ଵର୍ଷା ହେଵାରୁ ପୂର୍ଵେ ଗ୍ରୀଷ୍ମଋତୁରେ ଆକାଶରେ ଉଡ଼ିବୁଲୁଥିଵା ଧୂଳିକଣା ଵର୍ଷାଜଳ ସହିତ ମିଶି ତଳକୁ ଚାଲି ଆସେ । ଫଳରେ ଆକାଶ ନିର୍ମଳ ତଥା ଵାୟୁ ସ୍ଵଚ୍ଛ ହୋଇଯାଏ । ଏଭଳି ସମୟରେ ରଜ ପର୍ଵ ପାଳିତ ହୋଇଥାଏ । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ଭୁଵନ ଵା ପୃଥିଵୀମାତା । ଭୁଵନ ଶବ୍ଦର ଏକ ଅର୍ଥ ଚଉଦ ବ୍ରହ୍ମାଣ୍ଡ,ଆନ ଏକ ଅର୍ଥ ଜଳ ମଧ୍ୟ ଅଟଇ । ଗୃହ ତଥା ଜୀଵକୁ ମଧ୍ୟ ଭୁଵନ କୁହାଯାଏ । ସ୍ଵୟଂ ଧରଣୀମାତାଙ୍କୁ ଆରାଧନା କରିଵାର ପର୍ଵ ହେଉଛି ରଜପର୍ଵ ଏଵଂ ଯେହେତୁ ତାଙ୍କର ଏକ ନାମ "ରଜ" ତେଣୁ ସେହି ନାମ ଆଧାରରେ ଏହି ପର୍ଵର ରଜ ନାମକରଣ କରାଯାଇଛି। 

ହଳ କରାହୋଇଥିଵା କ୍ଷେତକୁ ରଜ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ପ୍ରକୃତରେ ଆଗକାଳରେ ରଜ ପୂର୍ଵରୁ ବିଲରେ ହଳ କରି କୃଷକ ଵର୍ଷାକୁ ଅନାଇ ରହୁଥିଲା ଏଵଂ ଵର୍ଷା ଆଗମନ ପରେ କୃଷିକ୍ଷେତ୍ରରେ ଲାଗିପଡୁ଼ଥିଲା । ରଜ ପର୍ଵ ପୂର୍ଵରୁ କୃଷିକ୍ଷେତ୍ରକୁ ହଳ କରି ସେଥିରେ ଥିଵା ମାଟିକୁ ପିଟି ଗୁଣ୍ଡ କରି ଖେତକୁ ଚାଷୋପଯୋଗୀ କରିଥାଏ କୃଷକ । ଦକ୍ଷିଣ ପଶ୍ଚିମ ଓଡ଼ିଶାର "ଢେଲାପିଟଣା ପର୍ଵ" ଏହି କୃଷି ପ୍ରକ୍ରିୟାର ଏକ ସାଂସ୍କୃତିକ ରୂପ ।
 
ସେହିପରି ରଜ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା "ବାଦଲ ,ପ୍ରକାଶ, ଵାଷ୍ପ,ପାଉଁଶ  ଓ ରାତ୍ରୀ"  । 

ରଜଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ...

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । 

ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । 

ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି ।

ଗ୍ରୀଷ୍ମକାଳୀନ "ଧୂଳି ଉଡ଼ିଵା ପ୍ରକ୍ରିୟା" ଵର୍ଷା ହେଵା ଯୋଗୁଁ ବନ୍ଦ ହୋଇଯାଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି ।

 ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁଵନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ପୁଣି ରଜ ଶବ୍ଦର ସୂକ୍ଷ୍ମ ନିରୁକ୍ତିତତ୍ତ୍ଵ ଆଧାରରେ ମଧ୍ୟ ଏହାର ଵ୍ୟାଖ୍ୟା କରାଯାଇପାରେ । 'ରଜ' ଶବ୍ଦକୁ ସଂସ୍କୃତ ଧାତୁଶବ୍ଦ ‘ରନ୍ଜ ଵା ରଞ୍ଜ୍’ ଧାତୁରୁ ନିଷ୍ପନ୍ନ କରଯାଇଛି । 

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

•ରଙ୍ଗକରିଵା; ରଙ୍ଗାଇଵା
•ଆସକ୍ତ ହେଵା; ଅନୁରକ୍ତ ହେଵା
•ରଞ୍ଜିତ ହେଵା; ରଙ୍ଗାଯିଵା
•ନାଲି ପଡ଼ିଵା
•ପ୍ରଣୟାସକ୍ତ ହେଵା
•ଆନନ୍ଦିତ ହେଵା
•ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘#ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ଵର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।

ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ । 

ତେଣୁ ଯଦି କେହି ରଜପର୍ଵକୁ ନେଇ ଓଡ଼ିଶାଵାସୀଙ୍କୁ ଵ୍ୟଙ୍ଗ୍ୟ କରୁଅଛି ତାହା ତାହାର ଅଜ୍ଞାନତା ଛଡ଼ା ଆଉ କ'ଣ ହୋଇପାରେ । 

ଯିଏ ରଜ ଶବ୍ଦର ନିରୁକ୍ତି ଜାଣିନାହିଁ,ରଜ ପର୍ଵର ତାତ୍ତ୍ଵିକ ଵୈଜ୍ଞାନିକ ଦିଗ ହୃଦୟଙ୍ଗମ କରିନାହିଁ କି ନାରୀଜାତି ତଥା ପ୍ରକୃତିମାତା ଵା ମାଟିମାଆର ସମ୍ମାନ କରିଵା ଶିଖିନାହିଁ କେଵଳ ସେହି ଅମାନଵୀୟ ଵ୍ୟକ୍ତି ହିଁ ରଜ ପର୍ଵକୁ ହୀନ ଦୃଷ୍ଟିରେ ଦେଖି ଓଡି଼ଶାଵାସୀଙ୍କୁ ଟାପରା କରିପାରେ । ନାରୀଜାତିକୁ ସମ୍ମାନ ଦେଇ ଜାଣିଥିଵା ପ୍ରତ୍ୟେକ ମାନଵ ରଜପର୍ଵ ଭଳି ଏକ ଶ୍ରେଷ୍ଠ ଵୈଜ୍ଞାନିକ ପର୍ଵର ମହତ୍ତ୍ଵ ନିଶ୍ଚିତ ଉପଲଵ୍ଧି କରିପାରେ । 

                       ••••••••••••••••••••••

Friday, May 13, 2022

କଳିଙ୍ଗୋଡ଼୍ରୋତ୍କଳ ଏକ ଓ ଅଭିନ୍ନ

🟠କଟକର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟ ନୃତ୍ୟ ସହିତ ସମ୍ବଲପୁରୀ ନୃତ୍ୟ ପରିଵେଷଣ ହୁଏ । 

🟠କଟକର ଶୈଳବାଳା ମହାଵିଦ୍ୟାଳୟରେ ସମ୍ବଲପୁରୀ ଵସ୍ତ୍ର ପରିଧାନ କରିଵା ଵାଧ୍ୟତାମୂଳକ ଅଟେ ।

🟠ଶ୍ରୀମନ୍ଦିରର ମାହାରୀ ନୃତ୍ୟ ଓ ପୁରୀ ରଘୁରାଜପୁରର ଗୋଟିପୁଅ ନୃତ୍ୟର ମିଶ୍ରଣରେ ସୃଷ୍ଟ ଓଡ଼ିଶୀ ନୃତ୍ୟର ଡ୍ରେସ୍ କୋଡ୍ ଭାଵେ ସମ୍ବଲପୁରୀ ଵସ୍ତ୍ର ରଖାଯାଇଛି । ସମ୍ବଲପୁରୀ ଵସ୍ତ୍ର ପରିଧାନ ପୂର୍ଵକ ଓଡ଼ିଶୀ ନୃତ୍ୟ ପରିଵେଷଣ ହୋଇଥାଏ ।

🟠ସମ୍ବଲପୁରୀ ଵସ୍ତ୍ରରେ ଯେଉଁ ଚିତ୍ର ଅଙ୍କିତ ହୁଏ ତାହା ଅଵିକଳ ପୁରୀ ପଟ୍ଟଚିତ୍ର ପରି ହୋଇଥାଏ । 

🟠ସମ୍ବଲପୁରୀ ଵସ୍ତ୍ରକୁ ଓଡ଼ିଶାର ସାଧଵମାନେ ବୋଇତରେ ଦୂର ଦୂରାନ୍ତକୁ ନେଇ ଯାଇ ଲୋକପ୍ରିୟ କରାଇଥିଲେ । ଫଳତଃ ଆଜି ଇଣ୍ଡୋନେସିଆର ଜାଭାରେ ରହୁଥିଵା ହିନ୍ଦୁମାନଙ୍କର ପାରମ୍ପରିକ ଶାଢ଼ୀ ସହିତ ସମ୍ବଲପୁରୀ ଶାଢ଼ୀର ବହୁଧା ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । 

🟠ସେହିପରି ପ୍ରତ୍ନତାତ୍ତ୍ବିକ ଦୃଷ୍ଟିରୁ ଓଡ଼ିଆ ଲିପି ପ୍ରଥମେ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ହୋଇଥିଲା । 

🟠ଖ୍ରୀପୂ ୪ର୍ଥ ଶତାବ୍ଦୀଠୁ ପୁରୁଣା କଳାହାଣ୍ଡିର ଗୁଡ଼ହାଣ୍ଡି ଗୁମ୍ଫାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୦୦୦ (ପ୍ରାୟ) ତ ସମ୍ବଲପୁର ଚର୍ଯ୍ୟାଗୀତି ବୌଦ୍ଧଦୋହାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୩୧୩ ବରଗଡ଼ ନୃସିଂହନାଥ ମନ୍ଦିରର ଓଡ଼ିଆ ଲିପି ଅଛି

🟠ନୂଆପଡ଼ାର ଯୋଗୀମଠ ଆଉ ମାଣିକେଶ୍ଵରୀ ମନ୍ଦିରର ପ୍ରତ୍ନଲେଖରେ ଓଡ଼ିଆ ଲିପି ଵ୍ୟଵହାର ହୋଇଛି

🟠ପଶ୍ଚିମ ଓଡ଼ିଶାର ଚୌହାନ (୧୮୦୦) ରାଜବଂଶଙ୍କ ରାଜାଦେଶ ତଥା ଭୀମଭୋଇ (୧୮୫୦ - ୧୮୯୫)ଙ୍କ ଦର୍ଶନ ଶାସ୍ତ୍ରରେ ଓଡ଼ିଆ ଲିପି ରହିଛି ।

🟠ଜାତି ଦୃଷ୍ଟିରୁ ଦେଖିଲେ ଓଡ଼ିଶାଵାସୀ ଉଡ୍ରମାନେ ଏକ ଜାତୀୟ ଅଟନ୍ତି । ଉଡ୍ରମାନଙ୍କର ପ୍ରାଚୀନ ଵାସସ୍ଥାନ ଅଵିଭକ୍ତ ସମ୍ବଲପୁର ଓ ଅଵିଭକ୍ତ କୋରାପୁଟର କେତେକ ଅଂଶରେ ଥିଲା ।

🟠ପ୍ରାଚୀନ ଉଡ୍ର ରାଜ୍ୟ ବୈତରଣୀ ଅଵଵାହିକାର କେଉଁଝର ଜିଲ୍ଲା , ବ୍ରାହ୍ମଣୀ ଅଵଵାହିକାରେ ଅନୁଗୁଳ ଜିଲ୍ଲା ଏଵଂ ମହାନଦୀ ଅଵଵାହିକାରେ ବଉଦ , ସୋନପୁର ଓ ସମ୍ବଲପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ ହୋଇଥିଲା  । ଏ ସମସ୍ତ ଅଞ୍ଚଳ ଜନଜାତୀୟ ବହୁଳ ଥିଲା । ଵସ୍ତୁତଃ ଏହା ହିଁ ଥିଲା ସେହି ସମୟର ଓଡ୍ର ରାଜ୍ୟର ପରିସୀମା ।

ଭଞ୍ଜ ରାଜବଂଶର ଶାସକମାନେ ତନ୍ତ୍ର ସାଧନାର ପୃଷ୍ଠପୋଷକ ଥିଲେ ଏବଂ ସେମାନେ ଜଗନ୍ନାଥଙ୍କୁ ଈଷ୍ଟ ଦେବତା ରୂପେ ସମ୍ମାନ ଦେଲେ । ଏହା ଫଳରେ ଜଗନ୍ନାଥ ଓଡ୍ରର ରାଷ୍ଟ୍ର ଦେଵତାର ମାନ୍ୟତା ପାଇଲେ ଏଵଂ ତାଙ୍କର ପ୍ରସିଦ୍ଧି ଦୂର ଦୂରାନ୍ତରେ ଵ୍ୟାପିଗଲା । ତନ୍ତ୍ରଶାସ୍ତ୍ରରେ ତାଙ୍କୁ ଓଡ୍ରେଶ ନାମରେ ଅଭିହିତ କରାଗଲା ଏବଂ ଯେଉଁ ଅଞ୍ଚଳରେ ତାଙ୍କର ପୂଜା ପ୍ରଚଳିତ ଥିଲା, ତାହା ଓଡ୍ରପୀଠ ନାମରେ ପ୍ରସିଦ୍ଧି ଲାଭ କଲା । ଭାରତର ଚାରୋଟି ଶ୍ରେଷ୍ଠ ତନ୍ତ୍ର ପୀଠ ମଧ୍ୟରେ ଓଡ୍ରପୀଠ ସର୍ଵପ୍ରଥମ ଥିଲା ବୋଲି ‘କାଳିକା ପୁରାଣ’ରେ ଏହି ପ୍ରକାରେ ଉଲ୍ଲେଖ ଅଛି 

ଓଡ୍ରଖ୍ୟ ପ୍ରଥମଂ ପୀଠ ଦ୍ବିତୀୟଂ ଜାଳଶୈଳକମ୍ । 
ତୃତୀୟଂ ପୂର୍ଵପୀଠ ତୁ କାମରୂପଂ ଚତୁର୍ଥକମ୍ ।
 ଓଡ୍ରପୀଠ ପଶ୍ଚିମେତୁ ତସ୍ମୈ ବୋଡ୍ରେଶ୍ଵରୀ ଶିବାମ୍ । 
  କାତ୍ୟାୟିନୀ ଜଗନ୍ନାଥମ୍  ଓଡ୍ରେଶଂ ଚ ପ୍ରପୂଜୟେତ୍ ॥
 ଏହା ନିଶ୍ଚିତ ଯେ ପ୍ରାଚୀନ ଓଡ୍ରପୀଠ ମହାନଦୀ କୂଳରେ ପଶ୍ଚିମରେ ସମ୍ବଲପୁରଠାରୁ ପୂର୍ଵରେ ସୋନପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । 
ସମ୍ବଲ୍ ଵା ସମଲ୍‌ ଗ୍ରାମର ଅଧ୍ୟାଷ୍ଠାତ୍ରୀ ଦେବୀ ଥିଲେ ସମଲା । ଆଧୁନିକ ସମ୍ବଲପୁର ସହର ପ୍ରଥମତଃ ସମ୍ବଲ ଵା ସମଲ ନାମରେ ଏକ ଛୋଟ ଗ୍ରାମ ଥିଲା ।

 ଷୋଡଶ ଶତକର ଶେଷ ଭାଗରେ ପାଟଣାଗଡର ଚୌହାନ ରାଜା ନରସିଂହ ଦେଵଙ୍କ ଵୈମାତୃକ ଭ୍ରାତା ବଳରାମ ଦେଵ ଏଠାରେ ରାଜଧାନୀ ପ୍ରତିଷ୍ଠା କରି ରାଜଧାନୀର ନାମ ରଖିଲେ ସମ୍ବଲପୁର ବା ସମଲପୁର) ଗ୍ରାମର ଜନଜାତୀୟ ଲୋକମାନେ ଏକ ପ୍ରସ୍ତର ଖଣ୍ଡକୁ ଦେଵୀଙ୍କର ପ୍ରତୀକ ରୂପେ ପୂଜା କରୁଥିଲେ ।
ସମଲା ଵା ସମଲାଇ ଦେଵୀ  ସାଧାରଣ ଗ୍ରାମ ଦେଵୀ ନ ଥିଲେ । ମଙ୍ଗଳା, ଶାରଳା, ବିମଳା, ବିରଜା ପ୍ରଭୃତି ଦେଵୀଙ୍କ ଭଳି ସମଲାଇଙ୍କର ମଧ୍ୟ ପ୍ରସିଦ୍ଧି ଥିଲା । ଏଥିରୁ ଦୁଇଟି ତଥ୍ୟ ଦୃଷ୍ଟିଗୋଚର ହୁଏ । ପ୍ରଥମଟି ହେଲା, ମହାନଦୀ କୂଳରେ ସମ୍ବଲ ପରଵର୍ତ୍ତୀ କାଳର ସମଲ୍ ଵା ଆଧୁନିକ ସମ୍ବଲପୁର ‘ଜ୍ଞାନସିଦ୍ଧି’ ଗ୍ରନ୍ଥାକାର ଇନ୍ଦ୍ରଭୂତିଙ୍କର ସମ୍ବଲ ରାଜ୍ୟ ଥିଲା ଏବଂ ତାହା ହିଁ ଥିଲା ଜଗନ୍ନାଥଙ୍କ ଉପାସନାର ଆଦିପୀଠ । 

ଦ୍ଵିତୀୟ ତଥ୍ୟ ହେଲା, ସମ୍ବଲ ଵା ସମଲରେ ଦେଵୀ ସମଲା ‘କାଳିକା ପୁରାଣର’ ଓଡ୍ରେଶ୍ଵରୀ ଶିଵା କାତ୍ୟାୟନୀ ଥିଲେ ଏଵଂ ସେ ହିଁ ଓଡ୍ରେଶ ଜଗନ୍ନାଥଙ୍କର ଭୈରଵୀ ଥିଲେ । 

ଆଉ ଏକ କଥା ଵିଚାରକୁ ଆସେ ଯେ ଯଯାତି ଜଗନ୍ନାଥଙ୍କର ନଵକଳେଵର ନିର୍ମାଣ କରି ତାଙ୍କର ପ୍ରତିଷ୍ଠା ପାଇଁ ସୋନପୁର ନିକଟରେ ଯେଉଁଠାରେ ମଣ୍ଡପ ନିର୍ମାଣ କଲେ ତାହା କୋଟ ସମଲାଇ ନାମରେ ପ୍ରସିଦ୍ଧ । 

ଅର୍ଥାତ୍ ଭୈରଵୀ ସମଲାଇଙ୍କ ଦୁର୍ଗରେ ଜଗନ୍ନାଥ ଅଵସ୍ଥାପିତ ହୋଇ ରହିଲେ । ସମଲାଇ ହେଲେ ସେହି ଜଗନ୍ନାଥ କ୍ଷେତ୍ରର କ୍ଷେତ୍ରାଧୀଶ୍ଵରୀ ଵା ପୀଠେଶ୍ୱରୀ । ପରଵର୍ତ୍ତୀ କାଳରେ ପୁରୁଷୋତ୍ତମ କ୍ଷେତ୍ରରେ ଯେତେବେଳେ ଜଗନ୍ନାଥଙ୍କ ମଣ୍ଡପ ନିର୍ମିତ ହେଲା, ସେହି କ୍ଷେତ୍ରର ପୀଠେଶ୍ଵରୀ ଵା କ୍ଷେତ୍ରାଧୀଶ୍ବରୀ ହେଲେ ଜଗନ୍ନାଥଙ୍କ ଭୈରଵୀ ବିମଳା । ଅଦ୍ୟାପି ବିମଳା ପୁରୀ ଜଗନ୍ନାଥଙ୍କ କ୍ଷେତ୍ରର ପୀଠେଶ୍ଵରୀ ହୋଇ ରହିଛନ୍ତି । ଏବେ ସୋନପୁର ନିକଟସ୍ଥ ପ୍ରାଚୀନ ଜଗନ୍ନାଥ କ୍ଷେତ୍ର କୋଟ ସମଲାଇ ନାମରେ ଅଭିହିତ ହୋଇ ରହିଛି । 

କିମ୍ବଦନ୍ତୀ ଅଛି ଯେ ଅନେକ ତାନ୍ତ୍ରିକା ଦେଵୀ ଦୂର ଦୂରାନ୍ତରୁ ପ୍ରତି ରାତ୍ରରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ଏହି ଦେଵୀମାନେ ହେଲେ କାକଟପୁର ମଙ୍ଗଳା, ଚିଲିକାର କାଳୀଜାଈ, ଝଙ୍କଡ଼ ଶାରଳା, କଟକଚଣ୍ଡୀ, ବରୁଣେଇ, ଚର୍ଚ୍ଚିକା, ହିଙ୍ଗୁଳା, ଭଗଵତୀ, ରଣପୁରର ମଣିନାଗ ପ୍ରଭୃତି । 

ଏହି ଦେଵୀମାନଙ୍କ ମଧ୍ୟରେ ସମ୍ବଲପୁରର ସମଲାଇଙ୍କୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । କାରଣ ସେ ଥିଲେ ଶ୍ରୀଜଗନ୍ନାଥଙ୍କ ଆଦ୍ୟା ଭୈରଵୀ। ଅଦ୍ୟାପି ମଧ୍ୟ ସେ ଶ୍ରୀକ୍ଷେତ୍ରରେ ବିମଳା ନାମରେ ଜଗନ୍ନାଥଙ୍କ ଭୈରଵୀ ରୂପେ ଅଧିଷ୍ଠିତ ହୋଇ ରହିଛନ୍ତି । ସମଲା ଓ ବିମଳା ଏକ ଓ ଅଭିନ୍ନ, ବିମଳା ସମଲାଇଙ୍କର ନାମାନ୍ତର ଓ ରୂପାନ୍ତର ଅଟନ୍ତି ।

ଆମମାନଙ୍କ ମଧ୍ୟରେ ସଂହତି ଯାହା କାଳ କାଳ ଧରି ରହିଆସିଛି ତାହାକୁ ଅନ୍ଧ ଭଳି କଣ ଵିରୋଧ କରିଵାକୁ ଯାଇ ଅନ୍ୟର ପରିଚୟ ଚୋରୀ କରି ନିଜକୁ ପରିଚିତ କରାଇଵା ତଥା ନିଜର ପ୍ରକୃତ ଜାତି,ଭାଷା ଓ ଲିପିକୁ ଘୃଣା କରିଵା ଉଚିତ କି ? 

ଇତିହାସକୁ ନ ପଢ଼ି ନ ଜାଣି ଵା ଜାଣି ମଧ୍ୟ ଘୃଣା ଦ୍ଵେଷ ଯୋଗୁଁ ଆଖି ବୁଜି ନିଜ ମୂଳ ପରିଚୟକୁ  ଜାଳିଦେଲେ, ଜଳିଯିଵ ପୂର୍ଵଜଙ୍କ କୀର୍ତ୍ତି  , କଳା ହେଵ ପୂର୍ଵପୁରୁଷଙ୍କ ମୁହଁ ।

🔴🔴🔴🔴🔴🔴🔴🔴
ତଥ୍ୟ— 
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
ଡାକ୍ତର ନିଷ୍ଠା ରଞ୍ଜନ ଦାଶ 
ଡକ୍ଟର ଜନ୍ମେଜୟ ଚୌଧୁରୀ

ସମ୍ପାଦନା ଓ ଚିତ୍ର—
ଶିଶିର ସାହୁ ମନୋଜ 
🔴🔴🔴🔴🔴🔴🔴🔴

Monday, May 2, 2022

#ସ୍ୱାଭିମାନୀ_ପାଇଁ_ଅଭିମାନୀ_କିଏ ?

#ସ୍ୱାଭିମାନୀ_ପାଇଁ_ଅଭିମାନୀ_କିଏ ?
ଲେଖକ— ©ବିଷ୍ଣୁମୋହନ ଅଧିକାରୀ (ଗଜପତି)

କଥା ରେ ଅଛି ,
“ଜୀବନେ ନ ଦେଲୁ ତୁଣ୍ଡେ
ମଲେ ଦେବୁ ଗାଁ ମୁଣ୍ଡେ।”

ଓଡ଼ିଶା ରେ ଆଜି ଉତ୍କଳ ଗୌରବ, କୂଳବୃଦ୍ଧ, ଶତାବ୍ଦୀ ସୂର୍ଯ୍ୟ ବୋଲି ମଧୁବାବୁ ଙ୍କୁ ସମସ୍ତେ ଜାଣନ୍ତି।

ସେଥିଲେ ସବୁଥିରେ ପ୍ରଥମ ଓଡ଼ିଆ- ଓଡ଼ିଶାର ପ୍ରଥମ ଗ୍ରଜୁଏଟ୍, ପୋଷ୍ଟଗ୍ରାଜୁଏଟ, Advocate, ମନ୍ତ୍ରୀ, ଶିଳ୍ପପତି, ଏବଂ ଓଡ଼ିଶା ର ପ୍ରଥମ ବିଦେଶ ଯାତ୍ରୀ। ଇତ୍ୟାଦି ଇତ୍ୟାଦି।
ହେଲେ ଏତେ ସବୁ ହେଇ ବି କେଉଁ ତତ୍କାଳୀନ ଓଡ଼ିଶା ବୋଲାଉଥିବା ଅଞ୍ଚଳର ଲୋକେ ମଧୁବାବୁଙ୍କ ଦୁର୍ଦ୍ଦିନରେ ତାଙ୍କ ପିଠିରେ ପଡିନଥିଲେ।
ଆଜ୍ଞା ହଁ ସତ୍ୟ କଟୁ ହେଇପାରେ , କିନ୍ତୁ ଏ ସବୁ ଲୋକ ଲୋଚନ କୁ ଆଣିବାକୁ ପଡିବ ଚିନ୍ତାକଲି।
ଆଜି ଯେଉଁ ବଡ଼ବଡ଼ିଆ ଓଡ଼ିଆ ଅମୁକ ଦିନ ସମୁକ ଦିବସ ରେ ଫୁଲମାଳ ପାଉଛନ୍ତି। ସେଇମାନେ ଦିନେ
ଏ ଜାତି ର ସର୍ବଶ୍ରେଷ୍ଠ ପୁରୁଷଙ୍କ ଚରିତ୍ର ସଂହାର କରିଥିଲେ।
ନିମ୍ନ ଚିତ୍ର ରେ ଦେଖନ୍ତୁ ମଧୁବାବୁ ଙ୍କୁ ତତ୍କାଳୀନ ବଡ଼ବଡ଼ିଆ ବସିବାକୁ ସିଟ ଖଣ୍ଡେ ଦେଉନଥିଲେ।
ଏପରିକି ମଧୁବାବୁ ଯେବେ କଲିକତା ରେ ପାଠ ପଢି,ଖିରସ୍ତାନୀ ଯୁବତୀଙ୍କୁ ବିବାହ କରିଥିଲେ, ସେତେବେଳେ ଓଡ଼ିଶାର ଉତ୍କଳ ଦୀପିକା ପତ୍ରିକା ମଧୁବାବୁ ଙ୍କ ଚରିତ୍ର କୁ ଆକ୍ଷେପ କରି ଲେଖିଲା । କିନ୍ତୁ ସେମାନେ ଭାବି ନଥିଲେ ଯେ ଜଣେ ସାଧାରଣ ଓଡ଼ିଆ କୁ ଉଚ୍ଚ ସ୍ତର କୁ ଯିବାକୁ କି କି କଷଣ କୁ ସହିବାକୁ ହେଉଥିଲା।
ଛାଡ଼ନ୍ତୁ,
ଏମିତି କି ଥରେ କିଛି ନିନ୍ଦୁକ ମଧୁବାବୁ ବଞ୍ଚିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଗଲା ବୋଲି ମିଛ ଖବର ପ୍ରଚାରିତ କରିଥିଲେ।ଆଉଥରେ ଓଡିଶା ଉପକୂଳ ଅଞ୍ଚଳର କିଛି ଯୁବନେତା ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ ପ୍ରମୁଖ ମଧୁବାବୁଙ୍କ ଫଟୋକୁ କୋକେଇରେ ଶୁଆଇ ପୋଡିବାକୁ ମଶାଣିକୁ‌ ନେଇଥିଲେ।

୧୯୨୭ ମାର୍ଚ୍ଚ ୨୧ ତାରିଖରେ ମଧୁବାବୁ ନିଜର ଦେବାଳିଆ ଆବେଦନ ଦାଖଲ କରିଥିଲେ।
ଆଉ ସେତେବେଳେ ର ତୁଙ୍ଗ ନେତାମାନେ କଣ ବଞ୍ଚି ନଥିଲେ ? ଥରେ ଭାବନ୍ତୁ, ଅଶୀବର୍ଷର କୁଳବୃଦ୍ଧ ମଧୁସୂଦନ ଙ୍କୁ ଆସନ ଟିଏ ଯାଚି ନଥିବା ଲୋକ ସତରେ କଣ ସ୍ୱାଭିମାନୀ? ନା ଏକା ମଧୁବାବୁ
ମଧୁବାବୁଙ୍କ ମୃତ୍ୟୁ ପରେ ଓଡ଼ିଆମାନେ ତାଙ୍କୁ ‌ସତେ ଯେମିତି ମହାନ୍ କରିଦେଲେ ?
ନୁହେଁ କି ?
ଯାହା ଗଲା ଗଲା । କିନ୍ତୁ ମଧୁବାବୁ ଏ ବିପଦ ରୁ କିପରି ବର୍ତିଲେ ଜାଣିବା ଚାଲନ୍ତୁ –
ସେତେବେଳେ ପାରଳାଖେମୁଣ୍ଡି ଥିଲା ଥିଲା ଉତ୍କଳ ର ପୁଣ୍ୟ ପୀଠ। ଯାହାକୁ ବ୍ୟାସକବି ଦଣ୍ଡବତ କରି କହିଲେ-
” ଓଡିଶା ଦକ୍ଷିଣ ସୀମା ପାରଳାଖେମଡ଼ି
ଧନ-ମାନେ କିଏ ଅଛି ତାଙ୍କୁ ବେଢ଼ି ?”
ଏହି ପୀଠ ରେ ଚର୍ଚ୍ଚା ପଡ଼ିଲା ,ମଧୁ ବାବୁ ଙ୍କର ଏ କି ଅବସ୍ଥା ?
ସେ ଦିନ ପାରଳା ମହାରାଜା ଙ୍କ ଦେବାନ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ( ବିଜୁ ବାବୁଙ୍କ ବାପା,ନବୀନବାବୁ ଙ୍କ ଜେଜେବାପା) ଡେଲାଙ୍ଗ ରୁ ଆସି ଗଜପତି ନଅର ରେ ଏ କଥା ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ଙ୍କୁ କହିଲେ –
ମିଷ୍ଟର ଦାସଙ୍କ ଟେନେରୀ କଲିକତା ରେ ନିଲାମ ହେବ। ଟଙ୍କା ଆଣି ବେଙ୍କ ରୁ ସେ ଆଉ ସୁଝି ପାରି ନାହାନ୍ତି। ସେତେବେଳେ ପାରଳା ରାଜବାଟୀ ଥିଲା ଉତ୍କଳ ପ୍ରଦେଶ ଗଠନ ର ଏକ ପ୍ରମୁଖ ପେଣ୍ଠ। ସବୁଦିନ ଦରବାର କୁ ତୁଙ୍ଗ ନେତାମାନେ ଆସି ପ୍ରଦେଶ ଗଠନ ଚର୍ଚ୍ଚା କରୁଥାଆନ୍ତି, ଏବଂ ଦରବାର ବସିଲା ବେଳେ ମହାରାଜା ଙ୍କୁ ଭଲ ମନ୍ଦ ସମାଚାର ଜଣାନ୍ତି।
ସେହି ବୈଠକ ରେ ଯୋଗ ଦେବାକୁ ଯୁଗୋଳ କିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ ଏବଂ ସତ୍ୟନାରାୟଣ ରାଜଗୁରୁ ଆସନ୍ତି। ପ୍ରଥମେ ପତ୍ରପତ୍ରିକା ର କଥା ଆଲୋଚନା ହୁଏ। ପରେ ମହାରାଜା ବିଜେ ହେଲେ ଭଲ ମନ୍ଦ କୁହାହୁଏ।

ମହାରାଜା ବସିଥାନ୍ତି
ଏହି ସମୟ ରେ ରାଜଗୁରୁ ପାଣିଗ୍ରାହୀ ଙ୍କୁ କହିଲେ ମାଷ୍ଟ୍ରେ ପଟନାୟକେ କହୁଥିଲେ ମିଷ୍ଟର ଦାସ ଙ୍କ ଟେନେରୀ ନିଲାମ ହେବ। ଋଣ ମୁକ୍ତ ହେବା ପାଇଁ କେହି ଆଗ୍ରହ ଦେଖାଉ ନାହାନ୍ତି। ଏହା ମହାରାଜା କାନ ରେ ପଡିବା କ୍ଷଣି ସେ ପଢ଼ୁଥିବା ଖବର କାଗଜ ଟେବୁଲ ଉପରେ ରଖି ପଚାରିଲେ ମିଷ୍ଟର ଦାସ ଙ୍କ ଟେନେରୀ କାହିଁକି କିପରି ନିଲାମ ହେଉଛି? ଏବଂ ସବିଶେଷ ଜାଣିବାକୁ ପାଇଲେ।
ମହାରାଜା କହିଲେ-
” ତାଙ୍କ ଋଣ ପରିଶୋଧ ପାଇଁ ଆମେ ଟଙ୍କା ଦେଇଦେଲେ ହେବ।” ରାଜଗୁରୁ କହିଲେ – ମହାରାଜା ମୁଁ ଶୁଣିଛି ସେ ଭାରି ସ୍ୱାଭିମାନୀ, ମହାରାଜାଙ୍କ ଦାନ ସେ ଗ୍ରହଣ କରିବେ କି ନାହିଁ ? କହି ହେବନି।
ମହାରାଜା ଦୀର୍ଘ ନିଶ୍ଵାସ ତ୍ୟାଗକଲେ , କିଛି ଗୋଟାଏ ଚିନ୍ତା କରି ବୈଠକ ରୁ ମେଲାଣି ନେଲେ। ପର ଦିନ ମହାରାଜା ଦେବାନ ଙ୍କୁ ଡାକି କହିଲେ
ମିଷ୍ଟର ଦାସଙ୍କୁ ଟେଲିଗ୍ରାମ କରିଦେବ। କହିବ -ପାରଳା ମହାରାଜା ଙ୍କ ଗୋଟିଏ କେସ ପାଟନା ହାଇକୋର୍ଟରେ କରିବାକୁ ହେବ, ଟେଲିଗ୍ରାମ ପାଇ ମହାରାଜାଙ୍କ ସଙ୍ଗେ କଥାବାର୍ତ୍ତା କରିବେ।
ମହାରାଜା ଙ୍କ ଗୁଣ ଗାରିମା ଆଗରୁ ମଧୁବାବୁ ଙ୍କୁ ଦଶମ ଅଧିବେଶନ ଠାରୁ ଅବଗତ ଥାଏ। ଏଣୁ ଟେଲିଗ୍ରାମ ପାଉ ପାଉ ମଧୁବାବୁ ଆସି ପହଁଚିଲେ ପାରଳା ରେ।
ଏତିକି ଭିତରେ ପେଲେସ ର କର୍ମଚାରୀ ଜଣେ ରାଜଗୁରୁ ଙ୍କ ନିକଟରେ ପହଁଚିଲା – କହିଲା ମହାରାଜା ଶୀଘ୍ର ପହଁଚିବାକୁ କହିଛନ୍ତି ନଅର କୁ। ରାଜଗୁରୁ ଯାଆଁନ୍ତେ, ମହାରାଜା କହିଲେ , ” ବାବୁ , ମିଷ୍ଟର ଦାସ ଆସିଛନ୍ତି, କଥାବାର୍ତ୍ତା କଲି। ସେ ଚାହୁଁଛନ୍ତି ଆମ ଗଙ୍ଗ ବଂଶ ର ଇତିହାସ । ଏହା ସଂପୂର୍ଣ୍ଣ କେଉଁଠି ମିଳିବ? ରାଜଗୁରୁ କହିଲେ ମହାରାଜା ବିଶେଷ ଭାବେ ଗଙ୍ଗ ଇତିହାସ ଲେଖା ହୋଇନାହିଁ ।(ସେତେବେଳେ history of gang ଲେଖା ହେଇନଥାଏ) କିନ୍ତୁ ଅନେକ ତଥ୍ୟ ଏନସାଇକ୍ଲୋପିଡ଼ିଆ ମାଡ୍ରାସ ଆଉ ଗଞ୍ଜାମ ମାନୁଆଲ ରେ ଲେଖା ଅଛି।
ଏବଂ ଏହା ପେଲେସ ଲାଇବ୍ରେରୀ ରେ ଉପଲବ୍ଧ। ମହାରାଜା କହିଲେ ସେ ଦୁଇ ଖଣ୍ଡ ବହି ଆଣି ଟେଲର ବଙ୍ଗଳା ଯାଇ ମିଷ୍ଟର ଦାସଙ୍କୁ ଦେଖାଅ।
ରାଜଗୁରୁ ଏହି ବହି ଦୁଇଖଣ୍ଡ ନେଇ ମଧୁବାବୁ ଙ୍କୁ ଦେଖାଇଲେ। ମଧୁବାବୁ କହିଲେ ଏହି ବହି ଦୁଇଟି ରଖିଲି। କିନ୍ତୁ ରାଜଗୁରୁ କହିଥିଲେ ମୋତେ ମହାର୍ଜା ଦେଖାଇବାକୁ କହିଛନ୍ତି ,ଦେବାର ଅନୁମତି ନାହିଁ। ପଚାରିକି ଦେବି। ଏହା ମହାରାଜା ଙ୍କୁ ରାଜଗୁରୁ ଜଣାଇଲେ,ସେ କହିଲେ ତାଙ୍କୁ ଯେଉଁ ଅଂଶ ଦରକାର ଆମ ଟାଇପିଷ୍ଟ କୁ କୁହାଇ ଟାଇପ କରି ଛତ୍ରପୁର ମାଜିଷ୍ଟ୍ରେଟଙ୍କ ସିଲ ଦେଇ ଦେବା। ସେତେବେଳେ ମହାରାଜା ଙ୍କ ଅନେକ ତାମିଲ ତଳିଆ କର୍ମଚାରୀ ଥାଆନ୍ତି। ସେଥିରୁ ଜଣେ ମିଣ୍ଟ କୁ ୭୦ ୱାର୍ଡ ଟାଇପ କରେ,ସେ ଦୁଇଟି ପୁସ୍ତକ ଦୁଇ ଦିନ ରେ ଟାଇପ କରିଦେଲା।

ହେଲେ ଏ ବିଷୟ କଣ ? କାହିଁକି ଏ ଇତିହାସ ର ଆବଶ୍ୟକତା? ମହାରାଜା କି କେସ କରିବାକୁ ଚାହୁଁଥିଲେ ?

ମହାରାଜା ପାଟନା ହାଇକୋର୍ଟରେ ପାରଳା ଜମିଦାରୀ କୁ ଗୋଟିଏ ଶାସନାଧୀନ ଅଞ୍ଚଳରେ ରଖିବା ପାଇଁ ଅପିଲ କଲେ। ଯାହା କି ଏକ ଅସମ୍ଭବ ବ୍ୟାପାର ଥିଲା।
କାରଣ ମହାରାଜା ଙ୍କ ଅଧା ଇଷ୍ଟେଟ ଗଞ୍ଜାମ(ମାଡ୍ରାସ ରେ ଥିଲା ବେଳେ) ଅଧା ଡେଲାଙ୍ଗ, ପୁରୀ(ବିହାର ପ୍ରେସିଡେନ୍ସି ରେ ଥିଲା)
ଏହି କେସ କଥା କହି ମଧୁବାବୁଙ୍କୁ କେସ ଖର୍ଚ୍ଚ ବାବଦରେ ଆଡ଼ଭାନ୍ସ ୧୦୦୦୦ ଟଙ୍କାର ଚେକ୍ ଟିଏ ବଢ଼ାଇଦେଲେ।ଆଉ କହିଲେ “ଆଉ ଯାହା ଖର୍ଚ୍ଚ ହେବ ପରେଦେବି।”
ହେଲେ ଏହି କେସ କେବଳ ନାମକୁ ମାତ୍ର ମହାରାଜା ଭିଆଣ କଲେ।ଏ କଥା ମହାରାଜା ସ୍ୱୟଂ ଜାଣିଥିଲେ।
ଏଥିରେ ମହାରାଜାଙ୍କ ମୁଖ୍ୟ ଉଦେଶ୍ୟ ଥିଲା ମଧୁବାବୁଙ୍କ ଟେନେରୀ ନିଲାମରୁ ମୁକ୍ତକରିବା।

ମଧୁବାବୁ ମହାରାଜାଙ୍କ ଠାରୁ ପାରିଶ୍ରମିକ ପାଇ ଟେନେରୀ ନିଲାମ ଟଙ୍କା ୪ ହଜାରରେ ସୁଝି ଋଣମୁକ୍ତ ହେଲେ। ବଳକା ଅର୍ଥରେ ତାଙ୍କ କଟକଚଣ୍ଡିରୁ ବକ୍ସି ବଜାର ଯିବା ରାସ୍ତା ରେ ଥିବା ଗୃହ ର ମରାମତି କରାଇଲେ। ଯାହା ବର୍ତ୍ତମାନ ଶୈଳବାଳା ମହିଳା କଲେଜ ନାମରେ ପରିଚିତ।

ଏ ଅବକାଶରେ ମଧୁବାବୁ ଙ୍କ ଏକ କବିତା ମନେ ପଡ଼େ-
ମା’ ,ମା’, ବୋଲି କେତେ ମୁଁ ଖୋଜିଲି
ମା’ କୁ ପାଇଲି ନାହିଁ।
ଭାଇ, ଭାଇ ବୋଲି କେତେ ମୁଁ ଡାକିଲି,
ନଦେଲେ ଉତ୍ତର କେହି।

••••••••••••••••••••••••••
ଆଲେଖ୍ୟ : ବିଷ୍ଣୁମୋହନ ଅଧିକାରୀ
ତଥ୍ୟ : ଡ଼ଃ ଅନନ୍ତ ରାମ କର, ଶ୍ରୀଯୁକ୍ତ ସୀତାକାନ୍ତ ରାଜଗୁରୁ
•••••••••••••••••••••••••

Wednesday, March 30, 2022

● ଛନ୍ଦ ଓ ଛାନ୍ଦ ●

•ଛନ୍ଦ ଓ ଛାନ୍ଦ•

 ଓଡ଼ିଆରେ ଛାନ୍ଦ ଶବ୍ଦ ସାଧାରଣତଃ ଦୁଇଟି ଅର୍ଥରେ ଵ୍ୟଵହୃତ ହୋଇ ଆସୁଅଛି । ପ୍ରଥମତଃ ଏହା ସାମଗ୍ରିକ ଭାବେ କାଵ୍ୟ ରଚନାକୁ ବୁଝାଇଥାଏ । 
 
ଓଡ଼ିଶାର ପ୍ରାଚୀନ କଵି ସେମାନଙ୍କ କାଵ୍ୟକୃତିକୁ ଛାନ୍ଦ ନାମରେ ହିଁ ନାମିତ କରିଅଛନ୍ତି । ଦୃଷ୍ଟାନ୍ତ ସ୍ପରୂପ ଦୀନକୃଷ୍ଣ ଦାସଙ୍କ ଜଗମୋହନ ଛାନ୍ଦ, ଉପେନ୍ଦ୍ର ଭଞ୍ଜଙ୍କ ‘ଛାନ୍ଦଭୂଷଣ’, କେଶଵ ପଟ୍ଟନାୟକଙ୍କ ‘ଛାନ୍ଦ ଭାରତ’, ଲକ୍ଷ୍ମଣ ମହାନ୍ତି (ଆନୁମାନିକ ୧୬ଶ ଶତାବ୍ଦୀର ମଧ୍ୟ ଭାଗ)ଙ୍କ' ଉର୍ମିଳା ଛାନ୍ଦ’, ଵୈଦ୍ୟ ପର୍ଶୁରାମଙ୍କ ‘ଭରତ ରସାର୍ଣ୍ଣଵ ଛାନ୍ଦ' ପ୍ରଭୃତି କାଵ୍ୟର ନାମ ଉଲ୍ଲେଖଯୋଗ୍ୟ ।

 ଅତୀତରେ କାଵ୍ୟର ଅନ୍ୟ ନାମ ଥିଲା ଛାନ୍ଦଗୀତ । ଉପେନ୍ଦ୍ର ଭଞ୍ଜ ସେଥିପାଇଁ ଲେଖିଛନ୍ତି 
 
‘‘ବିଚାରଇ କରିବି ଉତ୍ତମ ଛାନ୍ଦ ଗୀତ
ରସସାର ଶୃଙ୍ଗାର ଯହିଁରେ ହେବ ଵ୍ୟକ୍ତ ।”

 ପୁନଶ୍ଚ ଛାନ୍ଦ ଶବ୍ଦ କାଵ୍ୟର ସର୍ଗ ଵା ଅଧ୍ୟାୟକୁ ମଧ୍ୟ ବୁଝାଉଥିଲା । ବହୁ କଵିଙ୍କ କାଵ୍ୟର ଭଣିତାରୁ ଏହା ଜଣାଯାଇଥାଏ ।
 
 ଯଥା,—‘ଇଚ୍ଛାଵତୀ’ କାଵ୍ୟର ପଞ୍ଚମ ଛାନ୍ଦର ଭଣିତାରେ କଵି ଵିଷ୍ଣୁ ଦାସ ଲେଖିଛନ୍ତି—
 
"ନୃପତି ଆନନ୍ଦ ଛାନ୍ଦ ପଞ୍ଚମ ଏହୁ, 
ବିଚାରିଣ ବୁଝ ମନେ ରସିକ ଯେହୁ ।”
 (ଇଚ୍ଛାଵତୀ ୫/୧୮)
 
 ଦେଵ ଦୁର୍ଲଭ ଦାସ ତାହାଙ୍କ ରହସ୍ୟ ମଞ୍ଜରୀ କାବ୍ୟର ୬ଷ୍ଠ ଛାନ୍ଦ ଭଣିତାରେ ଲେଖିଛନ୍ତି —
 
 ‘‘ଇତି ଶ୍ରୀ ରହସ୍ୟ ମଞ୍ଜରୀ ଷଷ୍ଠ ଛାନ୍ଦେ ଗୋପିକା ପ୍ରେମ ଲକ୍ଷଣ ଉକ୍ତି ଵନ୍ଦେ
 ସପ୍ତମ ଛାନ୍ଦ ଵର୍ଣ୍ଣନେ କେବଣ କେବଣ ସୁଖ 
 କହିଵାକୁ ଆଜ୍ଞା ହେଉ ବିମ୍ବାଧର ମୁଖ ।”
 
 ସମ୍ପ୍ରତି ଛାଦ ଶବ୍ଦ ଅନ୍ୟ ଏକ ଅର୍ଥଦ୍ୟୋତକ ହୋଇଥିଵା ଲକ୍ଷ୍ୟଣୀୟ ।
 
 ଏହି ଶବ୍ଦକୁ ଏବେ ଓଡ଼ିଶୀ ଗୀତଠାରୁ ପୃଥକ୍ ଏକ ଗାନ ରୀତି ଅର୍ଥରେ ଵ୍ୟଵହାର କରଯାଉଅଛି । 
 
ଓଡ଼ିଆ କାଵ୍ୟରେ ଵ୍ୟଵହୃତ ବୃତ୍ତମାନଙ୍କର ଗାନ ରୀତିର ସ୍ଵାତନ୍ତ୍ର୍ୟ ଦୃଷ୍ଟିରୁ ଏବେ ଏପରି ହୋଇଥିଵା ସ୍ୱାଭାଵିକ । ଓଡ଼ିଆ ଛାନ୍ଦ ଗୀତର ଵୈଶିଷ୍ଟ୍ୟ ହେଉଛି ଏଥିରେ ଧ୍ରୁଵ ଵା ଘୋଷା ପଦ ପରିଲକ୍ଷିତ ହୁଏ ନାହିଁ ।

 ସଙ୍ଗୀତ ପରିଭଷାରେ ଏହା ‘ଅଧି ଵା ପାଞ୍ଚାଳୀ ପର୍ଯ୍ୟାୟଭୁକ୍ତ । ମାତ୍ର ଚୌପଦୀ ଵା ସଙ୍ଗୀତରେ ସାଧାରଣତଃ ସ୍ଥାୟୀ ଵା ଘୋଷାପଦର ଵ୍ୟଵହାର ହୋଇଥାଏ । 
 
ଏଣୁ କାଵ୍ୟରେ ଵ୍ୟଵହୃତ ଛନ୍ଦ ଵା ରାଗକୁ ବୃତ୍ତ ନାମରେ ଅଭିହିତ କରିଵା ହିଁ ଯଥାର୍ଥ ।

 ଦୀର୍ଘାୟତନ ଵିଶିଷ୍ଟ ଓଡ଼ିଆ ପୁରାଣସମୂହ ସାଧାରଣତଃ ଗୋଟିଏ ଗୋଟିଏ ବୃତ୍ତରେ ରଚିତ । ଏକ ବୃତ୍ତାନୁସାରୀ କ୍ଷୁଦ୍ର ପଦ୍ୟ ରଚନା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ‘ବୋଲି’ ନାମରେ ହିଁ ଅଭିହିତ ହେଉଥିଲା ।
 
 ଓଡ଼ିଆରେ ପୁଗଣ ରଚନା ହେଵା ପରେ ସଂସ୍କୃତ କାଵ୍ୟ ଅନୁସରଣରେ କାଵ୍ୟ ସମୂହ ରଚିତ ହୋଇଥିଲା । ଏହି ଅଵକାଶରେ କାଵ୍ୟର ଵିଭିନ୍ନ ସର୍ଗରେ ଵିଭିନ୍ନ ଛାନ୍ଦ ବୃତ୍ତ ଵ୍ୟଵହାର କରିଵାର ରୀତି ପ୍ରଵର୍ତ୍ତିତ ହୋଇଥିଲା । 
 
କାଵ୍ୟକୁ ଗାନ ଦୃଷ୍ଟିରୁ ଅଧିକ ଆକର୍ଷଣୀୟ କରିଵା ଲାଗି ଏପରି ହୋଇଥିଵା ସୁନିଶ୍ଚିତ । ଏହାହିଁ ହେଉଛି ଓଡ଼ିଆ କାଵ୍ୟର ଅନ୍ୟତମ ଵୈଶିଷ୍ଟ୍ୟ ।

ଓଡ଼ିଆ ପୁରାଣ କ୍ଷେତ୍ରରେ ସର୍ଵାଦୌ ଯେଉଁ ବୃତ୍ତର ଵ୍ୟଵହାର ହୋଇଥିଲା ତାହା ହେଉଛି ଵିଷମ ଅକ୍ଷର ଵିଶିଷ୍ଟ ଦାଣ୍ଡି ବୃତ୍ତ । ମାତ୍ର ଓଡ଼ିଆ କାଵ୍ୟରେ ଏହି ବୃତ୍ତର ଵ୍ଯଵହାର ପରିଲକ୍ଷିତ ହୁଏ ନାହିଁ । 

ଅନୁମିତ ହୁଏ, ନଵାକ୍ଷରୀ ଭାଗବତ ବୃତ୍ତ ହିଁ ଓଡ଼ିଆ କାବ୍ୟ ସାହିତ୍ୟରେ ଵିନିଯୁକ୍ତ ପ୍ରଥମ ଛାନ୍ଦବୃତ୍ତ । ପରଵର୍ତ୍ତୀ କାଳରେ ଏହା ଭାଗଵତ ବାଣୀ ଭାବରେ କାଵ୍ୟରେ ଉଲ୍ଲିଖିତ ହୋଇଅଛି । 

ଏତଦ୍ ବ୍ୟତୀତ ସମକାଳରେ ଓଡ଼ିଆ କାଵ୍ୟରେ ଯେଉଁ ଛାନ୍ଦ ବୃତ୍ତ ଅଧିକ ସମାଦର ଲାଭ କରିଥିଲା ତାହା ହେଉଛି ଚତୁର୍ଦ୍ଦଶାକ୍ଷରୀ ଛନ୍ଦ ।

ଯତିପାତର ଵିଭିନ୍ନତା ଦୃଷ୍ଟିରୁ ଏହାର ଵିଭିନ୍ନ ନାମ ଦେଖିଵାକୁ ମିଳେ । ସେଗୁଡ଼ିକ ହେଉଛି କଳସାଵାଣୀ, ମଙ୍ଗଳ, ଆଶାଵରୀ, ବସନ୍ତ ଭୈରଵୀ, କରୁଣାଶ୍ରୀ, ମାଳଵ, ଜୟନ୍ତ, କଳାକାଇଁଚ ଵାଣୀ ଇତ୍ୟାଦି । ବହୁ କଵି କାଵ୍ୟ ଆରମ୍ଭରେ ଏହି ଛାନ୍ଦ ଵ୍ୟଵହାର କରିଥିଵା ଜଣାଯାଏ ।

© ଓଡ଼ିଆ ଛନ୍ଦର ବିକାଶଧାରା
(ଜାନକୀ ବଲ୍ଲଭ ମହାନ୍ତି)

Sunday, February 20, 2022

■ ଶବ୍ଦର ଇତିହାସ ■

-:ଶବ୍ଦର ଇତିହାସ:- 

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭମାନଙ୍କୁ କେବଳ ଶବ୍ଦର ବିକୃତି ପ୍ରତି ଲକ୍ଷ୍ୟ ନ ରଖି ଶବ୍ଦର ଇତିହାସ ପ୍ରତି ଲକ୍ଷ୍ୟ ରଖିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଉତ୍ପତ୍ତିସ୍ଥାନ ଅଛି, ପ୍ରତ୍ୟେକ ଶବ୍ଦ ଉତ୍ପନ୍ନ ହୋଇ ବିକୃତ ବା ଅବିକୃତଭାବରେ କୌଣସି ଭାଷାରେ ପ୍ରଚଳିତ ହୋଇଅଛି ଓ ଏହି ବିକୃତିର ସ୍ତର ମଧ୍ୟ ଅଛି । କେବଳ ସଂସ୍କୃତ 'ଆମ୍ର' ଶବ୍ଦରୁ ଓଡ଼ିଆ 'ଆମ୍ବ' ଶବ୍ଦ ଉତ୍ପନ୍ନ ହୋଇଅଛି ଏହା କହିବା ଯଥେଷ୍ଟ ନୁହେ, କାରଣ ବାସ୍ତବରେ ଓଡ଼ିଆ 'ଆମ୍ବ' ଶବ୍ଦ ସଂସ୍କୃତ ଆମ୍ର ଶବ୍ଦର ବିକୃତି ନୁହେ । ଏହା ପାଲି 'ଅମ୍ବ' ଶବ୍ଦର ବିକୃତ ବ୍ୟବହାର ଅର୍ଥାତ୍ ସଂସ୍କୃତ 'ଆମ୍ର' ଶବ୍ଦ ପାଲିରେ 'ଅମ୍ବ' ଶବ୍ଦରେ ପରିଣତ ହୋଇଥିଲା ଓ ଏହି 'ଅମ୍ବ' ଶବ୍ଦ ପୁନର୍ବାର ବିକୃତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ସଂସ୍କୃତ ଆମ୍ର ଯଦି ବାସ୍ତବରେ ମୂଳତଃ ଆର୍ଯ୍ୟଭାଷାର ଅନ୍ତର୍ଗତ ହୋଇଥାନ୍ତା, ତେବେ ତାହାର ନିଦର୍ଶନ ଆମ୍ଭେମାନେ ଅନ୍ୟ ଆର୍ଯ୍ୟଭାଷାରେ ପାଇଥାନ୍ତୁ । କିନ୍ତୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଏହି ଶବ୍ଦର ଅନୁରୂପ ଶବ୍ଦ ଅନୁରୂପ ଅର୍ଥରେ ବ୍ୟବହୃତ ହେଉ ନ ଥିବାରୁ ଏହାର ମୂଳ ରୂପ ବାସ୍ତବରେ ଅଜ୍ଞାତ ବୋଲି ଅନୁମାନ କରାଯାଏ ଓ ଏହା ସଂସ୍କୃତରେ ପ୍ରଥମ ପ୍ରଚଳିତ କିମ୍ବା ଅନ୍ୟ ଭାଷାରୁ ସଂସ୍କୃତରେ ଗୃହୀତ ବୋଲି ମନେ କରିବାକୁ ହେବ । ବାସ୍ତବରେ ସଂସ୍କୃତ ଭାଷାରେ ବ୍ୟବହୃତ ହେବା ପୂର୍ବରୁ ଏହି ଶବ୍ଦର କୌଣସି ଇତିହାସ ଆମ୍ଭେମାନେ ଜାଣୁ ନାହିଁ, କିନ୍ତୁ ସଂସ୍କୃତରେ ବ୍ୟବହାରର ପରବର୍ତ୍ତୀ ଯୁଗରେ ଏହା ପାଲିରେ 'ଅମ୍ବ'ରେ ବିକୃତ ହୋଇଅଛି ଓ ଏହି ବିକୃତ ରୂପ ହିନ୍ଦିରେ 'ଆଁବ', ବଙ୍ଗଳାରେ 'ଆମ୍', ମରଠୀରେ 'ଆମ୍ବ' ଓ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ପୁନରାୟ ବିଚାର କରିବାକୁ ହେବ ଯେ ଓଡ଼ିଆ 'ଆମ୍ବ' ଶବ୍ଦ ବାସ୍ତବରେ ପାଲିରୁ ଜାତ ହୋଇଅଛି କିମ୍ବା ପ୍ରାକୃତରୁ ଉତ୍ପନ୍ନ ଅନ୍ୟ ପ୍ରାଦେଶିକ (ଯଥା ବଙ୍ଗଳା, ହିନ୍ଦୀ ପ୍ରଭୃତି) ଭାଷାର ପ୍ରଭାବରୁ ବିକୃତ ହୋଇଅଛି । ଏ ବିଷୟର ସୂକ୍ଷ୍ମ ଆଲୋଚନା ଅତି କଠିନ ବ୍ୟାପାର, ମାତ୍ର ଭାଷାତତ୍ତ୍ୱରେ ଏଭଳି ଆଲୋଚନା ଏକାନ୍ତ ପ୍ରୟୋଜନ । ମନେ ରଖିବାକୁ ହେବ ଯେ, ପ୍ରାଚୀନ ଓଡ଼ିଆରେ ମଧ୍ୟ 'ଆମ୍ବ' ଶବ୍ଦ ବ୍ୟବହୃତ ଓ ଅନ୍ୟ କୌଣସି ପ୍ରାଦେଶିକ ଭାଷାର ଶବ୍ଦ ସହିତ ତାହାର ରୂପଗତ ସାଦୃଶ୍ୟ ସମ୍ପୂର୍ଣ୍ଣ ନୁହେଁ । ଏଣୁ ଏହି ଶବ୍ଦ ପ୍ରାକୃତରୁ ଓଡ଼ିଆକୁ ପ୍ରତ୍ୟକ୍ଷ ଆସିଥିବା ସମ୍ଭବ ଓ ହିନ୍ଦୀରେ 'ଆଁବ' ଓ ପ୍ରାଚୀନ ବଙ୍ଗଳାରେ 'ଆଁବ' (ଚର୍ଯ୍ୟାପଦ ନାମକ ପ୍ରାଚୀନ ଗ୍ରନ୍ଥରେ 'ତମା' ସ୍ଥାନରେ 'ତାଁବୋଳ'ର ବ୍ୟବହାର ତୁଳନୀୟ) ପ୍ରଭୃତି ରୂପ ବ୍ୟବହୃତ ହେଉଥିବାରୁ ବୋଧହୁଏ, ପ୍ରାକୃତ ବା ପାଲି ଶବ୍ଦ ପ୍ରଥମେ 'ଆଁବ'ରେ ପରିଣତ ହୋଇ ପରେ ଆନୁନାସିକଟି ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦର ଉତ୍ପତ୍ତି ଘଟାଇ ଅଛି । ଏ ବିଷୟରେ ସୂକ୍ଷ୍ମ ଗବେଷଣାର ଅଭାବରୁ ଅନେକ କ୍ଷେତ୍ରରେ ଆମ୍ଭମାନଙ୍କ ଅନୁମାନର ଆଶ୍ରୟ ନେବାକୁ ହୁଏ । ମାତ୍ର ସଂସ୍କୃତଜ୍ଞ ପଣ୍ତିତମାନଙ୍କର ଶବ୍ଦର ଇତିହାସ ବିଷୟରେ ଔଦାସୀନ୍ୟ ଓ ଅଜ୍ଞତା ଏବଂ ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିର୍ଣ୍ଣୟଦ୍ୱାରା ରୂପର ବ୍ୟାଖ୍ୟା ପଦ୍ଧତି ଏପରି ଗବେଷଣାର ପରିପନ୍ଥୀ ଓ ଭାଷାତତ୍ତ୍ୱ ବିଷୟରେ ସାଧାରଣ ଅଜ୍ଞତା ଏହାର ଫଳ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଉଚ୍ଚାରଣର ସୁବିଧା ନିମନ୍ତେ 'ମ' ଓ 'ର' ମଧ୍ୟରେ 'ବ' ଧ୍ୱବନିର ଆଗମ କରାଯାଇ ଥିଲେହେଁ ମୂଳତଃ ଯେଉଁ ସବୁ ଶବ୍ଦରେ ମ ଓ ବ ଯୁକ୍ତ ହୋଇ ବ୍ୟବହୃତ ହୋଇଥିଲା, ସେଥିରେ ଅନେକ ସ୍ଥାନରେ 'ବ' ଲୁପ୍ତ ହୋଇଅଛି । ସଂସ୍କୃତରେ 'ଜମ୍ବୂକ' ସ୍ଥାନରେ ଓଡ଼ିଆରେ 'ଜାମୁ', 'ନିମ୍ବକ' ସ୍ଥାନରେ 'ନିମ' ପ୍ରଭୃତି ଶବ୍ଦ ଉଦ୍ଭୂତ ହୋଇଅଛି । ହିନ୍ଦୀ, ବଙ୍ଗଳା ପ୍ରଭୃତି ସବୁ ପ୍ରାଦେଶିକ ଭାଷାରେ 'ବ' ଲୁପ୍ତ ହୋଇଥିବାରୁ ଏ ସମସ୍ତ ପଦ ଭିନ୍ନ ଭିନ୍ନ ଭାବରେ ଏକ ମୂଳ ପ୍ରାକୃତ ଶବ୍ଦରୁ ଉତ୍ପନ୍ନ ବୋଲି ମନେ କରାଯାଇପାରେ । ସାଧାରଣତଃ ଲୋକେ ମନେ କରନ୍ତି ଯେ, ଓଡ଼ିଆ 'ଲେମ୍ବୁ' ଶବ୍ଦ ଇଂରାଜୀ lemon ଶବ୍ଦରୁ ଉତ୍ପନ୍ନ ଅର୍ଥାତ୍ ଆମ୍ବ, ତମ୍ବା ପ୍ରଭୃତି ଶବ୍ଦରେ ଯେପରି 'ମ' ସହିତ 'ବ' ସମ୍ପୃକ୍ତ, ସେହି କାରଣରୁ lemon ଲେମ୍ବୁରେ ରୂପାନ୍ତରିତ ହୋଇଅଛି । ମାତ୍ର ଶବ୍ଦଟିର ଇତିହାସ ତାହା ନୁହେଁ । 'ଲେମ୍ବୁ' ଶବ୍ଦର ବାସ୍ତବିକ ମୂଳ ଶବ୍ଦ ସଂସ୍କୃତ 'ନିମ୍ବୁକ', ଏହି ନିମ୍ବୁକ ଶବ୍ଦରୁ ଆରବ ଦେଶୀୟ 'ଲାଇମୁନ' ଶବ୍ଦ ଉତ୍ପନ୍ନ ହୋଇ ତୁର୍କି ଭାଷାରେ 'ଲିମୁନ' ରୂପରେ ପ୍ରଚଳିତ ହୋଇଥିଲା । ଆରବ ଭାଷାରୁ ପାରସିକ 'ଲିମୁନ' ବା 'ଲିମୁନା' ଶବ୍ଦ ପ୍ରଚଳିତ ହୋଇ ତହିଁରୁ ଏକ ଦିଗରେ ଫ୍ରେଞ୍ଚ୍ limon, ପୁରାତନ ଇଂରାଜୀ limon ଓ ଆଧୁନିକ ଇଂରାଜୀ lemon ଉଦ୍ଭୂତ ହୋଇଅଛି; ଅନ୍ୟ ଦିଗରେ ହିନ୍ଦୁସ୍ଥାନୀରେ 'ଲେମୁଁ' ଶବ୍ଦ ପ୍ରଚଳିତ ହୋଇଅଛି । ଏହି 'ଲେମୁଁ' ଶବ୍ଦରୁ ବଙ୍ଗଳା 'ନେବୁ', ଓଡିଆ 'ଲେମ୍ବୁ' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି; ଅର୍ଥାତ୍ ସଂସ୍କୃତ 'ନିମ୍ବୁକ' ଶବ୍ଦଟି ପ୍ରାକୃତ ଭାଷାର ମଧ୍ୟ ଦେଇ ଓଡ଼ିଆକୁ ଆସି ନାହିଁ । ବାସ୍ତବରେ ସଂସ୍କୃତରୁ ଆରବ ଭାଷା, ତହିଁରୁ ପାରସିକ ଓ ପାରସିକରୁ ହିନ୍ଦୀ ଭାଷାର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ହେବ । ଓଡ଼ିଆରେ 'ଲେମ୍ବୁ' ଓ 'ନେମ୍ବୁ' ଉଭୟ ରୂପ ପ୍ରଚଳିତ ଓ ଏହି ପ୍ରଚଳନ 'ଳ' ଓ 'ନ' ମଧ୍ୟରେ ଧ୍ୱନିର ସାଧାରଣ ବିଶୃଙ୍ଖଳାର ଫଳ ମାତ୍ର ଏହା ସମ୍ଭବ ଯେ, 'ଲେମ୍ବୁ' ଶବ୍ଦଟି ବ୍ୟବହୃତ ହେବାର ପରବର୍ତ୍ତୀକାଳରେ ସଂସ୍କୃତ 'ନିମ୍ବୁକ' ଶବ୍ଦରୁ ପ୍ରତ୍ୟକ୍ଷ ଭାବରେ 'ନେମ୍ବୁ' ଶବ୍ଦ ମଧ୍ୟ ଉଦ୍ଭୂତ ହୋଇ ପାରିଥିବ ଏବଂ ଉଭୟ ଶବ୍ଦ ଓଡ଼ିଆରେ ପ୍ରଚଳିତ ହୋଇଥିବ । ପ୍ରାଚୀନ ଓଡ଼ିଆ ଗ୍ରନ୍ଥରେ ଏହି ଶବ୍ଦର ରୂପ କଅଣ, ସେ ବିଷୟରେ ସ୍ଥିରନିଶ୍ଚିତ ଧାରଣା ନ କଲେ ଆମ୍ଭେମାନେ ଏ ଶବ୍ଦଟିର ଇତିହାସ ବ୍ୟାଖ୍ୟା କରିବାକୁ ଅକ୍ଷମ । କିନ୍ତୁ ତାଚ୍ଛିଲ୍ୟ ଅର୍ଥରେ 'ଲେମ୍ବୁ' ପରିବର୍ତ୍ତରେ 'ନେମ୍ବୁ' ର ବ୍ୟବହାର ଅଧିକ ଥିବାରୁ 'ନେମ୍ବୁ' ଶବ୍ଦ ଯେ ପରବର୍ତ୍ତୀ, ଏହା ଅନୁମାନ କରାଯାଇ ପାରେ; ମାତ୍ର ଲ ଓ ନ ମଧ୍ୟରେ ବିଶୃଙ୍ଖଳ ବ୍ୟବ ହାର ଅନ୍ୟ ଅନେକ ଶବ୍ଦରେ ଦେଖାଯା ଉ ଥିବାରୁ ଏପରି ଅନୁମାନ ମଧ୍ୟ ଅନିଶ୍ଚିତ । ପୁଣି ଏହି ସଂସ୍କୃତ 'ନିମ୍ବୁକ' ଶବ୍ଦ ମଧ୍ୟ ବାସ୍ତବରେ ମୂଳ ଶବ୍ଦ ନୁହେଁ । କାରଣ ଏହି ଶବ୍ଦଟି ପୁରାତନ ସଂସ୍କୃତ 'ନିସ‌୍‌ବୂ' ଶବ୍ଦରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ । ଏହି 'ନିସ୍‌ବୂ' ଶବ୍ଦର ମୂଳରେ 'ନିଷ୍' ଶବ୍ଦ ଥିବା ମଧ୍ୟ ସମ୍ଭବ ଓ 'ଯେଉଁଥିରୁ ରସ କ୍ଷରିତ ହୁଏ' ଏହାହିଁ ଏହି ଶବ୍ଦର ମୂଳ ଅର୍ଥ ବୋଲି ଅନୁମାନ କରାଯାଏ ।

ଓଡ଼ିଆରେ କୌଣସି ଶବ୍ଦକୁ କେବଳ ତତ୍‌ସମ ବୋଲି ନିର୍ଦ୍ଦେଶିତ କରିବାରେ ମଧ୍ୟ ଯଥେଷ୍ଟ ବିପଦ ଅଛି, କାରଣ ସଂସ୍କୃତ ଶବ୍ଦଟି ବିକୃତ ହୋଇଥାଇ ପାରେ । ଓଡ଼ିଆ 'ଶୂଦ୍ର' ଶବ୍ଦ ଏଥିର ପ୍ରକୃଷ୍ଟ ଉଦାହରଣ । ଏହି ଶବ୍ଦଟି ବୈଦିକ ଭାଷାରେ ପ୍ରଚଳିତ ଓ ରୁକ୍ ବେଦରେ ବ୍ୟବହୃତ ହୋଇଥିବାରୁ ଏହାର ପ୍ରାଚୀନତ୍ୱ ବିଷୟରେ ମଧ୍ୟ ସନ୍ଦେହ ନାହିଁ । ମାତ୍ର ଶବ୍ଦର ଇତିହାସଟି ବିସ୍ମୃତ ହୋଇଥିବାରୁ ପ୍ରାଚୀନ ଯୁଗରେ ପଣ୍ତିତମାନଙ୍କୁ ଏହାର ଅର୍ଥ ନିର୍ଣ୍ଣୟ କରିବା ନିମନ୍ତେ ନାନା କଷ୍ଟକଳ୍ପନାର ଆଶ୍ରୟ ଗ୍ରହଣ କରିବାକୁ ହୋଇଅଛି । ବାଦରାୟଣ ବ୍ରହ୍ମସୂତ୍ରରେ ଏହି ଶବ୍ଦଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହି ଶବ୍ଦର ତିନିଗୋଟି ବ୍ୟାଖ୍ୟା ଦେଇଅଛନ୍ତି, ଯଥା- ଯେ ଶୋକ ପ୍ରତି ଦ୍ରୁତ ଧାବିତ ହୁଏ ବା ଶୋକ ଯାହା ପ୍ରତି ଦ୍ରୁତ ଧାବିତ ହୁଏ ଅଥବା ଶୋକରେ ଯେ ଦ୍ରୁତଧାବିତ ହୁଏ; ମାତ୍ର ଏହିପ୍ରକାର ତିନିଗୋଟି ବ୍ୟାଖ୍ୟା ଦେବାର ଅର୍ଥ ଯେ ଶବ୍ଦଟିର ଉତ୍ପତ୍ତି ଅଜ୍ଞାତ ତାହା କହିବା ବାହୁଲ୍ୟ । ଉଣାଦିସୂତ୍ରରେ ମଧ୍ୟ 'ଶୁର' ଧାତୁ ସହିତ 'ର' ପ୍ରତ୍ୟୟ ଯୋଗ କରାଯାଇ ଏହି ଶବ୍ଦଟିର ଉତ୍ପତ୍ତି ବ୍ୟାଖ୍ୟାତ ହୋଇଅଛି, ମାତ୍ର ଏହା ମଧ୍ୟ କଳ୍ପିତ; କାରଣ ବାସ୍ତବରେ 'ଶୋକ' ସହିତ ଏ ଶବ୍ଦଟିର କୌଣସି ମୌଳିକ ସମ୍ବନ୍ଧ ନାହିଁ । ପ୍ରକୃତରେ ଏହା ବୈଦିକ ଯୁଗରେ ପ୍ରଚଳିତ 'କ୍ଷୁଦ୍ର' ଶବ୍ଦର ଅପଭ୍ରଂଶ ଓ ପାଲିଗ୍ରନ୍ଥରେ 'କ୍ଷୁଦ୍ରାଚାର' ଅର୍ଥାତ୍ ନୀଚ ଆଚାର ଯୁକ୍ତ ବୋଲି କେତେକ ଲୋକଙ୍କୁ ଶୂଦ୍ର ବୋଲାଯାଏ ବୋଲି ଲିଖିତ ଅଛି । ମହାବ୍ୟୁତ୍ପତ୍ତି ଗ୍ରନ୍ଥରେ ମଧ୍ୟ ଶୂଦ୍ର ଓ କ୍ଷୁଦ୍ରକୁ ଏକତ୍ର ଏକ ଅର୍ଥରେ ବ୍ୟବହାର କରାଯାଇଅଛି । ଏଣୁ ସ୍ୱତଃ ସନ୍ଦେହ ହୋଇ ପାରେ ଯେ, କ୍ଷୂଦ୍ର ଶବ୍ଦର କାଳକ୍ରମେ ଅପଭ୍ରଂଶ ହୋଇ 'ଶୂଦ୍ର' ଶବ୍ଦ ନିଷ୍ପନ୍ନ ହୋଇଥିଲା ଓ ଉଭୟ ଶବ୍ଦ ବୈଦିକ ଯୁଗରେ ପ୍ରଚଳିତ ହୋଇଥିଲା । 'ବିକଟ' ଶବ୍ଦ ଏହିପରି ବୈଦିକ ଯୁଗର ଅପଭ୍ରଂଶର ଆଉ ଗୋଟିଏ ଉଦାହରଣ । କାରଣ 'ବିକୃତ' ଓ 'ବିକଟ' ଏକ ଶବ୍ଦ ଏବଂ ଉଭୟ ଶବ୍ଦ ବୈଦିକ ଭାଷାରେ ବ୍ୟବହୃତ ।

ଶବ୍ଦର ଇତିହାସ ବାସ୍ତବରେ ଅତି ବିଚିତ୍ର । ଓଡ଼ିଆରେ 'ହିଂସା' ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦଟି ଯେ ସଂସ୍କୃତ 'ହିଂସ୍' ଧାତୁରୁ ଉତ୍ପନ୍ନ, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏହି 'ହିଂସ୍' ଶବ୍ଦ ମୂଳତଃ ପ୍ରାଚୀନ ଆର୍ଯ୍ୟ 'ଘସ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହି 'ଘସ୍'ର ମୂଳ ଅର୍ଥ 'ଆଘାତ କରିବା'; ଏହି 'ଘସ୍' ଶବ୍ଦରୁ ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀ hostel ପ୍ରଭୃତି ଶବ୍ଦ ଓ ଗଥିକ ଭାଷାର ମଧ୍ୟ ଦେଇ yard (ଯାହାଦ୍ୱାରା ଆଘାତ କରାଯାଏ) ପ୍ରଭୃତି ଶବ୍ଦ ଇଂରାଜୀରେ ପ୍ରଚଳିତ ହୋଇଅଛି । 'ଘସ୍' ଶବ୍ଦର ଆଘାତ କରିବା ଅର୍ଥ ସମ୍ପ୍ରସାରିତ ହୋଇ 'ଖାଇବା' ଅର୍ଥରେ ପ୍ରଯୁକ୍ତ ହେଉଥିବାରୁ ଏକ ଦିଗରେ ଏଥିରୁ ସଂସ୍କୃତ 'ଘସ୍' ଧାତୁ (ଖାଇବା ଅର୍ଥରେ ଯଥା 'ଜଘାସ') ଓ ସେଥିରୁ ହଂସ ପ୍ରଭୃତି ଶବ୍ଦ ଏବଂ ଅନ୍ୟ ଦିଗରେ ଲାଟିନର ମଧ୍ୟ ଦେଇ hostel, hotel, hospital, hospitality ଶବ୍ଦ ଉତ୍ପନ୍ନ; ପୁଣି ଏହି 'ମୂଳ 'ଘସ୍' ଧାତୁରୁ ପରବର୍ତ୍ତୀକାଳରେ ସଂସ୍କୃତ 'ହସ୍' ଧାତୁ ନିଷ୍ପନ୍ନ କରାଯାଇ ସେଥିରୁ ହାସ୍ୟ ପ୍ରଭୃତି ଶବ୍ଦ ମଧ୍ୟ ଉତ୍ପନ୍ନ ହୋଇଥିବା ସମ୍ଭବ, କିନ୍ତୁ ହସ୍ତ ଶବ୍ଦ ଯେ ଏହି 'ଘସ୍' ଧାତୁରୁ ଉତ୍ପନ୍ନ 'ହସ୍' ଶବ୍ଦ ସହିତ ସମ୍ପୃକ୍ତ, ଏଥିରେ ସନ୍ଦେହର ଅବକାଶ ନାହିଁ ଅର୍ଥାତ୍ ହସ୍ତର ମୂଳ ଅର୍ଥ ଯାହାଦ୍ୱାରା ଆଘାତ କରାଯାଏ । ଏହି 'ହସ୍ତ' ଶବ୍ଦ ସହିତ ଇଂରାଜୀ 'yard' ଶବ୍ଦର ସମୀକରଣ କରାଯାଇ ପାରେ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ବାସ୍ତବରେ ଅନେକ ସ୍ଥାନରେ ଆମ୍ଭମାନଙ୍କୁ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ, କାରଣ ଶବ୍ଦମାନଙ୍କର ବିକୃତି ଅତି ଧୀରେ ଧୀରେ ସାଧିତ ହୋଇଥାଏ । ଏହି ବିକୃତିର ପ୍ରତ୍ୟେକ ସ୍ତରର ପ୍ରାମାଣିକ ପରିଚୟ ନ ମିଳିଲେ ଭାଷାତତ୍ତ୍ୱ ଅନୁସାରେ ଶବ୍ଦଟିର ସମ୍ପୂର୍ଣ୍ଣ ଭାଷ୍ୟ ମିଳି ନ ପାରେ । ଇଂରାଜିରେ ପ୍ରତ୍ୟେକ ଶବ୍ଦର ଇତିହାସ ଯଥାଯଥଭାବରେ ଆଲୋଚିତ ହୋଇ ପ୍ରମାଣ ସହିତ ଲିଖିତ ହୋଇଅଛି । ମାତ୍ର ଓଡ଼ିଆ ପ୍ରଭୃତି ଅନେକ ଭାଷାରେ ଏପରି ପ୍ରାମାଣିକ ଗ୍ରନ୍ଥର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଯେଉଁମାନେ ଓଡ଼ିଆ ଭାଷାର ଆଲୋଚନା କରନ୍ତି, ସେମାନେ ପ୍ରାୟ ସମସ୍ତେ ତତ୍‌ସମ, ତଦ୍‌ଭବ ଓ ଦେଶଜ ଏହି ତିନି ଶ୍ରେଣୀରେ ଶବ୍ଦମାନଙ୍କୁ ଶ୍ରେଣୀବଦ୍ଧ କରିଦେଇ ଭାଷାବିଚାର କାର୍ଯ୍ୟ ସାଙ୍ଗ କରି ଦେଇଥାନ୍ତି । ଏପରି କି ଅନେକ କ୍ଷେତ୍ରରେ ଶବ୍ଦର ପୂର୍ଣ୍ଣ ଇତିହାସ ଆବିଷ୍କୃତ ହୋଇଥିବା ସ୍ଥଳେ ତାହା ପ୍ରତି ମଧ୍ୟ ସମସ୍ତେ ଅବହିତ ହୁଅନ୍ତି ନାହିଁ । ଓଡ଼ିଆ 'ତମାଖୁ' ଶବ୍ଦ ସଂସ୍କୃତରେ 'ତାମ୍ରକୂଟ'ରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ, ମାତ୍ର ବାସ୍ତବିକ ଏହି ଶବ୍ଦଟି ସଂସ୍କୃତରେ ପରବର୍ତ୍ତୀକାଳରେ ଅନ୍ୟ ଭାଷାରୁ ଅନୁକୃତ । ସ୍ପେନ ଦେଶୀୟ ଲୋକମାନେ ଯେତେବେଳେ ଆମେରିକା ମହାଦେଶରେ ରାଜତ୍ୱ କରୁଥିଲେ, ସେ ସମୟରେ ୟୁକାତନ ପ୍ରଦେଶର ଟାବାକୋ ନାମକ ସ୍ଥାନ କିମ୍ବା ତତ୍‌ସଂଲଗ୍ନ 'ଟେବାଗୋ' ନାମକ ଦ୍ୱୀପରେ ଉତ୍ପନ୍ନ ପତ୍ରବହୁଳ କ୍ଷୁଦ୍ରବୃକ୍ଷ (ଚାରାଗଛ)କୁ ଲକ୍ଷ୍ୟ କରି ଏହାର ନାମ tabaco ଦେଇଥିଲେ । ସ୍ପେନୀୟ ଭାଷାରୁ ଏହା କ୍ରମଶଃ ଫରାସୀ ଓ ଇଟାଲୀୟ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା । ପରେ ଉର୍ଦ୍ଦୁ ଭାଷାରେ 'ତାମ୍ବାକୁ' ରୂପରେ ପରିଣତ ହୋଇଥିଲା ଓ ଉର୍ଦ୍ଦୁଭାଷାରୁ ଏହା କ୍ରମଶଃ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ସମ୍ଭବତଃ ଉର୍ଦ୍ଦୁ 'ତମ୍ବାକୁ' ଶବ୍ଦ ହିନ୍ଦୀ ତମାଖୁରେ ପରିବର୍ତ୍ତିତ ହୋଇଥିଲା ଓ ଏହି ହିନ୍ଦୀ ଶବ୍ଦରୁ ଏକ ଦିଗରେ ବଙ୍ଗଳା 'ତାମାକ୍' ଓ ଅନ୍ୟ ଦିଗରେ ଓଡ଼ିଆ 'ତମାଖୁ' ଶବ୍ଦ ଉଦ୍ଭୁତ ହୋଇଥାଇ ପାରେ । ସଂସ୍କୃତ 'ତାମ୍ରକୂଟ' ସହିତ ଓଡ଼ିଆ ଶବ୍ଦର କିଛିମାତ୍ର ସମ୍ପର୍କ ନାହିଁ । ଏହିପରି 'ଯୋଲାପ' ଶବ୍ଦ ପଛରେ ମଧ୍ୟ ଗୋଟିଏ ଇତିହାସ ନିହିତ ଅଛି । ଓଡ଼ିଆ 'ଜୋଲାପ' ଶବ୍ଦ ହିନ୍ଦୀ 'ଜଲ୍ଲାବ' ଶବ୍ଦରୁ ଉତ୍ପନ୍ନ । ସାଧାରଣତଃ ଏହା ପାରସିକ 'ଗୁଲ୍' ଓ 'ଆବ୍' (ପାଣି) ଏହି ଦୁଇ ଶବ୍ଦର ସମ୍ମିଶ୍ରଣରେ ଜାତ ବୋଲି ଅନୁମାନ କରାଯାଇପାରେ । 'ଗୁଲ' ଶବ୍ଦର ଅର୍ଥ 'rose' (ଗୋଲାପ) । ଭାରତରେ ମୋଗଲଯୁଗରେ ଫୁଲରୁ ଅତର ବା ବାସପାଣି ପ୍ରସ୍ତୁତ ହେଉଥିବାରୁ ଭ୍ରମରେ ଫୁଲଟିର ନାମ 'ଗୋଲାପ'ରେ ପର୍ଯ୍ୟବସିତ ହୋଇଅଛି । ମାତ୍ର ସେ ଯାହାହେଉ, ଗୋଲାପ ପାଣି ବିରେଚକ ରୂପରେ ବ୍ୟବହୃତ ହେଉ ନ ଥିଲା । ଅଥଚ ହିନ୍ଦୀ 'ଜଲ୍ଲାବ' ଶବ୍ଦର ଅର୍ଥ ମୂଳତଃ ବିରେଚକ; ଏଣୁ ଶବ୍ଦଟିର ବିଶଦ ଆଲୋଚନା ପ୍ରୟୋଜନ ହେଲା । ପରେ ଦେଖାଗଲା ଯେ, ମେକ୍‌ସିକୋ ଦେଶର 'ଜଲାପ' ନାମକ ସ୍ଥାନରେ ଏକପ୍ରକାର ଗଛର ମୂଳ ବିରେଚକରୂପରେ ବ୍ୟବହୃତ ହେଉଥିଲା । ଏହି ସ୍ଥାନ ସହିତ ସମ୍ପୃକ୍ତ ଥିବାରୁ ସେହି ଗଛର ନାମ ମଧ୍ୟ 'ଜଲାପ' ଦିଆଯାଇଥିଲା । ଏହି ଗଛଟି ବିରେଚକ ବୋଲି ସାଧାରଣତଃ ପର୍ତ୍ତୁଗୀଜ୍ ଭାଷାରେ 'ଜଲାପ' ଶବ୍ଦ ବିରେଚକ ଅର୍ଥରେ ପ୍ରଯୁକ୍ତ ହେଲା । ପର୍ତ୍ତୁଗୀଜ୍ ମାନେ ଭାରତରେ ସ୍ୱୀୟ ପ୍ରଭାବ ବିସ୍ତାର କରିବା ପରେ ଏହି ଶବ୍ଦ 'ବିରେଚକ' ଅର୍ଥରେ ହିନ୍ଦୀରେ ପ୍ରଯୁକ୍ତ ହୋଇ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ବାସ୍ତବରେ ଗୋଲାପଫୁଲ ସହିତ 'ଯୋଲାପ'ର ସମ୍ପର୍କ ଅତି ଅଳ୍ପ । ମାତ୍ର ହାକିମୀ ଔଷଧମାନଙ୍କରେ ଗୋଲାପଫୁଲର ପାଖୁଡ଼ା ମୃଦୁ ବିରେଚକରୂପରେ ବ୍ୟବହୃତ ହେଉଥିବାରୁ ଶବ୍ଦମାନଙ୍କର ଅର୍ଥଗତ ଓ ରୂପଗତ ବିଶୃଙ୍ଖଳା ସହଜରେ ସାଧିତ ହୋଇଅଛି ଓ ଆମ୍ଭେମାନେ ଏହାର ପ୍ରକୃତ ସ୍ୱରୂପ ବର୍ତ୍ତମାନ ବିସ୍ମୃତ ହୋଇଅଛୁଁ ।

ଶବ୍ଦର ଇତିହାସର ଏହିପରି ପୁଙ୍ଖୀନୁପୁଙ୍ଖ ଆଲୋଚନା କଲେ ଆମ୍ଭେମାନେ ନାନା ନୂତନ ତଥ୍ୟ ଜାଣି ପାରୁଁ । ଭାଷାର ସମ୍ପୂର୍ଣ୍ଣ ଶିକ୍ଷା ନିମନ୍ତେ ଏପ୍ରକାର ଆଲୋଚନା ମଧ୍ୟ ଅତ୍ୟନ୍ତ ପ୍ରୟୋଜନ । ଏହି ପ୍ରକାର ଆଲୋଚନାରୁ ଆମ୍ଭେମାନେ ବୁଝିପାରୁଁ ଯେ 'ଇଟା' ଶବ୍ଦ ବାସ୍ତବରେ ସଂସ୍କୃତ 'ଇଷ୍ଟକ' ଶବ୍ଦରୁ ପ୍ରାକୃତ ମଧ୍ୟ ଦେଇ ସାକ୍ଷାତଭାବରେ ଓଡ଼ିଆରେ ବ୍ୟବହୃତ ହୋଇ ନାହିଁ । କାରଣ ଏହାର ପାଲିରୂପ 'ଇଟ୍ଟକ' । ଏହି ଶବ୍ଦରୁ ହିନ୍ଦୀ 'ଇଟା' ଶବ୍ଦ ଜାତ ହୋଇ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ ହୋଇଅଛି । ଏହିପରି 'ଛବି' ଶବ୍ଦ କେବଳ ସଂସ୍କୃତ 'ଛବି' ସହିତ ସମ୍ପୃକ୍ତ ନୁହେ । କାରଣ ଆରବ ଭାଷାର 'ତସବୀର' ଶବ୍ଦ 'ତଛବିର'ରେ ପରିଣତ ହୋଇ ଉର୍ଦ୍ଦୁରେ 'ଛବି' ଆକାର ଧାରଣ କରିଅଛି ଓ ଏହି ଛବି ଶବ୍ଦ ସଂସ୍କୃତ ଛବି ସହିତ ରୂପଗତ ସମତା ହେତୁରୁ ଅର୍ଥ ବିପର୍ଯ୍ୟୟ ଘଟାଇଅଛି । 'ଛବିଳ ଉତ୍କଳେ ତୋ ଛବି ଅତୁଳ' ଏହି ପଦ୍ୟାଂଶଟିରେ ଉଭୟ 'ଛବି' ଶବ୍ଦର ଅର୍ଥଗତ ବିଭିନ୍ନତା ସୁସ୍ପଷ୍ଟ ରକ୍ଷିତ ହୋଇଅଛି । ଓଡ଼ିଆ ଭାଷାରେ ଅନେକ ଶବ୍ଦ ସଂସ୍କୃତରୁ ନିଆ ଯାଇଅଛି ସତ୍ୟ, ମାତ୍ର ସେମାନଙ୍କ ବିକୃତି ପଛରେ ନାନା ଜାତିର ସମ୍ପର୍କ ଓ ନାନା ଭାଷାର ସଂସ୍ପର୍ଶ ଏପରି ଭାବରେ ରହିଅଛି ଯେ ସେମାନଙ୍କର ଆଲୋଚନା କଠିନ । 'ଟେରି' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ହିନ୍ଦୀ 'ତେଡ଼ି'ରୁ ଉତ୍ପନ୍ନ । ଏହି 'ତେଡ଼ି' ଶବ୍ଦ ସଂସ୍କୃତ, 'ତିର୍ଯ୍ୟକ୍' ଶବ୍ଦରୁ ଜାତ ଅର୍ଥାତ୍ ଏହାର ମୂଳ ଅର୍ଥ ଯାହା ମୁଣ୍ତରେ ବଙ୍କାଭାବରେ ଅଙ୍କିତ ହୋଇଥାଏ । ଏହି 'ତିର୍ଯ୍ୟକ୍' ଶବ୍ଦରୁ 'ତେଢ଼ା', 'ଟେରା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏକ ଦିଗରେ ପାଲି 'ତିରଚ୍ଛା'ରୁ 'ତେରଚ୍ଛା' ଶବ୍ଦ ଜାତ ହୋଇଅଛି, ଅନ୍ୟ ଦିଗରେ ହିନ୍ଦୀ ଭାଷାର ଅନୁକରଣରେ 'ଟେର୍' ଶବ୍ଦ ମଧ୍ୟ ବ୍ୟବହୃତ ହେଉଅଛି, ଅର୍ଥାତ୍ 'ଟେର' ପାଇବାର ପ୍ରକୃତ ଅର୍ଥ ସିଧା ସଳଖ ଭାବରେ କୌଣସି ବସ୍ତୁର ଜ୍ଞାନଲାଭ ନ କରି ବକ୍ର ବା ଅସମ୍ପୂର୍ଣ୍ଣ ବା ଅସମୀଚୀନ ଭାବରେ କୌଣସି ବିଷୟ ଜାଣିବା । କେତେକ କ୍ଷେତ୍ରରେ ଦୁଇଗୋଟି ଭିନ୍ନ ଭାଷାରେ ପ୍ରଚଳିତ ଶବ୍ଦମାନଙ୍କର ପୁଣି ରୂପଗତ ସମତା ନ ଥିଲେ ମଧ୍ୟ ସେମାନଙ୍କର ଇତିହାସ ଆଲୋଚନା କରି ସେମାନଙ୍କର ସମୀକରଣ କରିବା ସମ୍ଭବପର ହୁଏ । ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜୀ tear ଶବ୍ଦର କୌଣସି ସମତା ନାହିଁ, ମାତ୍ର ବାସ୍ତବରେ ଅଶ୍ରୁ ଶବ୍ଦଟିର ମୂଳ ଆର୍ଯ୍ୟ ଭାଷାରେ 'ଦଶ୍ରୁ' ରୂପ ଥିଲା ଓ ଏହା 'ଦଂଶ' ଶବ୍ଦ ସହିତ ସମ୍ପୃକ୍ତ । ଦ ସ୍ଥାନରେ ତ (ଟ) ହେବା ଭାଷାତତ୍ତ୍ୱର ସାଧାରଣ ନିୟମ ଓ ଆର୍ଯ୍ୟ 'ଦଶ୍ରୁ' ଶବ୍ଦରୁ ଏକ ଦିଗରେ ସଂସ୍କୃତ ଅଶ୍ରୁ, ଅନ୍ୟ ଦିଗରେ ଲାଟିନ lachrymo ଇଂରାଜୀ tear ପ୍ରଭୃତି ସ୍ୱାଭାବିକ ଭାବରେ ଜାତ ହୋଇଅଛି । ଏହିପରି ଭାବରେ ହଂସ ସହିତ goose ଶବ୍ଦର ରୂପଗତ ସମତା ନ ଥିଲେହେଁ ଉଭୟ ଶବ୍ଦ ମୂଳତଃ ଏକ; କାରଣ 'ହସଂ'ର ପ୍ରାଚୀନ ଆର୍ଯ୍ୟ ଭାଷାରେ ରୂପ 'ଘଂସ' ଓ 'ଘ' ସ୍ଥାନରେ 'ଗ' ହେବା ସ୍ୱାଭାବିକ । ଅବଶ୍ୟ ସମୀକରଣ ସମୟରେ ଏହି ସବୁ ଶବ୍ଦର ପ୍ରତ୍ୟେକ ଅଂଶର ପରିବର୍ତ୍ତନର କାରଣ ଓ ବ୍ୟାଖ୍ୟା ଦେବା ପ୍ରୟୋଜନ । କେବଳ ଅଂଶ ବିଶେଷର ବ୍ୟାଖ୍ୟା ଦେଲେ ଯଥେଷ୍ଟ ହୁଏ ନାହିଁ । ଶବ୍ଦର ଇତିହାସକୁ ଏହିପରି ଭାବରେ ଅନୁଶୀଳନ ନ କରି କେବଳ ସେମାନଙ୍କୁ ଦେଶଜ ବୋଲି ନିର୍ଦ୍ଦେଶିତ କରିବା କିମ୍ବା ସଂସ୍କୃତ ଧାତୁ ପ୍ରତ୍ୟୟ ମାତ୍ର ପ୍ରଦର୍ଶନ କରିବାଦ୍ୱାରା ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନଲାଭ କରିବା ଅସମ୍ଭବ ।

©ସରଳ ଭାଷାତତ୍ତ୍ଵ (ଗିରିଜା ଶଙ୍କର ରାୟ)

Saturday, February 19, 2022

■ ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ ■ (ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ)

●●●●●●●●●●●●●●●●
ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ(ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ) 
●●●●●●●●●●●●●●●●

ଜନ୍ମରୁ କହି ଶୁଣି ପଢ଼ି ଲେଖି ମଧ୍ଯ କିଛି ଭୁଷ୍ ପଣ୍ଡିତଙ୍କୁ ତାଙ୍କ ମାତୃଭାଷା ବୋଧଗମ୍ୟ ହେଲା ନାହିଁ ବୋଲି ସେମାନେ ଇଂରାଜୀ, ହିନ୍ଦୀ, ବଙ୍ଗଳାକୁ ‘ହନୁକରଣ’ କରି ଶାସ୍ତ୍ରୀୟ ଭାଷା ଓଡ଼ିଆର ସରଳୀକରଣ ନାମରେ ଆମର  ସାହିତ୍ୟରେ ଥିବା ଅକ୍ଷରକୁ ବଳି ଦେବାକୁ ଷଡ଼ଯନ୍ତ୍ର କଲେ । ଵର୍ଣ୍ଣହତ୍ୟାକାରୀମାନେ 
ଏହି ଷଡ଼ଯନ୍ତ୍ରକୁ ଲିପି ସଂସ୍କାର ନାଆଁ ଦେଲେ । 
ପରାଧିନ ଭାରତରେ ଛପୁଥିଵା ଆଶା ପତ୍ରିକାର ଏକ ଆହ୍ଵାନରୁ ଲିପିସଂହାର ଷଡ଼ଯନ୍ତ୍ରର ଅୟମାରମ୍ଭ ହୁଏ । ଏ ଵିଷୟରେ ରାମଶଙ୍କର ରାୟ ତାଙ୍କ ଲିପି ସଂସ୍କାର ପ୍ରବନ୍ଧରେ ଏମନ୍ତ ଲେଖିଛନ୍ତି ...

❝ଆଜିକାଲି ଚତୁର୍ଦ୍ଦିଗରେ ସଂସ୍କାରର ହୁରି ପଡ଼ି ଯାଇଥିଵା ସମୟରେ ଗଞ୍ଜାମର ନଵୀନା ‘ ଆଶା’ ମଧ୍ୟ ଗୋଟିଏ ସଂସ୍କାର ଘେନି ଉପସ୍ଥିତ। 
× × × × × × × × × × × × × × × × × ×
 ‘ଆଶା’ର ଲିପିସଂସ୍କାର ‘ ସ୍ଵାଧୀନତା' ଉପରେ ସ୍ଥାପିତ ହୋଇଅଛି । ‘ପଞ୍ଚମ’ ଇତ୍ୟାଦିକି ‘ ପଂଚମ’ ଇତ୍ୟାଦି ଛାପା କରିଵାରେ ମୁଁ ସ୍ଵଭାଵତଃ ମନେ କରିଥିଲି ଯେ ‘ଆଶା’ର ନୂତନ ପ୍ରେସରେ ବୋଧହୁଏ ଯୁକ୍ତାକ୍ଷର ନ ଥିଵାରୁ ଏପରି ଘଟିଅଛି; ମାତ୍ର ବାଲେଶ୍ଵରର ସମ୍ବାଦଵାହିକା ଟିପି ଦେଵାରୁ କଥାଟା ବାହାରିପଡ଼ିଲା- ଖାଲି ‘ ଆଶା’ର କଥା ନୁହେଁ, ତାଙ୍କ ପୃଷ୍ଠପୋଷକ ମଧ୍ଯ ବାହାରି ପଡ଼ିଲେ।❞

ସେହି “ଲିପିସଂସ୍କାର”ପ୍ରବନ୍ଧରେ ନାନା ଆଲୋଚନା କରିଵା ପରେ ପୁଣିଥରେ ରାମଶଙ୍କର ରାୟ ଲିପି ସଂସ୍କାର ଵିଷୟରେ ଯାହା ଲେଖିଛନ୍ତି ତାହା ଏଠାରେ ଉଦ୍ଧାର କରାଗଲା ..

❝ଆଶା’ର ସମ୍ପାଦକ ଓ ଲେଖକମାନେ ଦେଶ ଲୋକଙ୍କୁ ତାଙ୍କ ଲିପିସଂସ୍କାରର ଅନୁଵର୍ତ୍ତୀ ହୋଇ ଲେଖିଵାକୁ ପ୍ରାର୍ଥନା କରିଅଛନ୍ତି। କେହି ମାନିବେ, ଏହା ମୋତେ ଲାଗୁନାହିଁ। ମୁଁ ତାହା ପଢ଼ିଲା ମାତ୍ରକେ ଲାଙ୍ଗୁଳହୀନ ଶୃଗାଳର କଥା ମନରେ ପଡ଼ିଗଲା । 
× × × × × ×× × × × × ×× × × × × ×
ଆଶା'ର ପ୍ରତ୍ୟାଶ ଆକାଶକୁସୁମରେ ପରିଣତ ହେଵାରେ ସନ୍ଦେହ ନାହିଁ। ଏହା ଲିପି ସଂସ୍କାର ଵା ଭାଷା ସଂସ୍କାର ନୁହେଁ- ଏହାକୁ ଲିପି ଵିଭ୍ରାଟ୍ ଵା ଭାଷା ଵିଭ୍ରାଟ୍ ବୋଲାଯିଵ।❞ 

ଵର୍ଣ୍ଣହତ୍ୟାକାରୀମାନେ ❝ଛପା ସମସ୍ୟା ତଥା ଲିପି ସରଳୀକରଣ❞ର ଯେତେ ଦ୍ଵାହି ଦେଲେ ମଧ୍ୟ ସେମାନେ ଯେ ହିନ୍ଦୀ, ବଙ୍ଗାଳୀ ତଥା ହିନ୍ଦୀଦ୍ଵାରା ପ୍ରଭାଵିତ ହୋଇ ସେହି ସବୁ ଭାଷାର ହନୁକରଣରେ ଓଡ଼ିଆ ଲିପିରୁ ଅକ୍ଷର ,ଦ୍ଵିତକରଣ ତଥା ଯୁକ୍ତାକ୍ଷର ପରମ୍ପରା ଇତ୍ୟାଦି ଉଠାଇଦେଵାକୁ ଚେଷ୍ଟା କରୁଥିଲେ ତାହା ଜଣାପଡି଼ଯାଇଥିଲା । 

ଓଡ଼ିଶାରେ ଆଧୁନିକ ଯୁଗର କଵି ଲେଖକମାନେ ସାଧାରଣତଃ ହିନ୍ଦୀ,ଇଂରାଜୀ ଓ ବଙ୍ଗାଳୀ ଭାଷାଦ୍ଵାରା ପ୍ରଭାଵିତ ହୋଇଥିଲେ । ଓଡ଼ିଆ ଭାଷାରେ ଥିଵା ମୌଳିକତାକୁ ସେମାନେ ଏହି ତିନୋଟି ଭାଷାରେ ନପାଇ ସେସବୁ ମୌଳିକଗୁଣ ଓଡ଼ିଆ ଭାଷାର ଦୁର୍ଗୁଣ ମନେ କରି କଳେ ବଳେ କୌଶଳେ ଲିପିସଂହାରକୁ ଲିପି ସଂସ୍କାର ନାମ ଦେଇ ଚକ୍ରାନ୍ତ କଲେ  ।‌

ଇଂରାଜୀ ଦ୍ଵାରା ପ୍ରଭାଵିତ ଓଡ଼ିଆମାନେ ଯୁକ୍ତିକଲେ ❝ଆମ ଅକ୍ଷର ସଂଖ୍ୟା ପଚାଶ ଟପୁଛି ତାକୁ ଇଂରାଜୀ ଭଳି ଛବିଶ କରିଦେଵାକୁ ହେଵ❞ ...

କିନ୍ତୁ ଇଂରାଜୀରେ ମଧ୍ୟ ଛୋଟ ଓ ବଡ଼ ଅକ୍ଷର (small/capital, lower/upper case) ମିଶାଇଲେ ୨୬×୨= ୫୨ ହୁଏ ! ଗଣିତ ଓ ଵିଜ୍ଞାନ ଶାସ୍ତ୍ରାଦି ଲେଖିବାକୁ ଇଂରାଜୀ ଅକ୍ଷର ନିଅଣ୍ଟ ପଡ଼େ ବୋଲି ଗ୍ରୀକ ଅକ୍ଷର ଯଥା→ ଆଲ୍ଫା (alpha-α),ବିଟା (Beta~β),
ଗାମା(Gamma-Γ,γ) 
ଇତ୍ୟାଦି ଆହୁରି ଅନେକ ବର୍ଣ୍ଣ 
ଆଵଶ୍ୟକ ପଡ଼େ । ଅର୍ଥାତ୍ ଇଂରାଜୀ ଅକ୍ଷର ବଢ଼େଇ ଲିପିକୁ ଵୈଜ୍ଞାନିକୀକରଣ କରିବା ବେଳେ ଆମ ଭୁଷପଣ୍ଡିତେ ସେଥିକୁ ନିଘା ନଦେଇ ଓଡ଼ିଆ ଅକ୍ଷର ମାରିବାରେ ଵ୍ୟସ୍ତ ହୋଇଗଲେ । 

ପୁଣି ଦଳେ ବାହାରିପଡି଼ଲେ କହିଲେ ❝ଇଂରାଜୀରେ ତ ଗୋଟିଏ S , ଆମର କାହିଁକି ତିନୋଟି ? ଚାଲ ତିନୋଟି ସ/ଶ/ଷ କୁ ମିଶାଇ ଗୋଟିଏ କରିଦେଵା❞

କିନ୍ତୁ ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ । ଇଂରାଜୀରେ ତ କେବେ ସବୁ ମିଶାଇ କେଵଳ ଗୋଟିଏ ‘S’ କରିବାକୁ ଚାହିଁନାହାନ୍ତି  । ଆମେ କାହିଁକି ଶ,ଷ,ସ କୁ କେଵଳ ସ କରିଦେଇ ଆମ ଭାଷାକୁ ଓ ତାହାର ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ତତ୍ପର ? 

ଇଂରାଜୀରେ ❝a, e, i, o, u❞ କୁ ଦେଖି ସେମାନେ ପୁଣି ମତ ଦେଲେ ❝ଵିଶ୍ଵଭାଷା ଇଂରାଜୀକୁ ଦେଖ ହୋ ସେଥିରେ ମାତ୍ର ପାଞ୍ଚଟି ସ୍ଵର ତେଣୁ ସେ ଭାଷା ସରଳ ଏବେ ଆମକୁ ମଧ୍ୟ ସ୍ୱରଵର୍ଣ୍ଣରେ ଥିବା ହ୍ରସ୍ୱ ଓ ଦୀର୍ଘ (ଇ,ଈ ଉ,ଊ) ଉଚ୍ଚାରଣକୁ ମିଶାଇ ଦେଵାକୁ ହେଵ ।ଅ❞

ଇଂରାଜୀରେ ସ୍ଵରତତ୍ତ୍ୱକୁ ଗଵେଷଣା କରି a, e, i, o, u ସହ ee, oo, ae, au, ou, oe, oa ଇତ୍ୟାଦି ଅନେକ ଦୀର୍ଘ ସ୍ୱର ଓ ସଂଯୁକ୍ତ ସ୍ୱର ଵ୍ୟଵହାର କରନ୍ତି କିନ୍ତୁ ଆମ ଭୁଷପଣ୍ଡିତେ ସ୍ୱରଵର୍ଣ୍ଣ ମାରିବାରେ ଵ୍ୟସ୍ତ !

ତେବେ ଓଡ଼ିଆ ଲୋକେ ଇଂରାଜୀ ଅପେକ୍ଷା ହିନ୍ଦୀ ଅନୁକରଣରେ ସବା ଆଗରେ ! ଇଂରାଜୀ ଶାସନ ଯୁଗରେ ଆମ ଓଡ଼ିଶାର କେତେଟା କଵି ଲେଖକ ବିହାର ଇତ୍ୟାଦି ହିନ୍ଦୀଭାଷୀ ଅଞ୍ଚଳ ବୁଲି ଆସି ଓଡ଼ିଶାରେ ଜ୍ଞାନ ଦେଵାକୁ ଲାଗିଲେ ଓଡ଼ିଆ ଭାଷାରୁ ଯୁକ୍ତାକ୍ଷର ହଟାଇ ଦିଅ ,ଵର୍ଣ୍ଣଦ୍ଵିତକରଣ ହଟାଇ ଦିଅ କାରଣ ହିନ୍ଦୀରେ ନାହିଁ । ସେହିପରି ଓଡ଼ିଆରେ ‛ଜ’ ଓ ‛ଯ’କୁ ମିଶାଇ ଗୋଟିଏ କରିଦେଵାକୁ ସେତେବେଳେ ଅନେକେ ଚେଷ୍ଟା କରିଥିଲେ । ହିନ୍ଦୀରେ ଗୋଟିଏ ଜ ରହିଛି ବୋଲି ଏହି ଵିଜାତୀୟ ଭୁଷପଣ୍ଡିତେ ଭାବନ୍ତି କିନ୍ତୁ ପ୍ରକୃତରେ ହିନ୍ଦୀରେ ମଧ୍ୟ ଜ ତଳେ ବିନ୍ଦୁ ଵା ନୁଖ୍ତା ଦେଇ ଏହାର ସମସ୍ୱନିମକୁ ପ୍ରକାଶ କରାଯାଏ ଯଥା :-
ग़ज़ल, फ़र्ज़, फ़िज़ा ଇତ୍ୟାଦି l ଇଂରାଜୀରେ ମଧ୍ୟ G, J, S, Z, Scz ଇତ୍ୟାଦିର ସମସ୍ୱନିମ ଭାଵରେ ଵ୍ୟଵହାର ରହିଛି l  ଓଡ଼ିଆରେ ଵର୍ଗ୍ୟ ‛ଜ’ ଓ ଅଵର୍ଗ୍ୟ ‛ଯ’ ଦୁଇଟି ସହ ‘ୟ’ ମଧ୍ୟ ଵ୍ୟଵହାର ହୁଏ ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଭିନ୍ନ ପରିଚୟ ପ୍ରଦାନ କରେ କିନ୍ତୁ ଆମ ଭୁଷପଣ୍ଡିତେ ଏ ମୌଳିକ ଓଡ଼ିଆ ଵୈଶିଷ୍ଟ୍ୟକୁ ମାରିବା ଷଡ଼ଯନ୍ତ୍ରରେ ନିମଗ୍ନ l 

ବଙ୍ଗାଳୀ ଅନୁକରଣରେ ମଧ୍ୟ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ଚକ୍ରାନ୍ତ ହୋଇଥିଲା । ❝‘ବ’ ଓ ‘ଵ’ କୁ ମିଶାଇ ଓଡ଼ିଆରେ ମଧ୍ୟ ଏକ କରିଦେଵା❞ ଥିଲା ଆମ ପୂର୍ଵ ଦୁଇ ଵା ତିନି ପିଢ଼ିଙ୍କର ଦ୍ୱାରା ବଙ୍ଗାଳୀ ଲିପିର ହନୁକରଣ ।ଏ ଚକ୍ରାନ୍ତର ପ୍ରଭାଵ ଯୋଗୁଁ  ଆଜି ଅଧିକାଂଶ ଓଡ଼ିଆ   ‛ଵ’ କୁ ଅନାଵଶ୍ୟକ ମନେ କରନ୍ତି ।
ବଙ୍ଗଳାରେ ଉଭୟ ‘ବ’ ଓ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ব’ ରହିଛି l ବଙ୍ଗଳା ର ହନୁକରଣ ଯୋଗୁଁ  ଓଡ଼ିଆଙ୍କର ଇଂରାଜୀ ଓ ସଂସ୍କୃତ ଉଚ୍ଚାରଣ ଵିକୃତ ଓ ହାସ୍ୟାସ୍ପଦ ହୋଇପଡ଼ିଲା ଯଥା: ଟେଲିଵିଜନ କୁ ପଢ଼ିଲେ ଟେଲିଭିଜନ ତଥା ‘ଵୋଡ଼ା’ ଫୋନ୍ କୁ କହିଲେ ‘ଭୋଡ଼ା’ ଫୋନ୍, ‘ଭଲ’ (bhala) କୁ ଲେଖିଲେ ‘ଵଲ’ (vala) l

ଲିପିସଂହାରକମାନେ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ ଓ ଶକ୍ତିହୀନ କରିଦେଵା ପ୍ରୟାସରେ ଆଜି ବି ଚେଷ୍ଟିତ । କୌଣସି ଭାଷାକୁ ମାରିବାକୁ ହେଲେ ପ୍ରଥମେ କିଛି ଅକ୍ଷରକୁ ମାରିଦିଆଯାଏ ଼ ଲିପି ପଙ୍ଗୁ ହୋଇଗଲେ ଶବ୍ଦର ବୈଜ୍ଞାନିକତା ନଷ୍ଟ ହେବ ଆଉ ତାପରେ ଭାଷା ଆପେ ଆପେ ମରିଯିବ l ଏକଥା ଲିପିସଂହାରକମାନେ ହୃଦବୋଧ କରିନାହାନ୍ତି । ଦୁର୍ଭାଗ୍ୟର ଵିଷୟ ଓଡ଼ିଶାରେ ଆଜି ନିଜକ ଓଡ଼ିଆ ରକ୍ଷକ କହୁଥିଵା ବୁଦ୍ଧିଜୀଵୀମାନେ ହିଁ ନିଜର ଅଦୂରଦର୍ଷିତା ଯୋଗୁଁ ଲିପିସଂହାର ରୂପ ଲିପି ସଂସ୍କାରକୁ ସମର୍ଥନ କରି ଭକ୍ଷକ ସାଜିଛନ୍ତି l ଯେଉଁମାନେ ଭାଷା ପାଇଁ ବାଟ ଦେଖାଇବା କଥା, ସେମାନେ ନିଜେ ବାଟ ହୁଡ଼ି ଅବାଟରେ ଚାଲିଛନ୍ତି । ସମସ୍ୱନିମ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଵା ଲୋକ ହିଁ ଅନ୍ଧ ହୋଇଛନ୍ତି , ମାତୃଭାଷାକୁ ଟାଣି ଅନ୍ଧାରକୁ ନେଉଛନ୍ତି  l ଓଡ଼ିଶାର ବୁଦ୍ଧିଜୀଵିମାନେ ବୁଝିଵା କଥା ଯେ ପ୍ରତ୍ୟେକ ଭାଷାରେ କିଛି ଭଲ, କିଛି ଦୁର୍ଵଳତା ଥାଏ ଯାହା ସେହି ଭାଷାର ପରିଚାୟକ ଓ ଵୈଶିଷ୍ଟ୍ୟ l ଆମେ ଅନ୍ୟର ଭଲକୁ ଗ୍ରହଣ ନ କରି ଯଦି ଏମିତି କେଵଳ ଦୁର୍ବଳତାକୁ ଅନୁକରଣ କରିଚାଲିଵା ତେବେ ଆମ ଭାଷା ନିଜର ମୌଳିକତା ହରାଇଵା ସହ ଏକ ହାସ୍ୟାସ୍ପଦ ଭାଷାରେ ପରିଣତ ହେବ l 

🟢🟢🟢🟢🟢🟢🟢🟢
ତଥ୍ୟ ସଂଗ୍ରହ — ଶିଶିର ସାହୁ ମନୋଜ  ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
ସମ୍ପାଦନା — ଶିଶିର ସାହୁ ମନୋଜ
🟢🟢🟢🟢🟢🟢🟢🟢

Friday, February 11, 2022

ସୂର୍ଯ୍ୟ ମନ୍ଦିର କୋଣାର୍କ : ଏକ ସୂର୍ଯ୍ୟ ଘଡ଼ି ( ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

ସୂର୍ଯ୍ୟ ମନ୍ଦିର କୋଣାର୍କ  : ଏକ ସୂର୍ଯ୍ୟ ଘଡ଼ି
      ( ଉପସ୍ଥାପନା; ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )

କୋଣାର୍କର ଗାଣିତିକ ନିର୍ମାଣ ଶୈଳୀ ଏହାକୁ କରିଦେଇଛି ଵର୍ଷ, ମାସ, ଦିନ ଓ ମୂହୁର୍ତ୍ତ ପର୍ଯ୍ୟନ୍ତ ସମୟ ନିର୍ଣ୍ଣାୟକ ଘଡ଼ି ! ତାହା ବି ପୃଥିଵୀର ସର୍ଵଵୃହତ୍  ପ୍ରାଚୀନ ଘଡ଼ି ଅଟେ । 

ଆମେ ତନ୍ମଧ୍ୟରୁ ହୃତ ପାଷାଣ ସୂର୍ଯ୍ୟ ପ୍ରତିମା କଥା ଚିନ୍ତା କରୁ କରୁ ଭୁଲିଯାଉ ମହାଜାଗତିକ ସୂର୍ଯ୍ୟ ଚନ୍ଦ୍ର ଯିଏ ଆଜି ବି ଵିଛୁରିତ ରଶ୍ମୀରେ ଏହି ଛାୟାଯନ୍ତ୍ରରେ ଦିଵାନିଶି ସମ୍ୟଞ୍ଚ ସମୟ ନିର୍ଦ୍ଧାରଣ କରୁଥାନ୍ତି ।

  କୋଣାର୍କରେ ଅଛି ୨୪ଟି ଚକ୍ର ଏଵଂ ୨୪ ଘଣ୍ଟିଆ ସମୟ ଚକ୍ର ହେତୁକ ଗଢାଯାଇଛି ।
 ପ୍ରତି ଚକ୍ରରେ ଅଛି ଆଠଗୋଟି ଅରକ ତଥା ଏହି ଆଠଟି ଅରକ ଆଠଗୋଟି ପ୍ରହରକୁ ସୂଚାଇଥାଏ  l
ଦିଵାରାତ୍ରର ଏହି ଆଠଗୋଟି ପ୍ରହରକୁ ଅଷ୍ଟପ୍ରହର କୁହାଯାଏ ।‌ଆଗେ ଭାରତରେ ଦିନର ଚାରି ପ୍ରହର ଓ ରାତିର ଚାରି ପ୍ରହର ଏପରି ଆଠ ପ୍ରହରକୁ ନେଇ ଦିନରାତି ଗଣନା କରାଯାଉଥିଲା ।‌

ଏକଦିଵାରାତ୍ରୀର ମୋଟ ୨୪ ଘଣ୍ଟାକୁ ତିନିଘଣ୍ଟା ଲେଖାଏଁ ଏକ ଏକ ପ୍ରହର ଵା ଯାମରେ ବଣ୍ଟନ କରାଯାଉଥିଲା । ଅର୍ଥାତ୍ ପ୍ରତ୍ୟେକ ପ୍ରହର ତିନିଘଣ୍ଟା ସମୟର ହେଉଥିଲା । 

ବଡି଼ଭୋର,ସକାଳ,ଦ୍ଵିପହର,ଅପରାହ୍ନ, ସନ୍ଧ୍ୟା,ରାତ୍ରୀ,ଅର୍ଦ୍ଧରାତ୍ରୀ ଓ ପାହାନ୍ତା ଏହିପରି ଆଠଭାଗରେ ଦିଵାରାତ୍ରୀକୁ ଆଠଗୋଟି ପ୍ରହରରେ ଵିଭକ୍ତ କରାଯାଇଥିଲା । 

ଓଡ଼ିଆ ଭାଗଵତର ତୃତୀୟ ସ୍କନ୍ଧ ଏକାଦଶ ଅଧ୍ୟାୟରେ କାଳର ପରିମାଣ ଏମନ୍ତ  ଵର୍ଣ୍ଣିତ ହୋଇଅଛି...

“ଶୁଣ ଵିଦୁର ଏକଚିତ୍ତେ ।
ସେ କାଳରୂପ ସଂଖ୍ୟା ଯେତେ ॥
ନିମିଷ ଆଦି ରୂପ ତାର । 
ଯେମନ୍ତେ ପୂରଇ ଵତ୍ସର ॥
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । 
ଅଣୁ ତହିଁରୁ ଅଟେ ସାନ ॥
ହେ କୁରୁଵୀର ଶୁଣ ତୁହି । 
କହିବି ପରମାଣୁ ମୁହିଁ ॥
ଯାହା ଵିଭାଗ ନ ଲଭଇ । 
ସଂଯୋଗେ ଭାବ ଯାର ନାହିଁ ॥
ଯାହା ସର୍ଵଦା ଵର୍ତ୍ତମାନ । 
ତାହାର ପରମାଣୁ ନାମ ॥
ଅଣୁର ଅର୍ଦ୍ଧ ପରମାଣୁ । 
ତ୍ରିଭାଗେ ହୋଏ ତ୍ରସରେଣୁ ॥
ତୃତୀୟ ତ୍ରସରେଣୁ ଯେହି । 
ତାହାକୁ ତ୍ରୁଟି ବୋଲି କହି ॥
ଶଏ ତ୍ରୁଟିରେ ବେଧ ହୋଏ ।
 ତ୍ରିବେଧେ ଲଵ ନାମ ବହେ ॥
ତ୍ରିଲବ କାଳ ଅଟେ ଯେହି । 
ନିମିଷ ବୋଲି ତାକୁ କହି ॥
ତିନି ନିମିଷେ ଏକ କ୍ଷଣ । 
ପଞ୍ଚ କ୍ଷଣରେ କାଷ୍ଠା ପୁଣ ॥
କାଷ୍ଠା ପନ୍ଦର ଯେବେ ହୋଇ ।
 ତାହାକୁ ଲଘୁ ବୋଲି କହି ॥
ଏ ପଞ୍ଚଦଶ ଲଘୁ ଘେନ । 
ନାଡ଼ି ବୋଲିଣ ତାକୁ ଜାଣ ॥
ବେନି ନାଡ଼ିରେ ଯେ ମୁହୂର୍ତ୍ତ । 
ପ୍ରହର ଷଟ ଅଵା ସପ୍ତ ॥
ତାହାକୁ ଯାମ ବୋଲି କହି । 
ଅଷ୍ଟମେ ଅହୋରାତ୍ର ହୋଇ ॥
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ ।
 ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ॥
ଚାରି ଅଙ୍ଗୁଳି ଦୀର୍ଘ କରି । 
ଚତୁରମସେ ଚୂତୀ ଗଢ଼ି ॥
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । 
କରିବ ଆୟାମ ଵିସ୍ତାରି ॥
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । 
ଏମନ୍ତେ କାଳର ନିର୍ଣ୍ଣୟେ ॥
ଅଷ୍ଟପ୍ରହରେ ଦିଵା-ରାତ୍ରି । 
କାଳଜ୍ଞେ ଏମନ୍ତ ଗଣନ୍ତି ॥
ପନ୍ଦର ଅହୋରାତ୍ରେ ପକ୍ଷ ।
 ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ॥
ଏ ବେନିପକ୍ଷେ ହୁଏ ମାସ । 
ପିତୃଙ୍କ ରାତ୍ରି ଯେ ଦିଵସ ॥
ଦ୍ୱିମାସେ ଋତୁ ଏକ ହୋଇ ।
 ଵସନ୍ତ ଆଦି ଷଟ ସେହି ॥
ଏକ ଅୟନେ ଋତୁ ତିନି । 
ଉତ୍ତର ଦକ୍ଷିଣ ଯେ ବେନି ॥
ବେନି ଅୟନେ ସମ୍ବତ୍ସର ।
ଏମନ୍ତେ ଗଣନା କାଳର ॥
ଦେଵଙ୍କୁ ଅହୋରାତ୍ର ହୁଏ । 
ମନୁଷ୍ୟ-ଵରାଷ ବୋଲାଏ ॥
ଏମନ୍ତେ ଶତେକ ଵରଷ । 
ମନୁଷ୍ୟ ପରମାୟୁ ଶେଷ ॥”

ଅର୍ଥାତ୍ ଭାଗଵତ ଅନୁସାରେ...
୨ ପରମାଣୁ = ୧ଅଣୁ 
୩ ଅଣୁ  = ୧ ତ୍ରସରେଣୁ 
୩ ତ୍ରସରେଣୁ = ୧ ତ୍ରୁଟି
୧୦୦ ତ୍ରୁଟି = ୧ ବେଧ 
୩ ବେଧ  = ୧ ଲବ
୩ ଲବ  = ୧ ନିମେଷ 
୩ ନିମେଷ = ୧ କ୍ଷଣ
୫କ୍ଷଣ = ୧ କାଷ୍ଠା 
୧୫  କାଷ୍ଠା = ୧ ଲଘୁ 
୧୫ ଲଘୁ = ୧ ନାଡ଼ି ବା ଦଣ୍ଡ
୨ ଦଣ୍ଡ = ୧ ମୁହୂର୍ତ୍ତ 
6 କିମ୍ବା 7ଦଣ୍ଡ =  ୧ ପ୍ରହର ଵା ଯାମ 
୪ ପ୍ରହର = ୧ ଦିବା
୮ ପ୍ରହର ଵା ଯାମ =  ୧ ଅହୋରାତ୍ର ୧୫ ଅହୋରାତ୍ର = ୧ ପକ୍ଷ
 ୨ ପକ୍ଷ = ୧ ମନୁଷ୍ଯ ମାସ 
 ୨ ମାସ =  ୧ ଋତୁ 
 ୩ ଋତୁ = ୧ ଅୟନ
 ୨ ଅୟନ = ୧ ମନୁଷ୍ଯ ବର୍ଷ
 ୧୨ ମାସ ଓ ଷଡ଼ଋତୁକୁ ନେଇ ଏକ ଵର୍ଷ । 

କୋଣାର୍କର ଏହି ଵୃହତ୍ ଘଡ଼ି ଵ୍ୟଵହାର କରି ପ୍ରୋକ୍ତ ଭାରତୀୟ ସମୟ ଗଣନା ପଦ୍ଧତି ଅନୁସାରେ 
ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଚନ୍ଦ୍ରଜ୍ୟୋତ୍ସ୍ନା ସାହାଯ୍ୟରେ  ଏହି ଛାୟାଯନ୍ତ୍ରରୁ ସମୟକୁ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଉଥିଲା ।

କୋଣାର୍କ ମନ୍ଦିରର ୨୪ଟି ଚକ୍ରଯୁକ୍ତ ପିରାମିଡ଼ ଭଳି ଜଗମୋହନର ଦୈର୍ଘ୍ୟ-ପ୍ରସ୍ଥ ୩୬ × ୩୬ ମିଟର ଅଟେ  । 

ଏହା ଭାରତର ସୁରଟ୍ ସ୍ଥିତ ବୃହତ୍ତମ ପରିଗଣିତ ୨୪ ମିଟର୍ ଵ୍ୟାସର ଘଣ୍ଟା ଠାରୁ ବି ବଡ଼ ଅଟଇ  ।

 ଜଗମୋହନ ସହ କୋଣାର୍କର ଗର୍ଭଗୃହ, ନଟମନ୍ଦିର, ଭୋଗମନ୍ଦିର ଆଦିକୁ ମିଶାଇଲେ, ଏହା ପୃଥିଵୀର ଵୃହତ୍ତମ ପରିଗଣିତ ସାଉଦି ଆରବୀୟ-ଘଣ୍ଟାକୁ ମଧ୍ୟ ଆକାରରେ ଟପିଯିଵ । 

କୋଣାର୍କ ମନ୍ଦିରର ନିର୍ମାଣ ବହୁତ ସମ୍ଭଵ ସମୟଗଣନ ପାଇଁ ହୋଇଥିଵା ହୃଦବୋଧ ହୋଇଥାଏ । 

ନିଶ୍ଚୟ କଳିଙ୍ଗୀମାନେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଜାଣିଥିଲେ ତେଣୁ ସେମାନେ ଏହି ଛାୟାଘଡି଼ ରୂପ କୋଣାର୍କ ମନ୍ଦିରର ଆରାଧ୍ଯ ଦେଵ ଭାବରେ ସୂର୍ଯ୍ୟଦେଵଙ୍କୁ 
ସ୍ଥାପିତ କରିଥିଲେ । 

ନିର୍ଭୁଲ ଭାସ୍କର୍ଯ୍ୟ ଥାଇ ମଧ୍ୟ କୋଣାର୍କ ଆଜି “ଅପୂଜା ଦେଉଳ" । ନିର୍ଭୁଲ ସମୟ ଦର୍ଶାଇ ମଧ୍ୟ କୋଣାର୍କକୁ “ପୃଥିଵୀର ସର୍ଵଵୃହତ୍ ପ୍ରାଚୀନ ଘଡ଼ି”ର ମାନ୍ୟତା କାହିଁକି ମିଳିନାହିଁ ?

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ବନ୍ୟନୁକରଣ କ'ଣ ?
          ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 

କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।

 ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ  Onomatopoeia  ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ । 
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା ‌ । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ 
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ  ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ । 

 ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...
 
ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି । 

ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ  ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି । 

ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?

କୁକୁଡ଼ାର କକ୍ କକ୍ ଶବ୍ଦ  ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।

ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ ‌ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି । 

ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ ।  ଅହମିଆରେ ବିଲେଇକୁ  বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା ‌ । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର  Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ ।  ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ  貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫  (māo), 貓兒/ 猫儿  (māor) କୁହାଯାଏ ।‌ ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।  ପୁନଶ୍ଚ ଛେଳି  ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ  ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି ।‌ ମୁଣ୍ଡା ଭାଷାରୁ ମେରିମ୍  ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି । 
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।‌

 ଇଂରାଜୀରେ କେତେକ  ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ । 

ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି । 

ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:

ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ? 

ହଁ ଅଛି !  ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା । 

🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି

🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।

“ଉଦୁମୁ ଦୁମା, ତାଳ ଗୋଟମା, 
ନୂଆ ପାହୁରାଣୀ ପିତଳସମା, 
ହରଚଣ୍ଡିଙ୍କର ଭାଇ ମଲା, 
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
 କି ମାଡ଼ ମାଇଲୁ ଭାଇ
  ଚାରିକୁଣିଆ ବସା ॥”
  
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି

🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍ 
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି

🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି

🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି । 

🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ ।  

🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ  ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା  ସ୍ପଷ୍ଟ ।

🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ । 

🟠ଖିଖି 
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।

🟠ଘୁମୁରା 
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି । 

🟠ଚଡ଼କ/ଚଡ଼ଚଡ଼ି
 ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି । 

🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି । 

🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ । 

🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।

🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ  ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ  ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ

🟠ଭଡ଼କା 
  ଭଡ଼କା ଅନ୍ୟତମ ଓଡ଼ିଆ  ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ  ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ‌ ।

🟠ମୁଡୁ଼କି 
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ‌।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି । 

🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ । 
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ । 

🟠ଶକେଇବା 
 ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି । 

🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି । 

🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ 

🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି । 

🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ ।  କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ । 

🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ  ହୋଇଥାଏ ‌ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି । 

🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ ‌ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ‌ ।

ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ ‌ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍‌ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି ।  ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ । 

ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ ‌।  ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

Saturday, January 22, 2022

■ ସଂସାରଗୁରୁ ■

କାମଦେଵଙ୍କୁ ସଂସାରଗୁରୁ କାହିଁକି କୁହାଯାଏ ?

ଆମଦେଶରେ ସଂସାରଗୁରୁ ବୋଲି ଶବ୍ଦଟିଏ ପ୍ରଚଳିତ । ଷଷ୍ଠୀ ତତ୍ ପୁରୁଷ ସମାସ ଆଧାରରେ ସଂସାର ଗୁରୁ ଶବ୍ଦର ସୃଷ୍ଟି । ଭଗଵାନ,ଜଗଦ୍ଗୁରୁ,ସମଗ୍ର ଜଗତର ପୂଜ୍ୟ ଯେ ତାଙ୍କୁ ସଂସାରଗୁରୁ କୁହାଯାଏ । ତେବେ  କାମଦେଵଙ୍କୁ ମଧ୍ୟ ସଂସାରଗୁରୁ କୁହାଯାଇଥାଏ । 

ମନରେ ପ୍ରଶ୍ନ ଆସେ କାମଦେଵଙ୍କୁ କାହିଁକି ସଂସାରଗୁରୁ କୁହାଯାଏ ? 

କଵିସୂର୍ଯ୍ୟ ବଳଦେଵ ରଥ ଲେଖିଛନ୍ତି 
“ପୁରୁଷ ତୁଲେ କି ଖେଳିବୁ ସଂସାରଗୁରୁ—ସମର— ପ୍ରାଙ୍ଗଣେ”

ଏଠାରେ କାମଦେବଙ୍କୁ ସଂସାରଗୁରୁ କୁହାଯାଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ‌ ।

ସଂସାର କହିଲେ ଆମେ ବୁଝୁ ଜଗତ ଵା ମର୍ତ୍ତ୍ଯଲୋକ,ମାୟାବନ୍ଧନ, ମାୟାଜନ୍ଯ ବ୍ଯସନ, ସାଂସାରିକ ଵିଷୟ, ସ୍ତ୍ରୀ ପୁତ୍ର କନ୍ୟା ସମ୍ବଳିତ ପରିଵାର,ଗାର୍ହସ୍ଥ୍ଯ ଵା ଘରକରଣା ଓ ଜନସମାଜ ଇତ୍ୟାଦି ସେହିପରି ଆଚାର୍ଯ୍ୟ ଵା ଅଧ୍ଯାପକଙ୍କୁ ଗୁରୁ କୁହାଯାଏ । ପିତା,ମନ୍ତ୍ରଦାତା, ପୂର୍ଵପୁରୁଷ, ପୁରୋହିତ,ସମ୍ମାନାର୍ହ ଵ୍ୟକ୍ତି,ନିୟମକାରକ  ଵ୍ୟକ୍ତି,ଦେଵଗୁରୁ ଵୃହସ୍ପତି ଓ ଵୃହସ୍ପତିଗ୍ରହ ତଥା ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁ କୁହାଯାଏ । ବୃହସ୍ପତି ପୁଷ୍ୟା ନକ୍ଷତ୍ରର ଅଧିଷ୍ଠାତା ଦେଵ ହୋଇଥିଵାରୁ ପୁଷ୍ଯାନକ୍ଷତ୍ରକୁ ବି ପୂର୍ଵେ ଗୁରୁ କୁହାଯାଇଛି ‌ । ପୁଣି ଓସ୍ତାତ୍ ଵା  ନାଟ ଓ ସଙ୍ଗୀତ ଶିକ୍ଷକଙ୍କୁ ବି ଗୁରୁ କହିଥାନ୍ତି । ବ୍ରହ୍ମାଙ୍କୁ ,ଦୀର୍ଘସ୍ବରକୁ, ପରମାତ୍ମାଙ୍କୁ ମଧ୍ୟ ଗୁରୁ କୁହାଯାଏ ।  ଶ୍ରୀଵିଷ୍ଣୁ ଓ ଶିଵ ଗୁରୁ କଥିତ ହୋଇଛନ୍ତି  । ଭାରି,ଵିଷମ,ଉତ୍କଟ,ଦୁର୍ଗମ, ଦୁସ୍ତର,ଶ୍ଳାଘ୍ଯ ଵା ପୂଜନୀୟ,ଅପରାଜେୟ,ଦୁର୍ଵାହ,ମହତ୍,ପରାକ୍ରାନ୍ତ,ବଡ଼,କଠିନ,ଅଧିକ,ଅତିଶୟ, ଉତ୍କୃଷ୍ଟ ,ପ୍ରୟୋଜନୀୟ,ବହୁକାଳସ୍ଥାୟୀ ଓ ପ୍ରିୟ ଆଦି ଅର୍ଥରେ ସୁଦ୍ଧା ଗୁରୁ ଶବ୍ଦର ଵ୍ୟଵହାର ହୋଇଥାଏ ।  ଯାହା ସହଜରେ ଜୀର୍ଣ୍ଣ ହୁଏ ନାହିଁ ତାକୁ ମଧ୍ୟ ଗୁରୁ କହିଥାନ୍ତି । 

ତାହେଲେ କାମଦେବ ସଂସାରଗୁରୁ କେମିତି ଅଟନ୍ତି ଵା କାହିଁକି କାମଦେବଙ୍କୁ ସଂସାରଗୁରୁ କୁହାଯାଏ ?

ସମ୍ଭଵତଃ ସଂସାରରେ କାମଦେଵ ପୂଜନୀୟ ବୋଲି ତାଙ୍କୁ ସଂସାରଗୁରୁ କୁହାଯାଏ । କିନ୍ତୁ କାମଦେଵ କାହିଁକି ପୂଜନୀୟ ଅଟନ୍ତି ? କାରଣ  ଜୀବମାନଙ୍କ ମନରେ କାମଦେଵ କାମନା ଜାଗ୍ରତ କରନ୍ତି ‌ । ଫଳତଃ ଜୀଵମାନେ ପ୍ରଜନନ କରିଵାକୁ ଇଚ୍ଛା କରନ୍ତି ଏଵଂ କେଵଳ ପ୍ରଜଜନ କ'ଣ ଅନ୍ୟ ସମସ୍ତ ଵିଷୟରେ ସେମାନଙ୍କ ମନରେ କାମନା ଜାତ ହୋଇଥାଏ ।‌  

ସେହିପରି ସଂସାରରେ ସର୍ଵଜନପ୍ରିୟ ବୋଲି ମଧ୍ୟ କାମଦେଵଙ୍କୁ ସଂସାରଗୁରୁ କୁହାଯାଇପାରେ । ସଂସାରରେ କାମ ଓ କାମନା କରିଵା ଗୁଣ ପ୍ରାୟ ସବୁ ଜୀଵଙ୍କ ପାଖରେ ସୁଲଭ ଭାବେ ଉପଲବ୍ଧ। ଏମନ୍ତକି ସାଧକ ମଧ୍ୟ ଈଶ୍ଵରଦର୍ଶନ କାମନା କରିଥାଏ । ଏ ଦୃଷ୍ଟିରୁ କାମଦେଵ କାମନାଦାତା ହୋଇଥିଵାରୁ ସର୍ଵଜନ ପ୍ରିୟ ଦେଵ ଅଟନ୍ତି ‌। 

ସେହିପରି ଗୁରୁ ଶବ୍ଦର ଏକ ଅର୍ଥ ଅପରାଜେୟ ଏଵଂ ଏହି ଅର୍ଥ ଆଧାରରେ ସଂସାରଗୁରୁ ଶବ୍ଦର ଵିଶ୍ଲେଷଣ କରି ମଧ୍ୟ କୁହାଯାଇପାରେ ଯେ ହଁ ପ୍ରକୃତରେ କାମଦେଵ ସଂସାରଗୁରୁ ଅଟନ୍ତି । 

ସଂସାରରେ ବଡ଼ ବଡ଼ ଯୋଗୀ ଋଷି ବି କାମଦେଵଙ୍କୁ ପରାଜିତ କରିପାରିନାହାନ୍ତି କି ଯେତେବଡ଼ ସାଧକ ହୋଇଥାଉ କାମ ଓ କାମନାକୁ ଦବାଇଵା ତା ପାଇଁ ସହଜ ହୋଇନଥାଏ ‌ । ଫଳତଃ ଏ ଦିଗରୁ ମଧ୍ୟ କାମଦେଵଙ୍କୁ ସଂସାରଗୁରୁ ବୋଲି କୁହାଯାଇପାରେ । 

(ଶିଶିର ସାହୁ ମନୋଜ)

Friday, January 14, 2022

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ଵନ୍ୟନୁକରଣ ଓ ଧ୍ବନ୍ୟନୁକାରୀ ଶବ୍ଦ:

ଧ୍ବନ୍ୟନୁକରଣ କ'ଣ ? 
             ଉପସ୍ଥାପନାରେ ; ✍ ଶିଶିର ସାହୁ ମନୋଜ 

କୌଣସି ପ୍ରାକୃତିକ ଧ୍ବନିର ଅନୁକରଣରେ ସୃଷ୍ଟି ହୋଇଥିଵା ଶବ୍ଦକୁ ଧ୍ବନ୍ୟନୁକାରୀ ଶବ୍ଦ କୁହାଯାଏ । ଆଧୁନିକ ଯୁଗରେ ଯନ୍ତ୍ରାଦିର ଧ୍ଵନିରୁ ମଧ୍ୟ କେତେକ ଧ୍ଵନ୍ୟନୁକରଣ ଶବ୍ଦ ସୃଷ୍ଟି ହୋଇଛି (ଯଥା tik tik,beep,boom ଇତ୍ୟାଦି)।

 ଭାଷାଵିଜ୍ଞାନରେ ଏହି ପ୍ରକ୍ରିୟାକୁ  Onomatopoeia  ଏଵଂ ଧ୍ଵନ୍ୟନୁକରଣ ଶବ୍ଦଗୁଡି଼କୁ onomatopoeic ଵା onomatopoetic ଶବ୍ଦ କୁହାଯାଏ । 
ଭାଷାଵିଦମାନେ କୁହନ୍ତି ପ୍ରଥମେ ମନୁଷ୍ୟମାନେ ହସ୍ତମୁଖାଦି ଭାଵଭଙ୍ଗୀର ଠାରଦ୍ଵାରା ଭାଵଵିନିମୟ କରୁଥିଲେ । କ୍ରମେ ଏହାର ସ୍ଥାନ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ନେଇଥିଲା ‌ । ସେହିସବୁ ପ୍ରାରମ୍ଭିକ ଶବ୍ଦ ମଧ୍ୟରେ ଅନେକ ଶବ୍ଦ ଧ୍ଵନ୍ୟନୁକାରୀ ଶବ୍ଦ ଥିଲା । ମାନଵସଭ୍ୟତାର ଦୃତ 
ସମ୍ପ୍ରସାରଣ ତଥା ଅଭିଵୃଦ୍ଧି ସହିତ ଵିଭିନ୍ନ ଅଞ୍ଚଳର ଭାଷା ଵିକଶିତ ହେଵାରୁ  ତହିଁର ଶବ୍ଦଗଠନ ମଧ୍ୟ ଜଟିଳରୁ ଜଟିଳତର ହେଵାକୁ ଲାଗିଲା । ମାତ୍ର ପୃଥିଵୀର ଅନେକ ଭାଷାରେ ଧ୍ଵନ୍ୟନୁକରଣରୁ ସବୁ ସମୟରେ ନୂଆ ନୂଆ ଶବ୍ଦ ସୃଷ୍ଟି ହେଵା ବନ୍ଦ ହୋଇନଥିଲା । ଫଳରେ ଆଜି ମଧ୍ୟ ପ୍ରାୟ ପ୍ରତ୍ୟେକ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ଦୃଶ୍ୟ ହୋଇଥାଏ । 

 ଵିଭିନ୍ନ ଭାଷାରେ ଧ୍ଵନ୍ୟନୁକରଣ...
 
ଧ୍ବନି ଅନୁସାରେ ଶବ୍ଦର ଗଠନ ଅତି ପ୍ରାଚୀନ । ସଂସ୍କୃତ ଭାଷା ଗୋଟିଏ ପ୍ରାଚୀନ ଶାସ୍ତ୍ରୀୟ ଭାଷା ତେବେ ଏହି ଭାଷାର ମୂଳ ଧାତୁଗୁଡି଼କର ସୃଷ୍ଟି ଧ୍ଵନ୍ୟନୁକରଣରୁ ହୋଇଥିଵା ଅନେକ ଗଵେଷକ ମତ ଦେଇଛନ୍ତି । ଉଦାହରଣ ସ୍ୱରୂପ ପତ୍ରର ପତ୍ ପତ୍ ଶବ୍ଦରୁ ପତ୍ ଧାତୁ(ପଡି଼ଵା) ଓ ଜଳର କଳ କଳ ଧ୍ଵନିରୁ କଳ୍ ଧାତୁ(ଧ୍ଵନିକରିଵା,ଗମନ କରିଵା) ସୃଷ୍ଟି ହୋଇଛି । ସଂସ୍କୃତର ଅନେକ ମୂଳ ଧାତୁ ଧ୍ବନ୍ୟନୁକରଣ ଆଧାରରେ ସୃଷ୍ଟି କରାଯାଇ ସେହି ସବୁ ଧାତୁ ଶବ୍ଦରୁ ପୁଣି ସହସ୍ର ସହସ୍ର ଶବ୍ଦ ସୃଷ୍ଟି ହୋଇଛି । 

ଧ୍ବନ୍ୟନୁକରଣ ଏକ ସ୍ଵାଭାଵିକ ପ୍ରାକୃତିକ ପ୍ରକ୍ରିୟା ଏଵଂ  ଧ୍ଵନ୍ୟନୁକରଣରୁ ପୃଥିଵୀର ପ୍ରାୟ ସମସ୍ତ ଭାଷାରେ ଧ୍ଵନ୍ୟନୁକାରୀ ଶବ୍ଦ ମିଳିଥାଏ । ତେବେ ସଂସ୍କୃତ ଭାଷାରେ ମୂଳ ଧ୍ଵନ୍ୟନୁକରଣ ଶବ୍ଦକୁ √root ଵା ଧାତୁ ରୂପେ ଗ୍ରହଣ କରାଯାଇଛି । 

ଇଂରାଜୀରେ କୁକୁଡ଼ାକୁ cock କୁହାଯାଏ । ଏହି cock ଶବ୍ଦଟି ପ୍ରାକ୍ ଜର୍ମାନିକ୍ kukkaz ଶବ୍ଦ ସହିତ ସମୋଦ୍ଧୃତ କିନ୍ତୁ kukkaz ଶବ୍ଦଟି କୁଆଡୁ଼ ଆସିଲା ?

କୁକୁଡ଼ାର କକ୍ କକ୍ ଶବ୍ଦ  ପ୍ରାକ୍ ଜର୍ମାନିକ୍ ଭାଷାରେ ଏହି ପକ୍ଷୀର ଏକ ନାମ keukô ରୂପେ ଗ୍ରହଣୀୟ ହୋଇଥିଲା ଏଵଂ ଆଜି ଏହା ଅନେକାଂଶରେ ପରିଵର୍ତ୍ତିତ ହୋଇ ଇଂରାଜୀରେ cock ହୋଇଅଛି ।

ଓଡ଼ିଆ ଭାଷାର କୁକୁଡ଼ା ଶବ୍ଦଟି ସଂସ୍କୃତର କୁକ୍କୁଟ ସହିତ ସମୋଦ୍ଧୃତ ବୋଲି ଅନେକେ ମାନନ୍ତି । କଳ୍ପଦ୍ରୁମ ଅଭିଧାନ ଅନୁସାରେ “କୁକ୍ + ସମ୍ପଦାଦିତ୍ଵାତ୍ କ୍ଵିପ୍ । କୁକା ଆଦାନେନ କୁଟତୀତି । କୁଟ + କଃ ।” ଆଧାରରେ କୁକ୍କୁଟ ଶବ୍ଦର ସୃଷ୍ଟି । ଅର୍ଥାତ୍ କୁକ୍କୁଟ ଶବ୍ଦର ମୂଳ ମଧ୍ୟ କୁକୁଡ଼ା ଶବ୍ଦର ଧ୍ଵନ୍ୟନୁକରଣ କୁକ୍ ଶବ୍ଦ ଅଟେ ‌ । କାକ ଓ କାଉ ମଧ୍ୟ କୁଆର କା କା ଧ୍ଵନ୍ୟନୁକରଣର ସୃଷ୍ଟି ହୋଇଛି । 

ଏହିପରି ବିଲେଇର ମିଆଁଉ ମିଆଁଉ ଶବ୍ଦକୁ ନେଇ ଵିଭିନ୍ନ ଭାଷାରେ ସୃଷ୍ଟି ହୋଇଥିଵା କେତେକ ଧ୍ବନ୍ୟନୁକରଣ ଶବ୍ଦ ସମ୍ବନ୍ଧରେ ଆଲୋଚନା କରାଯାଉ ।  ଅହମିଆରେ ବିଲେଇକୁ  বিৰালী (birali) ଓ মেকুৰী (mekuri) କୁହାଯାଏ । মেকুৰী (mekuri) ଶବ୍ଦଟି ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ସେହିପରି ବଙ୍ଗଳା
ରେ মেকুর (mekura) ତଥା ଉତ୍ତର ଓଡ଼ିଆ ଶୈଳୀରେ ଏହି ଧ୍ଵନ୍ୟନୁକରଣ ଆଧାରରେ ବିଲେଇର ନାମ ମେଇଁ ରଖାଯାଇଥିଲା ‌ । ଚୀନ ଦେଶୀୟ ଭାଷାଗୁଡି଼କରେ ସାଧାରଣତଃ ଧ୍ଵନ୍ୟନୁକରଣ ଶବ୍ଦ ଅଧିକ ଦୃଶ୍ୟ ହୋଇଥାଏ । ଫଳତଃ ସେଠାକାର  Dungan ଭାଷାରେ ବିଲେଇକୁ мо (mo), мор (mor), мимо (mimo) ଓ мимор (mimor) କୁହାଯାଏ ।  ଚୀନ ଦେଶୀୟ Hakka ଭାଷାରେ ବିରାଡ଼ିକୁ  貓仔, 猫仔 (meu-é) ଓ
Mandarin ଭାଷାରେ 貓 /猫  (māo), 貓兒/ 猫儿  (māor) କୁହାଯାଏ ।‌ ଇଜିପ୍ଟର ପ୍ରାଚୀନ ଚିତ୍ରଲିପିରେ ମଧ୍ୟ ଧ୍ବନ୍ୟନୁକରଣର ପ୍ରଭାବ ସ୍ପଷ୍ଟ ଭାବରେ ପଡି଼ଥିଲା ଫଳତଃ ସେଠାରେ ବିଲେଇକୁ mi w E13(mjw) କୁହାଯାଉଥିଲା। ଓଡ଼ିଶାର ଜନଜାତୀୟ ଭାଷା ସଉରାର “ରେମେଙ୍” ଓ କୁଈଭାଷାର ”ମେଅ” ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ। ଏଵଂ ବିରାଡି଼ର ଏହି ମିଆଁଉ ମିଆଁଉ ଶବ୍ଦର ଅନୁକରଣରେ ବିଲେଇ ଅର୍ଥରେ ପ୍ରୟୋଗ ହୋଇଥାଏ । ସେହିପରି କନ୍ଧମାଳର କଥିତ ଓଡ଼ିଆ ଭାଷାରେ ମିଅଁ ଶବ୍ଦ ବିରାଡ଼ି ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ କୁହାଯାଇଛି ।  ପୁନଶ୍ଚ ଛେଳି  ମେଁ ମେଁ ଶବ୍ଦ କରିଥାଏ । ଏହାର ଧ୍ବନ୍ୟନୁକରଣରୁ ସାନ୍ତାଳରେ  ᱢᱮᱨᱳᱢ (merom), ସଉରାରେ କିମମେଡ଼୍ ଓ କୁମେ,ଖରିଆ ତଥା ମୁଣ୍ଡାଭାଷାରେ ମେରମ୍ ଶବ୍ଦ ଛେଳିର ପ୍ରତିଶବ୍ଦ ଭାବେ ଚଳୁଅଛି ।‌ ମୁଣ୍ଡା ଭାଷାରୁ ମେରିମ୍  ରୂପେ ଏହି ଶବ୍ଦଟି ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟରେ ପ୍ରଚଳିତ ଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି । 
ଓଡ଼ିଶାରେ ଛେଳି ଛୁଆକୁ ମିଇଁଛୁଆ ମଧ୍ୟ କୁହାଯାଏ ।‌

 ଇଂରାଜୀରେ କେତେକ  ଶବ୍ଦ ଧ୍ବନ୍ୟନୁକରଣରୁ ସୃଷ୍ଟି ହୋଇଛି ବୋଲି ଭାଷାଵିଦ ମତ ଦିଅନ୍ତି । ଇଂରାଜୀର ଧ୍ବନ୍ୟନୁକାରୀ ଶବ୍ଦଗୁଡି଼କ ମଧ୍ୟରେ Achoo, Atishoo,Chomp,Cough
,Hiccup,Hum,beep,boom,Clatter,clink,Knock, murmuring, Tweeter,Curlew,Dickcissel,
Dik-dik,Hoopoe,Kea,Killdeer,Pobblebonk,Poorwill,Weero,Willet,Bark,Meow,roar,Woof ଓ moo ଆଦି ଉଲ୍ଲେଖଯୋଗ୍ୟ । 

ସେହିପରି ସଂସ୍କୃତରେ ଉଲୁଧ୍ବନି(ହୁଳହୁଳି),ଗରଲ୍ଲି(ଗଳା ଭିତରର ଘଡ଼ ଘଡ଼ ଶବ୍ଦ),ଘର୍ଘର(ଚକର ଘର୍ଷଣ ଶବ୍ଦରୁ),ଘୁଙ୍ଗୁର,ଘୁକ(ପେଚା),ଝଙ୍କାର,ଝଞ୍ଜନା(ବିଜୁଳି),ମେକ(ଛେଳି;ମେଁ ଧ୍ଵନ୍ୟନୁକରଣରୁ),ଲଲଲ୍ଲ(ଅସ୍ପଷ୍ଟ ଵା ଦରୋଟି ଉଚ୍ଚାରଣ) ଓ ମର୍ମର(ଧୀର ପବନ ଯୋଗୁଁ ଗଛ ପତ୍ର ଆଦିର ଧ୍ଵନି; ଇଂରାଜୀରେ Murmuring) ଆଦି ସହସ୍ରାଧିକ ଶବ୍ଦ ମୂଳତଃ ଧ୍ଵନ୍ୟନୁକରଣ ଶବ୍ଦରୁ ସୃଷ୍ଟି ହୋଇଛି ଏଵଂ ପରେ ଏ ସବୁ ଶବ୍ଦକୁ ଧାତୁ ପ୍ରତ୍ୟୟ ଦ୍ଵାରା ନିଷ୍ପନ୍ନ କରାଯାଇଛି । 

ଓଡ଼ିଆ ଭାଷାରେ ଧ୍ବନ୍ୟନୁକାରୀ ଶବ୍ଦ:

ତେବେ ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ଅନୁସାରେ ସୃଷ୍ଟି ହୋଇଥିଵା ଏହିପରି ଧ୍ବନ୍ଯନୁକରଣ ଵା ଧ୍ବନ୍ଯନୁକାରୀ ଶବ୍ଦ ଆମ ଓଡ଼ିଆ ଭାଷାରେ ଅଛି କି ? 

ହଁ ଅଛି !  ନିଶ୍ଚୟ ଅଛି ଏଵଂ ଇଂରାଜୀ ଭାଷାଠାରୁ ଶତଗୁଣ ଅଧିକ ଧ୍ବନ୍ୟନୁକାରୀ ଶବ୍ଦ ଓଡ଼ିଆ ଭାଷାରେ ଚଳୁଅଛି । 

ନିମ୍ନରେ ସେହିପରି କେତୋଟି ଜଣାଅଜଣା ଓଡ଼ିଆ ଧ୍ଵନ୍ୟନୁକାରୀ ଶବ୍ଦର ସୂଚୀ ପ୍ରଦାନ କରାଗଲା । 

🟠ଅଇ;ଐ = ବାନ୍ତି
ଵାନ୍ତି କରିଵା ସମୟରେ ସ୍ଵତଃ ସୃଷ୍ଟି ହୋଇଥାଏ ଅଇ ଵା ଐ ଶବ୍ଦ ତେଣୁ ତାହା ଵାନ୍ତିର ପ୍ରତିଶବ୍ଦ ହୋଇ ଚଳୁଛି

🟠ଉଦୁଉଦୁମା = ବିଧା ମାରିଵାରୁ ସୃଷ୍ଟ ଶବ୍ଦ
ବିଧା ମାରିଵା ବେଳେ ଜାତ ଦୁମ୍ ଦୁମ୍ ଶବ୍ଦର ଧ୍ବନ୍ଯନୁକରଣରୁ ସୃଷ୍ଟି ହୋଇଛି ଉଦୁଉଦୁମା ଶବ୍ଦ ।
ଆମ ଭାଷାର ଲୋକଗୀତରେ ଏ ଶବ୍ଦ ସୀମିତ ଭାବେ ପ୍ରଚଳିତ ।

“ଉଦୁମୁ ଦୁମା, ତାଳ ଗୋଟମା, 
ନୂଆ ପାହୁରାଣୀ ପିତଳସମା, 
ହରଚଣ୍ଡିଙ୍କର ଭାଇ ମଲା, 
ରକତ ପିଣ୍ଡୋଳେ ଭାସିଗଲା॥
ଆମ୍ବଟିଏ ଖାଉଁ ଖାଉଁ
କୋଇଲିଟିଏ କଷା,
 କି ମାଡ଼ ମାଇଲୁ ଭାଇ
  ଚାରିକୁଣିଆ ବସା ॥”
  
🟠କଇଁକଇଁ
କାନ୍ଦିଵା ବେଳର ଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି

🟠କଚ୍ କଚ୍,କଚ୍ କାଚ୍,କଚର୍ କଚର୍ 
କାଟିଵା ସମୟର ଧ୍ଵନ୍ୟନୁକରଣରୁ ଏସବୁ ଶବ୍ଦ ସୃଷ୍ଟି ହୋଇଅଛି

🟠କଟାତ୍ = ହଟାତ୍
କେହି କେହି କଟାତ୍ ଶବ୍ଦକୁ ହଟାତ୍ ଶବ୍ଦର ଏକ ରୂପ ମନେ କରନ୍ତି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାକୁ ଏକ ଧ୍ଵନ୍ୟନୁକାରୀ ଶବ୍ଦ ଅଭିହିତ କରାଯାଇଛି । ଭାଷାକୋଷ ଅନୁସାରେ କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିଵାର ଅନୁକରଣ ଶବ୍ଦରୁ କଟାତ୍ ଶବ୍ଦ ସୃଷ୍ଟି ହୋଇଅଛି

🟠କାଚକାଚୁଆ
କର୍ଦ୍ଦମାକ୍ତ,ଚୋବାଇବାକୁ କଠିନ ଵା ଖାସ୍ଖାସୁଆ, ପିଚ୍ଛିଳ ଵା ଖସଡ଼ା ସନ୍ତସନ୍ତିଆ ସ୍ଥାନକୁ କାଚକାଚୁଆ କୁହାଯାଏ । ଏହା କଚ୍ କଚ୍ ଶବ୍ଦର ଧ୍ଵନ୍ୟନୁକରଣରୁ ସୃଷ୍ଟି ହୋଇଛି । 

🟠କେଇଁଵା
ସକେଇ ହୋଇ କାନ୍ଦିଵାକୁ କେଇଁଵା କୁହାଯାଏ । ଏହା କଇଁ କଇଁ କାନ୍ଦିଵା ଧ୍ଵନ୍ୟନୁକରଣରୁ ସୃଷ୍ଟ ।  

🟠ଖେଙ୍କା
ଓଡ଼ିଶାର କେତେକ ଅଞ୍ଚଳରେ  ହନୁମାଙ୍କଡ଼ଙ୍କୁ ଖେଙ୍କା କୁହାଯାଏ । ହନୁମାଙ୍କଡ଼ମାନଙ୍କର ଖେଁ ଖେଁ ଧ୍ଵନ୍ୟନୁକରଣରେ ଖେଙ୍କା ଶବ୍ଦ ସୃଷ୍ଟି ହୋଇଥିଵା  ସ୍ପଷ୍ଟ ।

🟠ଖାଙ୍କିଵା
ମାଙ୍କଡ଼ ପରି ଖେଙ୍କିବା ଵା ଖିଙ୍କିଵା ଆଦିର ଧ୍ଵନ୍ୟନୁକରଣରୁ ଏ ଶବ୍ଦ ସୃଷ୍ଟ । ଦାନ୍ତ ଦେଖାଇ ଖତାଇହେଵାକୁ ଖାଙ୍କିଵା କୁହାଯାଏ । 

🟠ଖିଖି 
କୋକିଶିଆଳିକୁ ଓଡ଼ିଶାର କିଛି ଅଞ୍ଚଳରେ ଖିଖି କୁହାଯାଏ । କୋକିଶିଆଳିଙ୍କ ଖିଖି ଧ୍ଵନ୍ୟନୁକରଣରୁ ଖିଖି ଶବ୍ଦ ଆସିଅଛି ।

🟠ଘୁମୁରା 
ଘୁମୁରା ଆନଦ୍ଧ ଵାଦ୍ଯ ଵିଶେଷ । ଘୁମୁଘୁମୁ ଶବ୍ଦରଧ୍ଵନ୍ୟନୁକରଣରୁ ଏ ଶବ୍ଦର ସୃଷ୍ଟି । 

🟠ଚଡ଼କ/ଚଡ଼ଚଡ଼ି
 ଚଡ଼ ଚଡ଼ ଶବ୍ଦର ଧ୍ଵନ୍ୟନୁକରଣରୁ ଚଡ଼କ ଓ ଚଡ଼ଚଡି଼ ଶବ୍ଦ ସୃଷ୍ଟି ହୋଇଛି । 

🟠ଠାକରା— ଏକ ଜାତୀୟ ଆମ୍ବ ଖଟାକୁ ଠାକରା ଵା ଠାକେରା କୁହାଯାଏ । ଏହା ଚାଟି ଖାଇଲାବେଳେ ଠକ୍ ଠକ୍ ଶବ୍ଦ ସୃଷ୍ଟି ହୁଏ । ଏହି ଧ୍ଵନିର ଅନୁକରଣରେ ଠାକରା ଶବ୍ଦ ସୃଷ୍ଟି ହୋଇଅଛି । 

🟠ଧକଧକୀ/ଦୁକ୍ଦୁକୀ
ହୃଦୟ ଵା ହୃତପିଣ୍ଡ ଧକଧକ ହୋଇଥାଏ ବୋଲି ଏହାର ଅନୁକରଣରେ ଓଡ଼ିଆ ଭାଷାରେ ତାହାର ଦୁଇଗୋଟି ଧ୍ଵନ୍ୟନୁକରୀ ଶବ୍ଦ ସୃଷ୍ଟି ହୋଇ ପ୍ରଚଳିତ । 

🟠ପେଏଁକାଳ/ପେହେଁକାଳ /ପେଙ୍କାଳୀ
ହାତୀର ରଡ଼ି ଵା ଶବ୍ଦକୁ ପେଙ୍କାଳ କୁହାଯାଏ ଏଵଂ ସେହି ସଦୃଶ ଶବ୍ଦଯୁକ୍ତ ଵାଦ୍ୟକୁ ପେଙ୍କାଳୀ କହିଥାନ୍ତି ।

🟠ବୁକ୍କ/ବୁକ/ବୋକ
ଚୁମ୍ବନ ବେଳେ ଉତ୍ପନ୍ନ ଧ୍ବନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ ହେଉଛି ବୁକ୍କ ଵା ବୋକ । ଏହା ଏକ ଧ୍ବନ୍ଯନୁକରୀ ଶବ୍ଦ ଏଵଂ ଓଡ଼ିଆ ଭାଷାରେ ଚୁମ୍ବନ ଅର୍ଥରେ ପ୍ରୟୋଗ ହୋଇଥାଏ “ଆଉଁସିଲା କୁକୁର ମୁହଁରେ ବୁକ।” ତେବେ  ବକ୍ଷଃ ଵା ବୁକ୍କମ ସହିତ ବୁକ୍କ ଵା ବୁକ ଶବ୍ଦଟିଏ ବି ଆମ ଭାଷାରେ ଅଛି ଏଵଂ ଏହା ଛାତି,ହୃଦୟ,ଵକ୍ଷସ୍ଥଳ ଓ  ସାହସ ଅର୍ଥରେ ଵ୍ୟଵହାର ହୋଇଥାଏ । ଳ

🟠ଭଡ଼କା 
  ଭଡ଼କା ଅନ୍ୟତମ ଓଡ଼ିଆ  ଧ୍ବନ୍ଯନୁକାରୀ ଶବ୍ଦ ।ବୁଦ୍ବୁଦ୍(Bubble) ଓ  ଶିଙ୍ଘାଣିର ମେଞ୍ଚାକୁ ଭଡ଼କା କୁହାଯାଏ ‌ ।

🟠ମୁଡୁ଼କି 
ମୁଡ଼କି ଏକ ଜାତୀୟ ଖାଦ୍ୟ ଦ୍ରଵ୍ୟ ‌।ମଡ଼ ମଡ଼ କରି ଖିଆଯାଇଥାଏ ବୋଲି ତହିଁର ଧ୍ଵନ୍ୟନୁକରଣରୁ ମୁଡ଼କି ଶବ୍ଦ ସୃଷ୍ଟି ହୋଇଛି । 

🟠ମେଇଁ
ଉତ୍ତର ଓଡ଼ିଶାରେ ବିଲେଇକୁ ମେଇଁ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମିଅଁ କୁହାଯାଏ । 
ବିଲେଇର ମିଆଁଉ ମିଆଁଉ ଶବ୍ଦର ଧ୍ଵନ୍ୟନୁକରଣରୁ ମେଇଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । 

🟠ରଚ୍କା
ଝିଙ୍କିଵା ଵା ଟାଣିଵାକୁ ଉତ୍ତର ଓଡ଼ିଶାରେ ରଚ୍କା କୁହାଯାଏ । ଏହା ମଧ୍ୟ ଧ୍ବନ୍ୟନୁକରଣ ଶବ୍ଦ । ଟାଣିଵାବେଳେ ରଚ୍ ରଚ୍ ଶବ୍ଦ ହୋଇଥାଏ । ସେହିପରି ପଡି଼ଲାବେଳେ ରଝୌ ଶବ୍ଦ ହୁଏ ଫଳତଃ ଭୀଷଣ ଵର୍ଷାକୁ ରଝୌ ରଝୌ ଵର୍ଷା କୁହାଯାଏ । 

🟠ଶକେଇବା 
 ନିଶ୍ବାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିଵାକୁ ଶକେଇଵା କୁହାଯାଏ । ଏଭଳି କାନ୍ଦିଵା ସମୟରେ ସୃଷ୍ଟି ହେଉଥିଵା ଶବ୍ଦର ଧ୍ଵନ୍ୟନୁକରଣରୁ ଏହି ଓଡ଼ିଆ କ୍ରିୟାଟି ସୃଷ୍ଟି ହୋଇଛି । 

🟠ସୁଉସିଵା
କୌଣସି ଵ୍ୟକ୍ତିକୁ ମାରିଵା ପାଇଁ ଅତି ଜୋର୍ରେ ଦଉଡ଼ି ଆସିଵାକୁ ଆମ ଭାଷାରେ ସୁଆସିଵା କୁହାଯାଏ । ସାଧାରଣତଃ ବେଗରେ ଗତି କଲାବେଳେ ସୁ ସୁ ଶବ୍ଦ ହୋଇଥାଏ । ଏହି ସୁ ସୁ ଶବ୍ଦର ଅନୁକରଣରେ ସୁଉସିଵା ଶବ୍ଦ ସୃଷ୍ଟି କରାଯାଇଛି । 

🟠ସୁଡ଼କିବା/ସୋଡ଼କିବା
ସୁଡ଼ ସୁଡ଼ ଶବ୍ଦ କରି ଜଳୀୟ ଵା ଜଳମିଶ୍ରିତ ଵସ୍ତୁ ଖାଇଵାରୁ ଏହାର ଧ୍ଵନ୍ୟନୁକରଣରୁ ସୁଡ଼କିଵା ଵା ସୋଡ଼କିଵା କ୍ରିୟା ସୃଷ୍ଟ 

🟠ଏଉଡି଼/ହାଉଡ଼ି/ଵାଉଡି଼
ହାକୁଟି ସମୟରେ ହେଉଥିଵା ଶବ୍ଦର ଅନୁକରଣରେ ଏଉ,ହାଉ,ଵାଉ ଆଦି ଶବ୍ଦ ସୃଷ୍ଟି ହୁଏ ତହିଁର ଧ୍ଵନ୍ୟନୁକରଣରୁ ଏଉଡି଼,ହାଉଡ଼ି,ଵାଉଡି଼ ଓ ହାକୁଟି ଆଦି ଶବ୍ଦ ସୃଷ୍ଟି କରାଯାଇଛି । 

🟠ହାଁପଣ
ଓଡ଼ିଶାର କେତେକ ଅଞ୍ଚଳରେ କୁଲାକୁ ହାଁପଣ କୁହାଯାଏ । ଏହା ମଧ୍ୟ ଏକ ଧ୍ବନ୍ଯନୁକରଣ ଶବ୍ଦ ।  କୁଲାକୁ ଚଳାଇଲେ ଵା ଭୂମିରେ ଆଘାତ କଲେ ହପ ହପ ଶବ୍ଦ ହୁଏ ବୋଲି ଏହି ନାମକରଣ । 

🟠ହାପୁଡ଼ିଵା/ହାମ୍ପୁଡି଼ଵା/ସମ୍ପୁଡି଼ଵା
ପାଣିଆ ଖାଦ୍ଯକୁ ସଶବ୍ଦ ଶୋଷଣ କରି ଖାଇଵା ସମୟରେ ହମ୍ପ ହମ୍ପ ଓ ବେଳେ ବେଳେ ସମ୍ପ୍ ସମ୍ପ୍ ଶବ୍ଦ  ହୋଇଥାଏ ‌ତାହାର ଅନୁକରଣରେ ହାପୁଡ଼ିଵା,ହାମ୍ପୁଡି଼ଵା ଓ ସମ୍ପୁଡି଼ଵା ଆଦି ଶବ୍ଦ ସୃଷ୍ଟି ହୋଇଛି । 

🟠ହୁଳହୁଳି
ଆମ ଦେଶରେ ଆନନ୍ଦ ଉତ୍ସଵରେ ପୁରୁଷମାନେ 'ହରିବୋଲ' ଓ ସ୍ତ୍ରୀମାନେ ହୁଳହୁଳୀ ଦିଅନ୍ତି । ହୁଳହୁଳି ସ୍ତ୍ରୀମାନଙ୍କର ମୁଖଵାଦ୍ୟ ଵା ଉଲୁଧ୍ଵନି ଅଟେ ‌ । ହୁଳ ହୁଳୁ ଵା ଉଳୁ ଉଳୁ ଶବ୍ଦର ଅନୁକରଣରେ ହୁଳହୁଳି ଶବ୍ଦଟି ସୃଷ୍ଟି କରାଯାଇଛି ‌ ।

ଓଡ଼ିଆ ଭାଷାରେ ଏହିପରି ସହସ୍ରାଧିକ ଧ୍ଵନ୍ୟନୁକରଣ ଜନିତ ଶବ୍ଦ ପ୍ରଚଳିତ ଏଵଂ ମାତ୍ରାଧିକ ତତ୍ସମ ତଥା ଵୈଦେଶିକ ପ୍ରୟୋଗ ଯୋଗୁଁ କେତେକ ଧ୍ଵନ୍ୟନୁକାରୀ ଶବ୍ଦ କ୍ରମଶଃ ଲୁପ୍ତପ୍ରାୟ ହୋଇଯାଉଥିଵାବେଳେ ଆଉ କେତେକ ଧ୍ବନ୍ୟନୁକରଣ ଶବ୍ଦ ନିତ୍ୟ ଵ୍ୟଵହାର୍ଯ୍ୟ ଶବ୍ଦ ଭାବେ କଥିତ ଓ ଲିଖିତ ଓଡ଼ିଆ ଭାଷାରେ ପ୍ରଚଳିତ । ଧ୍ଵନ୍ୟନୁକରଣ ଶବ୍ଦ ପ୍ରତ୍ୟେକ ଭାଷାର ମୌଳିକ ଶବ୍ଦ । ଯେଉଁ ଭାଷାରେ ଯେତେ ଧ୍ବନ୍ୟନୁକାରୀ ଶବ୍ଦ ଥାଏ ସେ ଭାଷାର ଶବ୍ଦ ଭଣ୍ଡାର ସେତିକି ମୌଳିକ ଓ ସମୃଦ୍ଧ ବୋଲି ଜଣାଯାଏ ‌ । ଓଡ଼ିଆ ଭାଷାରେ ଝାଇଁ ଝାଇଁ,ଧଡ଼ପଡ଼,ଚୁଟ୍‌ଚୁଟି(ଭରତା), ଚଡ଼ଚଡି଼ ଓ ଘଡ଼ଘଡ଼ି ଆଦି ସହସ୍ରାଧିକ ଧ୍ଵନ୍ୟନୁକାରୀ ଶବ୍ଦ ଏବେ ମଧ୍ୟ ପ୍ରଚଳିତ । ଏହି ସବୁ ଶବ୍ଦ କୌଣସି ନା କୌଣସି ପ୍ରାକୃତିକ ଵା କୃତ୍ରିମ ଧ୍ବନିର ଅନୁକରଣରୁ ସୃଷ୍ଟି ହୋଇଛି ।  ଆମ ଭାଷାର ଏହିପରି ମୌଳିକ ଧ୍ଵନ୍ୟନୁକାରୀ ଶବ୍ଦକୁ ଛାଡ଼ି ଆମେ ଵୈଦେଶିକ ଶବ୍ଦ ପ୍ରୟୋଗ ଦ୍ଵାରା ଆମ ଭାଷାର କ୍ଷତି ହିଁ ହୋଇଥାଏ । 

ଓଡ଼ିଶାର ସବୁ ଅଞ୍ଚଳରେ ଏହିପରି ଆହୁରି ଅନେକ ଧ୍ଵନ୍ୟନୁକାରୀ ଶବ୍ଦ ନିଶ୍ଚୟ ଚଳୁଥିଵ ‌।  ଆପଣଙ୍କ ଅଞ୍ଚଳରେ ଏମିତି କୌଣସି ଧ୍ବନ୍ୟନୁକାରୀ ଶବ୍ଦ ଚଳୁଥିଲେ ଜଣାଇଵାକୁ ଅନୁରୋଧ ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...