Sunday, February 20, 2022

■ ଶବ୍ଦର ଇତିହାସ ■

-:ଶବ୍ଦର ଇତିହାସ:- 

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭମାନଙ୍କୁ କେବଳ ଶବ୍ଦର ବିକୃତି ପ୍ରତି ଲକ୍ଷ୍ୟ ନ ରଖି ଶବ୍ଦର ଇତିହାସ ପ୍ରତି ଲକ୍ଷ୍ୟ ରଖିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଉତ୍ପତ୍ତିସ୍ଥାନ ଅଛି, ପ୍ରତ୍ୟେକ ଶବ୍ଦ ଉତ୍ପନ୍ନ ହୋଇ ବିକୃତ ବା ଅବିକୃତଭାବରେ କୌଣସି ଭାଷାରେ ପ୍ରଚଳିତ ହୋଇଅଛି ଓ ଏହି ବିକୃତିର ସ୍ତର ମଧ୍ୟ ଅଛି । କେବଳ ସଂସ୍କୃତ 'ଆମ୍ର' ଶବ୍ଦରୁ ଓଡ଼ିଆ 'ଆମ୍ବ' ଶବ୍ଦ ଉତ୍ପନ୍ନ ହୋଇଅଛି ଏହା କହିବା ଯଥେଷ୍ଟ ନୁହେ, କାରଣ ବାସ୍ତବରେ ଓଡ଼ିଆ 'ଆମ୍ବ' ଶବ୍ଦ ସଂସ୍କୃତ ଆମ୍ର ଶବ୍ଦର ବିକୃତି ନୁହେ । ଏହା ପାଲି 'ଅମ୍ବ' ଶବ୍ଦର ବିକୃତ ବ୍ୟବହାର ଅର୍ଥାତ୍ ସଂସ୍କୃତ 'ଆମ୍ର' ଶବ୍ଦ ପାଲିରେ 'ଅମ୍ବ' ଶବ୍ଦରେ ପରିଣତ ହୋଇଥିଲା ଓ ଏହି 'ଅମ୍ବ' ଶବ୍ଦ ପୁନର୍ବାର ବିକୃତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ସଂସ୍କୃତ ଆମ୍ର ଯଦି ବାସ୍ତବରେ ମୂଳତଃ ଆର୍ଯ୍ୟଭାଷାର ଅନ୍ତର୍ଗତ ହୋଇଥାନ୍ତା, ତେବେ ତାହାର ନିଦର୍ଶନ ଆମ୍ଭେମାନେ ଅନ୍ୟ ଆର୍ଯ୍ୟଭାଷାରେ ପାଇଥାନ୍ତୁ । କିନ୍ତୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଏହି ଶବ୍ଦର ଅନୁରୂପ ଶବ୍ଦ ଅନୁରୂପ ଅର୍ଥରେ ବ୍ୟବହୃତ ହେଉ ନ ଥିବାରୁ ଏହାର ମୂଳ ରୂପ ବାସ୍ତବରେ ଅଜ୍ଞାତ ବୋଲି ଅନୁମାନ କରାଯାଏ ଓ ଏହା ସଂସ୍କୃତରେ ପ୍ରଥମ ପ୍ରଚଳିତ କିମ୍ବା ଅନ୍ୟ ଭାଷାରୁ ସଂସ୍କୃତରେ ଗୃହୀତ ବୋଲି ମନେ କରିବାକୁ ହେବ । ବାସ୍ତବରେ ସଂସ୍କୃତ ଭାଷାରେ ବ୍ୟବହୃତ ହେବା ପୂର୍ବରୁ ଏହି ଶବ୍ଦର କୌଣସି ଇତିହାସ ଆମ୍ଭେମାନେ ଜାଣୁ ନାହିଁ, କିନ୍ତୁ ସଂସ୍କୃତରେ ବ୍ୟବହାରର ପରବର୍ତ୍ତୀ ଯୁଗରେ ଏହା ପାଲିରେ 'ଅମ୍ବ'ରେ ବିକୃତ ହୋଇଅଛି ଓ ଏହି ବିକୃତ ରୂପ ହିନ୍ଦିରେ 'ଆଁବ', ବଙ୍ଗଳାରେ 'ଆମ୍', ମରଠୀରେ 'ଆମ୍ବ' ଓ ଓଡ଼ିଆରେ 'ଆମ୍ବ' ଶବ୍ଦରେ ପରିଣତ ହୋଇଅଛି । ପୁନରାୟ ବିଚାର କରିବାକୁ ହେବ ଯେ ଓଡ଼ିଆ 'ଆମ୍ବ' ଶବ୍ଦ ବାସ୍ତବରେ ପାଲିରୁ ଜାତ ହୋଇଅଛି କିମ୍ବା ପ୍ରାକୃତରୁ ଉତ୍ପନ୍ନ ଅନ୍ୟ ପ୍ରାଦେଶିକ (ଯଥା ବଙ୍ଗଳା, ହିନ୍ଦୀ ପ୍ରଭୃତି) ଭାଷାର ପ୍ରଭାବରୁ ବିକୃତ ହୋଇଅଛି । ଏ ବିଷୟର ସୂକ୍ଷ୍ମ ଆଲୋଚନା ଅତି କଠିନ ବ୍ୟାପାର, ମାତ୍ର ଭାଷାତତ୍ତ୍ୱରେ ଏଭଳି ଆଲୋଚନା ଏକାନ୍ତ ପ୍ରୟୋଜନ । ମନେ ରଖିବାକୁ ହେବ ଯେ, ପ୍ରାଚୀନ ଓଡ଼ିଆରେ ମଧ୍ୟ 'ଆମ୍ବ' ଶବ୍ଦ ବ୍ୟବହୃତ ଓ ଅନ୍ୟ କୌଣସି ପ୍ରାଦେଶିକ ଭାଷାର ଶବ୍ଦ ସହିତ ତାହାର ରୂପଗତ ସାଦୃଶ୍ୟ ସମ୍ପୂର୍ଣ୍ଣ ନୁହେଁ । ଏଣୁ ଏହି ଶବ୍ଦ ପ୍ରାକୃତରୁ ଓଡ଼ିଆକୁ ପ୍ରତ୍ୟକ୍ଷ ଆସିଥିବା ସମ୍ଭବ ଓ ହିନ୍ଦୀରେ 'ଆଁବ' ଓ ପ୍ରାଚୀନ ବଙ୍ଗଳାରେ 'ଆଁବ' (ଚର୍ଯ୍ୟାପଦ ନାମକ ପ୍ରାଚୀନ ଗ୍ରନ୍ଥରେ 'ତମା' ସ୍ଥାନରେ 'ତାଁବୋଳ'ର ବ୍ୟବହାର ତୁଳନୀୟ) ପ୍ରଭୃତି ରୂପ ବ୍ୟବହୃତ ହେଉଥିବାରୁ ବୋଧହୁଏ, ପ୍ରାକୃତ ବା ପାଲି ଶବ୍ଦ ପ୍ରଥମେ 'ଆଁବ'ରେ ପରିଣତ ହୋଇ ପରେ ଆନୁନାସିକଟି ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହୋଇ ଓଡ଼ିଆରେ 'ଆମ୍ବ' ଶବ୍ଦର ଉତ୍ପତ୍ତି ଘଟାଇ ଅଛି । ଏ ବିଷୟରେ ସୂକ୍ଷ୍ମ ଗବେଷଣାର ଅଭାବରୁ ଅନେକ କ୍ଷେତ୍ରରେ ଆମ୍ଭମାନଙ୍କ ଅନୁମାନର ଆଶ୍ରୟ ନେବାକୁ ହୁଏ । ମାତ୍ର ସଂସ୍କୃତଜ୍ଞ ପଣ୍ତିତମାନଙ୍କର ଶବ୍ଦର ଇତିହାସ ବିଷୟରେ ଔଦାସୀନ୍ୟ ଓ ଅଜ୍ଞତା ଏବଂ ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିର୍ଣ୍ଣୟଦ୍ୱାରା ରୂପର ବ୍ୟାଖ୍ୟା ପଦ୍ଧତି ଏପରି ଗବେଷଣାର ପରିପନ୍ଥୀ ଓ ଭାଷାତତ୍ତ୍ୱ ବିଷୟରେ ସାଧାରଣ ଅଜ୍ଞତା ଏହାର ଫଳ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଉଚ୍ଚାରଣର ସୁବିଧା ନିମନ୍ତେ 'ମ' ଓ 'ର' ମଧ୍ୟରେ 'ବ' ଧ୍ୱବନିର ଆଗମ କରାଯାଇ ଥିଲେହେଁ ମୂଳତଃ ଯେଉଁ ସବୁ ଶବ୍ଦରେ ମ ଓ ବ ଯୁକ୍ତ ହୋଇ ବ୍ୟବହୃତ ହୋଇଥିଲା, ସେଥିରେ ଅନେକ ସ୍ଥାନରେ 'ବ' ଲୁପ୍ତ ହୋଇଅଛି । ସଂସ୍କୃତରେ 'ଜମ୍ବୂକ' ସ୍ଥାନରେ ଓଡ଼ିଆରେ 'ଜାମୁ', 'ନିମ୍ବକ' ସ୍ଥାନରେ 'ନିମ' ପ୍ରଭୃତି ଶବ୍ଦ ଉଦ୍ଭୂତ ହୋଇଅଛି । ହିନ୍ଦୀ, ବଙ୍ଗଳା ପ୍ରଭୃତି ସବୁ ପ୍ରାଦେଶିକ ଭାଷାରେ 'ବ' ଲୁପ୍ତ ହୋଇଥିବାରୁ ଏ ସମସ୍ତ ପଦ ଭିନ୍ନ ଭିନ୍ନ ଭାବରେ ଏକ ମୂଳ ପ୍ରାକୃତ ଶବ୍ଦରୁ ଉତ୍ପନ୍ନ ବୋଲି ମନେ କରାଯାଇପାରେ । ସାଧାରଣତଃ ଲୋକେ ମନେ କରନ୍ତି ଯେ, ଓଡ଼ିଆ 'ଲେମ୍ବୁ' ଶବ୍ଦ ଇଂରାଜୀ lemon ଶବ୍ଦରୁ ଉତ୍ପନ୍ନ ଅର୍ଥାତ୍ ଆମ୍ବ, ତମ୍ବା ପ୍ରଭୃତି ଶବ୍ଦରେ ଯେପରି 'ମ' ସହିତ 'ବ' ସମ୍ପୃକ୍ତ, ସେହି କାରଣରୁ lemon ଲେମ୍ବୁରେ ରୂପାନ୍ତରିତ ହୋଇଅଛି । ମାତ୍ର ଶବ୍ଦଟିର ଇତିହାସ ତାହା ନୁହେଁ । 'ଲେମ୍ବୁ' ଶବ୍ଦର ବାସ୍ତବିକ ମୂଳ ଶବ୍ଦ ସଂସ୍କୃତ 'ନିମ୍ବୁକ', ଏହି ନିମ୍ବୁକ ଶବ୍ଦରୁ ଆରବ ଦେଶୀୟ 'ଲାଇମୁନ' ଶବ୍ଦ ଉତ୍ପନ୍ନ ହୋଇ ତୁର୍କି ଭାଷାରେ 'ଲିମୁନ' ରୂପରେ ପ୍ରଚଳିତ ହୋଇଥିଲା । ଆରବ ଭାଷାରୁ ପାରସିକ 'ଲିମୁନ' ବା 'ଲିମୁନା' ଶବ୍ଦ ପ୍ରଚଳିତ ହୋଇ ତହିଁରୁ ଏକ ଦିଗରେ ଫ୍ରେଞ୍ଚ୍ limon, ପୁରାତନ ଇଂରାଜୀ limon ଓ ଆଧୁନିକ ଇଂରାଜୀ lemon ଉଦ୍ଭୂତ ହୋଇଅଛି; ଅନ୍ୟ ଦିଗରେ ହିନ୍ଦୁସ୍ଥାନୀରେ 'ଲେମୁଁ' ଶବ୍ଦ ପ୍ରଚଳିତ ହୋଇଅଛି । ଏହି 'ଲେମୁଁ' ଶବ୍ଦରୁ ବଙ୍ଗଳା 'ନେବୁ', ଓଡିଆ 'ଲେମ୍ବୁ' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି; ଅର୍ଥାତ୍ ସଂସ୍କୃତ 'ନିମ୍ବୁକ' ଶବ୍ଦଟି ପ୍ରାକୃତ ଭାଷାର ମଧ୍ୟ ଦେଇ ଓଡ଼ିଆକୁ ଆସି ନାହିଁ । ବାସ୍ତବରେ ସଂସ୍କୃତରୁ ଆରବ ଭାଷା, ତହିଁରୁ ପାରସିକ ଓ ପାରସିକରୁ ହିନ୍ଦୀ ଭାଷାର ମଧ୍ୟ ଦେଇ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ହେବ । ଓଡ଼ିଆରେ 'ଲେମ୍ବୁ' ଓ 'ନେମ୍ବୁ' ଉଭୟ ରୂପ ପ୍ରଚଳିତ ଓ ଏହି ପ୍ରଚଳନ 'ଳ' ଓ 'ନ' ମଧ୍ୟରେ ଧ୍ୱନିର ସାଧାରଣ ବିଶୃଙ୍ଖଳାର ଫଳ ମାତ୍ର ଏହା ସମ୍ଭବ ଯେ, 'ଲେମ୍ବୁ' ଶବ୍ଦଟି ବ୍ୟବହୃତ ହେବାର ପରବର୍ତ୍ତୀକାଳରେ ସଂସ୍କୃତ 'ନିମ୍ବୁକ' ଶବ୍ଦରୁ ପ୍ରତ୍ୟକ୍ଷ ଭାବରେ 'ନେମ୍ବୁ' ଶବ୍ଦ ମଧ୍ୟ ଉଦ୍ଭୂତ ହୋଇ ପାରିଥିବ ଏବଂ ଉଭୟ ଶବ୍ଦ ଓଡ଼ିଆରେ ପ୍ରଚଳିତ ହୋଇଥିବ । ପ୍ରାଚୀନ ଓଡ଼ିଆ ଗ୍ରନ୍ଥରେ ଏହି ଶବ୍ଦର ରୂପ କଅଣ, ସେ ବିଷୟରେ ସ୍ଥିରନିଶ୍ଚିତ ଧାରଣା ନ କଲେ ଆମ୍ଭେମାନେ ଏ ଶବ୍ଦଟିର ଇତିହାସ ବ୍ୟାଖ୍ୟା କରିବାକୁ ଅକ୍ଷମ । କିନ୍ତୁ ତାଚ୍ଛିଲ୍ୟ ଅର୍ଥରେ 'ଲେମ୍ବୁ' ପରିବର୍ତ୍ତରେ 'ନେମ୍ବୁ' ର ବ୍ୟବହାର ଅଧିକ ଥିବାରୁ 'ନେମ୍ବୁ' ଶବ୍ଦ ଯେ ପରବର୍ତ୍ତୀ, ଏହା ଅନୁମାନ କରାଯାଇ ପାରେ; ମାତ୍ର ଲ ଓ ନ ମଧ୍ୟରେ ବିଶୃଙ୍ଖଳ ବ୍ୟବ ହାର ଅନ୍ୟ ଅନେକ ଶବ୍ଦରେ ଦେଖାଯା ଉ ଥିବାରୁ ଏପରି ଅନୁମାନ ମଧ୍ୟ ଅନିଶ୍ଚିତ । ପୁଣି ଏହି ସଂସ୍କୃତ 'ନିମ୍ବୁକ' ଶବ୍ଦ ମଧ୍ୟ ବାସ୍ତବରେ ମୂଳ ଶବ୍ଦ ନୁହେଁ । କାରଣ ଏହି ଶବ୍ଦଟି ପୁରାତନ ସଂସ୍କୃତ 'ନିସ‌୍‌ବୂ' ଶବ୍ଦରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ । ଏହି 'ନିସ୍‌ବୂ' ଶବ୍ଦର ମୂଳରେ 'ନିଷ୍' ଶବ୍ଦ ଥିବା ମଧ୍ୟ ସମ୍ଭବ ଓ 'ଯେଉଁଥିରୁ ରସ କ୍ଷରିତ ହୁଏ' ଏହାହିଁ ଏହି ଶବ୍ଦର ମୂଳ ଅର୍ଥ ବୋଲି ଅନୁମାନ କରାଯାଏ ।

ଓଡ଼ିଆରେ କୌଣସି ଶବ୍ଦକୁ କେବଳ ତତ୍‌ସମ ବୋଲି ନିର୍ଦ୍ଦେଶିତ କରିବାରେ ମଧ୍ୟ ଯଥେଷ୍ଟ ବିପଦ ଅଛି, କାରଣ ସଂସ୍କୃତ ଶବ୍ଦଟି ବିକୃତ ହୋଇଥାଇ ପାରେ । ଓଡ଼ିଆ 'ଶୂଦ୍ର' ଶବ୍ଦ ଏଥିର ପ୍ରକୃଷ୍ଟ ଉଦାହରଣ । ଏହି ଶବ୍ଦଟି ବୈଦିକ ଭାଷାରେ ପ୍ରଚଳିତ ଓ ରୁକ୍ ବେଦରେ ବ୍ୟବହୃତ ହୋଇଥିବାରୁ ଏହାର ପ୍ରାଚୀନତ୍ୱ ବିଷୟରେ ମଧ୍ୟ ସନ୍ଦେହ ନାହିଁ । ମାତ୍ର ଶବ୍ଦର ଇତିହାସଟି ବିସ୍ମୃତ ହୋଇଥିବାରୁ ପ୍ରାଚୀନ ଯୁଗରେ ପଣ୍ତିତମାନଙ୍କୁ ଏହାର ଅର୍ଥ ନିର୍ଣ୍ଣୟ କରିବା ନିମନ୍ତେ ନାନା କଷ୍ଟକଳ୍ପନାର ଆଶ୍ରୟ ଗ୍ରହଣ କରିବାକୁ ହୋଇଅଛି । ବାଦରାୟଣ ବ୍ରହ୍ମସୂତ୍ରରେ ଏହି ଶବ୍ଦଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହି ଶବ୍ଦର ତିନିଗୋଟି ବ୍ୟାଖ୍ୟା ଦେଇଅଛନ୍ତି, ଯଥା- ଯେ ଶୋକ ପ୍ରତି ଦ୍ରୁତ ଧାବିତ ହୁଏ ବା ଶୋକ ଯାହା ପ୍ରତି ଦ୍ରୁତ ଧାବିତ ହୁଏ ଅଥବା ଶୋକରେ ଯେ ଦ୍ରୁତଧାବିତ ହୁଏ; ମାତ୍ର ଏହିପ୍ରକାର ତିନିଗୋଟି ବ୍ୟାଖ୍ୟା ଦେବାର ଅର୍ଥ ଯେ ଶବ୍ଦଟିର ଉତ୍ପତ୍ତି ଅଜ୍ଞାତ ତାହା କହିବା ବାହୁଲ୍ୟ । ଉଣାଦିସୂତ୍ରରେ ମଧ୍ୟ 'ଶୁର' ଧାତୁ ସହିତ 'ର' ପ୍ରତ୍ୟୟ ଯୋଗ କରାଯାଇ ଏହି ଶବ୍ଦଟିର ଉତ୍ପତ୍ତି ବ୍ୟାଖ୍ୟାତ ହୋଇଅଛି, ମାତ୍ର ଏହା ମଧ୍ୟ କଳ୍ପିତ; କାରଣ ବାସ୍ତବରେ 'ଶୋକ' ସହିତ ଏ ଶବ୍ଦଟିର କୌଣସି ମୌଳିକ ସମ୍ବନ୍ଧ ନାହିଁ । ପ୍ରକୃତରେ ଏହା ବୈଦିକ ଯୁଗରେ ପ୍ରଚଳିତ 'କ୍ଷୁଦ୍ର' ଶବ୍ଦର ଅପଭ୍ରଂଶ ଓ ପାଲିଗ୍ରନ୍ଥରେ 'କ୍ଷୁଦ୍ରାଚାର' ଅର୍ଥାତ୍ ନୀଚ ଆଚାର ଯୁକ୍ତ ବୋଲି କେତେକ ଲୋକଙ୍କୁ ଶୂଦ୍ର ବୋଲାଯାଏ ବୋଲି ଲିଖିତ ଅଛି । ମହାବ୍ୟୁତ୍ପତ୍ତି ଗ୍ରନ୍ଥରେ ମଧ୍ୟ ଶୂଦ୍ର ଓ କ୍ଷୁଦ୍ରକୁ ଏକତ୍ର ଏକ ଅର୍ଥରେ ବ୍ୟବହାର କରାଯାଇଅଛି । ଏଣୁ ସ୍ୱତଃ ସନ୍ଦେହ ହୋଇ ପାରେ ଯେ, କ୍ଷୂଦ୍ର ଶବ୍ଦର କାଳକ୍ରମେ ଅପଭ୍ରଂଶ ହୋଇ 'ଶୂଦ୍ର' ଶବ୍ଦ ନିଷ୍ପନ୍ନ ହୋଇଥିଲା ଓ ଉଭୟ ଶବ୍ଦ ବୈଦିକ ଯୁଗରେ ପ୍ରଚଳିତ ହୋଇଥିଲା । 'ବିକଟ' ଶବ୍ଦ ଏହିପରି ବୈଦିକ ଯୁଗର ଅପଭ୍ରଂଶର ଆଉ ଗୋଟିଏ ଉଦାହରଣ । କାରଣ 'ବିକୃତ' ଓ 'ବିକଟ' ଏକ ଶବ୍ଦ ଏବଂ ଉଭୟ ଶବ୍ଦ ବୈଦିକ ଭାଷାରେ ବ୍ୟବହୃତ ।

ଶବ୍ଦର ଇତିହାସ ବାସ୍ତବରେ ଅତି ବିଚିତ୍ର । ଓଡ଼ିଆରେ 'ହିଂସା' ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦଟି ଯେ ସଂସ୍କୃତ 'ହିଂସ୍' ଧାତୁରୁ ଉତ୍ପନ୍ନ, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ଏହି 'ହିଂସ୍' ଶବ୍ଦ ମୂଳତଃ ପ୍ରାଚୀନ ଆର୍ଯ୍ୟ 'ଘସ' ଶବ୍ଦ ସହିତ ସମ୍ପୃକ୍ତ ଓ ଏହି 'ଘସ୍'ର ମୂଳ ଅର୍ଥ 'ଆଘାତ କରିବା'; ଏହି 'ଘସ୍' ଶବ୍ଦରୁ ଲାଟିନ୍ ଭାଷାର ମଧ୍ୟ ଦେଇ ଇଂରାଜୀ hostel ପ୍ରଭୃତି ଶବ୍ଦ ଓ ଗଥିକ ଭାଷାର ମଧ୍ୟ ଦେଇ yard (ଯାହାଦ୍ୱାରା ଆଘାତ କରାଯାଏ) ପ୍ରଭୃତି ଶବ୍ଦ ଇଂରାଜୀରେ ପ୍ରଚଳିତ ହୋଇଅଛି । 'ଘସ୍' ଶବ୍ଦର ଆଘାତ କରିବା ଅର୍ଥ ସମ୍ପ୍ରସାରିତ ହୋଇ 'ଖାଇବା' ଅର୍ଥରେ ପ୍ରଯୁକ୍ତ ହେଉଥିବାରୁ ଏକ ଦିଗରେ ଏଥିରୁ ସଂସ୍କୃତ 'ଘସ୍' ଧାତୁ (ଖାଇବା ଅର୍ଥରେ ଯଥା 'ଜଘାସ') ଓ ସେଥିରୁ ହଂସ ପ୍ରଭୃତି ଶବ୍ଦ ଏବଂ ଅନ୍ୟ ଦିଗରେ ଲାଟିନର ମଧ୍ୟ ଦେଇ hostel, hotel, hospital, hospitality ଶବ୍ଦ ଉତ୍ପନ୍ନ; ପୁଣି ଏହି 'ମୂଳ 'ଘସ୍' ଧାତୁରୁ ପରବର୍ତ୍ତୀକାଳରେ ସଂସ୍କୃତ 'ହସ୍' ଧାତୁ ନିଷ୍ପନ୍ନ କରାଯାଇ ସେଥିରୁ ହାସ୍ୟ ପ୍ରଭୃତି ଶବ୍ଦ ମଧ୍ୟ ଉତ୍ପନ୍ନ ହୋଇଥିବା ସମ୍ଭବ, କିନ୍ତୁ ହସ୍ତ ଶବ୍ଦ ଯେ ଏହି 'ଘସ୍' ଧାତୁରୁ ଉତ୍ପନ୍ନ 'ହସ୍' ଶବ୍ଦ ସହିତ ସମ୍ପୃକ୍ତ, ଏଥିରେ ସନ୍ଦେହର ଅବକାଶ ନାହିଁ ଅର୍ଥାତ୍ ହସ୍ତର ମୂଳ ଅର୍ଥ ଯାହାଦ୍ୱାରା ଆଘାତ କରାଯାଏ । ଏହି 'ହସ୍ତ' ଶବ୍ଦ ସହିତ ଇଂରାଜୀ 'yard' ଶବ୍ଦର ସମୀକରଣ କରାଯାଇ ପାରେ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ବାସ୍ତବରେ ଅନେକ ସ୍ଥାନରେ ଆମ୍ଭମାନଙ୍କୁ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ, କାରଣ ଶବ୍ଦମାନଙ୍କର ବିକୃତି ଅତି ଧୀରେ ଧୀରେ ସାଧିତ ହୋଇଥାଏ । ଏହି ବିକୃତିର ପ୍ରତ୍ୟେକ ସ୍ତରର ପ୍ରାମାଣିକ ପରିଚୟ ନ ମିଳିଲେ ଭାଷାତତ୍ତ୍ୱ ଅନୁସାରେ ଶବ୍ଦଟିର ସମ୍ପୂର୍ଣ୍ଣ ଭାଷ୍ୟ ମିଳି ନ ପାରେ । ଇଂରାଜିରେ ପ୍ରତ୍ୟେକ ଶବ୍ଦର ଇତିହାସ ଯଥାଯଥଭାବରେ ଆଲୋଚିତ ହୋଇ ପ୍ରମାଣ ସହିତ ଲିଖିତ ହୋଇଅଛି । ମାତ୍ର ଓଡ଼ିଆ ପ୍ରଭୃତି ଅନେକ ଭାଷାରେ ଏପରି ପ୍ରାମାଣିକ ଗ୍ରନ୍ଥର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଯେଉଁମାନେ ଓଡ଼ିଆ ଭାଷାର ଆଲୋଚନା କରନ୍ତି, ସେମାନେ ପ୍ରାୟ ସମସ୍ତେ ତତ୍‌ସମ, ତଦ୍‌ଭବ ଓ ଦେଶଜ ଏହି ତିନି ଶ୍ରେଣୀରେ ଶବ୍ଦମାନଙ୍କୁ ଶ୍ରେଣୀବଦ୍ଧ କରିଦେଇ ଭାଷାବିଚାର କାର୍ଯ୍ୟ ସାଙ୍ଗ କରି ଦେଇଥାନ୍ତି । ଏପରି କି ଅନେକ କ୍ଷେତ୍ରରେ ଶବ୍ଦର ପୂର୍ଣ୍ଣ ଇତିହାସ ଆବିଷ୍କୃତ ହୋଇଥିବା ସ୍ଥଳେ ତାହା ପ୍ରତି ମଧ୍ୟ ସମସ୍ତେ ଅବହିତ ହୁଅନ୍ତି ନାହିଁ । ଓଡ଼ିଆ 'ତମାଖୁ' ଶବ୍ଦ ସଂସ୍କୃତରେ 'ତାମ୍ରକୂଟ'ରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ, ମାତ୍ର ବାସ୍ତବିକ ଏହି ଶବ୍ଦଟି ସଂସ୍କୃତରେ ପରବର୍ତ୍ତୀକାଳରେ ଅନ୍ୟ ଭାଷାରୁ ଅନୁକୃତ । ସ୍ପେନ ଦେଶୀୟ ଲୋକମାନେ ଯେତେବେଳେ ଆମେରିକା ମହାଦେଶରେ ରାଜତ୍ୱ କରୁଥିଲେ, ସେ ସମୟରେ ୟୁକାତନ ପ୍ରଦେଶର ଟାବାକୋ ନାମକ ସ୍ଥାନ କିମ୍ବା ତତ୍‌ସଂଲଗ୍ନ 'ଟେବାଗୋ' ନାମକ ଦ୍ୱୀପରେ ଉତ୍ପନ୍ନ ପତ୍ରବହୁଳ କ୍ଷୁଦ୍ରବୃକ୍ଷ (ଚାରାଗଛ)କୁ ଲକ୍ଷ୍ୟ କରି ଏହାର ନାମ tabaco ଦେଇଥିଲେ । ସ୍ପେନୀୟ ଭାଷାରୁ ଏହା କ୍ରମଶଃ ଫରାସୀ ଓ ଇଟାଲୀୟ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା । ପରେ ଉର୍ଦ୍ଦୁ ଭାଷାରେ 'ତାମ୍ବାକୁ' ରୂପରେ ପରିଣତ ହୋଇଥିଲା ଓ ଉର୍ଦ୍ଦୁଭାଷାରୁ ଏହା କ୍ରମଶଃ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ସମ୍ଭବତଃ ଉର୍ଦ୍ଦୁ 'ତମ୍ବାକୁ' ଶବ୍ଦ ହିନ୍ଦୀ ତମାଖୁରେ ପରିବର୍ତ୍ତିତ ହୋଇଥିଲା ଓ ଏହି ହିନ୍ଦୀ ଶବ୍ଦରୁ ଏକ ଦିଗରେ ବଙ୍ଗଳା 'ତାମାକ୍' ଓ ଅନ୍ୟ ଦିଗରେ ଓଡ଼ିଆ 'ତମାଖୁ' ଶବ୍ଦ ଉଦ୍ଭୁତ ହୋଇଥାଇ ପାରେ । ସଂସ୍କୃତ 'ତାମ୍ରକୂଟ' ସହିତ ଓଡ଼ିଆ ଶବ୍ଦର କିଛିମାତ୍ର ସମ୍ପର୍କ ନାହିଁ । ଏହିପରି 'ଯୋଲାପ' ଶବ୍ଦ ପଛରେ ମଧ୍ୟ ଗୋଟିଏ ଇତିହାସ ନିହିତ ଅଛି । ଓଡ଼ିଆ 'ଜୋଲାପ' ଶବ୍ଦ ହିନ୍ଦୀ 'ଜଲ୍ଲାବ' ଶବ୍ଦରୁ ଉତ୍ପନ୍ନ । ସାଧାରଣତଃ ଏହା ପାରସିକ 'ଗୁଲ୍' ଓ 'ଆବ୍' (ପାଣି) ଏହି ଦୁଇ ଶବ୍ଦର ସମ୍ମିଶ୍ରଣରେ ଜାତ ବୋଲି ଅନୁମାନ କରାଯାଇପାରେ । 'ଗୁଲ' ଶବ୍ଦର ଅର୍ଥ 'rose' (ଗୋଲାପ) । ଭାରତରେ ମୋଗଲଯୁଗରେ ଫୁଲରୁ ଅତର ବା ବାସପାଣି ପ୍ରସ୍ତୁତ ହେଉଥିବାରୁ ଭ୍ରମରେ ଫୁଲଟିର ନାମ 'ଗୋଲାପ'ରେ ପର୍ଯ୍ୟବସିତ ହୋଇଅଛି । ମାତ୍ର ସେ ଯାହାହେଉ, ଗୋଲାପ ପାଣି ବିରେଚକ ରୂପରେ ବ୍ୟବହୃତ ହେଉ ନ ଥିଲା । ଅଥଚ ହିନ୍ଦୀ 'ଜଲ୍ଲାବ' ଶବ୍ଦର ଅର୍ଥ ମୂଳତଃ ବିରେଚକ; ଏଣୁ ଶବ୍ଦଟିର ବିଶଦ ଆଲୋଚନା ପ୍ରୟୋଜନ ହେଲା । ପରେ ଦେଖାଗଲା ଯେ, ମେକ୍‌ସିକୋ ଦେଶର 'ଜଲାପ' ନାମକ ସ୍ଥାନରେ ଏକପ୍ରକାର ଗଛର ମୂଳ ବିରେଚକରୂପରେ ବ୍ୟବହୃତ ହେଉଥିଲା । ଏହି ସ୍ଥାନ ସହିତ ସମ୍ପୃକ୍ତ ଥିବାରୁ ସେହି ଗଛର ନାମ ମଧ୍ୟ 'ଜଲାପ' ଦିଆଯାଇଥିଲା । ଏହି ଗଛଟି ବିରେଚକ ବୋଲି ସାଧାରଣତଃ ପର୍ତ୍ତୁଗୀଜ୍ ଭାଷାରେ 'ଜଲାପ' ଶବ୍ଦ ବିରେଚକ ଅର୍ଥରେ ପ୍ରଯୁକ୍ତ ହେଲା । ପର୍ତ୍ତୁଗୀଜ୍ ମାନେ ଭାରତରେ ସ୍ୱୀୟ ପ୍ରଭାବ ବିସ୍ତାର କରିବା ପରେ ଏହି ଶବ୍ଦ 'ବିରେଚକ' ଅର୍ଥରେ ହିନ୍ଦୀରେ ପ୍ରଯୁକ୍ତ ହୋଇ ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ବାସ୍ତବରେ ଗୋଲାପଫୁଲ ସହିତ 'ଯୋଲାପ'ର ସମ୍ପର୍କ ଅତି ଅଳ୍ପ । ମାତ୍ର ହାକିମୀ ଔଷଧମାନଙ୍କରେ ଗୋଲାପଫୁଲର ପାଖୁଡ଼ା ମୃଦୁ ବିରେଚକରୂପରେ ବ୍ୟବହୃତ ହେଉଥିବାରୁ ଶବ୍ଦମାନଙ୍କର ଅର୍ଥଗତ ଓ ରୂପଗତ ବିଶୃଙ୍ଖଳା ସହଜରେ ସାଧିତ ହୋଇଅଛି ଓ ଆମ୍ଭେମାନେ ଏହାର ପ୍ରକୃତ ସ୍ୱରୂପ ବର୍ତ୍ତମାନ ବିସ୍ମୃତ ହୋଇଅଛୁଁ ।

ଶବ୍ଦର ଇତିହାସର ଏହିପରି ପୁଙ୍ଖୀନୁପୁଙ୍ଖ ଆଲୋଚନା କଲେ ଆମ୍ଭେମାନେ ନାନା ନୂତନ ତଥ୍ୟ ଜାଣି ପାରୁଁ । ଭାଷାର ସମ୍ପୂର୍ଣ୍ଣ ଶିକ୍ଷା ନିମନ୍ତେ ଏପ୍ରକାର ଆଲୋଚନା ମଧ୍ୟ ଅତ୍ୟନ୍ତ ପ୍ରୟୋଜନ । ଏହି ପ୍ରକାର ଆଲୋଚନାରୁ ଆମ୍ଭେମାନେ ବୁଝିପାରୁଁ ଯେ 'ଇଟା' ଶବ୍ଦ ବାସ୍ତବରେ ସଂସ୍କୃତ 'ଇଷ୍ଟକ' ଶବ୍ଦରୁ ପ୍ରାକୃତ ମଧ୍ୟ ଦେଇ ସାକ୍ଷାତଭାବରେ ଓଡ଼ିଆରେ ବ୍ୟବହୃତ ହୋଇ ନାହିଁ । କାରଣ ଏହାର ପାଲିରୂପ 'ଇଟ୍ଟକ' । ଏହି ଶବ୍ଦରୁ ହିନ୍ଦୀ 'ଇଟା' ଶବ୍ଦ ଜାତ ହୋଇ ଓଡ଼ିଆରେ ଅବିକୃତଭାବରେ ବ୍ୟବହୃତ ହୋଇଅଛି । ଏହିପରି 'ଛବି' ଶବ୍ଦ କେବଳ ସଂସ୍କୃତ 'ଛବି' ସହିତ ସମ୍ପୃକ୍ତ ନୁହେ । କାରଣ ଆରବ ଭାଷାର 'ତସବୀର' ଶବ୍ଦ 'ତଛବିର'ରେ ପରିଣତ ହୋଇ ଉର୍ଦ୍ଦୁରେ 'ଛବି' ଆକାର ଧାରଣ କରିଅଛି ଓ ଏହି ଛବି ଶବ୍ଦ ସଂସ୍କୃତ ଛବି ସହିତ ରୂପଗତ ସମତା ହେତୁରୁ ଅର୍ଥ ବିପର୍ଯ୍ୟୟ ଘଟାଇଅଛି । 'ଛବିଳ ଉତ୍କଳେ ତୋ ଛବି ଅତୁଳ' ଏହି ପଦ୍ୟାଂଶଟିରେ ଉଭୟ 'ଛବି' ଶବ୍ଦର ଅର୍ଥଗତ ବିଭିନ୍ନତା ସୁସ୍ପଷ୍ଟ ରକ୍ଷିତ ହୋଇଅଛି । ଓଡ଼ିଆ ଭାଷାରେ ଅନେକ ଶବ୍ଦ ସଂସ୍କୃତରୁ ନିଆ ଯାଇଅଛି ସତ୍ୟ, ମାତ୍ର ସେମାନଙ୍କ ବିକୃତି ପଛରେ ନାନା ଜାତିର ସମ୍ପର୍କ ଓ ନାନା ଭାଷାର ସଂସ୍ପର୍ଶ ଏପରି ଭାବରେ ରହିଅଛି ଯେ ସେମାନଙ୍କର ଆଲୋଚନା କଠିନ । 'ଟେରି' ଶବ୍ଦର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହା ହିନ୍ଦୀ 'ତେଡ଼ି'ରୁ ଉତ୍ପନ୍ନ । ଏହି 'ତେଡ଼ି' ଶବ୍ଦ ସଂସ୍କୃତ, 'ତିର୍ଯ୍ୟକ୍' ଶବ୍ଦରୁ ଜାତ ଅର୍ଥାତ୍ ଏହାର ମୂଳ ଅର୍ଥ ଯାହା ମୁଣ୍ତରେ ବଙ୍କାଭାବରେ ଅଙ୍କିତ ହୋଇଥାଏ । ଏହି 'ତିର୍ଯ୍ୟକ୍' ଶବ୍ଦରୁ 'ତେଢ଼ା', 'ଟେରା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏକ ଦିଗରେ ପାଲି 'ତିରଚ୍ଛା'ରୁ 'ତେରଚ୍ଛା' ଶବ୍ଦ ଜାତ ହୋଇଅଛି, ଅନ୍ୟ ଦିଗରେ ହିନ୍ଦୀ ଭାଷାର ଅନୁକରଣରେ 'ଟେର୍' ଶବ୍ଦ ମଧ୍ୟ ବ୍ୟବହୃତ ହେଉଅଛି, ଅର୍ଥାତ୍ 'ଟେର' ପାଇବାର ପ୍ରକୃତ ଅର୍ଥ ସିଧା ସଳଖ ଭାବରେ କୌଣସି ବସ୍ତୁର ଜ୍ଞାନଲାଭ ନ କରି ବକ୍ର ବା ଅସମ୍ପୂର୍ଣ୍ଣ ବା ଅସମୀଚୀନ ଭାବରେ କୌଣସି ବିଷୟ ଜାଣିବା । କେତେକ କ୍ଷେତ୍ରରେ ଦୁଇଗୋଟି ଭିନ୍ନ ଭାଷାରେ ପ୍ରଚଳିତ ଶବ୍ଦମାନଙ୍କର ପୁଣି ରୂପଗତ ସମତା ନ ଥିଲେ ମଧ୍ୟ ସେମାନଙ୍କର ଇତିହାସ ଆଲୋଚନା କରି ସେମାନଙ୍କର ସମୀକରଣ କରିବା ସମ୍ଭବପର ହୁଏ । ଓଡ଼ିଆ 'ଅଶ୍ରୁ' ସହିତ ଇଂରାଜୀ tear ଶବ୍ଦର କୌଣସି ସମତା ନାହିଁ, ମାତ୍ର ବାସ୍ତବରେ ଅଶ୍ରୁ ଶବ୍ଦଟିର ମୂଳ ଆର୍ଯ୍ୟ ଭାଷାରେ 'ଦଶ୍ରୁ' ରୂପ ଥିଲା ଓ ଏହା 'ଦଂଶ' ଶବ୍ଦ ସହିତ ସମ୍ପୃକ୍ତ । ଦ ସ୍ଥାନରେ ତ (ଟ) ହେବା ଭାଷାତତ୍ତ୍ୱର ସାଧାରଣ ନିୟମ ଓ ଆର୍ଯ୍ୟ 'ଦଶ୍ରୁ' ଶବ୍ଦରୁ ଏକ ଦିଗରେ ସଂସ୍କୃତ ଅଶ୍ରୁ, ଅନ୍ୟ ଦିଗରେ ଲାଟିନ lachrymo ଇଂରାଜୀ tear ପ୍ରଭୃତି ସ୍ୱାଭାବିକ ଭାବରେ ଜାତ ହୋଇଅଛି । ଏହିପରି ଭାବରେ ହଂସ ସହିତ goose ଶବ୍ଦର ରୂପଗତ ସମତା ନ ଥିଲେହେଁ ଉଭୟ ଶବ୍ଦ ମୂଳତଃ ଏକ; କାରଣ 'ହସଂ'ର ପ୍ରାଚୀନ ଆର୍ଯ୍ୟ ଭାଷାରେ ରୂପ 'ଘଂସ' ଓ 'ଘ' ସ୍ଥାନରେ 'ଗ' ହେବା ସ୍ୱାଭାବିକ । ଅବଶ୍ୟ ସମୀକରଣ ସମୟରେ ଏହି ସବୁ ଶବ୍ଦର ପ୍ରତ୍ୟେକ ଅଂଶର ପରିବର୍ତ୍ତନର କାରଣ ଓ ବ୍ୟାଖ୍ୟା ଦେବା ପ୍ରୟୋଜନ । କେବଳ ଅଂଶ ବିଶେଷର ବ୍ୟାଖ୍ୟା ଦେଲେ ଯଥେଷ୍ଟ ହୁଏ ନାହିଁ । ଶବ୍ଦର ଇତିହାସକୁ ଏହିପରି ଭାବରେ ଅନୁଶୀଳନ ନ କରି କେବଳ ସେମାନଙ୍କୁ ଦେଶଜ ବୋଲି ନିର୍ଦ୍ଦେଶିତ କରିବା କିମ୍ବା ସଂସ୍କୃତ ଧାତୁ ପ୍ରତ୍ୟୟ ମାତ୍ର ପ୍ରଦର୍ଶନ କରିବାଦ୍ୱାରା ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନଲାଭ କରିବା ଅସମ୍ଭବ ।

©ସରଳ ଭାଷାତତ୍ତ୍ଵ (ଗିରିଜା ଶଙ୍କର ରାୟ)

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...