ମଣିଷ ହେଲାଣି ଚିନ୍ତାର କାରଣ
ଧରାରୁ ଲିଭୁଚି କେତେ ଜାତି ପ୍ରାଣ
ଦିନୁ-ଦିନ କ୍ଷୟ ଦେଖି ପକ୍ଷୀକୂଳ
ପକ୍ଷୀରାଜ ନିଶ୍ଚେ ଥିବେ ମ୍ରିୟମାଣ
କରିବେକି ଆଉ ବିହଙ୍ଗେ ବିପ୍ଳବ
ଘେନି ଦଳ-ବଳ ଝିଙ୍ଗାସର ରବ
ଚିନ୍ତାମଣି ଚିନ୍ତ ଯଦି ଏ ସମ୍ଭବ
ନଥିବ ଧରାରେ ମଣିଷର ଦମ୍ଭ
- ସନ୍ତୋଷ ପଟ୍ଟନାୟକ
ସଂଘର୍ଷ ରତ ବିହଙ୍ଗ କୁଳ
ଜୀବନ ଦୁର୍ବିସହ
ମାନବ କର୍ମ କଷଣ ଦିଏ
ତଥାପି ନିରୁପାୟ ।
ଆସିବ ଦିନ ହଜିବ ଚିହ୍ନ
ସନ୍ଦେହ ତିଳେ ନାହିଁ
ବିହଙ୍ଗ ପାଇଁ କିଞ୍ଚିତ ଚିନ୍ତା
କର ମାନବ ଭାଇ ।
ନହେଲେ ଦିନେ ଉଠିବ ମଥା
ବିପ୍ଳବୀ ହେବେ ପକ୍ଷୀ
ମାନବ ସତ୍ତା ହଜାଇ ଦେବେ
ପାରିବନି କେ ରଖି ।
- ଟୁକୁନା ସାହୁ
ବିପଥଗାମୀ ଏ ମଣିଷ ସମାଜ
ଟେକ୍ନୋଲଜି ଆଢୁଆଳେ
ବିପଦ ଘେରରେ ବିହଙ୍ଗ ପ୍ରଜାତି
ମଣିଷର ସ୍ବାର୍ଥ ଜ୍ବାଳେ
ସବୁରି ଜୀବନ ଅମୂଲ୍ୟ ସମ୍ପନ୍ଦ
ଏଇ ଧରଣୀର କୋଳେ
ଯଦିଓ ବିହଙ୍ଗ ଆଣନ୍ତି ବିପ୍ଳବ
ଭୋଗିବା କଷ୍ଟ ସକଳେ
- ଜଗବନ୍ଧୁ ସାହୁ
ଭବ୍ୟେ ଆତଯାତ ସକଳ ଜଗତ
ପଶୁ ପଷୀ କୀଟ ତରୁ
ତୋ ମନ ମସ୍ତିଷ୍କ ଜଣାରେ ଉତ୍କୃଷ୍ଟ
ବଡ ନୁହଁ ସ୍ରଷ୍ଟା ଠାରୁ
ବାହାନ ବୋଲାଇ ବଧନ୍ତିନି ବିହି
ଧରାରେ ଧିକ ଦରବ
ନୁହଁଇ କଳ୍ପନା ବାସ୍ତବ ବଇନା
ଦିନେ ବିହଙ୍ଗ ବିପ୍ଲବ
- ଦାଶରଥି ସାହୁ
ପ୍ରକୃତି କୋଳରେ ବିହଙ୍ଗ ବିପ୍ଳବ
ପରିବର୍ତ୍ତନର ସ୍ବର
କିନ୍ତୁ ମନେରଖ ହେଲେ ସେ' ବିପ୍ଳବ
ଧରା ହେବ ଛାରଖାର
ତେଣୁ ସାବଧାନ ହୋଇଯାଅ ସର୍ବେ
ଆପଣା ସ୍ୱାର୍ଥକୁ ତେଜି
ନ ହୋଇ ନିଷ୍ଠୁର ହୁଅ ଯତ୍ନବାନ
ବିହଙ୍ଗ ପ୍ରେମରେ ହଜି
- ରାମ ଚନ୍ଦ୍ର ପ୍ରଧାନ
ଶହେରୁ ଶତକଡ଼ା ନବେ ଅଧର୍ମୀ
ନିଷ୍ଠୁର ମଣିଷ ଜାତି
ପରିବେଶ ସନ୍ତୁଳନ ବିଗାଡ଼ିଲେ
ବନାନୀ ଗଲାଣି ତାତି
ଦୁରସଞ୍ଚାର ସେ ଅଦୃଶ୍ଯ ଦାନବ
ବୁଲୁଅଛି ଘିରି ଘିରି
ବିଲୁପ୍ତ ହେଲେଣି ନାନା ଜାତି ପକ୍ଷୀ
ସଂସାରୁ ଗଲେଣି ତରି
ମଣିଷ ରଚିଛି ଚକ୍ରବିହ୍ବ ଦେଖ
ଆପଣା ସୁଖ ଆଦରି
ବିହଙ୍ଗ ବିପ୍ଳବ ହବକି ସଫଳ !
ଅକାରଣେ ଯିବେ ମରି ....
‐ ରାଧା କୃଷ୍ଣ ବାୟକ
ମାନବ ପାଇଁକା ବିହଙ୍ଗଙ୍କ ଲୋପ
ଏକଥା ଭଲରେ ଜାଣ
ସୁଖ ସଉଖିନେ ଜୀଇଁବ ବୋଲିକା
ନେଉଥାଏ ତାଙ୍କ ପ୍ରାଣ
ଆଧୁନିକ ଚିଜ ବ୍ୟବହାର କରି
ବାଢାଏ ସେ ପ୍ରଦୂଷଣ
ଗଛ କାଟି ପୁଣି ବାସ ହରେ ତାଙ୍କ
ଦାଉ ସାଜେ ପ୍ରତିକ୍ଷଣ
ଆସିବ ସେ ଦିନ ଦେଖିବ ଏ ଜନ
ବିହଙ୍ଗେ ହୋଇବେ ମେଳି
ମାନବ ବିରୁଦ୍ଧେ ସଂଗ୍ରାମ ରଚିବେ
ସମଗ୍ର ବିଶ୍ବକୁ ଜାଳି ....
- ରବିନ୍ଦ୍ର ସାହୁ
ଶୁଷ୍କ ମଟାଳର ଥୁଣ୍ଟା ଗଛ ଡାଳେ
ତେଜିବ ବିହଙ୍ଗ ମେଳି
କିଚିରି ମିଚିରି ଆତ୍ମା ଚିତ୍କାରରେ
ବିହଙ୍ଗ ଯେ ବାହୁବଳୀ
ସ୍ୱାର୍ଥପର ଏଇ ମଣିଷ ଦେଖିବ
ଦିନେ ବିହଙ୍ଗ ବିପ୍ଳବ
ବିପର୍ଯ୍ୟସ୍ତ ପଥେ ବିହଙ୍ଗଙ୍କ ବଂଶ
ଚେତନା ହୁଅ ମାନବ
- ପ୍ରବୀର ମଲ୍ଲିକ୍
No comments:
Post a Comment