Showing posts with label ଲୋକନାଟ୍ୟ ଓ ଲୋକ ସଙ୍ଗୀତ. Show all posts
Showing posts with label ଲୋକନାଟ୍ୟ ଓ ଲୋକ ସଙ୍ଗୀତ. Show all posts

Friday, July 31, 2020

● ଗଞ୍ଜାମର ରାମଲୀଳା ଓ କୃଷ୍ଣଲୀଳା ●

#ଗୌରବମୟ_ଗଞ୍ଜାମ । ✍ ସନ୍ତୋଷ ପଟ୍ଟନାୟକ ।
#ଲୋକନାଟ୍ୟ , #ଲୋକନୃତ୍ଯ ଓ #ଲୀଳାଭୂମୀ
   ---------------------------
 ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠ, ମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା । ନାଟ୍ୟକଳା ଥିଲା ଳୋକଙ୍କ ଜୀବନ । ରାଜନ୍ୟବର୍ଗଙ୍କ ଏଥିପାଇଁ ପ୍ରୋତ୍ସାହନ ଥିଲା । ଧନାଢ଼୍ୟ ବ୍ୟକ୍ତିମାନଙ୍କର ନାଟ୍ୟକଳା ପ୍ରତି ଅତ୍ୟନ୍ତ ଶ୍ରଦ୍ଧା, ସମ୍ମାନ ଓ ସମ୍ମୋହନ ଥିଲା । ତେଣୁ ଶହ ଶହ ବର୍ଷ ଧରି ଲୋକନାଟ୍ୟ ପରମ୍ପରା ତିଷ୍ଠି ରହିଥିଲା । ଲୋକଙ୍କୁ ଏହା ଆନନ୍ଦ ପ୍ରଦାନ କରିବା ସହିତ ଧର୍ମୀୟ ଚେତନାରେ ଉଦ୍‌ବୁଦ୍ଧ କରୁଥିଲା । ଫଳତଃ ଲୋକେ ଶୃଙ୍ଖଳିତ ଜୀବନଯାପନ ପାଇଁ ପ୍ରେରଣା ପାଇବା ସହିତ ସାମାଜିକ ନୀତି, ରୀତି ବିଧି ଓ ପରିଧି ଭିତରେ ସଂସ୍କୃତି ସଂପନ୍ନ ମଣିଷ ଭାବେ ବଞ୍ଚିବା  ପାଇଁ ପ୍ରେରଣା ପାଉଥିଲେ । 
#ରାଧାପ୍ରେମଲୀଳା ଓ #ଭାରତଲୀଳା ଭଳି  ରାମଲୀଳା ଓ  କୃଷ୍ଣଲୀଳା ଗଞ୍ଜାମର ଏକ ଭିନ୍ନ ପରିଚୟ 
#ରାମଲୀଳା :- 
 ରାମାୟଣ ଏକ ଶାଶ୍ୱତ ଅମର କାବ୍ୟ । ରାମକଥାକୁ ଭିତ୍ତିକରି ସର୍ବଭାରତୀୟ ସ୍ତରରେ ପଞ୍ଚମ ଶତାବ୍ଦୀ ପୂର୍ବରୁ ସଂସ୍କୃତ ନାଟକମାନ ଅଭିନୀତ ହୋଇଥିବା ସ୍ଥଳେ ଓଡ଼ିଶାରେ ରାମଙ୍କ ଜୀବନ କାହାଣୀକୁ ନେଇ ସଂସ୍କୃତ ଭାଷାରେ ନୃତ୍ୟ,ଗୀତ ମାଧ୍ୟମରେ ଅଭିନୟ ପରମ୍ପରା ନବମ ଶତାବ୍ଦୀରୁ ପ୍ରଚଳିତ । ଓଡ଼ିଆ ଲୀଳାର ପ୍ରଥମ ଲିଖିତ ରୂପ ବିଶ୍ୱନାଥ ଖୁଣ୍ଟିଆଙ୍କ ‘#ବିଚିତ୍ରରାମାୟଣ’ ବା ବିଶି ରାମଲୀଳା’କୁ ଗ୍ରହଣ କରାଯାଇଛି । ଏହାର ରଚନା କାଳ ୧୭୦୯ । ଏପର୍ଯ୍ୟନ୍ତ ଜ୍ଞାତ ପ୍ରାୟ ଅଧିକାଂଶ ରାମଲୀଳା ଗଞ୍ଜାମ ଜିଲ୍ଲାର କବି ମାନଙ୍କ ଦ୍ୱାରା ହିଁ  ରଚିତ । ଏହି ଅଞ୍ଚଳରେ ରାମଭକ୍ତିର ସ୍ରୋତ ନିରବଛିନ୍ନ ଭାବରେ କାହିଁକି ପ୍ରବାହିତ ହୋଇଥିଲା, ତାହା ନିର୍ଣ୍ଣୟ କରିବା ଅଧିକ ଗବେଷଣା ସାପେକ୍ଷ ବୋଲି ଐତିହାସିକ କେଦାରନାଥ ମହାପାତ୍ର ଲେଖିଛନ୍ତି । ( ଝଙ୍କାର, ନବମବର୍ଷ- ୧୧ଶ ସଂଖ୍ୟା) #ଗଞ୍ଜାମର  ରାମଲୀଳା ରଚୟିତାଭାବେ #ବୈଶ୍ୟ_ସଦାଶିବ, #କୃଷ୍ଣଚନ୍ଦ୍ର_ରାଜେନ୍ଦ୍ର, #ବିମ୍ବାଧର_ସାନସାମନ୍ତ, ,  ରଘୁନାଥ_ପରିଚ୍ଛା, #କେଶବ_ପଟ୍ଟନାୟକ, ଧରାକୋଟ ରାଜା #ରଘୁନାଥ ସିଂହ, #ବିପ୍ରକୁଞ୍ଜ, #ଯୁଧିଷ୍ଠିର ସାହୁ ପ୍ରମୁଖଙ୍କ ନାମ ପ୍ରକାଶ ଯୋଗ୍ୟ । ଗାୟକଭାବେ  ନଟବର ସାହୁ,  ଅଗାଧୁ ପାଣିଗ୍ରାହୀ, #ଅନନ୍ତ ରାମ ପାଢ଼ୀ, #ତ୍ରିନାଥ ପୋଲେଇ, #ଉଦୟନାଥ_ପଟ୍ଟନାୟକ, #ବୈଦ୍ୟନାଥ ମହାରଣା,  ସତ୍ୟନାରାୟଣ ପାଢ଼ୀ, #ଅଗାଧୁ କାହାଳିଆ, ପ୍ରମୁଖଙ୍କ ନାମ ସ୍ମରଣୀୟ । ଏହି ଲୀଳାର ସାମାଜିକ ଆବେଦନ, ଆଧ୍ୟାତ୍ମିକ ଚେତନା , ରସାବେଦନ , ସାଙ୍ଗୀତିକ ଆବେଦନ , ବର୍ଣ୍ଣନା ବୈଭବ ଭାଷା ଓ ସଂଳାପ ଶ୍ରୋତା ଓ ଦର୍ଶକ ମାନକୁ ବିମୋହିତ କରୁଥିଲା ।ଏହି ଲୀଳା ସଂଦର୍ଶନ କରି ଐତିହାସିକ #କେଦାରନାଥ ମହାପାତ୍ର , ପଣ୍ଡିତ #ବିଧାୟକ ମିଶ୍ର, କବି ଡ଼ଃ #ମାୟାଧର ମାନସିଂହ , ପଲ୍ଲୀକବି #ନନ୍ଦକିଶୋର ବଳ ପ୍ରମୁଖ #ଗଞ୍ଜାମ_ରାମଲୀଳାର ଲୀଳାକାରମାନଙ୍କ ଓ ପ୍ରାୟୋଜିତ କାରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ  ।
----------------------------------------------------------------

#କୃଷ୍ଣଲୀଳା :- 

ରାମଲୀଳା ପରି ଗଞ୍ଜାମରେ କୃଷ୍ଣଲୀଳାର ମଧ୍ୟ ଆଦର ରହିଛି । ଓଡ଼ିଶାରେ ପ୍ରଯୋଜିତ କୃଷ୍ଣ ଲୀଳାର ନାଟକୀୟ ଦିଗଟି (ଗୀତଗୋବିନ୍ଦ) ଦ୍ୱାରା ନିୟନ୍ତ୍ରିତ ହେବାବେଳେ କଥାବସ୍ତୁ ଜଗନ୍ନାଥ ଦାସଙ୍କ ଭାଗବତରୁ ସଂଗୃହୀତ ହୋଇଛି । କୃଷ୍ଣ ଲୀଳାର ଶ୍ରୀକୃଷ୍ଣ ବାସୁଦେବ ସ୍ୱୟଂ ଭଗବାନ ଅବା ଅବତାରୀ । ସଂଗୃହୀତ ତଥ୍ୟରୁ ଜଣାଯାଏ ବାବାଜୀ #ଦୁଃଖୀଶ୍ୟାମ ଦାସ ହିଁ ସର୍ବପ୍ରଥମେ ଗଞ୍ଜାମରେ କୃଷ୍ଣଲୀଳା (୪୮ଲୀଳା)ରଚନା କରି ଗଞ୍ଜାମ ଆଠଗଡ଼ ନିକଟସ୍ଥ #ବାଉଁଶିଆ ଗ୍ରାମରେ ଅଭିନୟ କରାଇଥିଲେ । ସେ ଏହି ଲୀଳାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ଏହି ଲୀଳା ଲୋକପ୍ରିୟ ହେଲା ଏବଂ ଲୋକରେ ଏହା ଆଠଗଡ଼ିଆ ଲୀଳାଭାବେ ପରିଚିତ ହେଲା । ଏହି ଲୀଳାର ଗାୟକଭାବେ ବାଉଁଶିଆ ଗ୍ରାମର #ବୁଦ୍ଧିଆ ବାଡ଼ତ୍ୟା , #ଭଗବାନ ବେହେରା, #ବାଜିଆ ଗୌଡ଼, #ପୁରା ସାହୁ,  ମୋହନ ଦାସ ପ୍ରମୁଖ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ  #ଦେବଭୂମିର କୃଷ୍ଣଲୀଳା ଗାୟକ ସୋମନାଥ ବେହେରା ଏହି ଲୀଳାର  ବିକାଶ ଓ ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲୀଳାକାର #ଦୁଃଖୀଶ୍ୟାମ ଦାସଙ୍କ ଜନ୍ମ ସ୍ଥାନ ଚିଙ୍ଗୁଡ଼ି ଘାଇ । ସେ ଜାତିରେ ମହାନ୍ତି (ଖଣ୍ଡାୟତ) ।
              ଗଞ୍ଜାମରେ କୃଷ୍ଣଲୀଳାର ଅନ୍ୟାନ୍ୟ ରଚୟିତା ହେଲେ ଗୌତମୀର #ହରିହର ଷଡ଼ଙ୍ଗୀ, ପାରଳାଖେମୁଣ୍ଡିର #ମଧୁସୂଦନ ପାଣିଗ୍ରାହୀ, #ରଘୁନାଥ ପରିଚ୍ଛା, ବଡ଼ଖେମୁଣ୍ଡିି ରାଜା  ଲକ୍ଷ୍ମୀନାରାୟଣ ଦେଓ ଥିଲା ଏବଂ ଚିକିଟିର  ବିପ୍ରଶ୍ୟାମ । ସଂପ୍ରତି କୃଷ୍ଣଲୀଳାର ପ୍ରସିଦ୍ଧ ଗାୟକଭାବେ #ସୋମନାଥ ସ୍ୱାଇଁଙ୍କ ନାମ ଉଲ୍ଲେଖଯୋଗ୍ୟ । ଗଞ୍ଜାମରେ ଶତାଧିକ କୃଷ୍ଣଲୀଳା ଦଳ ଥିଲା ଏବଂ ୫୦ରୁ ଊର୍ଦ୍ଧ ଲୀଳା ଶିକ୍ଷକ ଥିଲେ । ଗଞ୍ଜାମ  କୃଷ୍ଣଲୀଳାର ମୁଖ୍ୟ ଆକର୍ଷଣ ହେଲା ଏହାର ସ୍ୱର । ଗାୟକ ତଥା ଅଭିନେତାମାନଙ୍କର ଉଚ୍ଚ କୋମଳ ସ୍ୱର ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ । ଏହି ଲୀଳାର ବେଶ ପରିପାଟୀ ଉନ୍ନତ ଓ ରୁଚିପୂର୍ଣ୍ଣ । 

             ମନୋରଞ୍ଜନ ସହ  ଆଧ୍ୟାତ୍ମିକତାକୁ ଏହି ଅଞ୍ଚଳରେ ଗୁରୁତ୍ୱ ଦିଆଯାଏ । ଲୀଳା ଦର୍ଶନ ବେଳେ ଦର୍ଶକ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଅଭିନେତାକୁ ଭୁଲି ସ୍ୱୟଂ ଭଗବାନ ବୋଲି ବିବେଚନା କରି ପ୍ରଣାମ କରିଥାନ୍ତି । ଲୋକ ପ୍ରିୟତା ଦୃଷ୍ଟିରୁ ସଂପ୍ରତି ଜନ୍ମଲୀଳା, ବାଲ୍ୟଲୀଳା, ଦଧିମନ୍ଥନ ଲୀଳା ଓ କାଳୀୟ ଦଳନ ଲୀଳା ଭଳି ୪୮ ପ୍ରକାର ଲୀଳା ଅନୁଷ୍ଠିତ ହେଉଥିବାବେଳେ ଆଜି ଏହା ଋଗୁଣ୍ ଅବସ୍ଥାରେ ଅଛି ବହୁତ କମ୍  ସଂଖ୍ୟକ ଦଳ ଏବେ ଅଛନ୍ତି ।  ସରକାରୀ ଉଦାସୀନତା ଓ ପ୍ରତ୍ସାହନ  ଏହାର ମୁଖ୍ୟ କାରଣ  ।
    ଉପସ୍ଥାପନା ଓ ସଂଗ୍ରାହକ  : #ସନ୍ତୋଷ ପଟ୍ଟନାୟକ ଗଞ୍ଜାମ  ।

● ଢ଼ୁମ୍ପା ● ଉପସ୍ଥାପନା : ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ

#ହିରଣ୍ୟଗର୍ଭା @ #ଗୌରବମୟ ଗଞ୍ଜାମ ।■■■

#ଗଞ୍ଜାମର ଲୋକ ସଙ୍ଗୀତ ଓ ବାଦ୍ୟ #ଢୁମ୍ଫା 
              ●●●●●●●
#ଢୁମ୍ପା ସଙ୍ଗୀତ ଗଞ୍ଜାମର ପ୍ରସିଦ୍ଧ ଲୋକକଳା । #ଢୁମ୍ପା ସଙ୍ଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବାପାଇଁ ପଡିବ।#ଗଞ୍ଜାମର ବଡଖେମୁଣ୍ଡିରେ ୧୭୮୯ ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର #କବିସୂର୍ଯ୍ଯ ବଳଦେବ ରଥ।୧୮୪୫ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା।ଜୀବନକାଳ ଭିତରେ ସେ ଯେଉଁ ସାହିତ୍ୟକୃତି କରିଯାଇଛନ୍ତି ତାର ପଟାନ୍ତର ନାହିଁ ।କିଶୋର ଚନ୍ଦ୍ରାନନ ଚମ୍ପୂ,ରତ୍ନାକର ଚମ୍ପୂ,ଚନ୍ଦ୍ରକଳା , ସର୍ପଜଣାଣ ସହ #ଢୁମ୍ଫା ସଙ୍ଗୀତ ତାଙ୍କ କୃତିମାନଙ୍କ ମଧ୍ୟରେ ଅନ୍ୟତମ।
ଢୁମ୍ଫା ସଙ୍ଗୀତ ଗୁଡିକୁ ଗାଇବାପାଇଁ ସଙ୍ଗୀତଆସରର ଗଠନ କରାଯାଉଥିଲା। ସେଥିରେ ଯେଉଁ ମୂଖ୍ୟ ବାଦ୍ୟଯନ୍ତ୍ରଟି ବ୍ୟବହୃତ ହେଉଥିଲା ତାକୁ ଢୁମ୍ପା କୁହାଯାଉଥିଲା। ଏହା ‘ରାଜମଇ’ କିମ୍ବା ‘ଭେଣ୍ଡିଆ ମର୍ଦ୍ଦନ’ ଗଛର ପଳଖ ବା ଖୋଳରୁ ପ୍ରସ୍ତୁତ ହେଉଥିଲା।’ଢୁମ୍ପା’ ସଂଗ୍ରହ ମୂଖ୍ୟତଃ ବର୍ଷାଦିନେ ଜଙ୍ଗଲରୁ ହୋଇଥାଏ।ସଳଖରେ ବଢିଥିବା ଏବଂ ମଝିରେ ଗଣ୍ଠି ନଥିବା ‘ଭେଣ୍ଡିଆମର୍ଦ୍ଦନ’ ଗଛ କିମ୍ବା ‘ରାଜମଇ’ ଗଛକୁ କାଟି, ତାର ମୋଟା ଖୋଳପାକୁ ଗଣ୍ଡିରୁ ଅଲଗାକରି, ପ୍ରାୟ ଆଠ/ଦଶ ଫୁଟ ଲମ୍ବର ବାଦ୍ୟଯନ୍ତ୍ରଟି ପ୍ରସ୍ତୁତ କରାଯାଏ ।ଏହା ଗୋଟିଏ ଦୁଇଟି ସଙ୍ଗୀତ ଆସରେ ପରେ ନଷ୍ଟ ହେଇଯାଇଥାଏ ସେହି କାରଣରୁ ପରବର୍ତ୍ତୀ ସମୟରେ ଏକ ପ୍ରକାର ଦଶଗଣ୍ଠିଆ ବାଉଁଶ ଦ୍ବାରା ମଧ୍ୟ ଏହା ପ୍ରସ୍ତୁତ କରିବା ନଜର ଅଛି । (ଏହା ଅଦ୍ୟାବଧି ପ୍ରଚଳିତ) । ଘାଗୁଡିଲଗା କାଠିରେ ,ତାଳ ଅନୁସାରେ ମାଡଦେଲେ ସୁନ୍ଦର ଶବ୍ଦର ସୃଷ୍ଟି ହୁଏ। ଢୁମ୍ପାର ଦୁଇପଟକୁ ରସିରେ ବାନ୍ଧି ଝୁଲେଇ ଦିଆହୁଏ।ଦୁଇଖଣ୍ଡ ବାଉଁଶକାଠିରେ ଅନ୍ୟ ଦୁଇଜଣ ଦୁଇପଟେ “ତାରିଖିଟା ତାକଝିଣା” ତାଳରେ ଢୁମ୍ପା ଉପରେ ବାଜଣା କରନ୍ତି।ତା’ସଙ୍ଗେ ସଙ୍ଗେ ହାରମୋନିୟମ, ଡୁବି ତାବଲା,ପଖଜ ଇତ୍ୟାଦି ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଏ।ଢୁମ୍ପା ସଙ୍ଗୀତ  ବୋଲାହୁଏ ଏବଂ ଆସର ଜମି ଉଠେ। ଗୋଟିଏ ମଇ କାଠରେ ପ୍ରସ୍ତୁତ ଢୁମ୍ପାଯନ୍ତ୍ର, ଗୋଟିଏ ବା ଦୁଇଟି ଆସରରେ ନଷ୍ଟ ହୋଇଯାଏ। ବାଉଁଶ ତିଆରି ଯନ୍ତ୍ରଟି ଅପେକ୍ଷାକୃତ ଅଧିକ ଦିନ ବ୍ୟବହାର ଯୋଗ୍ୟ ହୋଇଥାଏ ।
           
               #କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ସବୁ ଢୁମ୍ପା ଏବେ ମିଳୁନଥିଲେ ମଧ୍ୟ କୁଳମଣି ଦାଶଙ୍କଦ୍ୱାରା ସମ୍ପାଦିତ 'କବିସୂର୍ଯ୍ୟ ଗ୍ରନ୍ଥାବଳୀ'ରେ ତିନି ଗୋଟି ଢୁମ୍ପା ଶ୍ରେଣୀୟ ରଚନା ମିଳିଥାଏ । ଏଗୁଡ଼ିକ ହେଲା :- ଛୋଟ ଢୁମ୍ପା, ନିଆଳୀଗଭା ଢୁମ୍ପା ଓ ଜାଈଫୁଲ ଢୁମ୍ପା ।
ବିଂଶ ଶତାବ୍ଦୀରେ ବଳଦେବ ରଥଙ୍କ ଦେହାବସାନ ପରେ ପୁରୀ ଜିଲ୍ଲା ଖଣ୍ଡପଡ଼ାର ପଠାଣି ସାମନ୍ତଙ୍କ ମଝିଆ ପୁତ୍ର ଗଦାଧର ସିଂହସାମନ୍ତ ଢୁମ୍ପା ସଙ୍ଗୀତର ପରମ୍ପରାକୁ ରକ୍ଷା କରିବା ପାଇଁ ନିଜେ କେତେଗୋଟି ଗୀତ ରଚନା କରିଥିଲେ । ସାଙ୍ଗୀତିକ ଦୃଷ୍ଟିରୁ ଉଭୟ କବିସୂର୍ଯ୍ୟ ବଳଦେବ ରଥ ଓ ଗଦାଧର ସିଂହସାମନ୍ତ ଓଡ଼ିଶୀ ସଙ୍ଗୀତର ପ୍ରବୀଣ ଆଚାର୍ଯ୍ୟ ହୋଇଥିବାରୁ ଢୁମ୍ପା ସଙ୍ଗୀତ ବିଶୁଦ୍ଧ ଓଡ଼ିଶୀ ରାଗତାଳରେ ରଚିତ ହୋଇଥିବା ଦେଖାଯାଏ । ଆହାରୀ, ଭୈରବୀ ଆଦି କେତୋଟି ପାରମ୍ପରିକ ଓଡ଼ିଶୀ ରାଗ ଢୁମ୍ପାରେ ବିଶେଷ ପ୍ରସିଦ୍ଧି ଲାଭ କରିଥିବା ଲକ୍ଷ୍ୟ କରାଯାଏ । ଗୀତଗୁଡ଼ିକରେ ଏକ ବିଶେଷ ପ୍ରକାର ଝୁଙ୍କ ଲକ୍ଷ୍ୟ କରାଯାଏ, ଏବଂ ତାହା ସହିତ ମଝିରେ ମଝିରେ ତାଳର ପାଟାକ୍ଷରଗୁଡ଼ିକ ବିଚିତ୍ର ଢଙ୍ଗରେ ଉଚ୍ଚାରଣ କରାଯାଏ ।

                 ଯେଉଁଦିନ ଢୁମ୍ପା ସଙ୍ଗୀତର ଆସର ଜମିବା ଠିକ ହୁଏ, ସେଦିନ ସକାଳେ ଆଠ ଦଶ ଜଣ ଯୁବକ ଆଠ ଦଶ ହାତ ଲମ୍ବର ଦଉଡ଼ା ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି , ଦିନସାରା ଜଙ୍ଗଲରେ ବୁଲି ଶାଖା ଓ ଗଣ୍ଠିହୀନ ଆଠଶହ ହାତର ମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛଟିଏ ଯୋଗାଡ଼ କରାଯାଏ । ଗଛର ଯେଉଁଠାରୁ ଶାଖା ବାହାରିଥାଏ ସେଠାରୁ ଉପରକୁ ହାଣିଦିଆଯାଏ । ତା ପରେ ଗଛର ଛେଲିକୁ ଚାରିପଟୁ ଘେରିଘେରି କଟାଯାଏ । ଗଛର ମଞ୍ଜ ସେହିପରିଥାଏ । ଦଉଡ଼ାରେ ବାନ୍ଧି ଠେଙ୍ଗାଦ୍ୱାରା ଯୁବକମାନେ ଗଛର ଛେଲିକୁ ମୋଡ଼ନ୍ତି । ଏପରି ଭାବରେ ତଳୁ ଉପରକୁ ମୋଡ଼ି ଶେଷରେ ଗଛର ଛାଲିକୁ ହାତଦ୍ୱାରା ଦହିଖୁଆ ମନ୍ଥିଲା ପରି ମନ୍ଥିଲେ ଗଛରୁ ଖୋଳାପାଟି ଗଛର ମଞ୍ଜ ଗଣ୍ଠିରୁ ବାହାରି ଆସେ । ସଙ୍ଗେ ସଙ୍ଗେ ବଣର ବିଭିନ୍ନ ପତ୍ର ତାର ଖୋଳ ଭିତରେ ଭର୍ତ୍ତି କରିଦିଆଯାଏ । ବର୍ଷାଦିନେ ଗଛର ଛାଲି ତଳେ ଲାଳ ଅଂଶ ଥିବାରୁ ଛାଲି ସହଜରେ ବାହାରିଯାଏ । ଏଣୁ ସବୁ ସମୟ ଅପେକ୍ଷା ବର୍ଷାଋତୁ ଢୁମ୍ପା ସଂଗ୍ରହ ପାଇଁ ଉପଯୁକ୍ତ ସମୟ । ଅନ୍ୟ ଋତୁରେ ଢୁମ୍ପା ତିଆରି କରିବା ପାଇଁ ଗଛର ଗଣ୍ଡିକୁ ବଣରୁ କାଟି ଆଣି ପାଣିରେ କଷାଯାଏ । ଗଣ୍ଡି ମଝିର କାଠଟିକୁ ଦଉଡ଼ି ଓ ଠେଙ୍ଗାଦ୍ୱାରା ମନ୍ଥି ମନ୍ଥି ବାହାର କରାଯାଏ ପରବର୍ତ୍ତୀ ସମୟରେ ଏହା ବାଉଁଶରେ ମଧ୍ୟ ତିଆରି ହେଇଛି । ପୂର୍ବ କାଳରେ ରାଜା ମହାରାଜାମାନେ ବଣଭୋଜି କରିବାକୁ ଗଲେ ଢୁମ୍ପା ସଙ୍ଗୀତରେ ଆସର ଜମାଉଥିଲେ ।  ଯେଉଁଠାରେ ସଙ୍ଗୀତ ଆସର ହେବା ସ୍ଥିର ହୁଏ, ବୃକ୍ଷତଳେ ହେଉ ବା ସଙ୍ଗୀତ ମଣ୍ଡପ ଉପରେ ହେଉ, ଢୁମ୍ପାଟିକୁ ଦଉଡ଼ିରେ ଓହଳାଯାଏ । ଆଠ ଦଶଜଣ ଲୋକ କ୍ଷୁଦ୍ର କ୍ଷୁଦ୍ର କାଠଖଣ୍ଡର ଶେଷ ଭାଗରେ ପିତ୍ତଳ ଘାଗୁଡ଼ି ସଂଯୋଗ ଥିବା ବାଡ଼ିଧରି ଢୁମ୍ପା ଯନ୍ତ୍ର ଉପରେ ଆଘାତ କରନ୍ତି । ଜଣେ କିମ୍ବା ଦୁଇଜଣ ସଙ୍ଗୀତ ଗାନ କରନ୍ତି । ଏହି ଆସରରେ ହେବା ସଙ୍ଗୀତର ମାଦକତା ଏତେ ଯେ ଲୋକ ଦିନରାତି ନ ଜାଣି ଶୁଣୁଥାନ୍ତି ।

ଲେଖକ/କବି: ବଳଦେବ ରଥ
         #ଜାଈଫୁଲ_ଢୁମ୍ପା  

କରୀଗତି ଚାନ୍ଦମୁହିଁ,
କରି ଗତି ରସେ ରଜନୀ ପୁହାଏ,
ଜାଈଫୁଲ ରେ, ତୋ ରୂପ ଲାବଣ୍ୟ ଚାହିଁ । ୧ ।
ଖରପରଶୁମୋହନା,
ଖଣ୍ଡପରସା ବଚନକୁ କହ,
ଜାଈଫୁଲ ରେ, ଖଣ୍ଡ ହୃଦୟ ବେଦନା । ୨ ।
ଗିରୀଷମ କାଳେ ଧନ,
ଗିରିସମ କୁଚେ ଲେପି ଚନ୍ଦନ,
ଜାଈଫୁଲ ରେ, କରୁଥାଉ ଆଲିଙ୍ଗନ । ୩ ।
ଘନସାର ମୋ ହୃଦରୁ,
ଘନସାରକେଶୀ ଝାଡି଼ ଦେଇ କରି,
ଜାଈଫୁଲ ରେ, ଗାଢେ଼ ଆଲିଙ୍ଗନ କରୁ । ୪ ।
ନାଗରମଣିକି ତତେ,
ନାଗମଣିକୁମ୍ଭସ୍ତନା ସମାନ ରେ,
ଜାଈଫୁଲ ରେ, ହୋଇବେ ନୋହେ ପରତେ । ୫ ।
ଚନ୍ଦ୍ରମୁହୀଁ ପ୍ରାଣଧନ,
ଚନ୍ଦ୍ର ମୁହିଁ ଚାଳି ରତି କଲା କାଳେ,
ଜାଈଫୁଲ ରେ, ଶୀତ୍କାରେ ଭଜୁ ଅଜ୍ଞାନ । ୬ ।
ଛାଇ ବିପରୀତ ମୋର,
ଛାଇଟି ପରାଏ ଦେହକୁ ନ ଛାଡେ଼,
ଜାଈଫୁଲ ରେ, ସେରୂପେ ଥିବି ପାଶର । ୭ ।
ଜାତୀକରଜା ସୁକେଶୀ,
ଜାତିକର ଦିବ୍ୟହୀରକ ସୁଦନ୍ତୀ,
ଜାଈଫୁଲ ରେ, ଚନ୍ଦ୍ରଚନ୍ଦ୍ରମା ସୁହାସୀ । ୮ ।
                ~~~~~୦~~~~~
ଲେଖକ/କବି: ବଳଦେବ ରଥ
           #ଛୋଟ_ଢୁମ୍ପା 

ତୋ ଚାରୁ ଚାହାଣି ଚାହିଁ, 
ମରି ତୁ ଆବୁର ସାରି ପକା ପଛେ, ମୋ ନିଆଳୀ, 
ମୋ ଦେହ ତ ସହୁ ନାହିଁ। ୧ ।

ଦିଅ ଯେତେ ଇଚ୍ଛା ଦଣ୍ଡ, 
ଝୁମି କାମ ସଙ୍ଗେ ଝୁଣି ଦେବି ସିନା, ମୋ ନିଆଳୀ,
 ଝଲି ଝଲମଲ ଗଣ୍ଡ। ୨ ।

ହେବୁଟି କି ଶିରଗଭା, 
କାଳ ସହୁନାହିଁ ବାଳମୃଗଦୃଶା, ମୋ ନିଆଳୀ, 
ନୂଆ ବିକଶିତ ଶୋଭା। ୩।

ତୋହ ପରି ତୁହି ସିନା, 
ବିଜେ କଲା ପୁରେ ପୁରି ରହିଥାଏ, ମୋ ନିଆଳୀ, 
ବନଜ-ବନ-ବାସନା। ୪ ।

ଅଛି ଯେବେ ଅନୁକମ୍ପା,
 କାତି ଝିଙ୍କି ପଛେ ଛାତିରେ ପ୍ରହାର, ମୋ ନିଆଳୀ,
 ହୀରା ବୁଲାକି ନ କମ୍ପା। ୫ ।

ପାସୋର ବାସର ଲାଜ,
ପଛକୁ ପକାଇ ନ ଦେଲେ ନ ଚଳେ, ମୋ ନିଆଳୀ, 
ବିଧି ନିଷେଧକୁ ଆଜ। ୬ ।

ତୋ କୁଚ ତ କରକଶ,
 ସବୁ ଗୁମାନ ଆଉ କେତେବେଳକୁ, ମୋ ନିଆଳୀ,
 ଥରେ ମୋହ କରେ କଷ। ୭ ।

ଚୁମ୍ବନେ କଲେ ଶରଧା, 
ଚରଣଠାରୁ କବରୀଯାଏ ତୋର, ମୋ ନିଆଳୀ,
 କାହିଁ ପୂରି ନାହିଁ ସୁଧା। ୮ ।

ଚତୁରଦଶ ଭୁବନେ, 
ରସବତୀ ଚକ୍ର ଚୁଡ଼ାମଣି ବୋଲି, ମୋ ନିଆଳୀ, 
ତୋ ବିନା ଆନେ ନ ମାନେ। ୯ ।

କାହିଁକି ଚାଲୁ ତୁ ତଳେ,
 ଘାଣ୍ଟି ହେଉଅଛି କଣ୍ଠୀରବମଧ୍ୟ, ମୋ ନିଆଳୀ, 
ମୋ ମନଯାକ ବିକଳେ। ୧୦ ।

ଆନ ନାହିଁ ତୋର ବିନା, 
ଅଷ୍ଟଦୁର୍ଗଧରାବର ଆରେ ଧୀରା, ମୋ ନିଆଳୀ,
 ତୋହର ଅଧୀନ ସିନା। ୧୧ ।
                 ~~~~~~¤~~~~~~

#ଢୁମ୍ପା ସଙ୍ଗୀତରେ ବାଳୀ
ହର୍ମ୍ୟ ସରୋବରେ ରମ୍ୟ କେଳି କରେ
ସେ କି ସୁବର୍ଣ୍ଣ ମରାଳୀ—
        ( ଗଦାଧର ସିଂହସାମନ୍ତ )
     ~~~~~~~~~~~୦~~~~~~~~~~
ଧୀରେ ଧୀରେ #ଢୁମ୍ପା ସଙ୍ଗୀତ ବିରଳ ହୋଇଗଲାଣି । ଅଧୁନା ଏହି ଢୁମ୍ପା ସଙ୍ଗୀତକାର କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଦିଗପହଣ୍ଡିଠାରେ ରହିଛନ୍ତି । ଏହାର ପ୍ରମୁଖ ଗୁରୁମାନଙ୍କ ମଧ୍ୟରେ ଗୁରୁ ପ୍ରଦୀପ ରଥ, କାଳିନ୍ଦୀ ଚରଣ ରଥ ଓ ଗଙ୍ଗାଧର ଦାଶ ଅନ୍ୟତମ । ଏହି ଢୁମ୍ପା ସଂଗୀତ ରାଜୁଡା ସମୟରେ ଖଣ୍ଡପଡା,ନୟାଗଡ଼,ଦଶପଲ୍ଲା,ରଣପୁର,ପାରଳାଖେମୁଣ୍ଡି, ବଡମ୍ବା ଇତ୍ୟାଦି ଗଡଜାତ ମାନଙ୍କରେ ରାଜକୀୟ ପୃଷ୍ଠପୋଷକତାରେ ପ୍ରସିଦ୍ଧ ଲୋକଗୀତ ର ସମ୍ମାନ ଲାଭ କରିଥିଲାବେଳେ ବର୍ତ୍ତମାନ ସରକାରଙ୍କ ଦୃଷ୍ଟି ଗୋଚର ହେଉନଥିବା ଏକ ବିଡମ୍ବନାର ବିଷୟ । ଗଡଜାତର ଏହି ଲୁପ୍ତପ୍ରାୟ ଲୋକ-କଳାକୁ ଜୀବିତ ରଖିବାର ଦାୟିତ୍ବ ଓଡିଶା ସରକାରଙ୍କର ସଂସ୍କୃତି ବିଭାଗ ଦୃଷ୍ଟି ଦେବା ବିଧେୟ ।

 ସଂଗ୍ରାହକ :- #ଶିଶିର_ସାହୁ_ମନୋଜ 
ଉପସ୍ଥାପନା :- #ସନ୍ତୋଷ_ପଟ୍ଟନାୟକ , ଗଞ୍ଜାମ ।

Sunday, July 19, 2020

ଗଞ୍ଜାମର ଅନନ୍ଯ ଲୋକନାଟ୍ୟ ରାଧାପ୍ରେମଲୀଳା

  

ଆବାହମାନ କାଳରୁ ସାମାଜିକ ଜୀବରେ ଲୋକନୃତ୍ୟ ,ଲୋକସଙ୍ଗୀତ ଓ ଲୋକବାଦ୍ୟ  ସର୍ବଦା ବିଶେଷ ଭୂମିକା ନେଇଆସିଛି ।  ବିଶେଷକରି ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ  କିଛି ଆନନ୍ଦ ଓ କିଛି ସାମାଜିକ ତୃଷ୍ଟି ନିମନ୍ତେ ସନ୍ଧ୍ୟାରେ ଗ୍ରାମ ଦାଣ୍ଡରେ , କୋଠଘରେ କିମ୍ବା ଭାଗବତ ଟୁଙ୍ଗୀରେ ଦାସକାଠୀ , ସଖିନାଟ, ଘୁଡ଼ୁକି, ପାଲା ଓ ବିଭିନ୍ନ  ଲୀଳା ପରିବେଷଣକରାଯାଉଥିଲା। ଏହା ଆଜିର ସାମାଜିକ ଜୀବରେ କ୍ରମଶ ପ୍ରଭାବ ହୀନ ହୋଇଯାଉଛି।

       ଏହା ଦ୍ବାରା  ଆମ୍ଭର ବର୍ତ୍ତମାନ  ସାମାଜିକ ଜୀବନରେ ଏକ  ଅପୂରଣୀୟ କ୍ଷତି ହେବାକୁ ଯାଉଛି । ଆଗାମୀ ବଂଶରମାନେ ଏହାର ସୁପ୍ରଭାବ ଅନୁଭବ କରିବାକୁ ହେଲେ ଆମ୍ଭମାଙ୍କୁ ସାମାଜିକ ଦାୟିତ୍ୱ ତୁଲାଇବାକୁ ପଡ଼ିବ ।ସିମୋ ଟି.ଭି. ଇଣ୍ଟରନେଟ୍ ରେ ଆଜିକାଲି ମନୋରଞ୍ଜନର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସାମାଜିକ ଜୀବରେ ଜୀବନ୍ତ ଦୃଶ୍ୟର ଅଭାବ ଉପଲବ୍ଧ ହେଉଛି। ଏଣୁ ସାମାଜିକ ସ୍ତରରେ ପ୍ରତ୍ୟେକ  ସଚେତନ ବ୍ୟକ୍ତିବିଶେଷ ଆମର ମୌଳିକ ସଂସ୍କୃତି ଓ କଳାକୁ ସୁରକ୍ଷିତ ରଖିବାକୁ ଆଗେଇ ଆସିବା  ନିତାନ୍ତ ଆବଶ୍ୟକ। #ଗଞ୍ଜାମ_ଜିଲ୍ଲାର ମୌଳିକ ନାଟ୍ୟାନୁଷ୍ଠାନ ରୂପେ #ରାଧାପ୍ରେମଲୀଳା ସୁପରିଚିତ  ।

#ରାଧା ପ୍ରେମ ଲୀଳା : ଗଞ୍ଜାମ  ଜିଲ୍ଲାର ମୁଖ୍ୟ ଲୋକ ସଙ୍ଗୀତ ରୂପକ ନାଟକ "#ରାଧାପ୍ରେମଲୀଳା" ରାଧା ଓ କୃଷ୍ଣଙ୍କର ଶାଶ୍ୱପ୍ରେମଲୀଳାକୁ ଆଧାର କରି ସୃଷ୍ଟି ହୋଇଥିଲା। ଚିକିଟି ରାଜପରିବାରରୁ ଏହାର ଜନ୍ମ ।

 ରାଧା, ଲଳିତା ଏବଂ କୃଷ୍ଣଙ୍କର ବିଭିନ୍ନ  ବେଶ ଯଥା- କାଚରା ବେଶ, ଅଳତା ଲଗାଇବା ବେଶ, ପରିବା ବିକାଳୀ, ସାପୁଆ କେଳା ବେଶ ଇତ୍ୟାଦି ପରିବେଷଣ କରାଯାଇଥାଏ। ଊନବିଂଶ ଶାବ୍ଦୀର ମଧ୍ୟଭାଗରେ ଏହାକୁ ଏକ ପ୍ରଧାନ ନାଟକ ଭାବେ ମାନ୍ୟତା  ମିଳିଥିଲା। ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାର ଶ୍ରୀରଘୁନାଥ ରାଜଗୁରୁ ପ୍ରଥମେ ରାଧା ପ୍ରେମଲୀଳା ପରିବେଷଣ କରିଥିଲେ।

ରାଧାପ୍ରେମଲୀଳାକୁ ଅର୍ଦ୍ଧ-ଶାସ୍ତ୍ରୀୟମିଶ୍ରିତ ଲୋକନାଟ୍ୟାନୁଷ୍ଠାନ କୁହାଯାଇପାରେ । ସଙ୍ଗୀତ ଓ ନୃତ୍ୟଭିତ୍ତିକ ଏହି ଅନୁଷ୍ଠାନରେ ୨୫ ରୁ ୩୦ ଜଣ ବାଳ କଳାକାର  ଅଂଶଗ୍ରହଣ କରିଥାନ୍ତି । ଏହା ଏକ ବ୍ୟୟସାପେକ୍ଷ କଳା ସହ ଶିଶୁକଳାକାରଙ୍କର ଆବଶ୍ୟକ ହେତୁ ଜିଲ୍ଲାରେ ନୃତ୍ୟଦଳ ସଂଖ୍ୟା   ୩୦୵୩୫ ରୁ  ବର୍ତ୍ତମାନ  ୧୦୵୧୨ କୁ ଖସି ଆସିଲାଣି  ।

               #ରାଧାପ୍ରେମଲୀଳାର ପୃଷ୍ଠଭୂମି ପ୍ରାଚୀନ ନୁହେଁ  ଏହା ରୀତିଯୁଗିୟ  ଏକ  ଗୀତି ନୃତ୍ୟ କଳା । #କବିସୂର୍ଯ୍ଯଙ୍କ  "କିଶୋର ଚନ୍ଦ୍ରାନନ ଚମ୍ପୁ "ର ପ୍ରଭାବ ଏଥିରେ ସ୍ବଷ୍ଟ ପରିଲକ୍ଷିତ ହୁଏ । 
ଅଭିନୟ ଧାରା ରାଧା ଓ କୃଷ୍ଣଙ୍କ କଥାକୁ ନେଇ ପରିକଳ୍ପିତ  ସେମାନଙ୍କର ଶୃଙ୍ଗାରକ୍ରିଡ଼ା ଓ ମାନଭଞ୍ଜନ ଏହାର ମୁଖ୍ୟ ଉପଜୀବ୍ୟ ହୋଇଥିବାରୁ  ଏହି ଲୀଳାଭିନୟର ନାମ  " #ରାଧାପ୍ରେମଲୀଳା"  ସାର୍ଥକ ମନେହୁଏ  । ପରିବେଷଣ ସମୟ  ୧୮ ରୁ  ୨୨ ଘଣ୍ଟା ପର୍ଯ୍ୟନ୍ତ  ହୋଇଥାଏ  । ସଙ୍ଗୀତ ରଚନା ଓ ପରିବେଷଣରେ ଏହି ଜିଲ୍ଲାର ଯେଉଁ ନିଜସ୍ୱ  ପରମ୍ପରା ରହିଛି ତାର ବ୍ୟତିକ୍ରମ ଦେଖିବାକୁ ମିଳେ ନାହିଁ  । #ଅଭିନୟ_କଳାର_ଚାରିଗୋଟି_ବର୍ଗ ( #ଆଙ୍ଗିକ , #ବାଚିକ ,#ସାତ୍ତ୍ଵିକ ଓ #ଆହାର୍ଯ୍ୟ )ର ଏକତ୍ର ସମାବେଶ ଏଥିରେ ଦେଖିବାକୁ  ମିଳେ । ମୁକ୍ତାକାଶ ମଞ୍ଚ  ସହ  ବାଦ୍ୟ ଯନ୍ତ୍ର, ପୋଶାକ ଓ ବେଶଭୂଷାରେ ପାରମ୍ପରିକତା ପରିଲିକ୍ଷିତ ହୁଏ । ଏହା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଆମୋଦପ୍ରମୋଦ  କରେ । ଏଣୁ  ସାମ୍ପ୍ରତିକ ସମୟରେ ଏହି କଳାର #ପୁନୋରୁଦ୍ଧାର  ଏକାନ୍ତ ଆବଶ୍ୟକ ।

© ସନ୍ତୋଷ ପଟ୍ଟନାୟକ  

● ଗଞ୍ଜାମର ନିଆରା ଲୋକନୃତ୍ୟ ଭାରତଲୀଳା ବା ଦୁଆରୀନାଟ ●



ଭାରତଲୀଳା  ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ( ଲୀଳାନାଟକ ଶୈଳୀ ) । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତ ଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀ ନାଟ ବି କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରା ହରଣ ନାଟ ମଧ୍ୟ କୁହାଯାଏ । ଗଞ୍ଜାମରେ ଭାରତ ଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରିନାହିଁ ଏହାର ଅନ୍ୟ ଏକ କାରଣ ଭାରତଲୀଳାରେ ନିଜସ୍ୱ ବିଷୟ ବସ୍ତୁ ସହ ପାଲା , ଦାସକାଠୀଆ , ଘୁଡୁକି ଭଳି ଅନେକ ଲୋକନାଟ୍ୟ  ମଝିରେ ମଝିରେ ପ୍ରଦର୍ଶନ  କରାଯାଏ । ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି ।ଭାରତ ଲୀଳାର ସମ୍ପୂର୍ଣ୍ଣ ପ୍ରଦର୍ଶନ ୧୦-୧୨ ଘଣ୍ଟା ଧରି ଅନୁଷ୍ଠିତ ହୁଏ । ବାଦି ପ୍ରତିଯୋଗିତାରେ ଅଧିକ ସମୟ ( ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ) ଲାଗିଥାଏ । ଆଜିକାଲି ଆଧୁନିକ ମଞ୍ଚପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା ୨-୩ ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି । 

         ଭାରତଲୀଲାର ସୃଷ୍ଟି ୧୯ଶ ଶତାବ୍ଦୀରେ ବୋଲି ଅଧିକାଂଶ ଗବେଷକ ମତ ଦିଅନ୍ତି । କିନ୍ତୁ ସ୍ୱର୍ଗତ ଧୀରେନ ଦାଶ ଏହା ୧୫ଶ ଶତାବ୍ଦୀର ବୋଲି କୁହନ୍ତି । ଗବେଷଣାରୁ ଜଣାଯାଏ ଯେ  କଲ୍ୟାଣପୁରର (ଗଞ୍ଜାମ) ଦୀନବନ୍ଧୁ ଦାସ ଜୀବିକା ଅର୍ଜନ ନିମନ୍ତେ ୧୯ଶ ଶତାବ୍ଦୀରେ ଆସାମ ଓ ରେଙ୍ଗୁନର ଚାହାବଗିଚା । ହୁଗୁଳି ଜିଲ୍ଲାର ଚଟକଳରେ କାର୍ଯ୍ୟ କରିବା ସମୟରେ ସୁଭଦ୍ରା ହରଣ ସୁଆଙ୍ଗ ରଚନା କରିଥିଲେ । ନିଜର ସହକର୍ମୀମାନଙ୍କ ସହଯୋଗରେ ରେଙ୍ଗୁନ ଓ ହୁଗୁଳି ଅଞ୍ଚଳରେ ମଞ୍ଚସ୍ଥ କରି ନିଜ ଗ୍ରାମକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଭାରତଲୀଳା ପରିବେଷଣ କରିଥିଲେ । ଏଣୁ ପ୍ରଥମାବସ୍ଥାରେ ଗଞ୍ଜାମରେ ଏହା ହୁଗୁଳି ଭାରତ ବୋଲି ଲୋକତୁଣ୍ଡରେ ବସିଯାଇଥିଲା । ଅଦ୍ୟାବଧି ମୁଖ୍ୟ ଚରିତ୍ର ଦୁଆରୀଙ୍କ ବେଶ ପୋଷାକରେ ସେହି ସମୟର ଚାହା ବଗିଚାରେ କାମ କରୁଥିବା ମାଙ୍ଗୋଲିୟଙ୍କର ବେଶର ଶୈଳୀ ପରିଲକ୍ଷିତ ହୁଏ ।
ଦୀନବନ୍ଧୁ ଦାସ ବର୍ତ୍ତମାନ ବ୍ୟବହୃତ ଗୀତିନାଟ୍ୟର କବି ହୋଇଥିଲେହେଁ, ତାଙ୍କ ପୂର୍ବରୁ ମଧ୍ୟ ସୁଭଦ୍ରାପରିଣୟ ଆଧାରିତ ଅନେକ ନାଟକ ପରିବେଷିତ ହେଇଥିଲା । ଏଣୁ ଦୀନବନ୍ଧୁ ଦାସ ଭାରତ ଲୀଳାର ଆଦ୍ୟସ୍ରଷ୍ଟା ନୁହନ୍ତି, ବରଂ ଭାରତ ଲୀଳାକୁ ନିଜ ଶୈଳୀରେ ପୁନଃ ଗଢ଼ି  ବିଷୟବସ୍ତୁକୁ ନବଜୀବନ ଦେଇଥିଲେ   । ସ୍ବର୍ଗତ ଧୀରେନ ଦାଶଙ୍କ ମତରେ  ଭାରତଲୀଳା ୧୫ ଶ  ଶତାବ୍ଦୀରୁ ଗଞ୍ଜାମରେ ଚାଲି ଆସାଛି  ।

                ଭାରତଲୀଳାରେ ମହାଭାରତର  ସୁଭଦ୍ରା ପରିଣୟ ବା ହରଣ ବିଷୟଟି ମଞ୍ଚସ୍ତ କରାଯିବା ସହ ଅର୍ଜୁନଙ୍କ ଦଶ ଗୋଟି ନାମ କେଉଁ ଜାଗରେ କେମିତି ଦିଆହୋଇଛି ତାହା ଉପସ୍ଥାପନା କରାଯାଇଥାଏ । ଏହି ପ୍ରସଙ୍ଗଟିର ନାଟକୀୟତା ଯୋଗୁଁ ଏହା ବିଶେଷ ପ୍ରସିଦ୍ଧି ଲାଭ କରିଛି ।  ଏହି ଲୀଳାରେ ସଂଳାପଟି ଗ୍ରାମ୍ୟ ଶୈଳୀରେ ଥିବାରୁ ଲୋକଙ୍କୁ ସହଜରେ ବୋଧ ହୁଏ । ପୁଣି ଶୃଙ୍ଗାରଧର୍ମୀ ହାସ୍ୟରସରେ ପରିପୂର୍ଣ୍ଣ ହୋଇ ରହିଛି ଏହି ଲୀଳା ।

            ଭାରତଲୀଳାରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ ଦାସ, ବନମାଳୀ ଦାସ ଆଦି ପ୍ରାଚୀନ ଓଡ଼ିଆ କବିମାନଙ୍କ ରଚନା କଥାଛଳରେ ପରିବେଷିତ ହୁଏ । କବିସୂର୍ଯ୍ୟନଗର ଗୁଡ଼ିଆପାଲିର ଶ୍ରୀ ରଙ୍କନିଧି ବେହେରା ଭାରତ ଲୀଳାର ଜଣେ ଜଣାଶୁଣା ନାଆଁ । ସେ ନିଜେ ଦୁଆରୀ ଚରିତ୍ରର ଅଭିନୟ ନିମନ୍ତେ ପ୍ରସିଦ୍ଧ ।ଭାରତ ଲୀଳାରେ ଦୁଆରୀ, ଅର୍ଜ୍ଜୁନ, ସୁଭଦ୍ରା ଓ ସତ୍ୟଭାମା ଏହି ଚାରିଜଣ ମୁଖ୍ୟ ଚରିତ୍ର । ଗୌଣ ଭୂମିକାରେ ଆଉ ଦୁଇଜଣ ଅଂଶଗ୍ରହଣ କରିଥାନ୍ତି । ଅତୀତରେ ଏଥିରେ କେବଳ ପୁଅମାନେ ଅଂଶଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଝିଅପିଲାଙ୍କୁ ନିଆଯାଉଛି । ଅଭିନୟ ପାଇଁ ମୁଖ୍ୟତଃ ସଜ୍ଜିତ ମଞ୍ଚ ଓ ଗୋଟିଏ ମାତ୍ର ଚଉକି ବ୍ୟବହାର କରାଯାଇଥାଏ । ଆବଶ୍ୟକ ଅନୁଯାୟୀ ଚଉକିଟି ବିଭିନ୍ନ ଚରିତ୍ରମାନଙ୍କଦ୍ୱାରା ବ୍ୟବହାର କରାଯାଏ । ମଞ୍ଚଠାରୁ ବେଶଘର (ଗ୍ରୀନରୁମ) ପର୍ଯ୍ୟନ୍ତ ଯିବାପାଇଁ ଥିବା ପଥକୁ 'ପୁଷ୍ପ-ପଥ' କୁହାଯାଏ । ମଞ୍ଚର ଗୋଟିଏ ପାଖରେ ସଙ୍ଗୀତ ପରିବେଷଣକାରୀମାନେ ବସିଥାନ୍ତି । ବ୍ୟବହୃତ ବାଦ୍ୟଯନ୍ତ୍ର ମଧ୍ୟରୁ ହାରମୋନିୟମ, ଯୋଡ଼ିନାଗରା, ଝୁମୁକା, ଘୁଡ଼ୁକି , ଦାସକାଠୀ , ଆଦି ପ୍ରମୁଖ । ପ୍ରମୁଖ ଚରିତ୍ର ଦ୍ୱାରୀ ବା ଦୁଆରୀ ନାମରେ ପରିଚିତ । ଏହି ଚରିତ୍ରଟି ସଂସ୍କୃତ ନାଟକର ସୂତ୍ରଧାର ଭଳି ଅଟେ । ଦୁଆରୀ ବିଭିନ୍ନ ଅଭିନୟ ଦ୍ୱାରା ଲୋକଙ୍କୁ ହସାଇବା ସହ ଗୀତଗୁଡ଼ିକର ପାଣ୍ଡିତ୍ୟପୂର୍ଣ୍ଣ ବ୍ୟାଖ୍ୟା ପ୍ରଦାନ କରିଥାଏ । ଏଣୁ ଦୁଆରୀ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ଶାସ୍ତ୍ରରେ ନିପୁଣ ଅଟନ୍ତି ।ସାଧାରଣତଃ ଦଳର ଗୁରୁମାନେ ଗୀତ ରଚନା ଓ ନିର୍ଦ୍ଦେଶନା କରିବା ସହ ନିଜେ ଏହି ଭୂମିକାରେ ଅଭିନୟ କରିଥାନ୍ତି । କହିବାର ଶୈଳୀ ଓ ଉଦ୍ଦାମ ନୃତ୍ୟ ଯୋଗୁଁ ଦର୍ଶକ ବେଶ ଆନନ୍ଦିତ ହୁଅନ୍ତି । ଦୁଆରୀ ହାତରେ ରୁମାଲ ଖଣ୍ଡେ ଧରି ତାକୁ ନାନାବିଧ ପ୍ରକାର ନାଟକରେ ବ୍ୟବହାର କରନ୍ତି । ପାଲାରେ ଯେପରି ଚାମରକୁ ଗାୟକ ନାଟକର ପ୍ରପ (prop) ଭାବେ ବ୍ୟବହାର କରନ୍ତି, ଠିକ ସେହିପରି ଭାରତ ଲୀଳାର ଦୁଆରୀ ରୁମାଲ ବ୍ୟବହାର କରୁଥିଲେ । ଏଥିରେ ଇଙ୍ଗିତ କରି ଲୁହ ପୋଛିବା, ବନ୍ଧନ ହେବା ଆଦି ନାଟକୀୟ ଭଙ୍ଗୀ କରାଯାଏ ।
ଦୁଆରୀ ଚରିତ୍ର ଅର୍ଜୁନଙ୍କୁ ନାନା ପ୍ରକାରେ ଉପହାସ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଶାସ୍ତ୍ର ଆଦି ବିଭିନ୍ନ ଜିନିଷ ବିଷୟରେ ବୁଝାଏ । ଦୁଆରୀ-ଅର୍ଜୁନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ହୋଇ ଦୁଆରୀ ଅର୍ଜୁନଙ୍କ ଠାରୁ ନିଜକୁ ବଡ଼ ବୋଲି ଦେଖାଇ ତାଙ୍କର ଉପହାସ କରିଥାଆନ୍ତି । ପାପମୋଚନ ଲାଗି ଅର୍ଜୁନଙ୍କୁ ସତ୍ୟଭାମାଙ୍କ ଠାରୁ କ୍ଷମାପ୍ରାର୍ଥନା କରାଇ ପରେ ପରେ ଅର୍ଜୁନଙ୍କୁ 'ଉଲା' ଡାକି ଉପହାସ କରନ୍ତି ।
ଦୁଆରୀଙ୍କ ମୁଖରେ ସେଇ ଉକ୍ତିଟି ହେଲା :- 
   ଏ ଉଲା ଅରଜୁନ ପିଲା 
         କି'କରମ କଲା 
      କଞ୍ଚା ମାଈପିଲାଟାର
              ଗୋଡ଼ ଧରିଲା .....

 ସୁଭଦ୍ରା କରୁଣଭରେ କାନ୍ଦିବା ଦୃଶ୍ୟରେ ଦୁଆରୀ ହିଁ ତାଙ୍କ ପ୍ରତି ସମବେଦନା ଦେଖାଇ ଅର୍ଜୁନଙ୍କ ସଙ୍ଗେ ବୁଝାସୁଝା କରନ୍ତି । ଏଣୁ ଦୁଆରୀ ଚରିତ୍ର ନିର୍ବାହ କରିବା ପାଇଁ ଭଲ ଅଭିନୟ ସଙ୍ଗେ ସଙ୍ଗେ ଶାସ୍ତ୍ରଜ୍ଞ ଓ ସଙ୍ଗୀତଜ୍ଞ ବ୍ୟକ୍ତି ଆବଶ୍ୟକ ।

              ସତ୍ୟଭାମା ଆସିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କ ଠାରୁ ଫଳ ଆଣିଛନ୍ତି ବୋଲି କୁହନ୍ତି । ଶ୍ରୀକୃଷ୍ଣ ନଟକୂଟିଆ ପୁରୁଷ, କାଳେ ବିଷଫଳ ପଠାଇଥିବେ ଏହି ଭୟରେ ଅର୍ଜୁନ ଫଳ ଗ୍ରହଣ କରନ୍ତି ନାହିଁ । ଦୁଆରୀଙ୍କ ବୋଧ ପରେ ଅର୍ଜୁନ କେଉଁ ଫଳ ଆଣିଛନ୍ତି ଏହା ଜାଣିବା ପାଇଁ ଦୁଆରୀଙ୍କୁ ପ୍ରେରଣ ଏବଂ ତାହା ହସ୍ତରେ ଧରି ଆଣିବା ପାଇଁ, ଚକ୍ଷୁରେ ଦେଖି ଆସିବା ପାଇଁ ବା ଅସ୍ତ୍ର ନେଇ ଚୋପା ଟିକେ ଆଣିବାକୁ ଆଦେଶ କରନ୍ତି । କିନ୍ତୁ  ଏସବୁ କଲେ ମହାପାପ ଲାଗିବ ଓ ଚୋପା କର୍ତ୍ତନ କଲେ ରୁଧିର ବହିବ ବୋଲି ଝିଅମାନେ (ସତ୍ୟଭାମା /ସୁଭଦ୍ରା) କୁହନ୍ତି
। ଦ୍ୱିଅର୍ଥବୋଧକ ପଦଗୁଡ଼ିକରେ ନାରୀଙ୍କର କୁଚକୁ ଫଳ ରୂପେ ନାମିତ କରାଯାଇଛି ।
  ହାସ୍ୟରସରେ  ଏହାକୁ 
ଚାଲିବା ଗଛର ହଲିବା ଫଳ ବୋଲି ମଧ୍ୟ  କୁହାଯାଏ 

        ଅର୍ଜୁନଙ୍କ ଚରିତ୍ର ଲୀଳାରେ ଅତି ଅଜ୍ଞ, ନିଷ୍ଠୁର ଓ କୋପୀ ବ୍ୟକ୍ତି ଭାବେ ଦେଖାଯାଇଛି । ଦୁଆରୀ ଏହାଙ୍କୁ ବାରମ୍ବାର ଉପହାସ କରିବା ସଙ୍ଗେ ସଙ୍ଗେ ତାଙ୍କଠୁଁ ନିଜକୁ ବଡ଼ ଦର୍ଶାନ୍ତି । ପୁଣି ଅର୍ଜୁନ ସୁଭଦ୍ରାଙ୍କୁ କଳଙ୍କିନୀ ବୋଲିବାରୁ ଦୁଆରୀ ଅର୍ଜୁନଙ୍କ ପଣିଗୋସେଇଁବାପା ପରାଶର ମୁନି, ଗୋସେଇଁବାପା ବ୍ୟାସ, ବାପା ଇନ୍ଦ୍ର, ମାଆ କୁନ୍ତୀ ଆଦି ସମସ୍ତ ବଂଶର କଳଙ୍କ ଫେଡ଼ିଣ କହନ୍ତି । ଅର୍ଜୁନଙ୍କ ଚରିତ୍ର କଥା କଥାକେ ସୁଭଦ୍ରାଙ୍କୁ ହତ୍ୟା କରିଦେବି କହିବାରୁ ଦୁଆରୀ ତାଙ୍କୁ ସ୍ତିରୀହତ୍ୟା କଲେ କେଡ଼େ ବଡ଼ ପାପ ବୁଝାଇଦିଅନ୍ତି । ଶ୍ରୀକୃଷ୍ଣଙ୍କୁ ନଟକୂଟିଆ ବୋଲିବାରୁ ତାଙ୍କୁ ବୁଝାସୁଝା କରି ଶ୍ରୀକୃଷ୍ଣଙ୍କୁ ନିନ୍ଦା ନ କରିବାକୁ କହନ୍ତି । ସୁଭଦ୍ରାଙ୍କୁ ବେଶ୍ୟା ବୋଲି ନିଷ୍ଠୁର ଭାବେ କହିବାରୁ ଦୁଆରୀ ପରୀକ୍ଷା କରି ଅର୍ଜୁନଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରନ୍ତି । ଅର୍ଜୁନଙ୍କ ନୃତ୍ୟ ମୁଖ୍ୟତଃ ସାହସିକ ଓ ବୀରତ୍ୱର ପ୍ରଦର୍ଶନ ।
ସୁଭଦ୍ରା ଓ ସତ୍ୟଭାମାଙ୍କ ଚରିତ୍ର ମୁଖ୍ୟତଃ ଦୁଆରୀଙ୍କ ସଙ୍ଗେ ସଂଳାପ କରି ତାଙ୍କ ଆସିବା ଉଦ୍ଦେଶ୍ୟ କହନ୍ତି । ସେମାନେ ସଙ୍ଗୀତ ବେଳେ ନୃ୍ତ୍ୟ ମଧ୍ୟ ପରିବେଷଣ କରନ୍ତି । ବେଳେବେଳେ ବିଭିନ୍ନ ଶୃଙ୍ଗାରଧର୍ମୀ ଇଙ୍ଗିତ ପ୍ରଦର୍ଶନ କରନ୍ତି । ଏପରି ଭଙ୍ଗୀ ସଖୀନାଚର ପ୍ରଭାବରୁ ଆସିଛି ବୋଲି ଧୀରେନ୍ଦ୍ରନାଥ ପଟ୍ଟନାୟକ ନିଜ ଆଲେଖ୍ୟରେ ଲେଖିଛନ୍ତି ।

         ଏବେ ଭାରତଲୀଳାର  କୋଡ଼ିଏରୁ ଅଧିକ  ଦଳ ଗଞ୍ଜାମ ଜିଲ୍ଲାରେ ଅଛନ୍ତି । ପ୍ରତ୍ୟେକ ଦଳରେ ଦଶରୁ ପନ୍ଦର ଜଣ ଶିଳ୍ପୀ ଥାଆନ୍ତି । ଏମାନଙ୍କ ମଧ୍ୟରେ ମଞ୍ଚ ଅଭିନେତା, ଗାୟକ, ବାଦ୍ୟଶିଳ୍ପୀ ଓ ସହାୟକ ଅନ୍ୟତମ । ୧୯୯୮ ବେଳେ ଗୋଟିଏ ରାତିର ଲୀଳା ନିମନ୍ତେ ୧୦୦୦ରୁ ୧୫୦୦ ଟଙ୍କା ଦେୟ ଥିଲା ।ବର୍ତ୍ତମାନ ଏହା ୧୫୦୦୦ ରୁ ୨୦୦୦୦ ପର୍ଯ୍ୟନ୍ତ ଦେୟ ପଡିଥାଏ ।  ଲୀଳା କେଉଁଠି କରାଯିବ ଓ ଯାତାୟାତ ଖର୍ଚ୍ଚ ଅନୁସାରେ ସ୍ଥିର ହୁଏ । 

ଆସ୍କା ନିକଟବର୍ତ୍ତୀ ମାଗୁରାର ୰ଭୀମ ପଣ୍ଡା, ପଞ୍ଚମା ଗ୍ରାମର ଶ୍ରୀନାଥ ପଟ୍ଟନାୟକ, ୰ତ୍ରିନାଥ ପଟ୍ଟନାୟକ, ୰ଶ୍ୟାମସୁନ୍ଦର ସାବତ ଗତ ଶତକର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ । ଅଧୁନା ଶୁକଦେବ ଜେନା , ବାସନ୍ତୀ ପରିଡା ( ମହିଳା ଦୁଆରୀ) , ହରେକୃଷ୍ଣ ବିଶ୍ବାଳ ଏବଂ ଶ୍ରୀ ଭୀମ ପଣ୍ଡାଙ୍କ ଶିଷ୍ୟ କବିସୂର୍ଯ୍ୟନଗରର ଶ୍ରୀ ନବଘନ ପରିଡ଼ାଙ୍କ ଦଳ ସବୁଠାରୁ ଉତ୍ତମ ଓ ପ୍ରସିଦ୍ଧ ଦଳ ଭାବେ ଖ୍ୟାତି ଲାଭ କରିଛି ।

ଅଧୁନା ଭାରତ ଲୀଳା ଦଳମାନଙ୍କଦ୍ୱାରା ବ୍ୟବହୃତ କେତେକ ଗୀତର ସୂଚୀ ତଳେ ଦିଆଗଲା ।
ଗୀତ :- 

ପ୍ରଭୁ ଜାଣିଲିଣି ଜାଣିଲିଣି
ତୁମ୍ଭେ ଏଡ଼େ ନିର୍ଦ୍ଦୟ ହେଲଣି ହେ.... ( କବି : ବନମାଳୀ ଦାସ ) ।

ପ୍ରଭୁ ଘେନ ମୋର ନିବେଦନ
ନବଘନ ଶ୍ୟାମଳବର୍ଣ୍ଣ ......

 ● ଲୀଳା ପ୍ରାରମ୍ଭରେ ଦୁଆରୀଙ୍କ ଜଣାଣ ।

ମୋର ହଂସା ଉଡ଼ିଗଲା ବୀରବର ହେ .....
କହ କେଣେ ଅଛି ,,, 
ହେଲା ନାହିଁ ହେ ବୀର
ଆଉ କେଉଁପରି ଥିଲେ ପ୍ରକାଶ କର.....

ଅର୍ଜୁନଙ୍କ ମୁଖରୁ ଦଶନାମ ଶୁଣି ତାହା ସେତେ ପ୍ରଭାବଶାଳୀ ନୁହେଁ ବୋଲି ବ୍ୟକ୍ତ କରି , ଉପହାସ ।
    ( ଦୁଆରୀଙ୍କ ମୁଖରେ)

●ଦୁଆରୀଙ୍କ ମୁଖରେ ଅର୍ଜୁନଙ୍କ ଦଶନାମ ଗାୟନ ଦଶଟି ସ୍ବରରେ :- 

ଏକଦିନେ ଶଚୀଦେବୀ
ସ୍ନାନ ଗଲା ବେଳେ ......

 ( ଅର୍ଜୁନଙ୍କ ସବ୍ୟସାଚୀ ନାକୁ ବଖାଣୀ :-  ହଳିଆ ଗୀତ ସ୍ବର ) ।

ରଇବତ ପର୍ବତେ
କୃଷ୍ଣ ଫଗୁଖେଳି .... 

(  ଅର୍ଜୁନଙ୍କ ଦିତୀକୃଷ୍ଣ ନାମକୁ ବଖାଣି - ଘୁଡ଼ୁକି ସ୍ୱର )। 
 
ଏହିପରି ଦଶଟି ସ୍ବରରେ ଦଶନାମ ଗାୟନ  ଏକ ବିଶେଷ ଭୂମିକା ନିର୍ବାହ କରେ । 

ଅର୍ଜୁନଙ୍କ ଦ୍ବାର ଦେଶରେ କରାଘାତ ଶୁଣି ଦୁଆରୀ ମୁଖରେ :- 

ଆଜ ନିଶି କବାଟରେ
କିଏ ସେ ମାରୁଛି କର.....

ସୁନାଗୋରୀ ଲୋ
ଝିଅ ତୁ କିଏ ସୁନା ......

 ( ସୁଭ୍ରଦାଙ୍କୁ ପରିଚୟ ମାଗିବା ଉଦେଶ୍ଯରେ )

ନବଛଇଳା କାହାର ବାଳା
କି ରଙ୍ଗରେ ଚାଲି ଆସେ ଅବଳାରେ ......

 ( ଅର୍ଜୁନଙ୍କ ଛାମୁରେ ସୁଭଦ୍ରାଙ୍କ ରୂପ ଓ ଚାଲି ବର୍ଣ୍ଣନା କରି )।

ଘେନିଯାଅ ଦୂତ
ଏ ପାଷାଣ୍ଡୀର ହାତ.....

( ଅର୍ଜୁନ ସୁଭଦ୍ରାଙ୍କୁ ପାପିଷ୍ଠୀ କହି ତାଙ୍କୁ ଦଣ୍ଡିବାକୁ ଦୁଆରୀ ପ୍ରତି ଆଦେଶ )।

ଦୂତ ହେ ,,,
ଜନମ ହେବାର .....

ସୁଭଦ୍ରା ନିଜ କର୍ମକୁ ନିନ୍ଦି ଦୁଆରୀ ସମ୍ମୁଖରେ ବାହୁନିବା ଦୃଶ୍ୟ )।

ମୋ ରାଜବାଳୀ କପାଳରେ 
କି ଦଶା ଥିଲା .....
ମୋ କଳାମଲ୍ଲୀ କପାଳରେ....

ଦୁଆରୀ ମୁଖରେ :-
( ସୁଭଦ୍ରା ଅଧରାତିରେ ବନ୍ଦୀ ହେବାରୁ କି ପୋଡ଼ା ଦଶା ଥିଲା
ବୋଲି କାନ୍ଦଣା) ।

ପରର ଧନକୁ ଆଶା ବଳାଇଲେ
ଲାଗଇ ବହୁତ ପାପ ,,,
ସ୍ତିରୀ ଗର୍ଭିଣୀ ଶିଶୁବଧ ହେ ....
(ଭାଗବତ) ଜଗନ୍ନାଥ ଦାସ ।

ଦୁଆରୀ  :- 
(ଅତିବଡ଼ି ଜଗନ୍ନାଥ ଦାସଙ୍କ ମତରେ ସ୍ତ୍ରୀ ହତ୍ୟା ମହାପାପ ବୋଲି ପ୍ରମାଣ) ।

ଯାହା ପଚାରିଲ ଦେଇ ମତିହେ
ଶୁଣ ବ୍ୟାସଦେବ ନାତି ହେ .....

( ଅର୍ଜୁନ କିପରି ଗୋବଧ କରି ପାପ ଅର୍ଜିଛନ୍ତି ପୁଣି ସେଥିରେ
ମୁକ୍ତ ହୋଇଛନ୍ତି ସେହି ଉପାଖ୍ୟାନ ) ।

ଏ ବଚନ ଶୁଣି ଶକ୍ରାବତୀ ଭଣି
ଶୁଣ ଆହେ ଦୂତବର .....

ସତ୍ୟଭାମା ମୁଖରେ :- 
( ଅର୍ଜୁନ ଗୋସିଂହ ଦୈତ୍ୟକୁ ମାରି ଯେଉଁ ଶକ୍ରାଜିତ ରାଜାଙ୍କୁ
ଅର୍ଜୁନ ଉଦ୍ଧାର କରିଥିଲେ ସତ୍ୟଭାମା ସେହି ରାଜାଙ୍କ ଦୁହିତା
ଓ ଶ୍ରୀକୃଷ୍ଣଙ୍କ ପାଟରାଣୀ ବୋଲି ପରିଚୟ ପ୍ରଦାନ ) ।

ରସଲତାର
ବାସ ଅଟେ ଦ୍ୱାରକା .....
ଦୁଆରୀ :- 
ଅର୍ଜୁନଙ୍କ ଛାମୁରେ ସତ୍ୟଭାମା କେହି ନୁହନ୍ତି ସ୍ୱୟଂ ଶ୍ରୀକୃଷ୍ଣଙ୍କ
ପାଟ୍ଟରାଣୀ ବୋଲି ଖବର )।

ଅମ୍ବୋରୁହ ବନ୍ଧୁଜେମା କୁଳେ ଗୋକୁଳଚନ୍ଦ୍ରମା
କହି ନୋହେ ହରବର କଲେ ଯା କାଲି ....  
( ଉପେନ୍ଦ୍ର ଭଞ୍ଜ :  ଦୁଆରୀନାବକେଳି କାବ୍ୟରୁ ଛାନ୍ଦ ) ।

ଅପୂର୍ବ ଦେଖିଲି ଆଜ
ରେ ସଙ୍ଗାତ .....

ଉପେନ୍ଦ୍ର ଭଞ୍ଜ : 
ଦୁଆରୀ ରାଧାଙ୍କୁ ଶ୍ରୀକୃଷ୍ଣ କିପରି ହଟହଟା କରିଥିଲେ ସେହି ଉପାଖ୍ୟାନ)

ପ୍ରୀତିରେ କି ଭାବ ଅଛି
ଜଣା ତ ନ ଗଲା କିଛି ....
(ନବଘନ ପରିଡ଼ାଙ୍କ  ରଚନା )

ବ୍ରଜପୁର ବୁଲେଟ ଗାଡ଼ି
ଥିଲେ ବସୁଦେବ କମ୍ପାନି ଗଢ଼ି.....
 (ସରୋଜ ) ନୂତନ ରଚନା - (ଶ୍ରୀକୃଷ୍ଣଙ୍କ ଉପକାରିତା ବୁଝାଇବା ଛଳରେ
ହାସ୍ୟରସାତ୍ମକ ତୁଳନା )।

ଧନୁର୍ଜୟୀ ବିବତ୍ସୀ
ଶ୍ରବଣ କର ......

(ସୁଭଦ୍ରା କେଉଁ ଫଳ ଆଣିଛନ୍ତି ବୁଝାଇ ଅର୍ଜୁନଙ୍କୁ ଇଙ୍ଗିତ କରି )।

ରସାଧରସୁତା ମା' ଗୋ
ଘେନ ମିନତି ......
କୃଷ୍ଣଚନ୍ଦ୍ର ନୃପ :- 

ଓଷାକୋଠି ସ୍ୱରରେ ଦେବୀ ବନ୍ଦନା । ରସପଞ୍ଚକ କାବ୍ୟରୁ ଉଦ୍ଧୃତ ।

ଶୁଣ ହେ ବୀର ଅର୍ଜୁନ
ଆସିଅଛି ମୁହିଁ ତୁମ୍ଭ ପାଶେଣ .....

ସୁଭଦ୍ଦ୍ରାଙ୍କ ଅର୍ଜୁନଙ୍କ ଠାରୁ ପ୍ରୀତିଭିକ୍ଷା ।

ମୋତେ ବାରମ୍ବାର କରି କହନା
ରେ ସୁନାବରନା.....

ଅର୍ଜୁନସୁଭଦ୍ରାଙ୍କୁ ବାରମ୍ବାର ଜଣାଣ କରିବାକୁ ମନା କରି ।

ଆଜି ରସାଭୂଷା
ତୋର ଦଶା ସରିଲା ......

ଅର୍ଜ୍ଜୁନସୁଭଦ୍ରାଙ୍କୁ ଧମକାଇ ।

ବିଧୂମୁଖୀର ,,,,
ଆଜି ମଥା ଛିଡ଼ି କଥା ସରିଗଲା ହେ ..... 
 ବିଧୂମୁଖିର .....

ଅର୍ଜୁନ ନିର୍ଲ୍ଲଜ ଭାବେ ପ୍ରୀତିଭିକ୍ଷା ଶୁଣି କୋପିତ ହେବାରୁ ।

ଶୁଣ ଗୋ ସୁଭଦ୍ରାଇ ଲେଖାରେ ମୋର
ଭଉଣୀ ହେବୁ ତୁହି .....
 ସ୍ତିରୀଜନ୍ମ ପାଇ
ଏଡ଼େ କି ନିର୍ଲ୍ଲଜ୍ଜୀ ତୁହି.....

ଅର୍ଜୁନ ସୁଭଦ୍ରାଙ୍କୁ ନିର୍ଲ୍ଲଜ ବୋଲି ଧିକ୍କାର କରି ।

ଦାରୀ ବୋଲି ଯାହା କଲା ଦଇବ
ତା ରୀତି ବଚନେ କିସ କହିବ.....
ବଳଦେବ ରଥ :-
ଅର୍ଜୁନ ସୁଭଦ୍ରାଙ୍କୁ ବେଶ୍ୟା ଅପବାଦ ଦିଅନ୍ତେ ପ୍ରକୃତରେ ବେଶ୍ୟା
କିଏ ଏହା ବୁଝାଇ ।

ଯଦୁବଂଶ କଳଙ୍କିନୀ କହୁ କାହୁଁରେ
ମୁଁ ଯେତେ ମନା କଲେ ତୁ ତ ମାନୁନାହୁଁରେ ......

ଅର୍ଜୁନ ପୁନଃ ସୁଭଦ୍ରାଙ୍କୁ ଧିକ୍କାର କରି କଳଙ୍କିନୀ ଡାକନ୍ତି ।

ଶୁଣ ହେ ଇନ୍ଦ୍ରକୁମର
ଗୁଣ ତୁମ୍ଭ ବାପାଙ୍କର....

ଦୁଆରୀ  :- 
ଇନ୍ଦ୍ରଙ୍କ କଳଙ୍କ ଦର୍ଶାଇ ।

କହିଦେବି ହେ
ତୁମ ମାଆଙ୍କ ରୀତି .....
(ଦୁଆରୀ :- କୁନ୍ତୀଙ୍କ କଳଙ୍କ ଦର୍ଶାଇ ) 

ରସିକବର ରସଶେଖର
ରାଜବାଳୀ ଜେମାକୁ କୋଳେ ଧରହେ .....

କୃଷ୍ଣଚନ୍ଦ୍ର ନୃପ : ରସପଞ୍ଚକ କାବ୍ୟରୁ ଉଦ୍ଧୃତ ) 
(ବିଭାଘର ପରେ ରମଣ କରିବାକୁ କହି )।

ଲେଖକ©ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

ଗଞ୍ଜାମର ଲୋକନାଟ୍ଯ ଦାସକାଠିଆ


           ●●●●●
ଆବାହମାନ କାଳରୁ ସାମାଜିକ ଜୀବନରେ ଲୋକନୃତ୍ଯ ,ଲୋକସଙ୍ଗୀତ ଓ ଲୋକବାଦ୍ୟ ସର୍ବଦା ବିଶେଷ ଭୂମିକା ନେଇଆସିଛି  । ଏ ଦିଗରେ ଗଞ୍ଜାମ ବହୁ ଆଗରେ ରହିଆସିଛି  । 

#ଗଞ୍ଜାମ  ଜିଲ୍ଲାର ମୌଳିକ ନୃତ୍ୟାନୁଷ୍ଠାନ ରୂପେ #ଦାସକାଠୀ ସୁପରିଚିତ । ଜିଲ୍ଲାର ଅନ୍ୟ  ଲୋକନୃତ୍ୟ ମଧ୍ୟରେ ଦାସକାଠୀ ତାହାର ସ୍ୱତନ୍ତ୍ରତା ବଜାୟ ରଖିଛି । ଗଞ୍ଜାମ ଜିଲ୍ଲା ଲୋକଙ୍କରକହିବା ଢଙ୍ଗ, ଉଚ୍ଚାରଣ, ଗାଇବା ଭଙ୍ଗୀ, ଅନ୍ୟ  ଜିଲ୍ଲାର କଳାକାରଙ୍କର ଅପେକ୍ଷା ଭଲ ଶୁଣାଯାଏ । ଗଞ୍ଜାମ ଜିଲ୍ଲା ହେଉଛିବିଭିନ୍ନ ଲୀଳାର ମାଟି । ରାଧା ପ୍ରେମଲୀଳା, କୃଷ୍ଣଲୀଳା ,ରାମଲୀଳା, ଭାରତଲୀଳା,  ପ୍ରହଲ୍ଲାଦ ନାଟକ ଓ  #ଦାସକାଠୀଆ ପ୍ରମୁଖ  #ଗଞ୍ଜାମଜିଲ୍ଲା ମାଟିର ନିଜସ୍ୱ ଲୋକନୃତ୍ୟ ଓ ସଙ୍ଗୀତ । ରଙ୍ଗମଞ୍ଚକଳାକାରଙ୍କର ପୀଠସ୍ଥଳୀ ଏହି #ଗଞ୍ଜାମ ମାଟି ।  ଶସ୍ଯଭଣ୍ଡାରର ମାଟି ଗଞ୍ଜାମ । ଚାଷ ମୁଖ୍ୟ ବେଉସା ହେତୁ ଏଠିକା ଲୋକଙ୍କୁ ଯେଉଁ ସମୟ ମିଳେ ତାର ସଦୁପଯୋଗ ପାଇଁ ବୋଧହୁଏ କଳାର ଜନ୍ମଧାରିଣୀ ଏଇ  #ଗଞ୍ଜାମ । 

        ପ୍ରାତଃ ସ୍ମରଣୀୟ ପଦ୍ମଶ୍ରୀ ସ୍ୱର୍ଗତ #ଭଗବାନ_ସାହୁ ଏହି ଅଞ୍ଚଳର ଗର୍ବ ଓ ଗୌରବ। ଆଜି ଯୋଡ଼ିଶଙ୍ଖ ,ରଣପା ଓ ଲହଡ଼ୀକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ସ୍ୱର୍ଗତ ସାହୁ ଅମର ହୋଇଯାଇଛନ୍ତି । ) 
                ତେବେ ଏଥି ମଧ୍ୟରୁ #ଦାସକାଠୀ ନୃତ୍ୟର ଏକ ସ୍ବତନ୍ତ୍ରତା  ରହିଛି ।
#ଦାସକାଠୀ ନୃତ୍ୟର ମାଇଲଖୁଣ୍ଟ ଓ ଉଜ୍ଜ୍ୱଳତାରକା ରୂପେ ଅମର ପୁରୁଷ ହିଞ୍ଜିଳି ନିକଟସ୍ଥ #ଖଣ୍ଡରା ଗ୍ରାମର ଦାସକାଠୀ ଗାୟକ ସ୍ୱର୍ଗତ #କୃଷ୍ଣଚନ୍ଦ୍ର_ସାହୁ (ଗାୟକ ରତ୍ନ ), ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ନଗରଢିଅର ଗାୟକ ରତ୍ନ ସ୍ୱର୍ଗତ #ବୌଦ୍ୟନାଥ_ଶର୍ମା ଓ #ଭୀମସେନ_ଶତପଥୀ (ଗାୟକ ରତ୍ନ ) ଏହାକୁବିଶ୍ୱପ୍ରସିଦ୍ଧ କରି ଜାତୀୟ ସ୍ତରରେ ସ୍ୱତନ୍ତ୍ର ମାନ୍ୟତା ସୃଷ୍ଟିକରିବା ସହ ଅନ୍ୟ ଜିଲ୍ଲାରେ ବି ପ୍ରଚଳିତ କରିପାରିଛନ୍ତି  ।  ଦସକାାଠୀ ନୃତ୍ୟର ମୁଖ୍ୟ ଆକର୍ଷଣ କାଠି ଚାଳଳା , ଯାହା ତାଳ, ଲୟ , ଢଙ୍ଗ ଉପରେ ସମ୍ପୁର୍ଣ୍ଣ  ନିର୍ଭର କରୁଛି ।ପାଲାପରି ଏହା ମଧ୍ୟ  ଏକ ବିଦଗ୍ଧକଳା । #ଦାସକାଠୀ ନୃତ୍ୟ ଦୁଇଟି କଳାକାରଙ୍କୁ ନେଇ ପ୍ରଦର୍ଶନ ହୋଇଥାଏ , ଗାୟକ ଓ ପାଳିଆ ଉଭୟଙ୍କର ଚେହେରା  ଆକର୍ଷଣୀୟ ହେବା ଆବଶ୍ୟକ, ସେହିପରି ଉଭୟଙ୍କର ସାହିତ୍ୟ, ସଂସ୍କୃତି ଓ କଳା ଜ୍ଞାନ ନିପୁଣ ଭାବେ ଭରପୁର ରହିଥାଏ। ‘ସାମଗ୍ରିକ ବ୍ୟକ୍ତି୍ତ୍ବ ଓ ଉପଯୁକ୍ତ ପୋଷାକ, ବେଶ ପରିପାଟୀ କଳାକୁ ମନୋଜ୍ଞ କରିବା ସହିତ , ଲୋକମାଙ୍କୁ ଆକର୍ଷଣ କରି ରଖିବାରେ ସଫଳ ହୋଇଥାଏ । କଳାକାରମାଙ୍କୁ ଦଖେୁ ଦଖେୁ ଦର୍ଶକମାଙ୍କରଆଗ୍ରହ ଜନ୍ମିବା ସ୍ୱାଭାବିକ । ପୁରାଣ ସାହିତ୍ୟ ଜ୍ଞାନ ସହିତ ମଧ୍ୟଯୁଗୀୟ ସାହିତ୍ୟ ଓ  ଆଧୁନିକ ସାହିତ୍ୟ ଲେଖକମାଙ୍କର କୃତି ସମ୍ପର୍କରେ ଆଲୋଚନା ଏହାର ବିଶେଷ ଗୁଣ  ।
            #ଦାସକାଠୀକୁ  ସମାଜର ସମସ୍ୟା ସହ ଯୋଡ଼ି ରଖିପାରିଲେ ସାମାଜିକ ସଂସ୍କାରରେ ଏହା ମୁଖ୍ୟ ଭୂମିକା ନଇପାରିବ । ଏହି ଭଞ୍ଜମାଟିରେ କଳା ସାହିତ୍ୟ ଆବାହମାନ କାଳରୁ ରହିଛି। କବିସମ୍ରାଟ #ଉପେନ୍ଦ୍ର_ଭଞ୍ଜ, #କବିସୂର୍ଯ୍ୟ_ବଳଦେବ_ରଥ, ଭକ୍ତକବି ଗୋପାଳ କୃଷ୍ଣଙ୍କର କୃତି ଓଡ଼ିଆ ସାହିତ୍ୟ ଓ କାବ୍ୟ ଜଗତକୁ ରୁଦ୍ଧିମନ୍ତ କରି ରଖିଛି ।  ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର #ଦାସକାଠୀକୁ  ଅତ୍ୟନ୍ତ  ହୃଦୟସ୍ପର୍ଶୀ କରାଇଥାଏ। ଅନୁପ୍ରାସ, ଯମକ ଆଦି ରହି ଶବ୍ଦ ମାନ ବୋରମ୍ବାର ଉଚ୍ଚାରିତ ହୋଇ ବର୍ଣ୍ଣନାକୁ ରୋଚକ କରନ୍ତି ।   
        କଥାରେ ଅଛି :- 
‘ ଚାଲିଜାଣିଲେ ବାଟ ସୁନ୍ଦର 
     କହି ଜାଣିଲେ କଥା ସୁନ୍ଦର ।

         #ଦାସକାଠୀରେ କଥାକହି ଲୋକଙ୍କୁ ମୋହିବାକୁ ହୁଏ । ଅର୍ଗଳକହିବାକୁ ପଡ଼ିଥାଏ । ମୁହଁରେ, ଅଙ୍ଗପ୍ରତ୍ୟଙ୍ଗରେ ଓ ଢଙ୍ଗରେ ଭାବ ଫୁଟେଇ କହୁଥିବା ବିଷୟ ଅନୁଯାୟୀ ସଂଳାପ ଉଚ୍ଚାରଣ,ମୁଖଭଙ୍ଗୀ, ଆଖିର ଇଶାରା ଓ ଶରୀରଭଙ୍ଗୀ ଦାସକାଠୀ ପରିବେଶକୁ ଆକର୍ଷଣୀୟ କରିଥାଏ  ।ସମାଜର ସଂସ୍କାର ବିଷୟରେ ଉଭୟ ଗାୟକ ଓ ପାଳିଆଅବାରଣା କରିବା ଏକ ବିଶେଷ ଗୁଣ । ମୂଳ ବିଷୟ ସହ ମଝିରେ ମଝିରେ ସମାଳର ହାସ୍ୟରସ ଶୈଳୀରେ ଲୋକଙ୍କର ମୋରଞ୍ଜନ କରିବା ପାଳିଆର ଧର୍ମ । ପୁରାଣ ବିଷୟରୁ ପଦେ ସେହ ସାମାଜିକ ପ୍ରସଙ୍ଗରୁ ପଦେ ଏହାର ମାଧୁର୍ଯ୍ୟତାକୁ ବଢାଇଥାଏ । 

ଆଧୁନିକ ସାହିତ୍ୟର ଏକ ହାସ୍ୟରସାତ୍ମକ ପଦ୍ୟ #ଦାଶକାଠିଆଙ୍କ ମୁଖରେ ଶୁଣିବାକୁ ମିଳେ :;
ଗୀତଟି ଏଇଭଳି:-
          ■■■
କାର୍ତ୍ତିକ ମାସରେ ଆସିଲା କାଞ୍ଜି
                 କାଞ୍ଜି କି କଲେ ନାୟକ ପୁଞ୍ଜି
ପାଞ୍ଜି ରେ ଦେଲେ ଅକ୍ଷତ ଦୂବ
     କାଞ୍ଜି କି କହିଲେ ଦେଶକୁ ଯିବ କି ଦେଶକୁ ଯିବ (2ଥର)
ତହୁଁ କାଞ୍ଜି ଗଲା ଖରେ
          ଯାଇ ପସିଲା କମାର ଘରେ
ଏଣେ କମାରୁଣୀ ତେଣେ କମାର (2ଥର)
              କାଞ୍ଜି କି କହିଲେ ହାତୁଡି଼ ଧର କି ହାତୁଡି଼ ଧର (2ଥର)
ତହୁଁ କାଞ୍ଜି ଗଲା ଖରେ
        ଯାଇ ପସିଲା ଭଣ୍ଡାରୀ ଘରେ
ଏଣେ ଭଣ୍ଡାରୁଣୀ ତେଣେ ଭଣ୍ଡାରୀ (2ଥର)
             କାଞ୍ଜି କି ଦେଲେ ଖିଅର କରି କି ଖିଅର କରି (2ଥର)
ତହୁଁ କାଞ୍ଜି ଗଲା ଖରେ
           ଯାଇ ପସିଲା ଗଉଡ଼ ଘରେ
ଏଣେ ଗଉଡୁଣୀ ତେଣେ ଗଉଡ଼ (2ଥର)
        କାଞ୍ଜି କି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ (2ଥର)
ତହୁଁ କାଞ୍ଜି ଗଲା ଖରେ
         ଯାଇ ପସିଲା କରଣ ଘରେ
କରଣ ଘରେ ଦେଖି ପଲମ
       ଆମ୍ଵିଳି ପାଣିରେ ରହିଲା ମନ କି ରହିଲା ମନ(2ଥର)
ତହୁଁ କାଞ୍ଜି ଗଲା ଖରେ
              ଯାଇ ପସିଲା ବାହ୍ମଣ ଘରେ
ଏଣେ ବାହ୍ମୁଣୀ କି ତେଣେ ବାହ୍ମୁଣ (2ଥର)
             କାଞ୍ଜି କି କଲେ ବଡ଼ ତିଅଣ କି ବଡ଼ ତିଅଣ (2ଥର) ।

   #ଦାସକାଠି ବା #ଦାଶକାଠି ଶବ୍ଦକୁ ନେଇ ଅନେକ ମତ ପ୍ରଚଳିତ । କେତେକଙ୍କ ଅନୁସାରେ ଏଠାରେ ଦାସ'ର ଅର୍ଥ  ସେବକ ବା ଭକ୍ତ  ଓ 'କାଠିଆ' ଅର୍ଥ ହେଉଛି କାଠରେ ତିଆରି ଯୋଡ଼ା ଯାହା ଗାହାଣ ଓ ପାଳିଆଙ୍କ ଦେଇ ବଜାଯାଇଥାଏ । ଏଥିରେ ଗାହାଣ ଓ ପାଳିଆ ନିଜକୁ ଭଗବାନ ଶିବଙ୍କ ଦାସ/ଭକ୍ତ ଭାବରେ ଗ୍ରହଣ କରି ତାଙ୍କର ବନ୍ଦନାପୂର୍ବକ ଗୀତ ଗାନ କରି ଅଭିନୟ ମାଧ୍ୟମରେ ଦାସକାଠିଆ ପରିବେଷଣ କରିଥାନ୍ତି ।

                ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ #ଦାଶକାଠି ଓ #ଦାଶକାଠିଆ ଶବ୍ଦ ରହିଛି କିନ୍ତୁ ଦାସକାଠି କିମ୍ବା ଦାସକାଠିଆ ଶବ୍ଦ ଦେଖାଯାଏ ନାହିଁ । ତେଣୁ ଅନ୍ୟ ଏକ ମତାନୁସାରେ ଦାଶ ଉପନାମଧାରୀ  ହଳୁଆ ବ୍ରହ୍ମଣମାନେ ପ୍ରଥମେ ଦାଶକାଠି ବଜାଇବା ଆରମ୍ଭ କରିଥାବାରୁ ଏହାର ଏଭଳି ନାମକରଣ ହୋଇଥିବା ଅନୁମାନ କରାଯାଇଥାଏ । ସମ୍ଭବତଃ ପ୍ରଥମେ ପ୍ରଥମେ ହଳୁଆ ବ୍ରାହ୍ମଣଙ୍କ ଦ୍ବାରା ଏ ଲୋକକଳା ଆବିଷ୍କୃତ ହୋଇ ପରେ ଅନ୍ୟାନ୍ଯ ଜାତିର ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । ଅଧୁନା ଏହି #ଦାଶକାଠି ଲୋକକଳା ଅନ୍ୟ ଜାତୀୟ ଲୋକେ ବି ପରିବେଷଣ କରୁଅଛନ୍ତି ।}}

       ଶିଶୁଆ କାଠରେ କାଠିଗୁଡ଼ିକ ସୁନ୍ଦର ଭାବେ ପ୍ରସ୍ତୁତ ହେଇଥାଏ । ଗାୟକଙ୍କ ହାତରେ ଥିବା କାଠିରେ ଛୋଟ ଛୋଟ ଝୁମୁକା ଲାଗିଥାଏ  ଏବଂ ପାଳିଆଙ୍କ କାଠିରେ କିଛି ଲାଗିନଥାଏ । #କାଠି ଛଡା ଏଥିରେ  ଅନ୍ୟ କୌଣସି ବାଦ୍ୟଯନ୍ତ୍ରର ବ୍ୟବହୃତ ହେଉନଥିବାରୁ ଗାୟକଙ୍କ ସୁଲଳିତ କଣ୍ଠ  ଓ ଲାଳିତ୍ୟପୂର୍ଣ୍ଣ ଭାଷାର ସ୍ବଷ୍ଟ ଉଚ୍ଚାରଣ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ବର୍ତ୍ତମାନ ଏହି କଳା କମି କମି ଗଲେ ମଧ୍ୟ  ଆଦର ବହୁଳ ଭାବେ ରହିଛି  । ସରକାର  ଆଧୁନିକ ନାଚକୁ ବ୍ୟାନ କରି ଏହି ଲୋକସଂସ୍କୃତି  ଲୋକନୃତ୍ଯକୁ ପ୍ରୋତ୍ସାହିତ କଲେ ଅନେକ ଜୀବନ ଜୀବିକା ନିର୍ବାହ ହୋଇପାରନ୍ତା  ।

           -:ତଥ୍ୟ ସଂଗ୍ରହ ଓ ଉପସ୍ଥାପନା:-
 ©ଶିଶିର ସାହୁ / ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ  ।

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...