Friday, July 31, 2020

● ଗଞ୍ଜାମର ରାମଲୀଳା ଓ କୃଷ୍ଣଲୀଳା ●

#ଗୌରବମୟ_ଗଞ୍ଜାମ । ✍ ସନ୍ତୋଷ ପଟ୍ଟନାୟକ ।
#ଲୋକନାଟ୍ୟ , #ଲୋକନୃତ୍ଯ ଓ #ଲୀଳାଭୂମୀ
   ---------------------------
 ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠ, ମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା । ନାଟ୍ୟକଳା ଥିଲା ଳୋକଙ୍କ ଜୀବନ । ରାଜନ୍ୟବର୍ଗଙ୍କ ଏଥିପାଇଁ ପ୍ରୋତ୍ସାହନ ଥିଲା । ଧନାଢ଼୍ୟ ବ୍ୟକ୍ତିମାନଙ୍କର ନାଟ୍ୟକଳା ପ୍ରତି ଅତ୍ୟନ୍ତ ଶ୍ରଦ୍ଧା, ସମ୍ମାନ ଓ ସମ୍ମୋହନ ଥିଲା । ତେଣୁ ଶହ ଶହ ବର୍ଷ ଧରି ଲୋକନାଟ୍ୟ ପରମ୍ପରା ତିଷ୍ଠି ରହିଥିଲା । ଲୋକଙ୍କୁ ଏହା ଆନନ୍ଦ ପ୍ରଦାନ କରିବା ସହିତ ଧର୍ମୀୟ ଚେତନାରେ ଉଦ୍‌ବୁଦ୍ଧ କରୁଥିଲା । ଫଳତଃ ଲୋକେ ଶୃଙ୍ଖଳିତ ଜୀବନଯାପନ ପାଇଁ ପ୍ରେରଣା ପାଇବା ସହିତ ସାମାଜିକ ନୀତି, ରୀତି ବିଧି ଓ ପରିଧି ଭିତରେ ସଂସ୍କୃତି ସଂପନ୍ନ ମଣିଷ ଭାବେ ବଞ୍ଚିବା  ପାଇଁ ପ୍ରେରଣା ପାଉଥିଲେ । 
#ରାଧାପ୍ରେମଲୀଳା ଓ #ଭାରତଲୀଳା ଭଳି  ରାମଲୀଳା ଓ  କୃଷ୍ଣଲୀଳା ଗଞ୍ଜାମର ଏକ ଭିନ୍ନ ପରିଚୟ 
#ରାମଲୀଳା :- 
 ରାମାୟଣ ଏକ ଶାଶ୍ୱତ ଅମର କାବ୍ୟ । ରାମକଥାକୁ ଭିତ୍ତିକରି ସର୍ବଭାରତୀୟ ସ୍ତରରେ ପଞ୍ଚମ ଶତାବ୍ଦୀ ପୂର୍ବରୁ ସଂସ୍କୃତ ନାଟକମାନ ଅଭିନୀତ ହୋଇଥିବା ସ୍ଥଳେ ଓଡ଼ିଶାରେ ରାମଙ୍କ ଜୀବନ କାହାଣୀକୁ ନେଇ ସଂସ୍କୃତ ଭାଷାରେ ନୃତ୍ୟ,ଗୀତ ମାଧ୍ୟମରେ ଅଭିନୟ ପରମ୍ପରା ନବମ ଶତାବ୍ଦୀରୁ ପ୍ରଚଳିତ । ଓଡ଼ିଆ ଲୀଳାର ପ୍ରଥମ ଲିଖିତ ରୂପ ବିଶ୍ୱନାଥ ଖୁଣ୍ଟିଆଙ୍କ ‘#ବିଚିତ୍ରରାମାୟଣ’ ବା ବିଶି ରାମଲୀଳା’କୁ ଗ୍ରହଣ କରାଯାଇଛି । ଏହାର ରଚନା କାଳ ୧୭୦୯ । ଏପର୍ଯ୍ୟନ୍ତ ଜ୍ଞାତ ପ୍ରାୟ ଅଧିକାଂଶ ରାମଲୀଳା ଗଞ୍ଜାମ ଜିଲ୍ଲାର କବି ମାନଙ୍କ ଦ୍ୱାରା ହିଁ  ରଚିତ । ଏହି ଅଞ୍ଚଳରେ ରାମଭକ୍ତିର ସ୍ରୋତ ନିରବଛିନ୍ନ ଭାବରେ କାହିଁକି ପ୍ରବାହିତ ହୋଇଥିଲା, ତାହା ନିର୍ଣ୍ଣୟ କରିବା ଅଧିକ ଗବେଷଣା ସାପେକ୍ଷ ବୋଲି ଐତିହାସିକ କେଦାରନାଥ ମହାପାତ୍ର ଲେଖିଛନ୍ତି । ( ଝଙ୍କାର, ନବମବର୍ଷ- ୧୧ଶ ସଂଖ୍ୟା) #ଗଞ୍ଜାମର  ରାମଲୀଳା ରଚୟିତାଭାବେ #ବୈଶ୍ୟ_ସଦାଶିବ, #କୃଷ୍ଣଚନ୍ଦ୍ର_ରାଜେନ୍ଦ୍ର, #ବିମ୍ବାଧର_ସାନସାମନ୍ତ, ,  ରଘୁନାଥ_ପରିଚ୍ଛା, #କେଶବ_ପଟ୍ଟନାୟକ, ଧରାକୋଟ ରାଜା #ରଘୁନାଥ ସିଂହ, #ବିପ୍ରକୁଞ୍ଜ, #ଯୁଧିଷ୍ଠିର ସାହୁ ପ୍ରମୁଖଙ୍କ ନାମ ପ୍ରକାଶ ଯୋଗ୍ୟ । ଗାୟକଭାବେ  ନଟବର ସାହୁ,  ଅଗାଧୁ ପାଣିଗ୍ରାହୀ, #ଅନନ୍ତ ରାମ ପାଢ଼ୀ, #ତ୍ରିନାଥ ପୋଲେଇ, #ଉଦୟନାଥ_ପଟ୍ଟନାୟକ, #ବୈଦ୍ୟନାଥ ମହାରଣା,  ସତ୍ୟନାରାୟଣ ପାଢ଼ୀ, #ଅଗାଧୁ କାହାଳିଆ, ପ୍ରମୁଖଙ୍କ ନାମ ସ୍ମରଣୀୟ । ଏହି ଲୀଳାର ସାମାଜିକ ଆବେଦନ, ଆଧ୍ୟାତ୍ମିକ ଚେତନା , ରସାବେଦନ , ସାଙ୍ଗୀତିକ ଆବେଦନ , ବର୍ଣ୍ଣନା ବୈଭବ ଭାଷା ଓ ସଂଳାପ ଶ୍ରୋତା ଓ ଦର୍ଶକ ମାନକୁ ବିମୋହିତ କରୁଥିଲା ।ଏହି ଲୀଳା ସଂଦର୍ଶନ କରି ଐତିହାସିକ #କେଦାରନାଥ ମହାପାତ୍ର , ପଣ୍ଡିତ #ବିଧାୟକ ମିଶ୍ର, କବି ଡ଼ଃ #ମାୟାଧର ମାନସିଂହ , ପଲ୍ଲୀକବି #ନନ୍ଦକିଶୋର ବଳ ପ୍ରମୁଖ #ଗଞ୍ଜାମ_ରାମଲୀଳାର ଲୀଳାକାରମାନଙ୍କ ଓ ପ୍ରାୟୋଜିତ କାରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ  ।
----------------------------------------------------------------

#କୃଷ୍ଣଲୀଳା :- 

ରାମଲୀଳା ପରି ଗଞ୍ଜାମରେ କୃଷ୍ଣଲୀଳାର ମଧ୍ୟ ଆଦର ରହିଛି । ଓଡ଼ିଶାରେ ପ୍ରଯୋଜିତ କୃଷ୍ଣ ଲୀଳାର ନାଟକୀୟ ଦିଗଟି (ଗୀତଗୋବିନ୍ଦ) ଦ୍ୱାରା ନିୟନ୍ତ୍ରିତ ହେବାବେଳେ କଥାବସ୍ତୁ ଜଗନ୍ନାଥ ଦାସଙ୍କ ଭାଗବତରୁ ସଂଗୃହୀତ ହୋଇଛି । କୃଷ୍ଣ ଲୀଳାର ଶ୍ରୀକୃଷ୍ଣ ବାସୁଦେବ ସ୍ୱୟଂ ଭଗବାନ ଅବା ଅବତାରୀ । ସଂଗୃହୀତ ତଥ୍ୟରୁ ଜଣାଯାଏ ବାବାଜୀ #ଦୁଃଖୀଶ୍ୟାମ ଦାସ ହିଁ ସର୍ବପ୍ରଥମେ ଗଞ୍ଜାମରେ କୃଷ୍ଣଲୀଳା (୪୮ଲୀଳା)ରଚନା କରି ଗଞ୍ଜାମ ଆଠଗଡ଼ ନିକଟସ୍ଥ #ବାଉଁଶିଆ ଗ୍ରାମରେ ଅଭିନୟ କରାଇଥିଲେ । ସେ ଏହି ଲୀଳାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ଏହି ଲୀଳା ଲୋକପ୍ରିୟ ହେଲା ଏବଂ ଲୋକରେ ଏହା ଆଠଗଡ଼ିଆ ଲୀଳାଭାବେ ପରିଚିତ ହେଲା । ଏହି ଲୀଳାର ଗାୟକଭାବେ ବାଉଁଶିଆ ଗ୍ରାମର #ବୁଦ୍ଧିଆ ବାଡ଼ତ୍ୟା , #ଭଗବାନ ବେହେରା, #ବାଜିଆ ଗୌଡ଼, #ପୁରା ସାହୁ,  ମୋହନ ଦାସ ପ୍ରମୁଖ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ  #ଦେବଭୂମିର କୃଷ୍ଣଲୀଳା ଗାୟକ ସୋମନାଥ ବେହେରା ଏହି ଲୀଳାର  ବିକାଶ ଓ ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲୀଳାକାର #ଦୁଃଖୀଶ୍ୟାମ ଦାସଙ୍କ ଜନ୍ମ ସ୍ଥାନ ଚିଙ୍ଗୁଡ଼ି ଘାଇ । ସେ ଜାତିରେ ମହାନ୍ତି (ଖଣ୍ଡାୟତ) ।
              ଗଞ୍ଜାମରେ କୃଷ୍ଣଲୀଳାର ଅନ୍ୟାନ୍ୟ ରଚୟିତା ହେଲେ ଗୌତମୀର #ହରିହର ଷଡ଼ଙ୍ଗୀ, ପାରଳାଖେମୁଣ୍ଡିର #ମଧୁସୂଦନ ପାଣିଗ୍ରାହୀ, #ରଘୁନାଥ ପରିଚ୍ଛା, ବଡ଼ଖେମୁଣ୍ଡିି ରାଜା  ଲକ୍ଷ୍ମୀନାରାୟଣ ଦେଓ ଥିଲା ଏବଂ ଚିକିଟିର  ବିପ୍ରଶ୍ୟାମ । ସଂପ୍ରତି କୃଷ୍ଣଲୀଳାର ପ୍ରସିଦ୍ଧ ଗାୟକଭାବେ #ସୋମନାଥ ସ୍ୱାଇଁଙ୍କ ନାମ ଉଲ୍ଲେଖଯୋଗ୍ୟ । ଗଞ୍ଜାମରେ ଶତାଧିକ କୃଷ୍ଣଲୀଳା ଦଳ ଥିଲା ଏବଂ ୫୦ରୁ ଊର୍ଦ୍ଧ ଲୀଳା ଶିକ୍ଷକ ଥିଲେ । ଗଞ୍ଜାମ  କୃଷ୍ଣଲୀଳାର ମୁଖ୍ୟ ଆକର୍ଷଣ ହେଲା ଏହାର ସ୍ୱର । ଗାୟକ ତଥା ଅଭିନେତାମାନଙ୍କର ଉଚ୍ଚ କୋମଳ ସ୍ୱର ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ । ଏହି ଲୀଳାର ବେଶ ପରିପାଟୀ ଉନ୍ନତ ଓ ରୁଚିପୂର୍ଣ୍ଣ । 

             ମନୋରଞ୍ଜନ ସହ  ଆଧ୍ୟାତ୍ମିକତାକୁ ଏହି ଅଞ୍ଚଳରେ ଗୁରୁତ୍ୱ ଦିଆଯାଏ । ଲୀଳା ଦର୍ଶନ ବେଳେ ଦର୍ଶକ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଅଭିନେତାକୁ ଭୁଲି ସ୍ୱୟଂ ଭଗବାନ ବୋଲି ବିବେଚନା କରି ପ୍ରଣାମ କରିଥାନ୍ତି । ଲୋକ ପ୍ରିୟତା ଦୃଷ୍ଟିରୁ ସଂପ୍ରତି ଜନ୍ମଲୀଳା, ବାଲ୍ୟଲୀଳା, ଦଧିମନ୍ଥନ ଲୀଳା ଓ କାଳୀୟ ଦଳନ ଲୀଳା ଭଳି ୪୮ ପ୍ରକାର ଲୀଳା ଅନୁଷ୍ଠିତ ହେଉଥିବାବେଳେ ଆଜି ଏହା ଋଗୁଣ୍ ଅବସ୍ଥାରେ ଅଛି ବହୁତ କମ୍  ସଂଖ୍ୟକ ଦଳ ଏବେ ଅଛନ୍ତି ।  ସରକାରୀ ଉଦାସୀନତା ଓ ପ୍ରତ୍ସାହନ  ଏହାର ମୁଖ୍ୟ କାରଣ  ।
    ଉପସ୍ଥାପନା ଓ ସଂଗ୍ରାହକ  : #ସନ୍ତୋଷ ପଟ୍ଟନାୟକ ଗଞ୍ଜାମ  ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...