ମାଳତୀ ଝୁଲଣ ଉପସ୍ଥାପନା : ବିଷ୍ଣୁମୋହନ ଅଧିକାରୀ
~ ଯୋଡ଼ା ଝୁଲଣ ର କଥା~
ଆମ ଉତ୍କଳ ରେ ବାର ମାସେ ତେର ପର୍ବ। ଏହା ସଭିଙ୍କୁ ଗୋଚର। ମହାପ୍ରଭୁ ଲୀଳାମୟ ଜଗନ୍ନାଥ ଙ୍କ ଅନେକ ପର୍ବ ମଧ୍ୟ ରୁ ତ୍ରିରାସ ଅନ୍ୟତମ । ତନ୍ମଧ୍ୟରୁ ଝୁଲଣ ଉତ୍ସବ ଟି ପ୍ରଧାନ। ବର୍ଷକରେ ଥରେ ଏହା ଶ୍ରାବଣ ଶୁକ୍ଳ ଦଶମୀ ରୁ ଭାଦ୍ରବ ପ୍ରତିପଦା ଯାଏଁ ପାଳନ ହୁଏ। ଏଥିରେ ସୁନ୍ଦର ଯୁଗଳ ବିଗ୍ରହ ମାନେ ଅପୂର୍ବ କୁଞ୍ଜ ରେ ଶୋଭା ପାଆନ୍ତି।
ସମଗ୍ର ଓଡ଼ିଶାର ବୈଷ୍ଣବ ମଠ ଓ ମନ୍ଦିରାଦି ରେ ଏହା ଅଳ୍ପ ବହୁତରେ ପାଳନ କରାଯାଏ। ତେବେ ଏ ମାଳତୀ ଝୁଲଣ କଣ ? ଦକ୍ଷିଣ ଓଡ଼ିଶାର ବୃନ୍ଦାବନ ରୂପେ ପରିଚିତ ପାରଳା ରେ ବର୍ଷକରେ ଦୁଇଥର ଝୁଲଣ ଯାତ୍ରା ହୁଏ। ଗୋଟିକ ପାଞ୍ଚ ଦିନ ଅନ୍ୟଟି ସାତ ଦିନ।
ଏହା ମଲ୍ଲୀ ଓ ମାଳତୀ ଝୁଲଣ ରୂପେ ଖ୍ୟାତ। ମଲ୍ଲୀ ଝୁଲଣ ଟି ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ରୁ ପୂର୍ଣ୍ଣିମା ଯାଏ ପାଳନ ହେଲା ବେଳେ, ମାଳତୀ ଝୁଲଣ ଟି ଶ୍ରାବଣ ଶୁଳ୍କ ଏକାଦଶୀ ରୁ ପ୍ରତିପଦା ଯାଏଁ ସାତ ଦିନ ହୁଏ। ଚଇତ ମାସ ରେ ମଲ୍ଲୀ ଟି ଅନିର୍ବାର୍ଯ୍ୟ ପୁଷ୍ପ ଥିଲା ବେଳେ ଶ୍ରାବଣ ଝୁଲଣ ରେ ମାଳତୀ ଫୁଲ ବ୍ୟବହାର ହୋଇଥାଏ। ମଲ୍ଲୀ ଝୁଲଣ ରେ ଚନ୍ଦନ ର ବ୍ୟବହାର ଅଧିକା ହୋଇଥାଏ। ମାଳତୀ ରେ ରୌପ୍ୟ ବାସନ ଓ ଅଳଙ୍କାର ଅଧିକା ଲାଗି ହୋଇଥାଏ
ପାରଳାଖେମୁଣ୍ଡି ର ବଡ଼ରାଧକାନ୍ତ ମଠ, ସାନ ରାଧକାନ୍ତ ମଠ, ନନା ମଠ ବା ଶ୍ୟାମସୁନ୍ଦର ମଠ, ଚୈତନ୍ୟ ମଠ, ରାମସ୍ୱାମୀ ମନ୍ଦିର ଓ ଓଡିଶା ର ଆନନ୍ଦ ମଠ ବା ରସିକରାଜ ମଠ ର ଝୁଲଣ ସର୍ବ ପ୍ରାଚୀନ। ପାରଳା ର ଅନ୍ୟ ୩୦ ମଠ ମାନଙ୍କ ରେ ଏହା ବିଧି ଚଳନ ରୂପେ ପାଳନ ହେଲେ ମଧ୍ୟ ନୃସିଂହ ମଠ ର ଝୁଲଣ ଯାତ୍ରା ଏଯାବତ ପୂର୍ବବତ୍ ଚାଲି ଆସୁଅଛି।
ଏପରି ମଲ୍ଲୀ ଓ ମାଳତୀ ଝୁଲଣ ଅନ୍ୟତ୍ର ବିରଳ। ଏହି ଉତ୍ସବ ରେ ପ୍ରତ୍ୟେକ ସନ୍ଧ୍ୟା ରେ ଝୁଲଣ ସଙ୍ଗୀତ ଆସର ଜମିଥାଏ। ତାହା ପ୍ରକୃତ ରେ ଦର୍ଶନୀୟ। ନିଚ୍ଛକ ଓଡିଶୀ ସଂଗୀତ ବିଶେଷ କରି କବି ଗୋପାଳକୃଷ୍ଣ , ଗୌରହରି, କବିସୂର୍ଯ୍ୟ, କବିଚନ୍ଦ୍ର ରଘୁନାଥ , କିଶୋରଚନ୍ଦ୍ର , ଓ କବି ପଦ୍ମନାଭ ଙ୍କ ରଚନା ଭାଷି ହୋଇ ଆସେ। ରାଧା କୃଷ୍ଣ ଙ୍କ ଅପୂର୍ବ ପ୍ରେମଲୀଳା ର ଅମୃତ ଯେପରି ବିଛୁରିତ ହୁଏ ମାଳତୀ ଫୁଲ ର ବାସ୍ନା ପରି।
ପୂର୍ବେ ଏହି ଝୁଲଣ ଉତ୍ସବ ରେ ମହାରାଜା ମାନେ ସମ୍ଭ୍ରାନ୍ତ ମଠ ମାନଙ୍କରେ ବିଜେ ହେବା ପରମ୍ପରା ରହିଥିଲା। ଉକ୍ତ ଦିନ ଏକ ଉଚ୍ଚାଙ୍ଗ ପୌରାଣିକ ନାଟକ ଅଥବା ଉତ୍କଳ ସଙ୍ଗୀତ ଗାୟନ ବ୍ୟବସ୍ଥା ରହିଥାଏ। ମହାରଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ସମୟ ପର୍ଯ୍ୟନ୍ତ ଏହି ପରମ୍ପରା ଟି ଅକ୍ଷୁର୍ଣ୍ଣ ଥିଲା। ଏବେ ଆଉ କିନ୍ତୁ ସେ ରାଜ ପରମ୍ପରା ର ଦିନ ନାହିଁ। ଖାଲି କର୍ପୂର ଉଡି କନା ଖଣ୍ଡେ ପଡିଛି।
ବର୍ତ୍ତମାନ ମଧ୍ୟ ଏହି ମଲ୍ଲୀ ମାଳତୀ ରେ ଦାସକାଠିଆ, ପାଲା, ଗୀତିନାଟ୍ୟ, ପ୍ରେମଲୀଳା ଆଦି ର ଆୟୋଜନ ହୋଇଥାଏ। ପରିବେଷଣ ଶେଷ ରେ ପ୍ରସାଦ ସଭିଏ ପାଇଥାନ୍ତି।
ପାରଳା ର ବର୍ଣ୍ଣାଢ୍ୟ ଝୁଲଣ ର ଗୁଣ ଗାନ କରି ଝଟତ କବି ନୀଳମଣି ରଥଶର୍ମା ଲେଖିଗଲେ,
ପାରଳାର ମଲ୍ଲୀ ମାଳତୀ
ଝୁଲଣ ଜାତ ଶୋଭା ଦିଶେ ଅତି,
ଅନ୍ୟ ଠାରେ ଏହି ଶୋଭା ଦିଶେ ନାହିଁ
ଦିଶେ ବୃନ୍ଦାବନେ କଲେ ବସତି।।ପାର।।
ଚଇତ ଶ୍ରାବଣ ମାସେ ଏ ସୁମ
ଫୁଟେ ଯେତେ ନାହିଁ ତା ପରିଣାମ,
ଏବାସ କୁସୁମେ ଦୋଳା କୁଞ୍ଜ ପ୍ରେମେ
ଗଢାଇ ଜଗଦୀଶ ଙ୍କୁ ଝୁଲାନ୍ତି।।୧।।
ବିବିଧ ବସ୍ତ୍ର ରେ ବିଚିତ୍ର ତର
ମଣ୍ଡଣି କରି ଦେବତା ମନ୍ଦିର,
ବାଜେ ବହୁବିଧ ବାଦ୍ୟଯନ୍ତ୍ର ନାଦ
ସଙ୍ଗୀତକାରୀଏ ଗାନ କରନ୍ତି।।୨।।
କାହିଁ ରାଧାକୃଷ୍ଣ ରାଧାମୋହନ
କାହିଁ ରାଧାଶାମ ରାଧାରମଣ
ଶ୍ରୀ ରାଧାଗୋବିନ୍ଦ କାହିଁ ମନ୍ଦ ମନ୍ଦ
ଝୁଲିବାର କି ସୁନ୍ଦର ଦିଶନ୍ତି।।୩।।
ବୀର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି
ଝୁଲଣ ରେ ଯେବେ ବିଜେ ହୁଅନ୍ତି
ସେ ଦିନ ଶୋଭା ବ6ର୍ଣ୍ଣ କେ ଅବା
ଦିଶେ ଯା ତାହାଙ୍କ ପ୍ରେମ ଭଗତି।।୪।।
ଉପସ୍ଥାପନା : ବିଷ୍ଣୁମୋହନ ଅଧିକାରୀ
No comments:
Post a Comment