ସୂର୍ଯ୍ୟ ମନ୍ଦିର କୋଣାର୍କ : ଏକ ସୂର୍ଯ୍ୟ ଘଡ଼ି
( ଉପସ୍ଥାପନା; ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ )
କୋଣାର୍କର ଗାଣିତିକ ନିର୍ମାଣ ଶୈଳୀ ଏହାକୁ କରିଦେଇଛି ଵର୍ଷ, ମାସ, ଦିନ ଓ ମୂହୁର୍ତ୍ତ ପର୍ଯ୍ୟନ୍ତ ସମୟ ନିର୍ଣ୍ଣାୟକ ଘଡ଼ି ! ତାହା ବି ପୃଥିଵୀର ସର୍ଵଵୃହତ୍ ପ୍ରାଚୀନ ଘଡ଼ି ଅଟେ ।
ଆମେ ତନ୍ମଧ୍ୟରୁ ହୃତ ପାଷାଣ ସୂର୍ଯ୍ୟ ପ୍ରତିମା କଥା ଚିନ୍ତା କରୁ କରୁ ଭୁଲିଯାଉ ମହାଜାଗତିକ ସୂର୍ଯ୍ୟ ଚନ୍ଦ୍ର ଯିଏ ଆଜି ବି ଵିଛୁରିତ ରଶ୍ମୀରେ ଏହି ଛାୟାଯନ୍ତ୍ରରେ ଦିଵାନିଶି ସମ୍ୟଞ୍ଚ ସମୟ ନିର୍ଦ୍ଧାରଣ କରୁଥାନ୍ତି ।
କୋଣାର୍କରେ ଅଛି ୨୪ଟି ଚକ୍ର ଏଵଂ ୨୪ ଘଣ୍ଟିଆ ସମୟ ଚକ୍ର ହେତୁକ ଗଢାଯାଇଛି ।
ପ୍ରତି ଚକ୍ରରେ ଅଛି ଆଠଗୋଟି ଅରକ ତଥା ଏହି ଆଠଟି ଅରକ ଆଠଗୋଟି ପ୍ରହରକୁ ସୂଚାଇଥାଏ l
ଦିଵାରାତ୍ରର ଏହି ଆଠଗୋଟି ପ୍ରହରକୁ ଅଷ୍ଟପ୍ରହର କୁହାଯାଏ ।ଆଗେ ଭାରତରେ ଦିନର ଚାରି ପ୍ରହର ଓ ରାତିର ଚାରି ପ୍ରହର ଏପରି ଆଠ ପ୍ରହରକୁ ନେଇ ଦିନରାତି ଗଣନା କରାଯାଉଥିଲା ।
ଏକଦିଵାରାତ୍ରୀର ମୋଟ ୨୪ ଘଣ୍ଟାକୁ ତିନିଘଣ୍ଟା ଲେଖାଏଁ ଏକ ଏକ ପ୍ରହର ଵା ଯାମରେ ବଣ୍ଟନ କରାଯାଉଥିଲା । ଅର୍ଥାତ୍ ପ୍ରତ୍ୟେକ ପ୍ରହର ତିନିଘଣ୍ଟା ସମୟର ହେଉଥିଲା ।
ବଡି଼ଭୋର,ସକାଳ,ଦ୍ଵିପହର,ଅପରାହ୍ନ, ସନ୍ଧ୍ୟା,ରାତ୍ରୀ,ଅର୍ଦ୍ଧରାତ୍ରୀ ଓ ପାହାନ୍ତା ଏହିପରି ଆଠଭାଗରେ ଦିଵାରାତ୍ରୀକୁ ଆଠଗୋଟି ପ୍ରହରରେ ଵିଭକ୍ତ କରାଯାଇଥିଲା ।
ଓଡ଼ିଆ ଭାଗଵତର ତୃତୀୟ ସ୍କନ୍ଧ ଏକାଦଶ ଅଧ୍ୟାୟରେ କାଳର ପରିମାଣ ଏମନ୍ତ ଵର୍ଣ୍ଣିତ ହୋଇଅଛି...
“ଶୁଣ ଵିଦୁର ଏକଚିତ୍ତେ ।
ସେ କାଳରୂପ ସଂଖ୍ୟା ଯେତେ ॥
ନିମିଷ ଆଦି ରୂପ ତାର ।
ଯେମନ୍ତେ ପୂରଇ ଵତ୍ସର ॥
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ ।
ଅଣୁ ତହିଁରୁ ଅଟେ ସାନ ॥
ହେ କୁରୁଵୀର ଶୁଣ ତୁହି ।
କହିବି ପରମାଣୁ ମୁହିଁ ॥
ଯାହା ଵିଭାଗ ନ ଲଭଇ ।
ସଂଯୋଗେ ଭାବ ଯାର ନାହିଁ ॥
ଯାହା ସର୍ଵଦା ଵର୍ତ୍ତମାନ ।
ତାହାର ପରମାଣୁ ନାମ ॥
ଅଣୁର ଅର୍ଦ୍ଧ ପରମାଣୁ ।
ତ୍ରିଭାଗେ ହୋଏ ତ୍ରସରେଣୁ ॥
ତୃତୀୟ ତ୍ରସରେଣୁ ଯେହି ।
ତାହାକୁ ତ୍ରୁଟି ବୋଲି କହି ॥
ଶଏ ତ୍ରୁଟିରେ ବେଧ ହୋଏ ।
ତ୍ରିବେଧେ ଲଵ ନାମ ବହେ ॥
ତ୍ରିଲବ କାଳ ଅଟେ ଯେହି ।
ନିମିଷ ବୋଲି ତାକୁ କହି ॥
ତିନି ନିମିଷେ ଏକ କ୍ଷଣ ।
ପଞ୍ଚ କ୍ଷଣରେ କାଷ୍ଠା ପୁଣ ॥
କାଷ୍ଠା ପନ୍ଦର ଯେବେ ହୋଇ ।
ତାହାକୁ ଲଘୁ ବୋଲି କହି ॥
ଏ ପଞ୍ଚଦଶ ଲଘୁ ଘେନ ।
ନାଡ଼ି ବୋଲିଣ ତାକୁ ଜାଣ ॥
ବେନି ନାଡ଼ିରେ ଯେ ମୁହୂର୍ତ୍ତ ।
ପ୍ରହର ଷଟ ଅଵା ସପ୍ତ ॥
ତାହାକୁ ଯାମ ବୋଲି କହି ।
ଅଷ୍ଟମେ ଅହୋରାତ୍ର ହୋଇ ॥
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ ।
ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ॥
ଚାରି ଅଙ୍ଗୁଳି ଦୀର୍ଘ କରି ।
ଚତୁରମସେ ଚୂତୀ ଗଢ଼ି ॥
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି ।
କରିବ ଆୟାମ ଵିସ୍ତାରି ॥
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ ।
ଏମନ୍ତେ କାଳର ନିର୍ଣ୍ଣୟେ ॥
ଅଷ୍ଟପ୍ରହରେ ଦିଵା-ରାତ୍ରି ।
କାଳଜ୍ଞେ ଏମନ୍ତ ଗଣନ୍ତି ॥
ପନ୍ଦର ଅହୋରାତ୍ରେ ପକ୍ଷ ।
ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ॥
ଏ ବେନିପକ୍ଷେ ହୁଏ ମାସ ।
ପିତୃଙ୍କ ରାତ୍ରି ଯେ ଦିଵସ ॥
ଦ୍ୱିମାସେ ଋତୁ ଏକ ହୋଇ ।
ଵସନ୍ତ ଆଦି ଷଟ ସେହି ॥
ଏକ ଅୟନେ ଋତୁ ତିନି ।
ଉତ୍ତର ଦକ୍ଷିଣ ଯେ ବେନି ॥
ବେନି ଅୟନେ ସମ୍ବତ୍ସର ।
ଏମନ୍ତେ ଗଣନା କାଳର ॥
ଦେଵଙ୍କୁ ଅହୋରାତ୍ର ହୁଏ ।
ମନୁଷ୍ୟ-ଵରାଷ ବୋଲାଏ ॥
ଏମନ୍ତେ ଶତେକ ଵରଷ ।
ମନୁଷ୍ୟ ପରମାୟୁ ଶେଷ ॥”
ଅର୍ଥାତ୍ ଭାଗଵତ ଅନୁସାରେ...
୨ ପରମାଣୁ = ୧ଅଣୁ
୩ ଅଣୁ = ୧ ତ୍ରସରେଣୁ
୩ ତ୍ରସରେଣୁ = ୧ ତ୍ରୁଟି
୧୦୦ ତ୍ରୁଟି = ୧ ବେଧ
୩ ବେଧ = ୧ ଲବ
୩ ଲବ = ୧ ନିମେଷ
୩ ନିମେଷ = ୧ କ୍ଷଣ
୫କ୍ଷଣ = ୧ କାଷ୍ଠା
୧୫ କାଷ୍ଠା = ୧ ଲଘୁ
୧୫ ଲଘୁ = ୧ ନାଡ଼ି ବା ଦଣ୍ଡ
୨ ଦଣ୍ଡ = ୧ ମୁହୂର୍ତ୍ତ
6 କିମ୍ବା 7ଦଣ୍ଡ = ୧ ପ୍ରହର ଵା ଯାମ
୪ ପ୍ରହର = ୧ ଦିବା
୮ ପ୍ରହର ଵା ଯାମ = ୧ ଅହୋରାତ୍ର ୧୫ ଅହୋରାତ୍ର = ୧ ପକ୍ଷ
୨ ପକ୍ଷ = ୧ ମନୁଷ୍ଯ ମାସ
୨ ମାସ = ୧ ଋତୁ
୩ ଋତୁ = ୧ ଅୟନ
୨ ଅୟନ = ୧ ମନୁଷ୍ଯ ବର୍ଷ
୧୨ ମାସ ଓ ଷଡ଼ଋତୁକୁ ନେଇ ଏକ ଵର୍ଷ ।
କୋଣାର୍କର ଏହି ଵୃହତ୍ ଘଡ଼ି ଵ୍ୟଵହାର କରି ପ୍ରୋକ୍ତ ଭାରତୀୟ ସମୟ ଗଣନା ପଦ୍ଧତି ଅନୁସାରେ
ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଚନ୍ଦ୍ରଜ୍ୟୋତ୍ସ୍ନା ସାହାଯ୍ୟରେ ଏହି ଛାୟାଯନ୍ତ୍ରରୁ ସମୟକୁ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଉଥିଲା ।
କୋଣାର୍କ ମନ୍ଦିରର ୨୪ଟି ଚକ୍ରଯୁକ୍ତ ପିରାମିଡ଼ ଭଳି ଜଗମୋହନର ଦୈର୍ଘ୍ୟ-ପ୍ରସ୍ଥ ୩୬ × ୩୬ ମିଟର ଅଟେ ।
ଏହା ଭାରତର ସୁରଟ୍ ସ୍ଥିତ ବୃହତ୍ତମ ପରିଗଣିତ ୨୪ ମିଟର୍ ଵ୍ୟାସର ଘଣ୍ଟା ଠାରୁ ବି ବଡ଼ ଅଟଇ ।
ଜଗମୋହନ ସହ କୋଣାର୍କର ଗର୍ଭଗୃହ, ନଟମନ୍ଦିର, ଭୋଗମନ୍ଦିର ଆଦିକୁ ମିଶାଇଲେ, ଏହା ପୃଥିଵୀର ଵୃହତ୍ତମ ପରିଗଣିତ ସାଉଦି ଆରବୀୟ-ଘଣ୍ଟାକୁ ମଧ୍ୟ ଆକାରରେ ଟପିଯିଵ ।
କୋଣାର୍କ ମନ୍ଦିରର ନିର୍ମାଣ ବହୁତ ସମ୍ଭଵ ସମୟଗଣନ ପାଇଁ ହୋଇଥିଵା ହୃଦବୋଧ ହୋଇଥାଏ ।
ନିଶ୍ଚୟ କଳିଙ୍ଗୀମାନେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲି ଜାଣିଥିଲେ ତେଣୁ ସେମାନେ ଏହି ଛାୟାଘଡି଼ ରୂପ କୋଣାର୍କ ମନ୍ଦିରର ଆରାଧ୍ଯ ଦେଵ ଭାବରେ ସୂର୍ଯ୍ୟଦେଵଙ୍କୁ
ସ୍ଥାପିତ କରିଥିଲେ ।
ନିର୍ଭୁଲ ଭାସ୍କର୍ଯ୍ୟ ଥାଇ ମଧ୍ୟ କୋଣାର୍କ ଆଜି “ଅପୂଜା ଦେଉଳ" । ନିର୍ଭୁଲ ସମୟ ଦର୍ଶାଇ ମଧ୍ୟ କୋଣାର୍କକୁ “ପୃଥିଵୀର ସର୍ଵଵୃହତ୍ ପ୍ରାଚୀନ ଘଡ଼ି”ର ମାନ୍ୟତା କାହିଁକି ମିଳିନାହିଁ ?
No comments:
Post a Comment