Wednesday, January 13, 2021

#ନଳ_ଦମୟନ୍ତୀ_କାହାଣୀ

#ନଳ_ଦମୟନ୍ତୀ_କାହାଣୀ 

ନିଶଧ ରାଜ୍ୟର ରାଜା ଥିଲେ ନଳ, ଯାହାଙ୍କ ନାମ ସେତେବେଳେ ଭାରତରେ ବିଖ୍ୟାତ ଥିଲା । ସୁଶାସନ, ଦାନ ଧର୍ମ, ନ୍ୟାୟ ବିଚାର ଓ ସ୍ନେହଭାବର ଦେବମୂର୍ତ୍ତି ପ୍ରତିମ ଥିଲେ ସେ । ପ୍ରଜାମାନଙ୍କୁ ପୁଅ ଝିଅ ଭଳି ପାଳୁଥିଲେ । ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ନିପୁଣ ଥିଲେ । ଶତ୍ରୁ ଆକ୍ରମଣ ଭୟ ପ୍ରଜାଙ୍କର ଆଦୌ ନଥିଲା । ବୀରସେନଙ୍କ ସେ ସୁପୁତ୍ର ଥିଲେ । ଅନେକ ରାଜାଙ୍କ ଭଳି ଯୁବାବସ୍ଥାରେ ନଳଙ୍କର ମଧ୍ୟ ଜୁଆଖେଳ ଏକମାତ୍ର ସଉକୁନି ଓ ଦୁର୍ବଳତା ଥିଲା ।  ରାଜା ନଳ ଦିନେ ରାଜଉଦ୍ୟାନରେ ବୁଲୁ ବୁଲୁ ଦଳେ ହଂସଙ୍କୁ ଦେଖିଲେ । ରାଜାଙ୍କୁ ବହୁତ ଭଲ ଲାଗିଲା ଓ ସେ ଗୋଟିଏ ହଂସକୁ ଧରି ପକାଇଲେ । ହଂସ ରାଜାଙ୍କୁ ଅନୁରୋଧ କରି କହିଲା, “ମହାରାଜ, ମୋତେ ଛାଡ଼ିଦିଅନ୍ତୁ । ମୁଁ ରାଜକୁମାରୀ ଦମୟନ୍ତୀଙ୍କ ପାଖକୁ ଯାଇ ଆପଣଙ୍କ ସୌନ୍ଦର୍ଯ୍ୟ ଓ ଗୁଣ ଗାନ କରି ଆପଣଙ୍କ ପ୍ରତି ତାଙ୍କୁ ଆକୃଷ୍ଟ କରିବି ।” ନଳ ପ୍ରଶ୍ନ କଲେ, “ଦମୟନ୍ତୀ କିଏ ?” ହଂସ କହିଲା, “ମହାରାଜ, ସେ ବିଦର୍ଭ ରାଜା ଭୀମକଙ୍କର ସୁନ୍ଦରୀ, ରୂପବତୀ ଓ ଗୁଣବତୀ କନ୍ୟା ଓ ଆପଣଙ୍କ ପତ୍ନୀ ହେବା ପାଇଁ ସବୁଠାରୁ ସୁଯୋଗ୍ୟ ରାଜକନ୍ୟା । ତା ଭଳି କନ୍ୟା ଦେବତା, ଯକ୍ଷ, ଗନ୍ଧର୍ବମାନଙ୍କ ମଧ୍ୟରେ ମଧ୍ୟ ମିଳିବନାହିଁ  । ଆପଣ ମୋତେ ଛାଡ଼ିଦେଲେ ମୁଁ ତାଙ୍କ ଆଗରେ ଯାଇ ଆପଣଙ୍କ ରୂପ ଓ ଯଶ ବିଷୟରେ ବର୍ଣ୍ଣନା କରିବି । ଫଳରେ ସେ ଆପଣଙ୍କୁ ପତି ରୂପରେ ବରଣ କରିବେ ଓ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହୋଇଯିବ ।”  ଦମୟନ୍ତୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଏହା ପୂର୍ବରୁ ଅନେକ ଲୋକ ନଳ ରାଜାଙ୍କ ଆଗରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ମଧ୍ୟ ରାଜା ସେ ବିଷୟରେ ଆଗ୍ରହାନ୍ଵିତ ହୋଇନଥିଲେ । କିନ୍ତୁ ଏହି ହଂସର କଥା ଶୁଣି କେଜାଣି କାହିଁକି ନଳ ରାଜା ତାକୁ ଛାଡ଼ିଦେଲେ ।  

ହଂସ ସେଠାରୁ ଉଡ଼ିଯାଇ ବିଦର୍ଭ ଦେଶର ରାଜକନ୍ୟା ଦମୟନ୍ତୀଙ୍କ ପାଖରେ ପହଞ୍ଚିଲା । ଏଭଳି ବିରଳ ହଂସକୁ ଦେଖି ଦମୟନ୍ତୀ ବହୁତ ପ୍ରସନ୍ନ ହେଲେ ଓ ତାକୁ ଧରିବାକୁ ଗଲେ । ହଂସ କହିଲା, “ରାଜକୁମାରୀ, ନିଷଧ ଦେଶରେ ନଳ ନାମରେ ଜଣେ ରାଜକୁମାର ଅଛନ୍ତି ଯିଏ କାମଦେବ ଭଳି ଦେଖିବାକୁ । ତାଙ୍କ ସମକକ୍ଷ ସୁନ୍ଦର ରାଜପୁତ୍ର ସଂସାରରେ ଆଉ କେହି ନାହିଁ । ତାଙ୍କୁ ବିବାହ କଲେ ଆପଣଙ୍କ ଜୀବନ ସଫଳ ହୋଇଯିବ ।” ଦମୟନ୍ତୀ ଏହି ପ୍ରଶଂସା କଥା ଶୁଣି ମନେ ମନେ ନଳ ରାଜାଙ୍କୁ ପ୍ରେମ କରିବସିଲେ । 

 ହଂସଠାରୁ ନଳଙ୍କ କଥା ଶୁଣି ଦମୟନ୍ତୀଙ୍କ ଆସକ୍ତି ଏତେ ବଢ଼ିଗଲା ଯେ ସେ ଦିନ ରାତି କେବଳ ତାଙ୍କ କଥା ଭାବି ବସିଲେ । ତାଙ୍କର ଏକ କାଳ୍ପନିକ ଚିତ୍ର ମନରେ ଆଙ୍କି ପୂଜା କରିବାକୁ ଲାଗିଲେ । ତାଙ୍କ ମିଳନ ଆକାଂକ୍ଷାରେ ଦିନକୁ ଦିନ ଶରୀର କ୍ଷୟ ହେବାକୁ ଲାଗିଲା । ତାଙ୍କ ସଖୀମାନେ ରାଜା ଭୀମକଙ୍କୁ ଯାଇ ତାଙ୍କ ଝିଅର ସ୍ୱାସ୍ଥ୍ୟ ବିଷୟରେ ସନ୍ଦେଶ ଦେଲେ । ରାଜା ଆସି ଦେଖିଲେ, ବୈଦ୍ୟ ଆସି ଦେଖିଲେ, କିନ୍ତୁ କେହି ସ୍ଵାସ୍ଥ୍ୟହାନିର କାରଣ ଖୋଜି ପାଇଲେନି । ଅବଶେଷରେ ରାଜା ଜାଣିପାରିଲେ ଏହା ଯୌବନର ରୋଗ । ସ୍ମିତ ହସ ହସି ସେ ଦମୟନ୍ତୀଙ୍କ ବିବାହ ନିମନ୍ତେ ଆୟୋଜନରେ ଲାଗିପଡ଼ିଲେ । ସମସ୍ତ ରାଜା, ମହାରାଜା ସହିତ ନାରଦଙ୍କ ହାତରେ ଦେବତାମାନଙ୍କୁ ମଧ୍ୟ ଝିଅର ସ୍ୱୟମ୍ବର ନିମନ୍ତେ ନିମନ୍ତ୍ରଣ ପଠାଇଲେ । ଦୈବ ଯୋଗକୁ ନଳ ଓ ସ୍ଵର୍ଗର ରାଜା ଇନ୍ଦ୍ରଙ୍କ ସହିତ ଚାରି ଜଣ ଦେବତା ଏକ ସମୟରେ ସ୍ୱୟମ୍ବର ସଭାକୁ ଯାତ୍ରା କରୁଥିଲେ ।
ବାଟରେ ନଳ ରାଜାଙ୍କୁ ଇନ୍ଦ୍ର ଦେଖିଲେ ଓ ତାଙ୍କ ସୌନ୍ଦର୍ଯ୍ୟ ଦେଖି ସ୍ତବ୍ଧ ହୋଇଗଲେ । ଭାବିଲେ, ଏ ଭଳି ନର ପୁଙ୍ଗବକୁ ଦେଖିଲା ପରେ ମୋତେ କେବେହେଲେ ଦମୟନ୍ତୀ ବରଣ କରିବନି । ତେଣୁ ଗୋଟିଏ  ଉପାୟ ପାଞ୍ଚିଲେ । ନଳ ରାଜାଙ୍କ ପାଖରେ ପହଞ୍ଚି ନିଜର ପରିଚୟ ଦେଇ କହିଲେ, “ରାଜନ, ମୁଁ ଇନ୍ଦ୍ର । ଆପଣଙ୍କୁ ମୋର ଗୋଟିଏ କାମ କରିଦେବାକୁ ମୁଁ ଅନୁରୋଧ କରୁଛି । ସତ୍ୟ କରନ୍ତୁ, ମୋ କାମ କରିଦେବେ ।” ନଳ ତାଙ୍କୁ ପ୍ରଣାମ କରି ତ୍ରିବାର ସତ୍ୟ କଲେ । ଇନ୍ଦ୍ର କହିଲେ, “ଆମେ ଚାରି ଜଣ ଦେବତା ଦମୟନ୍ତୀଙ୍କୁ ବିବାହ ଆଶାରେ ଆସିଛୁ । ଆପଣ ଆମର ଦୂତ ହୋଇ ଦମୟନ୍ତୀଙ୍କ ପାଖକୁ ଯାଇ ଆମ ମଧ୍ୟରୁ ଜଣକୁ ବରଣ କରିବାକୁ କହିବେ ।” ନଳ ଅସମଞ୍ଜସ ସମସ୍ୟାରେ ପଡ଼ିଗଲେ । ତଥାପି ସାହସ ଯୁଟେଇ କହିଲେ, “ମୁଁ ନିଜେ ତ ବିବାହ ପ୍ରାର୍ଥୀ ହୋଇ ଆସିଛି ଓ ମୋ ମନରେ ସେ ସ୍ତ୍ରୀ ରୂପରେ ବସା ବାନ୍ଧି ରହିଛି । ତାକୁ ମୁଁ କେମିତି ଆପଣଙ୍କ ନିମନ୍ତେ ପ୍ରସ୍ତାବ ଦେବି ଓ ଦୂତ ହୋଇ ଯିବି, ବିଚାର କରନ୍ତୁ ।” ଇନ୍ଦ୍ର ନଳଙ୍କୁ ତାଙ୍କ ସତ୍ୟ କରିବା କଥା ମନେ ପକେଇଦେଲେ । ନଳ କିଂକର୍ତ୍ତବ୍ୟବିମୁଢ଼ ହୋଇକହିଲେ, “କିନ୍ତୁ ମୁଁ ରାଜକୁମାରୀଙ୍କ ପାଖକୁ ସୁରକ୍ଷା ବଳୟ ଭେଦ କରି ଯିବି କେମିତି ?” ଇନ୍ଦ୍ର କହିଲେ, “ଆପଣଙ୍କୁ ଦମୟନ୍ତୀ ଓ ତାଙ୍କ ସଖୀଙ୍କ ବ୍ୟତୀତ ଆଉ କେହି ଦେଖିପାରିବେନି, ସେ ବନ୍ଦବୋସ୍ତ ମୁଁ କରିବି । ଆପଣ ଯାଆନ୍ତୁ ।”

ସତ୍ୟାବଦ୍ଧ ନଳ ମଥାନତ କରି ଦମୟନ୍ତୀ ଉଆସକୁ ଚାଲିଗଲେ । ହଠାତ ନଳଙ୍କୁ ଦେଖି ଦମୟନ୍ତୀ ହତବାକ ହୋଇ ଅନେଇ ରହିଗଲେ । ଜୀବନରେ ଏଭଳି ସୁନ୍ଦର ପୁରୁଷଙ୍କୁ ସେ କେବେ ଦେଖିନଥିଲେ । କିଛି ସମୟ ପରେ ପ୍ରଶ୍ନ କଲେ, “ଆପଣ କିଏ ଓ ଏହି ରାଜକୁମାରୀଙ୍କ ସୁରକ୍ଷା ବଳୟକୁ ଭେଦି କିପରି ଆସିଲେ । କେହି ଆପଣଙ୍କୁ ଅଟକେଇଲେନି ? ମୋ ବାପା ଏକଥା ଜାଣିଲେ ଆପଣଙ୍କୁ ପ୍ରାଣଦଣ୍ଡ ଦେବେ ।” ନଳ କହିଲେ, ମୁଁ ନିଶଧ ରାଜ୍ୟର ରାଜା ନଳ । ଆଜି ମୁଁ ଏଠାକୁ ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାଙ୍କ ଦୂତ ହୋଇଆସିଛି । ସେମାନେ ଆପଣଙ୍କୁ ବିବାହ କରିବାକୁ ଇଚ୍ଛୁକ । ତେଣୁ ତାଙ୍କ ମଧ୍ୟରୁ ଜଣକୁ ବରଣ କରିବାକୁ ସନ୍ଦେଶ ଦେଇ ମୋତେ ପଠେଇଛନ୍ତି । ତାଙ୍କ ପ୍ରଭାବରେ ମୋତେ ଦ୍ଵାରପାଳମାନେ ଦେଖିପାରିଲେନି ।
          ଏକଥା ଶୁଣି ଦମୟନ୍ତୀ ଦେବତାମାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିବା ପରେ ନଳଙ୍କୁ ପ୍ରଣାମ କରି ଲଜ୍ଜାରେ ମଥାନତ କରି କହିଲେ, “ହଂସଠାରୁ ଆପଣଙ୍କ ବିଷୟ ଶୁଣିବା ଦିନଠାରୁ ମୁଁ  ମୋ ହୃଦୟ ସିଂହାସନରେ ଆପଣଙ୍କୁ ଆଗରୁ ବସେଇ ସାରିଛି ଓ ଆପଣଙ୍କ ଚରଣରେ ନିଜକୁ ଅର୍ପଣ କରିବାକୁ କରିବାକୁ ଚାହିଁବସିଛି । ସେଠାରେ ଆଉ କୌଣସି ପୁରୁଷର ସ୍ଥାନ ନାହିଁ । ଆପଣଙ୍କୁ ନପାଇଲେ ମୁଁ ବିଷ ଖାଇ ଆତ୍ମହତ୍ୟା କରିବି । ଦୟାକରି ଦେବତାମାନଙ୍କ ପ୍ରତି ମୋର ସମ୍ମାନ ଓ ପ୍ରଣାମ ଜଣେଇ ଏହି ସନ୍ଦେଶ ତାଙ୍କୁ ଦିଅନ୍ତୁ ।”
ଦମୟନ୍ତୀଙ୍କୁ ରାଜା ନଳ କହିଲେ, “ଦେବତାମାନେ ଆପଣଙ୍କୁ ବିବାହ କରିବାକୁ ଇଚ୍ଛୁକ । ତାଙ୍କୁ ଛାଡ଼ି ମୋ ଭଳି ମରଣଶୀଳ ମାନବକୁ କାହିଁକି ବିବାହ କରିବାକୁ ଇଚ୍ଛା କରୁଛନ୍ତି ? ମୁଁ ସେମାନଙ୍କ ପାଦ ଧୁଳି ସହ ବି ସମାନ ନୁହେଁ । ସେମାନଙ୍କୁ ବରଣ ନକଲେ କ୍ରୋଧରେ ସେମାନେ ଆମର କ୍ଷତି କରିବେ, ଏପରିକି ମୃତ୍ୟୁ ମଧ୍ୟ ଦେଇପାରିବେ । ଆପଣ କାହିଁକି ଏ ଜୀବନ ଯୌବନ ଅଯଥାରେ ନଷ୍ଟ କରିବେ?” ଏହା ଶୁଣି ଦମୟନ୍ତୀ ଭୟରେ କମ୍ପିଉଠିଲେ । “ଆଉ ମଧ୍ୟ ମୁଁ ବର୍ତ୍ତମାନ ଦେବତାଙ୍କ ଦୂତ ହୋଇ ଆସିଛି । ଏତିକିବେଳେ ଯଦି ମୁଁ ମୋ ସ୍ଵାର୍ଥ କଥା ଭାବିବି ତେବେ ମୁଁ ଧର୍ମଚ୍ୟୁତ ହୋଇଯିବି ଓ ଏହା ଅତି ଖରାପ କଥା ହେବ ।” ଏହାପରେ ନଳ ରାଜା ଇନ୍ଦ୍ରଙ୍କ ପାଖକୁ ଫେରିଆସି କହିଲେ, “ହେ ପ୍ରଭୁ, ମୁଁ ଆପଣଙ୍କ ସନ୍ଦେଶ ପହଞ୍ଚେଇଦେଲି । ତେଣିକି ତାଙ୍କ ଇଚ୍ଛା ।”
ଏହାପରେ ନଳ ଓ ଦେବତାମାନେ ସ୍ଵୟଂବର ସଭାରେ ପହଞ୍ଚିଗଲେ । ଯଥାମାନ୍ୟ ସମ୍ବର୍ଦ୍ଧନା କରିବା ପରେ ଶୁଭ ସମୟ ଦେଖି ସ୍ଵୟଂବର ଆରମ୍ଭ ହେଲା । ଦମୟନ୍ତିଙ୍କୁ ଡକା ହେଲା । ସେ ଗୋଟିଏ ବରଣମାଳା ଧରି ଆସିଲେ । ରାଜାମାନଙ୍କୁ ଜଣକ ପରେ ଜଣେ ଚିହ୍ନେଇ ଦିଆଗଲା । ଦମୟନ୍ତୀ କାହାକୁ ମାଳା ନଦେଇ ଆଗେଇ ଚାଲୁଥାନ୍ତି । ଶେଷରେ ସେ ଦେଖିଲେ ପାଞ୍ଚ ଜଣ ନଳ ଠିଆ ହୋଇଛନ୍ତି । ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲେ । କାହା ବେକରେ ମାଳା ଦେବେ ବୁଝିପାରିଲେନି । ବୁଦ୍ଧିମତୀ ଦମୟନ୍ତୀ ଜାଣିପାରିଲେ ଏହା ଦେବତାଙ୍କ ମାୟା ଓ ସେମାନେ ତାଙ୍କୁ ପରୀକ୍ଷା କରୁଛନ୍ତି । 

ଭଲରୂପେ ନିରୀକ୍ଷଣ କରି ଦମୟନ୍ତୀ ଦେଖିଲେ ଯେ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ମୁଖ ମଣ୍ଡଳରୁ ସ୍ଵେଦ ନିର୍ଗତ ହେଉଛି ଓ ଉତ୍କଣ୍ଠାର ଚିହ୍ନ ଦେଖାଯାଉଛି । ବାକି ଅନ୍ୟମାନଙ୍କର ଦେହ ନିର୍ମଳ ଦେଖାଯାଉଛି ଓ ମୁହଁରେ କୌଣସି ଭାବର ଛାୟା ଦେଖାଯାଉନାହିଁ  । ସେ ନିଶ୍ଚିତ ହୋଇ ସେହି ଜଣକ ଗଳାରେ ଫୁଲମାଳା ଲମ୍ବେଇଦେଲେ ଓ ଦେବତାମାନଙ୍କୁ କ୍ଷମା ମାଗିଲେ । ହର୍ଷ ଧ୍ୱନିରେ ସଭା ସ୍ଥଳ କମ୍ପିଉଠିଲା । ତା’ପରେ ଦେବତାମାନଙ୍କୁ ସ୍ତୁତି କରି ଦମୟନ୍ତୀ କ୍ଷମା ମାଗି ସନ୍ତୁଷ୍ଟ କରିଦେଲେ । କହିଲେ, "ଏହି ନଳଙ୍କୁ ଅନେକ ଦିନ ହେବ ମୋ ହୃଦୟରେ ବସେଇସାରିଛି । ଜୀବନରେ ନାରୀ ଥରେ ମାତ୍ର ଗୋଟିଏ ପୁରୁଷଙ୍କୁ ହୃଦୟରେ ବସାଏ । ତେଣୁ ମୋ ହୃଦୟରେ ଜଣେ ଆଗରୁ ଥିବା ଯୋଗୁ ଆଉ ଜଣକୁ ବିବାହ କଲେ ମୋତେ ଦୋଚାରୁଣୀ ଦୋଷ ଲାଗିବ । ଏହି କାରଣରୁ ମୋତେ କ୍ଷମା କରିଦିଅନ୍ତୁ ।  ଏ କଥା ଶୁଣି ଦେବତାମାନେ ଦମୟନ୍ତୀଙ୍କ ନିଷ୍ଠାର ଭୂୟସୀ ପ୍ରଶଂସା କରି ବିଦାୟ ନେଇଗଲେ । କିନ୍ତୁ ବିଧିର ବିଧାନ ଅନ୍ୟ କିଛି ଥିଲା ।   

ଏହି ବିବାହରେ କଳି ମଧ୍ୟ ଏକ ପ୍ରାର୍ଥୀ ହୋଇ ସାମାନ୍ୟ ବିଳମ୍ବରେ ଆସିଥିଲା ଯେତେବେଳେ ଦେବତାମାନେ ଫେରୁଥିଲେ । ବାଟରେ ଦେବତାଙ୍କର କଥା ଶୁଣି କଳି କ୍ରୋଧାନ୍ଵିତ ହୋଇଗଲା । କହିଲା, “ଦେବତାମାନଙ୍କୁ ଛାଡ଼ି ବରଣ ହୋଇଥିବା ସାମାନ୍ୟ ମଣିଷ ନଳ ନିଶ୍ଚୟ ଦଣ୍ଡନୀୟ ଅପରାଧ କରିଛି । ମୁଁ ତାକୁ ଦଣ୍ଡ ଦେବି ।” ଦେବତାମାନେ କହିଲେ, “ଦମୟନ୍ତୀ ଆମ ଆଜ୍ଞା ପାଇ ବରଣ କରିଛି, ତା’ର ଦୋଷ ନାହିଁ । ବାସ୍ତବରେ ନଳ ଏକ ସର୍ବଗୁଣ ସମ୍ପର୍ଣ୍ଣ ବ୍ୟକ୍ତି । ସେ ସବୁ ବେଦ ପୁରାଣ ଅଧ୍ୟୟନ କରିଛନ୍ତି । ତାଙ୍କୁ ଆମେ ଅଭିଶାପ ଦେଲେ ନରକରେ ପଡ଼ିବା ସମାନ ହେବ ।” ଏତିକି କହି ଦେବତାମାନେ ଚାଲିଗଲେ । ହେଲେ କଳି ତ କଳି, ସେ କାହା କଥା ମାନେନି । ଶୌଚ ବିଧିରେ ବ୍ୟତିକ୍ରମ ହୋଇଥିବା ଦେଖି ଦିନେ ନଳଙ୍କ ଶରୀର ମଧ୍ୟରେ କଳି ପ୍ରବେଶ କରିଗଲା ।   
ଏହା ପରେ ଦିନେ ପୁଷ୍କରଙ୍କ ସହିତ ନଳ ରାଜା ଜୁଆ ଖେଳରେ ବସିଲେ । କଳି ତ ଦେହରେ ଅଛି, ସୁତରାଂ ଜିତିବା ପ୍ରଶ୍ନ ଉଠୁନଥିଲା । ଧୀରେ ଧୀରେ ଅନେକ ଧନ ରତ୍ନ ହାରିଗଲେ । ପାତ୍ରମନ୍ତ୍ରୀ ଆଦି ସମସ୍ତେ ରାଜାଙ୍କୁ ଖେଳିବାକୁ ବାରଣ କଲେ । ଶେଷରେ ପ୍ରାଣପ୍ରିୟା ଦମୟନ୍ତୀ ଆସି ବହୁତ ଅନୁନୟ ବିନୟ କରି ଖେଳ ବନ୍ଦ କରିବାକୁ କହିଲେ । ଶେଷରେ ରାଜ୍ୟ ବି ଜୁଆରେ ଚାଲିଗଲା । ପ୍ରଜାମାନଙ୍କ କ୍ରନ୍ଦନ ଧ୍ୱନି ମଧ୍ୟରେ ରାଣୀଙ୍କ ସହିତ ରାଜା ଉଆସ ଛାଡ଼ି ଜଙ୍ଗଲକୁ ଚାଲିଗଲେ ।  

ଜଙ୍ଗଲରେ ବୁଲୁଥିବା ବେଳେ ଦିନେ ରାଣୀଙ୍କୁ ନଳ କହିଲେ, “ଏହିଠାରୁ ରାସ୍ତା ବିଭିନ୍ନ ଦେଶକୁ ଯାଇଛି । ତୁମେ ମୋତେ ତ୍ୟାଗ କରି ପିତାଗୃହ ବା ଅନ୍ୟ ଯେ କୌଣସି ସ୍ଥାନକୁ ଚାଲିଯାଅ । ମଣିଷର ଖରାପ ସମୟ ସର୍ବଦା ରହେନି । ମୋର ଭଲ ସମୟ ଆସିଲେ ମୁଁ ତୁମକୁ ନେଇ ଆସିବି ।” ଦମୟନ୍ତୀ ଉତ୍ତର ଦେଲେ, “ଭଲ ମନ୍ଦ, ଶୁଭ ଅଶୁଭ, ଦୁଃଖ ସୁଖ ଆଦି ସମସ୍ତ ସମୟରେ ସ୍ଵାମୀର ସାଥି ଦେବା ହେଉଛି ସ୍ତ୍ରୀର କର୍ତ୍ତବ୍ୟ, କେବଳ ସୁଖର ସାଥି ହେବା ନୁହେଁ । ଆମର ଶରୀର ଦୁଇଟି କିନ୍ତୁ ଆତ୍ମା ଏକ । ମୁଁ ଆପଣଙ୍କ ଏହି ଦୁଃଖ ସମୟରେ ଛାଡ଼ିଦେବା ଅଧର୍ମ ହେବ ଓ ମୁଁ ନର୍କଗାମୀ ହେବି ।
ଦିନେ ଜଙ୍ଗଲରେ ବୁଲୁଥିଲା ବେଳେ ଅନେକ ଗୁଡିଏ ସୁନ୍ଦର ପକ୍ଷୀ ଦେଖି ରାଜା ତାଙ୍କୁ ଧରି ବିକ୍ରି କରିବାକୁ ଇଚ୍ଛା କଲେ । ନିଜର ଏକ ମାତ୍ର ପିନ୍ଧା ବସନ କାଢ଼ି ତାଙ୍କ ଉପରେ ପକେଇ ଧରିବାକୁ ଚେଷ୍ଟା କଲେ । ସେହି ବସନକୁ ନେଇ ପକ୍ଷୀମାନେ ଉଡ଼ିଗଲେ । ବିବସ୍ତ୍ର ନଳ କିଂକର୍ତ୍ତବ୍ୟବିମୁଢ଼ ହୋଇ ନିଜ ଭାଗ୍ୟକୁ ନିନ୍ଦିଲେ । ନିଜ ଅସୁବିଧା କଥା ନଭାବି ସେ କୋମଳାଙ୍ଗି ଦମୟନ୍ତୀର କଷ୍ଟ କଥା ଭାବି ଭାବି ଘୋର ଅନୁତାପାନଳରେ ଦଗ୍ଧ ହେବାକୁ ଲାଗିଲେ । ଶୋଇପଡ଼ିଥିବା ଦମୟନ୍ତୀଙ୍କର ଶାଢୀର ଏକ ଅଂଶ ଚିରିଦେଇ ଉଲଗ୍ନ ନଳ ନିଜର ପିନ୍ଧାଲୁଗା କରି ଲଜ୍ଜା ନିବାରଣ କଲେ । ଦମୟନ୍ତୀଙ୍କ ଦୁଃଖ ରାଜା ସହିପାରିଲେନି । ଏହି ଅବସ୍ଥାରେ ରାଣୀଙ୍କୁ ଏକୁଟିଆ ଜଙ୍ଗଲରେ ଛାଡ଼ି ଦେବାକୁ ନଳ ସ୍ଥିର କଲେ । ଭାବିଲେ, ରାଣୀ ଯେ କୌଣସି ମତେ ଜଙ୍ଗଲରୁ ନିଜ ପିତାଙ୍କ ଗୃହକୁ ଯାଇ ସେଠାରେ ନିଶ୍ଚୟ ରହିଯିବେ । ସତୀ ଦମୟନ୍ତୀଙ୍କର କୌଣସି ଅନିଷ୍ଟ ହେବନାହିଁ । ଏ ଦୁଃଖରୁ ତ ରକ୍ଷା ପାଇଯିବେ !  ଦେହରେ କଳି ଥିବାରୁ ଭଲ ମନ୍ଦ ବିବେଚନା ଶକ୍ତି ରାଜାଙ୍କର ଲୋପପାଇଯାଇଥିଲା ।
ନିଦ୍ରା ଭଙ୍ଗ ପରେ ଦମୟନ୍ତୀ ନଳଙ୍କୁ ନଦେଖି ବିଳାପ କରିବାକୁ ଲାଗିଲେ । ଇତଃସ୍ତତଃ ବୁଲିବାକୁ ଲାଗିଲେ । ଏହି ସମୟରେ ଗୋଟିଏ ଅଜଗର ତାଙ୍କୁ ଗିଳିବାକୁ ଆରମ୍ଭ କଲା । ଦମୟନ୍ତୀ ବିକଳରେ ଚିତ୍କାର କରିବାକୁ ଲାଗିଲେ ।  ସୌଭାଗ୍ୟକୁ ପାଖରେ ଏକ ବ୍ୟାଧ ଥିଲା ଯିଏ ଆସି ଅଜଗରକୁ ମାରି ତାଙ୍କୁ ରକ୍ଷାକଲା । ତାଙ୍କୁ ରକ୍ଷା କରିଥିବା ବ୍ୟାଧ ଅଳ୍ପ ସମୟ ପରେ ତାଙ୍କ ପ୍ରତି କୁନଜର ରଖି ବଳାତ୍କାର କରିବାକୁ ଚେଷ୍ଟା କଲା । କ୍ରୋଧରେ ସତୀ ଦମୟନ୍ତୀ ତାଙ୍କୁ ଅଭିଶାପ ଦେଇ ଭଷ୍ମ କରିଦେଲେ । ଏମିଟି ବୁଲୁ ବୁଲୁ ଏକ ସୁନ୍ଦର ତପୋବନ ଦେଖିଲେ । ସେଠାରେ ଅନେକ ଋଷିଙ୍କୁ ତପସ୍ୟା କରୁଥିବାର ଦେଖି ସେ ତାଙ୍କ ପାଖକୁ ଯାଇ ଭୂମିଷ୍ଠ ପ୍ରଣାମ କରି ନିଜର ପରିଚୟ ଦେଲେ । ଋଷିମାନେ ତାଙ୍କ ସ୍ଵାମୀ, ରାଜ୍ୟ ଆଦି ଅଳ୍ପ ଦିନରେ ମିଳିଯିବ କହି ଆଶୀର୍ବାଦ କରି ଅନ୍ତର୍ଧ୍ୟାନ ହୋଇଗଲେ ।

କିଛି ବାଟ ଗଲା ପରେ ଚେଦି ଦେଶକୁ ଯାଉଥିବା ଏକ ଦଳକୁ ଭେଟି ତାଙ୍କ ସାଥିରେ ଦମୟନ୍ତୀ ଚାଲିଲେ । ସେହି ଦେଶର ରାଜମାତା ଦୈବାତ ସୁନ୍ଦରୀ ଦମୟନ୍ତୀଙ୍କୁ ଦେଖିଲେ ଓ ତାଙ୍କ ଦୁଃଖୀ ଚେହେରା ଦେଖି ଦାସୀ ପଠେଇ ଡକେଇଲେ । ତାଙ୍କ ପରିଚାୟ ପଚାରିବାରୁ ଦମୟନ୍ତୀ କହିଲେ, "ମୁଁ ଜଣେ କୁଳୀନ ପତିବ୍ରତା ସ୍ତ୍ରୀ, ଦୁର୍ଭାଗ୍ୟକୁ ଏପରି ଦଶା ମୋର ହୋଇଛି ।" ରାଜମାତା ତାଙ୍କୁ ଉଆସରେ ରହି କାମ କରିବାକୁ କହିଲେ । ଦମୟନ୍ତୀ ତିନୋଟି ସର୍ତ୍ତରେ ରହିବାକୁ କହିଲେ; ଅଇଁଠା ଖାଇବିନି, କାହା ପାଦ ଧୋଇବିନି ଓ ପରପୁରୁଷ ସାଥିରେ କଥାବାର୍ତ୍ତା କରିବିନି । ସଙ୍ଗେ ସଙ୍ଗେ ଏହି ସର୍ତ୍ତ ମଞ୍ଜୁର ହେବାରୁ ସେ ଉଆସରେ ରହିଲେ ।
ଏଣେ ଜଙ୍ଗଲରେ ନଳ ଯାଉ ଯାଉ ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ଦେଖାଗଲା ଓ ବଞ୍ଛାଅ ବଞ୍ଛାଅ ଚିତ୍କାର ଶୁଣାଗଲା । ପାଟି ଶୁଣି ନଳ ସେହି ସ୍ଥାନରେ ପହଞ୍ଚି ଦେଖିଲେ ଗୋଟିଏ ନାଗସାପ ଦେଖିଲେ । ନାଗ କହିଲା, “ହେ ରାଜା, ମୋତେ ଆପଣ ଗୋଟେ ଭଲ ନିରାପଦ ସ୍ଥାନକୁ ନେଇଯାଆନ୍ତୁ । ମୋ ନାମ କର୍କଟକ । ଅଭିଶାପ ପାଇ ମୁଁ ଏମିତି ପଡିଛି । ଆପଣ କିଛି ପାଦ ଗଣି ଗଣି ଚାଲନ୍ତୁ । ତା'ପରେ ମୋତେ ରଖିଦେବେ ।” ରାଜା ଏହା ଶୁଣି ଏକ ଦୁଇ କରି ଗଣି ଚାଲିଲେ । ଠିକ ଦଶ ଗଣିଲା ବେଳେ ସାପ ତାଙ୍କୁ ଚୋଟ ମାରିଲା । ଏହି ଚୋଟ ଫଳରେ ରାଜାଙ୍କ ଦେହ ନୀଳ ରଙ୍ଗ ଧାରଣ କଲା । ସାପ ତାଙ୍କୁ କହିଲା, "ହେ ରାଜା, ଆପଣଙ୍କ ମୃତ୍ୟୁ ହେବନି । ମୁଁ ଆପଣଙ୍କର ଉପକାର କରିବାକୁ ଚୋଟ ମାରିଛି । ଆପଣଙ୍କୁ କେହି ଚିହ୍ନି ପାରିବେନି । କଳି ଆପଣଙ୍କର ଦେହରେ ଥିବାରୁ ଆପଣଙ୍କର ଏ ଦଶା ହୋଇଛି । ଦଶ ଶୁଣିଲେ ମୁଁ କାମୁଡିବା ଅଭିଶାପ ପାଇଥିବାରୁ କାମୁଡ଼ିଲି । ଆପଣଙ୍କୁ ମୁଁ ବର ଦେଉଛି, ଆପଣଙ୍କୁ କୌଣସି ବିଷ କାଟିବନି ଓ ଯୁଦ୍ଧରେ ଆପଣ ସର୍ବଦା ଜୟଯୁକ୍ତ ହେବେ, କେବେ ପରାସ୍ତ ହେବେନି । 

ରାଜା ସାରଥି ହେଲେ – ସେଠାରୁ ନଳ ଯାଇ ରାଜା ଋତୁପର୍ଣ୍ଣଙ୍କ ରାଜ୍ୟରେ ପହଞ୍ଚିଲେ । ସେଠାରେ ନିଜକୁ ସାରଥି ଭାବରେ ଚିହ୍ନା ଦେଇ ରାଜାଙ୍କ ସେବାରେ ରହିବାକୁ କହିଲେ । ନଳ କହିଲେ, “ହେ ରାଜନ, ମୁଁ ଜଣେ ଅଶ୍ଵ ଓ ରଥ ବିଶାରଦ ଓ ମୋ ଭଳି ସାରଥି ଆପଣ କାହାକୁ ପାଇବେନି । ଆପଣ ମୋତେ ରଖି ପରୀକ୍ଷା କରନ୍ତୁ ।” ରାଜା ତାଙ୍କ ଅଶ୍ଵ ଚାଳନାରେ ସନ୍ତୁଷ୍ଟ ହୋଇ ନିଜ ସାରଥି କରି ରଖିଲେ ।  
ଝିଅ ଜାମାତାଙ୍କ ରାଜ୍ୟ ତ୍ୟାଗ କଥା ବିଦର୍ଭ ରାଜା ଶୁଣି ଦମୟନ୍ତୀଙ୍କୁ ଖୋଜିବାକୁ ସୁଦେବ ନାମକ ଜଣେ ବ୍ରାହ୍ମଣଙ୍କୁ ନିର୍ଦ୍ଦେଶ ଦେଲେ । ସୁଦେବ ଦୈବାତ ଚେଦି ରାଜ୍ୟରେ ପହଞ୍ଚି ଦମୟନ୍ତିଙ୍କୁ ଦେଖିଲେ । ସେତେବେଳେ ଦମୟନ୍ତୀ ସେଠାକାର ରାଜକନ୍ୟାଙ୍କ ସହିତ ବସି ଗୋଟିଏ ଉତ୍ସବ ଦେଖୁଥିଲେ । ସୁଦେବ ତାଙ୍କ ନିକଟରେ ପହଞ୍ଚି ନିଜର ପରିଚୟ ଦେଲେ ଓ ତାଙ୍କୁ ଖୋଜିବାକୁ ଆସିଥିବା କଥା କହିଲେ । ସବୁ ଶୁଣି ଦମୟନ୍ତୀ ନିଜ ଅତୀତ କଥା ମନେପକେଇ କାନ୍ଦିପକାଇଲେ । ଏହି କଥା ଶୁଣି ରାଜମାତା ଆସି ସେଠାରେ ପହଞ୍ଚିଲେ । ରାଜମାତା ମହଲରୁ ବାହାରି ସେଠାରେ ପହଞ୍ଚି ସୁଦେବଙ୍କଠାରୁ ସବୁ ଖବର ପାଇ ମର୍ମାହତ ହୋଇଗଲେ । ରାଜମାତାଙ୍କ ଭଉଣୀର କନ୍ୟା ଦମୟନ୍ତୀ ଥିଲେ । ଏହା ପରେ ଦମୟନ୍ତୀ ନିଜ ପିତାଙ୍କ ଗୃହକୁ ଗମନ କଲେ ।  

ନିଜ ଦେଶର ବ୍ରାହ୍ମଣମାନଙ୍କୁ ଦମୟନ୍ତୀ ଡକେଇ କହିଲେ, “ଆପଣମାନେ ବିଭିନ୍ନ ଦେଶକୁ ଯାଆନ୍ତୁ । ରାଜ ସଭାରେ ଓ ଭିଡ଼ ଥିବା ସ୍ଥାନରେ କହିବେ, “ନିଜ ପତ୍ନୀଙ୍କର ଶାଢୀ ଚିରି ଆଣିଥିବା ପତିଙ୍କୁ ଏହି ସନ୍ଦେଶ ଦିଆଯାଉଛି ଯେ ତାଙ୍କ ପତ୍ନୀ ସେହି ଅଧା ଫଟା ଶାଢୀ ପିନ୍ଧି ଆଜିଯାଏ ପତିଙ୍କ ଫେରିବାକୁ ଅପେକ୍ଷା କରି ରହିଛନ୍ତି ।” କିଛି ଦିନ ପରେ ଜଣେ ବ୍ରାହ୍ମଣ ଆସି ଖବର ଦେଲେ ଯେ ଅଯୋଧ୍ୟାରେ ଋତୁପର୍ଣ୍ଣ ରାଜାଙ୍କ ସାରଥି ବାହୁକ ମୋ କଥା ଶୁଣି ପାଖକୁ ଆସି କହିଲେ, “ଦୁଃସ୍ଥ ଅବସ୍ଥାର ଶିକାର ହୋଇ ଉଲଗ୍ନ ସ୍ଵାମୀ ଅଧା ଶାଢୀ ନେଇ ନିଜ ଲଜ୍ଜା ନିବାରଣ କରିଛନ୍ତି । ସେତେବେଳ ନିଜର ଜୀବିକା ନିମନ୍ତେ ତାଙ୍କର କୌଣସି ସାଧନ ନଥିଲା । ତେଣୁ ଅବସ୍ଥା ଚକ୍ରରେ ପଡ଼ି ସେ ଏହି କାମ କରିଛନ୍ତି ।” ଆଉ ମଧ୍ୟ ସୁଦେବ କହିଲେ, “ବାହୁକ ବହୁତ ଅସୁନ୍ଦର ଦେଖିବାକୁ ।”

ଏହା ପରେ ଦମୟନ୍ତୀ ତାଙ୍କ ମାତାଙ୍କୁ ଡାକି ସବୁ କଥା କହିଲେ ଓ ସୁଦେବ ବ୍ରାହ୍ମଣକୁ ମୋ କାମ ପାଇଁ ନିଯୁକ୍ତ କରୁଛି । ପିତାଙ୍କୁ ଏ କଥା କହିବନି । ତାପରେ ସୁଦେବଙ୍କୁ ଡାକି କହିଲେ, “ଆପଣ ଅଯୋଧ୍ୟା ଯାଇ ରାଜା ଋତୁପର୍ଣ୍ଣଙ୍କୁ ଏହି ସନ୍ଦେଶ ଦେବେ, ଦମୟନ୍ତୀ ପୁନର୍ବିବାହ କରିବା ନିମନ୍ତେ ସ୍ଵୟଂବର କରୁଛନ୍ତି । ତାଙ୍କ ପିତା ସମସ୍ତଙ୍କୁ ନିମନ୍ତ୍ରଣ କରୁଛନ୍ତି ଓ ଆପଣଙ୍କୁ ମଧ୍ୟ ଏହି ସଭାକୁ ଯିବାକୁ ସାଦର ନିମନ୍ତ୍ରଣ କରିଛନ୍ତି । ଆପଣ କାଲିସୁଦ୍ଧା ଯାଇ ପହଞ୍ଚିବାକୁ ଅନୁରୋଧ କରୁଛୁ ।”

ଏତେ କମ ସମୟରେ ବିଦର୍ଭ ରାଜ୍ୟରେ ପହଞ୍ଚିବା ଏକ ଅସମ୍ଭବ କଥା ଥିଲା । ତଥାପି ରାଜା ବାହୁକକୁ ଡାକି ସ୍ଵୟମ୍ଭର କଥା କହି ଏହି ଯାତ୍ରା ସମ୍ଭବ କି ନାହିଁ ପ୍ରଶ୍ନ କଲେ । ନଳ ଏ କଥା ଶୁଣିବା ପରେ ତାଙ୍କର ହୃଦୟ ଦୁଃଖର ଫାଟିଗଲା । ଜାଣିପାରିଲେ ଯେ ଦମୟନ୍ତୀ ଦୁଃଖୀ ହୋଇ ଏହି ବିଶେଷ ଯୋଜନା କରିଛି । ନିଶ୍ଚୟ ଏହା ମଧ୍ୟରେ କିଛି ରହସ୍ୟ ଅଛି । ନଳ ଏକ ବିଶେଷ ଅଶ୍ଵ ଚାଳନା ବିଦ୍ୟା ଶିଖିଥିଲେ । ସୁତରାଂ ସେ ୪ଟି ଶକ୍ତିଶାଳୀ ଘୋଡା ଆଣି ରଥରେ ଯୋଚିଲେ ଓ ରାଜାଙ୍କୁ ବସେଇ ଅବିଳମ୍ବେ ବାହାରିଲେ । ରାସ୍ତାରେ ଋତୁପର୍ଣ୍ଣ ବଶୀକରଣ ବିଦ୍ୟା ନଳଙ୍କୁ ଶିଖାଇଲେ ଓ ନଳଙ୍କଠାରୁ ଅଶ୍ଵଚାଳନା ବିଦ୍ୟା ଶିଖିଲେ । ବଶୀକରଣ ବିଦ୍ୟା ଶିଖିବା ସଙ୍ଗେ ସଙ୍ଗେ ନଳଙ୍କ ଦେହରେ ପଶିଥିବା କଳି ବାହାରିଗଲା । ସନ୍ଧ୍ୟା ସୁଦ୍ଧା ରଥ ବିଦର୍ଭ ଦେଶରେ ପହଞ୍ଚିଗଲା । ରଥ ଚାଲିବା ଶବ୍ଦରେ ସାରା ସହର ନିନାଦିତ ହୋଇଗଲା । ସେହି ଶବ୍ଦରୁ ନଳ ଆସି ପହଞ୍ଚିବା କଥା ଦମୟନ୍ତୀ ଜାଣିପାରିଲେ । ସେ ସ୍ଥିର ନିଶ୍ଚୟ କଲେ ଆଜି ଯଦି ନଳଙ୍କର ଦେଖା ନମିଳେ ତବେ ଅଗ୍ନିରେ ଝାସ ଦେବେ ।
ଅଯୋଧ୍ୟା ନରେଶ ଋତୁପର୍ଣ୍ଣ ବିଦର୍ଭ ଦେଶରେ ପହଞ୍ଚିବା ଖବର ରାଜା ଭୀମକଙ୍କ ପାଖକୁ ଗଲା । ତୁରନ୍ତ ସେ ଆସି ଅତିଥି ସତ୍କାରରେ ଲାଗିପଡ଼ିଲେ । ସ୍ଵୟମ୍ଭରର କୌଣସି ଆୟୋଜନ ନଦେଖି ଋତୁପର୍ଣ୍ଣ ଦ୍ଵିଧାରେ ପଡିଗଲେ । ଆଗମନର ଉଦ୍ଦେଶ୍ୟ ଭୀମକ ପଚାରିବାରୁ ଏମିତି ନମସ୍କାର କରିବାକୁ ଆସିଛି କହିଲେ । ଭିତରେ ଭିତରେ  ବଡ଼ ଅପ୍ରସ୍ତୁତ ହୋଇଗଲେ । ଭୀମକ ବି ବୁଝିପାରିଲେନି, ଏତେ ଦୂର ପଥ କେହି କଅଣ ନମସ୍କାର କରିବାକୁ ଆସେ !

 ଏଣେ ଦମୟନ୍ତୀ ଅସ୍ଥିର ଓ ଆକୁଳ ହେଉଥିଲା । ଗୋଟିଏ ଦାସୀ ପଠେଇ କୁରୁପ ଥିବା ବାହୁକାର ଚାଲିଚଳନ ଲକ୍ଷ କରିବାକୁ ଆଦେଶ ଦେଲା । ଦାସୀ ଫେରି ଆସି କହିଲା, “ଏମିତି ଲୋକ ମୁଁ ଦେଖିନି । ସେ ଜଳ ଅଗ୍ନି ଉପରେ ନିର୍ଭର କରୁନାହାନ୍ତି ।” ଆଉ ଥରେ ଦାସୀ ଯାଇ ବାହୁକଙ୍କୁ ପଚାରିଲା, “ଆପଣ ନଳ ରାଜାଙ୍କୁ ଜାଣିଛନ୍ତି କି ?” ବାହୁକ ଉତ୍ତର ଦେଲେ, “ଏତିକି ଜାଣିଛି, ତାଙ୍କର ରୂପ ବଦଳି ଯିବାରୁ ସେ ଅଲକ୍ଷରେ ଅଛନ୍ତି । ତାଙ୍କୁ କେବଳ ଗୁପ୍ତ ଚିହ୍ନ ଦେଖି ଦମୟନ୍ତୀ ଚିହ୍ନିପାରିବେ ।” ଏହା ଶୁଣି ଦମୟନ୍ତୀଙ୍କ ଆଶଙ୍କା ଆହୁରି ବଢିଗଲା ଓ ସେ ପ୍ରାୟ ନିଶ୍ଚିତ ହୋଇଗଲେ ଯେ ବାହୁକ ହିଁ ତାଙ୍କର ସ୍ଵାମୀ । ତଥାପି ନିଶ୍ଚିତ କରିବା ନିମନ୍ତେ ଓ ନିଜେ ପରୀକ୍ଷା କରିବା ନିମନ୍ତେ ବାହୁକଙ୍କୁ ଅନ୍ତଃପୁରକୁ ଡାକିବାକୁ ଅନୁମତି ପ୍ରଦାନ ନିମନ୍ତେ ରାଜମାତାଙ୍କୁ ଅନୁରୋଧ କଲେ ଓ ସେ ରାଜାଙ୍କଠାରୁ ଅନୁମତି ଆଣିଲେ ।
          ବାହୁକଙ୍କ ଆଗରେ ଦମୟନ୍ତୀ ନିଜର ଦୁଃଖ ଭରା କାହାଣୀ ବର୍ଣ୍ଣନା କଲାବେଳେ ଦୁଇ ଚକ୍ଷୁରୁ ଲୋତକ ଧାର ଧର ହୋଇ ବୋହିବାକୁ ଲାଗିଲା । ନଳ ଏହି ଲୋତକ ଦେଖି ସମ୍ଭାଳି ପାରିଲେନି । ସେ କହିଲେ, “ନଳ ନିଜ ଇଚ୍ଛାରେ ଜୁଆ ଖେଳିନଥିଲେ । ସେତେବେଳେ ସେ କଳିର ଇଚ୍ଛା ଦ୍ଵାରା ପରିଚାଳିତ ହେଉଥିଲେ ।” ଦମୟନ୍ତୀ ଉତ୍ତରରେ କହିଲେ, “ମୁଁ ଆପଣଙ୍କ ଚରଣ ସ୍ପର୍ଶ କରି କହୁଛି, ଯଦି ମନ ବଚନରେ କେବେ ହେଲେ କୌଣସି ପର ପୁରୁଷ ବିଷୟରେ ଚିନ୍ତା କରିଥିବି ତେବେ ଏଇଠି ମୋର ଦେହ ଭଷ୍ମ ହୋଇଯାଉ ।”

ଏହା ଶୁଣି ନଳଙ୍କର ସନ୍ଦେହ ଦୂର ହୋଇଗଲା ଓ ସେ କର୍କଟକ ଦେଇଥିବା ଦିବ୍ୟ ବସ୍ତ୍ର ପିନ୍ଧିଲେ ଓ ଯେଉଁ ମୁହୂର୍ତ୍ତରେ ପିନ୍ଧିଲେ ସେହି ମୁହୂର୍ତ୍ତରେ ତାଙ୍କର ସ୍ଵରୂପ ଫେରିପାଇଲେ । ଦୁହେଁ ସେଠାରେ ଦମୟନ୍ତୀଙ୍କ ପିତାମାତାଙ୍କ ଆଶୀର୍ବାଦ ନେଲେ । ସେଠାରୁ ନଳ ନିଷଧ ଦେଶକୁ ଯାଇ ପୁଷ୍କରକୁ ଆଉ ଥରେ ଡାକି ଜୁଆ ଖେଳରେ ବସିଲେ । ଏଥର ଦେହରେ କଳି ନଥିବାରୁ ସେ ବାଜି ଜିତିବାକୁ ଲାଗିଲେ ଓ ଅବଶେଷରେ ନିଜ ରାଜ୍ୟ, ଧନ ସମ୍ପତ୍ତି ଆଦି ଫେରି ପାଇଲେ ଓ ପୁନର୍ବାର ରାଜ୍ୟ ପ୍ରାପ୍ତ ହୋଇ ସୁଖରେ ରହିଲେ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...