Wednesday, January 13, 2021

ସମର୍ପଣ (topic - 92 ବୋଇତ ) quote #quot

ବୋଇତ - 92
******
କାର୍ତ୍ତିକ ମାସର ପୂର୍ଣିମା ତିଥିରେ
     କଳିଙ୍ଗ ସାଧବ ବୀର 
ଜଳ ମାର୍ଗେ ୟାଭା ଯାତ୍ରା କରୁଥିଲେ
      ବୋଇତକୁ କରି ଘର 
ବିଶ୍ବରେ ପ୍ରତିଷ୍ଠା ଲାଭ କରିଥିଲା
       ସାଧବଙ୍କ କାରବାର 
କାହିଁ କେଉଁ କାଳୁ ପ୍ରଥାଟି ରହିଛି
        ପରମ୍ପରା ଉତ୍କଳର 
                 - ରାଧା କୃଷ୍ଣ ବାୟକ

ସାଧବ,ବୋଇତ ଏବେ ଅତୀତ 
 ଶାସକ ସାଜିଛି ଆଜି ସାଧବ
             ଲୁଟୁଛି ଦେଶର ସର୍ବ             
ବିଦେଶ ହୋଇଛି ଆଜିର ଭାଗ୍ୟ 
ସ୍ମୃତିରେ ରହିଛି ପୂର୍ବ ସରାଗ
ଜନତା ପାଳୁଚି  ପୂନେଇଁ ପର୍ବ
          କିଣୁଛି ବିଦେଶ ଦ୍ରବ୍ୟ
ସଂହତିର ଆଳେ ହଜେଇ ଶୌର୍ଯ୍ୟ 
           - ସନ୍ତୋଷ ପଟ୍ଟନାୟକ

ବୋଇତେ ବାଣିଜ୍ୟ ସାଧବେ ସହଜ
         କଥା କିମ୍ବଦନ୍ତି ଗିର
ତଅପୋଇ କଥା ବେଦନା ଓ ବ୍ୟଥା
        ଜାଣିଅଛି ଚରାଚର
ହେଜି ସେହି କଥା ସଂସ୍କୃତି ସଭ୍ୟତା
        କାର୍ତ୍ତିକେ ବୋଇତ ଭଷା
 ସଗର୍ବେ  ଉତ୍କଳ ପୂଣ୍ୟତୀର୍ଥ ସ୍ଥଳ
        ବାରମାସେ ତେର ଓଷା
                  -  ଦାଶରଥି ସାହୁ

ପବନର ଗତି  ଅନୂକୁଳ ଅଛି
      ବୋଇତ ଯାଅତୁ ଧିରେ
ମଙ୍ଗଳା ମାଆ ଲୋ ସାହା ହୋଇଥିବୁ 
        ସାଧବ ଯିବେଟି ଦୂରେ
ଜାଭା,ବାଲି ଆଉ ବର୍ଣ୍ଣିଓ, ସୁମାତ୍ରା 
      କେତେ ଦ୍ବୀପ ଯିବେ ସେଇ
ସାହାତୁ ହୋଇବୁ ପାଖେ ପାଖେ ଥିବୁ 
         ଯେହେତୁ ଜନନୀ ତୁହି
                   - ଜଗବନ୍ଧୁ ସାହୁ

ଧନ୍ୟ ସେ ଅତୀତ ଓଡ଼ିଶାର ସୂତ
      ବଣିକ ଥିଲେ କେତେକ 
ସ୍ୱର୍ଣ୍ଣ ଅଳଙ୍କାର ଘେନି ଆସୁଥିଲେ 
      ବୋଇତ ସାଥେ ତ୍ୱରିତ  
ବାଣିଜ୍ୟ ନାମରେ ସୁପ୍ରସିଦ୍ଧ ଥିଲା
      ଉତ୍କଳ ଜନନୀ ଆମ
ବିଶ୍ଵ ବଜାରରେ ସୂକ୍ଷ୍ମ ଲୁଗା ପାଇଁ 
     ଟେକ ଥିଲା ତାର ନାମ 
                  - ଟୁକୁନା ସାହୁ

କାହିଁସେ ବାଣିଜ୍ଯ କାହିଁସେ ବେପାର
       କାହିଁସେ ସାଧବ ପୁଅ !
ଆଣୁଥିଲେ କେବେ ବୋଇତରେ ଧନ
        କାଟି ସେ ସମୁଦ୍ର ସୁଅ
ଆସେ ବର୍ଷ ମାସ ଆସେ ସେ କାର୍ତ୍ତିକ
       ବୋଇତ ବନ୍ଦାଣ ଦିନ
ହେଲେ ଫେରେ ନାହିଁ ସାଧବ ପୁଅ ସେ
        ଲିଭିଛି ତାହାର ଚିହ୍ନ
ସମୟ ସୁଅରେ   ସାଧବ ହଜିଛି
      ନାହିଁ ସେ ବୋଇତ ଡଙ୍ଗା
ଆଜିର ସାଧବ ହରାଇ ଗୌରବ
      ଅଶୁଦ୍ଧେ ସଂସ୍କୃତି ଗଙ୍ଗା
                - ରବିନ୍ଦ୍ର ସାହୁ

କାଳର କରାଳେ  ବିଲୀନ ହୋଇଛି
      ଉତ୍କଳର ସେ ଉଜ୍ଜ୍ୱଳ
ହେଉନି ତ ଆଉ ସାଗର ବେଳାରେ
     ବୋଇତ ଚଳ ପ୍ରଚଳ 
ସାଧବାଣୀ ଆଉ  ବୋଇତ ବନ୍ଦାଣ
     କରୁନାହିଁ ସିନ୍ଧୁ ତୀରେ
ଶୁଭୁନାହିଁ ଆଉ  ଶଙ୍ଖ ହୁଳହୁଳି
     ଆଜିକାଲି ଏ ଯୁଗରେ
ବୋଇତେ ଯାଉନି  ସାଧବ କୁମର
      ବର୍ଣ୍ଣିଓ ସୁମାତ୍ରା ଦ୍ୱୀପ
ତଥାପି ତ ଆଜି  ସ୍ମୃତି ଭଳି ଅଛି
     ନଉବାଣିଜ୍ୟର ଛାପ 
               - ରାମ ଚନ୍ଦ୍ର ପ୍ରଧାନ

କାହାଣୀ ହୋଇଛି ଉତ୍କଳୀୟ ଗାଥା 
      ଉତ୍କଳର ପରମ୍ପରା 
ନୌବାଣିଜ୍ୟର ଅତୀତ ଗୌରବ 
      ଆଜି ଯେ ସ୍ମୃତି ପସରା 
ପଣ୍ୟ କାରବାର ଦେଶ ଦେଶାନ୍ତର
      ବୋଇତ ଥିଲା ମାଧ୍ୟମ 
ଜଳେ ଯାତାୟତ ଉପାର୍ଜନ ଅର୍ଥ 
       ବଢ଼ାଇ ସ୍ୱରାଜ୍ୟ  ମାନ
                 - ପ୍ରବୀର ମଲ୍ଲିକ୍

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...