Monday, August 16, 2021

■ହର ହର ମହାଦେବ ■

ହର ହର ମହାଦେବ 
============
ଜଟାରେ ଯାହାର ଗଙ୍ଗାଙ୍କ ନିବାସ 
କଣ୍ଠେ ବିଷ ଭରା ତଥାପି ଉଶ୍ୱାସ 
ତାଣ୍ଡବ ରଚନ୍ତି, କିନ୍ତୁ ଆଶୁତୋଷ 
ନୀଳକଣ୍ଠ ସିଏ କୈଳାଶରେ ବାସ ll

ପର୍ବତ ଶିଖରରେ ପ୍ରତି ପ୍ରଶ୍ୱାସ 
ନିଶ୍ୱାସରେ ଭରି ରହିଛି ବିଶ୍ୱାସ 
ଅଟଳ ଅଖଣ୍ଡ ଶିବଙ୍କ ଉଦ୍ଘୋଷ 
ବିଶ୍ୱେଶ୍ୱର ବିଶ୍ୱନାଥ ପାର୍ବତୀଶ ll

ଡମ ଡମ ଡମ ବାଜଇ ଡମ୍ବରୁ 
ଉଚ୍ଚାଟିତ ସବୁ ପ୍ରାଣୀ ଗିରି ତରୁ 
'ବମ ବମ ଭୋଳାନାଥ' ର ଗୁଞ୍ଜନ 
ହୃଦୟରେ ଆଣେ ନୂତନ ସ୍ପନ୍ଦନ ll

ରାମେଶ୍ୱର ଆଉ ମହାକାଳେଶ୍ଵର 
ସୋମନାଥ ଭୂତନାଥ ଗୁପ୍ତେଶ୍ୱର 
ଚନ୍ଦ୍ରଶେଖର ମହେଶ ଚିରଞ୍ଜିବୀ 
ତମରି ମହିମା ଜାଣେ ଅନୁଭବୀ ll

କୈଳାଶନାଥ ମୃତ୍ୟୁଞ୍ଜୟ ଗିରୀଶ 
ମଧୁକଲୋଚନ ଭୈରବ ମହେଶ 
ଲିଙ୍ଗାଧ୍ୟକ୍ଷ ଲୋକନାଥ ଲୋକପାଳ 
ତମ ମନ୍ଦିରରେ ସଭିଏଁ ବିହ୍ଵଳ ll

ନାଗଭୁଷଣ ନିତ୍ୟସୁନ୍ଦର ଶିବ 
ଓଁକାର ତ୍ରିଶୂଳଧାରୀ ମହାଦେବ 
ପିନାକୀ ପଶୁପତି ଶଙ୍କର ରୁଦ୍ର 
କରୁଣାର ସ୍ରୋତରେ କରିଛ ଆର୍ଦ୍ର ll

ସ୍ଵୟଂଭୂ ଉମାପତି ଶ୍ରୀକଣ୍ଠ ଶମ୍ଭୁ 
ଲଲାଟାକ୍ଷ୍ୟ ନୀଳକଣ୍ଠେଶ୍ଵର ପ୍ରଭୁ 
ଦୁର୍ଜ୍ଜୟ ଦିଗମ୍ବର ଦେବାଧିଦେବ 
ତପେ ବର କୋପେ ରଚ ତ ତାଣ୍ଡବ ll

ପଞ୍ଚ ମହାଭୂତରେ ଗଢ଼ା ଏ ଦେହ 
ମାୟାରେ ବୁଡିଛି, ରହିଛି ସନ୍ଦେହ 
ମାଡି ବସିଛନ୍ତି ଛଳନା କପଟ 
ଷଡ଼ ରିପୁ ଆଉ ପଞ୍ଚଗ୍ରହ କୂଟ ll

ତମ ଦତ୍ତ ଏଇ ନିଶ୍ୱାସ ପ୍ରଶ୍ୱାସ 
ଗର୍ବ ଅହଙ୍କାର ବୁଦ୍ଧି କରେ ନାଶ 
ସୃଷ୍ଟି ହୁଏ କେତେ କର୍ମଫଳ ଦୋଷ 
ଲୋପ ପାଇଯାଏ ଆସ୍ଥା ଓ ବିଶ୍ୱାସ ll

ଏ ଏମିତି ଏକ ଦଗ୍ଧ ସନ୍ଧିକ୍ଷଣ 
ଦେହ ମନ ହୃଦ ସବୁ ସନ୍ଦିହାନ 
ଜାଣି ହେଉନାହିଁ ବେଗ ଦିଗ ମାର୍ଗ 
ଉଦ୍ଧାର କର ହେ ଦେବ ସଦାଶିବ ll

ଶ୍ରାବଣ ମାସର ଶେଷ ସୋମବାର 
ମଣିଷ ଜାତି ଏ କରଇ ଗୁହାର 
ଦିଅ ସମସ୍ତଙ୍କୁ କରୁଣା ଆଶୀଷ 
ଘୁଞ୍ଚିଯାଉ ସବୁ ଦୁଃଖ କଷ୍ଟ କ୍ଳେଶ ll

ତମେ ଅନାଦି ତମେ ଅନନ୍ତ ତମେ ଅଖଣ୍ଡ ଜ୍ୟୋତିର ଉଦ୍ଭବ 
ଗଗନ ପବନ ହୁଏ ମୁଖରିତ ଆଜି: ହର ହର ମହାଦେବ! ll
==============================
ପ୍ରମୋଦ କୁମାର ମହାନ୍ତି 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...