କୋଣାର୍କ - 102
କଅଁଳ କିଶୋର ଗୌରବର ଗୀର
ଓଡିଆ ଜାତିର ଟେକ
ତ୍ୟାଗର ସମୂଳେ ଚନ୍ଦ୍ରଭାଗା କୂଳେ
କଳାସ୍ତୁପ କୋଣାରକ
କୋଣାର୍କ କ୍ରନ୍ଦନ ଶୁଣ ଦେଇ କର୍ଣ୍ଣ
ଧୀର ସ୍ୱରେ ଧର୍ମପଦ
ଅଙ୍କା ପଥରରେ କୁଶଳ ଶିଳ୍ପରେ
ମୁକସାକ୍ଷୀ ମର୍ମଭେଦ
- ଦାଶରଥି ସାହୁ
ନିହଣ ମୁନରେ ପଥରକୁ କାଟି
ଆଙ୍କି ଦେଲେ କାରୁକାର୍ଯ୍ୟ
ଓଡିଆ ଜାତିର ଗରବ ଗୌରବ
କୋଣାର୍କ ହିଁ ଆମ ଶୌର୍ଯ୍ୟ
ଲାଙ୍ଗୁଳାନରସିଂହ ରାଜୁତି ସମୟେ
ମନ୍ଦିର ହେଲା ନିର୍ମାଣ
ଚାଷୀ ଦେଲେ ସଶ୍ଯ ରାଜ କୋଷୁ ଧନ
ମନ୍ଦିର ହୋଇଲା ପୂର୍ଣ୍ଣ
- ଜଗବନ୍ଧୁ ସାହୁ
କୋଣାର୍କ କାନ୍ଦୁଛି ଚନ୍ଦ୍ରଭାଗା କୂଳେ
ଭଗ୍ନ କଳେବର ଧରି
କାଳର ବକ୍ଷରେ ବିଲୁପ୍ତ ସେ ଆଜି
ଅଲୋଡ଼ା ସ୍ମୃତିଟେ ପରି
ତଥାପି ରହିଛି ତା' ରୂପ ଲାବଣ୍ୟେ
ଅତୁଳ ସୁଷମା ଭରି
ସେ ଶୂନ୍ୟ ମନ୍ଦିର ଅନାଇ ରହିଛି
ଧର୍ମପଦ କଥା ସ୍ମରି
ଉତ୍କଳ ଗାଉଛି କୋଣାର୍କର ଗାଥା
ସଭିଙ୍କୁ ଚକିତ କରି
ବିଶ୍ୱ ଇତିହାସେ ସୁନାମ ଅର୍ଜିଛି
ଐତିହ୍ୟର ରଙ୍ଗ ମାରି
- ରାମ ଚନ୍ଦ୍ର ପ୍ରଧାନ
ଉତ୍କଳର ସ୍ମୃତି ଚାରୁକଳା ପ୍ରୀତି
ବିଶ୍ବ କରେ ଯାର ସ୍ତୁତି
ବାର ବରଷର ବାଳକ ଧରମା
ରଖିଲା ଓଡ଼ିଆ କୀର୍ତ୍ତି
ମନ୍ଦିର ଗାତ୍ରର ଜୀବନ୍ତ ବୈଚିତ୍ର୍ୟ
ଆଜି ଅଲିଭା ସ୍ବାକ୍ଷର
ବିଶ୍ୱେ ବଳୀୟାନ କୋଣାର୍କର ଶୌର୍ଯ୍ୟ
ଘେନି ଭଗ୍ନ କଳେବର
- ସନ୍ତୋଷ ପଟ୍ଟନାୟକ
ଶିଳ୍ପୀ ଗୋ ତୁମ ନିହାଣ ମୁନରେ
ପାଷାଣ ପାଇଛି ପ୍ରାଣ
ନିର୍ଜୀବ ଓଠରେ ହସ ଫୁଟାଇଛ
ସୌନ୍ଦର୍ଯ୍ୟ ଅଵଲୋକନ
କୋଣାର୍କ ମନ୍ଦିରେ ଉତ୍କଳିୟ କଳା
କିଣେ କୋଟି ଜନ ମନ
ବିଶ୍ୱ ଦରବାରରେ ପରିଚୟ ଦେଲ
ନମଃ ହେ ବିନ୍ଧାଣି ରତ୍ନ
- ପ୍ରବୀର ମଲ୍ଲିକ୍
ଭଗ୍ନ କୋଣାର୍କ କରେ କ୍ରନ୍ଦନ
ଧରମା ସ୍ପର୍ଶ ପାଇଁ
ହତ ଗୌରବ ଫେରିବ କାହିଁ
ବିଶୁ ତ ଦିଶେ ନାହିଁ ।
ହଜିଛି ତ୍ୟାଗ ବଢ଼ିଛି ଲୋଭ
ସ୍ୱାର୍ଥରେ ସର୍ବେ ଅନ୍ଧ
ନିହଣ ବିନା ଉତ୍କଳ ପୁତ୍ର
ଖୋଜୁଛି କୀର୍ତ୍ତି ଗନ୍ଧ
- ଟୁକୁନା ସାହୁ
ବୋଲାଉଛି ଯିଏ ସୁରୁଜ ମନ୍ଦିର
ଚନ୍ଦ୍ରଭାଗା ତଟେ ରହି
ସୂକ୍ଷ୍ମ କାରୁକାର୍ଯ୍ୟେ ପ୍ରସିଦ୍ଧ ବୋଲିଯେ
ସାରା ବିଶ୍ବ ଯାଏ କହି
ଉତ୍କଳ ମାଟିର ହୃତ ଗୌରବ ଯେ
ଏଯାଏଁ ରହିଛି ଚେଇଁ
ସମଗ୍ର ବିଶ୍ବରେ ସବୁଠୁ ସୁନ୍ଦର
କୋଣାର୍କ ମନ୍ଦିର ସେହି
- ରବିନ୍ଦ୍ର ସାହୁ
ଭଗ୍ନ କୋଣାର୍କର ମୁକୁଳା ଶିଳାରେ
ପ୍ରଣୟ ପ୍ରୀତି ସ୍ବର୍ଣ୍ଣାଭ
ସତେକି ବାରଶ ବଢେଇଙ୍କ ସିଏ
ଅଟଇ ବିରହ ଭାବ
ଧନ୍ୟ ଶିଳ୍ପୀ ତୋର ନିହାଣର କଳା
ଲିପିବଦ୍ଧ ହୋଇଯାଇଛି
ସ୍ବର୍ଣ୍ଣିମ ମୂହୁର୍ତ୍ତ ସଂସ୍କୃତି ସଂସ୍କାର
ଉତ୍କଳ ମଥାନ ଛୁଇଁଛି
- ରାଧାକୃଷ୍ଣ ବାୟକ
No comments:
Post a Comment