ରଙ୍ଗମଞ୍ଚ - 101
ରକ୍ତେ ରଙ୍ଗମଞ୍ଚ ସର୍ବଦା ରଞ୍ଜିତ
ରଇଜଳା ରାତି ସାଖି
ସର୍ବହରା ଆହା ସମାଧି ଉପରେ
ଜୁଈ ଜଳେ ଦିକି ଦିକି
ଅଭିନୟ ସାରି ପିତା ପ୍ରିୟ ପରି
କାନ୍ଦଇ ସିନା ଗୁମୁରି
ନିର୍ଦ୍ଦେଶକ ନ୍ୟାୟ ନିଅଣ୍ଟ ସମୟ
ଖଳ ଖେଳେ ବୋହୂଚୋରି
- ଦାଶରଥି ସାହୁ
ଏ ଦୁନିଆଁ ଗୋଟେ ରଙ୍ଗମଞ୍ଚ ହେଲେ
ଆମେ ତା'ର କଳାକାର
ସର୍ବେ ଏଠି ନିଜ ଅଭିନୟ ରଙ୍ଗେ
ବୁହନ୍ତି ସଂସାର ଭାର
ମିଛ ଅଭିନୟେ ସର୍ବେ ଏଠି ବନ୍ଧା
ନ ବୁଝି ଆପଣା ପର
କିଏ କେବେ ଆସେ କିଏ କେବେ ଯାଏ
ନ ଥାଏ ଠିକଣା ତା'ର
କେବେ ମିଳେ ଗାଳି କେବେ କରତାଳି
କେବେ ଅବା ପୁରସ୍କାର
କେବେ ତ ଆଦର ମିଳେ ରଙ୍ଗମଞ୍ଚେ
ଆଉ କେବେ ଅନାଦର
- ରାମ ଚନ୍ଦ୍ର ପ୍ରଧାନ
ଏଇ ଦୁନିଆର ରଙ୍ଗମଞ୍ଚ ପରେ
ଆମେ ସବୁ କଳାକାର
କିଏବା ହସୁଛି କିଏବା କାନ୍ଦୁଛି
ମାଖି ରଙ୍ଗ ପାଉଡର
ଦେଖି ଚାହିଁ ମନ କର ଅଭିନୟ
ଚିତ୍ତ ବିତ୍ତ କରି ସ୍ଥିର
ସେହି ନିର୍ଦ୍ଦେଶକ ସେହି ଵିଚାରକ
ଦର୍ଶକ ରୂପେ ଈଶ୍ୱର
- ପ୍ରବୀର ମଲ୍ଲିକ୍
ସଂସାର ହାଟରେ ଏ ରଙ୍ଗମଞ୍ଚରେ
ଅଭିନୟ କରୁ କରୁ
ଫେରିବାକୁ ହେବ ଅଭିନୟ ସାରି
ଆସିଥିଲେ ଯେଉଁଠାରୁ
ଏ ରଙ୍ଗମଞ୍ଚର ନିର୍ଦ୍ଦେଶକ ସେଇ
ସ୍ବୟଂ ପ୍ରଭୁ ନାରାୟଣ
ଆସିବା ସମୟେ ମାତାର ଗର୍ଭରେ
ଦେଇ ଥିଲେ ସବୁ ଜ୍ଞାନ
- ଜଗବନ୍ଧୁ ସାହୁ
ଜୀବନଟା ଗୋଟେ ରଙ୍ଗମଞ୍ଚ ଭଳି
ଆମେ ସବୁ କଳାକାର
କର୍ମକୁ ଆଦରି ଅଭିନୟ କରି
ପାଇବା ବିଭୁଙ୍କ ବର
ଜଗତ ବିଧାନ ଜଗତ ମୋହନ
ସକଳ ନିୟନ୍ତା ବିଭୁ
ତାଙ୍କରି ଆଶିଷେ ଜଗତ ଜିଣିବା
ଓଠ ଜପୁଥାଉ ପ୍ରଭୁ
- ସନ୍ତୋଷ ପଟ୍ଟନାୟକ
କେତେବେଳେ ଶେଷ ହେବ କାହା ଅଙ୍କ
ନଥିବ ଜମାରୁ ଜଣା
ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ
ଯାତ୍ରାର ଶେଷ ପାଉଣା
ଜିଣିବାକୁ ହେବ ଦର୍ଶକ ହୃଦୟ
ଢାଳିବାକୁ ହେବ ଲୁହ
ଲୁଚେଇ ନିଜର ହୃଦୟ ଯନ୍ତ୍ରଣା
ଭୁଲି ଯାଇ ଲୋଭ ମୋହ
- ଟୁକୁନା ସାହୁ
ଜୀବନ ନାଟକେ ରଙ୍ଗମଞ୍ଚ ଧରା
ଆମେ ସବୁ କଳାକାର
କିଏ ନାୟକକୁ କିଏ ସେ ନାୟିକା
ସୁନ୍ଦର ଘର ସଂସାର
କିଏ ଶକୁନିକୁ କିଏ ସେ ମନ୍ଥରା
କେଅବା ଖଳ ନାୟକ !!
ଜୀବନ ଯୁଦ୍ଧରେ ହାରିଲା ପର୍ଯ୍ଯନ୍ତ
ଚାଲୁଥିବ ଏ' ନାଟକ
‐ ରାଧା କୃଷ୍ଣ ବାୟକ
ଅଛି ନିର୍ଦ୍ଦେଶକ ଅଛି ସେ ଦର୍ଶକ
ହେଲେ ରଙ୍ଗମଞ୍ଚ ହେଲାଣି ଖାଲି
ଅଧା ନାଟକରୁ ଅଭିନୟ ଛାଡି
କଳାକାର ଆଜି ଯାଆନ୍ତି ଚାଲି
ରଙ୍ଗହୀନ ଲାଗେ ରଙ୍ଗମଞ୍ଚ ଏବେ
ରଙ୍ଗ ଧୋଇଯାଏ ଲୁହରେ ବୋଲି
କରୋନା ସାଜିକି ଖଳନାୟକଟେ
କଳାକାର ରକ୍ତେ ଖେଳୁଛି ହୋଲି
- ରବିନ୍ଦ୍ର ସାହୁ
No comments:
Post a Comment