Wednesday, August 4, 2021

● ବୃକ୍ଷ , ଜଙ୍ଗଲ ଓ ପରିବେଶ ●

ବୃକ୍ଷ ଜଙ୍ଗଲ ଓ ସଭ୍ୟତା ;
                   ✍ ସନ୍ତୋଷ ପଟ୍ଟନାୟକ 

ସ୍ରଷ୍ଟାଙ୍କ ବୈଚିତ୍ର୍ୟମୟୀ ସୃଷ୍ଟି ବିବିଧବର୍ଣ୍ଣା,ଚିର ଆହ୍ଲାଦିନୀ, ରୂପ-ରସ ଗନ୍ଧର ପ୍ରାଣସ୍ପର୍ଶୀ ଝଙ୍କାରରେ ସଦା ଚଳଚଞ୍ଚଳ।ପ୍ରକୃତିରାଣୀ ତା'ର ଅଭିନବ ରୂପ ପସରାର ସମ୍ମୋହନରେ ସମଗ୍ର ଜୀଵ ସତ୍ତାକୁ ଦେଇଛି ଅଫୁରନ୍ତ ଆନନ୍ଦ ଓ ବଞ୍ଚିବା ବଢିବାର ରାହା। ଦିଗନ୍ତ ବିସ୍ତାରି ମହୋଦଧିର ନୀଳ ବୀଚିମାଳା , ବୃକ୍ଷ-ଲତା , ଗୀରି-ବନାନୀ ,କଳ କଳ ନାଦିନୀ ସ୍ରୋତସ୍ୱିନୀ ର ଅପୂର୍ବ ସ୍ୱର ,ସବୁଜ ସୁଷମା ବିମଣ୍ଡିତ ଧରିତ୍ରୀ ମାତାର ପ୍ରାଣସ୍ପର୍ଶୀ ସମ୍ଭାର ସମଗ୍ର ଜୀବ ଜଗତ ଉପରେ ଢାଳି ଦେଇଛି ମମତାର ମଧୁଝର ସ୍ୱରୂପ ଆଶିଷର ଅମୃତ ଧାରା । 

 ଗଙ୍ଗାଧର ମେହେରଙ୍କ ଭାଷାରେ -

        ବିଶ୍ୱ ଦେଖ ମଧୁମୟ ରେ ଜୀବନ
                                ବିଶ୍ୱ ଦେଖ ମଧୁମୟ
       ମଧୁର ଝରଣ କରିବ ହରଣ
                  ତୋ ପାପ ମରଣ ଭୟରେ ଜୀବନ
                       ତୋ ପାପ ମରଣ ଭୟ  ॥

ବିଭିନ୍ନ ସଭ୍ୟତା ର ପୃଷ୍ଠ ଭୂମି କୁ ଅବଲୋକନ କଲେ ଦେଖାଯାଏ ସବୁଠି ପ୍ରକୃତି ମାତାର ଗୁଣଗାନ କରା ଯାଇଛି ।କାଷ୍ଠ ,ତରୁ ,ତୃଣ,ପାଷାଣ ଭିତରେ ଦେଵ ସତ୍ତାର ଅନୁଭବକୁ ବର୍ଣ୍ଣନା କରାଯାଇଛି। 
           
       ବିଜ୍ଞାନର ଚରମରେ ପାଦ ଥାପିଥିବା ମଣିଷ ଭିତରେ ଆଜି ସେହି ପ୍ରକୃତି ପ୍ରେମର ବାସ୍ତବତା ନାହିଁ । ଯେଉଁ ବେଦ-ଉପନିଷଦର ପୃଷ୍ଠଭୂମିରେ ଆମେ ଦଣ୍ଡାୟମାନ ସେହି ନୀତି-ନିୟମକୁ ମଣିଷ ଆଜି ଅଣଦେଖା କରିଛି । ସୃଷ୍ଟି ତତ୍ତ୍ୱର ଚରମ ନିର୍ଯ୍ୟାସ ଉପରେ ଆମ ଧାର୍ମିକ ବିଶ୍ୱାସ ଆଜି କିନ୍ତୁ ଆମ ବିଶ୍ୱାସ ଓ ଭରଷାର ଉର୍ଦ୍ଧ୍ବରେ। ଯେଉଁ ପ୍ରକୃତି ଆମର ପ୍ରାଣ ସତ୍ତାର ପରିପୁରକ ସେ ଆଜି ମଣିଷ ଠାରୁ ବିଶ୍ୱାସ ହରା ହୋଇ ଗୁମୁରି କାନ୍ଦୁଛି । ବସ୍ତୁବାଦୀ ଦୁନିଆର ଚାକଚକ୍ୟ ଭିତରେ ମଣିଷ ବୁଡିରହି ଭୁଲି ଯାଇଛି ଆମ ଧର୍ମ ଦର୍ଶନର ମୂଳ ତତ୍ତ୍ୱକୁ ।ଯେଉଁ ପ୍ରକୃତି ତଥା ବୃକ୍ଷ ଆମ ମଣିଷ ଜୀବନକୁ ପରିପୁଷ୍ଟ କରେ ସେ ଆଜି ଅନ୍ତର୍ଦ୍ଧହନରେ ନିଷ୍ପେସିତ ହୋଇ ଆମ କୁକର୍ମକୁ ଅବଲୋକନ କରୁଛି । ମଣିଷ ଆଜି ଜ୍ଞାନ ଗାରିମା ଉର୍ଦ୍ଧ୍ବରେ,ଜଳ ସ୍ଥଳ ଆକାଶ ମହାକାଶ ବିଜୟ ର ମହନୀୟତା ରେ ନିଜର ସାର୍ଥକତାକୁ ପ୍ରକାଶ କରୁଥିବା ବେଳେ ସମୟ ଆଜି ତାକୁ ଏମିତି ଏକ ପରିତ୍ୟକ୍ତ ଦୁନିଆକୁ ଠେଲି ଦେଇଛି ତାହା ଆଜି ଅବିଶ୍ୱସନୀୟ , ଅକଳ୍ପନୀୟ , ଅଚିନ୍ତନିୟ। 
       
         ମଣିଷ ନିଜ ସ୍ବାର୍ଥ ପାଇଁ  ସଦାସର୍ବଦା ବୃକ୍ଷ ଛେଦନ କରି ପ୍ରକୃତି ମାତାକୁ ବିକଳାଙ୍ଗ କରିବାକୁ ପଛାଉନାହିଁ। ଯେଉଁ ବାୟୁର ଅମୀୟ ସ୍ପର୍ଶରେ ଶରୀର ଗଢ଼ା ସେ ଆଜି ପ୍ରଦୂଷିତ ହୋଇ ନିଜର ସ୍ଵକୀୟ କର୍ମରୁ ବିଚ୍ୟୁତ ହୋଇଛି । ଜୀବନର ଅନ୍ୟ ନାମ ଜଳ ବୋଲି ଯାହାକୁ ଗ୍ରହଣ କରାଯାଇଛି ସେ ଆଜି କିଂକର୍ତ୍ତବ୍ୟ ବିମୁଢ ହୋଇ ମନୁଷ୍ୟ ର କୁକର୍ମ କୁ ନିରବ ଦ୍ରଷ୍ଟା ଭାବେ ଅନୁଭବ କରୁଛି । ସହରୀ କରଣ ନାମରେ ପ୍ରତିଦିନ ଲକ୍ଷ ଲକ୍ଷ ବୃକ୍ଷ କାଟି କଂକ୍ରିଟ ଜଙ୍ଗଲ ତିଆରି କରି ମଣିଷ ଆଜି ତାର ହଜାର ଦିନରେ ହଜାର ଶିଳ୍ପର ସ୍ବପ୍ନକୁ ସାର୍ଥକ କରୁଛି । ତେଣୁ ଏସବୁର ଫଳ ସ୍ୱରୂପ ଆଜି ପୃଥିବୀକୁ ମଣିଷ ବିଷବଳୟକୁ ଠେଲି ଦେଇଛନ୍ତି ।ବୈଜ୍ଞାନିକ ମତ ଅନୁସାରେ ପ୍ରତିକ୍ରିୟାର ସମାନ ଓ ବିପରୀତ କ୍ରିୟା ରୂପେ ଆଜି ମଣିଷ ଭୋଗୁଛି ତାର ଅପରିଣାମ ଦର୍ଶିତାର ଫଳ । ଯାହାକୁ ବିଶ୍ୱ ତାପନ (global worming) ନାମରେ ମଣିଷ ନିତିଦିନିଆ ଜୀବନରେ ପରିଚିତ ହୋଇଗଲାଣି।

                      ବିଶ୍ୱ ତାପନର ଭୟାବହତା ଆଜି ସାରା ପୁଥିବୀ ପାଇଁ ଏକ ବିରାଟ ଆହ୍ଵାନ ରୂପେ ମୁଣ୍ଡ ଟେକିଛି ।ଜଳବାୟୁର ପରିବର୍ତ୍ତନରେ ଆଜି ଜୀବକୁଳ ସନ୍ତାପିତ । ସୂର୍ଯ୍ୟଙ୍କ ନିସ୍କୃତ ଅତି ବାଇଗଣୀ ରଶ୍ମିକୁ ଅବଶୋଷ କରିବା ପାଇଁ ପ୍ରକୃତି ନିର୍ମିତ ଓଜୋନ ସ୍ତର ଆଜି ଦୁର୍ବଳ ଓ ଛିଦ୍ରମୟ ହୋଇ ଯାଇଛି।ଏହା କେବଳ ବୃକ୍ଷ କଟାରୁ ପ୍ରକୃତିର କୋପ ସ୍ୱରୂପ ବନ୍ୟା ବାତ୍ୟା ଝଡ଼ ସୁନାମି ଅଗ୍ନି ଉଦ୍ଗିରଣ ଭଳି ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଭୟାବହତାକୁ ଆଜି ମଣିଷ ମର୍ମେ ମର୍ମେ ଉପଲବ୍ଧି କରୁଛି। ପୃଥିବୀ ର ୭୦ ଭାଗ ଜଳରାଶି ଯେତେବେଳେ ଉତ୍ତପ୍ତ ହେବ ସେଥିରେ ତାର ଏକ ବିରାଟ ପ୍ରତିକ୍ରିୟା ଦୃଷ୍ଟି ଗୋଚର ହେବ ଏଥିରେ ସନ୍ଦେହର ତିଳେ ମାତ୍ର ଅବକାଶ ନାହିଁ। ଜଙ୍ଗଲ  ପରିବେଶ ଏକ ଉତ୍ତମ ସନ୍ତୁଳନ ଉପରେ ଦଣ୍ଡାୟମାନ । ଏବେ କିନ୍ତୁ ସମ୍ପୂର୍ଣ ଓଲଟି ଯାଇଛି ଏହି ପରିବେଶର ମାନଚିତ୍ର । ଯାହା ବିଶ୍ୱ ତଥା ଜଗତ ପାଇଁ ଏକ ବିରାଟ ଆହ୍ୱାନ। ଅମ୍ଳବର୍ଷା ଫଳରେ ଜଳଜ ଉଦ୍ଭିଦ ଓ ପ୍ରାଣୀ ମାନଙ୍କ ଉପରେ ଘୋର ପ୍ରଭାବ ପଡିଛି । ପୃଥିବୀରୁ କେତେକ ଜୀବଜନ୍ତୁ ସମୂଳେ ବିନାଶ ହୋଇଛନ୍ତି ।

                              ଜଳବାୟୁ ର ଅନିୟମିତତା ପାଇଁ ନୂଆ ନୂଆ ଭୁତାଣୁ ମାନେ ସୃଷ୍ଟି ହୋଇ ସେମାନଙ୍କର ସଂହାର ଲୀଳା ଆରମ୍ଭ କରି ଦେଇଛନ୍ତି । ଆଜି ଅଦୃଶ୍ୟ ଭୁତାଣୁ ଭୟରେ ମାନବ ସଭ୍ୟତା ସ୍ତବ୍ଧ ହୋଇଯାଇଛି । ପ୍ରତିଦିନ ମଣିଷ ଜୀବନରେ ମୃତ୍ୟୁର ତାଣ୍ଡବ ଲୀଳା ଜାରି ରହିଛି । ବିଜ୍ଞାନ ଆଜି ହାତ ଟେକି ଦେଇଚି ଏହି ବିଭୀଷିକାକୁ , କେବଳ ଅନ୍ତର୍ଦହନରେ ଜଣିବା ଛଡା ଆଉ ଅନ୍ୟ ପନ୍ଥା ନାହିଁ । ପ୍ରକୃତି ଆଜି ସତେ ଯେମିତି କଡ ଲେଉଟାଇ ବାକୁ ବାଧ୍ୟ ହୋଇଛି । ମାନବର ମନମୁଖି ଦମନ ଲୀଳାର ଚରମ ପ୍ରତିଶୋଧ ନେଉଛି । ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଵିବିଦ୍ଧ ପ୍ରୟୋଗରେ ମଣିଷ ଯେ କେଉଁ କାଳ କୋଠରୀର ଅନ୍ଧକାର ଭିତରେ ନିଜକୁ ହଜାଇ ଦେଇଛି ତାହାକୁ ନିଜେ ଅନୁଭବ କରିଲାଣି । ମଣିଷ ନିଜର ବିଶ୍ବବିଜୟୀ ଭାବନାକୁ ଚରିତାର୍ଥ କରିବାକୁ ଯାଇ ନିଜର ସର୍ବନାଶକୁ ଆମନ୍ତ୍ରଣ କରୁଛି । । 

                   ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟ ଏହି ସମସ୍ୟା କୁ ସମାଧାନ କରିବା ପାଇଁ ବ୍ୟସ୍ତ । 

       ମଣିଷ ନିଜକୁ ନିଜେ ଏକ ବିଷବଳୟକୁ ଚାଲିଯାଇଛି । ଟିକେ ମୁକ୍ତ ବାୟୁ ପାଇଁ ଚିତ୍କାର କରୁଛି ,ଟିକେ ଭଲପାଣି ପାଣି ପାଇଁ ଅର୍ଥ ଶ୍ରାଦ୍ଧ କରୁଛି , ରୋଗ ମୃତ୍ୟୁର ଉପତ୍ୟାକାରେ ଠିଆ ହୋଇ ତ୍ରାହି ତ୍ରାହି ବୋଲି ଚିତ୍କାର କରୁଛି । ପ୍ରତି ମୁହୂର୍ତ୍ତରେ ଜୀବନ ସଂଗ୍ରାମ ଜାରି ରଖିଛି। 

          ଜଙ୍ଗଲ ସୃଷ୍ଟି କଲେ ହିଁ ବୃକ୍ଷଲତାରେ ସୁଶୋଭିତ ହେବ ଏଇ ପୃଥିବୀ । ଭୋକ ଭୁତାଣୁର ଭୟର ଉର୍ଦ୍ଧ୍ବରେ ରହି ପୁଣି ଗଢିବା  ଆମେ ଆମର ସ୍ବପ୍ନ ନୀଡ଼ ଓ ସୁନ୍ଦର ସଭ୍ୟତା। ବିଶ୍ୱ ତାପନର ଚରମ ଅଭିଶାପରେ ଆଜି ଆମେ ଯେଉଁ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ତାକୁ ଦୁରେଇ ଦେଇ ସୁନ୍ଦର ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖିବା । ସୁନ୍ଦର ସୁସ୍ଥ ପୃଥିବୀ ଗଠନରେ ସମଗ୍ର ମାନବ ସମାଜ ଆଗେଇ ଆସିଲେ ଆମକୁ ଆଉ ଏହି ଦୁର୍ଦ୍ଦିନରେ କାଳାତିପାତ କରିବାକୁ ପଡିବ ନାହିଁ । ପ୍ରତି ମୁହୂର୍ତ୍ତରେ ଆମକୁ ଟିକେ ବିଶୁଦ୍ଧ ଅମ୍ଳଜାନର ଆବଶ୍ୟକତା ରହିଛି। ଆଜି ମଣିଷ ନିହାତି ଜାଣି ପାରୁଛି ଏହି ଅମ୍ଳଜାନ କଣ ଓ କଣ ଏହାର ଉପାଦେୟତା । ଜଗତିକରଣ ନାଁରେ ଆମେ ଆଜି ଯେଉଁ ଦୁର୍ଦିନକୁ ଆବାହନ କରିଛନ୍ତି ତାର ନାଗଫାସରୁ ମୁକ୍ତି ହୋଇ ସୁନ୍ଦର ସୁଷ୍ଟ ଜୀବନ ଅତିବାହିତ କରିବା । ପ୍ରତି ମୁହୂର୍ତ୍ତରେ ବଞ୍ଚିବା ବଢ଼ିବାର ସାର୍ଥକତାକୁ ଅବ୍ୟାହତ ରଖିବା । ପ୍ରତି ଗ୍ରାମ ନଗରର ଜନପଦ ଜଙ୍ଗଲ ଜମି ବୃକ୍ଷଲତାରେ ହସାଇଵା ପାଇଁ ସତଚେଷ୍ଟା ଜାରି ରଖିବା , ତେବେ ଯାଇ ଆଗାମୀ ଭବିଷ୍ୟତ ଆମର କାର୍ଯ୍ୟକ୍ରମକୁ ତାରିଫ କରିବ । ସର୍ବ ଶେଷରେ ସେହି ପ୍ରକୃତିରାଣୀ ନବୀନ ରୂପ ସମ୍ଭାର ନେଇ ଏକ ସୁସ୍ଥ ସଭ୍ୟତା ଗଢ଼ିବ ଏବଂ ମଣିଷ ତଥା ଜୀବଜଗତର କଲ୍ୟାଣ ସାଧନ ହେବ ।  
          --------◆●◆-------
ବେଗୁନିଆପଡା ବ୍ଳକ୍ ,ତିରିଡ଼ା, ଗଞ୍ଜାମ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...