Wednesday, August 4, 2021

● ସବୁଥିରୁ ଟିକିଏ ଟିକିଏ ●



ଚୁନାରୁ ଟିକିଏ ଚିନିରୁ ଟିକିଏ
ବିରିରୁ ଟିକିଏ ମିଶି
ପୁଳି ପିଠା ଲାଗେ ପାଟିକୁ ସୁଆଦ
ଲାଳ ପଡ଼ୁଥାଏ ଖସି।
ଭାତରୁ ଟିକିଏ ଡାଲିରୁ ଟିକିଏ
ସନ୍ତୁଳା ଟିକିଏ ମିଶି
ସୁଷମ ଆହାର ଦେହକୁ ଉତ୍ତମ
ବସି ନଥିଲେ ରେ ମାଛି।
ଫଳରୁ ଟିକିଏ ମୂଳରୁ ଟିକିଏ
ପରିବା ଟିକିଏ ମିଶି
ଦେହ ହୁଏ ଆମ ସବଳ-ସୁଢ଼ଳ
ରୋଗ ପାରେ ନାହିଁ ପଶି।
ସୁନାରୁ ଟିକିଏ ତମ୍ବାରୁ ଟିକିଏ
ପିତ୍ତଳରୁ ଟିକେ ମିଶି
ତାରକସି ଫୁଲ କାନକୁ ସୁନ୍ଦର
ଆଖି ହୋଇଯାଏ ଖୋସି।
ପାଠରୁ ଟିକିଏ ଗୀତରୁ ଟିକିଏ
ଖେଳରୁ ଟିକିଏ ମିଶି
ଚାଟଶାଳୀ ଲାଗେ ସରଗଠୁଁ ଭଲ
ପିଲେ ପଢ଼ୁଥା’ନ୍ତି ହସି।
ଭାଷାରୁ ଟିକିଏ ଭାବରୁ ଟିକିଏ
ବ୍ୟାକରଣ ଟିକେ ମିଶି
ସାହିତ୍ୟ ପାଠଟା ଲାଗେ ମନଛୁଆଁ
ପଢ଼ୁ ଆମେ ଦିବାନିଶି।
ସେନେହ ଟିକିଏ ମମତା ଟିକିଏ 
ଆଦର ଟିକିଏ ମିଶି
ମା’ ବାପା ଆମ ଚଳନ୍ତି ଠାକୁର
ଋଣ ହୁଏନାହିଁ ଶୁଝି।
ଗାଳିରୁ ଟିକିଏ ମାଡ଼ରୁ ଟିକିଏ
ଆକଟ ଟିକିଏ ମିଶି
ଗୁରୁଜନେ ଆମ ମଙ୍ଗଳ ଚିନ୍ତିଲେ
ଆଶିଷ ଯାଏ ବରଷି।
ଗଛରୁ ଟିକିଏ ଲତାରୁ ଟିକିଏ 
ପାହାଡ଼ ଟିକିଏ ମିଶି
ପରିବେଶ ଲାଗେ ସବୁଜ ସୁନ୍ଦର
ଧରଣୀ ଉଠଇ ହସି।
ଝାଳରୁ ଟିକିଏ ଲାଳରୁ ଟିକିଏ
ବଳରୁ ଟିକିଏ ମିଶି
ଚଷା ଉପୁଜାଏ ସୁନାର ଫସଲ
ରକତ ମାଉଁସ ପେଷି।
ହସରୁ ଟିକିଏ ଲୁହରୁ ଟିକିଏ
ଜଞ୍ଜାଳ ଟିକିଏ ମିଶି
ଦି’ ନିଆଁ ମଝିରେ ଦୁନିଆର ଖେଳ
ହୁଏନାହିଁ ତିଳେ ବୁଝି।
ଜ୍ଞାନରୁ ଟିକିଏ ଭକ୍ତିରୁ ଟିକିଏ
ବୈରାଗ୍ୟରୁ ଟିକେ ମିଶି
ସାଧନା ବଳରେ ହୁଏ ସିଦ୍ଧିଲାଭ
ଈଶ୍ୱର ହୁଅନ୍ତି ଖୁସି।

କୁଳମଣି ସାହୁ ,ପୋଲସରା, ଗଞ୍ଜାମ
୯୮୬୧୧୦୨୬୩୦

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...