Friday, August 20, 2021

☆ ଶ୍ରାବଣ ମାସ ଓ ତା' ପରବ ☆

ଆଗେ ଶ୍ରାଵଣ ମାସରେ ଲୋକେ ଅନେକ ପର୍ଵ ପାଳୁଥିଲେ କିନ୍ତୁ ଯୋଉ ଦିନଠୁଁ ଉତ୍ତର ଭାରତର କାଉଡି଼ ଯାତ୍ରା ଆରମ୍ଭ ହୋଇଛି 
ସେଇଦିନଠୁଁ ଶ୍ରାଵଣ ମାସର ଅନ୍ଯ ପର୍ଵପର୍ଵାଣୀ ପାଳନ ଅନେକାଂଶରେ କମିଯାଇଛି ।

ଶ୍ରାଵଣମାସର ମୁଖ୍ୟ ମୁଖ୍ୟ ପର୍ଵର ନାମୋଲ୍ଲେଖ କରାଗଲା । 

୧) ଅନ୍ନଦାନ ଏକାଦଶୀ—ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର ଜନଙ୍କୁ ଅନ୍ନଦାନ ଦେଵାର ମହନୀୟ ଵ୍ରତ ପାଳନ ହେଉଥିଲା ।
ଏହାକୁ ଗାନ୍ଧାରୀ ଏକାଦଶୀ ମଧ୍ୟ କୁହାଯାଏ । ଓଡ଼ିଶାରେ ଏହି ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ  କାରଣ ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ବରୂପ ସୁଦର୍ଶନଚକ୍ରକୁ ଵିମାନରେ ପୁରୀର ସାତ ସାହିରେ ବୁଲାଯାଏ । ତେଵେ ଆଜି ପ୍ରୋକ୍ତ ଅଧିକାଂଶ ଉପଯୋଗୀ ପର୍ଵ ଲୁପ୍ତ ହୋଇଅଛି ।

୨)ଆଖେଟକ ପର୍ଵ —
ଶ୍ରାଵଣ ଶୁକ୍ଳ ତ୍ରଯୋଦଶୀ ଦିନ ଆଖେଟେକ ପର୍ଵ ପାଳନ କରାଯାଉଥିଲା । ଏହି ଦିନ କ୍ଷତ୍ରିୟ ଓ କାରିଗରମାନେ ଅସ୍ତ୍ରଶସ୍ତ୍ରାଦିର ପୂଜା କରୁଥିଲେ । ଆଜି ଏ ପର୍ଵ ମଧ୍ୟ ଲୁପ୍ତ ହୋଇ ସାରିଛି ।

୩)ପଵିତ୍ରାରୋପଣ ଚତୁର୍ଦ୍ଦଶୀ—ଶ୍ରାଵଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀଲିଙ୍ଗରାଜଙ୍କ ଭଗଵାନଙ୍କର ଯାତ୍ରା ହେଉଥିଲା ।  ଶ୍ରାବଣ ଶୁକ୍ଳ ଦ୍ବାଦଶୀ ତିଥିରେ ଵିଷ୍ଣୁ ପ୍ରଭୃତି ଦେଵତାଙ୍କୁ ପଇତା ପିନ୍ଧାଯାଏ । ତେଵେ ଯେଉଁ ଦିନଠୁଁ ପ୍ରଭୁଙ୍କ ଭକ୍ତ ପ୍ରାଚୀନ ପର୍ଵ ଛାଡ଼ି ବାହାରିଆ ଅର୍ଵାଚୀନ  ପରଵ ପଛରେ ଗୋଡ଼େଇଛନ୍ତି ସେଇଦିନଠୁଁ ଏହାଙ୍କର ଅନେକ ପର୍ଵ ଏଵଂ ଏହି ପ୍ରଭୁ ନିଜେ ଅଵହେଳିତ ଅଛନ୍ତି ।

୪)ଜାଗୁଳାଈ ପଞ୍ଚମୀ— ଶ୍ରାବଣ ଶୁକ୍ଳ ପଞ୍ଚମୀଦିନ ଏହି ପର୍ଵ ପାଳନ ହେଉଥିଲା । ଆଗେ ଏ ଦିନ ରାତିରେ ଗ୍ରାମର ଭଣ୍ଡାରି ଗୋଟିଏ ମାଟିର ଜାଗୁଆଳି ମୂର୍ତ୍ତି ନିର୍ମାଣ କରି ଗ୍ରାମର ଦ୍ବାରେ ଦ୍ବାରେ ନେଇ ବୁଲାଉଥିଲା ଓ ଗୃହସ୍ଥମାନଙ୍କୁ ଦ୍ବାରରେ ଉକ୍ତ ଠାକୁରାଣୀଙ୍କୁ ଚକୁଳି ପୂଜା ଦିଆଯିଵା ପରେ ଉକ୍ତ ପ୍ରତିମାକୁ ନେଇ ପାଣିରେ ପକାଇ ଦେଉଥିଲା । କିନ୍ତୁ ବାହାରିଆ ପର୍ଵଟେ ପାଳୁ ପାଳୁ ଦେଖାଶିଖା ଓଡ଼ିଆ ଜାତି ନିଜ ପର୍ଵଟା ଗୋଟାପଣେ ପାଶୋରି ଦେଲା । ଗଞ୍ଜେଇ ଭାଙ୍ଗ ନିଶା ସବୁକିଛି ଭୁଲେଇ ଦିଏ ନା ...

୫)ଝୁଲଣ ଯାତ୍ରା—ଆଗେ ଝୁଲଣ ଯାତ୍ରା ଓଡ଼ିଶାର ଘରେ ଘରେ ପ୍ରଶିଦ୍ଧ ଥିଲା । ଯୋଉଦିନଠୁ ଭାଙ୍ଗ ଗଞ୍ଜେଇ ଖିଆ ଠାକୁରଙ୍କ ନାଆଁ ବଦନାମ କଲେଣି ସେଇ ଦିନଠୁ ଏ ପର୍ଵର ପ୍ରଶିଦ୍ଧି ଅନେକାଂଶରେ କମିଯାଇଛି । ଆଜି ଓଡିଶାର ଲୋକ ଝୁଲଣ ଯାତ୍ରା କ'ଣ ଜାଣିଵାକୁ ଅଭିଧାନ ଅଣ୍ଡାଳନ୍ତି ସେଥିରେ ଲେଖାଥାଏ “ ଶ୍ରାଵଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବକୁ ଝୁଲଣ ଯାତ୍ରା କୁହାଯାଏ" ।।

୬)ନାଗ ପଞ୍ଚମୀ—
ଓଡ଼ିଶାରେ ନାଗଗୋତ୍ରୀ ଲୋକ ଅଧିକ । ସେମାନେ ଵିଶେଷ ଭାଵେ ନାଗପଞ୍ଚମୀ ପାଳୁଥିଲେ । ଏହା ଶ୍ରାବଣ କୃଷ୍ଣପଞ୍ଚମୀ ତିଥିରେ ପାଳିତ ହେଉଥିଲା ଏଵଂ ଏହାର ଅନ୍ୟ ନାମ ମନସା ପଞ୍ଚମୀ । ଏ ଦିନ ନାଗପୂଜା ଓ ମନସା ପୂଜା ହେଉଥିଲା । ମତାନ୍ତରେ କେହି କେହି ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ଏ ପୂଜା କରୁଥିଲେ । ତେଵେ ଦେଵୀ ପୁରାଣମତେ ଆଷାଢ଼ କୃଷ୍ଣପଞ୍ଚମୀ ଦିନ ନାଗପଞ୍ଚମୀ ତିଥି ପଡ଼ିଥାଏ । ଏ ଦିନ ଅଷ୍ଟନାଗ ଵା  ତ୍ରୟୋଦଶ ନାଗ ସିଝୁଗଛମୂଳେ ପୂଜା କରାଯାଉଥିଲା।  ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଉଥିଲା ଓ ଖିଆଯାଉଥିଲା ମଧ୍ୟ ।  ଲୋକ ଵିଶ୍ଵାସ ଥିଲା ଏ ପର୍ଵ ପାଳିଲେ ବର୍ଷକ ପାଇଁ ସର୍ପଭୟ ରହେ ନାହିଁ। କିଛି ଵର୍ଷ ହେଵ ଜାତୀୟତାହୀନ ଓଡ଼ିଆଏ ବାହାରିଆ ପର୍ଵ ପାଳନ କରୁଛନ୍ତି ତେଣୁ ନିଜ ପର୍ଵ ପାଳିଵାକୁ ଲଜ୍ୟା ଲାଗେ । 

୭)ମନ୍ଵନ୍ତରା ପର୍ଵ — ଏ ପର୍ଵ ଆଷାଢ଼ ଶୁକ୍ଳଦଶମୀ, ଶ୍ରାଵଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ହେଉଥିଲା । ଆଜି ଏହା ଅନେକାଂଶରେ ଲୁପ୍ତ । 

୮) କେତେକ ଅଞ୍ଚଳରେ ଶ୍ରାଵଣ ମାସର ଗୁରୁଵାରରେ ମାଣଵସା ଓଷା ହେଉଥିଲା । ତାହା ଏଵେ ଅଛି କି ଲୁପ୍ତ ହେଲାଣି ପାଠକ କହିଵେ । 

୯)ହରିଆଲି ଉଆଁସ/ହରେଇଲି ଉଆଁସ—ପଶ୍ଚିମାଞ୍ଚଳର ଵିଶିଷ୍ଟ ପର୍ଵ ହରିଆଲି ଓ ସାତପୁରି ଅମାବାସ୍ଯା ଵା ଶ୍ରାବଣ ଅମାବାସ୍ଯା ଭାଵେ ଖ୍ୟାତ ପର୍ଵଟି ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ। ଆଗେ ସ୍ଥାନୀୟ ଲୋକ ଏ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇବଵ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ଵ୍ଯକ୍ତିଙ୍କ ଘରେ ଖୋସିଯାଉଥିଲା । ଲୋକଵିଶ୍ବାସ ଥିଲା ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି। କିନ୍ତୁ ଆଜି ପ୍ରତ୍ୟେକ ଓଡ଼ିଆ ଲୋକ ହିନ୍ଦିଆ ହନୁକରଣରେ ବାଇ ନିଜ ପର୍ଵ ଦିଶେନି । 

୧୦)ଗହ୍ମା ପୂର୍ଣ୍ଣିମା— ଏ ମାସର ସବୁଠାରୁ ମୁଖ୍ୟ ଦିନ କିନ୍ତୁ ଓଡ଼ିଆ ଲୋକଙ୍କ ଦ୍ଵାରା ସବୁଠାରୁ ଅଧିକ ଅଵହେଳିତ ନିଜସ୍ଵ ପର୍ଵ ହେଲା ଗହ୍ମା ପୂନେଇ । ଉତ୍ତର ଭାରତରେ ଗୋପଳନର ଭାଷଣ ଦିଅନ୍ତି ଓଡ଼ିଶାରେ ଏହି କଥାକୁ ପର୍ଵାକାରରେ ପାଳନକରି ଲୋକଙ୍କୁ ଶିକ୍ଷା ଦିଆଯାଉଥିଲା । ଆଗେ ଓଡ଼ିଶାର ଵ୍ଯକ୍ତି ଵିଶେଷ ନିଜ ନିଜ ଗୃହରେ ଏହିଦିନ ସମସ୍ତେ ବଳଦେବଙ୍କୁ ପୂଜା କରୁଥିଲେ । ଗ୍ରାମପ୍ରାନ୍ତରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକାସ୍ତୂପ ନିର୍ମାଣ କରାଯାଇ ଏଠାରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରିକୁ ଏ ସ୍ତୂପକୁ ଆଡବାଗରେ ଡ଼ିଆଁଉଥିଲେ ଓ ସେଠାରେ ହୋଇଥିବା ଭୋଗ ଗ୍ରାମବାସୀମାନଙ୍କ ମଧ୍ଯରେ ବଣ୍ଟନ କରାଯାଉଥିଲା । ଆଜି କିନ୍ତୁ ରାକ୍ଷୀ ଭଳି ବାହାରିଆ ପର୍ଵ ଯୋଗୁଁ ଆମ ମାଟିର ପର୍ଵ ଆମ ଦ୍ଵାରା ହିଁ ଅଵହେଳିତ । 

ପ୍ରୋକ୍ତ ଅଧିକାଂଶ ପର୍ଵ ଶ୍ରାଵଣ ମାସରେ ପଡ଼େ ହେଲେ ଯୋଉଦିନଠଁ ବାହାରିଆ ପର୍ଵ ପାଳନ ବଢି଼ଛି ସେଇଦିନଠାରୁ ଏସବୁ ପର୍ଵ ପାଳନ ଅନେକାଂଶରେ ହ୍ରାସ ପାଇଅଛି । ଓଡ଼ିଆ ଲୋକେ ନିଜେ ଏସବୁ ପର୍ଵ ଛାଡ଼ି ଦେଇଛନ୍ତି । ବାହାରର ଅଲୋଡା଼ ଵସ୍ତୁ ଗ୍ରହଣ କରିଵାକୁ ଯାଇ ଆପଣର ମୂଲ୍ଯଵାନ ଵସ୍ତୁ ତ୍ଯାଗ କୋଉଠିକାର ପାଣ୍ଡିତ୍ଯତା ? ଜଣେ ଵିଧର୍ମୀ ଥରେ ମୋତେ କହିଲେ ଆମକୁ ତମ ଧର୍ମର ଵିନାଶକ କୁହାଯାଏ । ମୁଁ କହିଲି ସନାତନୀ ହିଁ ସନାତନ ଧର୍ମର ଶତ୍ରୁ । ସେ ନିଜ ପ୍ରାଚୀନ ସନାତନ ସଂସ୍କୃତି ଛାଡ଼ି ଅର୍ଵାଚୀନ ଓ କଳୁଷିତ ପର୍ଵ ପାଳି ନିଜ ଈଶ୍ଵର ଓ ଧର୍ମ ସ୍ଵୟଂ ହିଁ ଅପମାନ କରୁଛି ।।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...