ଦଣ୍ତେ ନିମିଷେବି ପିଣ୍ତେ ଥିଲେ ପ୍ରାଣ
ନ ନିଅ କି ଜନ୍ତୁରାଣ ?
ମୋ ଦୁଃଖ ଦାରୁଣ ଆହେ ଆର୍ତ୍ତତ୍ରାଣ
ରଖ ତୁମ ବଡପଣ
ପ୍ରାଣ ବାୟୁ ପିଣ୍ତୁ ନେଇଯାଅ ପ୍ରଭୁ
ସବୁ ଏଠି ମିଛ ମାୟା
ସଂସାର ଜଞ୍ଜାଳୁ ମୁକତି ଦିଅହେ
ବିଭୁ ବାରେ କର ଦୟା
ଜଞ୍ଜାଳ ବୋଝକୁ କାନ୍ଧରେ କାନ୍ଧେଇ
ଆଜି ମୁଁ ଥକା ବାଟେଇ
ଅଭଙ୍ଗା ନିଦରେ ଶୋଇ ଦିଅ ସ୍ଥିରେ
ଶେଷ ଅଳି ପ୍ରଭୁ ଏଇ
କାଳର କରାଳେ କରିଦିଅ ଲୀନ
ଅସହ୍ୟ ଜଞ୍ଜାଳ ଜ୍ୱାଳା
ଗହୀର ଗର୍ଭରେ ଜଗଦ୍ଦୀଶ ହରେ
ବୁଡ ମୋ ଜୀବନ ଭେଳା
ଜନ୍ମ କଲା ସୁତ ହୃଦେ ଭରେ କ୍ଷତ
ବ୍ୟସ୍ତତା ଆଳ ଦେଖେଇ
ବୋହୂ କଥା ଛାଡ ପବନର ମୋଡ
ତାକୁ ଦୋଷ ଦେବି ନାଇଁ
ଦାନ ପ୍ରତିଦାନେ ବୟସ ଅପରାହ୍ନେ
ପ୍ରତାରଣା କୁଢ କୁଢ
ବାର୍ଦ୍ଧକ୍ୟ ପୂର୍ବରୁ ସେଥିଲାଗି ସଖା
ଆୟୁଷକୁ ମୋର ଫେଡ
ଦାଶରଥି ସାହୁ
କଳମ୍ବ/ଗଞ୍ଜାମ
No comments:
Post a Comment