🌺 ‘ଅତିବଡ଼ୀ’ ଜଗନ୍ନାଥ ଦାସ 🌺
ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର କବି ‘ଅତିବଡ଼ୀ’ ଜଗନ୍ନାଥ ଦାସ ଥିଲେ ପଣ୍ତିତ ଓ ଆଧ୍ୟାତ୍ମିକ ପୁରୁଷ। ସେ ଓଡ଼ିଆ ଜାତିର ଜୀବନବେଦ ‘ଭାଗବତ’ର ସ୍ରଷ୍ଟା। ତାଙ୍କ ଭାଗବତ, ସ˚ସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ। ଡ. ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଜଗନ୍ନାଥ ଦାସଙ୍କ ଭାଗବତ, ମୂଳ ଭାଗବତଠାରୁ ଭିନ୍ନ। ସେ ସମକାଳୀନ ସାମାଜିକ ଅବସ୍ଥାକୁ ଦୃଷ୍ଟିରେ ରଖି ଭାଗବତ ରଚନା କରିଥିଲେ। ମୂଳ ଭାଗବତରେ ଯେଉଁଠି ସାମାଜିକ ମୂଲ୍ୟବୋଧ ନ ଥିବା ଅନୁଭବ କରିଥିଲେ, ସେହି ଅ˚ଶ ସେ ପରିହାର କରିଥିଲେ। ସମାଜର ଉପକାର ପାଇଁ ସେ ଭାଗବତ ରଚନା କରିଥିଲେ। ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ ସେ ଲେଖିଥିଲେ। ଦ୍ବାଦଶ ଓ ତ୍ରୟୋଦଶ ସ୍କନ୍ଧ ରଚନା କରିଥିଲେ ଯଥାକ୍ରମେ ମହାଦେବ ଦାସ ଏବ˚ ଦ୍ବାରିକା ଦାସ। ଏହି ଭାଗବତର ଅଧ୍ୟାୟ ସ˚ଖ୍ୟା ତିନି ଶହ ବୟାଳିଶ। କଥିତ ଅଛି ଜଗନ୍ନାଥ ଦାସଙ୍କ ମାତା ପୁରାଣ ଶୁଣିବା ପାଇଁ ଥରେ ମନ୍ଦିରକୁ ଯାଇଥିଲେ। ମାତ୍ର ଦକ୍ଷିଣା ଦେବାକୁ ସକ୍ଷମ ନ ଥିବାରୁ ପୁରାଣପଣ୍ତା ଶୁଣାଇବାକୁ ମନାକରିଦେଇଥିଲେ। ମନ ଦୁଃଖରେ ଘରକୁ ଫେରି ପୁତ୍ରଙ୍କୁ ଓଡ଼ିଆରେ ଭାଗବତ ରଚନା ପାଇଁ ଉପଦେଶ ଦେଇଥିଲେ। ପୁଣି, ଏଥି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କୁ ନିର୍ଦେଶ ଦେଇଥିବା ରାମଦାସଙ୍କ ‘ଦାର୍ଢ଼୍ୟତାଭକ୍ତି ରସାମୃତ’ରେ ଉଲ୍ଲେଖିତ। ପ୍ରଭୁ ସ୍ବପ୍ନରେ କହିଥିଲେ- ‘ଭୟ ନ କର ତୁମ୍ଭେ କିଛି, ଗୀତ ତୁ କର ମୁହିଁ ଅଛି।’
ରାଧାଷ୍ଟମୀ(ଅର୍ଥାତ୍, ଆଜିର ତିଥିରେ)ରେ ପୁରୀ ନିକଟବର୍ତ୍ତୀ କପିଳେଶ୍ବରପୁରରେ ସେ ଜନ୍ମ ହୋଇଥିଲେ। ଜନ୍ମ ବର୍ଷ ଠିକ୍ ଭାବେ ଜଣାଯାଏନାହିଁ; ଏକାଧିକ ମତ ରହିଛି। କେହି ୧୪୮୭ କହୁଥିବା ବେଳେ କେହି ୧୪୯୦, ପୁଣି କେହି ୧୪୯୧ ମତ ଦିଅନ୍ତି। ତାଙ୍କ ମାତାଙ୍କ ନାମ ଥିଲା ପଦ୍ମାବତୀ ଦେବୀ ଓ ପିତାଙ୍କ ନାମ ଭଗବାନ ଦାସ। କୌଶିକୀ ଗୋତ୍ରରେ ବ୍ରାହ୍ମଣ କୁଳରେ ଜନ୍ମିତ ଜଗନ୍ନାଥଙ୍କ ପିତା, ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଦ୍ବାରା ‘ପୁରାଣ ପଣ୍ତା’ ଉପାଧି ପାଇଥିଲେ। ଜଗନ୍ନାଥ ଦାସ ଅତି କମ୍ ବୟସରେ ବିଭିନ୍ନ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ। ଊଣେଇଶ ବର୍ଷ ବୟସରେ ଶ୍ରୀକ୍ଷେତ୍ର ଆସି, ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ।
ଜଗନ୍ନାଥ, ଚୈତନ୍ୟଦେବଙ୍କ ସାମସମୟିକ। କଳ୍ପ ବଟ ମୂଳରେ ଦୁହିଁଙ୍କର ପ୍ରଥମ ସାକ୍ଷାତ୍ ହୋଇଥିଲା। ତାଙ୍କୁ ‘ବ୍ରହ୍ମ ସ୍ତୁତି’ ଗାନ କରୁଥିବା ଦେଖି, ଚୈତନ୍ୟଦେବ ଆକର୍ଷିତ ହୋଇଥିଲେ। ଦୁହିଁଙ୍କ ଭିତରେ ଆଜୀବନ ଆଧ୍ୟାତ୍ମିକ ସ୍ତରର ଅନ୍ତରଙ୍ଗ ସଂପର୍କ ସ୍ଥାପିତ ହୋଇଥିଲା। ଶ୍ରୀ ଚୈତନ୍ୟ, ତାଙ୍କୁ ନିତ୍ୟ ସହଚର ଭାବେ ଗ୍ରହଣ କରିଥିଲେ। ଶ୍ରୀ ଚୈତନ୍ୟ ହିଁ ତାଙ୍କୁ ‘ଅତିବଡ଼ୀ’ ଉପାଧି ଦେଇଥିଲେ। ଜଗନ୍ନାଥ ଆଧ୍ୟାତ୍ମିକତାର ଶୀର୍ଷରେ ଥିଲେ। ପୁରୁଷ ଓ ସ୍ତ୍ରୀ ମଧ୍ୟରେ ପ୍ରଭେଦ ଦେଖିପାରୁ ନ ଥିଲେ। ସେ ‘ବଡ଼ ଓଡ଼ିଆ ମଠ’ ଓ ‘ସାତ ଲହଡ଼ି ମଠ’ର ପ୍ରତିଷ୍ଠାତା।
ଓଡ଼ିଆ ଭାଷା-ସାହିତ୍ୟର ପ୍ରଚାର-ପ୍ରସାରରେ ‘ଓଡ଼ିଆ ଭାଗବତ’ର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ‘ଅତିବଡ଼ୀ’ଙ୍କ ଜୀବନ କାଳରେ ପ୍ରସିଦ୍ଧ ହୋଇଥିଲା ଏବ˚ ସାମାଜିକ-ଧାର୍ମିକ-ସା˚ସ୍କୃତିକ ପ୍ରତିଷ୍ଠା ଲାଭକରିଥିଲା। ଏବେ ବି ଓଡ଼ିଶାର ଘରେ ଘରେ ଏହା ପୂଜା ପାଉଛି। ‘ଓଡ଼ିଆ ଭାଗବତ’ ଓଡ଼ିଆ ଜାତିର ପ୍ରାଣ। ଏକଦା ଗ୍ରାମମାନଙ୍କରେ ଥିବା ‘ଭାଗବତ ଟୁଙ୍ଗି’ରେ ଏହା ରହୁଥିଲା। ସନ୍ଧ୍ୟାରେ ଗ୍ରାମବାସୀ ଏକତ୍ର ବସି ଭାଗବତ ଶୁଣୁଥିଲେ। ଏହା ବାର ଖଣ୍ତରେ ବିଭକ୍ତ, ପ୍ରତି ଖଣ୍ତରେ ଦଶରୁ-ତିରିଶଟି ଅଧ୍ୟାୟ ଏବ˚ ପ୍ରତି ଅଧ୍ୟାୟରେ ପଚାଶରୁ ତିନି ଶହ ପଦ। ଗଣନାଥ ଦାସ, ଏହାକୁ ଇ˚ରେଜୀରେ ଅନୁବାଦ କରିଥିଲେ( ‘ରିଡିଙ୍ଗ୍ସ ଫ୍ରମ୍ ଭାଗବତ’)। ‘ଗୁପ୍ତ ଭାଗବତ’, ‘ଶୂନ୍ୟ ଭାଗବତ’, ‘ଦାରୁ ବ୍ରହ୍ମ ଗୀତା’, ‘ତୁଳାଭିଣା’, ‘ବ୍ରହ୍ମଗୀତା’, ‘ଭାଗବତ ସାର’, ‘ଅର୍ଥ କୋଇଲି’, ‘ଭକ୍ତି ଚନ୍ଦ୍ରିକା’, ‘କାଳୀ ମାଳିକା’, ‘ନୀଳାଦ୍ରି ବିଳାସ’, ‘ଶ୍ରୀକୃଷ୍ଣ ଭକ୍ତି କଳ୍ପ ଲତା’, ‘ନିତ୍ୟ ଗୁପ୍ତ ଚିନ୍ତାମଣି’ ଆଦି ତାଙ୍କ ଦ୍ବାରା ରଚିତ ଅନ୍ୟ ପ୍ରସିଦ୍ଧ ପୁସ୍ତକ।
ମାଘ ସପ୍ତମୀରେ ତାଙ୍କର ପରଲୋକ ହୋଇଥିଲା।
ଲେଖିକା: ✍ ସିନ୍ଧୁଜ୍ୟୋତି ତ୍ରିପାଠୀ
No comments:
Post a Comment