Friday, December 18, 2020

■ ⚘ଅମୂଲ ମୂଲ ⚘■ ✍ ଉପେନ୍ଦ୍ର କୁମାର ବସ୍ତିଆ

☘ ଅମୁଲମୁଲ ☘  ✍ଉପେନ୍ଦ୍ର କୁମାର ବସ୍ତିଆ 
☆☆☆☆☆☆☆☆☆☆☆☆☆☆☆☆☆

ସଂସାରରେ ଯାହା କିଛି ଗଢ଼ିଛନ୍ତି ବିହି 
ଗଣି ଗଢି ଗଢାଇବା ପାରେନାହିଁ କେହି 
ପୁଷ୍ପ ମଧ୍ୟେ ସୁଗନ୍ଧଟି ରହି ଅଛି ଭରି 
ବିହି ହାତେ ଗଢ଼ା ସେ ଯେ କିଏ ପାରେ କରି ! ॥

ଧନ-ରତ୍ନ ତା ପାଖରେ ନୁହଁଇଟି ସରି 
ଅମୂଲମୂଲ ତାହାର କିଏ ଦେଇ ପାରି, !
ରଙ୍ଗ ବେରଙ୍ଗର ପକ୍ଷୀ ଅଛି କେତେ କେତେ 
ସେପରି କିଏସେ ଗଢି ପାରିବକି ସତେ ! ॥

ଉର୍ଦ୍ଧରେ ନୀଳ ଆକାଶ ପାରାବାର ତଳେ 
ସେପରି ଆଉକେ ଗଢି ପାରେକି କୌଶଳେ !
ପ୍ରଭାତେ ଉଦୟ ଭାନୁ ,ଚନ୍ଦ୍ର ସନ୍ଧ୍ୟା କାଳେ 
ଖଞ୍ଜି ପାରିବକି ତାରା ,ବିଦ୍ୟା ବୁଦ୍ଧି ବଳେ ! ॥

ଜୀବ ପାଇଁ ଗଢ଼ା ସେ ଯେ ତାମୂଲ ଅମୂଲ 
ଜଗତେ ତାହାର ସଙ୍ଗେ କେହି ନୁହେଁ ତୁଲ 
 ପତ୍ର, ଫୁଲ, ଫଳ ଯେଣୁ ବୃକ୍ଷ ଅଛି ଭରି 
ଅପରୂପ ବସ୍ତୁ ଆଉ କେପାରେ ତିଆରି ! ॥ 

ଜୀବଜଗତ ପାଇଁକି ସେ ମୂଲ ଅମୂଲ 
ଅନ୍ୟ ଆଉ କିଏ ଅବା ହେବନାହିଁ ତୁଲ 
ଜନ୍ମଦାତା ପିତା ମାତା ଗଢ଼ିଛନ୍ତି ବିହି 
ଦୁନିଆଁରେ ତାଙ୍କ ପରି ସରି ହେବ କେହି ! ॥

ସ୍ନେହ ଅଟଇ ତାଙ୍କର ଯେ ଅମୂଲ ମୂଲ
ସଂସାରରେ ଆଉ କିଛି ନୁହେଁ ତାହା ତୁଲ 
ସଂସାରରେ ଛୋଟ ବଡ଼ ଅଟେ ବହୁ ମୂଲ୍ୟ 
ଶ୍ରମ ବଳେ ପ୍ରାଣୀକୁ ହିଁ ମିଳେ ତାହା ମୂଲ୍ୟ  ॥

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...