#ପୂଜ୍ୟପୂଜା
#କେନ୍ଦ୍ରାପଡ଼ାର #ସେଇ #ବଡ଼କୋଠା
#ସ୍ଵର୍ଗେ #ଇନ୍ଦ୍ର #ମର୍ତ୍ତ୍ୟେ #ନରେନ୍ଦ୍ର
#ଦାନବୀର #ରାଧାଶ୍ୟାମ
ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼ କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ , ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି ଇତିହାସ ବିମୁଖ ଜାତି ପାଖରେ ମୂଲ୍ୟହୀନ , କିନ୍ତୁ ସେତେବେଳେ ଓଡ଼ିଶାକୁ ଗର୍ବ ଓ ଗୌରବ ଆଣିଦେଇଥିଲା ଏହି ପ୍ରସ୍ତର ନିର୍ମିତ ଘରଟି । 🌷🏚️
ଓଡ଼ିଆ ଜାତିର ଗର୍ବ ହୋଇପାରେ ଏ ଭୂଖଣ୍ଡରେ ଥିବା କିଛି ମନ୍ଦିର , କଳାକୃତି , ଅତୀତର ଗୌରବମୟ ଗାଥା । କିନ୍ତୁ କେନ୍ଦ୍ରାପଡ଼ା ସହରର ଏହି କୋଠା ଯେ ଏକ ତୀର୍ଥସ୍ଥଳୀ , ଏହାକୁ ଅସ୍ବୀକାର କରିହେବ ନାହିଁ । ( ସରସ୍ଵତୀ ଫକୀରମୋହନ ସେନାପତିଙ୍କ ଆତ୍ମଚରିତରୁ ଆସନ୍ତୁ ଆରମ୍ଭ କରିବା ଏ ସମ୍ପର୍କରେ କିଛି ଅଜଣା ତଥ୍ୟ )
ସରସ୍ଵତୀ ଫକୀରମୋହନ ସେନାପତିଙ୍କ ଆତ୍ମ ଚରିତରୁ ---- 📖
" ସନ ୧୮୯୯ ମସିହାରେ କେନ୍ଦ୍ରାପଡ଼ା ଜମିଦାର ଲକ୍ଷ୍ମୀନାରାୟଣ ଜଗଦ୍ଦେବଙ୍କ ଠାରୁ ଖଣ୍ଡିଏ ଟେଲିଗ୍ରାଫ୍ ପାଇ ଷ୍ଟିମାର ଯୋଗେ କେନ୍ଦ୍ରାପଡ଼ା ଚାଲିଗଲି । ମୁଁ ଅକ୍ଟୋବର ୨୭ ତାରିଖ ଶୁକ୍ରବାର ରାତି ୮ ଘଣ୍ଟା ବେଳେ ସେଠାରେ ପହଞ୍ଚିଲି । ରାଧାଶ୍ୟାମ ନରେନ୍ଦ୍ର ଓ ଗୌରୀଶ୍ୟାମ ନରେନ୍ଦ୍ର ଦୁଇ ସହୋଦର ଭାଇ ଥିଲେ ।
ମୁଁ ଯାଇ ଦେଖିଲି , କେନ୍ଦ୍ରାପଡ଼ାର ଜମିଦାର ମାନେ ନାସିକାଗ୍ର ପର୍ଯ୍ୟନ୍ତ ଋଣ ସାଗରରେ ନିମଗ୍ନ । ଅତ୍ୟଧିକ ଦେବ ଓ ଅତିଥି ସେବା ଯୋଗୁଁ ସେମାନଙ୍କର ଏ ଭାଗ୍ୟ-ବିପର୍ଯ୍ୟୟ ଘଟିଅଛି । 😭
× × ×
କେନ୍ଦ୍ରାପଡ଼ାର ସୁପ୍ରସିଦ୍ଧ ବଂଶ ଯୁଗଳର ବିପଦର ପ୍ରଧାନ କାରଣ -- ଚତୁର୍ମାସ୍ୟାରେ ସାଧୁପଲ ପାଳନ।ଏ ବିଷୟଟି ସମସ୍ତ ଭାରତରେ ବିଖ୍ୟାତ ଥିବାରୁ ଭାରତର ଯାବନ୍ତ ଭଣ୍ଡ , ଶଠ , ଅଳସୁଆ ଅସାଧୁ-ସାଧୁ ପାଲଟିଯାଇ କେନ୍ଦ୍ରାପଡ଼ା ମଠରେ ପହଞ୍ଚିଯା'ନ୍ତି।ସାଧୁ ପାଲଟିବା ସେପରି କିଛି କଠିନ ବିଷୟ ନୁହେଁ ।ବରଅଠା ବୋଳି ମୁଣ୍ଡ ବାଳଗୁଡ଼ାକ ଜଟା ତୟାର କରି , ଦେହରେ କାଦୁଅ ପାଉଁଶ ଗୁଡ଼ାଏ ବୋଳି ଦେଲେ ହେଲା । ସେଭଳି ଲୋକଙ୍କ ପକ୍ଷରେ କନା ଖଣ୍ଡେ କୌପୀନ ମାରିଦେବା କିଛି କଠିନ କଥା ନୁହେଁ ।' ଆଷାଢ଼ସ୍ୟ ପ୍ରଥମ ଦିବସ ' ଠାରୁ ପୁଣ୍ୟ କାର୍ତ୍ତିକ ମାସ ପର୍ଯ୍ୟନ୍ତ ସାଧୁଗଣଙ୍କର ବିଶ୍ରାମ ସମୟ। ସେମାନଙ୍କର ସେବାର ବନ୍ଦୋବସ୍ତ ପୁଣି କିପରି ? ଭାତ , ଡାଲି , ତରକାରି ଓ ରୁଟି ଆଦେଶ ମାତ୍ରକେ ଉପସ୍ଥିତ । ତାହା ଛଡ଼ା ଦେବତା ମାନଙ୍କ ପାଇଁ ପୁରି , ମାଲପା ଓ ଲଡ଼ୁର ସ୍ଵତନ୍ତ୍ର ବନ୍ଦୋବସ୍ତ । ଆଉ ଗଞ୍ଜେଇ , ଭାଙ୍ଗ, ଗୁଡ଼ାଖୁ , ଧୂଆଁପତ୍ର ସମସ୍ତ ସାଧୁ ମାନଙ୍କର ନିତ୍ୟ ସେବ୍ୟ । ପୁଣି କେନ୍ଦ୍ରାପଡ଼ା ଉଠାଣି ସାଧୁ ମହାତ୍ମାମାନେ ତୀର୍ଥ ଦର୍ଶନକୁ ବାହାରିଯିବେ । ସେଥିପାଇଁ ବାଟଖର୍ଚ୍ଚ , ଟଙ୍କା, ଲୁଗା ଓ କମ୍ବଳ ନିତାନ୍ତ ଆବଶ୍ୟକ । 😁
ଜମିଦାରଙ୍କ ସାଧୁସେବା ଦ୍ଵାରା କେହି କେହି ସାଧୁ ମହାଜନ ପାଲଟି ଯାଉଥିଲେ । ସାମନ୍ତଙ୍କ ମନ୍ଦିରରୁ ଚାଉଳ , ଡାଲି ,ମଇଦା, ଚିନି ,ଘିଅ ଖାଇବାକୁ ମିଳେ । ଚାଉଳ ,ଡାଲିରେ ପେଟ ପୂରିଯାଏ । ଘିଅ , ମଇଦା , ଚିନି ଗୁଡ଼ିକ ବଜାରରେ ବିକି ଟଙ୍କା ମୁଠିସ୍ଥ କରନ୍ତି । ଏହି ଉପାୟ ଦ୍ଵାରା କେହି କେହି ସାଧୁ ଅନେକ ଟଙ୍କା ଜମାଉଥିଲେ । ସେହି ଟଙ୍କାରୁ ପୁଣି ଜମିଦାରଙ୍କୁ କିଛି କରଜ ଦେଉଥିଲେ । ମୁଁ କେନ୍ଦ୍ରାପଡ଼ାରେ ଥିବା ସମୟରେ ଏହିରୂପ ଦୁଇଜଣ ସାଧୁ ମହାଜନ ଉପସ୍ଥିତ ହେଲେ। ସେମାନେ ପ୍ରତ୍ୟେକ ସାମନ୍ତଙ୍କୁ ପାଞ୍ଚଶତ ଟଙ୍କା କରଜ ଦେଇଥିଲେ । ସେମାନେ କହିଲେ ଯେ , ଗୋଟିଏ ସାଧୁଦଳ ସହିତ ସେମାନେ ଆସିଛନ୍ତି । ସେହି ଦଳ ବର୍ତ୍ତମାନ କଟକରେ ଅଛନ୍ତି । ସେମାନଙ୍କ ମୂଳ ଓ କଳନ୍ତର ଦେଇଦେଲେ ସେମାନେ ଚାଲିଯିବେ । ଯଦି ଦେବାକୁ ଦିନେ ଓଳିଏ ଡେରି ହୁଏ , ସେମାନଙ୍କ କଟକସ୍ଥ ଜମାୟତ୍ କେନ୍ଦ୍ରାପଡ଼ା ଚାଲି ଆସିବେ । ଜମାୟତ୍ ଦଳରେ ଷାଠିଏ ମୂର୍ତ୍ତି ସାଧୁ , ତପସ୍ୱୀ ଓ କେତେକ ହାତୀ ,ଓଟ , ଘୋଡ଼ା ପ୍ରଭୃତି ଅଛନ୍ତି । ବର୍ତମାନ ମହାବିପଦ ଉପସ୍ଥିତ । ସେହି ସାଧୁଦଳ ଯଦି କେନ୍ଦ୍ରାପଡ଼ା ଆସିଯାନ୍ତି , ସେମାନଙ୍କ ପିଛା ଦୈନିକ ଅନ୍ତତଃ ଏକଶତ ଟଙ୍କା ଖରଚ ହେବ । ତହବିଲ୍ ତ ଶୂନ୍ୟ । ଅନେକ କଷ୍ଟରେ ଧାର କରଜ କରି କଳନ୍ତର ବାଡ଼ଟା ଛିଣ୍ଡାଇ ଦେଇ , ମୂଳ ଟଙ୍କା ସକାଶେ ଖଣ୍ଡିଏ ନୂତନ ତମସୁକ କରାଇ ଦିଆଗଲା । ଶୁଣିଲି ଏ ମହାଜନ ଯୋଡ଼ାକ ଏଥିପୂର୍ବେ ଲାଗ୍ ଲାଗ୍ ଦଶ ବାର ବର୍ଷ ପର୍ଯ୍ୟନ୍ତ ସାମନ୍ତଙ୍କ ମଠରେ ' ଚତୁର୍ମାସ୍ୟ ସାଧୁ ' ଥିଲେ । ଏହି ମଠରୁ ଉପାର୍ଜିତ ଟଙ୍କାରେ ଏବେ ମହାଜନ ପାଲଟି ଯାଇଛନ୍ତି । ତିନିବର୍ଷ ପୂର୍ବେ ମୁଁ ଗୋଟିଏ ସରକାରୀ ରିପୋର୍ଟରେ ପଢ଼ିଥିଲି ; ଭାରତରେ ସାଧୁ ସଂଖ୍ୟା ଅଣଚାଳିଶ ଲକ୍ଷ । 🤣
ମୁଁ କେନ୍ଦ୍ରାପଡ଼ାରେ ଉପସ୍ଥିତ ହୋଇ ଜମିଦାରୀର ଆୟ ବ୍ୟୟ ଏବଂ ଦେଣା ପାଉଣା ବିଷୟରେ ତଦନ୍ତ କରି ଦେଖିଲି , ଜମିଦାରୀର ସମସ୍ତ ପ୍ରକାର ଆୟରୁ ମହାଜନମାନଙ୍କ ପ୍ରାପ୍ୟ ମୂଳ ଟଙ୍କାର କଳନ୍ତର ଆଦାୟ କରି , ଅଳ୍ପମାତ୍ର ଟଙ୍କା ଅବଶିଷ୍ଟ ରହେ । ଜମିଦାରୀ ବିକ୍ରୟ ନ କଲେ ମୂଳଟା ପରିଶୋଧର କୌଣସି ଉପାୟ ନାହିଁ । ଏଣେ ପୁଣି ଲକ୍ଷାବଧି ଟଙ୍କାର ଡିକ୍ରୀକାରି ମାମଲା ଅଦାଲତରେ ଝୁଲୁଥାଏ । ମୁଁ ବିବେଚନା କଲି , ମହାଜନମାନଙ୍କ କଳନ୍ତର ବାଦ୍ ଅବଶିଷ୍ଟ ଟଙ୍କାରେ ଜମିଦାର ଯଦି ସଂସାର ଚଳାଇବାକୁ ସ୍ଵୀକୃତ ହୁଅନ୍ତି, ଜମିଦାରୀର କେତେକ ଅଂଶ ବିକ୍ରୟ କରିଦେଇ , ଡିକ୍ରୀ ଟଙ୍କା ପରିଶୋଧ କରିଦେବୁଁ ; ଆଉ ଅବଶିଷ୍ଟ ଜମିଦାରୀ କଲିକତାର କୌଣସି ମହାଜନ ନିକଟରେ ବନ୍ଧକ ରଖି , ଅଳ୍ପ କଳନ୍ତରରେ ଟଙ୍କା କରଜ ଆଣିବୁଁ । ଅତଃପର ଧୀରେ ଧୀରେ ମହାଜନ ଦେଣା ପରିଶୋଧ କରାଯିବ । ମୁଁ ଭଲରୂପେ ହିସାବ କରି ଦେଖିଲି ଯେ ଏହି ଉପାୟରେ ଅର୍ଦ୍ଧାଂଶ ଜମିଦାରୀ ରକ୍ଷା ପାଇପାରେ ; ମାତ୍ର ମୋ' କଳ୍ପିତ ବନ୍ଦୋବସ୍ତ ଅନୁସାରେ କାର୍ଯ୍ୟ ନ କରି ଜମିଦାର ପୂର୍ବବତ୍ ସମସ୍ତ କାର୍ଯ୍ୟ କରିବାକୁ ଲାଗିଲେ । ମୋତେ ପରିଷ୍କାର ଜବାବ୍ ଦେଲେ ଯେ , ଦେବସେବାର ଖର୍ଚ୍ଚ କୌଣସି ପ୍ରକାରେ କମାଇ ପାରିବେ ନାହିଁ । ମୁଁ କେନ୍ଦ୍ରାପଡ଼ାରେ ନ' ମାସ ମାତ୍ର ଥିଲି । ଜମିଦାରୀ ରକ୍ଷାର କୌଣସି ଉପାୟ ନ ଦେଖି , କାର୍ଯ୍ୟତ୍ୟାଗ କରି କଟକ ଚାଲିଆସିଲି । "
ବ୍ୟାସକବି ଫକୀରମୋହନ ଓଡ଼ିଶାର ଏକ ସମ୍ଭ୍ରାନ୍ତ ଖ୍ୟାତିସମ୍ପନ୍ନ ପରିବାରର ଅଧଃପତନକୁ ସୁଧାରିବାକୁ ଯାଇ , ଯେଉଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ତାହା ସେହି ବଂଶର ଆଭିଜାତ୍ୟ ଓ ଦାନଶୀଳ ପରମ୍ପରାର ଘୋର ବିରୋଧି ହୋଇଥିବାରୁ ପ୍ରତ୍ୟାଖ୍ୟାତ ହେବାରେ କୌଣସି ବିଚିତ୍ରତା ନାହିଁ । 😱
ଏହି ପରିବାର ମର୍ତ୍ତ୍ୟରେ ଥିଲେ ଦାନବୀର ହରିଶ୍ଚନ୍ଦ୍ର ସଦୃଶ ! କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ କୂଳରେ ଏକ କୋଠା ( ଯାହା ଏବେ ମଧ୍ୟ
#ବଡ଼କୋଠା ନାମରେ ଖ୍ୟାତ ) ରେ ରହୁଥିଲେ #ନରେନ୍ଦ୍ର #ପରିବାର । ଏହି ମହାର୍ଘ ପରିବାରର ସମସ୍ତ ପାର୍ଥିବ ବିଭବ ଦାନ ମାଧ୍ୟମରେ ନିଃଶେଷ ହୋଇ ଯାଇଥିଲା । ସେହି ବଂଶର #ରାଧାଶ୍ୟାମ
#ନରେନ୍ଦ୍ର , ସ୍ଵର୍ଗର ଇନ୍ଦ୍ର ପଦ ଠାରୁ ଆହୁରି ଦୀପ୍ତିମନ୍ତ କାରଣ ସେତେବେଳେ ଲୋକୋକ୍ତି ଥିଲା -
" #ସ୍ଵର୍ଗେ #ଇନ୍ଦ୍ର , #ମର୍ତ୍ତ୍ୟେ #ନରେନ୍ଦ୍ର " ! 🌻
#ରାଧାଶ୍ୟାମ #ନରେନ୍ଦ୍ର
( ୧୮୦୭ -- ୧୮୭୭ )
ରାଧାଶ୍ୟାମ ନରେନ୍ଦ୍ର ଧରାବତରଣ କରିଥିଲେ ୧୮୦୭ ମସିହା ଜୁନ୍ ମାସ ସାତ ତାରିଖ ଦିନ କେନ୍ଦ୍ରାପଡା ସହରର ଗୋବରୀ ନଦୀ କୂଳରେ ଅବସ୍ଥିତ ଏକ କୋଠାରେ , ଯାହା ପରବର୍ତ୍ତୀ ସମୟରେ #ବଡ଼ #କୋଠା ଭାବେ ପରିଚିତ । ସେହି ମହାନ୍ ମଣିଷ ଥିଲେ କେବଳ ଓଡ଼ିଶା ନୁହେଁ ବରଂ ଭାରତବର୍ଷର ଶ୍ରେଷ୍ଠ ଦାନୀ ।😁
#ନଅଂକ #ଦୁର୍ଭିକ୍ଷର #ମା #ଅନ୍ନପୂର୍ଣ୍ଣା
୧୮୬୬ ମସିହାରେ କେବଳ ଗୋଟିଏ ଆର୍ତ୍ତ ଚିତ୍କାର ସର୍ବତ୍ର ଶୁଣିବାକୁ ମିଳୁଥିଲା -- ହାଅନ୍ନ , ହାଅନ୍ନ । କ୍ଷୁଧା ମେଣ୍ଟାଇବାକୁ ପୁଅ ପତରରୁ ବାପ ଛଡ଼େଇ ନେଉଥିଲା , ଛତ୍ରରେ ବସୁଥିଲା , ଜାତି ହରାଉଥିଲା , ପଶୁ ମୁହଁରୁ ଯାହା ପାଇଲା ଛଡ଼ାଇ ଆଣୁଥିଲା । ଚାରିଆଡ଼େ କେବଳ କଙ୍କାଳ ହିଁ କଙ୍କାଳ। ମଣିଷଗୁଡ଼ା କଙ୍କାଳସାର ମଣିଷ । ଠିକ୍ ସେତିକିବେଳେ ବୈକୁଣ୍ଠରୁ ଯେମିତି ଓହ୍ଲାଇ ଆସିଥିଲେ ମା ଅନ୍ନପୂର୍ଣ୍ଣା ବେଶରେ ଜଣେ ମଣିଷ ତାଙ୍କ ପୁଅ ସହିତ , ରାଧାଶ୍ୟାମ ନରେନ୍ଦ୍ର ଓ ତାଙ୍କର ଏକମାତ୍ର ପୁତ୍ର ଜଗନ୍ନାଥ ଭ୍ରମରବର । ଅବିଭକ୍ତ କଟକ ଜିଲ୍ଲାର ବୁଭୁକ୍ଷୁ ଲୋକ ମାନଙ୍କ ପାଇଁ ଖୋଲା କରିଦେଇଥିଲେ ଜମିଦାରୀର ସମସ୍ତ ଖମାର । ଛତ୍ର ଖୋଲି ହଜାର ହଜାର କ୍ଷୁଧାର୍ତ୍ତଙ୍କୁ ମୁଠାଏ ମୁଠାଏ ଅନ୍ନ ପରଶି ଦେଉଥିଲେ ରାଧାଶ୍ୟାମ ମାସ ମାସ ଧରି । ପରିବାରର ସମସ୍ତେ ଯେମିତି ଜନ୍ମ ନେଇଥିଲେ ଈଶ୍ବରଙ୍କ ନିର୍ଦ୍ଦେଶ ମତେ ଏହି କ୍ଷୁଧାତୁର ମାନଙ୍କୁ ଖୁଆଇବା ପାଇଁ ! 🍝ଯିଏ ପହଞ୍ଚୁ ଥିଲା ସେ ବସି ଖାଉଥିଲା ଛତ୍ରରେ । ବାଛ ବିଚାର ନଥିଲା କିଛି ।
ସେ ସମୟରେ ଟଙ୍କାରେ ଚାଉଳ ଆଠ ସେର । ହେଲେ ଚାଉଳ ମିଳିବା ସମ୍ଭବ କେଉଁଠି ? ଛତ୍ର ତ ଖୋଲା ଯାଇଥିଲା , ଖାଦ୍ୟ ବଣ୍ଟା ଯାଉଥିଲା। ତଥାପି ରାଧାଶ୍ୟାମଙ୍କ ପାଖରେ ଆଉ କିଛି ଚାଉଳ ମହଜୁଦ ଥିଲା । ଆଦିନେତା ବିଚିତ୍ରାନନ୍ଦ ଦାସ ଙ୍କ ଠାରୁ ଶୁଣିଲେ ଯାଜପୁର ଅଞ୍ଚଳରେ ଅବସ୍ଥା ଆହୁରି ଦୟନୀୟ । ନିଜେ ବ୍ୟବସ୍ଥା କରି ସାତହଜାର ମହଣ ଚାଉଳ,ଡାଲି ପଠାଇଦେଲେ । କେନ୍ଦ୍ରାପଡ଼ା SDO ଏ କଥା ଶୁଣି ସରକାରଙ୍କ ତରଫରୁ ଚାଉଳ କିଣିବା ପାଇଁ ରାଧାଶ୍ୟାମଙ୍କ ଦ୍ଵାରସ୍ଥ ହେଲେ । ଆଠ ସେର ଚାଉଳ ବଦଳରେ ଟଙ୍କାକୁ ବାର ସେର ହିସାବରେ ଯୋଗାଇ ଦେବା ସହ କିଛି ଟଙ୍କା ଦେଇଦେଲେ ଜମିଦାର ନରେନ୍ଦ୍ର । କ୍ଷୁଧାର୍ତ୍ତ ମାନଙ୍କ ସେବା କରିବାର ଏଭଳି ସୁଯୋଗ କ'ଣ ହାତଛଡ଼ା କରାଯାଇପାରେ ? 👌
ଏ ସଂକ୍ରାନ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ ଜ୍ଞାନକୋଷର ଚତୁର୍ଥ ଭାଗରେ ଲିଖିତ ଅଛି, " ସେ ସମୟରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପରି ଦାତା ବାସ୍ତବିକ୍ କେହି ନଥିଲେ । ଦରିଦ୍ର , ରାଣ୍ଡ , ଅନାଥ , କୁଷ୍ଠୀ , ଦୁର୍ଦ୍ଦଶାଗ୍ରସ୍ତ , କର୍ମହୀନ ଯେ ତାଙ୍କର ପାଖରେ ପହଞ୍ଚିଛି , ସେ ନିଶ୍ଚୟ ତା'ର ଦୁଃଖ ନିବାରଣ କରିଛନ୍ତି । ତାଙ୍କୁ #ଦୟାସାଗର କହିଲେ ଅତ୍ୟୁକ୍ତି ହେବନାହିଁ । କେବଳ ଧନ ଦାନ କରିବା ଯୋଗୁଁ ନୁହେଁ , ପ୍ରତିପତ୍ତି ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସେ ତତ୍କାଳୀନ ଜନସମାଜରେ ଯେପରି ଶ୍ରେଷ୍ଠତ୍ଵ ଲଭିଥିଲେ , ସେହିପରି ଇଂରେଜ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ ।" 💐
* କମିଶନଙ୍କ ସାମ୍ନାରେ ଖେଦୋକ୍ତି :
ନଅଙ୍କ ଦୁର୍ଭିକ୍ଷର ଭୟାବହତା ଏବଂ କାରଣ ଅନୁଶୀଳନ କରିବା ପାଇଁ କମିଶନ ଗଠିତ ହେଲା ୧୮୬୭ ମସିହାରେ । ସାକ୍ଷୀ ଦେବାକୁ ଗଲେ ପଟାମୁଣ୍ଡାଇ ଉତ୍ତିକଣ ପ୍ରଗଣାର ଜମିଦାର ଦିଗମ୍ବର ମିତ୍ର , କେନ୍ଦ୍ରାପଡ଼ା ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଏବଂ ଉତ୍କଳ ପ୍ରାଣ କର୍ମବୀର ଗୌରୀଶଙ୍କର ରାୟ ।
ରାଧାଶ୍ୟାମ ନରେନ୍ଦ୍ରଙ୍କ ଉକ୍ତି ଥିଲା -- " ମୋ ବିଚାରରେ ଓଡ଼ିଶା ଡିଭିଜନର କମିଶନର ଜଣେ କଠୋର ହୃଦୟର ବ୍ୟକ୍ତି । ସେ ଚାଉଳର ଦର କମାଇବେ ନାହିଁ କି ପ୍ରଜାଙ୍କ ଉପରୁ ଖଜଣା ଛାଡ଼ କରିବେ ନାହିଁ । ବରଂ ଆପ୍ରାଣ ଚେଷ୍ଟା କରି ଜଳକର ଏକର ପିଛା ପାଞ୍ଚ ଟଙ୍କାକୁ ବୃଦ୍ଧି କରିଛନ୍ତି ।" 👿
କର୍ମବୀରଙ୍କ ଉକ୍ତି ଥିଲା -- " ଜମିଦାରମାନଙ୍କ ଠାରୁ ଦାନ ସୂତ୍ରରେ ଚାଉଳ ସଂଗ୍ରହ କରି ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କୁ ବାଣ୍ଟିବା ପାଇଁ ୧୮୬୬ ଅପ୍ରେଲ ମାସରେ ଗୋଟିଏ ବୈଠକରେ ସ୍ଥିର ହେଲା। ଏହି ମର୍ମରେ ଚିଠି ମଧ୍ୟ ପଠାଗଲା । ରାଧାଶ୍ୟାମ ନରେନ୍ଦ୍ର ଓ ଅନ୍ୟ ଚାରିଜଣ ଜମିଦାରଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟ ସମସ୍ତ ଜମିଦାର ରୋକ୍ ଠୋକ୍ ଜଣାଇଦେଲେ ଯେ , ସେମାନଙ୍କ ପାଖରେ ଚାଉଳ ନାହିଁ ।" 😨
* ପୁରୀ ରାଜସିଂହାସନରୁ ବଞ୍ଚିତ --
୧୮୫୯ ମସିହାରେ ଗଜପତି ବୀରକିଶୋର ଦେବ ଇହଧାମ ତ୍ୟାଗ କଲେ । ସେ ଅପୁତ୍ରିକ ଥିଲେ । ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ପୁରୀ କଲେକ୍ଟରଙ୍କ ମାଧ୍ୟମରେ କଟକ କମିଶନରଙ୍କୁ ପତ୍ର ଲେଖିଲେ । ଏହା ଉପରେ ମନ୍ତବ୍ୟ ଦେଇ କମିଶନର ଦୁଇଜଣଙ୍କ ନାମ ସୁପାରିଶ କଲେ । ଜଣେ ବକ୍ସି ଜଗବନ୍ଧୁଙ୍କ ପୁତ୍ର ଓ ଅନ୍ୟଜଣକ #ରାଧାଶ୍ୟାମ #ନରେନ୍ଦ୍ର । ଆଉ ମଧ୍ୟ ଲେଖିଲେ ଯେ , ସର୍ବତୋଭାବେ ସେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଏକଥା ଜାଣି ପାରି ମହାରାଣୀ ଆଗତୁରା କୋର୍ଟରେ ଦରଖାସ୍ତ କଲେ ଓ ନିଜେ ଏହି ସମୟ ମଧ୍ୟରେ ସ୍ଥିର କରିଥିବା ଅନ୍ୟଜଣକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିବା ପାଇଁ ଅନୁମତି ପାଇଗଲେ ।
' ଗଜପତି ' ହେବା ରାଧାଶ୍ୟାମ ନରେନ୍ଦ୍ରଙ୍କ ଭାଗ୍ୟରେ ନୋହିଲା । 😌
* ବୈଚିତ୍ର୍ୟମୟ ବଡ଼କୋଠା
ବଡ଼ ବିଚିତ୍ର ଏ କୋଠାର ଗାଥା ! ଏ କୋଠା ଇଟା , ସିମେଣ୍ଟ ବା ଚାରିକାନ୍ଥର କୋଠା ନୁହେଁ ! ଏହା ଓଡ଼ିଶାର ଏକ ତୀର୍ଥସ୍ଥଳୀ କହିଲେ ଭୁଲ୍ ହେବନାହିଁ। ଏଇଠି ଦାନବୀର ରାଧାଶ୍ୟାମ ନରେନ୍ଦ୍ର ଜନ୍ମ ନେଇ କେତେ ଲୋକଙ୍କୁ ଯେ , ଅନ୍ନ ଦାନ କରି ସେମାନଙ୍କ ଜୀବନ ରକ୍ଷା କରିଛନ୍ତି ତାହା ଅସାଧାରଣ ସମଗ୍ର ଭାରତବର୍ଷରେ । ତାଙ୍କର ନିର୍ଦ୍ଦେଶ ଥିଲା , ଖାଇବାକୁ ବସିବାର ଏକ ଘଣ୍ଟା ପୂର୍ବରୁ ଚାରି ଜଣ ଲୋକ ଚାରି ଦିଗକୁ ଏକ ମାଇଲ୍ ଯାଏ ଘଣ୍ଟା ବାଡ଼େଇ ବାଡ଼େଇ ଯିବେ ଏବଂ ଯଦି କେହି ଭୋକିଲା ଥାଆନ୍ତି ସେମାନଙ୍କୁ ବଡ଼କୋଠାକୁ ଧରି ସାଥିରେ ଆସିବେ । ସେମାନେ ପହଞ୍ଚି ଖାଇବା ପରେ ରାଧାଶ୍ୟାମ ନରେନ୍ଦ୍ର ହିଁ ଖାଦ୍ୟ ଗ୍ରହଣ କରୁଥିଲେ , ଯାହା ଥିଲା ପ୍ରତିଦିନର ରୁଟିନ୍ ! ସମଗ୍ର ଦେଶରେ ଆଉକିଏ ଜଣେ ଏଭଳି ମଣିଷ ଅଛନ୍ତି କି?
୧୮୨୫ ମସିହାରେ ଆରମ୍ଭ ହେଲା ଏହି ବଡ଼କୋଠାର ନିର୍ମାଣ କାର୍ଯ୍ୟ । ସେତେବେଳେ ରାଧାଶ୍ୟାମ ନରେନ୍ଦ୍ର ମାତ୍ର ଅଠର ବର୍ଷର ବାଳକ । ପ୍ରଚଣ୍ଡ କଳାକୃତି ଓ ବୈଷୟିକ ଜ୍ଞାନର ଅଧିକାରୀ । ଅନ୍ୟପକ୍ଷରେ ଖୋଲା ହୃଦୟର ବ୍ୟକ୍ତି । କୋଠାର ଉଚ୍ଚତା ରହିଲା ୪୦ ଫୁଟ ( ଦ୍ଵିତଳ ), ସାମ୍ନାରେ ଗମ୍ବୁଜ , ମୋଟ ଉଚ୍ଚତା ଗମ୍ବୁଜ ସହ ରହିଲା ୭୦ ଫୁଟ । କୋଠାର ଅଗଣା ମଝିରେ ୫୦ × ୨୦ ଫୁଟ ରାସ୍ତା । ପଥର ଖୋଦେଇ ବଡ଼ ବଡ଼ ଗୋଲେଇ ଖୁଣ୍ଟ । କୋଠା ମଧ୍ୟରେ ରଙ୍ଗମହଲ , ଅତିଥି ଗୃହ , ଠାକୁର ଘର , ବୈଠକ ଖାନା , ସାଧୁସନ୍ଥ ମାନଙ୍କ ଆଶ୍ରୟସ୍ଥଳୀ , ଶୟନ କକ୍ଷ , ନୃତ୍ୟସଙ୍ଗୀତ ସାଧନା କୋଠରୀ , ପାଠାଗାର , ଜମିଦାରୀର କାର୍ଯ୍ୟାଳୟ ଇତ୍ୟାଦି । ପଶ୍ଚାତରେ ନିଜ ବାସଭବନ , ବଗିଚା , କର୍ମଚାରୀଙ୍କ କୋଠରୀ , ରୋଷେଇ ଘର ଇତ୍ୟାଦି ।ଏହି କୋଠା ସେ ସମୟରେ ଓଡ଼ିଶାରେ ଥିଲା ସବୁଠୁ ବଡ଼ , ତେଣୁ ଲୋକ ମୁଖରେ ପ୍ରଚଳିତ ହେଲା #ବଡ଼ #କୋଠା ଭାବରେ । 🏚️
ବହୁତ ବଡ଼ ଜମିଦାରୀ ଥିଲା ନରେନ୍ଦ୍ରଙ୍କର । ସେହି ଜମିଦାରୀର ଅଂଶ ଥିଲା ଏବେର ଯାଜପୁର ଜିଲ୍ଲାର ରତ୍ନଗିରି , ଲଳିତଗିରି , ଉଦୟଗିରି , ଛୁମୁକା , ଅଳତି , ବରୀ , ବାଲିଆ ଏବଂ କେନ୍ଦ୍ରାପଡା ଜିଲ୍ଲାର ବହୁ ଅଞ୍ଚଳ । ସେହି ଜମିଦାରୀର ଲାଭାଂଶ ଖର୍ଚ୍ଚ ହେଉଥିଲା ସେହି ଅଞ୍ଚଳର ପ୍ରଜାମାନଂକ ହିତରେ କେବଳ । 👍
ଏତିକିରେ ସରିନାହିଁ :
ଏହି କୋଠା ଥିଲା #ସଙ୍ଗୀତନିଧି #ଗୋକୁଳ #ଶ୍ରୀଚନ୍ଦନ , #ତବଲା #ବାଦ୍ୟ #ବିଶାରଦ #ବିନୋଦ #ବିହାରୀ #ଶ୍ରୀଚନ୍ଦନ , #ବାଣୀକଣ୍ଠ #ନିମାଇଁ #ଚରଣ #ହରିଚନ୍ଦନଙ୍କ ଏନ୍ତୁଡ଼ିଶାଳ । 🙏
ଏଇଠୁ ସାଧନା ପରେ ବଡ଼ବାବାଜୀ #ରାଧାରମଣ ଦେବ ବୈଷ୍ଣବ ଧର୍ମ ପ୍ରଚାରରେ ବହିର୍ଗତ ହୋଇଥିଲେ । ବଡ଼ଖେମୁଣ୍ଡି ରାଜପୁତ୍ର ମହାପୁରୁଷ
#ଅରକ୍ଷିତ #ଦାସ ଏହି ପରିବାର ଠାରୁ ଦାନ ସୂତ୍ରରେ ପାଇଥିଲେ ନରେନ୍ଦ୍ର ପରିବାର ମାଲିକାନାରେ ଥିବା #ଓଳାଶୁଣୀ #ଗୁମ୍ପା , ଯାହା ଆଜିର ଏକ ପ୍ରମୁଖ ଧର୍ମପୀଠ । 🌻
ଏହି କୋଠା ଥିଲା ବିଦ୍ଗଧ କବି #ଅଭିମନ୍ୟୁ #ସାମନ୍ତସିଂହାର ଓ ଉତ୍କଳର ସୁପ୍ରସିଦ୍ଧ ସଙ୍ଗୀତଜ୍ଞ , ରଙ୍ଗମଞ୍ଚ ସଂସ୍କାରକ #ଗୋବିନ୍ଦ #ଚନ୍ଦ୍ର #ଶୂରଦେଓ ଙ୍କ ଶ୍ଵଶୁର ଘର । 🙏
କଳା , ସଙ୍ଗୀତ କ୍ଷେତ୍ରରେ ବେଶ୍ କିଛି ନାଁ ଥିଲା ଏହି ବଡ଼ କୋଠାର । ଏଇଠି ସମ୍ମିଳିତ ହେଉଥିଲେ ଭାରତର ବିଶିଷ୍ଟ ସଙ୍ଗୀତଜ୍ଞ ମାନେ । ବଡ଼ ଗୋଲାମ ଅଲ୍ଲୀ , ରୋସନାରା ବେଗମ୍ , ହାଫିଜ୍ ଅଲ୍ଲୀ ଖାଁ ଏହି ରଙ୍ଗମହଲ ରେ ରହି ସଙ୍ଗୀତ ପରିବେଷଣ କରି ଅନେକ ଥର ଯାଇଛନ୍ତି । ଏଇ ବଂଶର ଆଭିଜାତ୍ୟର ପ୍ରତୀକ ବିଶିଷ୍ଟ ସଙ୍ଗୀତଜ୍ଞ ଗୋକୁଳ ଶ୍ରୀଚନ୍ଦନଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ମହାନ୍ ସଙ୍ଗୀତଜ୍ଞ ବାଳକୃଷ୍ଣ ଦାସ । 🏃
ଆଜି ବଡ଼ କୋଠା କେବଳ ସ୍ମୃତିରେ । କୋଠା ଅଛି , ମା ଅନ୍ନପୂର୍ଣ୍ଣା ରୂପୀ ରାଧାଶ୍ୟାମ ନରେନ୍ଦ୍ର ନାହାଁନ୍ତି । ଦୀର୍ଘ ସତୁରୀ ବର୍ଷର ଲୀଳା ଖେଳା କରିବା ପରେ ରାଧାଶ୍ୟାମ ଈଶ୍ବରଙ୍କ ଠାରେ ଲୀନ ହୋଇଗଲେ ୧୮୭୭ ମସିହା ଡିସେମ୍ବର ମାସ ସତର ତାରିଖ ଦିନ । ଭୁଭୁକ୍ଷୁର ଆର୍ତ୍ତ ଚିତ୍କାର ଶୁଣି ଯେମିତି ଆସିଥିଲେ ଏହି ଧରାଧାମକୁ ସେହି ଦାନବୀର ହରିଶ୍ଚନ୍ଦ୍ର , ତାହା ସମଗ୍ର ଓଡ଼ିଶାବାସୀ ଭୁଲି ପାରି ନାହାଁନ୍ତି । ସେଇଥିପାଇଁ ସେ ମର୍ତ୍ତ୍ୟେ ନରେନ୍ଦ୍ର । ଆଜି ଏହି ମହାପୁରୁଷ ତଥା ମହାତ୍ମାଙ୍କୁ 'ଅନ୍ତରଙ୍ଗ କଳିଙ୍ଗ'ସମଗ୍ର ଦେଶବାସୀଙ୍କ ସହ ଦଣ୍ଡବତ ପ୍ରଣାମ ଜଣାଉଛି ।🙏👣
ଋଣୀ ରହିଲି ✍️ -- ଫକୀରମୋହନ ସେନାପତିଙ୍କ ଆତ୍ମଚରିତ /ଜ୍ଞାନକୋଷ / ଆମେ ଓଡ଼ିଆ ପୁସ୍ତକ / ରାଧାଶ୍ୟାମ ନରେନ୍ଦ୍ରଙ୍କ ଅଣନାତି ଶ୍ରୀ ରବିନ୍ଦ୍ର କିଶୋର ଶ୍ରୀଚନ୍ଦନ ( ବାବି ) , ବନ୍ଧୁ ପରମାନନ୍ଦ ସେଠୀ । ଫଟୋ ସୌଜନ୍ୟ -- ବଡ଼ କୋଠାର ବାବି ଭାଇ । 🙏
No comments:
Post a Comment