Monday, December 28, 2020

● ପୂଜନୀୟେଷୁ ●

#ପୂଜନୀୟେଷୁ               ✍© ଅମୃତେଶ ଖଟୁଆ

             "ଅଖିଳ ବ୍ରହ୍ମାଣ୍ଡପତି   ମୋ ଜୀବନ ସ୍ଵାମୀ
              ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ
                         ଧନ୍ୟ କରୁଣା ତୋହର
              ହେ କରୁଣାସିନ୍ଧୁ , କାହିଁ ତାର ପଟାନ୍ତର ।
              

              ବ୍ରହ୍ମାଣ୍ଡର ଆଦିମୂଳ     ନିଖିଳ ବିଧାତା,
              ସକଳ କଳୁଷ ହାରୀ ହେ ମଙ୍ଗଳଦାତା
                       ତୋର ମଙ୍ଗଳ ସଙ୍ଗୀତ
              ନିଖିଳ ଭୁବନ ଗାଏ ହୋଇ ବିମୋହିତ। "      
              
             (ଛାନ୍ଦମାଳା, ଦ୍ଵିତୀୟ ଖଣ୍ଡ, ରଚନା -ସ୍ତବ)

                               ପରମ୍ପରାର ବିଶ୍ଵସ୍ତ ଅନୁସରଣ ସଙ୍ଗେ ଆଧୁନିକ ଯୁଗରେ ସେ ଥିଲେ ଏକ ଋଷିପ୍ରତିମ ଆଦର୍ଶ । କହିବାକୁ ଗଲେ ଓଡିଆ ଜାତିର ଆତ୍ମାରେ ନିରଳସ ଆତ୍ମୀୟତାର ସ୍ଵର ସହ ଆଧ୍ୟାତ୍ମିକ ଜୀବନର ତୃଣମୂଳ ସ୍ତରରୁ ନିର୍ମଳ ଚେତନାକୁ ସେ ନିଜ ସର୍ଜନାକାଳରେ ଦେଇଛନ୍ତି ଅଭାବିତପୂର୍ବ ଅଭିବ୍ୟକ୍ତି । ଓଡିଆ ଆଧୁନିକ ସାହିତ୍ୟରେ ଛୋଟ ଛୋଟ ବାଳୁତମାନଙ୍କଠୁ ନେଇ ଆଜି ଆବାଳବୃଦ୍ଧବନିତାଙ୍କ କଣ୍ଠରେ ତାଙ୍କର ପରମ ପବିତ୍ର ଗୀତିକା ବି ମୁଗ୍ଧ ଶାଶ୍ଵତ ଜୀବନର ପ୍ରକୃଷ୍ଟ ବ୍ୟଞ୍ଜନା କରେ । 

                              ଓଡିଆ ମାଟିର ଯେଉଁ କୌଣସି ପ୍ରାନ୍ତରେ ଅଥବା ଆଗତ ସାୟାହ୍ନର ବିଜନତାକୁ ସମ୍ଭ୍ରମ କରୁଥିବା ତାଙ୍କ ସେ ଗୀତି ଯେତେବେଳେ କର୍ଣ୍ଣପୁଟରେ ପଦପାତ କରେ, ମନେହୁଏ ସେ ସଞ୍ଜ ଆଲୋକର ନିଷ୍ପ୍ରଭ ଆଢୁଆଳରେ ବସି ଏକାନ୍ତ ତମସା ଆଜି ନୀରବତାକୁ ନିଜର ତପସ୍ଯା ମନେ କରି ନିଶ୍ଚଳ ପଡିଯାଏ ଏବଂ ସମସ୍ତ ବିଷାଦର ଆଳ୍ପନାରୁ ବିମୁକ୍ତିର ଆସ୍ଵାଦନ ଚାହୁଁଥିବା ମଣିଷ ଏହି ଉଦାରବାଣୀ କୁ ନିଜର ମାତୃପ୍ରତିମ ଅଙ୍କଶାୟିନୀ କରେ । ଏ ମହାନୁଭବତାର ଅବଧାନ #ଭକ୍ତକବି #ମଧୁସୂଦନ #ରାଓ !

                            
                            ଆଧୁନିକ ଓଡିଆ ସାହିତ୍ୟର ଏହି ଅସପତ୍ନ ସ୍ରଷ୍ଟାଙ୍କ ଜନ୍ମ ବ୍ରାତ୍ୟ ମରହଟ୍ଟା ପରିବାରରେ । ଅଷ୍ଟାଦଶ ଶତାବ୍ଦୀ ଓ ଏହା ପୂର୍ବରୁ (ବ୍ରିଟିଶଙ୍କ ଆଗମନ ପୂର୍ବରୁ ମଧ୍ୟ) ବ୍ରାତ୍ୟ ମରହଟ୍ଟା କ୍ଷତ୍ରିୟକୁଳ ମାନେ ଉତ୍କଳମାଟିରେ ବସତି ସ୍ଥାପନା କରିଥିଲେ। ଏ ମଧ୍ୟରେ ଥିଲେ ମଧୁସୂଦନଙ୍କ ପିତାମହ ସଦାଶିବ ରାଓ । ଆଉ ସଦାଶିବ ରାଓଙ୍କ ଏକମାତ୍ର ପୁତ୍ର ଥିଲେ ଭାଗୀରଥି ରାଓ । ଭାଗୀରଥି ରାଓ ସ୍ବଳ୍ପ ଶିକ୍ଷା ପରେ ପୋଲିସ୍ କାର୍ଯ୍ଯରେ ନିଯୁକ୍ତି ପାଇଥିବା ସହ ତାଙ୍କ ସହଧର୍ମିଣୀ ଅମ୍ବିକା ଦେବୀ ଥିଲେ ସର୍ବଗୁଣସମ୍ପନ୍ନା ତଥା ଶ୍ରଦ୍ଧାଶୀଳା। ସବୁ ଥାଇ ହେଲେ ତାଙ୍କ କୋଳରେ ନଥିଲା ମାତୃତ୍ଵର ସେ ସୌଭାଗ୍ୟ ।
                            

                       ଆଉ ସେ ସମୟ ହେଉଛି ୧୮୫୩। ଶ୍ରୀପଞ୍ଚମୀ ତିଥି । ଜାନୁଆରୀ ୨୯ ତାରିଖ । ପୁଣ୍ୟ ପୁରୁଷୋତ୍ତମ କ୍ଷେତ୍ର ପୁରୀ ଠାରେ ପିତା ଭାଗୀରଥି ରାଓ ଓ ମାତା ଅମ୍ବିକା ଦେବୀଙ୍କ ଅଙ୍କ ମଣ୍ଡନ କରିଥିଲେ ମଧୁସୂଦନ ରାଓ । କିନ୍ତୁ ଅନୁଜ ଜଗନ୍ନାଥ ରାଓଙ୍କ ଜନ୍ମ ପରବର୍ତ୍ତୀ ସମୟରେ ମାତା ଇହଲୀଳା ସମ୍ବରଣ କରିଛନ୍ତି । ଫଳତଃ , ଯେଉଁ ସୌଭାଗ୍ୟ ପାଇଁ ମାତୃକୋଳ ସତତ ବ୍ୟାକୁଳ ହୁଏ ଓ ପୁତ୍ର ଯେଉଁଠି ନିର୍ବିକଳ୍ପ ସୁଖର ଆଶ୍ରା ହୁଏ ,ସେହି ଅମୂଲ୍ୟ ସୁଖରୁ ବଞ୍ଚିତ ହୋଇଥିଲେ ମଧୁସୂଦନ ରାଓ । ଆଉ ତାଙ୍କ ଭରଣ ପୋଷଣ କରିଥିଲେ ପିତା ଭାଗୀରଥି ।

                                
                           ମଧୁସୂଦନଙ୍କ ଜନ୍ମ ଯେଉଁ ତିଥିରେ ହେଇଛି, ତାହାର ସାର୍ଥକତା ଯେ ତାଙ୍କରି ଜୀବନ ନାଟିକାରୁ ହିଁ ଉପହୃତ ଓ   ଏହିପରି ସାର୍ଥକତା କେବଳ ତିଥିଦର୍ଶନର ନୁହେଁ- ଗୋଟିଏ  ଋଷିପ୍ରତିମ ପାଥେୟ ରୂପେ ସମଗ୍ର ଜୀବନ ବାଣୀ-ନିରାଜନାରେ ଯେ କିପରି ନିୟୋଜିତ କରାଯାଇପାରେ ତାହା ତାଙ୍କଠାରେ ଓ ତାଙ୍କ ସାରସ୍ଵତ ପରିପାଟୀ ମଧ୍ୟରେ ବେଶ୍ ପରିପୂର୍ଣ୍ଣ ହୋଇ ଫୁଟି ଉଠିଥାଏ । ନୀତି, ପ୍ରୀତି , ଉଦାର ତଥା ଜଣେ ଆବେଗବାହୀ ଓଡିଆର ପୁଲକୋଚ୍ଛଳ ପ୍ରବାହରେ ଓଡିଆ ମାଟି ଆଜି ବି ତଦନୁରୂପ ଗୌରବମୟ , ତାହା ସତତ ଅନସ୍ଵୀକାର୍ଯ୍ୟ ।

                              
                            ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପରେ ଭାଗୀରଥି ରାଓ ତତ୍କାଳୀନ ଦାରୋଗାଙ୍କ ଅଧୀନରେ କାର୍ଯ୍ୟ ବହନ କରୁଥିଲେ । ସେ ଏକଦା ରାତିରେ ନିଜ ପତ୍ନୀଙ୍କର ଏକ ଅଦ୍ଭୁତ ସ୍ବପ୍ନ ଦେଖି ଜାଣି ପାରିଲେ ଇହଲୀଳା ସମ୍ଵରଣ ପୂର୍ବରୁ ତାଙ୍କ ପତ୍ନୀ ଅମ୍ବିକା ଦେବୀଙ୍କୁ ସେ ଯାହା ପଣ କରିଥିଲେ, ପୁତ୍ରବତ୍ସଳ ଭାଗୀରଥି ତାହା ଅବଶ୍ୟ ସମ୍ପାଦନ କରିବେ ― ଏଥର ନିଜ ପ୍ରାଣପିତୁଳା ଦୁଇଙ୍କୁ ବାଞ୍ଛିତ ମାତୃହୃଦୟ ଯତ୍ନରେ ପରିପାଳନ କରିବେ । ଏଣୁ ଦୁଇପୁତ୍ରଙ୍କୁ ଗୋପରେ ଅବସ୍ଥାନ କରିବାକୁ ହୁଏ ଓ ଏକ ସ୍ଥାନୀୟ ଚାଟଶାଳୀରେ ମଧୁସୂଦନ ସପ୍ତମ ବର୍ଷରେ ବିଦ୍ଯାରମ୍ଭ କରିଲେ । 
                            

                         କାବ୍ୟତୀର୍ଥ ବାଣୀଭୂଷଣ ତଥା ମଧୁସୂଦନଙ୍କ ଶିକ୍ଷା ଜୀବନର ଅନ୍ୟତମ ସଫଳପ୍ରସୂ ଶିଷ୍ୟ, ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଭକ୍ତକବିଙ୍କୁ ଉତ୍ସର୍ଗୀକୃତ "ବ୍ରହ୍ମଜ୍ଞ ମଧୁସୂଦନ" ରେ ବର୍ଣ୍ଣନା କରନ୍ତି - "ମଧୁସୂଦନ ଗୋଟିଏ ବଡ଼ କୁଟୁମ୍ବର ନେତା ଥିଲେ । ଏକେ ତ ସେ ବିଭୁପ୍ରସାଦରୁ ଚତୁଃବର୍ଗ ଫଳପ୍ରାପ୍ତି ସ୍ଵରୂପ ଚାରିପୁତ୍ର ଓ ଚାରି କନ୍ୟା ଲାଭ କରିଥିଲେ, ସେମାନଙ୍କ ଛଡ଼ା ଅନ୍ୟ କୁଟୁମ୍ବଙ୍କ ମଧ୍ୟରୁ ଅର୍ଥାତ୍ ଆତ୍ମୀୟ ଜ୍ଞାତିବର୍ଗ ମଧ୍ୟରୁ କେହି କେହି ମଧ୍ୟ ତାଙ୍କରି ଆଶ୍ରୟ ପାଇ ମନୁଷ୍ୟତା ଅର୍ଜନ କରୁଥିଲେ । " ଏକକ ଭାବେ ସେ ପାରିବାରିକ ସମନ୍ଵୟ, ଦିବ୍ୟ ରସାନୁଭୂତି ସହ ନୀତିବାଦିତାରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ।

                           ସ୍ଥାନୀୟ ଚାଟଶାଳୀରେ ଶିକ୍ଷାଲାଭର ବର୍ଷକ ପରେ ପିତାଙ୍କ ଭୁବନେଶ୍ୱର ସ୍ଥାନାନ୍ତର ହୁଏ । ଆଉ ଭୁବନେଶ୍ୱର ଆସିବା ଅନ୍ତେ ତାଙ୍କର ଶିକ୍ଷାଗତ ଜୀବନରେ ପ୍ରତିଭା ପରିସ୍ଫୁଟ ହୁଏ । କାରଣ ଭୁବନେଶ୍ୱରରେ ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲରେ ଇଂରେଜ ମାନଙ୍କ ପ୍ରବର୍ତ୍ତିତ ନୂତନ ଶିକ୍ଷା ବ୍ୟବସ୍ଥାରୁ ନିଜ ମେଧା, ସୁଶୀଳତା ଓ ଦାୟିତ୍ଵବୋଧ ଦ୍ଵାରା ସେଠାକାର ଛାତ୍ର ଓ ଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀହରି ଭଟ୍ଟାଚାର୍ଯ୍ୟ ବହୁତ ପ୍ରଶଂସା କରି ମଧୁସୂଦନଙ୍କ ଜ୍ଞାନ ଓ ପ୍ରତିଭାରେ ଅଭିଭୂତ ହୋଇ ପଡିଥିଲେ । ଆଉ ନିଜ ଜ୍ଞାନର ସଦୁପଯୋଗ ଫଳତଃ ଅଧ୍ୟକ୍ଷଙ୍କ ସଦଭିପ୍ରାୟ ଦ୍ବାରା ମଧୁସୂଦନ ପୁରୀ ଜିଲ୍ଲା ସ୍କୁଲରେ ପାଞ୍ଚ ବର୍ଷ ପାଇଁ ବିନା ଦେୟରେ ପଢିଥିଲେ।  
                           

                               ସେତେବେଳକୁ ନଅବର୍ଷର ମଧୁସୂଦନ।  କସ୍ତୁରୀର ସୁବାସ ପରି ତାଙ୍କର ପ୍ରତିଭାରୂପକ ଗନ୍ଧାବହର ସ୍ଫୁରଣ ଏହିଠାରୁ ଘଟିଛି । ସହାଧ୍ୟାୟୀମାନଙ୍କ ସମ୍ମୁଖରେ ମଧ୍ୟ ସେ ଅବାଧରେ କୋଳାହଳ ସତ୍ତ୍ୱେ ଅଧ୍ୟୟନ କରୁଥିଲେ। ଏପରିକି ପାଠ ପଢାର ପିପାସାରେ ପ୍ରଗାଢ଼ ଅଭିନିବେଶ ଦ୍ଵାରା ଶ୍ରେଣୀରେ ସଦା ପ୍ରଥମ ହେଉଥିଲେ । ଏପରିକି ସମସ୍ତ ମେଧାର ପରିଚିତି ଦ୍ଵାରା ସ୍କୁଲରେ ସେ ପୁରସ୍କାରଦାତା ତଦାନୀନ୍ତନ ଗୁଣଗ୍ରାହୀ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଚକିତ କରିଦେଇଥିଲେ । ଆଉ ମେଧାବୀ ହେବାର ଫଳଶ୍ରୁତି ସ୍ଵରୂପ ସେ "ଡବଲ୍ ପ୍ରମୋଶନ" ପାଇଥିଲେ । ହେଲେ ଏହି ସମୟରେ ମଧୁସୂଦନଙ୍କ ସହ ଘଟିଲା ଏକ ଦୁର୍ଭାଗ୍ୟଜନକ ଘଟଣା । 

                              ୧୮୭୦ ମସିହା । ମଧୁସୂଦନଙ୍କୁ ତାଙ୍କ ମେଧାର ସନନ୍ଦ ସ୍ଵରୂପ ପଦକ ପ୍ରଦାନ କାଳରେ ଜଣେ ହୀନମତି ଛାତ୍ର ଅସୂୟା ପରବଶ ହୋଇ ସ୍କୁଲରେ ନିଆଁ ଲଗାଇ ଦିଏ , ଯାହା ଫଳରେ ସେତେବେଳେ ପ୍ରବେଶିକା ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି ମଧୁସୂଦନ । ଆଉ ସେତେବେଳେ ରୋମହର୍ଷଣ ଦୁର୍ଭିକ୍ଷ ନିପୀଡିତ ଦରିଦ୍ର ଓ ନିଷ୍ପେସିତଙ୍କ କରୁଣ ଅବସ୍ଥା ଦ୍ଵାରା ପ୍ରଭାବିତ ହୋଇ ସେ ଅନୁଭବ କରିପାରିଲେ ଯେ ଏହା ହିଁ ତାଙ୍କ ଜୀବନର ପ୍ରକୃଷ୍ଟ ଅନୁକୂଳ ଧର୍ମ । ଜଣେ ମେଧାବୀ ଛାତ୍ର ଭାବରେ ସେତେ ବେଳେ ସେ ଦରିଦ୍ରମାନଙ୍କୁ ସହୃଦୟତାର ସହ ଯେଉଁ ସେବା କରିଥିଲେ , ତା ପରଠୁ ତାଙ୍କ ଭିତରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଘଟେ । 

                          ଆଉ ଏହି ସମସ୍ତ ଘଟଣା ପରଠୁ ତାଙ୍କ ଭିତରେ 'ଜୀବେ ଦୟା' ର ଭାବନା ଉଦ୍ରେକ ହୁଏ ଆଉ ମାଂସ ଭକ୍ଷଣ ତ୍ୟାଗ କରନ୍ତି ଚତୁର୍ଦ୍ଦଶ ବର୍ଷୀୟ ମଧୁସୂଦନ । ଗୁଣାଗାର ସତତ ଉଦାର କବିବର ରାଧାନାଥ ଜିଲ୍ଲା ସ୍କୁଲ ପରିଦର୍ଶନ ସମୟରେ ତରୁଣ ମଧୁସୂଦନଙ୍କ ଏକାଗ୍ର ନିଷ୍ଠା ଓ ଅଧ୍ୟବସାୟର ପ୍ରଥମ ଅବଗାହନ ଫଳରେ ହିଁ ତାଙ୍କର ସମସ୍ତ ବିଷୟ ପ୍ରତି ତୀକ୍ଷ୍ଣ ଦୃଷ୍ଟିପାତ କରୁଥିଲେ । ଏପରିକି ଜ୍ଵର ପୀଡାଗ୍ରସ୍ତ ମଧୁସୂଦନଙ୍କୁ ରାଧାନାଥଙ୍କ ଶିକ୍ଷାରେ ସହୃଦୟ ସହଯୋଗ ସହ ଦୈନନ୍ଦିନ ପୁରୀର ସୁଷମାରେ ଭ୍ରମଣ ଓ ପଣ୍ଡିତ ମାନଙ୍କ ଗହଣରେ ଜ୍ଞାନ ଚର୍ଚ୍ଚା ତାଙ୍କ ଭିତରେ ଏକ ଅଦ୍ଭୁତ ସାହିତ୍ଯ ଅନୁରାଗ ଜାତ କରାଏ । 

                            
                                 

                         ବାଳକସୁଲଭ ଅନ୍ୟ ସମସ୍ତ ଆସକ୍ତି ଓ ଚିତ୍ତ ବିନୋଦନ ଜନିତ ଆକର୍ଷଣକୁ ତ୍ୟାଗ କରି ସଦା କର୍ତ୍ତବ୍ୟରେ ହିଁ ମୁଖର ରହିବା ତାଙ୍କର ବ୍ୟକ୍ତିତ୍ଵ ଓ ପ୍ରତିଭାର ପରିଚାୟକ ଥିଲା । ଆଉ ତାରୁଣ୍ୟରେ ଘଟୁଥିବା ବିଷାଦପ୍ରବଣତା ଓ ଗାମ୍ଭୀର୍ଯ୍ୟ ତାଙ୍କ ଓଜସ୍ଵୀ ଓ ତେଜସ୍ଵୀ ଦୃଷ୍ଟିଭଙ୍ଗୀ ସମ୍ମୁଖରେ ବୁଦବୁଦ ଜଳୀୟ ବାଷ୍ପ ସମାନ କ୍ଷଣପ୍ରଭ ଥିଲା । ଆଉ ନିଜ ଜୀବନରେ ଯେତେ ଦୁଃଖ ଓ ଦୀନତାର ସେ ସମ୍ମୁଖୀନ ହୋଇଛନ୍ତି ତାହା ନିକଟରେ ନିଜର ସେ ସହଜାତ କୋମଳତା ,ଉଦାରତା ଓ ଆଶାବାଦିତାକୁ କସ୍ମିନ୍ କାଳେ ତ୍ୟାଗ କରିନଥିଲେ । 
                         

                          ମଧୁସୂଦନଙ୍କ ଏହି ଜୀବନବୋଧ ହିଁ ତାଙ୍କୁ ଓଡିଆ ଜାତି ଓ ଅସ୍ମିତାର ନିର୍ମଳ ସତ୍ତାର ଉଦ୍ଭାବନରେ ବିଶେଷ ଭୂମିକା ନିର୍ବାହ କରିଥିଲା । ଏହି ସମୟରେ ତାଙ୍କର ସହପାଠୀ ଦ୍ଵୟ ଥିଲେ ଯୁଗଜନ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଏବଂ ପଣ୍ଡିତ ହରିହର ଦାସ । ଓଡିଆ ଜାତିର ଶିକ୍ଷା, ସାହିତ୍ୟ ଏବଂ ତା ସହ ସମାଜ ସଂସ୍କାର - ଏହି ତିନୋଟି ମୁଖ୍ୟ ଦିଗରେ ତାଙ୍କ ଆଦର୍ଶବାଦ ହିଁ ମଧୁସୂଦନ ଓ ପ୍ୟାରୀମୋହନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନା କରିଥାଏ । ପ୍ୟାରୀମୋହନଙ୍କ ସମଧିକ କର୍ମତତ୍ପରତା ସହ ବରେଣ୍ୟ ସହଯୋଗୀ ଓ ପରମ ଆତ୍ମୀୟ ରୂପେ ମଧୁସୂଦନ ମଧ୍ୟ ଏହି ବିପ୍ଳବୀସୁଲଭ ଆଦର୍ଶରେ ଉଦବୁଦ୍ଧ ହୋଇଥିଲେ । 

                           ୧୮୬୯ ମସିହାରେ ଜିଲ୍ଲା ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ସେ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ କଟକ ହାଇସ୍କୁଲ ସଂଲଗ୍ନ ଏଫ୍.ଏ. ଶ୍ରେଣୀରେ ନାମ ଲେଖାଇଥିଲେ । ଆଉ ସେତେବେଳେ ଉଦାର, ଗୁଣୀ ଶିକ୍ଷକଙ୍କ ସହ ଉନ୍ନତ ରୁଚିର ସହପାଠୀ ମାନଙ୍କ ଗହଣରେ ନିଜର ମହାବିଦ୍ୟାଳୟ ଜୀବନ ଅଗ୍ରଗତି କରେଇଥିଲେ । ଆଉ ତଦାନୀନ୍ତନ ଉଚ୍ଚରୁଚିସମ୍ପନ୍ନ ଅଧ୍ୟାପନା ସହ ଛାତ୍ରମାନଙ୍କ ମଧ୍ୟରେ ଜିଜ୍ଞାସା ଉଦ୍ରେକକାରୀ ଶିକ୍ଷା ର ସ୍ଵରୂପ ମଧୁସୂଦନଙ୍କୁ ମଧ୍ୟ ଅନେକତ୍ର ପ୍ରଭାବିତ କରିଥିଲା।  
                           

                           

                   ଏଥି ସହ ତଦାନୀନ୍ତନ ଦର୍ଶନ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ଵ , ସୁଶିକ୍ଷା ସହ ବ୍ରାହ୍ମ ଧର୍ମ ପ୍ରତି ନିବିଡ଼ତା ମଧୁସୂଦନଙ୍କ ମଧ୍ୟରେ ନୂତନ ଦିଗନ୍ତର ଉନ୍ମୋଚନ କରେ । ହରନାଥଙ୍କ ଦାର୍ଶନିକ ଉପଦେଶ ପ୍ରତ୍ୟେକ ସନ୍ନିବିଷ୍ଟ ଛାତ୍ରଙ୍କ ଊର୍ବରଭୂମି ସ୍ଵରୂପ ହୃଦୟରେ ରୋପିତ ବୀଜ ପରି ଅଙ୍କୁରିତ ହୋଇଥାଏ।  ଆଉ ଏହି ସମୟରେ ମଧୁସୂଦନଙ୍କ ବ୍ରାହ୍ମ ଧର୍ମ ପ୍ରତି ଅନୁରକ୍ତି ସହ ସମାଜ ଓ ଆଧ୍ୟାତ୍ମିକତାର ବିକାଶ - ଏଇ ଦୁଇଟିର ଆବେଦନ ତାଙ୍କ ମଧ୍ୟରେ ସମଭାବରେ ଶକ୍ତିଶାଳୀ ଥିଲା ।

                          କଟକରେ ପ୍ରତିଷ୍ଠିତ ବ୍ରହ୍ମୋପାସନା ସମାଜକୁ ନିତ୍ୟ ଯାଆନ୍ତି ତରୁଣ ମଧୁସୂଦନ। ସେଠାରେ ସେ ସଭ୍ୟ ସ୍ଵରୂପ ଯୋଗ ଦେଉଥିଲେ ହେଁ ଦେବେନ୍ଦ୍ରନାଥ ଠାକୁରଙ୍କ ଉଷନିଷଦୀୟ ବ୍ୟାଖ୍ୟା ଓ ଆଲୋଚନା ତାଙ୍କୁ ଆକୃଷ୍ଟ କରେ । ଅଧ୍ଯାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କର ବକ୍ତୃତା ଓ ବ୍ରାହ୍ମଧର୍ମର ମହିମା ବିଷୟରେ ଶୁଣି ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ଆଉ କଟକରେ ଏକ ନବ୍ୟ ବ୍ରାହ୍ମ ସମାଜର ଗଠନ ସହ ବ୍ରହ୍ମୋପାସନା ନିମିତ୍ତ ଏକ ସାଧାରଣ ମନ୍ଦିର ମଧ୍ୟ ଦଣ୍ଡାୟମାନ କରାଇଥିଲେ । ୩୫ ବର୍ଷ କାଳ ଏହି ସମାଜର ସଭ୍ୟ ଓ କ୍ରମେ ସମ୍ପାଦକ ଏବଂ ସଭାପତି ଭାବେ ନିଜ ଧର୍ମପ୍ରାଣତାର ପରିଚିତି ଦେଇଛନ୍ତି ।

                              ୧୮୭୧ ମସିହାରେ କୃତୀତ୍ଵର ସହ ଏଫ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଲେ ମଧୁସୂଦନ।  ଏବଂ ଏଥିପାଇଁ ସେ କଲିକତାରେ ବୃତ୍ତି ଲାଭ ସହ ବି.ଏ. ପଢିବାର ସୁଯୋଗ ପାଇଥିଲେ । ହେଲେ ଦୂରବର୍ତ୍ତୀ ସ୍ଥାନକୁ ଯିବା ନିମନ୍ତେ ପିତାଙ୍କ ଅସ୍ଵୀକାର ପରେ ତାଙ୍କର ଶିକ୍ଷାଗତ ଜୀବନର ଏହିଠାରେ ଅନ୍ତ ଘଟିଛି । ସେତେବେଳକୁ ମଧୁସୂଦନ ଅଠର ବର୍ଷର ଜଣେ ସୁଠାମ ଗମ୍ଭୀର ଏବଂ ମୂର୍ତ୍ତିମାନ ଉତ୍ସାହୀ ତରୁଣ । ହେଲେ ନୀତି ସୌଷ୍ଠବ ଦ୍ଵାରା ଗୌରବମୟ । ଏହା ପୂର୍ବରୁ ତାଙ୍କ ଛାତ୍ରଜୀବନରେ ନିଜ ସାହିତ୍ୟକୃତିର ନିଦର୍ଶନ ସ୍ଵରୂପ ସେ ଅନେକ ଇଂରାଜୀ କାବ୍ୟ ଓ ସଂସ୍କୃତ ନାଟିକାର ଅମୃତୋପମ ଓଡିଆ ଅନୁବାଦ କରିଛନ୍ତି ।

                              
                             ତଦାନୀନ୍ତନ ଶିକ୍ଷା ବ୍ୟବସ୍ଥା, ବିଶେଷ କରି ଓଡିଶାରେ ଶିକ୍ଷାର ସାଧାରଣ ଚିତ୍ର ପ୍ରତିବେଶୀ ଉପଦ୍ରୁତ ଥିଲା । ଆଉ ସେଥିପାଇଁ ସେ ସମୟରେ ପ୍ରବର୍ତ୍ତିତ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ହିଁ ଥିଲା ତାଙ୍କର ନୂତନ ଶିକ୍ଷା ନୀତିର ମୂଳ ଭିତ୍ତି । ନୂତନ ବ୍ରାହ୍ମ ଧର୍ମର ପ୍ରଚାର ବ୍ୟତୀତ ମୁଦ୍ରଣ ସଂସ୍କୃତିର ପରିପ୍ରଚାର , ସମାଜ ସଂସ୍କାର ସହ ମାତୃଭାଷାରେ ପାଠ୍ୟପୁସ୍ତକ ପ୍ରଣୟନର ଆବଶ୍ୟକତା - ଏ ସମସ୍ତ ମଧ୍ୟ ମଧୁସୂଦନଙ୍କୁ ଆଧୁନିକ ଶିକ୍ଷାର ପ୍ରବର୍ତ୍ତନ ଓ ମାତୃଭୂମିରେ ଲୋକାଭିମୁଖୀ ଶିକ୍ଷାର ନିଦର୍ଶନ ଦେବା ପାଇଁ ଖୋରାକ ଯୋଗାଏ।  
                             
                             
                           

                             ୧୮୭୧ ମସିହାରେ ମଧୁସୂଦନ ଯାଜପୁର ମଧ୍ଯ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ନିଜ ଜୀବନର ସ୍ଵାଭାବିକ ଅଥଚ ଅନିବାର୍ଯ୍ୟ ଗତିରେ ପରିଚାଳିତ ହୋଇ ଚାଲିଲେ । ଏହି ଶିକ୍ଷାର ପରିବେଶ ହିଁ ତାଙ୍କ ପ୍ରତିଭାର ମମତ୍ଵ। ଅନୁଭୂତି ସମ୍ପନ୍ନ ଚିନ୍ତନ, ବିଚାରର ଆଦର୍ଶ ସହ ଅନ୍ତରର ଅଭିଲିପ୍ସା ସହ ନିଜ ପାରିବାରିକ ଜୀବନ ମଧ୍ୟ ଏହିଠାରୁ ଅତିବାହିତ କରିବା ଆରମ୍ଭ କରିଥିଲେ । ପୁଣ୍ୟା ପୟସ୍ଵିନୀ ବୈତରଣୀ ସ୍ରୋତଧୌତ ବିରଜାକ୍ଷେତ୍ରରେ ସେ ଯେ ସଂସାରର ରଜୋଭାବ ଦୂରୀଭୂତ କରି କର୍ମମୟ ଜୀବନକୁ ମୁଖର କରିବେ , ତାହା ସ୍ଵତଃ ଜଣାପଡି ସାରିଥାଏ । 

                           ଆଉ ଏଥି ସହ ତାଙ୍କର ଏଠାରେ ପ୍ରଥମ ଅନ୍ତରଙ୍ଗ ବନ୍ଧୁ ରୂପେ ଜୁଟିଥିଲେ ବ୍ୟାସକବି ଫକୀରମୋହନ ସେନାପତି । ଏହି କାଳରେ ଯାଜପୁରରେ ତାଙ୍କ ଦେଢ ବର୍ଷର କାର୍ଯ୍ୟ କାଳ ପରେ ବାଲେଶ୍ଵର ଜିଲ୍ଲା ହେଡ଼ମାଷ୍ଟର୍ ପଦଶୂନ୍ୟ ଉତ୍ତାରୁ ସେ ପଦବୀର ନିଯୁକ୍ତି ସମୟରେ ମଧୁସୂଦନଙ୍କୁ ଦ୍ଵିତୀୟ ଶିକ୍ଷକ ରୂପେ ନିଯୁକ୍ତ କରିଥିଲେ । ଆଉ ଏହି ବାଲେଶ୍ଵରରେ ପୁଣି ମଧୁସୂଦନଙ୍କ ମିଳନ ହୁଏ ବ୍ୟାସକବି ଫକୀରମୋହନ ତଥା କବିବର ରାଧାନାଥଙ୍କ ସହ । ଏବଂ ଏହିଠାରୁ ହିଁ ଓଡିଆ ମାଟିରେ ଓଡିଆ ଭାଷାର ପ୍ରକୃଷ୍ଟ ନବଜାଗରଣର ଉନ୍ମେଷ ଘଟେ ।
                           

                                   ରାଜା ବୈକୁଣ୍ଠନାଥ ଦେଙ୍କ ପ୍ରତିଷ୍ଠିତ ଯନ୍ତ୍ରାଳୟରୁ ମୁଦ୍ରିତ ହୋଇ ପ୍ରକାଶିତ ହୁଏ 'ଉତ୍କଳ ଦର୍ପଣ' । ଏହି ମାସିକ ପତ୍ରିକାରୁ ୧୮୭୩ ମସିହା ଜାନୁଆରୀ ମାସରୁ ମଧୁସୂଦନ - ସାହିତ୍ୟର ଆଦ୍ୟଲଗ୍ନ ଘଟେ । ମଧୁସୂଦନଙ୍କର ଆଦ୍ୟ ରଚନାବଳୀ 'ପ୍ରଣୟର ଅଦ୍ଭୁତ ପରିଣାମ' (ଉପନ୍ୟାସ), 'ଚନ୍ଦ୍ରତାରା', 'ଉଲକା ପିଣ୍ଡ', 'ସୂର୍ଯ୍ୟ',  'ଆଗ୍ନେୟଗିରି' (ପ୍ରବନ୍ଧାବଳୀ) ତଥା କବିତାରେ 'ନିଶୀଥ ଚିନ୍ତା', 'ଶ୍ମଶାନ', 'ଅଯୋଧ୍ୟା ପ୍ରତ୍ୟାଗମନ' ପ୍ରକାଶିତ ହୁଏ । ଆଉ ଉପରୋକ୍ତ ପ୍ରବନ୍ଧ ସବୁ ସଂକଳିତ ହୋଇ 'ପ୍ରବନ୍ଧାବଳୀ' ନାମରେ ପ୍ରକାଶିତ ହୁଏ । 

                                   

                                  'ଶ୍ମଶାନ' କବିତାଟି ହିଁ ତାଙ୍କ ପ୍ରଥମ ରଚନା ରୂପେ ଅନୁମିତ । ଏଥିରେ ସେ ଶୈଶବରେ ଦେଖିଥିବା ଜନନୀଙ୍କର ଦେହାବସାନ ବିଷୟରେ ଏବଂ ଶ୍ମଶାନରେ ଆତ୍ମୀୟଙ୍କ ଶେଷ ସଂସ୍କାରର କରୁଣ ଦୃଶ୍ୟ ତଳେ ଜୀବନର ନିଚ୍ଛକ ସତ୍ୟକୁ ସେ ମର୍ମେ ମର୍ମେ ବର୍ଣ୍ଣନା କରନ୍ତି । ଆଉ ପ୍ରଥମ ଥର ଓଡିଆ ସାହିତ୍ୟରେ ୧୮୭୬ ମସିହାରେ ଯୌଥ ରଚନାବଳୀ ପ୍ରକାଶ କ୍ଷେତ୍ରରେ ରାଧାନାଥ ଓ ମଧୁସୂଦନଙ୍କ ମିଳିତ ରଚନାର ସଂକଳନ "କବିତାବଳୀ" ଓଡିଆ ଭାଷା ପାଇଁ ଏକ ଅନନ୍ୟ ଅବଦାନ। 'କବିତାବଳୀ' ସାରସ୍ଵତ କୃତିତ୍ୱ ପାଇଁ ମାତ୍ର ନୁହେଁ , ବରଂ ପାଠ୍ୟପୁସ୍ତକ ରୂପେ ମଧ୍ୟ ବିଶେଷ ଖ୍ୟାତି ଅର୍ଜନ କରିଛି  ।
                                  

                          'କବିତାବଳୀ' ର ଗୌରବ ବହୁମୁଖୀ । ଏହା ବର୍ଣ୍ଣନା କରିବାକୁ ଯାଇ ସଂକ୍ଷେପରେ ଯଦି କହୁ , 'କବିତାବଳୀ' ପାଠ୍ୟପୁସ୍ତକ ଭାବରେ ଯେପରି ଓଡିଆ କ୍ଷୁଦ୍ର କବିତାର ବିକାଶରେ ଏକ ନୂତନ ଦିଗନ୍ତର ଉନ୍ମୋଚନ କରିଛି , ତାହା ସେ ସମୟର ଅନ୍ୟାନ୍ୟ ପାଠ୍ୟଗ୍ରନ୍ଥମାନଙ୍କ ଅପେକ୍ଷା ବିଶେଷ ପ୍ରଭାବଶାଳୀ ଥିଲା । ଏଥିରେ ପାଶ୍ଚାତ୍ୟ ଗୀତିକବିତା ବା Lyrics ର ସୂତ୍ରପାତ ସହ ପବନ , ଆକାଶ ଓ ପ୍ରକୃତିକୁ ଘେନି ସାବଲୀଳ ରଚନା ସମୂହ ଦ୍ଵାରା ଶିକ୍ଷିତ ଓଡିଆଙ୍କୁ ଉତ୍କୃଷ୍ଟ କବିତାର ନିଦର୍ଶନ ରୂପେ ଏହାର ଛନ୍ଦ, ବିଷୟବସ୍ତୁ, ସର୍ବଜନ ପଠିତବ୍ଯ ଶୈଳୀ ଓ ଅଳଙ୍କାରର ପ୍ରୟୋଗ ଏହାକୁ 'ସାହିତ୍ୟ ବିଷୟକ ଆଦର୍ଶ ପ୍ରଶ୍ନାବଳୀ' ରେ ସ୍ଥାନ  ମଧ୍ୟ ଦେଇଛି ।

                         

                                ବାଲେଶ୍ଵର ମାଟିରୁ ସୁଲେଖକ ଭାବରେ ନିଜର ପ୍ରତିଷ୍ଠା ପ୍ରତିପାଦିତ କରି ଦୁଇବର୍ଷ ପରେ କଟକ ହାଇସ୍କୁଲ ରେ ଅତିରିକ୍ତ ପଦ ପୁନଃସ୍ଥାପିତ ହେବାରୁ ମଧୁସୂଦନ ୧୮୭୫ କୁ ସେଠାରେ ଜଣେ ପ୍ରବୀଣ ଶିକ୍ଷକ ରୂପେ ଯୋଗଦାନ କରନ୍ତି। ଆଉ ଶିକ୍ଷକ ଭାବରେ ଛାତ୍ରମାନଙ୍କ ମଧ୍ୟରେ ସମଧିକ ଜ୍ଞାନର ପ୍ରସାର, ଚରିତ୍ରର ସୁସ୍ଥ ବିକାଶ ସହ ସାଂସ୍କୃତିକ ତଥା ଓଡିଆ ମାଟିରେ ଭାଷା ବିକାଶ କ୍ଷେତ୍ରରେ ନିଜକୁ ନିୟମିତ ନିୟୋଜିତ କରୁଥିଲେ । ଏଥି ସହ ନିଜ କର୍ମକୁଶଳତା ଓ ଦକ୍ଷତା ସ୍ଵରୂପ ସେ ଦ୍ଵିତୀୟ ଶିକ୍ଷକ ପଦ ନିମିତ୍ତ ତୀବ୍ର ପ୍ରତିଦ୍ବନ୍ଦ୍ଵିତା ସତ୍ତ୍ଵେ ସେ ପଦପ୍ରାପ୍ତ ହେଲେ । 
                                

                               ଏହା ପରେ ୧୮୭୬ ମସିହାରେ କଟକ ଠାରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ତିନି ବର୍ଷ କାଳାତିପାତ କରିଛନ୍ତି । ଏହି ପଦବୀରେ ସ୍ଵକୀୟ ଉଚ୍ଚ ସ୍ତରର ଦକ୍ଷତା ଓ ଶିକ୍ଷକତା ସହ ୧୮୮୦ ମସିହାରେ ଡେପୁଟି ଇନ୍ସପେକ୍ଟର ରୂପେ ଅବସ୍ଥାପିତ ହୁଅନ୍ତି । ସେ ସମୟରେ ନିଜର ଶିକ୍ଷାୟତନ ବହିର୍ଭୂତ ଶିକ୍ଷକ ଭାବେ ନିଜର ବ୍ୟକ୍ତିତ୍ଵ ଏବଂ ଜଣେ ନୂତନ ରୁଚିସମ୍ପନ୍ନ ସାମାଜିକ ଚେତନାର ବାର୍ତ୍ତାବହ ରୂପେ ସେ ସମଗ୍ର ଅଭିଭାବକ ତଥା ଛାତ୍ରମାନଙ୍କ ଗହଣରେ ଏକ ଅଭୂତପୂର୍ବ ପ୍ରଭାବ ପ୍ରତିପାଦନ କରିଥିଲେ । ଆଉ ସେଥିପାଇଁ ନିଜ ଉଦ୍ୟମ ଫଳରେ ସେ ୧୮୮୧ ମସିହାରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନା କରିଥିଲେ ।

                          ନିଜର ସ୍ଵାଧୀନଚେତା ମନୋବୃତ୍ତି ପାଇଁ ସେ ଏହି ବିଦ୍ୟାଳୟର ନାନାବିଧ ବାଧା ଓ ଅସୁବିଧା ସତ୍ତ୍ଵେ ସରକାରୀ ସହାୟତା ପ୍ରତ୍ୟାଖ୍ୟାନ କରି ଏହାକୁ ଭିକ୍ଟୋରିଆ ହାଇସ୍କୁଲ ନାମେ ଗଢି ତୋଳିଲେ । ପରବର୍ତ୍ତୀ ସମୟରେ ଭକ୍ତକବିଙ୍କ ସ୍ମୃତିରେ ଏହା 'ଭକ୍ତମଧୁ ବିଦ୍ୟାପୀଠ' ନାମରେ ପରିଚିତ ହୁଏ।  ହେଲେ ୧୮୯୩ ମସିହାରେ ସେ କଟକ ଟ୍ରେନିଂ ସ୍କୁଲର ହେଡ଼ମାଷ୍ଟର୍ ହେଇସାରିଲା ପରେ ସେ ତତ୍କାଳୀନ କବିବର ରାଧାନାଥ ରାୟଙ୍କ 'ମହାଯାତ୍ରା' କାବ୍ୟକୁ ବ୍ରିଟିଶ୍ ବିଦ୍ଵେଷୀ ବୋଲି ଯେଉଁ ମିଥ୍ୟାରୋପ ଥିଲା , ତାହାର କଡା ସମାଲୋଚନା କରି ନିଜ ନିର୍ଭୀକତାର ପରିଚୟ ଦେଇଥିଲେ ।

                              ଦକ୍ଷତାର ସହ ଶିକ୍ଷାକ୍ଷେତ୍ରରେ ଅପୂର୍ବ ଯୋଗଦାନ , ବିଶ୍ଵସ୍ତ ଭାବରେ ସରକାରଙ୍କ କର୍ମ ପରିଚାଳନା ଏବଂ ସାଧାରଣ ସାହିତ୍ୟ ପ୍ରଚାର ଲାଗି ସେ ୧୯୦୭ ମସିହାରେ 'ରାୟ ବାହାଦୂର' ଉପାଧିରେ ବିମଣ୍ଡିତ ହୁଅନ୍ତି।  ଆଉ ଏହା ପୂର୍ବରୁ ସେ ପିଲାମାନଙ୍କୁ ଲୋକାଭିମୁଖୀ ଶିକ୍ଷା ପ୍ରଦାନ ନିମନ୍ତେ 'ଶିକ୍ଷାବନ୍ଧୁ', 'ନବସମ୍ବାଦ', 'ଆଶା' ଓ 'ବ୍ରାହ୍ମ' ଭଳି ପତ୍ରିକାର ପ୍ରକାଶନ କରେଇ ଚାଲିଥିଲେ । ଏଥି ସହ ତଦାନୀନ୍ତନ ବୁଦ୍ଧିଜୀବୀ ସମାଜକୁ ପାଇଁ ଅନ୍ୟତମ ପ୍ରବର୍ତ୍ତନାରେ ତାଙ୍କର ଆହୁରି ଦୁଇଟି ମହନୀୟ ଦାନ ହେଉଛି 'ଉତ୍କଳ ସାହିତ୍ୟ' ଏବଂ କଟକ ଟ୍ରେନିଂ ସ୍କୁଲ 'ଆଲୋଚନା ସଭା' । 
                              
                              

                          ଏହି 'ଉତ୍କଳ ସାହିତ୍ୟ' ୧୯୦୩ ମସିହା ମେ ମାସ ୭ ତାରିଖ ଦିନ ତାଙ୍କରି ସମୁଦ୍ୟମ ଓ ଦକ୍ଷତା ଅଧୀନରେ  'ଉତ୍କଳ ସାହିତ୍ୟ ସମାଜ' ରୂପେ ପ୍ରତିଷ୍ଠା ଲାଭ କରେ । ଏତଦ୍ ପୂର୍ବରୁ ଉଲ୍ଲେଖଯୋଗ୍ୟ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଅଧ୍ୟକ୍ଷତାରେ ସେହି ବର୍ଷ ଅନୁଷ୍ଠିତ 'ଉତ୍କଳ ସମ୍ମିଳନୀ' ର ପ୍ରଥମ ଅଧିବେଶନ "ଓଡିଆ ଭାଷାର ଏବଂ ସାହିତ୍ୟର ଉନ୍ନତି ସାଧନାର୍ଥ ସମ୍ମିଳିତ ଓ ସୁଚାଳିତ ଚେଷ୍ଟାର ଆବଶ୍ୟକତା" ପରିପ୍ରେକ୍ଷୀରେ ଏହି ସାହିତ୍ୟ ସମାଜ ସମ୍ମିଳନୀ ଗଠିତ ଏକ ସ୍ଥାୟୀ ସମିତିର ବିହିତ ପ୍ରସ୍ତାବରେ ସଂଗଠିତ ହୁଏ । ଆଉ ଏହି 'ଉତ୍କଳ ସାହିତ୍ୟ ସମାଜ' ର ଉନ୍ନୟନର ଆଦ୍ୟ କୀର୍ତ୍ତି ଥିଲେ ମଧୁସୂଦନ ରାଓ ଏବଂ ବାଗ୍ମୀ ବିଶ୍ଵନାଥ କର ।

                               ପରିଶେଷରେ ୧୯୦୯ ମସିହା ଜୁଲାଇ ମାସରେ ଡିଭିଜନାଲ୍ ଇନ୍ସପେକ୍ଟର ରୂପେ ଅବସ୍ଥାପିତ ଥାଇ ନିଜ କର୍ମଗତ ଜୀବନରୁ ଅବସର ଗ୍ରହଣ କରନ୍ତି।  ହେଲେ ତାଙ୍କ ଲକ୍ଷ୍ୟ ଓ ଧାରାବାହିକତାର ଅନ୍ତ ଏଇଠି ହୋଇନଥିଲା । କବି ମାୟାଧର ମାନସିଂହ ଲେଖନ୍ତି ,  "କିନ୍ତୁ ବେଳେ ବେଳେ ଭକ୍ତ ଓ ଶିକ୍ଷକର ଆତ୍ମାରେ କବିର ପ୍ରେରଣା ଓ ଦିବ୍ୟ ଦୃଷ୍ଟି ଭାସି ଉଠୁଥିଲା ଯେତେ ବେଳେ କି ସେହି ଆତ୍ମା , ଅହରହ ଅନ୍ଵେଷଣ କରୁଥିବା ତାର ଦୈବତ ପ୍ରଭୁଙ୍କ ସହିତ ଏକୀଭୂତ ହେବାର ପରମାନୁଭବ ପାଉଥିଲା . . . ମଧୁସୂଦନଙ୍କ 'ହିମାଚଳେ ଉଦୟୋତ୍ସବ' ଓ 'ଋଷିପ୍ରାଣେ ଦେବାବତରଣ' ଏହିପରି ଅନ୍ତର୍ଦର୍ଶନମୟ କାବ୍ୟ ସୃଷ୍ଟିର ପରମ ଦୃଷ୍ଟାନ୍ତ ।"

                             ଜୀବନରେ ୩୫ ବର୍ଷ ଧରି ଶିକ୍ଷା ବିଭାଗ ସହିତ ଘନିଷ୍ଠ ରହିଲା ପରେ ମଧୁସୂଦନ ଆଧୁନିକ ଓଡିଆ ପାଠ୍ୟ ପୁସ୍ତକର ଅଭାବ ପରିଲକ୍ଷିତ କରିଥିଲେ । ଆଉ ସେହି ଅଭାବର ପରିପୂରଣ ପାଇଁ ସେ ଅକ୍ଳାନ୍ତ ଅଧ୍ୟବସାୟ ମଧ୍ୟ କରିଥିଲେ। ତାଙ୍କ ରଚିତ କେତୋଟି ଆଦ୍ୟ ପାଠ୍ୟପୁସ୍ତକ ହେଉଛି 'ପ୍ରବନ୍ଧମାଳା', 'ସାହିତ୍ୟ କୁସୁମ', 'ସାହିତ୍ୟ ପ୍ରସଙ୍ଗ', 'ଶିଶୁବୋଧ', 'ବାଳବୋଧ', 'ଛାନ୍ଦମାଳା' ଏବଂ 'ଅବଧାନ ବନ୍ଧୁ' ପ୍ରଥିତଯଶା । ପାଠ୍ୟ ପୁସ୍ତକ ମାଧ୍ୟମରେ ଜ୍ଞାନବିଜ୍ଞାନର ନୂତନ ଦିଗନ୍ତ ପ୍ରଦର୍ଶିତ ହେବା ସହିତ ରୁଚିନିଷ୍ଠ ସମାଜ ଗଠନ ସହ ଆବାଳବୃଦ୍ଧବନିତାଙ୍କୁ ଉଦ୍ଦିଷ୍ଟ ଅତି ଉତ୍କୃଷ୍ଟ ମାନର ସାହିତ୍ୟ ସଂରଚନା ତଥା ସର୍ବଜନବୋଧ୍ୟ ଶିକ୍ଷାର ପରିପ୍ରସାର ଏହାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ।

                   ଏ ସକଳ ପାଠ୍ୟପୁସ୍ତକ ଭକ୍ତକବି ମଧୁସୂଦନଙ୍କୁ ବସ୍ତୁତଃ ଆଧୁନିକ ମନ ଓ ମନନର ଭିତ୍ତି ରୂପେ ତାଙ୍କୁ ଅମଳିନ ପରାକାଷ୍ଠା ଦେଇଥିଲା ସର୍ବଜନ ସୁପ୍ରସିଦ୍ଧ 'ବର୍ଣ୍ଣବୋଧ' । ଏକମାତ୍ର ଧର୍ମଦର୍ଶନ ବ୍ୟତୀତ ସାମାଜିକ ଜୀବନର କେତୋଟି ବିଶିଷ୍ଟ ଉପାଦାନ ସମ୍ପର୍କରେ ମଧ୍ୟ ମଧୁବାବୁ ଅତି ସଜ୍ଞାନ ଚିତ୍ତରେ ପରମ୍ପରା ସହିତ ଯୋଗସୂତ୍ରରେ ସ୍ଥାପିତ କରିଛନ୍ତି । ୧୮୯୫ ମସିହାରେ ପ୍ରକାଶିତ ଏହି 'ବର୍ଣ୍ଣବୋଧ' ର ଦୀର୍ଘ ଏକଶତ ବର୍ଷରୁ ଊର୍ଦ୍ଧ୍ଵ ଇତିହାସ ସତ୍ତ୍ୱେ ଏହାର ସର୍ବଜନଗ୍ରାହ୍ୟ ବାକ୍-ଭଙ୍ଗୀ ଓ ଶୈଳୀର ଚିରନ୍ତନ ରୀତି ଏହାକୁ ଆଜି ବି ଚିରସବୁଜ କରି ରଖିଛି । ଲୋକଗୀତ ଓ ଶିଶୁ ମନ ସୁଲଭ ମଞ୍ଜୁଳ ବାକ୍ ବିନ୍ୟାସ ନିହାତି ଲକ୍ଷ୍ୟଣୀୟ । 

                              ପୂର୍ବୋକ୍ତ ବର୍ଣ୍ଣନାରେ ଆମେ ଆଲୋଚନା କରିଥିବା 'କବିତାବଳୀ' ର ସଫଳତା ବିଷୟରେ ଜାଣିବା ତିନୋଟି କବିତା ସମ୍ପର୍କରେ - "ନିଶୀଥ ଚିନ୍ତା", "ନିର୍ବାସିତର ବିଳାପ" ଏବଂ "ଜୀବନ ଚିନ୍ତା" । ଏହି ତିନୋଟି କବିତାରେ ଜୀବନର ନିରାଟ ଭାବବୋଧର ସମାବେଶ ଏହା ମାଧ୍ୟମରେ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ , ମଧୁସୂଦନଙ୍କ ପ୍ରାଚ୍ୟ ମତଧାରା ସହ ପାଶ୍ଚାତ୍ୟ ସାହିତ୍ୟର ଉତ୍କଳୀୟ ଅନୁସୃଜନ କେଡେ ଚମତ୍କାର ରୂପ ଓ ରସରେ ଅବତାରିତ , ସେଥିରୁ ମଧୁସୂଦନଙ୍କ ନୂତନ କାବ୍ୟରୀତି ସମ୍ପର୍କରେ ସନ୍ଧାନ ମିଳେ। 
                              
                              

                          (୧) ଶୋକଗୀତି (ଏଲିଜି) , ସମ୍ବୋଧଗୀତି (ଓଡ଼୍), ନାରେଟିଭ୍ (ବର୍ଣ୍ଣନାତ୍ମକ କବିତା) ଓ ହାଇମନ୍ (ସ୍ତୋତ୍ର) ର ଉଦାହରଣ ତାଙ୍କ ସଫଳ କୃତୀତ୍ଵର ରୂପାୟନ । ଭକ୍ତକବି ମଧୁସୂଦନଙ୍କ 'ନିଶୀଥ ଚିନ୍ତା' ହେଉଛି  Spensarian stanza ର ଦୃଷ୍ଟାନ୍ତ । ନଅଟି ପଂକ୍ତିର ଏକ ସ୍ବତନ୍ତ୍ର ସ୍ତବକ ରୀତି ଏହା । ଷୋଡ଼ଶ ଶତାବ୍ଦୀର ଇଂରାଜୀ କବି ଏଡ଼ମଣ୍ଡ୍ ସ୍ପେନସର୍ ଙ୍କ ଏକ ଜନପ୍ରିୟ କାବ୍ୟର ଶୈଳୀରେ ରଚିତ ହେତୁ ଏହାର ଏହିପରି ନାମ । ପ୍ରଥମ ଆଠଟି ଚରଣ ୧୪ ଟି ଅକ୍ଷର ଯୁକ୍ତ ହେଲେ ଶେଷ ଚରଣଟି ୧୮ ଟି ଅକ୍ଷର ଯୁକ୍ତ । ଏହି ମେଳ ସ୍ଥାପନ ରୀତି ହେଉଛି କଖ, କଖ, ଖଘ, ଗଘ, ଗଘ, ଘ । କିଛି ଦୃଷ୍ଟାନ୍ତ ଏହିପରି : 

             "କାହିଁ ଏବେ ସେ ଚହଳ, ଯାର ଘୋର ରୋଳ (କ)
              କରିଥିଲା ଏତେ କାଳ ଶ୍ରବଣ ବଧିର ! (ଖ)
              କାହିଁ ସେହି ଚଞ୍ଚଳତା ଲହରି-ହିଲ୍ଲୋଳ (କ)
              ଯାହା ଘେନି ଜୀବକୁଳ ସତତ ଅଧୀର ! (ଖ)
              ନାହିଁ ସେହି ଚଞ୍ଚଳତା, ନାହିଁ ସେ ଚହଳ । (କ)
              କଣ୍ଠେ ତାରାମୟ ହାର ରଜନୀ ସୁନ୍ଦରୀ (ଗ)
              ଅଟେ ଯହିଁ ମଧ୍ୟମଣି ଇନ୍ଦୁ ସୁନିର୍ମଳ (କ)
              କୌମୁଦୀ ବସନେ ସ୍ଵର୍ଗଧାମୁଁ ଅବତରି (ଗ) 
              ବରଷନ୍ତି ଶିଶିରାଶ୍ରୁ ପ୍ରେମେ ବିଭୁ ମହିମା ସୁମରି ।(ଗ)

                    (୨) ଭକ୍ତକବି ମଧୁସୂଦନଙ୍କ 'ନିର୍ବାସିତର ବିଳାପ' ତାଙ୍କର ଅନୁବାଦ ସାହିତ୍ୟର ଅନ୍ୟତମ ପ୍ରସିଦ୍ଧ କୀର୍ତ୍ତି । ଇଂରାଜୀ କବି William Cowper ଙ୍କ ବିରଚିତ ପ୍ରସିଦ୍ଧ କବିତା "The Solitude of Alexander Selkirk" ର ଏହା ସର୍ବୋତ୍କୃଷ୍ଟ ଓଡିଆ ଅନୁସୃଜନ । ଏକ ସ୍କଟୀୟ ନୌବାହକର ସତ୍ୟ ଘଟଣା ଉପରେ ଆଧାରିତ ଏହି କାବ୍ୟର ଚରିତ୍ର ପୁଣି ସୁପ୍ରସିଦ୍ଧ ଉପନ୍ୟାସ "The Robinson Crusoe" ରେ ଅବତାରିତ ହୋଇଅଛି।  ଏହି କବିତାଟି ଅନେକତ୍ର ଆକ୍ଷରିକ ଅନୁବାଦ ଅପେକ୍ଷା ମୌଳିକ ସୃଷ୍ଟି ସମ୍ଭାରରେ ମଧ୍ୟ ଜଡ଼ିତ । ଭକ୍ତକବି ମଧୁସୂଦନଙ୍କ ମୌଳିକ ଧର୍ମପ୍ରାଣତା ଓ ମାନବ ସଂପ୍ରୀତି ଏଥିରେ ମଧ୍ଯ ଫୁଟି ଉଠିଛି :- 

                 "ଧରମ ସତ୍ୟ ପଥେ ନିତ୍ୟ ସଞ୍ଚରି
                  ନାଚନ୍ତା ଆନନ୍ଦରେ ହୃଦ ମୋହରି ।
                  ପ୍ରବୀଣ ଜନଠାରୁ ସଦୁପଦେଶ
                  ଲଭି ହୁଅନ୍ତି ମୁହିଁ ବିଜ୍ଞ ବିଶେଷ ।
                  
                  ×                ×                 ×
                  
                  ଧର୍ମ ଆହା ସେ କିବା ଅମୂଲ୍ଯ ଧନ
                  ସରି ନୁହଁଇ ତାର ମଣି କାଞ୍ଚନ ।
                  ସ୍ଵର୍ଗୀୟ ମାଧୁରୀରେ ସଦଖ ସୁନ୍ଦର,
                  ମହୀମଣ୍ଡଳେ କାହିଁ ତା' ପଟାନ୍ତର। "

                        (୩) 'ଜୀବନ ଚିନ୍ତା' ଭକ୍ତକବି ମଧୁସୂଦନଙ୍କ ପ୍ରକୃଷ୍ଟ ଜୀବନବୋଧ ଓ ଶାଶ୍ଵତ ଚେତନାର ବ୍ୟଞ୍ଜନା । ଅନେକ ବିଭୁ ରସାନୁଭୂତି କାବ୍ୟ ଅପେକ୍ଷା ଏହି କାବ୍ୟରେ ସାଂସାରିକ ଜୀବନରେ ଭାସି ଉଠୁଥିବା ବିଷାଦପ୍ରବଣ ମାନସିକତା ଓ ସଂକଟ ବିଜଡିତ ବିଶ୍ଵର ନିର୍ମମ ସତ୍ୟକୁ ପରିଲକ୍ଷିତ କରୁଛନ୍ତି । ହେଲେ ମଧ୍ୟ ତାଙ୍କର ଏହି ସାରସ୍ଵତ ଧର୍ମ ସଂକଟପୂର୍ଣ୍ଣ ସଂସାର ରୂପକ କ୍ଷେତ୍ରରେ ଜୀବନର ଅନସ୍ବୀକୃତ ସତ୍ୟ ପ୍ରତି ଅବିମୁଖ ରହି ଏହି ମଣିଷ ମନର ଯେଉଁ ଚିନ୍ତା ରୂପକ ଆଖି ଦୁଇଟିକୁ ଉନ୍ମୁକ୍ତ କରି ସତ୍ୟକୁ ନିରୀକ୍ଷଣ କରିବା ପାଇଁ ଆହ୍ଵାନ କରୁଛନ୍ତି :

                     "ରେ ଆତ୍ମନ୍ ! ନିଦ୍ରା ପରିହରି
       ଫେଡି ଚିନ୍ତାର ଲୋଚନ          କର କର ନିରୀକ୍ଷଣ
              ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
              ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ । 

                                                          

                       ହେଲେ ମଧ୍ୟ ଆଶାମୟ ଭାବ ସମନ୍ବିତ ଦୃଷ୍ଟିରେ ଏ ଭୀଷଣ ଓ ଭୟଙ୍କର ପ୍ରତୀୟମାନ ସାଂସାରିକ ଜୀବନ ରେ ମଣିଷ ନିଜ ଅନ୍ତର୍ଗତ ଶାଶ୍ଵତ ଆତ୍ମାର ବାର୍ତ୍ତା ଓ ସେହି ଅମୃତ ଉପଲବ୍ଧି ମାଧ୍ୟମରେ ସେହି ପରମ ମହାଶାନ୍ତିର ନିତ୍ୟ ସୌନ୍ଦର୍ଯ୍ୟକୁ ଉଦ୍ଭାବନ କରୁ ବୋଲି କବି ପରିଶେଷରେ କହୁଛନ୍ତି : 

                      "ଧର ଧୈର୍ଯ୍ୟ ଘେନରେ ସାନ୍ତ୍ଵନା
      ଅଛି ସେହି ମହାଧନ                 ସେ ମହାସ୍ପର୍ଶ ରତନ
                 ସେ ଅମୃତ ମହୌଷଧି ଯାହାର କାମନା
                 ଆଶା ଜାଗ୍ରତ ସତତ କରେ ଉଦ୍ଦୀପନା ।

                        ସ୍ଥିର ହୁଅରେ ଚଞ୍ଚଳ ମନ
     ଘେନ ମହାତତ୍ତ୍ଵ ଦୀକ୍ଷା             ଜୀବର ପରମ ଶିକ୍ଷା
              ତେବେ ରେ ଲଭିବୁ ସେହି ପ୍ରାଣାରାମ ଧନ
              ଆକୁଳ ହୃଦୟ କରେ ଯାର ଅନ୍ଵେଷଣ ।
                 

                      ଧୂଳିର ଏ ମର କଳେବରେ
     ଅହୋ ମାନବ ଜୀବନ                 କି ଅଦ୍ଭୁତ ଉଦ୍ଭାବନ !
              ବିରାଜେ ଅମର ଆତ୍ମା ନିତ୍ୟ ସୌନ୍ଦର୍ଯ୍ୟରେ     
              କମଳ ଶୋଭଇ ଯଥା ପଙ୍କମୟ-ସରେ ।"

                                    ତାଙ୍କର ଅନ୍ୟାନ୍ୟ କାବ୍ୟ ସଂକଳନ ମଧ୍ୟରେ 'ଛାନ୍ଦମାଳା', 'କୁସୁମାଞ୍ଜଳି', 'ଉତ୍କଳଗାଥା', 'ସଙ୍ଗୀତମାଳା' ସୁବିଦିତ । ଭକ୍ତକବିଙ୍କ କାବ୍ଯରେ ସାର୍ବଜନୀନ ତଥା ଶାଶ୍ଵତ ସତ୍ଯ ସର୍ବଜନ ଭାବବୋଧର ସମାବେଶରେ ଗଠିତ । ମାନବ ସଂପ୍ରୀତି ଓ ଉଦାର ମାନବିକତାର ଧର୍ମରେ ଉଦବୁଦ୍ଧ ତାଙ୍କ ଅଧ୍ୟାତ୍ମ ଚେତନା ସବୁବେଳେ ବିଭୁ ରସାନୁଭୂତି ସହ ମାନବ ପ୍ରେମର ଅନନ୍ୟ ଯୋଗ ଘଟାଇଥାଏ । 'ଛାନ୍ଦମାଳା' ର 'ପୃଥିବୀ ପ୍ରତି' , 'ଜନ୍ମଭୂମି', 'ବସନ୍ତ' ଭଳି ପ୍ରସିଦ୍ଧ କବିତା ସହ ଭଗବତ୍ ଭକ୍ତି ଏବଂ ପ୍ରକୃତି ପ୍ରାଣତା ମଧ୍ୟ ତଦନୁରୂପ ସୁନ୍ଦର ଭାବରେ ଦର୍ଶନୀୟ । ଏହାର ସବୁଠାରୁ ଅନୁପମ ଦୃଷ୍ଟାନ୍ତ ହେଉଛି 'ପଦ୍ମ' କବିତା :
                                    

                 "କୋଟି ଲାବଣ୍ୟନିଧିରେ ପଦ୍ମ ତୁହି
                  କି ଅମୃତେ ତୋ ତନୁ ଗଢିଲା ବିହି ।
                  ତୋ ରୂପ ଦରଶନେ ମୋର ହୃଦୟ
                  ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ ।

                  ସ୍ନେହ କରୁଣା ଭକ୍ତି ପବିତ୍ର ରସ
                  ପୂରିଛି ତୋ ଅନ୍ତର ରେ ତାମରସ !
                  ନୋହିଲେ କାହୁଁ ତୋର ଦର୍ଶନେ ମନ
                  ବିମଳ ପ୍ରେମ ରସେ ହୁଏ ମଗନ ?"

                  ସର୍ବ ଶୋଭାର ସଦ୍ମରେ ପଦ୍ମ ତୁହି
                  ସଙ୍ଗେ ନିଗୂଢ ଯୋଗ ଅଛଇ ମୋର ।
                  ଜୀବନ ମରଣରେ ତୋ ସଙ୍ଗେ ମିଶି
                  ଥାଉ ମୋ ମନ-ପଦ୍ମ ଦିବସ-ନିଶି।

                  କଳୁଷ-ପଙ୍କେ ମୁହିଁ କେଡ଼େ ମଳିନ
                  କେମନ୍ତେ ସରି ତୋର ହେବି ନଳିନ !
                  ପଙ୍କଜ ଅଟୁ ତୁହି ତେଣୁ ଭରସା
                  ତୋ ପରି ଶୁଭ୍ର ହେବି ଲଭି ସୁଦଶା ।

                  ଅନନ୍ତ ମହେଶ୍ବର ମୋ ପ୍ରାଣସାଇଁ
                  ବୋଲି ରାଜୀବ, ସଦା ଥିବି ଅନାଇଁ ।
                  ଶିଖାଅ ମୋତେ ସଦା ଏ ପୁଣ୍ୟବ୍ରତ
                  ତୋର ଆଶିଷେ ପୂରୁ ମୋ ମନୋରଥ ।"

                      ଏହିପରି ଭାବରେ ତାଙ୍କର ଏକାଧିକ କାବ୍ୟରେ ତାଙ୍କର ପ୍ରଧାନ ଉପାଦାନ ସ୍ଵରୂପ ପ୍ରକୃତିପ୍ରାଣତା , ବିଭୁଚେତନା , ସ୍ଵଦେଶବତ୍ସଳତା ଏବଂ ଉଦାର ମାନବିକତା ଧର୍ମ ପ୍ରତି ତାଙ୍କର ସାର୍ବଜନୀନ ଉକ୍ତି । ସେହିପରି ରୂପେ "ଋଷିପ୍ରାଣେ ଦେବାବତରଣ" କବିତାରେ ଜନୈକ ବୈଦିକ ଋଷିଙ୍କ ଅବତାରଣା କରି ଏକ ରମ୍ୟ ଅଥଚ ରହସ୍ୟମୟ ଅନୁଭବ ଓ ପରିବେଶ ମଧ୍ୟରେ ସେହି ଋଷିଙ୍କ ଅନ୍ତରରେ ଇନ୍ଦ୍ରିୟାତୀତ ଭାବାବେଶ ଘଟେ ।

                      

                                 ନିଖିଳ ଧରାର ରନ୍ଧ୍ରେ ରନ୍ଧ୍ରେ ବିଶ୍ଵାତ୍ମା ପରିବ୍ୟାପ୍ତ ରହିଥିବାର ଅନୁଭବ ହୁଏ । ଏକଦା ରବୀନ୍ଦ୍ରନାଥ ଠାକୁର ଏହି ମାଧ୍ୟମରେ ବେଦ ମନ୍ତ୍ରର ଅନୁରଞ୍ଚନକୁ ପ୍ରାଣେ ପ୍ରାଣେ ଶୁଣିପାରିଥିବାର କହିଥିଲେ ! ସେହିପରି ତାଙ୍କର 'ବସନ୍ତଗାଥା' ଓଡିଆ ସାହିତ୍ଯରେ ସର୍ବପ୍ରଥମ ସନେଟ୍ (ଚତୁର୍ଦ୍ଦଶପଦୀ କବିତା) ସଂକଳନର ମର୍ଯ୍ୟାଦା ପାଏ । ଏଥିରେ ଷଡ଼ଋତୁଙ୍କର ବର୍ଣ୍ଣନା ମାଧ୍ୟମରେ narrative ଶୈଳୀ ବା ବର୍ଣ୍ଣନାତ୍ମକ କବିତା ଦ୍ଵାରା ଓଡିଆ ସାହିତ୍ୟରେ କ୍ଷୁଦ୍ର କବିତାବଳୀରେ ଗୀତିମୟତାର ଛୁଙ୍କ ଦେବାରେ ଭକ୍ତକବି ମଧୁସୂଦନ ଅଗ୍ରଗଣ୍ୟ ।
                                 

                               ତାଙ୍କ ସ୍ଵଦେଶପ୍ରାଣତାର ଦୃଷ୍ଟାନ୍ତ ସ୍ଵରୂପ ତାଙ୍କର ଉଭୟ ଗଦ୍ୟ ଓ ପଦ୍ୟ ରଚନାବଳୀ ଏଥିରେ ସନ୍ନିବେଶିତ । 'ଜନ୍ମଭୂମି', 'ଭାରତୀ ବନ୍ଦନା', 'ଭାରତ ଭାବନା', 'ଉତ୍କଳ ଗାଥା' , 'ରାଣୀ ଦୁର୍ଗାବତୀ', 'ଜଳରାଶି', 'ଜଳପ୍ରପାତ' , ବାୟୁରାଶି' ମାଧ୍ୟମ ରେ ସେ ଉଭୟ ପ୍ରକୃତି ପ୍ରେମୀ ଭାବରେ ଏବଂ ନିଜ ମାଟି ମାଆର ଅନୁପ୍ରେରଣାରେ ସତତ ଆଗଭର ହେଇ ଅଧଃପତିତ ଜାତି ଯେ ଆଜି ଆବିଳ ମନରେ ରହିଛି , ସେଥି ପ୍ରତି ସେ ଯଥାର୍ଥତଃ ସଚେତ ରହି ସ୍ଥଳ ବିଶେଷରେ ନିଜର ଋଷିସୁଲଭ ଚେତନାର ମଧ୍ୟ ଆତ୍ମ ପ୍ରକାଶ କରିଛନ୍ତି।  ଏଥି ସହ ଆଧୁନିକ ଓଡିଆ ଗଦ୍ୟ ଶୈଳୀକୁ ଏକ ଅଭିନବ ରୂପରେ ଅଳଙ୍କୃତ କରିଥିଲେ ଭକ୍ତକବି ମଧୁସୂଦନ ।

                                    ପରିଣତ ବୟସରେ ସେ ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ 'ସୁଖବୋଧ ଅଭିଧାନ' ସଂକଳିତ କରିବା ସହ ବାଲ୍ମୀକି ରାମାୟଣର କଥାବସ୍ତୁ ଆଧାରରେ ରଚନା କରି ଯାଇଛନ୍ତି 'ବାଳ ରାମାୟଣ', 'ସୀତା ବନବାସ', 'ଶ୍ରୀରାମ ବନବାସ' । ହେଲେ ଏହି ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ୧୯୧୨ ମସିହା ୨୮ ଡିସେମ୍ବର ଦିନ ଇହଲୀଳା ସମ୍ବରଣ କରନ୍ତି।  ହେଲେ ମଧ୍ୟ ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ।  ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଆମେ ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ ।

. . . © ଅମୃତେଶ ଖଟୁଆ ( ୨୭. ୧୨. ୨୦୨୦ )

💐💐💐

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...