Saturday, December 19, 2020

■ କାଷ୍ଠ କୋଣାର୍କ ■ ( ବିରଞ୍ଚି ନାରାୟଣ ମନ୍ଦିର )

#ସଂସ୍କୃତି ଓ କଳାର ଭୂମି:ଗଞ୍ଜାମ
#ଓଡ଼ିଶାର #ଦ୍ଵିତୀୟ କୋଣାର୍କ (ସୂର୍ଯ୍ୟ ମନ୍ଦିର)
 #ବୁଗୁଡ଼ା #ଗଞ୍ଜାମ
         -------------------------- 
ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର ରହିଛି । ବୁଗୁଡ଼ା ସହର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ୯୨ କିଲୋମିଟର୍ ଦୂରରେ ଅବସ୍ଥିତ । ଓଡ଼ିଶାରେ ରହିଥିବା ତିନୋଟି ପ୍ରମୁଖ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଏହା ଅନ୍ୟତମ । ଅନ୍ୟ ଦୁଇଟି ମନ୍ଦିର ହେଲା - କୋଣାର୍କ ମନ୍ଦିର ଓ ପାଳିଆର ବିରଞ୍ଚି ନାରାୟଣ ମନ୍ଦିର ।

ଓଡ଼ିଶାରେ କୋଣାର୍କ ମନ୍ଦିର ପରେ ସୂର୍ଯ୍ୟଙ୍କ ଉପାସନା ପାଇଁ ନିର୍ମିତ ଦ୍ୱିତୀୟ ମନ୍ଦିର ହେଲା ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିର । ତେଣୁ ଏହାକୁ ଲୋକେ ଦ୍ୱିତୀୟ କୋଣାର୍କ ବୋଲି ମଧ୍ୟ କୁହନ୍ତି । ମୁଖ୍ୟ ମନ୍ଦିରର ଅଧିକାଂଶ ଭାଗ କାଠରେ ତିଆରି ହୋଇଥିବାରୁ ଏହି ମନ୍ଦିରଟି କାଷ୍ଠ କୋଣାର୍କ ନାମରେ ମଧ୍ୟ ବେଶ୍ ପରିଚିତ । ପ୍ରଭୁ ବିରଞ୍ଚି ନାରାୟଣଙ୍କୁ କେତେକ ଭକ୍ତ ସୂର୍ଯ୍ୟ ନାରାୟଣ ମଧ୍ୟ କୁହନ୍ତି ।

ଏହି ମନ୍ଦିର ନିକଟରେ ଏକ ଜଗନ୍ନାଥ ମନ୍ଦିର ମଧ୍ୟ ରହିଛି । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଅବସ୍ଥିତ । ଏହି କୂପରେ ରହିଥିବା କୁର୍ମ ,ଶ୍ରୀକ୍ଷେତ୍ରରୁ ଆସିଛନ୍ତି ବୋଲି ଲୋକଙ୍କ ବିଶ୍ୱାସ ।

୧୭୯୦ ମସିହାରେ ରାଜା ଶ୍ରୀକର ଭଞ୍ଜଦେବଙ୍କଦ୍ୱାରା ଏହି ମନ୍ଦିରର ନବୀକରଣ କରାଯାଇଥିଲା । ମନ୍ଦିରର ମୁଖ୍ୟ ଦେବତା ହେଲେ ବିରଞ୍ଚି ନାରାୟଣ ବା ସୂର୍ଯ୍ୟ ଦେବ । ଏହି ମନ୍ଦିରରେ ସ୍ଥିତ ସୂର୍ଯ୍ୟଙ୍କ ପ୍ରତିମା କଳା ମୁଗୁନି ପଥର (ଗ୍ରାନାଇଟ୍)ରେ ତିଆରି । ଘୁମୁସର ଗଡଜାତ ରାଜ୍ୟର କେନ୍ଦୁପଦର ନିକଟସ୍ଥ ମାଳତି ପାହାଡରେ ଖ୍ରୀଷ୍ଟାବ୍ଦ ୮୫୦ରୁ ୮୮୫ ମଧ୍ୟରେ ମାଳତିଗଡ ଦୁର୍ଗ ନିର୍ମିତ ହୋଇଥିଲା । କିନ୍ତୁ ସମୟକ୍ରମେ ଦୁର୍ଗଟି ନଷ୍ଟ ହୋଇଯାଇଥିଲା । ସେହି ଭଗ୍ନାବଶେଷ ମଧ୍ୟରେ ପୋତି ହୋଇ ରହିଥିବା ବିରଞ୍ଚି ନାରାୟଣଙ୍କ ପ୍ରତିମା ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇ ଏହି ମନ୍ଦିରରେ ସ୍ଥାପିତ ହେଲା । ସାତଗୋଟି ଅଶ୍ୱଙ୍କଦ୍ୱାରା ଟଣାଯାଉଥିବା ରଥ ସଦୃଶ ନିର୍ମିତ ଏହି ମନ୍ଦିରରେ ସୂର୍ଯ୍ୟଙ୍କ ସାରଥି ଅରୁଣ ମଧ୍ୟ ବିଦ୍ୟମାନ । ରଥର ବାମ ପାର୍ଶ୍ୱର ଚକ ଦୃଶ୍ୟମାନ ।

          ୪୬ଟି ସ୍ତମ୍ଭର ସହାୟତାରେ ମନ୍ଦିରର ଛାତ ନିର୍ମିତ ହୋଇଛି । ଆକାର ଦୃଷ୍ଟିରୁ ୧୪ଟି ସ୍ତମ୍ଭ ବଡ ହୋଇଥିବା ବେଳେ ଓ ୩୨ଟି ସ୍ତମ୍ଭ ଛୋଟ । ମନ୍ଦିରର ଛାତରେ କାଠରେ ତିଆରି ଖୁବ୍ ସୁନ୍ଦର କାରୁକାର୍ଯ୍ୟ ରହିଛି । କୋଣାର୍କର ସୂର୍ଯ୍ୟ ମନ୍ଦିର ପୂର୍ବମୁଖୀ ହୋଇଥିବା ବେଳେ ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିର ପଶ୍ଚିମ ଦିଗକୁ ମୁହାଁଇଛି । ତେଣୁ ଉଦିତ ସୂର୍ଯ୍ୟଙ୍କ ପ୍ରଥମ କିରଣ କୋଣାର୍କ ମନ୍ଦିରର ପ୍ରତିମା ଉପରେ ପଡୁଥିବା ବେଳେ ଅସ୍ତମିତ ସୂର୍ଯ୍ୟଙ୍କ କିରଣ #ବିରଞ୍ଚି ନାରାୟଣଙ୍କ ପ୍ରତିମାର ଚରଣ ସ୍ପର୍ଶ କରିଥାଏ ।

ରାଜାଙ୍କ ମନୋବାଞ୍ଛା ଅନୁସାରେ ମନ୍ଦିରର ମୁଖ୍ୟ ପ୍ରତିମା କାଠରେ ତିଆରି ହୋଇଥିଲା । କିମ୍ବଦନ୍ତୀ ଅନୁସାରେ ସେହି କାଠର ମୂର୍ତ୍ତିରୁ ହିଁ ବର୍ତ୍ତମାନ ସ୍ଥାପିତ ପ୍ରସ୍ତର ମୂର୍ତ୍ତିର ଉଦ୍ଭବ ହୋଇଛି । କେତୋଟି ସ୍ତମ୍ଭ ଓ ଚଟ୍ଟାଣକୁ ଛାଡିଦେଲେ ମନ୍ଦିରର ଅନ୍ୟ ଅଂଶ କାଠରେ ନିର୍ମିତ । ମନ୍ଦିରଟି କାଠରେ ଅତି ସୁନ୍ଦର କାରୁକାର୍ଯ୍ୟ ଏବଂ କାନ୍ଥରେ ଅଙ୍କିତ ସୁନ୍ଦର ଭିତ୍ତିଚିତ୍ର ପାଇଁ ପ୍ରସିଦ୍ଧ । ମନ୍ଦିରର କାନ୍ଥରେ ରାମାୟଣରେ ବର୍ଣ୍ଣିତ ସୀତାଙ୍କ ସ୍ୱୟମ୍ବର, ରାମଙ୍କ ହାତରେ ମାୟାମୃଗ ବଧ ହେବା, ସୀତା ହରଣ, ସମୁଦ୍ର ଉପରେ ବାନର ସେନାର ସେତୁ ନିର୍ମାଣ, ରାମ-ରାବଣ ଯୁଦ୍ଧ ଆଦିର ଚିତ୍ର ରହିଛି । ଆଉ ଏକ ଚିତ୍ରରେ ରାମ ଓ ଲକ୍ଷ୍ମଣ ଯୋଦ୍ଧାମାନଙ୍କୁ ପାଛୋଟିବାର ଦୃଶ୍ୟ ବର୍ଣ୍ଣିତ ହୋଇଛି । ମନ୍ଦିରର ପଶ୍ଚିମ ପାର୍ଶ୍ୱର କାନ୍ଥରେ କୃଷ୍ଣଲୀଳାର ସୁନ୍ଦର ଚିତ୍ର ଅଙ୍କିତ ହୋଇଛି । ଉତ୍ତର ପଟର କାନ୍ଥରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଚିତ୍ର ଅଙ୍କିତ । 

ଓଡ଼ିଶାରେ କାଷ୍ଠ କାରୁକାର୍ଯ୍ୟର ଏହି ମନ୍ଦିର ପ୍ରଥମ ଉଦାହରଣ ବୋଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ଜଣାଶୁଣା ଐତିହାସିକ ଅମୀୟ କୁମାର ପଟ୍ଟନାୟକଙ୍କ ମତପୋଷଣ କରିଛନ୍ତି ।

            ଏଠାରେ ମାଘ ମାସରେ ମାଘ ସପ୍ତମୀ ବା ରଥ ସପ୍ତମୀ ପାଳନ କରାଯାଏ । ପୌଷ ମାସରେ ଶାମ୍ବ ଦଶମୀ ପାଳିତ ହୋଇଥାଏ । ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହେବାପରେ ଏହି ଦିନ ସୂର୍ଯ୍ୟଙ୍କ ପୂଜା କରି ଆରୋଗ୍ୟ ଲାଭ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଏହି ମନ୍ଦିରରେ ପ୍ରତି ରବିବାର ଓ ସଂକ୍ରାନ୍ତିରେ ପୂଜା ଅନୁଷ୍ଠିତ ହୁଏ । ଏହା ବ୍ୟତୀତ ଏହି ମନ୍ଦିରରେ ଦଣ୍ଡଯାତ୍ରା, ଦୁର୍ଗା ପୂଜା, କାଳୀ ପୂଜା ମଧ୍ୟ ପାଳନ କରାଯାଏ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...