Friday, September 17, 2021

ସମର୍ପଣ (topic - 107 ଭାଲୁକୁଣି ଓଷା ) quote #quot

ଭାଲୁକୁଣି ଓଷା - 107 

ଭାଇର ମଙ୍ଗଳ ମନାସୀ ଭଉଣୀ 
        କରେ ଭାଲୁକୁଣି ଓଷା
ଓଡ଼ିଆ ସଂସ୍କାରେ ଓଷା ବ୍ରତ ଅଟେ
         ସୁରକ୍ଷାର ପରିଭାଷା 
ଭାଦ୍ରବ ମାସର ପୁଣ୍ୟ ରବିବାରେ 
         କୁଆଁରୀ ପାଳେ ପରବ 
ଖୁଦୁରୁକୁଣୀଙ୍କ  ଆଶିଷ ଛାଇରେ 
       ତଅପୋଇ କରେ ଗର୍ବ 
            - ସନ୍ତୋଷ ପଟ୍ଟନାୟକ

ସାଧବ ପୁଅର ବଣିଜ ବ୍ୟାପାର
ସୂକ୍ଷ୍ମ କାରୁକାର୍ଯ୍ୟ ବିଶ୍ଵ ବିଦିତ 
ଧନଧାନ୍ୟ ପୂର୍ଣ୍ଣ କଳିଙ୍ଗ ଜାତିଟା
ତୋଳି ଆଣୁଥିଲା ଗୌରବ ନିତ୍ୟ 
ଭ୍ରାତାର ମଙ୍ଗଳ ମନାସି ତରୁଣୀ
ଭାଦ୍ରବ ମାସରେ ଉପାସେ ରହି 
ଭାଲୁକୁଣି ଓଷା ପାଳି ନିଷ୍ଠା ସହ 
ଚାହିଁ ରହୁଥିଲା ଭ୍ରାତାଙ୍କ ପାଇଁ 
                - ଟୁକୁନା ସାହୁ

ମାସ ଏ ଭାଦ୍ରବ କୁଆଁରୀଙ୍କ ଗର୍ବ
      ପାଳି ଭାଲୁକୁଣୀ ଓଷା
ଗାଆଁ ଦାଣ୍ତମୂଳ  ପକାନ୍ତି ଚହଳ
       ପିନ୍ଧି ନୂଆଁ ବେଶପୋଷା
ମଙ୍ଗଳ ମନାସି ମଙ୍ଗଳାଙ୍କ ପାଖେ
       ଚରଣେ ମାଗନ୍ତି ଭିକ
କୁଶଳେ ରୁହନ୍ତୁ ମୋ ଭାଇ ବୋଲିକା
         ରଖିଥାନ୍ତି ମାନସିକ
                  - ରବିନ୍ଦ୍ର ସାହୁ 

ଭାଦ୍ରବ ମାସର ରବିବାର ଆଜି
     କୁଆଁରୀ ଝିଅଙ୍କ ମେଳି 
 ଖୁଦୁରୁକୁଣୀଙ୍କ ଓଷା ଆରମ୍ଭିବା
      ଚାଲ ଯିବା ଫୁଲ ତୋଳି 
ମା ମଙ୍ଗଳା ଙ୍କୁ ସୁମରଣା କରି 
       ପାଞ୍ଚ ପାଳି ଦେବା ପୂଜା 
 ଆଶୀର୍ବାଦ ନେବା ମଙ୍ଗଳ ମନାସୀ 
      ଉଡାଇ ଶାନ୍ତିର ଧ୍ବଜା  
              -  ପ୍ରବୀର ମଲ୍ଲିକ୍ 

ସାଧବ ଘରର  ଅଲିଅଳି କନ୍ୟା 
   ଅଟେ ସେ ଭାରି ଗେହ୍ଲେଇ
ସାତ ଭାଇରେ ସେ ଗୋଟିଏ ଭଉଣୀ 
    ନାଆଁ ତା'ର ତଅପୋଇ 
ଅଭିଶାପ ବଳେ  ସେ ସାଧବ ଝିଅ 
   ହୋଇଥିଲା ମର୍ତ୍ତ୍ୟପୁରୀ 
ପୂର୍ବ ଜନ୍ମେ ସିଏ  ଥିଲା ଅପସରୀ 
   ପାଇ କେତେ ସୁଖ ଶିରୀ 
ଭାଦ୍ରବ ମାସର  ରବିବାର ଦିନ 
   ପଡ଼େ ଭାଲୁକୁଣୀ ଓଷା 
କୁଆଁରୀ କନିଆଁ  ପାଳନ୍ତି ଏହାକୁ 
   ମନେରଖି କେତେ ଆଶା 
            - ରାମ ଚନ୍ଦ୍ର ପ୍ରଧାନ

ସାତ ସାଧବାଣୀ ଓଷା ଭାଲୁକୁଣୀ
       ତଅପୋଇ ତତ୍ତ୍ୱକଥା
ସ୍ୱର୍ଗ ଅପସରି ହେଲା କେତେ ସରି
     ଭୋଗିଲା  ଭାଗ୍ଯର ବ୍ଯଥା
ଭାଦ୍ରବରେ  ଭିଡ କୁଆଁରୀ ସଙ୍ଗଡ
        ମାଆ ମଙ୍ଗଳାଙ୍କୁ ସ୍ମରି
ହିତାର୍ଥେ ଭାଇର ପୂଜା ପଟୁଆର
        ଆନ୍ତରିକତା ଆବୋରି
                   - ଦାଶରଥି ସାହୁ

ଭାଦ୍ରବ ମାସରେ  ଭାଲୁକୁଣି ଓଷା
          ମହିମା ମଙ୍ଗଳା ମା'ର 
ପାଳନ କରନ୍ତି  କୁଆଁରୀ ଏ ଓଷା
           ଦିବସଟି ରବିବାର
ଗାଁ ଭୁଆସୁଣୀ ହୋଇଣ ଏକାଠି
         ଦୀପ ଧୁପ ଝୁଣା ଦେଇ
ନାଲି ମନ୍ଦାରକୁ  ଦେଇ ଯେ ପୂଜନ୍ତି
          ମଙ୍ଗଳା ସ୍ତୁତିକୁ ଗାଇ
                   - ଜଗବନ୍ଧୁ ସାହୁ

ଖୁଦ ରଙ୍କୁଣୀ ମାଆ ଖୁଦୁରୁକୁଣୀ
     ଆସିଚି ପରବ ତୋର 
ଭାଲୁକୁଣୀ ଓଷା ନାମରେ ନାମିତ
      ଭାଦ୍ରବର ରବିବାର 
ବାଲି,ଯାଭା ଦ୍ବୀପେ ବଣିଜ ପାଇଁକି
     ନୌଯାତ୍ରା ସାଧବ ବୀର 
 ଅନାଦି କାଳରୁ ପ୍ରଚଳିତ ପ୍ରଥା
     ଏଇ ଆମ ଓଡ଼ିଶାର 
              - ରାଧା କୄଷ୍ଣ ବାୟକ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...