ମାଟିର ମଣିଷ ମୁଁ ପରା କୁମ୍ଭାର
ମାଟି ଅଟେ ମୋ ଜୀବନ
ମାଟିକୁ ଚକଟି ଗଢ଼ିଛି ମାଠିଆ
ମାଟିକୁ କରି ଯତନ
ମାଟିରୁ ଜୀବିକା ନିର୍ବାହ କରୁଛି
ମାଟି ଅମୂଲ୍ଯ ରତନ
ମାଟି ପାତ୍ର ଆଜି ଅଲୋଡ଼ା ପଦାର୍ଥ
ମାଟିକୁ ନ'କର ହୀନ .....
‐ ରାଧା କୃଷ୍ଣ ବାୟକ
ମାଟିରେ ଜୀବନ ମାଟିରେ ମରଣ
ମାଟି ପରା ଆମ ମାଆ
ଜୀବନ୍ତ କରଇ ଯେଉଁ ନର ତାକୁ
କୁମ୍ଭାର ତାହାର ନାଆଁ
ଗଢଇ ପଲମ ଖେଳନା କଣ୍ଢେଇ
ନାନା ଜାତି ମାଟି ପାତ୍ର
ଖୁସିରେ ତାହାର ପରିବାର ପୋଷେ
ସେହୁ ପରା ମାଟି ପୁତ୍ର ......
- ଟୁକୁନା ସାହୁ
କର୍ମ ଗୁଣେ ଗଢ଼ା ନାନା ଜାତି ମାନ
ତନ୍ମଧ୍ୟରେ ଅଛି ଜାତି କୁମ୍ଭାର
ଜୀବନ ଚର୍ଯ୍ୟାର ଆବଶ୍ୟକ ଚିଜ
ଗଢ଼ିଥାଏ ସିଏ କେତେ ସୁନ୍ଦର
ମାଟି ସାଥେ ମାଟି ପରି ଲାଗିଥାଏ
ଶ୍ରମକୁ ନଥାଏ ଟିକେ ଖାତର
ଜଗତନାଥଙ୍କ ପାଇଁକି କୁଡୁଆ
ଗଢ଼ିକି ଧନ୍ୟ ଜୀବନ ତାର .....
- ସନ୍ତୋଷ ପଟ୍ଟନାୟକ
ସକାଳରୁ ସଞ୍ଜ ମାଟି ବାସନାରେ
ଘର ଯା'ର ବାସୁ ଥାଏ
ମାଟି କାଦୁଅରେ ତା' ଜୀବନ ଗଢ଼ା
ସେ ପରା କୁମ୍ଭାରଟିଏ
ମାଟିରେ ଜନମ ମାଟିରେ ମରଣ
ମାଟିର ସେ କାରିଗର
ମମତା ଛୁଆଁରେ ମାଟିକୁ ଚକଟି
ଯତନେ ଗଢ଼େ କୁମ୍ଭାର .....
- ରାମ ଚନ୍ଦ୍ର ପ୍ରଧାନ
ମାଟି ମୂଲକର ଶ୍ରେଷ୍ଠ ସୂତ୍ରଧର
ମାପଚୁପ ମୁଲଚାଲ
କରଇ ଜୀବନ୍ତ ସାଧନା ସ୍ୱତନ୍ତ୍ର
ଅବନେ ଅମୁଲ ମୂଲ
କଠିନ ତା ଶ୍ରମ କୁମ୍ଭାରର କର୍ମ
ପେଶା ନିଶା ପୃଥି ପରେ
ପାରିଲା ପଣର ହୄଦୟ ତାହାର
ନମେ ଅନନ୍ତ ଅନ୍ତରେ.....
- ଦାଶରଥି ସାହୁ
ଯା ହାତ ପରଶେ ମାଟି ପୁଣି ହସେ
ନାଆ ତାର କୁମ୍ଭକାର
ମାଟି ପାତ୍ର ଠାରୁ ଦିଅଁ ଦେବତାଙ୍କୁ
ମାଟିରେ ଦିଏ ଆକାର
ଆଧୁନିକ ଯୁଗେ ବିପର୍ଯୟ ପଥେ
ଏଇ ଶିଳ୍ପୀ କାରିଗର
ବିଲୁପ୍ତ ଦ୍ୱାରରେ କୁମ୍ଭକାର କଳା
ବୃତ୍ତିରେ ଆସୁ ସୁଧାର .....
- ପ୍ରବୀର ମଲ୍ଲିକ
ମାଟି ମହକକୁ ମଣେ ଯେ ଅତର
ମାଟିକୁ ମଣଇ ଫୁଲ
ମାଟିକୁ ଚକଟି ଲଗାଇ ଶକତି
ପାଉଥାଏ ସିଏ ମୂଲ
ହାଣ୍ତି,କୁମ୍ଭ,ସରା,ମାଟିଦୀପ, ଗରା
ଗଢଇ ଭଳିକି ଭଳି
ସେ ଅଟେ କୁମ୍ଭାର ପୋଷେ ପରିବାର
ନିଆଁ ଧାସେ ଜଳି ଜଳି .....
- ରବିନ୍ଦ୍ର ସାହୁ
ମାଟିକୁ ଚକଟି କେତେ ଯତନରେ
ଦିଅଇ ତାକୁ ଆକାର
ସଂସାର ମଧ୍ଯରେ ଭିନ୍ନ ଏକ ଜାତି
ନାମଟି ତାର କୁମ୍ଭାର
ସଂସାର ମଧ୍ଯରେ ତାର ଅବଦାନ
ଅଟଇ କେତେ ମହାନ
ଶୁଭ-ଅଶୁଭରେ ଲୋଡା ପଡିଥାଏ
ତାର କୁମ୍ଭ ସରା ମାନ ......
- ଜଗବନ୍ଧୁ ସାହୁ
No comments:
Post a Comment