ତ୍ୟାଗ - 127
ତ୍ଯାଗ ଶବ୍ଦଟିଏ ତିନି ପୁରେ ହାଏ
ବଳିଷ୍ଠତାର ମାଧ୍ଯମ
ତ୍ରେତୟାରେ ରାମ ବନେ ଅନୁଗମ
ବିଳାସେ ଦେଇ ବିରାମ
ଦ୍ୱାପରେ ଦୋହୋରା ତ୍ଯାଗର ପସରା
ଦେବକୀ ଯଶୋଦା ରାଇ
ବାତ୍ସଲ୍ଯ ବନ୍ଧନ ପ୍ରେମେ ବଳିଦାନ
ଧର୍ମ ସଂସ୍ଥାପନା ପାଇଁ
- ଦାଶରଥି ସାହୁ
ପୁରାଣ ବର୍ଣ୍ଣିତ ଲକ୍ଷ୍ମଣ-ଉର୍ମିଳା
ତ୍ୟାଗ ଭରପୁର ଚିତ୍ତ
ପ୍ରେମ ନୁହେଁ କେବେ ସୁଖର ସଉଦା
ପରଖ ଭରତ ଭାବ
ଧରମା, ଚକରା ବକ୍ସି ଜଗବନ୍ଧୁ
ତ୍ୟାଗର ଆଦର୍ଶେ ଗୁନ୍ଥା
ଇତିହାସ ସାକ୍ଷୀ ତ୍ୟାଗ ବଳିଦାନେ
ଓଡ଼ିଆ ମୁଖ୍ୟ ପୁରୋଧା
- ସନ୍ତୋଷ ପଟ୍ଟନାୟକ
ପିତୃ ତ୍ୟାଗ କଥା ପୁରାଣେ ବର୍ଣ୍ଣିତା
ତ୍ୟାଗରେ ସନ୍ତୁଷ୍ଟ ମତି
କୃଷ୍ଣ ପ୍ରେମେ ମୋହ ରାଧା ରାଣୀ କୋହ
ସଂସାରେ ହୋଇଛି ସ୍ତୁତି
ରମଣୀ ରତନ ମିରବାଇ ମନ
କୃଷ୍ଣ ପ୍ରେମେ ହୋଇ ବାଇ
ତେଜିଲେ ସଂସାର ମୁକତି ଲଭିଲେ
ସେହି ତ୍ୟାଗ ଆଜି ନାହିଁ
- ଟୁକୁନା ସାହୁ
ତ୍ୟାଗୀ ଏକା ବୁଝେ ତ୍ୟାଗର ମହତ୍ତ୍ୱ
ବିବେକର ବଡ଼ପଣେ
ବାକି ସବୁ ଏଠି ସ୍ଵାର୍ଥେ ମସଗୁଲ୍
ଦୋଷ ଦେଇ ଅକାରଣେ
ବୁଝୁ କେ' ନ ବୁଝୁ ତ୍ୟାଗର ମୂଲ୍ୟକୁ
ପାପଭରା କଳିକାଳେ
ତ୍ୟାଗ ଯେ' ଅଟଇ ମହନୀୟ ଗୁଣ
ଏଇ ପୁଣ୍ୟ ମହୀତଳେ l
- ରାମ ଚନ୍ଦ୍ର ପ୍ରଧାନ
ତ୍ଯାଗ କରି ସୁଖ ଆଦରି କର୍ତ୍ତବ୍ୟ
ସୀତା ଗଲେ ରାମ ସଙ୍ଗେ
ବନବାସ କଷ୍ଟ ସହିଣ ଯେ ସୀତା
ରହିଲେ ବନେ ଆନନ୍ଦେ
ସବୁଠାରୁ ଶ୍ରେଷ୍ଠ ଭରତଙ୍କ ତ୍ଯାଗ
ଛାଡି ସିଂହାସନ ମୋହ
ସିଂହାସନେ ରଖି ପାଦୁକା ପୂଜିଲେ
କରି ରାମଙ୍କର ଜୟ
- ଜଗବନ୍ଧୁ ସାହୁ
ତ୍ଯାଗ ମହାନତା କେ'ଅବା ବୁଝିବ
ମୁକସାକ୍ଷି କୋଣାରକ
ଚୂଳୀ ମାରି ଧର୍ମା ଯଶ ରଚିଗଲା
ଦେଖି ସର୍ବେ ହତବାକ
ବାର ବର୍ଷ ବାଳ ରଖିଲା ଜୀବନ
ବାରଶ ବଢ଼େଇ ମାନ
ଯୁଗ ଯୁଗ ଧରି ଗୁଞ୍ଜରିତ ଗାଥା
ଧନ୍ଯ ଧର୍ମପଦ ଧନ୍ଯ
- ରାଧା କୃଷ୍ଣ ବାୟକ
ମହର୍ଷି ଦଧିଚି ଶରୀରକୁ ତ୍ଯାଗି
କରିଥିଲେ ଅସ୍ଥିଦାନ
ସେହି ଅସ୍ଥି ସାଜି ଇନ୍ଦ୍ର ହସ୍ତେ ବଜ୍ର
ନେଲା ବୁତ୍ରାସୁର ପ୍ରାଣ
ତ୍ଯାଗର ମହତ୍ତ୍ଵ ବୁଝି ସାଧୁ ସନ୍ଥ
ଦେଇଛନ୍ତି ଆତ୍ମହୁତି
ଜଗତ କଲ୍ୟାଣେ ନିଜକୁ ସମର୍ପି
ଛାଡି ଯାଇଛନ୍ତି ସ୍ମୃତି
- ରବିନ୍ଦ୍ର ସାହୁ
ତ୍ୟାଗ ଶଦ୍ଦ ସଦା ଭିନ୍ନ ଭିନ୍ନ ରୂପେ
ହୋଇ ଅଛି ବ୍ୟବହୃତ
ତ୍ୟାଗ ବିସର୍ଜନ ତେଜ୍ୟ ବା ବର୍ଜନ
ତ୍ୟାଗ ପରିସର ଭୁକ୍ତ
ସ୍ବାର୍ଥ ତ୍ୟାଗ ଅବା ଆତ୍ମ ତ୍ୟାଗ ପୁଣି
ସଂସାର ତ୍ୟାଗର କଥା କ୍ରୋଧ ତ୍ୟାଗ ସାଥେ ମୋହ ତ୍ୟାଗ ପୁଣି
ତ୍ୟାଗ ବହୁ ରୂପେ ବ୍ୟାଖ୍ୟା
- ପ୍ରବୀର ମଲ୍ଲିକ
No comments:
Post a Comment