Wednesday, September 2, 2020

🌺 ଓଡ଼ିଆ ଭାଗବତ 🌺

କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବେଢାରେ କଳ୍ପବଟ ମୂଳରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ସଂସ୍କୃତ ଭାଷାରେ ରଚିତ ଭାଗବତର ପାରାୟଣ କରୁଥିଲେ ଓ ତା'ର ଅର୍ଥ ସରଳ ସଂସ୍କୃତ ଭାଷାରେ ବ୍ୟାଖ୍ୟା କରୁଥିଲେ । ଫଳରେ ଅପେକ୍ଷାକୃତ ଶାସ୍ତ୍ରଜ୍ଞାନ ଅଧିକାରୀ ମୁଷ୍ଟିମେୟ ସମବେତ ଜନତା ଭାଗବତର ଭାବ, ତତ୍ତ୍ଵ ଓ ରସ ଉପଭୋଗ କରୁଥିଲେ । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ତାହାଥିଲା ଅଗମ୍ୟ ଓ ଅବୋଧ୍ୟ । ତଥାପି କେତେଜଣ ଭଗବତ୍ ରସ ପିପାସୁ ନରନାରୀ ସେଠାରେ ନିତି ବସୁଥିଲେ ।

କାର୍ତ୍ତିକର ଶେଷ ପାଞ୍ଚଦିନ, ପବିତ୍ର ପଞ୍ଚୁକବ୍ରତ ପାଳନ କରିବା ପାଇଁ ହଜାର ହଜାର ପୁଣ୍ୟକାମୀ ବିଧବା ସ୍ତ୍ରୀଲୋକ ମଧ୍ୟ ସେଠାରେ ବସି ଭାଗବତ ଶୁଣୁଥିଲେ - ବୁଝନ୍ତୁ ବା ନବୁଝନ୍ତୁ । ଭଲଭାବରେ ବୁଝି ପାରୁଥିବା ଭକ୍ତଗଣ ପରମ ଆନନ୍ଦ ଲଭୁଥିଲେ, ଦଶମସ୍କନ୍ଧରୁ ଶ୍ରୀକୃଷ୍ଣଙ୍କ ପବିତ୍ର ବାଲ୍ୟଲୀଳା ଓ ମଧୁର ରାସଲୀଳା ପ୍ରସଙ୍ଗରେ ଭାଗବତ ପ୍ରେମ ଭକ୍ତିରେ ଉଲ୍ଲସିତ ତଥା କାରୁଣ୍ୟ ବିଗଳିତ ସ୍ବରରେ କେହି କେହି ହୁଅନ୍ତି କ୍ରନ୍ଦନରତ ।

ତେବେ ବୁଝିବାକୁ ଅସମର୍ଥ ସେହି ଜନତାଙ୍କ ମଧ୍ୟରେ ଥିଲେ ଜଣେ ଦିବ୍ୟଭାବରସ ପିପାସିନୀ ଆସ୍ପୃହାବତୀ ମାତ୍ର ହତାଶୀ ମହିଳା । ଆତ୍ମଗ୍ଲାନିରେ ଆଖିରୁ ତାଙ୍କର ବହୁଥିଲା ଧାର ଧାର ଅଶ୍ରୁ ।

ସ୍ନେହମୟୀ ମା'ର ବିଷାଦରେ ଭାରାକ୍ରାନ୍ତ ମୁହଁ, ଆଖିର ଲୋତକ, କାତର କଣ୍ଠ ଛପି ରହିପାରି ନ ଥିଲା ଏକମାତ୍ର ଗେହ୍ଲା ପୁଅଠାରୁ । "ମଣିଷ ଜୀବନ ପାଇ ଯଦି ରାମ କି କୃଷ୍ଣଙ୍କ ଭାବ ଜାଣି ନ ପାରିଲି ତେବେ ଏ ଜୀବନ ବୃଥା । ମରିବା ଆଗରୁ ଭଗବାନ ଶ୍ରୀକୃଷ୍ଣଙ୍କର ମଧୁର ଲୀଳା ଟିକେ ଶୁଣନ୍ତି, ଏ ଆତ୍ମା ପବିତ୍ର ହୋଇଯା'ନ୍ତା । ବାପରେ, ଭାଗବତ ପୁରାଣ ପରା ସବୁଠାରୁ ଉତ୍ତମଶାସ୍ତ୍ର, ସେତକ ଟିକେ ମୁଁ ବୁଝିପାରିଲା ପରି ମୋ ଭାଷାରେ ଶୁଣାନ୍ତୁ ନାହିଁ ?"

ଗମ୍ଭୀର ହୋଇ ମା'ର ଅନ୍ତର ବେଦନା ଶୁଣୁଥିଲା ପୁଅ । ମା'ର ଏହି ଦିବ୍ୟ ଆକାଙ୍କ୍ଷା ଭିତରେ ସେଇ ବେଦଜ୍ଞ ପଣ୍ଡିତ ଯୁବବ୍ରାହ୍ମଣଟି ଦେଖିପାରୁଥିଲା ସାରା ଓଡିଶାର ମୂକଜନତାର ଅନ୍ତରର ସଂଗୁପ୍ତ ଅଭୀପ୍ସାର ରୂପାୟନ । ଗୋଟିଏ ଆସ୍ପୃହାବତୀ ମା' ହିଁ ସେଦିନ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ବୈଷ୍ଣବ ଯୁବକର ସୃଜନୀ ପ୍ରତିଭାକୁ ଅନୁପ୍ରାଣିତ କରିଦେଲା ।

ସେଦିନ ସାରାଦିବସ ସାରାରାତି ଗୋଟିଏ ଘରେ କବାଟ କିଳି ଲେଖନୀ ଓ ତାଳପତ୍ର ଧରି ବସିରହିଲା ଯୁବକଟି । ଉତ୍କଳଭାରତୀଙ୍କର ଅଦୃଶ୍ୟ ଆଶିଷ ତା'ର ଲେଖନୀ ମଧ୍ୟରେ ସଞ୍ଚରିତ ହୋଇରହିଲା । ପରଦିନ ଶୁଭ ଉଷାକାଳରେ ଯୁବକଜଣକ ମା'ଙ୍କୁ ଡାକି ଶୁଣାଇଲା ଲଳିତ, ମଧୁରାତିମଧୁରଂ ଗଭୀର ଅନ୍ତର୍ବୋଧ ତଥା ମହାନ ତତ୍ତ୍ଵମୟ ସର୍ଜନା ନିଜ ମା'ଙ୍କ ଭାଷାରେ, ମାତୃଭାଷାରେ, ଅଗଣିତ ଓଡ଼ିଆଙ୍କ ଭାଷାରେ . . "ଭାଗବତ" ।

ନମଇଁ ନୃସିଂହ ଚରଣ।
ଅନାଦି ପରମ କାରଣ ।।
ସକଳ ବେଦ ହୋଇ ବୃକ୍ଷେ ।
ଫଳ ଫଳିଲେ ଅନ୍ତରୀକ୍ଷେ ।।
X X X
ତହୁଁ ଝରିଲା ସୁଧାଝର ।
ସୁଜନେ ମିଶି ପାନ କର ।।

ଏହି ସୁଧାମୟ ସୁଲଳିତ ପଦଗୁଡିକ ଶୁଣୁ ଶୁଣୁ ସେଇ ବିଧବା ମା'ଟିର ଅନ୍ତର ଥରି ଉଠିଲା ଏକ ଅଜଣା ମହାଭାବର ସ୍ପନ୍ଦନରେ । ଦୁଇ ଆଖିରୁ ଝରି ପଡ଼ିଲା ଦିବ୍ୟ ପ୍ରେମାନୁଭୂତିର ମଧୁର ବିଧୁର ଅଶ୍ରୁଧାରା ।

ଧନ୍ୟ ସେ ମା', ଆହୁରି ଧନ୍ୟ ସେ ପୁଅ ।

ସେଦିନର ସେ ଶୁଭ ସକାଳଟି ଥିଲା ସମଗ୍ର ଓଡ଼ିଆ ଜାତି ଓ ତା'ର ସାହିତ୍ୟ ସଂସ୍କୃତି ପାଇଁ ଏକ ମହାନ ସ୍ମରଣୀୟ ପ୍ରସ୍ଫୁଟନର ସକାଳ । ସେଇ ସର୍ଜନା ଓଡ଼ିଆ ଭାଗବତ ପରିଣତ ହୋଇଗଲା ଓଡ଼ିଆମାନଙ୍କୁ ସର୍ବଭାବ ଓ ଚିନ୍ତା ଉଦ୍ରେକକାରୀ ଅନବଦ୍ୟ ଭାଷାସମ୍ପଦ, ସମଗ୍ର ଓଡ଼ିଆଜାତି ପାଇଁ ଏକ ସର୍ବଜନଗ୍ରାହ୍ୟ ଭାଷା; ଆଉ ସେ ମହାନ ଯୁବକ ଜଣକ ବନିଗଲେ ସର୍ବଜନାଦୃତ ଓ ସର୍ବଜନମାନ୍ୟ ଅତିବଡ଼ି ଜଗନ୍ନାଥ ଦାସ, ଓଡିଶା ମାଟିରେ ଗୁଞ୍ଜରିତ ହେଲା ଅପୂର୍ବ ସୁଧାଭକ୍ତିର ଧାରା ।
🙏ଓଁ ନମଃ ଭଗବତେ ବାସୁଦେବାୟ🙏
      ନମଇଁ ନୃସିଂହ ଚରଣ।
      ଅନାଦି ପରମ କାରଣ।।
      ଯା ବିନୁ ଆଦି ମଧ୍ୟ ଅନ୍ତ।
      ବିଚାରେ ନ ଘଟେ ଜଗତ।।
      ଇନ୍ଦ୍ରିୟ ଅର୍ଥ ଯେ ଜାଣଇ।
      ସ୍ଵତେଜେ ନିତ୍ୟ ପ୍ରକାଶଇ।।
      ଆନନ୍ଦ ମନେ ବେଦସାର।
      ବ୍ରହ୍ମାରେ ଯେ କଲା ବିସ୍ତାର।।
      ଯାହାର ରୂପ ହୃଦେ ଚିନ୍ତି।
      ବେଦପୁରୁଷ ନ ଜାଣନ୍ତି।।
      ମୃତ୍ତିକା ବିକାର ଯେମନ୍ତ।
       ଜଳରେ ହୁଅଇ କଳ୍ପିତ।।
      ଜଳେ ଉପଳ ବୁଦ୍ଧି କରି।
      ମୃଗତୃଷ୍ଣାରେ ଯେହ୍ନେ ବାରି।।
      ରୂପ ଅରୂପ ସ୍ଥିତି ତିନି।
      ଯାର ଗୋଚରେ ଅନୁମାନି।।
       ସ୍ଵଭାବେ ନୋହେ ସେ ତେମନ୍ତ।
      ଏ ସାଂଖ୍ୟଯୋଗୀଙ୍କର ମତ।।
       ଆତ୍ମପ୍ରକାଶେ ସଦା ଥାଇ।
      ନିରସ୍ତ କୁହକ ବୋଲାଇ।।
      ସତ୍ୟ ପରମାନନ୍ଦ ହରି।
      ଯା ଭାବେ ଭବ ସତ୍ୟ କରି।।
      ଏମନ୍ତ ସତ୍ୟ ରୂପ ଯାର।
      ତା ପାଦେ ମୋର ନମସ୍କାର।।

ସେହି ପବିତ୍ର ଭାଗବତ ବନିଗଲା ଓଡ଼ିଆର ପ୍ରାଣ ଆଉ ସ୍ପନ୍ଦନ, ଜୀବନ ପାଇଁ ପ୍ରତିକ୍ଷୀତ ଆଲୋକ, ଓଡ଼ିଆଙ୍କ ସର୍ବାଧିକ ବାଂଛିତ ପ୍ରିୟତମ କାବ୍ୟ, ଆଉ ପଣ୍ଡିତ ଜଗନ୍ନାଥ ଦାସ ହୋଇଗଲେ "ପ୍ରିୟକବି", ଓଡ଼ିଆର ସବୁଠାରୁ ପ୍ରିୟତମ ଇଷ୍ଟଦେବତା ଜଗନ୍ନାଥଙ୍କ ପରି ସବୁଠାରୁ ପ୍ରିୟତମ ଇଷ୍ଟକବି, ରହିଗଲେ ଓଡିଆର ହୃଦୟରେ ଚିରସ୍ମରଣୀୟ, ସଦାପୂଜନୀୟ ହୋଇ, ଦେବତାର ଆସନ ନେଇ ।

✍ ମାନସ ରଞ୍ଜନ ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...