ରଜଦୋଳି ଗୀତ-- ପ୍ରାସଙ୍ଗିକତା ( ୩ୟ ଭାଗ )
--------------------------------------------
ଜାରା ମାରିଦେଲା ବାଣ,
ଯାହାଠାରେ ଯାର ମିଶିଛି ମନ ଲୋ,
ସେହି ଜାଣେ ତାର ଗୁଣ ।। ୩୨।।
-- ଚପଳଛନ୍ଦା କିଶୋରୀ ପ୍ରାଣର ଛନ୍ଦ କଲ୍ଲୋଳ କେବଳ ତାର ପ୍ରେମ ପଲ୍ଲବ କାହ୍ନୁ ଜାଣେ । କାହ୍ନୁ ବି ଜାଣେ ମଧୁମଲ୍ଲୀ ରାଧା କଥା । ସୁଗ୍ରୀବ ଅପେକ୍ଷା ବାଳୀ ଥିଲା ବେଶୀ ରାମ ପ୍ରାଣ ବଲ୍ଲଭ । ତେଣୁ ତ ରାମବାଣବୀଦ୍ଧ ବାଳୀ ପାଖରେ ଏତେ ମଧୁର ବାର୍ତ୍ତାଳାପ ନୟନାଭିରାମ ରଘୁନନ୍ଦନଙ୍କର ।
ସେଥିପାଇଁ ତ ବାଳୀର ଜାରାଶବର ରୂପ । ଜାରାର ବିଷାକ୍ତ ତୀର ଜ୍ୱାଳାରେ ବି କାହ୍ନା ଅବିଚଳିତ, ହସହସ ।
ମନ -ପ୍ରାଣ ,ଭକ୍ତ- ଭଗବାନ ଏକାକାର ।
ରଜପର୍ବର ଚପଳଛନ୍ଦା କିଶୋରୀ ବି ବାଦ୍ ପଡନ୍ତା କୁଆଡୁ । ତା ମନଚୋର ସହ ସେ ହସୁଛି, ବାସୁଛି , ଏତେ ସବୁ ତିକ୍ତ ଅନୁଭୂତି ପରେ ବି , ତାର ସବୁ ଦୁଷ୍ଟାମୀ, ନଟଖଟ ସ୍ବଭାବ ସତ୍ତ୍ଵେବି ତା' ସେମାନଙ୍କ ସମ୍ପର୍କକୁ ଆହତ କରିବାକୁ ସମର୍ଥ ହୋଇପାରିନି ।
କାଟି ଗଲି କଳାଦୁବ ,
ଝିଅ ଜନମରେ ଏତିକି ଲାଭ ଲୋ,
ବନ୍ଧୁ ଘର ଅରଜିବ ।। ୩୩।।
-- ଦୂବ ବଡପଵିତ୍ର, ଦେବୀ ମସ୍ତକ ବିମଣ୍ଡିତକାରୀ,କୋମଳ ଶିହରଣ ପ୍ରଦାନ କାରୀ ,ଚୂର୍ଣ୍ଣ ପର୍ଣ୍ଣ ଯୁକ୍ତ । ତା ଅମୃତ, ଦୀର୍ଘ ପ୍ରସାରୀ ନୂତନ ପ୍ରଶାଖା ସୃଷ୍ଟିକାରୀ । ତୁମେ ତାକୁ କାଟି ନେଲେବି ସେ ପୁଣି ନବ ପଲ୍ଲବ ସୃଷ୍ଟି କରି ପୂନଜର୍ଜୀବିତ ହୁଏ । ଖଣ୍ଡ ଦୂବ ଯେଉଁଠି ପଡେ ତା କାଣ୍ଡରୁ ପୂନଃ ନୂତନ ଶାଖାର ଉଦ୍ଗମ ହୁଏ ।
ସଖୀରେ ! ଏହା କେବଳ, କେବଳ ଝିଅ ଜନ୍ମରେ ସମ୍ଭବ । ଦୁହିତା , ଦୁଇକୂଳକୁ ହିତା । ବାପଘରୁ କଟିଲେ ବି ସେ ବାପଘର ପରିବାରର ହିତରେ ଥାଏ, ଦୂର ଶାଶୁଘରେ ସେ ଲକ୍ଷ୍ମୀ ମା ଟିଏ । ବନ୍ଧୁ ବାନ୍ଧବ ସଭିଙ୍କ ପାଇଁ ସେ ଶ୍ୟାମଳ ଦୁର୍ବାଦଳର କୋମଳ ସ୍ପର୍ଶ । ପୁରୁଷର ସେ ଯୋଗ୍ୟତା ବା ସୌଭାଗ୍ୟ ନାହିଁ ରେ ସଖୀ ।
ଏଇତ ଝିଅ ଜନ୍ମର ଲାଭ, ସୌଭାଗ୍ୟ ।
କାଳୀଗାଇ ଦୁଧକ୍ଷୀରି ,
ନୂଆ ପିରତି ରେ ମଉଜ ଭାରି ଗୋ,
ପୁରୁଣାଟି ନିମ୍ବ ପରି ।।୩୪।।
-- କାଳୀଗାଇ କଳା ସିନା, ତା ଦୁଧ ଖୁବ୍ ମିଠା । ଗୋରୀଗାଇ ଦୁଧ ମିଠା ନହେଲେ କଣ ହେଲା ଦେଖିବାକୁ ଗୋରୀଲୋ । ଏ ଦୂନିଆର ସଭିଙ୍କ ଠାରେ ଭଲ କିଛି ଅଛି ସଖୀ । ସମସ୍ତେ ଭଲ ।
କିନ୍ତୁ ମଣିଷ ସବୁବେଳେ ପରିବର୍ତ୍ତନକୁ ଭଳପାଏ । ନୂଆ ଜିନିଷ ଖୋଜିବାରେ ତା ଆଗ୍ରହ । ସେଥିପାଇଁ ଲୋ ସଖୀ-- ତାକୁ , ମୋତେ ବି, ଆମକୁ ବି ନୂଆ ଜିନିଷ ଭାରି ମିଠା ଲାଗେ , ପୁରୁଣା ଲାଗେ ପିତା ।
ଆଗରୁ କହିଛିନା ସଖୀ - ସବୁ ଭଲ , ସମସ୍ତେ ଭଲ ।
ଭଲଭାବରେ ମନେରଖିଥିବୁଲୋ ସଖୀ --ଯାହା କେବଳ ଆମପାଇଁ ନୂଆ କିମ୍ବା ପୁରୁଣା । ତୋର ପାଇଁ ଯାହା ପୁରୁଣା - ମୋ ପାଇଁ ତାହା ନୂଆ । ମୋ ପାଇଁ ଯାହା ପୁରୁଣା ତୋ ପାଇଁ ତାହା ନୂଆ ।
ତେଣୁ ନୂଆ ରେ ଭଳିବୁନି ଲୋ ସହୀ, କି ପୁରୁଣା କୁ ହତାଦର କରିବୁନି ଟି । ନଚେତ୍ ତୋ ପୁରୁଣାକୁ କିଏ ନୂଆକରି
ନେଇଯିବଟି ।
ଆମ୍ବ ପତ୍ର ଗହଳିଆ,
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ ,
ତୋଫା ହେବଟି ଧୂଳିଆ ।।୩୫।।
-- ଏଇ ବର୍ଷା ଆଗମନରେ, ପ୍ରଥମ ବର୍ଷାର ସ୍ପର୍ଶରେ ଆମ୍ରତରୁ ନୂତନ କିଶଳୟ ବିମଣ୍ଡିତ ହୋଇ ଗହଳ ହୋଇଯାଏ । ସେଥିରେ ଥିବା ଧୂଳିଆ ଜନ୍ଦାମାନେ ବର୍ଷା ଧୌତ ହୋଇ, ଯଥେଷ୍ଟ ଖାଦ୍ୟ ଆହରଣକରି ତୋଫା ହୋଇଯାନ୍ତି । ( ବର୍ଷା ଯୋଗୁଁ ଗଛରେ ଅନେକ ଶୋଷକ ପୋକ ଦେଖାଯାନ୍ତି, ଜନ୍ଦାମାନେ ସେ ଅସଂଖ୍ୟ ପୋକମାନଙ୍କ ଠାରୁ ନିର୍ଗତ ମଧୁଶିଶିର ପାନକରି ଥାନ୍ତି )।
ସଖୀରେ ! ତୁ ଆମ୍ବପତ୍ର ଗହଳିର ଜନ୍ଦା ପରି ଯଦି ବହୁ ନାଗର ସଙ୍ଗରେ ପ୍ରୀତି କରିବସିବୁ । ତୋ ତୋଫା ମନ,ହୃଦୟ , ପ୍ରେମ ଧୂଳି ଧୂସରିତ ମଳିନ ହୋଇଯିବଲୋ ସହୀ।
ସାବଧାନ ଥିବୁ ।
ଥିରି ଥିରି ଚାଲେ ହାତୀ,
ଥୟ ନ ହେଉଛି କିମ୍ପା ଏ ଛାତି ଲୋ,
ଥକା ଦୋଳି ,ହେଲା ରାତି ।। ୩୬।।
-- ହାତୀ ଚାଲି ଖୁବ୍ ଧୀର । କାରଣ ସେ ବିଶାଳ । ନବ କିଶୋରୀର ବି ମନ ବିଶାଳ । କାରଣ ସେ ଛନ୍ଦକପଟର ଗୋଲକ ଧନ୍ଦାରେ ଘାଣ୍ଟି ହେବା ଶିଖିନି । ସରଳ ଓ ନିର୍ମଳ ହୃଦୟରେ ସେ ଏ ରଜରେ ଜୀବନର କେତେ ଜଟିଳ ଫନ୍ଦି ଫିକର ନୂଆ ନୂଆ ଶିଖୁଛି । ତା ମନ ବିବ୍ରତ, ଆନ୍ଦୋଳିତ -- ସତରେ ସେ କଣ ପାରିବ ? ଠକି ଯିବନି ତ ??
ତାକୁ ଆଗକୁ ଉଜ୍ଜ୍ୱଳ ସକାଳ ନୁହେଁ, ଗଭୀର ତମିଶ୍ରା ପୂର୍ଣ୍ଣ ରାତିର ପ୍ରଦଧ୍ବନୀ ଶୁଣାଯାଉଛି । ସେ ଡରିଯାଉଛି । ତା ଛାତି ଧଡ଼ ପଡ଼ ହେଉଛି । ଦୋଳି ଖେଳ ଆଉ ସହଜ ଜଣାପଡୁନି । ସୁଖ ହଜିଗଲା ହଜିଗଲା ଲାଗୁଛି ।
ଦୋଳି ଖେଳ ଛାଡ଼ି ସେ ଜୀବନକୁ ଅଧିକ ବୁଝିବାକୁ ଚାହୁଁଛି । ତାକୁ ଅବସର ଦରକାର ମନନ କରିବାକୁ ।
ରାତି ମାଡି ଆସୁଛି ।
( ରଜଦୋଳି ଗୀତର ଅବଶିଷ୍ଟ ଅଂଶ ବ୍ୟାଖ୍ୟା ସହ ପରବର୍ତ୍ତୀ ଅଧ୍ୟାୟରେ । ଆପଣଙ୍କର ଆଗ୍ରହ, ମୋର ସମ୍ବଳ ଓ ପ୍ରୋତ୍ସାହନ )
-- ଦାଶରଥି ସାହୁ
ତାରିଖ-- ୧୭.୦୬.୨୦୨୧
( ବସୁମତୀ ପୂଜନ ଓ ସ୍ନାନ )
No comments:
Post a Comment