ରଜଦୋଳି ଗୀତ - ପ୍ରାସଙ୍ଗିକତା ( ଚତୁର୍ଥ ଭାଗ )
------------------------------------------------------
ପାଚିଲା ଆମ୍ବ ପଣସ ,
ଆସ ଭାଇମାନେ ଦୋଳିରେ ବସ ,
ନକରି ମନ ବିରସ ।।୩୭।।
-- ଏ ରଜପର୍ବ କିଶୋରୀ ମାନଙ୍କ ପର୍ବ । ଆନନ୍ଦ ଉଲ୍ଲାସର ପର୍ବ । କିନ୍ତୁ କିଶୋରମାନେ ?? ସେମାନେ ବି ବୟଃପ୍ରାପ୍ତ ।
ଋତୁ ଆସିଛି । ଆମ୍ବ ପାଚିଛି । ପଣସ ବି ପାଚିଛି । ଆମ୍ବର ସୁବାସ ଛୁଟୁଛି । ପଣସର ସୁବାସ ବି ।
ଆମ୍ବ ଝୁଲିବ । ପଣସ ବି ।
ଯେତେ ସଖୀ ମେଳରେ ଥିଲେବି କିଶୋରୀ ପ୍ରାଣ ତା ଭାଇପାଇଁ ଝୁରିବ ହିଁ ଝୁରିବ । ତେଣୁ ଦୋଳିରେ ମଜା କେବଳ ସେ ନୁହେଁ , ଭାଇମାନେବି ନିଅନ୍ତୁ ।
ଘୋଡ଼ା ଗୋଡ଼ ଟାପୁ ଟାପୁ ,
ଆମେ ଯାଇଥିଲୁ ତୁମ ଗାଆଁକୁ ,
ନ କହିଲ ବସିବାକୁ ।। ୩୮।।
-- ଘୋଡ଼ା ଆସୁଛି ବୋଲି ବହୁ ଦୂରରୁ ଜାଣିହୁଏ ତା'ର ଟାପୁ ଶବ୍ଦରୁ । ନହୁଲୀ କିଶୋରୀ ପରୀ ସୁନ୍ଦରୀ ଯେତେବେଳେ ଅନ୍ୟ ସାହିକୁ ବୁଲିଯାଏ , ଚହଳ ପଡିଯାଏ କିଶୋର କିଶୋରୀ ମହଲରେ । ଘୋଡାର ଲଗାମ ନଟାଣିଲା ଯାଏ ସେ ଅଟକେ ନାହିଁ । କାରଣ ତାର ବେଗ ତାର ସମ୍ପଦ ।ନବ ଯୌବନବତୀ ଲଳନାର ସୌନ୍ଦର୍ଯ୍ୟ ତାର ସମ୍ପଦ । ସେ ବି ବୁଲିବୁଲି ତା ରୂପ ରୋଷଣୀର ବିଜ୍ଞାପନ କରିବାକୁ ଚାହେଁ । କିନ୍ତୁ ତାକୁ ଲଗାମ ଦେବ କିଏ ? ଅନ୍ୟ ସାହିର କିଶୋର ସାହସ କରି ,ତା ଦୂଆରେ ବସିବାକୁ ଡାକି ପାରେନି । ଆଉ ଅନ୍ୟ ସାହିର ଲଳନାର ଭୟ - ୟେ ତା ପ୍ରତିଦ୍ବନ୍ଦୀ ହେବନି ତ ?
ଚାଳରେ ବସିଲା ବଣି ,
ରାଧା ଚାଲିଗଲା ଯମୁନା ପାଣି ,
କାହ୍ନୁ କଥା ମନ ଜାଣି ।।୩୯।।
-- ବଣି ଏମିତି ଏକ ଚଢ଼େଇ ,ଯିଏ ମୂଖ୍ୟତଃ ଜନବସତି ପାଖରେ ରହିବାକୁ ଭଲପାଏ । ସେ ଅନ୍ୟ ପ୍ରଜାତିର ଚଢେଇମାନଙ୍କ ସଙ୍ଗେ ଝଗଡ଼ା ଲଢେଇ କରି ସେମାନଙ୍କ ବସାକୁ ଅକ୍ତିଆର କରି , ସେ ଚଢେଇକୁ ସେଠୁ ତଡ଼ି ଦେଇଥାଏ । ( ଅଷ୍ଟ୍ରେଲିଆ ରେ ଏମାନଙ୍କର ପ୍ରଦୁର୍ଭାବ ଏତେ ବେଶୀ ଯେ ସେଠା ସରକାର ବଣିକୁ ଏକ ପେଷ୍ଟ ବା ଅନିଷ୍ଟକାରୀ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।)
ଏ ବଣି , ଘରଚଟିଆ ସଙ୍ଗେ ମଧ୍ୟ କଳିଝଗଡା କରି ଆକ୍ରମଣ କରି ତାକୁ ତଡେ । ଚାଳ ସାଧାରଣତଃ ଘରଚଟିଆର ବାସସ୍ଥଳୀ । ବଣି ଚାଳରେ ବସିବା ଅର୍ଥ ସେ ଘରଚଟିଆ ସହ ଲଢିବା ମତଲବରେ ଅଛି । ଘରଚଟିଆର ଘର ଭାଙ୍ଗିବା ତା ଉଦ୍ଦେଶ୍ୟ ।
କାହ୍ନା କଣ କଲାକି ? ଚନ୍ଦ୍ରଶେଣା-ରାଧାର ଘର ଭାଙ୍ଗିବା ପାଇଁ ଯମୁନା କୂଳେ କଦମ୍ବ ମୂଳେ ....
ଆଉ ପ୍ରଣୟୀ ରାଧିକା - କାଖରେ କଳସୀ - ଚାଲି ଅଳସୀ- ଯମୁନ ଗଲାଣି -- ନୀର ଆଣି ।
ରେ ନବ ଛଇଳି - ବଣିକୁ ଚିହ୍ନି, କାହ୍ନାକୁ ଚିହ୍ନି । ରଜରେ ତୁ ଜୀବନକୁ ଚିହ୍ନି ।
ଚିରିଲି ବାଉଁଶ ବତା ,
ଉପରେ ବନ୍ଦିଲି ସୂର୍ଯ୍ୟ ଦେବତା,
ତଳେ ବନ୍ଦେ ବସୁମାତା ।।୪୦।।
-- ବାଉଁଶ ଚିରିଲେ ବତା ହୁଏ । ଦୁଇଖଣ୍ଡ ବତା ମିଶିଲେ ବାଉଁଶ।ମଣିଷ ହେଉଛି ଏଇ ବାଉଁଶ । ତାର କିଛି ଆଶିଛି ଉପରୁ , ସୂର୍ଯ୍ୟ କିରଣ ରୁ ,ଆକାଶରୁ । ଆଉ ଅଧେ ଆସିଛି ତଳୁ ,ଧରଣୀ ରୁ । ଉଭୟଙ୍କୁ ସେ କୃତଜ୍ଞତା ଜଣାଇବା ଉଚିତ୍ । ନାରୀର ଜୀବନ ବାପଘରର ଅବଦାନ ଓ ଶାଶୁ ଘରର ଅବଦାନ ବି । ତେଣୁ ସେ ଉଭୟଙ୍କୁ କୃତଜ୍ଞତା ଜଣାଇବା ଉଚିତ୍ । ସେହିଭଳି ପାରିବାରିକ ଜୀବନ ନାରୀର ବସୁନ୍ଧରାର ଶହନଶୀଳ ଗୁଣ ଓ ପୁରୁଷର ସୂର୍ଯ୍ୟ ସମ ତେଜ ଓ ଦେବ ସୁଲଭ ଗୁଣର ସମ ମିଶ୍ରଣରେ ଯାଇ ପୂର୍ଣ୍ଣାଙ୍ଗ ହୋଇପାରିବ ।
ଶାଗକୁ ଭାଜିଲି ଡାଙ୍ଗେ,
ଶାଶୁ ଗାଳିଦେଲେ , ନଣନ୍ଦ କହିଲେ ,
କାଲିଯିବି ଭାଇ ସାଙ୍ଗେ ।।୪୧।।
-- ଶାଗ ହେଉଛି ପତ୍ର ଓ ଡାଙ୍ଗର ମିଶ୍ରଣ । ଡାଙ୍ଗ ନଥିଲେ ଶାଗ ନାହିଁ । ଡାଙ୍ଗ ଦେହରେ ପତ୍ର ଲାଗିଥାଏ । ଡାଙ୍ଗ ଶାଗକୁ ଦୃଢ଼ ଭାବେ ଧରିରଖେ । ପତ୍ର ଡାଙ୍ଗକୁ କୋମଳତା ପ୍ରଦାନ କରେ । ଭାଇ ସଙ୍ଗେ ଭଉଣୀର ସମ୍ପର୍କ ଶାଗ- ଡାଙ୍ଗ ପରି ଅଛେଦ୍ଯ । କିନ୍ତୁ ସମାଜ ପୁଅ ଝିଅ ମଧ୍ୟରେ ମିଳାମିଶାକୁ ଠିକ୍ ରୂପେ ନଦେଖି ତା ମଧ୍ୟରେ ଆବିଳତା ଆଶଂକା କରେ । କିନ୍ତୁ ଭାଇ ଭଉଣୀ ସମ୍ପର୍କ ଅନାବିଳ ଓ ସନ୍ଦେହର ଉର୍ଦ୍ଧ୍ବ ରେ ହେବା ଉଚିତ୍ ।
( ରଜଦୋଳି ଗୀତର ଅବଶିଷ୍ଟ ଅଂଶ ଓ ତାର ବ୍ୟାଖ୍ୟା ପରବର୍ତ୍ତୀ ଭାଗରେ ... କ୍ରମଶଃ )
---- ଦାଶରଥି ସାହୁ
ତାରିଖ -- ୧୮.୦୬.୨୦୨୧
No comments:
Post a Comment