ରଜଦୋଳି ଗୀତ - ପ୍ରାସଙ୍ଗିକତା
-------------------------------------
ବେଳେ ବେଳେ ଆମେ ଭାବୁ , ଏସବୁ କାହିଁକି ? କଥାର ଲଥା ପରି ରଜଦୋଳିର ପଦ ବିନ୍ଯାସ , କେବଳ କିଛି ଯତିପାତ, କିଛି ତରଳ ଭାବର ସ୍ରୋତ ପ୍ରବାହ କି ?
ଆମେ ବୁଝିପାରିବା କଥାନୂହେଁ । ସେ କଥା ଅନୂଢା କୁମାରୀ କନ୍ୟାକୁ ପଚାରନ୍ତୁ । ନୂଆ ରଜୋବତୀ ଲଳନା କୁ ପଚାରନ୍ତୁ । ରଜଦୋଳି ରେ ସାଥିମେଳରେ ଝୁଲୁଥିବା କିଶୋରୀ ଝୁମୁକାକୁ ପଚାରନ୍ତୁ , ସେ କହିବ ବହୁ ଗୁଢ ତତ୍ତ୍ବ ପରିପୂର୍ଣ୍ଣ ଲାଜୁଆ ଲାଜୁଆ ମନ ତଳର ଛୁପା ଛୁପା କଥା ।
ଏ ରଜଦୋଳି ଗୀତରେ ବର୍ଷା ଅଛି, ବିଜୁଳି ଅଛି, ବନସ୍ତ ଅଛି , ପଣଷ ଅଛି, ହୃଦୟ ଅଛି, ସମାଜ ଅଛି , ଆଉ ଜୀବନ ଅଛି ,ସପନ ବି ଅଛି ।
କିନ୍ତୁ ମିଛ ନାହିଁ କି ଅବାନ୍ତର କିଛି ଆଦୌ ନାହିଁ ।
ସବୁ ସମ୍ବନ୍ଧିତ, ପ୍ରାସଙ୍ଗିକ, ସାମାଜିକ , ଭାବାତ୍ମକ ।
ଲେଖିଲେ ଏକ ବିଶାଳ ପ୍ରବନ୍ଧ ହେବ -
ମୁଁ ଏଠି ଠିକେ ଠିକେ କହିବି , ଆପଣ ଶୁଣିଲେ ହେଲା ।
ମୋର ପୂର୍ବ ଲେଖାରେ ରଜଦୋଳି ଗୀତର ପ୍ରଥମ ପଦ ଓ ଷୋହଳତମ ପଦର ସାମାନ୍ୟ ବିଶଦ ବ୍ୟାଖ୍ୟା କରିଥିଲି ।
ଏବେ ଅନ୍ୟ ପଦର ବ୍ୟାଖ୍ୟା ମାତ୍ର ଠାରରେ କହିବି ।
ମୋର ପୂରା ବ୍ୟାଖ୍ୟା ଏକ ପୁସ୍ତକ ଆକାରରେ ପ୍ରକାଶନ ଅପେକ୍ଷାରେ ।
ରାଶିରୁ ଛାଡ଼ିଲା ଚୋପା,
ଗୋଡ଼ରେ ନାଇଲୁ ସରୁ ଅଳତା ଲୋ,
ମଥାରେ ସିନ୍ଦୂର ଟୋପା ।।୨।।
- ରାଶିରୁ ଚୋପା ଛାଡ଼ିଲେ ତାହା ଶୁଭ୍ରବର୍ଣ୍ଣ ଧାରଣ କରେ । ରଜୋବତୀ ଲଳନାର ରଙ୍ଗ ଫିଟେ ।
ଉଡ଼ିଲା ଶୁଆ ନାହାକା ,
ଦୋଳିଟା କାହିଁକି ଲାଗୁଛି ଏକା ଲୋ,
କାହା ବିନା ଏକା ଏକା ।।୩।।
-- ନାହାକା ଶୁଆକୁ ଘରେ ପଞ୍ଜୁରୀରେ ସାଥିଠାରୁ ଅଲଗା ରଖାଯାଏ ଭଲ କଥାକୁହେ ବୋଲି । ସେ ମୁକ୍ତ ହୋଇ ଉଡିବାକୁ ଚାହେଁ । କିଶୋରୀ ମନ ଦୋଳିରେ ବି ବୋଧ ନୁହେଁ ,ସେ ସାଥି ଚାହେଁ ।
ପାଚିଲା ଭଇଁଚ କୋଳି,
ବେକରେ ନାଇଚି ଗଜରା ମାଳି ଲୋ,
ଝୁଲାଅ ରଜର ଦୋଳି ।।୪।।
-- ଏଇ ସମୟରେ ଭଇଁଚ କୋଳି ପାଚେ । ଖଟାମିଠା ସ୍ୱାଦଯୁକ୍ତ । ବେକରେ ଗଜରା ମାଳ ଝୁଲାଇ ଅନୂଢା ନହୁଲି ବୟସୀ ସାଥି ଅପେକ୍ଷା ରେ ବିମର୍ଷ ଥିଲେ ବି ଦୋଳିରେ ମଉଜ ନେବାକୁ ସହେଲି କୁ ମିନତି କରୁଛି ।
ପଣସ ପାଚିଲା ବନେ,
ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ,
ମନକଥା କିଏ ଜାଣେ ।।୫।।
-- ପଣସ ପାଚିଲେ ଖଣ୍ଡମଣ୍ଡଳ ଚହଟି ଉଠେ ତା ବାସ୍ନାରେ, ବନ ପୋଡିଗଲେବି ତା ତାପ ଓ ଆଲୋକର ବନ୍ୟାରେ ସମସ୍ତେ ଜାଣିପାରନ୍ତି ବନପୋଡିକଥା ।
କୁମାରୀ ରଜୋବତୀ ହେଲାପରେ ,ତା ଦେହରୁ ସ୍ବତନ୍ତ୍ର ସୁଗନ୍ଧ ଛୁଟେ , ସମସ୍ତେ ଜାଣିପାରନ୍ତି । କିନ୍ତୁ ସେ ଯେ ସାଥି ବିନା ତା ମନ ବିରହ ଜ୍ୱାଳାରେ ଜଳୁଛି - ଏକଥା କେତେଜଣ ଜାଣନ୍ତି ?
ଶଙ୍ଖମଲମଲ ଗିନା ,
ଦରଦ ଜାଣେଲୋ ଦରଦୀ ସିନା ଲୋ
ବଣିଆ ଚିହ୍ନେଟି ସୁନା ।।୬।।
-- ଶଙ୍ଖ ମଲମଲ ଗିନା ଶଙ୍ଖ ନୁହେଁ । ଏହା ଧାତୁପାତ୍ର କିନ୍ତୁ ଉପରେ ଧଳା ପ୍ରଲେପ । କୁଆଁରୀ ରଜ ଦୋଳିରେ ଯେମିତି ଉତ୍ ଫୁଲ୍ଲିତ ଦେଖାଯାଉଛି, ସେ ତାହା ନୁହେଁ । ସେ ଭିତରେ ବିରହରେ ଜଳି ପୋଡ଼ି ଯାଉଛି । ବଣିଆ ସୁନା ଚିହ୍ନିବା ପରି ,ଏକା ତା ପ୍ରେମିକ ହିଁ ତା ଅନ୍ତରର ଦରଦ ଆକଳନ କରିପାରିବ ।
ନିମ୍ବର ବୁକେ ଚନ୍ଦନ,
ଦେବତା ଗଢ଼ାଇଲା ନାରୀ ଜୀବନ ଲୋ,
ଦେଲା ତହିଁ ଯଉବନ ।।୭।।
-- ନିମ୍ବ ସ୍ବାଭାବିକ ଭାବେ ପିତା । ନାରୀ ଜୀବନ ସ୍ବାଭାବିକ ଭାବେ ଯନ୍ତ୍ରଣାମୟ । କିନ୍ତୁ ଚନ୍ଦନ ଲେପନ ଦେଇ ନିମ୍ବ ଦାରୁକୁ ଜଗନ୍ନାଥ ଦେବତାରେ ରୂପାନ୍ତରିତ କଲାପରି । ନାରୀ ଦେହରେ ଯୌବନ ଖଞ୍ଜି ବିଧାତା ତାକୁ ଦେବୀ ରେ ପରିଣତ କରିଦିଏ ।
ଢମଣା ଛାଡ଼ିଲା କାତି,
ପୁରୁଷ ସିନାଲୋ ଭ୍ରମର ଜାତି ଲୋ,
ନୂଆ ଖୋଜୁଥାନ୍ତି ନିତି ।।୮।।
-- ଢମଣା ସାପ ବିଷାକ୍ତ ନୁହେଁ , କାତି ଛାଡିଥାନ୍ତି ଏହି ସମୟରେ , ନୂଆ ଶରୀର ଧାରଣ କରନ୍ତି କିନ୍ତୁ ଗୁଣ ଛାଡନ୍ତି ନାହିଁ । ତାକୁ ନୂଆ ଭାବିବା କଥା ନୁହେଁ । ପୁରୁଷ ଜାତି ଏକଥା ବୁଝିପାରେ ନାହିଁ । ସେ ଭଅଁର ପରି ପୁରୁଣା ସାଥିକୁ ଛାଡ଼ି ନୂଆ ରଜୋବତୀ ଲଳନା ପଛରେ ପଡିଯାଏ । ସଜନୀ ଲୋ ଏପରି ପୁରୁଷ ପ୍ରତି ସାବଧାନ ଥିବୁ ।
ଚାନ୍ଦରେ କଳଙ୍କ ଚିହ୍ନ,
ନବ ଯଉବନୀ କିଆଁ ଗୁମାନ ଲୋ,
ଆସିଲେଣି ଜୀବ ଧନ ।।୯।।
-- ସରଳ କିଶୋରୀ ତୁ , ଯଦି ବି କିଛି ଭୂଲ କରିପକାଇଛୁ , ସେଥିଲାଗି ବିବଶ ହୁଅନା । ଚନ୍ଦ୍ର ରେ ବି କଳଙ୍କ ଅଛି । ତାକୁ ଭୁଲିଯାଇ , ତୋ ଜୀବନ ଧନ ଆସିଲେଣି ପରା ।
ପୋଖରୀ ତୁଠ ପଥର,
ତତେ ଦେଖିଥିଲି ବାଲି ବନ୍ଧରେ ଲୋ,
ଆଖି ଥିଲା ଏଣେ ତୋର ।।୧୦।।
-- ପଥରଟିଏ ବାଲିବନ୍ଧ ଉପରେ ଥିଲା । ଶୁଷ୍କ ନିରସ , ବ୍ୟବହାର ଅଯୋଗ୍ୟ । ପୋଖରୀ ତୁଠକୁ ଆସିଲା , ଛଳଛଳ ଜଳ , ପଦ୍ମ ଗନ୍ଧରେ ମତୁଆଲା ପରିବେଶ , କେତେ ଜନର ଜୀବନଧନ । ଲୋ କିଶୋରୀ ତୁ ଅପୁଷ୍ପବତୀ ଥିଲୁ , ପୁଷ୍ପବତୀ ହୋଇ କେତେ ମନର ମହାରାଣୀ ହେଲୁ । ତୁତ ଏମିତି ରଜସ୍ଵଳା ହେବାକୁ ଚାହୁଁଥିଲୁ ନା । ଲୁଚାନା , ଆମେ ଜାଣିପାରୁ ଛୁ ।
ସାହାଡ଼ା ଗଛର ଛାଇ ,
ସେଦିନ କଥାକି ତୋ ମନେ ନାଇଁ ଲୋ,
ଆନମନା କାହିଁପାଇଁ ।।୧୧।।
-- ସାହାଡ଼ା ଗଛର ଛାଇ ଦିଗ ବଦଳଉଥାଏ । ସୂର୍ଯ୍ଯ ଦିଗ ବଦଳାଇବା ଯୋଗୁଁ । ଲୋ ଅଲିଅଳି ଲଳନା , ତୋର ବା କି ଦୋଷ ? ତୋ ଲମ୍ପଟ ପ୍ରେମିକ ଯଦି ପ୍ରତାରଣା ଦେଲା , ସେଥିପାଇଁ ବିବ୍ରତ ନ ହୋଇ ତୋ ଦିଗ ବଦଳେଇ ଦେ ।ତତେ କେହି ଦୋଷ ଦେବେନି ।
ଖୋସାରେ ଖୋସିଲି ଫୁଲ,
କେତେ ଦେଖାଉଛୁ ନୁଖୁରା ଗେଲରେ
ଭାଙ୍ଗି ଦେବି ତୋର ଗାଲ ।।୧୨।।
-- ଖୋସାରେ ଫୁଲ ଖୋସି , ଅନୂଢା କିଶୋରୀ ନିଜ ରୂପ ଚର୍ଯ୍ଯା କରୁଛି । ତା ମାନେ ନୁହେଁ ଯେ କେହି ତା ସୌନ୍ଦର୍ଯ୍ୟର ଅଯଥା ଫାଇଦା ନେବେ ।
ନଈରେ ଶୁଖିଲା ବାଲି,
କେତେ ଫୁଲି ହେଉ ପୁଚୁକିଗାଲି ଲୋ,
ଦେଖାଉଛୁ କେତେ ବେଲି।।୧୩।।
-- ନଦୀର ଶୁଖିଲା ବାଲି , ପାଣି ସଂସ୍ପର୍ଶରେ ଆସି ଫୁଲିଉଠେ । ନାଗର କହୁଛି ଲୋ ପୁଚୁକିଗାଲି ତନୁପାତଳୀ ତୁ ନବଯୌବନା ହେଲାପରେ ସେହିପରି ଫୁଲି ଉଠିଛୁ । ଏଇଟା ଦୈବ ବିଧାନ । ତୁ ଫୁଲେଇ ହୁଅନା ।
ବାଜିଲା ତେଲିଙ୍ଗି ବାଜା,
ରସିକ ଯେ ଜାଣେ ସ୍ନେହର ମଜା ରେ,
ସେ ସିନା ମୋମନ ରଜା।।୧୪।।
-- ତେଲିଙ୍ଗି ବାଜା ବିବାହ ରୋଷଣୀ ସହ ବାଜେ । ମେଘ ଡମ୍ବରୁ ଓ ବିଜୁଳି କନ୍ୟା ଏ ରଜ ସମୟର ବିବାହୋତ୍ସବ ପ୍ରତୀକ । ଏ ସମୟରେ ରସିକ କୃଷକ ବାପୁଡ଼ା ଧରଣୀ ର ରଜସ୍ୱଳା କଥା ଠିକ୍ ବୁଝିପାରେ । ଆଉ କିଶୋରୀ ମନକଥା ? .. ତା ମନରେ ରାଜା !!
ଲୁଚିଗଲା ମେଘେ ଚାନ୍ଦ,
ଦୋଳି କଟକଟ କରେ ଶବଦ ଲୋ
ବହନ୍ତେ ପବନ ମନ୍ଦ ।।୧୫।।
-- ବର୍ଷା ଆଗମନରେ ମେଘ ,କି ସୁନ୍ଦର ଚାନ୍ଦକୁ ଘୋଡାଇ ପକାଏ । ବିପଦ ମାଡ଼ି ଆସିଲାକି ଆଉ !? ଦୋଳି କଟକଟ ବି ମନକୁ ବିପଦ ସମ୍ଭାବନା ରେ ଆତଙ୍କିତ କରୁଛି । ମନ୍ଦ ବା ଦୁଷ୍ଟ ପବନ ତରୁ ଡାଳକୁ ଦୋହଲାଇ ଦେଉଛି କିମ୍ବା ମନ୍ଦ ବା ଧିର ପବନ କୁମାରୀ ମନକୁ ଏତେ ଆନ୍ଦୋଳିତ କରୁଛି ଯେ କିଏ ଜାଣେ କେତେବେଳେ କି ଅଘଟଣ ଘଟିବ । ଚାନ୍ଦମୁହିଁ ମୁହଁ ଲୁଚିଯିବକି ଆଉ !?
ପରବତେ ଜଳେ ନିଆଁ,
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ ,
ପୁଣି ହେବ ବାଆଁ ଡାଁ ।।୧୭।।
- ପାହାଡ଼ରେ ନିଆଁ ଲାଗିଛି । କିଶୋରୀ ତନୁରେ ବି । ସେ ନିଆଁ ଲିଭିବା ସମୟ ଆସିଲାଣି । ଲୋ ସୁନ୍ଦରୀ ତୋ କାମରେ ମନ ଦେ । ତୋ ଯୌବନ ନିଆଁ କୁ ବେଶୀ ଦୃଷ୍ଟି ଦେନା । ନଚେତ୍ ବାଟଭୂଲି ଏ ପ୍ରେମିକ ରୁ ସେ ପ୍ରେମିକ ହେଉଥିବୁ । ସାବଧାନ ।
ଉତୁରି ପଡ଼ିଲା ଦୁଧ,
ଉଙ୍କି ମାରି ମାରି ଅନାଉ ଥାଏ ଲୋ ,
ନନ୍ଦର ଉଦିଆ ଚାନ୍ଦ ।। ୧୮।।
-- କୁମାରୀ ବକ୍ଷୋଜ ଦର୍ପିତ ହେଲାଣି । ଏକଥା ଛପିଥିବା ରସିକ କାହ୍ନା ନଜରକୁ ଆସିଲାଣି । ତୁ ଜାଣିପାରୁଛୁନା ଲୋ କିଶୋରୀ !?
ଛତରା ବଜାର ହାଟ,
ଛକି ବସିଥିବ ଚଗଲା କାହ୍ନୁଲୋ,
ଛନ୍ଦରେ ମାଗିବ ଘାଟ ।।୧୯।।
-- ଅନେକ ରସିକ ଗହଳରେ କାହ୍ନୁ ଛକି ବସିଥିବ ।ଚଗଲା ଭାରି । କଣା ନା କଣ ଛଳନା କରି ମାଗି ବସିବ । ସତର୍କ ଥିବୁ ଲୋ ସୁନ୍ଦରୀ । କାହ୍ନା ହେଲେବି ସତର୍କ ଥିବୁ । ଘାଟ ଦେବୁନିଟି ।
ଥୋଡ଼ମଞ୍ଜା କଲି ରାଇ,
କଣ ନକଲେ କଳା କହ୍ନାଇ ଲୋ,
ମୁହଁକୁ ଯା ନ ଅନାଇ।।୨୦।।
-- କଅଁଳ ମଞ୍ଜା ରାଇ ସ୍ବାଦିଷ୍ଟ ବି , କଠିନ ବି । କାହ୍ନୁ କଣ ,କି ଭାବ କଲେ , ମୁହଁ ଲାଜରେ ସଢି ଯାଉଛି ।
କରମଙ୍ଗା କଲି ରାଇ ,
ମଥୁରାକୁ ଗଲେ କଳା କହ୍ନାଇ ଲୋ,
କଣ୍ଟ ଦେଇ ଗଲେ କାହିଁ।।୨୧।।
-- କଞ୍ଚା କରମଙ୍ଗା ଏ ସମୟରେ ମିଳେ । ତା ରାଇ ଖୁବ୍ ଖଟା ଓ ପିତା , ଏ ସମୟରେ । ଠକ ପ୍ରେମିକ କଥା ଦେଇ ବି ଠକିଦେଇ ଚାଲିଯିବ । ଲୋ ସହେଲୀ ! ଜୀବନଟା ଖଟା ପିତା ହୋଇଯିବ । ଜଗିଥିବୁଟି ।
ସାଉଁଟିଲି ବିଲ ଘଷି ,
କିମ୍ପାଇଁ ରାଧିକା ବସିଲା ରୁଷି ଲୋ,
ଫୁଲ ଶେଯ ହେଲା ବାସି ।।୨୨।।
-- ବିଲ ଘଷି ,ପ୍ରଥମ ବର୍ଷରେ ଓଦା ମାଟିରେ ଏମିତି ଲାଗିଯାଏ ଯେ , ଯେତେ ସାଉଁଟିଲେ ବି ସିଏ ଆଉ ସେ ଭଲ ଘଷି ହୋଇ ରହି ନଥାଏ । ରାଧିକା କିଶୋରୀ ଯେତେ ସାଉଟିଲେ ବି ପାଉନାହାଁନ୍ତି । କାହ୍ନୁ ଘଷି ହୋଇ କେଉଁଠି ଲାଖିଯାଇଛନ୍ତି ଯେ ... ଆହା ଫୁଲ ଶେଯ ବାସି ହୋଇଗଲା ଯେ !!
କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ ,
ଭାଇ ବିଦେଶୁ ନଇଲେ ବୋଲି ।।୨୩।।
-- ସେଇ କଟକଟ ଦୋଳି -- ଛିଡି ଯିବାର ଆଶଂକା । ଭାଉଜ ଓ ବିଦେଶ ଯାତ୍ରା ରେ ଥିବା ଭାଇଙ୍କ ବନ୍ଧନ ଛିଡି ଯିବାର ଆଶଂକା । ଏଇ ରଜ ବେଳେ ବେଶୀ ବଢିଯାଏ । କାରଣ ଇଏ ମିଳନ ଋତୁ କି ନା !? କେଉଁ ମାୟାବିନୀ ବିଦେଶରେ କିମିଆ କଲାନି ତ !?
ଗରଜେ କଳା ବଉଦ,
ମୋତେ ତ ବରଷ ହେଲା ଚଉଦ ଲୋ,
ଗଲାଣି ପିଲା ସୁଆଦ ।।୨୪।।
-- ଆକାଶର ବାଦଲ ,ରଜ ଆସନ୍ତେ ଜଳପୂର୍ଣ୍ଣ ହୋଇ ଗଲାଣି , ଗର୍ଜନ ବି କଲାଣି । କିଶୋରୀ ଚଉଦ ବସନ୍ତ ଅତିକ୍ରମ କରି ରସବତୀ ନାରୀର ରୂପାନ୍ତରଣ ଅବସ୍ଥା ପ୍ରାପ୍ତ ହେଲାଣି । ବାଲ୍ୟ ଚପଳତା ଲୁପ୍ତ ହେଲାଣି ।
ବଇଁଶୀ ବାଜିଲା କୁଞ୍ଜେ,
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ,
ଛୋଟ କଲେ ଛାଟ ବାଜେ।।୨୪।।
-- ରସିକ ନାଗର ନାନା ଖଞ୍ଜ ଦେଖାଇ ଡାକୁଛି । କୋମଳ ସବୁଜ ଲତିକା ବେଷ୍ଟିତ ରଜ ପରିବେଶରେ ଭଳିଯାନା ଲୋ କିଶୋରୀ । କାହ୍ନୁ ରଜାଘର ରାଜାପୁଅ । ତୁ ତା ରାଧା ପ୍ରେମ କଥା ପଢି ଭଳିଯାନା । ତୁ ନା ରାଧା ହୋଇପାରିବୁ ? ନା ତୋ ପ୍ରେମିକ କାହ୍ନୁ ହୋଇପାରିବ ? ବରଂ ଅଯଥା ଜଞ୍ଜାଳ ରେ ଫସି ବଦନାମ ହେବୁ, ଦଣ୍ଡିତ ହେବୁ ।
ଲାଞ୍ଜ ଟେକିଗଲା ବାଘ,
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ ,
ଲାଗିବ ନାହିଁଟି ଦାଗ ।।୨୫।।
-- ବାଘ ଲାଞ୍ଜ ଟେକିଲେ , ସେ ଉଦ୍ଧତ ହୁଏ, ଆକ୍ରମଣ ପାଇଁ ପ୍ରସ୍ତୁତ ହୁଏ । ତା ଲାଞ୍ଜ ରେ ମଇଳା ଲାଗେ ନାହିଁ । ସେ ଓଡ଼ିଶା ଜଙ୍ଗଲରେ ରାଜା । ବଡ଼ ଲୋକ । କିନ୍ତୁ ସଜନୀ , ତୁ ଏତେ ବଡ଼ ନୁହଁ ତୁ ଉଦ୍ଧତ ହେଲେ ବରଂ ତୋ ଠାରେ ଦାଗ ଲାଗିବ । ତେଣୁ ବଡ଼ଙ୍କ ଆଗରେ ନମ୍ର ହୋଇ ଚାଲୁଥିବୁ । ତୋର ଏ ନୂତନ ଯୌବନ ପ୍ରାପ୍ତି ରେ ମଦମତ୍ତ ହୋଇ ଶାଳୀନତା ଭୂଲିବୁନି ।
ଛତୁ ଫୁଟେ ବରଷାରେ ,
ମାରୁଛୁ ହାତ ନିଶରେ,
ଛତରାଟା କେତେ ଛଇ ଦେଖାଉ ରେ,
ଅଛି କି ତୋ ଭରସାରେ ।।୨୬।।
-- କିଶୋରୀ କହୁଛି - ଦେଖୁଚୁ ନା - ବର୍ଷା ହେଲେ ଛତୁ ଫୁଟେ, ବୟସ ହେଲେ ନିଶ ଗଜରେ । ରେ ଛତରା ଏଥିରେ ତୋର କିଛି ବାହାଦୁରୀ ନାହିଁ । ଏ ତୋ ପୁରୁଷକାର ନୁହେଁ । ତୁ ଭାବନା- ତୋ ଭରଷାରେ ମୁଁ ଅଛି । ମୁଁ ସ୍ବାଧୀନ , ମୁଁ ସ୍ବତନ୍ତ୍ର ।
ମଜାର କଥା ହେଲା :-
ରଜଦୋଳି ଗୀତର ଏ ସମସ୍ତ ପଦ , ସମସ୍ତ ଶବ୍ଦ ବର୍ଷା ଋତୁ ସମ୍ବନ୍ଧିତ , କିଶୋରୀ ମାନସ ସମ୍ପର୍କିତ, ସମାଜ ବିଜ୍ଞାନ ସମ୍ମତ, ମନୋବିଜ୍ଞାନ ସମର୍ଥିତ ।
ଏହା କଣ ଆମେ ଗର୍ବିତ ହେବାର ଯଥେଷ୍ଟ କାରଣ ନୁହେଁ ??
ନା ଆପଣ କ'ଣ କହୁଛନ୍ତି ?
( ରଜଦୋଳି ଗୀତର ଅବଶିଷ୍ଟ ପଦ ବ୍ୟାଖ୍ୟା ସହ କାଲି .. କ୍ରମଶଃ )
--- ଦାଶରଥି ସାହୁ
ତାରିଖ-- ୧୪.୦୬.୨୦୨୧
No comments:
Post a Comment