Friday, June 18, 2021

● ରଜ , ରଜଦୋଳି ଓ ତା'ପ୍ରାସଙ୍ଗିକତା ● ଆଲୋଚନା



                                  ବନସ୍ତେ ଡାକିଲା ଗଜ,
                         ବରଷକେ ଥରେ ଆସିଛି ରଜ , 
                                  ଆସିଛି ରଜ ଲୋ ,
                             ଘେନି ନୂଆ ସଜବାଜ ।।
                                
                                  ରଜଦୋଳି କଟ କଟ
                           ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,
                                   ସୁନା ମୁକୁଟ ଲୋ 
                                  ଦିଶୁଥାଇ ଝଟ ଝଟ ।।
                            --------------------------------------

          ଆସିଗଲା ରଜ । ଆମ ଓଡ଼ିଆ ଜୀବନର ଏକ ଚିର ଅଭୂଲା , କିଶୋର - କିଶୋରୀ ପ୍ରାଣର ଏକ ଆବେଗ ବତୁରା‌‌ , ପ୍ରେମ  ଉଚ୍ଛଳ ଉତ୍ସବ । ଆସିଗଲା  ନୂଆ  ଛନ ଛନ ସମ୍ଭାବନାର ପିଠା ପଣାର ଟୋକେଇ‌ ଧରି ।

            ଡାକୁଛି  ନା‌...?
      
            ଡାକୁଛି ସେ , କୁଆଁରୀ କଣ୍ଠରେ -

 " ବନସ୍ତେ ଡାକିଲା ଗଜ‌ , 
   ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ,
    ବେଗେ ହୁଅ ସଜବାଜ ।"

      ରଜ ହେଉଛି ପୃଥିବୀ ବା  ଧରଣୀ ରାଣୀର ପ୍ରଥମ ରଜସ୍ୱଳା ହେବାର ମହୋତ୍ସବ । 

  ‌‌             ବର୍ଷା ଆସିବ । ନିଦାଘର ପ୍ରଚଣ୍ଡ ରୌଦ୍ରତାପ ସନ୍ତାପିତ ଧରିତ୍ରୀକୁ ଶୀତଳ କରି ତାକୁ ନୂତନ ସୃଷ୍ଟିର ସନ୍ଦେଶ ଦେବ । ଧରଣୀ ହେବ ସବୁଜିମାରେ ବିମଣ୍ଡିତ । ଚାଷୀଭାଇର ସ୍ବପ୍ନ ରେ ଡେଣା ଲାଗିବ । ତରୁଲତା ସବୁଜ କିଶଲୟ ନେଇ ବିଭୁ ବନ୍ଦନା କରିବେ ।
  
           ଆଉ ଜୀବଜନ୍ତୁ !?

       ତୃଷାର୍ତ୍ତ ଜୀବଜନ୍ତୁ ଫେରିପାଇବେ ଜୀବନର ରାହା ।

     ଗଜ ଅର୍ଥାତ୍ ହାତୀ କଣ କରିବେ ଏତିକି ବେଳେ ?

      ଆମ ରଜଦୋଳିର ଏକ ଗୀତ ଦେଖି କେହି ଜଣେ 
ଅନିସନ୍ଧିତ୍ସୁ ପ୍ରଶ୍ନ  କଲେ - 
          
         ଏ ଗୀତରେ ଭାଇ ପାଇଁ ଗେହ୍ଲା ଭଉଣୀର ଚିନ୍ତା ଓ ସ୍ନେହ ଆବେଗ ବେଶ୍ ବୁଝିହେଉଛି । 
    
       ରଜ ଆସିଗଲା ।

    ଭାଇ ମୁକୁଟ ପିନ୍ଧି ବସିଛି । ସୁନ୍ଦରୀ , ଗୁଣବତୀ ଭାଉଜଟିଏ ଲୋଡା ।
          
        ଏ ରଜ ସମୟ ବଡ଼ ଚମତ୍କାର ସୁଯୋଗ ନେଇ ଆସିଛି । ବର୍ଷାର ଶ୍ରାବଣୀ ଭିଜା ସମୟ ଦେଖି ପରା ସ୍ବୟଂ ଶିବ- ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଇ ଆସିଗଲା ଶୀତଳ ଷଷ୍ଠୀ । ରଜ ପରେ ପରେ । ଆଉ ବା କେତେ ଦିନ !?

         ତେବେ ଆପଣଙ୍କର ପ୍ରଶ୍ନ - ଏ ରଜ ଦୋଳି ଗୀତରେ ଏ ଯେଉଁ "ଗଜ" କଥା ବୋଲା ଯାଉଛି ତାର କିଛି ସ୍ବତନ୍ତ୍ର ରହସ୍ୟ ଅଛି ନା କେବଳ ଯତିପାତ ପାଇଁ ଲେଖାଯାଇଅଛି ?

      ଆମ ପୂର୍ବ ପୁରୁଷ କେତେ ବିଜ୍ଞାନୀ ଥିଲେ ତା ଦେଖିଲେ । ଏଇ ରଜ ସମୟକୁ ହିଁ ଶିବ- ପାର୍ବତୀ ବିବାହ ଉତ୍ସବର କଳ୍ପନା କରିଥିଲେ ।

           ଆଉ ଏ ଗଜ ଶବ୍ଦକୁ ସେ କେବେବି କେବଳ ଯତିପାତ ବା ଶବ୍ଦ ମେଳକ ପାଇଁ ରଖିନଥିବେ ।

              ସତକଥା - ପ୍ରମାଣ ବି ଅଛି ।

    ଆଫ୍ରିକା ମହାଦେଶରେ ସର୍ବାଧିକ ହାତୀ ଅଛନ୍ତି । 
  
             ଆମେ ଜାଣିଛେ ବାଘ ଶୀକାର ପାଇଁ ଯାଇଥିବା ଶିକାରୀମାନେ ରାତିରେ କୌଣସି ଜଳାଶୟ ପାଖରେ ଗଛ ଉପରେ ମଞ୍ଚାବାନ୍ଧି ଛକି ରହିଥାନ୍ତି । ବାଘ ରାତିରେ ପାଣି ପିଇବାକୁ ସେଠାକୁ ଗଢିଲେ , ସେମାନେ ତାକୁ ଶୀକାର 
କରନ୍ତି ।
          
            କାରଣ ବାଘମାନେ ଦିନବେଳେ ସହଜରେ ପାଣି ପିଇବାକୁ ଆସନ୍ତି ନାହିଁ । ସେମାନେ ଜାଣିଛନ୍ତି ବିପଦ ଅଛି , ମଣିଷ ମାନଙ୍କ ଠାରୁ ।

             ଆଉମଧ୍ୟ ସେମାନେ ଜାଣନ୍ତି ମଣିଷକୁ ରାତିରେ ଭଲ ଦେଖାଯାଏ ନାହିଁ । କିନ୍ତୁ ରାତିରେ ବାଘ , ମଣିଷ ଠାରୁ ଛଅ ଗୁଣ ଅଧିକ ସ୍ପଷ୍ଟ ଦେଖିପାରେ । ତେଣୁ ରାତିରେ ପାଣି ପିଇବାକୁ ଆସିବା ସବୁଠାରୁ ନିରାପଦ । 

        କିନ୍ତୁ ମଣିଷ ମଧ୍ୟ ଖୁବ୍ ଚାଲାକ୍। ତେଣୁ ବାଘ-ଶୀକାର ରାତିରେ, ଜଳାଶୟ ପାଖରେ , ଗଛ ଉପରୁ ଥାଇ କରେ ।

           ତେବେ ଏହି ହାତୀ ତାର ମୂଲ୍ୟବାନ ଦାନ୍ତ ପାଇଁ , ଲୋଭୀ ସ୍ୱାର୍ଥପର ମଣିଷର ଶୀକାର ହୁଏ ।
       
           ଆଫ୍ରିକାରେ  ଏହି ହାତୀ ଶୀକାର ଆଇନ୍ ଦ୍ବାରା ନିଷିଦ୍ଧ ହୋଇଥିଲେ ବି , ଶିକାରୀମାନେ ଯେଭଳି ଲୁଚିଛପି ହାତୀ ଶିକାରରେ ମାତିଛନ୍ତି , ଆଶଂକା କରାଯାଉଛିଯେ ଆସନ୍ତା ଶହେ ବର୍ଷ ଭିତରେ ହାତୀ ଲୋପ ପାଇଯିବେ ।

               ତେବେ ପ୍ରସଙ୍ଗକୁ ଆସିବା ।

    ସେଠି ଏଇ ବର୍ଷା ଦିନ ପ୍ରାରମ୍ଭରେ ବା ରଜ ସମୟରେ ହିଁ ବେଶୀ ହାତୀ ଶୀକାର କରାଯାଇଥାଏ ।

              ଏହାର କାରଣ ଜାଣିବାକୁ ନାମିବିୟା ଦେଶର ଗବେଷକମାନେ ଗବେଷଣା କରି ଯାହା ଦେଖିଲେ ତା ଚମକପ୍ରଦ ନିଶ୍ଚୟ ।

             ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଯଥେଷ୍ଟ ଜଳ ଅଭାବରୁ ହାତୀମାନେ ତୃଷାର୍ତ୍ତ ଥାନ୍ତି । ଯେତେବେଳେ ଏହି ରଜ ସମୟରେ ବର୍ଷା ଆରମ୍ଭ ହୁଏ , ସେତେବେଳେ ହାତୀମାନେ ବର୍ଷା ହେଉଥିବା ଅଞ୍ଚଳ ଠାରୁ  ୧୫୦ ମାଇଲ୍ ଦୂରରେ ଥାଇ  ମଧ୍ୟ ସେକଥା ଜାଣିପାରନ୍ତି ।

               ଯାହା ମନୁଷ୍ୟ ପାଇଁ ସଂପୂର୍ଣ୍ଣ ଅସମ୍ଭବ ।

      ସେମାନେ କିପରି ଜାଣିପାରନ୍ତି , ସେ ସମ୍ପର୍କରେ ବୈଜ୍ଞାନିକ ମାନେ ଏ ପର୍ଯ୍ୟନ୍ତ ଜାଣିପାରିନାହାନ୍ତି । ହୁଏତ ହାତୀମାନଙ୍କର ଶ୍ରବଣ ଶକ୍ତି ମନୁଷ୍ୟ ଠାରୁ ଯଥେଷ୍ଟ ପ୍ରଖର । ତେଣୂ କୌଣସି ମତେ ଅଲଟ୍ରାସାଉଣ୍ଡ ତରଙ୍ଗ ଦ୍ବାରା ସେମାନେ ଜାଣିପାରି , ପାଣି ପାଇଁ ସେଇ ଦିଗରେ ଯିବାକୁ ସମସ୍ତ ହାତୀଙ୍କୁ ତାଙ୍କ ଦଳପତି ନିର୍ଦେଶ ଦିଏ ।

            ଏହି ସମୟରେ ଗଜ ଖୁସିରେ ଡାକଦିଏ ।

          ଆଉ ଶିକାରୀମାନେ ୟାର ସୁଯୋଗ‌ ନିଅନ୍ତି । ସେମାନେ ସିଧାସଳଖ ହାତୀ ଶିକାର କରିବା ସହଜ ନୁହେଁ ।
ତେଣୁ କୌଣସି ଅଂଚଳରେ ବର୍ଷା ହେଲେ , ହାତୀମାନେ ସେଇ ଦିଗରେ ଆସିବେ ଜାଣିପାରି ସେମାନେ ତାଙ୍କ ଆସିବା ରାସ୍ତାରେ ଖାଇ ଖୋଳି ହାତୀ ଶୀକାର କରନ୍ତି ।

             ଏବେ ସେଠାର ସରକାର ଏ ଗବେଷଣା ତଥ୍ୟକୁ ଆଧାର କରି ,ହାତୀ ସଂରକ୍ଷଣ ଦିଗରେ ଅଧିକ ଫଳପ୍ରଦ ପଦକ୍ଷେପ ନେଇପାରିବେ ବୋଲି ଭାବୁଛନ୍ତି ।

             ତେବେ ମଜାର କଥା ହେଲା -

      ଆମ ପୂର୍ବଜ , ଏପରିକି କବିମାନେ ମଧ୍ୟ ଏ ରଜ ସମୟରେ ହାତୀ ବା ଗଜ ଡାକିଦେବା କଥା ଜାଣିଥିଲେ । ତେଣୁ ‌ଏ ରଜଦୋଳି ଗୀତରେ ତାକୁ ସମାହିତ କରିଥିଲେ ।

          ଆମେ ତାଙ୍କ ପ୍ରଜ୍ଞାକୁ କୋଟି ପ୍ରଣାମ ଦେବା‌ ନା ନାହିଁ ?

                    ଆପଣ କୁହନ୍ତୁ ।

                                 -- ଦାଶରଥି ସାହୁ
                                  ତାରିଖ - ୧୩.୦୬.୨୦୨୧

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...