ଅଟଳଙ୍କ ନିଟୋଳ କବିତା
===============
ଘର ଯେମିତି ମନ ସେମିତି ଗଢ଼
ହେଲେ କଣରେ ଖାଲି ଯାଗାଟେ ଛାଡ଼
ଯେଉଁଠି ହୃଦୟ ଖୋଲି ହସିହେବ
ସାଙ୍ଗ ସଙ୍ଗତରେ ହୃଦୟ ନାଚିବ ll
ଅରୁଣ ଥାଆନ୍ତୁ ପଛେ ଯେତେ ଦୂର
ତାଙ୍କୁ ନିମନ୍ତ୍ରଣ କର ଖୋଲି ଦ୍ୱାର
ଝରକା ଖୋଲି ଭେଟ ବାୟୁ ଓ ସୂର୍ଯ୍ୟ
ଏହାଠୁଁ ଆଉକି ଅଛି ଭଲ କାର୍ଯ୍ୟ?
କେବେକେବେ ଛାତ ଉପରକୁ ଯାଅ
ଦେଖ ଆକାଶେ ତାରାମାନଙ୍କ ସୁଅ
ପାରିବ ତ ସେମାନଙ୍କ ସଂଖ୍ୟା ଗଣ
ଜହ୍ନ ଛୁଇଁବା ଇଚ୍ଛା କର କାରଣ ll
ଅନ୍ତରକୁ ଖୋଲି ବଢାଅ ସୌହାର୍ଦ୍ଦ୍ୟ
ଦେହ ମନ ଆତ୍ମା ପାଇଁ ତାହା ଖାଦ୍ୟ
ନିରୋଳା ଥଟ୍ଟାମଜାରେ ଝୁମି ଉଠ
ଖିଲିଖିଲି ହସେ ହଜିବ କପଟ ll
ଯେତେ ମନ ସେତେ କର ସାଙ୍ଗ-ସାଥୀ
ହେଲେ ପଡୋଶୀ ସହ ରଖିଥା ପ୍ରୀତି
ସେଇ ହିଁ ନିକଟତମ ବନ୍ଧୁ-ନିଧି
କୃପାମୟ ଈଶ୍ୱରଙ୍କ ପ୍ରତିନିଧି ll
ରିମଝିମ ବର୍ଷାରେ ଭିଜାଇ ଦିଅ
ଶରୀର ମନକୁ, ଗୀତ ଟିଏ ଗାଅ
ପାର ତ ନାଚି କୁଦି ହୁଅ ଅଥୟ
ଉଛ୍ୱସିତ ପ୍ରାଣର କାହାକୁ ବା ଭୟ? ll
କାଗଜ ଡ଼ଙ୍ଗା ଭସେଇବାକୁ ଦିଅ
ପିଲାଙ୍କୁ, ତାଙ୍କଠିଁ ଶୈଶବର ସୁଅ
ସ୍ବର୍ଣ୍ଣାଭ ଭବ୍ୟ ଶୈଶବର ବୈଭବ
ଲାଗଇ ମର୍ତ୍ତ୍ୟ ଟା ଯେମିତି ସରଗ! ll
ଫୁରସତରେ ଆକାଶ ଥିଲେ ସଫା
ଉଡାଅ ଗୁଡ଼ି ସହ ଚିନ୍ତା ଓ ଦକା
ପାରିବ ତ ଲଗାଅ ଗୁଡିରେ ପେଞ୍ଚ
ନିଷ୍ଠା ଥିଲେ କିଛି ନୁହେଁ ଅପହଞ୍ଚ ll
ଘର ଆଗରେ ନିଶ୍ଚିତ ରଖ ଗଛ
ଗହଳ-ଫଳନ୍ତି ହୋଇ ଆଗ ପଛ
ରଚିବେ ସେଇଠି ପକ୍ଷୀମାନେ ନୀଡ଼
କାକଳୀ ଶ୍ରବଣେ ଆନନ୍ଦ ପ୍ରଗାଢ଼ ll
ଯେତେବେଳେ ଯେଉଁଠିକି ଇଚ୍ଛା ଯାଅ
ପର୍ଯ୍ୟଟକ ଯାତ୍ରୀ ବା ଅତିଥି ହୁଅ
ଛାଡିଯାଅ ନିଜ ଆଭା ର ଆଭାସ
ମଧୁର ବଚନ ସର୍ବତ୍ର ସରସ ll
ବୟସରେ ପ୍ରତି ମୋଡ଼ ଉପଭୋଗ୍ୟ
ନିଜକୁ କେବେ ବି ଭାବନି ଅଯୋଗ୍ୟ
ହସି ଖେଳି କୁଦି, ରୁହ 'ଜିନ୍ଦାଦିଲ'
'ଅଙ୍କ'ରେ କରନି ଜୀବନ ମୁସ୍କିଲ ll
ବର୍ଷକୁ ଅତିକ୍ରାନ୍ତ ହେବାକୁ ଦିଅ
ବୟସ ନୁହେଁ ଅଙ୍କ-ହିସାବ ଖିଅ
ଯେବେ ଯାଏଁ ଅଛି ପ୍ରଶ୍ୱାସ ନିଶ୍ୱାସ
ନିଜ ଉପରେ ରଖ ଦୃଢ଼ ବିଶ୍ୱାସ ll
ଘର ଯେମିତି ମନ ସେମିତି ଗଢ଼
ହେଲେ କଣରେ ଖାଲି ଯାଗାଟେ ଛାଡ଼
ଯେଉଁଠି ହୃଦୟ ଖୋଲି ହସିହେବ
ସାଙ୍ଗ ସଙ୍ଗତରେ ହୃଦୟ ନାଚିବ ll
================================
ପ୍ରମୋଦ କୁମାର ମହାନ୍ତି ll
(ମହାନ ବକ୍ତା ବାଗ୍ମୀ ରାଜନେତା କବି ଗୀତିକାର ସାହିତ୍ୟ-ସଂସ୍କୃତି ପ୍ରେମୀ ସକାରାତ୍ମକ ଦର୍ଶନବାଦୀ ସମ୍ମାନୀୟ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସୌଜନ୍ୟରୁ)
No comments:
Post a Comment