Tuesday, July 27, 2021

~: କ ମାନେ ନା ? :~

             ✍ କୁୁୁୁଳମଣି ସାହୁ 

କବାଟ ନ ଦିଏ ବାଟ
କଜ୍ଜ୍ବଳେ ନାହିଁ ଜ୍ବଳନ
କପଟୀ ନ ଥାଏ ପଟେ
କରଣ କି କରେ ରଣ?

କନିଆ ନ ଜାଳେ ନିଆଁ
କମାର କି କା'କୁ ମାରେ?
କରକା କି ଦିଏ ରକା?
କଦଳୀ କି କା'କୁ ଦଳେ?

କବରକୁ ବରେ କିଏ?
କବନ୍ଧକୁ କିଏ ବାନ୍ଧେ?
କବଳରେ ବଳଶୂନ୍ଯ
କନ୍ଦର୍ପ କି ଦର୍ପେ ବିନ୍ଧେ?

କଥକେ ଥକା ନ ଥାଏ
କନିଷ୍ଠେ ନିଷ୍ଠା ନ ରହେ
କପାଳୀ କାହାକୁ ପାଳେ?
କବୀର କି ବୀର ହୁଏ?

କମଳେ ମଳ ନ ଥାଏ
କଲମ୍ବ ନ ଲମ୍ବିଯାଏ
କଉଡ଼ି ନ ଯାଏ ଉଡ଼ି
କରଜେ କି ରଜ ହୁଏ?

କବାଡ଼ି ନ ଲୋଡ଼େ ବାଡ଼ି
କମାନ କା'କୁ ନ ମାନେ
କବିରାଜ ଆପେ ଆସି
ନ ବିରାଜେ ସନ୍ନିଧାନେ।

ସରଳାର୍ଥ:-

କବାଟ ନ ଦିଏ ବାଟ- 
କବାଟ କାହାକୁ ବାଟ ଦିଏନାହିଁ। କବାଟ ଖୋଲିଲେ ହିଁ ବାଟ ମିଳେ।

କଜ୍ଜ୍ବଳେ ନାହିଁ ଜ୍ବଳନ- 
କଜ୍ଜ୍ବଳ ଲଗାଇଲେ ଜଳାପୋଡ଼ା ହୁଏନାହିଁ। ବରଂ ଜ୍ବଳନ ଉପଶମ ହୁଏ।

କପଟୀ ନ ଥାଏ ପଟେ- 
କପଟୀ ଲୋକ ଆପଣଙ୍କ ପଟେ ଥିଲା ଭଳି ଅଭିନୟ କରୁଥିଲେ ସୁଦ୍ଧା ପ୍ରକୃତରେ ନଥାଏ।

କରଣ କି କରେ ରଣ?- 
କରଣ ପଦବୀର ଲୋକ ରଣ କରେନାହିଁ। ସେ କେବଳ ଲେଖାଲେଖି ଓ ହିସାବପତ୍ର କାମ କରେ।

କନିଆ ନ ଜାଳେ ନିଆଁ-
କନିଆ ନିଆଁ ଜଳାଏ ନାହିଁ।
ବରଂ ଯୌତୁକ ଆଦି କାରଣରୁ ଅନ୍ୟମାନେ ତା ଦେହକୁ ନିଆଁରେ ଜଳାଇଦିଅନ୍ତି।

କମାର କି କା'କୁ ମାରେ?-
କମାର କାହାକୁ ମାରେ କି? ସେ କେବଳ ହାତହତିଆର ଓ ଅସ୍ତ୍ରଶସ୍ତ୍ର ତିଆରି କରେ। 

କରକା କି ଦିଏ ରକା?-
କରକା ଆଘାତରେ କାହାର ରକା ହୋଇଯାଏ କି?

କଦଳୀ କି କା'କୁ ଦଳେ?- 
କଦଳୀ କାହାକୁ ଦଳେ କି? ବରଂ କଦଳୀକୁ ସମସ୍ତେ ଦଳିଦିଅନ୍ତି।

କବରକୁ ବରେ କିଏ?- 
କବରକୁ କେହି ବରଣ କରେ କି? କବରକୁ ବରିବା ଅର୍ଥ ମୃତ୍ୟୁ ଚାହିଁବା। କେହି କେବେ ମରିବାକୁ ଚାହେଁନାହିଁ।

କବନ୍ଧକୁ କିଏ ବାନ୍ଧେ?-
କବନ୍ଧ ଅର୍ଥାତ୍ ମୁଣ୍ଡବିହୀନ ଶବ। ଶବକୁ କେହି ବାନ୍ଧିନିଏ ନାହିଁ। କେବଳ ଜୀବିତ ଲୋକକୁ ଗିରଫ କରାଯାଏ।

କବଳରେ ବଳଶୂନ୍ଯ- 
ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର କବଳରେ ପଡ଼ିଲେ ବଳଶୂନ୍ଯ ହୋଇଯାଏ ଅଥବା ବଳଶୂନ୍ଯ ହୋଇଗଲେ ଅନ୍ଯର କବଳରେ ପଡ଼େ।

କନ୍ଦର୍ପ କି ଦର୍ପେ ବିନ୍ଧେ?-
କନ୍ଦର୍ପ କାହାରିକୁ ଦର୍ପ ସହିତ କାମବାଣ ବିନ୍ଧେ କି? ସେ ଅଶରୀରୀ। ଅଦୃଶ୍ଯରେ ରହି ଫୁଲଶର ମାରେ।

କଥକେ ଥକା ନ ଥାଏ-
କଥକ ନୃତ୍ୟ ଏତେ ସୁନ୍ଦର ଓ ମନୋମୁଗ୍ଧକର ଯେ ନାଚିବା କିଂବା ନାଚ ଦେଖିବା ଲୋକକୁ ଥକା ଲାଗେ ନାହିଁ।

କନିଷ୍ଠେ ନିଷ୍ଠା ନ ରହେ- 
କନିଷ୍ଠ ଅର୍ଥାତ୍ କମ୍ ବୟସର ବ୍ୟକ୍ତିଙ୍କ ପାଖରେ ନିଷ୍ଠାର ଅଭାବ ଥାଏ। ସେମାନେ ସ୍ବଭାବତଃ ଚଞ୍ଚଳମନା।

କପାଳୀ କାହାକୁ ପାଳେ?-
କପାଳୀ ଅର୍ଥାତ୍ ଶିବ। ଶିବ କାହାର ପାଳନ କରନ୍ତି କି? ॐ ବା ଅଉମ୍ ଅନ୍ତର୍ଗତ ଅ ଅର୍ଥ ସୃଷ୍ଟିକର୍ତ୍ତା ବ୍ରହ୍ମା। ଉ ବା ବିଷ୍ଣୁ ହେଲେ ପାଳନକର୍ତ୍ତା ବିଷ୍ଣୁ। ମ ବା ମହେଶ୍ବର ହେଉଛନ୍ତି ସଂହାରକର୍ତ୍ତା।

କବୀର କି ବୀର ହୁଏ?-
କବୀର ଜଣେ ମହାନ୍ ସନ୍ଥକବି। ସେ ବୀର ଭାବରେ ଯୁଦ୍ଧରେ ଅବତୀର୍ଣ୍ଣ ହେବେ ନାହିଁ।

କମଳେ ମଳ ନ ଥାଏ-
କମଳ ବା ପଦ୍ମପୁଷ୍ପ ଅତୀବ ନିର୍ମଳ। ପଙ୍କ ଭଳି ମଇଳାରୁ ଜନ୍ମ ହେଲେ ହେଁ ତାହା ଅମଳିନ।

କଲମ୍ବ ନ ଲମ୍ବିଯାଏ-
କଲମ୍ବ ବା ଶର ଆପେ ଲମ୍ବିଯାଏ ନାହିଁ। ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିବାପାଇଁ ତାକୁ ଧନୁରେ ଯୋଖି ନିକ୍ଷେପ କରିବାକୁ ହୁଏ।

କଉଡ଼ି ନ ଯାଏ ଉଡ଼ି-
କଉଡ଼ି ଏକ ଶକ୍ତ ଖୋଳପାଯୁକ୍ତ ସାମୁଦ୍ରିକ ଜୀବ।  ଆକାର ତୁଳନାରେ ଭାରୀ ହୋଇଥିବାରୁ ସେ ଉଡ଼ିଯାଏ ନାହିଁ।

କରଜେ କି ରଜ ହୁଏ?-
ରଜ ଏକ ଆନନ୍ଦଦାୟକ ପର୍ବ। ପିଠାପଣା, ଦୋଳି ଓ ରଜପାନ ଏହାର ବିଶେଷତ୍ଵ। କରଜ ବା ଋଣ କରି ରଜ ପାଳିବାରେ ମଜା ଥାଏ କି?

କବାଡ଼ି ନ ଲୋଡ଼େ ବାଡ଼ି-
କବାଡ଼ି ଖେଳରେ ବାଡ଼ିର କିଛି ଭୂମିକା ନଥାଏ। କ୍ରିକେଟ୍, ହକି ପ୍ରଭୃତି ଖେଳରେ ବାଡ଼ି ଲୋଡ଼ା ପଡ଼େ।

କମାନ କା'କୁ ନ ମାନେ-
କମାନ ବା କମାଣର ଏତେ ଶକ୍ତି ଯେ ସେ କାହାକୁ ଖାତିର କରେ ନାହିଁ।

କବିରାଜ ଆପେ ଆସି
ନ ବିରାଜେ ସନ୍ନିଧାନେ।-
କବିରାଜ ବା ବୈଦ୍ଯ ଆପେ ଆସି କାହା ନିକଟରେ ପହଞ୍ଚନ୍ତି ନାହିଁ। ଦରକାର ପଡ଼ିଲେ ତାଙ୍କ ପାଖକୁ ଯିବାକୁ ହୁଏ ଅଥବା ଡାକିଆଣିବାକୁ ପଡ଼େ।

ଅତଏବ ଏତାଦୃଶ ଶବ୍ଦମାନଙ୍କରେ କ ଅକ୍ଷରଟି ନକାରାତ୍ମକ ବା ନାହିଁ ଅର୍ଥରେ ବ୍ୟବହୃତ ହୋଇଥିବା ପରି ମନେ ହୁଏ। 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...