~ × ~ ନଷ୍ଟସ୍ୟ କାନ୍ୟାଗତିଃ ~ × ~
ଏକଦା କାଳିଦାସଙ୍କୁ ପ୍ରଶ୍ନ ପଚରାଗଲା- 'ନଷ୍ଟସ୍ୟ କାନ୍ୟାଗତିଃ' - ଏହା କିଭଳି ଭାବରେ ହୋଇଥାଏ ।' ଭରପୁର ଦରବାରରେ ରାଜା କାଳିଦାସଙ୍କୁ ଏହି ପ୍ରଶ୍ନ ପଚାରିଲେ ।
ପ୍ରତ୍ୟେକ ଏ ସମ୍ପର୍କରେ ଅବଗତ ଯେ ସତ୍ କର୍ମର ଫଳ ଶୁଭଦାୟକ ହୋଇଥାଏ, ଅସତ୍ କର୍ମର ଫଳ ହାନିକାରକ ହୋଇଥାଏ । ଦୁଷ୍କର୍ମ ଓ ପାପକର୍ମ ମଣିଷର ପତନର ହେତୁ । ଏହା ନିମ୍ନଗାମୀ କରି ବ୍ୟକ୍ତିଙ୍କୁ ନଷ୍ଟ କରି ଦେଇଥାଏ । ଇନ୍ଦ୍ରିୟ ସଂଯମ ଯେଉଁ ମାନଙ୍କର ନାହିଁ ସେମାନେ ଖୁବ୍ କମ୍ ସମୟରେ ପତିତ ହୋଇଥାନ୍ତି । ପ୍ରସଙ୍ଗଟିର ବ୍ୟାଖ୍ୟା କରିବାକୁ ଯାଇ କାଳିଦାସ ରାଜାଙ୍କୁ ନିମ୍ନୋକ୍ତ ପ୍ରସଙ୍ଗ କହିଥିଲେ ।
ସେ ସମୟରେ ମୁଁ ଗୁରୁକୂଳରେ ବିଦ୍ୟାଧ୍ୟୟନ କରୁଥାଏ । ଅତି ବିସ୍ମୟଜନକ ଭାବେ ପ୍ରାତଃ କାଳରେ ମୁଁ ଶୁଣିବାକୁ ପାଇଲି 'ଭିକ୍ଷାଂ ଦେହି' ଶବ୍ଦ । ଦେଖିଲି ଜଣେ ବ୍ରାହ୍ମଣ ଭିକ୍ଷା ନିମନ୍ତେ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି । ଏତେ ସକାଳୁ ଭିକ୍ଷା ମାଗିବା ମୋତେ ଆଶ୍ଚର୍ଯ୍ୟ ବୋଧ ହେଲା । ବ୍ରାହ୍ମଣ ବେଶ୍ ବଳିଷ୍ଠ ବପୁଯୁକ୍ତ ଥିଲେ । ମୋର ସହପାଠୀ ମାନେ ଏହା ଦେଖି ତିରସ୍କାର କରି କହିଲେ- ଏତେ ହୃଷ୍ଟପୃଷ୍ଟ ଦେଖାଯାଉଛ, ଏଭଳି ଡଉଲ ଡାଉଲ ଚେହେରା ନେଇ, ପୁଣି ଜାତିରେ ବ୍ରାହ୍ମଣ ହୋଇ ସକାଳଟାରେ ପୂଜା ସମୟରେ ଭିକ୍ଷା ମାଗୁଛ ଯେ ? ତୁମକୁ ଲଜ୍ଜା ଲାଗୁନି ?
ବ୍ରାହ୍ମଣ କିନ୍ତୁ ଏହି କଟୁବାଣୀ ନିମନ୍ତେ ତିଳେହେଲେ ସଙ୍କୋଚବୋଧ କରିନଥିଲେ । ସତକଥା କହିବାକୁ ଯାଇ କହିଲେ ବନ୍ଧୁ, କୁଅଭ୍ୟାସ ବଶତଃ ମୁଁ ପ୍ରତ୍ୟହ ରାତିରେ ଜୁଆ ଖେଳୁଥିଲି । ସବୁକିଛି ହାରିଗଲି । ଏଣୁ ବାଧ୍ୟ ହୋଇ ଭିକ ମାଗିବାକୁ ପଡୁଛି । ଆଉ କିଛି ଉପାୟ ନପାଇ ଭିକ୍ଷା ମାଗିବା ବୃତ୍ତି ଆଦରି ନେଲି ।
' ଛିଃ ଛିଃ ବ୍ରାହ୍ମଣ ହୋଇ ଜୁଆଖେଳ ! ଏହାତ ଅତି ଲଜ୍ଜାର କଥା ।' କାଳିଦାସ କହିଲେ ।
ଭିକ୍ଷୁକ ବ୍ରାହ୍ମଣ ପୁଣି କହିବାକୁ ଆରମ୍ଭ କଲେ- 'ଖାଲି ଜୁଆଖେଳ ନୁହେଁ, ଜୁଆ ଖେଳ ସହ ମୁଁ ମଦିରା ପାନ କଲି । ନିୟମିତ ମଦିରାପାନ କାରଣରୁ ମୋର ମନରେ କାମ ବାସନା ଜାଗ୍ରତ ହେଲା । ବାସନା ବୃତ୍ତି ଚରିତାର୍ଥ ପାଇଁ ମୁଁ ବେଶ୍ୟାଳୟ ଗଲି । ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲା ।'
'ତାହାହେଲେ ତ ତୁମର ବ୍ରାହ୍ମଣତ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ତୁମେ ତ ଭ୍ରଷ୍ଟାଚାରୀ ହୋଇଯାଇଛ' - କାଳିଦାସ କହିଲେ ।
'ବ୍ରାହ୍ମଣ କହିଲେ- ହଁ, ଠିକ୍ କହିଛନ୍ତି । ଜୁଆ, ମଦିରାପାନ, ବେଶ୍ୟାଗୃହ ଗମନ ନିମନ୍ତେ ଅର୍ଥର ଆବଶ୍ୟକତା ଥିଲା । କର୍ମ କରିବା ପ୍ରବୃତ୍ତି ଲୋପ ପାଇଯାଇଥିଲା । ଧନଲାଭ ଆଶାରେ ମୋତେ ଚୋରି କରିବାକୁ ପଡିଲା' ।
ବ୍ରାହ୍ମଣ ଠାରୁ ଏହା ଶୁଣି ମୁଁ ଧିକ୍କାର କରି ତାକୁ ଅନେକ କଥା କହିଥିଲି ଏବଂ ଭିକ୍ଷା ଗ୍ରହଣର ଯୋଗ୍ୟ ନୁହେଁ ବୋଲି ତାକୁ ସ୍ପଷ୍ଟ କହିଦେଇଥିଲି । ଧିକ୍କାର ଶୁଣି ବ୍ରାହ୍ମଣ ଚୁପଚାପ୍ ସେଠାରୁ ଚାଲିଯାଇଥିଲା । କିଛି କ୍ଷଣ ପରେ ଗୁରୁକୂଳର ଅଧିପତି (ଗୁରୁଦେବ) ଆସିଲେ । ଗୁରୁଦେବଙ୍କ ସହ ବିଦ୍ୟାର୍ଥୀମାନେ ସେହି ବିଚିତ୍ର ବ୍ରାହ୍ମଣ ସମ୍ପର୍କରେ ଚର୍ଚ୍ଚା କଲେ । ଗୁରୁଦେବ ଏହା ଶୁଣି କହିଥିଲେ- 'ଯିଏ ଥରେ ପ୍ରବୃତ୍ତିର ଦାସ ହୋଇ ହୀନ ମାର୍ଗରେ ଗତି କରେ ସେ ନିରନ୍ତର ସେହି କୁମାର୍ଗରେ ଗତି କରିଥାଏ । ନିମ୍ନରୁ ଅତି ନିମ୍ନକୁ ଚାଲିଯାଏ । ଏଥିରୁ ମୁକୁଳିବା ଅତି ଦୁରୂହ ହୋଇପଡେ ।
ଏହି ପ୍ରସଙ୍ଗରେ ଅବତାରଣା କରି କାଳିଦାସ କହିଲେ, ରାଜନ୍ ! ଏହା ହିଁ ତ 'ନଷ୍ଟ ପୁରୁଷର ଗତି' ।
( ସଂଗୃହୀତ )
ସଂଗ୍ରାହକ; ପୂର୍ଣ୍ଣଚନ୍ଦ୍ର ମହାରଣା
No comments:
Post a Comment