ଜୀବନରେ କେତେ ମଧୁର ଓ ତିକ୍ତ ଅନୁଭୂତି
କେବେ ଆଣନ୍ତି ପୁଲକ ତ ପୁଣି କେବେ ବିରକ୍ତି
ସବୁ କଥା କହିହୁଏ ନାହିଁ, କାହାକୁ କହିବ
ସବୁ ବ୍ୟଥା ସହିହୁଏ ନାହିଁ, କେମିତି ସହିବ ll
ସୁଖ ଓ ଦୁଃଖ ବାଣ୍ଟିଲେ ଯଥାକ୍ରମେ ବଢେ କମେ
ଏ କେବଳ ପୁସ୍ତକର କଥା, ଲେଖାଅଛି ଭ୍ରମେ
ସୁଖ ବାଣ୍ଟିଲେ ସମ୍ପର୍କୀୟ ହୁଅନ୍ତି ଈର୍ଷାନ୍ୱିତ
ଦୁଃଖ ଶୁଣିବାକୁ କାହାର ବି ସମୟ ନାହିଁତ!
ସବୁତ ଛଳନା ପ୍ରତାରଣା ମିଛ ଅଭିନୟ
ବୁଝିହୁଏ ସିନା, ମୁହଁ ଖୋଲିବାକୁ ଲାଗେ ଭୟ
କେବେ ଆପଣାର ଭାବି ମାଗିଲେ ନିଜସ୍ୱ ମତ
ଖାଲି ପୁଟଦିଆ କଥା, କେହି କହନ୍ତିନି ସତ ll
ଏମିତି ଏକ ମୁହୂର୍ତ୍ତ ଆସେ ଜୀବନ ମଧ୍ୟରେ
ଅସହାୟ ନିଃସଙ୍ଗ ଲାଗେ ହୃଦୟ ଖାଲି ଝୁରେ
ସବୁଆଡେ ଅଙ୍କକଷା ମସ୍ତିଷ୍କ ବୁଦ୍ଧିର ଖେଳ
ଭଵ-ନଭ ର ମିଳନ ମିଥ୍ୟା, ସ୍ତବ୍ଧ ଚକ୍ରବାଳ ll
ଏମିତି ସମୟେ ପହଞ୍ଚିଲେ ଦର୍ପଣ ସମ୍ମୁଖ
ଆଉ ଜଣେ ସମଭାଗୀ ଦେଖି ଘୁଞ୍ଚିଯାଏ ଦୁଃଖ
ଅବିକଳ ସମାନ ଚେହେରା ରଖେ ତାର ମତ
କେବେ ମିଛ କହେନାହିଁ, ପ୍ରତିବିମ୍ବ ଲାଗେ ସତ ll
ତା' ଆଗେ ଘଡ଼ିଏ ଛିଡ଼ାହେଲେ ଲାଗେ ଆପଣାର
ସୁଖ ଦୁଃଖର ପ୍ରକୃତ ସାଥୀ କେତେ ମନୋହର
ସମ୍ପର୍କରେ କରିଦେଇଛି ସବୁକିଛି ଅର୍ପଣ
ଏକାନ୍ତ ଅନ୍ତରଙ୍ଗ ସାଥୀ ସିଏ ମୋର ଦର୍ପଣ ll
ଜଟିଳ ସମସ୍ୟା ଓ ନିଷ୍ପତ୍ତିର ଦ୍ୱନ୍ଦ୍ୱ ଅନେକ
ଅଭିମନ୍ୟୁର ଚକ୍ରବ୍ୟୁହ ପରି ପଶି ଅଟକ
ଲାଗୁଥାଏ ମୃତ୍ୟୁ ସୁନିଶ୍ଚିତ, ତଥାପି ସାହସ
ଆତ୍ମ ବିଶ୍ୱାସ ଓ ବିଭୁ କୃପା ଆଣଇ ଉଶ୍ବାସ ll
କେତେ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ
ସବୁବେଳେ ପାଖେପାଖେ ଥିବେ, ଏହାକି ସମ୍ଭବ?
ସଂସାର ରଙ୍ଗମଞ୍ଚରେ ନିଜ ନିଜ ଅଭିନୟ
କରିବାକୁ ସଭିଏଁ ହେଉଥାନ୍ତି ବ୍ୟଗ୍ର ଅଥୟ ll
ମଧ୍ୟାହ୍ନେ ଉତ୍ତପ୍ତ ସୂର୍ଯ୍ୟ ପରି ଅନେକ ଦାୟିତ୍ୱ
ନିର୍ବାହ ତ ଅନିବାର୍ଯ୍ୟ ଧରି 'ତମ' 'ରଜ' 'ସତ୍ତ୍ୱ'
ସାମୟିକ ବିରତି ନେଇ ସୂର୍ଯ୍ୟଙ୍କୁ ପଛ କଲେ
ଲମ୍ବି ଆସୁଥାଏ ସେ ଆଗକୁ, ଛାଡ଼େନାହିଁ ଭଲେ ll
ଦିନ ତିଥି ମାସ ଋତୁ ପରେ ଋତୁ ମାସ ବର୍ଷ
ପାଖ ଛାଡ଼େନାହିଁ କେବେ, ହେଉ ହର୍ଷ ବା ବିମର୍ଷ
ଏମିତି ସହଚର ବିଶ୍ୱ ବ୍ରହ୍ମାଣ୍ଡରେ ନଥାଇ
ଅଙ୍ଗାଙ୍ଗୀଭାବେ ଜଡିତ ସଦା ମୁଁ ଓ ମୋର ଛାଇ ll
ସବୁକିଛି ଅଦୃଷ୍ଟ ଅନିର୍ଦ୍ଦିଷ୍ଟ ଭରସା ନାହିଁ
'ଏଇ ଖରା ଏଇ ଛାଇ, ଏଇ ଅଛି ଏଇ ନାହିଁ'
ଯେବେଯାଏଁ ମୁଁ ଅଛି, ଅଛନ୍ତି ଦର୍ପଣ ଓ ଛାଇ
ସଙ୍ଗତରେ ପରିତୃପ୍ତ, ଯାଇଛି ମୁଁ ଧନ୍ୟ ହୋଇ ll
================================
ପ୍ରମୋଦ କୁମାର ମହାନ୍ତି ll
No comments:
Post a Comment