ଛୋଟ ଯାତ୍ରାଟିଏ
===========
ବସ ଯାତ୍ରା କରୁଥିଲେ ବୟସ୍କା ମହିଳା
ଏକୁଟିଆ ଥିଲେ ହେଲେ ନଥିଲେ ଅବଳା
ଏହି ସମୟରେ ଯୋଗଦେଲେ ସହଯାତ୍ରୀ
ଯୁବତୀ ସେ, ଗୋଲଗାଲ ସ୍ଥୂଳକାୟା ଅତି ll
ଆଣିଥିଲେ ବହୁ ଦ୍ରବ୍ୟ ଲଦିଦେଲେ କୋଳେ
ବୟସ୍କା ମହିଳାଙ୍କୁ ଠେଲିଦେଲେ ତ ଭୋଳେ
ଧୀର ଶାନ୍ତ ନିର୍ବିକାର ଥିଲେ ସେ ମହିଳା
ଯୁବତୀଙ୍କ ଜୁଲମ ସତ୍ତ୍ୱେ ଥିଲେ ନିଶ୍ଚଳା ll
ବସ ଯାଉଥିଲା ଗଡି ଆଗକୁ ଆଗକୁ
ଅପରାଧ ବୋଧ ଗ୍ରାସ କରେ ଯୁବତୀ କୁ
ଅଗତ୍ୟା ପଚାରିଲା ସେ: ଆହେ ମହାଶୟା!
ଆପଣଙ୍କୁ କଷ୍ଟ ଦେଇ ହେଲି ମୁଁ ନିର୍ଦ୍ଦୟା?
ଏତେ ବଡ଼ ବଡ଼ ବସ୍ତୁ ଲଦିଦେଲି କୋଳେ
ଅଧାରୁ ବେଶୀ ଯାଗା ମୋର, ଆଉ ନ ବଳେ
ଆପଣଙ୍କର ବସିବାପାଇଁ ସ୍ଵଚ୍ଛନ୍ଦରେ
କେମିତି ଅଛନ୍ତି ଆପଣ ସ୍ଥିର ଭାବରେ? ll
ସ୍ମିତହସରେ କହନ୍ତି ବୟସ୍କା ମହିଳା
କେତେ ସୁନ୍ଦର ଏ ସଂସାରର ଲୀଳାଖେଳା
ଏହା ମାତ୍ର ଅଟେ ଏକ ଛୋଟ ବସଯାତ୍ରା
ଘଟଣା ସମସ୍ୟା ସବୁ ଗୌଣ, ମୂଖ୍ୟ ତ କର୍ତ୍ତା!
ସବୁ ଯାତ୍ରୀମାନେ ଏଠି ଜଣେଜଣେ କର୍ତ୍ତା
ଇଚ୍ଛାର ସମ୍ରାଟ ସର୍ବେ, ନୁହଁନ୍ତି ବିଧାତା
ଚାହିଁଲେ ଗଢି ଉଠିବ ମଧୁର ସମ୍ପର୍କ
ନାଚାହିଁଲେ ହଜିଯିବ ମନର ପୁଲକ ll
ବିବିଧତାରେ ଭରା ଏ ବିଶାଳ ସଂସାର
ସର୍ବେ ସହଯାତ୍ରୀ ଆମେ, କିଏ ନିଜ ପର
ହସିଦେଲେ ଖୁସିହେଲେ କଟିଯିବ ପଥ
ନଗଣ୍ୟକୁ ଧ୍ୟାନ ଦେଲେ ଯାତ୍ରା ହେବ ବ୍ୟର୍ଥ ll
ଛୋଟ ଯାତ୍ରାଟିଏ ଆହା ଆମ ଏ ଜୀବନ
ହସଖୁସିରେ କାଟ ନହୋଇ ସନ୍ଦିହାନ ll
=================================
ପ୍ରମୋଦ କୁମାର ମହାନ୍ତି ll
No comments:
Post a Comment