★ ସାଧବ ଝିଅ ଓ କବି ମାୟାଧର ମାନସିଂହ ★ ------------------------------------------------------
(ଧାରାବାହିକ ଭାଗ - 4) ଉପସ୍ଥାପନା : ଅମ୍ରିତେଶ ଖଟୁଆ
ଯୁବା ବଣିକ ଦେଖିଛି ନାନା କଳ୍ପନାରେ ନାନାବିଧ ଆଶା - ଦରିଆକୁ ସାଥୀ କରି ଅତିବାହିତ ଜୀବନ ତା ପାଇଁ ଆଉ ଥୟ ନୁହେଁ। ଆଶା ପୂରଣ ହେଉନଥାଏ, ହେଲେ ବି ଅନ୍ୟ ଆଡେ କହି ବୁଲିଥା'ନ୍ତି ସେଇ ଆଶାର ସଞ୍ଚରିତ ଆବେଗରେ ଯେ ତାଙ୍କର ସେହି ଏକାନ୍ତ ହଜିଲା ଧନ ମିଳିଯାଇଛି।
ମାଳୁଣୀ ହାତରେ ନିଜର କଥା କହି ତାକୁ ପଠେଇଛି ଜନପଦକୁ, କହିଛନ୍ତି ଗଭୀର ରାତିରେ ବି ମୋତେ ମୋ ନିଦ୍ରାଭଙ୍ଗ କରିବାକୁ ଯଦି ପଡେ, ଯଦି ଆଲୁଅର ଏହି ଦୀପାଳି ଲିଭିବାକୁ ହୁଏ ଯଦି, ହେ ମୋର ସଖୀ, ମୁଁ ସମସ୍ତ କୁସୁମଭୂଷିତ ଅଙ୍ଗ ପ୍ରସାଧନ ବ୍ୟତୀତ ସେଇ ଏକାନ୍ତ ଲୋଡୁଥିବା ସମ୍ବାଦଟି କର୍ଣ୍ଣଗୋଚର କରିବି ।
ଏହା ପରେ ଚାଲିଯାଉଛି ମାଳୁଣୀ -
କୁସୁମ ହାରେ ଗୁନ୍ଥି ଯୁବା ତରୁଣୀ
ବଳା ବଜାଇ ଚଳେ ଧୀରେ ମାଳୁଣୀ।
କରକେ ଧରିଅଛି ଫୁଲ ଚାଙ୍ଗଡା
ସେ ଫୁଲେ ଅଛି କେତେ ହୃଦ-ମାଗୁଣି।
ମୁଣ୍ଡରେ ଝରାକୋଠି ଖୋଷାରେ ଖୋସା
ପାଦରେ ଝୁମ୍ପା ଭରିଦେଇଛି ଯୋଷା।
ପୃଥୁଳ ବାହୁ ଭରି କୁଟିଛି ଚିତା
ନୟନେ ଖଞ୍ଜରୀଟ ହୋଇଛି ଯୋଷା।
ନାକକେ ନୋଥ, ନାକଚଣା ଆରକେ
ଦଣ୍ଡି-ଝଲକା ଓଠେ ବାଜି ଝଲକେ,
ଅଧର ଘନ ନାଲି ବିଡ଼ିଆ-ରାଗେ
ଚଳଇ ନାରୀ, ପାନ ଜାକି ଗାଲକେ।
କପାଳେ କଳା-ଚିତା ପରେ ଟିକିଲି
ମହଣ ଦେଇ ଟାଣେ ଦେଇଛି କିଳି,
ମହଣ ଦେଇ ପୁଣି କାଢିଛି ମାଙ୍ଗ
ଖେଳାଇ ଢେଉ, କେଶ ଦେଇଛି ଭିଡି।
ବାହୁରେ ତାଡ଼, ଗୋଡେ ପାହୁଡ଼ ବଳା
ସରଣୀ କମ୍ପେ ଯେବେ ଚାଲେ ଅବଳା,
ଧରଣୀ-ନିଦ ଭାଙ୍ଗେ ଚରଣ ମୁଦି
ଶିଖାଇ ତରୁଣୀଙ୍କୁ ଚଳନ-କଳା।
ନଗର-କିଶୋରୀଏ ତା ପଥ ଚାହିଁ
ଗବାକ୍ଷ ତେଜି କାହିଁ ଯାଆନ୍ତି କାହିଁ,
ଉଛୁର ହେଲେ ମାନ ନାହିଁବେ କିବଖ
ସେ ମାନ ଭଙ୍ଗେ ଗଭା ଯତ୍ନେ ସଜାଇ।
ବରାଙ୍ଗୀ ଏକେ ଏକେ ବରାଦ ଏକ
କେ ଚାହେଁ ସୂର୍ଯ୍ୟମୁଖୀ, କେ କୁରୁବକ,
କାହାର ଅବା ଲୋଡ଼ା କଦମ୍ବ-କଢି,
କରବୀ କାମିନୀ ବା କାହାର ସଖ !
ମାଳାରେ ହେଲେ ଜଣକର ଆଦର,
କବରୀ-ସାଜ ମାଗିଥାଏ ଅପର ।
କେ ମାଗେ ନୀପ ପୁଷ୍ପ ଦେବାକୁ କାନେ,
କୁସୁମ-ଗଚ୍ଛେ କା'ର ଶରଧା ବଡ଼।
ତରୁଣୀ କେହି ତାରେ କରିଛି ଅଳି
ଦେବାକୁ ଏ ଆଷାଢେ କଦମ୍ବକଳି,
ନିତିକି ନିତି, ଯେଣୁ ଆସିବେ ପ୍ରିୟ
ବରଷା ଯାପି ଯିବେ ପ୍ରବାସେ ଚଳି।
କିଶୋରୀ କେହି ମାଗିଥିଲା କେତକୀ
ଗଲା ବସନ୍ତେ ଭଲେ ହଂସ-ଗତିକି
ଯୋଗାଇ ନ ପାରିଲା, ବଢ଼ିଛି ମାନ,
ମନା ହୋଇଛି ଯିବା ତାର କତିକି।
କେ ବଧୂ ବୋଲେ, 'ଅୟି ମାଳୁଣୀ ସଖି'
କହିବି ଗୋଟେ କଥା ପାରିବ ରଖି ?
ପୂର୍ଣ୍ଣିମା ଦିନ ସେ ଗୋ ଆସିବେ ଘରେ
ବକୁଳ ମାଳା ଏକ ଗୁନ୍ଥି ଦେବ କି ?
କାହାକୁ ନାହିଁ ବୋଲି କହଇ ନାହିଁ
ହସି ଚତୁରୀ କହେ ଆଣିବା ପାଇଁ,
କାମିନୀ ମନ ସେ ତ ବୁଝିଛି ଭଲେ
ଭୁଲାଇ ରଖିଥାଏ ଆଶା ଦେଖାଇ।
ଯାଉ ଯାଉ ସେ ରାଜପଥେ ଚତୁରୀ
କିଶୋରୀଗଣ ହୋଇ ଅତି ଆତୁରୀ
ଡାକନ୍ତି ହାତ ଠାରି ଗବାକ୍ଷ ପଛୁ
'ମାଳୁଣି, ରାଣ ଆଗ ଆସ ଏ ପୁରୀ '
କେ କହେ, 'ବେଳ ଗଲା କବରୀ ସାଜି
ପାରିବି ନାହିଁ ତୋର କୁସୁମେ ଆଜି,
ଆଉ କେ ବୋଲେ, 'ତୋର କେତେ ଲୋ ଆୟୁ
ଏ କ୍ଷଣି ଖୋଜୁଥିଲି ପରାଗ-ରାଜି।'
ସକଳ ରୂପସୀର ମନକୁ ଧରି
ମାଳୁଣୀ ଜିଣିଅଛି ସାରା ନଗରୀ,
ତରୁଣ-ତରୁଣୀଙ୍କି ରଖିଛି ହାତେ
ତା ନାମେ ତାଙ୍କ ବୁକୁ ଉଠଇ ଥରି।
ତଥାପି ପ୍ରିୟ ନାରୀ ସବୁରି ଘରେ
ବିଶ୍ଵାସ ସବୁ କିଶୋରୀର ତା ପରେ,
ତା ବକ୍ଷେ କେତେ ବକ୍ଷ-ଗୋପନ କଥା
ତା ମୁଖୁ କେତେ କାନେ ପୀୟୂଷ ଝରେ।
★ ★ ★
କିଶୋରୀ ମେଳେ ଶ୍ରେଷ୍ଠ ସାଧବବାଳା
ମାଳୁଣୀ ନିତି ତା'ରେ ଦିଅଇ ମାଳା,
ଯତନ କରି ଜୁଡା ଦିଅଇ ବାନ୍ଧି
ହେବାକୁ ଦେଖଣାଙ୍କ ହୃଦୟ-କାରା।
ତା ପାଇଁ ବଗିଚାରେ ଭିନ୍ନ ବ୍ରତତୀ
ପୃଥକ ପୁଣି ତାର ସଲିଳ ଘଟୀ,
ପୃଥକ ହୋଇ ଫୁଟେ ତା ପାଇଁ ଫୁଲ
ସରସ ସବୁଠାରୁ ତାର ମାଳାଟି।
ଦିନେ ମାଳୁଣୀ ଭୁଜେ ଫୁଲର ହାର
ଅନନ୍ତ କରି ବାନ୍ଧିଦେଲା ବାଳାର,
ଘଡ଼ିକେ ଡାକ ଦେଲା କାଟିଲା ବୋଲି
ରକତ-ଦାଗ ବହୁ କଷ୍ଟେ ବାହାର।
ଚିକ୍କଣ କେଶେ ଫୁଲ ରହଇ ନାହିଁ
କବରୀ ଭାର, ଦେଲେ ମାଳା ଗୁଡାଇ,
ଗଳାରେ ଦେଲେ, କାଢିଦିଏ ଘଡିକେ
କୋମଳ କାନ୍ଧ ଦୁଇ ଯାଏ ବଥାଇ।
ଏଣୁ ମାଳୁଣୀ ବଡ଼ ବିପଦେ ପଡେ
ସଜାଇବାକୁ ତାକୁ ନିୟତ ଡରେ,
କୁସୁମ କୋମଳ ଯା' ଶରୀର ଲତା
ପିନ୍ଧାଇବାକୁ ତାକୁ ତା' କର ଥରେ।
ସାଧବ ଝିଅ ପାଶେ ଚଳେ ମାଳୁଣୀ
ଅପେକ୍ଷା କରିଥିବ ବର-ତରୁଣୀ,
କରରେ ଧରିଅଛି ଫୁଲଚାଙ୍ଗଡା
ସେ ଫୁଲ ତଳେ କେତେ ହୃଦ-ମାଗୁଣି।
★ ★ ★
ଭେଟିଲା ଦୂରଦେଶୀ ସାଧବସୁତ
ଏକାଳେ ତାକୁ , ତାର ଅଧର ପୁଟ,
ସହସା ଶୁଣାଇଲା, "ଶୁଣ ତ ଟିକେ
ଦେଖୁଛ ବେଶ-ବାସୁଁ ବିଦେଶୀ ମୁଁ ତ।"
କରୁ ଚାଙ୍ଗୁଡି ଆଣି କଟିରେ ଥୋଇ
ମାଳୁଣୀ ଅନାଇଲା ଚକିତ ହୋଇ,
ଦେଖିଲା ରୂପବନ୍ତ ତରୁଣ ଆଗେ
ଲାଜେ ତା ଆଖି ଟିକେ ଯାଉଛି ନୋଇଁ।
ସାଧବପୁଅ କହେ 'ମାଳୁଣୀ ପରା
ଦିଶୁଛ, ଖାଲି ନେଇ ଫୁଲ-ପସରା,
ବୁଲ, ନା ଆଉ ଅଛି କର ଗୋ ନାରୀ,
ଗରଜ ଅଛି ମୋର କହ ତ ତ୍ଵରା !
ଚତୁରୀ ମାଳୁଣୀ ସେ କହିଲା ହସି
"ଖାଲି କି ଫୁଇ ବିକେ ? ଲଗାଏ ରଶି,
ଏ ଫୁଲ ଦେଇ ଯୁବା-ଯୁବତୀ ହୃଦେ,
କୁସୁମ ହାରେ କେତେ ହୃଦୟ କଷି।
ମୋ ଲାଗି ଏ ନଗରେ କିଶୋରୀ ଦଳ
ଦେଖନ୍ତି ନିରଜନେ ମୁଖ ପ୍ରିୟର,
ମୋ ଫୁଲ ଦିଏ ଭାଷା ତରୁଣ-ପ୍ରେମେ
ପ୍ରଥମ ଉପହାର ତରୁଣୀଙ୍କର।
କି କାମ ଅଛି" - ବୋଲି କହିଲା ନାରୀ
"ଚାହିଁ ତ ଥିବେ ମୋତେ ସାଧବ-ବାଳୀ-"
ଚମକି ଅନାଇଲା ବିଦେଶୀ ଯୁବା
ପଚାରେ, "ସାଧବରେ ତୁ ସେବାକାରୀ ?"
"କାହିଁକି ?" ପଚାରିଲା ମାଳୁଣୀ ପୁଣ
ତରୁଣ କହେ "ଦେଖାଇବି ମୋ ଗୁଣ
ମାଳା ମୁଁ ଗୁନ୍ଥିପାରେ ବିଚିତ୍ର କରି
କବରୀ ସାଜିପାରେ ଅତି ନିପୁଣ।"
"ବିଦେଶୀ ମାଳାକାର ? ଆସ ଗୋ ତେବେ"
ବୋଇଲା ନାରୀ, "ନିଶ୍ଚେ ଗୁଣ ଚିହ୍ନିବେ
ସାଧବକନ୍ୟା, ଆଉ ନ ଚିହ୍ନୁ କେହି
ଚିହ୍ନାଇଦେବି, ରହ ମୋ ଘରେ ଯେବେ।
ଗୁନ୍ଥିବ ମାଳା କାଲି ଯତନ କରି
ସାଧବକନ୍ୟା ପାଶେ ନେବି ମୁଁ ଧରି,
ଆସ କୁଟୀରେ" - ଲେଉଟିଲା ଘରକୁ
ସାଧବପୁଅ ଚଳେ ଶିବ ସୁମରି।
(କ୍ରମଶଃ ... )
[ ଉପସ୍ଥାପନା - ଅମ୍ରିତେଶ ଖଟୁଆ ]
No comments:
Post a Comment