★ " ସାଧବ ଝିଅ " ଓ କବି ମାୟାଧର ମାନସିଂହ ★
----------------------------------------------------
( #ଧାରାବାହିକ ଭାଗ_3 )
ସାଧବପୁଅର ଏହି ଚିନ୍ତା କ୍ରମଶଃ ଦିନାନୁକ୍ରମେ ବଢିବାକୁ ଲାଗିଛି - ଯଦି ତା' ମନର ସେହି ଏକା ତରୁଣୀ ନ ମିଳେ ଛାଡି ଚାଲିଯିବ, ପୁଣି ଥରେ ଦରିଆ ସେ ପାରିକୁ। କାରଣ, ସେ କରିଥିଲା ଆଶା କାଳେ ତାହା ଆଖିରେ ଆଜି ତା'ର ରୂପସୀ ପ୍ରତୀକ୍ଷିତ ନୟନ ମିଶିଯିବ କେଉଁ ଝରକା ଦେଇ ଅଥବା କେଉଁ ବିପଣୀ ମଧ୍ୟରେ ଯାଇ !
ସେ ଆଣିଥିଲା କାବେରୀରୁ ତା' ପାଇଁ ଧବଳ ହୀରାର ହାର ଆଉ ଚୋଳରୁ ସୁବର୍ଣ୍ଣର କୁସୁମମାଳା। ସବୁବେଳେ ଦରିଆକୁ ଦରିଆ ବାଣିଜ୍ୟ କରୁଥିବା ସାଧବ ପୁଅ ଏଥର ବିକଳ ତାହାରି ପାଇଁ। ଇଏ ଯେ କେବଳ ପ୍ରେମତୃଷ୍ଣା ନୁହେଁ, ଇଏ ତ ମନର ସେହି ନିର୍ମଳ ଆବେଗ - ଯାହା ଜୀବନକୁ କରେ ଆହୁରି ଜୀବନ୍ତ, ଆଉ ପ୍ରାଣକୁ ଦିଏ ଜଞ୍ଜାଳରୁ ଉପଶମ !
ପର୍ବପର୍ବାଣି ସମୟରେ ସେ ତ କେତେ ତରୁଣୀଙ୍କୁ ପ୍ରତ୍ୟକ୍ଷୀଭୂତ କରିଛନ୍ତି, ଯେଉଁମାନେ ତାଙ୍କ ଅଗଣାକୁ ନିଜର କମଳ-ସ୍ଵରୂପ ଦଳରେ ଅଗଣାକୁ ଶୋଭା କରନ୍ତି। ହେଲେ କେବଳ ସେହି ବିଜନ ବେଳାର ସେହି ଏକାକୀ ତରୁଣୀଙ୍କ ପାଇଁ ତାଙ୍କର ମନଟା ଆକୁଳ ହେବାର କାରଣ କଣ?
ସାଧବଝିଅର ଅପ୍ରାପ୍ତିରେ ଦୁଃଖୀ ଯୁବା ବଣିକ କହୁଛି -
ଦେଖା ହେବ ନାହିଁ
ଯେ ଦୂର ପ୍ରଣୟୀ
ତା'ରେ ମୁଁ ସଁପିଲି ମନ,
ଯା' ପାଇଁ ରଖିଲି
ତା ହାତେ ନ ପଡି
ଶେଷ ହେବ ଯଉବନ ।
ଆଉ ନିତିଦିନ
ତନୁ ପ୍ରସାଧନ
ନାହିଁ ଲାଗେ ମନ ସଖି,
କାହାର ଭରସା
ପାଇଁ ସାଜି ଖୋଷା
ବାତାୟନେ ଆଖି ରଖି?
କଳିକା ଫୁଟଇ
କୁସୁମ ଝଡ଼ଇ
ପୁଣି ତ କଳିକା ଉଠେ,
ମୋ ମନ-ଲତାର
କୁସୁମ ଆଶାର
କଳିକାରୁ ତଳେ ଲୁଟେ।
ମାଟିର ଶିବ ଯେ
ନିତି ନିତି ପୂଜେ
ମନାସିଲି ଦେବ ଦେବୀ,
ମାଣିକ ପ୍ରଦୀପ
ଜାଗରେ ଜାଳିଲି
ଠାକୁରାଣୀ ପଦ ସେବି।
ମରୁଛି ବିଫଳେ
ଭାସି ଆଖି ଜଳେ,
ନୟନେ ଦେଖିଲି ନାଇଁ
ଆଉ ଥରେ ହେଲେ
ତରୁଣ ଯେ ଗଲେ
ସେ ଦିନ ବୋଇତ ବାହି।
ଆଉ କି ଆସିବେ
ନୟନେ ଦିଶିବେ
ତଥାପି ଏ ପୋଡ଼ା ମନ,
କହେ କାନେ କାନେ
ଆଶାର ଛଳନେ
'ମିଳିଲା ହଜିଲା ଧନ।'
ସେହି ସେ ଆଶାରେ
ରହିଛି ଧରାରେ
କହୁଛି ତୁମରେ କଥା,
ମାଣିକ ରତନ
ଦାସୀ ପରିଜନ
ନେବେ କି ପରାଣ-ବଥା ?
ଜଳଧି ବେଳାରେ
ଅବା କେଉଁଠାରେ
ଦେଖୁ ଯଦି ମତେ କହି,
ଦୁଃଖ ମୋର ହର,
ମାଳୁଣୀ ଲୋ ମୋର,
ତୋଷିବି ବଧାଇ ଦେଇ ।
ଗଭୀର ନିଶୀଥେ
ଉଠି ମୋର ପୀଠେ
ତେଜିବୁ ମଳିନ ଦୀପ,
ଉଠାଇବୁ ମୋତେ
କହିବୁ ଗୁପତେ
କପାଳେ ଛୁଇଁଣ ଟିପ-
"କିଶୋରୀ ଦେଖ ଲୋ
ତୋ ରାଜକୁମାର
ବାତାୟନ ତଳେ ଠିଆ,
ବାଟରୁ ଫେରାଇ
ଆଣିଅଛି ଧାଇଁ
କହି ତୋ ବ୍ୟଥିତ ହିଆ।"
ଏହି ସଖୀପଣ
କରି ଏ ଜୀବନ
ମାଳୁଣୀ ରଖ ତୁ, କହେ
ଥାଉ ପ୍ରସାଧନ
କୁସୁମ ଭୂଷଣ,
ଜୀବନ ତ ନାହିଁ ଥୟେ।
( କ୍ରମଶଃ ... )
[ ଉପସ୍ଥାପନ - #ଅମ୍ରିତେଶ ଖଟୁଆ ]
★ ସାଧବ ଝିଅ ଓ କବି ମାୟାଧର ମାନସିଂହ ★ ------------------------------------
(ଧାରାବାହିକ ଭାଗ - 4)
ଯୁବା ବଣିକ ଦେଖିଛି ନାନା କଳ୍ପନାରେ ନାନାବିଧ ଆଶା - ଦରିଆକୁ ସାଥୀ କରି ଅତିବାହିତ ଜୀବନ ତା ପାଇଁ ଆଉ ଥୟ ନୁହେଁ। ଆଶା ପୂରଣ ହେଉନଥାଏ, ହେଲେ ବି ଅନ୍ୟ ଆଡେ କହି ବୁଲିଥାଏ - ସେଇ ଆଶାର ସଞ୍ଚରିତ ଆବେଗରେ ଯେ ତାଙ୍କର ଏକାନ୍ତ ହଜିଲା ଧନ ମିଳିଯାଇଛି।
ମାଳୁଣୀ ହାତରେ ନିଜର କଥା କହି ତାକୁ ପଠେଇଛି ଜନପଦକୁ, କହିଛନ୍ତି ଗଭୀର ରାତିରେ ବି ମୋତେ ମୋ ନିଦ୍ରାଭଙ୍ଗ କରିବାକୁ ଯଦି ପଡେ, ଯଦି ଆଲୁଅର ଏହି ଦୀପାଳି ଲିଭିବାକୁ ହୁଏ, ତେବେ ହେ ମୋର ସଖୀ, ମୁଁ ସମସ୍ତ କୁସୁମଭୂଷିତ ଅଙ୍ଗ ପ୍ରସାଧନ ବ୍ୟତୀତ କରି ସେଇ ଏକାନ୍ତ ଲୋଡୁଥିବା ସମ୍ବାଦଟି କର୍ଣ୍ଣଗୋଚର କରିବି ।
ଏହା ପରେ ଚାଲିଯାଉଛି ମାଳୁଣୀ -
କୁସୁମ ହାରେ ଗୁନ୍ଥି ଯୁବା ତରୁଣୀ
ବଳା ବଜାଇ ଚଳେ ଧୀରେ ମାଳୁଣୀ।
କରକେ ଧରିଅଛି ଫୁଲ ଚାଙ୍ଗଡା
ସେ ଫୁଲେ ଅଛି କେତେ ହୃଦ-ମାଗୁଣି।
ମୁଣ୍ଡରେ ଝରାକୋଠି ଖୋଷାରେ ଖୋସା
ପାଦରେ ଝୁମ୍ପା ଭରିଦେଇଛି ଯୋଷା।
ପୃଥୁଳ ବାହୁ ଭରି କୁଟିଛି ଚିତା
ନୟନେ ଖଞ୍ଜରୀଟ ହୋଇଛି ପୋଷା।
ନାକକେ ନୋଥ, ନାକଚଣା ଆରକେ
ଦଣ୍ଡି-ଝଲକା ଓଠେ ବାଜି ଝଲକେ,
ଅଧର ଘନ ନାଲି ବିଡ଼ିଆ-ରାଗେ
ଚଳଇ ନାରୀ, ପାନ ଜାକି ଗାଲକେ।
କପାଳେ କଳା-ଚିତା ପରେ ଟିକିଲି
ମହଣ ଦେଇ ଟାଣେ ଦେଇଛି କିଳି,
ମହଣ ଦେଇ ପୁଣି କାଢିଛି ମାଙ୍ଗ
ଖେଳାଇ ଢେଉ, କେଶ ଦେଇଛି ଭିଡି।
ବାହୁରେ ତାଡ଼, ଗୋଡେ ପାହୁଡ଼ ବଳା
ସରଣୀ କମ୍ପେ ଯେବେ ଚାଲେ ଅବଳା,
ଧରଣୀ-ନିଦ ଭାଙ୍ଗେ ଚରଣ ମୁଦି
ଶିଖାଇ ତରୁଣୀଙ୍କୁ ଚଳନ-କଳା।
ନଗର-କିଶୋରୀଏ ତା ପଥ ଚାହିଁ
ଗବାକ୍ଷ ତେଜି କାହିଁ ଯାଆନ୍ତି ନାହିଁ,
ଉଛୁର ହେଲେ ମାନ କାହିଁରେ କିବା
ସେ ମାନ ଭଙ୍ଗେ ଗଭା ଯତ୍ନେ ସଜାଇ।
ବରାଙ୍ଗୀ ଏକେ ଏକେ ବରାଦ ଏକ
କେ ଚାହେଁ ସୂର୍ଯ୍ୟମୁଖୀ, କେ କୁରୁବକ,
କାହାର ଅବା ଲୋଡ଼ା କଦମ୍ବ-କଢି,
କରବୀ କାମିନୀ ବା କାହାର ସଖ !
ମାଳାରେ ହେଲେ ଜଣକର ଆଦର,
କବରୀ-ସାଜ ମାଗିଥାଏ ଅପର ।
କେ ମାଗେ ନୀପ ପୁଷ୍ପ ଦେବାକୁ କାନେ,
କୁସୁମ-ଗୁଚ୍ଛେ କା'ର ଶରଧା ବଡ଼।
ତରୁଣୀ କେହି ତାରେ କରିଛି ଅଳି
ଦେବାକୁ ଏ ଆଷାଢେ କଦମ୍ବକଳି,
ନିତିକି ନିତି, ଯେଣୁ ଆସିବେ ପ୍ରିୟ
ବରଷା ଯାପି ଯିବେ ପ୍ରବାସେ ଚଳି।
କିଶୋରୀ କେହି ମାଗିଥିଲା କେତକୀ
ଗଲା ବସନ୍ତେ ଭଲେ ହଂସ-ଗତିକି
ଯୋଗାଇ ନ ପାରିଲା, ବଢ଼ିଛି ମାନ,
ମନା ହୋଇଛି ଯିବା ତାର କତିକି।
କେ ବଧୂ ବୋଲେ, 'ଅୟି ମାଳୁଣୀ ସଖି'
କହିବି ଗୋଟେ କଥା ପାରିବ ରଖି ?
ପୂର୍ଣ୍ଣିମା ଦିନ ସେ ଗୋ ଆସିବେ ଘରେ
ବକୁଳ ମାଳା ଏକ ଗୁନ୍ଥି ଦେବ କି ?
କାହାକୁ ନାହିଁ ବୋଲି କହଇ ନାହିଁ
ହସି ଚତୁରୀ କହେ ଆଣିବା ପାଇଁ,
କାମିନୀ ମନ ସେ ତ ବୁଝିଛି ଭଲେ
ଭୁଲାଇ ରଖିଥାଏ ଆଶା ଦେଖାଇ।
ଯାଉ ଯାଉ ସେ ରାଜପଥେ ଚତୁରୀ
କିଶୋରୀଗଣ ହୋଇ ଅତି ଆତୁରୀ
ଡାକନ୍ତି ହାତ ଠାରି ଗବାକ୍ଷ ପଛୁ
'ମାଳୁଣି, ରାଣ ଆଗ ଆସ ଏ ପୁରୀ ।'
କେ କହେ, 'ବେଳ ଗଲା କବରୀ ସାଜି
ପାରିବି ନାହିଁ ତୋର କୁସୁମେ ଆଜି,
ଆଉ କେ ବୋଲେ, 'ତୋର କେତେ ଲୋ ଆୟୁ
ଏ କ୍ଷଣି ଖୋଜୁଥିଲି ପରାଗ-ରାଜି।'
ସକଳ ରୂପସୀର ମନକୁ ଧରି
ମାଳୁଣୀ ଜିଣିଅଛି ସାରା ନଗରୀ,
ତରୁଣ-ତରୁଣୀଙ୍କି ରଖିଛି ହାତେ
ତା ନାମେ ତାଙ୍କ ବୁକୁ ଉଠଇ ଥରି।
ତଥାପି ପ୍ରିୟ ନାରୀ ସବୁରି ଘରେ
ବିଶ୍ଵାସ ସବୁ କିଶୋରୀର ତା ପରେ,
ତା ବକ୍ଷେ କେତେ ବକ୍ଷ-ଗୋପନ କଥା
ତା ମୁଖୁ କେତେ କାନେ ପୀୟୂଷ ଝରେ।
★ ★ ★
କିଶୋରୀ ମେଳେ ଶ୍ରେଷ୍ଠ ସାଧବବାଳା
ମାଳୁଣୀ ନିତି ତା'ରେ ଦିଅଇ ମାଳା,
ଯତନ କରି ଜୁଡା ଦିଅଇ ବାନ୍ଧି
ହେବାକୁ ଦେଖଣାଙ୍କ ହୃଦୟ-କାରା।
ତା ପାଇଁ ବଗିଚାରେ ଭିନ୍ନ ବ୍ରତତୀ
ପୃଥକ ପୁଣି ତାର ସଲିଳ ଘଟୀ,
ପୃଥକ ହୋଇ ଫୁଟେ ତା ପାଇଁ ଫୁଲ
ସରସ ସବୁଠାରୁ ତାର ମାଳାଟି।
ଦିନେ ମାଳୁଣୀ ଭୁଜେ ଫୁଲର ହାର
ଅନନ୍ତ କରି ବାନ୍ଧିଦେଲା ବାଳାର,
ଘଡ଼ିକେ ଡାକ ଦେଲା କାଟିଲା ବୋଲି
ରକତ-ଦାଗ ବହୁ କଷ୍ଟେ ବାହାର।
ଚିକ୍କଣ କେଶେ ଫୁଲ ରହଇ ନାହିଁ
କବରୀ ଭାର, ଦେଲେ ମାଳା ଗୁଡାଇ,
ଗଳାରେ ଦେଲେ, କାଢିଦିଏ ଘଡିକେ
କୋମଳ କାନ୍ଧ ଦୁଇ ଯାଏ ବଥାଇ।
ଏଣୁ ମାଳୁଣୀ ବଡ଼ ବିପଦେ ପଡେ
ସଜାଇବାକୁ ତାକୁ ନିୟତ ଡରେ,
କୁସୁମ କୋମଳ ଯା' ଶରୀର ଲତା
ପିନ୍ଧାଇବାକୁ ତାକୁ ତା' କର ଥରେ।
ସାଧବ ଝିଅ ପାଶେ ଚଳେ ମାଳୁଣୀ
ଅପେକ୍ଷା କରିଥିବ ବର-ତରୁଣୀ,
କରରେ ଧରିଅଛି ଫୁଲଚାଙ୍ଗଡା
ସେ ଫୁଲ ତଳେ କେତେ ହୃଦ-ମାଗୁଣି।
★ ★ ★
ଭେଟିଲା ଦୂରଦେଶୀ ସାଧବସୁତ
ଏକାଳେ ତାକୁ , ତାର ଅଧର ପୁଟ,
ସହସା ଶୁଣାଇଲା, "ଶୁଣ ତ ଟିକେ
ଦେଖୁଛ ବେଶ-ବାସୁଁ ବିଦେଶୀ ମୁଁ ତ !"
କରୁ ଚାଙ୍ଗୁଡି ଆଣି କଟିରେ ଥୋଇ
ମାଳୁଣୀ ଅନାଇଲା ଚକିତ ହୋଇ,
ଦେଖିଲା ରୂପବନ୍ତ ତରୁଣ ଆଗେ
ଲାଜେ ତା ଆଖି ଟିକେ ଯାଉଛି ନୋଇଁ।
ସାଧବପୁଅ କହେ 'ମାଳୁଣୀ ପରା
ଦିଶୁଛ, ଖାଲି ନେଇ ଫୁଲ-ପସରା,
ବୁଲ, ନା ଆଉ ଅଛି କର ଗୋ ନାରୀ,
ଗରଜ ଅଛି ମୋର କହ ତ ତ୍ଵରା !
ଚତୁରୀ ମାଳୁଣୀ ସେ କହିଲା ହସି
"ଖାଲି କି ଫୁଲ ବିକେ ? ଲଗାଏ ରଶି,
ଏ ଫୁଲ ଦେଇ ଯୁବା-ଯୁବତୀ ହୃଦେ,
କୁସୁମ ହାରେ କେତେ ହୃଦୟ କଷି।
ମୋ ଲାଗି ଏ ନଗରେ କିଶୋରୀ ଦଳ
ଦେଖନ୍ତି ନିରଜନେ ମୁଖ ପ୍ରିୟର,
ମୋ ଫୁଲ ଦିଏ ଭାଷା ତରୁଣ-ପ୍ରେମେ
ପ୍ରଥମ ଉପହାର ତରୁଣୀଙ୍କର।
କି କାମ ଅଛି" - ବୋଲି କହିଲା ନାରୀ
"ଚାହିଁ ତ ଥିବେ ମୋତେ ସାଧବ-ବାଳୀ-"
ଚମକି ଅନାଇଲା ବିଦେଶୀ ଯୁବା
ପଚାରେ, "ସାଧବରେ ତୁ ସେବାକାରୀ ?"
"କାହିଁକି ?" ପଚାରିଲା ମାଳୁଣୀ ପୁଣ
ତରୁଣ କହେ "ଦେଖାଇବି ମୋ ଗୁଣ
ମାଳା ମୁଁ ଗୁନ୍ଥିପାରେ ବିଚିତ୍ର କରି
କବରୀ ସାଜିପାରେ ଅତି ନିପୁଣ।"
"ବିଦେଶୀ ମାଳାକାର ? ଆସ ଗୋ ତେବେ"
ବୋଇଲା ନାରୀ, "ନିଶ୍ଚେ ଗୁଣ ଚିହ୍ନିବେ
ସାଧବକନ୍ୟା, ଆଉ ନ ଚିହ୍ନୁ କେହି
ଚିହ୍ନାଇଦେବି, ରହ ମୋ ଘରେ ଯେବେ।
ଗୁନ୍ଥିବ ମାଳା କାଲି ଯତନ କରି
ସାଧବକନ୍ୟା ପାଶେ ନେବି ମୁଁ ଧରି,
ଆସ କୁଟୀରେ" - ଲେଉଟିଲା ଘରକୁ
ସାଧବପୁଅ ଚଳେ ଶିବ ସୁମରି।
(କ୍ରମଶଃ ... )
[ ଉପସ୍ଥାପନା - ଅମ୍ରିତେଶ ଖଟୁଆ ]
No comments:
Post a Comment