Wednesday, July 22, 2020

ସାଧବ ଝିଅ/: ଦିତୀୟ ଭାଗ :- ମାୟାଧର ମାନସିଂହ

★ " ସାଧବ ଝିଅ " ଓ କବି ଡଃ ମାୟାଧର ମାନସିଂହ ★    -----------------------------------------------------------
                             (#ଭାଗ_2)              

                        ବିଜନବେଳାର ସେ ମନ୍ଥିତ ସ୍ମୃତିତଳକୁ ଝାଙ୍କିଲା ବେଳେ ସାଧବ ବୋହୂର ମନ ବାହୁନେଇ ଉଠେ ତା'ର ସେଇ ପ୍ରାଣପ୍ରିୟ ବଣିକ ପାଇଁ ! ଦେବତାଙ୍କୁ ମାଗୁଣି କରିଛି, ଆକାଶର ଦିଗଦିଗନ୍ତାନୁଗତ ଖୋଜା ଲୋଡିଛି ତା' ପ୍ରିୟ ବଣିକ, ଯିଏ ତା ପ୍ରାଣ ତା'ରି ସହ ନେଇଯାଇଛି ! 

ଦେବତାଙ୍କୁ ଦୟିନୀ କରିଛି, ଫେରାଇ ଆଣ ତାହାକୁ ଯିଏ ମୋ ହୃଦୟ ତା ସହିତ ନେଇଛି ତାହାର ବାଣିଜ୍ୟର ଗନ୍ତବ୍ୟ ପଥରେ ! ଆଉ ଆସେନି ନିଦ୍ରା ତା ଆଖିରେ, ହଂସୁଲି ଶେଯର ପରଶ ତାକୁ ଆଉ ଅଲୋଡ଼ା, କେବଳ ଲୋଡା ଏଇ ଲୋକାଚାରର ଗହଳି ମଧ୍ୟରେ ସେ ଏକା ପ୍ରାଣୋପମ ପ୍ରାଣପ୍ରିୟର ପରଶ !

                   ସେଇ ସାଗର ଆଗେ ତିଷ୍ଠି ପଚାରେ, ଆଉ କଣ ସେ କନକପୁର ଦରକାର ମୋର, ଯଦି ମନର ବେଦନାକୁ, ଛାତି ତଳର ସେଇ ଉଦ୍ଦାମତାକୁ ନିଃସରି ସେ ନେଇ ଯାଇଛି କେଉଁ ରାଜ୍ୟକୁ, ମୋରି ହୃଦୟକୁ ତାହାରି ସାହଚର୍ଯ୍ୟରେ ! କଣ ମୁଁ ଏଇ କନକ, ନୀଳା, ମୋତି, ମାଣିକଝରାରେ ଭରା ଦେଇ ଜୀବନ ଲୋଡିବି ? 

ସେ କେଉଁ ମୋ ପ୍ରାଣର ଦେବତା, ଯିଏ ନିତ୍ୟ ଦୟିନୀକୁ ମୋର ହୃଦଗତ କରିବ, କେମିତି ଅକସ୍ମାତ୍ ସେ ଚାଲିଗଲା ପରାଏ ? କଣ ଆଉ କେଉଁ ଯୁବାବୟସୀ ସଙ୍ଗେ ସେ ତା'ର ଅମୃତମୟ ଦେବପ୍ରାଣକୁ ଉତ୍ସର୍ଗ କରିଦେଇଛି ? ରକ୍ତ ଦେଇ ସୁଦ୍ଧା ମୁଁ ତା'କୁ ପାଇବା ପାଇଁ ଦେବତାଙ୍କୁ ସାକ୍ଷୀ ରଖି ବ୍ରତ କରିବି !

ଠିକ୍, ସେହି ଅନ୍ତରାଳରେ ଦୂର ଦରିଆ ମଝିରେ ସେଇ ସାଧବଝିଅକୁ ସ୍ମରଣ କରିଛି ସେ ଯୁବା ବଣିକ :-

            "ସେ ଆଖି ଦୁଇଟି ସମାନ ମାଣିକ କାହିଁ,
             ଘାଟେ ଘାଟେ ମୋର ବୋଇତ ତାହାରି ପାଇଁ,
             ଛାଡି ମୁଁ ଆସିଲି ସେ କେଉଁ ସାଗରକୂଳେ
             ସାଧବପୁଅ ମୁଁ ଦିନ କାଟେ ତାରେ ଧ୍ୟାୟି ।

             ଅଳପେ ଚାହିଁଲା, ଲାଜେ ମୁଖ ଦେଲା ପୋତି
             ନଖେ ମିଶାଇଲା ଗଳାହାର ମୋତି ଜ୍ୟୋତି,
             ପୁଣି ସେ ଚାହିଁଲା, ପୁଣି ମୁଁ ଚାହିଁଲି ଥରେ
             ହସି ଲାଜେ ପୁଣି ନୁଆଁଇଲା ନାସା-ମୋତି।

             ସେତିକି ଚାହିଁବା, ସେତିକି ମୋ ଦେଖାଦେଖି
             ବୁକୁରେ ସେ ଛବି ଯାଇଛି ଗଭୀରେ ଲେଖି,
             ଯାହା ଭାବେ ତା'ର କଥା ହିଁ ପଡ଼ଇ ମନେ
             ଯହିଁ ଚାହେଁ ସେଇ ନୟନ ଉଠଇ ରେଖି।

             ଟିକିଏ ଚାହିଁଲା, କେତେ ସେ କହିଲା କଥା
             ଥରେ ସେ ଅନାଇଁ କେତେ ଯେ ଦେଉନି ବ୍ୟଥା,
             ଉଦାସୀ ସାଧବ ପୁଅ ମୁଁ, ମୋ ଆଖେ ନୀର
             ଭାବଇ ତା' ବିନୁ ଜୀବନେ ନାହିଁ କି ପନ୍ଥା।

             କଥା କହିବାର ଥିଲା ନାହିଁ ଅବସର,
             ଚଳିଲା ତରୁଣୀ ପଛ କରି, ନିଜ ଘର,
             ପଛେ ରଖିଗଲା ମୁଗ୍ଧ ତରୁଣ ମତେ
             କରି ମତେ ନବ-ପିପାସାରେ ଜରଜର।

             ବେଳାର ଜନତା କରମେ ତାହାର ଲାଗେ,
             ଉଦାସେ ବୋଇତ ଭାସଇ ବାରିଧି ଭାଗେ ;
             ନୂତନ-ପ୍ରଣୟ-ବିକଳ ସାଧବପୁଅ
             ଚାହିଁ ରହିଲା ଯେ ରୂପସୀ ଚଳିଲା ଆଗେ।

             ବୋଇତେ ଆସିଲି, ଟେକାଇ ଦେଲି ମୁଁ ପାଲ,
             ସ୍ଵଦେଶେ ଫେରିବା ପାଇଁ ହୋଇଥିଲା କାଳ,
             ସେଇଦିନୁ ପ୍ରତି ଘାଟେ ମୁଁ ଖୋଜୁଛି ପରା
             ସେ ନୟନମଣି ଅୟୁତ ମଣିରେ ସାର।

             ସାଧବପୁଅ ମୁଁ ବୋଇତରେ ମୋ ଜୀବନ
             ସାଗର ଲହରୀ ଗଣି ସରେ ଯଉବନ,
             ଧ୍ରୁବତାରା ଚାହିଁ ଶୁଖଇ ଆଖିର ପାଣି
             କାନେ ଚିର କଟୁ ସୁନା ରୂପା ଝଣଝଣ।

             ପିତା ମୋ ଦେଶର କୁବେର ନଗର-ଶେଠ
             ଘରେ ଧରେ ମଣି-ପ୍ରଦୀପ କନକ-ପୀଠ,
             ଦାସ-ଦାସୀ ଦେହେ ସୁନାଛିଟା ପାଟଶାଢୀ
             ଯାଚକମାନଙ୍କ ସେବା ହୁଏ ଅବିରତ।

             ପାରବଣେ ଯେତେ ପୁରବାଳା ଆସି ଘରେ
             ଶୋଭଁତି ଅଗଣା ବଦନ-କମଳ ଦଳେ,
             କିଶୋରୀ ଯେତେକ ଦୋଳାଇ ମୋହନ ବେଣୀ
             ଦୋଳାଇ ଦିଅଁତି ଯୁବାଜନେ ମରମରେ।

             ଦେଖିଥିଲି ତାହା କିଶୋର ବୟସେ ପରା
             ତା ପରେ ଜୀବନ ବୋଇତେ ହେଉଛି ସରା,
             ବାପାଙ୍କ ବଚନ ମାନି ମୁଁ ବଣିକପୁଅ
             ଘାଟେ ଘାଟେ ଆଜି ବୁଲାଉଛି ମୋ ପସରା।

             ଯଉବନ ଗଲା ଅ-ସାଥୀ ସାଗର ପରେ
             ସାଥୀ ଖୋଜା ପ୍ରାଣ ଶମିବ କାହାର ବଳେ?
             ଘାଟୁ ଘାଟ ତରୀ ଭିଡ଼ି ମୋ ଜୀବନ ଗଲା,
             ପରାଣ-ତରୀ ମୋ ଭିଡ଼ିବି କା' ପଦତଳେ?

             ଯେ ଦିନୁ ସେ ଦେଖିଲି ଏ ନୟନରେ
             ପ୍ରଣୟର ନିଆଁ ଜଳଇ ହୃଦୟତଳେ,
             କେ ଦେବ ସେ ମଣି ? ଗଳାରେ କରିବି ହାର
             ଲିଭିବ ହୃଦୟେ ବିପୁଳ ଦହନ, ଖରେ।

             ନଙ୍ଗର ପକା ତ, ନଙ୍ଗର ପକା ରେ ମାଝି
             ଏଇ ତ ସେ କୂଳ, ସେଇ ତ ସଉଧରାଜି,
             ସେଇ ବେଳା, ସେଇ ଦେଉଳେ ପତାକା ଉଡେ
             କେତେ ଘାଟେ ବୁଲି ଫେରି ମୁଁ ଆସିଛି ଆଜି।

             କେତେ ଦେଶୁଁ କେତେ ଆଣିଛି ମୁଁ ଉପହାର
             କାବେରୀ ଦେଇଛି ଧବଳ ହୀରକ ହାର,
             ଚୋଳରୁ ଆଣିଛି କନକ କୁସୁମ-ମାଳା
             ସବୁ ଦେବି ଥୋଇ ଚରଣ-କମଳେ ତାର।

             ତା ସାଥେ ଦେବି ଏ ତରୁଣ ହୃଦୟ ମମ
             ତା' ଚରଣତଳେ ବିନୟିତ ଦାସ ସମ,
             କହିବି - "ଏ ମୁଖ ପାଇଁ ମୁଁ ଜୀବନ ଦେବି"
             କହିବି - "ତୋ ସେବା ଜୀବନେ ଧରମ ମମ।"

             କୂଳେ ଭିଡ଼ ତରୀ, ଆସ ରେ ମାଳଦା, ମାଝି
             ବହି ଆଣ କୂଳେ ମାଣିକ ବଣିଜ ରାଜି,
             ପେଣ୍ଠରେ ପଇଠ କରି ତମେ ଏଥି ରହ
             ଯାଏଁ ମୁଁ ନଗରେ କପାଳ ମୋ ଖୋଜି ଖୋଜି।

            ବୁଲିବି ଯାଉଛି ନଗରର ପଥେ ପଥେ
            ଦେଖିବି ଯଦି ସେ ଯାଉଥାଏ କାହିଁ ରଥେ,
            ଦେଖିବି ଯଦି ସେ ବାତାୟନେ ଥିବ ଚାହିଁ
            ଦେଖିବି ଯଦି ସେ ଚାହାଣିରେ ଜାଣେ ମତେ।

            ମାଳାକାର ହେବି ତା' କବରୀ ହାର ରଚି
            କାଚରା ହେବି ମୁଁ ଦେବାକୁ ତା' କର ଖଚି,
            ସୁନାରି ହେବି ତା' ଚରଣ-ବଳୟ ଲାଗି
            ନାପିତ ହୋଇ ତା ଚରଣ ମାଜିବି ବସି।

            ଏଇ ଯେ ସେ ଅବଳା ; ପାବନ ତା ପଦ ଲାଗି
            ଆଖି ଆଗେ ମୋର ସେ ଦିନ ଉଠଇ ଜାଗି,
            ମନେ ହୁଏ ଏଇ ଊଷର ବାଲୁକା ପରେ
            ଶୁଅଁତି ମୁଁ ଥରେ ତା' ପଦ-ପରଶ ଲାଗି।

            କାହିଁକି ନା ଯିବି ? ଚିହ୍ନିବ ସେ କି ଗୋ ମତେ ?
            ବିଦେଶୀ ମୁଁ, ଖାଲି ନୟନ ମିଶିଛି ପଥେ,
            ଏଥିରେ କି ଆଶା ? ମୂଢ଼ ପରି ହୁଏ କିମ୍ପା ?
            ମୋ ପରି ତରୁଣ ନ ଥିବେ ନଗରେ କେତେ !

            ତଥାପି ମାନୁନି ମନ ମୋ ବାସନା ଖାଲି
            ଆଉ ଥରେ ଦେଖେଁ ପରାଣର ସେ ସଙ୍ଖାଳି,
            ଥରେ ଆଉ ଖାଲି ଆଖେ ଆଖି ଯାଉ ମିଶି
            ଆଶା ନ ଦେଖିଲେ - ବୋଇତ ମୋ ଦେବି ଚାଳି।

(କ୍ରମଶଃ)......
ଉପସ୍ଥାପନା  : #ଅମ୍ରିତେଶ_ଖଟୁଆ
💐💐💐💐💐💐💐💐

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...