ମାଡ଼ ର ଅସରନ୍ତି କଥା
==============
ଆଜିକାଲି ର ପିଲାଙ୍କୁ ଲାଗିବ ଗପ
ଯିଏ ଦେଖିନାହାଁନ୍ତି ବେତ ମାଡ଼ କୋପ
ଶିକ୍ଷକ-ବଡ଼ ଙ୍କ ସେ ନୋଳା ଫଟା ମାଡ଼
ଯାହା ପଡିଲେ ଭାଙ୍ଗିଯିବ ପିଠି ହାଡ଼ ll
ଦେବି ଏହାର କେତେକ ଉଦାହରଣ
ଅଙ୍ଗେଲିଭା କଥା ତ ସତ ବୋଲି ଜାଣ
ମୂଳ ରୁ ଚୂଳ ଯାଏଁ ରହିଛି ସ୍ମୃତିରେ
ଏତେ ଘଟଣା କଣ କିଏ ଭୁଲିପାରେ? ll
ସେତେବେଳେ ମାଡ଼ ଖାଇ କାନ୍ଦିଲେ ମାଡ଼
ଆଉ ବିନା ମାଡ଼ରେ କାନ୍ଦିଲେ ବି ମାଡ଼
ସାଙ୍ଗ ମାନଙ୍କ ସହ ଖେଳିଲେ ବି ମାଡ଼
ନ ଖେଳି ଘରେ ବସିଲେ ଆହୁରି ମାଡ଼ ll
ବଡ଼ ମାନଙ୍କ ପାଖେ ଏପଟ ସେପଟ
ହେଲେ, ପଡିବ ପିଠିରେ ବେତ ର ଛାଟ
ବଡ଼ ମାନଙ୍କୁ ଉତ୍ତର ଦେଲେ ହିଁ ମାଡ଼
ବଡ଼ ଙ୍କ କଥା ରେ 'ହଁ' ନକଲେ ବି ମାଡ଼ ll
ଯଦି ବହୁଦିନ ନ ଖାଇଛ ତ ମାଡ଼
ତାହେଲେ ଏବେ ଦେଖା ତମ ହାତ ଗୋଡ଼
ବସିବ ଚୌକସ ପଜା ବେତ ର ପାହାର
ଆଖିରୁ ଜୁଳୁଜୁଳିଆ ପୋକ ବାହାର! ll
ଶିକ୍ଷକ ଙ୍କ ଉପଦେଶ ଅମାନ୍ୟେ ମାଡ଼
ଅତିଥି ଙ୍କୁ ପ୍ରଣାମ ନକଲେ ତ ମାଡ଼
ଅତିଥି ଙ୍କ ଖାଦ୍ୟ ଛୁଇଁଲେ ପୁଣି ମାଡ଼
ତାଙ୍କ ସହ ଯିବାକୁ ଜିଦ୍ଦି କଲେ ମାଡ଼ ll
ବେଳ ରେ ଖାଇବାକୁ ମନାକଲେ ମାଡ଼
ଅବେଳ ରେ କିଛି ଖାଇଲେ, ବେଶୀ ମାଡ଼
ଘରକୁ ଡେରିରେ ଫେରିଲେ ମାଡ଼ ଆଗ
ଭୋଜି କଲେ ତ ପିଠିରେ ସୁଝିବ ରାଗ ll
କୌଣସି କଥା କୁ ଜିଦ୍ଦି ଧରିଲେ ମାଡ଼
ବେଶୀ ଉତ୍ସାହିତ ହୋଇ କହିଲେ ମାଡ଼
ସାଙ୍ଗ ଙ୍କ ସହ ଝଗଡା କଲେ ହିଁ ମାଡ଼
ଝଗଡା କରି କାନ୍ଦି ଫେରିଲେ ବି ମାଡ଼ ll
ଘରରନ୍ଧା ଖାଦ୍ୟ ଧୀରେ ଖାଇଲେ ମାଡ଼
ରାସ୍ତା ର ବରା ଶୀଘ୍ର ଖାଇଲେ ବି ମାଡ଼
ବେଶୀ ରାତି ଯାଏଁ ଚେଇଁଲେ ବେଶୀ ମାଡ଼
ସକାଳୁ ସହଳ ନ ଉଠିଲେ ବି ମାଡ଼ ll
ଅତିଥି ଙ୍କ ଖାଦ୍ୟ କୁ ଚାହିଁଲେ ହିଁ ମାଡ଼
ତାଙ୍କ ଖାଦ୍ୟ କୁ ଖୁମ୍ପି ଖାଇଲେ ବି ମାଡ଼
ଘର ମଧ୍ୟେ ଡେଇଁ ଡେଇଁ ଚାଲିଲେ ମାଡ଼
ମଠେଇ ମଠେଇ ଚାଲିଲେ ବେଶୀ ମାଡ଼ ll
ବଡ଼ ମାନଙ୍କୁ କଣେଇ ଚାହିଁଲେ ମାଡ଼
ବଡ଼ ମାନଙ୍କୁ ନ ଚାହିଁଲେ ବି ତ ମାଡ଼
ବଡ଼ ମାନଙ୍କ ସହ କଥା ହେଲାବେଳେ
ଚାହିଁଲେ ଏପଟ ସେପଟ, ମାଡ଼ ମିଳେ ll
(ଗଲାବେଳେ) ଅତିଥି ଙ୍କ ହାତରୁ ପଇସା ନେଲେ ମାଡ଼
(ନେଲାବେଳେ) ବାପା ଙ୍କ ଆଖି ବଡ଼, ଦାନ୍ତ କଡମଡ
କାନ୍ଦୁରା ପିଲାଙ୍କୁ ଦେଖି ହସିଲେ ମାଡ଼
ଶବ ଉଠିଲା ବେଳେ ନ କାନ୍ଦିଲେ ମାଡ଼ ll
ଠାକୁରଙ୍କ ଛଡାଫୁଲ ମାଡିଲେ ମାଡ଼
ପଢା ବେଳେ 'ଏକ' କି 'ଦୁଇ' ଗଲେ ମାଡ଼
ମାଡ଼ ଖାଇ ପ୍ୟାଣ୍ଟ ରେ 'ଦୁଇ' ହେଲେ ମାଡ଼
ଜଂଘ ର କାଛୁ ଉପରେ ବି ବେତ ମାଡ ll
ଲୁଚି କି ସିନେମା ଗଲେ ଗୋଗଚ୍ଛ ମାଡ଼
ଗଣିତ ରେ କମ ମାର୍କ ପାଇଁ ହିଁ ମାଡ଼
ପାହାନ୍ତିଆ ସଂସ୍କୃତ ନ ପଢିବା ମାଡ଼
ଦି ଚାରିଥର ଭାଙ୍ଗିଛି ମୋ ହାତ ଗୋଡ଼ ll
ଏମିତି ତ ଅସରନ୍ତି ଏ ମାଡ଼ କଥା
ପାଠକ ପାଠିକା ଙ୍କ ହେବ ମୁଣ୍ଡବ୍ୟଥା
ମାଡ଼ ର ଉପାଖ୍ୟାନ ସବୁ ଅଙ୍ଗେଲିଭା
ସ୍ମୃତି ର ଦର୍ପଣ ରେ ନିମିଷକେ ଉଭା ll
(ହେଲେ) "ଏଇ ମାଡ଼ କରିଛି ଦେହ ମନ ଦୃଢ଼
କରିଛି ପୌରୁଷ ଭବ୍ୟ, ହୃଦୟ ବଡ଼
ଦଣ୍ଡ ମଧ୍ୟେ ଆଶୀର୍ବାଦ ରହିଛି ଭରି
ତାହା ସ୍ମରି, ଦୁଃଖ ତ ଯାଏ ଅପସରି!" ll
===========================
✍ ପ୍ରମୋଦ କୁମାର ମହାନ୍ତି
No comments:
Post a Comment