ଆମ ନୀତିକଥା
==========
ମିଠା ବାଣୀ ବିନା ବାଣିଜ୍ୟ
ବେଶୀ ଦିନ ରହେନି ତେଜ
ଚାଲିଛି ତ ପ୍ରତିଯୋଗିତା
ମଧୁର ବଚନ ହିଁ କର୍ତ୍ତା ll
ଶୃଙ୍ଗାର ବିହୀନ ସେ କନ୍ୟା
ବାହା ବେଦୀ ରେ ନୁହେଁ ଘେନା
ଲୋଡ଼ା ନାହିଁ ଜାତି-ଯୌତୁକ
ସୌନ୍ଦର୍ଯ୍ୟ ପୌରୁଷ ର ଲକ୍ଷ୍ୟ ll
କୁହୁ ବିହୀନ ଚୈତ୍ର ମାସ
ମଳୟ କରୁଛି ନିରାଶ
ଏବେ ବି ବସନ୍ତ ରାଜୁତି
ଗ୍ରୀଷ୍ମ କାହିଁକି ଆଣେ ଭୀତି? ll
ବିନା ମାଳୀ ରେ ସେ ଉଦ୍ୟାନ
ଲାଗଇ ଅରମା ଅସ୍ଥାନ
ଯେଉଁଠି ନାହିଁ ସ୍ନେହ ଶ୍ରଦ୍ଧା
ଘର ଲାଗିବ ଅଧା ଅଧା ll
ବିନା ପରଶା ରେ ସେ ଥାଳି
ଥିଲେ ବି ଖାଦ୍ୟ ଭଳି ଭଳି
ଅଭାବ ସେଠି ଅନୁରାଗ
କିଏ ସେ ବାଢି କି ଖାଇବ? ll
ଛନ୍ଦ ନଥିଲେ କି କବିତା
ଛନ୍ଦି ନହେଲେ କାହିଁ ଲତା
ଲତା କବିତା ଓ ବନିତା
ଛନ୍ଦ ରେ ଗଢିଛି ବିଧାତା ll
ସୁଗନ୍ଧ ନାହିଁ ତ କି ଫୁଲ
ରୂପ-ଗୁଣ କି ସମତୁଲ?
ସୁନ୍ଦର ଦିଶଇ ପଲାଶ
ମଧୁ ମକ୍ଷିକା ର ଅସ୍ପର୍ଶ ll
ଶଙ୍ଖ ଘଣ୍ଟା ବିନା ମନ୍ଦିର
ଲାଗେ ମନ ଖାଲି ଅସ୍ଥିର
ଶାଶ୍ୱତ ସେ ଭବ୍ୟ କମ୍ପନ
ଧ୍ଵନି ର ଉଚ୍ଚ ଆଲୋଡନ ll
ସ୍ୱର ତାଳ ବିନା କି ଗୀତ
ସବୁ ତ ଲାଗେ ବିପରୀତ
ବେସୁରା ଗାୟକ ଗାୟିକା
ଶ୍ରୋତା ମାନଙ୍କୁ ଦ୍ୟନ୍ତି ଧୋକା ll
ନିଶ ନଥିବା ଯେତେ ମର୍ଦ୍ଦ
ଅଲେଖା କାଗଜ ର ଫର୍ଦ୍ଦ
ନିଶ ଭିତରେ ତ କାହାଣୀ
ପୌରୁଷ ର ତାହା ରୋଷଣୀ ll
ଜାତି ବ୍ରାହ୍ମଣ ହେଲେ ଚୁଟି
ପହିଲମାନ ର ଲେଙ୍ଗୁଟି
ଯଦି ନଥାଏ ଶରୀର ରେ
ତାଙ୍କ ଦକ୍ଷତା ପ୍ରଶ୍ନ କରେ ll
ଧାର ନଥିବା ତରବାରୀ
ମସଲା ହୀନ ତରକାରୀ
ଲାଗେ ଆଖିକୁ ମୂଲ୍ୟହୀନ
ଥିବା ଓ ନଥିବା ସମାନ ll
ବର୍ଷା ବିହୀନ ଚତୁର୍ମାସ୍ୟା
ଆଶା ବିହୀନ ଅମାବାସ୍ୟା
ବିନା 'ପୂବେଇ' ରେ ଶ୍ରାବଣ
ରାମ ବିହୀନ ରାମାୟଣ ll
ମିଠା ପାଣି ନଥିବା କୂଅ
ବୁଢ଼ା କାଳରେ ପୋଷ୍ୟ ପୁଅ
ସରମ ବିହୀନ ଲଳନା
ହିସାବେ ହୁଅନ୍ତିନି ଗଣା ll
ନାରୀ ବିହୀନ ସେ ନିବାସ
ହେଇଥାଉ ପଛେ ଉଆସ
ଲାଗିବ ପରିତ୍ୟକ୍ତ ଭୂଇଁ
ପ୍ରାଣୀ ର ପରିତ୍ରାଣ ନାହିଁ ll
ବିନା ମହକ ର ଅତର
ଚୂନ ବିନା ପାନ ପତର
କାକଳୀ ବିହୀନ ବିହଙ୍ଗ
ଜୀବନ ଲାଗିବ ନିଃସଙ୍ଗ ll
ଏସବୁ ଆମ ନୀତିକଥା
ସଂସ୍କାର ସଂସ୍କୃତି ର ଗାଥା
ଲୁଚି ରହିଛି ଦିବ୍ୟଜ୍ଞାନ
ମିଳିବ କଲେ ତ ସନ୍ଧାନ ll
✍ ପ୍ରମୋଦ କୁମାର ମହାନ୍ତି
No comments:
Post a Comment