Saturday, April 24, 2021

ରାମ ନାମ

ରାମ ନାମ 
=======
ଦେବୀ ପାର୍ବତୀ ଦିନେ କଲେ ଜିଜ୍ଞାସା: 
ହେ ଦେବ ମହାଦେବ କର ମୀମାଂସା 
କାହିଁକି ତ୍ରିବାର କର ନମସ୍କାର 
କଣ ପୁଣି ଅଛି ରହସ୍ୟ ଏହାର? ll 

ମହାଦେବ କହନ୍ତି: ହେ ମହାଦେବୀ 
ହୃଦେ ମୋ ସର୍ବଦା ଶ୍ରୀରାମ ଙ୍କ ଛବି 
ତେଣୁ ଯେଉଁ ବ୍ୟକ୍ତି ଥରେ କହେ 'ରାମ' 
ତାଙ୍କୁ କରେ ମୁଁ ତ ତ୍ରିବାର ପ୍ରଣାମ ll

ଉତ୍ତର ରେ ଦେବୀ ହେଲେ ଉଲ୍ଲସିତ 
ସ୍ମିତହାସ ଦେଇ ହେଲେ ବି ବିସ୍ମିତ 
ତାଙ୍କ ପତି ଦେବ ଦେବ ମହାଦେବ 
(ତଥାପି) ଶ୍ରୀରାମ ଙ୍କ ପ୍ରତି ଏତେ ଅନୁରାଗ! ll

ଦିନେ ପଚାରିଲେ ଦେବୀ ହୋଇ ତ୍ରସ୍ତ 
ଶ୍ମଶାନେ ଏତେ ପ୍ରୀତି କିମ୍ପା ହେ ନାଥ 
ହେଉଛ ଧ୍ୟାନସ୍ଥ ଚିତାଭସ୍ମ ବୋଳି 
ଶମ୍ଭୁ ଓ ଭସ୍ମ ଯେମିତି କୋଳାକୋଳି! ll 

ସ୍ମିତହାସେ ଶିବ କହନ୍ତି: ଶୁଣିବ? 
ତା'ହେଲେ ମୋ ସହ ଶ୍ମଶାନ କୁ ଯିବ 
ସେଇଠି କହିବି ଏହାର କାରଣ 
ସନ୍ଦେହ ତମର ହେବ ନିବାରଣ ll

ଶ୍ମଶାନେ ଜ୍ୱଳନ୍ତ ଏକାଧିକ ଯୂଈ 
ବିଞ୍ଚା ହୋଇଛି ସେଠି କଉଡ଼ି ଖଇ 
ରାମ ନାମରେ ସ୍ଥାନ ଟା ପ୍ରକମ୍ପିତ 
'ରାମ ନାମ ହିଁ ସତ': ସଭିଙ୍କ ମତ ll 

ସେ ନାମରେ ସଦାଶିବ ହ୍ୱନ୍ତି ମୁଗ୍ଧ 
ମୁଗ୍ଧ ଶିବ ଙ୍କ ଦର୍ଶନେ ଦେବୀ ସ୍ତବ୍ଧ!
ପ୍ରସନ୍ନ ମୁଦ୍ରାରେ ଧୀରେ ଆଖି ମେଲି 
ଶିବ କହନ୍ତି ଶିବାଙ୍କୁ ଓ଼ଷ୍ଠ ଖୋଲି ll

ହେ ଶିବାନୀ! ପାଇଥିବ ତ ଉତ୍ତର 
ଚିତାଭସ୍ମ କାହିଁକି ପ୍ରିୟ ସେ ମୋର 
ତଥାପି କହୁଛି ଶୁଣ ମୁଁ ବୁଝାଇ 
ରାମ ନାମ ସତରେ ଆନନ୍ଦଦାୟୀ ll

ଯେତେ ବ୍ୟକ୍ତି ଆସିଛନ୍ତି ଏହି ସ୍ଥାନ 
ସମସ୍ତଙ୍କ ହୃଦୟେ ଶ୍ରୀରାମ ଚିହ୍ନ 
ମୁଖରେ ଆନନ୍ଦିତ ରାମ ଙ୍କ ନାମ 
ସମୂହ ସ୍ୱରରେ ଲାଗେ ସତ୍ୟକାମ ll

ବାସସ୍ଥାନ ରୁ ଶ୍ମଶାନ ଯାଏଁ ପଥ 
ରାମ ନାମ ର ଧ୍ଵନି ରେ ସେ ପବିତ୍ର 
ପଞ୍ଚ ମହାଭୂତ ବି ହୁଅନ୍ତି ତୃପ୍ତ 
ସେ ନାମରେ ଶବ ହୋଇଯାଏ ପୂତ ll

ଏତେ ରାମ ନାମ ଶୁଣି ମୁଁ ତ ମୁଗ୍ଧ 
ପ୍ରିୟ ଙ୍କ ସ୍ମରଣ ରେ ମୋ ଦୃଷ୍ଟି ଉର୍ଦ୍ଧ୍ୱ 
ଲୋଡ଼ୁନାହିଁ ମୁଁ ତ କୈଳାଶ ପର୍ବତ 
ଶ୍ମଶାନ ପ୍ରିୟ, ମୋ ରାମନାମ ସତ ll

ଅଗ୍ନି ଯେବେ ସୃଷ୍ଟି କରେ ଚିତାଭସ୍ମ 
ରାମନାମେ ଜଡିତ ଆହା କି ଉଷ୍ମ!
ମୋ ଶରୀର ରେ ଦେଲେ ଏହାର ଲେପ 
ମୁଁ ଉଲ୍ଲସିତ, ମୋ କ୍ରୋଧ ହୁଏ ଲୋପ ll

ରାମନାମ କରେ ତାଣ୍ଡବ ଠୁଁ ଦୂର 
ଆଶୁତୋଷ ରୂପ ମୋର ମନୋହର 
ମୁଁ ତମର ତମେ ମୋର ହେ ପାର୍ବତୀ 
ମୋ କ୍ରିୟା କର୍ମ ରେ (ଆଉ) ଅଛି କି ଆପତ୍ତି? ll

ମୁଗ୍ଧ ନିର୍ବାକ ଦେବୀ ଙ୍କୁ ଦେଖି ଦେବ 
କହନ୍ତି: ହୋଇପାରେ ମୁଁ ମହାଦେବ 
(କିନ୍ତୁ) ଶ୍ରୀରାମ ଓ ରାମନାମ (ଅତି) ମୋର ପ୍ରିୟ 
ଅଜପା ରେ ରଖେ, କରେ ତାଙ୍କ ଜୟ ll

ରହସ୍ୟ ର ଅନ୍ତ ହେଲା, ହସନ୍ତି ପାର୍ବତୀ 
ରାମନାମ ର ବୃତ୍ତାନ୍ତ ଏହିଠାରେ ଇତି ll

              ✍ ପ୍ରମୋଦ କୁମାର ମହାନ୍ତି 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...